ପ୍ରଥମ ଛାନ୍ଦ — ରାଘବ ବିଳାସ — ଯଦୁମଣି ମହାପାତ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପ୍ରଥମ ଛାନ୍ଦ
ରାମକେରୀ ବୃତ୍ତରେ ଦ୍ୱାଦଶ ପଦରେ ଏହି ଛାନ୍ଦ ସଂପୂର୍ଣ୍ଣ ହୋଇଛି । ରାମଚରିତର ଚୁମ୍ବକ ବିବରଣ ଯଦୁମଣି ଅତି ରମଣୀୟ ଭାବରେ ଏବଂ କବିତ୍ୱ ସଂପନ୍ନ ଭାଷାରେ ରଚନା କରି ଅନନ୍ୟ କରିପାରିଛନ୍ତି ।
ବ୍ରାହ୍ମଣମାନଙ୍କର ପ୍ରସନ୍ନତା ଲାଗି ସେ ରାଘବ ବିଳାସ ରଚନା କରିବା କଥା କଥିତ ଅଛି । କିନ୍ତୁ କେହି କେହି ରାଜା ବିନାୟକଙ୍କ ମୃତ୍ୟୁ ପରେ ସେ ଏହା ରଚନା କରିଥିଲେ ବୋଲି ଆଶଂକା କରିଥାନ୍ତି । କିନ୍ତୁ ଯେପରି ମନେ ହୁଏ ପ୍ରଥମ ସିଦ୍ଧାନ୍ତଟି ସତ୍ୟ ଅଟେ ।
‘କଳ୍ପେ କଳ୍ପତରୁ ଭଜିଲି’ ଏହି ପ୍ରୟୋଗରୁ ସେ ବହୁକାଳ କଳ୍ପତରୁଙ୍କୁ ଭଜିବା କଥା ଯେ ଲେଖିଛନ୍ତି—
ରଚନାଟି ୧୮୧୭ ରେ ଲେଖାଗଲେ ତାଙ୍କୁ ସେତେବେଳକୁ ବୟସ ୩୬ ବର୍ଷ ହୋଇଥିବା ସତ୍ୟ ହେତୁ ପୁଣି ସେ ପୁତ୍ର ନଷ୍ଟହେବାରେ ଅଧୀର ହେତୁ ଏପରି ନିଜକୁ ବହୁକାଳର ବୋଲି ଚିତ୍ରଣ କରିବା ଅଯୁକ୍ତିଜନକ ହେଉନି ।
ସେ କାଳରେ ମଧ୍ୟ ଆୟୁ ୪୦ ପାର ହୋଇଗଲେ ବୃଦ୍ଧ ବୋଲି ଧରାଯାଉଥିଲା । କାରଣ ଲୋକେ ବିବାହ କରୁଥିଲେ ୧୪।୧୫ ବର୍ଷ ବେଳେ । ଯଦୁମଣି ମଧ୍ୟ ୨୦ ବର୍ଷରେ ବିବାହ କରି ସେତେବେଳକୁ ଅର୍ଥାତ୍ ୩୬ ବର୍ଷ ବେଳକୁ ଦୀର୍ଘ ୧୪ ବର୍ଷ ଘର କରିଥିଲେ ।
ତେଣୁ ରାଘବ ବିଳାସ ତାଙ୍କର ପ୍ରଥମ ରଚନା ବୋଲି ସ୍ୱୀକାର କରିବାକୁ ହେବ । ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ସେ ନିଜତ୍ୱ ଯେତେ ପରିମାଣରେ ଦେଖାଇ ପାରିଛନ୍ତି ଏହି ରାଘବ ବିଳାସରେ ତାଙ୍କର ପୂର୍ବଜ ଭଞ୍ଜ, ତ୍ରିବିକ୍ରମ, ମାନଧାତା ଆଦିଙ୍କର ପଥରେ ସେ ଧୀର ପଦକ୍ଷେପ କରିଛନ୍ତି ମାତ୍ର ।
ରାଘବ ବିଳାସ
ପ୍ରଥମ ଛାନ୍ଦ
ରାଗ—ରାମକେରୀପ୍ରଥମୁଁ ବନ୍ଦଇ ଭୂଦେବ—ଅଂଙ୍ଘ୍ରି ଅଘାରି ବକ୍ଷେସପତ ସାଗର ଶୋଷକବଂଶ, ଧ୍ୱଂସି ଅଲକ୍ଷ୍ୟେ । ୧ ।ବନ୍ଦେ ରସାସୁତା−--ପତିରଧରାଧରି−ଶୟନନିର୍ଜରା−ପରବିନାଶନସନ୍ଥଜନ ପାଳନ । ୨ ।
ଅନ୍ୱୟ—ପ୍ରଥମୁଁ ସପତ ସାଗର ଶୋଷକ, ଅଲକ୍ଷେ ଯଦୁବଂଶ ଧ୍ୱଂସି, (ଯେଉଁ) ଭୂଦେବ (ମାନଙ୍କର)ଅଂଙ୍ଘ୍ରି ଅଘାରି ବକ୍ଷେ (ଶୋଭାପାଏ), (ତାହା) ବନ୍ଦଇ ।୧। ରସା−ସୁତା−ପତିର ନିର୍ଜରା−ପର−ବିନାଶନ, ସନ୍ଥଜନ ପାଳନ, ଧରାଧର−ଶୟନ ବନ୍ଦେ ।୨।
କଥା—ପ୍ରଥମରୁ ସପ୍ତ ସମୁଦ୍ର ଶୋଷଣକାରୀ ଅଗସ୍ତଙ୍କ ବଂଶଧର, ଅକସ୍ମାତ୍ ଯଦୁବଂଶର ଧ୍ୱଂସକାରୀ ଯେଉଁ ବ୍ରାହ୍ମଣମାନଙ୍କର ପାଦ ବିଷ୍ଣୁଙ୍କ ବକ୍ଷରେ ଶୋଭାପାଏ, ତାହା ବନ୍ଦନା କରେ ।
ସୀତାପତି ରାମଚନ୍ଦ୍ରଙ୍କର ଅସୁର ବିନାଶକାରୀ ଓ ସନ୍ଥଜନ ପାଳକ ଅନନ୍ତ ଶୟନ ମୂର୍ତ୍ତିଙ୍କୁ ବନ୍ଦନା କରୁଅଛି ।
ଆଲୋଚନା—ବ୍ରହ୍ମଣମାନଙ୍କୁ ଲାଞ୍ଛିତ କରିବାକୁ କବି ପୁତ୍ରଶୋକରେ ଅଧୀର ଥାଇ ଏ କାବ୍ୟ ଆରମ୍ଭ କରିଥିଲେ । ତେଣୁ ସେହିମାନଙ୍କର ନିପୁଣ ପ୍ରଶଂସା କରିଥିଲେ । ତୁଳସୀ ରାମଚରିତ ମାନସରେ ମଧ୍ୟ ଅଛି ‘ପ୍ରଥମ ବନ୍ଦହୁଁ ଭୂଦେବ ଚରଣା’ । ବ୍ରାହ୍ମଣ ଜାତିର ଯେଉଁ ତିନୋଟି ବିଶେଷତ୍ୱ, ବିଶ୍ୱପ୍ରସିଦ୍ଧ କବି ତାହା ଗୋଟିଏ କ୍ଷୁଦ୍ର ପଦରେ ଦେଇ ତାଙ୍କ କୃତିତ୍ୱର ନିପୁଣ ନିଷ୍ଠା ଦେଖାଇଛନ୍ତି ।
ପୁରାଣରେ ରାବଣ ଅତ୍ୟାଚାରରେ ବ୍ୟଥିତ ଦେବତାମାନେ ଅନନ୍ତ ଶୟନରେ ଥିବା ବିଷ୍ଣୁଙ୍କ ଶରଣ ପଶିବା ବର୍ଣ୍ଣତ ଅଛି । ତେଣୁ ରାମଚନ୍ଦ୍ରଙ୍କୁ ତାଙ୍କର ଜନ୍ମଗୁଣ, ସନ୍ଥଜନ ପାଳକଗୁଣ ଏବଂ ଅସୁର ବିନାଶକଗୁଣ ଏହି ତ୍ରିଗୁଣରେ ବନ୍ଦନା କରିଅଛନ୍ତି ।
ଗରିଷ୍ଠ ଦଶା ଏ ରାଷ୍ଟ୍ରର
କଷ୍ଟ ଫେଡ଼ ଦୁସ୍ତର
ଚକ୍ର ପେଷି ଶକ୍ର ବାହନ—
ଭ୍ରାତ−ଅରି ସଂହାର । ୩ ।
ଅର୍କବଂଶୁ ହୋଇ ଉଦ୍ଭିବ
ତର୍କେ ଶକ୍ର−କୁମର
ବାଲାର୍କ−ନନ୍ଦନ ଆର୍ତ୍ତକୁ
ନାଶ କରି ସତ୍ୱର । ୪ ।
ଅନ୍ୱୟ—ଏ ରାଷ୍ଟ୍ରର ଗରିଷ୍ଠ ଦଶା (ଉପସ୍ଥିତ) । ଯେପରି ଚକ୍ର ପେଶି ଶକ୍ର−ବାହନ−ଭ୍ରାତ−ଅରି ସଂହାର (କରିଥିଲ, ସେପରି ଏ) ଦୁସ୍ତର କଷ୍ଟ ଫେଡ଼ି । (ତୁମ୍ଭେ) ଅର୍କବଂଶୁ ଉଦ୍ଭବ ହୋଇ ତର୍କେ ଶକ୍ର−କୁମର ନାଶ କରି ବାଳାର୍କ−ନନ୍ଦନ ଆର୍ତ୍ତକୁ ସତ୍ୱର (ଦୂର କରିଅଛ) ।
କଥା—ଏହି ମହାନ୍ ଉତ୍କଳ ରାଷ୍ଟ୍ରର ଗରିଷ୍ଠ ଦଶା ଉପସ୍ଥିତ ହୋଇଅଛି । ହେ ବିଷ୍ଣୁ ! ଆପଣ ଯେପରି ଚକ୍ର ପ୍ରେଷଣ କରି ହସ୍ତୀର ଶତ୍ରୁ ଗ୍ରାହକୁ ସଂହାର କରିଥିଲ ଅର୍ଥାତ୍ ଚକ୍ର ମାରି କୁମ୍ଭୀରଠାରୁ ହସ୍ତୀକୁ ରଖିଥିଲ, ସେହିପରି ଏ ରାଜ୍ୟର ଦୁସ୍ତର କଷ୍ଟ ନିବାରଣ କର ।
ସୂର୍ଯ୍ୟବଂଶରୁ ରାମଚନ୍ଦ୍ର ସ୍ୱରୂପ ଜନ୍ମ ହୋଇ ତୁମ୍ଭେ ତ ପୁଣି ଛଳ ଏବଂ କପଟତା ଆଚରଣ କରି ବାଳୀକୁ ନାଶ କରି ସୁଗ୍ରୀବ ଆର୍ତ୍ତକୁ ଶୀଘ୍ର ଦୂର କରିଅଛି ?
ଆଲୋଚନା—ଏପରି ଜଟିଳ ଅବସ୍ଥା ୧୮୧୭ ରେ ଉତ୍କଳ ପ୍ରତି ଆସିଥିଲା ଯେ ତାର ନିବାରଣ ଉପାୟ କେହିହେଲେ ଭାବି ଠିକ୍ କରିପାରୁ ନ ଥିଲେ । ତେଣୁ କବି କିପରି ଛଳ ଓ କପଟଦ୍ୱାରା ରାଷ୍ଟ୍ର ରକ୍ଷା କରାଯିବ ତାହାର ପରାମର୍ଶ ଅଦୃଶ୍ୟ ଦେବତାଙ୍କୁ ମାଗୁଥିଲେ ।
ହରିନ୍ଦ୍ରୀ ନାଶିଣ ହରିକିହରି ହରି ଆସନେହରି−ବି−ଭୂଷଣ ମଇତ୍ରଘେନି ବସି ସଘନେ । ୫ ।ଅଷ୍ଟନେତ୍ର ପାଣି−ଆୟୁଧଦୁହିତାର ବିଚ୍ଛେଦେହରି ହରି ନଗୁଁ ଅଣାଇମେଳି ଅର୍ଣ୍ଣବ ମଧ୍ୟେ । ୬ ।
ଅନ୍ୱୟ—(ହେ) ହରି ! (ତୁମେ ଭକ୍ତ) ହରୀନ୍ଦ୍ର ନାଶିଣ ହରିକି ହରି ଆସନେ (ବସାଇଥିଲ) । (ହେ) ହରି−ବି−ଭୂଷଣ ! ସଘନେ (ତେଣୁ) ମଇତ୍ର ଘେନି (ସିବଥିଲ) ।
ଅଷ୍ଟ ନେତ୍ର ପାଣି ଆୟୁଧ−ଦୁହିତାର ବିଚ୍ଛେଦେ (ତୁମ୍ଭେ) ହରି (ସମୂହ) ନଗୁଁ ହରି ଅଣାଇ ଅର୍ଣ୍ଣବ ମଧ୍ୟେ ମେଲି (ଥିଲ) ।
କଥା—ହେ ହରିଙ୍କ ଅବତାରୀ ରାମ ! ତୁମେ ଭକ୍ତ ବାଳୀକୁ ନାଶ କରି ସୁଗ୍ରୀବକୁ ସିଂହାସନରେ ବସାଇଥିଲ । ହେ ରାମଚନ୍ଦ୍ର ! ନିରନ୍ତର ତେଣୁ ମଇତ୍ର ଘେନି ବସିଥିଲ ।
ବେଦବତୀର ପରବର୍ତ୍ତୀ ରୂପ ସୀତାର ବିଚ୍ଛେଦରେ ତୁମ୍ଭେ ବାନରସମୂହ ପର୍ବତ ଉପରୁ ମନେଇଁ କରି ଆଣି ସମୁଦ୍ର ମଧ୍ୟରେ ମେଳିଥିଲ ।ଆଲୋଚନା—ପ୍ରସଙ୍ଗକ୍ରମେ କବି ରାମାୟଣ ଲେଖିଥିବାରୁ ସେହି ବର୍ଣ୍ଣନା ଏଥିରେ ଗ୍ରନ୍ଥାରମ୍ଭରେ ଆଂଶିକ ଦେଇଅଛନ୍ତି ।କନ୍ଦର୍ପ ଦର୍ପାରି ତନୁଜ—କନ୍ଧେ ବିଜୟ କରିମୟ ଦୈତ୍ୟ ସୁତା ପତିକିବ୍ରହ୍ମଶରେ ସଂହାରି । ୭ ।ପୟଃପୂର୍ଣ୍ଣ ସ୍ଥିତ ଭୂଖଣ୍ଡଅନୁଜରେ ପ୍ରଦତ୍ତବିମାନେ ବିମାର୍ଗେ ଚଳିଲେସରଯୂ ପରିଯନ୍ତ । ୮ ।ଅନ୍ୱୟ—କନ୍ଦର୍ପ−ଦର୍ପାରି−ତନୁଜ କନ୍ଧେ ବିଜୟ କରି ମୟଦୈତ୍ୟ ସୁତା ପତିକି ବ୍ରହ୍ମଶରେ ସଂହାରି (ଥିଲ) ।ପୟଃ ପୂର୍ଣ୍ଣ ସ୍ଥିତ ଭୂଖଣ୍ଡ (କୁ, ତା) ଅନୁଜରେ ପ୍ରଦତ୍ତ (କରି) ବି ମାର୍ଗେ ବିମାନେ ସରଯୂ ପରିଯନ୍ତ ଚଳିଲ ।କଥା—ହନୁମାନ କନ୍ଧରେ ବିଜୟ କରି ମନ୍ଦୋଦରୀର ସ୍ୱାମୀକୁ ବ୍ରହ୍ମଶରରେ ନାଶ କରିଥିଲ ।
ଜଶପୂର୍ଣ୍ଣ ସମୁଦ୍ର ମଧ୍ୟସ୍ଥ ଭୂଖଣ୍ଡ ଲଙ୍କାକୁ ଉକ୍ତ ରାବଣ ସାନଭାଇ ବିଭୀଷଣକୁ ଦାନ କରି ଆକାଶ−ପଥରେ ବିମାନରେ ବସି ସରଯୂ ତୀରବର୍ତ୍ତୀ ଅଯୋଧ୍ୟାଯାଏ ଯାଇଥିଲ ।
ରମ୍ୟ ନଗ୍ରେ ବାମ ପାର୍ଶ୍ୱରେବାମାଶ୍ରେଷ୍ଠ ଘେନିଣଅଭିଷିକ୍ତ ହୋଇ ରାଜ୍ୟରେପ୍ରଜାଚୟ ପାଳିଣ । ୯ ।କଳ୍ପି କଳ୍ପି କେତେ କଳ୍ପିଲାଶିଳ୍ପିକାର କୁମରକଳ୍ପେ କଳ୍ପତରୁ ଭଜିଲିଦୁଃଖ ନ ଗଲା ମୋର । ୧୦ ।ଅନ୍ୱୟ—(ଉକ୍ତି) ରମ୍ୟ ନଗ୍ରେ ବାମ ପାର୍ଶ୍ୱରେ ବାମାଶ୍ରେଷ୍ଠ ଘେନିଣ ଅଭିଷିକ୍ତ ହୋଇ ରାଜ୍ୟରେ ପ୍ରଜାଚୟ ପାଳିଣ (ଥିଲ) ।(ତୁମ ଘେନି) ଶିଳ୍ପିକାର କୁମର କଳ୍ପି କଳ୍ପି କେତେ ଜଳ୍ପିଲା । କଳ୍ପେ (ତୁମ ପରି) କଳ୍ପତରୁ ଭଜିଲି, (କିନ୍ତୁ) ମୋର ଦୁଃଖ ନ ଗଲା ।
କଥା—ଉକ୍ତ ରମଣୀୟ ନଗରୀରେ ବାମପାର୍ଶ୍ୱରେ ରମଣୀଲଲାମ ଜନକଜେମାଙ୍କୁ ଧାରଣ କରି ତୁମେ ଅଭିଷିକ୍ତ ହୋଇ ରାଷ୍ଟ୍ରରେ ଥିବା ପ୍ରଜାବୃନ୍ଦଙ୍କୁ ପାଳନ କରିଥିଲେ ।
ତୁମର ଏହି ପ୍ରକାର କୀର୍ତ୍ତି ଓ ସଦ୍ଗୁଣ ଘେନି ଏହି ଲେଖକ ଶିଳ୍ପିକାର କୁମର ବହୁ କଳ୍ପନା କରି କେତେ ବହୁଭାଷିତା ଦେଖାଇଛି । କଳ୍ପେକାଳ ତୁମ ପରି ଇଚ୍ଛାମାତ୍ରେ ଅଭୀଷ୍ଟ ଫଳପ୍ରଦ କଳ୍ପତରୁ ଭଜିଲି । କିନ୍ତୁ ମୋର ଦୁଃଖ ଦୂର ହେଲା ନାହିଁ ।
ସୀତାରାମ ଅଂଘ୍ରି ଅବ୍ଜକୁହୃଦୟରେ ଧ୍ୟାୟିଣରାଘବ−ବିଳାସ ପ୍ରବନ୍ଧରଚନାକୁ କରିଣ । ୧୧ ।ନବୀନ ଦୁର୍ଗେଶ ପ୍ରତାପୀବିରାଧିବୀରବରବିନାୟକ ସିଂହ ଶ୍ରୀମାନ−ଧାତା ଗ୍ରନ୍ଥେ ପ୍ରଚାର । ୧୨ ।ଅନ୍ୱୟ—ସୀତାରାମ ଅଂଘ୍ରି ଅବ୍ଳକୁ ହୃଦୟରେ ଧ୍ୟାୟିଣ, (ଏହି) ରାଘବ−ବିଳାସ ପ୍ରବନ୍ଧକୁ ରଚନା କରିଣ,ନବୀନ ଦୁର୍ଗେଶ ପ୍ରତାପୀ ବିରାଧିବୀରବର ଶ୍ରୀ ବିନାୟକ ସିଂହ ମାନଧାତା (ଙ୍କ ନାମ, ଏ) ଗ୍ରନ୍ଥେ ପ୍ରଚାର (କରୁଅଛି) ।
କଥା—ସୀତାରାମଙ୍କର ପାଦପଦ୍ମକୁ ହୃଦୟରେ ଧ୍ୟାୟି ଏହି ରାଘବ−ବିଳାସ ନାମକ କାବ୍ୟକୁ ରଚନା କରି ‘‘ନୂଆଗଡ଼” ଦୁର୍ଗର ନରପତି ପ୍ରତାପୀ ବିରାଧିବୀରବର ଶ୍ରୀ ବିନାୟକ ସିଂହ ମାନଧାତାଙ୍କ ନାମକୁ ଏ ଗ୍ରନ୍ଥ ଜରିଆରେ ପ୍ରଚାର କରୁଅଛି ।
ଆଲୋଚନା—କବି ନିଜଠାରୁ ବିନାୟକ ସିଂହ ମାନଧାତାଙ୍କୁ ଅଧିକ ଭାବରେ ବିଶ୍ୱଜଗତରେ ପ୍ରଚାର କରିବାକୁ ଏହି କାରଣରୁ ବ୍ୟାକୁଳ ଥିଲେ ଯେ—ତାଙ୍କରି ଲାଗି ସେ ମଣିଷ ହୋଇ ପାରିଥିଲେ । ଅନେକେ ମନେକରନ୍ତି ଯେ ରାଘବ ବିଳାସ ବିନାୟକଙ୍କ ମୃତ୍ୟୁପରେ ନୂଆଗଡ଼ ମେଳି ସମୟରେ କବିଙ୍କ ବାର୍ଦ୍ଧକ୍ୟ ସମୟର ରଚିତ ହୋଇଥିଲା । ତାହାରି ସତ୍ୟାସତ୍ୟ ପରୀକ୍ଷା ହୋଇ ନାହିଁ ।
ଦ୍ୱିତୀୟ ଛାନ୍ଦ
ଶଙ୍କରାଭରଣ ବତ୍ତରେ—ଷୋଡ଼ଶ ପଦରେ ଏହି ଛାନ୍ଦଟି ସଂପୂର୍ଣ୍ଣ । ରାବଣ ସହିତ ତାର ଦୁଇ ଭାଇ ଏବଂ ଭଗିନୀଙ୍କ ଜନ୍ମ ବିବରଣ ଏଥିରେ ବର୍ଣ୍ଣନା କରାଯାଉଛି । ତତ୍ବ୍ୟତୀତ ସେ କିପରି କୁବେରକୁ ହଟାଇ ଲଙ୍କା ଅଧିକାର କରିଛି, ଶିବଙ୍କୁ ସନ୍ତୋଷ କରି ରାବଣ ନାମ ଧାରଣ କରିଛି, ଏତଦ୍ବ୍ୟତୀତ ସମଗ୍ର ବିଶ୍ୱକୁ ଜୟକରି ତ୍ରିପୁରେଶ୍ୱର ହୋଇପାରିଛି—ତାହା ଅତ୍ୟନ୍ତ ନିପୁଣତାର ସହିତ କବି କରିଛନ୍ତି ।
କବି ଏହି ଛାନ୍ଦରେ ‘ଅପାଦ ଗମନ’ ବୋଲି ଯେଉଁ ଶବ୍ଦ ଦୁଇଟି ପ୍ରୟୋଗ କରିଛନ୍ତି, ତାର ଅର୍ଥ ହେଲା—ଶୂନ୍ୟଭ୍ରମଣ । ଶୂନ୍ୟମଣ୍ଡଳରେ ଭ୍ରମଣ କରିବାକଥା ଏବେ ମନୁଷ୍ୟ ସମାଜ କାନକୁ ଆସିଛି । ଅଥଚ ଯଦୁମଣି ଏକା ନୁହନ୍ତି ତାଙ୍କର ପୂର୍ବବର୍ତ୍ତୀ ସୂରିମାନେ ସେହି ଶୂନ୍ୟଭ୍ରମଣର ସନ୍ଧାନ ପାଇଥିଲେ ।
ମନେହୁଏ ଏହି ଶୂନ୍ୟଭ୍ରମଣ ଯୁଗ ଯୁଗ ଧରି ପୃଥିବୀର ଜନସମାଜ ମଧ୍ୟରେ ରହି ଆସି ହୁଏତ ଦିନେ ଲୁଚି ଯାଇଥିଲା । କିନ୍ତୁ ସେ ସ୍ମୃତିର ବର୍ଣ୍ଣନା କେବେ ଲୁଚି ନ ଥିଲା ।
ପୁରାଣର ଗଳ୍ପମାନ କପୋଳକଳ୍ପିତ ଯେ କୁହାଯାଉଥିଲା, ତାହା କ୍ରମେ କ୍ରମେ ସତ୍ୟ ହୋଇ ଚାଲିଛି । ବୋଧହୁଏ ଏପରି ଦିନ ଆସିବ ପୁରାଣ ଏକାନ୍ତ ସତ୍ୟଭାବରେ ଆମକୁ ପ୍ରତୀତ ହେବ ।
ଦ୍ୱିତୀୟ ଛାନ୍ଦ
(ରାଗ—ଶଂକରାଭରଣ)ଭୁବନ ଭୁବନ ତେଜି ମାଳୀ ଯେ ସମାଳୀଦୁହିତା ଦୋହିତା ସଙ୍ଗେ ଘେନି ଆସି ମିଳିଯତି ମତିକି ତୋଷିଣବେଦମତେ ଶୁଦ୍ଧଚିତ୍ତେ ପରିଣୟ ପୁଣ । ୧ ।
ଅନ୍ୱୟ—ଯେ ସୁମାଳୀ ମାଳୀ (ର ଭ୍ରାତ ଅଟେ, ସେ) ଭୁବନ ଭୁବନ ତେଜି ଦୁହିତା ଦୋହିତା ସଙ୍ଗେ ଘେନି ଆସି ମିଳି (ଲେ) ଯତି ମତିକି ତୋଷିଣ ବେଦମତେ ଶୁଦ୍ଧଚିତ୍ତେ ପୁଣି ପରିଣୟ (ଦେଲେ) ।
କଥା—ବିଷ୍ଣୁଙ୍କ ଚକ୍ରରେ ମୃତ ମାଳୀଦୈତ୍ୟର ଯେଉଁ ସୁମାଳୀ ଦୈତ୍ୟ ଭାଇ ଅଟେ (ସୁମାଳୀ ନାମକ କପି ନୁହେଁ) ସେ ପାତାଳ ଭୁବନ ତେଜି ଦିନେ ତାର ଦୁଃଖରେ ବା ଦୁଇ କୁଳର ହିତକାରିଣୀ ଏକମାତ୍ର କନ୍ୟାକୁ ସଙ୍ଗରେ ଘେନି ଆସି ଗୋଟିଏ ଆଶ୍ରମରେ ପହଞ୍ଚିଲା । ଉକ୍ତ ଆଶ୍ରମର ଯତି ବିଶ୍ରବାଙ୍କ ମତିକୁ ତୋଷକରି ବେଦ ବିଧାନରେ ଶୁଦ୍ଧ ଚିତ୍ତରେ ପୁନଶ୍ଚ ଉକ୍ତ କନ୍ୟାକୁ ପରିଣୟ ଦେଲା ।
ଆଲୋଚନା—ରାମାୟଣର ମୂଳ ରଚନାରେ ସୁମାଳୀ ଉପାଖ୍ୟାନ ଅଛି ।ଚପଳାଙ୍ଗୀ ଦତ୍ତ କରି ଚପଳ ବଂଶେଶଗତେ ମୁନି ସଙ୍ଗେ ରଙ୍ଗେ ପ୍ରମତ୍ତ ବିଳାସନିଧନଜ ବଂଶୋଦ୍ଭବଜ୍ୟେଷ୍ଠ ଶ୍ରେଷ୍ଠ ହରିତାନନ୍ଦ ରେ ଘୋର ରବ । ୨ ।
ଅନ୍ୱୟ—(ସେ) ଚପଳ ବଂଶେଶ ଚପଳାଙ୍ଗୀ ଦତ୍ତ କରି ଗତେ, ମୁନି ସଙ୍ଗେ ସଙ୍ଗେ ବିଳାସ ପ୍ରମତ୍ତ (ହେଲେ, ତେଣୁ) ନିଧନଜ ହୋଇ ବଂଶ ଜ୍ୟେଷ୍ଠ ଶ୍ରେଷ୍ଠ ହରିତାନନ ଘୋର ରବରେ ଉଦ୍ଭବ (ହେଲେ) ।
କଥା—ସେହି ଚପଳ ନାମକ ରାକ୍ଷସବଂଶ ଶ୍ରେଷ୍ଠ ସୁମାଳୀ ଚପଳା ସମାନ ଦେହଧାରିଣୀ ସୁନ୍ଦରୀ କନ୍ୟାକୁ ଦତ୍ତ କରିଯିବା ପରେ ଉକ୍ତ ବାଳା ମୁନିଙ୍କ ସହିତ କାମରଙ୍ଗରେ ବିଳାସରେ ପ୍ରମତ୍ତ ହେଲା । ତେଣୁ ଲୋପ ହୋଇଥିବା ଅସୁର କୁଳଜ ଭାବରେ ଉକ୍ତ ବଂଶର ଜ୍ୟେଷ୍ଠ ଏବଂ ଶ୍ରେଷ୍ଠ ସ୍ୱରୂପ ଦଶାନନ ନାମରେ ଏକ ପୁତ୍ର ଘୋର ରବ କରି ଜାତ ହେଲା ।
ଆଲୋଚନା—ନିକଷା ଆଡ଼ୁ ନୈକେଷୟ ଭାବରେ ରାବଣ ବିଶ୍ୱରେ ପରିଚିତ ଅଟେ । ସେ ଶିବପୁରୀ କୈଳାସ ଉତ୍ପାଟନ କରନ୍ତେ ଯୋଗୀଶ୍ୱର ଶିବ ଏତେ ଗରୁ ହୋଇଥିଲେ ଯେ ସେ ଚାପି ରହିଥିବା ହସ୍ତାଙ୍ଗୁଳି ସହିତ ପାପୁଲି ବାହାର କରି ନପାରି ଭୀଷଣ ଭାବେ ବ୍ୟାକୁଳ ହୋଇ ରବ କରିବାରୁ ତାର ଉଦ୍ଧାର ପରେ ସେ ରାବଣ ନାମରେ ବିଖ୍ୟାତ ହୋଇଥିବା କଥା ବାଲ୍ମୀକି ଲେଖିଛନ୍ତି । କିଂତୁ କବି ଯଦୁମଣି ଜନ୍ମରୁ ଭୀଷଣ ରବ କରିବାରୁ ରାବଣ ଭାବେ ପରିଚିତ ହେବା କଥାର ଲକ୍ଷଣା ଏଠାରେ ଦେଇଛନ୍ତି ।
ତଦନ୍ତଜ ରକ୍ତଗାତ୍ର ଅନ୍ତକ ସଦୃଶକନିଷ୍ଠଜ ଅନ୍ତେ ଏକ ଦୁହିତା ପ୍ରକାଶନାମ ତଦନ୍ତେ ତଦନ୍ତେରାବଣ ଯେ କୁମ୍ଭକର୍ଣ୍ଣ ବିଭୀଷଣ ଦ୍ୟନ୍ତେ । ୩ ।ପୁତ୍ରୀର କରଜ ସୂର୍ପ ସମ ସୂର୍ପଣଖାବେଳୁ ବେଳ ଅପଘନ ବର୍ଦ୍ଧମାନ ଦେଖାଗମୁଁ ରସାଯାଏ ଲସିସସ୍ରାନନ ଭ୍ରାତଶିର ନତ ହୋଇ ଆସି । ୪ ।
ଅନ୍ୱୟ—ତଦନ୍ତଜ ରକ୍ତଗାତ୍ର ଅନ୍ତକ ସଦୃଶ (ଅଟେ) । କନିଷ୍ଠଜ ଅନ୍ତେ ଏକ ଦୁହିତା ପ୍ରକାଶ (ହେଲା) । ତଦନ୍ତେ ତଦନ୍ତେ ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ ପୁତ୍ରୀର କରଜ ସୂର୍ପସମ (ହେତୁ) ସୂର୍ପଣଖା ନାମ ଦ୍ୟନ୍ତେ ବେଳୁବେଳ (ସେମାନଙ୍କ) ଅପଘନ ବର୍ଦ୍ଧମାନ ଯେ ଦେଖା (ଗଲା) । (ସେମାନେ) ଗମୁଁ ସସ୍ରାନନ ଭ୍ରାତଶିର ନତ ହୋଇ ଆସି ରସା ଲସିଯାଏ ।
କଥା—ତାପରେ ଯେଉଁ ଶିଶୁଟି ଜନ୍ମହେଲା ସେ ରକ୍ତବର୍ଣ୍ଣ ଦେହ−ବିଶିଷ୍ଟ ଏବଂ ଯମ ସଦୃଶ ଅଟେ । ସାନ ପୁଅଟିର ଜନ୍ମ ଶେଷରେ ପୁଣି ଗୋଟିଏ ଦୁହିତା ମଧ୍ୟ ପ୍ରକାଶିତ ହେଲା । ତାପରେ ତାପରେ ଯଥାକ୍ରମେ ଯେଣୁ ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ ଏବଂ କନ୍ୟାର ନଖମାନ କୁଲାର ଆକୃତି ପରି ହୋଇଥିବାରୁ ତାକୁ ସୂର୍ପଣଖା ନାମ ଦେବା ପରେ ବେଳକୁବେଳ ସେମାନଙ୍କର ଶରୀର ଯେମନ୍ତ ଏକାନ୍ତ ବଢ଼ିଗଲା । ସେମାନେ ଭୂମିରେ ଯିବା ଆସିବା କରିବାଦ୍ୱାରା ସହସ୍ରମୁଖ ଅନନ୍ତଙ୍କ ଭାଇ ବାସୁକିଙ୍କ ମସ୍ତକ ନଇଁଯିବାରୁ ଧରଣୀ ବେଳୁବେଳ ସେମାନଙ୍କ ପାଦଘାତରେ ଲସିଗଲା ।
ଚରାଚର ଭ୍ରମୁଁ ପ୍ରାଣୀ ପ୍ରାଣ ବିସର୍ଜିଲେଅବ୍ୟୟେ ପଶିଣ ସର୍ବ ଭୟ ଦତ୍ତ କଲେଅଭ୍ରରଦନୀ ସୁନ୍ଦରଲେଖ ଲେଖ ସମିତିରେ ଘେନି ବେଦବର ।୫।ବିରଞ୍ଚି ରଚିଲେ ତୂର୍ଣ୍ଣେ ହୋଇଣ ସୁମନାବରୁଣାଳୟ ବିହାରି ଶେଷାଙ୍କ ବର୍ଦ୍ଧନାନାହିଁ ପ୍ରତୀକାର କରଦରେ ଦର କୂଳେ ମିଳି ଚିନ୍ତା ଦରକର ।୬।
ଅନ୍ୱୟ—(ସେମାନେ) ଚରାଚର ଭ୍ରମୁଁ ପ୍ରାଣୀ(ମାନେ) ପ୍ରାଣ ବିସର୍ଜିଲେ । (ଏବଂ) ଅବ୍ୟୟେ ପଶିଣ (ସେମାନେ) ଭୟ ଦତ୍ତ କଲେ । (ତେଣୁ) ଅଭ୍ର−ରଦନୀ−ସୁନ୍ଦର ଲେଖ ଲେଖ ସମିତିରେ ବେଦବର ଘେନି ବରୁଣାଳୟ (କୁ ଗଲେ) ।
(ତହିଁ) ବିରଞ୍ଚି ତୂର୍ଣ୍ଣେ ସୁମନା (ସଙ୍ଗୀ) ହୋଇଣ (ଆଉ) ପ୍ରତିକାର ନାହିଁ ଜାଣି ଦରେ ଦରକୂଳେ ମିଳି ଦରକର ଚିନ୍ତି ବରୁଣାଳୟ ବିହାରୀ ଶେଷାଙ୍କ ବର୍ଦ୍ଧନା ରଚିଲେ ।
କଥା—ସେମାନେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ଭ୍ରମିବାରୁ ସେମାନଙ୍କ ଆକ୍ରମଣରେ ପ୍ରାଣୀମାନେ ପ୍ରାଣତ୍ୟାଗ କଲେ ଏବଂ ସେମାନେ ସ୍ୱର୍ଗରେ ପଶି ଦେବତାମାନଙ୍କୁ ଭୀତତ୍ରସ୍ତ କରିଦେଲେ । ତେଣୁ ଐରାବତ ଆରୋହି ଇନ୍ଦ୍ର ଶ୍ରେଷ୍ଠ ଦେବସମାଜରେ ବିଧାତାଙ୍କୁ ଅଗ୍ରଣୀ କରି କ୍ଷୀର ସମୁଦ୍ର ଅଭିମୁଖେ ଗଲେ ।
ତହିଁ ସ୍ରଷ୍ଟା ବିରଞ୍ଚି ଶୀଘ୍ର ଦେବତାମାନଙ୍କୁ ସାଥିରେ ଧରି ଆଉ ଆଉ କାହାଦ୍ୱାରା ପ୍ରତିକାର ନାହିଁ ଜାଣି ଏ ଉପସ୍ଥିତ ଭୟ ହେତୁ ଶଙ୍ଖ ଶାମୁକା ପୂର୍ଣ୍ଣ ସମୁଦ୍ରକୂଳରେ ମିଳି ଶଙ୍ଖଧାରୀଙ୍କୁ ଚିନ୍ତାକରି ବରୁଣାଳୟବିହାରୀ ଅନନ୍ତଙ୍କ ଅଙ୍କଶାୟୀ ବିଷ୍ଣୁଙ୍କର ଅଭ୍ୟର୍ଥନା ରଚନା କଲେ ।
ଧାତୃ ଭିଣୁଁ ସର୍ବେ କଲେ ଶ୍ରୀଈଶଙ୍କୁ ଧ୍ୟାନଦୟା ନିକେତନ ବାରେ ହୋଇଲେ ପ୍ରସନ୍ନଦୃଶ୍ୟେ ଦୃଶ୍ୟ ହେଲେ ଆସିବିନତି ନତମସ୍ତକେ ପାଣି ମଣ୍ଡି ଭାଷି ।୭।‘ବିଶ୍ରବାଜ ବଂଶବାହା ଆମ୍ଭରେ କଣ୍ଟକଅରିକର ! ଅରିଙ୍କର ଶୀଘ୍ର ବିନାଶନ’ଭଣୁ ଭଣିଲେ କୌସ୍ତଭୀମିତ୍ରବଂଶେ ନୃପକୁଳେ ଯାଇ ଜାତ ହେବି । ୮।
ଅନ୍ୱୟ—ଧାତୃ (ବନ୍ଦନା) ଭଣୁଁ ସର୍ବେ ଶ୍ରୀଈଶଙ୍କୁ ଧ୍ୟାନ କଲେ । (ତେଣୁ) ଦୟାନିକେତନ ବାରେ ପ୍ରସନ୍ନ ହୋଇଲେ । (ଏବଂ) ଦୃଶ୍ୟେ ଆସି ଦୃଶ୍ୟ ହେଲେ । ବିନତି ନତମସ୍ତକ(ରେ) ପାଣି ମଣ୍ଡି (ସର୍ବେ) ଭାଷି(ଲେ) ।
ବିଶ୍ରବାଜ ବିଂଶବାହା ଆମ୍ଭରେ କଣ୍ଟକ (ହୋଇଅଛି ।) (ହେ) ଅରିକର ! (ଉକ୍ତ) ଅରିଙ୍କର ଶୀଘ୍ର ବିନାଶକ (ହୁଅ) ଭଣୁଁ କୌସ୍ତୁଭୀ ଭଣିଲେ—ମିତ୍ରବଂଶେ ନୃପକୁଳେ ଯାଇ (ମୁଁ) ଜାତ ହେବି ।
କଥା—ବିଧାତା ବନ୍ଦନା କରନ୍ତେ ସର୍ବେ ଲକ୍ଷ୍ମୀ−ପତି ନାରାୟଣଙ୍କୁ ଧ୍ୟାନକଲେ । ତେଣୁ ଦୟାନିକେତନ ପ୍ରଭୁ ଥରେ ପ୍ରସନ୍ନ ହୋଇ ରମଣୀୟ ମୂର୍ତ୍ତିରେ ଦେଖାଦେଲେ । ବିନୟରେ ଏକାନ୍ତ ନମ୍ର ଉକ୍ତ ଦେବତାମାନେ ମସ୍ତକରେ ହାତଦେଇ କହିଲେ—
ବିଶ୍ରବାଙ୍କ ବଂଶଧର ବିଂଶବାହୁ ରାବଣ ଆମର ଶତ୍ରୁ ହୋଇଅଛି । ହେ ଚକ୍ରଧାରୀ ! ଉକ୍ତ ବୈରୀକୁ ତୁମ୍ଭେ ଶୀଘ୍ର ବିନାଶ କର । ଏକଥା କହନ୍ତେ କୌସ୍ତୁଭଧାରୀ ନାରାୟଣ କହିଲେ, ‘‘ସୂଯ୍ୟବଂଶୀୟ ନୃପକୁଳରେ ଆମ୍ଭେ ଯାଇ ଜନ୍ନ ହେବୁଁ ।
ଆଲୋଚନା—ପୁରାଣରେ ଅସୁର ଦେବତାଙ୍କ ମଧ୍ୟରେ ଯେ ବିବାଦ ଦେଖାଦେଇଛି, ତାହା ସାଧାରଣ କଥାରେ ସଦ୍ଗୁଣ ଏବଂ ବୈଜ୍ଞାନିକ ସମୃଦ୍ଧି ମଧ୍ୟରେ ହିଁ ଭେଦକୁ ବୁଝାଏ । ସୃଷ୍ଟି ସଂରକ୍ଷଣରେ ମାନବିକ ସଦ୍ଗୁଣ ଘେନି ଦେବତା ଏବଂ ବିଜ୍ଞାନର ପରାକାଷ୍ଠା । ଘେନି ଅସୁର ଅଭିହିତ ଅଟନ୍ତି ।
ଅଳ୍ପଦିନେ କଳ୍ପକଷ୍ଟ ବିକଳ୍ପ କରିବିସୁମନେ ସୁମନେ ଗତ ଆଗତକୁ ଭାବିସର୍ବେ ରହିଲେ ନି−ଦରେଗର୍ବେ କର୍ବୁରେ କ୍ଷେପନ୍ତି ଅତି ସମାଜରେ ।୯।ଦଶାନନ ଆନନ ଛିଣ୍ଡାଇ ଧାତୃତପେପ୍ରଜ୍ଜ୍ୱଳ−ଜ୍ୱଳନେ ନେଇ ଏକେ ଏକେ ଏକେ କ୍ଷେପେଉତ୍ତମାଙ୍ଗ ଲାଗି ସ୍କନ୍ଧେବିଧିରେ ବିଧିରେ ବରଦତ୍ତ ଦଶସ୍କନ୍ଧେ ।୧୦।
ଅନ୍ୱୟ—ଅଳ୍ପ ଦିନେ କଳ୍ପ କଷ୍ଟ(କୁ) ବିକଳ୍ପ କରିବି ।” । (ଏହା ଶୁଣି) ସୁମନେ ସୁମନେ ଗତ ଆଗତ (କଥା)କୁ ଭାବି ସର୍ବେ ନି−ଦରେ ରହିଲେ । (ଫଳରେ) କର୍ବୁରେ ଅତି ସମାଜରେ ଗର୍ବେ କ୍ଷେପନ୍ତି । ଦଶାନନ ଧାତୃ ତପେ ଆନନ ଛିଣ୍ଡାଇ ପ୍ରଜ୍ଜ୍ୱଳ ଜ୍ୱଳନେ ଏକେ ଏକେ ନେଇ କ୍ଷେପେ । (ପୁଣି) ଉତ୍ତମାଙ୍ଗ ସ୍କନ୍ଧେ ଲାଗି (ଯାଏ) । (ଏମନ୍ତ) ବିଧିରେ ବିଧିରେ ବର ଦଶସ୍କନ୍ଧେ ଦତ୍ତ (ହୋଇଥାଏ) ।
କଥା—ଅଳ୍ପଦିନରେ ଅତି ଦୀର୍ଘକାଳର କଷ୍ଟକୁ ନିରାକରଣ କରିବି ।” ଏହା ଶୁଣି ଦେବତାମାନେ ପ୍ରସନ୍ନ ମନରେ ଆଗତ ଭବିଷ୍ୟ କଥା ଚିନ୍ତାକରି ନିଶ୍ଚିନ୍ତ ହୋଇ ଶୋଇଲେ । ଫଳରେ ଅସୁରମାନେ ଅତି ସମାଦରରେ ଏ ଗର୍ବରେ ଡେଇଁ ବୁଲିଲେ ।
ଦଶାନନ ରାବଣ ସୃଷ୍ଟିକର୍ତ୍ତା ବ୍ରହ୍ନାଙ୍କୁ ତପସ୍ୟାରେ ଭେଟିବା ଲାଗି ନିଜର ମିଣ୍ଡମାନ ଛିଣ୍ଡାଇ ଜ୍ୱଳନ୍ତା ଅଗ୍ନିକୁଣ୍ଡରେ ଗୋଟି ଗୋଟି କରି ନେଇ ଫିଙ୍ଗିଥିଲା । ପୁନଶ୍ଚ ତାର ମସ୍ତକ ତପଃ ପ୍ରଭାବରେ କାନ୍ଧରେ ଲାଗିଥିଲା । ଏହି ନିଷ୍ଠାପୂର୍ଣ୍ଣ ବିଧିରେ ବିଧାତାଙ୍କର ବର ଦଶସ୍କନ୍ଧ ରାବଣକୁ ମିଳିଥିଲା ।
ବୈଶ୍ରବଣେ ବୈଶ୍ରବଣ ସମରେ ଅସମଭୀତି ଉଦ ସ୍ୱର୍ଣ୍ଣକ୍ଷିତି ତେଜନ୍ତେ ସଭ୍ରମତହିଁ ଦେବାରି ସ୍ୱସ୍ଥିତଶୁଭେ ଲଭି ମୟପୁତ୍ରୀ କଇକଷୀ ସୁତ ।୧୧।ଅପାଦ ଗମନ ଧ୍ୱନି ରକ୍ଷିପତି−ଧ୍ୱନିତେଣୁ ତା ନାମ ପ୍ରଦତ୍ତ ସର୍ବେ ଭୀତି ଘେନିନାକେଶରେ ରଜ୍ଜୁଯୁକ୍ତଦର୍ପେ ଦର୍ପବଳ ବେଳୁଁ ବେଳ ସେ ଅତ୍ୟନ୍ତ ।୧୨।
ଅନ୍ୱୟ—ବୈଶ୍ରବଣେ ବୈଶ୍ରବଣ ସମରେ ଅସମ (ହେତୁ) ଭୀତି (ଲଭି) ଉଦ (ମଧ୍ୟସ୍ଥ) ସ୍ୱଣ୍ଣଂକ୍ଷିତି ସଭ୍ରମ ତେଜନ୍ତେ ତହିଁ ଦେବାରି (ଗଣ) ସ୍ୱସ୍ଥିତ (ହେଲେ) । ଫଳରେ କଇକଷୀ ସୁତ ମୟପୁତ୍ରୀ (କୁ) ଶୁଭେ ଲଭି (ଥିଲା) ।
ଅପାଦ ଗମନ ଧ୍ୱନି ଓ ରକ୍ଷିପତି (ର ନିଜ ମୁଖ) ଧ୍ୱନି (ଯୋଗୁଁ) ତେଣୁ ସର୍ବେ ଭୀତ ଘେନି ତା ନାମ (ରାବଣ) ପ୍ରଦତ୍ତ କଲେ । ସେ ଦର୍ପେ ଦର୍ପବଳ ବେଳୁଁ ବେଳ ଅତ୍ୟନ୍ତ ହୋଇ ନାକେଶରେ ରଜ୍ଜୁଯୁକ୍ତ (କଲା) ।
କଥା—ସେହି ହେତୁ ରାବଣ ସହିତ କୁବେର ଯୁଦ୍ଧକରି ସମକକ୍ଷ ନ ହେବାରୁ ଭୟ ପାଇ ଜଳରାଶି−ସମୁଦ୍ର ମଧ୍ୟସ୍ଥ ସ୍ୱର୍ଣ୍ଣନଗରୀ ଆସ୍ଥା ତ୍ୟାଗ କରିବାରୁ ଅସୁରମାନେ ତହିଁ ସ୍ୱଜନ ଧରି ରହିଲେ । ଫଳରେ କୈକଷୀପୁତ୍ର ରାବଣ ତହିଁ ମୟଦାନବପୁତ୍ରୀ ମନ୍ଦୋଦରୀକୁ ମଙ୍ଗଳଜନକ ଭାବରେ ଲାଭ କରିଥିଲା ।
କୁବେରଠାରୁ ଲଭିଥିବା ପୁଷ୍ପକଯାନ ଆରୋହଣ ହେତୁ ଶୂନ୍ୟଭ୍ରମଣର ଗମ୍ଭୀରଧ୍ୱନି ଓ ରକ୍ଷପତି ରାବଣ ନିଜ ମୁଖରୁ ନିଃସୃତ ଧ୍ୱନି ଯୋଗୁଁ ସମସ୍ତ ଜଗତ ଭୀତ ହୋଇ ତାକୁ ରାବଣ ନାମରେ ଅଭିହିତ କରିଥିଲେ । ଉକ୍ତି ରାବଣ ଅହଂକାରରେ ଏବଂ କ୍ଷମତା ବଳରେ ବେଳୁଁ ବେଳ ଅତି ପ୍ରବଳ ହୋଇ ଇନ୍ଦ୍ରଙ୍କୁ ଦିନେ ବାନ୍ଧି ପକାଇଲା ।
ସର୍ବଜ୍ଞସ୍ଥିତ−ଧରାଜ ଉତ୍ପାଟନ କରେଶର୍ବ ସର୍ବ ସୁଫଳେ ତ ବର ପ୍ରଦତ୍ତରେଭ୍ରମେ ନିଦରେ ଆଦରେକି ଦର ତା କାହାଠାରେ ସୁ−ଦର ତା−ହାରେ ।୧୩।ତ୍ରିପୁରେ ତ୍ରିପୁରେଶ୍ୱର ହୋଇଲା ରାବଣଜୟ କରେ ଭୟ ଦେଇ ସ୍ୱୟଂ ଦିଗ୍ବିଜେଣନିଜାନୁଜାତ୍ମଜ ଘେନିବିଭୀତକ ହେଲେ ସର୍ବେ ନାମ ତାର ଶୁଣି ।୧୪।
ଅନ୍ୱୟ—(ସେ) ସର୍ବଜ୍ଞ (ଙ୍କର) ସ୍ଥିତ ଧରାଜ ଉତ୍ପାଟନ କରେ । (ଫଳରେ) ଶର୍ବ ବର ପ୍ରଦତ୍ତରେ ସର୍ବ ସୁଫଳେ ତ (ଦିଅନ୍ତି) । (ତେଣୁ ସେ) ନି−ଦରେ ଆଦରେ ଭ୍ରମେ । କାହା ଠାରେ ତା କି ଦର (ଯେଣୁ) ତା−ହାରେ ସୁ−ଦର (ରହିଥିଲା) ।
(ଫଳରେ) ରାବଣ ତ୍ରିପୁରେ ତ୍ରିପୁରେଶ୍ୱର ହୋଇଲା । ସ୍ୱୟଂ ଦିଗ୍ବିଜେଣ ନିଜ ଅନୁଜ (ଓ) ଆତ୍ମଜ ଘେନି (ସର୍ବେ) ଭୟ ଦେଇ ଜୟ କରେ । (ତେଣୁ) ସର୍ବେ (ଅସୁରମାନେ) ତାର ନାମ ଶୁଣି ବିଭୀତକ ହେଲେ ।
କଥା—ସେ ଶିବଙ୍କର ଆସ୍ଥାନ ପର୍ବତ କୈଳାଶକୁ ଦିନେ ଉତ୍ପାଟନ କରେ । ଫଳରେ ମହେଶ୍ୱର ଶିବ ବର ଦେଇ ସବୁ ସୁଫଳ ତାକୁ ଦିଅନ୍ତି । ତେଣୁ ସେ ନିର୍ଭୟରେ ଆନନ୍ଦରେ ଭ୍ରମଣ କରିଥାଏ । କାହାଠି ବା ସେ ବିଶେଷ ଭୟ ଆଉ କରିବ ? ଯେହେତୁ ତା ବକ୍ଷସ୍ଥିତ ହାର ରେ ଶ୍ରେଷ୍ଠ ଶଙ୍ଖଭୂଷଣ ବିରାଜିତ ହୋଇଥିଲା ।
ଏଣୁ ରାବଣ ତ୍ରିପୁରରେ ତ୍ରିପୁରେଶ୍ୱର ନାମରେ ବିଖ୍ୟାତ ହୋଇଗଲା । ସେ ନିଜେ ଦିଗ୍ବିଜୟରେ ବାହାରିଲେ ତା ନିଜର ଅନୁଜ ଓ ଆତ୍ମଜମାନଙ୍କୁ ସଙ୍ଗରେ ଘେନି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଭୀତତ୍ରସ୍ତ କରି ଜୟ କଲା । ଏପରି ସୁସଂବାଦରେ ବିଶ୍ୱର ଦୁଷ୍ଟ ଅସୁରକୁଳ ତାର ନାମ ଶୁଣି ଏକାବେଳେ ନିଃଶଙ୍କ ହୋଇଗଲେ ।
ନଷ୍ଟ ଉତ୍କୃଷ୍ଟ କଷ୍ଟକୁ ଜାଣିଣ ବୈକୁଣ୍ଠଦର୍ପିଷ୍ଠ ପାପିଷ୍ଠ ନଷ୍ଟ ବିନାଶନ୍ତେ ହୃଷ୍ଟତେବେ ଅକଣ୍ଟକ ଦେବେକୁଦିନ ଯିବଇ କେବେ ସୁଦିନ ହୋଇବେ ।୧୫।ସେ ପ୍ରଭୁ କୋମଳ ପାଦପଦ୍ମ ହୃଦେ ଧ୍ୟାୟି ।ନୃପ ବିନାୟକ ସିଂହ ମାନଧାତା କହିଅବିଘ୍ନରେ ଛାନ୍ଦପୂର୍ଣ୍ଣକରନ୍ତୁ ଶ୍ରବଣ ସର୍ବେ ଦେଇ ମନକର୍ଣ୍ଣ ।୧୬।
ଅନ୍ୱୟ—(ଦେବତାମାନଙ୍କର) ଉତ୍କୃଷ୍ଟ କଷ୍ଟକୁ ନଷ୍ଟ (କରିବା) ଜାଣିଣ ଦର୍ପିଷ୍ଠ ପାପିଷ୍ଠ, ନଷ୍ଟ (ରାବଣ) ବୈକୁଣ୍ଠ ବିନାଶନ୍ତେ ଦେବେ ତେବେ ହୃଷ୍ଟ (ଓ) ଅକଣ୍ଟକ (ହେବେ) କୁଦିନ କେବେ ଯିବଇ । ସୁଦିନ ହୋଇବେ (ଚିନ୍ତା କଲେ) ।
ସେ ପ୍ରଭୁ କୋମଳ ପାଦପଦ୍ମ ହୃଦୟ ଧ୍ୟାୟି ନୃପ ବିନାୟକ ସିଂହ ମାନଧାତା (ଏହି କବିତା) କହି (କହେ) ଅବିଘ୍ନରେ ଛନ୍ଦ (ମାନ) ପୂର୍ଣ୍ଣ ହେଉ । ସର୍ବେ ମନକର୍ଣ୍ଣ ଦେଇ ଶ୍ରବଣ କରନ୍ତୁ ।
କଥା—ଦେବତାମାନଙ୍କର ଅତି ସାଙ୍ଘାତିକ କଷ୍ଟକୁ ଦୂର କରିବା କଥା ଅନୁଭବ କରି ଦର୍ପିଷ୍ଠ, ପାପିଷ୍ଠ, ନଷ୍ଟଚରିତ୍ର ରାବଣକୁ ଭଗବାନ ବିଷ୍ଣୁ ବିନାଶ କଲେ ତେବେ ଯାଇ ସେମାନେ ହୃଷ୍ଟ ଓ ଅକଣ୍ଟକ ହେବେ । କେଉଁଦିନ ଦୁଃଖ ଦୂର ହେବ, ସୁଦିନ ହେବ ଏ କଥା ମଧ୍ୟ ସେମାନେ ଚିନ୍ତା କଲେ । ସେହି ବିଷ୍ଣୁଙ୍କର କୋମଳ ପାଦପଦ୍ମ ହୃଦୟରେ ଧ୍ୟାନକରି ରାଜା ବିନାୟକ ସିଂହ ମାନଧାତା ଏହି କବିତା ଭାଷିଲେ । ଅବିଘ୍ନରେ ଛାନ୍ଦମାନ ପୂର୍ଣ୍ଣ ହେଉ ଏବଂ ସର୍ବେ ତାହା ମନକର୍ଣ୍ଣ ଦେଇ ଶ୍ରବଣ କରନ୍ତୁ ।