ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୨ / ୧୨
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଅଧ୍ୟାୟ
ବିଦୁର ଉବାଚଯେ ଶିବ ସାଧୁଙ୍କର ଶ୍ରେଷ୍ଠ ।ତା ସଙ୍ଗେ ଦକ୍ଷ କଲା ହଟ ॥
ଦୁହିତା ବତ୍ସଳ ସ୍ୱଭାବେ ।ସତୀକୁ ଦେଇଅଛି ଭବେ ॥
କିମ୍ପା ଅନୀତି ବିଚାରିଲା ।ସତୀକୁ ଅନାଦର କଲା ॥
ସଚରାଚର ଗୁରୁ ହର ।ସେ ଆତ୍ମାରାମ ଯଜ୍ଞେଶ୍ୱର ॥
ଶାନ୍ତି ନିଗ୍ରହ ନିର୍ବିକାର ।ଅଦ୍ଭୁତ ମହିମା ଯାହାର ॥
ସମ ସୁହୃଦ ଶୁଦ୍ଧଚିତ୍ତ ।ଜଗତବନ୍ଧୁ ବିଶ୍ୱନାଥ ॥
ତାଙ୍କୁ ଅବଜ୍ଞା କିମ୍ପା କଲା ।କେବା ତାହାକୁ ଶିକ୍ଷା ଦେଲା ॥
ଜାମାତା ଶ୍ୱଶୁର ସମ୍ୱନ୍ଧେ ।କେବା ସାଧିଲା ବୁଦ୍ଧି ଭେଦେ ॥
ଶିବଙ୍କୁ ଅନାଦର କଲା ।ସେ ଭାବେ ସତୀ ପ୍ରାଣ ଦେଲା ॥
ଏ ବାଣୀ ଶୁଣି ମୋର ମନ ।ଚଞ୍ଚଳ ଭାବେ ହୁଏ ଛନ୍ନ ॥
ଭୋ ମୁନି କରି ବାରେ ସ୍ନେହ ।କହିବା ନ ରହୁ ସନ୍ଦେହ ॥
ମୈତ୍ରେୟ ଉବାଚଶୁଣ ବିଦୁର ଶାସ୍ତ୍ରଯୋଗେ ।ସୃଷ୍ଟିର ପୂର୍ବେ ଦକ୍ଷ ଯଜ୍ଞେ ॥
ଯଜ୍ଞ ଆରମ୍ଭ ଆଚରଣେ ।ମିଳିଲେ ସର୍ବ ଦେବଗଣେ ॥
ଅଶେଷ ମୁନିଙ୍କର ମେଳେ ।ମିଳିଲେ ଦଶଦିଗ ପାଳେ ॥
ଯକ୍ଷ କିନ୍ନର ନାଗକୁଳ ।ମିଳିଲେ ତୃତୀୟ ଅନଳ ॥
ପିତୃ ଦେବତା ଗଣ ଆଦି ।ଯେତେ ମହାଯଜ୍ଞ ସମ୍ପାଦି ॥
ଏମନ୍ତ ସୁରଗଣ ଯେତେ ।ମିଳିଲେ ବ୍ରହ୍ମାର ଅଗ୍ରତେ ॥
ସୁର କିନ୍ନର ସର୍ବମୁନି ।ଦକ୍ଷକୁ ସର୍ବେ ସଙ୍ଗେ ଘେନି ॥
ସେ ଦକ୍ଷ ନିଜ ବ୍ରହ୍ମତେଜେ ।ସୁନ୍ଦରେ ତ୍ରିଭୁବନ ଗଞ୍ଜେ ॥
ଆଦିତ୍ୟ ପ୍ରାୟେ ଦେହକାନ୍ତି ।ମଣି କଙ୍କଣ ଝଟକନ୍ତି ॥
ବ୍ରହ୍ମାର ସଭା ମଧ୍ୟଗତେ ।ଥିଲେ ଯେ ତିମିର ଆୟତ୍ତେ ॥
ଦକ୍ଷର ତେଜେ ତମ ଗଲା ।ସେ ସଭା ନିର୍ମଳ ଦିଶିଲା ॥
ଦେବଙ୍କ ମଧ୍ୟେ ଦକ୍ଷ ଦେଖି ।ଉଠିଲେ ଆସନ ଉପେକ୍ଷି ॥
ମଧ୍ୟେ ଯେ ବ୍ରହ୍ମା ଶିବ ଥିଲେ ।ଦକ୍ଷକୁ ଦେଖି ନ ଉଠିଲେ ॥
ସେ ସଭା ମଧ୍ୟେ ମୁନି ଯେତେ ।ଆନନ୍ଦେ ଭଜି ଶୁଦ୍ଧଚିତ୍ତେ ॥
ରୋମାଞ୍ଚ ଅଶ୍ରୁ ଜଳେ ନେତ୍ରେ ।ଅଞ୍ଜଳି କରି କରପତ୍ରେ ॥
ଦକ୍ଷକୁ ସାଧୁ ସାଧୁ ବାଣୀ ।ଭାବେ କରନ୍ତି ପୁଣି ପୁଣି ॥
ସେ ଦକ୍ଷ ସଭା ମଧ୍ୟେ ଗଲା ।ବ୍ରହ୍ମା ଚରଣେ ପ୍ରଣମିଲା ॥
ସେ ବ୍ରହ୍ମା କୃତକୃତ୍ୟ ହୋଇ ।ଦକ୍ଷକୁ ଆଲିଙ୍ଗନ ଦେଇ ॥
ନେଇ ସମୀପେ ବସାଇଲେ ।ଅନେକ ପୁରସ୍କାର ଦେଲେ ॥
ରୁଦ୍ର ଯେ ସଭା ମଧ୍ୟେ ଥିଲେ ।ଦକ୍ଷକୁ ଦେଖି ନ ଉଠିଲେ ॥
ଦେଖିଣ ରୁଦ୍ର ଅପମାନ ।ଦକ୍ଷର ଚିତ୍ତେ ମହାତମ ॥
ସେ ଦକ୍ଷ ସଭାରେ ଶ୍ୱଶୁର ।ତାକୁ ନ ଗଣିଲେ ଈଶ୍ୱର ॥
ଅବଜ୍ଞା ଦୋଷେ ସେ ପ୍ରଚଣ୍ଡ ।ଯେହ୍ନେ ଉଦିତ ମାରତଣ୍ଡ ॥
କର ପ୍ରସାରି ସଭା ମଧ୍ୟେ ।କୋପେ କହଇ ଶାସ୍ତ୍ର ବାଦେ ॥
ଶୁଣ ହେ ବ୍ରହ୍ମଋଷିଗଣ ।ଆଗମ ନିଗମ ପ୍ରମାଣ ॥
ତୁମ୍ଭେ ଯେ ସଭାମଧ୍ୟେ ଅଛ ।ଏବେ ତ ଦେଖିଲ ପ୍ରତ୍ୟକ୍ଷ ॥
ଶାସ୍ତ୍ର ତୁମ୍ଭର ବାକ୍ୟ ଯେତେ ।ଯେ ସଦାଚାର ଏ ଜଗତେ ॥
କେ ଲଂଘିପାରେ ତାହା ବଳେ ।ଏ ତିନିଭୁବନ ମଣ୍ଡଳେ ॥
ଦେଖ ଏ ତୁମ୍ଭର ବଚନ ।ଲଘିଂଲା ବିକଟଲୋଚନ ॥
ରୁଦ୍ର ବୋଲାଇ ଗର୍ବ କଲା ।ଏ ମୋତେ ଦେଖି ନ ଉଠିଲା ॥
ଦେଖ ଏ ଲୋକପାଳ ମଧ୍ୟେ ।ନିର୍ଭୟ ନିରାତପବାଦେ ॥
ଯେ ସାଧୁ ସନ୍ଥ ଆଚରଣ ।କି ଭାବେ କଲା ଏ ଦୂଷଣ ॥
ମୋହର ଶିଷ୍ୟ ଏ ବୋଲାଇ ।ଯେଣୁ ଦୁହିତା ଦେଲି ମୁହିଁ ॥
ଅଗ୍ନି ଦେବତା ବିପ୍ରସ୍ଥାନ ।ଦୁହିତା କରିଛି ପ୍ରଦାନ ॥
ଏଣୁ ମୁଁ ଏହାର ଶ୍ୱଶୁର ।ଗୁରୁଙ୍କ ମଧ୍ୟେ ଗୁରୁବର ॥
ଆଧି ଉପାଧି ଅତିବାଦେ ।ଧର୍ମେ ନମିବ ମୋର ପାଦେ ॥
ମାନ୍ୟ ନ କରି ମୋ ଚରଣେ ।ଅବଜ୍ଞା କଲା ଦୁଷ୍ଟପଣେ ॥
ମର୍ଯ୍ୟାଦା ଭେଦ ଅଭିମାନୀ ।ବର୍ତ୍ତଇ ଶୂଦ୍ର ଦେହ ଘେନି ॥
ଏହା ମୁଁ ନ ଜାଣିଲି ଜ୍ଞାନେ ।ବିଶ୍ୱାସି ବ୍ରହ୍ମାର ବଚନେ ॥
ଦୁହିତା ଦାନ ଦେଲି ମୁହିଁ ।ଶୂଦ୍ରକୁ ଯେହ୍ନେ ବେଦ କହି ॥
ଅପାତ୍ରେ ଦେଲା ଫଳ ଯେତେ ।ଏବେ ବୋଧିଲି ଯଥାଅର୍ଥେ ॥
ଶ୍ମଶାନବାସୀ ଏ ଯୁକତେ ।ବର୍ତ୍ତଇ ଭୂତ ପ୍ରେତ ସାଥେ ॥
ଉନ୍ନତ ପ୍ରାୟ ନଗ୍ନ ହୋଇ ।ଶ୍ମଶାନେ ନିରତେ ଭ୍ରମଇ ॥
ଜଟା ସହିତ ମୁକ୍ତକେଶେ ।ଶ୍ମଶାନେ ଭ୍ରମେ ଧୂମ ବେଶେ ॥
ଉନ୍ନତ ଭୋଳ ହାସ୍ୟ ମୁଖେ ।ନିତ୍ୟେ ବଞ୍ଚଇ ଦୁଖଶୋକେ ॥
ପତ୍ନୀର ଉପଦେଶ ଫଳେ ।ନିତ୍ୟେ ଭ୍ରମନ୍ତି ଅନ୍ତରାଳେ ॥
ଅଶିବଗଣ ନିତ୍ୟେ ସାଧ ।ଏଣୁ ଆଶିବ ଶିବ ବାଦ ॥
ପ୍ରମତ୍ତ ମତ୍ତଜନ ପ୍ରାୟେ ।ଏଣୁ ଅଶୁଚି ଦେହ ବହେ ॥
ପ୍ରଥମ ଭୂତଗଣ ପତି ।ନିତ୍ୟେ ତାମସ ବହେ ମତି ॥
ଏଣୁ ତପସ୍ୱୀ ଜନପ୍ରିୟ ।ନିତ୍ୟେ ନିନ୍ଦିତ ଏହା ଦେହ ॥
ନପୁଂସ ଅଟେ ଏ ଦୁର୍ମତି ।ଦୁର୍ହୃଦ ପ୍ରାୟେ ଦେହମତି ॥
ସ୍ୱମତ ନ ଜାଣି ଅଜ୍ଞାନେ ।ବିଶ୍ୱାସି ବ୍ରହ୍ମାର ବଚନେ ॥
ଏହାକୁ ସତୀ କନ୍ୟା ଦେଲି ।ଦୁଷ୍ଟେ ଅନୀତି ଆଚରିଲି ॥
ମୈତ୍ରେୟ ଉବାଚଏମନ୍ତେ କୁତ୍ସିତ ବଚନେ ।ସେ ପ୍ରଜାପତି କୋପମନେ ॥
ଦୁର୍ହୃଦ ପ୍ରାୟେ ଆଚରିଲେ ।ଗିରୀଶେ ବହୁ ନିନ୍ଦା କଲେ ॥
ତକ୍ଷଣେ ଉଠି କୋପାନଳେ ।ସ୍ୱହସ୍ତେ ଦତ୍ତ ଘେନି ଜଳେ ॥
ଭୃଗୁର ବଚନ ସମେତେ ।ହରଙ୍କୁ ଶାପ ଦେବା ଅର୍ଥେ ॥
ଦକ୍ଷ ଉବାଚଇନ୍ଦ୍ର ଉପେନ୍ଦ୍ର ଆଦି ଯେତେ ।ଅଶେଷ ଦେବଙ୍କ ସମେତେ ॥
ଅଶେଷ ଦେବ ଯଜ୍ଞଭାଗ ।କେବେହେଁ ହର ନ ଲଭିବ ॥
ଏ କଥା ମୋହର ପ୍ରମାଣ ।ଏଥକୁ ସାକ୍ଷୀ ନାରାୟଣ ॥
ଏ ଦେବଗଣଙ୍କ ଅଧମ ।ଆତ୍ମାକୁ ମଣେ ସର୍ବ ସମ ॥
ଦକ୍ଷକୁ ଚାହିଁ ଦେବଲୋକେ ।ନିଷେଧ କଲେ ଏକେ ଏକେ ॥
ସେ ଦକ୍ଷ କୋପେ ଅଭିମାନୀ ।ଶାପ ଯେ ଦେଲା ଦୋଷଘେନି ॥
ଅତ୍ୟନ୍ତ କୋପେ ଶାପ ଦେଲା ।ଋଷିଙ୍କ ବଚନ ନ କଲା ॥
ଶିବଙ୍କୁ କୋପେ ଶାପ ଦେଇ ।ଅତ୍ୟନ୍ତ କ୍ରୋଧ ମନେ ବହି ॥
ବ୍ରହ୍ମାର ସଭାରୁ ବାହାର ।ତକ୍ଷଣେ ଯାନ୍ତେ ନିଜପୁର ॥
ନନ୍ଦୀ ଯେ ରୁଦ୍ରପାଶେ ଥିଲା ।ଦକ୍ଷର ଶାପ ସେ ଶୁଣିଲା ॥
ରୋଷେ ସେ କୃତାନ୍ତ ନୟନ ।ଦକ୍ଷର ଶାପେ କୋପମନ ॥
ଦକ୍ଷକୁ ପ୍ରତିଶାପ ଦେଇ ।କହଇ ସଭା ମୁଖ ଚାହିଁ ॥
ଦକ୍ଷର ଯେତେ ମତେ ଥିବେ ।ଏ ଶାପ ଭଲେ ସେ ଲଭିବେ ॥
ଦକ୍ଷକୁ ଯେବେ ଆରାଧିବେ ।ବିଷ୍ଣୁର ଦ୍ରୋହ ସେ ଲଭିବେ ॥
ଏ କୂଟ ଗୃହଧର୍ମ ମଧ୍ୟେ ।ବିଷୟ ଭୋଗ ଇଚ୍ଛା ସଧେ ॥
ବିସ୍ତାରି ଯଜ୍ଞ କର୍ମକାଣ୍ଡେ ।ଯେ ଏହା ବଖାଣିବ ତୁଣ୍ଡେ ॥
ପଶୁଙ୍କ ପ୍ରାୟ କରି ଆଶ ।ଯେବା କରନ୍ତି ଅନ୍ନଗ୍ରାସ ॥
ଅବିଦ୍ୟା ମାର୍ଗେ ବିଦ୍ୟା କଳ୍ପି ।ଲାଭ ଅଲାଭେ ଚିତ୍ତ ସ୍ଥାପି ॥
ପଶୁ ହିଂସନେ ଦୃ୍ଢଚିତ୍ତ ।ଅଜ୍ଞାନ ବଳେ ଏ ମୋହିତ ॥
ଅଶେଷ ଯଜ୍ଞ କର୍ମ କରି ।ଏ ରୁଦ୍ରଭାବ ନ ଆଦରି ॥
ଯେ ବିପ୍ରବ୍ରତ ଧର୍ମକେତୁ ।ଅଶେଷ କର୍ମଫଳ ହେତୁ ॥
ଚିତ୍ତ ଇନ୍ଦ୍ରିୟ ଦେହେ ଭ୍ରମି ।ଚାତକ ପ୍ରାୟେ ଶ୍ରମେ ଭ୍ରମି ॥
ଭ୍ରମଇ ଇହ ପରଲୋକେ ।ଅରୁଦ୍ର ମାର୍ଗେ ଅତିରେକେ ॥
ଏମନ୍ତ ଶାପ ଦେବା କାଳେ ।ସେ ନନ୍ଦୀଶ୍ୱର କୋପାନଳେ ॥
ଭୃଗୁ ସେ ସଭା ମଧ୍ୟେ ଥିଲେ ।ନନ୍ଦୀର ବଚନ ଶୁଣିଲେ ॥
ଦକ୍ଷର ମତେ ପକ୍ଷ ଧରି ।ରୁଦ୍ର ବିଷୟେ କୋପକରି ॥
ଯେ ଶିବବ୍ରତ ଏ ଜଗତେ ।କରିବ ଶିବର ଆୟତ୍ତେ ॥
ସେ ବ୍ରହ୍ମଦଣ୍ଡ ଦୁରତ୍ୟୟ ।ସ୍ୱଭାବେ ଭୃଗୁ ମହାଶୟ ॥
ମୋହର ଶାସ୍ତ୍ର ଅନାଦରି ।ପାଷାଣ୍ଡ ହୋନ୍ତୁ ତମ ଧରି ॥
ତକ୍ଷଣେ ଜଳହସ୍ତେ ଘେନି ।ସଭା ସମୂହେ ଉଚ୍ଚେ ବାଣୀ ॥
କହଇ ହସ୍ତେ ଜଳଧରି ।ହୃଦୟେ କୋପାନଳ ଭରି ॥
ଅସୁରୀ ପୁତ୍ର ନଷ୍ଟ ବୁଦ୍ଧି ।ପାଷଣ୍ଡଗଣେ ଯେ ପ୍ରସିଦ୍ଧି ॥
ଭୂଷଣ ଜଟା ଭସ୍ମ ଅସ୍ଥି ।ଶିବ ପୂଜନ୍ତି ଦୃଢ଼ମତି ॥
ବହନ୍ତି ଶିବଦୀକ୍ଷା ହୃଦେ ।ଯେ ଅବା ଦେବାସୁର ମଧ୍ୟେ ॥
ବ୍ରହ୍ମା ବ୍ରାହ୍ମଣ ନିନ୍ଦାକରି ।ନିରତେ ଶିବଦୀକ୍ଷା ଧରି ॥
ଶିବର ପଥ ସନାତନ ।ଯେ ଅବା ଆଚରିବ ଜନ ॥
ଅନ୍ତେ ପାଷାଣ୍ଡ ଗତି ହେଉ ।ବିଷ୍ଣୁ ନିନ୍ଦନ ଜ୍ଞାନ ବହୁ ॥
ଏମନ୍ତେ ଭୃଗୁ ବାକ୍ୟ ଶୁଣି ।ସଭାର ମଧ୍ୟେ ଶୂଳପାଣି ॥
ବିମନ ହୋଇ ବେଗେ ଉଠି ।ଅନଳ ପ୍ରାୟେ କୋପ ଦୃଷ୍ଟି ॥
ଶିବଗଣଙ୍କୁ ଘେନି ସଙ୍ଗେ ।ମିଳିଲେ ନିଜସ୍ଥାନ ମାର୍ଗେ ॥
ଶିବ ଗମନେ ମୁନିଗଣେ ।ଆଗମ ନିଗମ ପ୍ରମାଣେ ॥
ସହସ୍ର ମୁନି ମୋକ୍ଷଗଣେ ।ଯେ ଯଜ୍ଞ ବିଧାନ ପ୍ରମାଣେ ॥
ବିଷ୍ଣୁର ପୂଜାବିଧି ସାରି ।ଯଜ୍ଞାବଭୃତେ ସ୍ନାନ କରି ॥
ଜାହ୍ନବୀ ଜଳେ କରି ସ୍ନାନ ।ବିପ୍ରେ ଗମିଲେ ଯେଝାସ୍ଥାନ ॥
ସେ ବ୍ରହ୍ମଯଜ୍ଞେ ନମୋଽସ୍ତୁତେ ।ଭାଷା ପ୍ରବନ୍ଧେ ଭାଗବତେ ॥
ଚତୁର୍ଥସ୍କନ୍ଧେ ସେ ଉଦିତ ।ହରି ଭକତ ଜନହିତ ॥
ବିଷ୍ଣୁ ଚରିତ ସୁଧାରସ ।କହଇ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ହର ପ୍ରଜାପତି ସମ୍ୱାଦେନାମ ଦ୍ୱିତୀୟୋଽଧ୍ୟାୟଃ ।
ତୃତୀୟ ଅଧ୍ୟାୟ
ମୈତ୍ରେୟ ଉବାଚଶୁଣ ବିଦୁର ଏକମନେ ।କାଳର ଗତି ସାବଧାନେ ॥
ଜାମାତା ଶ୍ୱଶୁର ସମେତେ ।ବିବାଦ ଆଚରିଲେ ଯେତେ ॥
କମଳଯୋନି ଯେତେବେଳେ ।ଦକ୍ଷକୁ ଶୁଭଲଗ୍ନ ଦେଲେ ॥
ସକଳ ମୁନି ମନୁଗଣେ ।ସ୍ଥାପିଲେ ପ୍ରଜାପତି ପଣେ ॥
ଦକ୍ଷକୁ ପୂଜି ଅଭିଷେକେ ।ପୁଣି କହିଲେ ଏକେ ଏକେ ॥
ତୁମ୍ଭ ସକଳ ମଧ୍ୟେ ଏହୁ ।ପାଳନେ ପ୍ରଜାପତି ହେଉ ॥
ଦକ୍ଷକୁ କହେ ବେଦବର ।ତୁ ବାଜପେୟ ଯଜ୍ଞ କର ॥
ସେ ଦକ୍ଷ ମନେ ଗର୍ବ କଲା ।ରୋଷେ ରୁଦ୍ରଙ୍କୁ ନ ବରିଲା ॥
ଭୃଗୁଙ୍କୁ କଲେ ପୁରୋହିତ ।ସଙ୍ଗେ ଘେନାଇ ମୁନିସନ୍ଥ ॥
ଯେ ଯଜ୍ଞ ବୃହସ୍ପତି ନାମ ।ଶୁଣିଲା ଯଜ୍ଞଙ୍କ ଉତ୍ତମ ॥
ସେ ଯଜ୍ଞ ଆରମ୍ଭର ବେଳେ ।ସକଳ ମୁନି ଏକମେଳେ ॥
ଯେ ବ୍ରହ୍ମଋଷି ଦେବଋଷି ।ସର୍ବ ଦେବଙ୍କ ସଙ୍ଗେ ବସି ॥
ପିତୃ ଦେବତାଗଣ ଶୂନ୍ୟେ ।ପତ୍ନୀକି ଘେନି ଦିବ୍ୟଯାନେ ॥
ଯଜ୍ଞେ ଗମନ୍ତି ଯୂଥେ ଯୂଥେ ।ଗୀତ ସୁବାଦ୍ୟ ଶୂନ୍ୟପଥେ ॥
ଆକାଶେ ବିମାନ ଗହଳ ।ଚଳନ୍ତେ ଶୁଭେ ମୁଖଗୋଳ ॥
ଏମନ୍ତେ ଶମ୍ଭୁର ଘରଣୀ ।ଆକାଶେ ଶୁଣି ଦେବବାଣୀ ॥
ନିଜ ସଖୀକି ପଚାରିଲା ।ତାହାର ବଦନୁ ଶୁଣିଲା ॥
ତୋର ପିତାର ମହାଯଜ୍ଞେ ।ଦେବେ ଗମନ୍ତି ଶୂନ୍ୟମାର୍ଗେ ॥
ନିଜ କାମିନୀ ଘେନି ସଙ୍ଗେ ।ବିମାନେ ଯାନ୍ତି ନାନାରଙ୍ଗେ ॥
ତିନି ଭୁବନେ ଯେତେ ଜନେ ।ଯଜ୍ଞେ ଗମନ୍ତି ତୋଷମନେ ॥
ଦିବ୍ୟ ଅଳଙ୍କାର ଭୂଷଣେ ।ବିମାନେ ବସି ବଧୂଗଣେ ॥
ସ୍ୱାମୀଙ୍କ ସଙ୍ଗେ ଯେ ଚଳନ୍ତି ।ଦେଖ ଗମନ୍ତି ପନ୍ତି ପନ୍ତି ॥
ନକ୍ଷତ୍ରଗଣ ପ୍ରାୟେ ଶୋଭା ।କିବା ଉପମା ଅନ୍ୟେ ଦେବା ॥
ତା ଶୁଣି ଗଗନକୁ ଚାହିଁ ।ଅମ୍ବିକା ମନେ ବିଚାରଇ ॥
ଦେଖ ଅଭାଗ୍ୟ କର୍ମ ମୋର ।ମୋହର ସ୍ୱାମୀ ମହେଶ୍ୱର ॥
ମୋହର ପିତା ଯଜ୍ଞକାଳେ ।ମୁହିଁ ନିରାଶ କର୍ମଫଳେ ॥
ମୋର ସ୍ୱାମୀଙ୍କି ନ ବରିଲା ।ଅବହେଳନ ମୋତେ କଲା ॥
ମୋର ମାତାର ଦୟା ନାହିଁ ।କେ ଅବା ସହୁ ଦେହବହି ॥
ଏମନ୍ତ ଭାଳି ଦେବୀ ମନେ ।ମିଳିଲେ ସ୍ୱାମୀ ସନ୍ନିଧାନେ ॥
ହୃଦୟେ ଶୋକଭର ହୋଇ ।କହନ୍ତି ରୁଦ୍ର ମୁଖ ଚାହିଁ ॥
ଭୋ ନାଥ ଶୁଣ ପଶୁପତି ।ତୁମ୍ଭ ଶ୍ୱଶୁର ମୂଢ଼ମତି ॥
ଯଜ୍ଞ ଆରମ୍ଭ ପୁଣ୍ୟକାଳେ ।ତା ଶୁଣି ସର୍ବଦେବ ମିଳେ ॥
ମୁନି ଏ ସପତ୍ନୀକ ହୋଇ ।ଶୂନ୍ୟେ ଗମନ୍ତି ରଥେ ଥାଇ ॥
ଦେଖ ଏ ମୁଖରାବ ଗୋଳ ।ପୂରିତ ଗଗନ ମଣ୍ଡଳ ॥
ଭୋ ନାଥ ଚାଲ ଆମ୍ଭେ ଯିବା ।ପିତାର ଉତ୍ସବ ଦେଖିବା ॥
ଦେଖ ସନ୍ତୋଷେ ଦେବଗଣେ ।ଚଳନ୍ତି ଯଜ୍ଞର କାରଣେ ॥
ଯଜ୍ଞ ଉତ୍ସବ ପିତା ଘରେ ।ମୋର ଭଗିନୀ ସହୋଦରେ ॥
ମିଳିବେ ସ୍ୱାମୀ ଘେନି ସଙ୍ଗେ ।ଯଜ୍ଞ ଦେଖିବେ ନାନା ରଙ୍ଗେ ॥
ମୁହିଁ ତୁମ୍ଭର ସଙ୍ଗେ ଥିବି ।ପିତାର ଉତ୍ସବ ଦେଖିବି ॥
ମାତାଙ୍କୁ ଦେଖିବି ଲୋଚନେ ।ଭଗିନୀଗଣ ସୁଖମନେ ॥
ଭୋ ନାଥ ଆଜ୍ଞା ଦେବା ମୋତେ ।ମୁହିଁ ଚଳିବି ତୁମ୍ଭ ସାଥେ ॥
ତୁମ୍ଭ ଗୋଚରେ ବିଷ୍ଣୁ ମାୟା ।କେ ଜାଣିପାରେ ନାଥ ତାହା ॥
ତଥାପି ନାରୀ ଜନ୍ମ ମୋର ।ମୁଁ କାହୁଁ କରିବି ଗୋଚର ॥
ଦେଖ ପ୍ରଭୁ ଏ ଶୂନ୍ୟପଥେ ।ଦେବେ ଗମନ୍ତି ଯୁଥେ ଯୁଥେ ॥
ଯେସନେ ରାଜହଂସ ପନ୍ତି ।ବିମାନ ମଧ୍ୟେ ଶୂନ୍ୟେ ଯାନ୍ତି ॥
ମୋର ପିତାର ଘରେ ଯାଇ ।ଯଜ୍ଞ ଦେଖିବେ ସୁଖ ବହି ॥
ମୁଁ ଏହା ସହିବି କେମନ୍ତେ ।ଶରୀର ବହି ଏ ଜଗତେ ॥
ପିତା ଜନନୀ ଭଗ୍ନୀଗଣେ ।ଦିବ୍ୟ ଭୂଷଣ ଆଭରଣେ ॥
ଯଜ୍ଞ ଆରମ୍ଭ ସୁଖ ଭୋଳେ ।ଥିବେ ସକଳେ ଏକମେଳେ ॥
ଭୋ ନାଥ ଶୁଣ ସଦାଶିବ ।ତୁମ୍ଭେ ଅବରଣେ ନ ଯିବ ॥
ମୁଁ ଯିବି ଆଜ୍ଞା ଦିଅ ମୋତେ ।ଆନନ୍ଦ ମନେ ଶୁଦ୍ଧଚିତ୍ତେ ॥
ମୈତ୍ରେୟ ଉବାଚଏମନ୍ତେ ପ୍ରିୟା ମୁଖୁ ବାଣୀ ।ଈଶ୍ୱର ସ୍ଥିର ଚିତ୍ତେ ଶୁଣି ॥
ସ୍ୱଭାବେ ଜଗତ ଈଶ୍ୱର ।ସଂସାର ଯାର ଖେଳଘର ॥
ଅଳପ ଅପମାନେ ରହି ।କହନ୍ତି ପତ୍ନୀ ମୁଖ ଚାହିଁ ॥
ଈଶ୍ୱର ଉବାଚଶୁଣ ସୁନ୍ଦରୀ କହୁ ତୋତେ ।ତୁ ଯେବେ ପଚାରିଲୁ ମୋତେ ॥
ସାଧୁ ବିଚାର ଏ ତୋହର ।ଶୁଦ୍ଧ ସୁନ୍ଦର ମନୋହର ॥
କହୁ ଯେ ବନ୍ଧୁ ଅପମାନ ।କେ ସହିପାରେ ଦୁର୍ବଚନ ॥
ବନ୍ଧୁକୁ ବନ୍ଧୁ ଭାବଭୋଳେ ।ଅମାନ୍ୟ କରେ ଅବହେଳେ ॥
ଯେ ବିଦ୍ୟାବଳେ ତପ ଦାହେ ।ସତ୍ୟ ସୁନ୍ଦର ଦେହ ବହେ ॥
ଉତ୍ତମ କୁଳେ ଯା’ର ଜାତ ।ସକଳ ଗୁଣରେ ସେ ଖ୍ୟାତ ॥
ଜାଣଇ ଶ୍ରୁତି ସ୍ମୃତି ଧର୍ମ ।ଆଗମ ନିଗମ ଯେ କର୍ମ ॥
ସେ ପୁଣି ପୂର୍ବକର୍ମ ବଳେ ।ବନ୍ଧୁ ନିନ୍ଦଇ ଅବହେଳେ ॥
ଅଜ୍ଞାନ ବାଦ ହୁଏ ତାରେ ।ସୁଖେ ନ ରହେ ଏ ସଂସାରେ ॥
ଯେ ପ୍ରାଣୀ ଅଭ୍ୟାଗତ ଦେଖି ।ବକ୍ର ବଦନେ ବୁଜେ ଆଖି ॥
ବନ୍ଧୁର କୁବଚନ ବାଣେ ।ଅନ୍ୟାନ୍ୟ ଦେହେ ମନ ପ୍ରାଣେ ॥
ତୁ ପୁଣି ପିତା ପ୍ରିୟ ବହୁ ।ତାର ସୁହୃଦେ ଧର୍ମ କହୁ ॥
ସାଧୁ ସଙ୍ଗତେ ଯେ ବସଇ ।ତାହାର ରିପୁ ମିତ୍ର ନାହିଁ ॥
ଏଣୁ ଅସାଧୁ ସଙ୍ଗେ ଥିଲେ ।ପ୍ରାଣ ଇନ୍ଦ୍ରିୟ ବୁଦ୍ଧି ବଳେ ॥
ପରର ଆତ୍ମାକୁ ନିନ୍ଦଇ ।ଅସାଧୁ ବାକ୍ୟେ ମନଦେଇ ॥
ଯେ ବନ୍ଧୁ ଆଗମନ ଦେଖି ।ଉଠିବ ଆସନ ଉପେକ୍ଷି ॥
ଭାବେ ଆସନ୍ତି କିଛିଦୂର ।ବଚନ କହନ୍ତି ମଧୂର ॥
ଅଭିଗମନ ମଧୂବାଣୀ ।ପୁଚ୍ଛନ୍ତି ନିଜ ଘରେ ଆଣି ॥
ବିଷ୍ଣୁର ଭାବେ ପୂଜାକରି ।ଆନନ୍ଦେ ପ୍ରିୟଭାବେ ଭରି ॥
ତାହାକୁ ବୋଲି ସାଧୁଜନ ।ସେ ବିଷ୍ଣୁ ଦେବଙ୍କ ସମାନ ॥
ଯେଣୁ ସେ ଦକ୍ଷ ପ୍ରଜାପତି ।ମୋ ଭାବେ ଚିନ୍ତଇ ଦୁର୍ମତି ॥
ତୁ ଯେବେ ମୋହର ବଚନ ।ଅଜ୍ଞାନେ କରିବୁ ଲଘଂନ ॥
ପିତା ଭୁବନ ଯିବୁ ତୁହି ।କେବେହେଁ ଭଲ ତା ନୁହଇ ॥
ଅକର୍ମଜନ ସଙ୍ଗ ଯେବେ ।ବାଦେ ଉତ୍ତମ ଜନ ଭାବେ ॥
କେବେହେଁ ଭଲ ତାର ନାହିଁ ।ଏମନ୍ତ ଦେବୀ ଆଗେ କହି ॥
ସ୍ଥିର ହୋଇଲେ ଉମାକାନ୍ତ ।କହିଲେ ଦାସ ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚୁତୁର୍ଥସ୍କନ୍ଧେ ହରଗୌରୀ ସମ୍ବାଦେନାମ ତୃତୀୟୋଽଧ୍ୟାୟଃ װ
ଚତୁର୍ଥ ଅଧ୍ୟାୟ
ମୈତ୍ରେୟ ଉବାଚଏମନ୍ତେ ଦେବୀ ଆଗେ କହି ।ରୁଦ୍ର ରହିଲେ ଆତ୍ମା ଧ୍ୟାୟି ॥
ମନେ ଚିନ୍ତନ୍ତି ବିଶ୍ୱନାଥ ।ନ ପୁଣ ହୁଏ ବିପରୀତ ॥
ମୋ ପତ୍ନୀ ପିତାଘରେ ଗଲେ ।ପ୍ରାଣ ଏ ନ ରଖିବ ଭଲେ ॥
ଏହାର ମନ ସ୍ଥିର ନାହିଁ ।ନ ଗଲେ ନ ଧରିବ ଦେହୀ ॥
ଏମନ୍ତ ଚିତ୍ତେ ଚିନ୍ତି ହର ।କେବେହେଁ ନୁହେଁ ମନ ସ୍ଥିର ॥
ଚିନ୍ତା ବିକଳେ ବିଶ୍ୱପତି ।ନିଜଗଣଙ୍କୁ ଚିତ୍ତେ ଚିନ୍ତି ॥
ଏହାର ସଙ୍ଗେ ଥିବି ମୁହିଁ ।ରୁଦ୍ରଗଣଙ୍କୁ ସଙ୍ଗେ ନେଇ ॥
ଏମନ୍ତେ ଚିନ୍ତା କରୁ କରୁ ।ଦେବୀ ଉଠିଲେ ନିଜଘରୁ ॥
ନୟନେ ପୂରେ ଅଶ୍ରୁଜଳ ।କେବେହେଁ ନୁହେଁ ମନସ୍ଥିର ॥
ଶରୀର କମ୍ପେ ଦୁଃଖଚିତ୍ତେ ।କଦଳୀବନ ଯେହ୍ନେ ବାତେ ॥
ନିଃଶ୍ୱାସ ବହେ ଖରତର ।ଶୁଖିଲା ସୁରଙ୍ଗ ଅଧର ॥
ଅଧୋବଦନେ ମନଦୁଃଖୀ ।ଉଠିଲେ ଆସନ ଉପେକ୍ଷି ॥
ଧୀରେ ଚଳନ୍ତେ ରୋଷଭରେ ।ଅବନୀ କମ୍ପେ ପାଦଭରେ ॥
ପିତା ଭୁବନେ ଦେବୀ ଯାନ୍ତେ ।ପଥେ ଚଳନ୍ତି ବିଶ୍ୱନାଥେ ॥
ଶତ ସହସ୍ର ରୁଦ୍ରଗଣ ।ନିକଟେ ମିଳିଲେ ତକ୍ଷଣ ॥
ବୃଷଭ ଚଢି ବିଶ୍ୱନାଥ ।ଗଣେ ଧାଇଁଲେ ଯୂଥ ଯୂଥ ॥
ମୁଁ ଯିବି ଅମ୍ବିକାର ପଛେ ।ମୋ କଥା ଦେଖ ତୁ ପ୍ରତ୍ୟକ୍ଷେ ॥
ଏମନ୍ତ ରୁଦ୍ର ଆଗେ କହି ।ନନ୍ଦୀ ଚଳିଲେ ଗଣ ନେଇ ॥
ଅମ୍ବିକା ତୁଲେ ନାରୀଯୂଥ ।ମିଳିଲେ ଉପାୟନ ହସ୍ତ ॥
କନ୍ଦୁକ ଦର୍ପଣ ଅମ୍ବୂଜ ।ଶ୍ୱେତାତପତ୍ର ଶ୍ୱେତଧ୍ୱଜ ॥
ବ୍ୟଞ୍ଜନ ପୁଷ୍ପମାଳାଘେନି ।ସଙ୍ଗତେ ଗୀତ ନାଦ ଧ୍ୱନି ॥
ଦୁନ୍ଦୁଭି ଶଙ୍ଖଭେରୀ ନାଦେ ।ସମୀପେ ମିଳିଲେ ଆନନ୍ଦେ ॥
ଅଧୋବଦନେ ଦେବୀ ଯାନ୍ତେ ।ପଥେ ମିଳିଲେ ବିଶ୍ୱନାଥେ ॥
ଧୂମବ୍ୟାପିତ ଯଜ୍ଞଶାଳେ ।ଅଶେଷ ଋଷି ବିପ୍ରମେଳେ ॥
ବିପ୍ରଙ୍କ ସଙ୍ଗେ ପ୍ରଜାପତି ।ଅନଳେ କ୍ଷେପନ୍ତି ଆହୁତି ॥
ଯଜ୍ଞ ସଭାରେ ନାନାବିଧି ।ଯେ ଦ୍ରବ୍ୟ ଯେଉଁ ଭାଣ୍ଡେ ସିଦ୍ଧି ॥
ମନ୍ତ୍ର ଆହୁତି ହୋମବଳେ ।ସତୀ ମିଳିଲେ ଯଜ୍ଞଶାଳେ ॥
ସତୀ ଚାହାନ୍ତି କୋପଚିତ୍ତେ ।ସେ ଯଜ୍ଞେ ଅଛନ୍ତି ସମସ୍ତେ ॥
ସତୀ ବଚନେ କୋପ ବହି ।ସମୀପେ ନ ରହିଲେ କେହି ॥
ଭଗିନୀଗଣ ମାତୃ ତୁଲେ ।ସତୀର ସମୀପେ ମିଳିଲେ ॥
ପ୍ରେମାଶ୍ରୁ କଣ୍ଠେ ଭଗ୍ନୀ ଗଣ ।କୋଳେ ଧରନ୍ତି ଜଣେଜଣ ॥
ସୋଦର ଅର୍ଥେ ପ୍ରଶ୍ନ କଲେ ।ସର୍ବମଙ୍ଗଳ ପଚାରିଲେ ॥
ଉତ୍ତମ ବିଧି ପୂଜାଦ୍ରବ୍ୟ ।ସମୀପେ ଆଣି ଦେଲେ ସର୍ବ ॥
ରତ୍ନ ଆସନ ବେଗେ ଆଣି ।ସେ ପ୍ରଜାପତିର ଘରଣୀ ॥
ସତୀ ସମୀପେ ଆଣିଦେଲେ ।ତା ଦେଖି ସତୀ କୋପ କଲେ ॥
ପିତାର ଅନାଦର ଦେଖି ।ଭୟେ କମ୍ପଇ ଅଶ୍ରୁମୁଖୀ ॥
ଯଜ୍ଞେ ନ ଦେଖି ସ୍ୱାମୀଭାଗ ।ମନେ ବସିଲା ମହାରାଗ ॥
ଈଶ୍ୱର ପଣ ନ ଗଣିଲା ।ଅବହେଳିତ କର୍ମ କଲା ॥
ସଭାରେ ଯେତେ ଲୋକ ଥିଲେ ।ସତୀକୁ କେହି ନ ଗଣିଲେ ॥
ପିତା ଅବଜ୍ଞା କର୍ମ ଦେଖି ।କୋପେ କମ୍ପଇ ଅଶ୍ରୁମୁଖୀ ॥
ନିଜ ଶରୀର ମହା ତେଜେ ।ନିବାସ ଭୁତଗଣ ମାଝେ ॥
ପିତାର ଅନାଦର ଜାଣି ।କୋପେ ବୋଇଲେ ଉଚ୍ଚେ ବାଣୀ ॥
ଦେବ୍ୟୁବାଚକୋପେ କମ୍ପଇ ତାର ଦେହୀ ।କହଇ ପିତା ମୁଖ ଚାହିଁ ॥
ଯାହାର ପ୍ରାୟ ଇହଲୋକେ ।ନ ଦେଖି ଆତ୍ମା ଅତିରେକେ ॥
ସ୍ୱାମୀ ମୋହର ସର୍ବପ୍ରିୟ ।ଜଗତ ମଧ୍ୟେ ଯେତେ ଦେହ ॥
ଯେ ରୁଦ୍ର ସର୍ବ ଆତ୍ମା ହୋଇ ।ମିତ୍ର ବଇରି ତାଙ୍କ ନାହିଁ ॥
ଯେ ସେ ଅଶେଷ ଜନ ଗୁରୁ ।ତାହାଙ୍କୁ ତୁହି ନିନ୍ଦା କରୁ ॥
ଦେଖ ଏ ସଂସାର ବେଭାରେ ।ଯେ ସାଧୁଜନେ ହିଂସାକରେ ॥
ଅନେକ ଦୋଷ କରିଥିଲେ ।ସାଧବେ ନ ଧରନ୍ତି ଭଲେ ॥
ସାଧୁଜନଙ୍କ ପ୍ରାୟ ହୋଇ ।ରୁଦ୍ର ବିଷୟେ କୋପ ବହି ॥
ଯେଣୁ ବୋଲାଉ ପ୍ରଜାପତି ।ସେ ଗର୍ବେ ନିନ୍ଦୁ ପଶୁପତି ॥
ଏ ନୁହେଁ ମହାତ୍ମାଙ୍କ କର୍ମ ।ଗର୍ବେ ହୋଇଲୁ ମତିଭ୍ରମ ॥
ଯେ ବେନି ଅକ୍ଷର ଉଚ୍ଚାରେ ।ମନରେ ଶିବ ନାମ ଧରେ ॥
ଜପଇ ଯେବେ ହୃଦଗତେ ।ପାପ ନ ରହେ ତାର ଗାତ୍ରେ ॥
ଯାହାର ନାମ ଏ ଜଗତେ ।ସର୍ବ ମଙ୍ଗଳ ବହୁମତେ ॥
ତୋର ଜୀବନ ପାପସିନ୍ଧୂ ।ଅଶିବ ହୋଇ ଶିବ ନିନ୍ଦୁ ॥
ତୋହର ଜନ୍ମ ମୋର ଦେହୀ ।ହୋଇଲା ପୂର୍ବ ପାପ ବହି ॥
ସ୍ୱାମୀ ନିନ୍ଦନ ଦୁଃଖ ସହି ।ଏ ଦେହ ନ ଧରିବି ମୁହିଁ ॥
ପୂର୍ବର ପାପ ଯେ ନ ସ୍ମରେ ।ତା ପ୍ରତିକାର ଯେ ନ କରେ ॥
ଦିନ ବଞ୍ଚଇ ଦୁଃଖ ସୁଖେ ।ଅନ୍ତେ ସେ ପଡଇ ନରକେ ॥
ମୈତ୍ରେୟ ଉବାଚଏମନ୍ତ ଦକ୍ଷ ଆଗେ କହି ।କୁଣ୍ଡ ଉତ୍ତର ଦିଗେ ଯାଇ ॥
ଯୋଗ ଧାରଣା ଆଗମନେ ।ବସିଲେ ନିଶ୍ଚଳ ଆସନେ ॥
ସ୍ୱାମୀର ଅପମାନ ଅର୍ଥେ ।ପିତା ଅନାଦର ନିମନ୍ତେ ॥
ପୀତ ବସନ ପରିଧାନ ।ସୁଜଳେ କରି ଆଚମନ ॥
ହୃଦରେ କଳ୍ପି ମହାଶୂନ୍ୟ ।ପବନ ମୂଳ ଲିଙ୍ଗସ୍ଥାନ ॥
ନାଭି କମଳେ ସୁନିଶ୍ଚଳେ ।ପ୍ରାଣ ଧାରଣ ଯୋଗବଳେ ॥
ସମାନ ପ୍ରାଣ ତାର ଦେହୀ ।ଏ ତିନି ପ୍ରାଣ ଉର୍ଦ୍ଦ୍ୱେନେଇ ॥
ହୃଦୟ ପ୍ରାଣ ସଙ୍ଗେ ଥୋଇ ।କଣ୍ଠ ଲଲାଟ ଚକ୍ର ଦେଇ ॥
ଭୂମଧ୍ୟେ ସ୍ଥାପି ଅନୁମାନେ ।ଯୋଚିଲା ବ୍ରହ୍ମରନ୍ଧ୍ର ସ୍ଥାନେ ॥
ସ୍ୱାମୀଠାରେ ସେ ଧ୍ୟାନ କରି ।ଯୋଗ ଅନଳେ ଜ୍ଞାନ ଭରି ॥
ମୁର୍ଦ୍ଧନୀ ଭେଦି ତତକ୍ଷଣ ।ଶୂନ୍ୟେ ମିଳିଲା ଦଶପ୍ରାଣ ॥
ସତୀ ମରଣ କର୍ମ ଚାହିଁ ।ଦେବେ ଯେତେକ ଥିଲେ ରହି ॥
ଭୂମି ଗମନେ ଯେବା ଥିଲେ ।ହା ହା ଶବଦ ଉଚ୍ଚେ କଲେ ॥
ଦେଖ ଏ ଦେବ ଦେବନାରୀ ।କି ଅପମାନେ କୋପ କରି ॥
ପ୍ରାଣ ଛାଡିଲା ଯଜ୍ଞଘରେ ।ପିତାର ମାନ କୋପଭରେ ॥
ଦେଖ ଏ ଦକ୍ଷ ପ୍ରଜାପତି ।ଗର୍ବେ ଆଚରିଲା ଅନୀତି ॥
ପ୍ରଜାଙ୍କ ପତି ଏ ବୋଲାଇ ।ଅନ୍ୟାୟ କଲା ଗର୍ବ ବହି ॥
ନିଜ ଦୁହିତାର ବଚନେ ।ଯତ୍ନ ନ କଲା କୋପମନେ ॥
ଏ ନୁହେଁ କାହାର ବେଭାର ।ଅଧର୍ମ କଲା ଗରୁତର ॥
ଏମନ୍ତ ବାକ୍ୟ କହୁ ଜନେ ।ସତୀର ପ୍ରାଣ ଅବସାନେ ॥
ସତୀ ମରଣ କଥା ଶୁଣି ।ନନ୍ଦିକେଶ୍ୱର ବୀରମଣି ॥
ରୁଦ୍ରଗଣଙ୍କୁ ସଙ୍ଗେ ନେଇ ।ବେଗେ ଧାଇଁଲା ରୋଷ ହୋଇ ॥
ବିବିଧ ଶସ୍ତ୍ର ଧରି କରେ ।ମିଳିଲା ଦକ୍ଷ ଯଜ୍ଞ ଘରେ ॥
ତାହାକୁ ଦେବୀ ଭୃଗୁ ମୁନି ।ଘୃତ ଆହୁତି କରେ ଘେନି ॥
ଯଜ୍ଞଘ୍ନ ନାଶି ଯଜୁମନ୍ତ୍ରେ ।କଳ୍ପିଲା ଅଭିଚାର ତନ୍ତ୍ରେ ॥
ଆହୁତି ଦ୍ୟନ୍ତି ଅଗ୍ନିକୁଣ୍ଡେ ।ଅନଳ ଧୂମ୍ରବର୍ଣ୍ଣ ପିଣ୍ଡେ ॥
ମନ୍ତ୍ର ମନ୍ତ୍ରିତ ସୋମ ପାଇ ।ପ୍ରଚଣ୍ଡ ରୂପେ କୋପ ବହି ॥
ରୁଦ୍ରହା ବୋଲି ଦେବଗଣ ।ଅନଳୁ ଉଠିଲେ ତକ୍ଷଣ ॥
ଅନଳ କାଷ୍ଠ ଘେନି କରେ ।ଶତସହସ୍ର କୋପଭରେ ॥
ଶବଦେ ଦଶଦିଗ ପୂରି ।ଧାଇଁଲେ ଘୋରନାଦ କରି ॥
ଶବଦେ କମ୍ପଇ ମେଦିନୀ ।ତା ଦେଖି ବେଗେ ଦେବ ମୁନି ॥
ବେଗେ ଧାଇଁଲେ ଶୂନ୍ୟମାର୍ଗେ ।କହିଲେ ସଦାଶିବ ଆଗେ ॥
ସତୀ ମରଣ କଥା ଆଦି ।କହିଲେ ସକଳ ସମ୍ପାଦି ॥
ସେ ବ୍ରହ୍ମ ମୁନିଙ୍କ ଚରଣେ ।ଆତ୍ମାର ନିସ୍ତାର କାରଣେ ॥
କୃଷ୍ଣ ବିଷୟ ଭାଗବତ ।କହିଲେ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଚତୁର୍ଥସ୍କନ୍ଧେ ସତୀମରଣେ ନାମଚତୁର୍ଥୋଽଧ୍ୟାୟଃ װ