ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୪ / ୬ · ଶ୍ରୀ ଶୁକ ଉବାଚ (୩)
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟାଦଶ ଅଧ୍ୟାୟମୈତ୍ରେୟ ଉବାଚବରୁଣ ବାକ୍ୟ ଶୁଣି କର୍ଣ୍ଣେ ।ଅସୁର ବିଚାରଇ ମନେ ॥
ବରୁଣ ତୁଲେ ଯୁଦ୍ଧ ମୋର ।ଏ ତ ନୁହଇ ପୁରନ୍ଦର ॥
ନାରଦ କହିଛନ୍ତି ମୋତେ ।ବିଷ୍ଣୁର ଗତି ଏ ଜଗତେ ॥
ଶୂକର ରୂପେ ଏ ଜଗତେ ।ସ୍ଥାପିବ ଆଣି ଅଗ୍ରଦନ୍ତେ ॥
ତାହାର ତୁଲେ ତୋ ସମର ।ନାମ ଯାହାର ଗଦାଧର ॥
ତୋ ବଳ ଦର୍ପ ସେ ହରିବ ।ଦେବଲୋକଙ୍କୁ ଉଦ୍ଧରିବ ॥
ଏମନ୍ତ ମନେ ବିଚାରିଲା ।ତକ୍ଷଣେ ପାତାଳେ ପଶିଲା ॥
ଦେଖଇ ଗୋବିନ୍ଦର ଗତି ।ଦଶନ ଅଗ୍ରେ ବସୁମତୀ ॥
ଆଦିତ୍ୟ ପ୍ରାୟ ତେଜ ଦେଖି ।ଭୟେ ବୁଜିଲା ବେନି ଆଖି ॥
ପୁଣି କ୍ଷଣକେ ଚକ୍ଷୁ ଫେଇ ।ବିଷ୍ଣୁଙ୍କୁ ଦେଖି ବିଚାରଇ ॥
ନାରଦ ବାକ୍ୟ ଯେବେ ସତ ।ମୁହିଁ ଦେଖଇ ବିପରୀତ ॥
ଏ ମୃଗ କାନନ ଗୋଚର ।ପଙ୍କ ଦୂଷିତ ଏ ଶୁକର ॥
କହେ ଅସୁର ମୁଖ ଚାହିଁ ।ଦଶନୁ ବେଗେ ଥୁଅ ମହୀ ॥
ପାତାଳ ଲୋକଙ୍କୁ ମେଦିନୀ ।ପୂର୍ବେ ଦେଇଛି ପଦ୍ମଯୋନି ॥
ଯେବେ ମେଦିନୀ ନ ଛାଡ଼ିବୁ ।ମୋ ମୁଖୁ ଭଲେ ନ ବର୍ତ୍ତିବୁ ॥
ସୁର ଅଧମ ତୁ ବୋଲାଉ ।ଯେଣୁ ଶୁକର ରୂପ ବହୁ ॥
ମୋର ରିପୁଙ୍କ ଶୁଭ ଚିନ୍ତି ।ତୁ ବହୁ ଶୁକର ଆକୃତି ॥
ମାୟାରେ ମାରୁ ତୁ ଅସୁର ।କପଟ ଧର୍ମ ଏ ତୋହର ॥
ତୋର ମୋହର ଗଦାଯୁଦ୍ଧେ ।ତ୍ରିଦଶେ ଦେଖନ୍ତୁ ଆନନ୍ଦେ ॥
ତୋର ମୁର୍ଦ୍ଧନୀ ଗଦାଘାତେ ।ବେଗେ ଉଡ଼ିବ ମହାବାତେ ॥
ବଳି ହରନ୍ତି ଯେତେ ଦେବେ ।ତୋହର ମରଣ ଦେଖିବେ ॥
ମୁଷଳୀ ନାଶେ ବୃକ୍ଷ ଯେହ୍ନେ ।ତ୍ରିଦଶେ ହୋଇବେ ତେସନେ ॥
ଏମନ୍ତେ ଅସୁରର ବାଣୀ ।ତା ଶୁଣି କମ୍ପିଲା ଧରଣୀ ॥
ଜଳେ ପଡ଼ିଲା ମହାକାୟେ ।ଗୋବିନ୍ଦ ଦେଖି ଭୂମିଭୟେ ॥
ବରାହ ରୂପେ କୋପମନେ ।ସର୍ପ ପ୍ରହାରେ ହସ୍ତୀ ଯେହ୍ନେ ॥
କରିଣ ଗଦା ଦୃଢ଼ ପ୍ରାଣୀ ।ବଜ୍ର ନିଷ୍ଠୁର ପ୍ରାୟେ ଜାଣି ॥
ବୋଲେ ବରାହ ମୁଖ ଚାହିଁ ।ତୋର ବଦନେ ଲଜ୍ଜା ନାହିଁ ॥
ଦେବଙ୍କ ଈଶ୍ୱର ବୋଲାଉ ।ଶୁକର ରୂପଗୁଣ ବହୁ ॥
ଏମନ୍ତେ ଅସୁର ବଚନେ ।କୋପ ବସିଲା ବିଷ୍ଣୁ ମନେ ॥
ଧରଣୀ ସମୁଦ୍ରର କୂଳେ ।ଦନ୍ତୁ ରଖିଳେ ବିଷ୍ଣୁ ତଳେ ॥
ନିଜ ମୂରତି ଗଦାଧର ।କି ଅବା ଦେବା ପଟ୍ଟାନ୍ତର ॥
ଦେଖି ଆନନ୍ଦ ଦେବଗଣ ।କରନ୍ତି ପୁଷ୍ପ ବରଷଣ ॥
ବ୍ରହ୍ମାଦି ଦେବଗଣ ମିଳି ।ସ୍ତୁତି କରନ୍ତି ଭୁଜତୋଳି ॥
ଅସୁର ଦେବ ସ୍ତୁତି ଶୁଣି ।କୋପେ ଉଠିଲା ଶିର ଝୁଣି ॥
ବିଷ୍ଣୁର ହସ୍ତେ ଗଦା ସାଜେ ।କାଞ୍ଚନ ଯେସନେ ବିରାଜେ ॥
କୋପେ କମ୍ପିଲେ ଭଗବାନ ।ଶୁଣି ଅସୁର ଦୁର୍ବଚନ ॥
ପ୍ରଚଣ୍ଡ ମନ୍ଦ ମନ୍ଦ ହାସେ ।ଅସୁର ମୁଖ ଚାହିଁ ରୋଷେ ॥
ମନ ବଚନ ଶୁଚି ଭାବେ ।ମୋର ମହିମା ଶୁଣ ଏବେ ॥
ଶ୍ରୀଭଗବାନୁବାଚଆମ୍ଭେ ଯେ ପ୍ରକୃତ ବରାହ ।ଖୋଜୁ କୁକୁର ତୋର ନ୍ୟାୟ ॥
ତୁ କିମ୍ପା ଆତ୍ମଶ୍ଲାଘା କରୁ ।ନ ଯିବୁ ତୁ ମୃତ୍ୟୁ ମୁଖରୁ ॥
ବୀର ପୁରୁଷେ ନ କରିବେ ।ତୋର ପ୍ରଶଂସା ଏହି ଭବେ ॥
ତୁହି ଯେ ଜଳବାସୀଙ୍କର ।ହରିଛୁ ସମ୍ପତ୍ତି ଆବର ॥
ସେ ହେତୁ ଆମ୍ଭେ ଗଦାଘାତେ ।ବାହାର କରିବୁ ନିଶ୍ଚିନ୍ତେ ॥
କାୟ କ୍ଲେଶରେ ବ୍ୟସ୍ତ ଅଛୁ ।ଏ ସ୍ଥାନୁ ଯିବା ତୁ ନ ଇଚ୍ଛୁ ॥
ତୋହର ପ୍ରାୟେ ବୀରଗଣ ।ମୋ ତୁଲେ କେ କରିବ ରଣ ॥
ତୁ ମୋର ପାଶେ ଦମ୍ଭ ହୋଇ ।ବିଶ୍ୱାସ କହୁ କିସ ପାଇଁ ॥
ଆକାଶେ ଦେବଗଣ ଯେତେ ।ଦେଖି ତୋହର ଗଦାହସ୍ତେ ॥
ଆକାଶ ଛାଡ଼ି ପଳାଇଲେ ।ମୋହର ସଙ୍ଗତେ ମିଳିଲେ ॥
ମୁଁ ଆଜ ସଂଗ୍ରାମ କରିବି ।ଏହାଙ୍କୁ ସଙ୍କଟୁ ତାରିବି ॥
ଗଦା ପ୍ରହାରି ତୋର ହୃଦେ ।ଦେବଙ୍କୁ ସ୍ଥାପି ନିଜ ପଦେ ॥
ଏମନ୍ତେ ବରାହ ବଚନେ ।ହିରଣ୍ୟ ଶୁଣି କୋପ ମନେ ॥
ସ୍ୱଭାବେ ଦୁଷ୍ଟ ମହାବଳୀ ।ଗର୍ଜ୍ଜଇ ଗଦା ହସ୍ତେ ତୋଳି ॥
ଶବଦେ ଭୁବନ କମ୍ପିଲା ।ବରାହ ଅଙ୍ଗେ ପ୍ରହାରିଲା ॥
ସେ ହରି ନିଜ ଭୁଜବଳେ ।ଦୁଷ୍ଟ ପ୍ରହାରୁ ବଞ୍ଚାଇଲେ ॥
ପୁଣି ଅସୁର ଗଦା ହସ୍ତେ ।ପ୍ରଚଣ୍ଡ ଭାବେ ଶୂନ୍ୟ ପଥେ ॥
ଗଦା ବୁଲାଇ ଅତି ରୋଷେ ।ପିଟିଲା ବିଷ୍ଣୁ ପୃଷ୍ଠ ଦେଶେ ॥
ଶୁଭିଲା ବ୍ରଜ ଘଡ଼ଘଡ଼ି ।ଅଧର ଦଶନେ କାମୁଡ଼ି ॥
ସେ ଗଦା ବଞ୍ଚାଇ ମୁରାରୀ ।ଦକ୍ଷିଣ କରେ ଗଦା ଧରି ॥
ପିଟିଲେ ଅସୁରର ମୁଣ୍ଡେ ।ବ୍ରଜ ଯେସନେ ଗିରିଖଣ୍ଡେ ॥
ଏମନ୍ତେ ହରି-ହିରଣ୍ୟାକ୍ଷେ ।ଦେବେ ଦେଖନ୍ତି ଅନ୍ତରୀକ୍ଷେ ॥
ବେନି ଶରୀରେ ଗଦାଘାତ ।ଶୁଭଇ ଯେହ୍ନେ ବ୍ରଜପାତ ॥
ଜିଣିବା ପ୍ରାୟେ ଅନ୍ୟେ ଅନ୍ୟେ ।କରନ୍ତି ଯୁଦ୍ଧ କୋପମନେ ॥
ଗଦା ପ୍ରହାରେ ଜାନୁ ବକ୍ଷେ ।କୋପେ ବସିଲା ସେ ପ୍ରତ୍ୟକ୍ଷେ ॥
ଫାଟି ବହଇ ଶ୍ରୋଣୀଧାର ।ବିଶେଷ ଯୁଦ୍ଧ ମହାଘୋର ॥
ଗଦା ବିଚିତ୍ର ଗତି କରି ।ବେଗେ ପିଟଇ ଗଦାଧରି ॥
ଅନ୍ୟୋନ୍ୟେ ଯୁଦ୍ଧ ଭୟଙ୍କର ।କମ୍ପଇ ଧରଣୀ ସାଗର ॥
ଶବଦ ଶୁଭଇ ପ୍ରଚଣ୍ଡେ ।ଯେହ୍ନେ ଯୁଝନ୍ତି ବେନି ଷଣ୍ଢେ ॥
ଏମନ୍ତେ ହରି-ହିରଣ୍ୟାକ୍ଷେ ।ଯୁଦ୍ଧେ ମିଳନ୍ତି ଅନ୍ତରୀକ୍ଷେ ॥
ମିଳିଲେ ଦେବ ଋଷି ଆଦି ।କପୋଳେ ଅଞ୍ଜଳି ଆଚ୍ଛାଦି ॥
ବିଧାତା ଶୂନ୍ୟ ପଥେ ଥାଇ ।ସ୍ତୁତି କରନ୍ତି ବିଷ୍ଣୁ ଚାହିଁ ॥
ବ୍ରହ୍ମା ଉବାଚହେ ଦେବ ଦେବ ତୋ ଚରଣେ ।ଆମ୍ଭେ ଯେ ପଶିଲୁ ଶରଣେ ॥
ଗୋରୁ ବ୍ରାହ୍ମଣ ଦେବଙ୍କର ।ନିଶ୍ଚୟ ଅନିଷ୍ଟ ଅସୁର ॥
ନିର୍ଭୟେ ଗଦା ଘେନି କରେ ।ଯୁଦ୍ଧର ଅର୍ଥେ ତିନିପୁରେ ॥
ଭ୍ରମଇ ଅତି ମହାରୋଷେ ।ବାରଣ ଯେହ୍ନେ ନିରଙ୍କୁଶେ ॥
କାଳ କ୍ରୀଡ଼ଇ ଦିତିବଳା ।ତିନି ଭୁବନେ କରେ ମେଳା ॥
ଆମ୍ଭଙ୍କୁ ସଙ୍କଟୁ ଉଦ୍ଧରି ।ଏହାର ପ୍ରାଣ ବେଗେ ହରି ॥
ଦେଖ ଏ ସନ୍ଧ୍ୟା ବିଭାବରୀ ।ଏ ଭୂମିଲୋକ ଛନ୍ନ କରି ॥
ଆସଇ ମହାଘୋର ରୂପେ ।ଭୋ ନାଥ ଦେଖ ତୋ ସମୀପେ ॥
ଆମ୍ଭରେ କ୍ଷୟ ଦିତିବଳା ।ଦେଖା ତୋହର ବିଷ୍ଣୁ ଲୀଳା ॥
ମୁହୂର୍ତ୍ତ ଅଭିଜିତ ନାମ ।ସର୍ବ ମଙ୍ଗଳ ସୁଖ ଧାମ ॥
ଏ ଶୁଭବେଳେ ଚକ୍ରଧର ।ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର ॥
ଏମନ୍ତେ ଅସୁର ବିନାଶ ।ଋଷି-ଦେବତାଙ୍କୁ ଉଶ୍ୱାସ ॥
ଅତି ବିକଳେ ସ୍ତୁତି କଲେ ।ବରାହରୂପୀ ପାଦତଳେ ॥
ସୁଜନେ ଚିନ୍ତି ଅନୁକ୍ଷଣେ ।ସେ ଯଜ୍ଞ ବରାହ ଚରଣେ ॥
ହରି ଚରଣେ କରି ଆଶ ।କହଇ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ହିରଣାକ୍ଷ ଯୁଦ୍ଧକରଣେନାମ ଅଷ୍ଟାଦଶୋଽଧ୍ୟାୟଃ ।
ଉନବିଂଶ ଅଧ୍ୟାୟମୈତ୍ରେୟ ଉବାଚଏମନ୍ତେ ବ୍ରହ୍ମାର ବଚନ ।ଶୁଣି ସନ୍ତୋଷ ଭଗବାନ ॥
ଅମୃତ ପ୍ରାୟେ ଶୁଣି କର୍ଣ୍ଣେ ।ଅସୁର ବଧେ ସାବଧାନେ ॥
ଦକ୍ଷିଣ ହସ୍ତେ ଗଦା ଧରି ।ହୁଙ୍କାର ନାଦେ ଦଇତ୍ୟାରି ॥
ପ୍ରହାର କଲେ କର୍ଣ୍ଣମୂଳେ ।ଗଦା ପଡ଼ିଲା ହସ୍ତୁଁ ତଳେ ॥
ବିଷ୍ଣୁଙ୍କୁ ହିରଣାକ୍ଷ ଚାହିଁ ।ଶାସ୍ତ୍ରର ଧର୍ମ ବିଚାରଇ ॥
ଆୟୁଧ ନାହିଁ ଏହା ହସ୍ତେ ।ଏହାକୁ ମାରିବି କେମନ୍ତେ ॥
ଏମନ୍ତ ବିଚାରେ ଅସୁର ।ଅନ୍ତେ ଶୁଭିଲା ହାହାକାର ॥
ତା ଶୁଣି ପ୍ରଭୁ ଗଦାଧର ।ସଂଭ୍ରମେ ତୋଳି ବେନିକର ॥
ଭୟ ନକର ତୁମ୍ଭେ କେହି ।କହନ୍ତି ଦେବଗଣେ ଚାହିଁ ॥
ଏମନ୍ତ କହି ଦେବରାଜ ।ଉର୍ଦ୍ଧ୍ୱେ ତୋଳି ସେ ଦକ୍ଷଭୁଜ ॥
ନିଜ ଆୟୁଧେ ଦେଇ ମନ ।ତକ୍ଷଣେ ଜାଣି ସୁଦର୍ଶନ ॥
ବେଗେ ଧାଇଁଲେ ଶୂନ୍ୟବ୍ୟାପୀ ।ତେଜେ ବିରାଜେ ବିଶ୍ୱରୂପୀ ॥
ବିଷ୍ଣୁର କରେ ମିଳିଯାଇ ।ଦିତିର ପୁତ୍ର ନ ଜାଣଇ ॥
ଦେବେ ଡାକନ୍ତି ଶୂନ୍ୟ ପଥେ ।ଚକ୍ରକୁ ଚାହିଁ ବିଷ୍ଣୁ ହସ୍ତେ ॥
ଭୋ ନାଥ ତୋର ଦ୍ୱାରପାଳ ।ଏ ଦୁଷ୍ଟ ତେଜେ ଅନର୍ଗଳ ॥
ଏହାର ପ୍ରାଣ ବେଗେ ହର ।ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର ॥
ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି ।କୋପେ ଧାଇଁଲା ବୀରମଣି ॥
ସମୀପେ ଦେଖି ଚକ୍ରଧର ।ଓଷ୍ଠ କାମୁଡ଼େ ସେ ଅସୁର ॥
ନିଃଶ୍ୱାସ ଖରତର ବହେ ।କୋପେ କମ୍ପଇ ତାର ଦେହେ ॥
କରାଳ ଦିଶେ ତା ବଦନ ।ନୟନୁ ପ୍ରକାଶେ ଦହନ ॥
ଦହିବା ପ୍ରାୟ ଦଶ ଦିଶେ ।ବେଗେ ଧାମଇଁ ମହାରୋଷେ ॥
ଡାକଇ ପୂରିଲା ତୋ କାଳ ।ମୋ ଗଦା ପ୍ରହାର ସମ୍ଭାଳ ॥
ଏମନ୍ତ କହି କୋପଭରେ ।ପିଟିଲା ବିଷ୍ଣୁଙ୍କ ଉପରେ ॥
ଯଜ୍ଞ ଶୂକର ଭଗବାନ ।ଶତ୍ରୁର ପ୍ରହାର ଦେଖିଣ ॥
ବାମ ପାଦରେ ସମ୍ଭାଳିଲେ ।ଶତ୍ରୁର ପ୍ରହାରୁ ବଞ୍ଚିଲେ ॥
ପୁଣି କହିଲେ ଭଗବାନ ।ମୋତେ ତୁ ଜାଣିବୁ ହିରଣ୍ୟ ॥
ପୁରି ତୋ ଗଦା ହସ୍ତେ ଧର ।ମୋହ ସଙ୍ଗରେ ଯୁଦ୍ଧ କର ॥
ଏହା ଶୁଣିଣ ରକ୍ଷବୀର ।ପ୍ରହାରେ ଗଦା ଅନ୍ତରାଳ ॥
ଗଦା ଆସିବା ଦେଖି ହରି ।ଅବଲୀଳାରେ ତାହା ଧରି ॥
ରଖିଲେ ଆପଣା ଜୀବନ ।ରାକ୍ଷସ ହେଲା ହତମାନ ॥
ଗଦା ଯାଚନ୍ତେ ଭଗବାନ ।ନ ନେଲା ରାକ୍ଷସ ଦୁର୍ଜ୍ଜନ ॥
ଶୂଳ ଯେ ନେଲା ମହାରୋଷେ ।ଅଳ୍ପ ଦହନ ପ୍ରାୟ ଦିଶେ ॥
ଚକ୍ରରେ ଛେଦିଲେ ତ୍ରିଶୂଳ ।ତାହା ଦେଖିଲା ରକ୍ଷବୀର ॥
ତ୍ରିଶୂଳ ଭଗ୍ନ ଦେଖି ରୋଷେ ।ବେଗେ ମିଳିଲା ବିଷ୍ଣୁ ପାଶେ ॥
ମୁଷ୍ଟି ଉଞ୍ଚାଇ ବଜ୍ର ପ୍ରାୟେ ।ପ୍ରହାରେ ଯଜ୍ଞ ରୂପୀ ଦେହେ ॥
ମାୟାବୀ ଦୁଷ୍ଟ ହିରଣାକ୍ଷ ।ଶରୀର ଗଲା ଅନ୍ତରୀକ୍ଷ ॥
କେହି ନ ଦେଖେ କେଣେ ଗଲା ।ଅଦ୍ଭୁତେ ଶବଦ ଶୁଭିଲା ॥
ତାର ପ୍ରକାଶେ ପଦ୍ମମୁଖ ।ସ୍ୱଭାବେ ହୋଇଲେ ବିମୁଖ ॥
ଯୁଦ୍ଧକୁ ପଶୁମେଷ ଯେହ୍ନେ ।ପ୍ରହାରେ ଦୁଃଖ ନାହିଁ ମନେ ॥
ପୁଣି କ୍ଷଣକେ ମହାରୋଷେ ।ଅସୁର ମିଳି ବିଷ୍ଣୁ ପାଶେ ॥
ମାୟା ସର୍ଜିଲା ଅପ୍ରମିତେ ।ଶ୍ରୀମାୟାଧରର ଅଗ୍ରତେ ॥
ସେ ମାୟା ଦେଖି ଦେବଜନେ ।ହସ୍ତ ଆଚ୍ଛାଦିଲେ ଲୋଚନେ ॥
ଶରୀର କମ୍ପେ ମହାଭୟେ ।ଶୁଣିଲେ ପ୍ରଳୟର ପ୍ରାୟେ ॥
ପ୍ରଚଣ୍ଡ-ବାତ ବହେ ଖରେ ।ଶୂନ୍ୟେ ପାଷାଣ ବୃଷ୍ଟିକରେ ॥
ଭସ୍ମ ପୂରିତ ଦଶଦିଶେ ।ନିର୍ଝର ପାଷାଣ ବରଷେ ॥
ଘୋର ଗର୍ଜ୍ଜନ ମହାମେଘେ ।ରୁଧିର ବରଷନ୍ତି ବେଗେ ॥
ପୁଣି ପୁରୀକ୍ଷ ମୂତ୍ର ଅସ୍ଥି ।ପ୍ରାଣୀର ସଙ୍ଗେ ବରଷନ୍ତି ॥
ପର୍ବତ ପ୍ରାୟ ଦେହ କରି ।ନିଶ୍ଚୟେ ଜାଣିଲେ ଆସୁରୀ ॥
ମାୟାରେ ଦର୍ପ ବିନାଶନେ ।କୋପ ବସିଲା ବିଷ୍ଣୁମନେ ॥
ସୁଦରଶନ ଧରି କରେ ।ହରି ଧାଇଁଲେ ଧାତିକାରେ ॥
ସ୍ୱଭାବେ କଶ୍ୟପ ଭୁବନେ ।ଭୟ ବସିଲା ଦିତି ମନେ ॥
ହୃଦୟ କମ୍ପଇ କାତରେ ।ପଦ ନସ୍ଫୁରେ କମ୍ପଜ୍ୱରେ ॥
ସ୍ୱାମୀର ବଚନ ସୁମରେ ।ତନୁରୁ ରୁଧିର ଯେ ଝରେ ॥
ଚକ୍ରର ତେଜେ ମାୟା ଗଲା ।ରବି କିରଣ ପ୍ରକାଶିଲା ॥
ପୁଣି ଅସୁର ମହାକୋପେ ।ମିଳିଲା ବିଷ୍ଣୁର ସମୀପେ ॥
ରୋଷେ ଅରୁଣ ଦିଶେ ଦୃଷ୍ଟି ।ଉର୍ଦ୍ଧ୍ୱେ ତୋଳିଲା ବେନିମୁଷ୍ଟି ॥
ଗୋବିନ୍ଦ ପାଦେ ପ୍ରହାରିଲା ।ସଭୟେ ଘୋର ନାଦ କଲା ॥
ଘୋର ଗହନ ମାୟାମାର୍ଗେ ।ବିଦ୍ୟୁତ ସ୍ଫୁରେ ଦଶଦିଗେ ॥
ମୁଷ୍ଟି ବାଜିଲା ବଜ୍ର ପ୍ରାୟେ ।ଦେଖି କମ୍ପିଲେ ଦେବରାୟେ ॥
କର ପ୍ରସାରି କର୍ଣ୍ଣମୂଳେ ।ଗୋବିନ୍ଦ ପ୍ରହାରିଲେ ବଳେ ॥
ପୂର୍ବେ ଯେସନେ ସୁରରାୟେ ।ବିଶ୍ୱକର୍ମାର ପୁତ୍ର ଦେହେ ॥
ପ୍ରହାର କରି କର୍ଣ୍ଣମୂଳେ ।ପ୍ରାଣ ହାରିଲେ ତାର ବଳେ ॥
ଏମନ୍ତ ବିଷ୍ଣୁର ପ୍ରହାରେ ।ପ୍ରାଣ ଛାଡ଼ିଲା କଳେବରେ ॥
ମୁଷ୍ଟି ପ୍ରହାରେ ମୁଣ୍ଡ ଫାଟି ।ପଡ଼ିଲା ମହୀତଳେ ଲୋଟି ॥
ଦାନ୍ତ କାମୁଡ଼େ ଅତି ଛନ୍ଦେ ।ପ୍ରାଣ ଛାଡ଼ିଲା ଘୋର ନାଦେ ॥
ଅସୁର ମୃତ୍ୟୁ ଦେବେ ଦେଖି ।ମିଳିଲେ ଗଗନ ଉପେକ୍ଷି ॥
ଦେଖିଲେ ଅସୁର ବଦନ ।ଭୃକୁଟି କୁଟିଳ ନୟନ ॥
ବିଧାତା ଆଦି ସୁରବୃନ୍ଦ ।କରନ୍ତି ଜୟ ଜୟ ନାଦ ॥
କହନ୍ତି ଧନ୍ୟ ଏ ଅସୁର ।ବିଷ୍ଣୁର ହସ୍ତେ ଗଲା ମାର ॥
ଏମନ୍ତେ କେ ପାଇ ମରଣ ।ମାୟାରେ କଲା ଘୋର ଋଣ ॥
ଧନ୍ୟ ଏ ଜୀବନ ଏହାର ।ବ୍ରାହ୍ମଣ ଶାପୁଁ ଗଲା ପାର ॥
ପୁଣି ହୋଇବ ଜନ୍ମ ଦୁଇ ।ଏମନ୍ତ କହି ବିଷ୍ଣୁ ଚାହିଁ ॥
ବ୍ରହ୍ମାଦି ଦେବ କରଯୋଡ଼ି ।ଗୋବିନ୍ଦ ଚରଣରେ ପଡ଼ି ॥
ଦେବା ଉଚୁଃନମସ୍ତେ ଜୟ ଯଜ୍ଞତନ୍ତୁ ।ତୋ ଅବତାର ଭକ୍ତ ହେତୁ ॥
ଆମ୍ଭରି ପାଇଁ ଭଗବାନ ।ଏ ଦୁଷ୍ଟ କଲୁ ତୁ ନିଧନ ॥
ତୋର ପ୍ରସନ୍ନେ ଜଗନ୍ନାଥ ।ଆମ୍ଭେ ଯେ ହୋଇଲୁ ନିଶ୍ଚିନ୍ତ ॥
ତୋର ସଂସାର ପାଳ ଏବେ ।ଏମନ୍ତ କହି ସର୍ବ ଦେବେ ॥
ଆନନ୍ଦେ ଗଲେ ନିଜପୁର ।ସୁମନେ ଶୁଣ ହେ ବିଦୁର ॥
ମୈତ୍ରେୟ ଉବାଚଏ ମହା ହିରଣ୍ୟାକ୍ଷ ମାରି ।ଯଜ୍ଞ ବରାହ ରୂପ ଧରି ॥
ନିଜ ଭୁବନେ ହରି ଗଲେ ।ଉତ୍ସବେ ପରମ ମଙ୍ଗଳେ ॥
ବ୍ରହ୍ମାଦି ଦେବ କଲେ ସ୍ତୁତି ।ନିଜ ଭୁବନେ ଲକ୍ଷ୍ମୀପତି ॥
ଭକ୍ତ ଉଦ୍ଧରି ମହାତୋଷେ ।ମିଳିଲେ କମଳାର ପାଶେ ॥
ତୁ ଯାହା ପଚାରିଲୁ ମୋତେ ।ପ୍ରସନ୍ନେ କହିଲି ମୁଁ ତୋତେ ॥
ବିଷ୍ଣୁର ଲୀଳା ଅବତାର ।ହିରଣ୍ୟାକ୍ଷର ଯେ ଉଦ୍ଧାର ॥
ସୁତ ଉବାଚଏମନ୍ତେ ମୈତ୍ରେୟଙ୍କ ବାଣୀ ।ବିଦୁର ସାବଧାନେ ଶୁଣି ॥
ପରମାନନ୍ଦ ଖେଳ ଲୀଳା ।ତା କର୍ଣ୍ଣେ ଶୁଣି ନୃପବଳା ॥
ଆନନ୍ଦେ ଶୁଣ ଏକମନେ ।ନାନା ପ୍ରକାର ଏ ଭୁବନେ ॥
ତାହାଙ୍କ ଯଶ କର୍ଣ୍ଣେ ଶୁଣି ।ଭବସାଗରୁ ତରେ ପ୍ରାଣୀ ॥
କୃଷ୍ଣର ଗୁଣ-ଅବତାର ।କରେ ଅମୃତ-ରସସାର ॥
ଶୁଣିବା ଜନେ କର୍ଣ୍ଣଦ୍ୱାରେ ।କିମ୍ପା ନ ତରିବେ ସଂସାରେ ॥
ବନସ୍ତ ଗଜ ଜଳେ ପଶି ।କର ପଖାଳନ୍ତେଣ ଆସି ॥
ଜଳେ ତରନ୍ତେ ପଦ୍ମବନେ ।କୁମ୍ଭୀର ଗ୍ରାସନ୍ତେ ତକ୍ଷଣେ ॥
ଚରଣ ନ ପାରିଲା ଆଣି ।ଅନେକ ହସ୍ତୀ ତାକୁ ପୁଣି ॥
ନ ପାରି ହୋଇଲା ବିଷାଦ ।ଚିତ୍ତେ ଚିନ୍ତିଲେ ବିଷ୍ଣୁପଦ ॥
ତକ୍ଷଣେ ପ୍ରଭୁ ଚକ୍ରପାଣି ।ଗଜ ରଖିଲେ ଗ୍ରାହ ହାଣି ॥
ତାର ଚରଣେ ମୁନିବୃନ୍ଦେ ।ନାନା ପ୍ରକାରେ ଯୋଗ ସାଧ୍ୟେ ॥
ଅଭୟ ପାଦେ ସେ ମିଳନ୍ତି ।ଯେ ଜନ ନାନାଭାବ ଚିନ୍ତି ॥
ଏବେ ହୋ ଶୁଣ ପରୀକ୍ଷିତ ।ଅମୃତ ରସ ଭାଗବତ ॥
ଶୂକର ରୂପେ ନାରାୟଣ ।କଲେ ପାଳନ ସଂହାରଣ ॥
ଧରଣୀ ଉଦ୍ଧରିଲେ ଦାନ୍ତେ ।କ୍ରୀଡ଼ା ବିହରେ ଏ ଜଗତେ ॥
ଏ କଥା ଶ୍ରବଣ କୀର୍ତ୍ତନ ।କ୍ଷଣେ ବଞ୍ଚନ୍ତି ଯେଉଁ ଜନ ॥
ବ୍ରାହ୍ମଣ ବଧ କରିଥିଲେ ।ଦୋଷ ନ ଲାଗେ ତାକୁ ଭଲେ ॥
ଏ ପୁଣ୍ୟ ଯଶ ହରି କଥା ।ଧନ ଆୟୁଷ ମୋକ୍ଷ ଦାତା ॥
ପ୍ରାଣ ଇନ୍ଦ୍ରିୟ ସୁଖ ଭାବେ ।ଦୁର୍ଗତି ଦୁଷ୍ଟବୁଦ୍ଧି ଦେବେ ॥
ଭାଷା ପ୍ରବନ୍ଧେ ଭାଗବତ ।କହିଲେ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ହିରଣ୍ୟାକ୍ଷ ବଧ କରଣେନାମ ଉନବିଂଶୋଽଧ୍ୟାୟଃ ।
ବିଂଶ ଅଧ୍ୟାୟଶୌନକ ଉବାଚବରାହ ରୂପୀ ଭାବଗ୍ରାହୀ ।ଜଳେ ଧରଣୀ ଗଲେ ଥୋଇ ॥
ସେ ସ୍ୱାୟମ୍ଭୁବ ମନୁ ବଳା ।ଧରଣୀ ପୃଷ୍ଠେ ସେବାକଲା ॥
ନାନା ଆବର ଜନ୍ମ ଯେତେ ।ତାହାଙ୍କୁ ସାଧିଲା କେମନ୍ତେ ॥
ବିଦୁର ଭ୍ରମି ତୀର୍ଥମାର୍ଗେ ।ଆନନ୍ଦ ମୈତ୍ରେୟର ଆଗେ ॥
ତୀର୍ଥ ସାଧନ ପୁଣ୍ୟବଳେ ।ଏକାନ୍ତେ ବିଷ୍ଣୁ ଭକ୍ତି ଫଳେ ॥
କୃଷ୍ଣ ଚରଣ ଆଶ୍ରେକରି ।ପଶିଲା ହସ୍ତିନା ନଗରୀ ॥
ତା ଜ୍ୟେଷ୍ଠ ଭ୍ରାତ ଧୃତରାଷ୍ଟ୍ର ।ତାହାର ପୁତ୍ର ବଡ଼ ଦୁଷ୍ଟ ॥
କର୍ଣ୍ଣ ଶକୁନି ଦୁଃଶାସନ ।ଏହାଙ୍କ ବୋଲେ ଦୁର୍ଯ୍ୟୋଧନ ॥
ପାଣ୍ଡବ ହିତେ ସେ ବିଶ୍ୱାସେ ।ଗର୍ଜି ବୋଇଲେ ମହାରୋଷେ ॥
ରାଜ୍ୟୁ ବାହାର କରିଦେଲା ।ସେ ପୁଣି ବ୍ୟାସଙ୍କର ବଳା ॥
ଗୋବିନ୍ଦ ଭକ୍ତ ସେ ନିଶ୍ଚଳେ ।ବର୍ତ୍ତଇ ଭକ୍ତ ଜନ ମେଳେ ॥
ମୈତ୍ରେୟ ବିଦୁର ପୁଚ୍ଛିଲା ।କହିବା ମୋତେ ବିଷ୍ଣୁ ଲୀଳା ॥
ସେ ବିଷ୍ଣୁ କଥା ପରାଶର ।ଶ୍ରୁତିଗୋଚରେ ସୁଧାସାର ॥
ଯେ ପ୍ରାଣୀ ଗଙ୍ଗାସ୍ନାନ କରେ ।ସେ ତିନି ପୁରୁଷ ଉଦ୍ଧରେ ॥
ବିଷ୍ଣୁର କଥା ସେହି ମତ ।ପାନ ନ ରହେ ତାଙ୍କ ଗାତ୍ର ॥
ଯାହାର ଜିହ୍ୱା କୃଷ୍ଣରସେ ।ପଶଇ କର୍ଣ୍ଣଦ୍ୱାର ପାଶେ ॥
ବିଷ୍ଣୁ ବୈଷ୍ଣବ ଭାବ ଚିତ୍ତେ ।ଭୋ ମୁନି କହ ମୋ ଅଗ୍ରତେ ॥
ସେ କାହିଁ ଛାଡ଼େ କୃଷ୍ଣ କଥା ।ଯେଣେ ହରଇ ଭବ ବ୍ୟଥା ॥
ବିଷ୍ଣୁ ଶୁକର ରୂପ ଧରି ।ଧରଣୀ ପାତାଳୁ ଉଦ୍ଧରି ॥
ଲୀଳା ବିହାରେ ହିରଣ୍ୟାକ୍ଷ ।ଗୋବିନ୍ଦ ମାଇଲେ ପ୍ରତ୍ୟକ୍ଷ ॥
ସେ କଥା ଶୁଣି ତୋଷ ଚିତ୍ତେ ।ଅଶ୍ରୁ ଲୋଚନ ଲୋମଗାତ୍ରେ ॥
ମୈତ୍ରେୟ ପାଦେ ଦେଇ ଶିର ।ଆନନ୍ଦେ ପୁଚ୍ଛଇ ବିଦୁର ॥
ବିଦୁର ଉବାଚବ୍ରହ୍ମା ନାଭିରୁ ଅବତାର ।ସେ ପ୍ରଜାପତିଙ୍କ ଈଶ୍ୱର ॥
ପ୍ରଜାପତିଙ୍କୁ ଜାତ କଲା ।ସୃଷ୍ଟି ସୃଜନେ ଆଜ୍ଞା ଦେଲା ॥
ମରୀଚି ଆଦି ସପ୍ତତନୁ ।ଅପରେ ସ୍ୱାୟମ୍ଭୁବ ମନୁ ॥
ପିତାର ପାଦେ ଶିଷ୍ୟ ବେଶେ ।ଶୁଭେ ରହିଲେ ସେହି ଦେଶେ ॥
ଏ ସୃଷ୍ଟି ସାଧିଲେ କେମନ୍ତେ ।ଦ୍ୱିତୀୟ ସୃଷ୍ଟି ବେଦମତେ ॥
ସାଧିଲେ ନିଜ କର୍ମ ତନ୍ତ୍ରେ ।ଶୁଭେ ପାଳିଲେ ନାନାମତେ ॥
ସେ ସୃଷ୍ଟି ପଦ୍ମ କଳ୍ପ ଅନ୍ତେ ।ଯେ କାଳ ବିଷ୍ଣୁର ବ୍ୟାପନ୍ତେ ॥
ମୈତ୍ରେୟ ଉବାଚସେ ମାୟା ବଳେ କ୍ଷୋଭ ପାଇ ।ମହତ ରୂପ ସେ ଧରଇ ॥
ରଜ ପ୍ରଧାନ ସେ ତ୍ରିଗୁଣ ।କଳ୍ପିଲା ଦୈବର ପ୍ରମାଣ ॥
ସେ ଭୂତ ଆଦି ସେ ମହତ ।ଅଙ୍ଗେ ସର୍ଜିଲା ପଞ୍ଚଭୂତ ॥
ଶବଦ ଆଦି ପଞ୍ଚଗଣ ।ମିଳିଲେ ସୃଷ୍ଟିର କାରଣ ॥
ସେ ପୁଣି ହୋଇ ଏକ ରୁଣ୍ଡ ।କଳ୍ପିଲେ ସୁବର୍ଣ୍ଣର ଅଣ୍ଡ ॥
ସେ ଅଣ୍ଡକୋଷ ମହାଜଳେ ।ପଡ଼ି ଭାସଇ କାଳବଳେ ॥
ସେ ପୁଣି ସହସ୍ର ବରଷେ ।ଅଗାଧ ମହାଜଳେ ଭାସେ ॥
ସେ ଅଣ୍ଡକୋଷ ମଧ୍ୟେ ହରି ।ଶୁଏ ଅନନ୍ତ ଶଯ୍ୟା କରି ॥
ସେ ନାଭିପଦ୍ମ ପଦ୍ମ କୋଷ ।ସଲିଳେ ହୁଅଇ ପ୍ରକାଶ ॥
ସେ ପଦ୍ମ ନିଜ ତେଜ ପୁଞ୍ଜେ ।ସହସ୍ର ରବି ରତ୍ନ ଗଞ୍ଜେ ॥
ସେ ପଦ୍ମ ମଧ୍ୟେ ସର୍ବ ଜନ୍ତୁ ।ପ୍ରକାଶେ ନିଜ କର୍ମ ହେତୁ ॥
ବିରାଜେ ତାର ରୂପ ମଧ୍ୟେ ।ଜନ୍ମିଲେ ଜନ୍ତୁ କର୍ମ ସାଧ୍ୟେ ॥
ସେ ପୁଣି ବିଷ୍ଣୁ ଉପଦେଶେ ।ସୃଷ୍ଟି ଭଜିଲା ଅଣ୍ଡକୋଷେ ॥
କାଳର ବଳେ କୋପମନ ।ନିଃଶ୍ୱାସ ଛାଡ଼େ ଘନ ଘନ ॥
ତାର ନିଃଶ୍ୱାସୁଁ ତତକ୍ଷଣେ ।ସଂସାର ହିତେ ପଞ୍ଚଗୁଣେ ॥
ତାମିସ୍ର ମହାତମା ତମ ।ଅନ୍ଧ ତାମିସ୍ର ମୋହ ନାମ ॥
ଏ ପଞ୍ଚ କର୍ମ ଏକ ମେଳେ ।ଜନ୍ମିଲେ ଅନ୍ଧକାର ବଳେ ॥
ଏ ସୃଷ୍ଟି ଦେଖି ତମୋମୟ ।ଧାତା ଛାଡ଼ିଲା ନିଜ ଦେହ ॥
ସେ ପିଣ୍ଡ ଦେଖି ତମୋଗୁଣେ ।ବେଗେ ଧାଇଁଲେ ତତକ୍ଷଣେ ॥
ସେ ଦେହେ ସେହି ସନ୍ଧ୍ୟା ମିଶି ।ତମେ ରଜନୀ ପ୍ରାୟ ଦିଶି ॥
କ୍ଷୁଧାତୃଷାର ରାତ୍ରି ବେଳେ ।ସେ ସର୍ବେ ମିଳି ଏକମେଳେ ॥
ଥୋକେ କହନ୍ତି ରଖ ରଖ ।ଥୋକେ କହନ୍ତି ଭକ୍ଷ ଭକ୍ଷ ॥
ତକ୍ଷଣେ ବ୍ରହ୍ମା ଶୂନ୍ୟେ ରହି ।ବୋଇଲେ ତାଙ୍କ ମୁଖ ଚାହିଁ ॥
ଏ ପିଣ୍ଡ ଭକ୍ଷ ହେ ନ ଭକ୍ଷ ।ଏଣୁ ହୋଇଲା ଯକ୍ଷରକ୍ଷ ॥
ତୁମ୍ଭେ ଯେ ଯକ୍ଷ-ରକ୍ଷଗଣ ।ମୋର ବଚନ ଏବେ ଶୁଣ ॥
ତୁମ୍ଭେ ମୋହର ପ୍ରଜା ହୁଅ ।ଏମନ୍ତ କହି ପିତା ମହ ॥
ସର୍ଜିଲା ଅନୁକ୍ଷଣ ଗଣ ।ଦେବଙ୍କ ଭୋଗ ଯେ ପ୍ରମାଣ ॥
ତାହାକୁ ଦେଖି ତତକ୍ଷଣେ ।ଧାଇଁଲେ ଯକ୍ଷ ରକ୍ଷଗଣେ ॥
ମୈଥୁନ ମୂଳ ସୁଖ ପାଇଁ ।ବେଗେ ବିଜୟ ଲୋଭ ବହି ॥
ନିଲ୍ଲର୍ଜ ପଣ ତାହାଙ୍କର ।ଦେଖି ହସିଲେ ବେଦବର ॥
ବ୍ରହ୍ମାର ହାସ୍ୟ ଦେଖି କୋପେ ।ମିଳିଲେ ବ୍ରହ୍ମାଙ୍କ ସମୀପେ ॥
ଚାହାନ୍ତି କୁପିତ ବଦନେ ।ଭୟ ପଶିଲା ବ୍ରହ୍ମା ମନେ ॥
ଶୂନ୍ୟେ ଗୋବିନ୍ଦ ପାଦଧ୍ୟାୟି ।କହଇ ଶିରେ କର ଦେଇ ॥
ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ ।ତୁ ନାଥ ଆଜ୍ଞା ଦେଲୁ ମୋତେ ॥
ସୃଷ୍ଟି କରଇ ମୋର ବଳେ ।ତୋ ଅନୁରୂପେ ଏ ଶୟଳେ ॥
ତୁ ଏବେ ରଖ ଚକ୍ରଧର ।ଏମାନେ ମହା ଭୟଙ୍କର ॥
ଏ ଯେବେ ଭକ୍ଷିବେଟି ମୋତେ ।କେମନ୍ତେ ଥିବି ଏ ଜଗତେ ॥
ବ୍ରହ୍ମା ବଚନ କର୍ଣ୍ଣେ ଶୁଣି ।ବୋଇଲେ ପ୍ରଭୁ ଚକ୍ରପାଣି ॥
ଏ ଜାଣି ମହା ଭୟଙ୍କର ।ଏବେ ତୁ ଛାଡ଼ ଏ ଶରୀର ॥
ଶୁଣି ଗୋବିନ୍ଦର ବଚନ ।ତକ୍ଷଣେ ଛାଡ଼ିଲା ଜୀବନ ॥
ସେ ଦେହ ସନ୍ଧ୍ୟା ରୂପ ହୋଇ ।ରୂପେ ରାକ୍ଷସ ମନ ମୋହି ॥
ଯେ ଅପସରାଗଣ ଥିଲେ ।ତାହାଙ୍କୁ ଦେଖି ମୋହ ଗଲେ ॥
ନାନା ଅଳଙ୍କାର ସାଜେଣି ।ଚରଣେ ନୂପୁର ବାଜେଣି ॥
ବସ୍ତ୍ରେ ବେଷ୍ଟିତ ରୂପ ଛନ୍ନ ।ମୁହୂର୍ତ୍ତେ ବିଷାକ୍ତ ନୟନ ॥
ହୃଦୟେ ତୁଙ୍ଗ ପୟୋଧର ।କଟୀ ମେଖଳା ରତ୍ନସାର ॥
ସୁନ୍ଦର ନାସିକା ବିରାଜେ ।ଦନ୍ତ ଡାଳିମ୍ବ ବୀଜ ଗଞ୍ଜେ ॥
ସୁନ୍ଦର ହାସ ମନୋହର ।ସୁବିମ୍ୱ ସୁନ୍ଦର ଅଧର ॥
ବସ୍ତ୍ର ଆଚ୍ଛାଦି କଳେବରେ ।ପଥେ ରହିଲା ଲାଜଭରେ ॥
ପଥରେ ଦେଖି ତା ବଦନ ।ସର୍ବ ହୋଇଲେ ମୋହମାନ ॥
କହନ୍ତି ଏକୁ ଏକ ଚାହିଁ ।ଏମନ୍ତେ ଦେଖିଲାତ ନାହିଁ ॥
ନବ ଶରୀର ତ୍ରାହି କର ।ରୂପେ-ଲାବଣ୍ୟ ମନୋହର ॥
ଏ ଆମ୍ଭ ମଧ୍ୟେ ମନୋରମେ ।ଅକର୍ମ କଲା ପ୍ରାୟ ଭ୍ରମେ ॥
ଏମନ୍ତେ ସନ୍ଧ୍ୟା ରୂପ ଦେଖି ।ପ୍ରମଦା ପ୍ରାୟ ଉପଲକ୍ଷ୍ୟି ॥
ନୟନ ଦେଇ ତା ବଦନେ ।ଭାବେ ବୁଝନ୍ତି ଅନ୍ୟେ ଅନ୍ୟେ ॥
ହେ ରମ୍ଭା ଉର୍ବଶୀ କଲ୍ୟାଣୀ ।ପ୍ରମଦା କୂଳ ଶିରୋମଣି ॥
ବିପ୍ର ଭୋଜନେ ଭଗବାନ ।କହ କି କିସ ତୋର ନାମ ॥
ତୋ ରୂପ ଗୁଣେ ହେଉ ଛନ୍ନ ।ଆମର ଲଘିଂତ ଲୋଚନ ॥
ତୋହର ରୂପ ଗୁଣ ଗୁଣି ।ଆମ୍ଭର ପ୍ରଭା ଅବନ୍ଧଣି ॥
କାହାର ପତ୍ନୀ ତୁ ବୋଲାଉ ।କହ ତୁ ଉପୁଜିଲୁ କାହୁଁ ॥
ତୁ ଆମ୍ଭ ପୂର୍ବ ଭାଗ୍ୟବଳେ ।ମିଳିଲୁ ଆମ୍ଭର ଛାମୁରେ ॥
କୌତୁକ କ୍ରୀଡ଼ା ତୋ ବଦନ ।ରୂପେ ହରିଲୁ ଆମ୍ଭ ମନ ॥
ତୋର ଚରଣ ପଦ୍ମଯୁଗେ ।ଗମନେ ଯୁଥର ତରଙ୍ଗେ ॥
ସେ ଗୁଣ ସ୍ତନଭାର ଛନ୍ନେ ।ଭଜିବା ପ୍ରାୟେ ଅନୁମାନେ ॥
ଏମନ୍ତେ ସନ୍ଧ୍ୟା ରୂପ ଚାହିଁ ।ଯକ୍ଷ ରାକ୍ଷସ ଲୋଭ ବହି ॥
ତକ୍ଷଣେ ନିଜ କାନ୍ତି ତେଜେ ।ବ୍ରହ୍ମାର ଶରୀରୁ ବିରାଜେ ॥
ସ୍ୱଭାବେ ବ୍ରହ୍ମା ସେ ଆନନ୍ଦେ ।ଗନ୍ଧର୍ବ ଅପସରା ବୃନ୍ଦେ ॥
ବ୍ରହ୍ମାର ଶରୀରୁ ବାହାର ।ଯେ ରୂପ ମୋହେ ସୁରନର ॥
ଗନ୍ଧର୍ବ ବିଶ୍ୱାବସୁ ଆଦି ।ସୁନ୍ଦର ରୂପରେ ପ୍ରସିଦ୍ଧି ॥
ଆବୋରି ଅପସରା ଗଣେ ।ସୁଖେ ରହିଲେ ଜଣେ ଜଣେ ॥
ପ୍ରଥମେ ଆତ୍ମା ତନ୍ତ୍ରେ ଭରି ।ଭୂତ ପିଶାଚ ଗଣ କରି ॥
ପଛେ ତାହାଙ୍କ ରୂପ ଦେଖି ।ଭୟେ ବୁଜିଲେ ବେନି ଆଖି ॥
ସେ ମୁକ୍ତ କେଶ ଦିଗମ୍ବର ।ଦେଖି କମ୍ପିଲେ ସୁରନର ॥
ଭୟ ଅଳସ ତାର ମୁଖେ ।ଯେବେ ଏ ପ୍ରାଣୀ ମୋହେସୁଖେ ॥
ସେ ଦେବ ନିଦ୍ରାବଶ ହୋଇ ।ପୁଣି ଛାଡ଼ିଲା ନିଜ ଦେହୀ ॥
ପରମେ ରହି ରଜଗୁଣ ।ସର୍ଜିଲା ସିଦ୍ଧ ପିତୃଗଣ ॥
ସେ ସିଦ୍ଧ ବିଦ୍ୟାଧର ଗଣେ ।ଜାତ ହୋଇଲେ ତତକ୍ଷଣେ ॥
ସ୍ୱଭାବେ ତେଜ ଅନର୍ଗଳା ।ତାହାକୁ ଅନ୍ତର୍ଦ୍ଧାନ ହେଲା ॥
କିନ୍ନର କିଂପୁରୁଷ ଗତି ।ପୁଣି ସର୍ଜିଲା ପ୍ରଜାପତି ॥
ତକ୍ଷଣେ ତମୋଗୁଣେ ଜାତ ।ଯାହାର ତେଜେ ବଳବନ୍ତ ॥
ତାହାକୁ ଚାହିଁ ପ୍ରଜାନାଥ ।ସନ୍ତୋଷେ ହୋଇ କୃତ୍ୟ କୃତ୍ୟ ॥
ପୁଣି କଳ୍ପିଲା ମନୋରଥେ ।ଆବର ସୃଷ୍ଟି ଭାବ ଯେତେ ॥
ନାରୀ ପୁରୁଷେ କଲେ ମନ ।ଯେ ସୃଷ୍ଟି ଉପୁଜେ ମୈଥୁନ ॥
ଏମନ୍ତେ ବ୍ରହ୍ମା ସୃଷ୍ଟି ଚାହିଁ ।ବିବୁଧେ ତାର ଯଶ ଗାଇ ॥
କହନ୍ତି ଧନ୍ୟ ବେଦପତି ।ସୃଷ୍ଟି ସଞ୍ଚରେ ଦୃଢ଼ମତି ॥
ଅନେକ ତପ ଯହୁଁ କଲା ।ଜ୍ଞାନ ଗୋବିନ୍ଦ ଆଜ୍ଞା ଦେଲା ॥
ନିଜ ସାଧନା ତପ ଫଳେ ।ଏ ସୃଷ୍ଟି କଲେ ବୁଦ୍ଧିବଳେ ॥
ଏମନ୍ତେ ଶ୍ରୀକୃଷ୍ଣ କାରଣ ।ବିଧାତା ରୂପେ ନାରାୟଣ ॥
କହଇ ପୁଣ ପୁଣ ଭାବେ ।ତୋର ଭକ୍ତ ଜନର ଲୋଭେ ॥
ଏମନ୍ତେ ଭାଗବତ ବାଣୀ ।ମୈତ୍ରେୟ ମୁନି ଆଗେ ଭଣି ॥
ବନେ ପିପ୍ପଳ ବୃକ୍ଷମୂଳେ ।ମନୁଷ୍ୟ ରୂପ ତ୍ୟାଗ କଲେ ॥
ସେ କଥା ବ୍ୟାସ ତାଙ୍କ ଆଗେ ।ମୁନି କହିଲେ ପ୍ରିୟ ଭାବେ ॥
ହରି ଚରିତ ଭାଗବତ ।କହିଲେ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ଷ୍କନ୍ଧେ ବ୍ରହ୍ମା ସୃଷ୍ଟି ସର୍ଜ୍ଜନେନାମ ବିଂଶୋଽଧ୍ୟାୟଃ ।
ଏକବିଂଶ ଅଧ୍ୟାୟବିଦୁର ଉବାଚବ୍ରହ୍ମାର ତହୁଁ ଜାତ ତନୁ ।ଯେ ପୂର୍ବେ ସ୍ୱାୟମ୍ଭୂବ ମନୁ ॥
ତାହାର ବଂଶ ଏ ଜଗତେ ।କି ରୂପେ ପ୍ରସରିଲା ଯେତେ ॥
ସ୍ୱାୟମ୍ଭୂବର ଦୁଇ ପୁତ୍ର ।ଉତ୍ତାନପାଦ ପ୍ରିୟବ୍ରତ ॥
ତେଜେ ପ୍ରଚଣ୍ଡ ସେ ବିରାଜେ ।ଏ ସପ୍ତଦ୍ୱୀପ ମହୀପୁଞ୍ଜେ ॥
ତାର ଦୁହିତା ଅନୁପମ ।ତାହାର ଦେବହୁତି ନାମ ॥
କର୍ଦ୍ଦମ ତାର ନିଜ ପତି ।ତିନିଭୂବନେ ଦେବହୁତି ॥
ସେବା କରଇ ଅନୁବ୍ରତେ ।ଯେ ଧର୍ମ ପତିବ୍ରତା ମତେ ॥
ସ୍ୱାମୀ ସ୍ୱଭାବେ ଷଡ଼ଭାଗେ ।ତାହାର ପୁତ୍ର ଯେତେ ଗର୍ଭେ ॥
ଜନ୍ମିଲେ କହ ମୋ ଅଗ୍ରତେ ।ଭୋ ମୁନି ଦୟା ଯେବେ ଚିତ୍ତେ ॥
ସେ ମହାଯତି ମୁନିବର ।ଆକୃତି ସଙ୍ଗତେ ବିହାର ॥
ଦକ୍ଷ ଯେ ବ୍ରହ୍ମାପୁତ୍ର ଥିଲେ ।ପ୍ରସୂତି କନ୍ୟା ବିଭାଦେଲେ ॥
ସେ ବ୍ରହ୍ମାସୁତ ଋଷିବର ।ଯୋଗ ସାଧନେ ନିର୍ବିକାର ॥
ମୁନି ଦୁହିତା ପତି ପାଇ ।କେବେହେଁ ସଙ୍ଗ ନ ଛାଡ଼ଇ ॥
ମୈତ୍ରେୟ ଉବାଚକର୍ଦ୍ଦମ ରାଇ ବେଦବର ।ବୋଇଲେ ତୁ ହୋ ସୃଷ୍ଟି କର ॥
ବ୍ରହ୍ମାଙ୍କ ଆଜ୍ଞା ଘେନି ଶିରେ ।ମିଳିଲେ ସରସ୍ୱତୀ ତୀରେ ॥
ଘୋର ତପରେ ନିମଜ୍ଜିଲା ।ଶୁଣ ହୋ ଯେତେ ତପ କଲା ॥
ଦେବଙ୍କ ଅୟୁତ ବରଷେ ।ବସିଲା ଆତ୍ମାର ବିଶ୍ୱାସେ ॥
ତପ ସମାଧି କ୍ରିଡ଼ା ଯୋଗେ ।ନିଶ୍ଚଳ ଭକ୍ତି ଅନୁରାଗେ ॥
ତାର ସମୀପେ ହୃଷିକେଶ ।ତକ୍ଷଣେ ହୋଇଲେ ପ୍ରକାଶ ॥
ଶୁକ୍ଳ ଶରୀର ଶୂନ୍ୟ ମାର୍ଗେ ।ଯେ ରୂପେ ହୋଇ ସତ୍ୟଯୁଗେ ॥
ଶବଦ ବ୍ରହ୍ମ ରୂପ ଧରି ।ତେଜେ ଆଦିତ୍ୟ ନୁହେଁ ସରି ॥
ଲୋଚନ ପୁଣ୍ଡରୀକ ଦଳ ।ସୁନ୍ଦର ଅଳକା କପୋଳ ॥
ବିରାଜେ ବସ୍ତ୍ର ପରିଧାନ ।ସ୍ନିଗ୍ଧ ମୁଣ୍ଡ ଯେ ଶୋଭାବନ ॥
କିରୀଟ କୁଣ୍ଡଳ ବିରାଜେ ।ଶଙ୍ଖ କମଳ ଗଦା ସାଜେ ॥
ଚକ୍ର ବିରାଜେ ଦକ୍ଷ କରେ ।ତେଜିଣ ଦଶ ଦିଗ ପୁରେ ॥
ସ୍ମିତ ଅଧର ରଙ୍ଗ ବେନି ।ବିରାଜେ ନିଜ ତେଜ ଘେନି ॥
ସୁନ୍ଦର ହାସ ମନ ମୋହେ ।କୋଟି କନ୍ଦର୍ପ ରୂପ ଶୋହେ ॥
ଗରୁଡ଼ କନ୍ଧେ ଆରୋହଣ ।ଅମୂଲ୍ୟ ରତ୍ନ ବିଭୂଷଣ ॥
ସୁରଙ୍ଗ ଅନୁଗ୍ରହ ମୁଖ ।ଦେଖନ୍ତେ ହରେ ଭବଦୁଃଖ ॥
ବ୍ରହ୍ମା ବରଷେ ତପଶ୍ରମେ ।ଯେ ରୂପେ ବହେ ଉପଶ୍ରମେ ॥
ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ ।କୌସ୍ତଭ ମଣି କଣ୍ଠ ମାଝେ ॥
ଶୂନ୍ୟ-ମଣ୍ଡଳେ ବିଷ୍ଣୁ ଦେଖି ।ଉଠିଲା ଆସନ ଉପେକ୍ଷି ॥
ରୋମ ହରଷେ କଳେବର ।ନୟନେ ପୂରେ ଅଶ୍ରୁଜଳ ॥
କରଅଞ୍ଜଳି ଦେଇ ମାଥେ ।ଦଣ୍ଡ ପ୍ରଣାମ ଭୂମିଗତେ ॥
ଆନନ୍ଦେ ପୂରେ ମନୋରଥେ ।ଅନ୍ତରେ ହୁଏ ଗତା ଗତେ ॥
ଭୋ ନାଥ ତୋବ ଦରଶନ ।ନିର୍ମଳ କଲା ମୋ ନୟନ ॥
ଯେ ରୂପେ ଦେଖିବାର ଅର୍ଥେ ।ଯୋଗ ସାଧନ୍ତି ମୁନି ସନ୍ଥେ ॥
ଭୋ ନାଥ ତୁମ୍ଭର ଚରଣେ ।ଜୀବର ପରମ କାରଣେ ॥
ତୋ ପାଦପଦ୍ମ ଆଶ୍ରେ କରି ।ଭବ ସାଗରୁ ଯାନ୍ତି ତରି ॥
ଏ ଭାବ ଛାଡ଼ି ଏ ସଂସାରେ ।ବିଷୟ ସୁଖ ଆଶ୍ରେ କରେ ॥
ନରକେ ଯାନ୍ତି ସେହି ମତେ ।ସେ ତୋତେ ପାଇବେ କେମନ୍ତେ ॥
ସେହି ପ୍ରକାରେ ମନ ମୋର ।କଳ୍ପଇ ବିଷୟା ଗୋଚର ॥
ତୋର ଆଦେଶେ ସୃଷ୍ଟି ଧର୍ମେ ।କଳ୍ପିତ ଗୃହସ୍ଥ ଆଶ୍ରମେ ॥
ସେ ଗୃହ କର୍ମ ଧେନୁ ପ୍ରାୟେ ।କୁଟୁମ୍ବ ଜନ ମନ ମୋହେ ॥
ତୋର ଚରଣ କଳ୍ପଦ୍ରୁମ ।କି ଆଶେ ଲଭେ ପ୍ରାଣୀ ଶ୍ରମ ॥
ସେ ଅନୁଗ୍ରହେ ମନୁ ରାଜା ।କଳ୍ପିତ ତାହାର ତନୁଜା ॥
ମୁଁ ପୁଣି ସର୍ବ ପ୍ରାଣୀ ହିତେ ।ଯେମନ୍ତେ ତୋ ଶରଣାଗତେ ॥
ବଳି ନିବେଦି ଗୃହ ଧର୍ମେ ।ଯେମନ୍ତେ ଗମଇ ଆଶ୍ରମେ ॥
ତୋ କଥା ତାପତ୍ରୟ କ୍ଷେତ୍ର ।ଏ କଥା ଜଗତେ ବିଖ୍ୟାତ ॥
ତୋ ରୂପ ଗୁଣ ଅବତାର ।ନିର୍ମଳ ବହେ ସୁଧା ଧାର ॥
ତୋତେ ଲୋଭିତ ଯାର ଚିତ୍ତ ।ସେ ନୁହେଁ କାଳଗ୍ରସ୍ତେ ଗ୍ରସ୍ତ ॥
ତୁ ଏକ ରୂପୀ କ୍ଷୀଣ ଦେହ ।ଯୋଗ ମୋହିନୀ ଘୋରମୟ ॥
କରଇ ସୃଷ୍ଟି ସ୍ଥିତି ଅନ୍ତେ ।ଯେ ତୋର ଆଜ୍ଞାଘେନି ଖ୍ୟାତେ ॥
ଭୋ ନାଥ ତୋହର ମହିମା ।କେ କହିପାରେ ଗୁଣ ସୀମା ॥
ଏମନ୍ତେ ମୁନି ବାକ୍ୟ ଶୁଣି ।ଗରୁଡ଼ କନ୍ଧେ ଚକ୍ରପାଣି ॥
ଜ୍ୟୋତି ସ୍ୱରୂପ ଶୂନ୍ୟେ ଥାଇ ।କହନ୍ତି ମୁନି ମୁଖ ଚାହିଁ ॥
ଶ୍ରୀଭଗବାନ ଉବାଚଶୁଣ ହୋ ପ୍ରଜାପତି ସୁତ ।ମୁହିଁ ଜାଣଇ ତୋର ଚିତ୍ତ ॥
ତୁ ଯେଣୁ ପୂଜି ମୋ ଚରଣ ।କଳ୍ପିଲୁ ସୃଷ୍ଟିର କାରଣ ॥
ତୁ ଏବେ ସାବଧାନେ ଶୁଣ ।କହିବା ତହିଁର କାରଣ ॥
ତୋ ପୂର୍ବେ ପଦ୍ମଯୋନି ତନୁ ।ସଂଭୂତ ସ୍ୱାୟଂଭୂବ ମନୁ ॥
ଏ ବ୍ରହ୍ମା ବଂଶେ ରାଜା ହୋଇ ।ଭୁଞ୍ଜନ୍ତି ସପ୍ତଦ୍ୱୀପା ମହୀ ॥
ତାହାର ସତ୍ୟରୂପା ନାରୀ ।ସ୍ୱରୂପେ ଲକ୍ଷ୍ମୀ ରୂପେ ସରି ॥
ସେ ଏକଦିନେ ଏକମତେ ।ମୋ ରୂପ ଦେଖିବାର ଅର୍ଥେ ॥
ଏ ତୋର ସମୀପେ ସାକ୍ଷତେ ।ମିଳିବେ ବେନିଦିନ ଅନ୍ତେ ॥
ତାର ଦୁହିତା ଦେବହୂତି ।ରୂପେ ସମାନ ନୋହେ ରତି ॥
ତାର ବୟସ ରୂପ ଗୁଣେ ।ଅପରେ କେ ଅଛି ପ୍ରମାଣେ ॥
ତୋ ରୂପ ଅତି ମନୋହର ।କି ତାହା ଅନୁରୂପେ ବଳ ॥
ସେ କନ୍ୟା ସମର୍ପିବ ତୋତେ ।ଯେ ବିଧି ବିଧାନ ଉକତେ ॥
ତୁ ମୋ ଚରଣେ ଚିତ୍ତଦେଇ ।ଯେତେ ବରଷ ତପ ଧ୍ୟାୟି ॥
ନିରତେ କଲୁ ଆତ୍ମା ଯୋଗ ।ଏ ବିଶ୍ୱ ତତ୍ତ୍ୱ ଅନୁଭବ ॥
ମନୁ-ଦୁହିତା ତାର ସଙ୍ଗେ ।ନିରତେ ଅଛି ଅନୁରାଗେ ॥
ସେ ତୋର ତୁଲେ କରି ଭାବ ।ସତ୍ୱରେ ଗର୍ଭ ପ୍ରସବିବ ॥
ତୋର ସଙ୍ଗତେ ତାର ବୀର୍ଯ୍ୟେ ।ଯେ ଅବା ପ୍ରତ୍ୟକ୍ଷ ଉପୁଜେ ॥
ରୂପେ କି ଦେବା ଅନୁପମ ।ହୋଇବ ଅନୁଗତ ନାମ ॥
ତୁ ଯେ ମୋହର ଭାବ ଧରି ।ଆତ୍ୱା ଇତର ପ୍ରୟ କରି ॥
ଅଶେଷ ଭୂତେ ତୋର ଦୟା ।ତୋତେ ନ ଲାଗେ ବିଷ୍ଣୁ ମାୟା ॥
ଆତ୍ମାରେ ଜଗତ ଆବୋରି ।ତୁ ଯେ ମୋହର ଭାବଭରି ॥
ତପ ସାଧିଲୁ ଚିରକାଳେ ।ମୋହର ସଂସାର ଉଲ୍ଲୋଳେ ॥
ଏଣୁ ମୁଁ ପଶି ତୋହ ବୀର୍ଯ୍ୟେ ।ସ୍ୱଭାବେ ବିଷ୍ଣୁ ମହାତେଜେ ॥
ତୋହର ହେତୁ ମୁଁ ସଂଭୁତ ।ହୋଇବି ଦେବହୁତି ସୁତ ॥
ଏମନ୍ତ କହି ମୁନି ଆଗେ ।ହରି ଗମିଲେ ସ୍ୱର୍ଗମାର୍ଗେ ॥
ମିଳିଲେ ବିନ୍ଦୁ ସରୋବରେ ।ନିର୍ମଳ ସରସ୍ୱତୀ କୂଳେ ॥
ଦେଖିଲେ କର୍ଦ୍ଦମ ଶରୀର ।ତପ ସାଧନେ ସେ ନିଷ୍ଠୁର ॥
ସେ ନଦୀ ତୀରେ ପୁଷ୍ପ ବନେ ।ଗମ୍ଭୀର ପକ୍ଷୀ ନାଦ ସ୍ୱନେ ॥
ଭୃଙ୍ଗ ସମୂହେ ନାଦ ବହେ ।ଶୁଭଇ ସାମଗାନ ପ୍ରାୟେ ॥
ଏମନ୍ତେ ଶୁଣ ହୋ ବିଦୁର ।ମନୁ ଯେ ବ୍ରହ୍ମାଙ୍କ କୁମର ॥
ସୁବର୍ଣ୍ଣ ଆଚ୍ଛାଦିତ ରଥେ ।ଆରୋହି ପାରିଷଦ ଯେତେ ॥
ମଧ୍ୟେ ବସଇ ଦେବହୂତି ।ବିଦୁର ମନେ କଲା ଭ୍ରାନ୍ତି ॥
ଏମନ୍ତେ ବିଦୁରର କୋଳେ ।ବିଷ୍ଣୁ ମିଳିଲେ ଋଷିମେଳେ ॥
ଦେଖି ତାହାଙ୍କ ଭକ୍ତି ଭାବ ।ତନୁ ପୁଲକେ ପଦ୍ମନାଭ ॥
ସ୍ୱଭାବେ ଭକ୍ତଜନ ବନ୍ଧୁ ।ନୟନେ ଅଶ୍ରୁ ଜଳ ବିନ୍ଦୁ ॥
ପଡ଼ିଲା ସରସ୍ୱତୀ ତୀର ।ତେଣୁ ବୋଇଲା ବିନ୍ଦୁସର ॥
ପୁଣ୍ୟ ପବିତ୍ର ସୁଦ୍ଧ ଜଳ ।ସ୍ୱଭାବେ ନିର୍ମଳ ଶୀତଳ ॥
ସେ ଜଳ ବିଷ୍ଣୁର ଚରଣେ ।ସେବା କରନ୍ତି ମୁନି ଗଣେ ॥
ପୁଣ୍ୟ ପବିତ୍ର ବୃକ୍ଷ ଡ଼ାଳେ ।ନାଦ କରନ୍ତି ପକ୍ଷୀମେଳେ ॥
କ୍ରୀଡ଼ନ୍ତି ନାନା ବନଜୀବେ ।ଗଭୀର ଶୁଭେ ରଙ୍ଗ ଭାବେ ॥
ସକଳ ଋତୁ ଫଳ ଯହିଁ ।ପୁଷ୍ପ ପଲ୍ଲବ ବିରାଜଇ ॥
ଶତ ମୟୂର ଯୁଥ ଯୁଥ ।କୋକିଳ ରାବ ସୁଲଳିତ ॥
କଦମ୍ବ ଚମ୍ପକ ଅଶୋକ ।ନାଗେଶ୍ୱର ଯେ କୁରୁବକ ॥
କରଞ୍ଜ ପସନ ଅସନ ।କୁନ୍ଦ ମନ୍ଦାର ଚୂତବନ ॥
ସାରସ ଚକ୍ରବାକ ବାଣୀ ।ଅତି ଗମ୍ଭୀର ପରିମାଣି ॥
ଗୟଳ ସଲଭ କୁଞ୍ଜର ।କୁରଙ୍ଗ ହରିଣ ଶୂକର ॥
ବାନର ଗୋଲାଙ୍ଗୁଳ ସାଜେ ।ବକୁଳ କସ୍ତୁରୀ ବିରାଜେ ॥
ସେ ତୀର୍ଥବରେ ଆଦି ରାଜା ।ରଥେ ମିଳିଲେ ମହାତେଜା ॥
କଳତ୍ର ଦୁହିତା ସମେତେ ।ପ୍ରବେଶ କଲା ରତ୍ନ ପଥେ ॥
ଦେଖିଲା ମୁନିଙ୍କ ବଦନ ।ସ୍ୱଭାବେ ତେଜ ହୁତାଶନ ॥
ସ୍ୱଭାବେ ଘୋର ତପ ତେଜେ ।ସୁନ୍ଦର ଶରୀର ବିରାଜେ ॥
ବିଷ୍ଣୁ ଜନ୍ମିବେ ତା ଶରୀରେ ।ସୁନ୍ଦର କେତେକ ମାତରେ ॥
ବିଷ୍ଣୁ ଗମ୍ଭୀର ସାଧୁ ବାଣୀ ।ସେ ମୁନି କର୍ଣ୍ଣ ପଥେ ଶୁଣି ॥
ରୋମ ପୁଲକ କଳେବର ।ନେତ୍ରେ ଆନନ୍ଦ ଅଶ୍ରୁଧାର ॥
ଶିରେ ସୁନ୍ଦର ଶୋହେ ଜଟା ।ବସନ ବେଷ୍ଟିତ କାଛଟା ॥
ଶ୍ୱାନ ଶୂକର ଶୋହେ ଗାତ୍ରେ ।ହାସର ପ୍ରାୟେ ଅସମ୍ଭୁତେ ॥
ରଥ ଉପରୁ ଅବତରି ।ମୁନି ସମୀପେ ଦଣ୍ଡଧାରୀ ॥
ମିଳିଲା ଯୋଡ଼ି ବେନିପାଣି ।ଦେଖି ଉଠିଲେ ବେଗେ ମୁନି ॥
ବସାଇ ପୂଜିଲେ ଆସନେ ।କହନ୍ତି ଅମୃତ ବଚନେ ॥
ତୋର ଗମନ ନୃପବର ।ଏ ଯଶ ଆଶ୍ରମ ମୋହର ॥
ରାଜା କୁମର ପ୍ରଶ୍ନ ଶୁଣି ।ସନ୍ତୋଷେ ପୂଜି ବିପ୍ରମଣି ॥
ବିଷ୍ଣୁ ଆଦେଶେ ଚିତ୍ତେ ଶୁଣି ।ରାଜା ଆଦେଶେ ଚାହିଁ ଭଣି ॥
ଆନନ୍ଦେ ଉଲ୍ଲୋଳ ଲୋଚନେ ।କହନ୍ତି ଅମୃତ ବଚନେ ॥
ତୁମ୍ଭ ଭ୍ରମଣ ଏ ଜଗତେ ।ସାଧୁଜନ ରକ୍ଷଣ ଅର୍ଥେ ॥
ଅସାଧୁ ଜନ ବିନାଶନେ ।ନିଶ୍ଚଳ ଧର୍ମର ସ୍ଥାପନେ ॥
ଏ ଦୁଷ୍ଟ-ଦିଗପାଳ ତେଜ ।ଏଣୁ କ୍ଷତ୍ରିୟ ଅଷ୍ଟଭୁଜ ॥
ଦିଗପାଳଙ୍କ ତେଜ ଧରେ ।ଅସାଧୁ ଜନ ଗର୍ବ ହରେ ॥
ଘୋର-ଗର୍ଜନ ଅନ୍ୟ ଭାବେ ।ଉଦ୍ଦଣ୍ଡ ସ୍ୱର୍ଗେ ମତ୍ତଗର୍ବେ ॥
ବେଷ୍ଟିତ ଚତୁରଙ୍ଗ ବଳ ।ତୋ ଭ୍ରମ ଅବନୀ ମଣ୍ଡଳ ॥
ସୁଜନ ପ୍ରାୟେ ତେଜ ଧରି ।ଗିରି କାନନେ ବ୍ରହ୍ମଚାରୀ ॥
ଶତ୍ରୁ ବିନାଶେ ଅବଧାନ ।ରାଜାର ଧର୍ମ ଏ ସମାନ ॥
ଏହା ନ କରି ଯେବେ ଘରେ ।ଶୁଖେ ଶୟନ ନିଦ୍ରା କରେ ॥
ତେବେ ଆନନ୍ଦ ରିପୁ ବଳ ।ନାଶନ୍ତି ଅବନୀ ମଣ୍ଡଳ ॥
ତଥାପି ଶୁଣ ହେ ରାଜନ ।ଯେ ଆଦି ତୁମ୍ଭ ଆଗମନ ॥
ତୁମ୍ଭର ପ୍ରିୟ ଭାବ ବହି ।ସୁହୃଦ ଭାବେ ପଚାରଇ ॥
ଏମନ୍ତ କହି ରାଜା ଆଗେ ।କର୍ଦ୍ଦମ ରହି ସ୍ତମ୍ଭୀଭାବେ ॥
କୃଷ୍ଣର ବଚନ ସୁମରି ।ଅଧିକ ପ୍ରିୟ ଭାବ କରି ॥
ସେ ମୁନି ଚରଣ ପଙ୍କଜେ ।ବ୍ରାହ୍ମଣ ଜଗନ୍ନାଥ ଭଜେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କର୍ଦ୍ଦମ ମୁନିଶିଷ୍ୟସମ୍ୱାଦେ ନାମ ଏକବିଂଶୋଽଧ୍ୟାୟଃ ।
ଦ୍ୱାବିଂଶ ଅଧ୍ୟାୟମୈତ୍ରେୟ ଉବାଚଏମନ୍ତେ ମନୁ ଗୁଣଗ୍ରାମ ।ଆନନ୍ଦେ ବନ୍ଦିଲେ କର୍ଦ୍ଦମ ॥
ତାହାର ବଦନ ଅନାଇ ।ରାଜା ସଲଜ୍ଜ ଚିତ୍ତେ କହି ॥
ମନିରୁବାଚବ୍ରହ୍ମାର ମନରୁ ସମ୍ଭୁତ ।ତୁମ୍ଭେ ସ୍ୱଭାବେ ପ୍ରଜାନାଥ ॥
ଏଣୁ ପବିତ୍ର ତୁମ୍ଭ ଦେହ ।ସ୍ୱବିଦ୍ୟା ତପ ଛନ୍ଦମୟ ॥
ଯୋଗ ସାଧନେ ଅଙ୍କଗତ ।ତୁମ୍ଭ ସାଧନେ ବାକ୍ୟମତ ॥
ଏ ସର୍ବ ଧର୍ମ ରକ୍ଷା ଅର୍ଥେ ।ସେ ପିତାମହ ଏ ଜଗତେ ॥
ସହସ୍ର ଭୁଜ ତେଜ ଘେନି ।ସୃଷ୍ଟି ପାଳନେ ପଦ୍ମଯୋନି ॥
ଏ ବେନି ତେଜେ ବ୍ରହ୍ମା ରହେ ।ଧର୍ମ ପାଳନେ ତେଜ ବହେ ॥
ଏଣୁ ତୁମ୍ଭର ଦରଶନେ ।ସଂଶୟ ନ ରହଇ ମନେ ॥
ଏଥୁ ଅନେକ ଭାଗ୍ୟ ମୋର ।ଦେଖିଲି ତୁମ୍ଭର ଶରୀର ॥
ତୁମ୍ଭର ଅନୁଶିକ୍ଷା ପାଇ ।ପବିତ୍ର କଲି ନିଜ ଦେହୀ ॥
ତୁମ୍ଭର ବାକ୍ୟ କର୍ଣ୍ଣ ପଥ ।ମିଥ୍ୟା ଅଟଇ ଏ ଜଗତ ॥
ଏ ମୋ ଦୁହିତା ସ୍ନେହବତୀ ।ଇଚ୍ଛଇ ଅନୁରୂପ ପତି ॥
ବେଗେ ମୋହର ଦୁଃଖମନେ ।କହିବି ଶୁଣ ସାବଧାନେ ॥
ମୋହର ଜ୍ୟେଷ୍ଠ ବେନିସୁତ ।ଉତ୍ତାନପାଦ ପ୍ରିୟବ୍ରତେ ॥
ତାଙ୍କ ଭଗିନୀ ଏ ସୁମୁଖୀ ।ଏ ଦେବହୂତି ଚନ୍ଦ୍ରମୁଖୀ ॥
ଏହାର ଗୁଣଶୀଳ ସମେ ।ପତି ଇଚ୍ଛଇ ନିଜ ଧର୍ମେ ॥
ତୁମ୍ଭର ରୂପ ଗୁଣ ଯେତେ ।ନାରଦେ ଏହାର ଅଗ୍ରତେ ॥
କହିଲେ ମୋହର ସାକ୍ଷାତେ ।ତେଣୁ କଳ୍ପିଲା ଏହା ଚିତ୍ତେ ॥
ମୁଁ ଏବେ ସମର୍ପିବା ଅର୍ଥେ ।ଘେନି ମିଳିଲି ତୋ ଅଗ୍ରତେ ॥
ତୁ ଧର୍ମଜ୍ଞାନୀଙ୍କର ସାର ।ଗୃହ ଆଶ୍ରମ ଧର୍ମ କର ॥
ଏଣେ ତୋ ପ୍ରତିବାଦୀ ନାହିଁ ।ପୁଷ୍କର ଧର୍ମ ଏହା କହି ॥
ଉଦ୍ୟମ ଧର୍ମ ଏହା ଛାଡ଼ି ।ଯୋଗାନ୍ତେ ଭିକ୍ଷୁ ପଥମାଡ଼ି ॥
ଉଭୟ ଲୋକ ତାର ନାହିଁ ।ସେ ପୁଣି ସ୍ତମ୍ଭୀବେଟି କାହିଁ ॥
ତୁମ୍ଭର ଗୃହ ଧର୍ମାଧର୍ମ ।ଦେଖ ଯେ ଶୁକ୍ଳ ସ୍ତ୍ରୀ ଉତ୍ତମ ॥
ଏ ଦେବହୂତି କନ୍ୟା ମୋର ।ବେଦ ପ୍ରମାଣେ ବିଭା କର ॥
କର୍ଦ୍ଦମ ଉବାଚତୁମ୍ଭର ଆଜ୍ଞା ଶିରେ ଧରି ।ଏ ଦେବହୂତି ବିଭା କରି ॥
କରିବି ଦାର ପରିଗ୍ରହ ।ତୁମେ ମୋହର ସ୍ନେହ ବହ ॥
ଏମନ୍ତେ ଦ୍ୱିଜ ବାକ୍ୟ ଶୁଣି ।ସନ୍ତୋଷ ଚିତ୍ତେ ରାଜାରାଣୀ ॥
ମୁନିଙ୍କୁ ଦରଶନ କରି ।ବେଦବିଧାନେ ବିଭା ସାରି ॥
ବିବାହ ଦେଇ ସେ ଉତ୍ସୂକ ।ଅନେକ ଦେଲା ଯଉତୁକ ॥
ଅମୂଲ୍ୟ ବସନ କାଞ୍ଚନ ।ଗୃହ ପୁଷ୍କର ଗୃହମାନ ॥
ସକଳ ଦେଇ ବେନି ଜନେ ।ଗଲେ ସେ ଆପଣା ଭୁବନେ ॥
ଆନନ୍ଦ ଚିତ୍ତେ ଦଣ୍ଡଧାରୀ ।ମୁନିଙ୍କୁ ଆଲିଙ୍ଗନ କରି ॥
କଣ୍ଠେ ହୃଷିତ ଅଶ୍ରୁ ମୁଖେ ।ବହୁତ ସ୍ନେହଭର ସୁଖେ ॥
ମୁନିଙ୍କୁ କନ୍ୟାଦାନ ଦେଇ ।ଆନନ୍ଦେ କୃତ୍ୟ କୃତ୍ୟ ହୋଇ ॥
ରଥ ଆରୋହି ବେନିଜନେ ।ଗଲେ ସେ ଆପଣା ଭୁବନେ ॥
ଯେ ବେନି ଋଷି କଳ୍ପତଟେ ।ଅଶେଷ ମୁନିଙ୍କ ନିକଟେ ॥
ପର୍ଣ୍ଣ କୁଟୀର ସେ ଭିଆଇ ।ସେ ନଦୀ ତୀରେ ସୁଖେ ରହି ॥
ବିଷ୍ଣୁ ଭଜିଲେ ଯଜ୍ଞ ଦାହି ।ବିଷ୍ଣୁର ପାଦେ ଚିତ୍ତ ଦେଇ ॥
ବୁଦ୍ଧି ସମ୍ପାଦି ନିଜ ସ୍ଥାନେ ।ମନୁ ରହିଲେ ସେ ଭୂବନେ ॥
ପୁର ନିର୍ମିତ କୁଶ ଘାସେ ।ସେ ସ୍ଥାନେ ତାପ କ୍ରୟ ନାଶେ ॥
ଏ ଗୃହେ ପତି ସଙ୍ଗେ ନେଇ ।ସନ୍ତତି ଅର୍ଥେ ପ୍ରିୟ ବହି ॥
କଳ୍ପିତ ସୁଖ ଯେ ବୈରାଗ୍ୟ ।ପ୍ରଜାର ଅର୍ଥେ ରତି ରଙ୍ଗ ॥
ସୁସ୍ୱର ନାଦେ ଗୀତ ଧ୍ୱନି ।ଗନ୍ଧର୍ବେ ନାରୀ ବୃନ୍ଦ ଘେନି ॥
ସଙ୍ଗୀତଗଣ ବୀଣା ନାଦେ ।ଲଳିତ ଗୀତ ଅନୁବନ୍ଧେ ॥
ପ୍ରତି ଦିବସ ପୁତ୍ର ଅର୍ଥେ ।ବିଷ୍ଣୁ ଚରିତ ହୃଦଗତେ ॥
କର୍ଣ୍ଣେ ଶୁଣନ୍ତି ଧ୍ୟାନ କରି ।ଚିତ୍ତେ ଗୋବିନ୍ଦ ଭାବ ଭରି ॥
ନିରତେ ବିଷ୍ଣୁଭାବ ଆଶେ ।ସେ ବେନିଜନ ଗୃହ ବାସେ ॥
ବିଷ୍ଣୁ ଚରିତ ହୃଦେ ଧରି ।ନାମ ଶ୍ରବଣେ ଆଶ୍ରେ କରି ॥
ଏମନ୍ତେ ନିଜ ମନ୍ୱନ୍ତରେ ।ସେ ଯୁଗ ପ୍ରସନ୍ନ ବେଭାରେ ॥
ଏକ ସନ୍ତତି ଚତୁର୍ଯୁଗେ ।ଯେ ଭାବ ଜନ୍ମାନ୍ତର ଭାବେ ॥
ଏମନ୍ତ ରତି ଭାବ କରି ।ତୃତୀୟ ତାପୁଁ ଏ ସୁମରି ॥
ମୈତ୍ରେୟ ଉବାଚଶୁଣ ବିଦୁର ପୁଣ୍ୟ ଦେହା ।କହିଲୁଁ ପଚାରିଲୁ ଯାହା ॥
ସେ ଅଷ୍ଟରାଜାଙ୍କର କଥା ।ଶୁଣନ୍ତେ ତୁଟେ ଭବ ବ୍ୟଥା ॥
ଏଣୁ ଏ ଅନାଦି କାରଣ ।ଏବେ ହେ ମନୁଗଣେ ଶୁଣ ॥
ତୃତୀୟ ସ୍କନ୍ଧେ ଭାଗବତ ।କହିଲା ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କର୍ଦ୍ଦମ ଋଷି ଚରିତେନାମ ଦ୍ୱାବିଂଶୋଽଧ୍ୟାୟଃ ।
ତ୍ରୟୋବିଂଶ ଅଧ୍ୟାୟମୈତ୍ରେୟ ଉବାଚଏମନ୍ତେ କନ୍ୟା ବିଭା ଦେଇ ।ମନୁ ଯେ ଗଲେ ପଥ ବାହି ॥
ଦୃଢ଼େ ରହିଲେ ତପସ୍ଥାନେ ।ସେ ନଦୀ ତୀରେ ପୁଷ୍ପ ବନେ ॥
ଏବେ ହୋ ଶୁଣ କୁରୁନାଥ ।କର୍ଦ୍ଦମ ମୁନୀଙ୍କ ଚରିତ ॥
ଏହାଙ୍କ ପତ୍ନୀ ଦେବହୂତି ।ସୁଗୁଣ ସୁନ୍ଦର ସୁମୂର୍ତ୍ତି ॥
ସ୍ୱାମୀର ସେବା ଜାଣେ ନିତ୍ୟେ ।ସେବା କରଇ ସେ ନିରତେ ॥
ଈଷତ ମାର୍ଗେ କାର୍ଯ୍ୟ ବହେ ।ଭବାନୀ ହର ସେବା ପ୍ରାୟେ ॥
ବିଶ୍ୱାସ ଆତ୍ମ-ଶୌଚ ଧର୍ମେ ।ଧୀର ଗୌରବ ତପ ଦମେ ॥
ବର୍ଜିତ କାମ ଦ୍ୱେଷ ହିଂସା ।ଲୋଭ ନ ଥାଇ ମିଥ୍ୟା ଭାଷା ॥
ଏମନ୍ତେ ଦେବହୂତି ଚାହିଁ ।ମୁନି ସାନନ୍ଦେ ସ୍ନେହ ବହି ॥
ପତି ଦେବତାର ଆଶ୍ୱାସେ ।ନିରତେ ସେବା ସ୍ୱାମୀ ପାଶେ ॥
ଏମନ୍ତ ପତିବ୍ରତା ଧର୍ମ ।ଦେଖି ବିଚାରଇ କର୍ଦ୍ଦମ ॥
ଏ ପତିବ୍ରତାଙ୍କର ସାର ।ସମ୍ପୂର୍ଣ୍ଣ ସୁଶୀଳ ଗମ୍ଭୀର ॥
ଏମନ୍ତ ଗୁଣ ମନେ ଗୁଣି ।ସେ ପ୍ରେମେ ଗଦଗଦ ବାଣୀ ॥
ନିଜ କାମିନୀ ମୁଖ ଚାହିଁ ।କର୍ଦ୍ଦମ କହେ ପ୍ରେମ ବହି ॥
ଶୁଣ ସୁନ୍ଦରୀ ମୋ ବଚନ ।ମୋର ବିଷୟେ ତୋର ମନ ॥
ଦେଖି ସନ୍ତୋଷ ମୋର ଚିତ୍ତ ।ତୁମ୍ଭ ଦୁରିତ ମୋର ଗତ ॥
ପ୍ରାଣୀଙ୍କ ମଧ୍ୟେ ନର ଦେହ ।ସୁହୃଦ ମଧ୍ୟେ ଅତି ସ୍ନେହ ॥
ସେ ଦେହେ ତୋର ଯତ୍ନ ନାହିଁ ।ମୋ ପରିଚେଷ୍ଟେ ମନ ଦେଇ ॥
ସୁଧର୍ମ ତପ ପ୍ରାଣୀଙ୍କର ।ତପ ସମାଧି ବିଦ୍ୟାସାର ॥
ସୁହୃଦ କର୍ମ ଆତ୍ମା ଧ୍ୟାନେ ।ଜୀବ କହଇ ତତ୍ତ୍ୱଜ୍ଞାନେ ॥
ସେ ଧର୍ମ ଗୋବିନ୍ଦ ପ୍ରସାଦେ ।ମୁଁ ଯେ ସାଧିଲି ନିରାପଦେ ॥
ଏ ସର୍ବ ତୋହର ଦୁଃସାଧ୍ୟ ।ତୁ ଏବେ ଭୁଞ୍ଜେ ବିଷ୍ଣୁପଦ ॥
ଅଧିକ ଗୁଣ କେବା କହି ।ସର୍ବ ସମ୍ପଦ ଯେଣୁ ପାଇ ॥
ସେ ହରି-ଚରଣ ପଙ୍କଜେ ।ନିର୍ମଳ ଚିତ୍ତେ ଯେବା ଭଜେ ॥
ଏମନ୍ତ କର୍ଦ୍ଦମ ବଚନେ ।ସେ ଦେବହୂତି ତୋଷମନେ ॥
ଦେବହୂତି ଉବାଚଭର୍ତ୍ତା ବଦନ ଚାହିଁ କହେ ।ଗମ୍ଭୀର ବାକ୍ୟେ ସୁଧାମୟେ ॥
ଭୋନାଥ ତୋହର ପ୍ରସାଦେ ।ତୁମ୍ଭ ଚରଣ ଅପ୍ରମାଦେ ॥
ନିରତେ ହେଉ ମୋର ସେବା ।ପ୍ରସନ୍ନେ ମୋତେ ଆଜ୍ଞା ଦେବା ॥
ତୁମ୍ଭେ ମୋହାର ତୁଲେ ଏବେ ।ଗୃହସ୍ଥ ଧର୍ମ ପ୍ରିୟ ଭାବେ ॥
ଅତୁଲ୍ୟ ଧର୍ମ ଭୋଗ କର ।ଯେ ଧର୍ମ କାମଧେନୁ ସାର ॥
ଏମନ୍ତେ ପତ୍ନୀର ବଚନ ।କର୍ଦ୍ଦମ ଶୁଣି ତୋଷମନ ॥
ମୈତ୍ରେୟ ଉବାଚପ୍ରିୟ କଳତ୍ର ମନ ଜାଣି ।ଚିତ୍ତେ ବିଚାରି ବିପ୍ରମଣି ॥
ବିଶ୍ୱକର୍ମାଙ୍କୁ ମନେ ସ୍ମରି ।ବିମାନେ ତପ ବଳେ କରି ॥
ଯହିଁ କଳ୍ପିତ ବସୁ ପୁତ୍ର ।ଅଶେଷ କର୍ମେ ସେ ନିର୍ମିତ ॥
ସକଳ ଋତୁ ପୁଷ୍ପ ଫଳ ।ମଣି ନିର୍ମିତ ସ୍ତମ୍ଭ ଠୁଳ ॥
ସୁଗନ୍ଧ ପୁଷ୍ପ ମାଳେ ମାଳେ ।ଯେ ରଥେ ଲମ୍ବେ ପୂର୍ଣ୍ଣହେଳେ ॥
ଗଭୀର ଭୃଙ୍ଗନାଦ ଶୋହେ ।ପାଟ ବସନ ମନ ମୋହେ ॥
ଉପରେ ରତ୍ନ ନୀଳମଣି ।ବିରାଜେ ରବି ତେଜ ଜିଣି ॥
ସେ ରତେ ସୁବର୍ଣ୍ଣ ପଲ୍ୟଙ୍କ ।ରଙ୍ଗେ ବିରାଜେ ସେ ତ୍ରିଲୋକ ॥
ବିଶ୍ୱକର୍ମାର ଶିଳ୍ପୀପଣ ।ସେ ରଥେ ଦେଖେ ପୁଣ ପୁଣ ॥
ମହାମର୍କତ ସ୍ତମ୍ଭ ଯହିଁ ।ବିଦ୍ରୁମ-ବେଦୀ ବିରାଜଇ ॥
ଯେ ଦ୍ୱାରେ ବିଦ୍ରୁମ ଶାଙ୍କୋଳା ।ହୀରା କବାଟ ଯହିଁ କିଳା ॥
ବାମେ ଦକ୍ଷିଣେ ପୂର୍ଣ୍ଣକୁମ୍ଭେ ।ଲାଗିଛି ଅଷ୍ଟରତ୍ନ ଖମ୍ୱେ ॥
ଶ୍ୱେତ ହଂସ କବଚ ମତ ।ପଦ କରନ୍ତି ନାନା ମତ ॥
ବିମାନ ଶିଖେ ଜ୍ୱାଳାବନ୍ଧେ ।ଶୁଦ୍ଧ ସ୍ୱଭାବ ଦୀପଗନ୍ଧେ ॥
ବିରାଜ ସ୍ଥାନ ସୁରଗଣ ।ସୁବର୍ଣ୍ଣ ନିର୍ମିତ ପ୍ରମାଣ ॥
ନାନାଦି ଶୋଭା ସ୍ଥାନ ଶୋହେ ।ଦେଖି ଦେବଙ୍କ ମନ ମୋହେ ॥
ଏମନ୍ତ ବିଷ୍ଣୁ ପୁର ଯହିଁ ।ତୋଷ ନ ଲଭେ ନେତ୍ର ଦୁଇ ॥
ନାନା ବିଚିତ୍ର କାନ୍ଥ ଭିତ୍ତି ।ଦେଖି ସନ୍ତୋଷ ଦେବହୂତି ॥
କର୍ଦ୍ଦମ ମୁନି ପତ୍ନୀ ଚାହିଁ ।ଅମୃତ ବଚନ କହଇ ॥
ସେ ସର୍ବ ପ୍ରାଣୀ ହିତ ଜାଣେ ।ତପ ସମାଧି ବିଦ୍ୟା ଗୁଣେ ॥
ସୁନ୍ଦରୀ ଶୁଣ ମୋ ବଚନ ।ଏ ତୀର୍ଥେ ତୋଷେ କର ସ୍ନାନ ॥
ଏ ରଥେ ସୁଖେ ବିଜେକର ।ଚିତ୍ତେ ଗୋବିନ୍ଦ ପାଦ ସ୍ମର ॥
ସୁଖ ନିମିତ୍ତ ତୀର୍ଥ ଏହି ।ପ୍ରାଣୀଙ୍କି ଶୁଭ ଫଳ ଦେଇ ॥
ଏମନ୍ତେ ସ୍ୱାମୀର ବଚନେ ।ସେ ଦେବହୂତି ଶୁଦ୍ଧମନେ ॥
ଦିରଜ ବସ୍ତ୍ର ପରିଧାନ ।ହୃଦେ ଆଚ୍ଛାଦି ତୁଙ୍ଗ ସ୍ତନ ॥
ଶିରେ ଶୋଭିତ ଜଟା ବେଣୀ ।ସୁଗନ୍ଧ ଗନ୍ଧ ଲେପ ଆଣି ॥
ପଶିଲା ସରସ୍ୱତୀ ନୀରେ ।ଯେ ନୀର ସର୍ବ ପାପ ହରେ ॥
ତକ୍ଷଣେ ସରୋବର ଜଳେ ।ସହସ୍ର କନ୍ୟା ଏକ ମେଳେ ॥
ଉଠିଲେ ଦିବ୍ୟ ରୂପ ଧରି ।ଜୟ ଶବଦ ମୁଖେ ଭରି ॥
ରୂପେ କି ଦେବା ପଟ୍ଟାନ୍ତର ।ମୋହନ୍ତି ବ୍ରହ୍ମା ଶିବ ସୁର ॥
କିଶୋର ବୟସେ ଆନନ୍ଦ ।ବାସନ୍ତି ନୀଳୋତ୍ପଳ ଗନ୍ଧ ॥
କନ୍ୟାଏ ଉଠି ଜଳତଟେ ।ସେ ଦେବହୂତିର ନିକଟେ ॥
କପୋଳେ ଦେଇ ବେନିକର ।ସ୍ୱଭାବେ କହନ୍ତି ମଧୁର ॥
ଆମ୍ଭେ ତୋହର ଦାସୀଗଣ ।ସେବିବୁ ତୋହର ଚରଣ ॥
ଦେଖ ଆମ୍ଭର ଦିବ୍ୟ ଦେହ ।କିସ କରିବୁ ଆଜ୍ଞା ଦିଅ ॥
ଏମନ୍ତେ କହି କନ୍ୟାଗଣେ ।ସେ ଦେବହୂତିର କାରଣେ ॥
ତକ୍ଷଣେ ନମସ୍କାର କରି ।ସର୍ବେ ହୋଇଲେ ଚାରି ଚାରି ॥
ସୁଗନ୍ଧ କନ୍ୟା ଅଙ୍ଗେ ବୋଳି ।ଆନନ୍ଦେ ଦେଲେ ହୁଳହୁଳୀ ॥
ସ୍ନାନ କରାଇ ଗଙ୍ଗା ନୀରେ ।ମଣ୍ଡିଲେ ନାନା ଉପହାରେ ॥
ନୂତନ ବସ୍ତ୍ର ଯୁଗ ଦେଲେ ।ବିବିଧ ଅଳଙ୍କାର ତୁଲେ ॥
ଅମୂଲ୍ୟ ହାର ରତ୍ନ ପନ୍ତି ।ଚନ୍ଦ୍ର କିରଣେ ଝଟକନ୍ତି ॥
କର୍ପୁର ସୁଗନ୍ଧ କୁଙ୍କୁମ ।ହୃଦରେ ଲେପେ ସ୍ନେହମନ ॥
ଅନ୍ନ ବ୍ୟଞ୍ଜନ ଷଡ଼ରସେ ।ଭୋଜନ କରାନ୍ତି ସନ୍ତୋଷେ ॥
ସୁବାସ ଜଳେ ଆଚମନ ।କରାଇ ସୁମୁଖ ବାସନ ॥
ଉତ୍ତମ ଶଯ୍ୟାରେ ବସାଇ ।ଦର୍ପଣ ସମର୍ପିଲେ ନେଇ ॥
ଦର୍ପଣେ ଚାହିଁ ମୁଖ ଶୋଭା ।ଶିରେ ଖୋଷିଲେ ପୁଷ୍ପଗଭା ॥
ଦୁର୍ବା ଅକ୍ଷତ ଗନ୍ଧ ଆଣି ।ଆଶିଷ କନ୍ୟାଗଣ ଭଣି ॥
ଏମନ୍ତେ ସର୍ବ ପରିବାରୀ ।ସୁଲଗ୍ନେ ଶୁଦ୍ଧ ସ୍ନାନ କରି ॥
କଣ୍ଠେ ଲମ୍ୱାଇ ରତ୍ନହାର ।ହରଷେ ଖଞ୍ଜିଲେ ନୂପୁର ॥
କଟି ଶୋଭିତ କାଞ୍ଚି ଦାମ ।ହୃଦେ କାଞ୍ଚଲା ଅନୁପମ ॥
ଅମୂଲ୍ୟ ହାର ହୃଦେ ଶୋହେ ।ରୂପେ କାମିନୀ ଜନ ମୋହେ ॥
ସୁଧା ବଚନେ ସୁଧା ହାସ ।ଅପାଙ୍ଗେ ମୋହନ ସଦୃଶ ॥
ଲଲାଟେ ସୁନୀଳ କୁନ୍ତଳା ।ସୁନ୍ଦର ପଦ୍ମ କୋଷ ବଳା ॥
ଏମନ୍ତେ ରୂପ ଶୋଭା ଯେବେ ।ସ୍ୱାମୀ ସ୍ମରଣ କରେ ତେବେ ॥
ରୂପ ମୋହନ ପ୍ରିୟ ଭାବେ ।ବାକ୍ୟ କହନ୍ତି ଶିଖିରାବେ ॥
ତକ୍ଷଣେ କନ୍ୟାଗଣ ତୁଲେ ।ଋଷିର ସମୀପେ ମିଳିଲେ ॥
ସ୍ୱାମୀର ଯୋଗ ଗାତ୍ର ଦେଖି ।ସତ୍ୟ ଶଉଚ ଅଧୋମୁଖୀ ॥
ସଂଶୟ ଗତି ତାର ମନେ ।ମୁନି ଜାଣିଲେ ଯୋଗ ଧ୍ୟାନେ ॥
ତକ୍ଷଣେ ଧରି କନ୍ୟା ହସ୍ତ ।ମୁନି ଆରୋହୀ ଦିବ୍ୟରଥ ॥
ସହସ୍ର ନାରୀଗଣ ମଧ୍ୟେ ।ଉର୍ଦ୍ଧ୍ୱେ ଗମନ ବିଷ୍ଣୁପାଦେ ॥
ସ୍ୱର୍ଗେ ଦେଖନ୍ତି ସୁରଦେବା ।କି ପଟ୍ଟାନ୍ତର ଆମେ ଦେବା ॥
ଯେସନେ ତାରାଗଣ ମଧ୍ୟେ ।ଚନ୍ଦ୍ର ବିରାଜେ ଶୂନ୍ୟ ଉର୍ଦ୍ଧ୍ୱେ ॥
ଦେଖନ୍ତି ଦଶ ଦିଗପାଳେ ।ବିମାନପନ୍ତି ଅନ୍ତରାଳେ ॥
ଗିରି ପର୍ବତ ଘୋର ବନେ ।ସିଦ୍ଧ କିନ୍ନର କ୍ରିୟା ସ୍ଥାନେ ॥
ପୁଷ୍ପ କାନନ ଅଧିଦେଶେ ।କାମ ବିମାନ କି ପ୍ରକାଶେ ॥
ଉଦାର ଚିତ୍ତ ପ୍ରାଣୀଙ୍କର ।କି ଅବା ସମ୍ପଦ ଅଗୋଚର ॥
ଏମନ୍ତେ ଦଶ ଦିଗ ଭ୍ରମି ।ପଥିକ ପ୍ରାୟ ପଥ ଶ୍ରମୀ ॥
ପୁଣି ମିଳିଲେ ନିଜ ଘରେ ।ଗୃହସ୍ଥ ଧର୍ମର ବେଭାରେ ॥
ସେ ମୁନି ତପେ ଅନର୍ଗଳା ।ଆତ୍ମାକୁ ନବରୂପ କଲା ॥
ପତ୍ନୀ ସଂଯୋଗ ବହୁ କାମୀ ।ଅନେକ ସମ୍ବତ୍ସର ରମି ॥
କେବେହେଁ କାମ ନ ପୂରିଲା ।ମୁହୂର୍ତ୍ତ ପ୍ରାୟ ଦିନ ଗଲା ॥
ଏମନ୍ତ ଯୋଗ ଅନୁଭବେ ।ରମିଲେ ଦମ୍ପତି ସ୍ୱଭାବେ ॥
ଶତେ ବରଷ ବେଦ ମତେ ।ସୁଚିତ୍ତେ ରମିଲେ ନିଶ୍ଚିନ୍ତେ ॥
ସେ ଦେବହୂତି ଗର୍ଭ ଗତେ ।ଗର୍ଭ ଧରିଲା ଶୁଭ ରାତ୍ରେ ॥
ନବ କୁମାରୀ ଉପୁଜିଲା ।ଶୁଭ ମଙ୍ଗଳ ଲଗ୍ନ ହେଲା ॥
ଏମନ୍ତେ ନବ କନ୍ୟା ଚାହିଁ ।ସେ ଦେବହୂତି ବିଚାରଇ ॥
ଏ କି ଅଦ୍ଭୁତ ଗର୍ଭ ମୋର ।ଦଇବ କର୍ମ ବଳିଆର ॥
ଏମନ୍ତ ମୁନି ପାଶେ ଯାଇ ।ରହିଲା ଅଧୋମୁଖ ହୋଇ ॥
ଅଶ୍ରୁ ପରିପୂର୍ଣ୍ଣ ଲୋଚନେ ।ପତି ସନ୍ନିଧେ ଦୁଃଖ ମନେ ॥
ଦେବହୂତି ଉବାଚଭୋ ନାଥ ତୁମ୍ଭର ପ୍ରସାଦେ ।ସକଳ ଦୁଃଖରୁ ଆନନ୍ଦେ ॥
ତରଇ ତୁମ୍ଭ ପାଦ ଧ୍ୟାୟି ।ମୋହର ଚିତ୍ତେ ଅନ୍ୟ ନାହିଁ ॥
ଏବେ ମୁଁ କନ୍ୟା ଜନ୍ମ ଦେଖି ।ହୋଇଲି ମନଦୁଃଖେ ଦୁଃଖୀ ॥
ସେବଇ ଚରଣ ତୁମ୍ଭର ।ମୋହର ମନୁ ଦୁଃଖ ହର ॥
ପୁତ୍ର ନୋହିଲା ମୋର ଗର୍ଭେ ।ଏଣୁ ମୋ ମନ ଦୁଃଖ ଭାବେ ॥
ଏବେ ହୋଇଲା ନବ ନାରୀ ।ଏ ଅନୁରୂପେ ବର ବରି ॥
ବିବାହ ଦିଅ ମୋ ସମ୍ମୁଖ ।ମୋ ମନ ନଲଭୁ ଏ ଦୁଃଖ ॥
ତୁମ୍ଭେ ହେ ତପ କରି ଗଲେ ।ମୋ ମନ ନ ରହଇ ଭଲେ ॥
ମୁଁ ଏତେ କାଳେ ତୁମ୍ଭ ତୁଲେ ।ବଢ଼ିଲି ନାନା ଭୋଗ ବଳେ ॥
ଇନ୍ଦ୍ରିୟ ଅର୍ଥରେ ଲାଳସ ।ବଞ୍ଚିଲି ଅନେକ ବରଷ ॥
ତୁମ୍ଭର ଅଙ୍ଗସଙ୍ଗ ମେଳେ ।ଏ ଜନ୍ମ ଗଲା ମୋର ହେଳେ ॥
ଏ କର୍ମ ଭୂମି ମଧ୍ୟେ ମୁହିଁ ।ଉତ୍ତମ-କୁଳେ ଜନ୍ମ ହୋଇ ॥
ଆତ୍ମାର ଗତି ନ ଜାଣଇ ।ଏ ଦୁଃଖ ସୁଖ ମୁଁ ଜାଣଇ ॥
ତୁମ୍ଭର ସଙ୍ଗେ ସଙ୍ଗ କରି ।ହରି ଭଜନ ମୁଁ ପାଶୋରି ॥
ହେ କାନ୍ତ ମୋତେ ଦୟା କର ।ଏ ଭବ ସାଗରୁ ଉଦ୍ଧର ॥
ଭୟ ନିବାରି ମୋରେ ଚିତ୍ତ ।ଏ ମାୟା ତରିବି ଯେମନ୍ତ ॥
ବିଷୟାବଶେ ଯାର ସଙ୍ଗ ।ଆବୋରେ ସଂସାର-ତରଙ୍ଗ ॥
ତାର ନିସ୍ତାର ଆର ନାହିଁ ।କର୍ମର ବନ୍ଧନେ ସେ ପଡ଼ଇ ॥
ବୁଡ଼ଇ ସଂସାର-ସାଗରେ ।ସେ ଭ୍ରମେ ଅଶେଷ ଭାବରେ ॥
ଏ ଭାବେ ଜାଣି ଯାର ମନ ।ବିଷ୍ଣୁ-ଭଜନେ ଅବଧାନ ॥
ସେ ଜୀବ ଆତ୍ମକୁ ଉଦ୍ଧରେ ।ନ ବୁଡ଼େ ସଂସାର-ସାଗରେ ॥
ଯେବା ଭଜନ୍ତି କାମ ଧର୍ମେ ।ହରି ନ ଭଜି ଆତ୍ମାରାମେ ॥
ସୁପୁଣ୍ୟ ତୀର୍ଥେ ସେ ନ ଗଲେ ।ସେ ପ୍ରାଣୀ ଜୀବ ଥାଉଁ ମରେ ॥
ମୁଁ ଏ ଇନ୍ଦ୍ରିୟ ଭୋଗ ବଳେ ।ବଞ୍ଚିଲି ବିଷ୍ଣୁ ମାୟାବଳେ ॥
ମୁଁ ତୁମ୍ଭ ପାଦ ସେବା କରି ।ମୋକ୍ଷେ ହୋଇଲି ଅଧିକାରୀ ॥
ଏବେ ଉପାୟ କହ ମୋତେ ।ଏ ମାୟା ତରିବି କେମନ୍ତେ ॥
ଏମନ୍ତ କର୍ଦ୍ଦମ ସମ୍ମୁଖେ ।ସେ ଦେବହୂତି ମନଦୁଃଖେ ॥
ଯେତେ କହିଲେ ମନ ତୋଷେ ।ସୁଜନ ଜନ ଏଣେ ରସେ ॥
ତୃତୀୟସ୍କନ୍ଧେ ଭାଗବତ ।କହିଲା ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କର୍ଦ୍ଦମଋଷି ଗୃହସ୍ଥଧର୍ମବର୍ଣ୍ଣନେ ନାମ ତ୍ରୟୋବିଂଶୋଽଧ୍ୟାୟଃ ।
ଚତୁବିଂଶ ଅଧ୍ୟାୟଋଷିରୁବାଚଏମନ୍ତ ପତ୍ନୀର ବଚନେ ।କର୍ଦ୍ଦମ ଋଷି ସାବଧାନେ ॥
ଗୋବିନ୍ଦ ପାଦେ ମନ ଦେଇ ।କହନ୍ତି ପତ୍ନୀ ମୁଖ ଚାହିଁ ॥
ମୁକ୍ତି ଉପାୟ ସ୍ମରି ଧ୍ୟାନେ ।କହନ୍ତି ଅମୃତ ବଚନେ ॥
ଏହି ନିକଟେ ତୋ ଉଦରେ ।ଗୋବିନ୍ଦ ନର କଳେବରେ ॥
ଜନ୍ମ ହୋଇବେ ତୋର ଭାବେ ।ତୋ ପ୍ରୀତି ତପର ପ୍ରସ୍ତାବେ ॥
ଦୁହିତା ଦାନ ଧ୍ୟାନ କରି ।ବିଷ୍ଣୁ ଚରଣ ଶିରେ ଧରି ॥
ଏ ମାୟାମୟ ଦୁଃଖ ତ୍ୟଜ ।ଚିତ୍ତେ ଈଶ୍ୱର ପାଦେ ଭଜ ॥
ସେ ଶୁକ୍ଳବର୍ଣ୍ଣ ତୋର ଭାବେ ।ତୋହର ତପଫଳ ଲାଭେ ॥
ସଂଶୟ ଗ୍ରନ୍ଥି ତୋର ଚିତ୍ତେ ।ଯେ ଦ୍ୱନ୍ଦ୍ୱ ତପ ଦର୍ପ ଅର୍ଥେ ॥
ଯାହାର ଜ୍ଞାନ ଉପଦେଶେ ।ମନକୁ ଆଶ୍ୱାସି ହରଷେ ॥
ମୈତ୍ରେୟ ଉବାଚସେ ଦେବହୂତିର ସନ୍ଦେଶ ।କର୍ଦ୍ଦମ ଭକ୍ତିର ବିଶ୍ୱାସ ॥
ସେ ବେନି ଭାବ ହୃଦେ ଧରି ।ଜନ୍ମ ହୋଇଲେ ନରହରି ॥
ସଂସାର ନିସ୍ତାରଣ ସାଧେ ।ଅନଳ ଯେହ୍ନେ ଦାରୁ ମଧ୍ୟେ ॥
ଆକାଶେ ଶୁଭେ ନାନା ବାଦ୍ୟ ।ଶୁଭ ମଙ୍ଗଳ ଶୁଭ ନାଦ ॥
ଗନ୍ଧର୍ବେ ଗାୟନରେ ରତ ।ନୃତ୍ୟନ୍ତି ଅପସରା ଯୂଥ ॥
ଦେବେ କରନ୍ତି ପୁଷ୍ପ ବୃଷ୍ଟି ।ମହା ମଙ୍ଗଳ ସର୍ବ ଦୃଷ୍ଟି ॥
ପ୍ରସନ୍ନ ଦଶ ଦିଗ ଦିଶେ ।ଜଳଧି ଉଲ୍ଲୋଳ ପ୍ରକାଶେ ॥
ସକଳ ପ୍ରାଣୀଙ୍କର ମନ ।ସ୍ୱଭାବେ ହୁଏ ସେ ପ୍ରସନ୍ନ ॥
କର୍ଦ୍ଦମ ଆସନେ ମଣ୍ଡଳ ।ସ୍ରବିଲା ସରସ୍ୱତୀ ଜଳ ॥
ମରୀଚି ଆଦି ସପ୍ତଋଷି ।ବ୍ରହ୍ମାର ତୁଲେ ସର୍ବେ ଆସି ॥
ପରମ ତେଜ ବ୍ରହ୍ମବାସୀ ।ସାତ୍ତ୍ୱିକ ଅଙ୍ଗ ନବଋଷି ॥
ସେ ସତ୍ୟ ଜ୍ଞାନ ସାଂଖ୍ୟ ଅର୍ଥେ ।ବିରାଜ ରୂପ ଏ ଜଗତେ ॥
ବିଶୁଦ୍ଧ ଚିତ୍ତେ ନରହରି ।କର୍ଦ୍ଦମ ଭକ୍ତି ହୃଦେ ଧରି ॥
ପ୍ରବେଶ କର୍ଦ୍ଦମ ମନ୍ଦିରେ ।ଅଶେଷ ଜନ ଉପକାରେ ॥
କର୍ଦ୍ଦମ ମୁଖ ଚାହିଁ ଭଣି ।ଆନନ୍ଦ ମନେ କୁଶପାଣି ॥
ବ୍ରହ୍ମୋ ଉବାଚତୁ ଯେ ମୋହର ଆଜ୍ଞାଶିରେ ।ଘେନିଣ ସଂସାର-ସାଗରେ ॥
ତପ ସାଧିଲୁ ଘୋର ଦୁଃଖେ ।ତୁ ନ ପଡ଼ିବୁ ମୃତ୍ୟୁ ମୁଖେ ॥
ପୁତ୍ରର ଧର୍ମଟି ଏମନ୍ତ ।ଯେ ବାକ୍ୟ ଲୋକ ପିତାମାତ ॥
ଆଦର ସର୍ବଦା କରିବ ।ତେବେ ସେ ବିଷ୍ଣୁ ତୋଷ ଶିବ ॥
ତାହାଙ୍କ ଇହ ପରଲୋକେ ।ସକଳ କାଳ ବଞ୍ଚେ ସୁଖେ ॥
ଏ ନବ କୁମାରୀ ତୋହର ।ପରମ ସୁଗୁଣ ସୁନ୍ଦର ॥
ଏ ସୃଷ୍ଟି ହେତୁର କାରଣ ।ତୁ ଏବେ ମୋର ବୋଲ ଶୁଣ ॥
ମରୀଚି ଆଦି ମୁନି ଯେତେ ।ତାହାଙ୍କୁ ବର ଶୁଦ୍ଧ ଚିତ୍ତେ ॥
ଯଥା ଉଚିତେ କର ସେବା ।ନିଗମ ମାର୍ଗେ କର ବିଭା ॥
ତୋ ଯଶ ରହୁ ସର୍ବକାଳେ ।ଅଶେଷ ଅବନୀ ମଣ୍ଡଳେ ॥
ଏବେ ତୋହର ଘରେ ହରି ।ଆସି ହୋଇଲେ ଦେହଧାରୀ ॥
ଜୀବଙ୍କ ନିସ୍ତାରଣ ଅର୍ଥେ ।କପିଳ ରୂପେ ଏ ଜଗତେ ॥
ଜ୍ଞାନ-ବିଜ୍ଞାନ ଯେବା କର୍ମ ।ଦେଖ ଏ ମତିରୂପେ ଧର୍ମ ॥
ଶିରେ ଅରୁଣ ଜଟା ଭାର ।ସ୍ୱରୂପେ ଜଗତ ଈଶ୍ୱର ॥
ତୁମ୍ଭ ଚରଣେ ପଦ ଚିହ୍ନ ।ସୁନ୍ଦର ଜଗତ ମୋହନ ॥
ପରମ ଜ୍ଞାନ ତୋତେ କହି ।ଇଚ୍ଛାଏ ଭ୍ରମିବ ଏ ମହୀ ॥
ଏ ସିଦ୍ଧଗଣଙ୍କ ଈଶ୍ୱର ।ସୁଜ୍ଞ ଯୋଗୀଙ୍କ ଅଗୋଚର ॥
ଯେ ଜନ କୀର୍ତ୍ତି ଦରଶନେ ।ହୋଇବ କପିଳ ଏ ନାମେ ॥
ମୈତ୍ରେୟ ଉବାଚକର୍ଦ୍ଦମ ଦେବହୂତି ବେନି ।ଆସି କହିଲେ ପଦ୍ମଯୋନି ॥
ନାରଦ ଆଦି ପୁତ୍ର ମେଳେ ।ଅନେକ ମୁନିଙ୍କ ଗହଳେ ॥
ସେହୁ ସଂଦିବ୍ୟମୟ ଜ୍ଞାନ ।ତକ୍ଷଣେ ଗଲେ ନିଜ ସ୍ଥାନ ॥
ବ୍ରହ୍ମା ଅନ୍ତରେ ସେ କର୍ଦ୍ଦମ ।ହରଷ ଚିତ୍ତେ ଶୁଭ କର୍ମ ॥
ବ୍ରହ୍ମାର ଆଜ୍ଞା ଘେନି ଶିରେ ।ଋଷିଙ୍କୁ ଆଣି ନିଜ ପୁରେ ॥
ମଙ୍ଗଳ ଦ୍ରବ୍ୟ ସୁତ ରେଖ ।ବର ବରିଲା ଏକ ଏକ ॥
ମରୀଚି ମୁନି କର ଧରି ।କର୍ଦ୍ଦମ କନ୍ୟା ବର ବରି ॥
ଆନନ୍ଦ ମନେ କରି ବିଭା ।କି ଅବା ପଟ୍ଟାନ୍ତର ଦେବା ॥
ତ୍ରିଦଶେ ଦେଖନ୍ତି ଆକାଶେ ।ହର ଗଉରୀ ପ୍ରାୟ ଦିଶେ ॥
ଦ୍ୱିତୀୟ କନ୍ୟା ଅନସୂୟା ।ଅତ୍ରି ମୁନିଙ୍କି ଦେଲା ତାହା ॥
ଶ୍ରଦ୍ଧାକୁ ଅଙ୍ଗୀରସ ମୁନି ।ବରିଲା କରେ ଅର୍ଘ୍ୟ ଘେନି ॥
ପୌଲସ୍ତ୍ୟେ ହବି ଦେଲା ଦାନ ।ପୁଲହ ଗତି ହବ୍ୟମାନ ॥
କ୍ରତୁଙ୍କୁ ଦେଲା କ୍ରିୟା ଜିତି ।ଭୃଗୁଙ୍କୁ ସମର୍ପିଲା ଖ୍ୟାତି ॥
ବଶିଷ୍ଠେ ଦେଲା ଅରୁନ୍ଧତୀ ।ଅଥର୍ବେ ସମର୍ପିଲା ଶାନ୍ତି ॥
ଜୟ ବିଜୟେ ଦେଲା ଭରି ।ପ୍ରସୂତି ଦକ୍ଷେ ବିଭାକରି ॥
ଏମନ୍ତେ ସର୍ବ ବିପ୍ରବରେ ।କନ୍ୟାଏ ବିଭା ନିଜ ଘରେ ॥
ଧନେ ସନ୍ତୋଷ ତାଙ୍କ ମନ ।ଗଲେ ସେ ଯେ ଯାହା ଭୁବନ ॥
ମୁନିଙ୍କି କରି ଅନୁମାନ ।ସଂଭ୍ରମ କର୍ଦ୍ଦମର ମନ ॥
ତାର ଯେ ପୁତ୍ର ଉପୁଜିଲା ।ବିଭାଏ ବିଳମ୍ୱ ବଞ୍ଚିଲା ॥
ବେଗେ ମିଳିଲେ ପୁତ୍ରପାଶେ ।ସ୍ୱଭାବେ ଜନକ ବିଶ୍ୱାସେ ॥
ବିଷ୍ଣୁର ଜନ୍ମ ପତ୍ନୀ ଗର୍ଭେ ।ସୁମରି ଶୁକ ବାକ୍ୟ ଏବେ ॥
ଏକାନ୍ତେ ପୁତ୍ର ପାଶେ ଯାଇ ।ବୋଲେକ ପୋଳେ କରଦେଇ ॥
କର୍ଦ୍ଦମ ଉବାଚଦେଖ ମୋହର ଦୁଷ୍ଟପଣ ।ନ ସେବି ତୁମ୍ଭର ଚରଣ ॥
ଏ ଗର୍ଭ ଚିନ୍ତି ହରି ପଥେ ।ପଡ଼ଇ କର୍ମ ଫଳ ଯନ୍ତ୍ରେ ॥
ଯେ ପ୍ରାଣୀ ଗୃହବନ୍ଧ ତ୍ୟଜେ ।ବନେ ତୋହର ପାଦ ଭଜେ ॥
ଅନେକ କାଳ ଯୋଗ ସାଧେ ।ତପ ସାଧନ୍ତି ଅନୁବାଦେ ॥
ତୋର ଭକତି ଲଜ୍ଜା ଅର୍ଥେ ।ଯେ ଭାବ ତୋହର ଜଗତେ ॥
ନିଜ ବଚନ ସତ୍ୟ କରି ।ମୋହର ଗୃହେ ଅବତରି ॥
ଭକତ ଅର୍ଥେ ନାନା ଯୋନି ।ଉପୁଜେ ନାନା ଦେହ ଘେନି ॥
ପଣ୍ଡିତ ଜନେ ତୋ ବିଶ୍ୱାସେ ।ସେବନ୍ତି ତୋର ଭକ୍ତ ପାଶେ ॥
ସଂସାର ତ୍ୟଜି ଯେ ଭଜନ୍ତି ।ଅନ୍ତେ ତୋ ଶରୀରେ ପଶନ୍ତି ॥
ତୁ ପୁଣି ଅନ୍ତେ ନରହରି ।ପ୍ରକାଶ ଜ୍ୟୋତି ରୂପ ଧରି ॥
ସେ ରୂପେ ମୋର ନମସ୍କାର ।ଭୋ ନାଥ ମୋ ଦୋଷ ନ ଧର ॥
ତୁ ନାଥ ପରମ-ପୁରୁଷ ।ପ୍ରକୃତି ମଧ୍ୟେ ତୋ ପ୍ରକାଶ ॥
ମହତ ଆତ୍ମା ରୂପ ତୋର ।ଭୂତଙ୍କ ସୂକ୍ଷ୍ମ ଅବତାର ॥
ତ୍ରିଗୁଣ ରୂପ ମାୟାରୂପୀ ।ତୁମ୍ଭେ ଯେ ସର୍ବ ରୂପେ ବ୍ୟାପି ॥
ତୋହର ଆତ୍ମା ଗୁଣ ଅର୍ଥେ ।କପିଳ ରୂପେ ଏ ଜଗତେ ॥
ମୋତେ ସ୍ଥାପିଲୁ ପିତା ଅର୍ଥେ ।ତୋ ପାଦ ଜ୍ଞାନ ଏ ଜଗତେ ॥
ଯେମନ୍ତ ବଞ୍ଚଇ ବନସ୍ତେ ।ଏମନ୍ତେ ଆଜ୍ଞା ଦିଅ ମୋତେ ॥
ଶ୍ରୀଭଗବାନ ଉବାଚତୋହର ତପ ତେଜ ବଳେ ।ମୋ ଅବତାର ଏ ଶୟଳେ ॥
ନିଜ ବଚନ ସତ୍ୟ କରି ।ତୋ ପତ୍ନୀ-ଗର୍ଭେ ଅବତରି ॥
କେ ଲଭିପାରେ ମୋର ଭାବ ।ମୋ ରୂପ ଯୋଗୀଙ୍କୁ ଦୁର୍ଲ୍ଲଭ ॥
ମୁଁ ଏବେ ଏ ସଂସାରର ଅର୍ଥେ ।ଜ୍ଞାନ ପ୍ରକାଶି ଏ ଜଗତେ ॥
ଏ ସିଦ୍ଧ ଦେହେ ଥିବି ମୁହିଁ ।ଯାବତ ଚନ୍ଦ୍ର ସୂର୍ଯ୍ୟ ମହୀ ॥
ଯେ ପୂର୍ବେ ତତ୍ତ୍ୱଜ୍ଞାନ ଥିଲା ।କାଳର ବଳେ ସେ ଛାଡ଼ିଲା ॥
ଏ ସତ୍ୟ ବିକାଶିବା ଅର୍ଥେ ।ମୋ ଅବତାର ଏ ଜଗତେ ॥
ତୁ ଏବେ ସତ୍ୟ କ୍ରିୟା ଯେତେ ।ସବୁ ସୁକର୍ମ ଦିଅ ମୋତେ ॥
ମୋର ଚରଣ ଭାବ ବଢ଼ି ।ଚଳ ତୁ ଗୃହବନ୍ଧ ଛାଡ଼ି ॥
ସୁହୃଦେ ମୋ ପାଦ ସେବିବୁ ।ଦୁର୍ଜୟ ମରଣୁ ବଞ୍ଚିବୁ ॥
ଅନ୍ତେ ପଶିବୁ ମୋ ଚରଣେ ।ଯା ବେଗେ ତପ ସାଧୁବନେ ॥
ମୁଁ ଆତ୍ମା ଜ୍ୟୋତି ସର୍ବଠାରେ ।ପ୍ରକାଶ ସର୍ବ ହୃଦୟରେ ॥
ଆତ୍ମାର ମଧ୍ୟେ ଆତ୍ମା ଦେଖି ।ମୃତ୍ୟୁ ସକାଶୁ ଆତ୍ମା ରଖି ॥
ଆଧାତ୍ମ୍ୟ ବିଦ୍ୟା ସାଧ୍ୟ କର ।ଏ ମାୟା ସିନ୍ଧୁ ତୁ ନିସ୍ତର ॥
ମୈତ୍ରେୟ ଉବାଚଏମନ୍ତ ହରି ଆଜ୍ଞା ପାଇ ।ଅଭୟ ପଦେ ମନ ଦେଇ ॥
ବିଷ୍ଣୁଙ୍କୁ ପ୍ରଦକ୍ଷିଣ କଲା ।ମଉନ ବ୍ରତେ ଦିନ ଗଲା ॥
ନିଃସଙ୍ଗ ଗୃହ ନିରପେକ୍ଷ ।ଅନଳ ଛାଡ଼ି ସେ ପ୍ରତ୍ୟକ୍ଷ ॥
ଭ୍ରମଇ ଘୋର ବନ ଗିରି ।ଦେଖଇ ସର୍ବ ଭୂତେ ହରି ॥
ଏକାନ୍ତ ଭକ୍ତିରେ ସେ ରସେ ।ଜିଣିଲା କାଳଦଣ୍ଡ ପାଶେ ॥
ଇନ୍ଦ୍ରିୟ ବିଷ୍ଣୁଗଣେ ଭେଦି ।ଯେସନେ ନିଶ୍ଚଳ ଜଳଧି ॥
ସର୍ବ ସମ୍ମତି ଆତ୍ମଭାବ ।ଯେହୁ ବୋଲାଇ ବାସୁଦେବ ॥
ସେ ଭାବେ ରହି ସ୍ଥିର ପଣେ ।ନିର୍ବାଣ ମୁକ୍ତି ସାଧି ବନେ ॥
ଅନ୍ତେ ଲଭିଲା ହରି ଭାବ ।ସେ ହରି ଯୋଗୀଙ୍କୁ ଦୁର୍ଲଭ ॥
ଏମନ୍ତେ ବିଦୁରର ଆଗେ ।ମୈତ୍ରେୟ କହି ପ୍ରିୟ ଭାବେ ॥
ନିର୍ମଳ-ଭାଗବତ ବାଣୀ ।ଭାଷା ପ୍ରବନ୍ଧେ ପରିମାଣି ॥
ତୃତୀୟ ସ୍କନ୍ଧେ କୃଷ୍ଣ ରସେ ।କହିଲା ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ କପିଳ ବିଦୂର ମୈତ୍ରେୟସମ୍ୱାଦେ ନାମ ଚତୁର୍ବିଂଶୋଽଧ୍ୟାୟଃ ।