ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୨ / ୬
ସମ୍ପୂର୍ଣ୍ଣ ସୂଚୀପତ୍ର
ଶ୍ରୀ ଶୁକ ଉବାଚ
ଏମନ୍ତେ ବନ୍ଧୁଜନ ବାଣୀ ।ଉଦ୍ଧବ ମୁଖୁ ତାହା ଶୁଣି ॥
ଦୁଃସହ-ଦୁଃଖ ମନସ୍ଥିର ।ସେ ଜ୍ଞାନ ହରିଲା ବିଦୁର ॥
କହିଣ ଉର୍ଦ୍ଧବ ଚଜନ୍ତେ ।ବିଦୁର ପଡ଼େ ପାଦଗତେ ॥
ପୁଣି ବିଶ୍ୱାସେ ତାଙ୍କୁ କହି ।ବୋଲେ ଚରଣେ ଶିର ଦେଇ ॥
ବିଦୁର ଉବାଚଉଦ୍ଧବ ଶୁଣ ମୋ ବଚନ ।ତୋର ଠାକୁର ଭଗବାନ ॥
ଯେ ଜ୍ଞାନ କହିଛନ୍ତି ତୋତେ ।ଉଦ୍ଧବ କହ ମୋ ଅଗ୍ରତେ ॥
ଯେ ନର ଜ୍ଞାନ ଧ୍ୟାନ ଭୋଳେ ।ପଶନ୍ତି ତା ପାଦ କମଳେ ॥
ଉଦ୍ଧବ ଉବାଚଶୁଣ ବିଦୁର ମୋ ବଚନ ।ସେ ଯୋଗେଶ୍ୱର ତତ୍ତ୍ୱଜ୍ଞାନ ॥
ଜୀବନ ଛାଡ଼ିବାର ବେଳେ ।ମୈତ୍ରେୟ ମୁନିଙ୍କ ସୁମେଳେ ॥
ସମ୍ପୂର୍ଣ୍ଣ-ଜ୍ଞାନ ତାଙ୍କୁ ଦେଲେ ।ନିଜ ଭୁବନେ ବିଜେ କଲେ ॥
ତୁ ଏବେ ଚଳ ତାର ପାଶେ ।ନିର୍ମଳ-ଭକ୍ତି-ଉପଦେଶେ ॥
ସେ ତୋତେ ଦେବେ ଦିବ୍ୟଜ୍ଞାନ ।ଏମନ୍ତେ କହି ବେନି ଜନ ॥
ପୁଳିନେ ବଞ୍ଚିଲେ ରଜନୀ ।ନିଶ୍ଚଳେ ହରି ଭାବ ଘେନି ॥
ବନ୍ଧୁ ବିଯୋଗ ପାଶୋରିଲେ ।କୃଷ୍ଣ ଚରଣେ ଧ୍ୟାନ କଲେ ॥
ଏମନ୍ତ ପାହିଲା ରଜନୀ ।କୃଷ୍ଣ ଭକତି ଭାବ ଘେନି ॥
ଉଦ୍ଧବ ଗଲା ତୋଷ ମନେ ।ମିଳିଲା ବଦରିକାଶ୍ରମେ ॥
ପରୀକ୍ଷେ ଶୁକ ମୁନି କହି ।ଭାବେ ଚରଣେ ଶିର ଦେଇ ॥
ଭୋ ନାଥ ଅସମ୍ଭବ ବାଣୀ ।ମୁହିଁ ଯେ ତୁମ୍ଭ ମୁଖୁ ଶୁଣି ॥
ସଂଶୟ ହୋଇଲା ମୋ ମନେ ।ପୁଚ୍ଛଇ ତୁମ୍ଭ ସନ୍ନିଧାନେ ॥
ବ୍ରାହ୍ମଣ ଶାପେ ଯଦୁବଳେ ।ନାଶିଲେ ରଣେ ମଦ ଭୋଳେ ॥
ରଥୀ ଯେ ଯୂଥ ଯୂଥପତି ।କେବେ ହେଁ ରଣେ ନ ହାରନ୍ତି ॥
ଉଦ୍ଧବ ଚଳିଲେ କେମନ୍ତେ ।ଏ ବଡ଼ ସଂଶୟ ମୋ ଚିତ୍ତେ ॥
ଯହିଁ ଗୋବିନ୍ଦ ଦେହଗଲା ।କେମନ୍ତେ ଉଦ୍ଧବ ରହିଲା ॥
ଶ୍ରୀ ଶୁକ ଉବାଚଶୁଣି କହନ୍ତି ଶୁକ ମୁନି ।ଆନନ୍ଦେ କୃଷ୍ଣ ଭାବ ଘେନି ॥
ବ୍ରାହ୍ମଣ ବାକ୍ୟ ଉପଦେଶେ ।ନିଶ୍ଚେ ଦହିବୁ ଯଦୁ ବଂଶେ ॥
ଏମନ୍ତେ ଭାଳି ଭାବଗ୍ରାହୀ ।ନିକଟେ ଉଦ୍ଧବ ବସାଇ ॥
ଆତ୍ମାର ତାରଣ ପ୍ରମାଣି ।ମନେ ଚିନ୍ତିଲେ ଚକ୍ରପାଣି ॥
ଏ ମୋର ତତ୍ତ୍ୱ ଜ୍ଞାନ ଫଳେ ।ମୋ ସଙ୍ଗେ ଯିବ ମୁହିଁ ଗଲେ ॥
ଏ ଜ୍ଞାନ ଦେଲେ ମୁଁ ଉଦ୍ଧବେ ।ପ୍ରାଣୀ ତରିବେ ଏହି ଭାବେ ॥
ଏମନ୍ତେ ମନେ ବିଚାରିଲେ ।ଉଦ୍ଧବ ତତ୍ତ୍ୱଜ୍ଞାନ ଦେଲେ ॥
ବୋଇଲେ ସାଧୁ ତତ୍ତ୍ୱଜ୍ଞାନ ।ଏବେ ଉଦ୍ଧବ ମୋର ସମ ॥
ଏ ଆଜ୍ଞା ପ୍ରାଣୀଙ୍କୁ ବୁଝାଇ ।ଏଣୁ ତୁ ନରଲୋକେ ରହି ॥
ଏଣୁ ତ୍ରିଲୋକ୍ୟ ଗୁରୁ ହରି ।ଜ୍ଞାନେ ଉଦ୍ଧବଙ୍କୁ ଉଦ୍ଧାରି ॥
ଏଣୁ ଗୋବିନ୍ଦ ବୋଲେ ଗଲା ।ବଦ୍ରିକା ଆଶ୍ରମେ ମିଳିଲା ॥
ସମାଧି କରି ଘୋର ବନେ ।ପଶିଲା କୃଷ୍ଣର ଚରଣେ ॥
ଏମନ୍ତେ ଉଦ୍ଧବର ବାଣୀ ।ବିଦୁର ସାବଧାନେ ଶୁଣି ॥
କୃଷ୍ଣର ଲୀଳା ଅବତାର ।ଯେ ଗୁଣ ଗାଥା ସୂକ୍ଷ୍ମ ସାର ॥
ଶରୀର ଛାଡ଼ିଲେ ଯେମନ୍ତେ ।ଏ ସର୍ବ କଥା ସ୍ମରି ଚିତ୍ତେ ॥
କୃଷ୍ଣର ସ୍ନେହବନ୍ଧ କ୍ଷୀଣ ।ଚଳନ୍ତେ କରଇ ରୋଦନ ॥
କେତେହେଁ ଦିନ ବନେ ଗଲା ।କାଳିନ୍ଦୀ ନିକଟେ ମିଳିଲା ॥
ତହୁଁ ଚଳିଲା ଗଙ୍ଗା ତୀରେ ।ମୈତ୍ରେୟ-ମୁନି-ଅନୁସାରେ ॥
କହଇ ବିପ୍ର ଜଗନ୍ନାଥ ।ତୃତୀୟ ସ୍କନ୍ଧେ ଭାଗବତ ॥
ବିଦୁର-ଉଦ୍ଧବ-ସମ୍ବାଦ ।ଶୁଣନ୍ତେ ନ ଲାଗେ ପ୍ରମାଦ ॥
ସୁଜନେ ଏଣେ ଦିନ ବଞ୍ଚ ।କୃଷ୍ଣ ଭକତି ହୃଦେ ସଞ୍ଚ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେବିଦୁର ଉଦ୍ଧବ ସମ୍ବାଦେ ନାମଚତୁର୍ଥୋଽଧ୍ୟାୟଃ
ପଞ୍ଚମ ଅଧ୍ୟାୟଶ୍ରୀଶୁକ ଉବାଚଶୁଣ ହେ କୁରୁ ନୃପବର ।ଗଙ୍ଗାର ତୀରେ ସେ ବିଦୁର ॥
ସେ ଗଙ୍ଗାତୀରେ ଉପବନ ।ଦୃଢ଼ ନିଶ୍ଚଳ ଯୋଗା ଧ୍ୟାନ ॥
ଅଗାଧ ବୋଧ ସାଧେ ଋଷି ।ବୃକ୍ଷର ତଳେ ସେହୁ ବସି ॥
ମୈତ୍ରେୟ ନାମ ତାହାଙ୍କର ।ତେଜେ ଉଦୟ କି ଭାସ୍କର ॥
ତାଙ୍କ ସମୀପେ ବେଗେ ଯାଇ ।ନିମିଷେ ମାତ୍ର ସେହୁ ରହି ॥
ବିଦୁର ଉବାଚସୁଖ ଚିନ୍ତନେ ସୁଖ ଲଭେ ।କହ ଏ କେବଣ ପ୍ରସ୍ତାବେ ॥
କୃଷ୍ଣ-ବିମୁଖ ଯେତେ ନର ।କର୍ମ ସ୍ୱଭାବେ ତାହାଙ୍କର ॥
କାହୁଁ ପାଇବେ ସୁଖ ବାଞ୍ଛା ।କୁଣ୍ଠିତ କର୍ମ ଗୁରୁ ଦୀକ୍ଷା ॥
କୃଷ୍ଣର ଅନୁଗ୍ରହୀ ଜନେ ।ଭୂତ-ଭବିଷ୍ୟ-ବର୍ତ୍ତମାନେ ॥
କୁଶଳ କର୍ମ ଆଚରନ୍ତି ।କ୍ଷମ କୁଶଳେ ସେ ଭୁଞ୍ଜନ୍ତି ॥
ସୁସାଧୁ ଜନଙ୍କର ସାର ।କହ ତୁ ସାଧୁଙ୍କ ବିଚାର ॥
ଯେମନ୍ତେ ଧର୍ମକୁ ଆରାଧି ।ପ୍ରାଣୀ ଲଭନ୍ତି ସର୍ବ ସିଦ୍ଧି ॥
ସେ ହରି ଥାଇ ଅନୁମତେ ।ଭକତ ଭାବ ହୃଦଗତେ ॥
ନିର୍ମଳ ଚିତ୍ତେ ଜ୍ଞାନ କହେ ।ଜନ୍ମ ମରଣ ପାପ ଦହେ ॥
ସେ ହରି ନାନା-ଅବତାରେ ।ସଂସାରେ କେତେ କର୍ମ କରେ ॥
ସ୍ୱଭାବେ ତ୍ରୈଲୋକ୍ୟ ଈଶ୍ୱର ।ବ୍ରହ୍ମା-ଶଙ୍କରେ ଅଗୋଚର ॥
ସ୍ୱଭାବେ ଚେଷ୍ଟା ଯାର ନାହିଁ ।କିମ୍ପାଇ ସଂସାର ସର୍ଜ୍ଜଇ ॥
ବ୍ରହ୍ମାଣ୍ଡ କରି ନାନା ମୂର୍ତ୍ତି ।ଯେ ଜୀବ ଯେମନ୍ତେ ଜୀଅନ୍ତି ॥
ଜୀବଙ୍କ ମଧ୍ୟେ ସୁଖେ ଶୋହେ ।କେବଳ ଆତ୍ମା ସୁଖ ମୋହେ ॥
ଯୋଗେଶ୍ୱରଙ୍କ ହୃଦଦେଶେ ।ସ୍ୱଭାବେ ରହେ ଏକ ଆଶେ ॥
ବହୁ ପ୍ରକାରେ ପ୍ରକାଶଇ ।ରବି ଯେସନେ ଶୂନ୍ୟେ ଥାଇ ॥
କିବା ବିହରେ ଏ ଜଗତେ ।ରୂପ ପ୍ରକାଶେ ବହୁମତେ ॥
କର୍ମ କରଇ ଏ ଜଗତ ।ଗୋବିନ୍ଦ ପ୍ରସନ୍ନର ଅର୍ଥେ ॥
ସେ ହରି-ଚରିତ-ଅମୃତ ।ଶୁଣି ସନ୍ତୋଷ ନୁହେଁ ଚିତ୍ତ ॥
ସେ ଆଦି ଲୋକନାଥ ହରି ।ଯେ ଅବା ତତ୍ତ୍ୱ ଆଶ୍ରେ କରି ॥
ଲୋକ-ଆଲୋକ ରକ୍ଷାପାଳ ।ଯେ ଅବା ଭୁବନ ମଣ୍ଡଳ ॥
ନାନା ପ୍ରକାରେ ଭେଦ କରି ।ପ୍ରାଣୀଙ୍କୁ କର୍ମ ସୂତ୍ରେ ଧରି ॥
ସେ ନାରାୟଣ ଆତ୍ମଯୋନି ।ବିଶ୍ୱ ସର୍ଜ୍ଜଇ ତାହା ଘେନି ॥
ଏ କଥା କହ ମୁନି ମୋତେ ।ସଂସାରୁ ତରିବି ଯେମନ୍ତେ ॥
ଅପରାପର କଥା ଯେତେ ।ଗୋବିନ୍ଦ-ଚରିତ ଯେମନ୍ତେ ॥
ବ୍ୟାସଙ୍କ ମୁଖୁଁ ଅନୁକ୍ଷଣେ ।ଶୁଣିଛି ତୃଷିତ-ଶ୍ରବଣେ ॥
ଅଳପ ସୁଖ ଯା ଲକ୍ଷଣ ।ସେ କାହିଁ ହରିବ ମୋ ମନ ॥
କୃଷ୍ଣ ଚରିତ ତୀର୍ଥ ପଦ ।ହରଇ ବିଷୟା-ବିଷାଦ ॥
ସକଳ ପୁଚ୍ଛେ ମୁନିଗଣେ ।ଯାର ଚରିତ ଅନୁକ୍ଷଣେ ॥
ସ୍ତୁତି କରନ୍ତି ଆତ୍ମଭାବେ ।କେବଳ ଆତ୍ମଜ୍ଞାନ ଲଭେ ॥
ଯେ କଥା ପଶି କର୍ଣ୍ଣଦ୍ୱାରେ ।ସୁତୀକ୍ଷଣ ଚକ୍ର ଘେନି କରେ ॥
ଯେ କର୍ମ ଗୃହବନ୍ଧେ ଥାଇ ।ତ୍ରିଗୁଣ-ରଜ୍ଜୁ ଗଳେ ଦେଇ ॥
ଜନ୍ମ ମରଣ-ମାର୍ଗେ ଟାଣେ ।ସେ କର୍ମ ଛିଡ଼େ ତତକ୍ଷଣେ ॥
ଏମନ୍ତେ କୃଷ୍ଣ କଥା ଯେତେ ।କହିଲେ ମୈତ୍ରେୟ ଅଗ୍ରତେ ॥
ଯାହା ଶୁଣନ୍ତେ କର୍ଣ୍ଣ ପଥେ ।ମନ ନ ରହେ ଅବା ଦୁଃଖେ ॥
ଯାହା ଶୁଣନ୍ତେ ନିତି ନିତି ।ନିବିଡେ଼ ବଢ଼ଇ ପୀରତି ॥
ସେ ହରି ଶ୍ରବଣ କଥନେ ।ଯେ ପ୍ରାଣୀ ବଞ୍ଛେ ଅନୁକ୍ଷଣେ ॥
ସକଳ ଦୁଃଖ ତାର ହରେ ।ରବି ଯେସନେ ଅନ୍ଧକାରେ ॥
ଯେ ହରି-କଥନେ ବିମୁଖ ।ତାର ଜୀବନ ବ୍ୟର୍ଥ ଦେଖ ॥
ତାହାର ଅମଙ୍ଗଳ ଶ୍ରୁତି ।କର୍ଣ୍ଣ ସକାଶୁ ନାଶ ଯାନ୍ତି ॥
ବିକଳ୍ପ କଳ୍ପ ଶୁଚିଘର ।ସକଳ କଥା ମଧ୍ୟେ ସାର ॥
ପୁଷ୍ପର ରସ ମଧ୍ୟୁ ଯେହ୍ନେ ।ଉଦ୍ଧରି ମଧୁ କରେ ପାନେ ॥
ଏଣୁ ଗୋବିନ୍ଦ କଥା ଯେତେ ।ଆଗମ ନିଗମ ଉକତେ ॥
ଉଦ୍ଧରି କହ ବିପ୍ର ମୋତେ ।ଜୀବର ମୋକ୍ଷ ଆତ୍ମ ତତ୍ତ୍ୱେ ॥
ସୃଷ୍ଟି-ପାଳନ-ସଂହାରଣେ ।ସେ ହରି ଆତ୍ମା ମୋକ୍ଷଗଣେ ॥
ନାନା ପ୍ରକାରେ ଶକ୍ତି ଧରେ ।ଅଶେଷ ଶରୀରେ ବିହରେ ॥
ଆତ୍ମା ପୁରୁଷ କର୍ମକରେ ।ଆନନ୍ଦେ ସଂସାରେ ବିହରେ ॥
ତାହାର ଗୁଣ କର୍ମ ଯେତେ ।ଭୋ ମୁନି କହ ମୋ ଅଗ୍ରତେ ॥
ଏମନ୍ତେ ବିଦୁରର ବାଣୀ ।ଆନନ୍ଦେ ମଇତ୍ରେୟ ଶୁଣି ॥
ଏ ଜୀବ ନିସ୍ତରେ ଯେମନ୍ତେ ।କହନ୍ତି ବିଦୁର ଅଗ୍ରତେ ॥
ମୈତ୍ରେୟ ଉବାଚବିଦୁର ସାଧୁ ତୋ ବଚନ ।ଯେଣେ ତରିବେ ଦୁଃଖୀଜନ ॥
ଏ କଥା ହରି-ପରାୟଣ ।ବିସ୍ତାରି ପୁଚ୍ଛୁ ତୁ କାରଣ ॥
ବ୍ୟାସର ବୀର୍ଯ୍ୟେ ତୁ ସ୍ୱଭାବେ ।ଜନ୍ମ ଲଭିଲୁ ହରି ଭାବେ ॥
ସୁତିର ଗର୍ଭେ ତୋର ଯାତ ।ଏଣୁ ତୁ ବ୍ୟାସଙ୍କର ସୁତ ॥
ସେ ବିପ୍ରଶାପ ମୋକ୍ଷ ଅର୍ଥେ ।ହରି ଭଜିଲୁ ଅବିରତେ ॥
ସେ ହରି ପ୍ରାଣ ତ୍ୟାଗ କାଳେ ।ବନେ ପିପ୍ପଳ ବୃକ୍ଷମୂଳେ ॥
ତୋହର ଅର୍ଥେ ମୋତେ ଜ୍ଞାନ ।କହିଲେ ଦେବକୀ ନନ୍ଦନ ॥
ସେ ଫଳ ତୋତେ ମୁଁ କହିବି ।ଶୁଣନ୍ତା-ପ୍ରାଣୀ ନିସ୍ତାରିବି ॥
ସେ ହରି ଯୋଗମାୟା ବଳେ ।ଲୀଲା ବିହାରେ ଏ ଶୟଳେ ॥
ବିଶ୍ୱ ସର୍ଜ୍ଜନ କରେ ହରି ।ଯେ ଯୁଗେ ଯେବା କର୍ମେ କରି ॥
ସୃଷ୍ଟିର କାଳେ ଭଗବାନ ।ଆତ୍ମାକୁ ଆତ୍ମା ରୂପେ ଧ୍ୟାନ ॥
କରିଣ ଦେଖେ ଏକ କ୍ଷିତି ।ସେ ପୁଣି ଆତ୍ମଜ୍ଞାନେ ଥାନ୍ତି ॥
ବିଶେଷ ଶକ୍ତି ତାର ଦେହେ ।ରହଇ ଆତ୍ମଜ୍ଞାନ ମୋହେ ॥
ସେ ଶକ୍ତି ବଳେ ଜ୍ଞାନସ୍ମରି ।ତକ୍ଷଣେ ମାୟା ରୂପ ଧରି ॥
ସତ-ଅସତ-ଆତ୍ମା ଯାର ।ଯେ ଭାବେ ସ୍ଥିତି ଏ ସଂସାର ॥
ସେ ମାୟା ବଳେ ବିଧି ରୂପେ ।ତ୍ରିଗୁଣ ମାୟା ଗୁଣ ସୁଖେ ॥
ପୁରୁଷ ରୂପେ ବୀର୍ଯ୍ୟ ଥାଇ ।ସେ ବୀର୍ଯ୍ୟେ ସୁଖେ ପ୍ରକାଶଇ ॥
ଅବ୍ୟକ୍ତ ବଳେ କାଳବଳ ।ମହତ ହୃଦୟ ନିଶ୍ଚଳ ॥
ସେ ଦିବ୍ୟ ଗୁଣ କାଳ ଅଂଶ ।ଅନ୍ଧାରେ ଯେହ୍ନେ ରବି ଦୃଶ୍ୟ ॥
ଆତ୍ମାର ଆତ୍ମା ଜ୍ଞାନ ବଳେ ।ଲହରୀ ଯେହ୍ନେ ସିନ୍ଧୁ ଜଳେ ॥
ସେ ପୁଣି ଈଶ୍ୱରର ଇଚ୍ଛା ।ତହୁଁ ଉପୁଜେ ସୃଷ୍ଟି ଦୀକ୍ଷା ॥
ତାର ବିକାରୁ ଅହଙ୍କାର ।ତକ୍ଷଣେ ହୋଇଲା ବାହାର ॥
କାର୍ଯ୍ୟ କାରଣେ ତାର ଦେହେ ।ଭୂତ ଇନ୍ଦ୍ରିୟ ମନୋମୟେ ॥
ବିକାର ରାଜସ ତାମସ ।ଏ ତିନି ରୂପେ ତା ପ୍ରକାଶ ॥
ସେ ପୁଣ ବିଷ୍ଣୁ ମାୟା ବଳେ ।ଜଳଦ ବୃଷ୍ଟି ଯେହ୍ନେ ଜଳେ ॥
ମନୁ ଉପୁଜିଲା ତକ୍ଷଣେ ।ଇନ୍ଦ୍ରିୟ ଦେବଙ୍କ କାରଣେ ॥
ତେଣୁ ପ୍ରକାଶେ ଇନ୍ଦ୍ରିଗଣ ।ସେ ଜ୍ଞାନ ପରମ କାରଣ ॥
ମନୁ ଉପୁଜିଲା ଶରୀର ।ଶଦ୍ଦ ସ୍ପରଶ ରୂପହର ॥
ଏ ଗ୍ରନ୍ଥ ସଂଖ୍ୟା ଗୁଣେ ମିଶି ।ତକ୍ଷଣେ ଗଗନେ ପ୍ରକାଶି ॥
ସେ କାଳ ମାୟାରୂପ ଅଂଶେ ।ବିଷ୍ଣୁ ସ୍ୱରୂପ ଦୃଶ୍ୟା ଦୃଶ୍ୟେ ॥
ତହିଁ ଶବଦ ଗୁଣ ଥୋଇ ।ଶୂନ୍ୟ ଶବଦ ପ୍ରକାଶଇ ॥
ଯାହାର ତହିଁ ବେନି ଗୁଣ ।ଶବଦ ସ୍ୱରୂପ ଲକ୍ଷଣ ॥
ସେ ପୁଣ୍ୟବଳେ ବିକଶିତ ।ଜ୍ୟୋତି ତାହାର ତନୁ ଜାତ ॥
ସେ ଜ୍ୟୋତି ରୂପ ମଧ୍ୟେ ଥୋଇ ।ସର୍ବ ଶରୀର ରସ ପାଇ ॥
ବାୟୁ ବିକାରେ ଯେହ୍ନେ ଜଳ ।ସର୍ବ ଶରୀର ରସ ମୂଳ ॥
ଏ ତିନି ଗୁଣ ଜଳେ ଥୋଇ ।ଭୂମି ଉପୁଜେ ଜଳେ ଥାଇ ॥
ଏମନ୍ତେ ସୂର୍ଯ୍ୟ ପରିବାର ।ଭୂତ ଇନ୍ଦିୟଙ୍କ ଈଶ୍ୱର ॥
ତାହାଙ୍କୁ ଲକ୍ଷ ଦେବଗଣ ।ଭୁତ ଇନ୍ଦ୍ରିୟଙ୍କ କାରଣ ॥
ଅଧିଦେବତା ଅଧିକାରେ ।ପ୍ରାଣୀଙ୍କ ବିଷୟ ଗୋଚରେ ॥
ଦେବା ଉଚୁଃକର ଅଞ୍ଜଳି ଶିରେ ଦେଇ ।ଭାବେ ବୋଲନ୍ତି କୃଷ୍ଣ ଚାହିଁ ॥
ଭୋ ନାଥ ନମୁଁ ତୋ ପୟରେ ।ପ୍ରପନ୍ନ ଜନ ଦୁଃଖ ହରେ ॥
ଯା ପାଦପଦ୍ମେ ଆଶ୍ରେ କରି ।ସଂସାରୁ ତରନ୍ତି ସଂସାରୀ ॥
ଯେ ଧାତା ତୋର ମାୟାବଳେ ।ଅଶେଷ ଜନ୍ତୁ ଏ ଶୟଳେ ॥
ଶେଷେ ସଂସାରୁ ତରିଯାନ୍ତି ।କେବେହେଁ ଭ୍ରମେ ନ ପଡ଼ନ୍ତି ॥
ଏଣୁ ତୋ ପାଦ ସେବା ଅର୍ଥେ ।ଆମ୍ଭେ ରହିବୁ ଏ ଜଗତେ ॥
ତୋ ମୁଖ ପଦ୍ମ ଛାୟା ପ୍ରାୟେ ।ଯେମନ୍ତେ ପକ୍ଷୀଙ୍କ ଆଶ୍ରୟେ ॥
ନିଶ୍ଚନ୍ତ ପ୍ରାୟ ଘୋର ବନେ ।ଆଶ୍ରେ କରନ୍ତି ମୁନିଜନେ ॥
ସେ ମୁନିମାନଙ୍କ ଚରଣେ ।ସମ୍ପୂର୍ଣ୍ଣ ଅଧମ ରକ୍ଷଣେ ॥
ସେ ପାଦ ଧୋଇ ତୀର୍ଥ ଜଳେ ।ସ୍ୱଭାବେ ପିଅନ୍ତି ନିଶ୍ଚଳେ ॥
ଏ ଯେଣୁ ତୋହର ଚରଣେ ।ହୃଦେ ଭାବନ୍ତି ଅନୁକ୍ଷଣେ ॥
ଜ୍ଞାନ-ବୈରାଗ୍ୟ ମନେ ଚିନ୍ତି ।ତୋ ପାଦ ହୃଦେ ଆରୋପନ୍ତି ॥
ଭୋ ନାଥ ଗୃହ-ଅନ୍ଧକୂପେ ।ପ୍ରାଣୀ ପଡ଼ନ୍ତି ଘୋର ଦୁଃଖେ ॥
ମୁହିଁ ମୋହର ବୋଲି ଗ୍ରାସି ।ଦୃଢ଼େ ବାନ୍ଧନ୍ତି ମୋହ ଫାଶି ॥
ଦୃଢ଼-ବନ୍ଧନେ ଏ ବିଷାଦ ।ହେଳେ ଖଣ୍ଡଇ ତା ବିପଦ ॥
ଅଶାନ୍ତି ଇନ୍ଦ୍ରିଗଣ ବଳେ ।ହୃଦୟ ନୟନ ନିଶ୍ଚଳେ ॥
ଅସାର ପଥ ନ ଦେଖନ୍ତି ।ଯେ କଳ୍ପେ ସମ୍ୱାଦ ବିଭୂତି ॥
ତୋ କଥା ସୁଧାରସ ପାନ ।ପ୍ରବୋଧ-ଭକ୍ତି ବିଦ୍ୟମାନ ॥
ବୈରାଗ୍ୟ ଶାନ୍ତି ଯେ ମଣନ୍ତି ।ନିର୍ଭୟେ ବିଷ୍ଣୁ ଏକା ଥାନ୍ତି ॥
ଅପରେ ଯେତେ ମୁନି କୁଳେ ।ଆତ୍ମା ବିଯୋଗ ସ୍ନେହମେଳେ ॥
ତୋର ପ୍ରକୃତି-ମୁଖୁଁ ତରି ।ତୋ ପାଦ-କମଳ ଆବୋରି ॥
ତୋର ସେବାରେ ଶ୍ରମ ତୁଟେ ।ଅଶେଷ-ମାୟାବନ୍ଧ ଫିଟେ ॥
ଲୋକ ସର୍ଜ୍ଜିବା ଅର୍ଥେ ତୁହି ।ଆତ୍ମାକୁ ଆପଣେ ଭିଆଇ ॥
ତ୍ରିଗୁଣ ଆତ୍ମାବନ୍ଧ ଦେଇ ।ଆମ୍ଭଙ୍କୁ ସର୍ଜ୍ଜୁ ନାଥ ତୁହି ॥
ଆମ୍ଭେ ବିମୁକ୍ତ ଭାବେ ଥିଲେ ।ତୋ ପାଦ ଛାଡ଼ିବୁ କି ଭଲେ ॥
ଯେମନ୍ତେ ଯଥାକାଳେ ବଳି ।ତୋ ପାଦେ ଦେଇ ବନମାଳୀ ॥
ଶରଣ ରକ୍ଷଣ ତୋ ଚିତ୍ତେ ।ତୋ ପାଦେ ସେବୁ ଅବିରତେ ॥
ତୁ କୁଟ ସ୍ଥିତି ଆଦି ହରି ।ମାୟା-ପୁରୁଷ ରୂପ ଧରି ॥
ତୋ ଶକ୍ତି ଗୁଣ କର୍ମ ବଳେ ।ଆସକ୍ତି ଗର୍ଭେ ଯେ ନିଶ୍ଚଳେ ॥
ଅମୋଘ-ବୀର୍ଯ୍ୟେ ନାଥ ଥୋଇ ।ସୃଷ୍ଟି ସର୍ଜ୍ଜନା କରୁ ତୁହି ॥
ତୋହର ତହୁଁ ଆମ୍ଭେ ଜାତ ।ଶାନ୍ତି ପ୍ରମୁଖ ଜଗନ୍ନାଥ ॥
ତୋ ଆଜ୍ଞା ଶିରେ ଘେନି ଭାବେ ।କହ କି କରିବୁଟି ଏବେ ॥
ଆମ୍ଭଙ୍କୁ ଦିବ୍ୟ ଚକ୍ଷୁ ଦେଇ ।ତୋର ବ୍ୟାପାରେ ରଖ ନେଇ ॥
ଏମନ୍ତ ଦେବଙ୍କ ବଚନ ।ଶୁଣି ସନ୍ତୋଷ ଭଗବାନ ॥
ସେ ହରି ଚରଣେ ବିଶ୍ୱାସ ।ଭଣଇ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟସ୍କନ୍ଧେ ବିଦୁର ମୈତ୍ରେୟ ସମ୍ୱାଦେଏକାନ୍ତ ଭାବନା ନାମ ପଞ୍ଚମୋଽଧ୍ୟାୟଃ ।
ଷଷ୍ଠ ଅଧ୍ୟାୟଋଷି ଉବାଚଏମନ୍ତ ଦେବଙ୍କ ବଚନ ।ଶୁଣି ସନ୍ତୋଷ ଭଗବାନ ॥
ନିବୃତ୍ତି ପ୍ରାୟେ ଲୋକହିତ ।ଈଶ୍ୱର ଇଚ୍ଛା ଏ ଆୟତ୍ତ ॥
ସେ କାଳ ଶକ୍ତି ରୂପ ଧରି ।ତ୍ରୟୋବିଂଶତି ତତ୍ତ୍ୱେ ପୂରି ॥
ଚେଷ୍ଟା-ସ୍ୱରୂପେ ତାଙ୍କ ମଧ୍ୟେ ।ନିବୃତ୍ତି କର୍ମର ପ୍ରବୋଧେ ॥
ସଂଯୋଗ କରି ଭିନ୍ନ ଭିନ୍ନ ।ଯାହାର ଯହିଁ ପ୍ରୟୋଜନ ॥
ଯେ ଯାହା ମାୟା ବଳ ନେଇ ।ଅଧିପୁରୁଷ ରୂପ ବହି ॥
ଏମନ୍ତ ପରମ ପୁରୁଷ ।ମାତାଙ୍କ ମଧ୍ୟେ ପରକାଶ ॥
ଏକ ଆରକେ କ୍ଷୋଭ ପାଇ ।ଚର ଅଚର ଲୋକେ ତହିଁ ॥
ସୁବର୍ଣ୍ଣମୟ ସେ ପୁରୁଷ ।ରହିଲା ସହସ୍ର ବରଷ ॥
ସେ ଜଳରୂପୀ ନାରାୟଣ ।ଅନାଦି-ପରମ-କାରଣ ॥
ସକଳ ଜୀବେ ଆତ୍ମା ସେହି ।ସର୍ବ ଶରୀରେ ସଞ୍ଚରଇ ॥
ସଂସାରେ ଯେତେ ପ୍ରଜାପତି ।ବିଶ୍ୱ ସଂସାରକୁ ସୃଜନ୍ତି ॥
ସେ ଦେବ କର୍ମ ଶକ୍ତିମୟ ।ବିଭାଗ କରି ଆତ୍ମା ଦେହ ॥
ସର୍ଜିଲା ଏକାଦଶ ତିନି ।ଇନ୍ଦ୍ରି ବ୍ୟାପାରେ କର୍ମ ଘେନି ॥
ଅଶେଷ ପ୍ରାଣୀ ଆତ୍ମା ହରି ।ନିଜ ଭୁବନେ ରୂପ ଧରି ॥
ଆଦି ଅବତାର ବଚନେ ।ଏ ଭୂତ ଗ୍ରାମେ ଭିନ୍ନେ ଭିନ୍ନେ ॥
ଅଧ୍ୟାତ୍ମ ଅଧିଭୂତ ଭାବ ।ପୁଣି କଳ୍ପିଲା ଅଧିଦେବ ॥
ବିରାଟ ରୂପ ଦେଶ ପ୍ରାଣ ।ଏକା ସେ ହୃଦୟ କାରଣ ॥
ବିଶ୍ୱ-ସର୍ଜ୍ଜନେ ତା ସଂହାରି ।ବିଜ୍ଞାନେ ତାହାକୁ ସୁମରି ॥
ପ୍ରଜାପତିଙ୍କ ଜନ୍ମ ଜାଣି ।ବିରାଜେ ଦେବ ଚକ୍ରପାଣି ॥
ତକ୍ଷଣେ ପଶି ନିଜ ତେଜେ ।ଯେବା ଯେ ପ୍ରୟାଜନ କାର୍ଯ୍ୟୋ ॥
ସ୍ଥାନ ଭିଆଇ ଦଶମତେ ।ଶୁଣ ତୁ ସ୍ଥାପିଲେ ଯେମନ୍ତେ ॥
ବିରାଟ ମୁଣ୍ଡ ତୁଣ୍ଡ କରି ।ବଧଇ ଅର୍ଥେ ଅଧିକାରୀ ॥
ଅଗ୍ନି ସ୍ଥାପିଲା ବାୟୁ ଅର୍ଥେ ।ଏବେ ହୋ ଶୁଣ ଏକଚିତ୍ତେ ॥
ସମ୍ମୁଖ ମଧ୍ୟେ ତାଳୁ ଭେଦି ।ବରୁଣ ରସନା ସମ୍ପାଦି ॥
ତାହା ଆବୋରି ଷଡ଼ ରସେ ।ଲିଙ୍ଗ ରହିଲେ ଦୃଢ଼ ଦେଶେ ॥
ତହୁଁ ନାସିକା ଯହୁଁ ହେଲା ।ଅଶ୍ୱିନୀ କୁମାର ରହିଲା ॥
ଯହୁଁ ଦୁଇଟି ଚକ୍ଷୁ ହେଲା ।ଆଦିତ୍ୟ ତହିଁରେ ବସିଲା ॥
ଶରୀର ତ୍ୱକ ଯେ ହୋଇଲା ।ବାୟୁ ଦେବତା ଆଶ୍ରେ କଲା ॥
ସେହି ତ୍ୱକରୁ ସ୍ପର୍ଶ ଜ୍ଞାନ ।ହୋଇଲା ଏକଥା ପ୍ରମାଣ ॥
କର୍ଣ୍ଣ ଦୁଇଟି ଯହୁଁ ହେଲେ ।ଦଶଦିଗ ଯେ ଆବୋରିଲେ ॥
ତ୍ୱକରୁ ଚର୍ମ ଭିନ୍ନ ହେଲା ।ଔଷଧି ଲୋମରେ ବସିଲା ॥
ସେହି ଲୋମରୁ କଣ୍ଡୁ ଆଦି ।ହୁଅଇ ସ୍ପରଶ ସୁଖାଦି ॥
ବିରାଟ ପୁରୁଷ ଉପସ୍ଥେ ।ଈଶ୍ୱର ହେଲେ ଶୁକ୍ର ଅଂଶେ ॥
ସେହି ଶୁକ୍ରରୁ ଅନୁକ୍ଷଣେ ।ସୁଖ ଲଭନ୍ତି ଲୋକମାନେ ॥
ଗୁହ୍ୟରେ ସ୍ଥିତ ବାୟୁ ଦେବ ।ଯହିଁରେ ମୂଳକୁ ଛାଡ଼ିବ ॥
ହସ୍ତ ଦ୍ୱୟରେ ଇନ୍ଦ୍ର ବସେ ।କ୍ରୟ ବିକ୍ରୟ ଆଦି ଅଂଶେ ॥
ପଦ ଦ୍ୱୟରେ ଲୋକଈଶ ।ଗମନ ଗମନେ ପ୍ରକାଶ ॥
ବୁଦ୍ଧିରେ ବ୍ରହ୍ମା ଯେ ବସିଲା ।ଜ୍ଞାନ ଅଜ୍ଞାନ ପ୍ରକାଶିଲା ॥
ତା ଅଧ ଉର୍ଦ୍ଧ୍ୱରୁ ଆକୁଳେ ।ଯେ ଲୋମ ତାର ବାହୁବଳେ ॥
ମୃତ୍ୟୁ ଯା ବସିଲା ଆବୋରି ।ମୃତ୍ୟ ଦେବତା ଆଶ୍ରେକରି ॥
ତାର ଉତ୍ସର୍ଗେ ଦୃଢ଼ବନ୍ଧେ ।ବ୍ୟାପାର ଆବୋରି ଆନନ୍ଦେ ॥
ହୃଦୟେ ଭେଦି ନିଶାକର ।ଯେସନେ ବ୍ୟସନେ ଗୋଚର ॥
ଚନ୍ଦ୍ରମା ତହିଁ ଦୃଢ଼ମତେ ।ଆନନ୍ଦେ ରହିଲା ନିଶ୍ଚିନ୍ତେ ॥
ଗୁଣ ସ୍ୱବୃତ୍ତି ଘେନି ଶୂନ୍ୟେ ।ନାଭିରୁ ପ୍ରକାଶେ ଗଗନେ ॥
ମର୍ତ୍ତ୍ୟକୁ ସ୍ୱର୍ଗ ଯେ ହୋଇଲା ।ବିରାଟ ପୁଂସ ସବୁ ହେଲା ॥
ଏମନ୍ତେ ଆତ୍ମା କୃତିମତେ ।ଦେହ ଆବୋରିଲେ ନିଶ୍ଚିନ୍ତେ ॥
ସୃଷ୍ଟି ସୃଜନେ ଯେତେ ଜନ ।ଦେହେ କଳ୍ପିଲା ଭଗବାନ ॥
ବ୍ରାହ୍ମଣ ବେଦ ଯେ ମୁଖରୁ ।ଏ ଚାରି ବର୍ଣ୍ଣଙ୍କର ଗୁରୁ ॥
ବିରାଟ ତେଜେ ପୁଣି ହରି ।ଭୁଜୁ କ୍ଷତ୍ରିୟ ଜନ୍ମ କରି ॥
ବୈଶ ଜନ୍ମିଲା ଉରୁ ଯୋଗେ ।କୃଷ୍ୟାଦି ଜୀବିକା ସ୍ୱଭାବେ ॥
ଏ ତିନି ବର୍ଣ୍ଣ ସେବା ଅର୍ଥେ ।ଶୂଦ୍ର ଜନ୍ମିଲା ପାଦଗତେ ॥
ତାହାର ସେବା ବୃତ୍ତି ଫଳେ ।ହରି ସନ୍ତୋଷ ଏ ଶୟଳେ ॥
ଏ ଚାରି ବର୍ଣ୍ଣ ଏ ଜଗତେ ।ସ୍ୱଭାବେ ଜନ୍ମ ଅନୁମତେ ॥
ଜଗତ ଗୁରୁଙ୍କର ପାଦେ ।ଭଜିବେ ଯୁଗ ଅନୁବାଦେ ॥
ସାଧୁ ସୁବୃତ୍ତି ଘେନି ସୁଖେ ।ବିଷ୍ଣୁ ପୂଜିଲେ ଯଜ୍ଞମୁଖେ ॥
ଏମନ୍ତେ ଶୁଣ ହୋ ବିଦୁର ।ଯାହା କହିଲେ ଗଦାଧର ॥
ତୋତେ କହିଲି ମୁହିଁ ଭାବେ ।ଯାହା ତ ପୁଚ୍ଛିଲୁ ପ୍ରସ୍ତାବେ ॥
ସେ ହରି ଗୁଣ-ମାୟା-ଅର୍ଥେ ।କେ ମୁଖେ କହିବ ସାମର୍ଥ୍ୟେ ॥
ତଥାପି ଜ୍ଞାନ ମୋର ଯେତେ ।ସବୁ କହିଲି ତୋ ଅଗ୍ରତେ ॥
ଯାର ମହିମା ଅବଧାନେ ।ଜ୍ଞାନ-ଅମୃତ ରସପାନେ ॥
ଜନ୍ମ-ମରଣୁ ପ୍ରାଣୀ ତରେ ।ନ ବୁଡେ଼ ସଂସାର ସାଗରେ ॥
ତାର ମହିମା ଏ ସଂସାରେ ।କେ କହୁ ଶତେ ସମ୍ବତ୍ସରେ ॥
ଯାର ମହିମା ଯୋଗୀ ଚିନ୍ତି ।ବ୍ରହ୍ମା ଶଙ୍କରେ ମୋହ ଯାନ୍ତି ॥
ଅପରେ କେବା ତାହା ଜାଣି ।କେ ଅବା ମୁଖେ ରେଣୁ ଗଣି ॥
ସେହି ମହିମା ନ ପାଇଲେ ।ଅନନ୍ତ ମହିମା ଶୟଳେ ॥
ସେ ହରି ପାଦେ କରି ଆଶ ।କହଇ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାୟାଂବୈୟାସିକ୍ୟାଂ ତୃତୀୟସ୍କନ୍ଧେ ମୈତ୍ରେୟ ବିଦୁର ସମ୍ୱାଦେନାମ ଷଷ୍ଠୋଽଧ୍ୟାୟଃ
ସପ୍ତମ ଅଧ୍ୟାୟଶ୍ରୀଶୁକ ଉବାଚଏମନ୍ତେ ମଇତ୍ରେୟ ବାଣୀ ।ବିଦୁର ଦୃଢ଼ ଚିତ୍ତେ ଶୁଣି ॥
ଆନନ୍ଦ ମନେ ବ୍ୟାସ ସୁତ ।କପୋଳେ ଦେଇ ବେନି ହସ୍ତ ॥
ରୋମ ପୁଲକ ତାର ଦେହୀ ।ପୁଚ୍ଛେ ମୈତ୍ରେୟ ମୁଖ ଚାହିଁ ॥
ବିଦୁର ଉବାଚଭୋ ମୁନି ଏ ଯେ ବିପରୀତ ।ଭାବେ ଭ୍ରମଇ ମୋର ଚିତ୍ତ ॥
ସେ ହରି ସ୍ୱଭାବେ ନିର୍ଗୁଣ ।ନିଶ୍ଚିନ୍ତେ ପରମ-କାରଣ ॥
ଲୀଳା-ବିହର ଗୁଣ କ୍ରିୟା ।କେ ଜାଣି ପାରିବଟି ଏହା ॥
ବାଳକ କ୍ରୀଡ଼ାଭାବେ ଯେହ୍ନେ ।ମୋତେ ନ ଘେନି ଅନୁମାନେ ॥
ଇଚ୍ଛା-ସ୍ୱଭାବେ ଖେଳ ତାର ।ସେ ନୋହେ ସଂଶୟ ଗୋଚର ॥
ଯେ ନିଦ୍ରାଗତ ନିଜ ସୁଖେ ।ସେ କିମ୍ପା ପଶେ ଏତେ ଦୁଃଖେ ॥
ନିଜ ଗୁଣରୁ ମାୟା ବଳେ ।ସେ ବିସର୍ଜିଲା ଅବହେଳେ ॥
ପୁଣି ପାଳିଣ କରେ ଅନ୍ତ ।ବ୍ୟାପାରୀ ପୁରୁଷ ଯେମନ୍ତ ॥
କରମ କରି ନାନା ମତେ ।ଏ ଦେଶ କାଳ ପାତ୍ର ଅର୍ଥେ ॥
ଏମନ୍ତେ ସୃଷ୍ଟି ସେ କରଇ ।ସେ ମର୍ମ ତାକୁ ନ ଲାଗଇ ॥
ମାୟା ସଂଯୋଗ ନିପାତନେ ।ପୁଣ୍ୟ ପୁରୁଷ କ୍ଷଣେ କ୍ଷଣେ ॥
ଏଣୁ ମୋ ମନେ ଯେତେ ଭେଦ ।ଜ୍ଞାନ-ଖଡ଼ଗ ଘେନି ଛେଦ ॥
ଶ୍ରୀଶୁକ ଉବାଚକହନ୍ତି ଶୁକ ମୁନିବର ।ଶୁଣ ପରୀକ୍ଷ ଦଣ୍ଡଧର ॥
ଏମନ୍ତେ ବିଦୁରଙ୍କ ବାଣୀ ।ସାନନ୍ଦେ ମଇତ୍ରେୟ ଶୁଣି ॥
ମୈତ୍ରେୟ ଉବାଚବିଷ୍ଣୁ ଭଜନ ଅନୁରାଗେ ।ହସି କହନ୍ତି ତାହା ଆଗେ ॥
ସେ ବିଷ୍ଣୁ ମାୟାମୟ ଦେହୀ ।ଏମନ୍ତ ମନକୁ ମୋହଇ ॥
ଈଶ୍ୱର ସ୍ୱଭାବେ ବିମୁକ୍ତ ।ସେ ଭାବେ ପ୍ରୟୋଜନ ଯୁକ୍ତ ॥
ଆତ୍ମାର ବିପରୀତ ଭାବେ ।ଈଶ୍ୱର ମହିମା ସ୍ୱଭାବେ ॥
ଶରୀର ଭେଦେ ଆତ୍ମା କରେ ।ଯେସନେ ଦର୍ପଣ ଭିତରେ ॥
ଦେଖନ୍ତେ ପୁରୁଷକୁ ଶୋହେ ।ତାର ବିକାରୁ ଦେହ ବହେ ॥
କରମ କରାଇ କରଇ ।ସେ ଯେହ୍ନେ ତାକୁ ନ ଲାଗଇ ॥
ଅକ୍ଷୟ ବିଷ୍ଣୁ ମାୟାବଳେ ।ଚନ୍ଦ୍ରମା ଛାୟା ଯେହ୍ନେ ଜଳେ ॥
ଜଳ କମ୍ପନେ ସେ କମ୍ପଇ ।ସେ ଯେହ୍ନେ ତାକୁ ନ ଲାଗଇ ॥
ଏ ଜୀବ ବିଷ୍ଣୁ ମାୟାବଳେ ।ଆତ୍ମାରେ ନ ରହେ ନିଶ୍ଚଳେ ॥
ଯୋଗୀଏ ଯୋଗ ଧ୍ୟାନ ବଳେ ।ଆତ୍ମାରେ ନରହେ ନିଶ୍ଚଳେ ॥
ଇନ୍ଦ୍ରିୟ ତାଙ୍କୁ ନ ଲାଗନ୍ତି ।ଅନ୍ତରେ ନିଶ୍ଚଳେ ରହନ୍ତି ॥
ବିଷ୍ଣୁର ପାଦେ ସେହି ମତେ ।ଯେବା ଚିନ୍ତନ୍ତି ଅବିରତେ ॥
ତାହାଙ୍କ ଦେହେ କ୍ଳେଶ ଯେତେ ।ଦହିଯ୍ୟ ହୁଅନ୍ତି ସମସ୍ତେ ॥
ଏଣୁ କୃଷ୍ଣର ଗୁଣ କଥା ।ଯେ ଶୁଣେ ଯେ ଅବା ବକତା ॥
ଅଶେଷ-କ୍ଳେଶ ତାଙ୍କ ଦେହେ ।ଦହନ ହୋନ୍ତି ତୃଣ ପ୍ରାୟେ ॥
ସେ ହରି-ପାଦପଦ୍ମ-ଗନ୍ଧେ ।ଚିତ୍ତ ଲୋଭିତ ମକରନ୍ଦେ ॥
ନିତ୍ୟେ ଚିନ୍ତନ୍ତି ଭୃଙ୍ଗ ପ୍ରାୟ ।ତାଙ୍କୁ ନ ଲାଗେ ଯମ ଭୟ ॥
ବିଦୁର ଉବାଚଭୋ ମୁନି ତୁମ୍ଭ ବାକ୍ୟେ ଆସି ।ମୋ ମନ-ସଂଶୟ ବିନାଶି ॥
କ୍ଷୀଣ ସଂଶୟ ହୋଇ ଯେହ୍ନେ ।ବିସ୍ତାରି ବସନ୍ତି କାରଣେ ॥
ଏ ସୃଷ୍ଟି ବିସ୍ତାର କାରଣେ ।ଯେମନ୍ତେ ପ୍ରଜାପତି ଗଣେ ॥
ସଙ୍ଗ ସଙ୍ଗତେ ପ୍ରତି ସଙ୍ଗ ।ମୋହନ ଅନନ୍ତରେ ବର୍ଗ ॥
ଏହାଙ୍କ ତହୁଁ ବଂଶ ଯେତେ ।ଜନ୍ମିଲେ ବଂଶାନୁଚରିତେ ॥
ବିରାଟ ରୂପ ଦେହ ମଧ୍ୟେ ।ଯେବା ବସନ୍ତି ଅଧ ଊର୍ଦ୍ଧ୍ୱେ ॥
ଚତୁର ଲୋକେ ଦେହ ସ୍ଥିତି ।କେ କେତେ ଅନ୍ତରେ ଅଛନ୍ତି ॥
ଦେବ ମନୁଷ୍ୟ ପଶୁଗଣେ ।ପକ୍ଷୀ ପତଙ୍ଗ ଭୂମି ତୃଣେ ॥
ସ୍ୱେଦ ଅଣ୍ଡଜ ଜରାୟୁଜ ।ଉଦ୍ଭିଦ ଆଦି ବୃକ୍ଷରାଜ ॥
ଯେଣୁ ସେ ଯେବା ଆଦି ଭାର ।ସୃଷ୍ଟି ପାଳନର ଅନ୍ତର ॥
ତେଣୁ ସେ ସର୍ବେ ଶ୍ରୀନିବାସ ।ଯାର ମହିମା ଅବକାଶ ॥
ଯେ ବର୍ଣ୍ଣାଶ୍ରମଙ୍କ ବେଭାର ।ଯେ ଜଳ ଅଣ୍ଡଜ ଆକାର ॥
ଋଷିଙ୍କ ଜନ୍ମ କର୍ମ ଯେତେ ।ଦେବ ବୃକ୍ଷର ସଧ ମତେ ॥
ଯୋଗ ସାଧନେ କେତେ ସାଧି ।କର୍ମ ବା କେତେକ ବିରୋଧି ॥
ନିଷ୍କାମ ବିଧି ଯେତେ ସାର ।ଯେମନ୍ତେ ତତ୍ତ୍ୱର ବିଚାର ॥
ପାଷାଣ ପଥ ବନ ସମ ।ଯେ ପ୍ରତି ଲୋମ ଅତି ଲୋମ ॥
ଜୀବର ଗତି ଯେତେ ମାର୍ଗେ ।ସେ ପୁଣ ଗୁଣ କର୍ମ ଯୋଗେ ॥
ଧର୍ମାର୍ଥ-କାମ-ମୋକ୍ଷ ଆଦି ।ଯେ ମାର୍ଗେ ଯେମନ୍ତେ ସମ୍ପାଦି ॥
ଯେବା ତ୍ରିଦଣ୍ଡ କରେ ଘେନି ।ଯେ ବେଦ ବିଧି ଅନୁମାନୀ ॥
ଶ୍ରୀଧର ସେବା ନୀତି ବିଧି ।ପିତୃଗଣଙ୍କ ସ୍ନାନ ଆଦି ॥
ଗ୍ରହ ନକ୍ଷତ୍ର ତାରାଗଣେ ।ଯେ କାଳରୂପୀ ଅପ୍ରମାଣେ ॥
ଦାନ ତ୍ୟାଗର ଫଳ ଯେତେ ।ଯେ ଅବା ଭଜେ କୃଷ୍ଣ ପ୍ରୀତେ ॥
ଗୃହବାସୀର ଯେତେ ଧର୍ମ ।ଆପଦ କାଳେ ଯେବା କର୍ମ ॥
ଯେଣେ ଗୋବିନ୍ଦ ତୋଷ ହୋଇ ।ଯେ ଧର୍ମ ଜନନୀ ବୋଲାଇ ॥
ସେ ହରି ପ୍ରସନ୍ନେ ଯେମନ୍ତେ ।ଭୋ ମୁନି କହ ଦୟା ଚିତ୍ତେ ॥
ସେ ଭାବ ଗୁରୁ ଶିଷ୍ୟଗଣେ ।ଯେମନ୍ତେ ଜୀବ ପରିତ୍ରାଣେ ॥
ଯେ ପୁତ୍ର ପିତା ତୋଷ ହୋଇ ।ଅଧର୍ମମତେ ସାକ୍ଷୀ ଦେଇ ॥
ଆତ୍ମାର ତତ୍ତ୍ୱ ଅବା କେତେ ।ସୃଷ୍ଟିରେ ସଞ୍ଚରନ୍ତି ଯେତେ ॥
ବିରାଟ ରୂପେ ଦେହେ ଥାନ୍ତି ।ପୁଣି କେମନ୍ତେ ଲୀନ ହୋନ୍ତି ॥
ଆତ୍ମା ରକ୍ଷଣେ ଅବା ଦେହୀ ।ବିଶ୍ୱ ରୂପେ କି ପ୍ରକାଶଇ ॥
ଯେ ଗୁରୁ-ଶିଷ୍ୟର ସମ୍ବାଦ ।ଜ୍ଞାନ ସାଧନ୍ତି ମୋକ୍ଷ ସାଧ୍ୟ ॥
ଏ ଆଦି କରମ ଗୋଚର ।ପଣ୍ଡିତ ଜନଙ୍କ ବେଭାର ॥
କେମନ୍ତେ ପୁରୁଷଙ୍କ ଦେହେ ।ଭକ୍ତି ବୈରାଗ୍ୟ ଜାତ ହୁଏ ॥
ଏ ଯେତେ ପୁରୁଷ ମୁରାରୀ ।ହରି ମହିମା ଇଚ୍ଛା କରି ॥
ଜଗତେ ଦେଖ ଯଜ୍ଞ ଯେତେ ।ତପ ସମାଧି ନଦୀ ଅର୍ଥେ ॥
ଜୀବକୁ ଯେତେ ଦୟା ବହେ ।ହରିଙ୍କୁ ଦେଖେ ସର୍ବ ଦେହେ ॥
ସେ ପୁଣ୍ୟ କଲା ଯେତେ ସମ ।ହୁଅନ୍ତି ତେଜି ନିଜ କର୍ମ ॥
ଏମନ୍ତେ ପୁରାଣ-ସଙ୍କଳ୍ପେ ।ବିଦୁର ମୈତ୍ରେୟ ସମୀପେ ॥
ଆନନ୍ଦେ ଯେତେ ପଚାରିଲା ।ସୃଷ୍ଟି ସମ୍ପାଦେ ଯେତେ ଲୀଳା ॥
ଶୁଣି ହରଷେ ମୁନିବର ।ବୋଲନ୍ତି ଶୁଣ ହେ ବିଦୁର ॥
ଶ୍ରୀ ଶୁକ ଉବାଚଏ ଭାଗବତ ପ୍ରଶ୍ନ ବାଣୀ ।କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ॥
ଯେ ଅବା ବଦନେ ଉଚ୍ଚାରି ।ବିଷ୍ଣୁ ମାୟାରୁ ଯାନ୍ତି ତରି ॥
ତୃତୀୟ ସ୍କନ୍ଧେ ଭାଗବତ ।କହିଲେ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ମୈତ୍ରେୟ ବିଦୁର ସମ୍ୱାଦେନାମ ସପ୍ତମୋଽଧ୍ୟାୟଃ ।
ଅଷ୍ଟମ ଅଧ୍ୟାୟବିଦୁର ପ୍ରଶ୍ନ ଶୁଣି କର୍ଣ୍ଣେ ।ଆନନ୍ଦେ ମଇତ୍ରେୟ ମନେ ॥
ବିଷ୍ଣୁ-ଚରଣେ ଚିତ୍ତଧ୍ୟାୟି ।କହନ୍ତି ବିଦୁରଙ୍କୁ ଚାହିଁ ॥
ମୈତ୍ରେୟ ଉବାଚଶୁଣ ବିଦୁର ଶୁଦ୍ଧଚେତା ।ସୁପୁଣ୍ୟ ପ୍ରସନ୍ନ ଯେ କଥା ॥
ଯାହାର ଜନ୍ମ ପୂର୍ବ ଅଂଶେ ।ଯେମନ୍ତେ ଆତ୍ମା ଯେ ପ୍ରକାଶେ ॥
ଯାର ମହିମା ଶୁଣି କର୍ଣ୍ଣେ ।ସେବା କରନ୍ତି ଭକ୍ତଜନେ ॥
ଲୋକ ପାଳକ ଦୟାନିଧି ।ସର୍ବ ସମ୍ପଦ ଗୁଣ ସିଦ୍ଧି ॥
ଭକ୍ତଜନଙ୍କ ଶିରୋମଣି ।ଯାର ମହିମା ଜନେ ଶୁଣି ॥
ଇହ ସଂସାରେ କୃଷ୍ଣ ଲୀଳା ।ବିଶ୍ୱ ମଙ୍ଗଳ କୀର୍ତ୍ତି ମାଳା ॥
ନିରତେ ସନ୍ଥ ମୁଖ ଶୁଣି ।ତୋତେ ନ ଭଜେ ଚିତ୍ତେ ପୁଣି ॥
ତାର ମହିମା ତୋ ସମୀପେ ।କହିବି ଭକ୍ତଜନ ମୁଖେ ॥
ସୁଖ ସମୁଦ୍ରେ ଭାସିଯାଏ ।ନିରତେ ଯାର ମନ ଧ୍ୟାୟେ ॥
ତାହାଙ୍କ ନିସ୍ତାରଣ ଅର୍ଥେ ।ଶୁଣି କହିବା ତୋ ଅଗ୍ରତେ ॥
ଯେ ଭାଗବତ ରସସାର ।ଋଷିଙ୍କୁ ଦେଲେ ଚକ୍ରଧର ॥
ଶୁଣ ବିଦୁର ସାବଧାନେ ।ବ୍ରହ୍ମାର ପୁତ୍ର ଏକ ଦିନେ ॥
ସନକ ଆଦି ଚତୁର୍ଭ୍ରାତେ ।ମିଳିଲେ ଅନନ୍ତ ଅଗ୍ରତେ ॥
ରତ୍ନ ଆସନେ ଭୂମିଗତେ ।ବସେ ଅନନ୍ତ ଶୁଦ୍ଧ ଚିତ୍ତେ ॥
ଆଦି ଅନନ୍ତ ରୂପ ସାର ।ବୈକୁଣ୍ଠ-ମହିମା ଯାହାର ॥
ତାଙ୍କ ସମୀପେ ଚତୁର୍ଭ୍ରାତେ ।ମିଳିଲେ ଜ୍ଞାନ-ପ୍ରଶ୍ନ ଅର୍ଥେ ॥
ପରମ ତତ୍ତ୍ୱ କରି ଦୀକ୍ଷା ।ଏକୁ ଅନେକ କଲେ ପୁଚ୍ଛା ॥
ସ୍ୱଭାବେ ସ୍ଥିତି ଯା ଶରୀର ।ଦେବ ମାନବେ ଅଗୋଚର ॥
ସର୍ବେ କହନ୍ତି ବହୁ ଜ୍ଞାନ ।ଶ୍ରୀ ବାସୁଦେବ ଯାର ନାମ ॥
ବିବୁଧ ଜନଙ୍କ ଆନନ୍ଦ ।ସୁଖେ ନିଶ୍ଚଳ ଯାର ପଦ ॥
ନିର୍ମଳ ଭାଗବତ ନୀରେ ।ଧୌତ କରନ୍ତି ଯାର ଶିରେ ॥
ସେବନ୍ତି ସୁନ୍ଦର କାମିନୀ ।ବିବିଧ ଉପହାର ଘେନି ॥
ସେବନ୍ତି ଯାର ପାଦ ନିତ୍ୟେ ।ଉତ୍ତମ ଭାବ ପ୍ରାପ୍ତି ଅର୍ଥେ ॥
ସୁସ୍ୱରେ ଗୀତ ନାଦଧ୍ୱନି ।ସ୍ୱଭାବେ ଅନୁରାଗ ଘେନି ॥
ଶରଣ ପଶେ ଦୃଢ଼ ଚିତ୍ତେ ।ସେବା କରନ୍ତି ପାଦଗତେ ॥
ଜାଣନ୍ତି ଲୀଳା-ତତ୍ତ୍ୱଜ୍ଞାନେ ।ନିଶ୍ଚଳ ମନେ ଚିନ୍ତି ଧ୍ୟାନେ ॥
ସେ ଦେବ ସହସ୍ର ଶିରସ ।କିରୀଟ ମଣିମୟ ତ୍ରାସ ॥
ଫଣୀ ସହସ୍ର ଶୋଭା କରେ ।ଆଦିତ୍ୟ ଯେସନେ ଅମ୍ବରେ ॥
ତାର ଚରଣ ନିଜ ଶିରେ ।ଶଙ୍କର ଧରି ନିଜ କରେ ॥
ପୁଚ୍ଛିଲେ ତତ୍ତ୍ୱସାର ନାମ ।ତା ଶୁଣି ନିସ୍ତରିବେ ଜନ ॥
ନିବୃତ୍ତ ମାର୍ଗେ ଦେଇ ଚିତ୍ତ ।ଆନନ୍ଦେ କହିଲେ ଯେମନ୍ତ ॥
ସନକ ଚିତ୍ତେ ଅନୁରାଗେ ।କହିଲେ ତାହା ଅନୁମାର୍ଗେ ॥
ସେ ସାଂଖ୍ୟ ଅନୁଯୋଗ ଧ୍ୟାୟେ ।ପରମହଂସ-ଦୀକ୍ଷା ବହେ ॥
ସେ ପୁଣି ଦୟା-ଶୁଦ୍ଧ ଚିତ୍ତେ ।ସଂସାର ନିସ୍ତାରଣ ଅର୍ଥେ ॥
କୃଷ୍ଣ-ମହିମା ପରିମାଣି ।ନିର୍ମଳ-ଭାଗବତ-ବାଣୀ ॥
ବିଷ୍ଣୁର ଗତି ଅନୁରାଗେ ।କହିଲେ ମୋର ଗୁରୁ ଆଗେ ॥
ସେ ପରାଶର ମହାମୁନି ।ଆନନ୍ଦେ ହରି ଭାବ ଘେନି ॥
କହିଲେ ବୃହସ୍ପତି ଆଗେ ।ଦେବ ସମୂହ ପ୍ରୀତିଭାବେ ॥
ସେ ବୃହସ୍ପତି ଜ୍ଞାନ ବାଣୀ ।ପୌଲସ୍ତ୍ୟ ମୁନି ଆଗେ ଭଣି ॥
ବ୍ରହ୍ମା କୁପିତ ବାଣୀ ଏବେ ।ଶୁଣ କହିବା ତୋତେ ଭାବେ ॥
ତୁ ଶୁଦ୍ଧ ଚିତ୍ତେ ବତ୍ସ ଶୁଣ ।ଏ ଆଦି ପରମ କାରଣ ॥
ଯେ ବିଶ୍ୱ ସୃଷ୍ଟି ପୂର୍ବେ ଥିଲା ।ପ୍ରଳୟ-ଜଳେ ନାଶ ଗଲା ॥
ତାର ସମ୍ମୁଖେ ଭଗବାନ ।ନିଦ୍ରାରେ ମୁଦ୍ରିତ ନୟନ ॥
ପ୍ରଳୟ-ଜଳଧିର ମଧ୍ୟେ ।ଅନନ୍ତ-ଶୟନ ଆନନ୍ଦେ ॥
ଶୋଇଲେ ଏକ ରୂପ ହୋଇ ।ସଙ୍ଗେ ସଙ୍ଗତି କେହି ନାହିଁ ॥
ନିଶ୍ଚେଷ୍ଟ-ଆତ୍ମା ସୁଖେ ରତ ।ଭୂଜେ ନିବେଶି ପଞ୍ଚଭୂତ ॥
ଆତ୍ମା ପ୍ରାପତ ସୂକ୍ଷ୍ମ ଅର୍ଥେ ।କାଳାତ୍ମା ମୁକ୍ତିର ଆୟତ୍ତେ ॥
ସେ କାୟା ପଦ୍ମ ଜଳେ ପଶି ।ଯେହ୍ନେ କନ୍ଦରେ ଅଗ୍ନିରାଶି ॥
ବିଶ୍ୱ-ରଜନୀ ପ୍ରକାଶିଲା ।ପରମ ଆତ୍ମାରେ ମିଶିଲା ॥
ଜଳେ ଶୟନ ଭଗବାନ ।ସେ ଆତ୍ମା ଶକ୍ତିର ଅଧୀନ ॥
ତାର ଆୟତ୍ତ କାଳବଳେ ।ଯେ କର୍ମ ଶକ୍ତିର ନିଶ୍ଚଳେ ॥
ସେ ପୁଣି କର୍ମେ ତତ୍ତ୍ୱ ହୋଇ ।ସର୍ବ ଜୀବଙ୍କ ଦେହ ଚାହିଁ ॥
ତାହାଙ୍କ ଅବତାର ଅର୍ଥେ ।ସୂକ୍ଷ୍ମ ଇନ୍ଦ୍ରିୟ ଦୃଢ଼ ଚିତ୍ତେ ॥
ଉନିଦ୍ର ସୃଷ୍ଟିର କାରଣେ ।ସମେ ପ୍ରବେଶ ରଜୋଗୁଣେ ॥
ସେ କାଳବଳର ବିଶ୍ୱାସେ ।ମିଳିଲେ ବିଷ୍ଣୁ-ନାଭି ଦେଶେ ॥
ସେ ମଧ୍ୟନାଭି ପଦ୍ମକୋଷ ।ତକ୍ଷଣେ ହୋଇଲା ପ୍ରକାଶ ॥
କର୍ମେ ବାଧିଲେ କାଳବଳେ ।ରୂପେ ବିରାଜେ କୁତୁହଳେ ॥
ଉଦୟ ରବି ତେଜ ଜିଣି ।ଜଳେ ପ୍ରକାଶ ଆତ୍ମା ଘେନି ॥
ଲୋକ ପ୍ରଦ୍ୟୁମ୍ନ ନାରାୟଣ ।ସ୍ୱୟଂ ପ୍ରବେଶ ରଜୋଗୁଣ ॥
ସେ କାଳ ଗୁଣେ ସେ ପ୍ରବେଶ ।ସହସ୍ର ରବି ଜିଣି ତ୍ରାସ ॥
ସେ ପଦ୍ମ କର୍ଣ୍ଣିକାର ମଧ୍ୟେ ।ବେଦ ପ୍ରକାଶେ ପଦେ ପଦେ ॥
ବିଧାତା ନାମ ସେ ବୋଲାଇ ।ତାର ଶରୀର କର୍ମମୟୀ ॥
ସ୍ୱୟମ୍ଭୁ ନାମ ତା ସ୍ୱଭାବେ ।ଉଦୟ ନିଜ କର୍ମ ଭାବେ ॥
ସେ ପଦ୍ମ ମଧ୍ୟେ ବ୍ରହ୍ମାରହେ ।ବସି ସକଳ ଦିଗ ଚାହେଁ ॥
ନ ଦେଖି ଜୀବଙ୍କ ଉଦ୍ଦେଶ୍ୟ ।ତକ୍ଷଣେ ଚାହିଁଲା ଆକାଶ ॥
ହୋଇଲା ତାର ଚାରି ମୁଖ ।କେବେହେଁ ନ ଲଭଇ ସୁଖ ॥
ପୁଣି ଦେଖଇ ତେଜ ରାଶି ।ଉତ୍କଣ୍ଠା ଉଲ୍ଲୋକ ପ୍ରକାଶି ॥
ଆତ୍ମା ନ ଜାଣେ ତାହା ଚାହିଁ ।ଏମନ୍ତ ପଦ ମଧ୍ୟେ ରହି ॥
କାହୁଁ ଅଇଲି କେଉଁ ଦେଶେ ।ନ ଜାଣି ଆତ୍ମାର ବିଶ୍ୱାସେ ॥
ଏ ପଦ୍ମ କାହୁଁ ଉପୁଜିଲା ।କିବା ଏ ଜଳ ମଧ୍ୟେ ଥିଲା ॥
ଅନ୍ନ ନ ଥିଲେ ଜଳ କାହିଁ ।ଏମନ୍ତ ମନେ ବିଚାରଇ ॥
କିବା ଏ ପଦ୍ମ ମୂଳେ ଅଛି ।ଏମନ୍ତ ମନେ ତାର ବାଛି ॥
ପୁଣି ଚାହିଁଲା ଆତ୍ମା ଦୁଃଖେ ।ନିଜ ଆସନ ଅଧୋମୁଖେ ॥
ତଳେ ଦେଖିଲା ପଦ୍ମ ନାଳ ।ତା ମଧ୍ୟେ ଅନ୍ଧକାର ବିଳ ॥
ବିଚାରେ ଏହି ମାର୍ଗେ ଯିବି ।କାହୁଁ ଅଇଲା ତା ଦେଖିବି ॥
ଏମନ୍ତେ ବିଚାରି ସଂଶୟେ ।ବିଳେ ପଶିଲା ମହାଭୟେ ॥
ସେ ନାଳମାର୍ଗେ ନାଭି ପଥେ ।ପଶିଲା ବିଷ୍ଣୁ-ଗର୍ଭ ଗତେ ॥
ଅନେକ କାଳ ଗର୍ଭେ ଭ୍ରମି ।ଫୁଟି ହୋଇଲା ପଥଶ୍ରମି ॥
ସେ କାଳ ଜନ୍ତୁଙ୍କର ପ୍ରାଣ ।ବଳେ ହରଇ ଅନୁକ୍ଷଣ ॥
ସେ କାଳ ବଳର କର୍ଷଣେ ।ବାହାର ହୋଇ ତତକ୍ଷଣେ ॥
ମନେ କଳ୍ପି ସେ ନ ପାରିଲେ ।ନିଜ ଆସନେ ବିଜେ କଲେ ॥
ସ୍ଥିର-ନିଃଶ୍ୱାସ ଦୃଢ଼େ ଧରି ।ମନ-ପବନ ହୃଦେ ଭରି ॥
ନିବୃତ୍ତ ଚିତ୍ତେ ପ୍ରଜାପତି ।ଯୋଗ ଅଭ୍ୟାସ କଲା ମତି ॥
ସେ ପୁଣି ଅତି କାଳ ବଳେ ।ବିଶ୍ୱ ସଂଯୋଗ ବୋଧ କାଳେ ॥
ତାର ହୃଦୟ ବିଷ୍ଣୁ ଭାବେ ।ପ୍ରକାଶେ ସୃଷ୍ଟି ଅର୍ଥଲାଭେ ॥
ପୂର୍ବେ ଯେମନ୍ତେ ମହାଜଳେ ।ଦେଖିଛି ନୟନେ ନିଶ୍ଚଳେ ॥
ମୃଣାଳ ଦେହ ଗୌର କାନ୍ତି ।ଅନନ୍ତ-ଶୟନ ଶ୍ରୀପତି ॥
ଏକା ଅଛନ୍ତି ନାହିଁ କେହି ।ଦେଖି ନିଶ୍ଚଳେ ନେତ୍ରେ ରହି ॥
ଫଣା ସହସ୍ର ଊର୍ଦ୍ଧ୍ୱେ ଜ୍ୟୋତି ।ରତ୍ନ ମୁକୁଟ ଝଟକନ୍ତି ॥
ଯୁଗାନ୍ତ-ଜଳ-ଅନ୍ଧକାର ।ସେ ରତ୍ନ ଜ୍ୟୋତି କଲା ଦୂର ॥
ମହାପୁରୁଷ ବୃକ୍ଷ ରୂପେ ।ସ୍ୱୟଂ ପ୍ରକାଶ ମହା କଳ୍ପେ ॥
ପ୍ରକାଶେ ଆତ୍ମାର ବିଚାର ।ତୈଲୋକ୍ୟ ପ୍ରକାଶ ଶରୀର ॥
ଦିବ୍ୟ ବିଚିତ୍ର ଆଭରଣେ ।ପ୍ରକାଶ ବସ୍ତ୍ର ଆଚ୍ଛାଦନେ ॥
ସର୍ବ ସୁନ୍ଦରଙ୍କ ସମୂହ ।ଯେଣେ ପ୍ରକାଶେ ବିଶ୍ୱ ଦେହ ॥
ମିଳି ସକଳ ମହାଜନେ ।ମଙ୍ଗଳ ଗୀତନାଦ ସ୍ୱନେ ॥
ସେ ନାମ ଯେ କରନ୍ତି ଧ୍ୟାୟେ ।ତାହାଙ୍କୁ କାମଧେନୁ ପ୍ରାୟେ ॥
ଦୟାସାଗର ଭଗବାନ ।ବ୍ରହ୍ମାଙ୍କୁ ଦେଲେ ଦରଶନ ॥
ଅଙ୍ଗୁଳି ଅଗ୍ରେ ନଖପନ୍ତି ।ଶଶାଙ୍କ ପ୍ରାୟେ ବିରାଜନ୍ତି ॥
ସ୍ଫୁରିତ ଦିଶେ ହାସ୍ୟ ମୁଖ ।ଦେଖନ୍ତେ ହରେ ପ୍ରାଣୀଦୁଃଖ ॥
କର୍ଣ୍ଣେ କୁଣ୍ଡଳ ବେନି ଶୋହେ ।ବଦନ ଚନ୍ଦ୍ର ସରି ନୁହେଁ ॥
ଶଶୀ ଅରୁଣ ଓଷ୍ଠ ବେନି ।ବିରାଜେ ଦନ୍ତ ପନ୍ତି ଘେନି ॥
କଦମ୍ବ ପୁଷ୍ପ ତେଜ ପ୍ରାୟେ ।ପୀତ ବସନେ କଟି ଶୋହେ ॥
ରତ୍ନମେଖଳା ତେଜ ଦମ୍ଭେ ।ସୁନ୍ଦର ପ୍ରକାଶେ ନିତମ୍ବେ ॥
ଅମୂଲ୍ୟ ଧଣ୍ଡା ହାର ମାଳ ।ଲମ୍ବେ ଶ୍ରୀବତ୍ସ ବକ୍ଷ ସ୍ଥଳ ॥
ସୁନ୍ଦର ଅଳକା କପୋଳ ।ହାର କେୟୁର ରତ୍ନମାଳେ ॥
ଭୁଜ ସହଜେ ଜାନୁ ଯାଏ ।ଲମ୍ବେ ଶ୍ରୀବଟ ରୁହ ପ୍ରାୟେ ॥
କେ ଅବା ଲୋଚନେ ଦେଖିବ ।ଅଦୃଶ୍ୟ ମୂଳ ତା ସ୍ୱଭାବ ॥
ସର୍ବ-ଭୁବନ ତାର ଦେହେ ।ବିରାଜେ ପୁଷ୍ପକଣା ପ୍ରାୟେ ॥
ମନ୍ଦରଗିରି ଯେହ୍ନେ ଜଳେ ।କ୍ଷୀରୋଦ-ମନ୍ଥନର କାଳେ ॥
ସହସ୍ର ଶୃଙ୍ଗ ତାର ସାଜେ ।ସୁରତ୍ନ କିରୀଟ ବିରାଜେ ॥
ପବନ ଗଗନ ସମୂହେ ।ବିଧାତା ଦେଖି ବତ୍ସ ଦେହେ ॥
କଣ୍ଠେ କୌସ୍ତୁଭ ମଣି ଶୋହେ ।ରତ୍ନ ପ୍ରବାହେ ମନ ମୋହେ ॥
ଦେହେ ଭୂଷିତ ବନମାଳ ।ଲମ୍ୱେ ସୁନ୍ଦର ବକ୍ଷସ୍ଥଳ ॥
ଗନ୍ଧେ ଆବୃତ୍ତ ଭୃଙ୍ଗପନ୍ତି ।ସୂର୍ଯ୍ୟ ଶଶାଙ୍କ ଅଗ୍ନି ଜ୍ୟୋତି ॥
ଦେବାକୁ ନାହିଁଟି ଉପମା ।କହିନୁହଇ ଗୁଣସୀମା ॥
ସେ ବୃକ୍ଷ ଦେଖି ଜଳ ମଧ୍ୟେ ।ଅଭୁତ ଶରୀର ବିରାଜେ ॥
ଲୋକ ବିସ୍ମିତ ଦେହ ଦେଖି ।ବିଧାତା ଆସନ ଉପେକ୍ଷି ॥
କର ଯୁଗଳ ଦେଇ ମୁଣ୍ଡେ ।ସ୍ତୁତି କରଇ ତାଙ୍କୁ ତୁଣ୍ଡେ ॥
ସେ ହରି-ଚରଣେ ବିଶ୍ୱାସେ ।ଭଣିଲେ ଜଗନ୍ନାଥ ଦାସେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବିଷ୍ଣୁ ନାଭିପଦ୍ମ ବ୍ରହ୍ମା ଜନ୍ମେନାମ ଅଷ୍ଟମୋଽଧ୍ୟାୟଃ ।
ନବମ ଅଧ୍ୟାୟବ୍ରହ୍ମା ଉବାଚଭୋ ନାଥ ତୋର ଗତି ମୁହିଁ ।ଜାଣିଲି ତୋର ଭାବ ବହି ॥
ଏ ଜୀବ ତୋର ମାୟା ଗତି ।କାହୁଁ ଜାଣିବେ ତୋ ଭକତି ॥
ଦୃଶ୍ୟ ଅଦୃଶ୍ୟ ତୋର ଭାବ ।ଏ ଘେନି ତୋତେ କେ ଜାଣିବ ॥
ତୋର ଉଦରେ ମୋର ବାସ ।ନିତ୍ୟ ନିରଞ୍ଜନ ପ୍ରକାଶ ॥
ମାୟାର ଗୃହେ ବନମାଳୀ ।ତୁ ନାଥ ମାୟା ସଙ୍ଗେ ମିଳି ॥
ତୁମ୍ଭ ବିଶ୍ୱାସେ ନାରାୟଣ ।ମିଥ୍ୟା ଯେ ସତ୍ୟର କାରଣ ॥
ତୋ ନାଭିପଦ୍ମୁ ମୋର ଜାତ ।ସ୍ୱଭାବେ ଅବିକାର ତତ୍ତ୍ୱ ॥
ତୋ ରୂପ ଦେଖିଲି ଲୋଚନେ ।ଏ ଭାଗ୍ୟ ଲାଭ ନାହିଁ ଭିନ୍ନେ ॥
ଆନନ୍ଦ ଗତିରୁ ବିକାର ।ଅବଧି ବୀର୍ଯ୍ୟରୂପ ତୋର ॥
ତୁ ବିଶ୍ୱ ସୃଷ୍ଟି-ମୂଳ ଏକ ।ତୋ ତହୁଁ ପ୍ରକାଶ ଅନେକ ॥
ଭୂତ ଇନ୍ଦ୍ରିୟ ଆତ୍ମା ତୁହି ।ତୋ ପାଦେ ଆଶ୍ରେ କଲି ମୁହିଁ ॥
ତୁ ଯେ ସଂସାର ଆଦିମୂଳ ।ତୋ ନାମ ଭୁବନ ମଙ୍ଗଳ ॥
ଧାରଣା ଧ୍ୟାନେ ମନ ଦେଇ ।ପ୍ରାଣୀ ତରନ୍ତି ଯାହା ଧ୍ୟାୟି ॥
ତୋ ଅନୁଭବେ ଭାଗବତ ।ତୁ ନାଥ ଶ୍ରୀମନ୍ତ ଅନନ୍ତ ॥
ଶ୍ରୀ ବାସୁଦେବ ନମସ୍ତୁତେ ।ମନ ବଚନ ଧ୍ୟାନ ମତେ ॥
ଯେ ତୋତେ ଅନାଦର କରେ ।ନରକ ମଧ୍ୟେ ସେ ସଞ୍ଚରେ ॥
ଅନିତ୍ୟ ସଙ୍ଗେ ତାର ବାସ ।ଯେ ଭାବେ ହୁଅନ୍ତି ନିରାଶ ॥
ତୋ ପାଦ ପଦ୍ମ-ଗନ୍ଧ ସାର ।ଆଘ୍ରାଣ କରେ ନାସା ଦ୍ୱାର ॥
ଶ୍ରୁତି ଯୁଗଳେ ନାମ ଶୁଣେ ।ଯେ ଅବା ଜିହ୍ୱା ଅଗ୍ରେ ଗୁଣେ ॥
ପରମ ଭକ୍ତି ଯୋଗବଳେ ।ଯେ ପ୍ରାଣୀ ନରହେ ନିଶ୍ଚଳେ ॥
ଏ ସର୍ବ ଭୟ ଯହିଁ ନାଶେ ।ସେ ସଙ୍ଗେ ସଙ୍ଗେ ଯେହୁ ମିଶେ ॥
ତା ପୁଣି ଇନ୍ଦ୍ରିୟ-ଲାଳସେ ।କ୍ଷଣକେ ସୁଖ ନାହିଁ ଲେଶେ ॥
ଯତ୍ନ କରନ୍ତି ଅବିରତେ ।ଯେ ମାତ୍ର ତରିବେ ଯେମନ୍ତେ ॥
କ୍ଷୁଧା ପିପାସା ଶ୍ରମେ ବସି ।ଆତ୍ମ ବନ୍ଧନ ରୂପେ କ୍ଲେଶୀ ॥
ହତ ନିଦାଘ ବାତ ବୃଷ୍ଟି ।ଏଣୁ ଭ୍ରମନ୍ତି ପ୍ରାଣୀ ଫୁଟି ॥
ଦୁର୍ବାର କାଳାନଳ ଦେହେ ।କେବେହେଁ ତୋ ପାଦେ ନରହେ ॥
ଏ ଦୁଃଖ ଦେଖି ମୋର ମନ ।ମନେ କଳ୍ପଇ ଦିନୁ ଦିନ ॥
ଇନ୍ଦ୍ରିୟ ଅର୍ଥେ ନିତ୍ୟେ ଜଡ଼େ ।ଘୋର ସଙ୍କଟ ଅନ୍ଧେ ପଡ଼େ ॥
ଯାବତ ସଂସାର ନ ତୁଟେ ।ସଂସାରେ ପୁଣି ପ୍ରାଣୀ ଫୁଟେ ॥
ଏ ବେନି ଲୋକ ସୁଖ ଅର୍ଥେ ।ପୁଣି ଭ୍ରମନ୍ତି ସୃଷ୍ଟି ପଥେ ॥
ଦୁଃଖ-ସମୁଦ୍ରେ ପୁଣି ମିଶେ ।ଯତନ କରେ ସୁଖ ଲେଶେ ॥
ଭୂତ ଭବିଷ୍ୟ ଆତ୍ମା କରି ।ସର୍ବ ବିଷୟ ଚିତ୍ତେ ଧରି ॥
ରାତ୍ରେ ନିଦ୍ରିତ ହୋଇ ଯେହ୍ନେ ।ସ୍ୱପ୍ନେ କଳ୍ପିତ ମାୟା ଭ୍ରମେ ॥
ଭ୍ରମଇ ମୁନିଙ୍କର ମନ ।ତୋ ମାୟା ବଳେ ଭଗବାନ ॥
ଏଣୁ ତୋ ସଙ୍ଗେ ଯେ ବିମୁଖ ।ଇହ ସଂସାରେ ପାଏ ଦୁଃଖ ॥
ତୁ ଭାବ ଯୋଗେ ସମ୍ଭବିତ ।ହୃଦୟ ପଦ୍ମରେ ଉଦିତ ॥
ସର୍ବ ଜୀବନେ ତୋ ବିହାର ।ତୁ ପୁଣି ତୋତେ ଅଗୋଚର ॥
ଯେ ଯେତେ ଭାବେ ତୋତେ ଭାବେ ।ତୋ ଅନୁଗ୍ରହେ ସୁଖ ଲଭେ ॥
ନାନା ରୂପରେ ଉପହାର ।ତୋ ଆରାଧନେ ଯେ ବିଚାର ॥
ତୁ ପୁଣି ବେଗେ ବଶ ହେଉ ।ଯେଣୁ ତ୍ରିଦଶ ହୃଦେ ରହୁ ॥
ତୋତେ ଯେ ଶୁଦ୍ଧଭାବେ ଚିନ୍ତି ।ନିଶ୍ଚିନ୍ତେ ତ୍ରିଦଶେ ବସନ୍ତି ॥
ତୁ ପୁଣି ସର୍ବ ଜନ୍ତୁ ଦେହେ ।ପ୍ରକାଶ ଆଦିତ୍ୟର ପ୍ରାୟେ ॥
ଏକୁ ଅନେକ ତୋ ପ୍ରକାଶ ।ପ୍ରସନ୍ନେ ଯେସନେ ଆକାଶ ॥
ସର୍ବ ହୃଦରେ ଅନ୍ତରାତ୍ମା ।କେ ଲେଖିପାରେ ତୋ ମହିମା ॥
ପ୍ରାଣୀଙ୍କ ମନ-କର୍ମ ବଳେ ।ଦଣ୍ଡେ ହେଁ ନ ରହ ନିଶ୍ଚଳେ ॥
ଆରାଧି ନାନା ବ୍ରତ ତପେ ।ସର୍ବ ଶକ୍ତି ଯେ ଦେଇ ତୋତେ ॥
ତୋର ସ୍ୱରୂପ ଚିତ୍ତେ ଚିନ୍ତି ।ଏ ମୋହ ଭବୁ ତରିଯାନ୍ତି ॥
ଏମନ୍ତ ମହିମା ତୋହର ।ଭୋ ଦେବ ତୋତେ ନମସ୍କାର ॥
ବିଶ୍ୱ ଉତ୍ପତ୍ତି-ସ୍ଥିତି-ନାଶେ ।ତୋ ଲୀଳା ସ୍ୱରୂପେ ପ୍ରକାଶେ ॥
ତୋ ଅବତାର ପୁଣି ବର୍ମେ ।ନାମ ଉଚ୍ଚାରେ ଯେବା ଧର୍ମେ ॥
ନିରତେ ଗୁଣେ ଯେବେ ମୁଖେ ।ତେବେ ତରନ୍ତି ମହାସୁଖେ ॥
ଅନେକ ଯୋନି ନ ଭ୍ରମନ୍ତି ।ନିର୍ଭୟେ ବେଗେ ସେ ତରନ୍ତି ॥
ଅମୃତ ଲାଭେ ଅପ୍ରମାଦେ ।ସୁଖେ ତରନ୍ତି ତୋହ ପାଦେ ॥
ଏମନ୍ତ ପ୍ରଭୁ ପାଦଜଳେ ।ଶରଣ ପଶିବ ନିଶ୍ଚଳେ ॥
ତୁ ନାଥ ପରମ ମଙ୍ଗଳ ।ତୋ ଆଭା ଆତ୍ମା ଅନ୍ତରାଳ ॥
ଭୁବନ ଦ୍ରୁମେ ତୋ ମହିମା ।କେ ଜାଣିପାରେ ଅନ୍ତ ସୀମା ॥
ମରୀଚି ମନୁ ଆଦି ଯେତେ ।ଏ ସର୍ବଶାଖା ଅପ୍ରମିତେ ॥
ଏମନ୍ତ ବୃକ୍ଷରୂପ ତୋର ।ତୋ ପାଦେ ମୋର ନମସ୍କାର ॥
ଏ ଜୀବ ଲୋକ ଅବିରତ ।ବିକର୍ମ-ମାର୍ଗ ସୁଯନ୍ତ୍ରିତ ॥
ଭାବଇ ଅକୁଶଳ କର୍ମ ।ନିତ୍ୟ କଳ୍ପଇ ନିଜ ଧର୍ମ ॥
ପ୍ରଥମେ ନାନା ଫଳ ଲାଭେ ।ତୋହର ଭଜନ ପ୍ରସ୍ତାବେ ॥
ତୋହର ଜୀବ ଆତ୍ମା ଯହିଁ ।ତକ୍ଷଣେ ଛେଦୁ ଭାବଗ୍ରାହୀ ॥
ଏମନ୍ତେ ପ୍ରଭୁ ପାଦଗତେ ।ମୋ ନମସ୍କାର ଅବିରତେ ॥
ଭୋ ନାଥ ଜୀବନ ମୋହର ।ବେନି ପରାର୍ଦ୍ଧ ଅଧିକାର ॥
ସକଳ ଲୋକେ ମନ ସ୍ଥିତି ।ସପ୍ତ ମଣ୍ଡଳେ ତୋ ବିଭୁତି ॥
ଅନେକ ପାପେ ଅଧିକାରୀ ।ତୋ ମାୟାବଳେ ରୂପ ଧରି ॥
ତୁ ଅଧିଯଜ୍ଞ ଦାମୋଦର ।ତୋ ପାଦେ ମୋର ନମସ୍କାର ॥
ପଶୁ ମାନଙ୍କର ଦେହେ ।ଜୀବନ ରୂପେ ଯେବେ ରହେ ॥
ଇଚ୍ଛାରେ ଲଭେ ନାନା କର୍ମ ।ଏଣୁ ତୁ ପୁରୁଷ ଉତ୍ତମ ॥
ଯେ ପଞ୍ଚଭୂତ ନିଦ୍ରାକୃତି ।ନିଦ୍ରା ଜାଗ୍ରତ ସ୍ୱପ୍ନ ସୁପ୍ତି ॥
ତାହାର ବଳେ ଜ୍ଞାନ ହାରି ।ଲୋକ ସଂସାରେ ପେଟ ଭରି ॥
ପ୍ରଳୟ ଜଳେ ତୋ ଶୟନ ।ଜୀବ ସଞ୍ଚରେ ଶ୍ରୁତିସ୍ଥାନ ॥
ତ୍ରିଲୋକ-ଉପକାର ପାଦେ ।ମୋ ଜନ୍ମ ତୋର ନାଭିମଧ୍ୟେ ॥
ଏ ଯୋଗ ମାୟା ଅବସାନ ।ନମସ୍ତେ ନଳିନଲୋଚନ ॥
ଜୟ ତୁ ଜୟ ଭଗବାନ ।ଅଶେଷ ଜନ୍ତୁଙ୍କ ଜୀବନ ॥
ତୋର ଆଦେଶ ଶିରେ ଧରି ।ମୁଁ ଏ ସଂସାରେ ଅଧିକାରୀ ॥
ଏ ଦଶ ଗୁଣ ଏ ସଂସାରେ ।ସର୍ଜ୍ଜଇ ଅଶେଷ ଶରୀରେ ॥
ତୋ ଅନୁଗ୍ରହେ ମୁଁ ଏ ଦେହେ ।ସୃଷ୍ଟି କରିବି ପୂର୍ବ ପ୍ରାୟେ ॥
ଭୋ ନାଥ ପରମ ପୁରୁଷ ।ଏ ଆତ୍ମା କୀର୍ତ୍ତି ତୋର ଯଶ ॥
ଅଶେଷ ଜନ୍ତୁଙ୍କ ଜୀବନ ।ତୁ ନାଥ ପରମ କାରଣ ॥
ପୁଣି ଗୃହୀତ ଅବତାରେ ।ଯେ ଅବା କରୁ ଏ ସଂସାରେ ॥
ସେ ଗୁଣ ଘେନି ସୃଷ୍ଟି ଅର୍ଥେ ।ଯେ ଅବା ହୋଇବ ଯେମନ୍ତେ ॥
ସର୍ଜିବ ଆତ୍ମା ଯୋଗବଳେ ।ମୋ ଚିତ୍ତ ଯେମନ୍ତେ ନିଶ୍ଚଳେ ॥
ତୋର ଚରଣେ ଦୃଢ଼ ହୋଏ ।ଭୋ ନାଥ କରତୁ ଉପାୟେ ॥
ଦୁର୍ଗମ ପ୍ରଳୟ ଏ ଜଳେ ।ମୋ ଜାତ ତୋ ନାଭି କମଳେ ॥
ବିଜ୍ଞାନ ଶକ୍ତି ଯହୁଁ ବହୁ ।ଏଣୁ ଅନନ୍ତ ତୁ ବୋଲାଉ ॥
ସଭ୍ରମେ ପଦ ତଳେ ମୁହିଁ ।ଭ୍ରମଇ ତୋର ମାୟା ବହି ॥
ଦେଖିଲେ ତୋ ରୂପ ଗର୍ବିତ ।ଯେ ରୂପେ ନିଗମ କଳ୍ପିତ ॥
ଅଶେଷ କରୁଣା ସାଗର ।ଭୋ ନାଥ ମହିମା ତୋହର ॥
ରଙ୍ଗ ଅଧରେ ମନ୍ଦ ହାସ ।ଦେଖି ମୋହର ମନ ତୋଷ ॥
ଏ ବିଶ୍ୱ ସଂସାର କୁଶଳେ ।ମୁଁ ଯେଣୁ ଥିଲି ମହାଜଳେ ॥
ସୃଷ୍ଟି କଳ୍ପନା ଚିନ୍ତା ଅର୍ଥେ ।ମୁହିଁ ଭାଳଇ ଅବିରତେ ॥
ତୁ ନାଥ ମଧୁର-ବଚନେ ।ଚିନ୍ତା ହରିଲୁ ମୋର ମନେ ॥
ମୈତ୍ରେୟ ଉବାଚଏକାନ୍ତେ ସଂଭ୍ରମ-ବଚନ ।ବିଦୁର ଶୁଣ ସାବଧାନ ॥
ନିର୍ମଳ ଦିବ୍ୟ-ଅନୁଭବେ ।ନିଗମ ବଚନ ପ୍ରସ୍ତାବେ ॥
ନାନା ପ୍ରକାରେ କରେ ସ୍ତୁତି ।ଜନ୍ମ ମନୁଷ୍ୟ ବେଦପତି ॥
ଅନ୍ତେ ଗୋବିନ୍ଦ-ଭାବ ଘେନି ।ସେ ପଦ୍ମ ମଧ୍ୟେ ହେଲା ତୁନି ॥
ଏମନ୍ତେ ବ୍ରହ୍ମା ମନ ଜାଣି ।ଦୟା ସାଗର ଚକ୍ରପାଣି ॥
ବିଶାଦେ ନିତ୍ୟେ ସେ ଭାଳଇ ।ପ୍ରଳୟ ଜଳ ମଧ୍ୟେ ରହି ॥
ସେ ଲୋକନାଥ ଚିନ୍ତା କରି ।ଭାଳଇ ମନେ ଖେଦ ଭରି ॥
ସେ ଚିନ୍ତା ଜାଣି ଭଗବାନ ।କୋମଳ ଗଭୀର ବଚନ ॥
ବ୍ରହ୍ମାର ମନ ଜାଣି ହରି ।କହନ୍ତି ପ୍ରଭୁ ଦଇତ୍ୟାରୀ ॥
ଶ୍ରୀ ଭଗବାନ ଉବାଚହେ ବେଦଗର୍ଭ ବ୍ରହ୍ମା ଦେଖ ।ବେଗେ ତୁ ଛାଡ଼ ମନୁ ଦୁଃଖ ॥
ତୁ ଯେ କଳ୍ପିତ ମାଗୁ ମୋତେ ।ଆଗେ ମୁଁ କହୁଅଛି ତୋତେ ॥
ତୁ ଏବେ ତପେ କରୁ ଆଶା ।ମୋ ବିଦ୍ୟାବଳେ ତୋ ଭରସା ॥
ଏ ତପ-ଯୋଗ ବିଦ୍ୟାବଳେ ।ସୃଷ୍ଟି ତୁ କର ମହାଜଳେ ॥
ଆତ୍ମା ନିଯୋଗ ରାଜ୍ୟ କର ।ତୁ ଏବେ ଭବିଷ୍ୟ ସଂସାର ॥
ସର୍ବ ଦେଖିବୁ ମୋର ଦେହେ ।ମୋତେ ଦେଖିବୁ ସର୍ବମୟେ ॥
ମୁଁ ବସେ ସର୍ବ ପ୍ରାଣୀ ମନେ ।ଇନ୍ଧନ ମଧ୍ୟେ ଅଗ୍ନି ଯେହ୍ନେ ॥
ମୋତେ ଦେଖିଲେ ବେଦବର ।ତାର ସଂଶୟ ଯିବ ଦୂର ॥
ଭୂତ-ଇନ୍ଦ୍ରିୟଗଣ ବଳେ ।ଏମନ୍ତ ଶ୍ରବଣ ନିଶ୍ଚଳେ ॥
ଯେବେ ଦେଖଇ ବେଦମତେ ।ସ୍ୱରାଜ୍ୟେ ରହେ ସେ ରହଇ ନିଶ୍ଚିନ୍ତେ ॥
କର୍ମଭାବନା ନାନା ମତେ ।ଏ ସୃଷ୍ଟି ସର୍ଜିବୁ ଯେମନ୍ତେ ॥
ମୋ ଅନୁଗ୍ରହେ ତୋର ମନ ।କେବେହେଁ ନ ଭାବିବୁ ଆନ ॥
ତୁ ଯେ ମୋହର ଦେହେ ମନ ।ହୋଇ ସର୍ଜିବୁ ପ୍ରଜାଜନ ॥
ମୁଁ ଯେ ସଂଶୟ ଚିତ୍ତେ କହି ।କମଳ ଜଳ ମଧ୍ୟେ ଯାଇ ॥
ତୋହର ମନେ ଇଚ୍ଛା କଲୁ ।ଅନେକ କାଳ ତୁ ଭ୍ରମିଲୁ ॥
ଦୟା ବସିଲା ମୋର ମନେ ।ବାହାରେ ଦେଖାଇଲି ଚ୍ଛନ୍ନେ ॥
ତୁ ଯେବେ କଲୁ ମୋତେ ସ୍ତୁତି ।କହିବା ଶୁଣ ବେଦପତି ॥
ଯେତେ ସୁନିଷ୍ଠା ତୋର ଦେହେ ।ଲଭିଲୁ ମୋର ଅନୁଗ୍ରହେ ॥
ସୁପ୍ରୀତ ହୋଇଲି ମୁଁ ତୋତେ ।କଲ୍ୟାଣ ଲଭ ତୁ ଜଗତେ ॥
ଏ ସ୍ତୋତ୍ରେ ମୋତେ ଯେ ଭଜିବ ।ସଂସାର ଭୟ ସେ ନାଶିବ ॥
ପଣ୍ଡିତେ ଯୋଗ ଯଜ୍ଞମତେ ।ଜ୍ଞାନ ବୈରାଗ୍ୟ ଉପଗତେ ॥
ଏଣେ ନିସ୍ତାର ପ୍ରାଣୀ ଲଭେ ।ମୋର ନିଶ୍ଚଳ ପ୍ରିୟ ଭାବେ ॥
ମୁଁ ଆତ୍ମା ଜଗତ ଈଶ୍ୱର ।ସଂଶୟ ଚିତ୍ତେ ଅଗୋଚର ॥
ଏଣୁ ଯେ ମୋ ବିଷୟ ଭଜେ ।ସ୍ୱଭାବେ ସର୍ବମାୟା ତେଜେ ॥
ଆତ୍ମାରେ ଆତ୍ମା ଜ୍ଞାନ କରେ ।ନ ବୁଡେ଼ ସଂସାର-ସାଗରେ ॥
ଯେ ପ୍ରାଣୀ ମୋର ଦେହ ଥିଲେ ।ପ୍ରଳୟ ଜଳେ ନାଶ ଗଲେ ॥
ତାହାଙ୍କ ଭ୍ରମଣ ଆୟତ୍ତେ ।ପୁଣି ପ୍ରକାଶ ଏ ଜଗତେ ॥
ଏମନ୍ତ ବ୍ରହ୍ମା ଆଗେ କହି ।ଅନ୍ତର ହେଲେ ଭାବଗ୍ରାହୀ ॥
ସେ ହରି ଚରଣ-ପଙ୍କଜେ ।ବ୍ରାହ୍ମଣ ଜଗନ୍ନାଥ ଭଜେ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବିଦୁର ବ୍ରହ୍ମାସ୍ତବ ବର୍ଣ୍ଣନେ ନାମନବମୋଽଧ୍ୟାୟଃ ।
ଦଶମ ଅଧ୍ୟାୟବିଦୁର ଉବାଚମୈତ୍ରେୟ ପାଦେ ଦେଇ କର ।ଆନନ୍ଦେ ପଚାରେ ବିଦୁର ॥
ମୁନି କହନ୍ତି ଶୁଦ୍ଧମନେ ।ଯେ ବିଷ୍ଣୁ ଗଲେ ଅନ୍ତର୍ଦ୍ଧାନେ ॥
ସେ ବେଦପତି ଜ୍ଞାନ ମତେ ।ପ୍ରଜା ସର୍ଜିଲା ଏ ଜଗତେ ॥
ତାର କି ଦେହେ ପ୍ରଜା ଥିଲା ।କେତେ ପ୍ରକାରେ ଭିଆଇଲା ॥
କେତେ କଳ୍ପନ୍ତେ ଦେହବନ୍ତ ।କହ ସଂଶୟ ଯାଉ ଚିତ୍ତ ॥
ବିଦୁର ବାକ୍ୟ କର୍ଣ୍ଣେ ଶୁଣି ।କହନ୍ତି ମଇତ୍ରେୟ ମୁନି ॥
ମୈତ୍ରେୟ ଉବାଚଶୁଣ ବିଦୁର ଏକ ଚିତ୍ତେ ।ଯେମନ୍ତେ ସର୍ଜିଲା ଜଗତେ ॥
ଗୋବିନ୍ଦ ବାକ୍ୟେ ବେଦପତି ।ତପ ସାଧନେ କଲା ମତି ॥
ଶତ ବରଷ ବେଦମତେ ।ତପ ସାଧିଲା ଦୃଢ଼ ଚିତ୍ତେ ॥
ଆତ୍ମାରେ ଆତ୍ମା ଲୀନକରି ।ଗୋବିନ୍ଦ-ବଚନ ସୁମରି ॥
ଦେଖିଲେ ନୟନ ଯୁଗଳେ ।ଭ୍ରମ ଶଙ୍କୁଳ ମହାଜଳେ ॥
ପବନ ଯୋଗେ ମହାଖର ।ସ୍ୱଭାବେ ଦିଶେ ଭୟଙ୍କର ॥
ପଦ୍ମ ସହିତେ ଜଳ କମ୍ପେ ।ଭୂମି ଶଙ୍କୁଳ ଅତିରେକେ ॥
ଜ୍ଞାନର ବଳେ କର୍ମମାନ ।ଦେଖି ଉଷତ ବ୍ରହ୍ମା ମନ ॥
ତକ୍ଷଣେ ତପ-ବିଦ୍ୟାବଳେ ।କେ ଡାକେ ଦେଖ ଚର୍ମଡ଼ୋଳେ ॥
ଭୂମି ସହିତେ ଜଳରାଶି ।ସେ ବ୍ରହ୍ମା ଯୋଗବଳେ ବସି ॥
ପ୍ରଳୟ ଜଳେ ବେଗେ ଗଲା ।ନିଶ୍ଚଳେ ପଦ୍ମ ପ୍ରକାଶିଲା ॥
ସେ ପଦ୍ମ ମଧ୍ୟେ ବେଦବର ।ସୁମନେ କରଇ ବିଚାର ॥
ପୂର୍ବେ କଶ୍ୟପ-ଗର୍ଭଗତେ ।ଜନ୍ତୁ ଏ ପଶିଛନ୍ତି ଯେତେ ॥
ତାହାଙ୍କୁ ନ କରି ପ୍ରକାଶ ।ସେ ଯେଣୁ ସ୍ୱକର୍ମ ପ୍ରବେଶ ॥
ଏକୁ ଅନେକ ରୂପ ଚିନ୍ତେ ।ସ୍ୱକର୍ମ ବଳେ ନାନା ମତେ ॥
ଦ୍ୱିତୀୟ ତୃତୀୟ ସପ୍ତମେ ।ଏମନ୍ତେ ଜୀବ ଲୋକମାନେ ॥
ଯେ ଯାହା ମତେ ଧର୍ମ ଚିନ୍ତି ।ନିଶ୍ଚଳ ଯୋଗେ ପ୍ରଜାପତି ॥
ବିଦୁର ଉବାଚଭୋ ମୁନି ହରିର ମହିମା ।ଅତି ଅଦ୍ଭୁତ ଗୁଣ ସୀମା ॥
ସୃଷ୍ଟି ପାଳନ ସଂହାରଣ ।କାଳ ସ୍ୱରୂପୀ ନାରାୟଣ ॥
ବୋଲଇ ନିଜ ଆତ୍ମାବଳେ ।କେ ତା ଦେଖିବ ଚର୍ମଡୋଳେ ॥
ତାର ଲକ୍ଷଣ କହ ମୋତେ ।ଏଣୁ ପ୍ରମାଣ ଅବା କେତେ ॥
ମୈତ୍ରେୟ ଉବାଚସ୍ୱଭାବେ ନିର୍ଗୁଣ ଅଚ୍ୟୁତ ।ନିର୍ଲ୍ଲେପ ନିର୍ବିକଳ୍ପସ୍ଥିତ ॥
ତୋର ଶରୀରୁ ଆତ୍ମା ଜାତ ।କାଳେ ସେ ସର୍ଜ୍ଜଇ ଜଗତ ॥
ସେ ବିଷ୍ଣୁ ବ୍ରହ୍ମ ମାୟାରୂପୀ ।ନିଜ ଆତ୍ମାର ବଳେ ବ୍ୟାପି ॥
ଈଶ୍ୱର ଭାବେ ପରିଚ୍ଛନ୍ନ ।ଯେ କାଳରୂପୀ ଭଗବାନ ॥
ଯେମନ୍ତେ ସୃଷ୍ଟି ଥିଲା ପୂର୍ବେ ।ସ୍ୱକର୍ମେ ବିକର୍ମ ସ୍ୱଭାବେ ॥
ପ୍ରକୃତି ବିକୃତି ପ୍ରକାରେ ।ଯେ ଯାହା କର୍ମ ଅନୁସାରେ ॥
ଯେ କାଳେ ବ୍ରହ୍ମ ଉଦେ ହୋନ୍ତି ।ମହତ ଆଦି ତତ୍ତ୍ୱ ଚିନ୍ତି ॥
ଗୁଣ ବିଶ୍ରାମେ ଆତ୍ମା ମିଶେ ।ସ୍ୱଭାବେ ସ୍ୱଗୁଣ ପ୍ରକାଶେ ॥
ଦ୍ୱିତୀୟ ଅହଙ୍କାର ବଳେ ।ଯେ ବ୍ରହ୍ମଜ୍ଞାନ ଦୀକ୍ଷା ଦେଲେ ॥
ତୃତୀୟେ ଉତ୍ସର୍ଗ ଯେ ହୁଏ ।ସେ ମାୟା ବ୍ରହ୍ମ ଶକ୍ତି ବହେ ॥
ଚତୁର୍ଥେ ଇନ୍ଦ୍ରିୟଙ୍କ ଜନ୍ମ ।ଯେ ଜ୍ଞାନ-କ୍ରିୟାତ୍ମକ ନାମ ॥
ଇନ୍ଦ୍ରିୟ ରକ୍ଷା ଦେବଗଣ ।ଯେ ମନ ପଞ୍ଚମେ ପ୍ରମାଣ ॥
ଷଷ୍ଠରେ ଅହଙ୍କାର ସର୍ବେ ।ଅବୁଦ୍ଧି ମୁକ୍ତି ଶକ୍ତି ଭାବେ ॥
ସ୍ୱକର୍ମ ପ୍ରକୃତି ଗୋଚରେ ।ବିକୃତି ତାର ଅଭ୍ୟନ୍ତରେ ॥
ଏ ସୃଷ୍ଟି ତାର ତ୍ରୟଗୁଣ ।ସେ ହରିଲୀଳା ଏବେ ଶୁଣ ॥
ଏବେ ହୋ ଯକ୍ଷଶୃଙ୍ଗ ବହି ।ଯେବେ ରଚିବ ଭବ ମହୀ ॥
ସପ୍ତମେ ସୃଷ୍ଟି ଲତା ଗୁଳ୍ମ ।ବଳକଳ ଶିରେ ଏହୁ ନାମ ॥
ଏହାଙ୍କ ନାମ ଉର୍ଦ୍ଧ୍ୱ ରେତା ।ଅନ୍ତ ସରସ ଜ୍ଞାନ ମାତା ॥
ଅଷ୍ଟମେ ସର୍ଜେ ପଶୁଗଣ ।ଏ ଅଷ୍ଟବସୁ ଏବେ ଶୁଣ ॥
ଏ ଜ୍ଞାନତତ୍ତ୍ୱ ଗୁଣେ ଥାନ୍ତି ।କେବଳ ପ୍ରାଣ ସେ ରଖନ୍ତି ॥
ଗୋରୁ ମହିଷ ଅଜା ତିନି ।କୁକୁର ଶୂକର ହରିଣୀ ॥
ଏହାଙ୍କ ପାଦେ ବେନି କ୍ଷୁର ।ମେଷ ସୌରଭ ଓଟ ଖର ॥
ସମ୍ବର ମୃଗ ଆଦି ଯେତେ ।ଯେ ଏକାକ୍ଷରୁ କହୁଁ ତୋତେ ॥
ଏବେ କହିବା ବୀର ଶୁଣ ।ଯେ ପଞ୍ଚ ନଖ ପଶୁଗଣ ॥
ସେ ବକ ଶାଗୁଣା ସଞ୍ଚାଣ ।ଭଲ୍ଲୁକ ରାସଭ ହରିଣ ॥
ଭଲ୍ଲୁକ ଆଦି ଚିଲ କାକ ।ହଂସ ସାରସ ଚକ୍ରବାକ ॥
ଏ ନବ ସର୍ଗ ଯେବେ କହି ।ବିଦୁର ଶୁଣ ମନ ଦେଇ ॥
ମନୁଷ୍ୟ ମଧ୍ୟେ ସେ ମିଶନ୍ତି ।ଯେ ଦୁଃଖ ସୁଖ ପ୍ରାୟ ଚିନ୍ତି ॥
ରଜ ଅଧିକ କର୍ମ ତାର ।ବିକୃତି କୃତି ଅପ୍ରକାର ॥
ଯେ ଦେବେ ସୃଷ୍ଟି ଅନୁପମ ।କୁମାର ସୃଷ୍ଟି ଏ ନବମ ॥
ଦେବଙ୍କ ସୃଷ୍ଟି ଆନ ବିଧି ।ପିତାର ଅସୁର ବିରୋଧି ॥
ଗନ୍ଧର୍ବ ଅପସରା ସିଦ୍ଧ ।ଚାରଣ ଯକ୍ଷ ରକ୍ଷ ଭେଦ ॥
ଭୂତ ପିଶାଚ ପ୍ରେତଗଣ ।ବିଦ୍ୟାଧ୍ର କିନ୍ନର ଚାରଣ ॥
ଏ ଅଷ୍ଟବିଧିଙ୍କ ଉତ୍ପତ୍ତି ।ସ୍ୱଭାବେ ଦେବତା ବୋଲାନ୍ତି ॥
ଏମନ୍ତେ ସୃଷ୍ଟି ସେ ବୋଲାନ୍ତି ।ସେ ଯୁଗାନ୍ତରେ ନ ମିଶନ୍ତି ॥
ନଦୀଙ୍କ ଜଳେ ଯେଉଁ ଭୂମେ ।ଜଳଧି ଯାନ୍ତି ଯଥାକ୍ରମେ ॥
ଏମନ୍ତେ ଦେବାସୁର ଆଦି ।ଯେତେ କହିଲି ମୁଁ ସମ୍ପାଦି ॥
ସେ ନାନାରୂପେ ଆଦି ହୋନ୍ତି ।ମନୁ ଅନ୍ତରେ ହୋଇଥାନ୍ତି ॥
ମୁନି କହିଲେ ପଦ୍ମ କଳ୍ପେ ।ଏମନ୍ତେ ବିଦୁର ସମୀପେ ॥
ଏ ଭାଗବତ ଜ୍ଞାନ ରସ ।କହିଲା ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂସଂହିତାୟାଂବୈୟାସିକ୍ୟାଂ ତୃତୀୟସ୍କନ୍ଧେବ୍ରହ୍ମା ସୃଷ୍ଟି ସର୍ଜନେ ନାମଦଶମୋଽଧ୍ୟାୟଃ ।
ଏକାଦଶ ଅଧ୍ୟାୟମୈତ୍ରେୟ ଉବାଚଶୁଣ ବିଦୁର ଏକ ଚିତ୍ତେ ।ସେ କାଳରୂପ ସଂଖ୍ୟାମତେ ॥
ନିମିଷ ଆଦି ରୂପ ତାର ।ଏମନ୍ତେ ପୂରଇ ବତ୍ସର ॥
ନିମିଷ ଚକ୍ଷୁ ପରି ଭ୍ରମ ।ଅଣୁ ବୋଲାଇ ତାର ନାମ ॥
ତାର ଅର୍ଦ୍ଧେକ ପରମାଣୁ ।ତ୍ରିଭାଗ ହୁଏ ଶତ ରେଣୁ ॥
ଏ ସୃଷ୍ଟି ନିମିଷକେ ଶୁଣ ।କାଷ୍ଠା ବୋଲାଇ ପରିମାଣ ॥
ତିରିଶ କୋଟି ଦେବଗଣେ ।କଳା ହୋଇଲା ପରିମାଣେ ॥
କଳା ତିରିଶ କ୍ଷଣେ ହୋଇ ।ଦ୍ୱାଦଶ ମୁହୂର୍ତ୍ତ ବୋଲାଇ ॥
ଏ ବେନି ମୁହୂର୍ତ୍ତେ ପ୍ରହର ।ଏ ଅନ୍ତେ ସେ ଅଷ୍ଟ ପ୍ରକାର ॥
ତାର ଦ୍ୱାଦଶ ଗୁଣ ଅର୍ଦ୍ଧେ ।ଚତୁର ଅଙ୍ଗୁଳି ବିରାଜେ ॥
କରଇ ତତ୍ତ୍ୱକୁ ବିଚାରି ।ସେ ବର୍ଣ୍ଣ ନାଶେ ସୁତ କରି ॥
ଜଳ ପଡ଼ନ୍ତେ ଦଣ୍ଡେ ହୁଏ ।ଏ ଅଷ୍ଟ ପ୍ରହର ବୋଲାଏ ॥
ଅଷ୍ଟ ପ୍ରହରେ ଅହୋରାତ୍ରି ।କାଳ ସେ ଏମନ୍ତେ ଗଣନ୍ତି ॥
ପନ୍ଦର ଅହୋରାତ୍ରି ପକ୍ଷ ।ଏ କୃଷ୍ଣ ଶୁକ୍ଳଟି ପ୍ରତ୍ୟକ୍ଷ ॥
ଏ ବେନି ପକ୍ଷେ ଏକମାସେ ।ଦ୍ୱିମାସେ ଋତୁଏ ପ୍ରକାଶେ ॥
ତୃତୀୟେ ଚତୁଃ ଷଡ଼ମାସେ ।ଅୟନ ସେ ଅର୍ଦ୍ଧ ବରଷେ ॥
ବେନି ଅୟନେ ସମ୍ବତ୍ସରେ ।ଯେ କଳି ଛିଦ୍ର ଉସତରେ ॥
ଏମନ୍ତେ ଶତେକ ବରଷ ।ମନୁଷ୍ୟ ମାନଙ୍କ ଆୟୁଷ ॥
ଗ୍ରହ ନକ୍ଷତ୍ର ଯୋଗ ଚକ୍ରେ ।ସେ କାଳ ବଳ ଅତିରେକେ ॥
ଏ ବେନି ପକ୍ଷେ ମାସେ କହି ।ପିତୃଙ୍କ ଅର୍ଦ୍ଧ ରାତ୍ରେ ହୋଇ ॥
ଦେବଙ୍କ ଦ୍ୱାଦଶ ବରଷେ ।ତ୍ରୈଲୋକ୍ୟ ବୋଲାଇ ଦିବସେ ॥
ଅଣୁ ପ୍ରମାଣ ପରିମାଣେ ।ପ୍ରାଣୀଙ୍କ ମାସେ ଅନୁକ୍ଷଣେ ॥
ଏମନ୍ତେ ସମ୍ୱତ୍ସର ମତେ ।ବିହରେ ଆହାର ଆୟତେ ॥
ଏ ପଞ୍ଚ ଋଷି ସର୍ବେଶ୍ୱର ।ସୁମନେ ଶୁଣ ହେ ବିଦୁର ॥
ପ୍ରଥମେ ସମ୍ବତ୍ସର ମତେ ।ଚତୁର୍ବତ୍ସର ସେ ବିଦିତେ ॥
ଦିବ୍ୟ ବତ୍ସରେ ତୃତୀୟକେ ।ଚତୁର୍ଥେଽନୁ ବତ୍ସର କଳ୍ପେ ॥
ବତ୍ସର ପଞ୍ଚମ ବୋଲାଇ ।କାଳସ୍ୱରୂପୀ ପୁଣ୍ୟମୟୀ ॥
ଏମନ୍ତ କାଳକୁ ସମସ୍ତେ ।ବୁଦ୍ଧି ହରାଇ ଏ ଜଗତେ ॥
ବିଦୁର ଉବାଚପିତୃ ଦେବତା ନର ଆଦି ।ପରମାୟୁଷ ଯଥାବିଧି ॥
ଶୁଣିଲୁ ତୁମ୍ଭ ମୁଖୁ ଏବେ ।ସନ୍ତୋଷେ କହ ମୁନି ଭାବେ ॥
ଅପରେ କଳ୍ପନାଦି ଯେତେ ।ନାନା ପ୍ରକାରେ ଏ ଜଗତେ ॥
ଅଛନ୍ତି କାଳର ଆୟତ୍ତେ ।ତାଙ୍କ ଆୟୁଷ କହ ମୋତେ ॥
ତୁମ୍ଭେ ସେ କାଳ ତିନିଗୁଣ ।ଯେ ରୂପେ ଏ ଅବା ପ୍ରମାଣ ॥
ଏଣେ ଏ ବିଲକ୍ଷଣ ଧୀରା ।ସଚମତୀ ସୁଗୁଣ ଗଭୀରା ॥
ଯେତେ ବିଷୟ ଏ ଶୟଳେ ।ଜାଣନ୍ତି ଜ୍ଞାନ ଚକ୍ଷୁବଳେ ॥
ମୈତ୍ରେୟ ଉବାଚସତ୍ୟ ତ୍ରେତା ଦ୍ୱାପର ଆଦି ।କଳି ଏ ଚତୁର୍ଯୁଗ ବିଧି ॥
ଦେବଙ୍କ ଦ୍ୱାଦଶ ବରଷେ ।ଏ ଚାରିଯୁଗ କାଳଅଂଶେ ॥
ଚାରି ସହସ୍ର ଯୁଗ ରାତ୍ର ।ତିନି ସହସ୍ର ଯୁଗମତ ॥
ଦ୍ୱାପର ଏକ ସସ୍ର ଜାଣି ।କଳି ସହସ୍ରେ ପରିମାଣି ॥
ଏମନ୍ତେ ବେଦ ସଂଖ୍ୟା ଯେତେ ।ଦ୍ୱାଦଶ ସହସ୍ର ସମେତେ ॥
ଏହି ପ୍ରକାରେ ସାତ ଦେଇ ।ଦ୍ୱିଗୁଣେ ଏହାକୁ ମିଶାଇ ॥
ଯୁଗକୁ ମଧ୍ୟେ ସିଦ୍ଧ ଅଂଶେ ।ଆୟତେ ସେ କାଳ ପ୍ରକାଶେ ॥
ଏଣୁ ସେ ଯୁଗ ସଂଖ୍ୟା ଜାଣ ।ଜ୍ଞାନୀଙ୍କ ବଚନ ପ୍ରମାଣ ॥
ଯେ ରୂପେ ସେବା ଧର୍ମ ବିଧି ।କର୍ମ ସାଧନେ ଅନୁବାଦି ॥
ଚତୁର୍ଥ ଦ୍ୱିତୀୟ ତୃତୀୟେ ।କଳିରେ ଏକପାଦ ରହେ ॥
ଦେବଙ୍କ ସହସ୍ର ସଂଯୋଗ ।ବ୍ରହ୍ମା ଦିବସ କାଳ ଭୋଗ ॥
ଚତୁର ଦଶ ମନୁ ଭୋଗେ ।ଏ ବିଧି ସର୍ଜ୍ଜନା ସଂଯୋଗେ ॥
ମନୁର ବଂଶେ ମନୁରାତ୍ରେ ।ପିତୃ ଦେବତାଙ୍କ ସମୀପେ ॥
ତିନି ଭୁବନେ ପ୍ରାଣୀ ଯେତେ ।ଭୁଞ୍ଜନ୍ତି କଳ୍ପ ପରିଯନ୍ତେ ॥
ଏ ସୃଷ୍ଟି କରି ତିନି ନାମ ।ପିତୃ ଦେବତା ଋଷି ସ୍ଥାନ ॥
ଏମନ୍ତେ କଳ୍ପ ପରିଯନ୍ତେ ।କର୍ମ ଭୁଞ୍ଜନ୍ତି ପ୍ରାଣୀ ଯେତେ ॥
ମନ୍ୱାଦି ଶରୀର ସଂସାରେ ।କାଳ କ୍ରୀଡ଼ଇ ଏ ପ୍ରକାରେ ॥
ମାୟାର ବଳେ ସେ ବିହରେ ।ବ୍ରହ୍ମା ଦିବସ ଅନ୍ତ କରେ ॥
ନିଶା ଆଗମେ ପୂର୍ଣ୍ଣ ଦେହୀ ।ମଉନ ବ୍ରତେ ସେ ବସଇ ॥
ତ୍ରୈଲୋକ୍ୟ କମ୍ପେ ତାହା ଦେଖି ।ସୁଜ୍ଞାନ ଜୀବନ ଉପେକ୍ଷି ॥
ରବି ଶଶାଙ୍କ ଶୂନ୍ୟେଗଲା ।ପ୍ରଳୟ ଅଗ୍ନି ପ୍ରକାଶିଲା ॥
ଶଙ୍କରଷଣ ମୁଖୁ ଆସି ।ଅନଳ ତିନିଲୋକ ଗ୍ରାସି ॥
ପ୍ରଚଣ୍ଡ ଅଗ୍ନି ତେଜ ତ୍ରାସେ ।ଋଷି ଏ ଥିଲେ ଯେ ଆକାଶେ ॥
ସ୍ୱଲୋକ ଛାଡ଼ି ଅତିରେକେ ।ବେଗେ ମିଳିଲେ ନରଲୋକେ ॥
ତକ୍ଷଣେ ସପ୍ତସିନ୍ଧୁ-ଜଳେ ।ତ୍ରିଲୋକ୍ୟ ଆଚ୍ଛାଦିଲେ ହେଳେ ॥
ପବନ ଅଣଚାଶ ବଳେ ।ଭ୍ରମିଣ ନାଦକଲେ ବଳେ ॥
ଜଳେ ତରଳ ନାଦ ଶୁଣି ।ନାଗ ଶୟନେ ଚକ୍ରପାଣି ॥
ନିଶ୍ଚିତ୍ତେ ନିବୃତ୍ତି ନୟନେ ।ଶୟନେ ଅନନ୍ତର ସ୍ଥାନେ ॥
ସଙ୍ଗତେ କେହି ନାହିଁ ଏକେ ।ସ୍ତୁତି କରନ୍ତି ନରଲୋକେ ॥
ଏମନ୍ତେ ଅହୋରାତ୍ର ଗଣି ।ଆଗମ-ନିଗମ ପ୍ରମାଣି ॥
ଏ ଭାବେ ଶତେକ ବରଷ ।ବ୍ରହ୍ମାର ପରମ ଆୟୁଷ ॥
ଅର୍ଦ୍ଧେକ ପରାର୍ଦ୍ଧ ବୋଲାଇ ।ଯେ ପୂର୍ବ ପର ଭାଗ ଦୁଇ ॥
ପୂର୍ବ ପରାର୍ଦ୍ଧେ ବ୍ରହ୍ମା ନାମ ।ଶବଦ ବ୍ରହ୍ମା ଅନୁପମ ॥
ପରାର୍ଦ୍ଧ କଳ୍ପ ଯେବେ ହୁଏ ।ସେ ପଦ୍ମ କଳ୍ପ ନାମ ବହେ ॥
ବିଷ୍ଣୁର ନାଭିପଦ୍ମୁ ଜାତ ।ତେଣୁ ସେ ପୂଜେ ବେଦମତ ॥
ଦ୍ୱିତୀୟ କଳ୍ପ ଏବେ କହି ।ଶତେକ ବରଷ ବୋଲାଇ ॥
ଯେବେ ସଂକଳ୍ପେ ନରହରି ।ଶ୍ୱେତ ବରାହ ରୂପ ଧରି ॥
ଏ ବେନିକଳ୍ପ ଋଷି କାଳ ।ନିମିଷ ଆଦି-ଅନ୍ତରାଳ ॥
ଅନାଦି ଅବ୍ୟକ୍ତ ମହିମା ।ଅନନ୍ତ ଈଶ୍ୱରଙ୍କ ସୀମା ॥
ଷୋଡ଼ଶ ପ୍ରକାରେ ସଞ୍ଚାରେ ।ନାନା ବିଷୟ ରୂପ ଧରେ ॥
ଏମନ୍ତେ ତୋଷ ଆଦି ଅନ୍ତେ ।ପଚାଶ କୋଟି ପରିଯନ୍ତେ ॥
ଦଶ ଭରଣ ଯାର ଦେହେ ।ଦିଶନ୍ତି ପରମାଣୁ ପ୍ରାୟେ ॥
ବ୍ରହ୍ମ ଅକ୍ଷର ତାର ଗୁଣ ।ସର୍ବ କାରଣ ସେ ଧାରଣ ॥
ତାର ଚରଣେ ଦେଇ ଚିତ୍ତ ।କହିଲା ଦାସ ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ତୃତୀୟସ୍କନ୍ଧେ ସତ୍ୟକାଳ ବର୍ଣ୍ଣନେ ମୈତ୍ରେୟବିଦୁର ସମ୍ୱାଦେ ନାମ ଏକାଦଶୋଽଧ୍ୟାୟଃ ।