ଚତୁର୍ଥ ସର୍ଗ — ପଦ୍ମିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ସର୍ଗ
ଗଜଦନ୍ତସମନ୍ୱିତ ରତନ ଖଚିତ,ସ୍ୱର୍ଣ୍ଣମୟ ମନୋହର ପଲ୍ୟଙ୍କ ରଚିତ ।ଚାରି କୋଣେ ଚାରି ମୂର୍ତ୍ତି ସ୍ୱର୍ଣ୍ଣ ବିଦ୍ୟାଧରୀ,ଏକ ଏକ କରେ ଛନ୍ତି ଚନ୍ଦ୍ରାତପ ଧରି ।ଅନ୍ୟ କରେ ଧରିଛନ୍ତି କୁସୁକ ବ୍ୟଜନ,ବ୍ୟଜନ କରୁଛି ତହିଁ ସୁରଭି ସର୍ଜନ ।କୁସୁମଭୂଷଣ ତାଙ୍କ ଅତି ମନୋରମ,ହେଉଅଛି ଭୂଷଣରୁ ସୁରଭି ଉଦ୍ଗମ ।ପଲ୍ୟଙ୍କେ ପଡ଼ିଛି ଚାରୁ ମଖମଲ ଶେଯ,ଚୌଦିଗେ ତା’ ରତ୍ନଲତା ବିକାଶୁଛି ତେଜ ।ଗର୍ଭେ ଭରି ଶାଳ୍ମଳୀର ତୁଳା ଉପାଦାନ,ଦୁଇଦିଗେ ଦୁଇଗୋଟି ଉଚ୍ଚ ଉପାଧାନ ।ସେ ପଲ୍ୟଙ୍କେ ବିଜେ କରି ଦିଲ୍ଲୀର ସମ୍ରାଟ,ଦେଖୁଅଛି ଭବନର ଶୋଭାମୟ ହାଟ ।ଉର୍ଦ୍ଧ୍ୱପଟେ ଆଚ୍ଛାଦିତ ନୀଳ ମଖମଲ,ତାରାରୂପେ ରତ୍ନମାନ ତହିଁ ଝଲମଲ ।ଅଷ୍ଟକୋଣ ଉର୍ଦ୍ଧ୍ୱେ ଅଷ୍ଟ ରତ୍ନମୟ କେଳୀ,ଏକ ଏକ ପୁଷ୍ପହାର ଚଞ୍ଚୁପୁଟେ ଟେକି ।ବୃତ୍ତ ପରି ଥାଏ ତାଙ୍କ ପୁଚ୍ଛ ବିସ୍ତାରିତ,ରତ୍ନ ଜ୍ୟୋତି ହେଉଥାଏ ତହିଁ ବିସ୍ଫାରିତ ।ଚିତ୍ରିତ ହୋଇଛି ପୁର, ଭିତ୍ତିପଟେ ବନ,ଚିତ୍ରେ କରେ ହରିଣକୁ ବ୍ୟାଘ୍ର ଆକ୍ରମଣ ।କେହି ମୃଗ ଲମ୍ପ ଦେଇ ଉଠିଛି ଗଗନେ,କେହି ବା ପଳାଉଅଛି ନିବିଡ଼ ଗହନେ ।ଦୂରେ ତାର ମୃଗଯୁଥ ଅଛନ୍ତି ଅନାଇଁଭୟବିସ୍ଫାରିତ ନେତ୍ରେ ପଳାଇବା ପାଇଁ ।ଭୟେ ଲୁଚି ରହିଛନ୍ତି ବିହଙ୍ଗମଗଣ,ଅନାଇ ଉପରଭାଗେ ସଞ୍ଚାଣ ଭ୍ରମଣ ।ଦଳେ ଦଳେ ଉଡ଼ିଯାଉଛନ୍ତି ପ୍ରାଣଡ଼ରେ,କ୍ରୋଟରେ ପଶୁଛି ଶିଶୁ ଘେନି କେ କ୍ରୋଡ଼ରେ ।ଗଜଶିରେ ସିଂହ କାହିଁ ବସିଅଛି ମାଡ଼ି,ଅଳପ ଦିଶୁଛି ମୁଖ ପାର୍ଶ୍ୱ ଦନ୍ତଧାଡ଼ି ।ଦୀର୍ଘ ଦନ୍ତେ ପାଦ ନଖେ ବିଦାରି ଚରମ,କରୁଛି ରକତ ପାନ ପୀଡ଼ି ତା’ ମରମ ।ଅନାୟତ୍ତ କରିବର ନତ କରି ଶିର,ବସିପଡ଼ି ଶୁଣ୍ଢ ଟେକି ହେଉଛି ଅଧୀର ।ପ୍ରକାଣ୍ଡ ତା’ ଦନ୍ତଯୁଗ ହୋଇଛି ଉପର,ଗଣ୍ଡ ଦେଇ ତଳେ ପଡ଼େ ରକତର ଝର ।ପଳାଉଅଛନ୍ତି ଆଗେ ଦୂରେ ଗଜଦଳ,ସଙ୍ଗେ ଧାଇଁଛନ୍ତି ତାଙ୍କ ଶାବକସକଳ ।କାହିଁ ବହିଯାଉଅଛି ନିର୍ମଳ ଝରଣ,କାହିଁ ବ୍ୟାଧ କରୁଅଛି ମୃଗାନୁସରଣ ।ଏଣେ ଥରେ ତେଣେ ଥରେ ପକାଇ ଲୋଚନ,କରୁଛି ପଦ୍ମିନୀ କଥା ଆଲ୍ଲା ଆଲୋଚନ ।ଏ ସମୟେ ଲୀଳାବତୀ ଦାସୀ ଉପଗତ,ସମକ୍ଷରେ ଉଭାହୋଇ ଶିର କଲା ନତ ।
ହରଷିତ ହେଲା ଆଲ୍ଲା ଅନାଇ ଚଞ୍ଚଳ,
ବୋଇଲା କି ହୋଇଅଛି ମାନସ ସଫଳ ?
ଦାସୀ ଜଣାଇଲା, ‘‘ଦେବ, ସରଗର ଚାନ୍ଦ,
ହାତକୁ ଆସଇ ନାହିଁ ପକାଇଲେ ଫାନ୍ଦ ।
ଯାହାକୁ ବିଧାତା ଯାହା କରିଛି ପ୍ରଦାନ,
ତାହା ଲଭି ନିଜ ଭାଗ୍ୟେ ନିଜେ ସେ ପ୍ରଧାନ ।
ପରଭାଗ୍ୟ ଲବ୍ଧ ଧନେ ଅନ୍ୟ କଲେ ଲୋଭ,
ଭୋଗ୍ୟ ହୋଇ ନ ପାରଇ ବଢ଼େ ମାତ୍ର କ୍ଷୋଭ ।
ଭାଗ୍ୟବଳେ ଲଭିଥାନ୍ତି କେତେ ଲୋକ ଧନ,
କେତେ ଲୋକପଣ ପୁଣି କେତେ ଲୋକ ଜନ ।
କେହି ପାଇଥାଏ ମନ କେହି ଅବା ଜ୍ଞାନ,
ଏକାଧିକ ଲଭିଥାନ୍ତି କେତେ ଭାଗ୍ୟବାନ ।
ଯାହାକୁ ଯା’ ମିଳିଥାଏ ତହିଁ ତାର ତୋଷ,
ପରଭାଗ୍ୟେ ଲୋଭକଲେ ଉପୁଜଇ ଦୋଷ ।
ମନେକର ପାଇଛି କେ ପ୍ରତିଭା ଶକତି,
ଅନ୍ୟ ତା’ ନ ପାରେ ନେଇ ବଳାଇଲେ ମତି ।
ସେହିପରି କାହା ଭାଗ୍ୟେ ରମଣୀ ତା’ ସତୀ,
ସେ ନାରୀ କେମନ୍ତେ ଦେବ ମନ ଅନ୍ୟ ପ୍ରତି ।
ବଳେ କରାଯାଏ ନାହିଁ ତାହାକୁ ହରଣ,
ବଳ ଉପଗତ ହେଲେ ବରଇ ମରଣ ।’’
ଆଲ୍ଲା-
ଚାହୁଁ ଚାହୁଁ ଏତେ ତୋର ନୀତି ଉପଦେଶ,
ସାତ ଦିନ ସାତ ରାତି ନ ହେବ ତା’ ଶେଷ ।
ଭାଗ୍ୟ ମଣି ତୁଷ୍ଟ ଥାଏ ଦୁର୍ବଳ ଯେ ଜନ,
ଭାଗ୍ୟଶଦ୍ଦେ ବଳିଷ୍ଠର ନାହିଁ ପ୍ରୟୋଜନ ।
କହ ମାଦ୍ର ପଦ୍ମିନୀର ମାଧୁରୀ କେମନ୍ତ,
ଏଠାକୁ ଆସିବାପାଇଁ ତାହାର କି ମତ?
ଲୀଳା-
ଭୋ ସମ୍ରାଟ୍, ପଦ୍ମିନୀକି କରି ଦରଶନ,
ନେତ୍ରେ ମୋର ହୋଇଗଲା ସୁଧା ବରଷଣ ।
ଶୁଣିବାରୁ ତା’ କୋମଳ ମଧୁମୟୀ କଥା,
ଛାଡ଼ିଲା ମୋ ଜୀବନର ଚିର ପାପବ୍ୟଥା ।
ତା’ ଠାରେ ରଚିଲି ଯେତେ ଛଳ କଉଶଳ,
ନ ଛୁଇଁ ତାହାକୁ ହେଲା ସକଳ ବିଫଳ ।
ପତି ତା’ ପରମ ଗୁରୁ, ପତି ତା’ ଜୀବନ,
ପତିର ଚରଣ ତାର ସୁଖର ସଦନ ।
ଆଲ୍ଲା-
ପଦକରେ ଶୋଭା ତାର କରିବାକୁ ଶେଷ,
ଲୀଳାବତୀ ପ୍ରତି ନୁହେ ଆାଲ୍ଲାର ଆଦେଶ ।
ତୋର ବ୍ୟଥା ଦୂର ହେଲେ ମୋର କେଉଁ ସୁଖ,
ତୋ’ କୌଶଳ ବ୍ୟର୍ଥ ହେଲେ ମୁଁ ନୁହେଁ ବିମୁଖ ।
ମୁଖେ ମୁଖେ କରିପାରୁ କବିତା ରଚନା,
କର ଥରେ ପଦ୍ମିନୀର ସ୍ୱରୂପ ବର୍ଣ୍ଣନା ।
ଲୀଳା-
ପଦ୍ମିନୀର ଶୋଭାରାଶି ନୁହେ ବର୍ଣ୍ଣନୀୟ,
ପୁଣ୍ୟପୂତ ଭାଗ୍ୟଯୁତ ଜନ ଦର୍ଶନୀୟ ।
ଆଲ୍ଲା-
ତୋ’ ଠାରୁ କି ପାପୀ ମୁହିଁ ତୋ’ ଠାରୁ ଅଭାଗୀ
ନ ପାରିବି ହୋଇ ଥରେ ଶ୍ରୁତି-ସୁଖଭାଗୀ ?
ଲୀଳା-
ଭାଗ୍ୟଦେବୀ ତୁମ୍ଭ ପ୍ରତି ସଦା ସୁପ୍ରସନ୍ନ,
ପୁଣ୍ୟବଳେ ଲଭିଅଛି ରାଜେନ୍ଦ୍ର ଆସନ ।
ଭାଗ୍ୟବନ୍ତ ପୁଣ୍ୟଯୁତ ତୁମ୍ଭର ଦର୍ଶନ,
କଉଶଳେ କରିପାରେ ସେ ରୂପ-ସ୍ପର୍ଶନ ।
ନେତ୍ରପ୍ରୀତି ହୁଏ ଦୃଷ୍ଟି ପଡ଼ିଲେ ସାଗରେ,
କିନ୍ତୁ ତାହା ବର୍ଣ୍ଣିହୁଏ ନାହିଁ କା’ ଆଗରେ ।
ଅମୃତ କେମନ୍ତ ସ୍ୱାଦୁ କିଏ କହିପାରେ?
ସେ ଜାଣିବ ଯେ ଘେନିବ ନିଜ ରସନାରେ ।
ଆଲ୍ଲା-
ତା’ ପାଶେ ମୋ କଥା କିଛି କଲୁ କି ବର୍ଣ୍ଣନ ?
କରି କି ପାରିବ ସେ ମୋ ଆଦର ଲଂଘନ ?
ମୋ ପ୍ରତାପ ମୋ ବିଭବ ପାରିଲା କି ଜାଣି ?
ବୁଝିଲା କି ମୋର କୋପେ ହେବ ଯାହା ହାନି ?
ଲୀଳା-
ପ୍ରଭୋ, ଯଦି ତୁମ୍ଭ ନାମ ଥା’ନ୍ତି ତହିଁ ଧରି,
ପାରି ମୁଁ ନ ଥା’ନ୍ତି ତାର ମାନସ ଉଦ୍ଧରି ।
ତୁମ୍ଭ ଦାସୀ ବୋଲି ଯଦି ଯାଇଥାନ୍ତି ଜଣା,
ମାଡ଼ି କି ମୁଁ ପାରିଥାନ୍ତି ରାଜାର ଅଗଣା?
ସ୍ଥଳ କାଳ ପାତ୍ର ଜାଣି କଲେ ବ୍ୟବହାର,
ତେବେ ସିନା ହୋଇପାରେ ସୁଫଳ ସଞ୍ଚାର ।
କିନ୍ତୁ ଯା’ କହିଛି ତୁମ୍ଭ ନାମୁଁ ତା’ ଅଧିକ,
ତଥାପି ସେ ନୁହେ ତୁମ୍ଭବାଞ୍ଚ୍ଥାର ପଥିକ ।
ତୁମ୍ଭର ପ୍ରତାପୁ ବଳି ତା’ ହୃଦ ଉନ୍ନତ,
କିନ୍ତୁ ତା’ ସ୍ୱଭାବ ନୁହେ ସେପରି ଉଦ୍ଧାତ ।
ଦିଲ୍ଲୀର ସମ୍ରାଟ୍ ତୁମ୍ଭେ କରବାଳ ଧରି,
ହୃଦ-ରାଜ୍ୟେ ପଦ୍ମିନୀ ତ ଭାରତ-ଈଶ୍ୱରୀ ।
ଧର୍ମର ବିରୋଧେ ଯଦି ହେବ ଲୋକକ୍ଷୟ,
ଧର୍ମଦୃଢ଼ ହୃଦେ ତାର ନ ଦେଖିଲି ଭୟ ।
ଶୁଣ ଯେଉଁରୂପେ କଲି ତା’ ପୁର ଗମନ,
ଯେରୂପେ ପରୀକ୍ଷା କଲି କୌଶଳେ ତା’ ମନ ।
ଏହା କହି କହିଗଲା ଦାସୀ ଅବିକଳ,
ପଦ୍ମିନୀ ଆଳାପ ଆଦି ବୃତ୍ତାନ୍ତ ସକଳ ।
ତା’ ପରେ ଚିତୋର ସିଂହ ଭୀମଙ୍କର ଲେଖା,
ହସ୍ତେ ଘନି ଆଲ୍ଲା ଆଗେ ଦୂତ ଦେଲା ଦେଖା ।
ଆଲ୍ଲା ନେଇ ପତ୍ର ପାଠ କରି ମନେ ମନେ,
ନୀରବ ରହିଲା କ୍ଷଣେ ବିଷଣ୍ଣ ବଦନେ ।
କୁକୁର ପାଇଲେ ଯଥା କଠିନ ପ୍ରହାର,
ରହିଥାଏ କ୍ଷଣେ କରି ନ ପାରି ଚିତ୍କାର ।
ଦୂତ ଦାସୀ ହୋଇଗଲେ ତହିଁରୁ ଅନ୍ତର,
ପୁନଶ୍ଚ ପଡ଼ିଲା ଆଲ୍ଲା ଭୀମଙ୍କ ପତର ।
ତା’ ପରେ ଲାଗିଲା ହୃଦ-ବନେ କୋପାନଳ,
ପ୍ରତାପ ସ୍ମରଣ ବାତ ଦେଲା ତାକୁ ବଳ ।
ଉଠିଲା ଜିଘଂସା ଧୂମ ତହୁଁ ଘନ ଘନ,
ଚିତୋର ଦିଗକୁ ହେଲା ଧୂମର ଗମନ ।
ବୋଇଲା ସେ ଗର୍ବ ଘେନି ଭିତରେ ଭିତରେ,
ସିଂହ କି ଶୃଗାଳ ଭୀମ ଦେଖିଯିବା ଥରେ ।
ଦେଖିବା ପଦ୍ମିନୀ ଅଟେ କିପରି ସୁନ୍ଦରୀ,
ତା ରୂପ ପାରିବ କି ନା ମୋ ହୃଦୟ ହରି ।
ପ୍ରଥମେ ଭୀମକୁ କରି ଖଡ଼ଗେ ଶାସନ,
ପରେ ଦେବି ପଦ୍ମିନୀକି ଅଙ୍କରେ ଆସନ ।
ସେହି ଦିନ ପ୍ରଚାରିଲା ଆଲ୍ଲାର ଆଦେଶ,
ଅବିଳମ୍ୱେ ହୋଇଗଲା ସୈନ୍ୟ ସମାବେଶ ।
ସହସ୍ର ସହସ୍ର ଅଶ୍ୱ ଶତ ଶତ ହାତୀ,
ଲକ୍ଷ ସଂଖ୍ୟା ଅତିକ୍ରମି ସଶସ୍ତ୍ର ପଦାତି ।
ଅସଂଖ୍ୟ ଶକଟ ବହି ବିବିଧ ସମ୍ଭାର,
ଭାରବାହୀ ଦଳ ଉଭା ବହି ବହୁ ଭାର ।
ଚିତୋର ଦିଗରେ କଲେ ସର୍ବେ ଅଭିଯାନ
ଚଳିଲା ସମ୍ରାଟ୍ ହୃଦେ ବହି ଅଭିମାନ ।
ଆଗେ ଆଗେ ଚାଲିଗଲେ ଭାରବାହୀ ଦଳ,
ତାଙ୍କ ପଛେ ପଛେ ଗଲା ଶକଟସକଳ ।
ତହୁଁ ଦୂରେ ଆଗେ ଆଗେ ବାଦ୍ୟକାରଗଣ
ଚାଲିଲେ ବଜାଇ ବାଜା କମ୍ପାଇ ଶ୍ରବଣ ।
ତାଙ୍କ ପଛେ ଧାଡ଼ି ଧାଡ଼ି ପଦାତିକ ସେନା,
କରେ ଧରି କରବାଳ ଅଙ୍ଗେ ଭରି ସେହ୍ନା ।
ଅଶ୍ୱାରୋହୀ ଦଳ ତହୁଁ ହୋଇ ବୀଥିବଦ୍ଧ,
ତାଙ୍କ ପଛେ ଚାଲିଥାନ୍ତି ସଶସ୍ତ୍ର ସନ୍ନଦ୍ଧ ।
ଗଜପୃଷ୍ଠେ ଦେଇ ମଖମଲ ଆସ୍ତରଣ,
ତା’ପରେ ଚାଲିଲେ ହୃଷ୍ଟ ଗଜାରୋହିଗଣ ।
ଘେନି ଆଲ୍ଲା ହୃଦ ପରି ବକ୍ର ଚନ୍ଦ୍ର ଖଣ୍ଡ-
ଧ୍ୱଜ ତାର ଆଲ୍ଲାପଦ ପରି ଉଚ୍ଚ ଦଣ୍ଡ ।
ଗଜବ୍ରଜ ମଧ୍ୟେ ଥାଏ ଏକ ଦନ୍ତାବଳ,
ପୃଷ୍ଣେ ପଡ଼ିଥାଏ ରତ୍ନମଣ୍ଡିତ କମ୍ୱଳ ।
ତା’ ଉପରେ ରତ୍ନମୟ ହାଉଦା ଶୋଭିତ
ଉର୍ଦ୍ଧ୍ୱଦେଶେ ଚନ୍ଦ୍ରାତପେ ରଉଦ୍ରରୋଧିତ ।
ଚତ୍ତପାଶେ ପଟ୍ଟବାସେ ରତନ ଝାଲର,
ପ୍ରବେଶବାରକ ରବିକିରଣ-ଜାଳର ।
ମଧ୍ୟେ ତାର ମଖମଲ କୋମଳ ଆସନେ,
ଦିଲ୍ଲୀନାଥ ବସିଥାଏ ରୂପଲୁବ୍ଧ ମନେ ।
ସ୍ୱର୍ଣ୍ଣମୟ ଧୂମନଳ ଧରିଥାଏ କରେ,
ଥରେ ଥରେ ଦେଉଥାଏ ଲଗାଇ ମୁଖରେ ।
ହୁକା ଧରିଥାଏ ଜଣେ ଅନ୍ୟ ଦନ୍ତାବଳେ,
ସୁବର୍ଣ୍ଣ ଚିଲମ କରି ପୂରିତ ଅନଳେ ।
ସେ ଗଜରୁ ଏ ଗଜକୁ ଲମ୍ୱିଥାଏ ନଳ,
ଘୁରୁଡ଼ୁ ଘୁରୁଡ଼ୁ ନାଦୁଥାଏ ହୁକାଜଳ ।
ସମ୍ରାଟ୍- ବଦନୁ ଏଣେ ଉଠି ଧୂମରାଶି,
ସୁବାସରେ ଦେଉଥାଏ ଚୌଦିଗ ଉଲ୍ଲାସି ।
ଚଉଦିଗେ ଗଜପୃଷ୍ଠେ ମଧୁର ବାଦନ,
କରୁଥାଏ ସମ୍ରାଟର କର୍ଣ୍ଣାଭିବାଦନ ।
ଗୀତ ହେଉଥାଏ ତହିଁ ସଙ୍ଗୀତ ଯେତକ,
ଆଦିରସେ ସମ୍ରାଟର ମାନସ-ଦ୍ୟୋତକ ।
ଏଠାରେ ବୋଲୁଛି ମନ ଲେଖନୀ ତୁ ଛାର,
ଏଡ଼େ ବଡ଼ ସମ୍ରାଟ୍କୁ କରୁଛୁ ତୁକାର ।
ଲେଖନୀ ବୋଲୁଛି ମନ କହିଲୁ ଯା’ ସତ,
ତା’ ମହତ୍ତ୍ୱ ମାନିବାକୁ ବଳୁ ନାହିଁ ସତ ।
କି ଘେନି ବୋଲିବା ତାକୁ ମାନନୀୟ ବଡ଼,
ଧରମ-ଜଗତେ ସେ ତ କ୍ଷୁଦ୍ର ଗରଗଡ଼ ।
ବୋଲିବ ଯଦ୍ୟପି ତାର ଅଛି ବାହୁବଳ,
ତାକୁ ବଳି ବନେ ’ଛନ୍ତି କେତେ ମହାବଳ ।
ଅଥବା ବୋଲିବ ବଡ଼ ବୃଦ୍ଧି ଅଛି ତାର,
କି ବୁଦ୍ଧି ଯେ କରେ ପାପ-ପଥ ଆବିଷ୍କାର ।
ଯଦ୍ୟପି ବୋଲିବ ତାର ଅଛି ବହୁ ଧନ,
ସେ କି ଧନ ଯାହା ଘେନି ନିରୀହ ନିଧନ ।
କେଡ଼େ ଅପକର୍ମ ପାଇଁ କେଡ଼େ ଆଡ଼ମ୍ୱର,
ଆଡ଼ମ୍ୱରେ ନାହିଁ ଧର୍ମଦେବଙ୍କ ଆବର ।
ସତୀତ୍ୱ-ରତନ ବଳେ ହରିବାର ପାଇଁ,
କେତେଦୂରୁ କେତେଦୂର ଯାଉଛି ସେ ଧାଇଁ ।
ହୃଦରେ ପୂରିଛି ତାର ପାପ-ଅଭିଳାଷ,
ତା’ ଏକା କରୁଛି ତାର ମହତ୍ତ୍ୱ ବିନାଶ ।
ଅମେଧ୍ୟ ପଦାର୍ଥ ଯଦି ଥାଏ ହେମ ଘଟେ,
କେ ତାକୁ ଆଗ୍ରହ କରି ରଖିବ ନିକଟେ ?
ଛାଡ଼ ତାର ମାନ୍ୟ, ଏବେ ହେଉଁ ଅଗ୍ରସର,
ଦେଖୁଁ ଯୁଦ୍ଧଯାତ୍ରା ଲେଖୁଁ ତା’ ଦୃଶ୍ୟ ନିକର ।
ଚାଲିଲା ବାହିନୀ ବ୍ୟାପି ବହୁଦୂର ପଥ,
ଉଦ୍ଗାରିଲା ଧୂଳି ମହୀ ହୋଇ ପଦାହତ ।
ସେ ଧୂଳିପଟଳ ଉଠି ବ୍ୟାପିଲା ଗଗନ,
ସୁଦୀର୍ଘ ବାହିନୀ ହେଲା ତହିଁରେ ମଗନ ।
ସୁଦୂର ଦିଶିଲା ଯେହ୍ନେ ମହା ଅଜଗର,
ହୋଇଅଛି ଗିରିଗ୍ରାସ-ଆଶେ ଅଗ୍ରସର ।
ବାଦ୍ୟନାଦ ଅଶ୍ୱହ୍ରେଷା ଗଜଘଣ୍ଟିନାଦ,
ମହା ଗଣ୍ଡଗୋଳେ ମହୀ ଗଣିଲା ପ୍ରମାଦ ।
ଲେଉଟି ଲେଉଟି ଭୁକି ଭୁକି ବାରମ୍ୱାର,
ପଳାଇଲେ ପଥପାର୍ଶ୍ୱ ଗ୍ରାମ-ଶ୍ୱାନବାର ।
ଗ୍ରାମେ ଗ୍ରାମେ ଘରେ ଘରେ କୁଳବଧୂକୁଳ,
ନୀରବେ ରହିଲେ ଲୁଚି ହୋଇ ଭୟାକୁଳ ।
ପଥପାର୍ଶ୍ୱ ବିଟପୀରୁ ବିହଙ୍ଗମଗଣ,
ରବି ରବି ଦଳ ଦଳ କଲେ ପଳାୟନ ।
ଶିବାମାନେ ପଳାଇଲେ ଲେଉଟି ଲେଉଟି,
ମଣ୍ଡଳିଲେ ଗୃଧ୍ରଗଣ ନଭୋଦେଶେ ଉଠି ।
ଚଟି ଚଟି ହୋଇଅଛି ରସଦ ସଂଗ୍ରହ,
ପ୍ରଜାବୃନ୍ଦ ଜଗିଛନ୍ତି ରହି ଅହରହ ।
ଫାଟିଅଛି ବେତ୍ରାଘାତେ ଶରୀର କାହାର,
ମସ୍ତକୁ ହୋଇଛି କାହା ରକତ ବାହାର ।
ଢାଙ୍କିଛନ୍ତି ଆଘାତକୁ ମଳିନ ବସନେ,
କମ୍ପୁଛନ୍ତି ଶୀର୍ଣ୍ଣ ହୋଇ ଅନଶନେ ।
ନିଶିରେ ପାଇଛି ପାଣି କାହା ଅପଘନ,
ତହିଁ ସଙ୍ଗେ ପାଇଅଛି କୁଲାର ପବନ ।
ଭ୍ରମୁଅଛି ଚପରାସି ହୋଇ ବେତ୍ର-କର,
ତାକୁ ଚାହିଁ ପ୍ରଜାଙ୍କର ପ୍ରାଣ ଥରହର ।
କାହାଠାରେ ଥିଲେ କିଛି ଦ୍ରବ୍ୟର ଅଭାବ,
ଦେଖାଉଛି ଚପରାସୀ ବେତ୍ରର ପ୍ରଭାବ ।
ଏକ ଦୁଇ ନୁହନ୍ତି ସେ ବହୁ ଚପରାସି,
ପ୍ରତାପରେ ଦେଉଛନ୍ତି ଧଇର୍ଯ୍ୟ ବିନାଶି ।
ଚପରାସୀଦଳ ମୂଳେ ଛନ୍ତି ଜମାଦାର,
ଲୋକ ଜାଣି ହେଉଛନ୍ତି ସେହୁ କ୍ଷମାକାର ।
ବିକ୍ରୟ କରନ୍ତି କ୍ଷମା ମୂଲ୍ୟ ଅନୁସାରେ,
ପ୍ରହାର ସହୁଛି ମୂଲ୍ୟ ନାହିଁ ଯାହାଠାରେ ।
ଯେ ଦ୍ରବ୍ୟ ନପଡ଼େ କେବେ ପ୍ରଜାର ନୟନେ,
ଲାଗିଛନ୍ତି କେତେ ଲୋକ ତାହା ଆନୟନେ ।
ଯେଉଁ ଦ୍ରବ୍ୟ ନ ମିଳଇ ଗ୍ରାମରେ ପ୍ରଜାର,
ତହିଁ ପାଇ ଧାଇଛନ୍ତି ନଗର ବଜାର ।
ହେବାକୁ ଗୋ-ଗଜ-ବାଜୀ-ରସନା-ରସଦ,
ସଂଗୃହୀତ ହୋଇଅଛି ବିବିଧ ରସଦ ।
ଆରବ-ପାରସ୍ୟଜାତ ଫଳମୂଳମାନ,
ରସଦଭଣ୍ଡାରେ ଆସି ପାଇଅଛି ସ୍ଥାନ ।
ଅଶ୍ୱାରୋହୀ ପଦାତିକ ଆସି ଦଳ ଦଳ,
ନେଉଛନ୍ତି ପ୍ରଜାମୁଣ୍ଡେ ବୁହାଇ ସକଳ ।
ମନୋମତ ଦ୍ରବ୍ୟ ଲାଭେ ହେଲେ କିଛି ତ୍ରୁଟି,
ଗ୍ରାମେ ଗ୍ରାମେ ପଶି ପୁଣି କରୁଛନ୍ତି ଲୁଚି ।
ଏହିରୂପେ କରି ବହୁ ପ୍ରତାପ ପ୍ରକଟ,
ଲାଗିଲା ବାହିନୀ ଯାଇ ଚିତୋର ନିକଟ ।
ପଞ୍ଚମ ସର୍ଗ
ଅଭେଦ୍ୟ ଚିତୋର ଦୁର୍ଗ ସୁଦୃଢ଼ ପ୍ରାଚୀର,ଚିରକାଳୁ ରହିଅଛି ଥିବ ଯେହ୍ନେ ଚିର ।ଚତୁର୍ଦ୍ଦିଗେ ଭ୍ରମୁଅଛି ଯବନବାହିନୀ,ବହୁବିଧ ଭୟଙ୍କର ଆୟୁଧବାହିନୀ ।ଆବରଣ କରି ଶିର ଶିରସ୍ତ୍ରାଣ-ଜାଲେ,ବାରବାଣେ ତନୁ, କଟି ସାରସନ ମାଳେ ।ତୁରଙ୍ଗମ ହ୍ରେଷାରବ ଗଜର ଗର୍ଜନ,ସଙ୍ଗେ ନୃତ୍ୟ କରୁଅଛି ଅସ୍ତ୍ରର ଝନ୍ଝନ ।ମୁହୁର୍ମୁହୁଃ ଉଠି ଘୋର ବନ୍ଧୁକର ଧ୍ୱନି,କମ୍ପାଉଛି ବନ ସହ ଗଗନ ମୂର୍ଦ୍ଧନି ।ଦୁର୍ଗଦ୍ୱାରେ ପଡ଼ିଅଛି ସୁଦୃଢ଼ କପାଟ,ମିଳୁ ନାହିଁ ଯବନକୁ ସୂଚି-ମୁନେ ବାଟ ।ସେନା-ପିପୀଲିକାକ୍ରାନ୍ତ ଚିତୋର ନଗରୀ,ରହିଅଛି ବଦ୍ଧମୁଖ ଗୁଡ଼କୁମ୍ଭ ପରି ।ଭୟଙ୍କର ଜଳରାଶି ତରଙ୍ଗପଟଳ,ମଧ୍ୟେ ଯଥା କପିଳଙ୍କ ଆଶ୍ରୟ ଅଟଳ ।ଏହିରୂପେ ଚାଲିଅଛି ମାସ ପରେ ମାସ,ଭାଗ୍ୟଦେବୀ ନ ଛାଡ଼ିନ୍ତି ଚିତୋର-ନିବାସ ।କିଛି ଦୂରେ ପଡ଼ିଅଛି ସମ୍ରାଟ୍-ଶିବିର,ଧାଡ଼ି ଧାଡ଼ି ଗଗନକୁ ଟେକିଛନ୍ତି ଶିର ।କରିବାକୁ ଜୟ-ଲକ୍ଷ୍ମୀ ମୂର୍ତ୍ତି ପ୍ରତିଷ୍ଠିତ,ହୋଇଛି ସେସବୁ ପରା ମଣ୍ଡପ ନିର୍ମିତ ।ଉଡ଼ି ତାଙ୍କ କ୍ରମ-ସୂକ୍ଷ୍ମ ଚୂଡ଼ାରେ ଚିରାଳ,ରଣଦେବୀ-ଜିହ୍ୱା ପରି ଦିଶଇ କରାଳ ।ପଟ୍ଟବସ୍ତ୍ରାବାସ ମଧ୍ୟେ ରତ୍ନବିଖରିତ-ମହୋଜ୍ଜ୍ୱଳ ସ୍ୱର୍ଣ୍ଣମୟ ଆସନ ରଚିତ ।ଚତୁର୍ଦ୍ଦିଗେ ବସିଅଛି ସୁଷମାର ହାଟ,ମଧ୍ୟେ ବିଜେ ଦିଲ୍ଲୀପତି ଯବନସମ୍ରାଟ୍ ।ଶବିର ବାହାରେ ବେଡ଼ି ଶସ୍ତ୍ରଧାରିଗଣ,ରହିଛନ୍ତି ଝଲକାଇ କୃପାଣ-କିରଣ ।ଦିଲ୍ଲୀ ଆଜି ମଘବାର ନଗର ସମାନ,ସମ୍ରାଟ୍ ସଦନେ ସର୍ବ ରତ୍ନ ଭାସମାନ ।ଅବରୋଧ ରମଣୀଙ୍କ ବଦନମଣ୍ଡଳ,ଚାହିଁଦେଲେ ବିଚଳିତ ହେବେ ଆଖଣ୍ଡଳ ।ମଧୁର ମୋହନ କଣ୍ଠ ଅମିୟ ଗାୟନ,ଶୁଣିଲେ ଚକିତ ହେବେ ଋଷି ଦ୍ୱୈପାୟନ ।ସହାସ ଅଧରମୁକ୍ତ ସପ୍ରେମ ବଚନ,ଜିତେନ୍ଦ୍ରିୟ ଅପଘନେ କରେ ଲୋମାଞ୍ଚନ ।ପ୍ରଫୁଲ୍ଲ କମଳ କାନ୍ତି ଅଙ୍ଗୁଳି ସ୍ପରଶ,କହିଦିଏ ହେମପୁଷ୍ପ ଶିରୀଷ କର୍କଶ ।ସମ୍ରାଟ୍କୁ ସେ ସମସ୍ତ ଲାଗିଛି ଅଲଣା,ଦୃଷ୍ଟିଦୋଳେ ଝୁଲୁଛନ୍ତି ଚୌହାଣଦୁଲଣା ।ଶୁଣିଛି ଚିତୋର ଦୁର୍ଗେ ଫୁଟିଛି ପଦ୍ମିନୀ,ଦିଲ୍ଲୀ ରୂପସୀଙ୍କ ରୂପ-ଗରବମର୍ଦ୍ଦିନୀ ।ଦିଲ୍ଲୀରୁ ବିମୁଗ୍ଧ ହୋଇ ପଦ୍ମିନୀ ବାସରେ,ନିଦ୍ରା ନାହିଁ ସମ୍ରାଟ୍କୁ ରଜନୀ ବାସରେ ।ଯେ ପଦ୍ମିନୀ ଭୀମ ସିଂହ ସିଂହର ଘରଣୀ,ପାତିବ୍ରତ୍ୟ ବିଭୂଷଣେ ମଣ୍ଡିଛି ଧରଣୀ-ବଳେ ତାକୁ ନେବା ପାଇଁ କରି କୁବିଚାର,ଧାଇଁଛି ଯବନ-ବ୍ୟାଘ୍ର ଦୁଷ୍ଟ ଦୁରାଚାର ।ପଦ୍ମିନୀକି ଛାଡ଼ିଦେଲେ ନ କରିବ ରଣ,କହି କଲା ଭୀମଙ୍କର ମର୍ମ ବିଦାରଣ ।ଭୀମପରାକ୍ରମ ଭୀମ ଭୀମର ସମାନସହି କି ପାରନ୍ତେ ସେହି ଗୁରୁ ଅପମାନ ?ସମ୍ରାଟ୍କୁ ଦେଲେ କ୍ରୋଧେ କର୍କଶ ଖବର,ଦେଖାଅ ତୋ’ ବଳ ଥିଲେ ଯବନ ବର୍ବର ।ସିଂହ ସଙ୍ଗେ ସମ୍ରାଟ୍ର ଲାଗିଅଛି ଯୁଦ୍ଧ,ନ ପାରି ଧରଷି ସିଂହେ ହୋଇଅଛି କ୍ଷୁବ୍ଧ ।ଶିବିରେ ବସିଛି ମାତ୍ର ସୁବର୍ଣ୍ଣ ଆସନେ,ହୃଦାରଣ୍ୟ ଜଳୁଅଛି ହିଂସା-ହୁତାଶନେ ।ଦିଲ୍ଲୀସ୍ୱର ପରଦା ହରଣେ ଲାଳସ,ଛି, ଛି, ଛି, ପୁରୀଷପୂର୍ଣ୍ଣ ସୁବର୍ଣ୍ଣ କଳସ ।ଧନ୍ୟ ବିଧି ତୁମ୍ଭର କି ବିଚିତ୍ର ବିଧାନ ?ନରକରୁ ସ୍ୱର୍ଗର କି ନାହିଁ ବ୍ୟବଧାନ ?ହୃଦୟରେ ଯା’ର ଅତି ଜଘନ୍ୟ ବିଚାର,ତାକୁ ତୁମ୍ଭେ ଦିଅ ପୁଣି ରାଜ୍ୟ ଅଧିକାର ।ଜୀବନ ଯାହାର ନାନା ପାପର ପସରା,ହସ୍ତେ ତାର ଦେଇଥାଅ ଧନ୍ୟଧାନ୍ୟ ଧରା ।ଜୟଲକ୍ଷ୍ମି ! ତୁମ୍ଭେ ଅତି ଦୁର୍ବଳ-ହୃଦୟ,ଯହିଁ ଅସ୍ତ ପର କ୍ଷଣେ ତହିଁରେ ଉଦୟ ।ପୁଣ୍ୟେ ନାହିଁ ଅଭିରୁଚି ପାପେ ନାହିଁ ଘୃଣା,ନାହିଁ ଦ୍ୱେଷ ଦୁଷ୍ଟ ପ୍ରତି, ନିରୀହେ କରୁଣା ।ଯାହାଠାରେ ଦେଖ ଛଳ କଉଶଳ ବଳ,ତାହାଠାରେ ହୁଏ ତୁମ୍ଭ ମମତା ପ୍ରବଳ ।ତୁମ୍ଭ ପୂଜା ପାଇଁ ଲୋକେ କେତେ ମନ୍ଦକର୍ମକରିଥାନ୍ତି, ଦେଖି ପୁଣି ସହିଥାଏ ଧର୍ମ ।ରାଜଲକ୍ଷ୍ମୀ ବରପୁତ୍ର ଯେ ଆଲାଉଦ୍ଦୀନ,ନିଜକୁ ମଣୁଛି ଆଜ ଦୀନଠାରୁ ଦୀନ ।ସନ୍ତୋଷ-ରତନ ନାହିଁ ହୃଦୟରେ ଯା’ର,ସୁଖ କାହିଁ ପାଇଲେହେଁ ଇନ୍ଦ୍ରତ୍ୱ ହଜାର ।ବୋଲୁଛି ନ ହେଲା ଲାଭ ରମଣୀ-ରତନ,ଧିକ୍ ମୋ ସମ୍ରାଟ୍ପଣ ଧିକ୍ ମୋ ଜୀବନ ।ଧିକ୍ ବସିଥିବା ବୋଲି ଉଠିପଡ଼ି ଥରେ,ଅଗ୍ରସର ହେଲା ଯାଇ ଚିତୋର-ପଥରେ ।ଶୁଣିଲା ପ୍ରାଚୀର-ଶିରୁ ବର୍ଷୁଛି ପଥର,ଲେଉଟି ଆସିଲା କ୍ରୋଧ କମ୍ପି ଥରଥର ।ଅସ୍ତାଚଳ-ଶିରେ ଥାଇ ସହସ୍ରକିରଣ,କରୁଛନ୍ତି ଚିତୋରର ଭବିଷ୍ୟ ଗଣନ ।ଧଇର୍ଯ୍ୟ ଗାମ୍ଭୀର୍ଯ୍ୟ ସହ ମଧୁର ମାର୍ଦ୍ଦବ,ହୋଇଅଛି ଏବେ ତାଙ୍କ ବାର୍ଦ୍ଧକ୍ୟ ବିଭବ ।
(କବି ସମ୍ୱଲପୁରରେ ଅବସ୍ଥାନ କରୁଥିବାବେଳେ ୧୯୧୦ରେ ଏହା ଆରମ୍ଭ କରିଥିଲେ । ବର୍ତ୍ତମାନ ‘‘ପଦ୍ମିନୀ’’ର ଯାହା ପଞ୍ଚମ ସର୍ଗ ରୂପେ ପ୍ରକାଶିତ, ତାହା ପ୍ରଥମ ସର୍ଗ ରୂପେ ରଚିତ ହୋଇଥିଲା । ସରକାରୀ କାର୍ଯ୍ୟରେ ପରିବର୍ତ୍ତିତ ହୋଇ ଯଥାକ୍ରମେ ବିଜେପୁର (୧୯୧୩ ମାର୍ଚ୍ଚରୁ ୧୯୧୪ ସେପ୍ଟେମ୍ବର) ଓ ପଦ୍ମପୁରରେ (୧୯୧୪ ସେପ୍ଟେମ୍ବରରୁ ୧୯୨୦ ମାଘ ପୂର୍ଣ୍ଣିମା) ଥିବା ସମୟରେ ସେ ଅନ୍ୟ ସର୍ଗଗୁଡ଼ିକ ରଚନା କରିଥିଲେ । ‘‘ପଦ୍ମିନୀ’’କୁ ତାଙ୍କ ପୁସ୍ତକମାନଙ୍କ ମଧ୍ୟରେ ଉଚ୍ଚତମ କରିବାର ବାସନା କବିଙ୍କର ରହିଥିଲା ; କିନ୍ତୁ ଏ ଅଭିଳାଷ ପୂର୍ଣ୍ଣ ହୋଇପାରି ନଥିଲା । ଏ କାବ୍ୟର ଦ୍ୱିତୀୟ ସର୍ଗଟି ‘‘ମୁକୁର’’ରେ ୧୯୨୩ ମେ ସଂଖ୍ୟାରେ ପ୍ରକାଶିତ ।
ଅସମ୍ପୂର୍ଣ୍ଣ ‘‘ପଦ୍ମିନୀ’’ କାବ୍ୟକୁ ସମ୍ପୂର୍ଣ୍ଣ କରିବାର ଚେଷ୍ଟା କରିଥିଲେ କବିପୁତ୍ର ଭଗବାନ ମେହେର । ପାଠକମାନଙ୍କ ସୁବିଧା ଦୃଷ୍ଟିରୁ କବିପୁତ୍ରଙ୍କ ଦ୍ୱାରା ରଚିତ ‘‘ପଦ୍ମିନୀ’’ର ଉତ୍ତରାର୍ଦ୍ଧ ଏଠାରେ ପ୍ରକାଶ କରାଯାଇଛି ।)