ଚତୁର୍ଦ୍ଦଶ ଅଧ୍ୟାୟ — ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ) — ଜଗନ୍ନାଥ ଦାସ · ସ୍ୱର୍ଣ୍ଣଲିପିଏବେ ହୋ ଶୁଣ ମହୀପତି ।
ଧ୍ରୁବର ଅର୍ଜିଲା ବିଭୂତି ॥
କୁବେର ଭୁବନୁ ସନ୍ତୋଷେ ।ଧ୍ରୁବ ଗମିଲା ନିଜ ଦେଶେ ॥
ନିଜ ଭୁବନେ ଧ୍ରୁବ ଯାଇ ।ଋତ୍ୱିଜ ପୁରୋହିତ ରାଇ ॥
ସଂକଳ୍ପ କଲା ବେଦମତେ ।ପୂଜିଲା ବିଷ୍ଣୁ ପାଦଗତେ ॥
ସ୍ୱଭାବେ ସମ୍ପଦ ସମ୍ପାଦି ।ଅଣିମା ଆଦି ଅଷ୍ଟନିଧି ॥
ସର୍ବ ସମ୍ପଦ ଭୋଗ କଲା ।ଗୃହେ ଉତ୍ତାନପାଦ ବଳା ॥
ପ୍ରଜାଏ ଧ୍ରୁବର ରାଜତ୍ୱେ ।ଆନନ୍ଦେ ବଞ୍ଚିଲେ ଜଗତେ ॥
ସ୍ୱଭାବେ ଧ୍ରୁବ ଧର୍ମଶୀଳ ।ସୁସାଧୁ ବ୍ରାହ୍ମଣ ବତ୍ସଳ ॥
କୃଷ୍ଣଙ୍କୁ ପିତୃଭାବେ ଜାଣି ।ସୁଖ ଦୁଃଖକୁ ସେ ନ ଗଣି ॥
ଆନନ୍ଦ ମନେ ଭୋଗ ପୂଜା ।ଧ୍ରୁବ ସପ୍ତଦ୍ୱୀପରେ ରାଜା ॥
ଛତିଶ ସହସ୍ର ବରଷ ।ସ୍ୱଭାବ ପରମ ଆୟୁଷ ॥
ଆନନ୍ଦ ମନେ ଭୋଗ କଲା ।ଭୂମିମଣ୍ଡଳେ ମନୁବଳା ॥
ସୁବର୍ଣ୍ଣ ବର୍ଣ୍ଣ ଶୁଦ୍ଧ ଦେହେ ।ପୁଣ୍ୟ ଉଦୟ ଅଘ କ୍ଷୟେ ॥
ତୃତୀୟ ଅଘ କ୍ଷୟ କରି ।ପୁତ୍ରକୁ ଅଧିରାଜ୍ୟେ ବରି ॥
ନୃପ ଆସନେ ବସାଇଲା ।ସ୍ୱଭାବେ ଅଭିଷେକ କଲା ॥
ଆତ୍ମା ସମ୍ପଦ ଆଦି ଯେତେ ।ସ୍ୱପ୍ନର ପ୍ରାୟ ମଣି ଚିତ୍ତେ ॥
ବିଷ୍ଣୁର ମାୟାବଳ ଜାଣି ।ଗନ୍ଧର୍ବପୁର ପ୍ରାୟ ମଣି ॥
ସର୍ବ ସମ୍ପଦ ପରିହରି ।ସଞ୍ଜମେ ଆତ୍ମା ବଶ କରି ॥
ତପସ୍ୟା ପାଇଁ ସେ ଚଳିଲା ।ବଦରୀ ବନେ ସେ ମିଳିଲା ॥
ବିଷ୍ଣୁର ସ୍ଥୂଳରୂପେ ମନ ।ସଞ୍ଜମ ବଳେ କରି ଧ୍ୟାନ ॥
ତୀକ୍ଷ୍ଣ ରୂପାଲିଙ୍ଗନ କଲା ।ନିର୍ମଳ ଜ୍ୟୋତି ପ୍ରକାଶିଲା ॥
ତହୁଁ ସେ ଭେଦ ଶୂନ୍ୟହେଲା ।ସ୍ଥୂଳର ଧ୍ୟାନ ସେ ଛାଡ଼ିଲା ॥
ଏହି ପ୍ରକାରେ ଧ୍ରୁବ ନିତି ।ହରିଙ୍କ ପ୍ରତି କଲା ଭକ୍ତି ॥
ଅଶ୍ରୁ ତା ନୟନୁ ବହିଲା ।ତହିଁରେ ଅଭିଷିକ୍ତ ହେଲା ॥
ତା ଦେହ ଆନନ୍ଦେ ବୁଡ଼ିଲା ।ସର୍ବାଙ୍ଗ ପୁଲକ ହୋଇଲା ॥
ନିଜକୁ ଜାଣି ନ ପାରିଲା ।ଜ୍ଞାନ ସାଗରେ ବୁଡ଼ିଗଲା ॥
ଅଳପ ସମୟ ଅନ୍ତରେ ।ବିମାନ ଦେଖେ ଆକାଶରେ ॥
ତେଜେ ଦଶଦିଶ ବିରାଜେ ।ବିଷ୍ଣୁଙ୍କୁ ଦେଖିଲା ସମାଜେ ॥
ଅଖଣ୍ଡ ସୁଧାକର ଯେହ୍ନେ ।ହରିଙ୍କୁ ଦେଖିଲା ଗଗନେ ॥
ରଥେ ଦେଖିଲା ବେନି ସୁତ ।ନିନ୍ଦନ୍ତି ଶଶାଙ୍କ ଆଦିତ୍ୟ ॥
କିଶୋର ଶ୍ୟାମ ତନୁବର୍ଣ୍ଣ ।ଦିଶଇ ଅରୁଣ ଲୋଚନ ॥
ଶୋହେ ସୁନ୍ଦର ଭୁଜଚାରି ।ବିଷ୍ଣୁ ଆୟୁଧ ଛନ୍ତି ଧରି ॥
ଅଙ୍ଗଦ କିରୀଟ କୁଣ୍ଡଳ ।ହୃଦେ ଲମ୍ବଇ ବନମାଳ ॥
ରତ୍ନ ମେଖଳା କଟିମାଝେ ।ମକର କୁଣ୍ଡଳ ବିରାଜେ ॥
ଧ୍ରୁବ ନିକଟେ ଯାଇ ମିଳି ।ଗଗନୁ ଖସେ କି ବିଜୁଳି ॥
ତୁଣ୍ଡେ ଗୋବିନ୍ଦ ନାମ ଗାଇ ।କପାଳେ ବେନି କର ଦେଇ ॥
ନମିଲେ ଧ୍ରୁବ ପାଦତଳେ ।ରୋମ ପୁଲକ ଅଶ୍ରୁଜଳେ ॥
ଶୌନକ ଆଦି ମୁନି ଯେତେ ।ତକ୍ଷଣେ ମିଳିଲେ ସମସ୍ତେ ॥
କୃଷ୍ଣର ନାମ ମୁଖେ ଗାଇ ।କହନ୍ତି ଧ୍ରୁବ ମୁଖ ଚାହିଁ ॥
ସୁନନ୍ଦାନନ୍ଦ ଉବାଚଶୁଣ ଉତ୍ତାନପାଦ ସୁତ ।ସଂସାରେ ତୁ ଯେ ଭାଗ୍ୟବନ୍ତ ॥
ତୁ ଶିଶୁ ପଞ୍ଚମ ବରଷ ।ତପେ ତୋଷିଲୁ ହୃଷୀକେଶ ॥
ଏବେ ଗୋବିନ୍ଦ ଆଜ୍ଞା ଶିରେ ।ଘେନି ମିଳିଲୁ ତୋ ଛାମୁରେ ॥
ଧ୍ରୁବ ପଦକୁ ନେବୁ ତୋତେ ।ଦେଖ କାଞ୍ଚନ ଦିବ୍ୟ ରଥେ ॥
ଦୁର୍ଲ୍ଲଭ ବିଷ୍ଣୁ ପଦ ତୁହି ।ବଳେ ଲଭିଲୁ ତପବହି ॥
ଏ ଶିଶୁମ୍ନାର ଚକ୍ରତଳେ ।ଚନ୍ଦ୍ର ଆଦିତ୍ୟ ତାରାମେଳେ ॥
ନିରତେ ଭ୍ରମନ୍ତି ଦକ୍ଷିଣେ ।ପବନ ରଜ୍ଜୁ ଆକର୍ଷଣେ ॥
ଯେ ପଦ ତୋର ପିତୃଜନ ।ପ୍ରବେଶ ନୋହିଲେ ଭାଜନ ॥
କେ ଆନ ତାହା ଲଭିପାରେ ।ଅନିତ୍ୟ ସଂସାର ସାଗରେ ॥
ଅଶେଷ ଜଗତ ବନ୍ଦନ ।ବିଷ୍ଣୁ ପରମପଦ ସ୍ଥାନ ॥
ଏଣୁ ଏ ଉତ୍ତମ ବିମାନ ।ତୋତେ ପେଷିଲେ ଭଗବାନ ॥
ତୁ ଏବେ ବସ ସ୍ଥିର ମନେ ।ବିମାନ ବାହିବୁ ଗଗନେ ॥
ଏମନ୍ତେ ବିଷ୍ଣୁ ଦୂତ ବାଣୀ ।ଆନନ୍ଦ ମନେ ଧ୍ରୁବ ଶୁଣି ॥
ତକ୍ଷଣେ ଅଭିଷେକ କଲା ।ମୁନିଙ୍କ ଚରଣେ ନମିଲା ॥
ମୁନି ଜନଙ୍କ ଆଶୀର୍ବାଦେ ।ଜୟ ମଙ୍ଗଳ ବେଦନାଦେ ॥
ବିମାନେ ପ୍ରଦକ୍ଷିଣ କରି ।ବିଷ୍ଣୁ ଦୂତଙ୍କୁ ଆଶ୍ରେକରି ॥
ହିରଣ୍ୟମୟ ରୂପ ଧରେ ।ସ୍ୱତେଜେ ଦଶଦିଗ ପୂରେ ॥
ଗଗନେ ଚତୁର୍ବିଧ ବାଦ୍ୟେ ।ଦିଗ ପୂରିଲା ଗୀତ ନାଦେ ॥
ପୁଷ୍ପ ବରଷନ୍ତି ହରଷେ ।ବିବୁଧେ ଦେଖନ୍ତି ଆକାଶେ ॥
ଧ୍ରୁବ ସ୍ୱର୍ଗକୁ ଯିବାବେଳେ ।ଜନନୀ ପଡ଼ିଲା ମନରେ ॥
ଦୁଃଖିନୀ ଅଟେ ମୋ ଜନନୀ ।କାହିଁ ରହିଲେ ସେହୁ ପୁଣି ॥
ତାହାଙ୍କୁ ଛାଡ଼ି କି ପ୍ରକାରେ ।ଯିବି ମୁଁ ଏବେ ବିଷ୍ଣୁ ପୁରେ ॥
ଦୂତେ ବୁଝିଲେ ଧ୍ରୁବ ଭାବ ।ମାତାଙ୍କୁ ଦେଖାଇଲେ ଜବ ॥
ସୁନୀତି ଜନନୀ ସମେତେ ।ବସିଲେ ରତ୍ନମୟ ରଥେ ॥
ଧ୍ରୁବଙ୍କୁ ଦେଖି ପ୍ରଶଂସନ୍ତି ।କେବା ଆନନ୍ଦେ କରେ ସ୍ତୁତି ॥
ଏମନ୍ତେ ପୁଷ୍ପବୃଷ୍ଟି ପଥେ ।ଗ୍ରହଙ୍କୁ ଦେଖିଲେ ଅଗ୍ରତେ ॥
ତ୍ରୈଲୋକ୍ୟ ଜିଣି ଦିବ୍ୟଜନେ ।ମୁନିଙ୍କୁ ଦେଖିଲା ବିମାନେ ॥
ମୁନିଙ୍କୁ ଦେଖି ସେହି ରଥେ ।ବିଜୟ କଲା ବିଷ୍ଣୁ ପଥେ ॥
ଯେ ପ୍ରାଣୀ ସନ୍ଥ ସମଦୃଶ ।ଅଶେଷ ଜନଙ୍କ ବିଶ୍ୱାସ ॥
ଶ୍ରୀହରି ପାଦେ ଚିତ୍ତ ଯାର ।ସନ୍ତୋଷ ସମ ସାଧୁ ଧୀର ॥
ସେ ପ୍ରାଣୀ ସେ ପୁରେ ପଶନ୍ତି ।ମାୟା ବନ୍ଧନୁ ସେ ତରନ୍ତି ॥
ଏଣୁ ଉତ୍ତାନପାଦ ସୁତ ।ବିଷ୍ଣୁର ପରମ ଭକତ ॥
ତ୍ରିଲୋକରମ୍ୟ ମଣି ସ୍ଥାନେ ।ବସିଲା ନିଶ୍ଚଳ ଆସନେ ॥
ଗମ୍ଭୀର ବେଗେ କାଳଚକ୍ର ।ବଜ୍ର ରସନା ଅତିରେକ ॥
ଗ୍ରହ ନକ୍ଷତ୍ର ତାରାଗଣେ ।ଭ୍ରମନ୍ତି ମେଧି ଆକର୍ଷଣେ ॥
ତାର ମହିମା ଯଶ ଘୋଷି ।ବିଶ୍ୱାସ ବାଦେ ବ୍ରହ୍ମରାଶି ॥
ପ୍ରଚେତାଗଣେ ଆଗେ ଥାଇ ।ନୃତ୍ୟ କରନ୍ତି ବୀଣା ବାଇ ॥
ମାତୃ ସପତ୍ନୀ ବାକ୍ୟଯନ୍ତ୍ରେ ।ବନରେ ପଶିଲେ ଯେମନ୍ତେ ॥
ଯେମନ୍ତେ ହରିଙ୍କୁ ତୋଷିଲା ।ଜନନୀ ସଙ୍ଗେ ସ୍ୱର୍ଗେଗଲା ॥
ମୈତ୍ରେୟ ଉବାଚଶୁଣ ହେ ବ୍ୟାସଙ୍କ କୁମର ।ତୁ ସାଧୁଜନ ମଧ୍ୟେ ବର ॥
ତୁ ଯେଣୁ ପଚାରିଲୁ ମୋତେ ।ଧ୍ରୁବ ଚରିତ ଭାଗବତେ ॥
ଉତ୍ତାନପାଦ ଧ୍ରୁବ ବାଣୀ ।ଯେ ଏହା ଏକ ମନେ ଶୁଣି ॥
ଶୁଣି କହନ୍ତି ସାଧୁ କୁଳେ ।ବସନ୍ତି ବୈଷ୍ଣବ ମଣ୍ଡଳେ ॥
ଯଶ ଆୟୁଷ ଧନ ମାନ ।ସ୍ୱର୍ଗ ନିବାସ ସ୍ୱସ୍ତ୍ୟୟନ ॥
ବିଘ୍ନ ସମୂହେ ନାହିଁ ଭ୍ରାନ୍ତି ।ସକଳ କ୍ଳେଶୁ ନିସ୍ତରନ୍ତି ॥
ବିପ୍ର ସମୀପେ ପ୍ରାତଃକାଳେ ।ଗୋବିନ୍ଦ ଭକ୍ତି ଭାବବଳେ ॥
ପୌର୍ଣ୍ଣମୀ ଅମାବାସ୍ୟା ଦିନେ ।ଦ୍ୱାଦଶୀ ଶ୍ରବଣା ବିଧାନେ ॥
ଦିବସ କ୍ଷୟ ବ୍ୟତିପାତେ ।ସଂକ୍ରାନ୍ତି ଅର୍କବାର ଯୁକ୍ତେ ॥
ଶ୍ରଦ୍ଧା ପୂର୍ବକ ଯେ ପଢ଼ନ୍ତି ।ଅଥବା ଶ୍ରବଣେ ଶୁଣନ୍ତି ॥
ଜ୍ଞାନେ ସନ୍ତୋଷ ପ୍ରାଣୀଙ୍କର ।ଚତୁର ଭାବ ନୁହେଁ ଦୂର ॥
ସକାମେ ଜଡ଼େ ଚିତ୍ତ ଯେବେ ।ଶୁଣନ୍ତି ସୁତ ଧନ ଲାଭେ ॥
କୁଳେ ସୁପୁତ୍ର ହୁଏ ଜାତ ।ଶୁଣି ଧ୍ରୁବର ଚରିତ ॥
ସଂସାର ଜନ ହିତେ ଗୀତ ।କହିଲା ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଧ୍ରୁବ ଧ୍ରୁବଲୋକ ଗମନେନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।
ପଞ୍ଚଦଶ ଅଧ୍ୟାୟ
ସୁତଉବାଚମୈତ୍ରେୟ ବାକ୍ୟ ଶୁଣି କର୍ଣ୍ଣେ ।ଆନନ୍ଦ ବିଦୁରର ମନେ ॥
ଧ୍ରୁବ ଯେ ଜନନୀ ସମେତେ ।ନିଶ୍ଚିନ୍ତେ କଳ୍ପେ ପରିଯନ୍ତେ ॥
ବସିଲା ଯାଇ ଧ୍ରୁବପଦେ ।ଜ୍ୟୋତିଷ୍କଗଣ ଚକ୍ର ମଧ୍ୟେ ॥
ବିଦୁର ଉବାଚମୈତ୍ରେୟ ପାଦେ କର ଦେଇ ।ଆନନ୍ଦେ ବିଦୁର ପୁଚ୍ଛଇ ॥
ଭୋ ମୁନି ପ୍ରଚେତା ବଦନେ ।ଧ୍ରୁବ ଯେ ଗଲା ନିଜସ୍ଥାନେ ॥
କେବଣ ବଂଶେ କିବା ଜାତି ।କାହାର ପୁତ୍ର ସେ ବୋଲାନ୍ତି ॥
ପୂର୍ବେ ନାରଦର ବଚନେ ।ଯଜ୍ଞ ଆରମ୍ଭ କେଉଁ ଜନେ ॥
ହରିଙ୍କି କ୍ରିୟାଯୋଗେ ପାଇ ।ଭବୁ ତରିଲେ ଦଶଭାଇ ॥
ଯେ ଧର୍ମ ପାଳି ପ୍ରଚେତସ ।ଯଜ୍ଞରେ ବିଷ୍ଣୁ କରି ତୋଷ ॥
ସେ କଥା କହ ମୁନି ମୋତେ ।ସଂସାରୁ ତରିବି ଯେମନ୍ତେ ॥
ମୈତ୍ରେୟ ଉବାଚଧ୍ରୁବର ପୁତ୍ର ଗୁଣଧାମ ।ଜ୍ୟେଷ୍ଠ ଉତ୍କଳ ତାର ନାମ ॥
ତାହାକୁ ଅଧିରାଜ୍ୟେ ସ୍ଥାପି ।ଧ୍ରୁବ ଯେ ଗଲା ଶୂନ୍ୟେ ବ୍ୟାପି ॥
ସେ ବସି ରାଜାର ଆସନେ ।ଉତ୍ତମ ରତ୍ନ ସିଂହାସନେ ॥
ସୁଖ ନ ଲଭି ଦୁଃଖ ମନେ ।ପିତାର ଯାତ୍ରା ଶୁଣି କର୍ଣ୍ଣେ ॥
ସେ ଯେ ସ୍ୱଭାବେ ଆତ୍ମଜ୍ଞାନୀ ।ସମଦରଶୀ ବୁଦ୍ଧି ଘେନି ॥
ଦେଖଇ ସର୍ବଭୂତେ ହରି ।ସ୍ଥାବର ଜଙ୍ଗମାଦି କରି ॥
ଏମନ୍ତ ପଦ ବୋଧରସେ ।ଗୁଣ ପ୍ରବାହେ ସେ ନ ମିଶେ ॥
ଜଡ଼ାନ୍ଧ ଯୋଗୀଙ୍କର ପ୍ରାୟେ ।ଭସ୍ମ ଭୂଷିତ ଶୁଦ୍ଧ ଦେହେ ॥
ବୁଲାଇ ନାନା ମାର୍ଗେ ରୁଚି ।କେ ପାରେ ତାର ଗୁଣ ଲେଖି ॥
ଏମନ୍ତ ତାର ଗୁଣ ଦେଖି ।ବନ୍ଧୁ ବାନ୍ଧବେ ମନେ ଦୁଃଖୀ ॥
ମନ୍ତ୍ରୀ ଅମାତ୍ୟମାନେ ମିଳି ।ରାଜ୍ୟ ରକ୍ଷଣେ ନିତ୍ୟେ ଭାଳି ॥
ବତ୍ସର ତା ଅନୁଜ ନାମ ।ସୁନ୍ଦର ସର୍ବ ଗୁଣ ଧାମ ॥
ତାହାର କୁଶଳ ବିଚାରି ।ସ୍ୱରାଜେ ଅଭିଷେକ କରି ॥
ସ୍ଥାପିଲେ ନୃପତି ଆସନେ ।ଏମନ୍ତେ ଗଲା କେତେଦିନେ ॥
ସୁବିଥୀ ନାମେ ପତ୍ନୀ ତାର ।ଯୋଷିତ ଗଣେ ସେ ଗଭୀର ॥
ତାର ଉଦରେ ପୁତ୍ର ଜାତ ।ହୋଇଲେ ଗୁଣେ ଅପ୍ରମିତ ॥
ପୁଷ୍ପାର୍ଣ୍ଣ ତୀଷ୍ମକେତୁ ନାମ ।ଈଶ ଉର୍ଜ୍ଜ ଯେ ଅନୁପମ ॥
ବସୁ ଜୟ ଯେ ଷଟ ସୁତେ ।ଗୁଣେ ବିଖ୍ୟାତ ଏ ଜଗତେ ॥
ପ୍ରଭା ଦୋଷା ଯେ ବେନି ନାରୀ ।ପୁଷ୍ପାର୍ଣ୍ଣ ତୁଲେ ବିଭାକରି ॥
ସେ ପ୍ରଭା ଗର୍ଭେ ତିନି ସୁତ ।ହୋଇଲେ ଜଗତେ ବିଖ୍ୟାତ ॥
ପ୍ରାତଃ ମଧ୍ୟାହ୍ନେ ସାୟଂକାଳ ।ସ୍ୱଭାବେ ତେଜେ ଅନର୍ଗଳ ॥
ପ୍ରଦୋଷ ଅର୍ଦ୍ଧରାତ୍ର ବ୍ୟୁଷ୍ଟ ।ଦୋଷାର ଗର୍ଭେ ତିନି ସୃଷ୍ଟ ॥
ବ୍ୟୁଷ୍ଟର ପୁତ୍ର ଶୁଷ୍କଋଷି ।ଏକ ଦୁହିତା ଶୁଭ୍ରକେଶୀ ॥
ତାହାର ନାମ ସୁଚାରୁଣୀ ।ଅବଳା ମଧ୍ୟ ଶିରୋମଣି ॥
ରୁନ୍ଧୁଷମନ ତାର ଗର୍ଭେ ।ଜନ୍ମ ହୋଇଲେ ସୃଷ୍ଟି ପୂର୍ବେ ॥
ନଜ୍ୱଳା ଚକ୍ଷୁଷର ନାରୀ ।ରୂପେ ସେ କମଳାକୁ ସରି ॥
ତାର ଉଦରେ ଷଟ ସୁତେ ।ହୋଇଲେ ବିଷ୍ଣୁ ତେଜଯୁକ୍ତେ ॥
ନାମେ ସେ ପୁରୁଷ ପ୍ରକୃତ ।ପଦ ସୁଶ୍ରୟ ଦୃଢ଼ବ୍ରତ ॥
ସେ ଷଟ ପୁତ୍ର ଷଟ ଭାଇ ।ଶୁଣ ତାହାଙ୍କ ନାମ କହି ॥
ଅଗ୍ନି ସୋମକ ଅତିରାତ ।ପ୍ରଦ୍ୟୁମ୍ନ ସମର ଉନ୍ନତ୍ତ ॥
ଉନ୍ମୁତ୍ତ ଆଦି ଷଟସୁତ ।ହୋଇଲେ ମନୁବଂଶେ ଖ୍ୟାତ ॥
ଅଙ୍ଗ ସୁମନ ସ୍ୱାତି ତିନି ।କ୍ରତୁ ଅଙ୍ଗିରାଚୟ ଘେନି ॥
ସୁନିଥା ଯମର ଦୁହିତା ।ଅଙ୍ଗିରା ପତ୍ନୀ ଯେ ସୁବ୍ରତା ॥
ବେଣୁ ତାହାର ଗର୍ଭୁ ଜାତ ।ଶୁଣ ହୋ ତାହାର ଚରିତ ॥
ସେ ପୁଣି ମାତାମହ ଦୋଷେ ।ଦୁଷ୍ଟ ହୋଇଲେ ମନୁବଂଶେ ॥
ତାହାର ଦେଖି ଦୁଷ୍ଟପଣ ।କୋପେ ଶାପିଲେ ମୁନିଗଣ ॥
ପୁଣି ତାହାର ମୃତଗାତ୍ରେ ।ବିପ୍ରେ ମନ୍ଥିଲେ ପୁତ୍ର ଅର୍ଥେ ॥
ଦକ୍ଷିଣ କରେ କୁଶବିଡ଼ି ।ମନ୍ଥନ କଲେ ବେଦ ପଢ଼ି ॥
ପ୍ରଜା ଅନାଥ ଅରାଜକେ ।ଦୁଷ୍ଟ ପୀଡ଼ିତ ଅତିରେକେ ॥
ତା ଦେହୁଁ ପୁଥୁ ନାମେ ହରି ।ଜନ୍ମିଲେ ରାଜ ରୂପ ଧରି ॥
ତା ଶୁଣି ସନ୍ତୋଷେ ବିଦୁର ।ମୁନି ଚରଣେ ଦେଇ କର ॥
ଲୋମ ପୁଲକ ତାର ଦେହୀ ।ସ୍ୱଭାବେ କୃତକୃତ୍ୟ ହୋଇ ॥
ବିଦୁର ଉବାଚଯେ ଅଂଶେ ସାଧୁଶୀଳ ବୁଦ୍ଧି ।ସର୍ବ ଲକ୍ଷଣ ଶ୍ରେଷ୍ଠ ନିଧି ॥
ବ୍ରାହ୍ମଣ ପ୍ରଜା ରକ୍ଷାକାରି ।ସେ ସର୍ବ ଧର୍ମେ ଅଧିକାରୀ ॥
ଯେ ବେଣୁ ନାମେ ତାର ସୁତ ।ଦୁଷ୍ଟ ହୋଇଲେ ସେ କେମନ୍ତ ॥
ପ୍ରଜାଏ ରାଜା ଦୁଷ୍ଟ ପଣେ ।ଭୟେ ପଶିଲେ ଘୋରବନେ ॥
କିମ୍ପା ବ୍ରାହ୍ମଣ କୋପ କଲେ ।ତାହାକୁ ବ୍ରହ୍ମଦଣ୍ଡ ଦେଲେ ॥
ସେ ବିପ୍ରବର ସର୍ବଜ୍ଞାତା ।ଆଗମ ନିଗମ କରତା ॥
ଏତେ ଅନ୍ୟାୟ କିମ୍ପା କଲେ ।ରାଜାଙ୍କୁ ଘୋର ଶାପଦେଲେ ॥
ରାଜାଙ୍କ ଶରୀର ନିଶ୍ଚଳେ ।ବସନ୍ତି ସର୍ବଦିଗପାଳେ ॥
ସେ ରାଜା ବିଷ୍ଣୁ ତେଜ ବହି ।ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ ॥
ଯମର ସୁତାସୁତ ଯେଣୁ ।ଦୁଷ୍ଟ ହୋଇଲେ ଅବା ତେଣୁ ॥
ଏ କଥା କହ ମୁନି ମୋତେ ।ସଂଶୟ ନ ରହୁ ମୋ ଚିତ୍ତେ ॥
ମୈତ୍ରେୟ ଉବାଚଶୁଣ ହେ ବେଣୁ ଦୁଷ୍ଟପଣ ।କହିବା ଦାନର ଲକ୍ଷଣ ॥
ଅଙ୍ଗ ଯେ ଅଶ୍ୱମେଧ କଲା ।ଉତ୍ତମ ଋଷିଙ୍କୁ ବରିଲା ॥
ସକଳେ ମିଳି ବେଦ ନାଦେ ।ଅନଳ ପୂଜିଲେ ସମିଧେ ॥
ଯଜ୍ଞକୁଣ୍ଡକୁ ବିପ୍ରେ ଚାହିଁ ।ଦେଖିଲେ ଦେବଗଣେ ନାହିଁ ॥
ଇନ୍ଦ୍ରାଦି ଦଶଦିଗ ପାଳେ ।ଯଜ୍ଞରେ କେହି ନ ମିଳିଲେ ॥
ଦେଖି ବିସ୍ମୟ ମୁନିଜନେ ।ନିକଟେ ରାଇ ଯଜମାନେ ॥
ବୋଇଲେ ରାଜା ମୁଖ ଚାହିଁ ।ଏ ଯଜ୍ଞ କରୁ କିସପାଇଁ ॥
ପବିତ୍ର ବସ୍ତୁ ଶୁଦ୍ଧ କରି ।ଅନଳେ ନିଗମ ଉଚ୍ଚାରି ॥
ଆମ୍ଭେ ସକଳେ ଧ୍ରୁବବ୍ରତା ।ଦ୍ୱିଜ ସ୍ୱଭାବେ ଶୁଦ୍ଧଚେତା ॥
ମନ୍ତ୍ର ଉଚ୍ଚାରି ଆମ୍ଭେ ତୁଣ୍ଡେ ।ଆହୁତି ଦେଲୁ ଯଜ୍ଞ କୁଣ୍ଡେ ॥
ଦେବେ ନଇଲେ କେଉଁଭାବେ ।ତାର ପ୍ରସ୍ତାବ କହ ଏବେ ॥
ସକଳ କର୍ମ ସାକ୍ଷୀ ଦେବେ ।କିମ୍ପା ନଇଲେ ଯଜ୍ଞଭାଗେ ॥
ମୈତ୍ରେୟ ଉବାଚଅଙ୍ଗ ଯେ ବିପ୍ର ମୁଖୁଁ ଶୁଣି ।ସ୍ୱଧର୍ମେ ବିପ୍ରେ ପରିମାଣ ॥
ସଭା ଜନଙ୍କ ମୁଖ ଚାହିଁ ।ଏ ଯଜ୍ଞ କଲୁ କିସ ପାଇଁ ॥
ଅଙ୍ଗରାଜା ଉବାଚକି ମନ୍ଦ କର୍ମ ମୋର ଅଛି ।ଭୋ ବିପ୍ର କହ ଧର୍ମ ଲେଖି ॥
ଦେବେ ନଇଲେ ଯଜ୍ଞଭାଗେ ।କାରଣ କହ ମୋର ଆଗେ ॥
ଏମନ୍ତେ ରାଜା ମୁଖୁଁ ଶୁଣି ।ସ୍ୱଧର୍ମେ ବିପ୍ର ପରିମାଣି ॥
ମୁନିରୁବାଚବୋଇଲେ ରାଜା ମୁଖ ଚାହିଁ ।ତୋ ଦେହେ କିଛି ପାପ ନାହିଁ ॥
ପୂର୍ବ ଅର୍ଜିତ କର୍ମଫଳେ ।ସନ୍ତତି ନାହିଁ ତୋର କୁଳେ ॥
ଅପୁତ୍ର ଦୋଷେ ଦେବଗଣେ ।ନଇଲେ ଯଜ୍ଞ ନିମନ୍ତ୍ରଣେ ॥
ତୁ ଏବେ ପୁତ୍ରଯଜ୍ଞ କର ।ଯଜ୍ଞେ ଯଜ୍ଞପୁରୁଷ ବର ॥
ତେବେ ସକଳ ଦେବଗଣ ।ତୋ ଯଜ୍ଞେ ହୋଇବେ ବରଣ ॥
ସେ ବିଷ୍ଣୁ ହବିର୍ଭାଗ ଖାଇ ।ତୋହର ଯଜ୍ଞେ ତୋଷ ହୋଇ ॥
ସେ ହରି ପୁତ୍ର ଦେବେ ତୋତେ ।ସଂସାରୁ ତରିବୁ ଯେମନ୍ତେ ॥
ମୈତ୍ରେୟ ଉବାଚଏମନ୍ତେ ସଭାବାକ୍ୟ ଶୁଣି ।ସେ ଅଙ୍ଗରାଜ ମନେ ଗୁଣି ॥
ଯଜ୍ଞେ ଯଜ୍ଞପୁରୁଷ ତୁଣ୍ଡେ ।ଆହୁତି ଦେଲେ ହୋମ କୁଣ୍ଡେ ॥
ତକ୍ଷଣେ ହୋମକୁଣ୍ଡୁ ଜାତ ।ପୁରୁଷେ ହୋଇଲା ସମ୍ଭୂତ ॥
ହୃଦେ ଲମ୍ବଇ ହେମ ହାର ।କଟୀରେ ଶୋହେ ପୀତାମ୍ବର ॥
ଶଙ୍ଖ କମଳ ଚତୁର୍ଭୁଜେ ।କୋଟି କନ୍ଦର୍ପ ଜିଣି ରାଜେ ॥
ସୁବର୍ଣ୍ଣ ପାତ୍ର କରେ ଧରି ।ପୂରେ ଅମୃତମୟ କ୍ଷିରୀ ॥
ବିପ୍ରଙ୍କ ବାକ୍ୟେ କ୍ଷିରୀପାତ୍ର ।ଘେନିଣ ପୁରୁଷ ଅଦ୍ଭୁତ ॥
ସେ ତେଜ ଗଞ୍ଜେ ଦିବ୍ୟକାନ୍ତି ।ଘେନିଣ ବିପ୍ରେ କଲେ ନୀତି ॥
ଷୋଡ଼ଶ ଉପଚାର ଯୁକ୍ତେ ।ଯଜ୍ଞେ ପୂଜିଲେ ଜଗନ୍ନାଥେ ॥
ବିଷ୍ଣୁଙ୍କୁ ପୂଜି ଯଜ୍ଞବାକ୍ୟେ ।ବର କଳ୍ପିଲେ ଯଥାଯୁକ୍ତେ ॥
ଯାଜ୍ଞିକ ମନ ଜାଣି ହରି ।କହନ୍ତି ଶଙ୍ଖ ଚକ୍ରଧାରୀ ॥
ଯଜ୍ଞପୁରୁଷ ଉବାଚଶୁଣ ଉତ୍ତମ ବିପ୍ରଗଣେ ।ଏ ରାଜା ସନ୍ତତି କାରଣେ ॥
ମୋତେ ପୂଜିଲା ଯଜ୍ଞମତେ ।ତୁମ୍ଭର କାମ ସାଧ୍ୟ ଅର୍ଥେ ॥
ଅସ୍ତୁ ହୋଇବ ବାଞ୍ଛାଫଳ ।ମୋ ଅବଶେଷ ଯେ ନିର୍ମାଲ୍ୟ ॥
ଏହାକୁ ଦିଅ ରାଜା ହସ୍ତେ ।ଆଘ୍ରାଣ କରି ନାସାଗ୍ରତେ ॥
ପତ୍ନୀ ଭୁଞ୍ଜିବ ତାର ଯେବେ ।ସୁପୁତ୍ର ହେବ ତାର ଗର୍ଭେ ॥
ମୈତ୍ରେୟ ଉବାଚଏମନ୍ତେ କହି ଜନାର୍ଦ୍ଦନ ।ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ ॥
ଯଜ୍ଞପୁରୁଷ ଆଜ୍ଞା ଘେନି ।ବ୍ରାହ୍ମଣେ କଲେ ଜୟଧ୍ୱନି ॥
ସୁବର୍ଣ୍ଣ ପାତ୍ର କରେ ଧରି ।ପୁରେ ଅମୃତମୟ କ୍ଷିରୀ ॥
ବିପ୍ରଙ୍କ ବାକ୍ୟେ କ୍ଷୀରି ପାତ୍ର ।କରେ ଘେନିଲେ ନୃପନାଥ ॥
ଆଘ୍ରାଣ କରି ନାସାଦ୍ୱାରେ ।ଦେଲେ ଯେ ନିଜପତ୍ନୀ କରେ ॥
ସେ ପୁଂସବନ କ୍ଷିରୀ ଆଣି ।ରହି ଭୁଞ୍ଜିଲା ତା ଘରଣୀ ॥
ତକ୍ଷଣେ ପୁଂସବନ ଭାବେ ।ପୁତ୍ର ରହିଲା ତାର ଗର୍ଭେ ॥
ସେ ଗର୍ଭ ତାର ଉପଗତେ ।କୁମରେ ଜନ୍ମିଲେ ଅଦ୍ଭୁତେ ॥
ଦିନକୁ ଦିନ ସେ ବଢ଼ିଲା ।ମାତାର ଅଂଶ ନ ଛାଡ଼ିଲା ॥
ସ୍ୱଭାବେ ହୋଇ ଅଧାର୍ମିକ ।କ୍ଷତ୍ରୀୟ ଭାବେ ଅବିବେକ ॥
ନିରତେ ଧନୁଶର ଧରି ।ବନେ ମୃଗୟା ନିତ୍ୟକରି ॥
ତୁଲ୍ୟ ବୟସ ଶିଶୁ ମେଳେ ।ଯେବେ ଖେଳଇ କୁତୁହଳେ ॥
ତାହାଙ୍କୁ ଦୁଷ୍ଟପଣେ ଦୃଢ଼େ ।ଚରଣେ ଚାପି ମୁଣ୍ଡ ମୋଡ଼େ ॥
ଏମନ୍ତେ ତାର ଦୁଷ୍ଟ ପଣ ।ରାଜାର ଅଗ୍ରେ ପ୍ରଜାଜନ ॥
ରୋଦନ କରି ଉଚ୍ଚ ତୁଣ୍ଡେ ।କର ଅଞ୍ଜଳି ଦେଇ ମୁଣ୍ଡେ ॥
କହନ୍ତି ବେଣୁ ଦୁଷ୍ଟ ପଣ ।ରୋଦନ କରି ପ୍ରଜାଗଣ ॥
ଏମନ୍ତେ ପୁତ୍ର ଗୁଣ ଶୁଣି ।ବଳେ ପୁତ୍ରକୁ ଘରେ ଆଣି ॥
ନାନା ପ୍ରକାରେ ଧର୍ମ କହି ।ଅନେକ ମତରେ ବୁଝାଇ ॥
ଶୁଣନ୍ତେ ନାନା କୋପ କରେ ।ପିତାର ବଚନ ନ ଧରେ ॥
ଦିନକୁ ଦିନ ଦୁଷ୍ଟ ପଣେ ।କୋପ ବହିଲେ ପ୍ରଜାଗଣେ ॥
ଅଙ୍ଗ ତାହାର କର୍ମ ଦେଖି ।ଭାଳଇ ଅତି ଦୁଃଖେ ଦୁଃଖୀ ॥
ସୁପୁତ୍ର କୁପୁତ୍ର ବିଚାରେ ।ଚିତ୍ତ ନ ରହେ ତାର ଘରେ ॥
ରଜନୀ ଅର୍ଦ୍ଧେ ନୃପବର ।ମନ୍ଦିରୁ ହୋଇଲା ବାହାର ॥
ବନେ ପଶିଲା ନରପତି ।କେହି ନ ଜାଣେ ତାର ଗତି ॥
ତାହାର ପାତ୍ର ମନ୍ତ୍ରୀଗଣେ ।ଅନେକ ଖୋଜି ଘୋରବନେ ॥
ନ ଦେଖି ନଗରେ ମିଳିଲେ ।ଅନେକ ପ୍ରକାରେ ଭାଳିଲେ ॥
କହଇ ବିପ୍ର ଜଗନ୍ନାଥ ।ଭାଷା ପ୍ରବନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ଅରାଜ୍ୟ କରଣେବେଣୁଜନ୍ମନି ନାମ ପଞ୍ଚଦଶୋଽଧ୍ୟାୟଃ ।