ଶ୍ରୀମଦ୍ ଭାଗବତ (ଦ୍ୱିତୀୟ ସ୍କନ୍ଧ)
ପ୍ରାୟ ୧୪୯୧–୧୫୫୦
- ପଢ଼ିବା ସମୟ
- ୭୦ ମିନିଟ୍
- ଶବ୍ଦ
- ୧୧୧୫୭
- ସ୍ଥିତି
- ସାର୍ବଜନୀନ (Public domain)
ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂଦେବୀଂ ସରସ୍ୱତୀ ବ୍ୟାସଂ ତତୋଜୟ ମୁଦୀରୟେତ୍ ।ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିଂଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ ।ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦମୃତଦ୍ରବ୍ୟ ସଂଯୁତଂପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକାଭୁବିଭାବୁକାଃ ।
ପ୍ରଥମ ଅଧ୍ୟାୟ
ଶ୍ରୀଶୁକ ଉବାଚହରି ଚରିତ ଚିନ୍ତି ଧ୍ୟାନେ ।କୋମଳ ମଧୁର ବଚନେ ॥
ରୋମ ପୁଲକେ ନିଜ ଦେହୀ ।କହନ୍ତି ରାଜା ମୁଖ ଚାହିଁ ॥
ହେ ଭାଗ୍ୟବନ୍ତ ନୃପବର ।ଗରିଷ୍ଠ ପ୍ରଶ୍ନ ଏ ତୋହର ॥
ପଚାରୁ ଜୀବଲୋକ ହିତେ ।ଯେ ପ୍ରଶ୍ନ ଅଛି ତୋର ଚିତ୍ତେ ॥
ଏ ଆତ୍ମଜ୍ଞାନୀଙ୍କ ସମ୍ମତ ।ଯେଣୁ ସଂସାରେ ଶ୍ରେଷ୍ଠ ତତ୍ତ୍ୱ ॥
ଶ୍ରୋତବ୍ୟ ପ୍ରଶ୍ନ ଅଛି ଯେତେ ।ଆଗମ ନିଗମ ଭକତେ ॥
ସହସ୍ର ସହସ୍ର ପ୍ରକାରେ ।ପ୍ରଶ୍ନ ଯେ ଅଛି ଏ ସଂସାରେ ॥
ଇନ୍ଦ୍ରିୟ ବଶେ ଗୃହେ ଥାଇ ।ଆତ୍ମାର ହିତେ ଜ୍ଞାନ ନାହିଁ ॥
ଆୟୁଷ କ୍ଷୟ ନ ଜାଣନ୍ତି ।ବିଷୟ ଅର୍ଥ ନିତ୍ୟେ ଚିନ୍ତି ॥
ନିଦ୍ରା ହରଇ ଅର୍ଦ୍ଧବେଳ ।ଅଥବା ବଧୂସଙ୍ଗ ମେଳ ॥
ଦିବସେ ଅର୍ଥ ଚିନ୍ତାକୁଳ ।କୁଟୁମ୍ବ ଭରଣେ ବ୍ୟାକୁଳ ॥
ପୁତ୍ର କଳତ୍ର ଧନ ପାଇ ।ଆନନ୍ଦେ ତାଙ୍କ ମଧ୍ୟେ ଥାଇ ॥
ବିଷ୍ଣୁର ମାୟା ନିତ୍ୟ ଚିନ୍ତି ।ନିକଟେ ମୃତ୍ୟୁ ନ ଦେଖନ୍ତି ॥
ମରଣ ଦେଖୁଥାଇ ଡୋଳେ ।ଅଜ୍ଞାନେ ଭ୍ରମେ ସୁଖଭୋଳେ ॥
ଏଣୁ ସଂସାର ପ୍ରାଣୀଙ୍କର ।ଆତ୍ମାର ଗତି ଅଗୋଚର ॥
ଏଣୁ ସଂସାର ଭାବ ତେଜି ।ଆତ୍ମାର ଗତି ଚିତ୍ତେ ଭଜି ॥
ଯେ ହରି ସର୍ବଘଟେ ପୂରେ ।ନିର୍ଲ୍ଲେପ ବାହ୍ୟ ଅଭ୍ୟନ୍ତରେ ॥
ତାର ମହିମା ଶୁଣି କର୍ଣ୍ଣେ ।ନାମକୁ ଉଚ୍ଚାରି ବଦନେ ॥
ଏ କଥା ସାଂଖ୍ୟ ଯୋଗେ ଜାଣି ।ସ୍ୱଧର୍ମ ନିଷ୍ଠା ପରିମାଣି ॥
ଜନ୍ମର ଲାଭ ଏ ପ୍ରମାଣ ।ଅନ୍ତେ ସୁମରେ ନାରାୟଣ ॥
ପୂର୍ବେ ନିର୍ମଳ ମୁନି ଯେତେ ।ତତ୍ତ୍ୱ ବିଚାରି ବେଦମତେ ॥
ବିଧି ନିଷେଧ ଦୂର କରି ।କୃଷ୍ଣର ଭାବ ହୃଦେ ଧରି ॥
ଏଣୁ ସୁସାଧୁ ଅନୁକ୍ଷଣେ ।ଗାଆନ୍ତି ଶୁଣନ୍ତି ଶ୍ରବଣେ ॥
ଏ ଭାଗବତ ଧର୍ମବାଣୀ ।ବ୍ରହ୍ମ ସମାନେ ପରିମାଣି ॥
ଦ୍ୱାପରଯୁଗ ଆଦିକାଳେ ।ମୁହିଁ ଅନେକ ଶିଷ୍ୟ ମେଳେ ॥
ମୋର ଜନକ ବ୍ୟାସମୁନି ।ତାଙ୍କର ଶିକ୍ଷା ମୁହିଁ ଘେନି ॥
ନିର୍ଗୁଣ ମାର୍ଗେ ଦୃଢ଼ଚିତ୍ତ ।ବିଷ୍ଣୁର ଭାବ ହେଲା ଜାତ ॥
ନିଶ୍ଚଳ ଯୋଗେ ମନ ଥୋଇ ।ଯାହା ଅଭ୍ୟାସ କରିବଇଁ ॥
କହିବା ତୋର ଆଗେ ତାହା ।ଶୁଣ ରାଜନ ପୁଣ୍ୟଦେହା ॥
ଯେ ଭାଗବତ ବାଣୀ କର୍ଣ୍ଣେ ।ଶୁଣନ୍ତି ଶ୍ରଦ୍ଧା ଅବଧାନେ ॥
ମୁକୁନ୍ଦ ପାଦେ ତାଙ୍କ ମନ ।ନିଶ୍ଚଳେ ରହେ ଦିନୁଦିନ ॥
ନିର୍ଭୟ ପଥେ ଚିତ୍ତ ରହେ ।ତାକୁ ନ ଲାଗେ ମୃତ୍ୟୁଭୟେ ॥
ଯୋଗ ଅଭ୍ୟାସୀ ଯୋଗୀଜନେ ।ଦୀର୍ଘେ ବଞ୍ଚନ୍ତି ଯୋଗଧ୍ୟାନେ ॥
ମୁହୂର୍ତ୍ତ ମାତ୍ର କୃଷ୍ଣବାଣୀ ।ଯେ ଶୁଣେ ଯେବା ମୁଖେ ଭଣି ॥
ସେ ପ୍ରାଣୀ ଆତ୍ମାକୁ ଉଦ୍ଧାରେ ।କି ଭାବ ବହୁ ସମ୍ବତ୍ସରେ ॥
ପୂର୍ବେ ଖଟ୍ୱାଙ୍ଗ ରାଜା ଥିଲା ।ସ୍ୱର୍ଗେ ଦେବଙ୍କ ହିତ କଲା ॥
ରିପୁ ନିବାରି ଗୁରୁ ପାଶେ ।ମିଳିଲା ଭକ୍ତିର ଉଶ୍ୱାସେ ॥
ଦେବେ ବୋଇଲେ ମାଗ ବର ।ତା ଶୁଣି କହେ ନୃପବର ॥
ଆୟୁଷ ଅଛି ମୋର କେତେ ।ଦେବେ କହିଲେ ଶାସ୍ତ୍ରମତେ ॥
ମୁହୂର୍ତ୍ତେ ଅଛି ତୋ ଜୀବନ ।ତା ଶୁଣି ସନ୍ତୋଷ ତା ମନ ॥
ବୋଲଇ ବରେ କାର୍ଯ୍ୟ ନାହିଁ ।କ୍ଷୀଣ ଆୟୁଷ ମୋର ଦେହୀ ॥
ତକ୍ଷଣେ ଆସି ମହୀତଳେ ।ଭଜିଲେ ଅକିଞ୍ଚନ ମେଳେ ॥
ମୁହୂର୍ତ୍ତେ ନାମ ଉଚ୍ଚାରିଲା ।ଅନ୍ତେ ସେ ଗୋବିନ୍ଦେ ପଶିଲା ॥
ଏବେ ସପତ ଦିନ ଯାଏ ।ଜୀବନ ଅଛି ତୋର ଦେହେ ॥
ଏବେ ହରିଙ୍କୁ ଆଶ୍ରେ କର ।ଶ୍ରବଣେ ବଦନେ ଉଚ୍ଚାର ॥
ଯେ ଅନ୍ତଃକାଳେ ହରିବାଣୀ ।ମୁଖେ ଉଚ୍ଚାରି କର୍ଣ୍ଣେ ଶୁଣି ॥
ଯେତେ ବିଷୟ ଆତ୍ମା ଭେଦି ।ଅସଙ୍ଗ ଅସ୍ତ୍ରେ ତାହା ଛେଦି ॥
ବେଗେ ପଶନ୍ତି କୃଷ୍ଣଭାବେ ।ଶୁଣ କହିବା ତୋରେ ଏବେ ॥
ଯେ ପ୍ରାଣୀ ଅନ୍ତଃକାଳେ ଜାଣି ।ଆତ୍ମାର ଗତି ମନେ ଗୁଣି ॥
ଗୃହ ଉପେକ୍ଷି ଚଳେ ବନେ ।ତପ ଆଚରେ ଦୁଃଖଶ୍ରମେ ॥
ସ୍ନାନକୁ ସାରି ଶୀତଜଳେ ।ବସି ନିଶ୍ଚଳେ ବୃକ୍ଷମୂଳେ ॥
ଅଭ୍ୟାସ କରି ଶୁଦ୍ଧମନେ ।ତ୍ରିବୃତ ବ୍ରହ୍ମ ସୁମରଣେ ॥
ପ୍ରାଣ ପବନ ଯୋଗେ ରୁନ୍ଧି ।ସକଳ ଇନ୍ଦ୍ରିୟ ନିରୋଧି ॥
ବୁଦ୍ଧି ସାରଥି ଆଶ୍ରେ କରି ।ବିଷୟ ସମୁହ ନିବାରି ॥
କର୍ମେ ଚଞ୍ଚଳ ମନ ଚଳେ ।ନିରୋପି କୃଷ୍ଣ ପାଦତଳେ ॥
ଏକା ଶରୀର ଚିନ୍ତି ନିତ୍ୟେ ।ବଞ୍ଚିବ ଅନୁକ୍ଷଣେ ପ୍ରାନ୍ତେ ॥
ମନକୁ ନିର୍ବିଷୟ କରି ।ସକଳ ଚିନ୍ତା ନ ସୁମରି ॥
ମନ ପ୍ରସନ୍ନ ଯେତେବେଳେ ।ଜ୍ଞାନ ପ୍ରସରଇ ନିଶ୍ଚଳେ ॥
ସ୍ୱଭାବେ ମନ ଦୁଷ୍ଟ ପଣେ ।ଆବୃତ ରଜ ତମୋଗୁଣେ ॥
ଏଣୁ ଧାରଣା ଆଶ୍ରେକରି ।ମନର ମଳ ଅପହରି ॥
ଏମନ୍ତେ ଯୋଗର ଧାରଣ ।ଯୋଗୀର ଭକ୍ତିର ଲକ୍ଷଣ ॥
ରାଜୋବାଚଧାରଣା ଯୋଗ ଚିତ୍ତେ ଧରି ।ଏମନ୍ତେ ତରେ ବ୍ରହ୍ମଚାରୀ ॥
ଧାରଣା ହ୍ୱନ୍ତେ ସୁନିଶ୍ଚଳ ।ବେଗେ ହରଇ ମନୁ ମଳ ॥
ଯୋଗୀଙ୍କ ଧାରଣା ଏମନ୍ତେ ।ଶାସ୍ତ୍ରର ଅନୁଭବ ମତେ ॥
ଗୁରୁ ବଚନ କେବା ଜାଣି ।ଯୋଗ ଧାରଣା ପରିମାଣି ॥
ଏଣୁ ଅଭ୍ୟାସ ପ୍ରାଣୀକରେ ।ଏମନ୍ତ ମନୁ ମଳ ହରେ ॥
ଶ୍ରୀ ଶୁକ ଉବାଚଜିତ ଆସନ ଜିତ ପ୍ରାଣ ।ଜିତ ବିଷୟ ଇନ୍ଦ୍ରିଗଣ ॥
ସ୍ଥୂଳ ଶରୀରେ ବୁଦ୍ଧିବଳେ ।ମନକୁ ସ୍ଥାପିବ ନିଶ୍ଚଳେ ॥
ବିଶେଷ ଗୋବିନ୍ଦ ଶରୀର ।ସ୍ଥୂଳଙ୍କ ମଧ୍ୟେ ସ୍ଥୂଳତର ॥
ଯହିଁ ସଂସାର ପରିମାଣ ।ଭୂତ ଭବିଷ୍ୟ ବତ୍ତର୍ମାନ ॥
ବ୍ରହ୍ମାଣ୍ଡ ବସେ ଯାର ଦେହେ ।ସପ୍ତାବରଣେ ଯୁକ୍ତ ହୁଏ ॥
ବିରାଟ ପୁରୁଷ ଏ ମଧ୍ୟେ ।ବସେ ଧାରଣା ଅନୁବାଦେ ॥
ବ୍ରହ୍ମାଣ୍ଡ ଚତୁର୍ଦ୍ଦଶ ପୁର ।ପ୍ରମାଣ ଶରୀର ଯାହାର ॥
ଶୁଣ କହିବା ଅଧ ଉର୍ଦ୍ଧ୍ୱେ ।ବିରାଟ ପ୍ରତିଅଙ୍ଗ ମଧ୍ୟେ ॥
ପାତାଳ ବସେ ପାଦତଳ ।ତା ପାଦ ଅଗ୍ରେ ରସାତଳ ॥
ଚରଣ ଗୁଳ୍ଫ ମହୀତଳ ।ଜଙ୍ଘ ଯୁଗଳ ତଳାତଳ ॥
ସୁତଳ ବସେ ଜାନୁଯୁଗେ ।ବିତଳାତଳ ଉରୁଭାଗେ ॥
ଜଘନ ଦେଶେ ମହୀତଳ ।ନାଭୀ ବିବର ନଭସ୍ଥଳ ॥
ଜ୍ୟୋତି ସମୂହ ପରକାଶେ ।ହୃଦରେ ସ୍ୱର୍ଲୋକହିଁ ବସେ ॥
କଣ୍ଠ ଆଶ୍ରିତ ମହଲ୍ଲୋକ ।ବଦନେ ବସେ ଜନଲୋକ ॥
ଲଲାଟେ ତପଲୋକ ବସେ ।ମସ୍ତକ ଦେଶେ ସତ୍ୟ ବସେ ॥
ବାସବ ଆଦି ଦିଗପାଳେ ।ଯା ଅଷ୍ଟଭୂଜ ଏ ଶୟଳେ ॥
କର୍ଣ୍ଣେ ଯାହାର ଅଷ୍ଟଦଶା ।ଅଶ୍ୱିନୀସୁତେ ଯାର ନାସା ॥
ଜଳନ୍ତା ଅଗ୍ନି ଯା ବଦନ ।ନୟନ ଗୋଲକ ଗଗନ ॥
ସବିତା ଯାର ଚକ୍ଷୁ ବେନି ।ଉଦୟ ଅସ୍ତ ପକ୍ଷ ବେନି ॥
ଯାର ଭୁଭଙ୍ଗ ବେନି ପାଦ ।ସଲିଳ ତାଳୁ ସରଜିହ୍ୱ ॥
ତିନି ବେଦ ଯେ ବ୍ରହ୍ମରନ୍ଧ୍ର ।ବିକଟ ତୁଣ୍ଡ ଯମପଦ ॥
ଯାହାର ତୁମ୍ଭେ ସ୍ନେହକଳା ।ଅଧଃ ଉର୍ଦ୍ଧ୍ୱରେ ଦନ୍ତମାଳା ॥
ନର ଉନ୍ମାଦ ଯାର ହାସ ।ଯେ ବିଷ୍ଣୁ ମାୟାରେ ପ୍ରକାଶ ॥
ସଂସାର ଯାହାର କଟାକ୍ଷ ।ଏ ଜୀବ ଲଭେ ତା ପ୍ରତ୍ୟକ୍ଷ ॥
ଉର୍ଦ୍ଧ୍ୱ ଓଷ୍ଠରେ ଲଜ୍ଜାବସେ ।ଲୋଭ ବସଇ ଅଧୋଦେଶେ ॥
ଧର୍ମ ବସଇ ସ୍ତନ ଯୁଗେ ।ଅଧର୍ମ ବସେ ଧର୍ମଭାଗେ ॥
ଅଣ୍ଡେ ବସଇ ପ୍ରଜାପତି ।ମିତ୍ରାବରୁଣ କୋଷେ ସ୍ଥିତି ॥
ବକ୍ଷରେ ସାଗର ନିଚୟ ।ଗିରିମାନେ ଯେ ଅସ୍ଥିଚୟ ॥
ସକଳ ନଦୀ ନାଡ଼ୀ ସାର ।ବୃକ୍ଷ ଔଷଧ ଲୋମ ଯାର ॥
ଅନନ୍ତ ବୀର୍ଯ୍ୟେ ଯହିଁ ବସେ ।ଶ୍ୱାସ ପବନ ଅଣଚାଶେ ॥
ଯାହାର ଗତି ଜାଣ କାଳ ।ଜୀବ ସଂହାର ଯାର ଖେଳ ॥
ପ୍ରାଣୀ ସଂହାର କ୍ରୀଡ଼ା ତାର ।ଶୁଣ ହେ କୁରୁ ବୀରବର ॥
ଜୀମୁତଗଣ ଯାର କେଶ ।ସନ୍ଧ୍ୟା ଯାହାର ନିଜବାସ ॥
ପ୍ରକୃତି ହୃଦୟ ଯାହାର ।ଯାହାର ମନ ନିଶାକର ॥
ବିଜ୍ଞାନ ଶକ୍ତି ଯା ମହିମା ।ଅନ୍ତଃକରଣ ରୁଦ୍ର ସୀମା ॥
କରଭ ଅଶ୍ୱ ଅଶ୍ୱତର ।ନଖ ସମୁହେ କରୀବର ॥
ଯେ ପଶୁ ମୃଗାଦି ବିଶେଷେ ।ସର୍ବ କଳ୍ପିତ କଟିଦେଶେ ॥
ପକ୍ଷୀଏ ଯାର ବ୍ୟାକରଣ ।ବୁଦ୍ଧି ବିଷୟେ ମନୁଗଣ ॥
ଯାର ନିବାସ ନରଦେହ ।ଯହିଁ କଳ୍ପିତ ମାୟା ମୋହ ॥
ଗନ୍ଧର୍ବ ବିଦ୍ୟାଧର ଆଦି ।ଚାରଣ ଗଣିକା ପ୍ରସିଦ୍ଧି ॥
କିନ୍ନର ଗଣ ଯାର ସ୍ୱର ।ବୀର୍ଯ୍ୟରେ କଳ୍ପିତ ଈଶ୍ୱର ॥
ବ୍ରାହ୍ମଣ ଯାର ମୁଖୁଜାତ ।କ୍ଷତ୍ରିୟ ଭୁଜରୁ ସମ୍ଭୁତ ॥
ଉରରୁ ବୈଶ୍ୟ ଉତପତ୍ତି ।ପାଦରୁ ଜାତ ଶୂଦ୍ରଜାତି ॥
ନାନା ପ୍ରକାର କାମ ବହି ।ଅଭୀଷ୍ଟ ଦେବେ ଯାର ଦେହୀ ॥
ନିଗମ କର୍ମକାଣ୍ଡ ଯେତେ ।ଯାହାର କର୍ମ ଏ ଯୁଗତେ ॥
ଏମନ୍ତେ ଈଶ୍ୱରଙ୍କ ଦେହେ ।ବସେ ଅସତ୍ୟ ସତ୍ୟ ପ୍ରାୟେ ॥
ଏମନ୍ତେ ଏ ସ୍ଥୂଳ ଶରୀରେ ।ଧାରଣା ଯୋଗେ ନିର୍ବିକାରେ ॥
ମନ ନିରୋଧି ଯୋଗ ବଳେ ।ବିଷ୍ଣୁର ଚରଣ କମଳେ ॥
ସର୍ବ ଶରୀରେ ଭଗବାନ ।ତା ତହୁଁ କେବା ଅଛି ଅନ୍ୟ ॥
ସେ ସର୍ବ ବୁଦ୍ଧି ଅନୁଭବ ।ଜୀବ ପରମ ବ୍ରହ୍ମଲାଭ ॥
ସ୍ୱପ୍ନ ଜାଗ୍ରତେ ଯାର ଅନ୍ତ ।କେ ଜାଣିପାରେ ତା ବୃତ୍ତାନ୍ତ ॥
ସତ୍ୟ ପରମାନନ୍ଦ ନିଧି ।ଯାର ଭଜନେ ସର୍ବ ସିଦ୍ଧି ॥
ଜନ୍ମ ମରଣ ଯାର ତହୁଁ ।କେ ଅବା ଗୋଚର ତା କହୁଁ ॥
ଏମନ୍ତ କହି ଶୁକମୁନି ।ହରଷେ ହରି ଭାବ ଘେନି ॥
ସାନନ୍ଦେ ପରୀକ୍ଷିତ ମେଳେ ।ଯାହା କହିଲେ ଗଙ୍ଗାକୂଳେ ॥
ଦ୍ୱିତୀୟ ସ୍କନ୍ଧେ ଭାଗବତ ।କହିଲେ ଦାସ ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶୁକ ପରୀକ୍ଷିତ ସମ୍ୱାଦେମହାପୁରୁଷ ସଂସ୍ଥାନ ବର୍ଣ୍ଣନେ ନାମ ପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
ଶ୍ରୀ ଶୁକ ଉବାଚଏ ଯେତେ କହିଲି ମୁଁ ତୋତେ ।ଈଶ୍ୱର ଶରୀର ସମେତେ ॥
ଏ ସ୍ଥୁଳଦେହ ମନେ ଧରି ।ସୁବୁଦ୍ଧି ବଳେ ଯତ୍ନକରି ॥
ସେ ହରି ଅନ୍ତର ବାହାରେ ।ଅନ୍ୟ କେ ଅଛି ଏ ସଂସାରେ ॥
ସେ ସର୍ବ ବୁଦ୍ଧି ଅନୁଭୂତ ।ସ୍ୱପ୍ନ ଜାଗ୍ରତ ମଧ୍ୟ ସ୍ଥିତ ॥
ସତ୍ୟ ଆନନ୍ଦ ଜଳନିଧି ।ଭକ୍ତ ଜନଙ୍କ ସର୍ବସିଦ୍ଧି ॥
ଯାହାର ତହୁଁ ଏ ଜଗତ ।ଆତ୍ମାର ସଙ୍ଗେ ଉଦେ ଅସ୍ତ ॥
ଏହି ପ୍ରକାରେ ପୂର୍ବକାଳେ ।ସେ ଆତ୍ମଯୋନି ଏ ଶୟଳେ ॥
ଆତ୍ମ ସ୍ମରଣ ବୁଦ୍ଧିବଳେ ।ସର୍ଜିଲା ଏ ବିଶ୍ୱ ମଣ୍ଡଳେ ॥
ଆତ୍ମାକୁ ପାଳି ପୁଣି ହରେ ।ବୋଇତ ଯେହ୍ନେ ବଣିଜ୍ୟରେ ॥
ଶବଦମୟ ବ୍ରହ୍ମପଥ ।ଯେ ମାର୍ଗେ ଜୀବ ଆତଯାତ ॥
ପଡ଼ି ଭ୍ରମଇ ଅଧ ଉର୍ଦ୍ଧ୍ୱେ ।କିଛି ନ ଲଭେ ଲାଭପଦେ ॥
ବାସନାମୟ ମାୟାଯାନେ ।ନ ବୁଝି ନିରତେ ଭ୍ରମଣେ ॥
ତାହାଙ୍କ ମଧ୍ୟେ ସେ ସୁବୁଦ୍ଧି ।ଜାଣେ ବେପାର ସଦବୁଦ୍ଧି ॥
ବିଚାର କରେ ମାୟାପଥେ ।ମୁହିଁ ଭ୍ରମଇ କିସ ଅର୍ଥେ ॥
ଶ୍ରମ ଲଭଇ ଆତଯାତେ ।ଲାଭ ନ ମିଳେ ମୋର ହସ୍ତେ ॥
ଏଣୁ ଏ ପଥଶ୍ରମ ତେଜି ।ଯେ ପ୍ରାଣୀ ଆତ୍ମଲାଭ ଖୋଜି ॥
ପ୍ରତ୍ୟାଶା ଦୂରେ ପରିହରେ ।ଆତ୍ମାରେ ଆତ୍ମା ବୋଧକରେ ॥
ଅଳପ ସୁଖେ ଆତ୍ମା ତୋଷେ ।ବର୍ତ୍ତଇ ଦିନ ଉପବାସେ ॥
ଥାଉଁ ଏ ବସୁନ୍ଧରୀ ଅଙ୍କ ।କି ସୁଖ ସୁବର୍ଣ୍ଣ ପଲଙ୍କ ॥
ସମର୍ଥ ଭୁଜ ଥାଉ ବାମେ ।କି ପ୍ରୟୋଜନ ଉପାଧାନେ ॥
ଯେବେ ବା ଅଛିଟି ଅଞ୍ଜଳି ।କି ପ୍ରୟୋଜନ ପାକସ୍ଥଳୀ ॥
ଦିଗ ବଳ୍କଳ ଯେବେ ଥିବ ।ପଟ୍ଟବସ୍ତ୍ରରେ କିସ ହେବ ॥
ବୃକ୍ଷର ଯେଉଁ ଫଳମାନ ।ସେ କି ନୁହନ୍ତି ଭିକ୍ଷା ଅନ୍ନ ॥
ନଦୀ ସବୁ କି ଶୁଖିଅଛି ।ଗିରି ଗୁହା କି ରୁନ୍ଧିଅଛି ॥
ହରିକି ନ ରଖେ ଭକତ ।ଧନ ଲାଭରେ କିମ୍ପାଚିତ୍ତ ॥
ଏମନ୍ତ ଭାବେ କୃଷ୍ଣ ପାଦେ ।ଯେ ପ୍ରାଣୀ ଭଜନ୍ତି ଆନନ୍ଦେ ॥
ସେ କିମ୍ପା ଧନଗର୍ବୀ ଲୋକେ ।କ୍ଷଣେ ଭଜିବେ ଆତ୍ମାସୁଖେ ॥
ଏହି ପ୍ରକାରେ ଆତ୍ମାଚିତ୍ତେ ।ସିଦ୍ଧି ଲଭନ୍ତି ଅନୁଭୂତେ ॥
ସେ ପ୍ରାଣୀ ହୁଏ କୃତ୍ୟ କୃତ୍ୟ ।ତାହାକୁ ପ୍ରସନ୍ନ ଅନନ୍ତ ॥
ଏଣୁ ନିରତେ ଆତ୍ମ ଯୋଗେ ।ଭଜିବ କୃଷ୍ଣ ପାଦ ଯୁଗେ ॥
ମୁଁ ଯେତେ କହିଲି ବିଶ୍ୱାସେ ।ଏଣୁ ସଂସାରେ ହେତୁ ନାଶେ ॥
ଏ ଭବ ଅନାଦର କରି ।ସଂସାର ଚିନ୍ତା ଚିତ୍ତେ ଭରି ॥
ପଶୁମାନଙ୍କର ଏ ଗତି ।ମାୟା ସଂସାରେ ଯେ ଭ୍ରମନ୍ତି ॥
ଦେଖ ସଂସାରେ ପ୍ରାଣୀ ଯେତେ ।ଯନ୍ତ୍ରିତ କର୍ମର ଆୟତ୍ତେ ॥
ବଇତରଣୀ ନାମେ ନଦୀ ।ଯାତନା ମଧ୍ୟେ ସେ ପ୍ରସିଦ୍ଧି ॥
ତହିଁ ପଡ଼ଇ ଦେଖୁ ଦେଖୁ ।ତାଙ୍କ ଜୀବନ କେବା ରଖୁ ॥
ଅର୍ଜିଲା କର୍ମଫଳ ଲଭି ।ଅଶେଷ ଦେହେ ତାହା ସେବି ॥
ଏବେ ହୋ ଶୁଣ ନୃପମଣି ।ତେଣୁ ସଂସାରେ ତରେ ପ୍ରାଣୀ ॥
ସେ ଅବା ଏ ନର ଶରୀରେ ।ଧାରଣା ଯୋଗ ନିର୍ବିକାରେ ॥
ସ୍ୱଦେହେ ହୃଦୟେ ପ୍ରକାଶେ ।ସେ ହରି ଘୋର ତମ ନାଶେ ॥
ପ୍ରାଦେଶ ମାତ୍ର ରୂପ ଧରି ।ବିଜୟ ପ୍ରଭୁ ନରହରି ॥
ସୂକ୍ଷ୍ମ ସ୍ୱରୂପ ରୂପ ତାର ।ଶୁଣ ସାନନ୍ଦେ କୁରୁବୀର ॥
ଶ୍ୟାମସୁନ୍ଦର ଭୁଜ ଚାରି ।ଶଙ୍ଖ କମଳ ଚକ୍ରଧାରୀ ॥
ଧାରଣ ଯୋଗେ ଏହା ଚିନ୍ତି ।ନିଶ୍ଚଳ ନୟନେ ଦେଖନ୍ତି ॥
ପ୍ରସନ୍ନ ଶ୍ରୀମୁଖମଣ୍ଡଳ ।ଲୋଚନ ପୁଣ୍ଡରୀକ ଦଳ ॥
କଦମ୍ବ କିଞ୍ଜଳ୍କ ସୁରଙ୍ଗ ।ପୀତ ବସନେ ଶୋହେ ଅଙ୍ଗ ॥
ଅମୁଲ୍ୟ ହାର ବକ୍ଷସ୍ଥଳେ ।ରତ୍ନ କେୟୁର ବାହୁମୂଳେ ॥
ସୁବର୍ଣ୍ଣ କିରୀଟ କୁଣ୍ଡଳ ।ସୁନ୍ଦର ଅଳକା କପୋଳ ॥
ହୃଦୟ ପଦ୍ମ ମଧ୍ୟେ ସ୍ମରି ।ଏ ରୂପ ଚିନ୍ତେ ବ୍ରହ୍ମଚାରୀ ॥
ଶ୍ରୀବତ୍ସ କଉସ୍ତୁଭ ମଣି ।ସୁବର୍ଣ୍ଣ ସୂତ୍ରେ ସୁଖଞ୍ଜଣି ॥
ଆଜାନୁ ଲମ୍ବେ ବନମାଳ ।କନ୍ଧୁ ବେଷ୍ଟିତ ବକ୍ଷସ୍ଥଳ ॥
ରତ୍ନ ମେଖଳା କଟୀ ମାଝେ ।ଅଙ୍ଗୁଳେ ମୁଦ୍ରିକା ବିରାଜେ ॥
ଅଙ୍ଗଦ ନୁପୁର କଙ୍କଣ ।ବିବିଧେ ଅଙ୍ଗ ଆଭରଣ ॥
କମଳ ପୁଷ୍ପ ଶିରେ ଶୋହେ ।ନୀଳ କୁନ୍ତଳ ଜନ ମୋହେ ॥
ସୁନ୍ଦର ହସିତ ବଦନ ।ଅଞ୍ଜନେ ବିରାଜେ ନୟନ ॥
ଭ୍ରୁଭଙ୍ଗ ଅନୁଗ୍ରହ ମୁଖ ।ଭୃକୁଟୀ କୁଟୀଳ ସୁରେଖ ॥
ଏମନ୍ତେ ଈଶ୍ୱରର ଦେହେଁ ।ଚିତ୍ତେ ଚିନ୍ତିବ ମାୟାମୋହେ ॥
ଯାବତ ଧାରଣାର ବଳେ ।ମନ ନ ରହେ ସୁନିଶ୍ଚଳେ ॥
ଏମନ୍ତ ଏକ ଏକ ଅଙ୍ଗେ ।ନିତ୍ୟେ ଭାବିବ ବୁଦ୍ଧି ଯୋଗେ ॥
ହାସ୍ୟ ବଦନୁ ପାଦ ଯାଏ ।ଭାବିବ ବିଷ୍ଣୁ ସ୍ଥୁଳ ଦେହେ ॥
ସ୍ଥାନକୁ ସ୍ଥାନ ଧ୍ୟାନ କରି ।ଭିତରେ ପଶିବ ପ୍ରସାରି ॥
ଯାବତ ବୁଦ୍ଧି ଏ ଶରୀରେ ।ପରମ ଶୁଦ୍ଧ ନ ବିଚାରେ ॥
ଯାବତ ବିଷ୍ଣୁ ନିଜ ଦେହେ ।ନ ଦେଖି ତତ୍ତ୍ୱର ଉଦୟେ ॥
ତାବତ ସ୍ଥୂଳ ରୂପ ଚିନ୍ତି ।ଚିତ୍ତେ ସ୍ମରିବ ନିତି ନିତି ॥
ସୁଖେ ବସିବ ସ୍ଥିରାସନେ ।ସ୍ଥୂଳ ଶରୀରେ ଯୋଗଧ୍ୟାନେ ॥
ଏମନ୍ତ କରିବ ଧାରଣ ।ଯାବତ ନ ଘଟେ ମରଣ ॥
ପବିତ୍ର ପୁଣ୍ୟତୀର୍ଥ କାଳେ ।ମନ ନ କରିବ ଚଞ୍ଚଳେ ॥
ଯୋଗ ଧାରଣେ ପଞ୍ଚପ୍ରାଣ ।ସାଧିବ ସମାଧି ଧାରଣ ॥
ଆସନ ପ୍ରତ୍ୟାହାର ବଳେ ।ମନକୁ ସ୍ଥାପିବ ନିଶ୍ଚଳେ ॥
ମନ ସହିତେ ଇନ୍ଦ୍ରିଗଣ ।ନିର୍ମଳ ବୁଦ୍ଧିରେ ସଂଯମ ॥
ସେ ବୁଧ କ୍ଷେତ୍ରଜ୍ଞ ପ୍ରମାଣି ।ଆତ୍ମାରେ କ୍ଷେତ୍ରଜ୍ଞକୁ ଜାଣି ॥
ଆତ୍ମାରେ ଆତ୍ମାକୁ ନିରୋଧି ।ଏମନ୍ତ ଯେ ଜନ ସୁବୁଦ୍ଧି ॥
ଆତ୍ମାର ଲାଭ ଲଭେ ହେଳେ ।କର୍ମ ଛାଡ଼ିବୁ ତେତେବେଳେ ॥
ଏ ଭାବେ ଜୀବର ନିସ୍ତାର ।କାଳର ନାହିଁ ଅଧିକାର ॥
ଦେବେ ନୁହନ୍ତି ଯହିଁ ହିଂସ୍ର ।ତ୍ରିଗୁଣେ ନୁହନ୍ତି ପ୍ରବେଶ ॥
ଇନ୍ଦ୍ରିୟଗଣେ ଅଗୋଚର ।ନାହିଁ ମହତ ତତ୍ତ୍ୱ ଦୂର ॥
ଏ ଘେନି ବୈଷ୍ଣବର ଧାମ ।ପରମ ପଦ ତାର ନାମ ॥
କେବେ ନ ପାନ୍ତି ଯାହା ଚିନ୍ତି ।ନ ଜାଣୁ ନ ଜାଣୁ କହନ୍ତି ॥
ଦୂରାତ୍ମା ଭାବ ପରିହରି ।ସୁହୃଦ ଭାବ ଚିତ୍ତେ ଧରି ॥
ପରମ ପଦେ କରି ସ୍ଥାନ ।ତେବେ ସାଧିବ ଦୃଢ ମନ ॥
ବିଶ୍ୱକୁ ବ୍ରହ୍ମମୟ ଭାବି ।ପାରିଲେ ହେବ ସର୍ବସିଦ୍ଧି ॥
ବାମ ଚରଣ ପଛଭର ।ତେଣେ ନିରୋଧି ମୂଳାଧାର ॥
ମୂଳ ପବନ ଉର୍ଦ୍ଧ୍ୱେ ତୋଳି ।ନାଭି ପବନ ସଙ୍ଗେ ମିଳି ॥
ବେନି ପବନ ତୋଳି ବଳେ ।ସ୍ଥାପିବ ହୃଦୟ କମଳେ ॥
ତହୁଁ ତୋଳିବ ତିନି ପ୍ରାଣ ।କଣ୍ଠେ ଯେ ବସଇ ଉଦାନ ॥
ବ୍ୟାନ ପବନ ତାର ତୁଲେ ।ଧରି ସ୍ଥାପିବ ତାଳୁ ମୂଳେ ॥
ତହୁଁ କୁମ୍ଭକ ସାଧିକରି ।ପ୍ରାଣକୁ ଭୂମଣ୍ଡଳେ ଭରି ॥
ନିରୋଧ କରି ସ୍ୱାହା ଦ୍ୱାର ।ସ୍ମରଣ କରିବ ଓଁକାର ॥
ନିୟତ ଥାଇ ଯୋଗବନ୍ଧେ ।ତେବେ ସ୍ଥାପିବ ବ୍ରହ୍ମରନ୍ଧ୍ରେ ॥
ନିଶ୍ଚଳ ଯୋଗେ ଦୃଢ଼େ ସାଧି ।ତକ୍ଷଣେ ବ୍ରହ୍ମରନ୍ଧ୍ରେ ଭେଦି ॥
ପରମ ପଦେ ତାର ଗତି ।ବ୍ରହ୍ମାର ବ୍ରହ୍ମଲୋକେ ସ୍ଥିତି ॥
ଗୁଣ ସମୁହ ଅଷ୍ଟନିଧି ।ଯେଣୁ ବାଞ୍ଛଇ ମନ ସିଦ୍ଧି ॥
ମନ ଇନ୍ଦ୍ରିୟଗଣ ମେଳେ ।ତକ୍ଷଣେ ବ୍ରହ୍ମଲୋକ ମିଳେ ॥
ଯୋଗେଶ୍ୱରଙ୍କର ଏ ଗତି ।ପରମ ପୁରୁଷ ବୋଲନ୍ତି ॥
ଏମନ୍ତେ ତିନିଲୋକ ଜିଣି ।ଶୁଣ କହିବା ପରିମାଣି ॥
ଯେ କର୍ମ ସାଧେ କର୍ମ କାଣ୍ଡେ ।ସେ କାହିଁ ଲଭେ ଉର୍ଦ୍ଧ୍ୱ ଦାଣ୍ଡେ ॥
କେବା ଲଭିବ କର୍ମ ଭାବେ ।ସମାଧି ବିଦ୍ୟା ତପଯୋଗେ ॥
ସୁଷୁମ୍ନା ରନ୍ଧ୍ରେ ବ୍ରହ୍ମପଥେ ।ଜ୍ୟୋତି ପ୍ରକାଶେ ଉର୍ଦ୍ଧ୍ୱଗତେ ॥
ବିଧୌତ କଳୁଷ ଶରୀର ।ସେ ଚିତ୍ରେ ସ୍ଥିତି ସୁଷୁମ୍ନାର ॥
ସେହି ସୁଷୁମ୍ନା ଚକ୍ରସାର ।ଯେ ଚକ୍ର ତଳେ ଧ୍ରୁବପୁର ॥
ବିଶ୍ୱର ନାଭି ସେ ବୋଲାଇ ।ଆତ୍ମା ସ୍ୱରୂପେ ତହୁଁ ଯାଇ ॥
ପ୍ରବେଶ ପରମ ସ୍ୱରୂପେ ।ବ୍ରହ୍ମ ନିର୍ବାଣ ମହଲ୍ଲୋକେ ॥
କଳ୍ପ ଆୟୁଷ ସିଦ୍ଧଗଣେ ।ଯହିଁ ରମନ୍ତି ଅନୁକ୍ଷଣେ ॥
ସେ ପୁଣି କଳ୍ପକ୍ଷୟ କାଳେ ।ଅନନ୍ତ ନିଃଶ୍ୱାସେ ଅନଳେ ॥
ଦହନ ଦେଖି ଅନ୍ତରୀକ୍ଷେ ।ଅନନ୍ତ ଶୟନ ପ୍ରତ୍ୟକ୍ଷେ ॥
ସିଦ୍ଧେଶ୍ୱରଙ୍କ ସ୍ଥାନେ ପଶେ ।ବେଦ ଯା ବ୍ରହ୍ମଲୋକେ ଘୋଷେ ॥
ସଂସାରକର୍ତ୍ତା ଯେ ବୋଲାନ୍ତି ।ସେ ବ୍ରହ୍ମା ବ୍ରହ୍ମଲୋକେ ସ୍ଥିତି ॥
ଯେ ପୁରେ ନାହିଁ ଦୁଃଖ ଶୋକ ।ଜରା ମରଣ ଉଦବେଗ ॥
ଚିତ୍ତ ଅନର୍ଥ ହେତୁ କାହିଁ ।ଜନ୍ମ ମରଣ ଭୟ ନାହିଁ ॥
କେତେହେଁ କାଳ ସେ ଭୁବନେ ।ରହି ଚିନ୍ତଇ ଅବଧାନେ ॥
ପୃଥିବୀ ରୂପେ ଲିଙ୍ଗ ଦେହେ ।ସେ ପୁଣି ବିହରେ ନିର୍ଭୟେ ॥
ପୃଥିବୀ ରୂପେ ଜଳେ ଯାଇ ।ସେ ଇଷ୍ଟ ଭୋଗ ତା ଭୁଞ୍ଜଇ ॥
ଅନଳ ସମ ତହୁଁ ସ୍ଥିତି ।ଜ୍ୟୋତି ସ୍ୱରୂପ ପ୍ରାଣ ଚିନ୍ତି ॥
ପବନେ କରଇ ସଞ୍ଚାର ।ଧରଇ ପବନ ଶରୀର ॥
ସେ ବାୟୁ କାଳେ ନଭେ ପୂରେ ।ସେ ଜୀବ ଲିଙ୍ଗ ରୂପ ଧରେ ॥
ଗନ୍ଧ କଳ୍ପଇ ଘ୍ରାଣ ମାତ୍ରେ ।ରସକୁ ରସନା ସଙ୍ଗତେ ॥
ଦୃଷ୍ଟିରେ ରୂପକୁ ସଂହାରି ।ତ୍ୱକକୁ ସ୍ପର୍ଶରେ ସେ ହରି ॥
ଶବଦ ଗୁଣେ କର୍ଣ୍ଣ ଭାରି ।ଏ ରୂପେ ପ୍ରାଣ ସୂକ୍ଷ୍ମେ ଧରି ॥
ବୁଦ୍ଧି ଇନ୍ଦ୍ରିୟ ଭାବ ଏଣେ ।ଏ ପଞ୍ଚମାତ୍ରା ପରମାଣେ ॥
ଏ ଅହଙ୍କାର ଭଗବାନ ।ବୁଦ୍ଧି ଇନ୍ଦ୍ରିୟ ଦିବ୍ୟଜ୍ଞାନ ॥
ପଞ୍ଚ ବିକାରେ ପଞ୍ଚ ଦେବା ।ମନ ସମ୍ମତେ କରି ସେବା ॥
ଏ ପଞ୍ଚ ଦେବତା ସହିତେ ।ସୂକ୍ଷ୍ମ ସ୍ୱରୂପେ ମହତ୍ତତ୍ତ୍ୱେ ॥
ସେ ତତ୍ତ୍ୱ ଗୁଣର ସଂସ୍ଥାନ ।ପ୍ରଧାନେ ଦେହେ ହୁଏ ଲୀନ ॥
ନିତ୍ୟ ନିର୍ଗୁଣ ସେ ନିରୋଧେ ।ଦଶ ଇନ୍ଦ୍ରିୟ ଆତ୍ମା ସାଧେ ॥
ଆତ୍ମା ନିରୋଧେ ଆତ୍ମଜ୍ଞାନେ ।ପ୍ରବେଶ କରେ ଅବ୍ୟମାନେ ॥
ଆନନ୍ଦେ ଜ୍ଞାନ ରସ ଭୋଳେ ।ଶାନ୍ତି ଭଜଇ ସେ ନିଶ୍ଚଳେ ॥
ଏମନ୍ତେ ଧାରଣାନୁଭାବ ।ନିଶ୍ଚେ ପଶଇ ବାସୁଦେବ ॥
ଅନ୍ତେ ଲଭଇ ଯେତେ ଗତି ।ତାହାକୁ କହି ଭାଗବତୀ ॥
ଯହିଁ ପଶିଲେ ଆତ୍ମା ମନ ।ନ ଲଭେ ପୁନରାଗମନ ॥
ଶୁଣ ହୋ ନୃପ ପରୀକ୍ଷିତ ।ଯେଣୁ ପୁଚ୍ଛିଲୁ ଭାଗବତ ॥
ମୋକ୍ଷର ମାର୍ଗ ମୁଁ କହିଲି ।ତୋ ମନୁ ସଂଶୟ ଛେଦିଲି ॥
ତେଣୁ କହିଲି ଶ୍ରୁତି ଯୋଗେ ।ତୋର ସମୀପେ ଅନୁରାଗେ ॥
ଦଇବେ କାଳ ଅବସାନ ।ଏଣେ କହିବା ଦିବ୍ୟଜ୍ଞାନ ॥
ବ୍ରହ୍ମାର ତପେ ହୋଇ ତୋଷ ।ବିଷ୍ଣୁ ଯେ ଦେଲେ ଉପଦେଶ ॥
ସେ ପଦ କହିଲି ମୁଁ ତୋତେ ।ଏବେ ତୁ ଶୁଣ ଏକ ଚିତ୍ତେ ॥
ସଂସାର ସଞ୍ଚରନ୍ତି ଯେତେ ।ସେ କାହିଁ ଯିବେ ବିଷ୍ଣୁ ପଥେ ॥
ସେ କଥା ଶୁଣି ପ୍ରିୟଭାବେ ।ସେ ଭକ୍ତି ଲଭେ ବାସୁଦେବେ ॥
ବ୍ରହ୍ମାର ତପ କଷ୍ଟେ କରି ।ଯାହା କହିଲେ ଦୟାକରି ॥
ସେ ସର୍ବବ୍ରହ୍ମ ବେଦସାର ।ସକଳ ବୁଝି ତିନିବାର ॥
ସେ ହରି ସର୍ବଭୂତ ମଧ୍ୟେ ।ନିତ୍ୟ ବିହରେ ଆତ୍ମାପଦେ ॥
ଯେ ଭକ୍ତି ଜୀବ ସୁଖପଥ ।ଏଭାବେ ହେଲେ ଆତ୍ମାରତ ॥
ବୁଦ୍ଧି ଲକ୍ଷଣ ଅନୁମାନେ ।ନିଶ୍ଚଳ ଯୋଗୀ ଯୋଗଧ୍ୟାନେ ॥
କେ ଅବା କରିବ ଗୋଚର ।ଜଗତ ବାହ୍ୟ ଅଭ୍ୟନ୍ତର ॥
ଏ ଘେନି ସର୍ବ ଆତ୍ମା ଭାବେ ।ସର୍ବଦା କାଳେ ଏକଠାବେ ॥
ହରିଙ୍କି କର୍ଣ୍ଣପଥେ ଶୁଣି ।ମୁଖେ ନିରତେ ନାମ ଭଣି ॥
ସେ ହରି କଥାମୃତ ରସ ।ଯେ କରେ କର୍ଣ୍ଣପଥେ ପ୍ରାସ ॥
ବିଷୟ ବିଷ ନାଶି ଚିତ୍ତ ।ପବିତ୍ର କରେ ଅନ୍ତର୍ଗତ ॥
ଗୋବିନ୍ଦ ଚରଣ କମଳେ ।ପଶଇ ଭକ୍ତ ଯୋଗବଳେ ॥
ଏ ଭାଗବତ ରସ ଚିତ୍ତେ ।ସୁଜନେ ପିଅ କର୍ଣ୍ଣପଥେ ॥
ବିଷୟ ରସ ଯାଉ ନାଶ ।କହଇ ଜଗନ୍ନାଥ ଦାସ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରହଂସ୍ୟା ସଂହିତାୟାଂବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶୁକ ପରୀକ୍ଷିତ ସମ୍ୱାଦେଯୋଗସ୍ମୃତିଦ୍ୱୟ ବର୍ଣ୍ଣନେ ନାମ ଦ୍ୱିତୀୟୋଽଧ୍ୟାୟଃ ॥
ସମ୍ବନ୍ଧିତ ରଚନା
ଶ୍ରୀମଦ୍ ଭାଗବତ (ଅଷ୍ଟମ ସ୍କନ୍ଧ)
ଜଗନ୍ନାଥ ଦାସ
ଶ୍ରୀମଦ ଭାଗବତ (ଚତୁର୍ଥ ସ୍କନ୍ଧ)
ଜଗନ୍ନାଥ ଦାସ
ଶ୍ରୀମଦ୍ ଭାଗବତ (ତୃତୀୟ ସ୍କନ୍ଧ)
ଜଗନ୍ନାଥ ଦାସ
ଶ୍ରୀମଦ୍ ଭାଗବତ (ପ୍ରଥମ ସ୍କନ୍ଧ)
ଜଗନ୍ନାଥ ଦାସ