ପଞ୍ଚମ ଅଧ୍ୟାୟ — ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିତୁ ମୋର ଅଂଶେ ଆତ୍ମା ରୂପୀ ।ସହସ୍ରଭୁଜ ଶୂନ୍ୟେ ବ୍ୟାପୀ ॥
ଦକ୍ଷର ଯଜ୍ଞ ନାଶ କର ।ଏହାର ପ୍ରାଣ ବେଗେ ହର ॥
ଏମନ୍ତ ରୁଦ୍ର ଆଜ୍ଞା ପାଇ ।କୋପେ କମ୍ପିଲା ତାର ଦେହୀ ॥
ଜଳଇ ଅତି କୋପାନଳେ ।ନମିଲା ରୁଦ୍ର ପାଦତଳେ ॥
ସ୍ୱଭାବେ ରୁଦ୍ର ଆତ୍ମା ସେହି ।ତାର ମହିମା କେ ଜାଣଇ ॥
ଗର୍ଜଇ ଭୟଙ୍କର ନାଦେ ।ବେଗେ ଧାମଇଁ ବେନିପାଦେ ॥
ଶୂଳ ବୁଲାଇ ଦକ୍ଷକରେ ।ନୂପୁର ବାଜଇ ପୟରେ ॥
ଧାମଇ ପବନହୁଁ ବେଗେ ।ରୁଦ୍ର କୋପେ ଉତ୍ତର ଦିଗେ ॥
ଶବଦେ ଦଶଦିଗ ପୂରେ ।ଧୂଳି ଉଡଇ ପାଦଭରେ ॥
ବିପ୍ରେ ଯେ ଥିଲେ ଯଜ୍ଞଶାଳେ ।ଧୂଳି ଦେଖନ୍ତି ଅନ୍ତରାଳେ ॥
ଉତ୍ତର ଦିଗେ ରେଣୁ ଦେଖି ।ଉଠିଲେ ସୁଯଜ୍ଞ ଉପେକ୍ଷି ॥
ଉତ୍ତର ଦିଗକୁ ଅନାଇ ।କହନ୍ତି ଏକୁ ଆରେ ଚାହିଁ ॥
ଦେଖ ଦିବସେ ଘୋରତମ ।ଦିଗ ନ ଦିଶେ ବାତ ଭ୍ରମ ॥
ଏମନ୍ତ ଦେବ ବିପ୍ରନାରୀ ।ଦେଖନ୍ତି ହସ୍ତେହସ୍ତ ଧରି ॥
କହନ୍ତି କି ଏ ତମ ଘୋର ।ଦିଶଇ ଅତି ଭୟଙ୍କର ॥
ପ୍ରଚଣ୍ଡ ବହଇ ପବନ ।ତମେ ଆଚ୍ଛାଦିଲା ଗଗନ ॥
ଗୋରୁ ଚରଣ ଧୂଳି ନୁହେଁ ।କିଏ ତାମସ କାହୁଁ ହୁଏ ॥
ଆଜ କି ପ୍ରଳୟ ହୋଇବ ।ବାମ କି ହୋଇଲା ଦଇବ ॥
ପ୍ରସୂତି ଆଦି ବାମା ଯେତେ ।ଉଠି ଚାହାନ୍ତି ଦୁଃଖଚିତ୍ତେ ॥
ଶ୍ରୀ ଶୁକ ଉବାଚଏମନ୍ତ ଶୁଣ ନରନାଥ ।ଅଦ୍ଭୁତ ରୁଦ୍ରର ଚରିତ ॥
ପ୍ରଚଣ୍ଡ ମଣ୍ଡଳ ଆକାରେ ।ତୀକ୍ଷଣ ଶୂଳ ଧରି କରେ ॥
ରୁଦ୍ର ଧାଇଁଲେ ଅତିବେଗେ ।ଦେଖି ପଳାନ୍ତି ଦିଗଭାଗେ ॥
ସହସ୍ର ହସ୍ତ ଉର୍ଦ୍ଧ୍ୱେ କରି ।ନଟଙ୍କ ପ୍ରାୟେ ବେଶ ଧରି ॥
ଚଣ୍ଡାଟ୍ଟହାସ୍ୟ ଶୋହେ ତୁଣ୍ଡେ ।ଯେହ୍ନେ ବିଜୁଳି ମେଘଖଣ୍ଡେ ॥
ଅସଂଖ୍ୟ ତେଜ ଯୋଗବଳ ।ଦିଶଇ ଭ୍ରୂକୁଟି କୁଟିଳ ॥
କରାଳଦଂଷ୍ଟ୍ର ଶୋହେ ତୁଣ୍ଡେ ।ଯେହ୍ନେ ବିଜୁଳି ମେଘଖଣ୍ଡେ ॥
ଦକ୍ଷକୁ ଚାହିଁ ସଭାଜନେ ।କହନ୍ତି ଅତି ଦୁଃଖ ମନେ ॥
ଦେଖ ଏହାର କର୍ମଫଳ ।ଆଜତ ନାଶିଲୁ ସକଳ ॥
ଉତ୍ପାତ ଭୟେ ଦୁଃଖମନେ ।ଭୟେ ଲୁଚିଲେ ସର୍ବଜନେ ॥
କେ କହୁ ଜନଙ୍କ ବିକଳ ।ତକ୍ଷଣେ ମିଳି ରୁଦ୍ରବଳ ॥
ନାନା ଆୟୁଧ ଘେନିକରେ ।ବେଢ଼ିଲେ ବେଗେ ଯଜ୍ଞଘରେ ॥
ପୀତ ପିଙ୍ଗଳ ଦିଶେ ବର୍ଣ୍ଣ ।ସକଳ କୁମାର ଆନନ ॥
ଶବଦେ ଗଗନ ଉଛୁଳେ ।ବେଗେ ମିଳିଲେ ଯଜ୍ଞଘରେ ॥
କେହି ଭାଙ୍ଗିଲେ ଗୃହବାସ ।ପତ୍ନୀ ଭୁବନ ଅବଶେଷ ॥
କେ ପାକଶାଳେ ପ୍ରବେଶନ୍ତି ।କେ ଯଜ୍ଞ ପାତ୍ରକୁ ଲୁଟନ୍ତି ॥
କେ ଯଜ୍ଞକୁଣ୍ଡରେ ମିଳନ୍ତି ।ମୂତ୍ରପୁରୀଷ ଉତ୍ସର୍ଗନ୍ତି ॥
କେ ବହୁ ଘୋରନାଦ କଲେ ।ଯଜ୍ଞ ମେଖଳା ବେଦୀ ତୁଲେ ॥
ଭାଙ୍ଗିଲେ ଅତି କୋପଭରେ ।ଶୂଳ ବୁଲାଇ ଦକ୍ଷକରେ ॥
କେ ଧାଏଁ ମୁନିଙ୍କ ଉପରେ ।ତର୍ଜନ କରି କୋପଭରେ ॥
ନାରୀଗଣଙ୍କ ମଧ୍ୟେ ମିଶି ।ରାହୁ ସଙ୍ଗତେ ଯେହ୍ନେ ଶଶୀ ॥
ଦେବେ ପଳାନ୍ତି ତାହା ଦେଖି ।ଯଜ୍ଞର ବିଭାଗ ଉପେକ୍ଷି ॥
ତାହାଙ୍କୁ ରୁଦ୍ରଗଣେ ଧରି ।ଭୃଗୁ ସମେତେ ବନ୍ଦୀ କରି ॥
ଭୃଗୁକୁ ମଣିମାନ ବାନ୍ଧେ ।ତା ଦେଖି ପ୍ରଜାପତି କାନ୍ଦେ ॥
ଦକ୍ଷକୁ ବୀରଭଦ୍ର ଧରି ।ଅସୁର ପ୍ରାୟେ ବନ୍ଦୀକରି ॥
ରଣେ ରିପୁଗଣଙ୍କୁ ଧରେ ।ଓଷ୍ଠ କାମୁଡ଼ି କୋପଭରେ ॥
ଭୃଗୁକୁ ଧରି ନନ୍ଦୀଶ୍ୱର ।ହୁଙ୍କାର ନାଦ ମହାଘୋର ॥
ସେ ଯଜ୍ଞେ ଯେତେ ଜନ ଥିଲେ ।ଋତ୍ୱିଜ ଋଷି ବିପ୍ରତୁଲେ ॥
ରୁଦ୍ର ଦେବତା ତେଜ ଦେଖି ।ଭାଜିଲେ ଯଜ୍ଞକୁ ଉପେକ୍ଷି ॥
ଭୃଗୁ ଯେ ଯଜ୍ଞ ହୋମକରି ।ଘୃତ କ୍ଷେପନ୍ତି ଶ୍ରୁବ ଧରି ॥
ତାହାଙ୍କ କେଶ ବାମ ହସ୍ତେ ।ରୋଷେ ଧରିଲେ ବିଶ୍ୱନାଥେ ॥
ତାହାଙ୍କ ଦାଢି ଦକ୍ଷକରେ ।ରୁଦ୍ର ଉପାଡେ କୋପଭରେ ॥
ସଭାରେ ପଦ୍ମଯୋନି ବଳା ।ଯେ ଦାଢି ଦେଖାଇ କହିଲା ॥
ଉପାଡି ଭୃଗୁ ଲମ୍ବଦାଢି ।ଦକ୍ଷିଣେ ଭୂମିତଳେ ପାଡି ॥
ଚକ୍ଷୁ ଉପାଡି ନଖଅଗ୍ରେ ।ପୂର୍ବର ଶାପେ ବଇରାଗେ ॥
ମଣି ଯେ ଶାପ ଦେଲା କାଳେ ।ଅପମାନିତ କୋପାନଳେ ॥
ଦନ୍ତ ଦେଖାଇ କରି ହସେ ।ସେ କଥା ସ୍ମରି ମହାରୋଷେ ॥
ମୁଷ୍ଟି ପ୍ରହାରି ବାମକରେ ।ଦନ୍ତ ଝାଡିଲେ କୋପଭରେ ॥
ଦକ୍ଷର ହୃଦେ କର ଭିଡି ।ରୁଦ୍ର ଯେ ଅଧର କାମୋଡି ॥
ଭୂମିରେ ପାତିଲେ ଉତ୍ତାନେ ।କେ ତାହା କହିବ ବଚନେ ॥
ଅଜୟ ଏହାର ଶରୀର ।ଦେଖି ବିସ୍ମିତ ଶୂଳଧର ॥
ଅକ୍ଷୟ ଭାଳି ତାର ଗତି ।ବିସ୍ମୟେ ଭାଳି ପଶୁପତି ॥
ତୀକ୍ଷ୍ଣ ଖଡଗେ ଛେଦି ଶିର ।ଈଶ୍ୱର ହୋଇଲା ବାହାର ॥
ଶିର ପଡିଲା ଅଗ୍ନିକୁଣ୍ଡେ ।କୂଳେ ରହିଲା ମୃତପିଣ୍ଡେ ॥
ପିଶାଚଗଣ ଘେନି ସଙ୍ଗେ ।ରୁଦ୍ର ନାଚନ୍ତି ରଣରଙ୍ଗେ ॥
ଦକ୍ଷ ସମ୍ପଦ ନାଶକରି ।ଦକ୍ଷିଣ କରେ ଶୂଳଧରି ॥
ଶଙ୍କର ହୋଇଲେ ବାହାର ।ଦେଖି କମ୍ପିଲେ ସୁର ନର ॥
ରୁଦ୍ରଙ୍କ ଚରଣ ପଙ୍କଜେ ।ବ୍ରାହ୍ମଣ ଜଗନ୍ନାଥ ଭଜେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଦକ୍ଷଯଜ୍ଞ ଭଗ୍ନେନାମ ପଞ୍ଚମୋଽଧ୍ୟାୟଃ װ
ଷଷ୍ଠ ଅଧ୍ୟାୟ
ମୈତ୍ରେୟ ଉବାଚରୁଦ୍ରର ଦେଖି ଘୋର ରଣ ।ଭୟେ ଭାଜିଲେ ଦେବଗଣ ॥
ଶୂଳ ପଟ୍ଟୀଶ କୁନ୍ତ ଶର ।ନିସ୍ତିଂଶ ଗଦା ମୁଦୁଗର ॥
ଏ ଶସ୍ତ୍ର ଛାଡ଼ି ସର୍ବ ଅଙ୍ଗେ ।ଭୟେ ଭାଜିଲେ ଦଶଦିଗେ ॥
ଭୟେ ସକଳ ଏକମେଳେ ।ଗମିଲେ ଗଗନ ମଣ୍ଡଳେ ॥
ଛନ୍ନ ବ୍ୟାକୁଳ ମନ ଦୁଃଖେ ।ବେଗେ ମିଳିଲେ ବ୍ରହ୍ମଲୋକେ ॥
ବ୍ରହ୍ମା ଚରଣ ତଳେ ପଡି ।ଦେବେ କହିଲେ କରଯୋଡି ॥
ବ୍ରହ୍ମା ଯେ ବିଷ୍ଣୁଙ୍କ ସହିତେ ।ଏକଥା ଜାଣନ୍ତି ସମସ୍ତେ ॥
ଦକ୍ଷ ଯଜ୍ଞର ଏ ଘଟଣା ।ହୋଇବା ଜାଣି ବିଡ଼ମ୍ୱନା ॥
ସେହି ହେତୁରୁ ଦୁଇଜଣ ।ଯଜ୍ଞକୁ ନ କଲେ ଗମନ ॥
ଏକଥା ଦେବଗଣୁଁ ଶୁଣି ।ବ୍ରହ୍ମା କହନ୍ତି ପରିମାଣି ॥
ବ୍ରହ୍ମା ଉବାଚହେ ଦେବଗଣ ଶୁଣ ଏହା ।ଅପରାଧର ଯେଉଁ କ୍ରିୟା ॥
ବଳିଷ୍ଠ ଲୋକେ ଅପରାଧ ।କରିବା ନୁହଇଟି ସାଧ୍ୟ ॥
କଲେ ଯେ ପ୍ରାଣ ରକ୍ଷା ନୁହେ ।ଅଥବା ଅମଙ୍ଗଳ ହୁଏ ॥
ଶିବଙ୍କୁ ଭାଗ ଯେ ନଦେଲା ।ତାହାଙ୍କଠାରେ ଦୋଷୀ ହେଲା ॥
ସେହି ହେତୁରୁ ଶିବ କୋହେ ।କହୁଛୁ ଏକଇ ଉପାୟେ ॥
ସମସ୍ତେ ଯାଇ ତା ଚରଣ ।ପଡ଼ିଣ କରାଅ ପ୍ରସନ୍ନ ॥
ତାହାଙ୍କ ନାମ ଆଶୁତୋଷ ।ଅବଶ୍ୟ ହେବେ ସେ ସନ୍ତୋଷ ॥
ସାମାନ୍ୟ ଲୋକ ସେ ନୁହଁନ୍ତି ।କୋପେ ସମସ୍ତ ସେ ଦହନ୍ତି ॥
ଯଜ୍ଞରୁ ଉଦ୍ଧାରିବା ପାଇଁ ।ତାକୁ ପ୍ରାର୍ଥନା କର ଯାଇ ॥
ଆମ୍ଭେ ସକଳ ତାଙ୍କ ତତ୍ତ୍ୱ ।ନ ଜାଣୁ ଏହିଟି ନିଶ୍ଚିତ ॥
କିପରି ତାହାଙ୍କ ନିକଟ ।ପ୍ରାର୍ଥନା ପାଇଁ ହେବୁ ଭେଟ ॥
ମୈତ୍ରେୟ ଉବାଚଏହିପରି ସେ ପଦ୍ମଯୋନି ।ସକଳ ଦେବ ସଙ୍ଗେ ଘେନି ॥
ଦକ୍ଷର ଯଜ୍ଞଶାଳେ ମିଳି ।ଦେଖନ୍ତି ବ୍ରହ୍ମା ବନମାଳୀ ॥
ଯଜ୍ଞ ବିନାଶି କୋପଭରେ ।ରୁଦ୍ର ଯେ ଗଲେ ନିଜ ପୁରେ ॥
ସ୍ୱଭାବେ ତେଜ ଅପ୍ରମିତ ।ଅନ୍ତେ ଜଗତ କରେ ଗ୍ରସ୍ତ ॥
ତାହାର ତେଜବଳ ତଥ୍ୟ ।କେ ତାହା ବର୍ଣ୍ଣନେ ସମର୍ଥ ॥
ତାହାରେ ଅପରାଧ କରି ।କେ ଅବା ଥିବେ ଦେହ ଧରି ॥
ଏବେ ସକଳ ଦେବେ ଶୁଣ ।କେ ଜାଣେ ଈଶ୍ୱର ପ୍ରମାଣ ॥
ଚାଲ ସକଳ ସୁର ଦେବା ।ଏବେ ହୋ କପିଳାସ ଯିବା ॥
ରୁଦ୍ର ଚରଣେ ନମସ୍କାର ।ସ୍ତୋତ୍ରେ ସନ୍ତୋଷ ଦେବହର ॥
ଈଶ୍ୱର ଚରଣ କମଳେ ।ଶରଣ ପଶ ଏକମେଳେ ॥
ମୋହର ବୋଲ ଏବେ କର ।ଅନ୍ୟଥା ନାହିଁଟି ନିସ୍ତାର ॥
ଯେ ଅନ୍ତଃକାଳେ ଅଣ୍ଡକୋଷ ।ନିମିଷ ମାତ୍ରେ କରେ ଗ୍ରାସ ॥
ତାର ଚରଣେ ନ ସେବିଲେ ।କେବା ସଂସାରେ ଥିବ ଭଲେ ॥
ବିଶେଷେ ପତ୍ନୀର ବିୟୋଗେ ।ସ୍ୱଭାବେ ତମଗୁଣ ରାଗେ ॥
କଳ୍ପିଲା ଘୋରରଣ ରଙ୍ଗେ ।ଦକ୍ଷର ଯଜ୍ଞଅର୍ଥ ଭଙ୍ଗେ ॥
କେବା ମିଳିବ ତାର ଆଗେ ।ମନ ତାହାର ବଇରାଗେ ॥
ଯାର ମହିମା ବିଚାରଣେ ।ମୋ ଆଦି ସର୍ବ ଦେବଗଣେ ॥
ଏ ଯଜ୍ଞେ ଆଦି ଯେତେ ମୁନି ।ସଙ୍ଗତେ ବେଦତତ୍ତ୍ୱ ଘେନି ॥
କେ ଜାଣି ପାରିବ ପ୍ରମାଣ ।ଯେ ଦ୍ୱିତୀଦେବ ନାରାୟଣ ॥
ଏବେ ସକଳେ ଚାଲଯିବା ।ସେ ରୁଦ୍ର ଚରଣେ ପଡ଼ିବା ॥
ସ୍ତୁତି କରିବା ନାନାମତେ ।ଯେମନ୍ତେ ଦୟା କରେ ଚିତ୍ତେ ॥
ଏମନ୍ତ ହରି ପଦ୍ମଯୋନି ।ସକଳ ଦେବଗଣ ଘେନି ॥
ଅଗ୍ରେ ଚଳନ୍ତି ନାରାୟଣ ।ଯକ୍ଷ କିନ୍ନର ଋଷିଗଣ ॥
ସିଦ୍ଧ ଚାରଣ ପିତୃ ତୁଲେ ।ସର୍ବେ ଚଳିଲେ ବ୍ରହ୍ମା ବୋଲେ ॥
ଈଶ୍ୱର ଦରଶନ ଆଶେ ।ମିଳିଲେ କପିଳାସ ଦେଶେ ॥
ସେ ବନେ ବସେ ସଦାଶିବ ।ତାହା ମହିମା କେ କହିବ ॥
ବୃକ୍ଷ ଔଷଧ ତପୋବନ୍ତେ ।ଯେ ଯୋଗସିଦ୍ଧ ଯୋଗୀପଥେ ॥
ଯକ୍ଷ କିନ୍ନର ବିଦ୍ୟାଧର ।ଗନ୍ଧର୍ବ ମୁନି ଅପସର ॥
ସର୍ବେ ପଶନ୍ତି ସିଦ୍ଧବନେ ।ତରୁ କ୍ରୋଟରେ ଯୋଗଧ୍ୟାନେ ॥
ଅଶେଷ ମଣି ରତ୍ନରେଖେ ।ଶୃଙ୍ଗ ବିରାଜେ ଗିରିଶିଖେ ॥
ଦେହେ ବିରାଜେ ନାନା ଧାତୁ ।କିଏ ଆନନ୍ଦ ରୂପ ହେତୁ ॥
ବିରାଜେ ନାନା କୁଞ୍ଜଲତା ।କେ ତା ବର୍ଣ୍ଣନେ ସାମରଥା ॥
ଆନନ୍ଦେ ମହେଶ୍ୱର ବେଶେ ।କ୍ରୀଡନ୍ତି ନାନା ପଶୁରସେ ॥
ଅନେକ କନ୍ଦର ଗମ୍ଭୀରା ।ବହନ୍ତି ପ୍ରସ୍ରବଣ ଧାରା ॥
ରମଣବେଳେ ନାରୀଗଣେ ।ରମନ୍ତି ଯେ ଯାହା ରମଣେ ॥
କୋକିଳ କେକୀନାଦ ବାଣୀ ।ଯେସନେ ମନୋହର ଶୁଣି ॥
କୋମଳ କଣ୍ଠେ ପଶୁଗଣେ ।ନାଦ କରନ୍ତି ଘୋରବନେ ॥
ମତ୍ତ ମାତଙ୍ଗ ବହୁମେଳେ ।ଗର୍ଜନ୍ତି ହ୍ରଦ ନଦୀଜଳେ ॥
ମନ୍ଦାର ପାରିଜାତ ଦ୍ରୁମେ ।ସରଳ କୋବିଦାର ବନେ ॥
ତମାଳ ଶାଳ ତାଳବନ ।କ୍ରମୁକ ସ୍ୱବାର ଅସନ ॥
ଆମ୍ୱ କଦମ୍ବ ନାଗେଶ୍ୱର ।ପୁନ୍ନାଗ ରମ୍ଭା କରବୀର ॥
କୁମୂଦ ଉତ୍ପଳ କହ୍ଲାର ।ପାଟଳି ଶୋକ ଗନ୍ଧସାର ॥
ବକୁଳ କୁନ୍ଦ କୁରୁବକ ।ସୁବର୍ଣ୍ଣ ବର୍ଣ୍ଣ ଶତରେକ ॥
ଚିର ବେଣୁକ ଜାତିଯୁଥ ।ମାଧବୀ କନିଅର ବେତ ॥
ପନସ ଉଦୁମ୍ୱର ପ୍ଳକ୍ଷ ।ବଟ ତିନ୍ଦୁକ ବହୁଦ୍ରକ୍ଷ ॥
ଅଗସ୍ତି ପୁନ୍ନାଗ ଚମ୍ପକ ।ଜମ୍ଭୁ ଖଜିର ସଫରିକ ॥
କାଶୁରୀ ଆମ୍ରାତକ ବନ ।ଦେଖନ୍ତେ ମୋହେ ପ୍ରାଣୀମନ ॥
ବୃକ୍ଷେ ଅଛନ୍ତି ନାନାବର୍ଣ୍ଣେ ।ଶୋଭନ କପିଳାସ ସ୍ଥାନେ ॥
ଗମ୍ଭୀର ନାଦ କୋଳାହଳ ।କ୍ରୀଡ଼ନ୍ତି ନାନା ଜୀବକୁଳ ॥
ମୃଗ ବାନର କ୍ରୋଟ ଯୂଥ ।ସିଂହ ଭଲ୍ଲୁକ ସମଯତ୍ର ॥
ଗବୟ ବ୍ୟାଘ୍ର ଋକ୍ଷଦଳ ।ଗୋରୁ ମହିଷ ଶଶାକୁଳ ॥
ଅନ୍ୟ ଯେ ମୃଗନାଭ ଆଦି ।ବସନ୍ତି ବାମ ଦକ୍ଷ ଭେଦି ॥
ସୁନ୍ଦର ଶୋହେ ରମ୍ୟବନ ।ଦେଖନ୍ତେ ମୋହେ ପ୍ରାଣୀମନ ॥
ନଦୀ ଯେ ନଦ୍ୟାଶୟ ବେନି ।ସ୍ୱଭାବେ ପୂଣ୍ୟତର ପ୍ରାଣୀ ॥
ଏମନ୍ତେ ବିଶ୍ୱନାଥ ବନ ।ଦେଖି ସାନନ୍ଦ ଦେବଗଣ ॥
ମନେ ବିସ୍ମୟ ପାଇ ବେଗେ ।ଦେବେ ଦେଖନ୍ତି ଚଉଦିଗେ ॥
ତାର ଉତ୍ତର କୂଳେ ଯାଇ ।ଅଳକାପୁରୀକୁ ଅନାଇଁ ॥
ସୁଗନ୍ଧ ନାମ ବନ ଯହିଁ ।ହେମ ପଙ୍କଜ ବିରାଜଇ ॥
ନନ୍ଦା ଅଳକନନ୍ଦା ନଦୀ ।ବହନ୍ତି ବାମ ଦକ୍ଷଭେଦି ॥
ବିଷ୍ଣୁ ଚରଣ ରଜ ଲାଗି ।ସେ ନଦୀ ସ୍ୱଭାବେ ସୌଭାଗୀ ॥
ସେ ନଦୀ ଜଳେ ସୁରନାରୀ ।ରମନ୍ତି ନାନା କ୍ରୀଡାକରି ॥
କୁଚ କୁଙ୍କମ ଜଳେ ମିଶେ ।ସ୍ୱଭାବେ ସୁପିଚ୍ଛିଳ ଦିଶେ ॥
କରିଣୀ ତୁଲେ ହସ୍ତୀବଳ ।ନିତ୍ୟ ପିବନ୍ତି ଯାର ଜଳ ॥
ସେ ନଦୀତୀରେ ଉପଗତ ।ରତ୍ନବିମାନ ଯୂଥ ଯୂଥ ॥
ପୁଣ୍ୟ ଜନିତ ପରିମଳ ।ତେଣୁ ପୂରିତ ଗଙ୍ଗାଜଳ ॥
ତଡ଼ିତ ଯେହ୍ନେ ନୀଳ ମେଘେ ।ସୁଶୋଭା କାନ୍ତି ଦଶଦିଗେ ॥
ଏମନ୍ତେ କୁବେର ନଗରୀ ।ସୁଗନ୍ଧ ବନ ଆଦିକରି ॥
ଯେ ବୃକ୍ଷ କାମଧେନୁ ପ୍ରାୟେ ।ଫଳ ପଲ୍ଲବମାନ ଶୋହେ ॥
କୋମଳ କଣ୍ଠ ନାଦ ପକ୍ଷୀ ।ଭୃଙ୍ଗ ଶବଦ ଯହିଁ ଅଛି ॥
ଜଳେ ଚରନ୍ତି ପକ୍ଷୀଗଣେ ।କ୍ରୀଡା କରନ୍ତି ପଦ୍ମବନେ ॥
ହରି ଚରଣେ ବାୟୁ ସଙ୍ଗେ ।ମତ୍ତ ମାତଙ୍ଗ ରଣରଙ୍ଗେ ॥
ବୈଦୁର୍ଯ୍ୟମଣି କୂପ ସ୍ଥାନେ ।ନିବିଡ଼ ବନ୍ଧନ ସୋପାନେ ॥
ସ୍ୱଭାବେ ଉତ୍ପଳ ମାର୍ଜନୀ ।ବିରାଜେ ମନ୍ଦଗୁଣ ଘେନି ॥
ଯେ ବନେ ଜନ୍ମ ବଟବୃକ୍ଷ ।ଯହିଁ କିନ୍ନରଗଣ ରକ୍ଷ ॥
ଶତେ ଯୋଜନ ଉଚ୍ଚ ବହେ ।ସୁନ୍ଦର ରୂପଜନ ମୋହେ ॥
ଏ ବୃକ୍ଷ ଛାୟା ଦେହେ ଲାଗି ।ପ୍ରାଣୀଏ ହ୍ୱନ୍ତି ସୁଖଭାଗୀ ॥
ଏମନ୍ତ ସର୍ବ ଦେବମାନେ ।ମିଳିଲେ ଈଶ୍ୱରଙ୍କ ସ୍ଥାନେ ॥
ଦେଖନ୍ତି ବଟବୃକ୍ଷ ମୂଳେ ।ନିବନ୍ଧ ଆସନ ନିଶ୍ଚଳେ ॥
ସନକ ଆଦି ସପ୍ତମୁନି ।ସଙ୍ଗେ ଅନେକ ଶିଷ୍ୟ ଘେନି ॥
ଗୁହ୍ୟକ ରକ୍ଷକ ଅନେକ ।ସେ ଭକ୍ତିଯୋଗ ଉପାସକ ॥
ବିଦ୍ୟା ତପସ୍ୟା ଯୋଗ ଆଦି ।ସକଳେ ଖଟନ୍ତି ସବିଧି ॥
ବିଶ୍ୱ ସୁହୃଦ ଯା ମହିମା ।ସର୍ବ ମଙ୍ଗଳ ଏକ ସୀମା ॥
ସେ ପୁଣି ଅଭିଷିକ୍ତ ଅଙ୍ଗେ ।ଯାର ଶରୀର ସିଦ୍ଧ ଲିଙ୍ଗେ ॥
ଜଟା ଅର୍ପଣେ ଭସ୍ମଦଣ୍ଡ ।ଯଥା ରଚିତ ଇନ୍ଦୁଖଣ୍ଡ ॥
କୁଶ ଦୁଦୁରା ମଧ୍ୟେ ବସେ ।ପରମବ୍ରହ୍ମ ଯେ ପ୍ରକାଶେ ॥
ନାରଦ ମୁଖ ଚାହିଁ ଧୀରେ ।ବଚନ କହନ୍ତି ସୁସ୍ୱରେ ॥
ଦକ୍ଷିଣ ଜାନୁର ଉପରେ ।ବାମ ଚରଣ ସ୍ଥାପି ଧୀରେ ॥
ଚାହାନ୍ତି ବେନି ବାହୁବଳେ ।ଅରୁଣ ବର୍ଣ୍ଣ ବେନି ଡୋଳେ ॥
ସ୍ୱଭାବେ ତର୍କମୁଦ୍ରା କରି ।ଯେ ରୂପେ ସଂସାର ସଂହରି ॥
ନିଶ୍ଚଳ ସମାଧି ଧାରଣ ।ଦେଖିଲେ ସର୍ବ ଦେବଗଣ ॥
ସର୍ବ ଋଷିଙ୍କ ସଙ୍ଗମେଳେ ।ଇନ୍ଦ୍ରାଦି ଦଶଦିଗପାଳେ ॥
ବ୍ରହ୍ମା ସହିତେ ସର୍ବଜନ ।ଚାହିଁଲେ ରୁଦ୍ରଙ୍କ ବଦନ ॥
ଜୟ ଶବଦ କରି ତୁଣ୍ଡେ ।ରୁଦ୍ର ଚରଣେ ନମି ମୁଣ୍ଡେ ॥
ଯେ ହରି ମନୁଙ୍କର ମନୁ ।ଭକ୍ତ ଚରଣ କାମଧେନୁ ॥
ତାର ଚରଣ ତଳେ ଯାଇ ।ସକଳେ ଶିରେ ହସ୍ତ ଦେଇ ॥
ନମିଲେ ଈଶ୍ୱର ଚରଣେ ।ଦେବ କିନ୍ନର ଋଷିଗଣେ ॥
ଆନନ୍ଦେ ବ୍ରହ୍ମା ନାରାୟଣ ।ନମିଲେ ରୁଦ୍ରଙ୍କ ଚରଣ ॥
ସ୍ୱଭାବେ ମନ୍ଦ ମନ୍ଦ ହସି ।ଅମୃତ ବାକ୍ୟେ ମନ ତୋଷି ॥
ବ୍ରହ୍ମା କହନ୍ତି କରଯୋଡି ।ଚରଣେ ପୁନଃ ପୁନଃ ପଡି ॥
ବ୍ରହ୍ମୋବାଚତୁ ନାଥ ଜଗତ ଈଶ୍ୱର ।ସଂସାର ତୋର ଖେଳଘର ॥
ତୁ ଏ ଜଗତ ବୀଜ ଯୋନି ।ସୃଷ୍ଟି ସଂହାରୁ ମାୟା ଘେନି ॥
ତୁ ନାଥ ଜଗତ ଈଶ୍ୱର ।ନିର୍ଲ୍ଲେପ ବ୍ରହ୍ମ ନିରାକାର ॥
ତୁ ଶିବ ଶକ୍ତିରୂପ ଧରି ।ସଂସାର ଖେଳଘର କରି ॥
ସୃଜି ପାଳିଣ କରୁ ଅନ୍ତ ।ବିଶ୍ୱ ସଂସାରେ ବିଶ୍ୱନାଥ ॥
କ୍ରୀଡା ବିହାର ମାୟାଧରି ।ତୁ ଖେଳୁ ମାୟାଭାବ କରି ॥
ସେ କାହିଁ ସମ୍ପାଦିବ ତୋତେ ।ତେଣୁ ଭ୍ରମନ୍ତି ଏ ଜଗତେ ॥
ଧର୍ମାର୍ଥ କାମ ଯହିଁ ଝରେ ।ଯେ ଯଜ୍ଞ ଧେନୁ ରୂପ ଧରେ ॥
ତୁ ଯାହା ଅର୍ଜିଛୁ ଜଗତେ ।ସଂସାର ଭ୍ରମଣ ନିମନ୍ତେ ॥
ସେ ମାୟା ସଂସାର ବନ୍ଧନେ ।ଯନ୍ତ୍ରିତ ହୋଇ ମହାଜନେ ॥
କଳ୍ପନ୍ତି ନାନାକର୍ମ ବିଧି ।ତୁମ୍ଭେ ତ ସକଳ ପ୍ରସିଦ୍ଧି ॥
ସର୍ବ ମଙ୍ଗଳ କର୍ମ ଫଳ ।ତୁ ସେ ଅନାଦି ଆଦିମୂଳ ॥
ଅମଙ୍ଗଳ କୃତ ତୁ ହେଉ ।ଧର୍ମକୁ ସର୍ବକାଳେ ବହୁ ॥
ସେ ସାଧୁଜନେ କର୍ମକରି ।ଭାବ ପ୍ରଭାବ ମୋଦ ଭରି ॥
ସେ ଫଳ ତୋର ପାଦେ ଦ୍ୟନ୍ତି ।ମାୟା ପଟଳୁ ତରିଯାନ୍ତି ॥
ଯେ ଲୋଭବଶେ ତାହା ଚିନ୍ତି ।ପଶୁଙ୍କ ପ୍ରାୟ ସେ ଭୁଞ୍ଜନ୍ତି ॥
ତୋତେ ନ ଜାଣି ପ୍ରଜାପତି ।ଦୁର୍ମତି ଲଭିଲା ଦୁର୍ଗତି ॥
ଆମ୍ଭର ଭକ୍ତି ଚିତ୍ତେ ଧର ।ଏହାକୁ ପ୍ରତିକାର କର ॥
ଏ ପ୍ରାଣୀ ଯଜ୍ଞଶାଳେ ମଲା ।ସଂସାରେ ଯଶ ତୋ ରହିଲା ॥
ଏବେ ମୋହାର ବୋଲ କର ।ଏହାର ଯଜ୍ଞ ତୁ ଉଦ୍ଧର ॥
ଏ ଯଜ୍ଞେ ତୋ ଭାଗ ନ କଲେ ।ଏଣୁ ଜୀବନ ଥାଉଁ ମଲେ ॥
ଏହାକୁ ଦଣ୍ଡ ଏ ଉଚିତ ।ଯେଣୁ ନିନ୍ଦିଲେ ବିଶ୍ୱନାଥ ॥
ଏବେ ତୁ ଏହାକୁ ବଞ୍ଚାଅ ।ଭୃଗୁଙ୍କୁ ଚକ୍ଷୁ ଦାନ ଦିଅ ॥
ଭୃଗୁର ଦାଢ଼ି ଏବେ ରୋପ ।ସୁଷମ ଦନ୍ତ ପାଟି ସ୍ଥାପ ॥
ତୋହର ଶସ୍ତ୍ର ବରଷଣେ ।ଭୟେ ଭାଜିଲେ ଦେବଗଣେ ॥
ତୋ ତ୍ରାସେ ଛିନ୍ନଭିନ୍ନ ହୋଇ ।ପଳାଇ ଗଲେ ଯହିଁ ତହିଁ ॥
ଋତ୍ୱିଜଗଣେ ସେହି ମତ ।ତାହାଙ୍କୁ ରଖ ବିଶ୍ୱନାଥ ॥
ଯଜ୍ଞେ ତୋ ରୁଦ୍ର ଭାଗତୋଷେ ।ସାଧିବା ମନ୍ତ୍ର ଉପଦେଶେ ॥
ଏମନ୍ତ କହି ପଦ୍ମଯୋନି ।ମିଳିଲେ ଦେବଗଣ ଘେନି ॥
ସେ ରୁଦ୍ର ଚରଣ ପଙ୍କଜେ ।ବ୍ରାହ୍ମଣ ଜଗନ୍ନାଥ ଭଜେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ରୁଦ୍ର କୋପପ୍ରଶମନେନାମ ଷଷ୍ଠୋଽଧ୍ୟାୟଃ ।