ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ)
ପ୍ରାୟ ୧୪୯୧–୧୫୫୦
- ପଢ଼ିବା ସମୟ
- ୨୦୦ ମିନିଟ୍
- ଶବ୍ଦ
- ୩୧୯୫୯
- ସ୍ଥିତି
- ସାର୍ବଜନୀନ (Public domain)
ବୈୟାସିକ୍ୟାଂ ତୃତୀୟସ୍କନ୍ଧେ ବିଦୁର-ଉଦ୍ଧବ ସମ୍ବାଦେ
ନାମ ଦ୍ୱିତୀୟୋଽଧ୍ୟାୟଃ
•••
ତୃତୀୟ ଅଧ୍ୟାୟଉଦ୍ଧବ ଉବାଚଶୁଣ ବିଦୁର ମୋ ବଚନ ।ଧରି ନ ପାରି ଖେଦ ମନ ॥
ସେ ରାମ କୃଷ୍ଣ ଏକ ରଥେ ।ମିଳିଲେ ଅକ୍ରୂର ସଙ୍ଗତେ ॥
ମାତା ପିତାଙ୍କର କୁଶଳ ।ପୁଚ୍ଛନ୍ତି ରାମ-ଆଦିମୂଳ ॥
କଂସକୁ ଦୃଷ୍ଟିରେ ସଂହାରି ।ମଞ୍ଚା ଉପରୁ କେଶ ଧରି ॥
ତଳେ ପକାଇ ରୋଷଭରେ ।ମୃତ ପିଣ୍ଡକୁ ଆଶ୍ୱାସିଲେ ॥
ତହିଁ ବ୍ରାହ୍ମଣ ଘରେ ଯାଇ ।ସକଳବିଦ୍ୟା ଶିକ୍ଷା ପାଇ ॥
ଗୁରୁ ଦକ୍ଷିଣା ଅର୍ଥେ ପୁଣି ।ଯମର ଘରୁ ପୁତ୍ର ଆଣି ॥
ଗୁରୁ କାମିନୀ ତୋଷ କରି ।ପୁଣି ମିଳିଲେ ନିଜ ପୁରୀ ॥
ଭୀଷ୍ମଙ୍କ ଦୁହିତାକୁ ହରି ।କୁଣ୍ଡି ନଗ୍ରରେ ବିଜେ କରି ॥
ଗନ୍ଧର୍ବ ବୃତ୍ତି ଆଚରିଲେ ।ବଳେ ସେ କନ୍ୟାକୁ ହରିଲେ ॥
ଶୃଗାଳ ମଧ୍ୟୁ ସିଂହ ଯେହ୍ନେ ।ସ୍ୱଭାବ ହରଇ ତେସନେ ॥
କୋଶଳ ପୁରେ ନରହରି ।ସପତ ଷଣ୍ଢ ବଧ କରି ॥
କନ୍ୟା ଲଭିଲେ ନନ୍ଦବାଳ ।ଜିଣି ସକଳ ଶତ୍ରୁ ବଳ ॥
ସତ୍ୟଭାମାର ବୋଲେ ପୁଣି ।ନନ୍ଦନ ବନୁ ଚକ୍ରପାଣି ॥
ବଳେ ହରିଲେ ପାରିଜାତ ।ଲୀଳାଏ ଜିଣି ଶଚୀନାଥ ॥
ପୁରେ ସ୍ଥାପିଲେ ବୃକ୍ଷେ ନେଇ ।ପତ୍ନୀକି ପ୍ରିୟ ଭାବ ବହି ॥
ଗରୁଡେ଼ ବସି ଭାବଗ୍ରାହୀ ।ନାରକାସୁର ପୁରେ ଯାଇ ॥
ଦେଖିଲେ ତାହାର ଭୁବନ ।ତେଜେ କି ଜିଣିଛି ଗଗନ ॥
ଚକ୍ରେ ତାହାର ମୁଣ୍ଡ ହାଣି ।ତେଜ ପ୍ରସରେ ଏ ଧରଣୀ ॥
ବୋଲଇ କଲୁ ପୁତ୍ର ନାଶ ।ଧରଣୀ ବଚନେ ବିଶ୍ୱାସ ॥
ନାରକା ପୁତ୍ରକୁ ମୁରାରି ।ତା ରାଜ୍ୟେ ଅଭିଷେକ କରି ॥
ନାରକା ଅନ୍ତଃପୁରେ ହରି ।କୋଟି କନ୍ଦର୍ପ ରୂପଧରି ॥
କନ୍ୟାଏ ଦେଖି କାମଭୋଳେ ।ଚାହାନ୍ତି ନୟନ ନିରୋଳେ ॥
ଷୋଳ ସହସ୍ର ଶତାଧିକେ ।ପୁଷ୍ପ ବରଷି ଅତିରେକ ॥
ହରିଙ୍କୁ ବରିଲେ ସକଳେ ।ମଙ୍ଗଳ ଶୁଭ ଲଗ୍ନ ବେଳେ ॥
ତାହାଙ୍କୁ ନିଜ ପୁରେ ଆଣି ।ଏକ ମୁହୂର୍ତ୍ତେ ଚକ୍ରପାଣି ॥
ବିବାହ କଲେ ବେଦ ମତେ ।ଶୁଣ ତାହାଙ୍କ ପୁତ୍ର ଯେତେ ॥
ଦଶ କୁମର କନ୍ୟା ଏକ ।ଆତ୍ମା ସଦୃଶ ରୂପରେଖ ॥
କାଳ ଦମନ ଜରାସନ୍ଧେ ।ଶାଲ୍ୱ ସମସ୍ତ ପୁର ରୁନ୍ଧେ ॥
ତାହାଙ୍କ ନିଜ ତେଜ ନାଶି ।ସୁଜନ ବାନ୍ଧବ ବିକାଶି ॥
ସମ୍ବଲ ଦ୍ୱିବିନ୍ଦ ବାନର ।ଶୂର ବଲ୍ୱଳ ବାଣାସୁର ॥
ସେ ଦନ୍ତବକ୍ର ଆଦିକରି ।ତାହାଙ୍କୁ ସଂଗ୍ରାମେ ସଂହାରି ॥
ଏବେ ତୋ ଜ୍ୟେଷ୍ଠଭ୍ରାତା ସୁତେ ।ଅନେକ ନୃପତି ସମେତେ ॥
ସଙ୍ଗତେ ନିଜ ବଳ ଘେନି ।ଚରଣେ କମ୍ପଇ ମେଦିନୀ ॥
ମିଳିଲେ କୁରୁକ୍ଷେତ୍ର ମଧ୍ୟେ ।ଜିଣି ଭୁଞ୍ଜିବେ ମହୀ ଯୁଦ୍ଧେ ॥
କର୍ଣ୍ଣ ଶକୁନି ଦୁଃଶାସନ ।ସ୍ୱଭାବେ ଦୁଷ୍ଟି ତିନି ଜନ ॥
ଏହାଙ୍କୁ କରିଣ ବିଶ୍ୱାସ ।ଏଣେ ହୋଇଲେ ଅର୍ଦ୍ଧାୟୁଷ ॥
ଦେଖା ପଡ଼ିଲେ ରଣ ମଧ୍ୟେ ।ମୂଢ଼ ଅଧର୍ମ ଦୋଷବାଦେ ॥
ଶୁଣ ବିଦୁର କହୁ ତୋତେ ।ପୁଣି ଭାବିଲା ଆତ୍ମାଗତେ ॥
ଏ ଭୀଷ୍ମ ଦ୍ରୋଣ କୁରୁଗଣ ।ମରଣେ ଅନେକ ରାଜନ ॥
ଭାରା ନିବାର ଅର୍ଥେମହୀ ।ସଂସାରେ ଅଳପ ମଣଇ ॥
ଏଣେ ମୋହର ଯଦୁବଂଶ ।ଏମନ୍ତ ଭାରା ଅବଶେଷ ॥
ମଦ୍ୟେ ଅରୁଣ ଚକ୍ଷୁ କୋପେ ।ସର୍ବେ ମରିବେ ବିପ୍ରଶାପେ ॥
ଏଣେ ନ ମଲେ ନ ମରନ୍ତି ।ଏମନ୍ତ ଯୋଗମାୟା ଚିନ୍ତି ॥
ଏମନ୍ତ ମନେ ଚିନ୍ତା କରି ।ଧର୍ମ ସୁତଙ୍କୁ ନରହରି ॥
ବନ୍ଧୁ ସୁହୃଦଙ୍କର ମଧ୍ୟେ ।କୃଷ୍ଣ ସ୍ଥାପିଲେ ରାଜପଦେ ॥
ଉତ୍ତରା ଗର୍ଭୁ କୁରୁବଂଶ ।କୃଷ୍ଣ ରଖିଲେ ଅବଶେଷ ॥
ପରୀକ୍ଷିତଙ୍କୁ କରି ରକ୍ଷା ।ଧର୍ମ ନନ୍ଦନେ ଦେଲେ ଦୀକ୍ଷା ॥
ଜ୍ଞାତି ମରଣ ଦୋଷନାଶେ ।ଧର୍ମ ନନ୍ଦନଙ୍କ ବିଶ୍ୱାସେ ॥
ସର୍ବସମ୍ପଦ ସୁସମ୍ପାଦି ।କରାଇ ନିତି ଅଶ୍ୱମେଧି ॥
ଆପଣେ ନିଜ ପୁରେ ଯାଇ ।ନାରୀଗଣଙ୍କ ମଧ୍ୟେ ଥାଇ ॥
ଗୃହସ୍ଥ ଧର୍ମ ବେଦ ମତେ ।କୃଷ୍ଣ ଆଚରିଲେ ଜଗତେ ॥
ନାରୀଙ୍କ ମନ କୃଷ୍ଣ ମୋହି ।ଗୃହ ଚରିତ ଗୃହେ ଥାଇ ॥
ଯେ ଧର୍ମ କରେ ପରଲୋକେ ।କୃଷ୍ଣ ସ୍ଥାପିଲେ ଅତିରେକେ ॥
ଏମନ୍ତେ ବହୁତ ବରଷେ ।କ୍ରୀଡ଼ିଲେ ଗୃହାଶ୍ରମ ଆଶେ ॥
କର୍ମ ଅଧୀନେ କାମେ ପଡ଼ି ।ଦେବ ମାୟାରେ ସୁଖଲୋଡ଼ି ॥
ପୁରୁଷ କର୍ମର ଅଧୀନ ।ଯୋଗେଶ୍ୱରଙ୍କୁ ଯେ ଗହନ ॥
ସେ ହର ବିଷ୍ଣୁ ମାୟା କରି ।ନିଜ ସୁତଙ୍କ ମନ ହରି ॥
ସେ ପୁତ୍ରେ କ୍ରୀଡ଼ାରସ ବନେ ।କୋପେ ଚିନ୍ତିଲେ ବିପ୍ରମନେ ॥
ସେ ବ୍ରହ୍ମଶାପ ପାଇ ପୁରୀ ।ଅଦ୍ଭୁତ ଦେଖିଲେ ବିସ୍ତାରି ॥
କୃଷ୍ଣ ବଚନେ ଶାନ୍ତି ଅର୍ଥେ ।ପ୍ରଭାସେ ମିଳିଲେ ସମସ୍ତେ ॥
ସେ ଜଳେ ସାରିଲେ ସ୍ନାହାନ ।ପିତୃ ତର୍ପଣ ପିଣ୍ଡ ଦାନ ॥
ପୂଜିଲେ ଦେବ ଋଷିଗଣ ।ଦାନେ ସନ୍ତୋଷିଲେ ବ୍ରାହ୍ମଣ ॥
ତିଳ ରଜତ ଯେ ସୁବର୍ଣ୍ଣ ।ବଚନ କୋମଳ ଅଧୀନ ॥
ରଥ କୁଞ୍ଜର ଅଶ୍ୱଦାନ ।ଧରଣୀ ତୁଲେ କନ୍ୟାମାନ ॥
ଅନ୍ନ ସହିତେ ନାନା ରସେ ।ବିପ୍ରଙ୍କୁ ଭୁଞ୍ଜାଇ ହରଷେ ॥
ଏମନ୍ତେ ଯଦୁ ଭୋଜଗଣ ।ଗୋ ବିପ୍ରସେବା ତାଙ୍କ ମନ ॥
ସ୍ୱଭାବେ କରି ଉପବାସ ।ରାତ୍ର ବଞ୍ଚିଲେ କରି ରାସ ॥
ଏ ଯଦୁ ବଂଶର ଚରଣେ ।ସୁଜନେ ଭଜ ଅନୁକ୍ଷଣେ ॥
ହୋଇବ କୃଷ୍ଣର ବିଶ୍ୱାସ ।କହିଲେ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବିଦୁରଉଦ୍ଧବସମ୍ବାଦେ ନାମ ତୃତୀୟୋଽଧ୍ୟାୟଃ
ଚତୁର୍ଥ ଅଧ୍ୟାୟଉଦ୍ଧବ ଉବାଚଏବେ ବିଦୁର ଶୁଣ ସୁଖେ ।ଯେ ଯଦୁରାଜା ରାତ୍ରି ମୁଖେ ॥
ବାରୁଣୀ ମଦ୍ୟ କଲେ ପାନ ।ତେଣୁ ହୋଇଲେ ହତଜ୍ଞାନ ॥
ମନ ହରିଲେ ମଦ୍ୟ ଦୋଷେ ।ଭୋଳ ହୋଇଲେ ବୁଦ୍ଧିଭ୍ରଂଶେ ॥
ମର୍ମଭେଦନ ଦୁଷ୍ଟ ବାକ୍ୟେ ।କନ୍ଦଳ କଲେ ଏକେ ଏକେ ॥
ରଜନୀ ଅର୍ଦ୍ଧେ ଯଦୁବଳେ ।କନ୍ଦଳ ଯୁଦ୍ଧେ ନାଶ ଗଲେ ॥
ତତକ୍ଷଣେ ଆତ୍ମା ମାୟା ଗତି ।ବିଶ୍ୱାସୀ ପ୍ରଭୁ ଦାଶରଥି ॥
ମିଳିଲେ ସରସ୍ୱତୀ କୂଳେ ।ବଳେ ଅଶ୍ୱତ୍ଥ ତରୁମୂଳେ ॥
ନିଜ ବଂଶର ବଧ ପାଇଁ ।ଆଜ୍ଞା ଯେ ଦେଲେ ଭାବଗ୍ରାହୀ ॥
ମୋତେ ବୋଇଲେ ସୁଖ ମନେ ।ଚଳ ତୁ ବଦରିକାଶ୍ରମେ ॥
କିନ୍ତୁ ମୁଁ ତାଙ୍କ କୁଳ କ୍ଷୟ ।ବୁଝି ପାରିଲି ଅଭିପ୍ରାୟ ॥
ତାହାଙ୍କ ପଦ ବିଶେଷଣ ।ସହଜେ ହୋଇ ମୁଁ ଅକ୍ଷମ ॥
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ ।ପଦ କମଳେ ମନ ଦେଇ ॥
ତୀର୍ଥ ଗମନେ କରି ମନ ।ଚାହିଁଲେ କୃଷ୍ଣର ବଦନ ॥
ଶ୍ୟାମ ସୁନ୍ଦର କୃଷ୍ଣ ବର୍ଣ୍ଣ ।ପ୍ରଶାନ୍ତ-ଅରୁଣ ଲୋଚନ ॥
ଚତୁର ଭୁଜେ ଶସ୍ତ୍ର ଶୋହେ ।ପୀତ ବସନ ମନ ମୋହେ ॥
ଦକ୍ଷିଣ ପାଦ ବାମ ଜଙ୍ଘେ ।ତୃତୀୟାସନ ମନ ରଙ୍ଗେ ॥
ଏବେ ହୋ କୁରୁବୀର ଶୁଣ ।ମୈତ୍ରେୟ ମିଳିଲେ ତକ୍ଷଣ ॥
ବ୍ୟାସ ମୁନିଙ୍କ ସଖା ହୋନ୍ତି ।ଆନନ୍ଦେ ଭୁବନେ ଭ୍ରମନ୍ତି ॥
ତକ୍ଷଣେ କୃଷ୍ଣ ପାଶେ ଯାଇ ।ପାଦେ ନମିଲେ ଶିର ଦେଇ ॥
ମୁନିଗଣଙ୍କ ଅନୁରାଗେ ।ଯେବା କହିଲେ କୃଷ୍ଣ ଭାବେ ॥
ମୈତ୍ରେୟ ଶୁଣ ମୋ ବଚନ ।ମୁହିଁ ଜାଣଇ ତୋର ମନ ॥
ଦୁର୍ଲ୍ଲଭ ଜ୍ଞାନ ଦେବି ତୋତେ ।ସଂସାରୁ ତରିବୁ ଯେମନ୍ତେ ॥
ପୂର୍ବେ ବ୍ରହ୍ମାର ଯଜ୍ଞ ଶାଳେ ।ସକଳ ବସି ଏକମେଳେ ॥
ଲଭିଲେ ଯୋଗ ଅଷ୍ଟନିଧି ।ମୋର ଚରଣେ ଜ୍ଞାନବଧି ॥
ଏ ଯୋଗ ସର୍ବ ପୂର୍ବେ ସିଦ୍ଧି ।ଯଜ୍ଞ ପ୍ରକାରେ ସର୍ବସାଧି ॥
ତହିଁ ବୈରାଗ୍ୟ ଦୃଢ଼େ ଚିନ୍ତି ।ଯେ ପ୍ରାଣୀ ସ୍ୱଧର୍ମ ଛାଡ଼ନ୍ତି ॥
ବିଷୟ ରସେ ଭୋଗ ଚିନ୍ତି ।ଶୁକ ଶନକ ଜ୍ଞାନ ଚିନ୍ତି ॥
ଭକ୍ତି ବୈରାଗ୍ୟ ତାର ନାହିଁ ।ଯେବା ଲଭିବେ ଅବା କାହିଁ ॥
ଏ ଜ୍ଞାନ ବ୍ରହ୍ମାର ସମୀପେ ।ମୁହିଁ କହିଲି ପଦ୍ମ କଳ୍ପେ ॥
ତା ବ୍ରହ୍ମ ଜ୍ଞାନର ମହିମା ।କରନ୍ତି ଯାରେ ଆନ ସୀମା ॥
ଏଣୁ ପଣ୍ଡିତ ମୁନିଜନେ ।ଦୃଢ଼େ ବିଚାରି ଅନୁମାନେ ॥
ଏ ଭାଗବତ ଧର୍ମଚିନ୍ତି ।ଏ ଭବ ଜଳୁ ତରିଯାନ୍ତି ॥
ଏମନ୍ତ ପରମ ବଚନ ।ଅମୃତ ଶୁଣିଣ ମୋ ମନ ॥
ତା ଅନୁଗ୍ରହ ପ୍ରତିକ୍ଷଣେ ।କଳ୍ପିଲା ତାହାର ସ୍ମରଣେ ॥
କୃଷ୍ଣର ସ୍ନେହେ ମୋହ ଦେହୀ ।ରୋମ ପୁଲକେ ତନୁ ବହି ॥
କର ଯୁଗଳ ଦେଇ ମୁଣ୍ଡେ ।କହେ ସେ ବାଳକର ତୁଣ୍ଡେ ॥
ଭୋ ନାଥ ମୋର ପାଦ ପଦ୍ମେ ।ଯେ ପ୍ରାଣୀ ଭଜିଲେ ଆନନ୍ଦେ ॥
ତାଙ୍କୁ ଏ ଅଶେଷ ଜଗତେ ।ଧର୍ମାର୍ଥ କାମ ମୋକ୍ଷ ଅର୍ଥେ ॥
ଦୁର୍ଲ୍ଲଭ ନୋହେ ଲଭିବାର ।ଏ ନିଶ୍ଚେ ମୋହର ବିଚାର ॥
ମୋହର ଏଣେ ଆଶା ନାହିଁ ।ତଥାପି ତୋ ପାଦେ ଭଜଇ ॥
ନିଷ୍କ୍ରିୟ ହୋଇ କର୍ମ କରୁ ।ଅଜ ହୋଇଣ ଦେହ ଧରୁ ॥
ତୁ ନିଜେ କାଳରୂପୀ ହୋଇ ।ଶତ୍ରୁ ଭୟରେ ଦୁର୍ଗାଧ୍ୟାୟି ॥
ତୁ ନିଜେ ଆତ୍ମହତ ହୋଇ ।ବହୁ ସ୍ତିରୀରେ ମନଦେଇ ॥
ଏସବୁ ବ୍ୟାପାର ଦେଖିଣ ।ପଣ୍ଡିତେ ହେଲେ ହତଜ୍ଞାନ ॥
ମନ୍ତ୍ରଣା ଅର୍ଥେ ମୋତେ ରାଇ ।ଆଗରେ ସମୀପେ ବସାଇ ॥
ସ୍ୱଭାବେ ଅକୁଣ୍ଠିତ-ବୁଦ୍ଧି ।ଅଖଣ୍ଡ-ଆତ୍ମା ଜ୍ଞାନ ସିଦ୍ଧି ॥
ସର୍ବଜ୍ଞ ବାକ୍ୟ ଯାର ତହିଁ ।ସେ କିମ୍ପା ମୋତେ ପଚାରଇ ॥
ଏଣୁ ମୋ ମନେ ଖେଦ ପାଇ ।ତୋ ମାୟା ଗଗନେ ଭ୍ରମଇ ॥
ଯେ ଆତ୍ମା ଜ୍ଞାନ ତୁ ଏକାନ୍ତେ ।କହିଲୁ ବ୍ରହ୍ମାର ଅଗ୍ରତେ ॥
ମୁଁ ଯେତେ ଶୁଣିବାକୁ କ୍ଷମ ।କହ ହେ ପୁରୁଷ ଉତ୍ତମ ॥
ଯେ ଜ୍ଞାନ ମାର୍ଗେ ତୋତେ ଚିନ୍ତି ।ଏ ମାୟା ସଂସାରୁ ତରନ୍ତି ॥
ଏମନ୍ତେ ପଚାରନ୍ତେ ମୁହିଁ ।ସେ କୃଷ୍ଣ ମୋତେ ଦୟାବହି ॥
ମାୟାରେ ତହିଁ ନିଜ ଜ୍ଞାନ ।କହିଲେ କମଳଲୋଚନ ॥
ସେ ତୀର୍ଥ ପାଦ ଜଗନ୍ନାଥ ।ମୋହର ହୃଦେ ଆରାଧିତ ॥
ସେ ହରିଗୁରୁ ଜ୍ଞାନ ପାଇ ।ଶ୍ରୀ ପାଦପଦ୍ମେ ଶିରଦେଇ ॥
ତାର ବିଚ୍ଛେଦ ଆତ୍ମା ମୋର ।କ୍ଷଣେ ହୃଦୟ ନୋହେ ସ୍ଥିର ॥
ତାର ବିୟୋଗେ ଆତଯାତ ।ତା ପାଦ ଦେଖିବା ନିମିତ୍ତ ॥
ବଦ୍ରିକା ଆଶ୍ରମ ମଣ୍ଡଳେ ।ନର ନାରାୟଣଙ୍କ ମୂଳେ ॥
ଏ ନରଲୋକେ ଶୁଦ୍ଧି ଅର୍ଥେ ।ତପ ଆରାଧି ଦୃଢ଼ ଚିତ୍ତେ ॥
ଅଛନ୍ତି ନର ନାରାୟଣ ।ଶୁକ ବୋଲନ୍ତି ରାୟେ ଶୁଣ ॥
ସମ୍ବନ୍ଧିତ ରଚନା
ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ)
ଜଗନ୍ନାଥ ଦାସ
ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)
ଜଗନ୍ନାଥ ଦାସ
ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ)
ଜଗନ୍ନାଥ ଦାସ
ଶ୍ରୀମଦ୍ ଭାଗବତ (ସପ୍ତମ ସ୍କନ୍ଧ)
ଜଗନ୍ନାଥ ଦାସ