ଊନବିଂଶ ଅଧ୍ୟାୟ — ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିକହେ ପରାଶର ନନ୍ଦନ ॥
ମୈତ୍ରେୟ ଉବାଚଶୁଣ ବିଦୁର ତୋଷମନେ ।ପୃଥୁକୁ ମିଳି ବିପ୍ରଜନେ ॥
ଜନ ପରଜା ଏକ ମେଳେ ।ଆସନେ ଅଭିଷେକ କଲେ ॥
ସକଳେ ମିଳି ଏକ ଦିନେ ।କହିଲେ ପୃଥୁ ସନ୍ନିଧାନେ ॥
ଜନ ଉବାଚକହନ୍ତି ଶିରେ କର ଦେଇ ।କ୍ଷୁଧାରେ କମ୍ପେ ଆମ୍ଭ ଦେହୀ ॥
କ୍ଷୁଧା ଅନଳେ ଦେହ ମନ ।କହିଲେ ପୃଥୁ ସନ୍ନିଧାନ ॥
ଏଥକୁ କର ତୁ କାରଣ ।ତୋ ପାଦେ ପଶିଲୁ ଶରଣ ॥
କ୍ଷୁଧା ନ ସହେ ଆମ୍ଭ ଦେହ ।ଭୋ ନାଥ ଅନ୍ନଦାନ ଦିଅ ॥
କ୍ଷୁଧା କରଇ ଆମ୍ଭ ପ୍ରାଣ ।ଭୋ ନାଥ କର ପରିତ୍ରାଣ ॥
ମୈତ୍ରେୟ ଉବାଚଏମନ୍ତେ ପ୍ରଜାଙ୍କ ରୋଦନ ।ଶୁଣି ଉଚ୍ଛନ୍ନ ପୃଥୁ ମନ ॥
କହଇ ଧାନ୍ୟ କେ ହରିଲା ।ତୁମ୍ଭଙ୍କୁ ଏତେ ଦୁଃଖ ଦେଲା ॥
ଶୁଣି କହନ୍ତି ପ୍ରଜାଜନେ ।ଶୁଣ ରାଜନ ସ୍ଥିର ମନେ ॥
ତୋ ପିତା ଅରାଜକ କାଳେ ।ଏ ଭୂମି ଗୋରୁରୂପେ ବଳେ ॥
ରାତ୍ରେ ସକଳ ଶସ୍ୟ ଖାଇ ।ଦିବସେ ସମୁଦ୍ରେ ଲୁଚଇ ॥
ଆମ୍ଭର ଶସ୍ୟ ଖାଇ ବଳେ ।ଭକ୍ଷିଲା କ୍ଷୁଧାର ଅନଳେ ॥
ତାହାକୁ କେବେହେଁ ନ ଦେଖି ।ଆମ୍ଭେ ହୋଇଲୁ ଏଣେ ଦୁଃଖୀ ॥
ଏମନ୍ତେ ପ୍ରଜା ବାକ୍ୟ ଶୁଣି ।ପୃଥୁ ବିଚାରେ ମନେ ଗୁଣି ॥
ଭୂମିକୁ ମନେ ଧ୍ୟାନ କରି ।ନିଜ କୋଦଣ୍ଡ କରେ ଧରି ॥
ବାଣ ନିବେଶି ତୀକ୍ଷ୍ଣ ମୁନେ ।ତ୍ରିପୁରବାଦେ ରୁଦ୍ର ଯେହ୍ନେ ॥
ଧରଣୀ ପୃଥୁ ତେଜ ଦେଖି ।ଧାଇଁଲା ସମୁଦ୍ର ଉପେକ୍ଷି ॥
ଭୟେ ଚାହଁଇ ଦଶଦିଶେ ।ମୃଗ ଯେସନେ ସିଂହତ୍ରାସେ ॥
ପୃଥୁ ଧାମଇଁ କୋପମନେ ।ରୋଷିତ ଅରୁଣ ଲୋଚନେ ॥
ଶର ସନ୍ଧାନ ଧନୁ କରେ ।ଭୂମି କମ୍ପଇ ପାଦଭରେ ॥
ଯେଣେ ପଳାଏ ବସୁନ୍ଧରୀ ।ପୃଥୁ ଧାମଇଁ କୋପକରି ॥
ଦିଗ ବିଦିଗ ଭୂମି ଶୂନ୍ୟେ ।ରାଜା ଯେ ମିଳିଲେ ଗଗନେ ॥
ପୃଷ୍ଠେ ଚାହାଁନ୍ତେ ପୃଥୁ ଦେଖି ।କେବା ଅବନୀ ପ୍ରାଣ ରଖି ॥
ଦେବୀର ଦେହେ ତ୍ରାସ ଲଭେ ।ପ୍ରାଣୀ ଯେସନେ ମୃତ ଭାବେ ॥
ଚଳି ନ ପାରି ଦୁଃଖ ମନେ ।ମିଳିଲା ପୃଥୁ ସନ୍ନିଧାନେ ॥
ଭୟେ କମ୍ପଇ ବସୁନ୍ଧରୀ ।ପୃଥୁ ଚରଣେ ମାନ୍ୟକରି ॥
କହଇ ମଧୁର ବଚନ ।ଈଷତ ବିକଳ ବଦନ ॥
ଧରଣ୍ୟୁବାଚତୁ ମହାବିଶ୍ୱ ବ୍ରହ୍ମବେତ୍ତା ।ଭୂତ ଭବିଷ୍ୟ କାଳଜ୍ଞାତା ॥
ପ୍ରାଣୀ ରକ୍ଷଣେ ଜନ୍ମ ତୋର ।ତୁ ନାଥ ଶରଣ ସୋଦର ॥
କିମ୍ପା ଝିଙ୍ଗାସ ମୋତେ କର ।ଅପ୍ରାଧୀ ନୁହଇ ତୁମ୍ଭର ॥
ସ୍ତିରୀ ଗୋବଧ ମୋର ହେଲେ ।କେମନ୍ତେ ସମ୍ପାଦିବୁ ଭଲେ ॥
ଏକ ମରଣେ ବେନି ଦୋଷ ।ସଂସାରେ ହେବ ଅପଯଶ ॥
ସ୍ତ୍ରୀଲିଙ୍ଗ ଅପଚୟ କଲେ ।ପଣ୍ଡିତେ ନିନ୍ଦିବେଟି ଭଲେ ॥
ତୁ ନାଥ କରୁଣାସାଗର ।ଦୁଃଖୀ ଦରିଦ୍ରଙ୍କ ସୋଦର ॥
ଦଦରା ନାବ ପ୍ରାୟେ ମୁହିଁ ।ଏ ଭାରା ସହି ନ ପାରଇ ॥
ମୋହର ମଲେ ଏ ଜଗତେ ।ଏ ଭାର ରଖିବୁ କେମନ୍ତେ ॥
ପୃଥୁରୁବାଚଶୁଣ ଧରଣୀ ମୋ ଉତ୍ତର ।ତୁ ମଲେ ଡର ନାହିଁ ମୋର ॥
ମୋହର ଆଜ୍ଞା ଭାଙ୍ଗୁ ତୁହି ।ତୋର ମରଣେ ଦୋଷ ନାହିଁ ॥
ତାତ ମରଣେ ଅରାଜକେ ।ସକଳ ଶସ୍ୟ ଭୁଞ୍ଜି ସୁଖେ ॥
ଖାଇଲୁ ଗୋରୁ ରୂପେ ତୁହି ।ସଂସାରେ ଶସ୍ୟ ବୀଜ ନାହିଁ ॥
ଅନ୍ନ ନ ଥିଲେ ପ୍ରଜାଜନ ।କେମନ୍ତେ ରଖିବେ ଜୀବନ ॥
ପ୍ରଜା ନ ଥିଲେ ରାଜା କାହିଁ ।ଏ ଘେନି ତୋତେ ମୁଁ ମାରଇ ॥
ଦୁଷ୍ଟ ମାରଣେ ରାଜଧର୍ମ ।ଏ ତ ସ୍ୱଭାବେ ରାଜକର୍ମ ॥
ମୁଁ ଯେବେ ନ ମାରିବି ତୋତେ ।ପ୍ରଜାଏ ବଞ୍ଚିବେ କେମନ୍ତେ ॥
ବିଧାତା ସୃଷ୍ଟି କଲା ଯେତେ ।ଅନ୍ନ ଜୀବନ ରକ୍ଷା ଅର୍ଥେ ॥
ତୁ ମନ୍ଦ ବୁଦ୍ଧି ଦୁରାଶୟ ।ମାୟା ଭିଆଣେ ବହୁ ଦେହ ॥
ଏ ପ୍ରଜା ଆନନ୍ଦେ କେମନ୍ତେ ।ବଞ୍ଚିବେ ଅନ୍ନ ଅପ୍ରାପତେ ॥
ସେ ଦୁଃଖ ନିବାରିବି ମୁହିଁ ।ମୋ ବାଣେ ତୋର ମାଂସ ଦେଇ ॥
ନାରୀ ପୁରୁଷ ନପୁଂସକେ ।ପୀଡିତ ହ୍ୱନ୍ତି ଯେବା ଲୋକେ ॥
ତାହାଙ୍କୁ ରାଜା ନ ଦଣ୍ଡିଲେ ।ସେ କି ସଂସାରେ ଥିବେ ଭଲେ ॥
ତାଙ୍କ ମାରଣେ ଦୋଷ ନାହିଁ ।ସଂସାରେ ଧର୍ମକଥା ଏହି ॥
ତୁ ମାୟା ଗୋରୁରୂପ ହୋଇ ।ସକଳ ଶସ୍ୟ ବୀଜ ଖାଇ ॥
ଅବଜ୍ଞା କଲୁ ଯେବେ ମୋତେ ।ନିଶ୍ଚେ ଦଣ୍ଡିବି ଆଜି ତୋତେ ॥
ତୋର ଶରୀର ତୀକ୍ଷ୍ଣ ବାଣେ ।କାଟିବି ମୁଁ ତିଳ ପ୍ରମାଣେ ॥
ବାଣେ ତୋହର ପ୍ରାଣ ହରି ।ମୁଁ ଏବେ ମାୟାଯୋଗ କରି ॥
ବିସ୍ତାରି ମୋହର ଶରୀରେ ।ଏ ପ୍ରଜା ରଖିବି ନିର୍ଭରେ ॥
ଏମନ୍ତ କହି ହେଲେ କୋପ ।ପୃଥ୍ୱୀକୁ ଦିଶିଲା ସ୍ୱରୂପ ॥
ଏମନ୍ତେ ପୃଥୁ ରୂପ ଚାହିଁ ।ଭୟେ କମ୍ପଇ ତାର ଦେହୀ ॥
ପୃଥୁ ଚରଣେ ଶିର ଦେଇ ।କହଇ ଅଶ୍ରୁମୁଖୀ ହୋଇ ॥
ପୃଥିବ୍ୟୁବାଚନମସ୍ତେ ପରମ ପୁରୁଷ ।ଗୁଣ ପ୍ରକାଶେ ତୋର ଦୃଶ୍ୟ ॥
ନିଜ ମାୟାରେ କ୍ଷୀଣ ହୋଇ ।ସଂସାର ହିତେ ବହୁ ଦେହୀ ॥
ସ୍ୱରୂପା ନଭେ ନବବୃତ୍ତି ।ଦ୍ରବ୍ୟ କରଣ କ୍ରିୟା ରତି ॥
ସକଳ କରୁ ମାୟା ବଶେ ।ଭୂମି ଯେସନେ ଜଳଗ୍ରାସେ ॥
ସର୍ଜି ପାଳିଣ କରେ ଅନ୍ତ ।ଯେ ସ୍ୱୟଂ ପ୍ରକାଶେ ଜଗତ ॥
ସେ ମୋତେ ମାରିବାର ସଧେ ।ଧାମଇଁ ଉଦ୍ଧୃତ ଆୟୁଧେ ॥
କେବା ରକ୍ଷକ ଅଛି ମୋର ।ତୁ ନାଥ ନ କରୁ ବିଚାର ॥
ତୁ ନିଜମାୟା ତର୍କବଳେ ।ଜନ୍ତୁକୁ ସର୍ଜୁ ଯୋଗବଳେ ॥
ତୁ ନାଥ ଧାର୍ମିକଙ୍କ ଗୁରୁ ।କିମ୍ପା ନ ବୁଝି ମୋତେ ମାରୁ ॥
ଅନ୍ନ ନ ପାଇ ପ୍ରଜା ଯେବେ ।ତୋତେ କହିଲେ ଅନୁଭବେ ॥
ତୁ ନାଥ ଜଗତ ଈଶ୍ୱର ।ଏ ତୋତେ ନୁହେଁ ଅଗୋଚର ॥
ତୁ ଆଦି ପଦ୍ମକଳ୍ପ ଆନ୍ତେ ।ଶୂକର ରୂପେ ତୋଳି ଦନ୍ତେ ॥
ମୋତେ ସ୍ଥାପିଲୁ ଜନ ହିତେ ।ପୁଣି ସଂହାରିକୁ କେମନ୍ତେ ॥
କହିଲି ଏବେ ତୋର ଇଚ୍ଛା ।ଯେମନ୍ତ କର ତୋର ବାଞ୍ଛା ॥
ତୁ ନାଥ ଜଗତ ଈଶ୍ୱର ।ଏ ତୋତେ ନୁହେଁ ଅଗୋଚର ॥
କହଇ ବିପ୍ର ଜଗନ୍ନାଥ ।ସୁଜନ ହିତେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ପୃଥୁରାଜ ପୃଥିବୀ ସମ୍ପାଦନେନାମ ଊନବିଂଶୋଽଧ୍ୟାୟଃ ।