ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୫ / ୬ · ଶ୍ରୀ ଶୁକ ଉବାଚ (୪)
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚବିଂଶ ଅଧ୍ୟାୟଶୌନକ ଉବାଚତତ୍ତ୍ୱଜ୍ଞ କପିଳ ମହର୍ଷି ।ଜନ୍ମ ହୋଇଲେ ମର୍ତ୍ତ୍ୟେ ଆସି ॥
ଜନ୍ମ ବର୍ଜିତ ସେ ଅଟନ୍ତି ।ଆତ୍ମାରେ ଜ୍ଞାନ ପ୍ରକାଶନ୍ତି ॥
ପୁରୁଷ ଶ୍ରେଷ୍ଠ ସେ ଅଟନ୍ତି ।ଯୋଗୀଙ୍କ ମଧ୍ୟେ ଯୋଗପତି ॥
ତାହାଙ୍କ ଚରିତ ଶୁଣୁଛି ।ମୋ ଆତ୍ମା ସନ୍ତୁଷ୍ଟ ନୋହୁଛି ॥
ଭକ୍ତ ରୁଚିର ରୂପ ଧରି ।ଆତ୍ମା ମାୟାରେ ଯାହା କରି ॥
ସେ ସବୁ କହ ମୋ ଆଗରେ ।ତାହା ମୁଁ ଶୁଣିବି ଶ୍ରଦ୍ଧାରେ ॥
ଶୁତ ଉବାଚଆପଣ ପଚାରିଲେ ଯାହା ।ବିଦୁର ପୁଚ୍ଛିଥିଲେ ତାହା ॥
ମୈତ୍ରେୟ ତାଙ୍କୁ କହିଥିଲେ ।ଏବେ କହୁଛି ଶୁଣ ଭଲେ ॥
ମୈତ୍ରେୟ ଉବାଚପିତା ଅରଣ୍ୟେ ଗଲେ ଯହୁଁ ।ମାତାର ପ୍ରିୟ କାର୍ଯ୍ୟ ତହୁଁ ॥
କରିବା ପାଇଁ ଯେ କପିଳ ।ରହିଲେ ବିନ୍ଦୁସର ତୀର ॥
ତତ୍ତ୍ୱମାର୍ଗରେ ପାରଦର୍ଶୀ ।ଅଟନ୍ତି କପିଳ ମହର୍ଷି ॥
ନିଜ ସୂତକୁ ଦେବହୂତି ।ବିନୟେ ଏପରି ପୁଚ୍ଛନ୍ତି ॥
ଦେବହୂତି ଉବାଚତୁ ଅର୍ଜ ନିର୍ଗୁଣ ନିର୍ଲେପ ।ତୋହର ଭଜନ ପ୍ରତ୍ୟକ୍ଷ ॥
ନାରୀ ସ୍ୱଭାବେ ମୁହିଁ ମନ୍ଦ ।ନ ଜାଣେ ଆତ୍ମା ଭଲ ମନ୍ଦ ॥
କି ରୂପେ ସଂସାର ତୁଟଇ ।ଜୀବନ-ବନ୍ଧନ ଫିଟଇ ॥
ମୁଁ ଯେ ଅଜ୍ଞାନ ଅନ୍ଧମତି ।ସ୍ୱଭାବେ ଜନ୍ମ ମୁଁ ଯୁବତୀ ॥
ତୁ ମୋତେ ଜ୍ଞାନ ଚକ୍ଷୁ ଦେଇ ।ଉଦ୍ଧର ଦୁର୍ଗତି ଖଣ୍ଡାଇ ॥
ତୁ ପୁତ୍ର ମୋତେ ଦୟା କର ।ଏ ଘୋର ସଂସାରୁ ଉଦ୍ଧର ॥
ମାତୃ ସ୍ୱଭାବେ କର ଦୟା ।ଯେମନ୍ତେ ତୁଟେ ମୋର ମାୟା ॥
ମୈତ୍ରେୟ ଉବାଚମାତା ବଚନେ ହୃଷିକେଶ ।ତକ୍ଷଣେ ଧରି ମୁନିବେଶ ॥
ଅଶେଷ ଦେହ ଜୀବବାସୀ ।କହନ୍ତି ପ୍ରଭୁ ବ୍ରହ୍ମରାଶି ॥
କପିଳ ଉବାଚଶୁଣ ଜନନୀ କହୁଁ ତୋତେ ।ତୁ ଯେ ପ୍ରସନ୍ନ କଲୁ ମୋତେ ॥
ଯାହାର ଚିତ୍ତ ଭକ୍ତି ଯୋଗେ ।ଭଜଇ ମୋ ଚରଣ ଯୁଗେ ॥
ଯେବେ ବିଷୟ ବଇରାଗ ।ଉପୁଜେ ପୂର୍ବେ ଯାର ଭାଗ୍ୟ ॥
ଏବେ ଏ ଘୋର ମାୟା ବନେ ।ନିସ୍ତରେ ଭକ୍ତି କରଷଣେ ॥
ଶୁଣ ଜନନୀ ମୋ ନିର୍ଗୁଣ ।କହିବା ଭକ୍ତଙ୍କର ଗୁଣ ॥
ଜୀବନ କର୍ମ ବନ୍ଧ-ପାଶ ।ଯେ ଭାବେ ହୋଇବ ଉଶ୍ୱାସ ॥
ଏ ଭବ-ଜଳଧି-ତରଙ୍ଗ ।ହରଇ ସାଧୁଙ୍କର ସଙ୍ଗ ॥
ଉଭୟେ କୈବଲ୍ୟ କାରଣେ ।ମନ ନ ଭ୍ରମେ ଭବ ବଣେ ॥
ପ୍ରାଣୀ ବିଷୟ ସମ ମତ ।କରଇ ଯୋଗ ଦୟା ହିତ ॥
ଜଗତ ସର୍ବ ସମ ଦେଖେ ।ନିଶ୍ଚଳେ ରୁହେ ଆତ୍ମା ସୁଖେ ॥
ନିରତେ ଗୋବିନ୍ଦ ଚରଣେ ।ସ୍ମରିବ ପ୍ରୀତି ଅନୁକ୍ଷଣେ ॥
ଦାରା ସ୍ୱଜନେ ପ୍ରୀତି ଧନ ।ଗୃହ ଉପେକ୍ଷି ଚଳେ ବନ ॥
ସକଳ ଧର୍ମ ଛାଡ଼ି ଦୃଢ଼େ ।ମୋ ଭାବେ ମତି ଅତି ଗାଢ଼େ ॥
ମୋ ରୂପଗୁଣ କର୍ମ ଯେତେ ।ଶ୍ରବଣ କୀର୍ତ୍ତନ ନିରତେ ॥
ଏମନ୍ତେ ନିତ୍ୟ ଭାବ କରି ।ଏ ମାୟା ଭବୁ ଯାନ୍ତି ତରି ॥
ଏମନ୍ତେ ଭଜି ସାଧୁ ସଙ୍ଗ ।ତରନ୍ତି ଏ ଭବ ତରଙ୍ଗ ॥
ଭକତ ଜନ ସଙ୍ଗ ଯେବେ ।କରଇ ଭ୍ରମି ଖଣ୍ଡ ତେବେ ॥
ମୋର ଚରିତ ଗୁଣ ଗାଥା ।କରଇ ଆନ ଆନ ଚିନ୍ତା ॥
ଶୁଣେ ଶୁଣାଇ ଅଶ୍ରୁଧାରେ ।ଆନନ୍ଦ ପୁଲକ ଶରୀରେ ॥
ନିରତେ ଭଜୁ ଶ୍ରଦ୍ଧା ବଢ଼େ ।ଭବ-ବନ୍ଧନ-ପାଶ ଛିଡ଼େ ॥
ଅଶେଷ ଜନ୍ମେ ଭାବ ବହେ ।ଭକତ ଜନେ ଶ୍ରଦ୍ଧାରହେ ॥
ଭକ୍ତଜନଙ୍କ ଶ୍ରଦ୍ଧା ନାବେ ।ବସି ତରିବ ଭକ୍ତି ଭାବେ ॥
ଭକତ ସଙ୍ଗେ ନାବେ ବସି ।ଏ ସିନ୍ଧୁତରେ ଯେ ଆଶ୍ୱାସି ॥
ଯେଣୁ ଭକତ ପ୍ରିୟ ହରି ।ତୋ ପାଦେ ଭବସିନ୍ଧୁ ତରି ॥
ଏମନ୍ତେ ସୁତ ବାକ୍ୟ ଶୁଣି ।ଆନନ୍ଦେ କର୍ଦ୍ଦମ ଘରଣୀ ॥
ଆନନ୍ଦ ରସେ ହରଷିତ ।ତକ୍ଷଣେ ହୁଏ କୃତ୍ୟ କୃତ୍ୟ ॥
ଦେବହୂତିରୁବାଚପୁଣି ପଚାରେ କରଯୋଡ଼ି ।ଆକୁଳେ ପୁତ୍ର ପାଦେ ପଡ଼ି ॥
ଏ ରୂପେ ଭକ୍ତି ଯୋଗ ଜାଣି ।କି ରୂପେ ଭକ୍ତି ପରିମାଣି ॥
ଏଣେ ଯେ ମୋ ମନ ସଂଶୟ ।କହ ହେ ପ୍ରଭୁ ଦୟାମୟ ॥
ଏମନ୍ତେ ମାତା ବାକ୍ୟ ଶୁଣି ।କପିଳ ବେଶେ ଚକ୍ରପାଣି ॥
ଶ୍ରୀଭଗବାନୁବାଚଶୁଣ ଜନନୀ ବାକ୍ୟ ମୋର ।ଆଗମ ନିଗମ ପ୍ରକାର ॥
ଯେ ଧର୍ମ କରେ ଶାସ୍ତ୍ର ବାଦେ ।ଇନ୍ଦ୍ରିୟ କର୍ମର ସମ୍ୱାଦେ ॥
ଯେ ବର୍ଣ୍ଣେ ଯେବା କର୍ମ ଧର୍ମ ।ଇନ୍ଦ୍ରିୟ କରେ ସେହି କର୍ମ ॥
ଏ ସର୍ବ କର୍ମ ଯେବେ ମୋତେ ।ଦେଇ ଭଜଇ ଅବିରତେ ॥
ଆପଣେ ଅକିଞ୍ଚନ ରୂପେ ।ଭ୍ରମଇ ମାୟାମୟ କଳ୍ପେ ॥
ଭକତ ଜନ ଯେ ପ୍ରଧାନ ।ଲଭଇ କୈବଲ୍ୟର ପାନ ॥
ଜୀବ-ବାସନା-ବନ୍ଧ ହରେ ।ନ ବୁଡ଼େ ସଂସାର ସାଗରେ ॥
ବ୍ୟାଧି ରୋଗାଦି ଏ ଶରୀରେ ।ତୁଟେ ଔଷଧ ପାନ କଲେ ॥
ଏ ଭାବେ ଯେ କରେ ବିଚାର ।କୈବଲ୍ୟ ଜୀବକୁ ନିସ୍ତାର ॥
ନିତ୍ୟେ ଭକତ ଜନ ମଧ୍ୟେ ।ବିଷ୍ଣୁ ଚରିତ ନାମ ଛନ୍ଦେ ॥
ନିରତେ କରେ ଅନୁଦାନ ।ଆନନ୍ଦେ ସୁଧା ଜଳେ ସ୍ନାନ ॥
ଏମନ୍ତେ ବଞ୍ଚେ ଦୁଃଖ ସୁଖେ ।ସେ ମୋର ନିଜ ରୂପ ଦେଖେ ॥
ତାର ସମାନ ଅନ୍ୟ ଜନେ ।ନ ଦେଖି ଏ ତିନି ଭୂବନେ ॥
ସୁନ୍ଦର ପ୍ରସନ୍ନ ବଦନ ।ବିକଚ କମଳ ଲୋଚନ ॥
ସେ ରୂପ ଛାଡ଼ି ଯାର ମନ ।କଳ୍ପଇ କିବା ପ୍ରୟୋଜନ ॥
ମୋର ଅମୃତମୟ ବାଣୀ ।ତନୁ ରୋମାଞ୍ଚ କର୍ଣ୍ଣେ ଶୁଣି ॥
ମୋ ଶ୍ୟାମ ସୁନ୍ଦର ଶରୀର ।ସର୍ବ ସମ୍ପଦ ମନୋହର ॥
ଏ ରୂପ ଗୁଣ ଚିତ୍ତ ହରେ ।କୈବଲ୍ୟ ଲଭେ ଅଭ୍ୟନ୍ତରେ ॥
ଅଷ୍ଟ ଐଶ୍ୱର୍ଯ୍ୟ ଯାହା ଚିନ୍ତି ।ଅନନ୍ତ ଅନନ୍ତ ବିଭୂତି ॥
ସେ ସର୍ବ ଖଟନ୍ତି ତା ପାୟେ ।ସେ ଭକ୍ତଜନ ଦୂର ନୋହେ ॥
ଏଣୁ ଭକତ ରଖେ ହରି ।କାଳ ନ ପାରେ ଗ୍ରସ୍ତ କରି ॥
ଯାହାର ଇଷ୍ଟ ବନ୍ଧୁ ମୁହିଁ ।ମୋତେ ସର୍ବସ୍ୱ ସମର୍ପଇ ॥
ନାହିଁ ତା ଇହ ପରଲୋକ ।ନ ମାନେ ଆତ୍ମା ଦୁଃଖ ସୁଖ ॥
ଏକାନ୍ତେ ଭକ୍ତିବଳେ ମୋତେ ।ମନ ବଚନେ ନିତ୍ୟେ ଚିନ୍ତେ ॥
ସର୍ବ ସମର୍ପି ଅବିରତେ ।ପଶଇ ମୋର ପାଦଗତେ ॥
ମୁଁ ଜୀବ ପୁରୁଷ ପ୍ରଧାନ ।ମୋ ବିନୁ ବନ୍ଧୁ ନାହିଁ ଆନ ॥
ଦେଖ ମୋହର ଭକ୍ତ ଯେତେ ।ଯନ୍ତ୍ରିତ ଅଛନ୍ତି ଜଗତେ ॥
ମୋ ଆଜ୍ଞା କରୁଥାନ୍ତି ନିତ୍ୟେ ।ଆନନ୍ଦ ବହେ ସୁଖ ଚିତ୍ତେ ॥
ଦେଖ ପବନ ମୋର ଡରେ ।ବହଇ ବାହ୍ୟ ଅଭ୍ୟନ୍ତରେ ॥
ମୋ ଭୟେ ଉଦେ ଦିବାକର ।ମୋତେ ଡରଇ ସୁନାଶିର ॥
ମୋ ଦଣ୍ଡେ ଯମଦଣ୍ଡ କରେ ।ମୃତ୍ୟୁ ସକଳ ପ୍ରାଣ ହରେ ॥
ମୋତେ ଯେ ଧର୍ମ ଲୋକ ରଖେ ।ଅଗ୍ନି ଜଳ ହିଁ ସର୍ବ ଭକ୍ଷେ ॥
ଶଶାଙ୍କ ଦିଶଇ ଆକାଶେ ।ପ୍ରାଣୀଙ୍କ ଜ୍ଞାନ ସେ ପ୍ରକାଶେ ॥
ଏମନ୍ତେ ମହାଯୋଗୀ ଜନ ।ଯନ୍ତ୍ରିତ ମୋହର ବଚନ ॥
ଏବେ ତୁ ଭକ୍ତିଯୋଗ ଶୁଣ ।ଯେହ୍ନେ ଜୀବର ପରିତ୍ରାଣ ॥
ଯେ ଭାବେ ଏ ସଂସାର ତୁଟେ ।ସୁହୃଦ ଦୃଢ଼ଗଣ୍ଠି ଫିଟେ ॥
ତାବତ ମନ ତମ ନାଶେ ।ନିର୍ମଳ ଜ୍ଞାନ ହିଁ ପ୍ରକାଶେ ॥
ଏଣୁ ଏ ତତ୍ତ୍ୱଜ୍ଞାନ କହି ।ଶୁଣ ଜନନୀ ମନ ଦେଇ ॥
ଏମନ୍ତ ତତ୍ତ୍ୱଜ୍ଞାନ ଜାଣି ।ଯେ ଭାବ ଭଜେ ଚକ୍ରପାଣି ॥
ଅନାଥ ନାଥ ନରହରି ।ସେ ଦୟା ସାଗର ମୁରାରୀ ॥
ଯେତେ କହିଲେ ଉପଦେଶ ।ସୁଜନେ କ୍ଷଣେ ରସେ ରସ ॥
ତୃତୀୟ ସ୍କନ୍ଧେ ଭାଗବତ ।କହଇ ଦାସ ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କପିଳ ଦେବହୂତି ସମ୍ୱାଦେନାମ ପଞ୍ଚବିଂଶୋଽଧ୍ୟାୟଃ ।
ଷଡ଼୍ବିଂଶ ଅଧ୍ୟାୟଶ୍ରୀଭଗବାନୁବାଚଶୁଣ ଜନନୀ ମୋ ବଚନ ।ଯେ ତତ୍ତ୍ୱଜ୍ଞାନର ଲକ୍ଷଣ ॥
ବହୁ ପ୍ରକାର ମନୁ ପୁଣି ।ଯାହା ସେ କହିଛନ୍ତି ବାଣୀ ॥
ଏ ଜ୍ଞାନ ଜାଣିଲେ ପୁରୁଷ ।କାଟଇ ମୋହଗୁଣ ପାଶ ॥
ନିଶ୍ଚଳ ଭାବେ କରି ଧ୍ୟାନ ।ଆତ୍ମାକୁ କରନ୍ତି ଦର୍ଶନ ॥
ଅଶେଷ-ବନ୍ଧନ ଫିଟଇ ।ବିବେକ ଜ୍ଞାନ ପ୍ରକାଶଇ ॥
ମାୟା ଯନ୍ତ୍ରିତ ଅହଙ୍କାର ।ହୃଦରୁ ହୁଏ ତାହା ଦୂର ॥
କହିବା ଶୁଣ ମନ ଦେଇ ।ଯେ ମାର୍ଗେ ସଂଶୟ ନ ଥାଇ ॥
ଯେ ଆତ୍ମା ଅନାଦି-ପୁରୁଷ ।ପ୍ରକୃତି ପରେ ତାର ବାସ ॥
ସ୍ୱଭାବେ ନିର୍ଗୁଣ ଅଟଇ ।ଜ୍ୟୋତି-ସ୍ୱରୂପ ପ୍ରକାଶଇ ॥
ବ୍ୟାପିଛି ଏ ବିଶ୍ୱ ସଂସାରେ ।ପ୍ରାଣୀଙ୍କ ବାହ୍ୟ-ଅଭ୍ୟନ୍ତରେ ॥
ଏ ରୂପେ ପ୍ରକୃତି-ପୁରୁଷ ।ସୂକ୍ଷ୍ମ ସ୍ୱରୂପରେ ପ୍ରକାଶ ॥
ସେ ବିଷ୍ଣୁ ସୃଷ୍ଟି ଇଚ୍ଛା କରି ।ଆଦି ପ୍ରକୃତି ରୂପ ଧରି ॥
ତ୍ରିଗୁଣ ଜାତ ସେ କରଇ ।ରଜ ସାତ୍ତ୍ୱିକ ତମ ଦେହୀ ॥
ରଜେ ସର୍ଜଇ ପାଳେ ସତ୍ତ୍ୱେ ।ତମ ସ୍ୱରୂପେ ହରେ ନିତ୍ୟେ ॥
ଏ ରୂପେ ଲୀଳା ସେ କରଇ ।ଦଇବ ଗୁଣମୟ ଯେହି ॥
ଜୀବ ହିଁ ନାନା ରୂପ ଧରେ ।ଚିତ୍ର ବିଚିତ୍ର ଏ ସଂସାରେ ॥
ପ୍ରଜା ସର୍ଜଇ ନାନା କଳ୍ପେ ।ସ୍ଥାବର ଜଙ୍ଗମାଦି ରୂପେ ॥
ଜ୍ଞାନ ଆବୃତ ତାର ଦେହୀ ।ସାକ୍ଷୀ ସ୍ୱରୂପେ ସେ ଦେଖଇ ॥
ଏ ରୂପେ ପୂର୍ବର ଭିଆଣ ।ପ୍ରକୃତି କରଇ ନିର୍ମାଣ ॥
କର୍ମ ଯେ ଗତାଗତ ହୋଇ ।ଉଚ୍ଚ-ନୀଚକୁ ସେ ନିଅଇ ॥
ପ୍ରକୃତି ମାର୍ଗେ କରି କର୍ମ ।ପ୍ରାଣୀ ଲଭନ୍ତି ପଥ ଶ୍ରମ ॥
ନିବୃତ୍ତି ଧର୍ମ ମୋକ୍ଷ ହୋଇ ।ଏ ବେନି ମାର୍ଗେ ସେ ଭିଆଇ ॥
ସାକ୍ଷୀ ସ୍ୱରୂପେ ସର୍ବଦେହୀ ।ଦେଖଇ ହୃଦପଦ୍ମେ ରହି ॥
କାର୍ଯ୍ୟ-କାରଣେ କର୍ତ୍ତା ହୋଇ ।ପ୍ରକୃତି ଯେତେକ ଅଟଇ ॥
ପୁରୁଷ ତାହା ସେ ଭୁଞ୍ଜଇ ।ସୁକୃତ ଦୁଷ୍କୃତାଦି ହୋଇ ॥
ଏମନ୍ତ ଶୁଣି ଦେବହୂତି ।ସନ୍ଦେହ କରି ପଚାରନ୍ତି ॥
ଦେବହୂତି ଉବାଚଶୁଣ ହୋ ପୁରୁଷ-ଉତ୍ତମ ।ସଦୟ ସ୍ଥୂଳ ସୂକ୍ଷ୍ମ ଶୂନ୍ୟ ॥
କି ରୂପେ ପ୍ରକୃତି ପୁରୁଷ ।ଜଗତେ ହୋଇଛି ପ୍ରକାଶ ॥
ଏମନ୍ତ ଶୁଣି ଭଗବାନ ।କହନ୍ତି ଅମୃତ ବଚନ ॥
ଶ୍ରୀଭଗବାନୁବାଚଯେତେ ଏ ତ୍ରିଗୁଣ-ବନ୍ଧନେ ।ସତ ଅସତ ଜନ୍ତୁମାନେ ॥
ଆତ୍ମାରେ ଜ୍ୟୋତିରୂପେ ଥାଇ ।ଅବ୍ୟକ୍ତ ରୂପେ ପ୍ରକାଶଇ ॥
ପ୍ରଧାନ ରୂପରେ ପ୍ରକୃତି ।ସମସ୍ତ କର୍ମେ ଅଧିପତି ॥
ସମସ୍ତ ରୂପେ ସେ ବହଇ ।ମହତ ଆଦି ଯେତେ ଦେହୀ ॥
ଶୁଣ ଜନନୀ ଏକ ଚିତ୍ତେ ।ଚତୁର୍ବିଂଶତି ତତ୍ତ୍ୱ ଯେତେ ॥
ଏ ପଞ୍ଚବିଂଶ ଚତୁର୍ଦ୍ଦଶ ।ପ୍ରତ୍ୟକ୍ଷେ କରିବା ପ୍ରକାଶ ॥
ପୃଥିବୀ ଆପ ତେଜ ଜାତ ।ଆକାଶ ଆଦି ପଞ୍ଚଭୂତ ॥
ଗନ୍ଧ ରୂପ ଏ ରସ ଶବ୍ଦ ।ସ୍ପର୍ଶାଦି ତନ୍ମାନ୍ତରେ ଭେଦ ॥
ଜିହ୍ୱା ନାସିକା ଚକ୍ଷୁକର୍ଣ୍ଣ ।ଚମ ପାଣି ପାଦ ବଚନ ॥
ବୃଷଣ ପାୟୁ ଏ ଦଶମ ।ଇନ୍ଦ୍ରିୟ ବୋଲି ଏହା ନାମ ॥
ମନ ବୁଦ୍ଧି ଯେ ଅହଂଚିତ୍ତ ।ଚତର୍ବିଂଶତି ଏହୁ ତତ୍ତ୍ୱ ॥
ପଞ୍ଚବିଂଶତି କାଳ କହି ।ଏ ରୂପେ ସାଂଖ୍ୟକର୍ମ ହୋଇ ॥
ପ୍ରକୃତି ଏତେ ରୂପ ହୋଇ ।କାର୍ଯ୍ୟ-କାରଣେ ପ୍ରବର୍ତ୍ତଇ ॥
କାଳ ସ୍ୱରୂପରେ ପୁରୁଷ ।ସର୍ବତ୍ର ହୁଅଇ ପ୍ରକାଶ ॥
ଏ ଦେହ ମୂଳ ଅହଙ୍କାର ।ଆୟୁ ହରଇ ନିରନ୍ତର ॥
ଏ ଦେହେ କର୍ତ୍ତା ନିତି ହୋଇ ।ସମସ୍ତ ଭୋଗ ସେ କରଇ ॥
ଏ ପୁଣ୍ୟକାଳ ଚେଷ୍ଟା ବଳେ ।ସର୍ବ ନାଶଇ ଭୂମି ତଳେ ॥
କାଳ-ସ୍ୱରୂପୀ ଭଗବାନ ।କାଳ ସ୍ୱରୂପୀ ହୋଇ ଜାଣ ॥
ଏ ପଞ୍ଚବିଂଶ ରୂପ ହୋଇ ।ଅପରେ ଶୁଣ ମନ ଦେଇ ॥
ସମସ୍ତେ ଧର୍ମେ ପରିପୂର୍ଣ୍ଣ ।ଯେ ଯେତେ ପରେ ନାହିଁ ଧର୍ମ ॥
ସେ ଯୋନି ପରେ ଯେ ପୁରୁଷ ।ପରମ ରୂପୀ ସେ ପ୍ରକାଶ ॥
ସେ ସର୍ବଭୂତେ ପରିପୂର୍ଣ୍ଣ ।ଜଳରେ ଚନ୍ଦ୍ରମା ଯେସନ ॥
ପ୍ରକୃତି ତାର ତହୁଁ ଜାତ ।ତା ତହୁଁ ହୋଏ ମହତତ୍ତ୍ୱ ॥
ହିରଣ୍ୟ ମଧ୍ୟେ ତାର ଦେହୀ ।ବ୍ରହ୍ମାଣ୍ଡମଧ୍ୟେ ବିରାଜଇ ॥
ଏ ବିଶ୍ୱ ଆତ୍ମା ଯେ ଅଟଇ ।ସୂକ୍ଷ୍ମ ସ୍ୱରୂପେ ଅଛି ରହି ॥
ଆତ୍ମାରେ ପ୍ରକାଶ ସେ ହୋଇ ।ଏ ଘୋରତିମିର ନାଶଇ ॥
ଯେ ସ୍ଥାନେ ରାଗ ବଶ ନାହିଁ ।ପର ଅପର ନ ଜାଣଇ ॥
ସତ୍ତ୍ୱ ଗୁଣରେ ପ୍ରକାଶଇ ।ନିର୍ମଳ-ଜ୍ୟୋତିର୍ମୟ ଦେହୀ ॥
ସେ ବିଷ୍ଣୁଭକ୍ତି ଲାଭେ ସ୍ଥାନ ।ବାସୁଦେବଟି ଯାର ନାମ ॥
ଅଧ୍ୟାତ୍ମାରୂପୀ ସେ ଚୈତନ୍ୟ ।ମହତ ବୋଲି ତାର ନାମ ॥
ପର ଅପର ବ୍ୟାପିଛଇ ।ବିକାର ଭାବ ଯାର ନାହିଁ ॥
ସ୍ୱଇଚ୍ଛା ଶାନ୍ତ ଭାବ ବହି ।ଅମୃତ ଭାବ ତାର ଦେହୀ ॥
ଜଳ ତରଙ୍ଗୁ ଯେହ୍ନେ ଫେନ ।ସୃଷ୍ଟି ତା ଦେହରୁ ଉତ୍ପନ୍ନ ॥
ଯେ ଯାହା ତହୁଁ ଜାତ ହୋଇ ।ଯେ କ୍ରିୟା ଶକ୍ତିରୂପେ ବହି ॥
ଏ ଅହଂଙ୍କାର ରୂପ ତିନି ।ଜନ୍ମଇ ଶୁଣ ଗୋ ଜନନୀ ॥
ସାତ୍ତ୍ୱିକ ରାଜସ ତାମସ ।ଏ ତିନି ହୁଅନ୍ତି ପ୍ରକାଶ ॥
ମନ ଇନ୍ଦ୍ରିୟ ପଞ୍ଚଭୂତ ।ଏ ତିନି ଗୁଣେ ହୋନ୍ତି ଜାତ ॥
ସହସ୍ର ଶିର ବାହୁ ହୋଇ ।ଶଙ୍କରଷଣ ଯାହା କହି ॥
ଅନନ୍ତ ରୂପ ମାୟା ସେହି ।ଭୂତ ଇନ୍ଦ୍ରିୟ ମନ ମୋହି ॥
କର୍ତ୍ତା ସ୍ୱରୂପେ ଦେବେଜାତ ।କାରଣେ ଇନ୍ଦ୍ରିୟ ସମ୍ଭୂତ ॥
କାର୍ଯ୍ୟ ସ୍ୱରୂପେ ଭୂତଦେହୀ ।ତ୍ରିଗୁଣେ ପ୍ରାଣୀ ମୋହହୋଇ ॥
ସାତ୍ତ୍ୱିକ ଅଂଶୁ ମନ ଜାତ ।ସଙ୍କଳ୍ପ ବିକଳ୍ପରେ ସ୍ଥିତ ॥
ଯେ ହୃଷିକେଶ ସର୍ବେଶ୍ୱର ।ଶ୍ୟାମ ସୁନ୍ଦର କଳେବର ॥
ତା ଭକ୍ତି ସାଧି ଯୋଗ ସିଦ୍ଧ ।ମନକୁ କରିଣ ନିରୋଧ ॥
ରଜଗୁଣରୁ ବୁଦ୍ଧି ଜାତ ।ଦିବ୍ୟ ବିଜ୍ଞାନ ଇନ୍ଦ୍ରିୟତ ॥
ବିଜ୍ଞାନ ନିଶ୍ଚଳ ଅଟଇ ।ନିଦ୍ରା ବିକଳ୍ପେ ଇନ୍ଦ୍ରି ରହି ॥
ବୁଦ୍ଧିର ବଳୁ ହୁଏ ଜାତ ।ଏବେ ଗୋ ଶୁଣ ତୁମ୍ଭେ ମାତ ॥
କ୍ରିୟା କର୍ମରେ ଇନ୍ଦ୍ରିଗଣ ।ଯେ ଯାହା କର୍ମେ ପ୍ରବର୍ତ୍ତନ ॥
ପ୍ରାଣ ସେ କ୍ରିୟା ଶକ୍ତି ବଳେ ।ଭୋଗ ଭୁଞ୍ଜଇ କୁତୂହଳେ ॥
ବୁଦ୍ଧି ବିଜ୍ଞାନ ଶକ୍ତି ବଳେ ।ଧ୍ୟାନ ଯୋଗରେ ସେ ନିଶ୍ଚଳେ ॥
ତାମସ ଗୁଣ ପଞ୍ଚ ମାତ୍ର ।ବିଷ୍ଣୁର ଅଂଶେ ସେ ବିଦିତ ॥
ଆକାଶ ଗୁଣେ ଶ୍ରୋତ୍ର ହୋଇ ।ଶବଦ ସଂଗ୍ରହ କରଇ ॥
ଶବ୍ଦାଦି ପଞ୍ଚମାତ୍ରା ମାନେ ।ଅର୍ଥ ଆଶ୍ରୟ ଯେଝା ସ୍ଥାନେ ॥
ଆତ୍ମା ଲିଙ୍ଗକୁ ସେ ତୋଷନ୍ତି ।ସ୍ୱଭାବେ ଅଦୃଶ୍ୟ ଅଟନ୍ତି ॥
ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରେ ।ପ୍ରାଣ ଇନ୍ଦ୍ରିୟ ସେ ଆତ୍ମାରେ ॥
ଆଶ୍ରୟ ହୋଇ ନ ଦିଶନ୍ତି ।ଆକାଶ ଗୁଣେ ଏ ପ୍ରବର୍ତ୍ତି ॥
ଆକାଶ ଗୁଣେ ପଞ୍ଚମାତ୍ର ।କାଳର ଗତି ବଳେ ଜାତ ॥
ସର୍ବ ମାତ୍ରାରୁ ବାୟୁ ହୋଇ ।କର୍ମ ତା ସଂଗ୍ରହ କରଇ ॥
ମୃଦୁ କଠିନେ କର୍ମ ହୋଇ ।ଶୀତ ତପତ ସେ ଜାଣଇ ॥
ଏମନ୍ତେ ବୃକ୍ଷେ ହ୍ୱନ୍ତି ଜନ୍ମ ।ଶାଖା ପ୍ରଶାଖା ପତ୍ରମାନ ॥
ସେ ରୂପେ ଏକ ବ୍ରହ୍ମ ତହିଁ ।ଏ ସର୍ବ ଉତ୍ପତ୍ତି ହୁଅଇ ॥
ଆତ୍ମାକୁ ଆଶ୍ରେ କରିଥାଇ ।ବାୟୁର ବଳେ ସେ ଚଳଇ ॥
ଇନ୍ଦ୍ରୟଗଣ ଶବ୍ଦଜନ୍ଧ ।ପ୍ରାଣୀଙ୍କୁ କରନ୍ତି ଏ ଭେଦ ॥
କର୍ମ ମାର୍ଗରେ ଏ ଭ୍ରମନ୍ତି ।ପ୍ରାଣୀଙ୍କୁ ବିଗ୍ରହ ଚିନ୍ତନ୍ତି ॥
ଶବ୍ଦ ଯେ କର୍ଣ୍ଣ ଆଶ୍ରେ କରେ ।ରୂପ ବସଇ ଚକ୍ଷୁଦ୍ୱାରେ ॥
ଆଘ୍ରାଣେ ଗନ୍ଧ ଯେ ବସଇ ।ରସ ଯେ ଜିହ୍ୱାରେ ରହଇ ॥
ସ୍ପର୍ଶ ଯେ ଚର୍ମରେ ବିହରେ ।ଏଣୁ ତପତି ସର୍ବଠାରେ ॥
ଅଗ୍ନି ପବନ ନାଭି ଦେଶେ ।ବସନ୍ତି କ୍ଷୁଧା ତୃଷା ରସେ ॥
ରୂପ ଅରୂପ ଭଲ ମନ୍ଦ ।ଚକ୍ଷୁ ଦ୍ୱାରରେ କରେ ଭେଦ ॥
କଟ ଯେ ମଧୁ ତିକ୍ତ ରସ ।ଜିହ୍ୱା ଯେ ଜାଣେ ତା ଅବଶ୍ୟ ॥
ତପତି ଆଦି ଯେଉଁ କ୍ଲେଶ ।ଆତ୍ମାରେ ହୁଅଇ ପ୍ରକାଶ ॥
ସୌରଭ ଗନ୍ଧ ଯେ ଦୁର୍ଗନ୍ଧ ।ନାସିକା କରେ ତେଣେ ଭେଦ ॥
ସ୍ତୁତି ନିନ୍ଦନ ଯେତେ ବାଣୀ ।ଶବ୍ଦ ଯେ ତାକୁ ପରିମାଣି ॥
ସ୍ପର୍ଶ ଯେ ସ୍ନାନ ଲେପ ତପ୍ତେ ।ଭେଦ କରଇ ଅନୁବ୍ରତେ ॥
ଏ ମାର୍ଗେ ପ୍ରାଣୀଏ ଭ୍ରମନ୍ତି ।ଦଣ୍ଡେ ହେଁ ସ୍ଥିର ସେ ନୁହନ୍ତି ॥
ଧାରଣା ଯୋଗେ ମନ ଧରି ।ପରମ ବ୍ରହ୍ମେ ଲୟ କରି ॥
ସର୍ବ ପ୍ରକାରେ ସତ୍ତ୍ୱ ଗୁଣେ ।ଶାନ୍ତି ଭଜିବ ଅନୁକ୍ଷଣେ ॥
ଏ ଦେବ ବୃକ୍ଷର ଲକ୍ଷଣ ।ଏବେ କହିବା ମାତ ଶୁଣ ॥
ଯେ କାଳେ ପ୍ରଳୟ ହୁଅଇ ।ଏ ସର୍ବ ରୂପ ଭଙ୍ଗ ଯାଇ ॥
ଯାହାର ତହୁଁ ଯେ ଉତ୍ପନ୍ନ ।ତାହାର ତହିଁ ସେହି ଲୀନ ॥
ସେକ୍ଷଣି ପ୍ରଭୁ ଭଗବାନ ।ଯୋଗ ନିଦ୍ରାରେ ଅବଧାନ ॥
ପୁଣି ଏ ସୃଷ୍ଟି ଆଦିକାଳେ ।ଉତ୍ପତ୍ତି ହୁଅନ୍ତି ସକଳେ ॥
ଅନ୍ୟୋନ୍ୟ ଏକତତ୍ତ୍ୱ ହ୍ୱନ୍ତି ।ତକ୍ଷଣେ ରୂପକୁ ଲଭନ୍ତି ॥
ଜଳେ ହିରଣ୍ୟ କୋଷ ପ୍ରାୟେ ।ପଡ଼ି ଭାସନ୍ତି ମହାଶୟେ ॥
କେତେ ହେଁ କାଳେ ତହୁଁ ଜାତ ।ସହସ୍ର-ଶିର ସେ ଅନନ୍ତ ॥
ଜଳେ ଶୟନ ସେ ଆନନ୍ଦେ ।ବ୍ରହ୍ମା ଜନ୍ମିଲେ ନାଭିପଦ୍ମେ ॥
ସୃଷ୍ଟିର ଅଧିପତି ସେହି ।ବିଷ୍ଣୁର ଆଦିରୂପ ହୋଇ ॥
ଏ ଅଂଶ ତାର ଯେବା ଯହୁଁ ଜାତ ।ବିରାଟ ରୂପ ଶୁଣ ମାତ ॥
ବଚନୁ ଅଗ୍ନି ସମ୍ଭବଇ ।ନାସାରୁ ପ୍ରାଣ ଜାତ ହୋଇ ॥
ପ୍ରାଣରୁ ବାୟୁ ଉତପନ୍ନ ।ଚକ୍ଷୁରୁ ଜନ୍ମିଲା ଅରୁଣ ॥
କର୍ଣ୍ଣରୁ ଦିଗମାନ ହୋଇ ।ଇନ୍ଦ୍ରିୟ ଦଶ ରୂପେ ତହିଁ ॥
ଚର୍ମ ଉପରେ ଲୋମମାନ ।ଔଷଧଗଣ ତାଙ୍କୁ ଜାଣ ॥
ତା ରେତ ଆପ ଯେ ଅଟଇ ।ଗୁହ୍ୟ ତା ମୃତ୍ୟୁ ଲୋକେ କହି ॥
ଭୁଞ୍ଜେ ତାହାର ଇନ୍ଦ୍ରି ଦଶ ।ତା ସର୍ବଗତି ହୃଷୀକେଶ ॥
ନାଭି ଆଶ୍ରିତେ ଶିରାକୁଳ ।ଏ ସର୍ବ ନଦୀଙ୍କର ମୂଳ ॥
ଉଦରେ ସମୁଦ୍ର ଅଛଇ ।କ୍ଷୁଧା ପିପାସା ଅଗ୍ନି ବହି ॥
ମନ ସେ ଅଧିଷ୍ଠିତ ହୋଇ ।ବିଷୟ ଭେଦ ସେ କରଇ ॥
ମନର ପରେ ବୁଦ୍ଧି ଜାତ ।ସେ ବୁଦ୍ଧି ମହତୁ ସମ୍ଭୂତ ॥
ଏତେ ପ୍ରକାରେ ଜାତ ହୋଇ ।ବିରାଟ ଅଙ୍ଗରେ ବହଇ ॥
ଏ ଚତୁର୍ଦ୍ଦଶ ଲୋକ-ସ୍ଥିତି ।ବିରାଟ ଅଙ୍ଗରେ ରହନ୍ତି ॥
ଯେ ସ୍ଥାନୁ ଯେବା ଜାତ ହୋଇ ।ସେ ଅଙ୍ଗେ ସେହୁ ବିଶ୍ରାମଇ ॥
କ୍ଷେତ୍ରଜ୍ଞ ରୂପେ ଆତ୍ମା ଥାଇ ।ସାକ୍ଷୀ ସ୍ୱରୂପେ ସେ ଦେଖଇ ॥
କାର୍ଯ୍ୟ କରିଣ ଇନ୍ଦ୍ରିଗଣ ।ଆତ୍ମାକୁ କରନ୍ତି ଭ୍ରମଣ ॥
ଏ ଭାବ ଜାଣି ମୋର ପାଦେ ।ଯେବା ଭ୍ରମଇ ଅପ୍ରମାଦେ ॥
ଏ ଭବଜଳୁଁ ସେ ତରଇ ।ଏ ମାୟା ତାଙ୍କୁ ନ ଲାଗଇ ॥
ସୁଜନ ଜନେ ଏଣେ ରସ ।କହିଲା ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ଷ୍କନ୍ଧେ କପିଳ ଦେବହୂତିସମ୍ୱାଦେ ନାମ ଷଡ଼ବିଂଶୋଽଧ୍ୟାୟଃ ।
ସପ୍ତବିଂଶ ଅଧ୍ୟାୟମୈତ୍ରେୟ ଉବାଚଶୁଣ ବିଦୁର ତତ୍ତ୍ୱବାଣୀ ।ଏ ଜୀବ ତରେ ଯାହା ଶୁଣି ॥
କପିଳ ରୂପେ ପ୍ରିୟ ଭାବେ ।ଜନନୀ ପ୍ରବୋଧି ପ୍ରସ୍ତାବେ ॥
ଯାହା କହିଲେ ନାରାୟଣ ।ନିଶ୍ଚଳ ଚିତ୍ତେ ଏବେ ଶୁଣ ॥
ଶ୍ରୀ ଭଗବାନ ଉବାଚବିଷ୍ଣୁ କହନ୍ତି ତୋଷ ମନେ ।ମନୁ ତନୟା ସନ୍ନିଧାନେ ॥
ଶୁଣ ଜନନୀ ଏକ ମନେ ।ଯେ ହରି ଅଜ ନିରଞ୍ଜନେ ॥
ନିର୍ଗୁଣ ନିର୍ବିକାର ମୟେ ।ବସଇ ଆତ୍ମାରୂପେ ଦେହେ ॥
ସେ ଧର୍ମ ଦେହେ ବଦ୍ଧ ହୋଇ ।ଆତ୍ମାକୁ ଅହଙ୍କାର ବହି ॥
ଆତ୍ମାର ଦୁଃଖ ସୁଖ ଜାଣେ ।କର୍ମର ଗତି ନ ପ୍ରମାଣେ ॥
ଆତ୍ମାର ଗତି ଆତ୍ମା ପାଖେ ।ନିତ୍ୟ ଭ୍ରମଇ ଦୁଃଖ ସୁଖେ ॥
ଦେହକୁ କରେ ଅହଂକାର ।ଏଣୁ ହରଇ ଜ୍ଞାନ ତାର ॥
ନିରତେ ଅହଙ୍କାର ଘେନି ।ସେହୁ ପଡ଼ଇ ନାନା ଯୋନି ॥
ଯେମନ୍ତେ ଜଳେ ପ୍ରାଣୀ ପଶେ ।ପୁଣି ଉଠିଲେ ଶିର ଦିଶେ ॥
ଜନ୍ମ ମରଣ ଏହି ମତେ ।ଅର୍ଜିଲା କର୍ମର ଆୟତ୍ତେ ॥
ଆତ୍ମାର କର୍ମଫଳ ଘେନି ।ଏମନ୍ତେ ଭ୍ରମେ ନାନା ଯୋନି ॥
ଅଜ୍ଞାନେ ଏ ଘୋର ସଂସାରେ ।ଜୀବ ଭ୍ରମଇ ଅହଙ୍କାରେ ॥
ଦୁଃଖ ଲଭଇ ବାରେ ବାରେ ।ଆତ୍ମାର ଗତି ନ ବିଚାରେ ॥
ସ୍ୱପ୍ନ ଅନର୍ଥେ ଯାହାଦେଖି ।ନାନା ପ୍ରକାରେ ଉପଲକ୍ଷି ॥
ଦେଖନ୍ତେ ମଣେ ତା ପ୍ରତ୍ୟକ୍ଷ ।ଯେହ୍ନେ ଜାଗ୍ରତେ ହୁଏ ମିଛ ॥
ଏ ରୂପେ ଜୀବର ସଞ୍ଚାର ।ଏମନ୍ତେ ମାୟାର ସଂସାର ॥
ଏ ଜୀବ ଯାହାର ଅଧୀନ ।କି ରୂପେ ପଡ଼ଇ ବନ୍ଧନ ॥
ଏଣୁ ସଞ୍ଜମ ଚିତ୍ତ କରି ।ବିଷମ ବିଷ ରୂପ ଧରି ॥
ନିୟମେ ସ୍ଥାପିବ ନିଶ୍ଚଳେ ।ଛଡ଼ାଇ ଇନ୍ଦ୍ରି ସଙ୍ଗ ମେଳେ ॥
ବିଷ୍ଣୁ-ବିଷୟେ ମନ ଭରି ।ସାଧିବ ଶରୀର ପାଶୋରି ॥
ଯତ୍ନେ ସାଧିବ ଯୋଗ ତପ ।ସତ୍ୟ ମଉନ ସିଦ୍ଧି କଳ୍ପ ॥
ମୋହର ଗୁଣ କର୍ମ ଯଶ ।ଶ୍ରବଣେ ହୋଇବ ହରଷ ॥
ସକଳ ଜୀବେ ଜୀବ ପ୍ରାୟେ ।ନିତ୍ୟ ଦେଖିବ ବିଷ୍ଣୁ ମୟେ ॥
ପ୍ରାଣୀଙ୍କ ହିତେ ଥିବ ନିତ୍ୟେ ।ଚଞ୍ଚଳ ହୃଦୟେ ସଂଯୁତେ ॥
ଆଶ୍ରମ ଆଶ୍ରା ତତ୍ତ୍ୱ ମତେ ।ସତ୍ୟ ଶଉଚ ଇନ୍ଦ୍ରିଯୁତେ ॥
କରି ଛାଡ଼ିବ ଜଡ଼ ଦେହ ।ତ୍ରିଅହଙ୍କାର ମାୟା ମୋହ ॥
ହୋଇବ ତୁଷ୍ଟ ଦୟା ଶାନ୍ତି ।ଧୈର୍ଯ୍ୟେ ଛାଡ଼ିବ ମନୋଭ୍ରାନ୍ତି ॥
ଏତେ ସାଧନେ ଚିତ୍ତ କରି ।ଦୃଢ଼େ ସାଧିବ ବ୍ରହ୍ମଚାରୀ ॥
ଶ୍ରୀକୃଷ୍ଣ ଶ୍ରବଣ କୀର୍ତ୍ତନେ ।ନିରତେ ସାଧିବ ଯତନେ ॥
ଏ ସର୍ବ ପ୍ରକାଶ ଅଧୀନ ।ଖଣ୍ଡଇ ଜୀବର ସ୍ୱାଧୀନ ॥
ହରି ଚରର ଭକ୍ତି ବିନେ ।ଉପାୟ ନ ଘଟଇ ଆନେ ॥
ଏବେ ଜନନୀ ଧୀରେ ଶୁଣ ।କହିବା ଯୋଗର ଲକ୍ଷଣ ॥
ତେଜିବ ବିଷୟ ଭ୍ରମଣ ।ମନର ସନ୍ତୋଷ ବନ୍ଧନ ॥
ସନ୍ତୋଷ ଚିତ୍ତେ ଯଥା ଲାଭେ ।ଭଜ ଚରଣ ଯଥା ଭାବେ ॥
ଏ ଗ୍ରାମ୍ୟ ଧର୍ମ ପରିହରି ।ମୋକ୍ଷ ଆସନେ ଆଶ୍ରା କରି ॥
ଜୀବ କୁଶଳ ସର୍ବ ସ୍ଥାନେ ।ଚିନ୍ତିବ ପରମ ଯତନେ ॥
ଦୂରେ ତେଜିବ ମିଥ୍ୟା ଭାଷା ।ଦୂରିତ ବୁଦ୍ଧି ପରହିଂସା ॥
ଧନ ଅର୍ଜନ ଅତି ଗାଢ଼େ ।ଚିନ୍ତା ନ କରିବ ନିବିଡ଼େ ॥
ତପ ଶଉଚ ବ୍ରହ୍ମଚାରୀ ।ବେଦ ଅଭ୍ୟାସ ନିତ୍ୟେ କରି ॥
ପୁରୁଷ ଅର୍ଜନ ମଉନ ।ସାଧିବ ଯୋଗର ଆସନ ॥
ପଦ୍ମ ଆସନେ ସିଦ୍ଧିମନେ ।ରୁନ୍ଧିବ ଇନ୍ଦ୍ରିୟ ପବନେ ॥
ସମାଧି ଧାରଣ ମଉନୀ ।ଅଷ୍ଟାଙ୍ଗ ଯୋଗେ ଥାଇ ମୁନି ॥
ଯାହା ଚିନ୍ତନ୍ତି ତତ୍ତ୍ୱଜ୍ଞାନୀ ।ପରମ ଜ୍ୟୋତି ରୂପେ ରମି ॥
ବିଷ୍ଣୁର ଶ୍ରବଣ କୀର୍ତ୍ତନେ ।ସୁସଙ୍ଗ କରିବ ଯତନେ ॥
ଏମନ୍ତ ଦୁଷ୍ଟ ଦୂରାଚାର ।ସ୍ୱଭାବେ ବଳେ ବଳିୟାର ॥
ବିଷ୍ଣୁ ଭଜନ ରଜ୍ଜୁଗଳେ ।ବନ୍ଧନ ନ ରହେ ନିଶ୍ଚଳେ ॥
ବିଷ୍ଣୁ ଚରଣେ ପଦ୍ମ ଦୁଇ ।ଧ୍ୱଜ ଅଙ୍କୁଶ ବିରାଜଇ ॥
ଚନ୍ଦ୍ର କିରଣେ ନଖ ପନ୍ତି ।ଗଞ୍ଜେ ଶଶାଙ୍କ ରବି ଜ୍ୟୋତି ॥
ନିରତେ ଚିତ୍ତେ ଯାର ବସେ ।ହୃଦୟ ତମ ବେଗେ ନାଶେ ॥
ଯା ପାଦପଦ୍ମ ଶୌଚ ନୀର ।ଭାବେ ଶଙ୍କର ବହେ ଶିର ॥
ତେଣୁ ଈଶ୍ୱର ପଦ୍କ ଧରେ ।ଅନ୍ତେ ସେ ଜଗତ ସଂହରେ ॥
ସେ ପାଦପଦ୍ମେ ଅବିରତେ ।ହୃଦେ ଚିନ୍ତନ୍ତି ଦୃଢ଼ଚିତ୍ତେ ॥
ଦେବେ ଭକତ ତମ ନାଶେ ।ପର୍ବତ ଯେହ୍ନେ ବଜ୍ର ତ୍ରାସେ ॥
ଏମନ୍ତ ଚିନ୍ତି ଦେବହରି ।ଅନ୍ତେ ଗମଇ ବିଷ୍ଣୁ ପୁରୀ ॥
ଏବେ ଜନନୀ କହୁଁ ଶୁଣ ।ଯେ ଭକ୍ତି ଯୋଗର ଲକ୍ଷଣ ॥
ଦମ୍ଭ ମତ୍ସର ହିଂସା ଛଳେ ।କ୍ରୋଧ କୁଟିଳ ଭାବ ବଳେ ॥
ଯେ ବିଷ୍ଣୁ ଭଜେ ହୀନଜ୍ଞାନେ ।ବ୍ରତ ବିଷୟ ଚିନ୍ତି ଧ୍ୟାନେ ॥
ତାମସ ଭକ୍ତି ବୋଲି ତାର ।ତା ଭାବ କେ କରୁ ଗୋଚର ॥
ସେ ବିଷ୍ଣୁ ଭକ୍ତ ମଧ୍ୟେ ବର ।ତା ଭାବ ଦେବେ ଅଗୋଚର ॥
ଦାରା ତନୟ ଧର୍ମ ଅର୍ଥେ ।ବିଷ୍ଣୁଙ୍କୁ ଭଜିବ ଯେମନ୍ତେ ॥
ରାଜସ ଭକ୍ତ ବୋଲି ତାରେ ।ପାଞ୍ଚଇ ଆତ୍ମାର ପ୍ରକାରେ ॥
ବାହ୍ୟ ଅନ୍ତରେ ମାୟା ତେଜେ ।କେବଳ ବିଷ୍ଣୁ ଭାବେ ଭଜେ ॥
ସାତ୍ତ୍ୱିକ ଭକ୍ତି ବୋଲି ତାରେ ।ନ ବୁଡ଼େ ସଂସାର ସାଗରେ ॥
ଶୁଣ ରାଜନ ପରିମାଣି ।ବିଷ୍ଣୁ ଯେ ଏମନ୍ତ ନିର୍ମାଣି ॥
ବିଷ୍ଣୁର ଗୁଣ ଗୁଣି ଯେବେ ।ରୋମ ପୁଲକ ତନୁ ଭାବେ ॥
ଆନନ୍ଦେ ନେତ୍ରୁ ଅଶ୍ରୁ ବହେ ।କଣ୍ଠ ଗଦଗଦ ବାଣୀ କହେ ॥
ଚେତନା ବୁଦ୍ଧି ଅହଙ୍କାର ।ଯେ ଭୂତ ବିଷୟ ଗୋଚର ॥
ଏ ସର୍ବ ହରି ଭାବ ମନେ ।ଗଙ୍ଗା ସମୁଦ୍ରେ ମିଶେ ଯେହ୍ନେ ॥
ସାତ୍ତ୍ୱିକ ଭକ୍ତି ବୋଲି ତାରେ ।ସେହି ଦୁର୍ଲ୍ଲଭ ଏ ସଂସାରେ ॥
ତ୍ରିଗୁଣବଦ୍ଧ ସେ ମିଳଇ ।ଉଦୟ ଅସ୍ତ ତାର ନାହିଁ ॥
ଏମନ୍ତେ ଭକ୍ତି ଚାରିଭାବେ ।ତୋ ଅଗ୍ରେ କହିଲି ପ୍ରସ୍ତାବେ ॥
ମୁକ୍ତି ଯେ ଚାରିଭାଗ ବର୍ଣ୍ଣି ।ସଂଯମେ ଶୁଣି ଗୋ ଜନନୀ ॥
ଏ ଚାରି ମୁକ୍ତି ଯେ ପ୍ରତ୍ୟକ୍ଷେ ।ଗୋବିନ୍ଦ ଭକତ ନ ଇଚ୍ଛେ ॥
ନିତ୍ୟେ ଭାବନ୍ତି ନିର୍ବିକାରେ ।ସେ ଧନ୍ୟ ସଂସାର ସାଗରେ ॥
କେ ଜାଣି ପାରେ ତାର ଭାବ ।ସେଟି ପ୍ରତ୍ୟକ୍ଷେ ପଦ୍ମନାଭ ॥
ସେ ଚାରି ପ୍ରକାରେ ପ୍ରମାଣି ।ଭକ୍ତି ଲକ୍ଷଣ ଏବେ ଜାଣି ॥
ଅବିଦ୍ୟା ବନ୍ଧ ଏବେ ନାଶ ।ନିର୍ମଳ କୈବଲ୍ୟ ପ୍ରକାଶ ॥
ଏମନ୍ତେ ଭକ୍ତି ଯୋଗ ବାଣୀ ।କପିଳ ମାତା ଆଗେ ଭଣି ॥
ସଂସାର ଜନହିତ ଅର୍ଥେ ।ତୃତୀୟସ୍କନ୍ଧ ଭାଗବତେ ॥
ଜ୍ଞାନ ଅମୃତମୟ ରସ ।କହିଲା ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟସ୍କନ୍ଧେ କପିଳ ଦେବହୂତି ସମ୍ୱାଦେନାମ ସପ୍ତବିଂଶୋଽଧ୍ୟାୟଃ
ଅଷ୍ଟବିଂଶ ଅଧ୍ୟାୟଶ୍ରୀଭଗବାନ ଉବାଚଶୁଣ ନୃପତି ସୁତା ତୁମ୍ଭେ ।ଯୋଗ ଲକ୍ଷଣ କହୁ ଆମ୍ଭେ ॥
ମନ ପ୍ରସନ୍ନ ଯେବେ ହୋଇ ।ସନ୍ମାର୍ଗ ଭାବକୁ ଗମଇ ॥
ଏଣୁ ଏ ଗ୍ରାମ୍ୟ ଧର୍ମ ଛାଡ଼ି ।ନିବୃତ୍ତି ମାର୍ଗେ ଚିତ୍ତ ବଢ଼ି ॥
ନିଶ୍ଚଳ ସ୍ଥାନରେ ସେ ବସି ।ଲବ୍ଧ ଆହାରେ ପ୍ରାଣ ପୋଷି ॥
ଅହିଂସା ସତ୍ୟମାର୍ଗେ ମଜ୍ଜି ।ଅନ୍ତେ ଏ ପ୍ରତିଗ୍ରହେ ତେଜି ॥
ଯେ ବ୍ରହ୍ମଚର୍ଯ୍ୟ ଆଚରଣ ।ତପ ଶଉଚ ଅଧ୍ୟୟନ ॥
ପୁରୁଷ ରୂପୀ ନାରାୟଣ ।ତା ପାଦେ କରଇ ଅର୍ଜନ ॥
ନିଶ୍ଚଳ ଆସନେ ବସିବ ।ମଉନ ବ୍ରତ ଆଚରିବ ॥
ମନକୁ ନିର୍ବିକ୍ଷୟ କରି ।ଇନ୍ଦ୍ରିୟ ସମୂହ ଆବୋରି ॥
ଆହାର ଜିଣି ପ୍ରତ୍ୟାହାରେ ।ପ୍ରାଣକୁ ସ୍ଥାପିବ ନିଶ୍ଚଳେ ॥
ଆତ୍ମାରେ ଆତ୍ମାକୁ ଚିନ୍ତିବ ।ବୈକୁଣ୍ଠ ଲୀଳାଦି ଯେ ଭାବ ॥
ବୁଦ୍ଧିର ବଳେ କର୍ମ ସାଧି ।ନିଶ୍ଚଳ ଯୋଗରେ ସମାଧି ॥
ଏ ବିଧି ଅନ୍ୟ ମାର୍ଗେ ନାହିଁ ।ଶୁଣ ଗୋ ମାତ ମନ ଦେଇ ॥
ବିଶୁଦ୍ଧ ଦେଶରେ ଆସନ ।କୁଷ୍ଣ କମ୍ବଳ କୃଷ୍ଣାଜିନ ॥
ସ୍ୱସ୍ତିକ ଆସନେ ବସିବ ।ଆନନ୍ଦେ ଯୋଗ ଅଭ୍ୟାସିବ ॥
ଯେ ପ୍ରାଣୀ ଅପର ବିବେକ ।ପୂରକ କୁମ୍ଭକ ରେଚକ ॥
ଏ ମାର୍ଗେ ପ୍ରାଣକୁ ଶୋଧିବ ।ନିଶ୍ଚଳ ଚିତ୍ତରେ ଚିନ୍ତିବ ॥
ଯେମନ୍ତେ ବାୟୁ ଅଗ୍ନି ଲାଗି ।ଲୌହ ଦଗ୍ଧରେ ମଳତ୍ୟାଗୀ ॥
ସେ ରୂପେ ପ୍ରାଣାୟମ କଲେ ।ଆତ୍ମା ନିର୍ମଳ ହୋଏ ଭଲେ ॥
ସମସ୍ତ ଦୋଷ ଏଣେ ହରେ ।ଯେବା ପାତକ ପୂର୍ବେ କରେ ॥
ପ୍ରତ୍ୟାହାରର ବଳେ ମନ ।ଧ୍ୟାନରେ ଜାଣଇ ତ୍ରିଗୁଣ ॥
ମନ ପ୍ରସନ୍ନ ଯେତେବେଳେ ।ଯୋଗକୁ ସାଧିବ ନିଶ୍ଚଳେ ॥
କଳା କାଷ୍ଠାଦି ଦଣ୍ଡେ କ୍ଷଣେ ।ନାସିକା ଅଗ୍ରେ ସୁଲକ୍ଷଣେ ॥
ଧ୍ୟାନେ ଚିନ୍ତନ୍ତି ଭଗବାନ ।ଅନାଦି-ପରମ-କାରଣ ॥
ଶ୍ୟାମ ସୁନ୍ଦର କଳେବର ।ବଚନ ଅମୃତ ମଧୁର ॥
ପ୍ରସନ୍ନ ବଦନ ସୁନ୍ଦର ।ତେଜ ଦେବଙ୍କୁ ଅଗୋଚର ॥
ଶ୍ରୀବତ୍ସ ଚିହ୍ନ ବକ୍ଷ ସ୍ଥଳେ ।କିବା ଉପମା ଦେବା ଭଲେ ॥
ମୁକୁତା ଚାପସରି ହୋଇ ।କଣ୍ଠେ କୌସ୍ତୁଭ ମଣି ଶୋହି ॥
ଲମ୍ବିତ ତାର ପୃଷ୍ଠ ଦେଶେ ।ପାଟଳ ପ୍ରାୟେ ସେ ପ୍ରକାଶେ ॥
ଅମଳ ବନମାଳୀ ଗଳେ ।ମନ ଭ୍ରମଇ ମଧୁଭୋଳେ ॥
ମଧୁର ଧ୍ୱନି ସେ କରନ୍ତି ।ଆନନ୍ଦେ ଉଡ଼ି ପନ୍ତି ପନ୍ତି ॥
କିରୀଟ ଅନଙ୍ଗ ବିରାଜେ ।ଅମୂଲ୍ୟ ହାର ହୃଦେ ସାଜେ ॥
ରତ୍ନ ନୂପୁର ପାଦେ ଶୋହି ।କିବା ଉପମା ଦେବା ତହିଁ ॥
ଦିବ୍ୟ କର୍ଣ୍ଣରେ ସେ କୁଣ୍ଡଳ ।ଶୋଭା କରଇ ଗଣ୍ଡ ସ୍ଥଳ ॥
ଏମନ୍ତ ରୂପେ ଭକ୍ତଜନେ ।ହୃଦେ ଚିନ୍ତନ୍ତି ଅନୁକ୍ଷଣେ ॥
ଆନନ୍ଦେ ଦର୍ଶନ କରନ୍ତି ।ନୟନ ନିର୍ମଳେ ଦେଖନ୍ତି ॥
କିଶୋର ତରୁଣ ବୟସ ।ଅତି ସୁନ୍ଦର ସୁପ୍ରକାଶ ॥
ସର୍ବ ଲୋକଙ୍କୁ ନମସ୍କୃତ୍ୟ ।ଅବ୍ୟୟ ସୁଶାନ୍ତ ମହତ ॥
ଭକ୍ତାନୁଗ୍ରହ ସେ ଅଟନ୍ତି ।ଭକ୍ତର କଷ୍ଟ ନ ସହନ୍ତି ॥
ଯାହାର ଯଶ କୀର୍ତ୍ତି ସାର ।ତୀର୍ଥଙ୍କ ପ୍ରାୟେ ପାପ ହର ॥
ଯାହାର କୀର୍ତ୍ତି ପୁଣ୍ୟଶ୍ଳୋକେ ।ଗାୟନ କରୁଛନ୍ତି ମୁଖେ ॥
ସମଗ୍ର କରି ତାଙ୍କ ଦେହୀ ।ନିତ୍ୟେ ଚିନ୍ତିବ ଚିତ୍ତେ ଧ୍ୟାୟି ॥
ଆସନେ ବସି ଏକାନ୍ତରେ ।ଗମନ ଶୟନ ଗୁହାରେ ॥
ଅଙ୍ଗକୁ ଅଙ୍ଗ ପ୍ରତିଧ୍ୟାନ ।ଚିନ୍ତିବ ବିଷ୍ଣୁର ଚରଣ ॥
ଧ୍ୱଜ ଅଙ୍କୁଶ ବଜ୍ରଚିହ୍ନ ।ପଦ୍ମ ସହିତେ ଯେ ଲାଞ୍ଛନ ॥
ତୁଙ୍ଗ ସୁରଙ୍ଗ ପାଦ ଦୁଇ ।ନଖ ଚନ୍ଦ୍ରିକା ବିରାଜଇ ॥
ମହତ ହୃଦ ଅହଙ୍କାର ।ଧ୍ୟାନେ ଭଜଇ ନିରନ୍ତର ॥
ଯା ପାଦୋଦକ ଗଙ୍ଗା ନୀର ।ଶିରରେ ବହିଛନ୍ତି ହର ॥
ଯା ନୀର ବ୍ରହ୍ମାଣ୍ଡ ମଧ୍ୟରେ ।ସ୍ନାନ କରନ୍ତି ସୁର ନରେ ॥
ପାପ ଶଇଳ ବଜ୍ର ପ୍ରାୟେ ।ଯା ପାଦ ନାଶଇ ନିର୍ଭୟେ ॥
ସେ ପାଦପଦ୍ମେ ଧ୍ୟାନ କରି ।ନିତ୍ୟେ ବନ୍ଦଇ ଚିତ୍ତେ ଧରି ॥
ସେ ପାଦପଦ୍ମର ମହିମା ।କେ କହିପାରେ ଗୁଣସୀମା ॥
ଯା ପାଦଯୁଗ ମନୋହର ।ବ୍ରହ୍ମା ସେବଇ ନିରନ୍ତର ॥
ଆଜାନୁଲମ୍ୱି ଭୂଜମାନ ।କେୟୁର କଙ୍କଣ ଶୋଭନ ॥
ଅତସୀ କୁସୁମର ପ୍ରାୟେ ।ଅଙ୍ଗ ତାହାର ଶୋଭା ପାଏ ॥
ତଡ଼ିତ ଜିଣି ପୀତମ୍ବର ।କାଞ୍ଚନ ଦାମ ମନୋହର ॥
ଏ ବିଶ୍ୱ ଯାହାର ହୃଦର ।ସପ୍ତ ସମୁଦ୍ର ଦ୍ୱୀପବର ॥
ଯା ନାଭି ପଦ୍ମୁ ବ୍ରହ୍ମଜାତ ।ଅଖିଳ-ବ୍ରହ୍ମାଣ୍ଡର ନାଥ ॥
ଏମନ୍ତ ଭାବେ ଯାହା ଚିନ୍ତି ।ଅପରେ ହୃଦୟ ଆକୃତି ॥
ମର୍କତ ମଣି ପ୍ରାୟେ ଶୋଭା ।ସ୍ତନ ଯୁଗଳ ଦିବ୍ୟ ପ୍ରଭା ॥
ତା ମଧ୍ୟେ ବିଶଦ ଯେ ହାର ।ଅତ୍ୟନ୍ତ ଶୋଭା ସେ ହୃଦର ॥
ଲକ୍ଷ୍ମୀ ଭୂଷଣ ବକ୍ଷସ୍ଥଳେ ।ଅର୍ଦ୍ଧେକ ଶୋଭା ମଣିକରେ ॥
ଅଖିଳ ଲୋକ ମନୁ ସୁତ ।ଶୋଭା ଯେ କରେ ଜନ୍ମ ମାତ୍ର ॥
ମନ୍ଦର ଗିରି ଶୃଘଂ ପ୍ରାୟେ ।ତା ଭୁଜ ଦଣ୍ଡ ଶୋଭା ପାଏ ॥
ଯେ ଚକ୍ର ଧରିଛନ୍ତି କର ।ଅପରିଣାମ ତେଜ ତାର ॥
ତା କରପଦ୍ମ ଚକ୍ରେ ଶୋଭା ।ରାଜହଂସର ପ୍ରାୟେ ଆଭା ॥
ଦାନବ ରୁଧିରେଣ ଯୁକ୍ତ ।ଗଦାଏ ଅଛି ତାର ହସ୍ତ ॥
ଭୃତାନୁଗ୍ରହ ତା ଶ୍ରୀମୁଖ ।ସସ୍ମିତା ସୁରଙ୍ଗ ସୁରେଖ ॥
ଶ୍ରବଣେ ମକର କୁଣ୍ଡଳ ।ଚଳନ୍ତେ ଯେହ୍ନେ ବିଦ୍ୟୁନ୍ନାଳ ॥
ତୁଙ୍ଗ ନାରଙ୍ଗ ଦିବ୍ୟ ଶୋଭା ।କୁଣ୍ଡଳ ଅଳି ଗଣ୍ଡ ପ୍ରଭା ॥
ଲୋଚନଯୁଗ ପଦ୍ମ ପ୍ରାୟେ ।ଭୃଙ୍ଗର ବୀଥି କିବା ଶୋହେ ॥
ଏମନ୍ତ ରୂପ ଯେବା ଧ୍ୟାନ ।ଆନନ୍ଦେ କରେ ଅନୁକ୍ଷଣ ॥
ତାହାକୁ ପ୍ରଭୁ କୃପାକରେ ।ଏ ଘୋର ତାପ ଚୟ ହରେ ॥
ଏଣୁ ଏ ରୂପ ଗୁଣ ଧ୍ୟାନେ ।ନିତ୍ୟେ ଚିନ୍ତିବ ଦୃଢ଼ ମନେ ॥
ଅଖିଳ ଲୋକ ତାହା ହରେ ।ଯେ ମନ୍ଦହାସ ଶ୍ରୀମୁଖରେ ॥
ମକର ଧ୍ୱଜ-ଚାପ ପ୍ରାୟେ ।ଭୃଭଙ୍ଗ ଯୁଗ ତାର ଶୋହେ ॥
କଟାକ୍ଷ ଶରପନ୍ତି ହୋଇ ।ମୁନିମାନଙ୍କ ମନ ମୋହି ॥
ଏଣେ ମୋହିତ ମୁନିଜନେ ।ଧ୍ୟାନ କରନ୍ତି ଅନୁକ୍ଷଣେ ॥
ତାହାର ଉଚ୍ଚହାସେ ଧ୍ୟାନ ।ଅରୁଣ ବର୍ଣ୍ଣ ଓଷ୍ଠମାନ ॥
କୁନ୍ଦକଢ଼ୀର ପ୍ରାୟ ହୋଇ ।ଦନ୍ତପନ୍ତି ଯେ ବିରାଜଇ ॥
ପ୍ରେମାନୁବନ୍ଧେ ଏହା ଚିନ୍ତି ।ଅନ୍ୟ ଯେ କିଛି ନ ବାଞ୍ଚନ୍ତି ॥
ଏ ରୂପେ ଧ୍ୟାନ ଯୋଗ କରି ।ଭକ୍ତି ଭାବରେ ମୋଦ ଭରି ॥
ଭକ୍ତ ସ୍ୱଭାବେ ସୁମରଣ ।ପୁଲକ କରି ତନୁ ଲୋମ ॥
ଏ ରୂପେ ଯୋଗ ସମାଧିରେ ।ଯେବେ ଏ ମନ ଭ୍ରମ କରେ ॥
ତେବେ ସଙ୍ଗମ ମନ କରି ।ଧ୍ୟାନେ ଚିନ୍ତିବ ନରହରି ॥
ଏ ରୂପେ ନିର୍ବିଷୟ ହୋଇ ।ନିଷ୍କାମ ମାର୍ଗେ ଯୋଗଧ୍ୟାୟି ॥
ପରମାନନ୍ଦ ରୂପ ଚିନ୍ତି ।ବ୍ରହ୍ମ ନିର୍ବାଣ ସେ ଲଭନ୍ତି ॥
ଜ୍ୟୋତି ସ୍ୱରୂପ ଆତ୍ମା ଏକ ।ସର୍ବତ୍ର ଦେଖଇ ପ୍ରତ୍ୟକ୍ଷ ॥
ଗୁଣ ପ୍ରବାହକୁ ନାଶଇ ।ଅଗମ୍ୟ ଦିବ୍ୟସ୍ଥାନ ପାଇ ॥
ଏ ରୂପେ ଭକ୍ତିଯୋଗ ସାଧି ।ତରଇ ସଂସାର ଜଳଧି ॥
ଜାଣଇ ସୁଖ ଦୁଃଖ ଭାବ ।ଜନ୍ମ ମୃତ୍ୟୁର ପରାଭବ ॥
ଦୈବ ଅଧୀନେ ଯେତେ ନର ।ଏ ମାର୍ଗେ ନୁହନ୍ତି ପ୍ରବର ॥
ଏ ଦେହ ସତ୍ୟ ପ୍ରାୟ ମଣି ।ବିଷୟ ଭ୍ରମେ ଅନୁକ୍ଷଣି ॥
ମଦିରା ଅର୍ଥେ ଭୋଳ ହୋଇ ।ଯେମନ୍ତେ ଦିବସ ସେ ହୋଇ ॥
ସେ ରୂପେ ପ୍ରବୃତ୍ତି ନିବୃତ୍ତି ।ଅଜ୍ଞାନେ ତାହା ନ ଜାଣନ୍ତି ॥
ଏ ଦେହେ କର୍ମବଶ ହୋଇ ।ସର୍ବ ସଂକଳ୍ପ କରିଥାଇ ॥
ଯାବତ ଯୋଗସିଦ୍ଧି ନୋହି ।ତାବତ ବିଷୟ ଭ୍ରମଇ ॥
ପୁତ୍ର କଳତ୍ର ଗୃହ ଧନେ ।ସ୍ନେହ ବନ୍ଧନ ପ୍ରାଣୀମାନେ ॥
ଆତ୍ମାର ତୁଲ୍ୟପ୍ରାୟ ମଣେ ।ତୋଷେଣ ଭ୍ରମେ ଅନୁକ୍ଷଣେ ॥
ଯେମନ୍ତେ ଅଗ୍ନି ଧୂମ୍ର ବଳ ।କେବେହେଁ ନୁହଇ ନିର୍ମଳ ॥
ସେ ରୂପେ ବିଷୟାନ୍ଧେ ପ୍ରାଣୀ ।କେବେହେଁ ଆତ୍ମାକୁ ନ ଚିହ୍ନି ॥
କାଷ୍ଠରୁ ଧୂମ ଅଗ୍ନି ଜାତ ।ସେ କାଷ୍ଠ ଦହଇ ଯେମନ୍ତ ॥
ଅଜ୍ଞାନୁ ଜ୍ଞାନ ଜାତ ହୋଇ ।ବିଷୟ-ବାସନା ଦହଇ ॥
ଭୂତ ଇନ୍ଦ୍ରିୟଗଣ ଯେତେ ।ପ୍ରଧାନ-ପୁରୁଷ ସହିତେ ॥
ଏକ ଅନେକ ରୂପ ହୋଇ ।ବ୍ରହ୍ମାଣ୍ଡେ ଲୀଳା ସେ କରଇ ॥
ଏମନ୍ତ ଭାବେ ବ୍ରହ୍ମଜ୍ଞାନ ।ପ୍ରାଣୀ ଚିନ୍ତନ୍ତି ଅନୁକ୍ଷଣ ॥
ଏ ସର୍ବଭୂତ ତାର ଦେହି ।ସେ ସର୍ବଭୂତ ମଧ୍ୟେ ଥାଇ ॥
ଏମନ୍ତ ଭାବେ ସର୍ବଭୂତେ ।ଅନ୍ୟୋନ୍ୟେ ଦେଖିବ ନିରତେ ॥
ସେ ଜ୍ୟୋତିର୍ମୟ ଆତ୍ମାଯୋନି ।ଗୁଣ ପ୍ରବାହ ଭେଦେ ଘେନି ॥
ସତ ଅସତ ଆତ୍ମା ସେହି ।ତା ବିନୁ ଅନ୍ୟ ନାହିଁ କେହି ॥
ପରମ ଭକ୍ତ ଭାବ ଏହି ।ଏ ଭାବେ ଚିନ୍ତ ମନ ଦେଇ ॥
ତେବେ ଏ ସଂସାରୁ ତରିବ ।ଶ୍ରୀକୃଷ୍ଣ ଚରଣ ଲଭିବ ॥
ଭୋ ମାତ ସାଧ ଏହି ଯୋଗ ।ହେଳେ ତରିବ ଘୋର ଦୁର୍ଗ ॥
କହଇ ବିପ୍ର ଜଗନ୍ନାଥ ।ସୁଜନେ ଚିନ୍ତ ଏହି ପଥ ॥
ଏଣେ ସଂସାରୁ ତରିଯିବ ।ନାହିଁ ଯାତନା ପରାଭବ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କପିଳ ଦେବହୂତି ସମ୍ୱାଦେନାମ ଅଷ୍ଟାବିଂଶେଽଧ୍ୟାୟଃ ।
ଉନବିଂଶ ଅଧ୍ୟାୟଦେବହୂତିରୁବାଚଭୋନାଥ ପ୍ରଭୁ ଭଗବାନ ।କହ ତୁ ପରମାର୍ଥ ଜ୍ଞାନ ॥
ଯେ ଜ୍ଞାନ ଭକ୍ତ ପ୍ରକାଶଇ ।ଅଜ୍ଞାନ-ତିମିର ନାଶଇ ॥
ମହତ ଆଦି ସେ ପ୍ରମାଣ ।ପ୍ରକୃତି ପୁରୁଷ ଲକ୍ଷଣ ॥
ଯଥା ସଂଖ୍ୟାରେ ଅଛି କହି ।ତୋ ଭକ୍ତି ମାର୍ଗକୁ ଚିହ୍ନଇ ॥
ବିସ୍ତାରି କହ ପ୍ରଭୁ ମୋତେ ।ସଂଶୟ ନ ରହୁ ମୋ ଚିତ୍ତେ ॥
ମହାପ୍ରଭାବ ଯେ ଈଶ୍ୱର ।ସମସ୍ତ ଚିତ୍ତରେ ଗୋଚର ॥
ଯେହେତୁ ଲଭି ପ୍ରାଣୀମାନେ ।କୁଶଳ ହ୍ୱନ୍ତି ତତକ୍ଷଣେ ॥
ସଂସାରେ ମୋହ ଅନ୍ଧକାରେ ।ଦେହାଭିମାନି ଯେତେ ନରେ ॥
ନିଦ୍ରିତ ହୋଇ ସେ ଅଛନ୍ତି ।ଅଜ୍ଞାନେ କିଛି ନ ଜାଣନ୍ତି ॥
ତୋ ଜ୍ଞାନ ଦେଇ ନରହରି ।ବିନାଶ ଅଜ୍ଞାନ-ତିମିରି ॥
ମୈତ୍ରେୟ ଉବାଚଶୁଣ ବିଦୁର ମନ ଦେଇ ।ମାତା ବଚନେ ଭାବଗ୍ରାହୀ ॥
କହନ୍ତି ଅମୃତ ବଚନ ।ଯେଣେ ସନ୍ତୋଷ ମାତା ମନ ॥
ଶ୍ରୀ ଭଗବାନ ଉବାଚଶୁଣ ଜନନୀ ସ୍ଥିର ମନେ ।ଯେ ଜ୍ଞାନ ଭକ୍ତିର ଲକ୍ଷଣେ ॥
ବହୁ ପ୍ରକାରେ ଭକ୍ତିଯୋଗ ।ଜ୍ଞାନୀ ସାଧନ୍ତି ମୋକ୍ଷ ମାର୍ଗ ॥
ସ୍ୱଭାବେ ଗୁଣ ଯୁକ୍ତ ହୋଇ ।ନାନା ସଂକଳ୍ପ ମନେ ଧ୍ୟାୟି ॥
ସାତ୍ତ୍ୱିକ ରାଜସ ତାମସ ।ଗୁଣ ପ୍ରବାହେ ଯେ ପ୍ରକାଶ ॥
ଦମ୍ଭ ମତ୍ସର ଭାବ ବହି ।ପ୍ରାଣୀ ହିଂସାରେ ଯୁକ୍ତ ହୋଇ ॥
ପର ଅପରେ ଭେଦ ବୁଦ୍ଧି ।ତାମସ ଗୁଣେ ଯେ ପ୍ରସିଦ୍ଧି ॥
ଏ ଭାବେ ମୋତେ ଯେ ପୂଜଇ ।ତାମସ ଭକ୍ତି ତାକୁ କହି ॥
ଯଶ ଐଶ୍ୱର୍ଯ୍ୟ କଳ୍ପେ ମନେ ।ବିଷୟ ଧ୍ୟାନ ଅନୁକ୍ଷଣେ ॥
ଏ କର୍ମେ ମୋତେ ଯେ ପୂଜଇ ।ରାଜସ ଭକ୍ତି ତାକୁ କହି ॥
ଈଶ୍ୱର ଅର୍ଥେ କର୍ମ କରେ ।ଧର୍ମ ମାର୍ଗରେ ଯେ ପ୍ରଚରେ ॥
ସର୍ବତ୍ର ଦେଖଇ ସମାନ ।ସାତ୍ତ୍ୱିକ ଭକ୍ତି ତାକୁ ଜାଣ ॥
ଏହି ପ୍ରକାରେ ନବ ନବ ।ସାଧନ୍ତି କେବା ଗୁଣ ମାର୍ଗ ॥
ମୋହର ଗୁଣ କୀର୍ତ୍ତିମାନ ।ନିତ୍ୟେ ଯେ କରଇ ଶ୍ରବଣ ॥
ମୁହିଁ ଯେ ସର୍ବ ଗୁଣାଶ୍ରୟ ।ବିଚ୍ଛେଦେ ନାହିଁ କାହିଁ ମୋହ ॥
ଏମନ୍ତ ଭାବେ ସେ ଭାବଇ ।କର୍ମବନ୍ଧନୁ ମୋକ୍ଷ ହୋଇ ॥
ସମୁଦ୍ର ଯେହ୍ନେ ନଦୀ ଜଳ ।ମିଳି ହୁଅନ୍ତି ଏକ ମେଳ ॥
ସେ ରୂପେ ମୋର ଦେହେ ଲୀନ ।ଭକ୍ତି ଭାବରେ ହ୍ୱନ୍ତି ଜନ ॥
ଶୁଣ କହିବା ମନ ଦେଇ ।ନିର୍ଗୁଣ ଭକ୍ତି ତାକୁ କହି ॥
ନିଷ୍କାମ ମାର୍ଗେ ଆତ୍ମଜ୍ଞାନ ।ସର୍ବତ୍ର ଦେଖଇ ସମାନ ॥
ପୁରୁଷୋତ୍ତମ ଭାବେ ଭଜି ।ପରମ ଆତ୍ମା ମନେ ହେଜି ॥
ନିର୍ଗୁଣ ଭକ୍ତି ଏହା କହି ।ଅପରେ ଶୁଣ ମନ ଦେଇ ॥
ସାମୀପ୍ୟ ସାରୂପ୍ୟ ଏକତ୍ୱ ।ସାଲୋକ୍ୟ ଅଇଶ୍ୱର୍ଯ୍ୟ ବ୍ୟକ୍ତ ॥
ଏମାନେ ଯାହା ମୋତେ ଦ୍ୟନ୍ତି ।ଏଣେ ସନ୍ତୋଷ ନୋହେ ମତି ॥
ମୋର ଭକତି ବିନା ଏହି ।ହେଳେ ସନ୍ତୋଷ ମୋର କାହିଁ ॥
ଏତେ ପ୍ରକାରେ ଭକ୍ତିମାର୍ଗ ।ସାଧନ୍ତି ପ୍ରାଣୀ ମୋକ୍ଷ ଯୋଗ ॥
ଯେବେ ତ୍ରିଗୁଣକୁ ଜିଣଇ ।ମୋହର ଭାବକୁ ଲଭଇ ॥
କ୍ରିୟା ଯୋଗରେ ନିଷ୍କାମରେ ।ମୋତେ ସେବନ୍ତି କେବା ନରେ ॥
ହିଂସା ବର୍ଜିତ ସାଧୁଗଣ ।ନିତ୍ୟେ ଭଜନ୍ତି ମୋର ନାମ ॥
କେ ଅବା ମୋତେ ପୂଜା କରେ ।ସ୍ତୁତି ବନ୍ଦନେ ନିରନ୍ତରେ ॥
ଦର୍ଶନ ସ୍ପର୍ଶନ ପ୍ରମାଣ ।ଜ୍ଞାନ ବୈରାଗ୍ୟ ଆରାଧନ ॥
ମିତ୍ର ଭାବରେ ସର୍ବଜନ ।ଦେଖଇ ଆତ୍ମାର ସମାନ ॥
ଯମ ନିୟମ ମାର୍ଗ ସିଦ୍ଧି ।ବହୁ ପ୍ରକାରେ ମାନ୍ୟ ସାଧି ॥
ବସଇ ଅନୁକମ୍ପା ହୋଇ ।ମୋ ବିନୁ ଅନ୍ୟ ନ ଜାଣଇ ॥
ମୋହର ଜ୍ଞାନ ସଂକୀର୍ତ୍ତନ ।ଶ୍ରବଣେ ଆଧ୍ୟାତ୍ମ ଦର୍ଶନ ॥
ଆର୍ଜବ ସାଧୁସଙ୍ଗ ପୁଣ ।ଅହିଂସା ଧର୍ମ ପରାୟଣ ॥
ଶୁଦ୍ଧ ନିର୍ମଳ ଭାବ ପୁଣ ।ମୋହର ଧର୍ମ ଆଚରଣ ॥
ମୋହର ଗୁଣ ଶୁଣି କର୍ଣ୍ଣେ ।ଆନନ୍ଦ ହ୍ୱନ୍ତି ପ୍ରାଣୀମାନେ ॥
ଯେମନ୍ତ ପବନର ବଳେ ।ସୁଗନ୍ଧ ଦୁର୍ଗନ୍ଧ ପ୍ରସରେ ॥
ସେ ରୂପେ ଆତ୍ମା ଅବିକାର ।ଏ ରୂପେ ଦେଖିବ ଧ୍ୟାନର ॥
ମୁଁ ସର୍ବ ଭୂତର ଈଶ୍ୱର ।ଆତ୍ମା ସମ୍ପୂର୍ଣ୍ଣରେ ଗୋଚର ॥
ଏମନ୍ତ ଭାବ ମୋର ଛାଡ଼ି ।ଯେ ପୂଜେ ଅନ୍ୟ ଲାଭେ ବଢ଼ି ॥
ମୁଁ ସର୍ବବ୍ୟାପୀ ଯେ ଅଟଇ ।ଏମନ୍ତ ଭାବ ନ ଜାଣଇ ॥
ଯେ ଭାବେ ଅନ୍ଧ ବୈର ହୋଇ ।ସେ ଶାନ୍ତି କେଭେ ନ ଲଭଇ ॥
ମୋତେ ପୂଜିବ ଯେବେ ସେହି ।ତା’ର ପୂଜାରେ ତୋଷ ନୋହି ॥
ସର୍ବ ଭୂତରେ ସ୍ଥିତ ମୁହିଁ ।ଯାବତ ପ୍ରାଣୀ ନ ଜାଣଇ ॥
ତାବତ ସ୍ୱକର୍ମ ପାଶରେ ।ପ୍ରାଣୀ ବନ୍ଧନ ଏ ସଂସାରେ ॥
ପର ଅପର ଏକ ଆତ୍ମା ।ଅନ୍ତର କରେ ଯେ ମାହାତ୍ମା ॥
ସେ ମୃତ୍ୟୁପଥୁ ନ ତରଇ ।ସଂସାର ମାର୍ଗେ ଭ୍ରମହୋଇ ॥
ଯେ ଆତ୍ମା ସର୍ବଭୂତ ମଧ୍ୟେ ।ଅର୍ଚ୍ଚନା କରେ ଯେଣୁ ସଧେ ॥
ମିତ୍ର ଭାବରେ ସର୍ବ ଦେଖେ ।ସଂସାରୁ ତରେ ସେ ପ୍ରତ୍ୟକ୍ଷେ ॥
ଅଜୀବ ମଧ୍ୟେ ଜୀବ ଶ୍ରେଷ୍ଠ ।ଜୀବରେ ପ୍ରାଣ ଯେ ଗରିଷ୍ଠ ॥
ପ୍ରାଣରୁ ଚେତନା ବିଶେଷ ।ଇନ୍ଦ୍ରିୟ ବୃତ୍ତିରେ ପ୍ରକାଶ ॥
ଇନ୍ଦ୍ରିୟ ସର୍ବ ଗୁଣେ ଶ୍ରେଷ୍ଠ ।ରସରେ ମତ୍ସ୍ୟ ଯେ ଗରିଷ୍ଠ ॥
ଗନ୍ଧବେଦୀରେ ସେ ଭ୍ରମର ।ଶବଦ ହେଲେ ସର୍ବେଶ୍ୱର ॥
ରୂପରେ ଭେଦବିଦ ହୋଇ ।ବର୍ଣ୍ଣେ ସେ ପ୍ରତ୍ୟକ୍ଷ ଅଟଇ ॥
ଅପାଦ ମଧ୍ୟେ ବହୁ ପାଦ ।ବହୁ ପାଦରେ ଚତୁଷ୍ପାଦ ॥
ମନୁଷ୍ୟ ମଧ୍ୟେ ଚାରିବର୍ଣ୍ଣ ।ଏଥିରୁ ବ୍ରାହ୍ମଣ ଉତ୍ତମ ॥
ବ୍ରାହ୍ମଣ ମଧ୍ୟଣ ଦେବଜ୍ଞ ।ବହୁ ଅଧୀନ ଯେ ଅର୍ଥଜ୍ଞ ॥
ସଂଶୟ କ୍ଷୟ ଯେ ଅର୍ଥଜ୍ଞ ।କରଇ କେବଳ ସ୍ୱକର୍ମ ॥
ଆତ୍ମାକୁ ନାମ ତେଣୁ କରି ।ମୁକ୍ତ ସଙ୍ଗକୁ ସେ ଆଚରି ॥
ମୋର ଅର୍ପିତ କର୍ମ କରେ ।ଆତ୍ମାର ଭାବ ନିରନ୍ତରେ ॥
ମୋତେ ସେ କର୍ମ ସମର୍ପଇ ।ଆତ୍ମା ସହିତେ ତା’ର ଯହିଁ ॥
ଏ ରୂପେ ମୋର ମନ ତହିଁ ।ବହୁ-ମାନନାରେ ନମଇଁ ॥
ଏମନ୍ତ ଭାବେ ଯେ ଭଜଇ ।ତା ହୃଦେ ବିଜେ ଭାବଗ୍ରାହୀ ॥
ଆନନ୍ଦେ ଦର୍ଶନ ଦିଅନ୍ତି ।ମୋକ୍ଷ ପଦରେ ଅଧିପତି ॥
ଭକ୍ତି ଯୋଗରେ ମୋତେ ଧ୍ୟାୟି ।ଯେ ମୋତେ ହୃଦରେ ଦେଖଇ ॥
ପରମ ବ୍ରହ୍ମଙ୍କୁ ଲଭଇ ।ଏଣୁ ଏକାଗ୍ର ଭାବେ ଧ୍ୟାୟି ॥
ଏ ଯେ ପରମ ବ୍ରହ୍ମସାର ।ପ୍ରଧାନ ପୁରୁଷଙ୍କ ବର ॥
ତାର ଉପରେ କହେ ନାହିଁ ।ସୃଷ୍ଟିର ଆଦି ଅନ୍ତ ସେହି ॥
ତା’ର ପୀରତି ସେ ଦଇବ ।ସର୍ଜ୍ଜଇ କର୍ମର ସ୍ୱଭାବ ॥
ନାନା ପ୍ରକାରେ ରୂପ ଭେଦ ।ଆଶ୍ରୟ କାରଣ ସମ୍ପଦ ॥
ଅଦ୍ଭୁତ କାଳ ଯେ ମହିମା ।ଭୋ ନାଥ ନିଶ୍ଚଳେ ଜାଣିମା ॥
ମହତ ଆଦି ଯେତେ ଭୂତେ ।ଅଖିଳ ସଂସାର ଜଗତେ ॥
ସମସ୍ତ ଆତ୍ମା ମଧ୍ୟଗତ ।ନିରତେ କରୁଅଛି ଗ୍ରସ୍ତ ॥
ତାହାର ତହୁଁ ଭୟ ପାଇ ।ନିରତେ କମ୍ପୁଅଛି ଦେହୀ ॥
ସେ ପ୍ରଭୁ କାଳର ମହିମା ।କେ କରିପାରେ ଗୁଣ ସୀମା ॥
ପ୍ରିୟ ଅପ୍ରିୟ ଯାର ନାହିଁ ।ବିନାଶ କରେ ସର୍ବଦେହୀ ॥
ସେ କାଳ ପୁରୁଷର ଭୟେ ।ନିରତେ ପବନଟି ବହେ ॥
ଯେ କାଳ ଭୟେ ସୂର୍ଯ୍ୟ ତାପେ ।ଭ୍ରମେ ବ୍ରହ୍ମାଣ୍ଡ ମଧ୍ୟ ଗତେ ॥
ଯାହାର ଭୟେ ମେଘଗଣ ।ବୃଷ୍ଟି କରନ୍ତି ଅନୁକ୍ଷଣ ॥
ଯାହାର ଭୟେ ବୃକ୍ଷଗଣ ।ଲତା ଔଷଧ ଶସ୍ୟମାନ ॥
ଯଥା କାଳରେ ପୁଷ୍ପ ଫଳ ।ଫଳନ୍ତି ଫୁଟନ୍ତି ନିର୍ମଳ ॥
ଯାହାର ଭୟେ ନଦୀଗଣ ।ସବୁ ଅଛନ୍ତି ଅନୁକ୍ଷଣ ॥
ଉଦଧି ଯାହାର ଭୟରେ ।ଅଦ୍ୟାପି କେବେ ନ ଉଛୁଳେ ॥
ଅଗ୍ନି ଯାହାର ଭୟେ ପୁଣ ।ସମସ୍ତ କରଇ ଦହନ ॥
ଯାହାର ଭୟେ ଗିରିବର ।ଭୂମିରେ ହୋଇଛି ନିଶ୍ଚଳ ॥
ଯାହାର ଆଜ୍ଞା ପରମାଣେ ।ଆକାଶ ଭୟ କରି ମନେ ॥
ସ୍ୱଦେହ ବିସ୍ତାର ସେ କଲା ।ସପ୍ତଲୋକଙ୍କୁ ଠାବ ଦେଲା ॥
ବ୍ରହ୍ମାଦି ଯେତେ ଦେବଗଣ ।ସଚରାଚର ଯେ ଭିଆଣ ॥
ଯାହାର ଭୟେ ବାରେ ବାରେ ।ସ୍ୱର୍ଗାଦି ହୁଅନ୍ତି ସତ୍ୱରେ ॥
ଯେ କାଳ ଭୟରେ ତ୍ରିଗୁଣ ।ସୃଷ୍ଟି ପାଳନ ସଂହାରଣ ॥
ସେ କାଳରୂପୀ ସେ ଅନନ୍ତ ।ଉଦାର ଅବ୍ୟୟ ଅଚ୍ୟୁତ ॥
ସମସ୍ତ ଉତ୍ପତ୍ତି କରଇ ।ଗୁଣ ପ୍ରଭାବ ଭାବ ବହି ॥
ଯେ କାଳରୂପେ ଅନ୍ତକରେ ।ଏଣୁ ଅନନ୍ତ ରୂପ ଧରେ ॥
ଏଣୁ ଏ କାଳର ମହିମା ।କେ ଜାଣିପାରେ ଗୁଣ ସୀମା ॥
ତୋର ଭକତ ଜନ ଯହିଁ ।କାଳର ଅଧିକାର ନାହିଁ ॥
ସୁଜନେ ଏଣେ କର ମତି ।ତୁଟିବ ସଂସାର ଦୁର୍ଗତି ॥
ଏ ମାତା-ପୁତ୍ରଙ୍କ ସମ୍ବାଦ ।ଶୁଣନ୍ତେ ନ ଲାଗେ ପ୍ରମାଦ ॥
କହଇ ବିପ୍ର ଜଗନ୍ନାଥ ।ତୃତୀୟ ସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ମାତାପୁତ୍ର ସମ୍ୱାଦେନାମ ଊନତ୍ରିଂଶୋଽଧ୍ୟାୟଃ ।
ତ୍ରିଂଶ ଅଧ୍ୟାୟଦେବହୂତିରୁବାଚଏମନ୍ତେ ପୁତ୍ର ବାକ୍ୟ ଶୁଣି ।ଆନନ୍ଦେ କର୍ଦ୍ଦମ ଘରଣୀ ॥
ଚରଣେ ପୁଣ ପୁଣ ପଡ଼ି ।କପାଳେ ବେନି କରଯୋଡ଼ି ॥
ଭୋ ପ୍ରଭୁ ମୋତେ କର ତ୍ରାହି ।କହଇ ବିଷ୍ଣୁ ମୁଖ ଚାହିଁ ॥
ବିଷ୍ଣୁର ନାଭି ପଦ୍ମମୂଳେ ।ବ୍ରହ୍ମା ଉପୁଜି ମହାଜଳେ ॥
ପ୍ରଜା ସର୍ଜିଲା ଅବଧାନେ ।ସାଧିଲା ଯା’ର ପାଦ ଧ୍ୟାନେ ॥
ସେ ହରି ନାମ ଏ ସଂସାରେ ।ଯେବା ଶୁଣନ୍ତି ନିରନ୍ତରେ ॥
ମୁଖେ ବନ୍ଦନ୍ତି ନିରବଧି ।ତରନ୍ତି ଅଜ୍ଞାନ ଜଳଧି ॥
ସୁଜନେ ଦୁର୍ଜ୍ଜନ ବିଚାର ।ଯହିଁ ଚଣ୍ଡାଳ ଦୁରାଚାର ॥
ତାର ବଦନୁ କୃଷ୍ଣ ବାଣୀ ।କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ॥
ସ୍ୱଭାବେ ଅଜ୍ଞାନ ବିଧ୍ୱଂସେ ।ଅନ୍ତେ ସେ କଇବଲ୍ୟେ ମିଶେ ॥
ଶ୍ରୀଭଗବାନୁବାଚକହନ୍ତି ପ୍ରଭୁ ଭଗବାନ ।ଭୋ ମାତ ହୁଅ ସାବଧାନ ॥
ଯେ କାଳ ପୁରୁଷ ପୁରାଣ ।ସେ ପ୍ରଭୁ ଅତି ବଳବାନ ॥
ସେ କାଳ ପରାକ୍ରମ ଯେତେ ।ମୁଁ କହି ପାରିବଇଁ କେତେ ॥
ଏ ଯେତେ ଜୀବ ଲୋକେ ଛନ୍ତି ।ତା ଗତି କେହି ନ ଜାଣନ୍ତି ॥
ସେ କାଳ କଳ୍ମଶ ନାଶଇ ।ଏଣୁ ତା ଗତି କେ ଜାଣଇ ॥
ଏ ଚରାଚର ଦେହଧରି ।ଏ ସ୍ଥୂଳ ସୂକ୍ଷ୍ମ ଆଦିକରି ॥
ସକଳ କରଇ ଭକ୍ଷଣ ।କ୍ଷୁଧାର୍ତ୍ତେ ଯେସନେ କୃପଣ ॥
ଯେହ୍ନେ ସମୀର ବଳିଆର ।ଜୀମୁତେ କରଇ ବିହାର ॥
ସେ ଘନ ତା ଗତି ନ ଜାଣେ ।ତେସନେ ହୋଇ ଦେବଗଣେ ॥
କାଳର ଗତି ନ ଜାଣନ୍ତି ।ସେ କାଳବଶେ ଭ୍ରମୁଥାନ୍ତି ॥
ଏ ଜୀବ ସୁଖ ଭୋଗ ପାଇଁ ।ଅର୍ଥ ଉପାର୍ଜନେ ଭ୍ରମଇ ॥
ବିବିଧ ଦୁଃଖେ ତା ସଞ୍ଚଇ ।ସେ ଅର୍ଥେ କାଳ ଯେ ହରଇ ॥
ତ୍ରିଲୋକ ସୁଖ ଯାହା ପାଇଁ ।ସେ ଅର୍ଥ କାଳ ବିନାଶଇ ॥
ସେ କାଳ ବଶେ ବଳିୟାର ।କେ ଜାଣି ପାରେ ଗତି ତାର ॥
ସୂକ୍ଷ୍ମ ସ୍ୱରୂପେ ବିହରଇ ।ମନ ବଚନେ ଭେଦ ନୋହି ॥
କୃଷକ ଜନ ପ୍ରାୟ ହୋଇ ।ସେ ଅର୍ଥେ କାଳ ବିନାଶଇ ॥
ସେ କାଳ ମୁଖେ ଜୀବ ରହି ।ନାନା ବିବାଦେ ହିଂସା ବହି ॥
କରନ୍ତି ନାନା ଛନ୍ଦ ମାୟା ।ହୃଦେ ନ ବସେ ଜୀବ ଦୟା ॥
ନିର୍ଦ୍ଦୟ ଭାବ ମୂଢ଼ ପଣେ ।କାଳ ଗରାସେ ପୂଣ୍ୟ ହୀନେ ॥
ତାହାର ନାହିଁ ପକ୍ଷାପକ୍ଷ ।ସକଳ କରଇ ସୁରକ୍ଷ ॥
ଏ ଜୀବ ଅତି ମତିହୀନ ।ଅର୍ଥ ସଞ୍ଚଇ ପ୍ରତିଦିନ ॥
ଯେ ଅର୍ଥେ ମୃତ୍ୟୁ ଉପଗତ ।ନ ଜାଣେ ଏ ମୂଢ଼ ପଣ୍ଡିତ ॥
ଅନିତ୍ୟ ଦେହ ନ ବୁଝଇ ।ବ୍ୟାପାର କରେ ଦୁଃଖ ସହି ॥
ଗୃହ କଳତ୍ର ଧନ ଆଦି ।ଏଣେ କରଇ ନିତ୍ୟେ ବୁଦ୍ଧି ॥
ଏ ଦେହ ପରମାତ୍ମା ମୋହେ ।ମୋହର ବୋଲି ନିତ୍ୟ କହେ ॥
ଏ ମହା ମୋହେ ପଡ଼ିଅଛି ।ଏଣୁ ଏ ନ ବୁଝଇ କିଛି ॥
ସଂସାର ମଧ୍ୟେ ଜୀବମାନେ ।ନିରତେ ଭ୍ରମନ୍ତି ଅଜ୍ଞାନେ ॥
ଯାବତ ଯୋନିରେ ଭ୍ରମନ୍ତି ।ସର୍ବତ୍ରେ ଫୁଟିଣ ମରନ୍ତି ॥
ଏ ଘୋର ଦୁଃଖ ସୁଖ ମନେ ।ବୈରାଗ୍ୟ ନ ଜନ୍ମେ ଅଜ୍ଞାନେ ॥
ଯେବେ ନରକେ ପଡ଼ିଥାଇ ।ଅତ୍ୟନ୍ତ ସୁଖ ତା ମଣଇ ॥
କରଇ ନରକ ଆହାର ।ତଥାପି ଦୁଃଖ ନୁହେଁ ଦୂର ॥
ନରକ ଯୋନି ନ ଛାଡ଼ଇ ।ଅଜ୍ଞାନ ମୋହେ ସ୍ନେହ ବହି ॥
ଦେହ କଳତ୍ର ସୁଖ ଘର ।ପଶୁ ଭୃତ୍ୟାଦି ବନ୍ଧୁ ମୋର ॥
ମନକୁ ଏଣେ ଦୃଢ଼ କରେ ।ସୁଖ ମଣଇ ଦୁଃଖ ଘୋରେ ॥
ମଣଇ କୃତାର୍ଥ ହୋଇଲି ।ଅନେକ ସୁଖ ମୁଁ ଲଭିଲି ॥
ମୋ ତୁଲେ ନାହିଁ ଭାଗ୍ୟବନ୍ତ ।କେ ଅଛି ମୋ ସମ ଜଗତ ॥
ତହିଁରେ ଯେତେ ଦୁଃଖ ହୁଏ ।ନ ବୁଝେ ପଡ଼ି ମାୟା ମୋହେ ॥
କରେ ଦୁରିତ ଦୁଃଖମାନ ।ଏମନ୍ତେ ମୁନିଏ ଅଜ୍ଞାନ ॥
ଅସତୀ ଦୁଷ୍ଟ ନାରୀ ଘରେ ।ବିବିଧ ଛନ୍ଦ ମାୟା କରେ ॥
ତାର ସୁବେଶ ପ୍ରିୟ ଥାଇ ।ସେବକ ଜନ ପ୍ରାୟ ହୋଇ ॥
ତାହାଙ୍କ ବାକ୍ୟ ବିଲଘଂନ ।କରି ନପାରେ ରାତ୍ର ଦିନ ॥
ତାହାଙ୍କୁ ସମ୍ଭୋଗ କରଇ ।ଏକାନ୍ତେ ତାଙ୍କ ସଙ୍ଗେ ଥାଇ ॥
ସେ ମନ-ଇନ୍ଦ୍ରିୟ-ହରିଣୀ ।ତାଙ୍କ ପ୍ରତ୍ୟକ୍ଷେ ନିତ୍ୟେ ପ୍ରାଣୀ ॥
ସେ ନାରୀ ବଶେ ବିହରଇ ।ନିଶି ଦିବସେ ମନ ଦେଇ ॥
ତାହାଙ୍କ ସୁଖ ଭୋଗ ପ୍ରୀତି ।ନରକେ ଓଟାରି ପକାନ୍ତି ॥
ନରକ ବୋଲି ଯାକୁ କହି ।ସ୍ତ୍ରିରୀ ସମ୍ଭୋଗ ସୁଖ ଏହି ॥
ଏହା ନ ଜାଣି ମୂଢ଼ ପ୍ରାଣୀ ।ଦୁଃଖକୁ ସୁଖ ପରିମାଣି ॥
ବାଳକ କୋମଳ ବଚନ ।ତା ଶୁଣି ଅତି ତୋଷ ମନ ॥
ସେ ବାଳ ଗାବନ୍ତେଣ ଗୀତ ।ତହିଁ ଅର୍ପିତ କରେ ଚିତ୍ତ ॥
ସେ ସର୍ବ ସୁଖକର ମନେ ।ଯେ ହିତ ନ ଜାଣେ ଅଜ୍ଞାନେ ॥
ସେ ଗୃହ ଅତି କୂଟ-ଧର୍ମ ।କରଇ ଅତି ଛନ୍ଦକର୍ମ ॥
କେବଳ ଦୁଃଖର ଏ ମୂଳ ।ତହିଁ ପଡ଼ିଣ ସେ ବ୍ୟାକୁଳ ॥
ସେ ଦୁଃଖ ପ୍ରତିକାର ପାଇଁ ।ନାନା ବ୍ୟାପାରେ ଦୁଃଖେ ଧାଇଁ ॥
ସେ କ୍ଳେଶ ଅତି ସୁଖ ମଣେ ।କେବଳ ମୋହେ ନ ପ୍ରମାଣେ ॥
କୁଟୁମ୍ବ-ପ୍ରପୋଷଣେ ଥାଇ ।ବହୁତ ଧନ ଉପୁଜାଇ ॥
ବହୁତ ହିଂସା ଯେବେ କରେ ।ଏ କର୍ମେ ପଶେ ନିରନ୍ତରେ ॥
ଯାହାକୁ ପୋଷେ ଦୁଃଖେ ନିତ୍ୟେ ।ନରକ ଭୁଞ୍ଜେ ଦେହ ଅନ୍ତେ ॥
ତାହାକୁ ସତତ ପୋଷଇ ।ଆପଣା ସୁଖ ନ ବାଞ୍ଛଇ ॥
ଯେବେ କ୍ଷୁଧାରେ ମରୁଥାଇ ।ତାହାଙ୍କୁ ଅଗ୍ରତେ ଭୁଞ୍ଜାଇ ॥
ତେବେ ଭୁଞ୍ଜଇ ଅବଶେଷ ।ଏ କର୍ମ ଧର୍ମ ଯାଇ ନାଶ ॥
ତଦନ୍ତେ ଲଭେ ଅଧୋଗତି ।ଏହା ନ ବୁଝେ ଦୁଷ୍ଟ ମତି ॥
ସେ ଯେବେ ଦଇବ ସଂଯୋଗେ ।ବିନଷ୍ଟ ହୁଏ କର୍ମ ଯୋଗେ ॥
ପୁଣି ଜୀବିକା ଆରମ୍ଭଇ ।ସେହି ଯଦ୍ୟପି ନାଶ ଯାଇ ॥
ପୁଣି ଆରମ୍ଭେ ବାରମ୍ବାର ।କୁଟୁମ୍ବ ଅର୍ଥେ ମୂଢ଼ ନର ॥
ସମର୍ଥ ପଣ ଥିବା ଯାଏ ।ତା ତହିଁ କରଇ ଉପାୟେ ॥
ତହୁଁ ହୋଇଲେ ଅସମର୍ଥ ।ଲୋଭେ ଚିନ୍ତଇ ପର ଅର୍ଥ ॥
ଲୋଭ ବଢ଼ାଇ ପରଧନେ ।ନରକ ଭୟକୁ ନ ମାନେ ॥
ନିନ୍ଦିତ-କର୍ମେ ହରେ ଦିନ ।କୁଟୁମ୍ବ ଅର୍ଥେ ଅଭାବେଣ ॥
ଏମନ୍ତ ମନ୍ଦଭାଗ୍ୟ ହୋଇ ।କୁଟୁମ୍ବ ପୋଷି ନ ପାରଇ ॥
ଏଣୁ ହରଇ ପର ଧନ ।ନାଶଇ ପୂର୍ବ-ଜନ୍ମ-ପୁଣ୍ୟ ॥
ଦରିଦ୍ର ଜୀବନେ ବଞ୍ଚଇ ।ନାନା ଆପଦ ପୀଡ଼ା ପାଇ ॥
ବୃଥା ଉଦ୍ୟମେ ଫୁଟି ରହେ ।ଆଉ ସମ୍ପଦ କେବେ ନୁହେଁ ॥
ସର୍ବଦା ଭଜଇ କୃପଣ ।କରଇ ନିତ୍ୟେ ଅର୍ଥ ଦାନ ॥
ଅର୍ଥ ବିହୀନେ ଚିନ୍ତାକୁଳେ ।ଶରୀର ଦୁଃଖ ତା ନିର୍ମଳେ ॥
ଶ୍ୱାସ ଉଠଇ ନିରନ୍ତର ।ଏମନ୍ତ ନାଶଇ ଶରୀର ॥
ଅତ୍ୟନ୍ତ ବୃଦ୍ଧ ଭାବ ପାଇ ।କୁଟୁମ୍ୱ ପୋଷି ନ ପାରଇ ॥
ସମର୍ଥ ହୀନେ ନିଜ ଘରେ ।ବଞ୍ଚଇ ଅତିଥି ବେଭାରେ ॥
ତାହାକୁ କେହି ନ ଗଣନ୍ତି ।ନାନା ବଚନେ ଗାଳି ଦ୍ୟନ୍ତି ॥
ଚଉର୍ଯ୍ୟ ବନ୍ଦୀପ୍ରାୟ ହୋଇ ।ପ୍ରାଭବ ଭର୍ତ୍ସନା ସହଇ ॥
ଦାରା ତନୟ ଆଦି ଯେତେ ।ଆଦର ଛାଡ଼ିଲେ ତୁରିତେ ॥
ଯେବା ଆବର ପୂର୍ବେ ଥିଲା ।ସେ ପୂର୍ବ ସ୍ନେହ ସବୁ ଗଲା ॥
ମରଣ ନିକଟ ହୋଇଲେ ।ବୈରାଗ୍ୟ କେବେ ନ ଭଜିଲେ ॥
ଦାରା ତନୟ ଭକ୍ଷ ତାରେ ।ଦିଅନ୍ତି ଅତି ହତାଦରେ ॥
ଭୁଞ୍ଜଇ ଗୃହାନ୍ତରେ ଯାଇ ।ଶଙ୍କିତେ ଶ୍ୱାନ ପ୍ରାୟ ହୋଇ ॥
ଚିନ୍ତାର୍ତ୍ତ ଜ୍ୱରେ ଦୁଃଖ ମନେ ।ରୋଗ ବଢ଼ଇ ପ୍ରତିଦିନେ ॥
ଆହାର ବିନେ ଚିନ୍ତାଛନ୍ନେ ।ନପାରେ ମନ୍ଦ-ହୁତାଶନେ ॥
ଆହାର ଅଳପ ଭକ୍ଷଇ ।ଦୁର୍ବଳେ ଉଠି ନ ପାରଇ ॥
ଗୃହ ବାହାରେ ଆସି ରହେ ।କଫ ବିକାରେ ଶକ୍ତି ନୁହେଁ ॥
କଫେ ପୂରିତ ନାଡ଼ିମାନ ।ଶ୍ୱାସ ନ ଚଳଇ ସମାନ ॥
ଯେଣୁ ପବନ ମନ୍ଦ ହୋଇ ।ବଚନ ନ ପାରଇ କହି ॥
ସର୍ବଦା ଉଠେ କାଶ ଶ୍ୱାସ ।ଏଣୁ ଲଭଇ ବହୁ କ୍ଳେଶ ॥
କଣ୍ଠ କରଇ ଘୂର ଘୂର ।ବଚନ ନୁହଇ ବାହାର ॥
ବାଲି ଶଯ୍ୟାରେ ନେଇ ଶ୍ୱାଇ ।ବନ୍ଧୁ ବାନ୍ଧବେ ବେଢ଼ି ତହିଁ ॥
ସେ ସର୍ବେ କରନ୍ତି ରୋଦନ ।ଶ୍ରବଣେ ଡାକନ୍ତି ସଘନ ॥
ହେ ତାତ ବୋଲି କେ ଡାକଇ ।ତା ଗୁଣ ଭାଳି କେ ରୋଦଇ ॥
ନାନା ପ୍ରକାରେ ସେ ରୋଦନ୍ତି ।ତା ଦୁଃଖ କେହି ନ ଘେନନ୍ତି ॥
କେ ହୁ ଡାକନ୍ତି ପୁତ୍ର ଭାଇ ।ପତ୍ନୀ ଡ଼ାକନ୍ତି ହେ ଗୋସାଇଁ ॥
ପୀଡ଼ିତ ମୃତ୍ୟୁ ଦୁଃଖ-ଘୋରେ ।କୁଟୁମ୍ବ ଭରଣ ବ୍ୟାପାରେ ॥
ଶୁଣ ଜନନୀ ଏକ ଚିତ୍ତେ ।ସଂସାର ଦୁଃଖ ସୁଖ ଏତେ ॥
ମନ ନିବିଷ୍ଟ ତହିଁ କଲା ।ଇନ୍ଦ୍ରିୟ ଜିଣି ନ ପାରିଲା ॥
ତେଣୁ ହୋଇଲା ମୃତ୍ୟୁ ତାର ।ଏ ଦଣ୍ଡ ଅତି ଭୟଙ୍କର ॥
ବନ୍ଧୁ ବାନ୍ଧବ ଶୋକାକୁଳେ ।ତା ଦୁଃଖ ଭାଗୀ କେ ନୋହିଲେ ॥
ବ୍ୟର୍ଥେ ପୋଷିଲା ତାଙ୍କୁ ଦୁଃଖେ ।ସେ ଏବେ ତେଜିଲେ ବିମୁଖେ ॥
ପ୍ରାଣ ଯିବାର ବେଳେ ମାଏ ।ଅତି ବେଦନା ଜୀବ ପାଏ ॥
ତାର ବ୍ୟଥାରେ ନଷ୍ଟ ମତି ।ଚେତନା ରହିତ ହୁଅନ୍ତି ॥
ତଦନ୍ତେ ଯମଦୁତ ବେନି ।ଆସନ୍ତି ଦଣ୍ଡଫାଶ ଘେନି ॥
ପାପୀଙ୍କୁ ଘେନି ଯିବାପାଇଁ ।ସକ୍ରୋଧ-ନୟନେ ଅନାଇ ॥
ସେ ଦୂତେ ଅତି ଭୟଙ୍କର ।କୂପିତ ନୟନ ଗଭୀର ॥
ତାଙ୍କ ଦର୍ଶନେ ପାପୀଜନ ।ହୃଦୟ ଭୟେ କମ୍ପମାନ ॥
ଆରତେ ଛାଡ଼େ ମଳମୂତ୍ର ।ସମ୍ଭାଳି ନୁହେଁ କଫଗାତ୍ର ॥
ରମ୍ଭା ପଲ୍ଲବ ପ୍ରାୟ ହୋଇ ।ସର୍ବାଙ୍ଗ ସତ୍ୱରେ କମ୍ପଇ ॥
ଯାତନା କଳେବର ନେଇ ।ବଳେ ବାନ୍ଧନ୍ତି ଫାଶ ଦେଇ ॥
ନିଅନ୍ତି ଘୋର ଦୀର୍ଘ ବାଟ ।ଦଣ୍ଡନ୍ତି ଯେହ୍ନେ ରାଜଭଟ୍ଟ ॥
ନିଅନ୍ତେ କରନ୍ତି ତାଡ଼ନା ।ଭୟେ ହୃଦୟ କମ୍ପମାନ ॥
ପଥରେ ଗମନ୍ତି କୁକୁର ।ରୋଷେ କାଟନ୍ତି ତା ଶରୀର ॥
ଦଂଶନ ତୀକ୍ଷ୍ଣେ ଖଣ୍ଡ ଖଣ୍ଡ ।ବେଗେ ଭକ୍ଷନ୍ତି ତାର ପିଣ୍ଡ ॥
ବିକ୍ରମି କରନ୍ତି ଭକ୍ଷଣ ।ରୋଦଇ କାତରେ ଉଚ୍ଚେଣ ॥
ସେ ଅତି କଷ୍ଟେ ଭୟ ପାଇ ।ନିଜ ପାତକ ସୁମରଇ ॥
ଉଠି ପଡ଼ଇ ଯେ ବିକଳେ ।ସେ ଘୋର ଦଣ୍ଡ ଭୟାକୁଳେ ॥
କ୍ଷୁଧା-ପିପାସା-ଦୁଃଖତର ।ପଥରେ ନିଅନ୍ତି ସତ୍ୱର ॥
ସେ ପଥ ଅତି ତପ୍ତବଳ ।ଝାଙ୍କେ ପବନ ଦାଦାନଳ ॥
ତହିଁ ସନ୍ତାପେ ଦୁଃଖ ଭୟେ ।ପୃଷ୍ଠେଣ ପୀଡ଼ନ୍ତି ନିର୍ଦ୍ଦୟେ ॥
ତହିଁ ତପତ ବାଲୁକାରେ ।ପ୍ରବେଶ କରାନ୍ତି ସତ୍ୱରେ ॥
ଗମଇ ଅତି କଷ୍ଟ ଭରେ ।ନ ଗଲେ ମାରନ୍ତି ନିର୍ଭରେ ॥
କ୍ଷଣେ ବିଶ୍ରାମ ନ କରନ୍ତି ।ଅନେକ ଘୋର ଶାସ୍ତି ଦ୍ୟନ୍ତି ॥
ଆଶ୍ରୟ ଉଦକ ନ ମିଳେ ।ସମର୍ଥ ହୀନେ ଭୟେ ଚଳେ ॥
ପଡ଼ି ଉଠଇ ଦୁଃଖ ଶ୍ରମେ ।ମୂର୍ଜ୍ଜିତ ହୁଏ ଜ୍ଞାନ ଭ୍ରମେ ॥
ସେ ଦୁଃଖେ ଦୟା ନ କରନ୍ତି ।ଦୁଃସହ ଦଣ୍ଡ ମାର୍ଗେ ନ୍ୟନ୍ତି ॥
ଗହନ ଘୋର ଅନ୍ଧକାରେ ।ନିଅନ୍ତି ପାପୀ ସେ ସତ୍ୱରେ ॥
ଏମନ୍ତ ଦୁଃଖେ ପାପୀ ଜନେ ।ପ୍ରବେଶ ଯମର ଭୁବନେ ॥
ନବତ୍ରି ସହସ୍ର ଯାହାର ।ହେ ମାତ ସଂଖ୍ୟା ସେ ବାଟର ॥
ବେନି ବା ତ୍ରୟ ମୁହୂର୍ତ୍ତରେ ।ପ୍ରବେଶ କରାନ୍ତି ସେଠାରେ ॥
ତହିଁ ଦଣ୍ଡନ୍ତି ପ୍ରତିକ୍ଷଣେ ।ସମସ୍ତେ ସର୍ବାଙ୍ଗ ଚରଣେ ॥
ତଦନ୍ତେ ଦହନ୍ତି ଅନଳେ ।ରୋଦଇ ନିର୍ଘାତ ଚହଳେ ॥
ଅତ୍ୟନ୍ତ ପୀଡ଼ାରେ ବ୍ୟାକୁଳ ।କ୍ଷୁଧାରେ ହୁଏ ଜ୍ଞାନ ଭୋଳ ॥
ଆପଣ ହସ୍ତେ ଦେହ ମାଂସ ।କାଟିଣ କରୁଥାଇ ଗ୍ରାସ ॥
ଅଥବା କାଟି ଦେଇ କର ।ତାହା ଭକ୍ଷଇ ପାପୀ ନର ॥
ଗୃଧ୍ର କୁକୁର ଯମ ପୁରେ ।ପାପୀଙ୍କୁ ବେଢ଼ିଣ ସତ୍ୱରେ ॥
ଓଟାରି ନ୍ୟନ୍ତି କରି ଟାଣ ।ତଥାପି ନ ଛାଡ଼ଇ ପ୍ରାଣ ॥
ସର୍ପ ବୃଶ୍ଚିକ ତମସାଦି ।କୋପେ କାଟନ୍ତି ନିରବଧି ॥
ହସ୍ତ ଚରଣ ଖଣ୍ଡ ଖଣ୍ଡ ।ପାପୀଙ୍କ କାଟି ଦ୍ୟନ୍ତି ଖଣ୍ଡ ॥
ହସ୍ତୀ ସମ୍ମୁଖେ ଦ୍ୟନ୍ତି ନେଇ ।ସେ ପାଦେ ମାଡ଼ି ଓଟାରଇ ॥
ଦଶନ ଶରୀରେ ମାରନ୍ତି ।ପର୍ବତ ଶିଖରୁ ପକାନ୍ତି ॥
ତଦନ୍ତେ ଖାତ ଖୋଳି ରୁନ୍ଧି ।ଧୂପ ପୂରାଇ ନିରବଧି ॥
ବୁଡ଼ାଇ ରଖନ୍ତେ ଜଳରେ ।ପଥର ଲଦି ତା ଉପରେ ॥
ଆକୁଳେ ରୋଦଇ ବିକଳେ ।ମୁଣ୍ଡ ପିଟନ୍ତି କୋପାନଳେ ॥
ତାମିସ୍ର ଆଦି ଯେ ଯାତନା ।କେତେ ତା କରିବା ବର୍ଣ୍ଣନା ॥
ପାତକୀ ସକଳ ଭୁଞ୍ଜଇ ।ସ୍ୱକର୍ମ-ପାଶେ ବନ୍ଦି ହୋଇ ॥
ଦୁର୍ଜ୍ଜୟ ବୃକ୍ଷ ବିନିଷ୍ଠୁର ।ବନ୍ଧନେ ଫୁଟେ ନିରନ୍ତର ॥
ତହୁଁ ନ ପାରେ ପାପୀ ଯାଇ ।ନାନା ପ୍ରକାରେ ପୁଣ୍ୟ ଦାହି ॥
ଯେତେ ଅଛନ୍ତି ନରନାରୀ ।ଯାତନା ଦୁଃଖ ସର୍ବ ସରି ॥
ଉଭୟ ସଙ୍ଗ ଏତେ ହୁଏ ।ନରକ ଦୁଃଖ ଭୁଞ୍ଜେ ମୋହେ ॥
ଭୋ ମାତ ଦେଖ ସୁବିଚାରେ ।ନରକ ସ୍ୱର୍ଗ ଏହିଠାରେ ॥
ନରକ ଯାତନା ଏତେକ ।ସ୍ୱର୍ଗଟି ନାନା ଭୋଗ ସୁଖ ॥
ଏ ବେନି ବୁଝ ପରିମାଣି ।ବିବେକ ମୁଖେ ଶାସ୍ତ୍ର ଶୁଣି ॥
ଏ ରୂପେ କୁଟୁମ୍ବ ଯେ ପୋଷେ ।ନିଜ ଉଦର ପରିତୋଷେ ॥
ଏ ବେନି ସଙ୍ଗତେ ନଯାଇ ।ଛାଡ଼ିଣ ଏକାନ୍ତେ ଚଳଇ ॥
ଭୂଞ୍ଜଇ ଆପେ କର୍ମ ଫଳ ।ଏ ଅର୍ଥେ ନାହିଁ ବଳିୟାର ॥
ପ୍ରତେଜି ନିଜ କଳେବର ।ଏକା ସେ ଗମେ ନିଜ ପୁର ॥
ଅଧର୍ମେ ପ୍ରାଣୀ ହିଂସା କରି ।ଯେ ଦେହ ପାଶେ ସେହି ଭରି ॥
ସେ ଦେହ ସ୍ନେହ ତେଜି ଯାଇଁ ।ପାପୀଙ୍କ ପୃଷ୍ଠରେ ବସଇ ॥
କୁଟୁମ୍ବ ପ୍ରପୋଷଣ ଫଳ ।ତାହାକୁ ଯେତେକ ସମ୍ୱଳ ॥
ଏକା ସେ ନରକ ଭୁଞ୍ଜଇ ।ଦ୍ୱିତୀୟ ସଙ୍ଗତେ ନ ଯାଇ ॥
ସେ ପାପ ଈଶ୍ୱର ଦିଅନ୍ତି ।ପାପୀ ତା ଏକାନ୍ତେ ଭୁଞ୍ଜନ୍ତି ॥
ଧନ ହରାଇ ଯେହ୍ନେ ନର ।ଭୋକରେ ଯେସନେ ଆତୁର ॥
ତେସନ ପାପ କରେ ପ୍ରାଣୀ ।ବ୍ୟାକୁଳେ ଭୁଞ୍ଜେ ପୁଣି ପୁଣି ॥
ସେ ଦୁଃଖ ନ ଭୁଞ୍ଜଇ ପର ।ତେସନେ ନରକ ଆହାର ॥
କେବଳ ଅଧର୍ମ ଆଚରି ।କୁଟୁମ୍ବ ପ୍ରପୋଷଣ ଭରି ॥
ସେ ଗମେ ଅନ୍ଧ-ତମିସ୍ରାକୁ ।ଉଦ୍ଧାର ନାହିଁ କାହିଁ ତାକୁ ॥
ଯେ ଅନ୍ଧ-ତାମିସ୍ରା ନିର୍ଭୟେ ।ନରକ ମାନଙ୍କ ନିର୍ଣ୍ଣୟେ ॥
ମରଣେ ଦହନ ହୁଅନ୍ତେ ।ନରକ ଭୁଞ୍ଜଇ ଏକାନ୍ତେ ॥
ଯେତେକ ଯାତନା ଅଛଇ ।କ୍ରମେଣ ସକଳ ଭୁଞ୍ଜଇ ॥
ଶ୍ୱାନ ଶୂକର ଆଦି ଯୋନି ।ପାପୀ ଲଭଇ କର୍ମ ଘେନି ॥
ଏ ପାପ ଯାତନା ଯୋଗାନ୍ତେ ।ପବିତ୍ର ହୁଏ ବାକ୍ୟ ଅନ୍ତେ ॥
ତଦନ୍ତେ ନର ଦେହ ପାଇ ।ଏଥେ ସଂଶୟ ନ ଘଟଇ ॥
ତିରିଶ ଅଧ୍ୟା ସମାପତ ।ଭଣଇ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କାପିଳ ଦେବହୂତିସମ୍ୱାଦେ ନାମ ତ୍ରିଂଶୋଽଧ୍ୟାୟଃ ।