ନବମ ସର୍ଗ — ତପସ୍ୱିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ସର୍ଗ
(ନଟବାଣୀ)ସତୀ ଗର୍ଭଭାର ଉତ୍ତର ଉତ୍ତର,ଗୁରୁତମ ହେଲା ଲଙ୍ଘି ଗୁରୁତର । ୧ ।ବସିଥିଲେ ହେଲା ଉଠିବା ଦୁଷ୍କର,ଉଠିଲେ ଦୁର୍ବହ ହେଲା କଳେବର । ୨ ।ଏକାଳେ ସତୀଙ୍କି ହେବ ବୋଲି କଷ୍ଟ,ବର୍ଷା ଆସି କଲା ନିଦାଘ ବିନଷ୍ଟ । ୩ ।ଅବସନ୍ନ ପ୍ରାଣେ ଦେବା ପାଇଁ ବଳଚୌଦିଗେ ଉଠିଲେ ଜଳଦପଟଳ । ୪ ।ଊର୍ଦ୍ଧ୍ୱଦିଗେ ରୋଧ କରି ସୂର୍ଯ୍ୟାତପ,ଟାଣିଦେଲେ ନଭେ ଶ୍ୟାମ ଚନ୍ଦ୍ରାତପ । ୫ ।ଚନ୍ଦ୍ରାତପ ପ୍ରଭା ବିଦ୍ୟୁତ ଝଲକେ,ଚମକାଇଦେଲା ନୟନ ପଲକେ । ୬ ।୧ । ଉତ୍ତର ଉତ୍ତର – ଅଧିକରୁ ଅଧିକ ।୨ । ଦୁଷ୍କର – ଅତି କଷ୍ଟସାଧ୍ୟ, ଦୁର୍ବହ – ଯାହା ସହିବା କଷ୍ଟ, କଳେବର – ଶରୀର ।୩ । ନିଦାଘ – ଗ୍ରୀଷ୍ମକାଳ ।୪ । ଅବସନ୍ନ – କ୍ଲାନ୍ତ ।୫ । ଶ୍ୟାମ ଚନ୍ଦ୍ରାତପ – ମେଘର କଳା ଚାନ୍ଦୁଆ ।ଦିଗଙ୍ଗନାମାନେ ସାଜି ନୀଳ-ବେଣୀ,ମଣ୍ଡିଦେଲେ ତହିଁ ବକ-ମୁକ୍ତା ଶ୍ରେଣୀ । ୭ ।ରତ୍ନାକରୁଁ ରତ୍ନ-ରେଣୁ ଉତ୍ତୋଳନ,କରି ଦିଗପାଳେ ମଣ୍ଡଳେ ତୋରଣ । ୮ ।ସ୍ୱାର୍ଥପରବଶେ ଲଜ୍ଜା ତେଜି ମନୁ,ବାସବ ବୋଇଲେ ତାହା ମୋର ଧନୁ । ୯ ।ନ ସହି ବୋଇଲେ ରତ୍ନାକର ପତି,ମୋ ରତ୍ନେ ନିର୍ମିତ ରହିବ ମୋ’ କତି । ୧୦ ।ଅନ୍ୟ ଦିଗପାଳେ ସାଧୁଧର୍ମ ପାଳି,କରିଦେଲେ ତାଙ୍କୁ ବେଳେ ବେଳେ ପାଳି । ୧୧ ।ସୁତା ଦୁଃଖ ତାପେ ତପ୍ତା ଅବନୀରମସ୍ତକେ ବରଷା ଢାଳିଦେଲା ନୀର । ୧୨ ।ନଦୀ ସର ବନ ପର୍ବତ ନ ବାରିସମସ୍ତଙ୍କ ଶିରେ ଢାଳିଦେଲା ବାରି । ୧୩ ।ତୃଣ ଶସ୍ୟାଙ୍କୁର କଦମ୍ୱ ବିକାଶରୂପେ ହେଲା ମହୀ ପୁଲକ ପ୍ରକାଶ । ୧୪ ।ବସୁମତୀ ବକ୍ଷ ହେଲା ଜଳମୟ,ତମସା ବହିଲା ମାଡ଼ି କୂଳଦ୍ୱୟ । ୧୫ ।ଜାନକୀଙ୍କି ଚାହିଁ ଆସନ୍ନ-ପ୍ରସବାହୃଦେ ତାଙ୍କ ମୁଦ ଉଛୁଳିଲା ଅବା । ୧୬ ।୮ । ରତ୍ନାକର – ସମୁଦ୍ର, ତୋରଣ – ସିଂହଦ୍ୱାର, ଦିଗପାଳ – ଦିଗମାନଙ୍କର ରକ୍ଷକ ।୯ । ବାସବ – ଇନ୍ଦ୍ର (ପୂର୍ବ ଦିଗପାଳ)୧୦ । ରତ୍ନାକର ପତି – ବରୁଣ (ପଶ୍ଚିମ ଦିଗପାଳ)୧୪ । ମହୀ – ପୃଥିବୀ, ପୁଲକ – ଆନନ୍ଦ ।୧୬ । ମୁଦ – ଆନନ୍ଦ ।ହୃଦ –ବହ୍ନି ତେଜି ପର୍ବତ କାନନତନୁ ମାଜି ହେଲେ ପ୍ରଫୁଲ୍ଲ ଆନନ । ୧୭ ।କେତକୀ କଣ୍ଟକ ଦୁର୍ଗ ନିବାସିନୀ
କଣ୍ଟକ ବିଗ୍ରହେ ହୋଇ ସୁହାସିନୀ । ୧୮ ।
କହିଲା ପରା ସେ, ବିପଦ ବନରେ
ବିବଦ୍ଧା ବୈଦେହି, ନ ଭାବ ମନରେ । ୧୯ ।
କଣ୍ଟକ ବନେ ମୁଁ ନିଜେ କଣ୍ଟକିତ,
ବାସ ଯୋଗୁଁ ହୁଏଁ ଭୁବନ-ପୂଜିତ । ୨୦ ।
ତାପସୀ ଗହନେ ହୋଇ ତପସ୍ୱିନୀ,
ଲୋକପୂଜନୀୟା ହେବୁ ମନସ୍ୱିନି ! ୨୧ ।
କି କରିବ ଲୋକ ଲୋଚନ ଦୂଷଣ,
ନିଜ ଗୁଣ ଯେବେ ସ୍ୱର୍ଗୀୟ ଭୂଷଣ । ୨୨ ।
କଣ୍ଟା ଦେଖି ଆଳି ନ କଲେ ଶରଧା,
ମୁଁ ନିକି ଛାଡ଼ିବି ସୌରଭ ସ୍ପରଧା ? ୨୩ ।
ଚାରୁ କୃଷ୍ଣଚୂଡ଼ା ଫୁଟି ସୁଶୋଭନ
ବେଶେ କଲା ମନନେତ୍ର ପ୍ରଲୋଭନ । ୨୪ ।
ବସନ୍ତ କାଳରୁ ଥାଇ ଗଜଦନ୍ତ
ପ୍ରାବୃଟକୁ ଦେଲା କୁସୁମ ଉଦନ୍ତ । ୨୫ ।
କମଳ ମଲ୍ଲିକା କୁଟଜ ବିଷୟ
ପ୍ରୀତିପ୍ରଦ ହେଲା ତହିଁ ଅତିଶୟ । ୨୬ ।
୧୭ । ହୃଦ ବହ୍ନି – ଗ୍ରୀଷ୍ମକାଳରେ ପାହାଡ଼ରେ ଜଳୁଥିବା ଅଗ୍ନି ।
୧୯ । ବିବନ୍ଧା – ଆବଦ୍ଧ ।
୨୧ । ଲୋକ ପୂଜନୀୟା – ଜଗତ ବନ୍ଦନୀୟା, ମନସ୍ୱିନୀ – ଉଦାରଚେତା ।
୨୩ । ଅଳି – ଭ୍ରମର, ସୌରଭ – ସୁବାସ ।
୨୫ । ଗଜଦନ୍ତ – ରଜନୀଗନ୍ଧା, ପ୍ରାବୃଟ – ବର୍ଷାକାଳ, ଉଦନ୍ତ – ସମ୍ବାଦ ।
ରତ୍ନମଣି ତାଙ୍କୁ ଯତ୍ନ କଲା ନିତି,
କିନ୍ତୁ କେ ଲଙ୍ଘିବ ବିଧାତାର ନୀତି ? ୨୭ ।
ରଖି ନ ପାରିଲା ବର୍ଷା ନିଜ ବଳେ,
ତିନିହେଁ ପଡ଼ିଲେ କାଳର କବଳେ । ୨୮ ।
ଏଥି ହେଲା ଏହା ସତୀଙ୍କର ଜ୍ଞେୟ,
ଆଜୀବନ ସାଧୁ ନୁହେଁ ଅବଜ୍ଞେୟ, ୨୯ ।
କୁସୁମ ମଣ୍ଡନେ ବାର୍ଷିକ ଉତ୍ସବ
ଅନୁଷ୍ଠାନ କଲେ ଯୂଈ ଲତା ସର୍ବ । ୩୦ ।
ସତେ କି ସତୀଙ୍କ ଚିତ୍ତ ବିନୋଦନ
ନିମିତ୍ତ ନିର୍ମିତ ସୁରଭି ସଦନ । ୩୧ ।
ଘନ-ନୀଳାମ୍ୱରା ଶ୍ରାବଣୀ ରଜନୀ
କରେ ଶିରେ ଧରି ଯୂଥିକା ରଜନୀ । ୩୨ ।
ଉଭାହୋଇ ସତୀ କୁଟୀର ପ୍ରାଙ୍ଗଣେ
ଉଜାଗରେ ଥାଏ ବେଦନା ହରଣେ । ୩୩ ।
ବଇଦେହୀଙ୍କର ପ୍ରସବ ଲକ୍ଷଣ
ପ୍ରକାଶିତ ହେଲା ଆସି କ୍ଷଣ କ୍ଷଣ । ୩୪ ।
ସତୀ କଷ୍ଟ ବହି ରାବିଲେ ଅଦୂରେ
ଅତି ଆର୍ତ୍ତସ୍ୱରେ ବିକଳେ ଦର୍ଦ୍ଦୁରେ । ୩୫ ।
ସତୀ ତୃଷ୍ଣା ନେଇ ଚାତକ ଗଗନେ
ଘନ ଘନ ଜଳ ଭିକ୍ଷା କଲା ଘନେ । ୩୬ ।
୨୯ । ଅବଜ୍ଞେୟ - ଖାତିର୍ର ଅଯୋଗ୍ୟ ।
୩୧ । ବିନୋଦନ – ଆନନ୍ଦ ପ୍ରଦାନ, ନିମିତ୍ତ – ପାଇଁ ।
୩୨ । ଶ୍ରାବଣୀରଜନୀ – ବର୍ଷାକାଳର ରାତି, ରଜନୀ – ଗଜଦନ୍ତ ପୁଷ୍ପ, ଯୂଥିକା – ଯୂଇଫୁଲ ।
୩୩ । ଉଜାଗର – ଅନିଦ୍ରା ହୋଇ, ହରଣ – ଦୂରକରିବା, ବେଦନା – ଦୁଃଖ ।
୩୫ । ଅଦୂରେ – ଅଳ୍ପଦୂରରେ, ଆର୍ତ୍ତସ୍ୱରରେ – ବିକଳ ସ୍ୱରରେ, ଦର୍ଦ୍ଦୂରେ – ବେଙ୍ଗମାନେ ।
ବୃଦ୍ଧା ତାପସୀଏ ସତୀ ସନ୍ନିଧାନେ
ଲାଗିଥାନ୍ତି କାଳ ଉଚିତ ବିଧାନେ । ୩୭ ।
ନିଶୀଥରେ ନିଶାମଣି ଦ୍ୟୁତିହର
ଜନ୍ମିଲେ ସତୀଙ୍କ ଯମଜ କୁମର । ୩୮ ।
କୁମାରଙ୍କ ତେଜ ବିଦ୍ୟୁତ ସହିତ
ମିଶି ଦଶ ଦିଗ କଲା ଆଲୋକିତ । ୩୯ ।
ହରଷେ ବାସବ କଲେ ତୋପଧ୍ୱନି,
ନ ଜାଣିଲା ଲୋକେ ବୋଇଲେ ଅଶନି । ୪୦ ।
ଦିଗଙ୍ଗନାଙ୍କର ହୁଳହୁଳି ସଙ୍ଗେ
ଘନ ଘଡ଼ଘଡ଼ି ମିଶିଗଲା ରଙ୍ଗେ । ୪୧ ।
ଗିରିବନ ହେଲେ କୁସୁମ ବରଷୀ,
ନାଚିଲେ କେଦାର, ସରିତ, ସରସୀ । ୪୨ ।
ସତୀ କୁମାରଙ୍କ ଦର୍ଶନଲୋଲୁପ
ଜୀମୂତେ ଖସିଲେ ଧରି ଧାରା ରୂପ । ୪୩ ।
ଦରଶନ ଲୁବ୍ଧ ହୃଦ ଉଦବେଗେ
କୂଳକୁ ଉଠିଲେ ନଦୀକୁଳ ବେଗେ । ୪୪ ।
୩୬ । ଘନ ଘନ – ବାରମ୍ୱାର, ଘନେ – ମେଘମାନଙ୍କୁ ।
୩୭ । ସନ୍ନିଧାନେ – ନିକଟରେ ।
୩୮ । ନିଶୀଥ – ଅର୍ଦ୍ଧରାତ୍ରି, ନିଶାମଣି – ଚନ୍ଦ୍ର, ଦ୍ୟୁତି – ତେଜ । ଯମଜ – ଯାଆଁଳା ।
୪୦ । ବାସବ – ଇନ୍ଦ୍ର, ଅଶନି – ବଜ୍ର ।
୪୧ । ଦିଗଙ୍ଗନା – ଦିଗସୁନ୍ଦରୀ ।
୪୨ । କେଦାର – ଶସ୍ୟକ୍ଷେତ୍ର, ସରିତ – ନଦୀ, ସରସୀ – ଶୁଷ୍କରିଣୀ ।
ସାଗର ବରଜି ପୃଥୁରୋମାଗଣ
ନଦୀ ସଙ୍ଗେ ହେଲେ ନୃତ୍ୟପରାୟଣ । ୪୫ ।
ହ୍ରଦ ସରୋବର କ୍ଷେତ୍ର ଜଳ ପୃଷ୍ଠେ
ଉଠି ମୀନଗଣ ନୃତ୍ୟ କଲେ ହୃଷ୍ଟେ । ୪୬ ।
ସମସ୍ତଙ୍କୁ ବଳି ଦର୍ଶନେ ଆକୁଳ
କେଉଁ ଉଠିଗଲା ତାଳତରୁ ଚୂଳ । ୪୭ ।
ବାଲ୍ମିକି ମହର୍ଷି ଆସି ତତ୍କ୍ଷଣ
କୁମାରଯୁଗଙ୍କୁ କଲେ ସନ୍ଦର୍ଶନ । ୪୮ ।
ଭାବିଲେ ଏ ଗୁରୁ ଶୁକ୍ର ଗ୍ରହ ଦ୍ୱୟ
ଏକତ୍ର ଆଶ୍ରମ ଆକାଶେ ଉଦୟ । ୪୯ ।
ମହର୍ଷି ହୃଦୟ ପ୍ରଭାତର ପରି,
ଆନନ୍ଦ କୁସୁମ ବାସେ ଗଲା ଭରି । ୫୦ ।
କୁଶଗୁଚ୍ଛ ମୁନିବର ହସ୍ତେ ଘେନି
ମନ୍ତ୍ରି ଅଗ୍ର ଅଧ କଲେ ଖଣ୍ଡ ବେନି । ୫୧ ।
ଅନୁକମ୍ପା କରେ କରି ସମର୍ପଣ
ବୋଇଲେ, ଶିଶୁଙ୍କୁ କର ସମ୍ମାର୍ଜନ । ୫୨ ।
ଅଗ୍ରଜେ ପ୍ରୟୋଗ ଅଗ୍ରଭାଗ କର,
ଅଧୋଭାଗେ ତନୁ ମାଜ ଅନୁଜର । ୫୩ ।
କଲେ ଅନୁକମ୍ପା ମୁନି ଆଜ୍ଞାମତେ
ଭୂତ-ବିନାଶିନୀ ରକ୍ଷା ସେହିମତେ । ୫୪ ।
୪୫ । ପୃଥିରୋମା – ମତ୍ସ୍ୟ ।
୪୬ । ହୃଷ୍ଟେ – ଆନନ୍ଦରେ ।
୪୯ । ଗୁରୁ – ବୃହଷ୍ପତି ।
୫୨ । ସମାର୍ଜନ – ଶୋଧନ ।
୫୩ । ଅଗ୍ରଜ – ଯେ ଆଗ ଜନ୍ମ ହୋଇଛି, ବଡ଼, ଅନୁଜ – ପଛରେ ଯେ ଜନ୍ମ ହୋଇଛି, ସାନ ।
କୁଶ ଲବ ଯୋଗେ ସମ୍ମାର୍ଜିତ ତନୁ
ସମୁଜ୍ଜ୍ୱଳ ହେଲା ଶାଣିତ ରତନୁ । ୫୫ ।
ତୃଣ ସହଯୋଗେ ଯଥା ବୃହଦ୍ଭାନୁ,
ଅବା ସିନ୍ଧୁ-ବୀଚି ମୁକ୍ତ ନବ ଭାନୁ । ୫୬ ।
ଜାନକୀ ଅନାନ୍ତେ କୁମରଙ୍କ ମୁଖ,
ହୃଦେ ଆସି ହେଲେ ସୁଖ ସଙ୍ଗେ ଦୁଃଖ । ୫୭ ।
ସୁଖ ବୋଇଲା, ଏ ସୂର୍ଯ୍ୟ ଚନ୍ଦ୍ର ପରି
ନନ୍ଦନଯୁଗ ଯେ ଗର୍ଭେ ଥିଲା ଧରି, ୫୮ ।
ଧନ୍ୟ ଧନ୍ୟ ସେହୁ ଶତବାର ଧନ୍ୟ,
ଏଥୁଁ ବଳି ଭାଗ୍ୟ ଭବେ ନାହିଁ ଅନ୍ୟ । ୫୯ ।
ଦୁଃଖ ବୋଇଲା, ଏ ନରେନ୍ଦ୍ର କୁମରେ
ଶୋଭିଥାନ୍ତି ଆଜି ମଣିମୟ ଘରେ । ୬୦ ।
ହୋଇଥାନ୍ତେ, ନୃପ ହୃଦ ଆନନ୍ଦନ,
ଦୀନ ଦୁଃଖୀଙ୍କର ଦାରିଦ୍ର୍ୟ ଖଣ୍ଡନ । ୬୧ ।
କେତେ ଧନ ରତ୍ନ ବସନ ଭୂଷଣ
ପାଇଥାନ୍ତେ, ଆଜି ପୁରବାସୀଗଣ । ୬୨ ।
ପୁର ପୂରୁଥାନ୍ତା ମଙ୍ଗଳ ନାଦରେ,
ନଭ ପୂରୁଥାନ୍ତା ମଙ୍ଗଳ ବାଦ୍ୟରେ । ୬୩ ।
ଭାଗ୍ୟ ଦୋଷେ ଆହା ତାପସ ତନୟ
ରୂପେ ଆଶ୍ରା କଲେ ତାପସ ଆଳୟ । ୬୪ ।
ସତୀ ନେତ୍ରୁଁ ବେନି ଧାର ଜଳ ନେଇ
ଚାଲିଗଲା ଦୁଃଖ ସୁତ ସ୍ନେହ ଦେଇ । ୬୫ ।
କୁମାରଙ୍କ ରୂପେ ସତୀଙ୍କ ହୃଦୟ
ହୋଇଗଲା ତହୁଁ ଶୁଦ୍ଧ ସୁଖମୟ । ୬୬ ।
୫୫ । କୁଶଗୁଚ୍ଛକୁ ଦୁଇଖଣ୍ଡ କଲେ ଅଗ୍ରଭାଗକୁ କୁଶମୁଷ୍ଟି ଏବଂ ନିମ୍ନଖଣ୍ଡକୁ ଲବ ବୋଲାଯାଏ ।
୫୬ । ବୃହଭାନୁ – ଅଗ୍ନି ।
୬୩ । ପୁର – ଅଯୋଧ୍ୟାର ରାଜପ୍ରାସାଦ ।
୬୪ । ତାପସ ଆଳୟ – ବାଲ୍ମୀକିଙ୍କ ଆଶ୍ରମ ।
କୁମାରଙ୍କ ବିନା ଅନ୍ୟତ୍ର ନୟନ
ଚାଲିବାକୁ ଲେଶେ ହେଲା ନାହିଁ ମନ ॥ ୬୭ ।
ଜନନୀ ନେତ୍ରଜ ସ୍ନେହୋଜ୍ୱଳ ରଙ୍ଗ
ରଞ୍ଜି ମୁହୁର୍ମୁହୁ କୁମାରଙ୍କ ଅଙ୍ଗ, । ୬୮ ।
ସେ ନେତ୍ରେ ଆଣିଲା ପ୍ରତୀତି ଏମନ୍ତ,
ସତେ ଆବିର୍ଭୂତ ନବ ପୁଷ୍ପବନ୍ତ । ୬୯ ।
ମନରେ ଆନନ୍ଦ ସ୍ଥାପି ସିଂହାସନ
ପ୍ରକାଶିଲା ନିଜ ସାର୍ବଭୌମପଣ । ୭୦ ।
କୁମାରଙ୍କ ନାଭି ଚ୍ଛେଦନ ସତ୍ୱର,
କଲେ ଅନୁକମ୍ପା ହୋଇ ହର୍ଷଭର । ୭୧ ।
ତଦୁତ୍ତାରେ ମନ୍ତ୍ର-ପୂତ ଜଳେ ସ୍ନାନ
କରାଇ ବିହିଲେ ସକଳ ବିଧାନ । ୭୨ ।
କୁମାରଙ୍କୁ ଚାହିଁ ତାପସୀ ମଣ୍ଡଳ
ଆନନ୍ଦ ଗଦ୍ଗଦେ କଲେ କୋଳାହଳ । ୭୩ ।
ଦଳ ଦଳ ମୁନି କୁମାର ନର୍ତ୍ତନେ
ଲାଗିଲେ ଶ୍ରୀରାମ ନାମ ସଂକୀର୍ତ୍ତନେ । ୭୪ ।
ଦୁର୍ଦ୍ଧର୍ଷ ଦୁର୍ଜୟ ଲବଣ ଅସୁର
ବିନାଶନ ଅର୍ଥେ ଶତ୍ରୁ ଘନ ଶୂର । ୭୫ ।
ଯିବା ପଥେ ସେହି ରାତ୍ରେ ଦୈବକ୍ରମେ
ରହିଥିଲେ ପତ ବାଲ୍ମୀକି ଆଶ୍ରମେ । ୭୬ ।
୬୯ । ପ୍ରତୀତି – ବିଶ୍ୱାସ, ଜ୍ଞାନ, ପୁଷ୍ପବନ୍ତ – ଚନ୍ଦ୍ରସୂର୍ଯ୍ୟ ।
୭୦ । ସାର୍ବଭୌମ – ଚକ୍ରବର୍ତ୍ତୀ ।
୭୫ । ଦୁର୍ଦ୍ଧର୍ଷ – ଦୁର୍ଜୟ – ପ୍ରବଳ ପରାକ୍ରାନ୍ତ ଓ ଅସାଧ୍ୟ, ଲବଣ ଅସୁର – ଲବଣାସୁର ମଧୁରାକ୍ଷସର ପୁତ୍ର । ଶିବଙ୍କଦତ୍ତ ତ୍ରିଶୂଳ ପ୍ରାପ୍ତ ହୋଇ କ୍ଷତ୍ରିୟକୁଳ ଧ୍ୱଂସ କଲା ଏବଂ ମୁନିଋଷିମାନଙ୍କୁ ପୀଡ଼ା ପ୍ରଦାନ କଲା । ରାମଚନ୍ଦ୍ରଙ୍କ କନିଷ୍ଠ ଶତ୍ରୁଘ୍ନ ସେହି ରାକ୍ଷସକୁ ମଧୁବନରେ ନିହତ କଲେ । ଲବଣରାକ୍ଷସ ପ୍ରତିଷ୍ଠା କରିଥିବା ମଧୁପୂରୀ ପରେ ମଥୁରା ହେଲା ବୋଲି କୁହାଯାଇଥାଏ । ଶୂର – ବୀର ।
ଆଶ୍ରମର ସେତ ଆନନ୍ଦ ନାଦରେମଜ୍ଜିଗଲେ ଆପେ ଆନନ୍ଦ ନାଦରେ । ୭୭ ।ସତୀଙ୍କି ପ୍ରଶଂସି ବୋଇଲେ ଉତ୍ଫୁଲ୍ଲେ,‘‘ଅଟ ମା, ପାବନୀ ତୁମ୍ଭେ ରଘୁକୁଳେ । ୭୮ ।ଜନନୀ ତୁମ୍ଭର ଯେଣୁ ସର୍ବଂସହା,ନିଜେ ଅଟ ମା ଗୋ, ତେଣୁ ସର୍ବଂସହା । ୭୯ ।ବସୁମତୀ ସୁତେ, ନିଜ ଗର୍ଭେ ବସୁଥୋଇଥିଲ ଏକା ଆମ୍ଭ ଭାଗ୍ୟବଶୁଁ । ୮୦ ।ଯେଉଁ ବସୁ ଆଜି ଦେଲ ରଘୁକୁଳେ,ଶୋଭିବ ଅଯୋଧ୍ୟା ରାଜଲକ୍ଷ୍ମୀ ଚୂଳେ ।’’ ୮୧ ।ମୁନି କୁମାରଙ୍କ ଆନନ୍ଦ ଚହଳେଯୋଗଦେଲେ ଖଗ ମୃଗ ଦଳେ ଦଳେ । ୮୨ ।ଶ୍ରାବଣୀ ବାର୍ଷିକୀ ଭୀମା ବିଭାବରୀଶେଷ ହୋଇଗଲା ମୁହୂର୍ତ୍ତକ ପରି । ୮୩ ।ଲବଣ ଉଦ୍ଦେଶେ ସୁମିତ୍ରା ନନ୍ଦନବିଜେ କଲେ କରି ମୁନିଙ୍କି ବନ୍ଦନ । ୮୪ ।ଦ୍ରବ୍ୟେ ତୋଷିବାକୁ ତାପସୀ ତାପସସ୍ୱଭାବେ ଚଳିଲା ସତୀଙ୍କ ମାନସ । ୮୫ ।ସତୀଙ୍କର ମନ ଅନୁରୂପ ଧନକାହିଁ ? ସେ ତ ଆସି ଆଶ୍ରିଛନ୍ତି ବନ । ୮୬ ।୭୬ । ପୂତ – ପବିତ୍ର ।୭୮ । ପାବନୀ – ପବିତ୍ରକାରିଣୀ ।୭୯ । ସର୍ବଂସହା – ପୃଥିବୀ, ସର୍ବଂସହା – ଯେ ସବୁ ସହ୍ୟ କରେ ।୮୦ । ବସୁମତୀ – ପୃଥିବୀ, ବସୁ – ଗଣଦେବତା ବିଶେଷ ।୮୧ । ବସୁ – ରତ୍ନ ।୮୩ । ବିଭାବରୀ – ରାତ୍ରି ।ଚନ୍ଦ୍ରିକା ବାଞ୍ଛଇ ତୋଷିବ ଜଗତ,କିନ୍ତୁ ଗଗନରେ ମେଘ ଉପଗତ । ୮୭ ।ଯେତେବେଳେ ସତୀ ଆସିଲେ ଭବନୁ,ମନେ ଥିଲା ଜବେ ବାହୁଡ଼ିବେ ବନୁ । ୮୮ ।ମୁନି କୁମାରୀଙ୍କ ପାଇଁ ଉପହାରଆଣିଥିଲେ କିଛି, ବାସ ଅଳଙ୍କାର । ୮୯ ।ତା’ କରି ସଲଜ୍ଜେ ବିନୟେ ବଣ୍ଟନତୋଷିଲେ ତାପସ ତାପସୀଙ୍କ ମନ । ୯୦ ।ହୃଦ ସିନ୍ଧୁ ତାଙ୍କ ବିଧୁ କର ପରିଲଭି ତା ମେଲିଲା ଆନନ୍ଦ ଲହରୀ । ୯୧ ।ସଞ୍ଚିଥିଲେ ଯାହା ଫଳ ତୃଣ ଧାନ୍ୟକୁରଙ୍ଗେ ବିହଙ୍ଗେ କଲେ ସମ୍ପ୍ରଦାନ । ୯୨ ।ଭୁଞ୍ଜିଲେ ସେମାନେ ଟଣାଟଣି କରି,କେତେ ପକ୍ଷୀ ଉଡ଼ିଗଲେ ଥଣ୍ଟେ ଧରି । ୯୩ ।ସାର ଶାବେ ଥିଲେ ନୀଡ଼େ ମେଲି ପାଟି,ଜନନୀ ଆହାର ଦେଲା ତାଙ୍କୁ ବାଣ୍ଟି । ୯୪ ।ମୟୁର ମୟୁରୀ କରି ହର୍ଷ ରବପାଦପ ଉପରେ ରଚିଲେ ତାଣ୍ଡବ । ୯୫ ।ଦ୍ୱୀପ ଦ୍ୱୀପାନ୍ତରେ କୋକିଳ ପ୍ରଚାରକଲାଯାଇ ସେହି ଶୁଭ ସମାଚାର । ୯୬ ।୮୬ । ଆଶ୍ରିଛନ୍ତି – ଆଶ୍ରୟ ଗ୍ରହଣ କରିଛନ୍ତି ।୮୭ । ଉପଗତ – ଉପସ୍ଥିତ ।୯୨ । ତୃଣାଧାନ୍ୟ – ନୀବାର, ବାଳୁଙ୍ଗାଧାନ, କୁରଙ୍ଗ – ହରିଣ, ବିହଙ୍ଗ – ପକ୍ଷୀ ।୯୫ । ତାଣ୍ଡବ – ନୃତ୍ୟ ।କୈଳାସେ ଦେବାକୁ ସେ ଶୁଭ ସମ୍ୱାଦରାଜହଂସ ଗଲା କରି ହର୍ଷ ନାଦ । ୯୭ ।ଜନମାଇବାକୁ ଗଉରୀ ପ୍ରତ୍ୟୟପତ୍ର ଧରିଥାଏ ବିସ କିଶଳୟ । ୯୮ ।ସେ ସମ୍ୱାଦେ ଭରି ହୃଦୟେ ଉଲ୍ଲାସ,ହରଙ୍କୁ ଜଣାଇ ତେଜି କଇଳାସ, । ୯୯ ।ସତୀ, ହସ୍ତ ପଜା ଘେନିବା ଲାଳସେ,ଷଷ୍ଠୀଦେବୀ ରୂପେ ଗୌରୀ ବିହାୟସେ । ୧୦୦ ।କାଦମ୍ୱିନୀ ସଙ୍ଗେ ଇରମ୍ମଦ ଛଳେବାଲ୍ମୀକି ଆଶ୍ରମେ ଆସିଲେ ଚଞ୍ଚଳେ । ୧୦୧ ।ସପତ ତାପସ କୁମାରୀଙ୍କ କାୟେବିରାଜି ସପତ ମାତୃକା ପରାଏ । ୧୦୨ ।ଷଷ୍ଠ ଦିବସରେ ସତୀ ହସ୍ତ ପୂଜାସାଗ୍ରହେ ଗ୍ରହଣ କରି ବରଭୁଜା, । ୧୦୩ ।କୁମାର ଯୁଗଳ ଅରିଷ୍ଟ ସକଳନାଶି ଦେଇଗଲେ ମୃଗରାଜ ବଳ । ୧୦୪ ।୯୭ । କୈଳାସ – ହିମାଳୟରେ ଶିବଙ୍କର ଅଧିଷ୍ଠାନସ୍ଥଳୀ ।୯୮ । ଗଉରୀ – ପ୍ରତ୍ୟୟ – ପାର୍ବତୀଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ, ବିସ – ମୃଣାଳ, ପଦ୍ମନାଡ଼, କିଶଳୟ – କଅଁଳିଆ ପତ୍ର ।୧୦୦ । ବିହାୟସ – ଆକାଶ ।୧୦୧ । ଇରମ୍ମଦ – ବିଜୁଳି ବା ବନାଗ୍ନି ।୧୦୨ । ସପତ – ମାତୃକା – ବ୍ରାହ୍ମୀ, ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ବାରାହୀ, ଇନ୍ଦ୍ରାଣୀ, ଚାମୁଣ୍ଡା ।୧୦୪ । ଅରିଷ୍ଟ – ଅମଙ୍ଗଳ, ମୃଗରାଜ – ସିଂହ ।କ୍ରମେ ହେଲା ଏକବିଂଶତି ବାସର,ନାମ କରଣର ଶୁଭ ଅବସର । ୧୦୫ ।ଶୁଣିବାକୁ ସତୀ ସୁତଙ୍କର ନାମଅମରେ ଆସିଲେ ତେଜି ସ୍ୱର୍ଗଧାମ । ୧୦୬ ।ଅମରୀ ମଣ୍ଡଳୀ ସେହି କୁତୂହଳେଗୋଡ଼ାଇଲେ ତାଙ୍କ ପଛେ ଦଳେ ଦଳେ । ୧୦୭ ।ଶରତର ଶୁଭାଟମନ ସକାଶେପଥ ଛାଡ଼ୁଥିଲା ଜଳଦ ଆକାଶେ । ୧୦୮ ।ରବି ରଶ୍ମି ସହ ସହଜେ ସେ ପଥେଆସିଲେ ସମସ୍ତେ ଜ୍ୟୋତିର୍ମୟ ରଥେ । ୧୦୯ ।ଆସି ଆଶ୍ରମରେ କୁସୁମ ଉପରେମନୋମୁଗ୍ଧକର ସୌରଭ ରୂପରେ । ୧୧୦ ।ବସିଗଲେ ଦିବ୍ୟ ସୁଷମା ପ୍ରକାଶିବିକାଶ ବ୍ୟାଜରେ ହୋଇ ଦରହାସୀ । ୧୧୧ ।କେତେ ବା ତାପସ ତାପସୀ ହୃଦୟମଧ୍ୟେ ପଶିଗଲେ ହୋଇ ମୁଦମୟ । ୧୧୨ ।ବାଲ୍ମୀକି ନିଦେଶେ ତାପସ ତାପସୀଦ୍ୱିଗୁଣ ମୁଦରେ ଉପବନେ ପଶି । ୧୧୩ ।ବିବିଧ କୁସୁମ ନବପତ୍ରମାନଆଣି କଲେ ମଞ୍ଜୁମଣ୍ଡପ ନିର୍ମାଣ । ୧୧୪ ।ରଜନୀ ପ୍ରଥମ ପ୍ରହରେ ଆଶ୍ରମପ୍ରଦୀପ ମାଳରେ ହେଲା ମନୋରମ । ୧୧୫ ।ପ୍ରଦୀପେ ଐଙ୍ଗୁଦ ତଇଳ ପ୍ରଚୁରତାପସଙ୍କ କରୁ କରୁଥାନ୍ତି ଜୂର । ୧୧୬ ।୧୦୬ । ଅମର – ଦେବତାମାନେ ।୧୦୬ । ଐଙ୍ଗୁଦ – ଇଙ୍ଗୁଦୀଫଳ, ଜୂର – ଲୁଟି ।ଚୌଦିଗେ ପୁଷ୍ପିତ ପାଦପ ବଲ୍ଲରୀହସୁଥାନ୍ତି ପାଇ ଆଲୋକ ଲହରୀ । ୧୧୭ ।ଥିଲା ସେ ସମୟ ପ୍ରସୂନଙ୍କ ପର୍ବବଢୁଥିଲା ଚକ୍ରବର୍ତ୍ତିନୀର ଗର୍ବ । ୧୧୮ ।ସାଗରସମୂହ ଯଥା କ୍ଷୀରାର୍ଣ୍ଣବବୃନ୍ଦାରକବୃନ୍ଦେ ଯେମନ୍ତ ବାସବ । ୧୧୯ ।ଅବା ହିମାଚଳ ସମୁଚ୍ଚ ଶିଖରମଣ୍ଡଳେ ଯେମନ୍ତ ଗଉରୀଶଙ୍କର, । ୧୨୦ ।ମୁନିବୃନ୍ଦ ମଧ୍ୟେ ମହା ତପୋଧନବିଶୋଭିଲେ କରି ମଣ୍ଡପେ ଆସନ । ୧୨୧ ।ଅଶ୍ୱିନୀକୁମାରେ ଛାୟା ସଂଜ୍ଞା ପରିକୁମାର ଯୁଗଳ କର ପଦ୍ମେ ଧରି । ୧୨୨ ।ସତୀ ଅନୁକମ୍ପା ଆସିଲେ ମଣ୍ଡପେ,ଶୋଭା ତହିଁ ଉଭା ହୋଇଗଲା ଦର୍ପେ । ୧୧୯ ।କୃଷ୍ଣା ତ୍ରୟୋଦଶୀ ସୁଧାକର ପାଶେପ୍ରଭାତୀ ତାରକା ଉଦିତ ଆକାଶେ, । ୧୨୪ ।ପ୍ରତିବିମ୍ୱ ତାଙ୍କ ସରୋବର ଗର୍ଭେଘେନି ପ୍ରାଚୀ ଯେହ୍ନେ ରହିଅଛି ଗର୍ବେ । ୧୨୫ ।ସରଳ ହୃଦୟା ପ୍ରସନ୍ନ ବଦନାସତୀ ସହଚରୀ ତାପସ ନନ୍ଦନା । ୧୨୬ ।ଶରୀର ଆବରି ସତୀ ଦତ୍ତ ବାସେସମ୍ମଦରେ ବସିଗଲେ ସତୀ ପାଶେ, । ୧୨୭ ।ଲଭି ଉଷା ଦତ୍ତ ନବୀନ କିରଣଉଷା ପାଶେ ଯଥା କମଳିନୀ ବନ । ୧୨୮ ।୧୧୮ । ଚକ୍ରବର୍ତ୍ତିନୀ – ଗଜଦନ୍ତ ପୁଷ୍ପ ।୧୧୯ । ବୃନ୍ଦାରକ – ଦେବତା ।୧୨୭ । ସମ୍ମଦ – ଆନନ୍ଦ ।ବେଦମତେ ହେଲା ଦେବ-ଆରାଧନାବାଜିଗଲା ଶଙ୍ଖ ଶିଙ୍ଗାର ବାଜଣା । ୧୨୯ ।ଜ୍ୟେଷ୍ଠ କୁମାରକୁ ଦେଇ ଶୁଭାଶିଷପ୍ରସନ୍ନେ ବୋଇଲେ ମୁନିକୁଳାଧୀଶ, । ୧୩୦ ।କୁଶାଗ୍ରେ ମାର୍ଜିତ ହୋଇଅଛି ‘‘କୁଶ’’-ନାମେ ହେବ ରିପୁକରୀନ୍ଦ୍ର ଅଙ୍କୁଶ । ୧୩୧ ।ସେରୂପେ କନିଷ୍ଠ କୁମାରକୁ ‘‘ଲବ’’ନାମ ଦେଲେ ମୁନି ମନୀଷି ପୁଙ୍ଗବ । ୧୩୨ ।ମୁନିଗଣ କଲେ ରାମ ନାମ ଧ୍ୱନିବଜାଇ ମୁରଜ ମନ୍ଦିରା ଖଞ୍ଜନୀ । ୧୩୩ ।ତାପସ କୁମାରୀମାନେ ବାଇ ବୀଣାଗାଇଲେ ମଧୁର ଗୀତି ସୁଧା ଜିଣା । ୧୩୪ ।ସୁରଭି ସ୍ୱରୂପୀ ଅମର ଅମରୀନୃତ୍ୟ କଲେ ତହିଁ ପ୍ରମୋଦେ ସଞ୍ଚରି । ୧୩୫ ।ଚଉଦିଗେ ଥାଇ ମୃଗ ମୃଗୀଗଣଚାହୁଁଥାନ୍ତି ହୋଇ ଚକିତ ନୟନ । ୧୩୬ ।ଆଶ୍ରମର ମହା ଆନନ୍ଦ ଚହଳେଯୋଗଦେଲା ବନ ପ୍ରତିଧ୍ୱନି ଛଳେ । ୧୩୭ ।ସଙ୍ଗୀତେ ରତ ବା ତରୁଲତା ସର୍ବେହେଲେ ବିଦ୍ୟାଧର ବିଦ୍ୟାଧାରୀ ଗର୍ବେ । ୧୩୮ ।୧୩୨ । ମନୀଷୀ – ପୁଙ୍ଗବ – ଜ୍ଞାନୀଶ୍ରେଷ୍ଠ ।୧୩୩ । ମୁରଜ – ମୃଦଙ୍ଗ, ମନ୍ଦିରା – ଝାଞ୍ଜ, ଖଞ୍ଜନୀ – ଖଞ୍ଜଣି ।୧୩୮ । ବିଦ୍ୟାଧର – ଗନ୍ଧର୍ବ କିନ୍ନର ପ୍ରଭୃତି ସ୍ୱର୍ଗର ଗାୟକରଣ ।ଆଶ୍ରମ ଉଜ୍ୱଳ ହୋଇଗଲା ମୁଦେ,ତମ କିନ୍ତୁ ସତୀ ବଦନ କୁମୁଦେ । ୧୩୯ ।ରହିଗଲା ଏକା ରାମଚନ୍ଦ୍ର ବିନା;ପରବ ତାଙ୍କର ଅମାବାସ୍ୟା ସିନା । ୧୪୦ ।ତମ ବଢ଼ାଇଲା ମହିମା ତାଙ୍କର,ତମ ଯୋଗୁଁ ସିନା ଚନ୍ଦ୍ରିକା ଆଦର । ୧୪୧ ।ଦିଶୁଥିଲୋ ସୁତ ରତନେ ସୁନ୍ଦର,ଯଥା ରତ୍ନ ସାନୁ ଗଭୀର କନ୍ଦର । ୧୪୨ ।ଋଷି ଦେବେ ମିଳି ସତୀଙ୍କ ଗୌରବବୃଦ୍ଧି କଲେ ବିହି ଆନନ୍ଦ ଉତ୍ସବ । ୧୪୩ ।ମହତଙ୍କ ଏହା ନୈସର୍ଗିକୀ ରୀତି,ସୁପାତ୍ରେ ସମ୍ମାନ ଦାନେ ତାଙ୍କ ପ୍ରୀତି । ୧୪୪ ।ଶେଷେ କୁମାରଙ୍କ ମଙ୍ଗଳ କାମନାକରି ଆଶିଗଲେ ମୁନି ମହାମନା । ୧୪୫ ।ତାପସଙ୍କ ହୃଦ କମଳେ ଆସନକରି ଦେବେ କଲେ ତଥାସ୍ତୁ ଭାଷଣ । ୧୪୬ ।ବନ ତରୁ ଲତା ସୁଗମ୍ଭୀର ରବେଉଚ୍ଚାରିଲେ ମୁଦେ ତଥାସ୍ତୁ ସରବେ । ୧୪୭ ।ଦିଗ ବିଦିଗରୁ ଦିଗପାଳଗଣତଥାସ୍ତୁ ଶବଦ କଲେ ଉଚ୍ଚାରଣ । ୧୪୮ ।୧୪୦ । ଅଷ୍ଟମୀ, ଚତୁର୍ଦ୍ଦଶୀ, ଅମାବାସ୍ୟା, ପୂର୍ଣ୍ଣିମା ଓ ସଂକ୍ରାନ୍ତି – ଏମାନଙ୍କୁ ପର୍ବ କୁହାଯାଏ ।୧୪୫ । ଆଶିଷିଲେ – ଆଶୀର୍ବାଦ କଲେ ।