ଦ୍ୱିତୀୟ ସର୍ଗ — ତପସ୍ୱିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ସର୍ଗ
ରାଗ: ରାମକେରୀବାଲ୍ମୀକି-ଆଶ୍ରମ-ରାଜ୍ୟରେଶାନ୍ତି ରାଜତ୍ୱ କରେ,କୋଷ ପୂର୍ଣ୍ଣ କରି ପାଦପ-ଦତ୍ତ ସୁଛାୟା କରେ । ୧ ।ଅକପଟେ ତାହା ଦିଅନ୍ତି,ସେହି ପାଦପମାନେ,ଅଯାଚିତେ ନିଜ ଶରୀର-ମାନଦଣ୍ଡର ମାନେ । ୨ ।ପ୍ରକୃତି-ସମରେ ସେମାନେପୁଣି ହୁଅନ୍ତି ସେନା,ଆବରଣ କରି ଶରୀରେଘନ-ପଲ୍ଲବ-ସେହ୍ନା । ୩ ।କରି ବରଷାର ବ୍ୟାୟାମେଅଙ୍ଗ-ପୁଷ୍ଟି-ସାଧନ,ଆତପକୁ ଜିଣି ଆଣନ୍ତିତାର ଆଲୋକ-ଧନ । ୪ ।
୧ । ବାଲ୍ମୀକି – ଲୋକ ପ୍ରସିଦ୍ଧ ରାମାୟଣ ରଚିତା ମହାମୁନି, ଭାରତର ଆଦିକବି ରୂପେ ପରିଚିତ । ବିଖ୍ୟାତ ତମସାନଦୀ ତୀରେ ତାଙ୍କର ଆଶ୍ରମ ଥିଲା । କୋଷ-ଧନାଗାର, ପାଦପ – ବୃକ୍ଷ ।
୨ । ଅକପଟ – ସରଳ ।୩ । ସେହ୍ନା – କବଚ ।୪ । ଆତପ –ସୂର୍ଯ୍ୟ କିରଣ ।ଶୀତ-ଆକ୍ରମଣୁ କରିବାପାଇଁ ରାଜ୍ୟକୁ ତ୍ରାଣ,ଧୁନିରୂପେ ପୁଣି ହୁଅନ୍ତିକେତେ ଅନଳ ବାଣ । ୫ ।ବିଜିତ ପ୍ରକୃତି ସମୟଜାଣି ସମ୍ପାଦେ ତୋଷ,ପାଦପଙ୍କ କରେ ସମର୍ପିଫଳ-ପ୍ରସୂନ-କୋଷ । ୬ ।ଗର୍ଭେ ଧରି ତାରା-ରତନପୂର୍ଣ୍ଣ-ଗଗନ-ସିନ୍ଧୁ,ଅଗସ୍ତ୍ୟ-ଗାରିମା ଶୋଷନ୍ତିପ୍ରତି ଶିଶିର-ବିନ୍ଦୁ । ୭ ।ସାଗର ଗରବେ ପାଦପଆଳବାଳର ଜଳ,ପୋଷି ରଖୁଥିଲେ ଗରଭେସୁଧାକର ମଣ୍ଡଳ । ୮ ।୬ । ସମ୍ପାଦେ – ନିର୍ବାହ କରେ ।
୭ । ଅଗସ୍ତ୍ୟ – ମିତ୍ରାବଋଣ ଋଷିଙ୍କର ପୁତ୍ର । ତାଙ୍କୁ କୁମ୍ଭସୁତ ମଧ୍ୟ କୁହାଯାଏ । ବୁତ୍ରାସୁରର ନିଧନ ପରେ କାଳକେୟ ଅସୁରଗଣ ସମୁଦ୍ରରେ ଆତ୍ମଗୋପନ କରି ସ୍ୱର୍ଗପୁରକୁ ବାରମ୍ବାର ଆକ୍ରମଣ କଲେ ଏବଂ ମର୍ତ୍ତ୍ୟଭୂମିର ଋଷିମାନଙ୍କୁ ପରାଭବ ଦେଲେ । ଦେବତାମାନଙ୍କ ଅନୁରୋଧ କ୍ରମେ ମହାତପସ୍ୱୀ ଅଗସ୍ତ୍ୟ ସମୁଦ୍ରକୁ ଚଳୁ କରି ଦେବାରୁ ନିରାଶ୍ରୟ ଅସୁରଗଣଙ୍କୁ ହତ୍ୟା କରିବା ସହଜ ହୋଇଥିଲା । ଇଜ୍ୱଳ ଓ ବାତାପି ଦୁଇ ମାୟାବୀ ଅସୁରଙ୍କୁ ମଧ୍ୟ ଅଗସ୍ତ୍ୟ ଧ୍ୱଂସ କରି ଦେଇଥିଲେ ।
୮ । ଆଳବାଳ – ଗଛମୂଳର ମନ୍ଦା, ସୁଧାକର – ଚନ୍ଦ୍ର ।ଅକସ୍ମାତ କରି ପ୍ରବେଶରାମବଧୂ-ରୋଦନଘନ ଘନ କରା କମ୍ପିତଶାନ୍ତି-ଦେବୀ-ସଦନ । ୯ ।ବିଚଳିତ ହୋଇ କରୁଣାବତୀ ଶାନ୍ତି ବାହନ,
ଲୋଡ଼ିଲେ ରୋଦିନୀ-ଲକ୍ଷ୍ୟରେ
ଯିବାପାଇଁ ବହନ । ୧୦ ।
ମୁନି-କୁମାରୀଏ ବାହାରି
ଲାଗିଥିଲେ ସେ କ୍ଷଣେ,
ବାତ-ବ୍ୟସ୍ତ ନବ ବିଟପି-
ବଲ୍ଲୀ ପର୍ଯ୍ୟବେକ୍ଷଣ । ୧୧ ।
ନବ ରବ ଏକ କର୍ଣ୍ଣରେ
ତାଙ୍କ ଯିବାରୁ ଲାଗି,
ମନ ନିଯୋଜିଲେ ତାହାକୁ
ଧରି ଚିହ୍ନିବା ଲାଗି । ୧୨ ।
ଧରି ମନ ତାକୁ ଦେଖିଲା
ନୁହେଁ କପୋତ-ସ୍ୱନ,
ନୁହଇ କୋକିଳ-କାକଳି,
କିମ୍ବା ବୀଣା-ନିକ୍ୱଣ । ୧୩ ।
ନୁହେଁ ଶଙ୍ଖନାଦ, ନୁହଇ
ପୁଣି ମୟୂର କେକା,
ଲଳନା କରୁଣ-କଣ୍ଠର
ସ୍ୱର-ନିର୍ଝର ଏକା । ୧୪ ।
୯ । ରାମବଧୂ – ସୀତା ।
୧୧ । ଇତିପୂର୍ବେ ପ୍ରଖର ପବନ ପ୍ରବାହିତ ହୋଇଥିବା ବିଷୟ ଉଲ୍ଲେଖ ଅଛି ।
ସେହି କୁମାରୀଙ୍କ ହୃଦୟ-
ରଥେ ବସି ଚଞ୍ଚଳ
ଚଳାଇଲା ଶାନ୍ତି, ଉଡ଼ିଲା
ଧ୍ୱଜ-ବଲକଳାଞ୍ଚଳ । ୧୫ ।
ରୋଦନ-ତରଙ୍ଗ ଦର୍ଶନେ
ଶାନ୍ତି ଚକିତ ହେଲା,
ତଥାପି ସମୀପେ ଯିବାକୁ
ଲବେ ନ କଲା ହେଳା । ୧୬ ।
କୁମାରୀଏ ଯାଇ ଅନତି-
ଦୂରେ କଲେ ଦର୍ଶନ,
ଅପୂର୍ବ ନାରୀଏ କରୁଛି
ଘୋର ଅଶ୍ରୁ-ବର୍ଷଣ । ୧୭ ।
ଚକିତ ଚିତ୍ତେ କେ ଭାବିଲା,
"ଏ ତ ବିଚିତ୍ର କଥା,
ଏ ବନେ ଏଭଳି ମାନବୀ
ଅସମ୍ଭବ ସର୍ବଥା । ୧୮ ।
ସ୍ୱର୍ଗ-ପୁରୁ କେଉଁ ଦେବୀ କି
ସଦ୍ୟ ଶାପର ଫଳେ,
ସଦେହରେ ଖସିପଡ଼ିଛି
ଆସି ଅବନୀ-ତଳେ ? ୧୯ ।
ଭ୍ରମୁ ଭ୍ରମୁ କିବା ଅଭ୍ରରେ
ଅଭ୍ରମାତଙ୍ଗ ଚଢ଼ି,
ପୁରନ୍ଦର-ପୁର-ଶୋଭିନୀ
ପଡ଼ିଅଛନ୍ତି ଗଡ଼ି ?" ୨୦ ।
୧୯ । ଅବନୀ – ପୃଥିବୀ ।
୨୦ । ଅଭ୍ର – ଆକାଶ, ଅଭ୍ରମାତଙ୍ଗ – ଐରାବତ ହସ୍ତୀ ।
୨୧ । ପୁରନ୍ଦର – ପୁର – ଶୋଭିନୀ – ଶଚ୍ଚୀଦେବୀ ।
କିଏ ବା ଭାବିଲା, "ଜାହ୍ନବୀ
ଅବା ମୂର୍ତ୍ତିମତୀ କି,
ଲୋତକ କଲ୍ଲୋଳ ଭସାଉ-
ଛନ୍ତି ବସୁମତୀ କି ? ୨୧ ।
କରକା ପରାୟେ କରୁଣା
କିମ୍ବା ସ୍ୱର୍ଗରୁ ଗଳି,
ପର-ଦୁଃଖ ତାପେ କ୍ରମଶଃ
ଭବେ ଯାଉଛି ଗଳି ? ୨୨ ।
ନ ହେଲେ ଏ ଘନ-କୁନ୍ତଳା
ଘନ ସହିତ ତାରା,
ଖସି ପଡ଼ିବାରୁ ଧରାରେ
ବହିଯାଉଛି ଧାରା । ୨୩ ।
ହୋଇଥାନ୍ତା ଯଦି ରୋଦନ-
ଧ୍ୱନି ଚମକପ୍ରଦା,
ବୋଲନ୍ତୁ ଆସିଛି ଜଳଦ-
ସଙ୍ଗେ ଏ ଶତହ୍ରଦା । ୨୪ ।
ଶିଶିର-ବର୍ଷିଣୀ ଚନ୍ଦ୍ରିକା
ପିକ-ସ୍ୱର-ମୁଖରା,
କାହିଁ, କାହିଁ ଝିଲ୍ଲୀ-ରାବିଣୀ
ଖର ନିଦାଘ ଖରା ? ୨୫ ।
୨୨ । କରକା – କୁଆପଥର, ଏହା ଭୂମିରେ ପଡ଼ିବା ସଙ୍ଗେ ସଙ୍ଗେ ମିଳାଇ ଯାଏ ।
୨୩ । ଘନ – କୁନ୍ତଳା-ମେଘବର୍ଣ୍ଣର କେଶ ଯାହାଙ୍କର ।
୨୪ । ଶତହ୍ରଦା – ବିଜୁଳି ।
୨୫ । ଖର – ନିଷ୍ଠୁର, ନିଦାଘ – ଗ୍ରୀଷ୍ମକାଳ ।
ବୀଣା ଥାନ୍ତା ଯଦି ହସ୍ତରେ
ବୋଲିଥାନ୍ତୁ ଭାରତୀ,
କାନ୍ଦୁଚନ୍ତି ବିଷ୍ଣୁ-ବିରହେ
ଅବା ହୋଇ ଆରତୀ ! ୨୬ ।
ଭାବି ଭାବି ମୁନିସୁତାଏ
ଗଲେ ଜାନକୀ ପାଶ,
ସାହସ ନ ହେଲା ଦେବାକୁ
କିନ୍ତୁ ତାଙ୍କୁ ଆଶ୍ୱାସ । ୨୭ ।
ବରଷାର ମହାନଦୀର
ଗାଢ଼ ଆବିଳ ଜଳ,
ସ୍ୱଚ୍ଛ କରିବାକୁ କି ରୂପେ
ହେବ ନିର୍ମଳା ବଳ ? ୨୮ ।
ଇବ, ଅଙ୍ଗ ତେଲ ସଙ୍ଗରେ
ସେହି ନଦୀ ଯେସନ,
କୁମାରୀଙ୍କି ପାଇ ବଢ଼ିଲା
ସୀତା-ଶୋକ ତେସନ । ୨୯ ।
କିଛି ନ ପଚାରି କୁମାରୀ-
ମାନେ ରହିଲେ ବେଢ଼ି,
ଯାଇ ନ ପାରିଲେ ସେନେହ
ହେଲା ପାଦକୁ ବେଡ଼ି । ୩୦ ।
୨୬ । ଭାରତୀ – ସରସ୍ୱତୀ, ଆରତୀ-ବିହ୍ୱଳ ହୋଇ ।
୨୭ । ଜାନକୀ – ଜାନକୀ ମହର୍ଷିଙ୍କର କନ୍ୟା ସୀତା, ଆଶ୍ୱାସ ସାନ୍ତ୍ୱନା ।
୨୮ । ଆବିଳ – ଗୋଳିଆ, ନିର୍ମଳା – ଏକପ୍ରକାର ଫଳ ।
୨୯ । ଇବ, ଅଙ୍ଗ, ତେଲ, ଜିରା, ରସ, କମେଇ, ରଣ – ଏହି ଛଅଟି ମହାନଦୀର ପ୍ରଧାନ ଉପନଦୀ
ଭାବରେ ଖ୍ୟାତ ।
୩୦ । ବେଡ଼ି – ଶିକୁଳି ।
ବିକଳେ ଅନାଇ କେବଳ
ତାଙ୍କ ଶାନ୍ତ ଲୋଚନ,
କଲା କ୍ଷୁବ୍ଧ-ହୃଦ ବେଦନା-
ବୀଚି-ଜଳ-ମୋଚନ । ୩୧ ।
ଲୋତକ-ପ୍ଲାବିତା କୁମାରୀ-
ବୃନ୍ଦ ମଧ୍ୟରେ ସତୀ,
ବିକଳ ପରାଣେ ବିଳପି
ଶୋକ-ଜଳେ ଭାସନ୍ତି । ୩୨ ।
ଚକ୍ରବାତ-ଜାତ ପୃଷତ-
ସ୍ନାତ ପଦ୍ମିନୀବନେ,
କଳରାଜହଂସୀ କୂଜଇ
କିବା ଆରତ-ସ୍ୱନେ । ୩୩ ।
ସହୀ ଏକ ସହି ନ ପରି
ଯାଇ ବାଲ୍ମୀକି ପାଶେ,
ଜଣାଇଲା ଖେଦପୂରିତ
କ୍ଲେଶ-ଚଞ୍ଚଳା ଭାଷେ । ୩୪ ।
"ଭୋ ତାତ ଏ ବନେ ନାରୀଏ
ନବନୀତ-ପିତୁଳୀ-
ସମ ଦିଶେ, ଆସି କାନ୍ଦୁଛି
ଯେହ୍ନେ ହୋଇ ବାତୁଳୀ । ୩୫ ।
ସମ୍ବୋଧନ କରି ଥରକୁ-
ଥର ତା ପ୍ରିୟ କାନ୍ତେ,
୩୨ । ବିଳପି – କ୍ରନ୍ଦନ କରି ।
୩୩ । ପୃଷତ – ଜଳକଣା, ଆରତ ସ୍ୱନେ – ବିକଳ ସ୍ୱରରେ ଚକ୍ରବାତ – ଘୂର୍ଣ୍ଣିବାୟୁ ।
୩୫ । ନବନୀତ – ଲହୁଣୀ ।
ପତି-ଗୁଣ, ପତି-ବାତ୍ସଲ୍ୟ
ସ୍ମରୁଅଛି ଏକାନ୍ତେ । ୩୬ ।
ଲଳିତ ଦିଶୁଛି ଲଲାଟେ
ତାର ସିନ୍ଦୂର-ବିନ୍ଦ,
ମୁଖ-କମଳକୁ ହୋଇଛି
ଯେହ୍ନେ ପୂର୍ଣ୍ଣିମା ଇନ୍ଦୁ । ୩୭ ।
କରଯୁଗଳରେ ଶୋଭୁଛି
ଚାରୁ ରତନ ଚୂଡ଼,
ବିଷାଦ-ସାଗର-ପୁଲିନେ
ଝକୁଅଛି ନ ବୁଡ଼ି । ୩୮ ।
ଦରବିକଶିତ କମଳେ
ବରାଟକ ପରାଏ,
ଶତଦଳ-ରୁଚି ରୁଚିର
ଚେଲେ ସେ ଶୋଭାପାଏ । ୩୯ ।
ତିନ୍ତାଇ ଦେଉଛି ବାସକୁ
ତାର ନୟନ-ବାରି,
ଦେବୀ କି ମାନବୀ ସହଜେ
ହେଉ ନାହିଁ ତ ବାରି ।" ୪୦ ।
ଶୁଣି ମୁନିବର ମଉନେ
ନିମୀଳିତ ଈକ୍ଷଣେ,
କାୟ, ଶିର, ଗ୍ରବା, ସଳଖି
ବସି ରହିଲେ କ୍ଷଣେ । ୪୧ ।
୩୬ । ଏକାନ୍ତେ
୩୯ । ବରାଟକ – ପଦ୍ମର ବୀଜକୋଷ, ଶତଦଳ – ପଦ୍ମ, ରୁଚି – କାନ୍ତି, ରୁଚିର – ସୁନ୍ଦର, ଚେଳେ – ପରିଚ୍ଛଦ ।
୪୦ । ବାସ – ପିନ୍ଧାଲୁଗା, ବାରିହେଉ ନାହିଁ ଜଣାଯାଉ ନାହିଁ ।
୪୧ । ବାସ – ପିନ୍ଧାଲୁଗା, ବାରିହେଉ ନାହିଁ – ଜଣାଯାଉ ନାହିଁ ।
୪୧ । ନିମୀଳିତ ଇକ୍ଷଣେ – ଆଖି ବୁଜି କରି ।
ଉଠି ପୁଣି "ଚାଲ ଦେଖିବା"
ବୋଲି ହେଲେ ବାହାର,
ମୁନି ପଛେ ପଛେ ଚାଲିଲେ
ବହୁ ମୁନି କୁମାର । ୪୨ ।
କୌତୂହଳେ ଗଲେ ଯେ ଥିଲେ
ମଠେ ମୁନି ନନ୍ଦିନୀ,
ଡାକି ଆସିଥିଲା ଯେ ସଖୀ
ହୋଇ ତାର ସଙ୍ଗିନୀ । ୪୩ ।
ଚାଲିଲେ ହରିଣ ହରିଣୀ
ତାଙ୍କ ସଙ୍ଗେ ସାବକ,
ବୃକ୍ଷୁଁ ବୃକ୍ଷେ ଡେଇଁ ଚଳିଲେ
ପିକ, ମୟୂର, ବକ । ୪୪ ।
ସମୀର-ସାଗରେ ଛାଡ଼ିଲେ
ନିଜ ଶରୀର-ପୋତ,
ନୟନ-ରଞ୍ଜନ ଖଞ୍ଜନ,
ଶୁକ, ଶାରୀ, କପୋତ । ୪୫ ।
ଅଭିଯାନ କଲା ଶାନ୍ତିର
ଏହା ବୀରବାହିନୀ,
ସୀତା-ଶୋକ-ଶିଳା ଶ୍ରେଣୀକୁ
ଯେହ୍ନେ ଘୋର ବାହିନୀ । ୪୬ ।
ମହାନଦୀ ମହାନଦୀର
ମହା ପ୍ରବାହ ଆସି,
ରାମେଶ୍ୱର-ଶିଳା-ସବୁକୁ
ଦେଲେ ସଶିରେ ଗ୍ରାସି । ୪୭ ।
୪୫ । ଖଞ୍ଜନ – ପକ୍ଷୀବିଶେଷ ।
୪୬ । ବାହିନୀ – ସେନା, ବାହିନୀ – ନଦୀ ।
୪୭ । ସମ୍ୱଲପୁର ନିକଟସ୍ଥ ମହାନଦୀର ଏକ ଭୟଙ୍କର ବିଷମ ସ୍ଥାନ ।
ଟଳିବେ କି ଶିଳା ସକଳ
ସ୍ରୋତ କମ୍ପିବ ସିନା,
ବିଘୁର୍ଣ୍ଣିତ ଶିରେ ପଡ଼ିବ
ଗତି ପଦ୍ଧତି ବିନା । ୪୮ ।
ସେ ଦଶା ଭୋଗିବ ନାହିଁ ତ
ଶାନ୍ତି ଏ ଅଭିଯାନେ ?
ଲାଗୁ, ଲାଗୁଛି ତ ପ୍ରମତ୍ତ
ହୋଇ ସ୍ୱ-ଅଭିମାନେ । ୪୯ ।
କିଛି ଦୂରେ ଯାଇ ମିଳିଲେ
ମୁନି ଜାନକୀ ପାଶେ,
ଆଉମାନେ ବେଢ଼ି ରହିଲେ
ତଳେ, ଡାଳେ, ଆକାଶେ । ୫୦ ।
ଶ୍ୱତ ଶୂଶ୍ରୁ-କେଶ-ବିଭୁତି-
ବପୁ ସୌମ୍ୟ-ମୂରତି
ବାଲ୍ମୀକି ମହର୍ଷି ସମୀପେ
ହେମଗଉରୀ ସତୀ । ୫୧ ।
ଦିଶିଲେ ଯେମନ୍ତ ତୁଷାର-
ତନୁ ହିମାଦ୍ରି-ତଳେ,
ତପସ୍ୱିନୀ ଉମା ମଉନେ
ରହିଛନ୍ତି ନିଶ୍ଚଳେ । ୫୨ ।
ମୁନି ଆଗମନେ ଜାନକୀ
ଶୋକ କଲେ ନିବର୍ତ୍ତ,
ହୃଦୟରେ ହେଲା ସ୍ଥଗିତ
ଚିନ୍ତା-ଚକ୍ର-ଆବର୍ତ୍ତ । ୫୩ ।
୫୨ । ଉମା – ପାର୍ବତୀ ।
୫୩ । ନିବର୍ତ୍ତ – କ୍ଷାନ୍ତ, ବିରତ, ଆବର୍ତ୍ତ – ଜଳଭଉଁରୀ ।
ବୋଇଲେ ମହର୍ଷି ସୀତାଙ୍କୁ,
"ବତ୍ସେ, ପାରିଛି ଜାଣି,
ବିରହ-ବିପଦ ତୋହର
ବହିଅଛି ଉଜାଣି । ୫୪ ।
ସ୍ରୋତସ୍ୱତୀ-ଗତି ସହଜ
ଥାଏ ସାଗର ଆଶେ,
ଲଙ୍ଘେ ଶିଳା-ଶୈଳ-ସଙ୍କଟ,
ଯେବେ ବିରୁଦ୍ଧେ ଆସେ । ୫୫ ।
ବାରିଧି-ସଙ୍ଗମେ ବିସ୍ମରେ
ସବୁ ବିଗତ କ୍ଲେଶ,
ଉଭୟ ଜୀବନେ ନ ରହେ
ଆଉ ପ୍ରଭେଦ ଲେଶ । ୫୬ ।
ବିଧିବଶେ ଉଠି ମଧ୍ୟରେ
ଯେବେ ଊର୍ଦ୍ଧ୍ୱକୁ ଭେଦି,
ବାଲୁସ୍ତୂପ ଦିଏ ସରିତ
ସିନ୍ଧୁ-ହୃଦୟ ଛେଦି । ୫୭ ।
ସରିତ ମରି ତ ନ ପାରେ
ତାର ଜୀବନ-ଭାର,
ହୃଦୟ ପ୍ରସାରି ରଖଇ
ହୋଇ ହ୍ରଦ ଆକାର । ୫୮ ।
ଅବିକଳ ସେହି ଦଶା ମା
ଭବେ ଘଟିଛି ତୋର,
୫୫ । ସ୍ରୋତସ୍ୱତୀ – ନଦୀ ।
୫୬ । ବାରିଧି- ସାଗର, ବିସ୍ମରେ – ଭୁଲିଯାଏ ।
୫୮ । ଚିଲିକାରେ ପତିତ ନଦୀମାନଙ୍କର ଅବସ୍ଥା ଏହାର ପ୍ରମାଣ ।
ଚିନ୍ତାକୁ ତୁ ବୃଥା ନ କର
ଚିତା ସ୍ୱରୂପ ଘୋର । ୫୯ ।
ଶ୍ୱଶୁର ତୋ ମୋର ସୁହୃଦ,
ସେହିପରି ତୋ ପିତା,
ଅସଂକୋଚେ ରହ ଆଶ୍ରମେ
ମଣି ସଂସାର ପିତା । ୬୦ ।
ମୋ, ଆଶ୍ରମେ ତୋର ନ ଥିବ
କଉଣସି ଭାବନା,
ଜନମିବ ଯେଉଁ ସନ୍ତାନ
ତାର ପାଇଁ ଭାବନା ।" ୬୧ ।
ମୁନି-ବାଣୀ ଶୁଣି ଜାନକୀ
ମୁନି-ଚରଣ-ତଳେ,
ପଡ଼ି, ଉଠି ଗଣ୍ଡ ପୋଛିଲେ
ନିଜ ବସନାଞ୍ଚଳେ । ୬୨ ।
"ବୀର ପ୍ରସବିନୀ ହୁଅ ମା"
ବୋଲି ଶୁଭ ଆଶିଷ,
ଦେଇ ଆଶ୍ୱାସିଲେ ମଧୁରେ
ମୁନି-ମଣ୍ଡଳାଧିଶ । ୬୩ ।
ପୁନଶ୍ଚ ବୋଇଲେ, "ଆସ ମା,
ଆଉ ନ କର ମଠ;
କୁମାରୀମଣ୍ଡଳ ମଧ୍ୟରେ
ରହି ମଣ୍ଡ ମୋ' ମଠ ।" ୬୪ ।
୫୯ । ଚିତା – ଶ୍ମଶାନ, ଚିତା ସ୍ୱରୂପ ଘୋର – ଶ୍ମଶାନ ପରି ଭୟଙ୍କର ।
୬୦ । ସୁହୃଦ – ପରମ ବନ୍ଧୁ, ପିତା-ବାପା, ପିତା-ତିକ୍ତ ମନେକର ।
୬୩ । ମୁନି – ମଣ୍ଡଳାଧୀଶ – ମୁନିମାନଙ୍କ ମଧ୍ୟରେ ଶ୍ରେଷ୍ଠ ।
୬୪ । ମଣ୍ଡ – ଶୋଭାଯୁକ୍ତ କର ।
କିସ କିସ ଅଛି ଧର ଗୋ
ବେଗେ କୁମାରୀମାନେ,
ବୋଲନ୍ତେ ମହର୍ଷି, କନ୍ୟାଏ
ତାହା କଲେ ସମ୍ମାନେ । ୬୫ ।
ଟଣାଟଣି ହୋଇ ସତୀଙ୍କ
ଚାରୁ ପେଟିକାମାନ,
ଧରି ବେଢ଼ି ତାଙ୍କୁ ସାଦରେ
କରାଇଲେ ପ୍ରସ୍ଥାନ । ୬୬ ।
ପ୍ରହରି ପ୍ରହାରି ପାଦୁକା
ମୁନି ଦୁର୍ଗତି-ଶିରେ,
ରାମ-ହୃଦ-ପ୍ରେମ-ପ୍ରତିମା
ଆଗେ ଚାଲିଲେ ଧିରେ । ୬୭ ।
କଷାୟ-ବସନ ମହର୍ଷି
ହେଲେ ଅନୁରୂପମ,
ପଛେ ବଇଦେହୀ ଦିଶିଲେ
ଭାନୁ-ଦୀଧିତି-ସମ । ୬୮ ।
ବୁଡ଼ିଥିଲା ସେହି ଦୀଧିତି
ଦୁଃଖ-ଅର୍ଣ୍ଣବ-ଅର୍ଣ୍ଣେ,
ଅନୁରୁ ତହିଁରେ ବିରାଜୁ-
ଥିଲେ ଉଜ୍ଜ୍ୱଳ ବର୍ଣ୍ଣେ । ୬୯ ।
୬୮ । କଷାୟ – ବସନ – ଗେରୁଆ ଲୁଗା, ଅନୁରୁ- ସୂର୍ଯ୍ୟଙ୍କର ସାରଥି, ବଇଦେହୀ - ସୀତା, ଭାନୁ – ସୂର୍ଯ୍ୟ, ଦୀଧତି – କିରଣ ।
୬୯ । ଅର୍ଣ୍ଣବ – ସାଗର, ଅର୍ଣ୍ଣ – ଜଳ ।
ମହାଯତି ମହାସତୀଙ୍କ
କଥାବାର୍ତ୍ତା ସକଳ,
ଶୁଣୁଥିଲେ ବସି ବିହଙ୍ଗ-
ଦଳ ନ କରି କଳ । ୭୦ ।
ଦେଖନ୍ତେ ତାହାଙ୍କ ଆଶ୍ରମ-
ଅଭିମୁଖେ ଗମନ,
ପ୍ରମୋଦରେ କଲେ ନିସ୍ୱନ
ହୋଇ ପ୍ରଫୁଲ୍ଲ ମନ । ୭୧ ।
ବାଜିଗଲା ପରା ଶାନ୍ତିର
ରଣ-ବିଜୟ-ଘୋଷ !
ନାଚି ନାଚି ମୃଗ-ଶାବକେ
କଲେ ପ୍ରକାଶ ତୋଷ । ୭୨ ।
ନବ ଅତିଥିଙ୍କ ମୁଖକୁ
ମଣି ସ୍ନେହ-ସାଗର,
ସତୃଷ୍ଣ ନୟନେ ଅନାଉ-
ଥାନ୍ତି ଥରକୁ ଥର । ୭୩ ।
ଜୟ-ଲକ୍ଷ୍ମୀ-ରୂପେ କରନ୍ତି
ଶାନ୍ତି-ପୁରକୁ ବିଜେ,
ଅଶାନ୍ତି-ସାଗର-ଉତ୍ଥିତା
ରାମ-ରମଣୀ ନିଜେ । ୭୪ ।
ଟେକି ଚନ୍ଦ୍ରକିତ ବରହ
ବେନି ବୀଥିରେ ରହି,
ଚାଲିଲେ ଉଭୟ ପାର୍ଶ୍ୱରେ
ଶତ ଶତ ବରହୀ । ୭୫ ।
୭୦ । କଳ – ପକ୍ଷୀମାନଙ୍କର ରବ ।
୭୩ । ସତୃଷ୍ଣ ନୟନେ – ଅତ୍ୟନ୍ତ ଆଗ୍ରହଯୁକ୍ତ ଦୃଷ୍ଟିରେ ।
୭୫ । ବରହ – ମୟୁର ପୁଚ୍ଛ, ବରହୀ-ମୟୁର, ଚନ୍ଦ୍ରକିତ – ମୟୁର ପୁଚ୍ଛର ଚନ୍ଦ୍ର ଚିହ୍ନ, ବୀଥି – ଉଭୟ ପାର୍ଶ୍ୱରେ ବୃକ୍ଷ ଥିବା ପଥ ।
ସୁକୁମାର କରି-ଶାବକେ
କରେ ଟେକି କମଳ,
ଠେଲାଠେଲି ହୋଇ ଚାଲିଲେ
ସଙ୍ଗେ ଦଳକୁ ଦଳ । ୭୬ ।
ପାଦପେ ଝୁଲିଲା ପଲ୍ଲବ
ଶୋଭି ପୁଷ୍ପ-ସ୍ତବକେ,
ଧାଡ଼ି ଧାଡ଼ି ଶ୍ୱେତ ପତାକା
ତହିଁ ହୋଇଲେ ବକେ । ୭୭ ।
ମଧୁରେ ଗାଇଲେ କୋକିଳ
କୁଳ ମଙ୍ଗଳ ଗୀତ,
ଅଳି-ସ୍ୱନେ ଜୟ-ଶଙ୍ଖର
ଧ୍ୱନି ହେଲା ବ୍ୟଞ୍ଜିତ । ୭୮ ।
ବାରମ୍ବାର ଉଡ଼ି ବୃକ୍ଷରୁ
ହୋଇ ଯୁକତୃ-ମୁଷ୍ଟି,
ଶୁକ ସାରୀ ଦଳ ମାର୍ଗରେ
କଲେ କୁସୁମ-ବୃଷ୍ଟି । ୭୯ ।
ବନ୍ଦାପନା-ଦୀପ ଜଳିଲା,
ଏଣେ ଗୋଧୂଳି-ତାରା,
ବିରାଜିଲେ ଋଷି-ଆଶ୍ରମେ
ରାମ-ନୟନ-ତାରା । ୮୦ ।
ବାଲ୍ମୀକି ନିଦେଶେ ଉଟଜେ
ସବୁ ପେଟିକା ଥୋଇ,
କନ୍ୟା ଏକ ଦେନା ସତୀଙ୍କ
ମୁଖ-ମଣ୍ଡଳ ଧୋଇ । ୮୧ ।
୮୧ । ଉଟଜେ – କୁଡ଼ିଆରେ, ନିଦେଶେ-ଆଦେଶରେ ।
କନ୍ୟା ଏକ ଜଳ-କଳସ
ଢାଳୁଁ ଢାଳୁଁ ଚରଣେ,
ତା' ହସ୍ତରୁ-ନେଇ ସ୍ୱପଦ
ପ୍ରକ୍ଷାଳିଲେ ଆପଣେ । ୮୨ ।
ସତୀଙ୍କି ବସାଇ ସୁତାଏ
ମୃଦୁ ପଲ୍ଲବାସନେ,
ଫଳମୂଳ ଆଣି ସମକ୍ଷେ
ଦେଲା ପର୍ଣ୍ଣବାସନେ । ୮୩ ।
ଅନୁକମ୍ପା ନାମେ ବୃଦ୍ଧାଏ
କରି ସତୀଙ୍କି କୋଳ,
ପୋଛି ଦେଲେ କର କମଳେ
ତାଙ୍କ ଭାଲ କପୋଳ । ୮୪ ।
ମମତା-ପ୍ରପାତ-ସେନେହ
ସ୍ୱଚ୍ଛ ଉଜ୍ଜ୍ୱଳ ଜଳ,
ପକାଇ ସତୀଙ୍କ ପରାଣ
ପ୍ଳାବି କରି ଶୀତଳ । ୮୫ ।
ମୁଖ ଚାହିଁ-ଚାହିଁ ବୋଇଲେ,
ଧୀର କୋମଳ ଭାଷେ,
"ମୋ ଭାଗ୍ୟକୁ ମାଆ ଆସିଛୁ
ଆଜି ତୁ ମୋର ପାଶେ । ୮୬ ।
ରାଜ ରାଜେଶ୍ୱରୀ ମାଆ ତୁ
ସ୍ୱର୍ଣ୍ଣ ମନ୍ଦିର ତୋର,
ତମଃପୂର୍ଣ୍ଣ କରି ଉଜ୍ଜ୍ୱଳ
କଲୁ କୁଟୀର ମୋର । ୮୭ ।
୮୨ । ପ୍ରକ୍ଷାଳିଲେ – ଧୋଇଲେ ।
ଦିନଯାକ କରି ନ ଥିବୁ
ପରା କିଛି ଆହାର,
ପୁଅ କରୁଥିବ ଗରଭେ
ଚଳି ପାଦ-ପ୍ରହାର । ୮୮ ।
ଖାଆ ମା'! ଖାଆ ମା' । ମା' ଘରେ
ତୋର କି ଅଛି ଲାଜ,
ଚାହିଁ ରହିଛନ୍ତି ତୋତେ ତୋ'
ଏହି ସଖୀସମାଜ ।" । ୮୯ ।
ବୋଲି ନିଛି ଦେଇ ଧରାଇ
ଦେଲେ ନାରଙ୍ଗୀ-କଳି,
ଗୋଟି ଗୋଟି କରି କର୍ପୂର-
କାନ୍ତି ପକ୍ୱ କଦଳୀ । ୯୦ ।
ବୀଜ ଭିନ୍ନ ବରି କୁଳକ
ଖଣ୍ଡ ଖଣ୍ଡ ପନସ,
ସୁମଧୁର ପିଣ୍ଡ ଖର୍ଜୁର
ସହକାର ସରସ ।୯୧ ।
ବାରମ୍ବାର ବୋଲି ମଧୁରେ
"ଧୀରେ ଭୁଞ୍ଜ ମା, ଭୁଞ୍ଜ"
କରେ ଦେଲେ ଭାଙ୍ଗି କରକ-
ମଞ୍ଜି ପୁଞ୍ଜକୁ ପୁଞ୍ଜ । ୯୨ ।
୮୮ । ଚଳି – ରାଗରେ ।
୯୦ । ନିଛି – ଚୋପା ଛଡ଼ାଇଦେଇ ।
୯୧ । କୁଳକ – କେନ୍ଦୁ, ସହକାର – ଆମ୍ୱ ।
୯୨ । କରକ – ଡାଳିମ୍ୱ ଫଳ ।
ଅବଶେଷେ "ଆଉ ଦିଓଟି,
ଆଉ ଦିଓଟି" ବୋଲି;
ଭୁଞ୍ଜାଇଲେ ସେହୁ ସତୀଙ୍କି
ଆଠ ଦଶୋଟି କୋଳି । ୯୩ ।
ମାତୃ-ସ୍ନେହ-ସୁଖ ନ ଥିଲେ
ବୁଝି ବାଲ୍ୟ-ଜୀବନେ,
ସେହି ସୁଖ ସତୀ ବୁଝିଲେ
ଆଜି ବାଲ୍ମୀକି-ବନେ । ୯୪ ।
ଆଚମନ କରି ଜାନକୀ
ଫଳ-ଭୋଜନ-ଶେଷେ,
କାଷ୍ଠ ଆସନରେ ବସିଲେ
ତାପସୀଙ୍କ ନିଦେଶେ । ୯୫ ।
କୁମାରୀ ଏ ଦେଲା କୋରଙ୍ଗୀ
ଫଳ ଦେବୀଙ୍କ କରେ,
ମୁଖେ ପକାଇଲେ ସୁମୁଖୀ
ତାହା ଘେନି ସାଦରେ । ୯୬ ।
କନ୍ୟା ଏକ ଆଣି କୋମଳ
ଶୁଷ୍କ ନୀବାର ନାଳ,
ଶଯ୍ୟା କରିଦେଲା ତହିଁରେ
ପାରି ହରିଣ-ଛାଲ । ୯୭ ।
ସଖୀ ଦୁଇ ତହିଁ ରହିଲେ
ବଇଦେହୀଙ୍କ ପାଶେ,
ଆଉମାନେ ହେଲେ ଅନ୍ତର
ନିଜ ନିଜ ଆବାସେ । ୯୮ ।