ବୈଲୋଚନ ସହିତ ଅର୍ଜୁନଙ୍କର ଯୁଦ୍ଧ ଓ ନିମନ୍ତ୍ରଣ — ସାରଳା ମହାଭାରତ ସଭାପର୍ବ (ପ୍ରଥମ ଖଣ୍ଡ) — ସାରଳା ଦାସ · ସ୍ୱର୍ଣ୍ଣଲିପିସେ ରତ୍ନକୁ ରୁଣ୍ଡକଲେ ଅର୍ଜୁନର ସଇନି
ଚାରିଶତ ରଥେ ପୂରୋଇଲେ ବୀରେ ଆଣି ।୨୧।
କଣୟ ବୃଷ୍ଟି ବୋଲି ରାଜାକଂଇ କହିଲେ ମୁନେହିଂ
ବିଜେକଲେ ନୃପତି ବଇଲୋଚନ ଶାହି ।୨୨।
ରଥ ଗଜ ଅଶ୍ୱମାନ ପାଦାନ୍ତି ଗହନ
କଣୟଗିରି ପର୍ବତେ ବେଢିଲେ ବହନ ସନ୍ୟମାନ ।୨୩।
ଦେଖିଲେ ସେ ପରବତ ଉପରେ ଅଛି ଦଣ୍ଡ
ବାଦ୍ୟ ଘୋର ଶବଦେ କଂପଇ ବ୍ରହ୍ମାଣ୍ଡ ।୨୪।
ଇନ୍ଦ୍ର ଦେବତା ତହିଂ କରିଅଛଇ କଣୟ ବୃଷ୍ଟି
ବଇଲୋଚନ ଶାହିର ସନ୍ୟ ଯେ ପର୍ବତକୁ ନୁଆରିଲେ ଉଠି ।୨୫।
ହାକନ୍ତି ସଇନି ତୁମ୍ଭେ କେ କେଉଂଣ ଦେଶର ବୀର
ପର ପଦାର୍ଥ ହର ରେ କାହିଂର ଧନଚୋର ।୨୬।
ଆହୋ ଚଉର୍ଯ୍ୟ ମାର ବୋଲି ଧାଇଂଲେ ସର୍ବଯୋଧୀ
ଅବିଚ୍ଛନ୍ନେ ବାହାନ ଆରୋହୀ ବାଣ ବିନ୍ଧି ।୨୭।
ବାସବିର ସଇନି ଯେ ଅଟନ୍ତି ମୟେମତ୍ତା
ପ୍ରତଗ୍ୟାଂ ସାମରଥ ସେ ଅଭୟ ବଳବନ୍ତା ।୨୮।
ପର୍ବତେ ଥାଇଣ ସେ ନାରାଜ କଲେ ବୃଷ୍ଟି
ବଇଲୋଚନ ଶାହିର ସଇନି ଉପରେଣ ପଡ଼ି ଫୁଟି ।୨୯।
ଅଶ୍ୱଂକର ଉପରେ ଥିଲେ ଯେତେକ ଯୋଦ୍ଧାମାନେ
ସେହ୍ନା ଟୋପର ଫୁଟି ପଡ଼ିଲେ ଅବିଚ୍ଛନ୍ନେ ।୩୦।
ହାବୋଡ଼ା ନାରାଜ ଘାୟେ ପଡ଼ନ୍ତି ମହୀଲୋଟି
ପର୍ବତ ଉପରକୁ କେହି ନୁଆରିଲେ ଉଠି ।୩୧।
ଲାଂକିୟା କୁନ୍ତ ପରିଘ ଯାଠି ଯେ ମୂଷଳୀ
ପର୍ବତ ଉପରେ ଥାଇ ବିନ୍ଧନ୍ତି ସନ୍ୟ ଉପରେଣ ନିକିଳି ।୩୨।
ଅଶ୍ୱ ଯୋଦ୍ଧାମାନେ ଯେ ପଳାନ୍ତି ଅସମ୍ଭାଳେ
ୟେକର ଉପରେ ଆରେକ ପଡ଼ନ୍ତି ମହୀଆଳେ ।୩୩।
ସନ୍ୟଂକର ବିଛତ୍ର ଦେଖିଣ ମହୀପତ୍ୟେ
ଦଶଲକ୍ଷ ଯୋଦ୍ଧାଘେନି ଉଠିଲା ପର୍ବତେ ।୩୪।
ତିନି ଯୋଜନ ଆୟତନ ଯେ କଣୟ କୋଶ ଗିରି
ଦୁଇବଳ ଉଠି ହେଲେ ଉବୁରା ଉବୁରି ।୩୫।
ବିନ୍ଧନ୍ତି ନାରାଜ ଯେ ଗହନ ତୀଖମୁନା
କପଚ ମଣି କୁଣ୍ଡଳ ଯେ ଫୁଟନ୍ତି ବଜ୍ରସେହ୍ନା ।୩୬।
ପାଣ୍ଡବ ସଇନି ଯେ ହୋଇଲେ ଶରଘାତ
ଭାଂଜିଲେ ସଇନି ଯହୁଂ ଉଠିଲେ ବୀର ପାର୍ଥ ।୩୭।
ତାରାଗଣ ମଧ୍ୟେ ଯେହ୍ନେ ଚନ୍ଦ୍ରମା ପ୍ରକାଶି
ୟେକା ଫାଲଗୁନି ବିଦାରଣ କଲା ପଶି ।୩୮।
ଆପଣେ ନାରାଜ ବିନ୍ଧିଲେ କୋପକରି
ବାତଘାତେ ଯେହ୍ନେ ବୃନ୍ଦାହୁଳ ଫଳ ଝଡି ।୩୯।
ରଥୀକେ ଶତେ ନାରାଜ ଗଜ ଯୋଦ୍ଧାକେ ଅଶିଶର
ଅଶ୍ୱ ଯୋଦ୍ଧାକେ ପଞ୍ଚାଶ ପାଦାନ୍ତିକେ ପନ୍ଦର ।୪୦।
ମନଭେଦୀ ବୋଲିକରି ଯେବଣ ଶରଗୋଟି
ମନେ ଯେତେ ବୋଲି ତୋତେ ନାରାଜ ହୋୟେ ବୃଷ୍ଟି ।୪୧।
ୟେକା ଘାନ୍ତିକେ ଯେ ପଡ଼ିଲେ ଥାଠଗୋଟି
ବେନିଜୂଣ ପରିଯନ୍ତେ ମାଡ଼ି ପଡ଼ିଲେ ମହୀରେଣ ଲୋଟି ।୪୨।
ନବଲକ୍ଷ ରଥୀ ତାର ଅଶୀଲକ୍ଷେ ମାତାଙ୍ଗ
ସାତ କ୍ଷଉଣୀ ସନ୍ୟ ତେର ଖର୍ବ ତୁରଙ୍ଗ ।୪୩।
ବାସବିର ମହିଂମା ଦେଖ ହୋ ସମରେ
ଅର୍ଜୁନ ବାଣ ବିଘାତେ ଲୋଟିଲେ ସର୍ବବୀରେ ।୪୪।
ତେତିଶ ଯୋଦ୍ଧାର ତୁଲେ ଉବୁରିଲା ବଇଲୋଚନ ଶାହି
ଅର୍ଜୁନକୁ ବୋଇଲେ ହୋ ଆମ୍ଭନ୍ତ କର ତ୍ରାହି ।୪୫।
ଶରଣ ଦେଖିଣ ନାରାଜ ସଂହରିଲେ ଧନୁର୍ଜୟେ
ପଡ଼ିଛନ୍ତି ସମଦଣ୍ଡ କଦଳୀ ବନ ପ୍ରାୟେ ।୪୬।
ରଣେ ନିସତ ଯହୁଂ ହୋଇଲେ ବଇଲୋଚନ ବଳ
ବାହାନ ତେଜି ପ୍ରଣପତ୍ୟ କଲାକ ମହୀପାଳ ।୪୭।
ପୁଣ ପୁଣ ନୃପତି ହୋଅଇ ପରିଣାମି
ବୋଇଲା ସନ୍ୟ ମୋର ଅଦୋଷେ କିଂପେ ନାଶ କଲୁ ଦେବସ୍ୱାମୀ ।୪୮ ।
କରପତ୍ର ଯୋଡ଼ି ବୋଲଇ ନୃପମଣି
ଦଶଦୋଷ ଅପ୍ରାଧ ମୋର କ୍ଷମା କରିବା ଦେବସ୍ୱାମୀ ।୪୯ ।
ଅର୍ଜୁନ ବୋଇଲା ତୋହୋର ନାହିଂ କିହୋ ଗ୍ୟାନ
ମୁହିଂ ସେ ପାଣ୍ଡବ ଅର୍ଜୁନ ମୋତେ କିଂପାଇଂ ନ ଚିହ୍ନ ।୫୦ ।
ରାଜୁସି ଯାଗସଭା ଯୁଝେଷ୍ଠି କରିବା ନିମନ୍ତେ
ଉତ୍ତର ଦିଗବିଜେ ମୁଂ ରାଜାନ୍ତ ନିମନ୍ତିବା ଅର୍ଥେ ।୫୧ ।
ସମସ୍ତ ନୃପତିୟେ ହୋଇବେ ତହିଂ ରୁଣ୍ଡ
ଚଳନ୍ତି ରାଜାମାନେ ଘେନିଣ ଯେ ଯାହାର ପାରିଦଣ୍ଡ ।୫୨ ।
ୟେସନେକ ଶୁଣି ବଇଲୋଚନ ଶାହି
କହଇ ବଚନ ପୁଣ ଅର୍ଜୁନକୁ ଚାହିଂ ।୫୩ ।
ଆହୋ ଅର୍ଜୁନ ତୁ ପଣ୍ଡିତ ଭିଗ୍ୟଂବନ୍ତ
ୟେଡ଼େବଡ଼ ପ୍ରଭୁ ହୋଇ କିଂପେ କରୁ ତୁ ୟେମନ୍ତ ।୫୪ ।
ଆମ୍ଭେ ପରରାଷ୍ଟେ ପଶୁଂ ଯେତେକ ରାଜାମାନେ
ମୂର୍ଖ ଅଗ୍ୟାନେ ଥାଉଂ ମଦିରା ରସପାନେ ।୫୫ ।
ଆମ୍ଭ ତହୁଂ ଆରବଡ଼ ନ ଜାଣୁଂ ଆମ୍ଭେ କାହିଂ
ମହାମତ୍ତା ଯୋଦ୍ଧା ମୁଂ ଯେ ବଇଲୋଚନ ଶାହି ।୫୬ ।
ନ ଜାଣି ସମର ମୁହିଂ କଲାଇଂ ଅନମିତେ
ରଣେ ସଂପଦ ହରାଇଲି ମୁଂ ଯେ ବୁଦ୍ଧି ବିପରୀତେ ।୫୭ ।
କୁଟୁମ୍ବଯାକ ମୋହୋର ପଡ଼ିଲେ ହୋଇ ନିରୀମାଖି
ଶରୀର ଦହୁଅଛି ମୋର ସନ୍ୟ କଷ୍ଟ ଦେଖି ।୫୮ ।
ତୋତେ ଜାଣିମାକୁ ମୁଂ ତ ନୋହଇ ସାମରଥା
ଅଭିମାନେ ବ୍ରତିବା କି ସେ ମରଣ ଅବସ୍ଥା ।୫୯ ।
ରାଜା ବିନୋୟୀ କହନ୍ତେ ହୋଇ ମହାକ୍ରୋଧୀ
ସଇନି ମରାଇଲୁ ତୁ ବିନା ଅପରାଧୀ ।୬୦ ।
ଉଠ ଉଠ ନୃପତି ହୋ ନାହିଂ ତୋର ଦୋଷ
ପ୍ରତଗ୍ୟାଂ ସହି ନୁଆରି ତୋର ସଇନି କଲୁଂ ନାଶ ।୬୧ ।
କରପତ୍ର ଯୋଡ଼ି ବୋଲଇ ବଇଲୋଚନ ଶାହି
ନାଶକଲୁ ମୋର ସନ୍ୟ ଦେବ କର ତ୍ରାହି ତ୍ରାହି ।୬୨ ।
ଯଦ୍ୟପି ଅର୍ଜୁନ ବାସୁଦେବ ଅଭେଦ ଆତ୍ମା
ସଞ୍ଜୀବନୀ ନାଥ ତୁହି ତାରଣ ମହାତ୍ମା ।୬୩ ।
ସ୍ୱାମୀ ସମସ୍ତ ରାଜାୟେ ଯିବେ ଯେ ହରଷେ
ସ୍ୱମୀଂକି ସେବାକରି ମୁଂ ଯିବି କି ନିରାଶେ ।୬୪ ।
ଅର୍ଜୁନ ବୋଇଲେ ହୋ ପଡ଼ିଲେ ତୋର ସନ୍ୟବଳ
ମୃତୁବନ୍ତ ପ୍ରାଣୀ ହୋ ନ ବ୍ରତନ୍ତି କେହୁଣିସି କାଳ ।୬୫ ।
ସ୍ୱାମୀ ସନ୍ୟ ମୋର ନାଶକରି ବ୍ରତାଇବୁ ଯେବେ
ମୋତେହେଂ ନାରାଜକେ ସ୍ୱାମୀ ବଧକର ୟେବେ ।୬୬ ।
ସ୍ୱାମୀ କୁଟୁମ୍ୱଯାକ ମରାଇ ବ୍ରତନ୍ତି ଯେବଣ ପ୍ରାଣୀ
ପୁରୁଷ ଅଲକ୍ଷଣ ତାକୁ ଜନରେ ନ ଗଣି ।୬୭ ।
ୟେତେ କହି ପଦ୍ମାସନେ ବସିଲା ନୃପମଣି
ମୁକୁତି ଗତି ନାଥ ଶିର ମୋ ଚ୍ଛେଦ ୟେହିକ୍ଷଣି ।୬୮ ।
ଭାରଥେ ଭରୋଇ ମଲ୍ଲ ନାରାୟଣ ଅଟୁ ତୁହି ଦୁତୀ
ତବ ହାଥେ ଶିର ଚ୍ଛେଦନ ହେଲେ ବଇକୁଣ୍ଠ ପାଇବି ସ୍ଥିତି ।୬୯ ।
ସ୍ୱାମୀ ଅର୍ଜୁନ ତୁହି ଯେ ମୋହୋର ଇଷ୍ଟ ଯେ ଦେବତା
ତୁହି ସେ ମୋର ସ୍ୱାମୀ ଅଟୁ ପିତାମାତା ।୭୦ ।
ବଇଲୋଚନ ଶାହିର ଯହୁଂ ଶୁଣିଲେ ୟେ ନିରାଶ ବଚନ
ମାତଳି ବୋଇଲା ରକ୍ଷା କରିବୁ ନାହିଂକି ଫାଲଗୁନ୍ୟ ।୭୧ ।
ଜୀବନ୍ୟାସ ଶରେକ ଘେନିଣ ସର୍ବସାଚୀ
ଅମୃତ ବୃଷ୍ଟି କଲେ ନାରାଜ କରି ପ୍ରାଞ୍ଚି ।୭୨ ।
ଯେତେବେଳେ ଅର୍ଜୁନ କଲେ ଅମୃତ ଶରବୃଷ୍ଟି
ସନ୍ୟ ଉପରେ ଶର ବରଷିଲାକ ଝାତି ।୭୩ ।
ଚେତନା ପାଇଣ ସେ ଉଠିଲେ ସର୍ବ ସଇନି
ତ୍ରାହି ତ୍ରାହି ବାସବି ବୋଲି ଉଠିଲା ଘୋର ଧୁନି ।୭୪ ।
ନିମନ୍ତ୍ରଣ ଯୋଗାଡ଼ ଦିଲେ ସୁଭଦ୍ରାର ନାହା
ସମଦଣ୍ଡ ଘେନି ବଇଲୋଚନ ଶାହି ତୁ ରାଜୁସି ଯାଗକୁ ଯାଅ ଯା ।୭୫ ।
ଅନେକ ସାନନ୍ଦେ ରାଜା ହୋଇଲା ପରିଣାମି
ମୋହୋର ରାଜ୍ୟେ ଆଜକ ରହିବା ହୋ ଦେବସ୍ୱାମୀ ।୭୬ ।
ମୁଣୋହି ଯୋଗାଡ଼ ଦେବଇଂ ଯେତେମାନେ ପାରଇ
ରାଜ୍ୟକଇଂ ଅନେକ ସୁଲଭ ହୋଇବ ମୋହୋରହିଂ ।୭୭ ।
ଅର୍ଜୁନ ବୋଇଲେ କାହାରିହିଂ ରାଜ୍ୟେ ଆମ୍ଭର ନାହିଂ ନା ଭୋଜନ
ପିତାର କାର୍ଯ୍ୟେ ଆମ୍ଭେ ଆନେ ଦେବୁଂ ଅନ୍ନ ।୭୮ ।
ଆହୋ ବଇଲୋଚନ ଶାହି ଚଳ ତୋର ସମଦଣ୍ଡ ଘେନି
ଅପୂର୍ବ ପଦାର୍ଥ ନେବୁଟି ଦେଖା ଦରଶନି ।୭୯ ।
ପାଥର ଆଗ୍ୟାଂୟେ ସେ ଚଳଇ ଯମନିକ ବାଳ
ଥାଠ ଚଳାଇଲା ରାୟେ ତେଜିଣ ଆପଣା ମଣ୍ଡଳ ।୮୦-୪୭୦୨ ।
ଅର୍ଜୁନଙ୍କର ବର୍ଣ୍ଣାନିକ ରାଜା , ବିଷ୍ଣୁକର ପଣ୍ଡା ବେଦଶ୍ରବଣ , ଅଙ୍ଗାରପନ୍ନଗ ଓ ଦ୍ରୁପଦ ରାଜାଙ୍କୁ ନିମନ୍ତ୍ରଣ
ତହୁଂଣ ସୁବର୍ଣ୍ଣପୁର ବୋଲି ୟେକଇଂ ନଗ୍ରରେ
ତହିଂ ଯାଇଂ ପ୍ରବେଶ ହୋଇଲେ ଶିବଭଦ୍ରା ନଦୀତୀରେ ।୧ ।
ସେ ସୁବର୍ଣ୍ଣପୁର ରାଜା ବନାନୀକ ଚକ୍ରବ୍ରତୀ
ତାହାର ତହିଂକି ଅର୍ଜୁନ ଦୂତ ବରଗିଲେ ଝାତି ।୨ ।
ବିଜୟେ ନରବର ଚନ୍ଦ୍ରଶାଳା ଭୁବନେ
ପ୍ରଣପତ୍ୟ ହୋଇ ଜଣାଇଲେ ଦେଶାଉରମାନେ ।୩ ।
ସ୍ୱାମୀ ଯୁଝେଷ୍ଠିଦେବ ରାଜୁସି ଯାଗ ନିମନ୍ତେ
ଅର୍ଜୁନ ଦିଗବିଜୟେ ଉତ୍ତର ପ୍ରଶସ୍ତେ ।୪ ।
ଅନେକ ରାଜ୍ୟେ ଦେବ ଆସୁଅଛି ଉଜାଡ଼ି
ଦୁଷ୍ଚ ହୋଇଲେ ତାହାନ୍ତ ଦେବଂ ଭାଂଜିଣ ଚୂରକରି ।୫ ।
ସମଦଣ୍ଡ ଘେନି ଚାଲ ଯିବାକ ପାଛୋଟି
ଭଗତେ ଅନୁଗ୍ରହ ସେ କରାଇ କିରୀଟୀ ।୬ ।
ଭିଗ୍ୟଂବନ୍ତ ରାଜା ସେ ବନାନୀକ ଚକ୍ରବ୍ରତୀ
ଶୁଣିଣ ସାନନ୍ଦ ମନେ ଆସଇ ଭୂଅପତି ।୭ ।
ସଇନି ସାଗରେକ ଅଛଇ ତାର ତୁଲେ
ରାଜ୍ୟରୁ ବାହାର ହୋଇ ସମସ୍ତେ ଅଇଲେ ।୮ ।
ନଦୀରେ ଅର୍ଜୁନର ଆହାର୍ଣ୍ଣିକ ବେଳେ
ସମ୍ଭର୍ବରେ ଦ୍ରଶନ କଲା ସୁବର୍ଣ୍ଣପୁର ମହୀପାଳେ ।୯ ।
ପ୍ରଣପତ୍ୟ ହୋଇଲା ସେ ବନାନୀକ ରାଜେଶ୍ୱର
ପ୍ରସନ୍ନ ହୋଇଣ ଦେଖି ପାଣ୍ଡବ ସୁନ୍ଦର ।୧୦ ।
ଅକ୍ଷତ ଗୁଆ ଦେଇ କଲେକ ନିମନ୍ତ୍ରଣ
ଦଣ୍ଡ ଘେନିଣ ସେ ରାଜା ବାହାରି ତତକ୍ଷଣ ।୧୧ ।
ନିମନ୍ତ୍ରଣ ପାଇ ସେ ଚଳଇ ନରପତି
ତହୁଂଣ ଧନୁର୍ଜୟେ ଚଳିଲେ ରାଜାନ୍ତ ନିମନ୍ତି ।୧୨ ।
ବିଜୟ ଧନୁର୍ଜୟେ ତହୁଂ ଥାଠ ଯେ ଚଳାଇ
ଶିବପୁର ନଗ୍ରରେ ପ୍ରବେଶ ବୀର ପାଥ ଯାଇ ।୧୩ ।
ବୀରତୂର ଶବଦରେ ସିନ୍ଧୁ ଉଛୁଳଇ ।୧୪ ।
ବିଷ୍ଣୁକର ପଣ୍ଡା ସେ ନଗ୍ରେଣ ଆଧିପତି
ବ୍ରାହ୍ଣଣ ରାଜା ସେ ବେଦ ଶାସ୍ରେଣ ବ୍ରତି ।୧୫ ।
ମୁନେହିଂ ଜଣାଇଲେ ଦେବ ଶୁଣିମା ସାବଧାନେ
ଉତ୍ତର ଦିଗବିଜେ କଲେ ପାଣ୍ଡବ ଫାଲଗୁନ୍ୟେ ।୧୬ ।
ବାରତା ପାଇଣ ସେ ବିଷ୍ଣୁକର ବ୍ରାହ୍ମଣ
ବୋଇଲା କଟକେ ମୋର ପାୟେଡ଼ା ପାର ୟେହିକ୍ଷଣ ।୧୭ ।
ନଗ୍ର ଭିତରେ ସେ ପାଡ଼ିଲେ ପାୟେଡ଼ା
କର୍ପୂର ଚନ୍ଦନ ଯେ ଦିଲକେ ତହିଂ ଛେରା ।୧୮ ।
ସେ ବିଷ୍ଣୁକର ପଣ୍ଡାଂକର ଭାରିଯା ଚାରୁମତି
ସେ ଅମୃତ ଯୋଗାଡ଼ ମାନ ପଚନ କରନ୍ତି ।୧୯ ।
ବିପ୍ରଗଣନ୍ତ ଘେନିଣ ଚଳିଲେ ବିଷ୍ଣୁକରେ
ଅର୍ଜୁନ ରହିଣଛନ୍ତି ନଗ୍ରର ବାହାରେ ।୨୦ ।
ପଞ୍ଚାଶ ଭାର ଯେ ମୁକୁତା ଦ୍ରବ୍ୟ ଘେନି
ଛାମୁରେ ଦ୍ରଶନ କଲା ବିଷ୍ଣୁକର ବୀର ଫାଲଗୁନି ।୨୧ ।
ବିଷ୍ଣୁକର ପଣ୍ଡାୟେ କଲେକ ନିଉଛାଳି
ଅର୍ଜୁନ କୋଳକରି ପଣ୍ଡାଂକୁ ବେଗେ ତୋଳି ।୨୨ ।
ଆଲଟ ଚାମର ଯେ ଢ଼ାଳନ୍ତି ସର୍ବବାଳୀ
ନଗ୍ରେଣ ପଶନ୍ତେ ଯେ ପଡ଼ଇ ହୁଳହୁଳି ।୨୩ ।
ଅନେକ ଉତ୍ସବେ ଯୋଗାଡ଼ନ୍ତି ବିଦୁଜନେ
ବିଜେ କରାଇଲେ ନେଇ ଚନ୍ଦ୍ରଶାଳା ଭୁବନେ ।୨୪ ।
ସର୍ବ ଅଳଂକାର ହୋଇ ବିଷ୍ଣୁକର ପଣ୍ଡାଂକ ରାଣୀ
ହାଥେ ଅର୍ଘ୍ୟ ଘେନି ଅର୍ଜୁନକୁ ବନ୍ଦାଇଲେ ଆଣି ।୨୫ ।
ଅର୍ଜୁନର ବଦନ ଚାହିଂଣ ପ୍ରଶଂସି
ମୁହିଂ ସେ ୟେ ନଗ୍ରରେ ଯେ ଅଟଇ ଭିକ୍ଷାବାସୀ ।୨୬ ।
ବିଶ୍ରାମ କଲେ ଆସି ମୋହୋର ଭୁବନେ
ଦୁର୍ଗତି ଫିଟିଲା ମୋର ମହତଂକ ଦରଶନେ ।୨୭ ।
ଅପୁତ୍ରିକ ହୋଇଥିଲି ଅନେକ କାଳ ପରିଯନ୍ତେ
ୟେହି ଜନମାନେ ଅପୁତ୍ରିକ ଦେଖି ରାଜ୍ୟୁଂ ବାହାର କରିଦିଲେ
ମୋତେ ।୨୮ ।
ସ୍ୱାମୀ ମୋ ଦ୍ୱାରେ ତୁମ୍ଭେ ଆସି କଲ ଭିକ୍ଷାପାତ୍ର
ଧର୍ମବଳେ ମୁହିଂ ତୁମ୍ଭନ୍ତ ହୋଇଲି ଭଗତ ।୨୯ ।
ଦେଖିଣ ଦୟା ମୋତେ କଲେ ତୁମ୍ଭ ମାତା କୁଇନ୍ତା ମହାରାଣୀ
ବୋଇଲେ ପୁତ୍ରେକ ଉପୁଜିବ ଭିଗ୍ୟଂବନ୍ତ ମହୀଶ୍ରେଷ୍ଠ ପୁଣି ।୩୦ ।
ସ୍ୱାମୀ ୟେସନେକ ଆଗ୍ୟାଂ ମୋତେ ଯହୁଂ ଦିଲେ ଦେବୀ କୋଇନ୍ତୀ
ସେହି ମାସର ମଧ୍ୟେ ମୁଂ ହୋଇଲି ଗର୍ଭବତୀ ।୩୧ ।
ଅର୍ଜୁନ ବୋଇଲେ ତୁମ୍ଭେ ଶୁଣସି ପଣ୍ଡାୟେ
କେମନ୍ତେ ଆମ୍ଭନ୍ତ ଚିହ୍ନି ବୋଇଲ ଧନୁର୍ଜୟେ ।୩୨ ।
ପଣ୍ଡାୟେ ବୋଇଲେ ଓଡ଼ାଦି ଚାଣ୍ଡାଳ ବଳ ମାରି
ଜୟସେନ ଠାକୁରେ ମୋତେ ୟେ ରାଜ୍ୟରେ କଲେକ ଅଧିକାରୀ ।୩୩ ।
ବାହାର ହୋଇ ରାଜ୍ୟରୁ ଗଲେ ଯେତେବେଳେ
ବାମଦେବ ପୁରୋହିତେ ମୋତେ କହିଲେ ସନ୍ଧ୍ୟାକାଳେ ।୩୪ ।
ବୋଇଲେ ହୋ ବିଷ୍ଣୁକର ତୁ ନୁଆରିଲୁ ଚିହ୍ନି
ପାଣ୍ଡବେ ତୋହୋର ରାଜ୍ୟେ ଥିଲେ ଗୋପ୍ୟାନ ରୂପ ଘେନି ।୩୫ ।
ଚାଣ୍ଡଳ ବଳ ଯେହୁ ମାଇଲେ ସାଂଗ୍ରାମେ
ପବନ ନନ୍ଦନ ସେ ଯେ ପାଣ୍ଡବ ଭୀମସେନେ ।୩୬ ।
ପୁରୋହିତଂକ ବଚନେ ମୁଂ ଲୋଡିଲି ଚଉକତି
ଅନେକ ବନ କନ୍ଦର ଲୋଡ଼ିଲି ମୁଂ ଝାଡ଼ି ।୩୭ ।
ସ୍ୱାମୀଂକ ଦ୍ରଶନ ମୁଂ ପାଇଲି ୟେତେକାଳେ
ପ୍ରସନ୍ନେ ଜଗନ୍ନାଥେ ମୁଂ ଦେଖିଲି ବେନିଡୋଳେ ।୩୮ ।
ସ୍ରାହାନ ଆହାର୍ନିକ ସାରିଣ ଧନୁର୍ଜୟେ
ବିଷ୍ଣୁକର ପଣ୍ଡା ଘରେ ମୁଣୋହିକି ବିଜୟେ ।୩୯ ।
ସମଦଣ୍ଡ ସଇନି ଭୁଞ୍ଜନ୍ତି ତୋଷମନେ
ଭାବେଣ ଅତି ତ୍ରିପୁତି ଯେ ହୋଇଲେ ଅରଜୂନେ ।୪୦ ।
ଆଂଚୋବନ ସାରିଣ କର୍ପୂର ତାମ୍ବୋଳ ଭୁଞ୍ଜି
ଚାରିପୁତ୍ର ପଣ୍ଡାଂକର ଦେଖି ଅର୍ଜୁନ ତୋଷ ଭଜି ।୪୧ ।
ପୁତ୍ରଂକୁ କୋଳେ ଦିଲେ ବିଷ୍ଣୁକର ପାଟରାଣୀ
ସ୍ୱାମୀଂକର ପ୍ରସନ୍ନେ ହୋଇଲି ଅହିଓ ସୁଲକ୍ଷଣୀ ।୪୨ ।
ଅନେକ ଅଳଂକାର ଦିଲେକ ଦୂତୀହରି
ବ୍ରାହ୍ମଂଣନ୍ତ ଘେନି ଯାଅ ହସ୍ତିନା ନଗ୍ରପୁରୀ ।୪୩ ।
ନିମନ୍ତ୍ରଣ ଯୋଗାଡ଼ ଘେନିଣ ବିଷ୍ଣୁକର
ଶିବପୁର ନଗ୍ର ଜିଣି ହୋଇଲେକ ବାହାର ।୪୪ ।
ତହୁଂଣ ଅର୍ଜୁନ ଗଲେ ଥାଠନ୍ତ ଚଳାଇ
ୟେକାଚକ୍ରା ନଗ୍ରପୁରେ ପ୍ରବେଶ ହେଲେ ଯାଇଂ ।୪୫ ।
ବୀରତୂର ମର୍ଦ୍ଦଳ ଯେ ବିଜିଘୋଷ ଦାଉଣ୍ଡି
ଦେବ ଦୁନ୍ଦୁଭି ବାଜଇ ଅଷ୍ଟରତ୍ନେ ମଣ୍ଡି ।୪୬ ।
ଚକାସୁର ପର୍ବତେ ବିଜୟେ ଧନୁର୍ଜୟେ
ଘୋର ଶବଦ ବାଦ୍ୟେ ପୃଥୀ ଉଲୁକାପାତ ପ୍ରାୟେ ।୪୭ ।
ନଗ୍ରକୁ ପଶନ୍ତେଣ ସେ ଚାରଗଣ ମୁନେହିଂ
ବେଦଶ୍ରବଣ ପଣ୍ଡାଂକର ଛାମୁରେ ଯାଇଂ କହି ।୪୮ ।
କେଉଂଣ ଦେଶରଟି ପ୍ରବେଶ ୟେକଥାଠ
ଅପୁଛା ଅଗୋଚରେ ପଶଇ ଆମ୍ଭରାଷ୍ଟ ।୪୯ ।
ଶୁଣିଣ କୋପକଲା ବେଦଶ୍ରବଣ ପଣ୍ଡା
ଆସ୍ତାନରୁ ଉଠିଣ ସେ କରେ ଘେନିଲା ଖଣ୍ଡା ।୫୦ ।
ସାଜରେ ଦ୍ୱିଜବରେ ସଇନି ବଳ ଥାଠ
ପରଦେଶୀ ଯୋଦ୍ଧାଂକର ଶିର ବେଗେ କାଟ ।୫୧ ।
ଅରାଜାଂକ ଆଗ୍ୟାଂ ପାଇ ଧାଂଇଲେ ଦୁଷ୍ଟ ଦ୍ୱିଜେ
ପଖାଉଜ ତୁଲେ ଢୋଲ ନିଶାଣ ବୀରତୂର ବାଜେ ।୫୨ ।
ହାଥୀ ୟେକ ଆରୋହିଣ ଯେ ବେଦଶ୍ରବଣ ପଣ୍ଡାୟେ
ଦୃଭାର ବଳ ଘେନିକରି ଦ୍ୱିଜବର ଆୟେ ।୫୩ ।
ବେନି ଅହିବ୍ରତ ପାଟଛତ୍ର ଆଲମ୍ବ ଉଦ୍ଦଣ୍ଡ
ଢାଳନ୍ତି ଚାମର ଯେ ମୋହନ୍ତି ବ୍ରହ୍ମାଣ୍ଡ ।୫୪ ।
ରଥ ଗଜ ଅଶ୍ୱ ପାଦାନ୍ତି ଯେ ଅନେକ ଅକଳଣା
ବହୁତ ସଇନି ଚଳାଇ ସେ ବେଦ ଶ୍ରବଣା ।୫୫ ।
ଅର୍ଜୁନ ରହିଅଛି ବକାସୁର ପର୍ବତ
ଅର୍ଜୁନ ସନ୍ନିଧ୍ୟରେ ହୋଇଲେ ଯାଇଂ ଓହୋବଳ ଭେଟ ।୫୬ ।
ଅର୍ଜୁନ ବୋଇଲେ ରହ ରହ ପଣ୍ଡା ହେ
ତୁମ୍ଭର ଆମ୍ଭର ନାହିଂ କିଛିହିଂ ସନ୍ଦେହେ ।୫୭ ।
ବିହଡ଼ନ୍ତି ଦ୍ୱିଜବର ଯେ ମହା ମହା ବଳିଷ୍ଠ
ସମରେ ନ ଘୁଞ୍ଚନ୍ତି ସେ ଯେ ଅଟନ୍ତି ଗରିଷ୍ଠ ।୫୮ ।
ଶ୍ରୀବତ୍ସ ଅଂକତି ସେ ଦିଶଇ ଥାଠଯାକେ
ବ୍ରହ୍ମାଣ୍ଡ ଉଛୁଳୁଅଛି ଯେ ମୋର ମାର ଡାକେ ।୫୯ ।
ବହୁତ ପ୍ରତଗ୍ୟାଂ ସେ କହିତ କି ପାରି
ରାଗେଣ ବ୍ରାହ୍ମଣ ବଳ ବେଢିଲେ ପୁରସରି ।୬୦ ।
ଛେଲ ଚକ୍ର କୋନ୍ତ ନାରାଜ ଖଡଗ ଯାଠି
ବିନ୍ଧନ୍ତି ବିପ୍ରବଳ ଜାବଡେ ୟେକମୁଖେ ଉଠି ।୬୧ ।
ବିପ୍ରବଳ କୋପ ଦେଖି ଅର୍ଜୁନ ସଇନି
ନାରାଜ ପୂରୋଇଣ ବିନ୍ଧିଲେ କରିଣ ମୁକ ଧୁନି ।୬୨ ।
ଅର୍ଜୁନ ସମାର୍ଜଇ ଯେ ଆପଣା ସଇନିକି
ଅକାରଣେ ତୁମ୍ଭେ କୋପ କରୁଛ କାହିଂକି ।୬୩ ।
ନ ଜାଣି ବ୍ରାହ୍ମଣେ କୋପ କଲେକ ଯଦ୍ୟପି
ୟେ ରାଜ୍ୟେ ବ୍ରାହ୍ମଣଂକୁ ଆମ୍ଭେ ଅଛୁଂ ଥାପି ।୬୪ ।
ମାତଳି ସାରଥିକି ବୋଇଲେ ବୀର ପାଥ
ସେ ବ୍ରାହ୍ମଣ ଛାମୁକୁ ହୋ ବାହା ମୋର ରଥ ।୬୫ ।
ନ ଜାଣି ଅଗ୍ୟାନେ ପର ଥାଠ ବୋଲିଣ ଅଇଲେ
ସମାଧାନ ହୋଇବ ସେ ବାରତା ପାଇଲେ ।୬୬ ।
ଅର୍ଜୁନର ଆଗ୍ୟାଂୟେ ସେ ମାତଳି ସାରଥି
ପବନୁଂ ବେଗେ ଅଶ୍ୱ ବାହିଲା ତତକ୍ଷଣାନ୍ତି ।୬୭ ।
ଧାତିକାରେ ଅଶ୍ୱେ ଉଠିଲେ ଅତି ବେଗେ
ରଥ ଉଭାରିଲେ ନେଇ ବେଦଶ୍ରବଣ ପଣ୍ଡାଂକର ଆଗେ ।୬୮ ।
ଦେଖିଣ ବ୍ରାହ୍ମଣେ ସେ କରେଣ ଧନୁ ଧରି
ଅର୍ଜୁନ ଉପରକୁ ବିନ୍ଧିଲେ ଶର ଚାରି ।୬୯ ।
ଅର୍ଜୁନର ଶରୀର କି ଭେଦାଇ ତାହାଂକର ଶରଘାୟେ
ବୋଇଲେ ବାସବି ରହ ରହ ହେ ପଣ୍ଡାୟେ ।୭୦ ।
ତୁମ୍ଭେ ଯେ ଆଦ୍ୟହୁଂ ଅଟ ବୁଭୁକ୍ଷିତ ଦ୍ୱିଜ
କେଉଂଣ ପ୍ରକାରେଣ ପାଇଲ ତୁମ୍ଭେ ୟେଥି ରାଜ୍ୟ ।୭୧ ।
ବ୍ରାହ୍ମଣେ ବୋଇଲେ ଆହେ ଶୁଣ ମହାରଥୀ
ତୁହି ଯେବେ ଅମ୍ଭନ୍ତ ପଚାରିଲୁ ଆଦିଅନ୍ତ ପ୍ରତି ।୭୨ ।
ବଜ୍ରକପଚ ବୋଲିଣ ଥିଲା ଅସୁର ରାଜାୟେ
ଚାରିଗୋଟି ପୁତ୍ର ତାର ୟେକ ଦୁହିତାୟେ ।୭୩ ।
ବକ ହିଡିମ୍ୱକ ଆଉ କୁମ୍ଭୀର କିନ୍ନରୀ
କୁମ୍ଭିରୀ ଜ୍ୟେଷ୍ଠ ଯେ ସେ ସୁରନଦୀ ଅଧିକାରୀ ।୭୪ ।
କିନ୍ନରୀ ବୋଲିକରି ଯେ ସେ ତାହାର କନିଷ୍ଠ
ତାହାର ନିଜ ରାଜ୍ୟ ହୋୟେ ଯେ ମଧୁ ବନ ରାଷ୍ଟ ।୭୫ ।
ହିଡିମ୍ୱକ ବୋଲିକରି ତାହାର ସାନୁଜ
ହିଡିମ୍ୱକ ବନେ ସେ କରଇ ନିଜ ରାଜ୍ୟ ।୭୬ ।
ହିଡିମ୍ୱକ ବନେ ଥାଇ ତା ଭଗ୍ନୀ ହିଡିମ୍ୱିକୀ
କ୍ଷଣକର ମଧ୍ୟେ ପୃଥୀଯାକ ପାରଇ ସେ ଭକ୍ଷି ।୭୭ ।
ହିଡିମ୍ୱକ ଅନୁଜ ଅଟେ ବକ ଯେ ରାକ୍ଷସ
ଯମଦଣ୍ଡେ ଅବଧ୍ୟ ସେ ତାର କାହାରେ ନାହିଂ ତ୍ରାସ ।୭୮ ।
ୟେକଚକ୍ରା ନଗ୍ରେ ଯେ ସେ ପୁରୁଷ ଠାକୁର
ରାଜା ହୋଇଥିଲା ସେହୁ ଅନେକ ଯୁଗର ।୭୯ ।
ସେ ବକ ରାକ୍ଷସ ଦର୍ପ କପଟେ ନିବାରି
ତେଣୁକରି ଭୁଜଦଣ୍ଡେ ୟେ ରାଜ୍ୟେ ମୁଂ ହୋଇଲି ଅଧିକାରୀ ।୮୦ ।
ଅର୍ଜୁନ ବୋଇଲେ ତୁହି ହୋ ମାଇଲୁ କି ବକ
କେ ଆନ ମାଇଲା ତାହା କହନି ସରୂପ ।୮୧ ।
ବେଦଶ୍ରବଣ ବୋଇଲା ଶୁଣ ହେ କ୍ଷତ୍ରୀ ତଥ୍ୟ
ତୁ ଯେ ପୁଚ୍ଛାକଲେ ତୋତେ କହିବା ଯଥାର୍ଥ ।୮୨ ।
ଆହୋ ବକଦତ୍ୟ ବୋଲିକରି ଯେଉଂଣ ରାକ୍ଷସ
ଯମଦଣ୍ଡ ଅବଧ୍ୟେ ସେ ତାର କାହାରେ ନାହିଂ ତ୍ରାସ ।୮୩ ।
ୟେକଚକ୍ରା ନଗ୍ରେ ସେ ଅଟଇ ଆଧିପତି
ତାହାର ଦର୍ପେ ଯମ ୟେଥି ନ କରେ ଅନୀତି ।୮୪ ।
ଆକାଂଶୁ ଜଳ ବୃଷ୍ଟି ହୁଅଇ କଲେ ଇଚ୍ଛା
ଇନ୍ଦ୍ର ବୃଷ୍ଟି କରଇ ୟେ ନଗ୍ରେ ମନବାଞ୍ଛା ।୮୫ ।
ଜରା ଅବସ୍ଥା ୟେଥି ନ ଥାୟେ ରୋଗବ୍ୟାଧି
ପରରାଷ୍ଟ୍ର ପଡ଼ିଲେ ସେ ଦୂରୁହୁଂ ପାରେ ସାଧି ।୮୬ ।
ଅସଂଖ୍ୟ ଫଳ ୟେଥି ଫଳଇ ବସୁନ୍ଧରା
ୟେମନ୍ତ ସୁବିଧାନେ ରାଜ୍ୟ ଯେ ୟେକଚକ୍ରା ।୮୭ ।
ଯେ ଯେଡେ ଅର୍ଜଇ ସୁଖେ ଭୋଗ କରଇ ଦୁଇରାଶି
ନିଚିନ୍ତେଣ ଜନ ପ୍ରଜାୟେ ଉପୁଜାନ୍ତି ବହୁ କୃଷି ।୮୮ ।
ୟେମନ୍ତ ୟେଗାର ସହସ୍ର ସତଷଠୀ ବରଷର
ଦୁଇମାସ କୋଡ଼ିୟେ ଦିନେ ପାଳି ପଡଇ ୟେକଘର ।୮୯ ।
ଭାତ ପିଠା ବେନି ଶଗଡ ପୋଡ଼ଅ ହଳେ ବଇଲ ବେନି
ନରବଳି ୟେକଜଣେ ପର୍ବତକୁ ଆସଇ ଘେନି ।୯୦ ।
ସେ ଭାତ ପିଠା ଦୁଇ ଶଗଡ଼ ବଇଲ ପୋରୁଅ ମନୁଷ୍ୟ
ୟେଡ଼େକ ନିତ୍ୟାପ୍ରତି ଭକ୍ଷଇ ସେ ରାକ୍ଷସ ।୯୧ ।
ଶୁମ ହୋ ମହାକ୍ଷେତ୍ରୀ ୟେ ନଗ୍ରେ ମୋହୋର ବାସ
ୟେଡ଼େ ବଡ଼ ନଗ୍ରେ ମୁଂ ବଞ୍ଚଇ ଭିକ୍ଷା ଆଶ ।୯୨ ।
ୟେମନ୍ତେଣ ଭିକ୍ଷାପାତ୍ର କରନ୍ତେ ୟେକଇ ସମୟେ
ମୋହୋର ଘରେ ପ୍ରବେଶ ୟେକ ମହାତ୍ମାଣୀ ସଙ୍ଗେ ଅଛନ୍ତି ପାଞ୍ଚ ପୋୟେ ।୯୩ ।
ସେ ଭିକ୍ଷାପାତ୍ର କରୁଥିଲେ ୟେହି ନଗ୍ରେ ପଶି
ବେଳ ଅବସ୍ଥାନେ ମୋତେ ଘର ମାଗିଲେ ଭିକ୍ଷାବାସୀ ।୯୪ ।
ମୋହୋର ଘର ଅଧେକ ରହିଲେ ମହାତ୍ମାଣୀ
ୟେମନ୍ତେ ବଞ୍ଚିଲେ ସେ ସାତ ଦିବସ ସାତ ରୟଣୀ ।୯୫ ।
ସେଦିନ ଘରେ ମୋର ପଡ଼ିଲାକ ପାଳି
ପୁତ୍ର ଦୁହିତା ଘେନି ଆମ୍ଭେ ପତି ପତ୍ନୀ ଭାଳି ।୯୬ ।
ଭାତ ପିଠା ପୋଢ଼ୁଅ ଶଗଡ ବଳଦ ଭିଆଇଲୁ
ନରବଳି ଜଣେ ନାହିଂ ବୋଲି ବିକଳେ ଭାଳିଲୁ ।୯୭ ।
ସେ ମହାତ୍ମାଣୀ ଦୟା କଲେ ଆମ୍ଭର କଷ୍ଟ ଦେଖି
ବୋଇଲେ ମୋହୋର ତହୁଂ ପୁତ୍ର ଦେବି ଅକାରଣେ ନୋହ ଦୁଖୀ ।୯୮ ।
ଜୟସେନ ବୋଲିକରି ତାଂକ ପୁତ୍ର ଯେ ଗୋଟିୟେ
ତାହାନ୍ତ ପଠିଆଇଲେ ଶଗଡ଼ ଘେନିଯାୟେ ।୯୯ ।
ପ୍ରବେଶ ହୋଇଲେ ଆସି ୟେହି ପରବତେ
ବକଦତ୍ୟକୁ ମାଇଲେ ସେ ଅଭୟେ ବଳବନ୍ତେ ।୧୦୦ ।
ଆବର ପ୍ରପଞ୍ଚ କଲାକ ସେହି କାମରୂପୀ
ନଗ୍ର ଆଡକୁ ମୁହଂକରି ଅସୁରକଇଂ ଥାପି ।୧୦୧ ।
ରୟଣୀ ପ୍ରଭାତେ ତାହା ଦେଖି ଡରିଲେ ସର୍ବଜନେ
ଭୟକରି ପଳାବନ୍ତି ଦେଖି ତା ବିକଟ ନୟନେ ।୧୦୨ ।
ସଭିୟେଂ ବିଚାରିଲେ କାଲି କାହାର ଘରେ ପାଳି
ଠାକୁରଂକୁ ଯୋଗାଡ଼ ନ ଦିଲା ଅବା ସେ ନ ଦିଲା ନରବଳି ।୧୦୩ ।
ମୋତେ ଆସିକରି ବେଢ଼ିଲେ ସର୍ବଜନେ
ନଗ୍ର ନାଶଗଲା ତୋହୋର ହେତୁ ଠାକୁରଂକୁ ଅଭୋଜନେ ।୧୦୪ ।
ସମସ୍ତ ଲୋକେ ଅପଖ୍ୟାତି ଦିଲେ ଯହୁଂ ମୁକୁ
ବୋଇଲେ ୟେବେ ଯାଅ ଭୋଜନ ହୁଅ ଠାକୁରଂକୁ ।୧୦୫ ।
ମୁହିଂ ଯାଇଂ ପ୍ରବେଶ ହୋଇଲି ଅସୁର ସନ୍ନିଧ୍ୟାନେ
କରି ଧରି ଉଛୁଡନ୍ତେ ପଡ଼ିଲା ଯାତୁଧାନେ ।୧୦୬ ।
ନଗ୍ରଲୋକେ ଦେଖିଣ ସେ ପରମ ସାନନ୍ଦେ
ସାଧୁ ସାଧୁ ଧୁନି ଗୋଟିୟେକ ଶୁଭିଲା ଆନନ୍ଦେ ।୧୦୭ ।
ସେ ମହାତ୍ମାଂକୁ ବସାରେ ଲୋଡ଼ିଲୁ ଆମ୍ଭେ ଯାଇଂ
ସେହି କେଉଂଣ କତି ଗଲେ ତାହାନ୍ତ ଲୋଡ଼ିତେ ନ ପାଇଂ ।୧୦୮ ।
ମୋହୋରେ ସମସ୍ତ ଲୋକେ କଲେ ଅଧିକାରୀ
ମହତେ ଭେଟିଲେ ସାଧୁ ଜୀବନ ତୋହୋରି ।୧୦୯ ।
ସେ ଯେବେ ନଗ୍ରେ ଥାଆନ୍ତେ ଆମ୍ଭେ ତାହାନ୍ତ କରନ୍ତୁ ରାଜା
ୟେବେ ସମସ୍ତେ ତୋହୋର ଚରଣେ କରିବୁ ପୂଜା ।୧୧୦ ।
ସେ ମହାରଥୀ ଶୁଣିଲୁକି ୟେ ମୋହୋର ଚରିତ
ୟେମନ୍ତ ରାଜ୍ୟ ମୋତେ ହୋଇଲା ପ୍ରାପତ ।୧୧୧ ।
ଅର୍ଜୁନ ହସିଲେ ବେଦଶ୍ରବଣ ବଚନେ
ୟେ ଦତ୍ୟ ମାଇଲେ ମୋର ଭ୍ରାଥ ଭୀମସେନେ ।୧୧୨ ।
ଆହୋ ବ୍ରାହ୍ମଣ ଆମ୍ଭେ ଚାରିଭାଇ ଯେ ଭିକ୍ଷାକୁ ଚଳିଯାଉଂ
ଦୁଷ୍ଟ ବୋଲି ଭୀମସେନ ଠାକୁରଂକୁ ସଙ୍ଗତେ ନ ନେଉ ।୧୧୩ ।
କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବଇ ଚନ୍ଦ୍ରବାର
ସ୍ୱାତୀ ନକ୍ଷତ୍ରକୁ ଭୋଗ ଅଟେ ସେ ଦିନର ।୧୧୪ ।
ସେ ଦିନର ତୁମ୍ଭେ ଯେ ଭିକ୍ଷାକୁ ନ ଗଲ
ପାଦ କୃଚ୍ଛ୍ର ବୋଲିକରି ଗୃହରେ ରହିଲ ।୧୧୫ ।
ସେଦିନ ରାତ୍ର ପାହିଲେ ତୁମ୍ଭର ଘରେ ପଡ଼ିବ ପାଳି
ନରବଳି ଜଣେ ଲାଗି ତୁମ୍ଭେ ବିକଳେଣ ଭାଳି ।୧୧୬ ।
ତୁମ୍ଭେ ବୋଇଲ ଆମ୍ଭେ ଯିବଇଂ ବ୍ରାହ୍ମଣୀ
ପୁତ୍ର ଦୁହିତା ସମ୍ଭାଳିଥିଂବୁ ବୋଲି କାନ୍ଦିଲେ କ୍ରୋଧବାଣୀ ।୧୧୭ ।
ବିକଳ ଦେଖି ବୋଇଲେ ତୁମ୍ଭର ଭାରିଯାୟେ
ମୁହିଂ ୟେ ଘାନ୍ତି ଯାଇ ତୁମ୍ଭେ ରହ ହୋ ପଣ୍ଡାୟେ ।୧୧୮ ।
ମାତାଂକର ବଇକୁଲ୍ୟ ଦେଖି ପୁତ୍ର ଗୋଟି ବୋଇଲା
ୟେଘାନ୍ତି ପାଳି ତାତ ମୋହୋର ହୋଇଲା ।୧୧୯ ।
ଦୋହିତା ଗୋଟି ବୋଇଲା ତୁମ୍ଭେ ନ ଭାଳ ବିମନ
ମୋତେ ସେ ପରକୁ ସିନା କରିବ ପ୍ରଦାନ ।୧୨୦।
ୟେଘାନ୍ତିକ ପାଳି ତାତ ଦେଇଣ ମୋତେ ସୁଝ
ୟେ କଥାକୁ ପିତା ମନେ ଆନ ତୁ ନ ବୁଝ ।୧୨୧ ।
ତୁମ୍ଭର ବିକଳ ଦେଖି ବୋଇଲେ ଆମ୍ଭର ମାୟେ
ତୁମ୍ଭର ନିମନ୍ତେ ଦେବଇଂ ଗୋ ମୋହୋର ୟେକ ପୋୟେ ।୧୨୨ ।
ରାତ୍ର ପାହିଲେ କାର୍ତ୍ତିକ ମାସ ଶୁକଳ ପ୍ରତିପଦା ଭଉମବାର
ବିଶାଖା ନକ୍ଷତ୍ର ଯେ ଭୋଗ ଅଟଇ ସେ ଦିନର ।୧୨୩ ।
ଭୀମସେନ ଠାକୁରେ ଅଇଲେ ସେ ଦିନ ୟେହି ପରବତେ
ବକାକଇଂ ମାଇଲେ ମାଲ ବିନ୍ଧାଣ ମୁଥଘାତେ ।୧୨୪ ।
ଆହୋ ଦେବ ଶ୍ରବଣ ଆମ୍ଭର ମାତା କୋନ୍ତ ଭୋଜର କୁମାରୀ
ଜୟନ୍ତ ନାମ ବୋଇଲେ ଯୁଝେଷ୍ଠି ଦଣ୍ଡଧାରୀ ।୧୨୫ ।
ଜୟସେନ ନାମେ ଖ୍ୟାତ ସେ ଭୀମ ଠାକୁର
କୁମ୍ଭିରୀ କିନ୍ନରୀ ବକ ହିଡ଼ମ୍ୱକ ଚାରିଂକରି ଦର୍ପ କଲେ ଚୂର ।୧୨୬ ।
ହିଡ଼ିମ୍ୱିକୀ ପ୍ରଦାନ ହୋଇଲେ ହିଡ଼ିମ୍ୱକ ବନେ
ଘଟ ଉତ୍କଟ ଉତ୍ପନ୍ନ ହୋଇଲେ ସେ ଉଦ୍ୟାନେ ।୧୨୭ ।
ଅଜୟସେନ ବୋଲିକରି ଯେଉଂଣ ପୁତ୍ରଗୋଟି
ମୁହିଂ ସେହି ଅର୍ଜୁନ ହୋ ଗୋପ୍ୟାନ ନାମ ହେଟି ।୧୨୮ ।
କୀର୍ତ୍ତିବନ୍ତ ଜୟେବନ୍ତ ଆମ୍ଭର ସାନୁଜ
ନକୁଳ ସହଦେବ ଯେ ମାଦ୍ରୀର ଆତ୍ମଜ ।୧୨୯ ।
ତୋହୋର ଘରୁ ବାହାର ହୋଇଲୁ ଯେଉଂଣ ଦିନେ
ଅଙ୍ଗାରପନ୍ନଗକଇଂ ଜିଣିଲୁଂ ସୁର ଯେ ଅରଣ୍ୟେ ।୧୩୦ ।
ଦ୍ରୋପଦର ଭୁବନେ ଯାଇଂ ରହିଲୁ ଗୁପତେ
ରାଧାଚକ୍ର ବିନ୍ଧିଲି ମୁଂ ରାଜାଂକୁ ଦେଖନ୍ତେ ।୧୩୧ ।
ଶୁଣିଣ ବେଦଶ୍ରବଣ ତେଜିଲା ମତ୍ତହାଥୀ
ଅର୍ଜୁନର ଚରଣେ ଶତସହସ୍ର ଦଣ୍ଡ ପ୍ରଲମ୍ୱ ହୋଇଲା ତଡ଼ତି ।୧୩୨ ।
ସ୍ୱାମୀ ଅଦଭୂତେ ମୋର ରାଜ୍ୟେ ପଶିଲୁ ଅନମିତେ
ଭଲେ ଭର୍ତ୍ସନା ସ୍ୱାମୀ ନ ବୋଇଲି ତୋତେ ।୧୩୩ ।
ଅନେକ ଉତ୍ସବ କରାଇ ସେ ବେଦଶ୍ରବଣ
ଅର୍ଜୁନର ଚରଣେ ସେ ପୁଣ ପୁଣ କରଇ ପ୍ରତକ୍ଷଣ ।୧୩୪ ।
ପ୍ରବେଶ ହୋଇଲେ ଯାଇଂ ୟେକଚକ୍ରା ନଗ୍ର ଦେଶେ
ଆପଣା ପୁରେ ବ୍ରାହ୍ମଣ ରୁହାଇଲା ହରଷେ ।୧୩୫ ।
ଭାରିଯାର ନାମ ତାର ଅଟଇ ମାଳତୀ
ଲକ୍ଷ୍ମୀର ସମାନେ ସେ ଅଟଇ ରୂପବନ୍ତୀ ।୧୩୬ ।
ନଗ୍ର ଗୋଟି ଦିଶଇ ତାର ଅଳକା ଭୁବନ ପ୍ରାୟେ
ଦେଖିଣ ସାନନ୍ଦ ଯେ ହୋଇଲେ ଧନୁର୍ଜୟେ ।୧୩୭ ।
ବେଦଶ୍ରବଣ କହଇ ଯେ ଭାରିଯାର ଆଗେ
ଆଗୋ ୟେଡେ ସଂପଦ ପ୍ରାପତ ମୋତେ ୟେହାଂକର
ଅନୁରାଗେ ।୧୩୮ ।
ଭିକ୍ଷାସୀ ରୂପ ଯେ ଧରିଥିଲେ ମୋର ଗୃହେ
ବକ ରାକ୍ଷସ ବଧ କଲେ ୟୋ ମୋହୋର ସନ୍ଦେହେ ।୧୩୯ ।
ବେଦଶ୍ରବଣ ତହୁଂ ୟେମନ୍ତ କଥା ଶୁଣି
ପୁତ୍ରନ୍ତ ଘେନି ପ୍ରଣପତ୍ୟ ହୋଇଲେ ବ୍ରାହ୍ମଣୀ ।୧୪୦ ।
ମୁଣୋହିକି ଯୋଗାଡ଼ ସେ ଆପଣେ ଦ୍ୱିଜବର
ମୁଣୋହି କଲେ ଅର୍ଜୁନ ବେଦଶ୍ରବଣର ଘରେ ।୧୪୧ ।
ଅନେକ ଯୋଗାଡ଼ ମାନ ଦିଲେ ସଇନିକି
ଉତ୍ତମ ଭଳି ତହିଂକି ଯୋଦ୍ଧାମାନନ୍ତ ଦେଖି ।୧୪୨ ।
ଆଂଚୋବନ ସାରିଣ ସେ ପାଣ୍ଡବ ସୁନ୍ଦର
ନିମନ୍ତ୍ରଣ ଯୋଗାଡ଼ ଦିଲେ ବେଦଶ୍ରବଣ ହାଥର ।୧୪୩ ।
ତୁହି ଯେ ଆମ୍ଭନ୍ତ ଅଟୁ ହୋ ବହୁତ ଉପଗାରୀ
ଆପଣାର ଆଶ୍ରମ ଅଧେକ ଦିଲୁ ତୁଚ୍ଛାକରି ।୧୪୪ ।
ଧର୍ମ ପ୍ରାପତ ପ୍ରାଣୀଂକି ହୋଅଇ ଯେତେବେଳେ
ଆପଣେ ସୁବୁଦ୍ଧି ଭାଷଇ ବାକ୍ୟଛଳେ ।୧୪୫ ।
ସର୍ବଦା ପ୍ରାଣୀୟେ ହାଦେ ନୁହନ୍ତି ନା ଦୁଖୀ
ଧର୍ମ ଆଚରଣେ କଲେ ହୁଅନ୍ତି ନା ସୁଖୀ ।୧୪୬ ।
ୟେହି ଭୁବନେ ଦୁଖ ପଡ଼ିଥିଲା ସମୟେ
କର୍ମ କରିଣ ୟେ ଭୁବନେ ହୋଇଲୁ ଯେ ରାୟେ ।୧୪୭ ।
ବେଦଶ୍ରବଣ ପ୍ରଣପତ୍ୟ ଅର୍ଜୁନର ପଦ୍ମପାଦେ
ୟେହି ସମ୍ପଦ ଅରଜିଲି ମୁଂ ତୁମ୍ଭର ପରସାଦେ ।୧୪୮ ।
ୟେବେ ରାଜୁସି ଯାଗ ସଭାକୁ ପଣ୍ଡାୟେ ଚଳ ୟେହିକ୍ଷଣ
ପାଶୋରି କି ପାରିବୁ ଆମ୍ଭେ ତୁମ୍ଭର ଯେତେ ଗୁଣ ।୧୪୯ ।
ଆଗ୍ୟାଂ ପ୍ରମାଣେ ବେଦଶ୍ରବଣ ପଣ୍ଡା ଚଳାଇଲା ସଇନି
ବାରୁଣାବନ୍ତ କଇଂ ଚଳେ ଶୁଭ ଅନକୂଳ ଘେନି ।୧୫୦ ।
ତହୁଂଣ ବିଜେ କରିଗଲେ ସର୍ବସାଚୀ
ଦଧିମୁଖ ବନସ୍ତେ ପର୍ବତ ଦଧିଋଚି ।୧୫୧ ।
ନନ୍ଦାବ୍ରତକ ବୋଲିଣ ୟେକ ନଦୀଗୋଟି
ପୁଷ୍କର ବିଜେକରି ଥାଇ ତହିଂ ତୀର୍ଥ ନବକୋଟି ।୧୫୨ ।
ଦତ୍ତାତ୍ରେୟ ପର୍ବତୁଂ ସେ ବହଇ ଧବଳୀ
କୃଷ୍ଣ ଶୁକ୍ଳ ତାମ୍ୱ୍ର ଯେ ବହଇ ତିନିଓଳି ।୧୫୩ ।
ସେ ନଦୀରେ ସ୍ରାହାନ ଯେ ସାରିଣ ଧନୁର୍ଜୟେ
ଆଦିତ୍ୟ ଅସ୍ତକାଳେ ରହିଲେ ସେହିଠାୟେ ।୧୫୪ ।
ଧଉମ୍ୟ ପ୍ରୋହିତଂକ ନନ୍ଦନ ସୁରେଶ୍ୱର ପ୍ରୋହିତେ
ବିଷ୍ଣୁପୁରାଣ ସେ ଛାମୁରେ ଶୁଣାବନ୍ତି ଅନୁବ୍ରତେ ।୧୫୫ ।
ସେ ନନ୍ଦାବ୍ରତ ତୀର୍ଥ ମହିଂମା ଅନେକ କହନ୍ତି
ଧର୍ମକଥା କହୁଂ କହୁଂ ପ୍ରସର ହୋଇଲା ରାତି ।୧୫୬ ।
ସହସ୍ରେ କନ୍ୟା ଘେନି ଅଙ୍ଗାରପନ୍ନଗ ଆସଇ ଆକାଶୁଂ
ଅର୍ଜୁନ ଚିହ୍ନିଲେ ସେ ବିଦ୍ୟାଧର ଆସୁଂ ଆସୁଂ ।୧୫୭ ।
ପାଦାର୍ଘ୍ୟ ଦେଇ ତାଂକୁ ପୂଜାକଲେ ପାର୍ଥସ୍ୱାମୀ
ଦୂତୀ ବାସବ ବୋଲି ତାଙ୍କୁ ହୋଇଲେ ପରିଣାମି ।୧୫୮ ।
ଅନେକ ରତ୍ନ ଦେଇ ଗର୍ନ୍ଧବକୁ କଲେ ପୂଜା
ଅକ୍ଷତ ଯୋଗାଡ଼ ଦିଲେ କୋଇନ୍ତା ଦେବୀଂକର ତନୁଜା ।୧୫୯ ।
ରାଜୁସିଯାଗ ବାରତା କହିଲେ ଫାଲଗୁନି
ବହୁତ ସମ୍ଭର୍ବେ ଚଳିବଟି ବୃନ୍ଦାଅର୍କ ବଳ ଘେନି ।୧୬୦ ।
ୟେସନେକ ବାରତା ଶୁଣିଣ ବିଦ୍ୟାଧର
ବୋଇଲେ ହୋ ଅର୍ଜୁନ ଅମର ସଭା ସହିତ ହରି, ନେଲେ କୁବେର ଭଣ୍ଡାର ।୧୬୧ ।
ଲକ୍ଷେ ରାଜାନ୍ତ ଯେତେ ଅଳଂକାର ସହିତେ
ଦେବାଙ୍ଗବସନ ଯେତେ ଲାଗଇ ଅପ୍ରମିତେ ।୧୬୨ ।
ସ୍ୱର୍ଗର ସମ୍ପଦ ଯେ ଦିଲେକ ଚଳାଇ
ମୁହିଂ ଅଇଲି ପାଥ ତୋତେ ଦେଖିବାର ପାଇଂ ।୧୬୩ ।
ଅନେକ ପୁରୁଷାର୍ଥ କହିଲେ ଅଙ୍ଗାରପନ୍ନଗେ
ଅର୍ଜୁନକୁ ଚଳାଇ ପଶିଲେ ଜଳକ୍ରୀଡା ରଙ୍ଗେ ।୧୬୪ ।
ବନ ଡିଙ୍ଗର ଜିଣିଣ ଚଳିଲେ ପଞ୍ଚ ଦିବସେ
ବିଜୟେ ଦୁତୀକୃଷ୍ଣ ପାଞ୍ଚାଳ ନଗ୍ର ଦେଶେ ।୧୬୫ ।
ସେ ରାଜ୍ୟରେ ରାଜା ଯେ ଦ୍ରୁପଦ ନୃପତି
ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ଯେ ତାହାଂକର ବେନି ସନ୍ତତି ।୧୬୬ ।
ଦ୍ରୋପତୀର ପିଅର ସେ ବ୍ରାହ୍ମଣ କୂଳେ ଜାତ
ପର ଅଭିମାନ ନ ସହଇ ନୃପତି ସତ୍ୟବନ୍ତ ।୧୬୭ ।
ଧାର୍ମିକ ବିବେକ ସେ ପଣ୍ଡିତ ମହାଭିଗ୍ୟଂ
ବେଦ ଶାହାସ୍ର ପୁରାଣେ ନିର୍ଜିତା ସେ ଅଟନ୍ତି ସର୍ବଗ୍ୟଂ ।୧୬୮ ।
ଚାରିବୃନ୍ଦ ରଥ ସାଜେ ବତିଶ ବୃନ୍ଦ ହାଥୀ
ନଉବୃନ୍ଦ ବାରାସ ୟେକାଦଶ କ୍ଷଉଣୀ ପାଦାନ୍ତି ।୧୬୯ ।
ପାଞ୍ଚଶତ ରାଜା ଯେ ଖଟନ୍ତି ପାରିଦଣ୍ଡ
ଛଡ଼ଶତ ଯୋଜନ ମାଡ଼ି ପଞ୍ଚାଳ ଦେଶଖଣ୍ଡ ।୧୭୦ ।
ପ୍ରଜାନ୍ତ ପୁତ୍ରସମ ପାଳଇ ସେହୁ ମହାରାଜା
ମାଣକ ଭୂମିରୁ ସେ ଘେନଇ ଚିନାୟେକ ସଞ୍ଜା ।୧୭୧ ।
ଦେବତା ବ୍ରାହ୍ମଣେ ଭଗତ ଅନେକ ପୂଜା ପ୍ରକାରେ
ସେହି ବେଦ ଶାହାସ୍ରେ ବରଣ ଦ୍ୱିଜବରେ ।୧୭୨ ।
ଗଉତଗିରି ପର୍ବତେ ରହିଲେ ଫାଲଗୁନି
ସଇନି ରହିଲେ ରୁଦ୍ରବେଣୀ ନଦୀକୂଳେ ଘେନି ।୧୭୩ ।
ଆସ୍ତାନେ ବିଜେକରି ଅଛଇ ଶ୍ରୀଖଣ୍ଡୀ
ଅର୍ଜୁନ ଦିଗବିଜେ ବାରତା ଶୁଣି ସମ୍ଭରେ ରାଜ୍ୟ ମଣ୍ଡି ।୧୭୪ ।
ସୁବର୍ଣ୍ଣର ଘର ଉପରେ ଅଷ୍ଟରତ୍ନ କଳଶେ
ନେତର ପାତାଙ୍ଗ ଯେ ଉଡ଼ନ୍ତି ତହିଂ ତ୍ରାସେ ।୧୭୫ ।
ସବୁରି ଦ୍ୱାରେ କଦଳୀ ତ୍ରୋଣା ଚଉରା ସୁବର୍ଣ୍ଣ ଘଟଭରା
ଦାଣ୍ଡିଯାକେ ଉପହାର ପାଡ଼ନ୍ତି ପାୟେତା ।୧୭୬ ।
ଘରେ ଘରେ ଚତିକ୍ରମ କରୁଛନ୍ତି ବାଳୀ
ହାଥରେ ଘେନିଛନ୍ତି ଯେ ଅନେକ ଅର୍ଘ୍ୟସ୍ଥାଳୀ ।୧୭୭ ।
ୟେମନ୍ତ ସମୟେ କହିଲେ ଦେଶାଉର ଧାଇଂ ବେଗେ
ଯାଇଂ ଜଣାଇଲେ ଶ୍ରୀଖଣ୍ଡୀ ଧୃଷ୍ଟ୍ୟଦ୍ୟୁମକଂ ଆଗେ ।୧୭୮ ।
ସ୍ୱାମୀ ଅର୍ଜୁନ ବିଜେ ଗଉଡ଼ଗିରି ପର୍ବତେ
ଶୁଣିଣ ସାନନ୍ଦ ଯେ ଦ୍ରୁପଦର ବେନି ପୁତ୍ରେ ।୧୭୯ ।
ବାଜଇ ବୀରତୂର ବିଜିଘୋଷ ଟମକ ନିଶାଣ ଦାଉଣ୍ଡି
ଅନେକ ସାନନ୍ଦେ ରଥ ଗଜ ଅଶ୍ୱମାନନ୍ତ ମଣ୍ଡି ।୧୮୦ ।
ବେନିଲକ୍ଷ ପାଟଛତ୍ର ଚାରିଲକ୍ଷ ଉଦ୍ଦଣ୍ଡ
ପାଞ୍ଚଲକ୍ଷ ୟେକଲକ୍ଷୀ ବେନିଲକ୍ଷ ଆଲମ୍ୱ ।୧୮୧ ।
ସଜାଉ ମୃଦଙ୍ଗ ବାର କାହାଳୀ ମହୁରୀ ବିଜିଘୋଷ
ବାଜନ୍ତି ଛଛନ୍ଦେଣ କ୍ରିଡା ରଙ୍ଗ ରସ ।୧୮୨ ।
ଭାରିଯା ପୁତ୍ରନ୍ତ ଘେନି କୁଟୁମ୍ୱ ସହିତେ
ନାରୀଗଣ ଉଭାରିଲେ ସର୍ବାଳଂକାର ଘେନି ହାଥେ ।୧୮୩ ।
ବସନ୍ତ ଉତ୍ସବେ ଯେହ୍ନେ ବିଜୟେ ବାସୁଦେବେ
ଜୟେ ଜୟେ ଶଙ୍ଖଧୁନି ଫୁରାଇ ଅନେକ ଉତ୍ସବେ ।୧୮୪ ।
ଆଲଟ ଚାମର ଆଦି ଯୋଦ୍ଧାମାନେ ଘେନି
ଖେଦାଇଣ ଅଶ୍ୱମାନନ୍ତ ବୁଲାନ୍ତି ସଇନି ।୧୮୫ ।
ୟେସନେକ ସମ୍ଭର୍ବେ ଦ୍ରୋପଦର ବେନିପୁତ୍ରେ
ପାଛୋଟି ଚଳନ୍ତି ତହିଂ ରାଜା ଦ୍ରୋପଦ ସହିତେ ।୧୮୬ ।
ଅର୍ଜୁନ ବିଜେ କରିଅଛନ୍ତି ଗଉଡ ନାମେ ଗିରି
ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ଯାଇଂ ଛାମୁରେ ବିଜେକରି ।୧୮୭ ।
ପର୍ବତ ଉପରେ ଉଠିଲେ ଦ୍ରୋପଦର ବେନିଯେ ତନୟି
ଅର୍ଜୁନର ପଦ୍ମପାୟେ ପ୍ରଣପତ୍ୟ ହେଲେ ଯାଇଂ ।୧୮୮ ।
ଆସ୍ତାନେ ବିଜୟେ କରିଛନ୍ତି ଧନୁର୍ଜୟେ
ପୁରସରି ରହିଲେ ଯେ ଦ୍ରୋପଦର ବେନି ତନୟେ ।୧୮୯ ।
ଆସ୍ତାନର ତଳେ ଯାଇଂ କଲେକ ନିଉଛାଳି
ଅନେକ ବିନୋୟୀ କହିଲେ ଦୁହେଂ କୃତ ଯେ ଆଞ୍ଜୋଳି ।୧୯୦ ।
ରାଜ୍ୟ ସୁଲଭ ମୋହୋର ଶୁଭଇ ପୁଣ୍ୟଧୁନି
ଦୁତୀନାରାୟଣ ଆମ୍ଭେ ଦେଖିଲୁ ଚକ୍ଷୁ ଘେନି ।୧୯୧ ।
ସ୍ୱାମୀ ଉତ୍ତର କୋଶଳେ ଛନ୍ତି ଯେତେକ ନୃପତି
ସବୁରି ସାଧୁ ଜୀବନ ସାର୍ଥୁକ ଜୀବତି ।୧୯୨ ।
ଅନେକ କାର୍ପୁଣ୍ୟ ଶ୍ରୀଖଣ୍ଡୀ ଯେ ଧୃଷ୍ଟ୍ୟଦ୍ୟୁମନେ
ହରିଲୁଂ ପାତକ ସ୍ୱାମୀ ତବ ଦରଶନେ ।୧୯୩ ।
ବହୁତ ସ୍ତୁତି କରନ୍ତି ଯେ ଦ୍ରୁପଦ କୁମରେ
ଅର୍ଜୁନକୁ ବିଜେ କରାଇଲେ ରାଜ୍ୟର ଭିତରେ ।୧୯୪ ।
ହାଟ ଦାଣ୍ଡ ମେଢ଼ ମଣ୍ଡପ ଯେ ଦେଉଳ ଜଗତୀ
ସମସ୍ତ ଜନେ ମିଳିଣ ସମ୍ଭର୍ବେ ଦେଖନ୍ତି ।୧୯୫ ।
ଇନ୍ଦ୍ର ଦେବତା ବିଜେ କଲେକି ଆସି ୟେହୁ ମଧ୍ୟସ୍ୱର୍ଗେ
ଦେଖିବାକୁ ଜନେ ଯେ ବାହାର ଅତି ସ୍ରାଗେ ।୧୯୬ ।
କରଣେ ଅର୍ଘ୍ୟସ୍ଥାଳୀ ଘେନିଣ ଦୀପାବଳୀ
ସମସ୍ତ ଗଣିକାୟେ ମଙ୍ଗଳ ଧୁନି ତୋଳି ।୧୯୭ ।
ଅମର ବିଳାସୁଣୀ ଆବର ଅଷ୍ଟ ଯେ ନାୟିକା
ଖଟନ୍ତି ସୁନ୍ଦରୀୟେ ଗଗନେ ମଣିରେଖା ।୧୯୮ ।
ବାଜନ୍ତି ମୃଦଙ୍ଗ ଯେ ଧି ଧି କାର ଶବଦେ
ଜଗୁଜନ ମୋହନ୍ତି ସେ ଭରହରଷ ନାଦେ ।୧୯୯ ।
ପାଞ୍ଚାଳ ଦେଶକୁ ଯେ ଚଳାଇ ସର୍ବସାଚୀ
ପାୟେଡ଼ା ଦଣ୍ଡମାନ ଧୂଳିହୋଇ ଯାଉଅଛି ।୨୦୦ ।
ଚାରି ପହଣ୍ଡ ଉତ୍ତାରେ ରତକୁଢ ଗୋଟିୟେ
ମାଡ଼ିବାର ଘାୟେ ସେ ହୋଇଲେ ଧୂଳିମୟେ ।୨୦୧ ।
ଶରୀରେ ପଡ଼ିଣ ଯେ କଣୟ ରଜ ଧୂଳି
ଶରୀର ବିକାଶଇ କନେକ ପୁଷ୍ୟଓଳି ।୨୦୨ ।
ୟେମନ୍ତେ ରତ୍ନ ଡାଳେ ଡାଳେ ଉତ୍ସର୍ଗେ ଶତେକୂଢ ଥିଲା
ସିଂଘଦ୍ୱାରେ ଯାକେ ସବୁ ଧୂଳି ହୋଇ ଉଠିଲା ।୨୦୩ ।
ହାଥୀୟେକ ଚଢ଼ିଣ ଯେ ଥିଲା ଧନୁର୍ଜୟେ
ଭିତର ଭୁବନେ ଯାଇଂ କଲେକ ବିଜୟେ ।୨୦୪ ।
ସେବତୀ ପାଖୁଡା ମାନ ହୋଇଅଛି ବୃଷ୍ଟି
କର୍ପୂର ଧୂଳି ପଡ଼ିଣ ଶରୀରେ କର୍ଦ୍ଦନ ଉଠି ।୨୦୫ ।
ଅର୍ଜୁନକୁ ଦେଖିଣ ସେ ଦ୍ରୂପଦେଶ୍ୱର ରାଜା
ଅର୍ଘ୍ୟ ଯୋଗାଡ଼ନ୍ତ ଥୋଇ କରଇ ପାଦପୂଜା ।୨୦୬ ।
ବେନିଲକ୍ଷ ସୁବର୍ଣ୍ଣ ସେ ପାଦାର୍ଘ୍ୟକଇଂ ଦେଇ
ଛାମୁରେ ଉଭାହେଲେ ବିନୟ ଭାବ ବହୀ ।୨୦୭ ।
ଦ୍ରୋପଦଂକୁ ନମସ୍କାର କରଇ ଫାଲଗୁନି
ଜୟେ ଜୟେ ଶବଦେ ଯେ ଶୁଭଇ ଶଙ୍ଖଧୁନି ।୨୦୮ ।
ଦିବ୍ୟ ସିଂଘାସନ ଯେ ଚନ୍ଦ୍ରଶାଳା ଭୁବନେ
ବିଜୟେ ଫାଲଗୁନି ସେ ରତ୍ନ ସିଂଘାସନେ ।୨୦୯ ।
ୟେମନ୍ତର ସମୟେ ଦ୍ରୁପଦ ପାଟରାଣୀ
ପଦ୍ମାବତୀ ନାମ ତାର ପଦ୍ମଦଳ ରାଜାର ଦୁଲଣୀ ।୨୧୦ ।
ଲକ୍ଷେକ ଯୁବତୀ ଘେନି ଲକ୍ଷେକ ଦୀପାବଳୀ
ଅର୍ଜୁନ ଶିରେ ଦୁର୍ବାକ୍ଷତ ଦେଇଣ ମଙ୍ଗଳ ଧୁନି ତୋଳି ।୨୧୧ ।
ଜୟତୁ ପୁରୁଷୋତ୍ତମ ବାରାନିଧି କୂଳବାସୀ
ନୀଳସୁନ୍ଦର ପର୍ବତେ ବସିଲୁ ତୁହି ହୃଷୀକେଶୀ ।୨୧୨ ।
ବାରାନିଧି ମନ୍ଥନେ ଯେ ପାଇଲୁ ଚଞ୍ଚଳା
ଖଟଇ ବାରାନିଧି ଯେ କୁଟୁମ୍ୱ ସୟଳା ।୨୧୩ ।
ଅଭୟେ ମହାଲିଙ୍ଗ ଜମ୍ୱେଶ୍ୱର ଲିଙ୍ଗ ପୂଜି
ନୀଳ କଳ୍ପବଟ ଦେବ ଯୋଗଲୟେ ଭଜି ।୨୧୪ ।
ନିଳେନ୍ଦୀ ପୁଷ୍ୟ ଭୂଷଣ ଯେ କାଳଦର୍ପ ଭଞ୍ଜା
ମୁନିଜନମାନେ ନିତ୍ୟେ କରନ୍ତି ଯେ ପୂଜା ।୨୧୫ ।
ଅଶୀପଦ୍ମ ବଳ ଘେନି ଯେ କ୍ଷେତ୍ରାଧି ପୁଷ୍କର
ନିତ୍ୟେଂହେ ଅଭିଷେକ କରଇ ଯାହାର ପୟର ।୨୧୬ ।
ମଉଳି ଆରକ୍ତ ଯାହାର ପାଦ ଅରବିନ୍ଦେ
ନୀରବତୀ ବଲ୍ଲଭ ଯେ ଖଟଇ ଆନନ୍ଦେ ।୨୧୭ ।
ଗନ୍ଧର୍ବ ଯକ୍ଷ କିନ୍ନର ଯେ ଆବର ସୁର ସିଦ୍ଧ ମୁନି
ପଦ୍ନମୁଖ ଦେଖି ଯାହାର ବିନୟେ ଦଇନି ।୨୧୮ ।
ଅଶୁଭକଇଂ ଶୁଭ ଯେ ତୋତେ କାରଣ ଦେବ ତୁହି
ଯୁଗାନ୍ତକ ଚିନ୍ତାମଣି ନାଥ ତୋ ତହୁଂ ଆନ ନାହିଂ ।୨୧୯ ।
ହଳୀର ସୋହୋଦ୍ର ଦେବ ସ୍ୱଂୟେଣ ଅନୁଜ
ପ୍ରସନ୍ନେ ପରମବନ୍ଧୁ ସଦୟେ ଦେବରାଜ ।୨୨୦ ।
ପରମାନନ୍ଦ ସ୍ୱାମୀ ପ୍ରସନ୍ନେ ପରମ ଯୋଗୀ
କାଳ ବଞ୍ଚାଇଲୁ ଦେବ ଯୋଗବଳ ପରିତ୍ୟାଗୀ ।୨୨୧ ।
ସ୍ୱାମୀ ରୁଦ୍ର ଦେବତା ଦହିଲା ମନସିଜ
କାମେନୀ ମୋହିନୀ ତୁ ଉଦ୍ଧାରିଲୁ ଦେବରାଜ ।୨୨୨ ।
ତୁଳୁସାର ବଲ୍ଲଭ ପଦ୍ମପାଦ ସରୋଜେ
ଶୂଦ୍ରମୁନି ସାରୋଳା ଦାସେ ବିନୋପନ୍ତି ଦେବରାଜେ ।୨୨୩ ।
ଶ୍ରୀ ବାସୁଦେବର ଚରଣେ ନିଜ ଦାସ
ସଂସାର ଜନହିତେ ସାରୋଳା ଦାସ କରଇ ଅଭ୍ୟାସ ।୨୨୪ ।
ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି
ଶ୍ରୀ ମହାଭାରଥ ୟେ ଅମୃତ ରସମୟ ଶ୍ରୁତି ।୨୨୫ ।
ଅର୍ଜୁନକୁ ଅନେକ ଭଗତି ଭାବେ ଦ୍ରୋପତେ
ଅନେକ ସାନନ୍ଦ ହୋଇଲେ କୁଟୁମ୍ୱ ସହିତେ ।୨୨୬ ।
ମୁଣୋହି ଯୋଗାଡ଼ ମାନ ହୋଇଲାକ ପଚନ
ଆହାନିକ ସାରି ମୁଣୋହିରେ ବିଜେ ବାସବର ନନ୍ଦନ ।୨୨୭ ।
ସମ୍ଭରେଣ ସଇନି ଘେନିଣ ପାର୍ଥିବ
କରନ୍ତି ମୁଣୋହି ଯେ ଅନେକ ସମ୍ଭର୍ବ ।୨୨୮ ।
ରାଜେଶ୍ୱର ମହାପ୍ରଭୁ ସେ ଆବର ଜାମାତା
ଭୋଜନ ଯୋଗାଡ଼ ଯେ ହୋଇଲା ଅପ୍ରମିତା ।୨୨୯ ।
ମୁଣୋହି ସାରିଣ ସେ ବିଜୟେ ଆଂଚୋବନେ
କର୍ପୂର ତାମ୍ୱୋଳ ଭୋଜନ ଯେ ବିଧି ବିଧାନେ ।୨୩୦ ।
ଦିବ୍ୟ ଭବନେଣ ଯାଇଂ ବିଜୟେ ସର୍ବସାଚୀ
ଖଚନ୍ତି ବିଳାସୁଣୀୟେ ମୋହିନୀ ଜଗତାକ୍ଷୀ ।୨୩୧ ।
ସେ ଦିବସକ ତହିଂ ରୁହାଇଲେ ଦ୍ରୋପଦେ
ସମରାଜ୍ୟଯାକ ପାଞ୍ଚାଳେ ଯେ ଅନେକ ସାନନ୍ଦେ ।୨୩୨ ।
ନିମନ୍ତ୍ରଣ ଯୋଗାଡ଼ ଦିଲେକ ଫାଲଗୁନି
ରାଜୁସି ଯାଗକୁ ଯାଅ ଯା ତୋର ଥାଠ ସନ୍ୟ ଘେନି ।୨୩୩ ।
ଶୁଣିଣ ସାନନ୍ଦ ଯେ ପାଞ୍ଚାଳ ଚକ୍ରବ୍ରତୀ
ଅନେକ ସାନନ୍ଦେ ବାଭିୟେ ତୁମ୍ଭର ଦେଖିବି ବିଭୂତି ।୨୩୪ ।
ଆନନ୍ଦେ ଅକ୍ଷତ ଯେ ଦିଲେ ମହାରାୟେ
ସନ୍ୟ ସେନା ଆଦିକରି ସମସ୍ତଂକର ଅକ୍ଷତମାନ ଦିୟେ ।୨୩୫।
ସମଦଣ୍ଡ ଘେନିଣ ତହୁଂ ଚଳେ ବୀର ପାଥ
ପାଞ୍ଚାଳ ଦେଶୁଂ ବାହାର ହୋଇ ଆସଇ ଦ୍ରୋପଦ ନରନାଥ ।୨୩୬।
ଥୋକାୟେକ ଦୂର ଆସି ଅର୍ଜୁନ ବୋଲଇ ଯାଅ ଯା ଭୁବନେ
ୟେ ଉତ୍ତର କୋଶଳ ସମସ୍ତ ରାଜାମାନେ କରୁଅଛନ୍ତି ଗମନେ ।୨୩୭।
ସବୁ ମଣ୍ଡଳ ମାଡ଼ିଯିବଟି ବେନି ଭାଇ
ସାଧ୍ୟ ଅସାଧ୍ୟ ରାଜାମାନନ୍ତ ଘେନିଝିବଟି କଢାଇ ।୨୩୮।
ଆଗ୍ୟାଂ ପାଇଣ ସେ ସାନନ୍ଦ ଶ୍ରୀଖଣ୍ଡୀ
ଅନେକ ସମ୍ଭର୍ବେ ବାଜିଲା ବିଜିଘୋଷ ବୀରତୂର ଦାଉଣ୍ଡି ।୨୩୯।
ଆହୋ ଶ୍ରୀଖଣ୍ଡୀ ତୁମ୍ଭେ ବାରୁଣାବନ୍ତେ ଥିବ
ମୋହର ଯିବାଯାୟେ ତୁମ୍ଭେ ରାଜାନ୍ତ ସମ୍ଭାଳିବ ।୨୪୦।
ଆଗ୍ୟାଂ ପାଇ ଚଳିଲେ ଦ୍ରୋପଦ ରାଜାର ବେନିପୁତ୍ରେ
ତହୁଂ ପୟାଣ ସେ କଲେ ବୀରବର ପାଥେ ।୨୪୧।–୪୯୪୩