ଦଶମ ସର୍ଗ — ପଦ୍ମିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦଶମ ସର୍ଗ
ଘୋର ଅନୁତାପେ ଆଜି ଯବନ-ଜୀବନ,ହେଉଅଛି ଛଟଛଟ ଅହୋ କି’ ଭୀଷଣ !ତୀବ୍ର-ବିଷ ବିଷଧର ରୂପେ କ୍ଷୋଭ ଆସିଦଂଶିଲା ଉତ୍କଟ ଭାବେ ଢାଳି ବିଷରାଶି ।ବଇରାଗ୍ୟ-ପଞ୍ଚଆସ୍ୟ ଘୋର ଘନ ଘୋଷେ,ଆକ୍ରମି ବିବ୍ରତ କଲା ଗରଜି ସରୋଷେ ।କ୍ଷିପ୍ତ ଶିବା ପରି ହୋଇ ଲାଞ୍ଚ୍ଥନା ବାହାର,କାମୋଡ଼ି ତା’ ଦେହଯାକ କଲା ଛାରଖାର ।ଅଶାନ୍ତି ଆସିଲା ଧରି ମଧୁମକ୍ଷୀ ବେଶ,ଶକ୍ତି ମାରି ଦେଲା ତାକୁ ଯାତନା ଅଶେଷ ।ଅଧୀରତା ବ୍ୟାଘ୍ର କରି ବଦନ ବ୍ୟାଦାନ,ଧାଇଁ ଆସିଅଛି କରିବାକୁ ରକ୍ତପାନ ।ନିଶ୍ଚିନ୍ତେ ଦୁଶ୍ଚିନ୍ତା ତହିଁ ହେଲା ଉପଗତମାଇଲା ବିରୁଡ଼ି ରୂପେ ଅସ୍ତ୍ର ପାଶୁପତ ।ନଖରଦ ଅସ୍ତ୍ର ମାରି ଭୋଗେଚ୍ଛା ଭଲ୍ଲୁକୀ,ଜନ୍ମାଇ ବିଷମ କ୍ଷତି ତହିଁ ଦେଲା ଥୁକି ।ମାନସିକ ଅତ୍ୟାଚାରେ ସମ୍ରାଟ୍ ଏପରିହେଉଅଛି ପ୍ରପୀଡ଼ିତ ଦିବସ-ଶର୍ବରୀ ।ଗଢ଼ୁଥିଲା ମନେ ମନେ ଯେ ସୁଖ ଜଗତ,ତାକୁ କଲା ବିଫଳତା ଧ୍ୱଂସେ ପରିଣତ ।ବ୍ୟାକୁଳତା ଜାଳି ଅତି ପ୍ରଚଣ୍ଡ ଜ୍ୱଳନ,ପୋଡ଼ିପକାଇଲା ଶାନ୍ତି ସୁବର୍ଣ୍ଣ ଭବନ ।ଛଳ-ବଳ-କଉଶଳ କରି ହାହାକାରକରୁଛନ୍ତି ବିସର୍ଜନ ଲୋତକ ଆସାର ।ମହାକ୍ରୋଧେ ଜରଜର ହୋଇ ଦିଲ୍ଲୀଶ୍ୱର,ପ୍ରତିଶୋଧ ନେବାପାଇଁ ହେଲା ଅଗ୍ରସର ।ଭାଷିଲା ସରୋଷେ ‘‘ଛାର ନାରୀଟିଏ ମତେପକାଇଲା ଛନ୍ଦି ଏହି ଶୋଚନୀୟ ପଥେ !ଦେଖିବା ରାଜପୁତନୀ କେତେ ବୁଦ୍ଧିମତୀରାଜପୁତ ଜାତି କେତେ ରଖିଛି ଶକତି ।ଧନବଳ ଜନବଳ ଯା’ ଅଛି ମୋହରନିୟୋଗି ତା’ ଉତ୍ସାଦନ କରିବି ଚିତୋର ।ପଦ୍ମିନୀକି ନେଇ ରଖିଦେବି ଅଶ୍ୱଶାଳେଅଶ୍ୱମଳ ପକାଇବା ଅଛି ତା’ କପାଳେ ।ଭୀମକୁ ରଖିବି ଆମ ଚର୍ମ-ବଦ୍ଧ କରି,ସଦ୍ୟ ଗୋରୁମାଂସ ଦେବି ତା’ ବଦନେ ଭରି ।ସୈନ୍ୟବୃନ୍ଦେ ଆଦେଶିଲା ଲଗାଇ ବିତ୍ପାତଚିତୋରକୁ ଭୂମିସାତ୍ କର ଅଚିରାତ ।ଯେତେ ଦିନ ହେବ ନାହିଁ ସିଦ୍ଧ ମନୋରଥଏ ସ୍ଥାନରେ ରଣ-ଚର୍ଯ୍ୟା କରିବା ତାବତ ।ସମ୍ରାଟ୍ର ଦୃଢ଼ପଣ କରି ଆକର୍ଣ୍ଣନରଚିଲେ ଭୀଷଣ ରଣ ତା’ ସୈନିକଗଣ ।ପୁର୍ବପରି କଲେ ଯାଇ ଦୁର୍ଗ ଅବରୋଧ,ଲାଛିଲେ କମାଣମାନ ବହି ବହୁ କ୍ରୋଧ ।ଚୂର୍ଣ୍ଣୀଭୂତ ହେଉଅଛି କେତେ ଘରଦ୍ୱାର,ବିଷମ ବ୍ୟାପାର ହେଲା ପଥେ ଚାଲିବାର ।
ରହି ହେଉ ନାହିଁ ଘରେ ଅଥବା ବାହାରେ
ଚିତୋର ନଗର ପୂରିଗଲା ହାହାକାରେ ।
ଦେଖ ଏ ଦାରୁଣ ଦୃଶ୍ୟ ଭୀମ ଦୁଃଖଭରେ
ଭଗ୍ନ ଗୃହ ନାଗରିକେ ରଖିଲେ ନବରେ ।
କରିବାକୁ ଯବନର ପ୍ରତାପଦଳନ
କିଛିକ୍ଷଣ ହେଲେ ବୀର ଧ୍ୟାନ ନିମଗନ ।
ଲକ୍ଷ୍ମଣ ସଦନେ ତହୁଁ ହୋଇ ଉପଗତ
ଦେଖିଲେ ସେ ବସିଛନ୍ତି ମୁଖ କରି ନତ ।
ପଦଶଦ୍ଦ ଶୁଣି ଟେକି ଈଷତ ବଦନ
ସମ୍ୱୋଧନ କରି ତାଙ୍କୁ ଡାକିଲେ ଲକ୍ଷ୍ମଣ ।
ଲକ୍ଷ୍ମଣଙ୍କୁ ଚାହିଁ ଭୀମ ହୋଇ ସମାସୀନ
ବୋଇଲେ ଆସିଲା ଭାଗ୍ୟ-ପରୀକ୍ଷାର ଦିନ ।
ବାବା, ଆଉ ଧୈର୍ଯ୍ୟ ଧରି ହେବ ନାହିଁ ରହି
ଅତିଶୟ ଧୀରଜନେ କାପୁରୁଷ କହି ।
ଯେ କରେ ସମୟ ଚାହିଁ କର୍ମ ଆଚରଣ,
ଲକ୍ଷ୍ମୀ ତାକୁ କରିଥାନ୍ତି ସାଦରେ ବରଣ ।
କାଳେଚିତ କର୍ମ ଯେହୁ ସାଧନେ ଅକ୍ଷମ,
ଜଗତରେ ସେହି ଜନ ପ୍ରକୃତ ଅଧମ ।
ଭୀଷଣ ସମୟ ବାବା, ସମ୍ମୁଖେ ଆଗତ
ଏ ସମୟେ ଅବଲମ୍ୱ ସମୁଚିତ ପଥ ।
ଲାଭାଲାଭ ଫଳାଫଳ ଈଶ୍ୱର ହାତରେ
ଅର୍ପି ଅଗ୍ରସର ହୁଅ କର୍ତ୍ତବ୍ୟ-ପଥରେ ।
ଅହରହ ଥା’ନ୍ତି ଯେହୁ କର୍ମପରାୟଣ,
ସହାୟ କେବଳ ଭବେ ତାଙ୍କ ପରାୟଣ ।
ହେଲାଣି ତ ବାବା, ତୁମ୍ଭେ ଏଥର ସମର୍ଥ
ଚିତୋର ଉଦ୍ଧାର ଅର୍ଥ କର ଦୃଢ଼ବ୍ରତ ।’’
ଲକ୍ଷ୍ମଣ ବୋଇଲେ, ‘‘ସେହି ଭାବନା ନିରତ-
ହୋଇ ବସିଥିଲି ବହୁକ୍ଷଣ ଏଯାବତ ।
ତୁମ୍ଭଙ୍କୁ ଡାକିବା ପାଇଁ ବଳୁଥିଲା ମନ
ଶୁଭ ମୁହୂର୍ତ୍ତରେ ଆସି ଦେଲ ଦରଶନ ।
ମୁହିଁ ତ ତୁମ୍ଭର ଛାତ୍ର, ତୁମ୍ଭେ ମୋ ଶିକ୍ଷକ,
ତୁମ୍ଭ ଉପଦେଶଚୟ ମୋ ପାଠ୍ୟ-ପୁସ୍ତକ ।
ମୋ ଉପରେ ଏବେ ଲଦି ଦେଇ ଗୁରୁଭାର,
ନିଶ୍ଚିନ୍ତ ରହିବା ତୁମ୍ଭ ପକ୍ଷେ ଅବିଚାର ।
ଯେତେବେଳେ କରିଅଛ ଯେପରି ଆଦେଶ,
ପାଳିବାରେ ତାହା ରଖି ନାହିଁ ଦୋଷ ଲେଶ ।
ସ’ଚିତୋର ଏବେ ମୋର ହୋଇ କର୍ଣ୍ଣଧାର
କର ଏ ବିପଦ ରୂପ ଅକୂପାର ପାର ।’’
ମୃଦୁହାସ୍ୟେ ତହୁଁ ଭୀମ ଭାଷିଲେ ଭାରତୀ
‘‘ଲକ୍ଷ୍ମଣ ! ବୃଦ୍ଧଙ୍କ ସୁଦ୍ଧା ନାହିଁ ଅବ୍ୟାହତି ।
ନାଶଶୀଳ ଦେହ ହେବ ଯେବେ ହେଲେ ନଷ୍ଟ
ଏ ସମୟେ କିପାଁ ହେବି କରଣୀୟ ଭ୍ରଷ୍ଟ ?
ବୀରତ୍ୱ ପ୍ରକାଶି ଯେବେ ମରଣ ବରଣ-
କରିବି, ତା’ ହେଲେ ହେବ ଜୀବନ ମୋ ଧନ୍ୟ ।’’
ପୁନଶ୍ଚ ବୋଇଲେ, ‘‘ଆଉ ନାହିଁ ଅବସର,
ବିପଦ ଆସୁଛି ଧରି ମୂର୍ତ୍ତି ଭୟଙ୍କର,
କରିବାକୁ କାଳୋଚିତ ମାର୍ଗ ନିର୍ଦ୍ଧାରଣ,
ସମନ୍ତ୍ରିକ ହୋଇ ଚଳ ମନ୍ତ୍ରଣାଭବନ ।
ନାମଧର ବୀରେ ମଧ୍ୟ ଆବାହନ କର,
ଦେଖିବା ପରଖି ଅଭିରୁଚି ସଭିଙ୍କର ।
ଏବେ ମୁହିଁ ଅଗ୍ରସର ହେଉଛି ସେ ସ୍ଥାନେ
ନ କରି ବିଳମ୍ୱ ଅତି ଆସ ତୁମ୍ଭେମାନେ ।’’
କିଛି କ୍ଷଣେ ଜନାକୀର୍ଣ୍ଣ ମନ୍ତ୍ରଣା ଭବନ,
ଧରି ନୀତି-ବିଶାରଦ ପାତ୍ର-ମିତ୍ରଗଣ ।
ସମୁଚ୍ଚ ଆସନେ ବସିଛନ୍ତି ରାଣାଦ୍ୱୟ,
ଯଥାଯୋଗ୍ୟ ଆସନରେ ଅନ୍ୟ ଲୋକଚୟ ।
ଗମ୍ଭୀରତା ବହିଅଛି ସକଳ ବଦନ,
ତା’ ଉପରେ ବିଷାଦର କାଳିମା ଲେପନ ।
ହେଇଅଛି ସମସ୍ତଙ୍କ ମତି ଚିନ୍ତାକୁଳ,
ବାଳକ ବାଦଲ ମୁଖ କେବଳ ପ୍ରଫୁଲ୍ଲ ।
ରହିଛନ୍ତି ସର୍ବେ ହୋଇ ନୀରବ ନିଶ୍ଚଳ,
କଥା କହିବାକୁ ଯେହ୍ନେ ନାହିଁ କାହା ବଳ ।
ସହସା ଦେଖିଲେ ହେବ ମନରେ ପ୍ରତୀତ
ମାର୍ତ୍ତିକ ମୂରତି ବୀଥି ଏ’କି ଏକତ୍ରିତ ।
ନିଃଶ୍ୱାସ ପବନ ଆଉ ପଲକ ପତନ
କରେ ସଜୀବତା ଚିହ୍ନ ତା’ରେ ପ୍ରକଟନ ।
ବହୁକ୍ଷଣ ଏହି ରୂପେ ହୋଇଗଲା ଗତ,
ନୀରବତା ଭାଙ୍ଗି ଭୀମ ଭାଷିଲେ ଏମନ୍ତ-
‘‘ଚିତୋର ଦୁର୍ଦ୍ଦଶା ସର୍ବେ କରୁଛ ଦର୍ଶନ,
ଏ କାର୍ଯ୍ୟର କର୍ତ୍ତା ସେହି ଦୁରାତ୍ମା ଯବନ ।
ଜିଘାଂସାର ଦଶବର୍ତ୍ତୀ ହୋଇ ସେ କେବଳ
ଅହୋରାତ୍ର ଘଟାଉଛି ଆମ୍ଭ ଅମଙ୍ଗଳ ।
ଯବନ ପ୍ରତାପ ଏବେ ସହନ ଅତୀତ
କି ଉପାୟ ଆଚରିବା ବିଚାର ତ୍ୱରିତ ।
ଭାଗ୍ୟ-ପରୀକ୍ଷାର ଏହା ପ୍ରଶସ୍ତ ସମୟ
ଏଥିରୁ ଉତ୍ତୀର୍ଣ୍ଣ ହେଲେ ହେବ ଭାଗ୍ୟୋଦୟ ।’’
ଭୀମଙ୍କ ବଚନ ଶୁଣି ପାର୍ଷଦମଣ୍ଡଳ
ବୋଇଲେ , ‘‘ତୁମ୍ଭେ ହିଁ ଆମ୍ଭ ସବୁ ବୁଦ୍ଧିବଳ ।
ତୁମ୍ଭ ବିନା କେ କରିବ ଉପାୟ ଚିନ୍ତନ
କେ ଅବା କରିପାରିବ ବିପଦ ଖଣ୍ଡନ ।
ତୁମ୍ଭେ ରାଜା ତୁମ୍ଭେ ଗୁରୁ ସର୍ବଦା ଆମ୍ଭର
ଭାଗ୍ୟ-ବିଧାୟକ ତୁମ୍ଭେ ମନ୍ତ୍ରଣା-ଆକର ।
ବୁଦ୍ଧିରେ ତୁମ୍ଭର ଆମ୍ଭେ ସର୍ବେ ବୁଦ୍ଧିବାନ
ବୀର୍ଯ୍ୟ ତୁମ୍ଭ ଆମ୍ଭ ବୀର୍ଯ୍ୟବତ୍ତ ଉପାଦାନ ।
ତୁମ୍ଭେ ଯେ ପଥରେ ନେବ ଚଳିବୁ ସେ ପଥେ
ସହମତ୍ୟ ଅଛି ଆମ୍ଭ ସଦା ତୁମ୍ଭ ମତେ ।
ଯାହା କରିବାକୁ ଏବେ ମଣନ୍ତି ଉଚିତ
ସତ୍ୱର କରିବା ହେଉ ସୁନୀତି-ପଣ୍ଡିତ ।’’
ସଭାସଦ ବାକ୍ୟେ ଭୀମ ଦେଇ ପ୍ରତି-ଗିର,
ବୋଇଲେ ଜଗତେ କିଛି ନୁହେଁ ଚିରସ୍ଥର ।
ଧନଜନ ଦେହ ଗେହ ସବୁ କାଳାଧୀନ,
କାନ୍ତିମତୀ କୀର୍ତ୍ତି କିନ୍ତୁ ରହେ ଚିରଦିନ ।
ଜଗତରେ କୀର୍ତ୍ତିକରୀ ଅସି-ମସି ବେନି,
ଦୁହେଁ ଥା’ନ୍ତି ଦୁହିଁଙ୍କର ସହାୟତା ଘେନି ।
ଅସି-ବ୍ୟବସାୟୀ ଆମ୍ଭେ ଧରି ତୀକ୍ଷ୍ଣ ଅସି,
ସ୍ଥାପନ କରିବା ମର୍ତ୍ତ୍ୟେ କୀର୍ତ୍ତି ମହୀୟସୀ ।
କରୁଥିବେ ଚିରକାଳ ଆମ୍ଭ ଗୁଣଗାନ
ନିଖିଳ ଭାରତବାସୀ ମାନବ-ସନ୍ତାନ ।
ଅଜୟ ଅଟଇ ରାଣା ପ୍ରିୟତମ ଧନ,
କୈଲବାର ଦୁର୍ଗେ ତାକୁ କରିବା ପ୍ରେରଣ ।
କୈଲବାର ସୁଦୁର୍ଗମ ସ୍ଥାନେ ଅବସ୍ଥିତ
ସର୍ବଦା ଅରାତି ଅତିବିଧି ବିରହିତ ।
ଅଜୟ ବହିବ ଭାବୀ ବଂଶରକ୍ଷା ଭାର
ଅନୁଯାତ୍ରୀ ହେବେ ଦୁର୍ଗ ବାଳବୃଦ୍ଧେ ତାର ।
ସ୍ତନ୍ୟପାୟୀ ବାଳକର ଯେ’ ଅଟେ ଜନନୀ
ତାଙ୍କ ସହଯାତ୍ରୀ ହୋଇପାରେ ସେ’ ରମଣୀ ।
ଏ ବାହାରେ ’ଛନ୍ତି ଏଥେ ଯେତେକ ଗର୍ଭିଣୀ
ଇଚ୍ଛାକଲେ ହେବେ ତାଙ୍କ ପଶ୍ଚାତଗାମିନୀ ।
କାପୁରୁଷ ଭୀରୁ ଦୁର୍ଗେ ରହିଛନ୍ତି ଯେତେ
ଅନୁଚିତ ସେମାନଙ୍କ ରହିବା ଏ କ୍ଷେତ୍ରେ ।
ଅବଶିଷ୍ଟ ରହିଯିବେ ଆଉ ଯେତେ ଜନ,
ଅଦୃଷ୍ଟ ପରୀକ୍ଷା ପାଇଁ କରିବେ ଯତନ ।
ଫଳାଫଳ ଅର୍ପିଦେଇ ଈଶ୍ୱର ହସ୍ତରେ
ଯାଇ ଉପଗତ ହେବା ସମରକ୍ଷେତ୍ରରେ ।
ରହିଛି ଅପରିମିତ ବାହିନୀ ଯବନ,
ସ୍ତୋକ ସେନା ନେଇ କଲେ ତା’ ସହିତ ରଣ,
ନ ହେବ ବାସନା ସିଦ୍ଧ ଅବା କାର୍ଯ୍ୟୋଦ୍ଧାର,
ଉପହାସ ପାତ୍ର ହେବା ମାତ୍ର ହେବ ସାର ।
ଏକୀଭୂତ କରି ଏଣୁ ସମସ୍ତ ଶକତି
ଯୁଦ୍ଧ-ଯଜ୍ଞ ଆଚରିବା ହୋଇ ଏକମତି ।
ପ୍ରାସାଦ ଉପରେ ରହି ଚିତୋରୀ ମହିଳା,
ଦେଖୁଥିବେ ସ୍ଥିରନେତ୍ରେ ଆମ୍ଭ ରଣଲୀଳା ।
ସମର ସଙ୍ଗୀତ ଗାଉଥିବେ ଅନିବାର
ରଚୁଥିବେ ପୁଷ୍ପେ ଆମ୍ଭପାଇଁ ଜୈତ୍ରହାର ।
ଜୟଶ୍ରୀ ଲଭିଲେ ତାହା ଦେବେ ଆମ୍ଭ ଗଳେ,
ନତୁବା ପିଙ୍ଗିବେ ନେଇ ଜ୍ୱଳନ୍ତ ଅନଳେ ।
ତା’ ସଙ୍ଗେ ଆଦରି କୁଳଧର୍ମ ସନାତନ
ପବିତ୍ର ଜହର-ବ୍ରତ କରିବେ ପାଳନ,
ଯବନ ଯେପରି କରି ସହସ୍ର ଉଦ୍ୟମ,
ରମଣୀ କେଶାଗ୍ର ସ୍ପର୍ଶେ ହେବ ନାହିଁ କ୍ଷମ ।
କିମ୍ୱା ଯେବେ ଯବନର ହୋଇ କ୍ରୀତଦାସ,
ରହିବା ତା ହେଲେ ବେଗେ ଯାଇ ତାର ପାଶ,
ନିଜ ନିଜ ରମଣୀକି କରି ଅରପଣ
କ୍ଷମା ମାଗି ପଶିବା ତା’ ଚରଣେ ଶରଣ ।
ଶେଷୋକ୍ତ ବଚନେ ସର୍ବେ ସରୋଷେ ଗରଜି
ଛିଡ଼ା ହେଲେ ନିଜ ନିଜ ଆସନ ବରଜି ।
ବୋଇଲେ, ‘‘ଏ କଥା ହେବ ନାହିଁ କଦାଚିତ
ରହିଥିବାଯାଏ ଆମ୍ଭେ ଯାବତ ଜୀବିତ ।’’
ସହସା ଚାଞ୍ଚଲ୍ୟ ତହିଁ ହେଲା ସଞ୍ଚାରିତ,
ସେ ଉଚ୍ଚ ପ୍ରାସାଦ ହେଲା ଉଚ୍ଚେ ମୁଖରିତ,
ତହୁଁ ସର୍ବେ ହୋଇ ଏକପ୍ରାଣ ଏକମନ
ଭୀମ ମୂଳ ବାକ୍ୟାବଳୀ କଲେ ସମଥର୍ନ ।
ଯଥାକାଳେ କରିବାକୁ ଆଦେଶ ପାଳନ,
ଅଙ୍ଗୀକାର କରି ଗଲେ ସଭାସଦଗଣ ।
କୈଲବାର ପ୍ରତି କଲେ ଅଜୟ ବିଜୟ
ସଙ୍ଗେ ଧରି ଦୁର୍ଗବାସୀ ବାଳ-ବୃଦ୍ଧଚୟ ।
ତାଙ୍କ ସଙ୍ଗେ ଗଲେ କେତେ ଗର୍ଭିଣୀ କାମିନୀ
ଶିଶୁ ପୁତ୍ର ବକ୍ଷେ ଧରି କେତେ ନିତମ୍ୱିନୀ ।
ଚଳିଲେ ଅଳ୍ପ ସେନା ଅଜୟ ଗହଣ,
କରିବାକୁ ଆକସ୍ମିକ ବିପଦଖଣ୍ଡନ ।
ନୀରବେ ସର୍ବେ ଚଳିଲେ ଦ୍ରୁତେ ଅବିରତେ
ରଜନୀ ଅନ୍ଧାରେ ଏକ ଗୋପନୀୟ ପଥେ ।
ଚିତୋରିଏ ହୋଇ ଏଣେ ଯୁଦ୍ଧାର୍ଥ ପ୍ରସ୍ତୁତ,
ରାଜଦ୍ୱାରଦେଶେ ଯାଇ ହେଲେ ରୁଣ୍ଡୀଭୂତ ।
ଧରଣୀ କମ୍ପାଇ ବାଜେ କେତେ ବୀରବାଦ୍ୟ
ବୀରବକ୍ଷ ନାଚିଉଠେ ଶୁଣି ସେ ନିନାଦ ।
ବୀରଯୋଗ୍ୟ ବେଶେ ସାଜେ ସର୍ବ ଅପଘନ
ଗର୍ବଭରେ କରୁଛନ୍ତି କେତେ ବିଚରଣ ।
ଅସ୍ତ୍ର କଉଶଳ କେହି କରେ ପ୍ରଦର୍ଶନ
ବେନି ହସ୍ତେ କରି ବେନି କୃପାଣ ଧାରଣ ।
ବାହୁରେ ଆସ୍ଫୋଟ ମାରି ବୀରଦର୍ପ ବହି,
ଉପରକୁ ଡେଇଁପଡ଼ୁଛନ୍ତି କେତେ ତହିଁ ।
ମାରି ହେଉଛନ୍ତି କେତେ ଶୂନ୍ୟେ ଶୂନଚିତ
ହେଉଛନ୍ତି ସେହି କ୍ଷଣି ପୁଣି ଦଣ୍ଡାୟିତ ।
ପଛ ପଟେ କରି କିଏ ମସ୍ତକ ଘୂର୍ଣ୍ଣନ,
ଦେଖାଇ କୌଶଳ ଅନ୍ୟ ମୁଗ୍ଧ କରେ ମନ ।
ଉପରକୁ ପାଦ ଟେକି ନତ କରି ଶିର,
ହାତେ ଚାଲିଯାଉଛନ୍ତି ତହିଁ କେତେ ବୀର ।
କରନ୍ତି କୃତ୍ରିମ ଯୁଦ୍ଧ ଆଉ କେତେ ଜଣ
ଶୂଳ, ଭଲ୍ଲ, ଅସି କରି ସଂଯତେ ଚାଳନ ।
ଚକ୍ରକ୍ରୀଡ଼ା କରୁଛନ୍ତି କେତେ ଚକ୍ରଧର
ଶୂନ୍ୟଦେଶେ ଫିଙ୍ଗି ଚକ୍ର ଛିନନ୍ତି ସତ୍ୱର ।
ଅଶ୍ୱ ଦଉଡ଼ାଇ କେହି ଅଶ୍ୱାରୋହୀ ଆଗେ
ଅସ୍ତ୍ରାଘାତେ କ୍ଷିପ୍ତ ଲେମ୍ୱୁ କାଟେ ସମଭାଗେ ।
ପ୍ରଧାବିତ ତୁରଙ୍ଗମ ପୃଷ୍ଠେ କେବା ଥାଇ
ନେଉଅଛି ଭୂପତିତ ଶିରସ୍ତ୍ର ଗୋଟାଇ ।
ସିନ୍ଦୂରଚିତ୍ରିତ ବହୁ କରିବର ଶିର,
ଆଚ୍ଛାଦିତ ବହୁ ମୂଲ୍ୟ ବାସେ ଯା’ ଶରୀର
ଶୃଣି ହସ୍ତ ହସ୍ତିପଲେ ତା’ ମସ୍ତକେ ବସି,
ଗାଆନ୍ତି ସରସ ଗୀତ ହରଷ ବରଷି ।
ମହାକାୟ ଗଜବ୍ରଗ ସେ ଗୀତ ଶ୍ରବଣେ
କର୍ଣ୍ଣତାଳ ଦେଉଥାନ୍ତି ମହାମୋଦ ମନେ ।
ମନ୍ଦ ଗନ୍ଧବହେ ହୋଇ ଆନନ୍ଦ ମଗନ
ଉଡ଼ଇ କେତନରାଜି ଗଗନେ ସଘନ ।
ଚିର ରାଜଭକ୍ତ ଭଲ୍ଲଧାରୀ ଭିଲଗଣ,
ଆସି ସମବେତ ହେଲେ ତହିଁ ଅଗଣନ ।
ଲେଙ୍ଗୁଟିରେ ଭିଡ଼ା ହୋଇଅଛି କଟିତଟ,
ଭଟତା ପ୍ରକଟ କରେ ସୁଗଠିତ ଘଟ ।
ସୁରଙ୍ଗ-ବିହଙ୍ଗ-ପର-ବିରଚିତ ଟୋପି
ବହିଛନ୍ତି ନିଜ ନିଜ ମସ୍ତକେ ଆଟୋପି ।
କପର୍ଦ୍ଦଜଡ଼ିତ ଚାରୁ କାରୁକର୍ମମୟ
ତନୁ ତ୍ରାଣେ ଆବରିତ ଦୃଢ଼ କାୟଚୟ ।
ନୀଳସୂତ୍ର ଗୁଚ୍ଛ ବାହୁମଧ୍ୟେ ବିମଣ୍ଡିତ,
ଶ୍ରବଣେ ମଣ୍ଡଳାକାର ଭୂଷା ଦୋଳାୟିତ ।
କାଣ୍ଡ ପୃଷ୍ଠପରି, ପୃଷ୍ଠେ କାଣ୍ଡପୂର୍ଣ୍ଣ ନଳ
ଲମ୍ୱିତ କୋଦଣ୍ଡ ଦଣ୍ଡ ଶୋଭେ କନ୍ଧସ୍ଥଳ ।
ବକ୍ଷରେ ଶୋଭଇ ଚାରୁ ଗରଗଡ଼ କାଳ
ଗୈରିକ ରାଗରେ ଦିଶେ ଉଜ୍ଜ୍ୱଳ କପାଳ ।
ଘୁଙ୍ଗୁରେ ଭୂଷିତ ଶ୍ରୋଣି ଶ୍ରେଣୀ ପାଦଦେଶ
ଚାଲିଗଲେ ରୁଣୁଝୁଣୁ ଶୁଭଇ ବିଶେଷ ।
ଏ ସମୟେ ସର୍ବୋତ୍ତମ ଲକ୍ଷଣସମ୍ପନ୍ନ
ପହଞ୍ଚିଲେ ବୀରବେଶେ ପ୍ରବୀର ଲକ୍ଷ୍ମଣ ।
ଚାଲିଛନ୍ତି ପଛେ ତାଙ୍କ କୁଳ ଆଭରଣ
ସ୍ୱଧର୍ମ ପାଳନକ୍ଷମ ପ୍ରିୟ ପୁତ୍ରଗଣ ।
ଆସିଗଲେ ଭୀମ ସିଂହ ବାଦଲ ସହିତ
କାଳୋଚିତ ବେଶଭୂଷା ଅଙ୍ଗେ ବିଭୂଷିତ ।
ଉତ୍ସାହ ରସରେ ହେଲା ପ୍ରାୟେ ରସାଣିତ
ସକଳ ବଦନ ଦିଶୁଅଛି ପ୍ରଫୁଲ୍ଲିତ ।
ବନ୍ଦାପନାଥାଳି ଘେନି ଭୁବନମୋହିନୀ
ମୀରା ସହ ଉପଗତ ଏ କାଳେ ପଦ୍ମିନୀ ।
ତାଙ୍କ ପଛେ ପଛେ ଆସି ହେଲେ ଏକତ୍ରିତ
କୁଳବଧୂକୁଳ ଗାଇ ସମର-ସଙ୍ଗୀତ ।
ସମର-ସଂଗୀତ
ଯୁଦ୍ଧବିଳାସୀ ଚିତୋର ନିବାସୀ
ଉଠ ଉଠ ବେଗ କରି ହେ,
ଅରାତି ରକ୍ତ ପିପାସାସକ୍ତ ଦୀପ୍ତ
ଖଡ଼୍ଗ ଧରି ହେ । ଘୋଷା ।
ହୃଷ୍ଟମାନସେ ହୁଅ ପ୍ରବିଷ୍ଟ
ଇଷ୍ଟ ସାଧନ ପାଇଁ ହେ,
ଅତି ପବିତ୍ର ସମରକ୍ଷେତ୍ର
ରହିଅଛି ପଥ ଚାହିଁ ହେ । ୧ ।
ଦୁରନ୍ତ ଅରି ରକ୍ତରେ କର
ଅନୁରଞ୍ଜିତ ଅସି ହେ,
ଦର୍ପୀ ଦର୍ପ ବିଦଳିତ କରି
ମୁଖେ ତାର ଘଷ ମସି ହେ । ୨ ।
ପିତୃପାଳିତ ମହା ମହିମିତ
ଧର୍ମକୁ ଅନୁସର ହେ,
ଜନ୍ମଭୂମିର ହିତ ଅର୍ଥରେ
କର୍ମ ବହନ କର ହେ । ୩ ।
ବୀରବିଶ୍ରୁତ ଶାନ୍ତନୁସୂତ
କର୍ଣ୍ଣାଜୁନ ରାମ ହେ,
ଯେ ପଥେ ପଥିକ ଚାଲି ସେହି ପଥେ
ସାର୍ଥକ କର ନାମ ହେ । ୪ ।
ମର୍ତ୍ତ୍ୟ ଭୁବନେ ଯଶ ଅମର୍ତ୍ତ୍ୟ
ରଖିଯାଅ ଚିର କାଳ ହେ,
ଗାଉଥିବେ ଯାହା ଭାବୀ ଭାରତର
ବୃଦ୍ଧ ବନିତା ବାଳ ହେ । ୫ ।
କି ଅଛି ଶକ୍ତି କର ହେ ବ୍ୟକ୍ତି
କ୍ଷାତ୍ର-ଶୋଣିତ-ବିନ୍ଦୁର,
ଦେଖୁ ଏଇ ଲୋକ ଅତି ଲୌକିକ
କାର୍ଯ୍ୟ-କଳାପ ହିନ୍ଦୁର । ୬ ।
ଜନନୀ-ବକ୍ଷ-ଅଲକ୍ଷ୍ୟ-ବଳ-
ବିଧାୟକ ଯେଇଁ ସ୍ତନ୍ୟ ହେ,
ପାନକରି ଭୂରି ବୀର୍ଯ୍ୟ ବହିଛ, ଦେଖାଇ
ହୁଅ ତା’ ଧନ୍ୟ ହେ । ୭ ।
ମାତୃ ଜାତିର ମାତୃକ୍ଷିତିର
ଉଜ୍ଜ୍ୱଳକର ମୁଖ ହେ,
ବୀର ବିକ୍ରମେ ବିନାଶି ବୈରୀ
ବିଦୂରିତ କର ଦୁଃଖ ହେ । ୮ ।
ଲଳନା ଲଳିତ କଣ୍ଠେ ଶୁଣି ଏ ସଙ୍ଗୀତ,
ଏକକାକେ ସର୍ବ ଚିତ୍ତ ହେଲା ତରଳିତ ।
ଜୟ ଏ କଳିଙ୍ଗ ଜୟ କରି ଉଚ୍ଚାରଣ,
ଅତି ଉତ୍ସାହରେ କଲେ ଗଗନ କମ୍ପନ ।
ସହସା ଉଠିଲା ଜିଣି ଜଳଧି କଲ୍ଲୋଳ
ଦୁନ୍ଦୁଭି, ପଟହ, ତୂରୀ ଆଦି ବାଦ୍ୟରୋଳ ।
ବହୁ ଉନ୍ମାଦନା ଢାଳି ବୀରଙ୍କ ଜୀବନେ,
ବହୁ ଦୂର ବ୍ୟାପିଗଲା ପବନାରୋହଣେ ।
ଭୀମେ ବନ୍ଦାପନା କଲେ ପଦ୍ମିନୀ ସୁନ୍ଦରୀ
ଦୂର୍ବାକ୍ଷତ ପୁଷ୍ପ ଦୀପ ଆଦି କରେ ଧରି ।
ଲକ୍ଷ୍ମଣେ ସେପରି କଲେ ତତକ୍ଷଣେ ମୀରା,
ସର୍ବଗୁଣ ବିଭୂଷିତା ନାରୀକୁଳ ହୀରା ।
ଚିତୋର ଈଶ୍ୱରୀ, ଏକଲିଙ୍ଗ ନାମ ସ୍ମରି,
ଚଢ଼ିଲେ ସକଳେ ନିଜ ଯୋଗ୍ୟ ଯାନୋପରି ।
ମହାନନ୍ଦେ ମହୋତ୍ସାହେ ହୋଇ ଉବ୍ଦେଳିତ,
ରଣଭୂମି ଅଭିମୁଖେ ଚାଲିଲେ ତ୍ୱରିତ ।
ପୁରାଙ୍ଗନାଗଣ ପଥ ପାର୍ଶ୍ୱ ସୌଧେ ଥାଇ
ଦେଇ ହୁଳହୁଳି, ମଧୁମୟ ଗୀତ ଗାଇ,
ସୁରଭିତ ପୁଷ୍ପାଞ୍ଜଳି କରି ବରଷଣ,
ଜଣାଇଲେ ବୀରବର୍ଗେ ସ୍ୱ-ଅଭିବାଦନ ।