ଶ୍ରୀମଦ୍ ଭାଗବତ (ଦ୍ୱିତୀୟ ସ୍କନ୍ଧ)
ଜଗନ୍ନାଥ ଦାସ · ଭାଗ ୪ / ୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଅଷ୍ଟମ ଅଧ୍ୟାୟ
ରାଜୋବାଚଶୁକ ଚରଣେ ଦେଇ ଚିତ୍ତ ।ଆନନ୍ଦେ କହେ ପରୀକ୍ଷିତ ॥
ନାରଦ ଆଗେ ବ୍ରହ୍ମା ଯେତେ ।ବିଷ୍ଣୁ ମହିମା ଭାଗବତେ ॥
କହିଲେ ଜନ ଉପକାରେ ।ସେ କଥା ଶୁଣି ପ୍ରାଣୀ ତରେ ॥
ଯେ ଅବା ସ୍ଥାନେ ଯାର ଆଗେ ।ମୁନି କହିଲେ ଭକ୍ତିଭାବେ ॥
ତାହା ଶ୍ରବଣେ ଇଚ୍ଛା ମୋର ।ତୁମ୍ଭେ ମୁନିଙ୍କ ମଧ୍ୟେ ବର ॥
ହରି ମହିମା ଅଗୋଚର ।ଶ୍ରବଣେ ମଙ୍ଗଳ ଉଚ୍ଚାର ॥
ସେ କଥା କହ ମୁନି ମୋତେ ।ସେ ହରି ଚରଣ ଯେମନ୍ତେ ॥
ନିଶ୍ଚଳ ମନ କରି ସ୍ଥିର ।ଯେମନ୍ତେ ଛାଡ଼ିବି ଶରୀର ॥
ଶ୍ରଦ୍ଧାରେ ଯେବା ନିତ୍ୟେ ଶୁଣେ ।ସେ ହରି କଥା ମନେ ଗୁଣେ ॥
ମଙ୍ଗଳ ନାମ ଉଚ୍ଚାରଣେ ।ତାହାର ହୃଦେ ତତକ୍ଷଣେ ॥
ଶ୍ରବଣ ମାର୍ଗେ ହରି ପଶେ ।ହୃଦୟ ପଦେ ସ୍ଥିରେ ବସେ ॥
ତାର ଦୂରିତ ସର୍ବ ନାଶେ ।ଶିଶିର ଯେହ୍ନେ ବୃଷ୍ଟି ନାଶେ ॥
ଜଳୁ ହରଇ ମୀନ ରାଶି ।ସେ ଯେହ୍ନେ ନିର୍ମଳ ପ୍ରକାଶି ॥
ନିର୍ମଳ ଆତ୍ମା ତାର ହୋଏ ।ସେ କୃଷ୍ଣ ପାଦ ମୂଳେ ରହେ ॥
କେବେହେଁ ନୋହେ ସେବା ହର ।ମାୟା ଭ୍ରମଣ ହୋଏ ଦୂର ॥
ପଥିକ ଯେହ୍ନେ ଶ୍ରମ ପାଇ ।ସେ ଯେହ୍ନେ ନିଜ ଗୃହେ ଥାଇ ॥
ଶ୍ରମ ପାଶୋରି ସୁଖେ ରହେ ।ଗୃହ ସମ୍ପଦ ଭୋଗେ ଦେହେ ॥
ଅଧାତୁମନ୍ତ ଆତ୍ମା ହୋଏ ।ଧାତୁ ଘଟଣେ ଦେହ ବହେ ॥
ସ୍ୱତେଜେ ପ୍ରକାଶ ଯେମନ୍ତେ ।ତୁମ୍ଭେତ ଜାଣ ଏହା ଚିତ୍ତେ ॥
ଯାର ନାଭିରୁ ପଦ୍ମ ହୋଇ ।ଲୋକଙ୍କ ସ୍ଥାନ ପ୍ରକାଶଇ ॥
ଯେବା ପୁରୁଷ ଦେହ ମତେ ।ନାନା ପ୍ରକାରେ ସଂଜ୍ଞା ଯେତେ ॥
ପ୍ରକାଶେ ଅବୟବ ଦେହୀ ।ତା ରୂପ ନ ଜାଣନ୍ତି କେହି ॥
ସ୍ୱଭାବେ ଜନ୍ମଯାର ନାହିଁ ।ଆତ୍ମାରୁ ପ୍ରାଣୀଙ୍କୁ ସର୍ଜଇ ॥
ସେ ଭୂତ ଭୂତ ଆତ୍ମାଦେହେ ।ତାହାକୁ ତାର ଅନୁଗ୍ରହେ ॥
ଯେମନ୍ତେ ଦେଖେ ରୂପବନ୍ତ ।ନାଭିକମଳୁ ହୋଇ ଜାତ ॥
କାଳକବଳେ ସେ ପୁରୁଷ ।ଏ ବିଶ୍ୱ ସୃଷ୍ଟି ସ୍ଥିତି ନାଶ ॥
ସଂକଳ୍ପେ କରଇ ତା ଅଂଶେ ।ସର୍ବ କଳ୍ପିତ ନାନା ରସେ ॥
ଏ ଭାବେ ଶୁଣିଲଇଁ ମୁହିଁ ।ଏବେ ତୁମ୍ଭଙ୍କୁ ପଚାରଇ ॥
କଳ୍ପିତ କଥା କଳ୍ପକାଳେ ।ସେ ବହୁ କରେ ଅବହେଳେ ॥
ଭୂତ ଭବିଷ୍ୟ ବର୍ତ୍ତମାନେ ।ସୃଷ୍ଟି ପାଳନ ଅବସାନେ ॥
କାଳର ଯେବା ଅନୁଗତି ।କଳ୍ପିବ କଳ୍ପ ସଂଖ୍ୟା ସ୍ଥିତି ॥
କର୍ମର ଗତି ଅବା କେତେ ।ଯେ ହେତୁ ପ୍ରକାଶେ ଯେମନ୍ତେ ॥
କର୍ମେ ସଞ୍ଚରେ ଯହିଁ ତହିଁ ।ଏ ଭାବେ ଜୀବ ତା ଭୁଞ୍ଜଇ ॥
ଗୁଣେ ଗୁଣଜ୍ଞ ପରିମାଣ ।ଭୂମି ପାତାଳ ଦେଶ ବ୍ୟୋମ ॥
ଗ୍ରହ ନକ୍ଷତ୍ର ମହୀଧର ।ନଦୀ ସମୁଦ୍ର ଦ୍ୱିପବର ॥
ଏଥେ ଆଶ୍ରିତ ଜନ ଯେତେ ।ବ୍ରହ୍ମାଣ୍ଡ ପ୍ରମାଣ ବା କେତେ ॥
ଏ ବାହ୍ୟାନ୍ତରେ ବସ୍ତୁ ଯେତେ ।ସଂକ୍ଷେପେ କହ ମୋ ଅଗ୍ରତେ ॥
କାଳର ଯେବା ଅନୁଗତି ।କଳ୍ପ ବିକଳ୍ପ ସଂଖ୍ୟା ସ୍ଥିତି ॥
କର୍ମର ଗତି ଅବା କେତେ ।ଯେ ହେତୁ ପ୍ରକାଶେ ଯେମନ୍ତେ ॥
ଯୁଗାନୁଯୁଗେ ଯୁଗମାନ ।ଯେ ଯୁଗେ ଅବା ଧର୍ମଜ୍ଞାନ ॥
ମନୁଷ୍ୟ ସାଧାରଣ ଧର୍ମ ।ଯେବେ ବିଶେଷ ଯଥା କର୍ମ ॥
ବ୍ରହ୍ମଋଷିଙ୍କ ଧର୍ମ ଆଦି ।ଯେ ରାଜ ଋଷିଏ ସମ୍ପାଦି ॥
ଯୋଗେଶ୍ୱରଙ୍କ ମୁଖେ କେତେ ।ଲିଙ୍ଗ ଭଗନେ ମୋକ୍ଷ ପଥେ ॥
ଯେ ଧର୍ମଦେବ ଉପବେଦେ ।ପୁରାଣ ଇତିହାସ ବେଦେ ॥
ସର୍ବ ଭୂତଙ୍କୁ ସେ ସମ୍ଭବ ।ବିକ୍ରମ ସଂକ୍ରମ ପ୍ରସ୍ତାବ ॥
ଯେ ବିଧି ଯଜ୍ଞଫଳ ଦାନେ ।ଯେ କର୍ମ ତ୍ରିବର୍ଗ ସାଧନେ ॥
ଜୀବ ସମ୍ଭବ ଯେବା ମତେ ।ଯେ ଅବା ପାଷାଣ୍ଡ ସଙ୍ଗତେ ॥
ଅସାର ବଦ୍ଧ ମୋକ୍ଷ ଦୁଇ ।ଯେବା ସ୍ୱରୂପ ଯେଣେ ରହି ॥
ଯେ ଆତ୍ମାତନ୍ତ୍ର ଭାବଗ୍ରାହୀ ।ଆତ୍ମାର ମାୟାରେ କ୍ରୀଡ଼ଇ ॥
ମାୟାଦି ସୂକ୍ଷ୍ମ ସ୍ଥୂଳ ଯେତେ ।ତା ମଧ୍ୟେ ରହେ ସାକ୍ଷୀମତେ ॥
ଏବେ ମୁଁ ପଚାରିଲି ଯେତେ ।ସଂକ୍ଷେପେ କହ ପ୍ରଭୁ ମୋତେ ॥
ବ୍ରହ୍ମାର ଆତ୍ମା ନାରାୟଣ ।ଯେ ବିଶ୍ୱ ସଂସାର ପ୍ରମାଣ ॥
ପୂର୍ବା ପୂର୍ବେ ସେ ଯାହା ଚିନ୍ତି ।ଆଗରେ ତାହା ଆଚରନ୍ତି ॥
ତୁମ୍ଭ ବଦନୁ ହରି ରସ ।ପିବନ୍ତେ ନୋହେ ମନତୋଷ ॥
ଶ୍ରୀ ସୁତ ଉବାଚଏମନ୍ତେ ପରୀକ୍ଷିତ ବାଣୀ ।ହରଷେ ଶୁକ ମୁଖୁ ଶୁଣି ॥
ମୁନିଜନଙ୍କ ସଭା ମଧ୍ୟେ ।ଯେ ଅବା କହିଲେ ଆନନ୍ଦେ ॥
ସେ ଭାଗବତ ହରି ଗୁଣ ।ବ୍ରହ୍ମା ସମ୍ୱାଦ ଏ ପୁରାଣ ॥
ଯେ କଥା ବ୍ରହ୍ମାର ଅଗ୍ରତେ ।ସେ ବ୍ରହ୍ମା କଳ୍ପ ଉପଗତେ ॥
ଏକାନ୍ତେ କହିଲେ ମୁରାରି ।ବିଶ୍ୱସଂସାରେ ଦୟା କରି ॥
ସେ କଥା ଆଦି ମଧ୍ୟ ଅନ୍ତ ।ଶୁଣ କହିବା ତୋ ଅଗ୍ରତ ॥
କହଇ ଦାସ ଜଗନ୍ନାଥ ।ଦ୍ୱିତୀୟସ୍କନ୍ଧେ ଭାଗବତ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ବ୍ରହ୍ମା ନାରଦ ପରୀକ୍ଷିତସମ୍ୱାଦେ ନାମ ଅଷ୍ଟମୋଽଧ୍ୟାୟଃ ॥
ନବମ ଅଧ୍ୟାୟ
ଶ୍ରୀ ଶୁକ ଉବାଚଶୁକ କହଇ ରାଜା ଆଗେ ।ତାହାର ପ୍ରଶ୍ନ ଅନୁରାଗେ ॥
ଶୁଣ ନୃପତି ପୁଣ୍ୟଦେହା ।ତୁ ମୋତେ ପଚାରିଲୁ ଯାହା ॥
ବିଷ୍ଣୁର କ୍ରୀଡ଼ା ଆତ୍ମାଗୁଣ ।ସୃଷ୍ଟି ପାଳନ ସଂହାରଣ ॥
ଆତ୍ମା ମାୟାରେ ସୃଷ୍ଟି କରେ ।ସେ ମାୟା କେବା କଳିପାରେ ॥
କରଇ ସକଳ ସମ୍ଭବ ।ସ୍ୱପ୍ନେ ଯେସନେ ଅନୁଭବ ॥
ଏକଥା ଈଶ୍ୱର ବଚନେ ।ନଘଟେ ଶାସ୍ତ୍ର ଅନୁମାନେ ॥
ଯେଣୁ ସେ ମାୟାରେ ମିଶଇ ।ଏଣୁ ଅନେକ ପ୍ରକାଶଇ ॥
ସ୍ୱଭାବେ ଆତ୍ମା ବହୁରୂପୀ ।ରୂପ ପ୍ରକାଶେ ସର୍ବ ବ୍ୟାପୀ ॥
ଯେ ରୂପେ ଥାଇ ଯେବାଗୁଣେ ।ମୁହିଁ ମୋହର ପ୍ରାୟ ମଣେ ॥
ସତ୍ୟ ପ୍ରକାଶ ସର୍ବ ଦେହେ ।ନିରତେ ଆତ୍ମାରୂପେ ରହେ ॥
ପର ଅପର ନ ଲାଗଇ ।କାଳ ମାୟାର ଭେଦ କାହିଁ ॥
ମାୟା କ୍ରମଶଃ ସତ୍ୟ ପ୍ରାୟେ ।ସତ୍ୟ ଅସତ୍ୟ ଭେଦ ନୁହେଁ ॥
ଆତ୍ମାର ଜାଣ ଶୁଦ୍ଧି ଅର୍ଥେ ।କହିଲେ ବ୍ରହ୍ମାର ଅଗ୍ରତେ ॥
ସେ ଯେଣୁ ଘୋର ତପ କରି ।ଅନେକ କଷ୍ଟେ ପ୍ରାଣ ଧରି ॥
ତପେ ତୋଷିଲା ଭଗବାନ ।ତେଣୁ ପାଇଲା ଦରଶନ ॥
ନିର୍ମଳ ନିଷ୍କପଟ ଚିତ୍ତେ ।ତେଣୁ ଚିନ୍ତିଲା ହୃଦଗତେ ॥
ଶୁଣ କହିବା ତୋ ଅଗ୍ରତେ ।ବ୍ରହ୍ମାଙ୍କୁ ଦିଶିଲା ଯେମନ୍ତେ ॥
ସେ ଆଦି ଦେବଗଣ ଗୁରୁ ।ଭକ୍ତ ଭଜନେ କଳ୍ପତରୁ ॥
ନିଜ ଭୁବନେ ସୁଖେ ଥିଲା ।ବ୍ରଜ ବିହାରେ ଇଚ୍ଛାକଲା ॥
ଆତ୍ମାରେ ଆତ୍ମା ମାୟାଗ୍ରସ୍ତେ ।ପ୍ରପଞ୍ଚ ନିର୍ବାଣ ଯେମନ୍ତ ॥
ନାଭିରୁ ପଦ୍ମ କଲା ଜାତ ।ଯହୁଁ ଜନ୍ମିଲେ ଚତୁର୍ମାଥ ॥
ସେ ପୁଣି ଚିନ୍ତାଭରେ ରହି ।ପର ଅପର ନ ଜାଣଇ ॥
ଚିନ୍ତା ବିଚ୍ଛେଦ ଭାବେ ମନେ ।ଶବଦ ଶୁଭିଲା ଗଗନେ ॥
ଜଳେ କମଳ ମଧ୍ୟେ ଥିଲା ।ସେ ବେନି ଅକ୍ଷର ଶୁଣିଲା ॥
ଓଁକାର ଆଦି ଷଟଦଶ ।ପଞ୍ଚ ମିଶ୍ରିତେ ଏକବିଂଶ ॥
ଶବଦେ ତପ ଉଚ୍ଚାରଣ ।ନିଷ୍କିଞ୍ଚନଙ୍କ ନିଜଧନ ॥
ସେ ବାଣୀ ଶୁଣି ବ୍ରହ୍ମା କର୍ଣ୍ଣେ ।ନିରୋଳି ଚାହିଁଲା ଗଗନେ ॥
ଦିଗ ସହିତେ ଅନାଇଲା ।କାହିଁ ଯେ କିଛି ନ ଦେଖିଲା ॥
ସେ ପୁଣି ରହି ନିଜ ସ୍ଥାନେ ।ଆତ୍ମାର ହିତ ଚିନ୍ତି ମନେ ॥
ଜାଣିଲା ଏ ପରମ ତତ୍ତ୍ୱ ।ତପ ସାଧନେ ଦେଲା ଚିତ୍ତ ॥
ଏ ମୋର ହିତ ବୋଲି ଜାଣି ।ନିଶ୍ଚଳ ମନେ କୁଶପାଣି ॥
ଅମୋଘ ଦୃଷ୍ଟି ସେ ବିଧାତା ।ତପେ ବଢ଼ିଲା ତାର ଚିନ୍ତା ॥
ବେଦ ବରଷେ ଦଶଶତ ।ତପ ସେ କଲା ଦୃଢ଼ ଚିତ୍ତ ॥
ମନ ପବନ କଲା ବନ୍ଦୀ ।ଦଶ ଇନ୍ଦ୍ରିୟ ଗଣ ରୁନ୍ଧି ॥
ସେ ସତ୍ୟ ତପେ ସର୍ବ ଲୋକେ ।ତପ ସୃଜନ ଅତିରେକେ ॥
ତପ ପ୍ରତାପେ ନରହରି ।ମିଳିଲେ ନିଜ ରୂପ ଧରି ॥
ସେ ରୂପ ନ ଜାଣନ୍ତି କେହି ।ମାୟା ସଂସାରେ ଦେହ ବହି ॥
ବିଷ୍ଣୁ ପ୍ରସନ୍ନେ ପ୍ରଜାପତି ।ଛାଡ଼ିଲା ମନୁ ଦୁଃଖ ଭ୍ରାନ୍ତି ॥
ଶୂନ୍ୟେ ବିଜୟ ନରହରି ।ଅଶେଷ ଦେବାଙ୍କରେ ଭରି ॥
ଯାର ଶରୀର ରଜ ନାମେ ।ପଶି ନ ପାରନ୍ତି ସଂଭ୍ରମେ ॥
ଯେ ଅନ୍ୟକାଳର ବିକ୍ରମ ।ସେ ବା ହୋଇବ କାହିଁ କ୍ଷମ ॥
ମାୟା ନ ପାରେ ପଶି ଯହିଁ ।ଦେବ ଜାଣିବେ ତାହା କାହିଁ ॥
ବିମାନ ମଧ୍ୟେ ନାରାୟଣ ।ବେଷ୍ଟିତ ପାରିଷଦ ଗଣ ॥
ସର୍ବେ ଦିଶନ୍ତି ବିଷ୍ଣୁ ତେଜ ।ସ୍ୱଭାବେ ଚାରି ଚାରି ଭୁଜ ॥
ଶ୍ୟାମସୁନ୍ଦର ତନୁ ବର୍ଣ୍ଣ ।ଅରୁଣ ପଙ୍କଜଲୋଚନ ॥
ହଳଦୀ ବସ୍ତ୍ର ପରିଧାନ ।ସୁରୁଚି ସୁନ୍ଦର ବଦନ ॥
ମଣି ଲମ୍ୱିତ କଣ୍ଠ ଦେଶେ ।କାମ ଅଞ୍ଜନ ନିଜ ବେଶେ ॥
ପ୍ରବାଳ ବୈଦୁର୍ଯ୍ୟର ଜ୍ୟୋତି ।ମୃଣାଳ ପ୍ରାୟ ଝଟକନ୍ତି ॥
କିରୀଟ ଗଞ୍ଜନ କପୋଳ ।ଶ୍ରବଣେ ମକର କୁଣ୍ଡଳ ॥
ତେଜେ ବିରାଜେ ନଭସ୍ଥଳୀ ।ବେଷ୍ଟିତ ପାରିଷଦ ମିଳି ॥
ଦିବ୍ୟକାମିନୀଙ୍କ ଗହଣେ ।ବିଜୁଳି ନୀଳମେଘେ ଯେହ୍ନେ ॥
ଅଷ୍ଟ ବିଭୂତି ସଙ୍ଗ ମେଳେ ।କମଳା ସେବେ ପାଦମୁଳେ ॥
ଦିବ୍ୟ ଦୋଳିକା ମଧ୍ୟେ ନାରୀ ।ପୁଷ୍ପ ବରଷେ ସ୍ତୁତି କରି ॥
ଯେ ରୂପେ ବିଷ୍ଣୁ ନଭସ୍ଥଳେ ।ବ୍ରହ୍ମାଦେଖିଲେ ବେନି ଡୋଳେ ॥
ଯାର ମହିମା ଦାଶରଥି ।ଭକ୍ତଜନଙ୍କ ଅଧିପତି ॥
ଜଗତପତି ସର୍ବଗତି ।ତା ମାୟା କେହି ନ ଜାଣନ୍ତି ॥
ସୁନନ୍ଦ ନନ୍ଦ ପ୍ରଚାଳାଦି ।ଅର୍ହଣ ସହିତେ ଆମୋଦି ॥
ପୂଜନ୍ତି ଶଙ୍କର ସ୍ୱଭାବେ ।ମିଳିଣ ସମସ୍ତ ସଚିବେ ॥
ତାଙ୍କୁ ଦେଖିଲେ ମନେ ହୁଏ ।ଭୃତ୍ୟେ ପ୍ରସାଦ ଦେଲା ପ୍ରାୟେ ॥
ତାହାଙ୍କ ନୟନ ଯୁଗଳ ।ବର୍ଷନ୍ତି ମତ୍ତତାର ଜଳ ॥
ଶ୍ରୀମୁଖ ପ୍ରସନ୍ନ ବଦନ ।ଅରୁଣ ପଙ୍କଜଲୋଚନ ॥
ମସ୍ତକେ କିରୀଟ ବିରାଜେ ।କର୍ଣ୍ଣେ କୁଣ୍ଡଳ କଟି ମାଝେ ॥
ଶୋଭଇ ପୀତ ଯେ ବସନ ।ଲକ୍ଷ୍ମୀ କ୍ରୀଡ଼ନ୍ତି ହୃଦେ ଜାଣ ॥
ଅମୂଲ୍ୟ ସିଂହାସନେ ସ୍ଥିତି ।ବେଷ୍ଟିତ ସକଳ ବିଭୂତି ॥
ଏମନ୍ତ ରୂପ ବ୍ରହ୍ମା ଦେଖି ।ଉଠିଲେ ଆସନ ଉପେକ୍ଷି ॥
କୃଷ୍ଣର ଦର୍ଶନେ ଆହ୍ଲାଦ ।ଆନନ୍ଦେ ହୋଇ ଗଦଗଦ ॥
ଲୋମ ହରଷେ ତନୁ ପୂର୍ଣ୍ଣ ।ପ୍ରେମଭରେ ଅଶ୍ରୁଲୋଚନ ॥
କୃଷ୍ଣର ପାଦପଦ୍ମ ଚାହିଁ ।ମିଳିଲା ଶିରେ କର ଦେଇ ॥
ଆନନ୍ଦ ସାଗରେ ବୁଡ଼ିଲା ।ଅଧିକେ ଆତ୍ମା ପାଶୋରିଲା ॥
ଅତି ଆନନ୍ଦେ ପ୍ରେମ ସୁଖେ ।ସେ ବ୍ରହ୍ମା ବିଷ୍ଣୁର ସମ୍ମୁଖେ ॥
ପ୍ରଜା ସୃଜନେ ତାର ମନ ।ଜାଣିଲେ ପ୍ରଭୁ ଭଗବାନ ॥
ବ୍ରହ୍ମା ବଦନ ହରି ଚାହିଁ ।ଈଷତ ହାସ୍ୟେ ବାକ୍ୟ କହି ॥
ଆତ୍ମାର ପ୍ରାୟ ପ୍ରାୟେ କରି ।ବ୍ରହ୍ମାର କର କରେ ଧରି ॥
କର ଅଞ୍ଚଳି ବ୍ରହ୍ମା କରେ ।ସମ୍ଭ୍ରମେ ବିନମ୍ର ସାଦରେ ॥
ଶ୍ରୀ ଭଗବାନୁବାଚହେ ବେଦଗର୍ଭ ସୃଷ୍ଟି ଅର୍ଥେ ।ତୁମ୍ଭେ ଯେ ତପେ ତୋଷିମୋତେ ॥
ଅତି ଦୁଷ୍କର ଚିର ତପେ ।ତେଣୁ ମୁଁ ତୋଷେ ତୋ ସମୀପେ ॥
ସ୍ୱଭାବେ ଯୋଗୀଙ୍କି ଦୁଲ୍ଲଭ ।ମୁଁ ତୋତେ ହୋଇଲି ସୁଲଭ ॥
ମଙ୍ଗଳ ଶୁଭ ହେଉ ତୋତେ ।ବର ଯେ ମାଗ ଦୃଢ଼ଚିତ୍ତେ ॥
ମୋହର ଦରଶନ ଯେବେ ।ପ୍ରାଣୀ ଲଭଇ ପୁଣ୍ୟଗର୍ଭେ ॥
ତାହାର ଗତି ପୁଣ୍ୟଧାମ ।ଅନ୍ତରେ ହୋଇ ଆତ୍ମାରାମ ॥
ଗଗନେ ଶୁଣି ମୋ ବଚନ ।ତୁହି ଯେ ତପେ କଲୁ ମନ ॥
କର୍ମ ବିଭ୍ରମ ଦେଖି ତୋତେ ।ମୁଁ ଆଜ୍ଞା ଦେଲି ଶୂନ୍ୟପଥେ ॥
ବୋଇଲି ଚିତ୍ତେ ତପ କର ।ମୁଁ ତୋତେ ହୋଇଲି ଗୋଚର ॥
ମୋର ହୃଦୟ ତପ ଜାଣ ।ତପେ ଥରଇ ଦଶପ୍ରାଣ ॥
ତପେ ମୁଁ ସୃଷ୍ଟି କରି ହେଳେ ।ପୁଣି ସଂହାରି ତପବଳେ ॥
ତପର ବଳେ ଏ ଜଗତ ।ମହୀ ଧରଇ ଅବିରତ ॥
ବ୍ରହ୍ମୋବାଚତୁ ନାରାୟଣ ଭୂତେଶ୍ୱର ।ପ୍ରାଣୀଙ୍କ ହୃଦେ ତୋ ବିହାର ॥
ତୁ ହୃଦପଦ୍ମ ମଧ୍ୟେ ଥାଉ ।ପ୍ରାଣୀକି ଉପଦେଶ ଦେଉ ॥
ଏଣୁ ମୋହର ମନ ଜାଣି ।ଯେ ଆଜ୍ଞା ଦେଲୁ ଚକ୍ରପାଣି ॥
ଅନାଥ ନାଥ ତୋ ମହିମା ।କେ ଜାଣିପାରେ ଗୁଣସୀମା ॥
ମୁଁ ତୋର ଚରଣ କିଙ୍କର ।ଏମନ୍ତ ଆଜ୍ଞା ମୋତେ କର ॥
ରୂପ ଅରୂପ ତୋର ଯେତେ ।ଏ ସୃଷ୍ଟି କରି ତୁ କେମନ୍ତେ ॥
ତୁ ମାୟା ଯୋଗେ ସୃଷ୍ଟି କରି ।ତୋର ଶିକ୍ଷାରେ ତୋରପୁରୀ ॥
ଏ ସୃଷ୍ଟି କରି ସଂହାରଣ ।ତୁ ନାଥ ପରମ କାରଣ ॥
ସୃଷ୍ଟି ସଂକଳ୍ପେ ମୋର ଇଚ୍ଛା ।ତୁ ନାଥ କହ ସୃଷ୍ଟି ଦୀକ୍ଷା ॥
ସ୍ୱତନ୍ତ୍ର ସୂତ୍ରେ ଉର୍ଣ୍ଣନାଭି ।କ୍ରୀଡ଼ଇ ଯେହ୍ନେ ମନେଭାବି ॥
ତେମନ୍ତ ବୁଦ୍ଧି ଦିଅ ମୋତେ ।ଏ ସୃଷ୍ଟି କରଇ ଯେମନ୍ତେ ॥
ସୃଷ୍ଟି କରଣେ ଭଗବାନ ।କେବେହେଁ ନାହିଁ ମୋର ଜ୍ଞାନ ॥
ବନ୍ଧୁ ଯେପରି ବନ୍ଧୁ ଦେଖି ।ସକଳ କର୍ମ ସେ ଉପେକ୍ଷି ॥
କରଇ ବନ୍ଧୁତ୍ୱ ଆଦର ।ସେପରି କଲୁ ଦାମୋଦର ॥
ମୁଁ ତୋତେ ମାଗୁଛି ଯେ ଏହା ।ଗର୍ବ ନ ଛୁଉଁ ମୋର କାୟା ॥
ସୃଷ୍ଟି କରିଣ ତୋ ସେବାରେ ।ମୋ ମନ ରହିବ ନିଶ୍ଚଳେ ॥
ତୋ ଅନୁଗ୍ରହ ଯେବେ ମୋତେ ।ତୁ ନାଥ ବସ ମୋର ଚିତ୍ତେ ॥
ଶ୍ରୀଭଗବାନୁବାଚଶୁଣ ବିଧାତା ମୋ ବଚନ ।ଯେବେ ଲଭିବ ସୃଷ୍ଟିଜ୍ଞାନ ॥
ସୃଷ୍ଟି ସର୍ଜନେ ଅଙ୍ଗ ଯେତେ ।ହରଷେ କହୁ ତୋ ଅଗ୍ରତେ ॥
ଯେ ରୂପ ଗୁଣ କର୍ମ ଭାବ ।ସେ ତତ୍ତ୍ୱଜ୍ଞାନ ତୋ ହୋଇବ ॥
ପ୍ରସରି ମୋର ଅନୁଗ୍ରହେ ।ଏ ସର୍ବଜ୍ଞାନ ତୋର ଦେହେ ॥
ସୃଷ୍ଟିର ଅଗ୍ରେ ମୁହିଁ ଏକ ।ମୋ ତହୁଁ ପ୍ରକାଶେ ଅନେକ ॥
ସତ ଅସତ ପରେ ମୁହିଁ ।ଯେ ଅବଶେଷେ ଶେଷ ହୋଇ ॥
ଅର୍ଥକୁ ଛାଡ଼ି ଯେହ୍ନେ ଚିନ୍ତେ ।ପ୍ରତୀତ ଯେହ୍ନେ ଆତ୍ମହିତେ ॥
ମାୟା ପ୍ରକାଶ ସେ ପ୍ରମାଣ ।ଗଗନେ ଯେହ୍ନେ ଜ୍ୟୋତିର୍ଗଣେ ॥
ଏ ଜୀବ ସ୍ଥୂଳ ସୂକ୍ଷ୍ମ ଯେତେ ।ପ୍ରକାଶ ହୋନ୍ତି ପଞ୍ଚଭୂତେ ॥
ଛାଡ଼ି ପଶନ୍ତି ପୁଣ ପୁଣ ।ସେ ମାୟା ଶରୀରେ ପ୍ରମାଣ ॥
ତୋର ପ୍ରସ୍ତାବେ ପ୍ରଜାପତି ।କହିଲି ସୃଷ୍ଟି ଯଥାକୃତି ॥
ଯେଝା ବିଚାର ଅନୁମାନେ ।ସେ ସର୍ବକାଳ ବିଦ୍ୟମାନେ ॥
ଏ ମୋର ତତ୍ତ୍ୱଜ୍ଞାନ ବଳେ ।ଧର ତୁ ସମାଧି ନିଶ୍ଚଳେ ॥
କଳ୍ପ ବିକଳ୍ପ ତୋର ଚିତ୍ତ ।କେବେ ନୋହିବ ବିମୋହିତ ॥
ଶ୍ରୀଶୁକ ଉବାଚସେ ନିରାକାର ଭାବଗ୍ରାହୀ ।ବ୍ରହ୍ମାଙ୍କ ସୃଷ୍ଟି ତତ୍ୱ କହି ॥
ତକ୍ଷଣେ ବ୍ରହ୍ମାର ଅଗ୍ରତେ ।ଗୋବିନ୍ଦ ଗଲେ ଶୂନ୍ୟ ପଥେ ॥
କୃଷ୍ଣ ନ ଦେଖି ପ୍ରଜାପତି ।ପଥେ ଅନେକ କଲେ ସ୍ତୁତି ॥
କର ଅଞ୍ଜଳି ଶିରେ ଦେଇ ।ଅନେକ ଭାବରେ ବିମୋହି ॥
ବିଶ୍ୱ ସୃଜିଲେ ବିଶ୍ୱ ତେଜେ ।ପୂର୍ବର ପ୍ରାୟ ନାନା ବୀର୍ଯ୍ୟେ ॥
ସେ ଧର୍ମ ଗତି ପ୍ରଜାପତି ।ନିଯୁକ୍ତ ଆତ୍ମା ମହାଗତି ॥
ପ୍ରଜା କଳ୍ପନା ଚିନ୍ତା କରି ।ଆତ୍ମାର ହିତେ ମନ ଧରି ॥
ନାରଦ ବାକ୍ୟେ ବେଦବର ।ହରି ମହିମା ଅଗୋଚର ॥
ଯେତେ କହିଲେ ସୃଷ୍ଟି ଅର୍ଥେ ।ମାୟାର ମହିମା ଯେମନ୍ତେ ॥
ଜାଣିବା ଅର୍ଥେ ମହାମୁନି ।କହି ବିଧାତା ହେଲେ ତୁନି ॥
ବ୍ରହ୍ମା ନାରଦ ପ୍ରଶ୍ନ ଯେତେ ।କହିଲୁ ତୁମ୍ଭର ଅଗ୍ରତେ ॥
ନାରଦ ସାବଧାନେ ଶୁଣ ।ଏ ଭାଗବତର ପ୍ରମାଣ ॥
ଦଶ ଲକ୍ଷଣେ ଏହା ଜାଣି ।ଯେବା କହିଲୁ ପରିମାଣି ॥
ଏ କଥା ସରସ୍ୱତୀ ତଟେ ।କହିଲେ ବ୍ୟାସଙ୍କ ନିକଟେ ॥
ଶତ ଶୋଳକେ ପରିମାଣି ।ବ୍ୟାସେ ନାରଦ ମୁଖୁ ଶୁଣି ॥
ସେ ବ୍ୟାସ ମୁନି ତୋଷ ଚିତ୍ତେ ।ଅଠରସସ୍ର ଗ୍ରନ୍ଥ ଯୁକ୍ତେ ॥
ମୁଁ ଶିକ୍ଷା କଲି ତାଙ୍କ ତହୁଁ ।ତୁ ଭାଗ୍ୟବନ୍ତ ନୃପ ଯହୁଁ ॥
ଏବେ ମୁଁ ତୋହର ଅଗ୍ରତେ ।କହିବି ପଚାରିଲୁ ଯେତେ ॥
ଏମନ୍ତେ ପରୀକ୍ଷିତ ମେଳେ ।ଶୁକ କହିଲେ ଗଙ୍ଗା କୂଳେ ॥
ଦଶ ଲକ୍ଷଣେ ଭାଗବତ ।କହିଲେ ବିପ୍ର ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଶ୍ରୀମଦ୍ଭାଗବତ ପ୍ରକୃତିବର୍ଣ୍ଣନେ ନାମ ନବମୋଽଧ୍ୟାୟଃ ।
ଦଶମ ଅଧ୍ୟାୟ
ଶ୍ରୀଶୁକ ଉବାଚଶୁକ କହନ୍ତି ରାୟେ ଶୁଣ ।ଏ ଭାଗବତର ଲକ୍ଷଣ ॥
ଦଶପ୍ରକାରେ ଭାବ ଚିନ୍ତି ।ପୁରାଣ ପୁରୁଷ ବୋଲାନ୍ତି ॥
ତାହା କହିବା ଏକେ ଏକେ ।ପ୍ରସ୍ତାବେ ତୋହର ସମ୍ମୁଖେ ॥
ସର୍ଗ ବିସର୍ଗ ଭୂତି ସ୍ଥାନ ।ପୋଷଣ ମୁକ୍ତ ବିଦ୍ୟମାନ ॥
ମନ୍ୱନ୍ତର ବଂଶାନୁକଥା ।ନିରୋଧ ଆଶ୍ରୟ ବ୍ୟବସ୍ଥା ॥
ଦଶ ବିଶୁଦ୍ଧି ଅର୍ଥେ ରହେ ।ନବ ଲକ୍ଷଣେ ଯେବା ହୋଏ ॥
ବେଦ ବିଚାରି ଅନୁମାନେ ।ତତ୍ତ୍ୱ କହନ୍ତି ମୁନିଜନେ ॥
ଆକାଶ ଶଦ୍ଦ ତନୁ ମାତ୍ର ।ମହତ ଅହଙ୍କାର ତତ୍ତ୍ୱ ॥
ଏହାଙ୍କ ଜନ୍ମ କର୍ମ କହି ।ସ୍ୱର୍ଗର ଗୁଣମତ ଦେଇ ॥
ବ୍ରହ୍ମାର ଗୁଣ ବିପରୀତେ ।ବିସର୍ଗପଞ୍ଚ ସମ ଚିତ୍ତେ ॥
ବିଷ୍ଣୁ ବିଜୟେ ସ୍ଥାନ କହି ।ପୋଷଣ ଅନୁଗ୍ରହ ହୋଇ ॥
ମନ୍ୱନ୍ତର ଯେ ସାଧୁ ଧର୍ମ ।କର୍ମ ବାସନେ ଉତିନାମ ॥
ବିଷ୍ଣୁ ବିଜୟେ ସ୍ଥାନ କହି ।ପୋଷଣ ଅନୁଗ୍ରହ ହୋଇ ॥
ବିଷ୍ଣୁ ଅବତାର ଚରିତ ।ତଦନ୍ତେ ବର୍ଣ୍ଣେ ଯେ ଉକତ ॥
ବଂଶାନୁକଥା ଅନୁବାଦେ ।ଉତ୍ତମ ପୁରୁଷଙ୍କ ମଧ୍ୟେ ॥
ସଂହରି ଆତ୍ମାର ଶକତି ।ଜଳେ ଶୟନ ଯୋଗପତି ॥
ନିରୋଧ ବୋଲି ତାର ନାମ ।ଲୀନ ସ୍ୱଭାବେ ପୂର୍ଣ୍ଣକାମ ॥
ମୁକ୍ତି ଲକ୍ଷଣ ଦିବ୍ୟ ସ୍ଥିତି ।ନାହିଁ ନ ଘଟେ ପୂର୍ଣ୍ଣଗତି ॥
ପ୍ରକାର ନିରୋଧ ଏ ଦୁଇ ।ଆଶ୍ରମ ନାମ ଏ ବୋଲାଇ ॥
ସେ ପରମାତ୍ମା ନରହରି ।ଏବେ ଅଶେଷ ଘଟେ ପୂରି ॥
ତାର ସକାଶୁ ଜୀବଲୋକ ।ତେଣୁ ବୋଲାଇ ଅଧାର୍ମିକ ॥
ସେ ଅଧିଦେବତା ବୋଲାଇ ।ଅଧିଭୂତଙ୍କ ଆତ୍ମା ସେହି ॥
ଯେ ବେନି ବିଚ୍ଛେଦ କରଇ ।ତାହାକୁ ଅଧିଭୂତ କହି ॥
ଏ ଭାବେ ଏକ ଏକତର ।କହି ନ ଲକ୍ଷି ପରାପର ॥
ସର୍ବ ଆଶ୍ରୟ ତାର ନାମ ।ପୁରୁହୁତ ପୁରୁଷ ନାମ ॥
ସେ ଯେତେବେଳେ ଅଣ୍ଡଭେଦି ।ବାହାର ହୋଇ ଗୁଣନିଧି ॥
ଆତ୍ମାର ସ୍ଥାନ ଚିନ୍ତା କରି ।ସ୍ୱଭାବେ ଜଳରୂପ ଧରି ॥
ପୁରୁଷ ନାମ ନର ହେଲା ।ତହିଁରେ ନାରୀ ଯେ ବ୍ୟାପିଲା ॥
ସେ ଜଳ ମଧ୍ୟେ ମାୟାଧର ।ବନ୍ଦିଲି ସହସ୍ର ବତ୍ସର ॥
ଦୃଶ୍ୟ ଅଦୃଶ୍ୟରେ କାରଣ ।ତେଣୁ ତା ନାମ ନାରାୟଣ ॥
ସେ ଦ୍ରବ୍ୟ ଗୁଣ କର୍ମକାଳ ।ସ୍ୱଭାବେ ହୋଇ ଏକମେଳ ॥
ଯାହାନୁଗ୍ରହେ ଉପୁଜନ୍ତି ।ଯହାନୁଗ୍ରହେ ଲୀନ ଯାନ୍ତି ॥
ସେ ଯୋଗମାୟା କଳ୍ପେ ଉଠି ।ଆଣି କଳ୍ପଇ ନାନା ସୃଷ୍ଟି ॥
ସୁବର୍ଣ୍ଣମୟ ତା ଶରୀର ।ଭ୍ରମଇ ତ୍ରିଧା ଅହଙ୍କାର ॥
ଅଧିଦେବତା ଆଧ୍ୟାତ୍ମିକ ।ଅଧିଭୂତଙ୍କ ଅଧିରେକ ॥
ଗୁଣ ପୌରୁଷ ବୀର୍ଯବଳେ ।ତ୍ରିବିଧ ବିଧି ବହେ ହେଳେ ॥
ଅନ୍ତେ ଶରୀର ଶୂନ୍ୟେ ଭଜେ ।ଆକାଶ ଗୁଣମୟ ସୃଜେ ॥
ସ୍ୱଭାବେ ଶେଷେ ଶ୍ରେୟ ବଳ ।ତେଜସ୍ୱୀ ରୂପ ଅନ୍ତର୍ଗଳ ॥
ଏ ଚାରି ଭାବୁ ପ୍ରାଣୀ ଜାତ ।ଦଶ ପ୍ରାଣୀଙ୍କ ମୂଳ ନାଥ ॥
ଚଳନ୍ତି ଯାର ଅନୁପଥେ ।ଅଶେଷ ପ୍ରାଣୀ ଅନ୍ତର୍ଗତେ ॥
ରାଜାକୁ ଯେହ୍ନେ ଆଶ୍ରାକରି ।ସେବକ ପଥ ଅନୁସରି ॥
ମୂଳ କମଳୁ ସେହୁପଥେ ।ପ୍ରାଣୀକି ବ୍ରହ୍ମରନ୍ଧ୍ର ପଥେ ॥
ପ୍ରାଣୀଙ୍କ ଆତଯାତ ଶ୍ରମେ ।କ୍ଷୁଧା ଉପୁଜେ ତୃଷାଭ୍ରମେ ॥
କ୍ଷୁଧା ତୃଷାର ମାର୍ଗ ମୁଖ ।ଏଣୁ ସର୍ଜିଲା ଅଗ୍ରେ ମୁଖ ॥
ମୁଖର ମୂଳେ ତାଳୁ ଜାତ ।ତା ସଙ୍ଗେ ରସନା ସଂଯୁକ୍ତ ॥
ତାର ସଂଯୋଗେ ନାନା ରସେ ।ଆସ୍ୱାଦେ ଆତ୍ମାର ବିଶେଷେ ॥
ଶଦ୍ଦର ଅର୍ଥ ପୁଣ କରେ ।ଅଗ୍ନି ରକ୍ଷଣ ବାଦ୍ୟ ଧରେ ॥
ଶୁଚି ସୁଗନ୍ଧ ଭୋଗ ଫଳେ ।ନିଶା ବିବରେ ବାୟୁବଳେ ॥
ଆଘ୍ରାଣ ଅର୍ଥେ ଉପୁଜିଲେ ।ତକ୍ଷଣେ ଗନ୍ଧବାହ ବୁଲେ ॥
ଆତ୍ମାର ଦେଖି ଅନ୍ଧକାର ।ବ୍ରହ୍ମା ସର୍ଜିଲେ ଅନ୍ଧକାର ॥
ଜ୍ୟୋତି ସର୍ଜିଲା ରକ୍ଷପଣେ ।ଦୃଷ୍ଟି ପ୍ରକାଶେ ଦଶଗୁଣେ ॥
ଦେବ ପୁରୁଷଙ୍କ ବଚନେ ।ବିଧାତା ଦେଇ ଅନୁମାନେ ॥
ଶୁଣିମା ଅର୍ଥେ ନାନାଶୂନ୍ୟ ।ନିର୍ମଳେ ପ୍ରକାଶିଲା କର୍ଣ୍ଣ ॥
ଦିଗ ଦେବତାଙ୍କ ରକ୍ଷଣେ ।ପ୍ରକାଶ ଏ ବାମ ଦକ୍ଷିଣେ ॥
ନାନା ଶବଦ ନିଷ୍ଠା ଗୁଣେ ।ଯେ ଦ୍ୱାରେ ଜାଣିବ ତକ୍ଷଣେ ॥
ପୁଣ ବିଧାତାବୁଦ୍ଧି ଯୋଗେ ।ଚର୍ମ ଆଚ୍ଛାଦି ସର୍ବ ଅଙ୍ଗେ ॥
ଶୀତ ତପତ ଯେତେ ଜାଣି ।ପବନ ଯୋଗେ ପରିମାଣି ॥
ସେ ଚର୍ମ ଇନ୍ଦ୍ରିଗଣ ଭଜେ ।ଉପରେ ବହେ ରୋମରାଜେ ॥
ଅଶେଷ କର୍ମ କରିବାରେ ।ପ୍ରକାଶେ ହୃଦୟ ଉପରେ ॥
ବାମ ଦକ୍ଷିଣ ବେନିକର ।ଯହିଁ ରକ୍ଷକ ସୁନାଶୀର ॥
ଜୀବନ ଗତାଗତ ଶୂନ୍ୟ ।ବିଧାତା ସଞ୍ଚିଲା ଚରଣ ॥
ଯେ ବାମ ଦକ୍ଷିଣ ପୟର ।ଯହିଁ ରକ୍ଷକ ଦାମୋଦର ॥
ସଂସାରେ ହବ୍ୟ କବ୍ୟ ବିଧି ।ଚରଣ ଯୁଗ ବଳେ ସାଧି ॥
ବସ୍ତୁ ଉପାର୍ଜନ କାରଣ ।ଗଗନେ ଏ ବେନି ଚରଣ ॥
ବେନି ଚରଣ ମୂଳ ଦେଶେ ।ଆନନ୍ଦ ଗଗନ ପ୍ରକାଶେ ॥
ଯେ ସ୍ଥିତି ଉତ୍ପତ୍ତି କାରଣେ ।ତା ପ୍ରଜାପତି ସୁରଗଣେ ॥
ଉଭୟ ଆନନ୍ଦର ଦ୍ୱାର ।ଅଜ୍ଞାନ ତୁଲେ ନାଶକର ॥
ଅନ୍ନ ଭୋଜନ ରସ ମାର୍ଗେ ।ନାଡ଼ି ସର୍ଜିଲା କୁକ୍ଷି ଯୋଗେ ॥
ନଦୀଙ୍କ ପ୍ରାୟେ ବେନିପାଶେ ।ପ୍ରାନ୍ତେ ସମୁଦ୍ର ରହେ ଗ୍ରାସେ ॥
ଉଭୟ ନାଡ଼ୀ ନାମ ତୁଷ୍ଟି ।ସମୁଦ୍ର ନାମ ବହେ ପୁଷ୍ଟି ॥
ଆତ୍ମା ମାୟାକୁ ଇଚ୍ଛାକରି ।ସତ୍ୟ ହୃଦୟ ରୂପଧରି ॥
ନାମ ସଂକଳ୍ପେ ଚନ୍ଦ୍ରମନ ।ହୃଦୟେ ଏହାଙ୍କର ସ୍ଥାନ ॥
ହୃଦୟେ ଆବୋରିବା ଆଶେ ।ଅସ୍ଥି ସର୍ଜିଲା ପୃଷ୍ଠଦେଶେ ॥
ଅସ୍ଥି ଭିତରେ ମଜ୍ଜାକଲା ।ଉଦରେ ମେଦ ଭିଆଇଲା ॥
ତାର ଉପରେ ମାଂସ ଧରି ।ରୁଧିର ଆଭରଣ କରି ॥
ତାର ଉପରେ ଚର୍ମ ଲୋମ ।ମଜ୍ଜାର ମଧ୍ୟେ ରହେ ସୋମ ॥
ଏମନ୍ତ କରି ସପ୍ତ ଧାତୁ ।ପ୍ରାଣୀ ଜୀବନ ମୂଳ ହେତୁ ॥
ବାସ୍ତରୀ ସସ୍ର କଲା ନାଡ଼ୀ ।ହୃଦ କମଳ ମଧ୍ୟେ ବେଢ଼ି ॥
ପ୍ରାଣ ରହଇ ୟାଙ୍କ ମଧ୍ୟେ ।ଅନ୍ନର ରସ ମୂଳ ଭେଦେ ॥
ଘେନିଣ ନାଡ଼ୀ ମଧ୍ୟେ ଯାଇ ।ପ୍ରବେଶ ସର୍ବାଙ୍ଗରେ ନେଇ ॥
ତ୍ରିଗୁଣାତ୍ମକ ଇନ୍ଦ୍ରିଗଣ ।ସର୍ବ ବିକାର ଆତ୍ମମନ ॥
ବୁଦ୍ଧି ବିଜ୍ଞାନ ସ୍ୱରୂପିଣୀ ।ଯେଣେ ସଂସାର ମାୟା ଜିଣି ॥
ଅବନୀ ଉଦକ ଅନଳ ।ପବନ ଆକାଶ ମଣ୍ଡଳ ॥
ଏମନ୍ତ କହିଲି ମୁଁ ତୋତେ ।ବିଷ୍ଣୁର ସ୍ଥୂଳ ରୂପ ଯେତେ ॥
ଏ ଜୀବ ବ୍ରହ୍ମାଣ୍ଡ ଧାରଣ ।ବେଷ୍ଟିତ ଅଷ୍ଟ ଆଭରଣ ॥
ପୃଥିବୀ ଆଦି ପଞ୍ଚଭୂତେ ।ଏମନ୍ତ ବୁଦ୍ଧି ଅହଂକୃତେ ॥
ଏ ଅଷ୍ଟଗୁଣେ ଆବରଣ ।ଏମନ୍ତ ବ୍ରହ୍ମାଣ୍ଡ ଘଟଣ ॥
ଯେ ସ୍ଥୂଳ ରୂପ ଏ ଯାହାର ।ଏହାର ପରେ ସୂକ୍ଷ୍ମକର ॥
ସେ ନିର୍ବିକାର ନିରଞ୍ଜନ ।ଅନାଦି ମଧ୍ୟମ ନିଧାନ ॥
ସେ ଶୂନ୍ୟ ମଧ୍ୟେ ନିରାକାର ।ମନ ବଚନେ ଅଗୋଚର ॥
ଏ ସ୍ଥୂଳ ସୂକ୍ଷ୍ମ ରୂପ ଧରି ।ସେ ଖେଳେ ଆତ୍ମାମାୟା କରି ॥
ପଣ୍ଡିତେ ନ ମାନନ୍ତି ଏହା ।ସୃଷ୍ଟି ସଂକଳ୍ପ ବିଷ୍ଣୁ ମାୟା ॥
ପଶୁ ବାଳକ ରୂପେ ହରି ।ସେ ବ୍ରହ୍ମ ରୂପେ ଅବତରି ॥
ଏମନ୍ତେ କ୍ରିୟାନାମ ଧାତୁ ।କର୍ମ ଅକର୍ମଙ୍କର ହେତୁ ॥
ସର୍ବ ସଙ୍କଳ୍ପ କ୍ରିୟା ଅର୍ଥେ ।ଶୁଣ କହିବା ଆଉ କେତେ ॥
ଆତ୍ମାକୁ ଭିନ୍ନ ଭିନ୍ନ କରି ।ସେ ପ୍ରଜାପତି ରୂପ ଧରି ॥
ମନକୁ ସର୍ଜିଲାକ ହେଳେ ।ଋଷି ଦେବତା ପିତୃ ମେଳେ ॥
ସିଦ୍ଧ ଚାରଣ ବିଦ୍ୟାଧର ।ଗନ୍ଧର୍ବ ଅସୁର କିନ୍ନର ॥
ଗୁହ୍ୟକ ଅପ୍ସରା ଯେ ଦକ୍ଷ ।ନାଗ କିଂ ପୁରୁଷ ପ୍ରତ୍ୟକ୍ଷ ॥
ଖଗ ଉରଗ ମାତୃଗଣ ।ରକ୍ଷ ପ୍ରେତ ପିଶାଚୀଗଣ ॥
ଭୂତ କୁଷ୍ମାଣ୍ଡ ବିନାୟକ ।ଉନ୍ମଦ ବେତାଳ ନିରେକ ॥
ଗ୍ରହ ଡାକିନୀ ମୃଗ ଖର ।ବୃକ୍ଷ ପର୍ବତ ବନଘୋର ॥
ତ୍ରିବିଧ ଚତୁର୍ବିଧ ଆନେ ।କେବଳ ସ୍ଥଳ ବିନାଶନେ ॥
ଗଗନ ଅନ୍ତରୀକ୍ଷଚର ।କୁଶଳ ଅକୁଶଳ ପର ॥
ଏତେ ପ୍ରକାରେ ନାମ ଗତି ।ଆତ୍ମାର ବଳେ ପ୍ରଜାପତି ॥
ଗୁଣ ପ୍ରଭେଦ ତିନିଲୋକ ।କେ ଦେବ ଦାନବ ନରକ ॥
ସତ୍ୟରେ ସୁରରୁପ ହୋଇ ।ଲକ୍ଷେ ମନୁଷ୍ୟ ସମ୍ଭବଇ ॥
ତମୋଗୁଣରେ ଅଧୋଗତି ।ପାପିଷ୍ଠେ ତହିଁ ବିଶ୍ରାମନ୍ତି ॥
ଏ ତିନି ଲୋକ ତିନିଗତି ।ଭାବେ ସର୍ଜିଲା ପ୍ରଜାପତି ॥
ସେ ଗୁଣ ଚିତ୍ର ପ୍ରାୟ ହୋଇ ।ସ୍ୱଭାବେ ଭିନ୍ନ ଭିନ୍ନ ଦେହୀ ॥
ଏକ ଆରକେ ନ ଗଣିଲେ ।ନିଶ୍ଚଳେ ରହି ନ ପାରିଲେ ॥
ତା ଦେଖି ପ୍ରଭୁ ନରହରି ।ତକ୍ଷଣେ ଧର୍ମ ରୂପ ଧରି ॥
ବିଶ୍ୱକୁ ପାଳିବାର ଅର୍ଥେ ।ଦେବ ମନୁଷ୍ୟ ପଶୁ ଯେତେ ॥
ଏ ତିନିଭାବେ ଭଗବାନ ।ରକ୍ଷା ପୋଷଣ କରି ସ୍ଥାନ ॥
ସୁଖ ସମ୍ଭବେ ଦିନ ହରେ ।ଯେ ବିଧି ସଂସାର ବେଭାରେ ॥
ସୃଷ୍ଟିର ଭୋଗ ଅନ୍ତେ ହରି ।କାଳାଗ୍ନି ରୁଦ୍ର ରୂପ ଧରି ॥
ଆତ୍ମାର କ୍ରୀଡ଼ା ନାଶ କରେ ।ବାଳକ ପ୍ରକାର ବେଭାରେ ॥
ସର୍ବ ହରଇ ଅବସାନେ ।ଜୀମୁତ ଯେସନେ ଗଗନେ ॥
ଯେ ଭାବେ ହରି ଗୁଣ ଯେତେ ।ଦେବେ ଚିନ୍ତିବେ ଯହିଁ ଚିତ୍ତେ ॥
ସୃଷ୍ଟିର ଆଦି ଜନ୍ମ କାଳେ ।ଯେ କର୍ମ ସାଧେ ଯୋଗବଳେ ॥
ସ୍ୱଭାବେ କର୍ମ ଯାର ନାହିଁ ।ବିଷ୍ଣୁର ମାୟା ପ୍ରକାଶଇ ॥
ଏ ବ୍ରହ୍ମ କଳ୍ପିତ ସଂସାର ।ବିକଳ୍ପ ନାମଟି ଏହାର ॥
ଏ ନିତ୍ୟ ସାଧାରଣ ବିଧି ।ଯେ ପୂର୍ବ କାଳୁହିଁ ପ୍ରସିଦ୍ଧି ॥
ଭାବେ କହିଲୁ କଳ୍ପ ଗୁଣ ।ରାଜନ ସାବଧାନେ ଶୁଣ ॥
ଶୌନକ ଉବାଚହେ ସୂତ କହ ବିଷ୍ଣୁ କଥା ।କ୍ଷଣେ ଛାଡ଼ିବ ମନୋବ୍ୟଥା ॥
ପଦ୍ମ କଳ୍ପର କଥା କହ ।କ୍ଷଣେ ନ ଲାଗେ ଭବ ମୋହ ॥
ସେ ଦୁର୍ଯ୍ୟୋଧନ ଦୁଷ୍ଟ ବାଣୀ ।ବିଦୁର ସଭା ମଧ୍ୟେ ଶୁଣି ॥
କୁଟୁମ୍ବ ଆଶା ଦୂର କରି ।ବନେ ପଶିଲା କି ବିଚାରି ॥
ପୃଥିବୀ କଲା ପର୍ଯ୍ୟଟନ ।ବନ ପର୍ବତ ଘୋର ବନ ॥
କୈବଲ୍ୟ ଭାବେ ଇଚ୍ଛା କଲା ।ଅନେକ ତୀର୍ଥ ସେ ଭ୍ରମିଲା ॥
ମୈତ୍ରେୟ ମୁନି ସଙ୍ଗେ ତାର ।କାହିଁ ହୋଇଲା ଏକା ସ୍ୱର ॥
ବ୍ରହ୍ମ ସମ୍ବାଦ ବେନି ଜନେ ।କରି ବଞ୍ଚିଲେ କେଉଁ ସ୍ଥାନେ ॥
ବିଦୂର ପଚାରିଲେ ଯେତେ ।ମୈତ୍ରେୟ ବୋଧିଲେ ଯେମନ୍ତେ ॥
ପୁଣି ସେ ବନ୍ଧୁତ୍ୟାଗ ଶୋକେ ।ମିଳିଲା ହସ୍ତିନା କଟକେ ॥
ପରୀକ୍ଷ ବାକ୍ୟ ଚିତ୍ତେ ଘେନି ।ତାହା କହିଲେ ଶୁକ ମୁନି ॥
ସେ ପ୍ରଶ୍ନ ଅନୁସାରେ ଯେତେ ।ଶୁଣ କହିବା ଭାଗବତେ ॥
ଶୁକ ସୌନକ ସମ୍ପାଦନ ।ଶୁଣନ୍ତେ ନ ଲାଗଇ ବିଘ୍ନ ॥
ଦ୍ୱିତୀୟସ୍କନ୍ଧେ ଭାଗବତ ।ଅମୃତ ରସମୟ ଗୀତ ॥
ସୁଜନ ପ୍ରାଣୀଙ୍କର ହିତ ।କହିଲା ଦାସ ଜଗନ୍ନାଥ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂବୈୟାସିକ୍ୟାଂ ଦ୍ୱିତୀୟସ୍କନ୍ଧେ ଦଶଲକ୍ଷଣ କଥନେନାମ ଦଶମୋଽଧ୍ୟାୟଃ ।