ବିଦ୍ରୋହ
ଗୋଦାବରୀଶ ମହାପାତ୍ର · ଭାଗ ୨ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
-ତିନି-
ଭଙ୍ଗା କୁଡ଼ିଆଟି ଭିତରେ ପଲ୍ଲି ଗାଆଁର ପାଞ୍ଚଟି ପ୍ରାଣୀ ଅନେକ ଦିନ ଏକାଠି ରହିଲା ପରେ ସଂସାରର ଖରା, ବର୍ଷା, ଶୀତରେ କୁଡ଼ିଆଟି ନ ଭାଜୁଣୁ ସେହି ପରିବାରଟି ଭାଜିଗଲା ।
ଶ୍ରାବଣ ମାସର ଅଚାନକ ବର୍ଷା ଭିତରେ ଘରେ ଆଣ୍ଠୁଏ ପାଣି ହେଲା । ବୈଶାଖ ମାସର ଝାଞ୍ଜ ଭିତରେ ତାହା ନିଆଁଗଦା ତଳେ ରହିଲା ପରି ରହିଲା । ଚାଳରେ ନଡ଼ା ନାହିଁ, ସେ ଭିତରେ ପବନ ଅବାଧରେ ବହିଲା । ଗାଆଁର ବୁଲା କୁକୁର ଦଳ ମନ ଇଚ୍ଛା ସେ ଭିତରେ ପଶିଲେ-। ଖରା, ବର୍ଷା, ଶୀତ, କାକର ଭିତରେ କୁଡ଼ିଆବାସୀ ଲୋକଙ୍କର କିଛି ହେଲେ କ୍ଷତି ହୋଇ ନ ଥିଲା-। ମାତ୍ର ଆସିଲା କାହୁଁ ଅକାଳ ମଡ଼କ ଯେ, ପରିବାରର ତିନୋଟି ପ୍ରାଣୀ ଏକାବେଳକେ ଚିରକାଳ ପାଇଁ ସେ ଭିତରେ ଆଖି ବୁଜି ରହିଲେ । କୁଡ଼ିଆ ଭିତରୁ ଶୋକର ରୋଳ ଉଠିଲା, ଘନ ଘନ ଦୀର୍ଘ ଶ୍ୱାସ ଉଠିଲା, ତଥାପି ପଲ୍ଲିର କୁଡ଼ିଆ ଖଣ୍ଡିକ ସେହିପରି ମୁଣ୍ଡ ଟେକି ରହିଲା । କବାଟ ବଦଳରେ ଦୁଆରେ ତାଳପତ୍ର ତାଟି ଲାଗିଲା, ଚୂନ ପିଣ୍ଡା ଉପରେ ମାଟି ଗୋବର ଲିପା ହେଲା, କଟା ସାହାଣ ପଥର ପାହାଚ ସ୍ଥାନରେ ମାଟିର ପିଣ୍ଡି ତିଆରି ହେଲା; ତଥାପି ସେ ଘରେ ମଣିଷ ରହିବାକୁ ବାଧ୍ୟ ହେଲେ !
ପଲ୍ଲି କୁଡ଼ିଆଟିର ଏହି ଦୁର୍ଦ୍ଦଶା ଦେଖିଲେ ମନୁଷ୍ୟ ତ ସାମାନ୍ୟ କଥା, ଅନ୍ତର୍ଯ୍ୟାମୀ ଭାଗବନ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଦୂରରୁ କୁଡ଼ିଆ ଖଣ୍ଡିକୁ ଚାହିଁଲେ ଜଣା ପଡ଼େ-ଦିନେ ତାହା ମାନବ ସୌଭାଗ୍ୟର ସକଳ ଗୌରବମୟ ଚିତ୍ର ଦେଖିଥିଲା । ତହିଁର ପରିଚୟ ଏ ପର୍ଯ୍ୟନ୍ତ ଦରଭଙ୍ଗା କାନ୍ତବାଡ଼ରୁ ପରିଷ୍କାର ଲିଭି ନାହିଁ । କେଉଁ ଯୁଗର କେଉଁ ଚିତ୍ରକର ହାତର ରାମ ରାବଣ ଯୁଦ୍ଧ, କୃଷ୍ଣଲୀଳା ଛବି ଘର କାନ୍ଥର ମାଟି ଗୋବର ଆବରଣ ତଳେ ଛଉଛଉକିଆ ହୋଇ ବାରି ହୁଏ । ଘରଟା ଏବେ ଶ୍ରୀହୀନଳ ତହିଁ ସଙ୍ଗେ ସଙ୍ଗେ ଗୋଟି ମଧ୍ୟ ରୁକ୍ଷ, ଶୋଭାହୀନ ହୋଇ ପଡ଼ିଛି । ସେଥିରୁ ଜଣା ପଡ଼ୁଛି, ଗାଁର ଅଧିକାଂଶ ଘର କୁଡ଼ିଆ ହେବା ସୀମାରେ ଆସି ପହଞ୍ଚିଛି... । ସେ ସବୁ ପ୍ରାଚୀନ ଘରକୁ ଦେଖିଲେ ମନେ ହୁଏ, ସତେ ଅବା ସେ ଗୁଡ଼ାକ ଭୁବନେଶ୍ୱରର କେଉଁ ଯୁଗର ଗୋଟାଏ ଇତିହାସମୟ ପ୍ରକାଣ୍ଡ ମନ୍ଦିର ! ! ଆଗେ ସେ ଭିତରେ ସାକ୍ଷାତ୍ ଦେବତା ବାସ କରୁଥିଲେ ।
ଯେଉଁଦିନ ସେହି ଶ୍ରୀହୀନ କୁଡ଼ିଆଟି ଭିତରୁ ତିନୋଟି ପ୍ରାଣୀଙ୍କୁ ଗାଁର ପାଞ୍ଚ ଛ’ ଜଣ ଲୋକ ଥର ଥର କରି ଗାଁର ପୂର୍ବ ପାଖର ମଶାଣି ପଡ଼ିଆକୁ ବୋହି ନେଇଗଲେ, ତାର ପ୍ରାୟ ବର୍ଷକ ପରର ଘଟଣା ଏହିଠାରେ କୁହାଯାଉଛି ।
ଦିନେ ମାର୍ଗଶୀର ମାସ ସକାଳେ ମଙ୍ଗଳପୁର ଗାଁ ଦାଣ୍ଡରେ ତିନି ସ୍ଥାନରେ ନିଆଁ ଜଳୁଛି-। ତିନି ଜାଗାରେ ତିନିଦଳ ଲୋକ ନିଆଁ ପୋଇଁବାରେ ବ୍ୟସ୍ତ । ଦେଉଳ ଚାରିପଟେ ନିର୍ଜୀବ ପଥର ମୂର୍ତ୍ତିସବୁ ଥୁଆ ହୋଇଥିଲା ପରି ସମସ୍ତେ ନିଆଁ ଆଡ଼କୁ ମୁହଁ କରି, ମୁହଁ ପର୍ଯ୍ୟନ୍ତ ହାତଟାମାନ ଟେକି, ମୁକୁଳା ଆଣ୍ଠୁରୁ ଫାଳେ ଲେଖାଏଁ ଅଗ୍ନି ଦେବତାଙ୍କ ଆଡ଼କୁ ଦେଖାଇ ଆଳସ୍ୟର ଗୋଟିଏ ଗୋଟିଏ ପ୍ରତିମୂର୍ତ୍ତି ରୂପେ ବସିଛନ୍ତି । ଏକାବେଳକେ କିଏ କଣ ଗପିବାରେ ଲାଗିଛି । ଯୁକ୍ତିତର୍କ ବାକ୍ବିତଣ୍ଡାର ବିରାମ ନାହିଁ । ତିନି ବର୍ଷର ବାଳିକାକୁ ବିବାହ ଦେବା ପ୍ରସ୍ତାବଠାରୁ ଅସ୍ପୃଶ୍ୟତା ନିଦାରଣ ଅପବାଦ ପର୍ଯ୍ୟନ୍ତ ନାନା କଥାର ଅବତାରଣା ଚାଲିଛି । ଶାରଦା ଆଇନର କଟୁ ସମାଲୋଚନା କରି କିଏ ଶାରଦାଙ୍କ ସାତ ପୁରୁଷଙ୍କୁ ଯମପୁରର କେଉଁ ଅକଥ୍ୟ ସ୍ଥାନରେ ରଖିବା ଉଚିତ ବୋଲି ପ୍ରସ୍ତାବ କରୁଛି । କିଏ ବା ବିଧବା ବିବାହରେ ଆସନ୍ନ ପ୍ରଳୟର ଆଶଙ୍କା କରି ଜଗନ୍ନାଥଙ୍କ ଅଭୟ ନାଆଁରେ ହାତ ଯୋଡ଼ୁଛି ।
ଏହିପରି ସମୟରେ ସମସ୍ତଙ୍କ କଥାକୁ ଜବତ୍ କଲାପରି ସେ ଭିତରୁ ଜଣେ କିଏ ପାଟି କରି କହି ଉଠିଲେ–‘‘ଆହେ, ସବୁ ତ ହେଲା, କେତେ କେତେ କଥା ତ ଏ କାନ ଶୁଣିଲାଣି, ଏବେ କଶ ମଙ୍ଗଳପୁର ଭାଗ୍ୟରେ ଆମରି ଆମଳରେ ସବୁ କଥା ଘଟିବାକୁ ଥିଲା ? ବିଶ୍ୱନାଥ ତ ଗଲେ, ତାଙ୍କର ଝିଅଟି କୁଳରେ ଲାଗିବ ତ ? ଏବେ ତ ପୂରିଲା ଆସି ଦଶ ବରଷ-ଆଉ ମାସ କେତୁଟାରେ ସବୁ କଥା ସରିଯିବ । ଏ ଅପକୀର୍ତ୍ତି ମୁଣ୍ଡେଇବ କିଏ ? ବିଚାର କର, ବିଚାର କର । ଗାଁର ସବୁ ଯାଇଥିଲା; ମାତ୍ର ଯାଇ ନ ଥିଲା ଏତକ । ଏତକ ଗଲେ ଆଉ ଏ ଗାଁର ମଙ୍ଗଳ ନାଇଁ, ମଙ୍ଗଳ ନାଇଁ-। ଶୁଣୁଚ ତ ସବୁ !’’
କଥାଟାକୁ ଏକା ନିଶ୍ୱାସରେ ଶେଷ କରି ଦେଇ ବକ୍ତା ଯେତେବେଳେ ୟା ମୁହଁକୁ ତା ମୁହଁକୁ ଚାହିଁଲେ, ସମସ୍ତେ ନୀରବରେ ତାଙ୍କ କଥାକୁ ସମର୍ଥନ କଲା ପରି ଜଣା ପଡ଼ିଲା । ପ୍ରଭୁଙ୍କୁ ଦ୍ୱାହି ଦେଇ, କପାଳକୁ ଦୋଷଦେଇ କିଏ କିଏ କଣ ବା କହି ଆସୁଥିଲେ । ଏହିପରି ସମୟରେ ଦାଣ୍ଡ ମଝିରେ ଆଉ ଏକ କଥା ଘଟିଲା । ଦୁଇଟା ଷଣ୍ଢ ମାଡ଼ଗୋଳ ଲାଗି ଦାଣ୍ଡଟାକୁ ଥଳେଇ ପକାଇଲେ । ନିଆଁ ପୋଉଁଥିବା ଲୋକେ-ବକ୍ତା, ଶ୍ରୋତା ସମସ୍ତେ ତାଳି ମାରି, ଅସମ୍ଭାଳ ହୋଇ ଉଠି ପଡ଼ିଲେ । ଚାହୁଁ ଚାହୁଁ ପିଣ୍ଡା ପିଣ୍ଡା ହୋଇ ଲୋକ ଜମା ହୋଇପଡ଼ିଲେ । ଷଣ୍ଢ ଦୁଇଟାରୁ କିଏ ହାରିବ, କିଏ ଜିଣିବ, ଏ କଥାରେ ମଧ୍ୟ ଦଳଗତ ଗୋଳମାଳ, ଗର୍ଜନ ତର୍ଜନ ଚାଲିଲା । କିଏ କାଳିଆର ପ୍ରଶଂସା କଲେ କିଏ ବା କଷରାର ପ୍ରଶଂସା କଲା । ଦେଖୁ ଦେଖୁ ଆଳସ୍ୟର ଏ ଆଉ ଏକ ଆମୋଦଜନକ ଅଭିନୟ ଆରମ୍ଭ ହେଲା ।
କଥା ଏହିପରି ଚାଲିଥିଲାବେଳେ ଉତ୍ତ ଭଙ୍ଗା କୁଡ଼ିଆଟିର ଦୁଆର ମୁହଁରେ ଜଣେ କିଏ ବିଧବା ଚିତ୍କାର କରି ଉଠିଲେ–‘‘ହେ...ମୋ ରମା, ହେ...... ମୋ ରମା...... !’’
ସମସ୍ତେ ଦେଖିଲେ ସ୍ୱର୍ଗତ ବିଶ୍ୱନାଥଙ୍କ ଝିଅ ରମା ନିଆଁ ଲୁଣ୍ଡାଟିଏ ଧରି ନିର୍ଭୟରେ ଷଣ୍ଢ ମାଡ଼ଗୋଳ ଭିତର ଦେଇ ଚାଲି ଆସୁଛି । ଦଶ ବରଷର ବାଳିକା, ଦେହରେ ସାତନିଆଁ ପୁରୁଣା କନା ଖଣ୍ଡିଏ କେବଳ, ମୁଣ୍ଡରେ ବର୍ଷେ ହେଳା ତେଲ ହାତ ବାଜିଛି କି ନାହିଁ ସନ୍ଦେହ । ତଥାପି ସେ ଯେ ଗୋଟିଏ ରୂପବତୀ ବାଳିକା, ତାର ଲୁଖୁରା ବେଶ ଦେଖି ମଧ୍ୟ କେହି ହେଲେ ତାହା ଅସ୍ୱୀକାର କରବେ ନାହିଁ । ତା ରୂପର ଛାୟାରେ ସେହି ସାତସିଆଁ ମଳି ଲୁଗା ଖଣ୍ଡିକ ଭଲ ହୋଇ ବାହାରକୁ ଜଣା ପଡ଼ୁ ନ ଥିଲା ।
ଏତିକିବେଳେ ଚାରିଆଡ଼ୁ ପାଟି ଶୁଣାଗଲା–‘‘ହାଁ-ହାଁ-ହାଁ- ଆଡ଼େଇ ହୋଇ ଯା, ଆଡ଼େଇ ହୋଇ ଯା, ଆଡ଼େଇ ହୋଇ ଯା...।’’
ମାତ୍ର ରମା କାହା କଥାକୁ ନ କାନେଇଲା ପରି ଚାଲି ଆସିଲା । ତା ବ୍ୟବହାର ଦେଖି ସମସ୍ତଙ୍କ ମୁହଁରୁ ଏକାବେଳକେ ଗାଳି ବୃଷ୍ଟି ହେଲା–‘‘କେଡ଼େ ଅଣ୍ଡିରାଚଣ୍ଡୀଟେ, କେଡ଼େ ଛତରଖାଇଟେ ! ନିଆଁ ନ ହେଲେ କଣ ଇମିତି ପ୍ରାଣ ପଳାଉଚି ! ଏଡ଼େ ଝିଅଟେ ହେଲାଣି, ଲାଜ ନାହିଁ, ସରମ ନାହିଁ.....ଦାଣ୍ଡେ ଦାଣ୍ଡେ ଚାଲି ଯାଉଛି !’’
ସତେ ଯେପରି ଉପସ୍ଥିତ ଜନତା ନିଆଁ ପୋଇଁବା ବିପକ୍ଷରେ ଯୁଦ୍ଧଘୋଷଣା କରୁଛନ୍ତି ! ସେତେବେଳେ କାହାର ମନକୁ ଆସିଲା ନାହିଁ ଯେ ବାଳିକାଟି ସାରା ରାତି ସେହି କନା ଖଣ୍ଡିକରେ ଆଶ୍ରହ ନେଇଥିବ; ନ ହେଲେ ବା ଚିରା ସନ୍ତରା ମୁଦୁରା ଖଣ୍ଡିଏ ଘୋଡ଼େଇ ହୋଇ ରାତିଯାକ ଶୀତରେ ଥରି ଥରି ରହିଥିବ !
ବାଳିକା ରମା ଭୟ, ଲାଜ, ଶୀତରେ ଥରୁ ଥରୁ ହୋଇ, ତାଟିଟା ଠେଲି ଦେଇ ଘର ଭିତରକୁ ପଶିଗଲା !
-ଚାରି-
ରାଧାନାଥଙ୍କ ଏକମାତ୍ର କନ୍ୟା ଗଉରୀକି ଯେତେବେଳେ ପାଞ୍ଚ ବରଷ ବୟସ, ସେହି ଦିନୁ ତା ପାଇଁ ପାତ୍ର ଖୋଜା ଲାଗିଲା । ସେଥିପାଇଁ ରାଧାନାଥଙ୍କୁ ହାଡ଼ଭଙ୍ଗା ପରିଶ୍ରମ କରିବାକୁ ପଡ଼ିଲା । କାନିରେ ଚୁଡ଼ା ଚାଉଳ ବାନ୍ଧି ସେ ସାରା ଖଲିକୋଟ, ରଣପୁର, ନୂଆଗଡ଼ ରାଜ୍ୟ ବୁଲିଗଲେ । ଦେଖିଲେ, କେଉଁଠାରେ ପାତ୍ରର ଧନ ଅଭାବ, କେଉଁଠାରେ ଜନ୍ମ ଅଭାବ, କେଉଁଠାରେ ଗୁଣର ଅଭାବ ହେଲେ କେଉଁ ଗାଆଁରେ ବା ମୁଳରୁ ପାତ୍ରର ଅଭାବ । କାହିଁ କେଉଁଠି ସର୍ବ ଗୁଣର ପାତ୍ରଟିଏ ଥିଲେ ସୁଦ୍ଧା ସେଠାରେ ଅସଲ ମୂଳ କଥା ଜାତିଟାର ଅଭାବ !
ଏହିପରି ଘୋର ଅଭାବ-ସମୁଦ୍ରରେ ଭାସି ଭାସି ରାଧାନାଥ ମାସକେ ଥରେ ଦି’ଥର ଘରକୋଣରେ ପ୍ରଣୟିନୀଙ୍କ ପାଖେ ଆସି ଲାଗନ୍ତି । ଘରେ ପହଞ୍ଚିଲା ମାତ୍ରେ ମୁଣ୍ଡରେ ହାତ ଦେଇ ଗଣ୍ଠିସଂଖାଳି ଗଉରୀ ମୁହଁକୁ ଚାହିଁ ନ ଚାହିଁଲା ପରି ଟିକିଏ କରୁଣ ସ୍ୱରରେ କହନ୍ତି–‘‘ପ୍ରଭୁ ହେ, କାହିଁ କେଉଁଠି ଖଞ୍ଜିଛ ବାଟ ଦେଖେଇ ଦିଅ ।’’
ସେତେବେଳେ ତାରାମଣି ଡବଡବ କରି ଆଖିରୁ ଲୁହ ଗଡ଼େଇ ପକାଇ ଗଉରୀକୁ କୋଳକୁ ଟାଣି ଆଣନ୍ତି । ତା ମୁହଁ ପାଖେ ମୁହଁକୁ ଲଗାଇଦେଇ ସକସକ ହୋଇ କହନ୍ତି–‘‘ମା ମୋର, ତତେ ଛାଡ଼ି ମୁଁ କିମିତି ରହିବି ଲୋ... ।’’ ଏତିକି କହି ସେ ଟିକିଏ ତୁନି ହୋଇଯାନ୍ତି । ବୋଧହୁଏ ପର ମୁହୂର୍ତ୍ତରେ ସେ ପତିଙ୍କ ଶୁଖିଲା ମୁହଁକୁ ଦେଖି ଚମକି ପଡ଼ନ୍ତି । କହନ୍ତି–‘‘ଷଠୀବୁଢ଼ୀର ଭିଆଣ ଲୋ ମା, କେଉଁ ରାଇଜରେ ମୋ ଗଉରା ପାଇଁ ଥୋଇଚ କହିଦିଅ ମା ବୁଢ଼ୀ ସାଆନ୍ତାଣି ! ଆଉ ଏତେ ବୁଲେଇ ବୁଲେଇ......ଆହା... ବୁଲି ବୁଲି ତ ନାକଦଣ୍ଡିରେ ପ୍ରାଣ ରହିଲାଣି... !’’
କ୍ରମେ ତାଙ୍କ ଆଖିରୁ ଲୁହଧାର କୁଆଡ଼େ ଲିଭିଯାଏ । ପଚାରି ବସନ୍ତି–‘‘ଚଣ୍ଡୀପେଡ଼ ଗାଁର ସେଇ ରଥ ପିଲାଟି.....ଶାମୁକା ସାଇର ଚମ୍ପା ନାନୀର ସେି ନାତି...ବାଲଙ୍କିଶରଣପୁରର ସେଇ ଯେଉଁ, କଣ ତା ନାଁ ଆସୁନି-ତମ ସିଆଡ଼ ଲେଖାରୁ କଣ ହେବେ.....ବୁଝିଥିଲ କି ?’’
ଏହିପରି କେତେ ଯେ କଣ ପଚାରି ବସନ୍ତି, ତାର ଠିକଣା ନାହିଁ । ପଥଶ୍ରାନ୍ତ ରାଧାନାଥଙ୍କୁ ପୁଣି ବର ଖୋଜା ଯାତ୍ରାରେ ଚୁଡ଼ା ଚାଉଳ ବାନ୍ଧିବା ପୂର୍ବରୁ ବରାବର ଏସବୁ ଛୋଟ ବଡ଼, ସରଳ ଜଟିଳ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ୁଥାଏ ।
ପଲ୍ଲି କୁଡ଼ିଆ ତଳେ, ପିତାମାତାଙ୍କ ବୁକୁ ଭିତରେ ଏହି ଯେଉଁ ରୁଦ୍ଧ ଆବେଗର ଉଚ୍ଛ୍ୱାସ ଉଠୁଥିଲା, ତାହା ଅନେକ ସମୟରେ ଅନେକ ପରିମାଣରେ ଗଉରୀର କିଶୋରୀ ପ୍ରାଣକୁ ଛୁଇଁଯାଉଥିଲା । ଏହିପରି କଥା ସେ ମାସକେ ପନ୍ଦର ଦିନ ପ୍ରାୟ ଶୁଣେ । କେତେବେଳେ କିଏ କଣ କଥା ହୁଅନ୍ତି । ଯେତେବେଳେ ନନା ବୋଉ ଏକାଠି ବସନ୍ତି, ସବୁ କଥା ଆଗେ ଏ କଥାଟି ପଡ଼େ ।
ଏପରି ଭାବରେ କେତେ ଦିନ, କେତେ ରାତି ଗଲା । କେତେ ଥର ଦାଣ୍ଡ ଘରେ କନ୍ୟା ଦେଖା ହେଲା । କେତେ କୁଆଡ଼ୁ ଲୋକ ଆସି ରାଧାନାଥଙ୍କୁ ସମ୍ବନ୍ଧୀ ଲେଖା କରିଗଲେ । ସେ ସବୁ କେଉଁ ଦେଶର କିଏ, ଗଉରୀ କିଛି ବୁଝି ପାରିଲା ନାହିଁ । ଖାଲି ଗଲା, ଆସିଲା, ଦେଖା ଦେଲା, ଏହିପରି ହେଲା ସତ, ମାତ୍ର କଥାଟା ଅନେକ ଦିନ କାହିଁକି, ଅନେକ ମାସ ଯାଏ ପକ୍କା ହେଳା ନାହିଁ । ପରିଶେଷରେ, ମଧୁପୁର ଗାଁର ଗୋଟିଏ କ୍ଷୁଦ୍ର ପରିବାର ଭିତରେ ଦୁଇଟି ଗିରସ୍ତ ଭାର୍ଯ୍ୟଙ୍କୁ ଦୀର୍ଘ ଆଞ୍ଚ ବର୍ଷ କାଳ ଭୟ, ଆବେଗ, ଆଶଙ୍କାରେ ବୁଡ଼ାଇ ରଖି ମାଆ କ୍ଷଠୀବୁଢ଼ୀ ଅନୁଗ୍ରହ କଲେ-। ଖାଲି ଯେ ପାତ୍ରଟିଏ ଦେଇ ଅନୁଗ୍ରହ କଲେ ତାହା ନୁହେଁ, ବ୍ରାହ୍ମଣ ବୃନ୍ଦାବନରୁ ସାକ୍ଷୀଗୋପାଳଙ୍କୁ ପଛେ ପଛେ ଡାକି ଆଣିଲା ପରି ଷଠୀବୁଢ଼ୀ ରାଧାନାଥଙ୍କୁ ବାଟ ଦେଖାଇ ଦେଖାଇ ନେଇ ପାଟପୁର ଗାଁଆର ଗୋଟିଏ ଧନୀ ଘରେ ହାଜର କରାଇଲେ । ରାଧାନାଥ ସେହିଠାରେ ଦିଗ ପାଇଲେ । ଧନରେ ଟାଣ, ଜନରେ ଟାଣ ଏବଂ ବୟସରେ ମଧ୍ୟ ଟାଣ–ଏହିପରି ଏକ ପାତ୍ରକୁ ପାଇ ଗୌରୀ-କନ୍ୟା-ଦାନ ଫଳପ୍ରାପ୍ତି ଆଶାରେ ଆପଣାର ପର ଜନ୍ମର ପୁଣ୍ୟମୟ ମଧୁର କଳ୍ପନାରେ ଭାସିଲେ !
ରାଧାନାଥଙ୍କ ପାତ୍ରନିର୍ବାଚନ ନେଇ ମଧୁପୁର ଗାଁର ପୁରୁଷ ସ ସ୍ତ୍ରୀ ମହଲରେ ମହା ଆନ୍ଦୋଳନ ଚାଲିଲା । କିଏ କେତେ ପ୍ରକାର ଖୋଜ ଖବର ନେବାରେ ଲାଗିଲା । କିଏ ହସିଲା, କିଏ ବା ମୁହଁ ମୋଡ଼ିଦେଲା । କେବଳ ନିଜ ଗାଁ ଭିତରେ ଏ କଥା ରହିଲା ନାହିଁ । ତୁଣ୍ଡ ବାଦ୍ୟ ସହସ୍ର କୋଶ । ଦେଖୁ ଦେଖୁ ଆଖପାଖ ପାଞ୍ଚ ଦଶ ଗାଁରେ ମଧ୍ୟ ଏ କଥା ଜଣାଶୁଣା ହୋଇଗଲା । ଲୋକେ ଦାଣ୍ଡଆଡ଼େ, ବାଡ଼ିଆଡ଼େ ନାନା ଭାବରେ କୁହାକୁହି ହେଲେ ।
ରାଧାନାଥ ଷଠୀବୁଢ଼ୀଙ୍କର ଉପରରେ ବରପାତ୍ର ବାଛିବା ଭାରଟା ପୁରା ମାତ୍ରାରେ ଦେଇ ନ ଥିଲେ ଲୋକଙ୍କ କାଉବାଉରୁ ଅନେକ ପରିମାଣରେ ରକ୍ଷା ପାଇ ପାରିଥାନ୍ତେ; ତାହା କିନ୍ତୁ ସେ କରି ନ ଥିଲେ । ସେ ଆଗରୁ ଠିକ୍ରୂପେ ଜାଣିଥିଲେ ଯେ, ମା’ ଷଠୀବୁଢ଼ୀ ଝିଅ ପାଇଁ ପାତ୍ରଟିଏ ଠିକ୍ କରି ରଖିବା ସ୍ଥାନରେ ତାଙ୍କ ପାଇଁ ନିଶ୍ଚୟ ଟଙ୍କା ଅଶୀଟି ଗୋପନରେ ରଖିଛନ୍ତି–ଅର୍ଥାତ୍ ଜାତିରେ ବଡ଼ ବୋଲି ଚାଳିଶିଟି ଏବଂ ପାତ୍ରଟି ଟିକିଏ ବୟସରେ ବେଶି ବୋଲି ଅର୍ଥାତ୍ ପ୍ରଥମ କି ଦ୍ୱିତୀୟ ପକ୍ଷ ନୁହେ, ତୃତୀୟ ପକ୍ଷ ବୋଲି ଚାଳିଶିଟି, ଏହିପରି ଗାଏ ମୋଟ ଅଶୀଟି ! ଏହି ଅଶୀଟି ଟଙ୍କା ଲୋଗରେ ରାଧାନାଥ ନିଜର କୋଳସଙ୍ଖାଳିକୁ ନିଜ ନିର୍ବାଚିତ ପଞ୍ଚାବନ ବର୍ଷର ପାତ୍ରଙ୍କ ହୃଦୟହାରିଣୀ ରୂପେ ଠିକ୍ କରିଦେଲେ !
ସେ ଦିନ ଅନ୍ଧାର ହେଉ ନ ହେଉ ରାଧାନାଥ ଘରକୁ ଫେରିଲେ । ତା ଆରଦିନ ଆଲୁଅ ହେବା ପର୍ଯ୍ୟନ୍ତ ଏକାପରି ତାଙ୍କୁ ମେଞ୍ଜା ହୋଇ ଘରକୋଣେ ବସି ରହିବାକୁ ପଡ଼ିଲା । ରାତିଯାକ ଅନିଦ୍ରାରେ ମୁହଁଟା ରୋଗା ଦିଶିଗଲା । ବାଦ୍ଧକ୍ୟ ଶରୀରର ଶିଥିଳ ଚମକୁ ଆଉଁସି ଆଉଁସି ସେ ଚିନ୍ତା–ସାଗରରେ ବୁଡ଼ିବାକୁ ଲାଗିଲେ । ରାତି ପାହି ସକାଳେ ହେଲା; ତଥାପି ତାଙ୍କୁ ଦିନଟା ଅନ୍ଧାର ଦିଶିଲା । ସନ୍ଧ୍ୟାବେଳେ ସେ ଯେତେବେଳେ ଟଙ୍କା ଅଶୀଟି ତାରାମଣିଙ୍କ ଆଗେ ଝମ୍କିନି ଥୋଇଦେଲେ, ସେତେବେଳେ ତାଙ୍କ ମୁହଁକୁ କିଏ ଲକ୍ଷ୍ୟ କରିଥିଲେ ଦେଖି ପାରିଥାନ୍ତା, ସତେ ଯେପରି ସେ ବାହାଦୂରୀ ଦେଖାଇ ନୀରବ ଅଙ୍ଗଭଙ୍ଗୀରେ ନିଜ ସ୍ତ୍ରୀଙ୍କୁ କହୁଛନ୍ତି, ‘‘ଦେଖ, ଦେଖ, ମୋ ପାଦତଳରେ, ଆଉ ବାହୁବଳରେ ଏ ସମ୍ପତ୍ତି ଅର୍ଜି ଆଣିଛି !
ମାତ୍ର ଟଙ୍କାର ଇତିହାସ କଥା ଯେତେବେଳେ ଗୃହିଣୀଙ୍କ କାନକୁ ପୂରା ମାତ୍ରାରେ ଗଲା, ବରଟିର ରୂପ, ଗୁଣ, ଜାତି, ବୟସ କଥା ସବୁ ଯେତେବେଳେ ସେ ବୁଝି ପାରିଲେ, ରାଧାନାଥଙ୍କ ଆଖି ଆଗରେ ହଠାତ୍ ଏକ ରଣଚଣ୍ଡୀ ମୂର୍ତ୍ତିର ଆବିର୍ଭାବ ହେଲା ! ଗୃହିଣୀ ତାରାମଣି ମୁହଁ ଫୁଲେଇ ଗର୍ଜି ଉଠିଲେ- କଣ କେତେ କଥା କହିଗଲେ ସେ ନିଜେ ମଧ୍ୟ ଜାଣି ପାରିଲେ ନାହିଁ । ସେ ରାତିରେ ଘରେ ରାନ୍ଧାବଢ଼ା, ଖିଆପିଆରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ରାଧାନାଥ ପ୍ରଥମେ ପ୍ରଥମେ ନିଜ ପକ୍ଷ ସମର୍ଥନ କରି ଯୁଦ୍ଧଭୂଇଁରେ ଦମ୍ଭରେ ଠିଆ ହୋଇଥିଲେ; ମାତ୍ର ବେଶୀ ସମୟ ତାଙ୍କର ଦିମାକ୍ ରହିଲା ନାହିଁ । ଶ୍ରୀମତୀ ଗୃହୀଣୀ ପ୍ରବଳ ଭାବରେ ବେଳକୁ ବେଳ ଜଳି ଉଠି ଆଗ୍ନେୟ ଶିରିରୁ ତରଳ ଧାତୁସ୍ରୋତ ବହିଲା ପରି ଶ୍ରାବ୍ୟ, ଆଶ୍ରାବ୍ୟ ବହୁତ କଥା ପ୍ରାଣେଶ୍ୱର ପତିଙ୍କ ପ୍ରତି ପ୍ରୟୋଗ କଲେ । ସେହି ରାତିରେ ସେ ଦୁଇ ଥର ରାଗି ଉଠି କହି ପକାଇଲେ–‘‘ଗଉରୀର ତୋଟି ପଛକେ ଚିପି ମାରି ଦେବ, ବୁଢ଼ାଟା ବେକରେ ତାକୁ ବାନ୍ଧିବି ନାହିଁ ।’’
କିଶୋର ଗଉରୀ ଉଣା ଅଧିକେ ଏସବୁ କଥା ବୁଝି ପାରୁଥିଲା । ସେତେବେଳେକୁ ତାକୁ ନଅ ବରଷ ପୂରି ଦଶ ବରଷ ଚାଲିଥିଲା । ସେ ବୁଝି ପାରୁଥିଲା ଯେ, ବିବାହ ବୋଲି କି ଏକ ଗଭୀର ସମୁଦ୍ର ଗର୍ଭରେ ସେ ନିକଟରେ ଭାସି ଉଠିବ-ସେଇଥି ପାଇଁ ନାନା ବୋଉଙ୍କ ଭିତରେ ଏତେ ମୁହଁ ଫୁଲାଫୁଲି !