ଏକାଦଶ ଅଧ୍ୟାୟ — ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିଦେଖ ଅଭାଗ୍ୟ କର୍ମ ମୋର ।ତପେ ତୋଷିଲି ଚକ୍ରଧର ॥
ଜନନୀ ସପତ୍ନୀର ଛଳେ ।ମୋକ୍ଷ ନ ମାଗି ବିଷ୍ଣୁ ତୁଲେ ॥
ଲଭିଲି ଧ୍ରୁବ ଅଧିକାର ।ଦେଖ ଅଭାଗ୍ୟ କର୍ମ ମୋର ॥
ଏମନ୍ତ ମନେ ବିଚାରିଲା ।ତକ୍ଷଣେ ନିଜପୁରେ ଗଲା ॥
ବିଦୁର ଉବାଚଯେ ହରି ପରମ ଦୁର୍ଲ୍ଲଭ ।ଲଭି ନ ପାରେ ବ୍ରହ୍ମା ଶିବ ॥
ସେ ହରି ତହୁଁ ବର ପାଇ ।ତାର ମାୟାରେ ମନ ଦେଇ ॥
ଆତ୍ମାର ଗତି ନ ମାଗିଲା ।ମୋତେ ତ ସନ୍ଦେହ ଲାଗିଲା ॥
ମୈତ୍ରେୟ ଉବାଚମାତୃ ସପତ୍ନୀ ବାକ୍ୟ ଶରେ ।ମର୍ମ ଭେଦିଲା ତା ହୃଦରେ ॥
ମୁକ୍ତି ନ ଇଚ୍ଛି ବିଷ୍ଣୁ ତୋଷେ ।ପଛେ ତାପିଲା ଦୁଃଖତ୍ରାସେ ॥
ଧ୍ରୁବ ଉବାଚସନନ୍ଦ ଆଦି ଯୋଗୀଜନେ ।ଅଷ୍ଟାଙ୍ଗ ଯୋଗ ଅଭ୍ୟାସନେ ॥
ଯେ ପଦ ଲଭି ନ ପାରନ୍ତି ।ନିଶ୍ଚଳ ମନେ ଧ୍ୟାନେ ଚିନ୍ତି ॥
ସେ ପଦ ହସ୍ତୁ ପକାଇଲି ।ଦେଖ ଅଭାଗ୍ୟ କର୍ମ କଲି ॥
କଳ୍ପ ପାଦପ ଛାୟା ତେଜି ।ନିରାଶ ପଥେ ଚକ୍ଷୁ ବୁଜି ॥
ଧୋଇଲି ତୃଷାର୍ତ୍ତେ ବଦନ ।ଧିକ ଏ ମୋହର ଜୀବନ ॥
ଏମନ୍ତ ମନ ଦୁଃଖକରି ।ଧ୍ରୁବ ଚଳିଲା ନିଜପୁରୀ ॥
ପଥେ ଧ୍ରୁବଙ୍କୁ ଦେଖି ଜନେ ।ବେଗେ ଚଳିଲେ ସୁଖମନେ ॥
କେତେକ ଜନେ ବେଗେ ଧାଇଁ ।କହିଲେ ରାଜା ଆଗେ ଯାଇ ॥
ଅପ୍ରାପ୍ତ ପ୍ରାପ୍ତ ପ୍ରାୟ ମଣି ।ସଂଭ୍ରମ ଚିତ୍ତେ ନୃପମଣି ॥
ତକ୍ଷଣେ ଆସନୁ ଉଠିଲା ।ଆନନ୍ଦ ସାଗରେ ବୁଡ଼ିଲା ॥
କାନ୍ଦଇ କଣ୍ଠ ଗଦଗଦେ ।ତକ୍ଷଣେ ମିଳିଲେ ନାରଦେ ॥
ସଂଭ୍ରମେ ରାଜା ମୁଖ ଚାହିଁ ।ଧ୍ରୁବ ଆସନ୍ତା କଥା କହି ॥
ଶୁଣି ସନ୍ତୋଷେ ନୃପବର ।ମୁନିଙ୍କ କଣ୍ଠେ ଦେଲା ହାର ॥
ସୁବର୍ଣ୍ଣ ପରିଚ୍ଛଦ ରଥେ ।ବେଗେ ମିଳିଲା ରାଜପଥେ ॥
ସଙ୍ଗେ ବ୍ରାହ୍ମଣ କୁଳବୃଦ୍ଧେ ।ଜ୍ଞାତିଏ ସୁହୃଦ ବାନ୍ଧବେ ॥
ଅମାତ୍ୟ ମନ୍ତ୍ରୀଗଣ ଯେତେ ।ଧାଇଁଲେ ବାଦ୍ୟନାଦ ଗୀତେ ॥
ସୁରୁଚି ସୁନୀତି ସହିତେ ।ନାନା ଅଳଙ୍କାର ସମେତେ ॥
ସୁବର୍ଣ୍ଣ ବିମାନେ ଆରୋହି ।ଉତ୍ତମ ପୁତ୍ର ସଙ୍ଗେ ନେଇ ॥
ଧ୍ରୁବକୁ ଦେଖି ଉପବନେ ।ଆନନ୍ଦେ ସବାଷ୍ପ ଲୋଚନେ ॥
ପୁତ୍ରକୁ ଆଲିଙ୍ଗନ କଲା ।ଯେଣୁ ଅନେକ ପୁଣ୍ୟ ଥିଲା ॥
ଏ ଧ୍ରୁବ ବିଷ୍ଣୁ ଅଙ୍ଗ ସଙ୍ଗେ ।ଅଶେଷ ତୀର୍ଥ ଯାର ଅଙ୍ଗେ ॥
ଆଘ୍ରାଣ କରି ଶିରଦେଶେ ।ହୃଦେ ଲଗାଇ ଅତି ତୋଷେ ॥
ମୁଣ୍ଡେ ସିଞ୍ଚିଲା ଅଶ୍ରୁ ବାରି ।ହୃଦୟେ ପୁନଃ ପୁନଃ କରି ॥
ପିତା ଚରଣେ ଧ୍ରୁବ ନମି ।ବାଳକ ଭାବେ ପଥଶ୍ରମୀ ॥
ସୁରୁଚି ସୁନୀତିର ପାଦେ ।ଧ୍ରୁବ ପ୍ରଣମଇ ଆନନ୍ଦେ ॥
ସୁରୁଚି ଧ୍ରୁବ ଧରି କରେ ।ଚୁମ୍ବନ ଦେଲା ସୁଖ ଭୋଳେ ॥
ସୁନୀତି ପୁତ୍ର କୋଳେ ଧରି ।ହୃଦରୁ ବହେ କ୍ଷୀରବାରି ॥
ଜନେ କହନ୍ତି ହା ହା ବାଣୀ ।ଧ୍ରୁବକୁ ଘେନି ନୃପମଣି ॥
ମିଳିଲା ନିଜପୁରେ ଆସି ।ଜନେ ସୁମନେ ପରଶଂସି ॥
ଧ୍ରୁବ ପ୍ରବେଶ ପୁରଜନେ ।ସାନନ୍ଦେ ଯେ ଯାହା ଭୁବନେ ॥
ଉତ୍ସବେ ଅନେକ ପ୍ରକାରେ ।ପ୍ରଦୀପ ପୂର୍ଣ୍ଣକୁମ୍ଭ ଦ୍ୱାରେ ॥
ପାଚେରୀ ଅଟ୍ଟାଳୀ ସମେତେ ।ଚିତ୍ର ପ୍ରତିମା ରତ୍ନ କାନ୍ଥେ ॥
ତୋରଣ ଲମ୍ବେ ସର୍ବଦ୍ୱାରେ ।ଚନ୍ଦନ ଛେରା ନିରନ୍ତରେ ॥
ସ୍ୱଭାବେ ପ୍ରିୟବ୍ରତ ପୁର ।କି ଅବା ଦେବା ପଟାନ୍ତର ॥
ସକଳ ପୁରଙ୍ଗନା ସଙ୍ଗେ ।ଧ୍ରୁବକୁ ଦେଖି ପୁରମାର୍ଗେ ॥
ଦୂର୍ବା ଅକ୍ଷତ ପୁଷ୍ପ ଆଣି ।ଗନ୍ଧ ଚନ୍ଦନ ବାସପାଣି ॥
ଅକ୍ଷତ ଦେଇ ଧ୍ରୁବ ମୁଣ୍ଡେ ।ଜୟ ଶବଦ କଲେ ତୁଣ୍ଡେ ॥
ଏମନ୍ତ ମଙ୍ଗଳ ଉତ୍ସବେ ।ସକଳ ଜନ ପ୍ରିୟଭାବେ ॥
ଧ୍ରୁବ ପ୍ରବେଶ ନିଜପୁର ।କି ଅବା ଦେବା ପଟାନ୍ତର ॥
ପୁରେ ପ୍ରବେଶ ରାଜସୁତ ।ଦେଖି ସକଳେ କୃତକୃତ୍ୟ ॥
ଶଙ୍ଖ ଦୁନ୍ଦୁଭି ବାଦ୍ୟ ସ୍ଫୁରେ ।ମଙ୍ଗଳ ନାଦେ ଗୀତ ପୁରେ ॥
ଯେ ଧ୍ରୁବ ହରି ଅଙ୍ଗ ସଙ୍ଗେ ।ଅଶେଷ ଲକ୍ଷ୍ମୀ ଯାର ଅଙ୍ଗେ ॥
ସେ ଧ୍ରୁବ ଚରଣ କମଳେ ।ସୁଜନେ ଚିନ୍ତ ଧ୍ୟାନବଳେ ॥
ଯାର ସ୍ମରଣେ ପାପ ନାଶେ ।ନିର୍ମଳ ଜ୍ଞାନ ଯେ ପ୍ରକାଶେ ॥
ଚତୁର୍ଥସ୍କନ୍ଧେ ଭାଗବତ ।କହିଲା ଦାସ ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ନିଜ ଗୃହ ପ୍ରବେଶେ ନାମଏକାଦଶୋଽଧ୍ୟାୟଃ ।
ଦ୍ୱାଦଶ ଅଧ୍ୟାୟ
ମୈତ୍ରେୟ ଉବାଚଶୁଣ ବିଦୁର କୃଷ୍ଣକଥା ।ଯେଣେ ଖଣ୍ଡିବ ଭବବ୍ୟଥା ॥
ଉତ୍ତାନପାଦ ଧ୍ରୁବ ଦେଖି ।ସଫଳ କଲା ବେନି ଆଖି ॥
ନିଜ ଶରୀର ବୃଦ୍ଧ ଚାହିଁ ।ବାନ୍ଧବେ ସୁହୃଦ ବସାଇ ॥
ସ୍ୱଭାବେ ଅଟେ ମହାତେଜା ।ରାଜ୍ୟେ ପୁ୍ତ୍ରକୁ କଲେ ରାଜା ॥
ସ୍ୱଭାବେ ବିଷ୍ଣୁ ତେଜ ବଳେ ।ଭାବେ ନମନ୍ତି ଦିଗପାଳେ ॥
ଏ ଭୂମିସ୍ଥଳେ ଯେତେ ରାଜା ।ଧ୍ରୁବ ଚରଣେ କଲେ ପୂଜା ॥
ସେ ଶିଶୁମାର ପ୍ରଜାପତି ।ତାର ଦୁହିତା ହେମବତୀ ॥
ରୂପେ କମଳା ସମ ସରି ।ବିବାହେ କନ୍ୟା ଧ୍ରୁବ ଚରି ॥
ଅଶେଷ ଅଳଙ୍କାର ଶୋଭା ।ସେ କନ୍ୟା ଧ୍ରୁବେ ଦେଲା ବିଭା ॥
ସେ କନ୍ୟା ଗର୍ଭେ ପୁତ୍ର ଦେଇ ।କଳ୍ପ ବତ୍ସର ବେନି ଭାଇ ॥
ତୃତୀୟେ କନ୍ୟା ହିତା ନାମ ।ରୂପେ ଗଞ୍ଜଇ ସୂର୍ଯ୍ୟ ସୋମ ॥
ସ୍ୱଭାବେ ସମୀରଣ ସୁତା ।ସୁଗୁଣା ସୁନ୍ଦରୀ ସୁନୀତା ॥
ତାର ଉଦରେ ଧ୍ରୁବ ବୀର୍ଯ୍ୟେ ।ପୁତ୍ରେ ଜନ୍ମିଲା ମହାତେଜେ ॥
ଉତ୍କଳ ନାମେ ସେ କୁମର ।ସ୍ୱଭାବେ ମହା ଯୋଗେଶ୍ୱର ॥
ଧ୍ରୁବର କନିଷ୍ଠ ଉତ୍ତମ ।ରୂପେ ଭୁବନେ ନାହିଁ ସମ ॥
ସ୍ୱଭାବେ ବୟସେ କିଶୋର ।ବିଭା ନ କଲେ ନୃପବର ॥
ସେ ଏକଦିନେ ଅଶ୍ୱେ ବସି ।ମୃଗୟା କରେ ବନେ ପଶି ॥
ମିଳିଲା କୁବେର ଭୁବନେ ।ତାହାକୁ ଦେଖି ଗୃହ୍ୟଜନେ ॥
ବଳେ ରୁନ୍ଧିଳେ ଯୁଦ୍ଧ କରି ।ଅଶ୍ୱ ଘେନିଲେ ତାକୁ ମାରି ॥
ତା ଶୁଣି ତାହାର ଜନନୀ ।ବିକଳେ ପୁତ୍ର କଷ୍ଟ ଘେନି ॥
ବନ ଅନଳେ ଦେହ ଦେଲା ।ପୁତ୍ର ବିୟୋଗେ ଦୁଃଖେ ମଲା ॥
ସେ କଥା ଶୁଣି ଧ୍ରୁବ ଶୋକେ ।କମ୍ପିଲା ମାତୃ ଭ୍ରାତୃ ଦୁଃଖେ ॥
ଜୟନ୍ତ ନାମେ ରଥେ ବସି ।ସ୍ୱଭାବେ ଶୋହେ ରୂପରାଶି ॥
ଶୋକ ଅନଳେ କୋପଭରେ ।କଠୋର ଧନୁ ଧରି କରେ ॥
କୁବେର କାନନେ ମିଳିଲା ।ଉଦ୍ଦଣ୍ଡେ ଶଙ୍ଖ ନାଦ କଲା ॥
ଯେ ବନେ ରୁଦ୍ର ଅନୁଚରେ ।ବସନ୍ତି ନଦୀ ବନଘୋରେ ॥
ହେମ ପର୍ବତ ଦ୍ରୋଣ ମଧ୍ୟେ ।ଗୁହ୍ୟକ ଦିଶନ୍ତି ଆନନ୍ଦେ ॥
ସେବନେ ବଳେ ପଶି ଧ୍ରୁବ ।ଉଦ୍ଦଣ୍ଡେ କଲା ଶଙ୍ଖରବ ॥
ଶବଦେ ପୁରିଲା ଆକାଶେ ।ଗୁହ୍ୟକ ଗଣ ମହାରୋଷେ ॥
ଧାଇଁଲେ ନାନା ଶସ୍ତ୍ର ଧରି ।ଚଳନ୍ତେ କମ୍ପେ ବସୁନ୍ଧରୀ ॥
ଗୁହ୍ୟକଗଣେ ଧ୍ରୁବେ ଚାହିଁ ।ନିଜ କୋଦଣ୍ଡେ ଗୁଣ ଦେଇ ॥
ଆକର୍ଣ୍ଣ ପର୍ଯ୍ୟନ୍ତେ ଟାଣିଣ ।ବିନ୍ଧିଲେ ତିନି ତିନି ବାଣ ॥
ଧ୍ରୁବର ତୀକ୍ଷ୍ଣ ବାଣ ଚଳେ ।ପଡିଲା ଗୁହ୍ୟକ କପାଳେ ॥
ଗୁହ୍ୟକଗଣ ଦେଖି ତ୍ରାସେ ।ରଣେ ଭାଜିଳେ ବନଦେଶେ ॥
ଅଦ୍ଭୁତ କର୍ମ ଦେଖି ତାର ।ବିଷ୍ଣୁର ତେଜେ ବଳୀୟାର ॥
କହନ୍ତି ଧନ୍ୟ ଧନ୍ୟ ବାଣୀ ।ଅନନ୍ଦେ ଦେବଲୋକେ ଶୁଣି ॥
ସେ ବାଣୀ ଶୁଣି ଗୁହ୍ୟକଗଣେ ।ପୁଣି ମିଳିଲେ ଘୋରରଣେ ॥
ପାଦ ମାରନ୍ତେ ଅହି ଯେହ୍ନେ ।ଧ୍ରୁବକୁ ଦେଖି କୋପମନେ ॥
ଧ୍ରୁବର ରଥ ଆଗେ ରୁନ୍ଧି ।ଦ୍ୱିଗୁଣ ତୀକ୍ଷ୍ଣ ବାଣ ବିନ୍ଧି ॥
ପରିଘ ଆୟୁଧ ଆୟୁଧେ ।ପଶେ ତୋମରେ ଶରଯୁଦ୍ଧେ ॥
ଶକ୍ତି ରୁଷ୍ଟି ଭୂଷଣ୍ଡ ବାଣ ।ବେଗେ ବିନ୍ଧିଲେ ଗୁରୁଟାଣ ॥
କୋପେ ବିନ୍ଧିଲେ ଅତି ରୁଷ୍ଟେ ।ରଥୀ ସାରଥି ଅଶ୍ୱ ପୃଷ୍ଠେ ॥
ଅୟତ୍ତ ତ୍ରୟୋଦଶ ମିଳି ।ଶବଦେ ବ୍ରହ୍ମାଣ୍ଡ ଉଛୁଳି ॥
ବେଢ଼ିଲେ ଅତି ଅଣାୟତ୍ତ ।ଛନ୍ନେ ନ ଦିଶେ ଧ୍ରୁବ ରଥ ॥
ଗଗନେ ମିଳି ଦେବଲୋକେ ।କହନ୍ତି ଏକକୁ ଆରକେ ॥
ଶୁଭଇ ହାହାକାର ବାଣୀ ।ଦେବେ କହନ୍ତି ତାହା ଶୁଣି ॥
ଦେଖ ଏ ମନୁବଂଶ ସୁତ ।ପ୍ରଚଣ୍ଡେ ଯେସନେ ଆଦିତ୍ୟ ॥
ଗୁହ୍ୟକ ସମୁଦ୍ରେ ବୁଡ଼ିଲା ।ଧ୍ରୁବ ନିଶ୍ଚୟେ ନାଶଗଲା ॥
ଗର୍ଜନ୍ତି ଯାତୁଧାନଗଣେ ।ଧ୍ରୁବ ଯେ ଶୁଣି ତା ଶ୍ରବଣେ ॥
ସାରଥି ଚାହିଁ ପୁଣ୍ୟ ଦେହା ।ବୋଇଲା ଉର୍ଦ୍ଧ୍ୱେ ରଥ ବାହା ॥
ଶୁଣି ସାରଥି ଅତି ବେଗେ ।ରଥ ବାହିଲା ଶୂନ୍ୟମାର୍ଗେ ॥
ଅନ୍ଧାର ନାଶି ସୂର୍ଯ୍ୟ ଯେହ୍ନେ ।ତେମନ୍ତେ ଦିଶଇ ଗଗନେ ॥
ଗଗନେ ରହି ମନୁସୁତ ।ବାଣ ବରଷେ ଅପ୍ରମିତେ ॥
ଗୁହ୍ୟକ ବାଣବୃଷ୍ଟି ନାଶେ ।ନିହାର ଯେହ୍ନେ ଚଣ୍ଡତ୍ରାସେ ॥
ପବନ ଯୋଗେ ମେଘ ଯେହ୍ନେ ।ନିର୍ଜନେ ଉଡ଼ନ୍ତି ଗଗନେ ॥
ଗୁହ୍ୟକଗଣ ନାଶ କରି ।ପୁଣି ବିନ୍ଧିଲେ ରୋଷଭରି ॥
ଧ୍ରୁବ ନାରାଚ ତୀକ୍ଷ୍ଣ ମୁନେ ।ପଡ଼ିଲେ ଗୁହ୍ୟକର ସୈନ୍ୟେ ॥
ଗୁହ୍ୟକ ଦେହେ ବାଣ ପଡି ।ଶୁଭେ କି ମେଘ ଘଡିଘଡି ॥
ସର୍ବେ ପଡିଲେ ଭୂମିଗତେ ।ପର୍ବତ ଯେହ୍ନେ ବଜ୍ରାଘାତେ ॥
ଶିରେ ଭେଦିଲା ଭଲ୍ଲ ଶସ୍ତ୍ର ।ବାଣ ବିନ୍ଧନ୍ତି ନିଜ ଗାତ୍ର ॥
ମୁଣ୍ଡେ ପଡିଲେ ଭୂମିସ୍ଥଳ ।ବିରାଜେ କିରୀଟ କୁଣ୍ଡଳ ॥
ହୃଦେ ବିରାଜେ ହେମହାର ।ବିରାଜେ ମୁଷ୍ଟିକ କେୟୂର ॥
ଶସ୍ତ୍ର ସମୂହେ ଶଯ୍ୟାକରି ।ବେଗେ ଶୋଇଲେ ପ୍ରାଣହାରି ॥
ଯେବା ବଞ୍ଚିଣ ଗଲେ ରଣେ ।ଭୟେ ଲୁଚିଲେ ଘୋରବନେ ॥
ସିଂହର ତ୍ରାସେ ଯେହ୍ନେ ମୃଗେ ।ଭୟେ ପଳାନ୍ତି ଦଶଦିଗେ ॥
ଧ୍ରୁବ ଯେ ଦଶଦିଗ ଚାହିଁ ।ଦେଖଇ ରଣେ କେହି ନାହିଁ ॥
କହେ ସାରଥି ମୁଖ ଚାହିଁ ।ଏ ପୁରେ ପଶ ରଥ ବାହି ॥
ଦହନ କରିବି ଅନଳେ ।ଯେବା ଅଛନ୍ତି ଗୁହ୍ୟବଳେ ॥
ସର୍ବ ମାରିବି ଭ୍ରାତୃଛଳେ ।ତୁ ଏବେ ରଥ ବାହା ବଳେ ॥
ଏମନ୍ତ ଧ୍ରୁବ ବାକ୍ୟ ଶୁଣି ।ସାରଥି କହେ ମନେ ଗୁଣି ॥
ଗୃହ୍ୟକ ମାୟାର ପ୍ରମାଣେ ।ଏମନ୍ତ ଘୋରନାଦ ଶୁଣେ ॥
ପ୍ରଳୟ କାଳେ ସିନ୍ଧୁ ଯେହ୍ନେ ।ଲହରୀ ଉଛୁଳେ ଗଗନେ ॥
ପୁଣି ଦେଖଇ ଚାରିଦିଗେ ।ଧୂଳି ଉଡଇ ଶୂନ୍ୟମାର୍ଗେ ॥
ତକ୍ଷଣେ ଘୋରନାଦ କରି ।ମେଘ ସମୂହେ ଶୂନ୍ୟେ ପୁରି ॥
ବିଜୁଳି ପ୍ରାୟ ବର୍ଣ୍ଣ ଦିଶେ ।ବଜ୍ର ଶବଦ ସଙ୍ଗେ ମିଶେ ॥
ଉଲୁକା ପଡେ କୋଟି କୋଟି ।ରୁଧିର ସଙ୍ଗେ ଶିଳା ବୃଷ୍ଟି ॥
ମୁତ୍ର ପୁରୀଷ ରେତ ତୁଲେ ।ଦୁର୍ଗନ୍ଧେ ଧରଣୀ ପୁରିଲେ ॥
କବନ୍ଧ ପଡିଲେ ଆକାଶୁ ।ଦିଗେ ପୁରିଲେ ଘୋରପାଂଶୁ ॥
ନିର୍ଘାତେ ଗଗନୁ ପଡନ୍ତି ।ଗଦା ପରିଘ ପନ୍ତି ପନ୍ତି ॥
ମୂଷଳ ସଙ୍ଗେ ବଜ୍ର ପଡି ।ଘୋର ଶବଦ ଘଡଘଡି ॥
ସର୍ପେ ଧାମନ୍ତି ଫୁ ଫୁ କରି ।ଅନଳ ପ୍ରାୟ ଚକ୍ଷୁ ଧରି ॥
ଗର୍ଜେ ଧାମନ୍ତି ଶୁଣ୍ଢ ତୋଳି ।ସିଂହ ଶାର୍ଦ୍ଦୁଳ ସଙ୍ଗେ ମିଳି ॥
ତକ୍ଷଣେ ସିନ୍ଧୁ ଉଛୁଳିଲା ।ଲହରୀ ଗଗନେ ମିଳିଲା ॥
ଭୂମି ପଡ଼ିଲା ମହାଜଳେ ।ପ୍ରଚଣ୍ଡ ପବନେ ଉଲ୍ଲୋଳେ ॥
କଳ୍ପାନ୍ତେ ଘୋର ନାଦ ଯେହ୍ନେ ।ଶବଦ ପୂରିଲା ଗଗନେ ॥
ଏମନ୍ତେ ନାନା ମାୟା କରି ।ଗୁହ୍ୟକ ସଂଗ୍ରାମ ଆବୋରି ॥
ମିଳିଲେ ନାନା ଶସ୍ତ୍ର ଘେନି ।ଶବଦେ କମ୍ପିଲା ମେଦିନୀ ॥
ଧ୍ରୁବ ଉପରେ ମାୟା କରି ।ଗୁହ୍ୟକ ସର୍ଜିଲେ ଆବୋରି ॥
ଗୁହ୍ୟକ ମାୟା ଦେଖି ବେଗେ ।ମୁନି ମିଳିଲେ ଧ୍ରୁବ ଆଗେ ॥
କଲ୍ୟାଣ ହସ୍ତେ ଅଗ୍ରତେ ହିଁ ।କହନ୍ତି ଧ୍ରୁବ ମୁଖ ଚାହିଁ ॥
ମୁନୟଉଚୁଃଶୁଣ ହେ ଉତ୍ତାନ କୁମର ।ତୋତେ ପ୍ରସନ୍ନ ଚକ୍ରଧର ॥
ଯେ ହରି ଭବଭୟ ନାଶେ ।ଆମ୍ଭେ ତ ଦେଖିଲୁ ତୋ ପାଶେ ॥
ଯେ ନାମ ଗାଇ ଅନ୍ତଃକାଳେ ।ମୃତ୍ୟୁ ତରନ୍ତି ପ୍ରାଣୀ ହେଳେ ॥
ସେ ହରି ପାଦ ତୁ ସୁମର ।ଗୁହ୍ୟକ ମାୟାକୁ ସଂହର ॥
ଏମନ୍ତ ମୁନି ବାକ୍ୟବଳେ ।ରଥ ତୋଳିଣ ଅନ୍ତରାଳେ ॥
ସୁଜନେ ଶୁଣ ହରିକଥା ।ହରି ନ ସହେ ଭୃତ୍ୟ ବ୍ୟଥା ॥
ସେ ହରି ନାମ ହୃଦେ ଚିନ୍ତ ।କହଇ ଦାସ ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଗୁହ୍ୟକ ମାୟାଯୁଦ୍ଧ କରଣେନାମ ଦ୍ୱାଦଶୋଽଧ୍ୟାୟଃ ।
ତ୍ରୟୋଦଶ ଅଧ୍ୟାୟ
ମୈତ୍ରେୟ ଉବାଚଏମନ୍ତେ ମୁନି ବାକ୍ୟ ଶୁଣି ।ଧ୍ରୁବ ଆନନ୍ଦ ମନେ ଗୁଣି ॥
ସୁମନେ ଆଚମନ କରି ।ଅସ୍ତ୍ର ନାରାୟଣ ସୁମରି ॥
ସନ୍ଧାନ ଧନୁହୁଳେ କଲା ।ତା ଦେଖି ମାୟା ଭସ୍ମ ଗଲା ॥
ଗୁହ୍ୟକ ହୋଇଲେ ଅଦୃଶ୍ୟ ।ଦିଶିଲା ଧରଣୀ ଆକାଶ ॥
ଦିନ ଉଦୟେ କ୍ଲେଶ ଯେହ୍ନେ ।ଦେବେ ଦେଖନ୍ତି ରହି ଶୂନ୍ୟେ ॥
ଧ୍ରୁବ ଓଟାରି ଧନୁର୍ଗୁଣ ।ଯୋଚି ସୁବର୍ଣ୍ଣପୁଙ୍ଖ ବାଣ ॥
ବାଣର ପକ୍ଷ କଳହଂସ ।ଦେଖି କମ୍ପିଲେ ଦଶଦିଶ ॥
ଏମନ୍ତେ ତୀକ୍ଷ୍ଣ ବାଣ ଭେଦି ।ଗୁହ୍ୟକ ମାୟାମାନ ଛେଦି ॥
ବିବସ୍ତ୍ର ହୋଇ ଅନାୟତ୍ତେ ।ଧାଇଁଲେ ଶସ୍ତ୍ର ଘେନି ହସ୍ତେ ॥
ଯେସନେ ସର୍ପେ ଫଣାଧରି ।ଗରୁଡ଼େ ଥାନ୍ତି କୋପଭରି ॥
ତାହାଙ୍କୁ ଦେଖି ରଣକ୍ଷେତ୍ରେ ।ନାରାଚ ଗୁଣ ଧରି ହସ୍ତେ ॥
ବିନ୍ଧନ୍ତି ଗୁହ୍ୟକ ଶରୀରେ ।ଭେଦିଲା ବାହୁ ଉର ଶିରେ ॥
ତକ୍ଷଣେ ଗଲେ ଛିନ୍ନ ଭିନ୍ନେ ।ସଂଗ୍ରାମେ ଶମନ ଭୁବନେ ॥
ଗୁହ୍ୟକ ବଳ ନାଶ ଦେଖି ।ମନୁ ଯେ ଭୁବନ ଉପେକ୍ଷି ॥
ଉତ୍ତମ ଚିତ୍ରରଥେ ବସି ।ମିଳିଲେ ରଣମଧ୍ୟେ ଆସି ॥
ସଙ୍ଗେ ଅଛନ୍ତି ମୁନିଜନେ ।ଧ୍ରୁବକୁ ଦେଖି ତୋଷମନେ ॥
ଗୁହ୍ୟକଗଣେ ଦୟା ବହି ।କହନ୍ତି ଧ୍ରୁବ ମୁଖ ଚାହିଁ ॥
ମନୁ ଉବାଚଭୋ ବତ୍ସ ଛାଡ଼ ମନୁ ରୋଷ ।ଶୁଣ ତୁ ମୋର ଉପଦେଶ ॥
ଏ ରୋଷ ଘୋର ତପହର ।ଏ ନୋହେ ଉତ୍ତମ ବେଭାର ॥
ଯେ ରୋଷ ବଶେ ଜ୍ଞାନ ହାରି ।ନିର୍ଦ୍ଧୋଷ ଜନ ଯୁଦ୍ଧେ ମାରି ॥
ଏ ଆମ୍ଭ କୁଳଧର୍ମ ନୋହେ ।ସାଧୁଙ୍କ ମଧ୍ୟେ ଦୋଷ ବହେ ॥
ଏକଇ ପ୍ରାଣୀ ଅପରାଧେ ।ଏହାଙ୍କୁ ମାର କିମ୍ପା ଯୁଦ୍ଧେ ॥
ତୁ ଭ୍ରାତୁ ବଧେ ଛଳ ବହି ।ସାଧୁଙ୍କ ମାର୍ଗ ଏ ନୁହଇ ॥
ବିଷ୍ଣୁର ଭାବ ଯାର ଦେହେ ।ପ୍ରାଣୀଙ୍କି ଦୟା ହୃଦେ ବହେ ॥
ସମତ୍ୱ ସର୍ବଭୂତେ ଦେଖେ ।ତାହାକୁ ନାରାୟଣ ରଖେ ॥
ହରି ପ୍ରସନ୍ନେ ପ୍ରାଣୀ ଦେହେ ।ପୁରୁଷ ପ୍ରକୃତି ନ ବହେ ॥
ନ ଲାଗେ ତ୍ରିଗୁଣ ବନ୍ଧନ ।ଅନ୍ତେ ଲଭଇ ନିରଞ୍ଜନ ॥
ତୁ ହରିଭକ୍ତ ଶିରୋମଣି ।ସର୍ବ ସମ୍ମତେ ତୋତେ ଗଣି ॥
ସାଧୁଜନଙ୍କ ବ୍ରତ କରି ।କେ ପାରେ ଅଧର୍ମ ଆଚରି ॥
ଯେ ପ୍ରାଣୀ ଆତ୍ମଭାବେ ସୁଖେ ।ହରିଙ୍କି ସର୍ବଭୂତେ ଦେଖେ ॥
ବିଷ୍ଣୁର ଭକ୍ତି ହୃଦେ ଭରି ।ଦୟା ତିତିକ୍ଷା ଜୀବେ କରି ॥
ଏମନ୍ତ ଭାବେ ଯାର ମନ ।ତାହାକୁ ରଖେ ଭଗବାନ ॥
ହରି ପ୍ରସନ୍ନେ ପ୍ରାଣୀଙ୍କର ।ପ୍ରବୃତ୍ତି ବନ୍ଧ ହୁଏ ଦୂର ॥
ଜୀବ ବନ୍ଧନୁ ମୋକ୍ଷ ହୋଇ ।ନିର୍ବାଣ ପଦେ ପଶେ ଯାଇ ॥
ଏ ପଞ୍ଚଭୂତ ଦେହ ବହି ।ସ୍ତିରୀ ପୁରୁଷ ରୂପ ହୋଇ ॥
ଏ ବେନିସଙ୍ଗ ଏକବେଳେ ।ରଜ ସଙ୍ଗେ ବୀର୍ଯ୍ୟ ନିଶ୍ଚଳେ ॥
ଏମନ୍ତେ ସୃଷ୍ଟି ସ୍ଥିତି ନାଶେ ।ତ୍ରିଗୁଣ ମାୟାରେ ପ୍ରକାଶେ ॥
ତହିଁ ନିମିତ୍ତ ମାତ୍ର ରହେ ।ଜୀବ ପରମ ରୂପ ବହେ ॥
ତାହାର ଦେହ ଏ ଜଗତେ ।ଦିଶଇ ଲୋକ ଭ୍ରମଗତେ ॥
ଏଣେ ସେ ହରି କାଳରୂପୀ ।ନିଜ ମାୟାରେ ବିଶ୍ୱବ୍ୟାପି ॥
ପ୍ରବାହେ ଯେହ୍ନେ ବୃକ୍ଷରାଶି ।ଜଳ ପବନେ ଯାନ୍ତି ଭାସି ॥
ଏମନ୍ତ କାଳଶ୍ରେଷ୍ଠ ବଳେ ।ପ୍ରାଣୀ ଭାସନ୍ତି ଅବହେଳେ ॥
ବିପକ୍ଷ ସପକ୍ଷ ଏ ଦୁଇ ।ଯାର ସ୍ୱଭାବ ନ ଘଟଇ ॥
ରାଜାଏ ଯାହାର ଆୟତ୍ତେ ।ସମେ ବସନ୍ତି ଏ ଜଗତେ ॥
ଧୂଳି ଯେସନେ ବାୟୁ ବଳେ ।ଉଡି ଭ୍ରମନ୍ତି ଅନ୍ତରାଳେ ॥
ଜନ୍ମ ଆୟୁଧ ହାନି ଲାଭ ।ଏ ଦୁଇ କାହାର ସ୍ୱଭାବ ॥
କେହୁ କହନ୍ତି ଏ ଜଗତ ।ସ୍ୱଭାବେ କର୍ମର ଆୟତ୍ତ ॥
ଅବିଦ୍ୟା କାଳ ସଙ୍ଗେ ଜଡ଼ି ।ଘୋର ଅନ୍ଧାରେ ପ୍ରାଣୀ ପଡ଼ି ॥
ବାୟୁ ଭ୍ରମଣେ କାଳ ବଳେ ।କଲ୍ଲୋଳ ଯେହ୍ନେ ସିନ୍ଧୁଜଳେ ॥
ଅବ୍ୟକ୍ତ ଅପ୍ରମେୟ ସୀମା ।କେ ଜାଣିପାରେ ତା ମହିମା ॥
ଏଣୁ ତୋ ଭ୍ରାତାର ମରଣ ।ଗୁହ୍ୟକେ ନୁହନ୍ତି କାରଣ ॥
ବିଧାତା ବଳେ ସେ ପ୍ରମାଣ ।ଏ କଥା ନିଶ୍ଚୟ କାରଣ ॥
ଏଣୁ ଏ କାଳ ମଧ୍ୟେ ଥାଇ ।ଦେବେ ପୂଜନ୍ତି ବଳି ଦେଇ ॥
ନାସା ଭେଦିତ ଗାବ ଯେହ୍ନେ ।ଭ୍ରମନ୍ତି ଦାମିନୀ ବନ୍ଧନେ ॥
ଜନନୀ ସପତ୍ନୀ ବଚନେ ।ମର୍ମ ଭେଦିତ ତୋର ମନେ ॥
ବନେ ପଶିଲୁ ତପ ଆଶେ ।ସ୍ୱଭାବେ ତୁ ପାଞ୍ଚ ବରଷେ ॥
ବିଷ୍ଣୁ ଆରାଧି ତପବଳେ ।ବସିଲୁ ଗଗନ ମଣ୍ଡଳେ ॥
ତ୍ରିକଳ୍ପ ମଧ୍ୟେ ପାଦଗତେ ।ବସିବୁ କଳ୍ପ ପରିଯନ୍ତେ ॥
ସମାଧି ବସି ମୋହପାଶ ।ଛେଦିଲୁ ଭବବନ୍ଧ ତ୍ରାସ ॥
ଏବେ ତୋହର ତପ ତେଜ ।ସୁମତି ଚିତ୍ତେ ପୁତ୍ର ଭଜ ॥
ସମେ ସକଳ ବ୍ୟାଧି କ୍ଷୟେ ।ଅମାୟା ଯେହ୍ନେ ପୁଣ୍ୟ ଦେହେ ॥
ଯାହାକୁ ଦେଖି ପ୍ରାଣୀ ଡରେ ।ସେ ପ୍ରାଣୀ ଜୀବ ଥାଉଁ ମରେ ॥
ଈଶ୍ୱର ମିତ୍ର ଏ କୁବେର ।ଏହାକୁ ଅବଜ୍ଞା ତୋହର ॥
ଏହାର ପୁଣ୍ୟଜନ ମାରି ।ଅନ୍ୟାୟ ପଥକୁ ଆବୋରି ॥
ଏବେ ଏହାରେ ପ୍ରୀତି କର ।ସର୍ବ କୁଶଳ ହେବ ତୋର ॥
ଏମନ୍ତେ ସ୍ୱାୟମ୍ବୂବ ମନୁ ।ପ୍ରବୋଧ କଲେ ପୁତ୍ର ତନୁ ॥
ଧ୍ରୁବକୁ ଆଲିଙ୍ଗନ କଲେ ।ମୁନିଙ୍କ ସଙ୍ଗେ ପୁରେ ଗଲେ ॥
ସେ ମୁନି ଚରଣାରବିନ୍ଦେ ।ସୁଜନେ ନମିବ ଆନନ୍ଦେ ॥
ଚତୁର୍ଥସ୍କନ୍ଧେ ଭାଗବତେ ।ହରି ମହିମା ଶୁଣ ଚିତ୍ତେ ॥
ସୁଜନ ଜନେ ଏଣେ ରସ ।କହିଲେ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ଚରିତେ ନାମ ତ୍ରୟୋଦଶୋଽଧ୍ୟାୟଃ ।