ସପ୍ତମ ସର୍ଗ — ପଦ୍ମିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ସର୍ଗ
ରଜନୀର ତମୋମୟ ଦୁର୍ଗ କରି ଜୟ,ଲୁଟି ତାର କୋଷୁଁ ତାରାରତନନିଚୟ,ଆଲୋକ-ଦହନେ ଦହି ତାର ନିକେତନ,ଅଳିମୁଖେ ଜୟଶଙ୍ଖ ଫୁଙ୍କି ଘନଘନ,ଦର୍ପଭରେ ଦୁର୍ଗଶିରେ କରି ପଦାଘାତ,ଉଡ଼ାଇ ଅରୁଣ-ବାନା ଆସିଲା ପ୍ରଭାତ ।ବିଜୟୀ ସୈନିକ ରୂପେ ବିହଙ୍ଗମଦଳଜୟ ରବେ ପୂର୍ଣ୍ଣ କଲେ ଗଗନମଣ୍ଡଳ,ବିଷମ ବିପଦ ଆଗେ ହେବାରୁ ଆଗତପଳାଇଲା ରାଜ୍ୟ ଛାଡ଼ି ରାତ୍ରି ହୋଇ ତ୍ରସ୍ତ ।ରଜନୀକ ଚାହିଁ ପଳାୟନ-ପରାୟଣସହଚରଗଣ କଲେ ତା’ ଅନୁସରଣ ।ବଳେ କାଢ଼ି ନେଇ ନିଶା ସୁନୀଳ ବସନକଳିଙ୍ଗ-କୋକିଳ-କାଳ କଲେ ତା’ ଧାରଣ ।ନିଶା ଦୁର୍ଦ୍ଦଶାରେ ପ୍ରାଣେ ଭରି ଅନୁତାପକପୋତ ସକଳ କଲେ କରୁଣ ବିଳାପ ।ପ୍ରଭାତର ଦେଖି ଶୁଭମୟ ଆଗମନଆନନ୍ଦେ ହସିଲା କୁନ୍ଦ ବିକାଶି ରଦନ ।ସୁରଭି କୁସୁମପୁଞ୍ଜ ସଜାଡ଼ି ଯତନେଛତ୍ର ଧରି ଉଭାହେଲା ମାଧବୀ ଗଗନେ ।ସୁନାରି ସୁନାରି ଧରି ଦିବ୍ୟ ସ୍ୱର୍ଣ୍ଣହାରପ୍ରଭାତ ରାଜାଙ୍କୁ ଦେଲା ପ୍ରୀତି-ଉପହାର ।ଲୋହିତ-ଅଧରା ଜବା ମନ୍ଦେ ମନ୍ଦେ ହସିଚରଣକିଙ୍କରୀ ପ୍ରାୟେ ଜବେ ଗଲା ବସି ।ବକୁଳ ପାଦପ କରି କୁସୁମ-ବର୍ଷଣଅଭିଷେକ କ୍ରିୟା କଲା ସବିଧି ସାଧନ ।ମାଳତୀ ସୁରମ୍ୟ ବେଶେ ସାଜି ଅପଘନବନ୍ଦାପନା କଲା ହୋଇ ସଲଜ୍ଜ ବଦନ ।କୁସୁମିତ ଆମ୍ରତରୁ ଚାମର-ଚାଳନକରି , କଲା ପ୍ରଭାତର ଗୌରବ ବର୍ଦ୍ଧନ ।ଗାଇଲା ପ୍ରଭାତ-ସ୍ତବ କୋକିଳ ବିପୁଳଉଚ୍ଚନାଦେ ତୂରୀ ବଜାଇଲେ ଶିଖିକୁଳ ।କେତକୀ ମତି କି କରି ପୂର୍ଣ୍ଣ ହର୍ଷଭରେସୁତୀକ୍ଷ୍ଣ ଖଡ଼ଗ ନେଇ ଭେଟିଲା ଶ୍ରୀକରେ ।ବନ୍ଦିନୀ ପଦ୍ମିନୀ ହୋଇ ବନ୍ଧନ-ମୁକତହୃତ କୃତଜ୍ଞତା କଲା ପ୍ରଭାତେ ବ୍ୟକତ ।ଏ କାଳେ ଚିତୋରେ ବାଜି ପ୍ରାତଃ ନହବତନଗରୀବାସୀଙ୍କି କଲା ଯତନେ ଜାଗ୍ରତ ।ଉଠି ପ୍ରାତଃକୃତ୍ୟ ସାରି ପୁରାଙ୍ଗନାଗଣଗତ ଦିବସର କଥା କଲେ ଆଲୋଚନ ।କେ ବୋଇଲା, ‘ଏ କି ହେଲା ଆଗୋ ପ୍ରିୟ ସହି,ଯବନ-ପୀଡ଼ନ ଆଉ ହେବ ନାହିଁ ସହି ।ପଦ୍ମିନୀକି ନେବା ପାଇଁ ଆସିଥିଲା ଖଳନେଇ ନ ପାରିଣ ବେଗେ ଦେଖାଇଲା ବଳ ।ନୋହିପାରିବାରୁ ପୁଣି ତହିଁ କୃତକାର୍ଯ୍ୟରୂପ ତାଙ୍କ ଦେଖିବାକୁ ଚାହିଁଛି ଅନାର୍ଯ୍ୟ ।
ନୁହଇ ତ ଯବନର ମତିଗତି ଭଲ
ରୂପ ଦେଖି ହେବ ସିନା ତା’ ପ୍ରାଣ ବିକଳ ।
ଖୋଜିବ ସେ ପୁଣି ତାଙ୍କୁ ପାଇବାର ପଥ
ନ ପାଇ କି ହୋଇପାରେ କେବେ ସେ ନିରସ୍ତ ?
କି ବିଶ୍ୱାସେ ରାଣା ହେଲେ ତହିଁରେ ସମ୍ମତ
ଉପୁଜି ପାରଇ ଏଥୁଁ ଭୀଷଣ ଅନର୍ଥ ।
ଯେଡ଼େ ପ୍ରିୟବାଦୀ ହେଉ ସ୍ୱଭାବ ଦୁର୍ଜନ
କେବେ କି’ ସେ ହୋଇପାରେ ବିଶ୍ୱାସଭାଜନ ?
ଧନ ଧର୍ମ୍ମ ଧରା ନାରୀ ଯବନ ପ୍ରତାପେ,
ହେଇଛନ୍ତି କଲବଲ ଅନନ୍ତ ସନ୍ତାପେ ।
ପ୍ରତିକାର ପଥ କିଛି ନାହିଁ କି ଏ’ଥର
କେ ଜାଣିବ କି’ବା ଅଛି ଭଗ୍ୟେ ଚିତୋରର ।’
ଅନ୍ୟ କେ ବୋଇଲା, ‘କଲେ ସନ୍ଦେହ ଲଘଂନ,
ଇଷ୍ଟ ଲାଭ କରିଥାନ୍ତି ସିନା ଜନଗଣ ।
ଭବିତବ୍ୟ ଗର୍ଭ ସଦା ମହା ଅନ୍ଧକାର
ପଶିବାକୁ ତହିଁ ଅଛି କା’ର ଅଧିକାର ?
ଯହିଁ ଯେତେବେଳେ ଯାହା ହୁଏ ସଂଘଟିତ
ଶୁଭ ଇଚ୍ଛା ବିଧାତାର ତହିଁରେ ନିହିତ ।’
ଏହିପରି କୁହାକୁହି ହୋଇ ନାରୀଗଣ,
ଭବିଷ୍ୟତ ଭାବନରେ ହେଲେ ନିମଗନ ।
କାକ-ଡାକେ ଉଠି ଆଲ୍ଲାଉଦ୍ଦୀନ ଚଞ୍ଚଳ,
ସ୍ନାନବିଧି ସାରି ହୋଇ ଆନନ୍ଦ-ବିହ୍ୱଳ
ରୁଚିର ଉଜ୍ଜ୍ୱଳ ପଟ୍ଟବସ୍ତ୍ର ପରିଧାନ
କରି ଲଗାଇଲା ଅଙ୍ଗେ ଦିବ୍ୟ ଅଙ୍ଗତ୍ରାଣ,
ରତ୍ନମୟ ବେଶେ ହୋଇ ଯତନେ ସଜ୍ଜିତ,
ସର୍ବାଙ୍ଗ ଅତରବାସେ କଲା ସୁବାସିତ ।
ମହାମୂଲ୍ୟ ମହୋଜ୍ଜ୍ୱଳ ମଣି-ବିଖଚିତ
ସୁବର୍ଣ୍ଣ କିରୀଟେ କରି ମସ୍ତକ ମଣ୍ଡିତ ।
କଟିତଟ ସାରସନେ କଲା ଶୋଭମାନ
ହସ୍ତରେ ଧଇଲା ସ୍ୱର୍ଣ୍ଣ-ମୁଷ୍ଟିକ କୃପାଣ ।
ସ୍ୱର୍ଣ୍ଣଜରି ବିଜଡ଼ିତ ଚାରୁ ଉପାନହ,
ପାଦେ ଲାଗେ ପ୍ରକାଶିଲେ ଶୋଭା ଅତିଶୟ ।
ପଦ୍ମରାଗ ସୁରଚିତ ଏକ ପଦ୍ମଫୁଲ
ଅନ୍ୟ ହସ୍ତେ ଧରି, ଗତି ଗଲା ଅନୁକୁଳ ।
ସୁଶିକ୍ଷିତ ସୁବୀକ୍ଷିତ ସୁବେଶ ଭୂଷିତ
ଗଜରାଜ ପୃଷ୍ଠେ ଚଢ଼ି ହେଲା ସୁଶୋଭିତ ।
ନାରୀଏ ମଣ୍ଡିତ ହୋଇ ଦିବ୍ୟ ପରିଚ୍ଛଦେ
ବଜାଇଲେ ନାନା ବାଦ୍ୟ ବିଭିନ୍ନ ଶବଦେ ।
କିଛି ଦୂର ଯାଇ ପୁଣି ସମ୍ରାଟ୍ ସହିତ
ମଙ୍ଗଳେ ବିଦାୟ ଦେଇ ଫେରିଲେ ତୁରିତ ।
ଶରୀରରକ୍ଷକ ରୂପେ ଅଳ୍ପ ଅନୀକିନୀ
ଆଲ୍ଲାଉଦ୍ଦାନର ହେଲେ ପଶ୍ଚାତଗାମିନୀ ।
ଚାଲିଲେ ଚିତୋର ପଥେ ସକଳେ ଆବେଶେ,
କିଛିକ୍ଷଣେ ସମାଗତ ହେଲେ ଦ୍ୱାରଦେଶେ ।
ରାଣାଙ୍କ ଆଦେଶମତେ ଦେଖାଇ ସମ୍ମାନ
ଫାଟକ ଫିଟାଇ ଦେଲା ପ୍ରହରୀ ପ୍ରଧାନ ।
ଏହି ରୂପେ କ୍ରମେ ଯାଇ ନବର ସମ୍ମୁଖେ
ଉପସ୍ଥିତ ହେଲା ଆଲ୍ଲା ପ୍ରୀତିପୂର୍ଣ୍ଣ ମୁଖେ ।
ରାଣା ଭୀମ ସିଂହ ଥିଲେ ତହିଁ ଉପଗତ
ଆଲିଙ୍ଗିଲେ ସମ୍ରାଟ୍କୁ ବଢ଼ାଇ ଶ୍ରୀହସ୍ତ ।
ପ୍ରତି-ଆଲିଙ୍ଗନ ଦାନେ ସମ୍ରାଟ୍ ତତ୍କ୍ଷଣ
ଭୀମ ସିଂହଙ୍କର କଲେ ମର୍ଯ୍ୟାଦା ରକ୍ଷଣ ।
କୁଶଳ ଜିଜ୍ଞାସା ତହୁଁ କରି ପରସ୍ପର
ଦେଲେ ହର୍ଷଭରେ ଯଥାବିହିତ ଉତ୍ତର ।
ସମ୍ରାଟ୍କୁ ନେଇ ରାଣା ନବର ଭିତର
ବସାଇଲେ ଦିବ୍ୟାସନେ କରି ସମାଦର ।
ବିବିଧ ଆଳାପ କଲେ ତହିଁ ବେନି ବସି
ବୈରତାବର୍ଜିତ ଏ’କି ରାହୁ ଆଉ ଶଶୀ ?
ଅବା ଯେହ୍ନେ ଭେଗହେଲେ ପାର୍ଥ ଦୁର୍ଯ୍ୟୋଧନ
ଶ୍ରୀକୃଷ୍ଣଙ୍କୁ କରିଯିବା ସ୍ଥଳେ ନିମନ୍ତ୍ରଣ ।
ପରସ୍ପର କଥାସ୍ରୋତ ଚାଲିଛି ପ୍ରବଳ
କିନ୍ତୁ ସମ୍ରାଟ୍କୁ ତାହା ଲାଗୁନାହିଁ ଭଲ ।
ଯେ ଯାଏ ସେ ଦେଖୁନାହିଁ ରୂପ ପଦ୍ମିନୀର
ସେତେବେଳେ ମତି ତାର ହେଉଛି ଅସ୍ଥିର ।
କ୍ରମେ ମହା ବ୍ୟସ୍ତତାରେ ମଜ୍ଜିଲା ତା’ ମନ
ବିଶୃଙ୍ଖଳ ବାକ୍ୟାବଳୀ ବକିଲା ଯବନ ।
ଏ ସମୟେ ଫିଟିଗଲା ସମ୍ମୁଖ କିଳଣୀ
ଭିତରେ ଦିଶିଲା ଏକ ଅପୂର୍ବ ରମଣୀ ।
ରୂପର ପ୍ରଭାରେ ଗୃହ ହେଲା ଦୀପ୍ତିମାନ
ଝଟକି ଉଠିଲେ ତହିଁ ଥିବା ବସ୍ତୁମାନ ।
ଶମ୍ପା ସମ ତେଜ ତାର କରି ବିଲୋକନ
ସହସା ଝଲସିଗଲା ସମ୍ରାଟ୍ଲୋଚନ ।
ଦର୍ପଣରେ ହୋଇଅଛି ସେ ପ୍ରତିଫଳିତ
ତା’ ରୂପରେ ଆଲ୍ଲାମତି ହେଲା ବିଚଳିତ ।
ବିରଳାଭରଣା ହୋଇ ଶୋଭଇ ରୂପସୀ
ଏ ମୂର୍ତ୍ତି ଗଢ଼ିଲା ବିହି କେତେ କାଳ ବସି ।
ପଦ୍ମୋପରି ଇନ୍ଦୀବର ହେଲା ପ୍ରାୟେ ସ୍ଥିତ
ବଦନେ ନୟନ ବେନି ଦିଶନ୍ତି ଲଳିତ ।
ତହିଁ ପାଶେ ବସିଥିଲେ ଯାଦୃଶ ଖଞ୍ଜନ ।
ଭ୍ରୂଲତା ସେପରି କରେ ମାନସରଞ୍ଜନ ।
ତିଳଫୁଲ ଜିଣି ଦିଶେ ନାସିକା ରୁଚିର
ମଦନର ଅଟେ ଏକ ଦ୍ୱିମୁଖ ତୂଣୀର ।
ଶ୍ରବଣଯୁଗଳ କେଶ ବେନିପ୍ରାନ୍ତେ ତା’ର
ଫୁଟିଛି କି ପୁଷ୍ପଦ୍ୱୟ ଅପରାଜିତାର ।
ସୁପକ୍ୱ ବିଶ୍ୱର ରୁଚି କରି ଆହରଣ
ଅଧରଯୁଗଳ ଆହା ଦିଶେ କି ଯତନ ।
ମାର୍ଜିତ ମୁକୁର ପରି ଶୋଭେ ଗଣ୍ଡସ୍ଥଳ
ସମୀର ପରଶେ ଯେହ୍ନେ ହେବ ସେ ସମଳ ।
ଉଜ୍ଜ୍ୱଳ ଲଲାଟପଟ କରେ ପ୍ରକଟନ
ଉଜ୍ଜ୍ୱଳ ଲଲାଟପଟ ଯାବତ ଲକ୍ଷଣ ।
ସୁଗଠିତ ଗ୍ରୀବାଦେଶ ମଞ୍ଜୁ କମ୍ୱୁ ସମ,
ମନ କରେ ଆକର୍ଷଣ ଡମ୍ୱରୁ-ମଧ୍ୟମ ।
ମୃଣାଳ ସଦୃଶ ରଜୁ ଭୁଜଯୁଗ ଶୋଭେ
ଅନାଇ ଅଛିକି ଉରୁ କରଭ ତା’ ଲୋଭେ ।
ପଦ ଚାହିଁ ସରୋଜିନୀ ହେବ ସୁଲଜ୍ଜିତ
ମୋତି ତୁଲ୍ୟ ନଖାବଳି ତହିଁ ବିଜଡ଼ିତ ।
ଶରୀରକାନ୍ତିରୁ ବାସ ଦିଶଇ ମଳିନ,
ଅପଘନ ନବନୀତ ନିଭ ଅକଠିନ ।
ସୁନ୍ଦରୀର ରୂପାମୃତ ନେତ୍ରେ କରି ପାନ
ଲୁପ୍ତ ହେଲା ସମ୍ରାଟ୍ର ବେଗେ ବାହ୍ୟ-ଜ୍ଞାନ ।
ଭାବିଲା ସେ ସ୍ୱର୍ଗପୁରେ ହୋଇ ଉପନୀତ,
ସମ୍ମୁଖେ ଦେଖୁଛି ଏହି ଅପରୂପ ଚିତ୍ର ।
କେଉଁ ଅପସରା ଏ’କି ଦେଲା ଦରଶନ
ଅଥବା ଏ ଶଚୀ ସୁରପତି-ପ୍ରାଣଧନ ।
ଚିତ୍ରାର୍ପିତ ପ୍ରାୟେ ଏକ ଧ୍ୟାନେ ଏକ ମନେ
ନିରେଖଇ ସେ ଛବିକି ଅତୃପ୍ତ ନୟନେ ।
ପଲକ ପଡ଼ିଲେ କାଳେ ଯିବ ସେ ପଳାଇ
ଏଣୁ ଅପଲକ ହୋଇ ରହିଛି ଅନାଇଁ ।
ଚାହୁଁ ଚାହୁଁ ମୂର୍ତ୍ତି ତହୁଁ ହେଲା ଅପସୃତ
ସଙ୍ଗେ ସଙ୍ଗେ ଦ୍ୱାର ରୁଦ୍ଧ ହୋଇଗଲା ଦ୍ରୁତ ।
ସେତେବେଳେ ସଞ୍ଚରି ତା’ ପ୍ରକୃତ ଚେତନା
ମନେ ଉପୁଜାଇ ଦେଲା ବିଷମ ଯାତନା ।
ତହୁଁ ତାକୁ ଚଉଦିଗ ଦିଶିଲା ଅନ୍ଧାର
ନ ଦିଶିଲା ଘର ଦ୍ୱାର ଅଥବା ପନ୍ଦାର ।
ସ୍ଥିରନେତ୍ରେ ବିଲୋଚନ କରି ବିଲୋକନ
ଅନ୍ୟତ୍ର ଚାହିଁଲେ ତାହା ଦିଶଇ ଯେସନ ।
ଅବା ରାତ୍ରେ ଦୀପାଲୋକେ ରହି ଅକସ୍ମାତ
ଯଥା ଦିଶେ ବାହାରକୁ କଲେ ଦୃଷ୍ଟିପାତ ।
କ୍ରମେ ଦୃଷ୍ଟ ହେଲା ତାର, ନୟନେ ସକଳ
ସେହି ଘର ସେହି ଦ୍ୱାର ଅଛି ଅବିକଳ ।
କିନ୍ତୁ ପ୍ରାଣ-ବିମୋହିନୀ ନାହିଁ ସେ ପ୍ରତିମା
ଘରକୁ ଉଜଳୁଥିଲା ଯା’ ରୂପ ଗରିମା ।
ମନେ କଲା ଇନ୍ଦ୍ରଜାଲ ଏ’ କି ଅଦଭୁତ
ଜାଗ୍ରତ ସ୍ୱପନେ ଅବା ହେଲି ଅଭିଭୂତ ।
ମହା ସନ୍ତୋଷର ବ୍ୟାଜ ଦେଖାଇ ଯବନ,
ମିଷ୍ଟାଳାପେ ପରିତୋଷି ଭୀମ ସିଂହ ମନ ।
କରିବାକୁ ନିଜ ଅଶିଷ୍ଟତା ପରିହାର
ବିନୟେ ଜଣାଇ ଦେଲା ନବରୁ ବାହାର ।
ସରଳହୃଦୟ ଭୀମ ସିଂହ ମହାମତି,
ଦୁର୍ଗ ପାଦଦେଶଯାଏ ସଙ୍ଗେ କଲେ ଗତି ।
ଫାଟକୁ ବାହାର ହୋଇ କରି ଆଲିଙ୍ଗନ
ରାଣାଠାରୁ ଆଲ୍ଲା କଲା ବିଦାୟ ଗ୍ରହଣ ।
ଏ ସମୟେ ଅତର୍କିତେ ଏକ ସୈନ୍ୟଦଳ
ବନ୍ଦୀ କଲେ ଭୀମ ସିଂହେ ଦେଖା ସ୍ୱବଳ ।
ଅପ୍ରସ୍ତୁତ ରାଣା ହୋଇ ସୈନିକବେଷ୍ଟିତ
ଯବନ ଶିବିରେ ଯାଇ ହେଲେ ଅବସ୍ଥିତ ।
ବେଗେ କରିଦେଲା ଆଲ୍ଲା ଘୋଷଣା ପ୍ରଚାର,
ପଦ୍ମିନୀ ପାଇଲେ ଭୀମ ଲଭିବେ ନିସ୍ତାର ।
ଦୁର୍ଗ ପାଦଦେଶ ଥିଲେ ଅଳପ ପ୍ରହରୀ,
ନ ପାରିଲେ ଭୀମ ସିଂହେ କେହି ରକ୍ଷାକରି,
ଶକ୍ତିର ଅତୀତ ହେଲା ତାଙ୍କ ସେହି କାର୍ଯ୍ୟ
ବିଧାତା ବିଧାନ ସିନା ଅଟେ ଅନିବାର୍ଯ୍ୟ ।
ପ୍ରହରୀଏ ଦୁର୍ଗେ ଆସି ବିଦ୍ୟୁତ୍ ବେଗରେ
ଯାଇ ଉପସ୍ଥିତ ହେଲା ଲକ୍ଷ୍ମଣ ଆଗରେ ।
ବସିଥିଲେ ସେହି ବୀର ରାଜସଭାସ୍ଥଳେ
ସେ ବିଷୟ ନିବେଦିଲା ଚରଣକମଳେ ।
ଲକ୍ଷ୍ମଣ ସେ ବାର୍ତ୍ତା ଶୁଣି ହେଲେ ଚମକିତ
ଦୁଃଖେ ଶୋକେ କ୍ଷଣେ ହୋଇଗଲେ ନିମଜ୍ଜିତ ।
ସଭାସ୍ଥ ବୀରଙ୍କୁ ତହୁଁ ଭାଷିଲେ ଏସନ
‘‘ଦ୍ୱିପଥେ ପଥିକ ସଦା ଦୁରାତ୍ମା ଯବନ ।
ଜଣାଗଲା ଏବେ ତାର ମିତ୍ରତା କି ରୂପ
କରୁଥିଲା ଆମ୍ଭ ପ୍ରତି ସିନା ସେ ବିଦ୍ରୁପ ।
ବନ୍ଦୀକରି ଭୀମ ସିଂହେ ବୋଲୁଛି ପାମର
ପଦ୍ମିନୀ ପାଇଲେ ହେବ ମୁକତି ଭୀମର ।
କେ ସହିବ ବହି ରକ୍ତ-ମାଂସର ଶରୀର
ଆଲ୍ଲାଉଦ୍ଦୀନର ଏହି ଦର୍ପମୟ ଗିର ?
ରମଣୀ-ଉତ୍କୋଚଦାନେ କେବେ କି ଚିତୋର
ବହିବ ଅକଥନୀୟ ଏ କଳଙ୍କ ଘୋର ?
ବୀର ଜାତି ବୋଲି ଯେବେ କର ଅହଙ୍କାର,
ଢାଲ ତଲବାର ଯେବେ ତୁମ୍ଭ ଅଳଙ୍କାର,
ଚିତୋରୀର ବଂଶଗତ ସମ୍ମାନରକ୍ଷଣ,
କରିବାକୁ ବଳୁଅଛି ଯେବେ ତୁମ୍ଭ ମନ,
ହେଉଅଛି ଯଦି ତୁମ୍ଭ ରକ୍ତ ତରଳିତ,
ଶତ୍ରୁ ଅତ୍ୟାଚାରେ ପୁଣି ପ୍ରାଣ ଆକୁଳିତ,
ଅକ୍ଷୟ ଅମର କୀର୍ତ୍ତି ମର୍ତ୍ତ୍ୟରେ ସ୍ଥାପନ
କରିବାର ଶକ୍ତି ଯେବେ କରିଛ ଅର୍ଜନ,
ଯାଇ ବେଗେ ଘୋର ରଣେ ପଶି ଅକସ୍ମାତ
ଯବନର ବଳ ଦର୍ପ କର ଧୂଳିସାତ ।
ତହିଁ ସଙ୍ଗେ ଭୀମଙ୍କର ବନ୍ଦିତ୍ୱ ମୋଚନ-
କରି, କର ଉତ୍ତୋଳନ ବିଜୟ-କେତନ ।’’
ରାଣା-ବାକ୍ୟେ ଉତ୍ତେଜିତ ହୋଇ ବୀରଗଣ,
ଉଠିଲେ ଗରଜି ଦର୍ପେ ବରଜି ଆସନ ।
ବୋଇଲେ ସକଳେ ‘‘ଚାଲ ରଚି ମହାରଣ,
ଉଦ୍ଧାରିବା ଭୀମେ ଚେଷ୍ଟା କରି ଆମରଣ ।
ନିଶ୍ଚୟ ଏ ବାକ୍ୟ କେବେ ନୋହିବ ଅନ୍ୟଥା
ଗଲେ ପଛେ ଯିବ ରଣ-କ୍ଷେତ୍ରେ ଆମ୍ଭ ମଥା ।’’
ତହୁଁ ଯାଇ ସର୍ବେ ହେଲେ ରଣାର୍ଥ ପ୍ରସ୍ତୁତ,
ପ୍ରଭାତରୁ ଅଭିଯାନ ହେଲା ସ୍ଥିରୀକୃତ ।
ବଜ୍ରପାତ ପରି ସେହି ଦାରୁଣ ସମ୍ୱାଦ
ଚିତୋରବାସୀଏ ଶୁଣି ଭଜିଲେ ପ୍ରମାଦ ।
ସ୍ଥାନେ ସ୍ଥାନେ ବସି ଜନେ ବୋଇଲେ କି ହେଲା,
ମରଣୁ ଅଧିକ ଲଜ୍ଜା ଆସି ଦେଖାଦେଲା ।
ସମ୍ପଦେ ବିପଦେ ଯେହୁ ଆମ୍ଭ ଅଗ୍ରପତି
ତାକୁ ବନ୍ଦୀ କରିଅଛି ଯବନ ଦୁର୍ମତି ।
ବନ୍ଧୁତା ଦେଖାଇ କଲା କି ଘୋର ବଞ୍ଚନା
କି ରୂପେ ସହିବା ଏହି ଦୁଃସହ ଲାଞ୍ଚ୍ଥନା ।
ବିଶ୍ୱାସେ ମିଶାଇ ବିଷ ପାପିଷ୍ଠ ସମ୍ରାଟ୍
ଘଟାଇ ଦେଇଛି ଅହୋ ଭୀଷଣ ବିଭ୍ରାଟ ।
ଶତ ଧୌତ କଲେ ମଧ୍ୟ ହୁଏ କି ଅନ୍ତର
ଅଙ୍ଗାରର ମଳିନତା କିଞ୍ଚିତ ମାତର ?
ଆଶୀବିଷେ କରାଇଲେ ମଧ୍ୟ ପୟଃପାନ
ବିଷ ଛଡ଼ା ମୁଖୁ ତାର ନ ବାହାରେ ଆନ !
ଶୁଣିଲେ ପଦ୍ମିନୀ ରାଣୀ ଏ ମନ୍ଦ ସନ୍ଦେଶ
କାନ୍ଦି କାନ୍ଦି ଜୀବନକୁ କରିଦେବେ ଶେଷ ।’’
ମୃଗ ଜାଲେ ପଡ଼ି ଯଥା ବିମର୍ଷକେଶରୀ
ଯବନ ଶିବିରେ ରାଣା ହେଲେ ସେହିପରି ।
ନ କହି କାହାକୁ କିଛି ହୋଇ ମୌନବ୍ରତ
ଦୀର୍ଘଶ୍ୱାସ ତେଜୁଥାନ୍ତି ସେ ଅନବରତ ।
ଶତ୍ରୁଠାରେ କରି ସିନା ବିଶ୍ୱାସ ସ୍ଥାପନ
ଏ ଘୋର ବିପଦ ରାଣା କଲେ ନିମନ୍ତ୍ରଣ ।
ଯବନର ଶଠତାରେ ହୋଇ ନିପତିତ
କି କଷ୍ଟରେ କରୁଛନ୍ତି ସମୟ ଅତୀତ ।
ପରମ ଧାର୍ମିକ ଭୀମ ଧର୍ମ ତାଙ୍କ ବଳ
ଏ ବିପଦୁ ଉଦ୍ଧରିବେ ତାଙ୍କୁ ସେ କେବଳ ।
ସେ ଦିଗେ ଭୀମଙ୍କ ଶୁଣି ବିପଦ ବାରତା
ବିଷାଦେ ପଦ୍ମିନୀ ହେଲେ ମରମ-ଆହତା ।
ବୋଇଲେ, ‘‘ହେ ହୃଦନାଥ ଏକା ମୋହ ପାଇଁ
ଏ ଘୋର ବିପଦ-ଜାଲେ ପଡ଼ିଗଲ ଯାଇ ।
ମୁହିଁ ତ ତୁମ୍ଭର ନାଥ ବିପଦ କାରଣ
କିପାଁ କରୁ ନାହିଁ ମୋତେ ମରଣ ବରଣ ।
ଧିକ୍ ଏ ରୂପକୁ ଏ’ତ ଅନର୍ଥ ଆକାର,
ଏଥିଲାଗି ଲୋଭାକୃଷ୍ଟ ଯବନ ବର୍ବର ।
ନେଲା ଦୁର୍ଗ ପାଦଦେଶ ମିଷ୍ଟାଳାପେ ଛନ୍ଦି,
ଶେଷେ କଲା ଅସହାୟ ତୁମ୍ଭଙ୍କୁ ସେ ବନ୍ଦୀ ।
ବର୍ଜନୀୟ ହୋଇଥିଲେ ଏ ରୂପ ମୋହର
ବରଳି ଦିଅନ୍ତି, ତିଳେ ନ ହୋଇ କାତର ।
ବୃଥା ସିନା ତୁମ୍ଭ ବିନା ଜୀବନ ଯୌବନ
କାହାକୁ କରିବି ସେବି ଧର୍ମ ଅରଜନ ?
ତୁମ୍ଭେ ଅଟ ପ୍ରାଣନାଥ ମୋର ସର୍ବସାର
ଧନଜନ ତୀର୍ଥ ବ୍ରତ ସକଳ ସଂସାର ।
ବିବେକ ବିଚାର ବୁଦ୍ଧି ତୁମ୍ଭେ ମୋ ସକଳ,
ମାନସର ଅହଙ୍କାର ହୃଦୟର ବଳ ।
ଯବନ ଘୋଷଣା ଶୁଣି କାନ୍ଦୁଛି ପରାଣ
ହୃଦେ ବସି ଦୟା ବହି କର ବୁଦ୍ଧିଦାନ ।
କି ରୂପେ ଫିଟିବ ତୁମ୍ଭ ମୁକତିର ପଥ
ସତୀତ୍ୱ ମୋହର ପୁଣି ଥିବ ଅବ୍ୟାହତ ।’’
ଏ ରୂପେ ପଦ୍ମିନୀ କଲେ କରୁଣ-କ୍ରନ୍ଦନ,
ନୟନୁ ଆକୁଳେ ନୀର ବହିଲା ସଘନ ।
ତହୁଁ ସେ ନୀରବ ହୋଇ ସଖୀ ପ୍ରବୋଧନେ
ମତି ଦେଲେ ପତି-ମୁକ୍ତି-ଉପାୟ ଚନ୍ତନେ ।
ଅଷ୍ଟମ ସର୍ଗ
ଜଗତ ନୟନ ରବି ହେଲେ ଅସ୍ତଗତସନ୍ଧ୍ୟା ଆସି ବିସ୍ତାରିଲା ନିଜ ଆଧିପତ୍ୟ ।ସୁରଙ୍ଗ ଦୁକୂଳ ଅଙ୍ଗେ କରି ପରିଧାନ,ଅନଙ୍ଗ-ମୋହିନୀ ରୂପେ ହେଲା ଦୃଶ୍ୟମାନ ।ଭ୍ରମର ରବରେ କରି ବଲ୍ଲକୀ ବାୟନଗାଇଲା ଝିଙ୍କାରୀ କଣ୍ଠେ ସଂଗୀତ ମୋହନ ।ବାଳଇନ୍ଦୁ ବିରାଜିତ ଗଗନମଣ୍ଡଳେସିନ୍ଦୁର ବିନ୍ଦୁ କି ଶୋଭେ ତା’ ଭାଲପଟଳେ ।ସୁରଭିତ ଦେହ ତା’ର କୁସୁମ ସୁବାସେଜନମନ ମୁଗ୍ଧ କରେ ମନ୍ଦ ମନ୍ଦ ହାସେ ।ଉତ୍ସବ ଦର୍ଶନ ପାଇଁ ନାରୀଏ ଯେମନ୍ତ,ବାସ-ଭୂଷା ପିନ୍ଧି ହୋଇଥାନ୍ତି ବହିର୍ଗତ,ସେ ରୂପେ ସଜ୍ଜିତ ହୋଇ କୁସୁମ ସମ୍ଭାରେଶୋଭିଲେ ବ୍ରତତୀ ତରୁ ବିବିଧ ପ୍ରକାରେ ।ତରୁଲତା ପାଖ ପଶି ଚୋର-ସମୀରଣଚଞ୍ଚଳ ପଳାଏ କରି ସୁରଭି ହରଣ ।ନବ ବଧୂ ପରି କେତେ ତାରକା ଗଗନେଥରେ ଦେଖା ଦେଇ ପୁଣି ଲୁଚନ୍ତି ଗୋପନେ ।ମାର୍ଗଣ ବ୍ରାହ୍ମଣ ବେଶେ ଅଳି ଉପଗତଗୀତ ଗାଇ ଫୁଲେ ଫଲେ ଭିକ୍ଷାରେ ସେ ରତ ।ଦିବସେ ଅବୈଧ ପ୍ରେମେ ଥିବାରୁ ଆସକ୍ତ,ରଥାଙ୍ଗ ମିଥୁନ ହୋଇ ସନ୍ଧ୍ୟା-ଶାପଗ୍ରସ୍ତ,ପରସ୍ପର ନିକଟରୁ ମେଲାଣି ମହନଘେନି ଚାଲିଗଲେ ଦୁହେଁ ହୋଇ ଖିନ୍ନମନ ।ହସହସ ମୁଖ ହେଲା କାସାରେ କୁମୁଦଫିଟାଇ କି ଦେଖାଇଲା ନିଜ ହୃଦମୁଦ ।ଗିରି ଶିରେ ତୈଳହୀନ ସୁରମ୍ୟ ମଶାଲଧାଡ଼ି ଧାଡ଼ି ଉଜଳିଲେ ଜାଳି ଚକ୍ରବାଳ ।ଯତ୍ର ସନ୍ଧ୍ୟାବାସ ରୂପେ ଧ୍ରୁବ ବିହାୟସେ,ଯହିଁରେ ଉଇଁଲେ ତହିଁ ରହିଲେ ହରଷେ ।ପ୍ରଦୋଷ ଅତିଥିବେଶୀ ଆସି ଗାଭୀଗଣ,କଲେ ନିଜ ନିଜ ସ୍ୱାମୀ-ଆଳୟ ମଣ୍ଡନ ।‘ପଦ୍ମିନୀ ରୂପସୀ’ ବସି ଏ କାଳେ ବିଜନେ,ଭାବନା ସାଗରେ ଭାସି ଭାସି ଏକମନେ.ପତିଙ୍କ ମୁକତିପଥ ଖୋଳିଲେ ବହୁତକିନ୍ତୁ କାହିଁ ହେଲା ନାହିଁ ମତି ପରିତୃପ୍ତ ।ଏହି ରୂପେ ବସି ବସି କେତେକ ସମୟସହସା ମାନସେ ହେଲା ବୁଦ୍ଧିଏ ଉଦୟ ।ଆଶା-କ୍ଷୀଣାଲୋକେ ତହିଁ ହେଲା ମୁଖୋଜ୍ଜ୍ୱଳଭାବିଲେ ତା’ କଲେ କିପାଁ ନ ହେବ ସଫଳ ?କରିବାକୁ ସେ ଉପାୟ କାର୍ଯ୍ୟେ ରୂପାୟିତ‘ବାଦଲ’ ସହିତ ‘ଗୋରା’ ହେଲେ ଆମନ୍ତ୍ରିତ ।ରାଣୀ ଆବାହନ ଶୁଣି ଆସିଲେ ଉଭୟେ,କିପାଇଁ ଡ଼ାକିଲ ମାତଃ ବୋଇଲେ ବିନୟେ ।ଅଶ୍ରୁମୁଖୀ ହୋଇ ତହୁଁ ଭାଷିଲେ, ‘ପଦ୍ମିନୀ’-‘‘ସଂସାରେ ମୋ’ ଠାରୁ ଆଉ କେ’ ଅଛି ପାପିନୀ !ଦେଖ ପ୍ରାଣପତି ପଡ଼ିଛନ୍ତି ବନ୍ଦିଘରେ,ପାପମତି ଯବନର ଶିବିର ଭିତରେ ।ଏ ରାଜନବରେ ରହି ମୁଁ ହତଭାଗିନୀପତି ପାଇଁ ପ୍ରାଣାନ୍ତକ ଯାତନା-ଭାଗିନୀ ।ବୋଲୁଛି ଯବନ, ହେଲେ ମୁଁ ତା’ କରଗତତେବେ ଯାଇ ପ୍ରାଣନାଥ ହେବ ପ୍ରତ୍ୟାଗତ ।କେଡ଼େ ନୀଚମନା ସେହି ଯବନ ରାଜନକାହାଠାରେ କେଉଁ କଥା କରେ ଉତ୍ଥାପନ ।ଦିଲ୍ଲୀଶ୍ୱର ବୋଲି ଥାଇପାରେ ତା’ ଗରବ,ଥାଇପାରେ ହିମାଳୟ ତୁଲ୍ୟ ଗଉରବ,ପୂରି ରଖିଥାଉ ଘରେ ଧନପତି ଧନ,ରଚିଥାଉ ଇନ୍ଦ୍ରପୁରୀ ସଦୃଶ ଭବନ,ନିବାରଣ କରୁଥାଉ ଅବା ତାର କ୍ଷୁଧା,ବିଶାଳ ଜଳଧି ଜାତ ଦେବଭୋଜ୍ୟ ସୁଧା,ବଢ଼ୁଥାଉ ମନ୍ଦାକିନୀ ନୀରେ ତା’ର ସ୍ନାନ,ଲଭିଥାଉ ମୁନିଜନ ପରି ମହାଜ୍ଞାନ,ଅଣିମା, ଲଘିମା ହୋଇଥାଉ କରଗତ,ଈଶ୍ୱର ସାକ୍ଷାତ ଲାଭେ ହେଉ ସମରଥ,ସୁରପଥେ ସୁରପଥେ କରୁ ସେ ଭ୍ରମଣ,ଦେବଦଳେ ଦେବସ୍ଥଳେ ଥାଉ ବା’ ଆସନ;ତଥାପି ଏ ମତି ହେବ ନାହିଁ ଆକର୍ଷିତଶତ ଆକିଞ୍ଚନେ ମଧ୍ୟ ତା’ ପ୍ରତି କିଞ୍ଚିତ ।ସେ’କି ଛାର, ହେଲେ ଇନ୍ଦ୍ର ଚନ୍ଦ୍ର ବିରୋଚନକରି ନ ପାରିବେ ମୋର ଚରିତ୍ର-ପାତନ ।ଦେଖ ତା’ର ଦୁଃସାହସ ସନ୍ତରି ସାଗର-ପାର ହେବା ପାଇଁ ହୋଇଅଛି ଆଗଭର ।ହସ୍ତ ଉତ୍ତୋଳନ କରି ଅବା ସେ ବାମନ,ବିଜୁଳି ଧରିବା ପାଇଁ ବଳାଇଛି ମନ ।ଶିଖରୀ ଶିଖରେ ପଛେ ଫୁଟିବ କମଳ,ଜଳଧରୁ ବରଷିବ ପଛକେ ଅନଳ;ହେଲେ ହେବ ପୁଷ୍ପବନ୍ତ ଶୂନ୍ୟ ବିହାୟସ,କିମ୍ୱା ବନପ୍ରିୟ ବାଣୀ ହେବ କରକଶ;ନ ବହିବ ସମୀରଣ ନ ଫଳିବ ଫଳହୁତାଶନ ହୋଇଯିବ ଅଥବା ଶୀତଳ,ଶୁଷ୍କ ହୋଇଯିବ ପଛେ ଜଳନିଧି ଜଳକ୍ଷରିବ ପଛକେ ଗାଭୀ-ସ୍ତନରୁ ଗରଳ,ମନୁଷ୍ୟ ଉଦରୁ ପଛେ ଜନ୍ତୁ ଜାତ ହେବେତଥାପି ମୁଁ ଯବନକୁ ନ ଭଜିବି କେବେ ।ସ୍ୱାମୀ ଅନୁରୋଧେ, ପ୍ରଜା-ମଙ୍ଗଳସାଧନେଦେଖାଦେଇଥିଲି ବାରେ ତାକୁ ଦରପଣେ;ଏବେ ଯେତେ କଲେ ମଧ୍ୟ କପଟ ରଚନହେବ ନାହିଁ ସିଦ୍ଧକାମ କେବେ ସେ ଯବନ ।କିନ୍ତୁ ମୋର ଜୀବନର ଜୀବନ-ମୂରତି,ଭବାର୍ଣ୍ଣବ କର୍ଣ୍ଣଧାର ଅଗତିର ଗତି,ତୃଷାତୁର ନୟନର ଅମୃତ ଝରଣହୃଦୟ ତପତି-ନାଶୀ ଶାନ୍ତି ନିକେତନଯବନ ଶିବିରେ ପଡ଼ି ଅଛନ୍ତି ଯାବତଭୀଷଣ କଷଣ ପ୍ରାଣ ଦହେ ଅବିରତ ।କି ଉପାୟ ଆଚରିଲେ ଲଭିବେ ମୁକତିତହିଁପାଇଁ ଡାକିଅଛି ତୁମ୍ଭଙ୍କୁ ମୁଁ କତି ।’’ବୋଇଲା ବାଦଲ, ‘‘ମାଗୋ, ଏ ଛାର ବିଷୟ-ପାଇଁ କିପାଁ ହେଉଅଛୁ ଏତେ ତୁ ଅଥୟ ।ଯାବତ ମୁଁ କରିଅଛି ଶରୀର ଧାରଣ,ଯାବତ ହେଉଛି ଦେହେ ରକ୍ତ ସଞ୍ଚରଣ,ଯାବତ ବହିବ ମୋର ନିଶ୍ୱାସ ପବନ,ଯାବତ ନୟନେ ହେବ ପଲକ ପତନ,ରହିଥିବ ଯେତେ ଦିନ ମନରେ ସ୍ମରଣ,ଶ୍ରବଣ-ଶକତି ଘେନିଥିବ ଏ ଶ୍ରବଣ,ତାବତ ତୋ’ କାର୍ଯ୍ୟ ହେବ ନାହିଁ ଅସାଧିତଏଥିପାଇଁ ବୃଥା ଆଉ ନ ହୁଅ ଭାବିତ ।ମାତୃହୀନ ମତେ କରି ଲାଳନପାଳନଜନ୍ମକାଳୁ ରଖିଅଛୁ ବଞ୍ଚାଇ ଜୀବନ,ଏବେ ନ ପାରିବି ଯଦି ଫେଡ଼ି ତୋ’ କଷଣ,ଜୀବନଧାରଣ ମୋର ହେବ ଅକାରଣ ।ଏ କି ଛାର କଥା ମା’ ଗୋ ଦେଲେ ତୁ ନିର୍ଦ୍ଦେଶକାଲି ଏ’ ସେବକ ପଶି ସମ୍ରାଟ୍ ନିବେଶସୈନିକ ନିକର ତା’ର କରି ଛାରଖାରଛାରଖାର କରି ତା’ର ଆୟୁଧ ଆଗାର;ଆଣିବି ଉଦ୍ଧାରି ତହିଁ ମଧ୍ୟୁ ଭୀମ ବୀରତା’ ସହ ଆଣିବି କାଟି ସମ୍ରାଟ୍ର ଶିର ।ଦେଖିବୁ ତୋ’ ଦତ୍ତ ଅନ୍ନ କେଡ଼େ ତେଜୀୟାନତୋ’ ପାଳିତ ଦେହେ କେତେ ବୀର୍ଯ୍ୟ ବିଦ୍ୟମାନ ।ନ ହେଉଣୁ ରବି ଅସ୍ତ ନଗ-ବିଲମ୍ୱିତ,ନ ହେଉଣୁ ତାରାଚୟ ଗଗନେ ଉଦିତ;ନ ହେଉଣୁ ସରୋବରେ ସରୋଜ ମୁଦିତନ ହେଉଣୁ ପକ୍ଷୀକୁଳ କୁଲାୟ ଆଶ୍ରିତ,ନିଶ୍ଚୟ ଏ କାର୍ଯ୍ୟ ମୁହିଁ କରିବି ସାଧନନ ହେଲେ ଅନଳେ ପଶି ତେଜିବି ଜୀବନ ।ସତ୍ୟ ସତ୍ୟ ତିନିବାର ସତ୍ୟ ଏ ବଚନଅନ୍ୟଥା ନ ହେବ ମୋର ବାକ୍ୟ କଦାଚନ ।ବିଶେଷତଃ କାଲି ହେଉଛନ୍ତି ଅଗ୍ରସରଯବନ ସହିତ ରଣେ ଚିତୋର-ଈଶ୍ୱର ।ମୁଁ ତାଙ୍କ ଅଗ୍ରଣୀ ରୂପେ ଯିବାକୁ ଉତ୍ସୁକଦିଅ ମା’ ବିଦାୟ ମତେ ହୋଇ ହର୍ଷମୁଖ ।’’ନୟନ ସଲିଳ ପୋଛି ପଦ୍ମିନୀ ବହନ,ବାଦଳକୁ କୋଳେ ଧରି କଲେ ଆଲିଙ୍ଗନ ।ବୋଇଲେ, ‘‘ବାବୁରେ କିପାଁ ହେଉ ତରତରସେ ଦିନ ଆସୁଛି ହୋଇ ତୋ’ ନିକଟତର ।କର୍ମ ଯେବେ ସମୟର ହୁଏ ଅନୁସାରୀଶ୍ରମ ହୁଏ ତେବେ ଯାଇ ଫଳ ଅଧିକାରୀ ।ଯେଉଁ ବିହଙ୍ଗମ ଯେଉଁ ମାର୍ଗଣରେ ମରେବୁଦ୍ଧିବାନ୍ ବନଚର ତା’ ପ୍ରୟୋଗ କରେ ।ଯବନର ଅଭିଳାଷ ଯେପରି ଉତ୍କଟ,ସେପରି ଉପାୟେ ତାକୁ କରିବା ବିନଷ୍ଟ ।କାମନୀ ମୋହୋର ପତି-ମୁକତି ସାଧନକିନ୍ତୁ ସେ ଅକ୍ଷତ ଦେହେ ଫେରିବେ ଯେସନ ।ଆଗେ ଯାଇ ତହିଁ ପାଇଁ ଦେଖାଇଲେ ବଳ,ପାପିଷ୍ଠ ଘଟାଇ ପାରେ କାନ୍ତ ଅମଙ୍ଗଳ ।ଆଶ୍ୱାସ ବଚନେ ତାକୁ କରି ବିମୋହିତ,କଉଶଳେ କରିହେବ କର୍ମ ସମାହିତ ।ଏ ବିଷୟେ ମନାସିଛିଁ ମନେ ଯା’ ମୋହରକହୁଅଛିଁ ଅବହିତେ ତା’ ଶ୍ରବଣ କର ।’ତହୁଁ କହିଗଲେ ସତୀ ଯାବତ ବିଷୟସୁଚିନ୍ତିତ ଭାବେ ଆଦ୍ୟପ୍ରାନ୍ତ ସମୁଦୟ ।ତା’ ଶୁଣି ବେନିଏ ହେଲେ ମନରେ ବିସ୍ମିତ,ଅଲକ୍ଷେ ବଦନେ ତାଙ୍କ ଉଭା ହେଲା ସ୍ମିତ ।ଆହ୍ଲାଦ ଅଧୀର ଗୋରା ଭାଷିଲେ ଉତ୍ତର,‘‘ଧନ୍ୟ ତୁମେ ବୁଦ୍ଧିମତୀ ଚିନ୍ତାର ଆକର ।ବିପଦ ସମୟେ ଯା’ର ବୁଦ୍ଧି ସମ୍ମୁଦିତ,ସେପରି ମାନବ ଜାତ ହୁଅନ୍ତି କ୍ୱଚିତ ।ନାରୀ ହୋଇ କରିଛ ଯେ’ ଉପାୟ ସୃଜନ,ନ ପାରିବେ ଚିନ୍ତି ତାହା ଚିନ୍ତାଶୀଳ ଜନ ।ହେବ ତୁମ୍ଭ ନାମ ଦେବି । ଜଗତେ ଘୋଷିତ,ଯେ ଯାଏ ଭଜିବେ ନଭେ ଚନ୍ଦ୍ରମା ଆଦିତ୍ୟ ।ଲକ୍ଷ୍ମଣଙ୍କ ଅଭିମତ ପ୍ରକାଶ୍ୟ ବିଗ୍ରହ,ଗୋପନ ସାଧନଯୋଗ୍ୟ ତବ କାର୍ଯ୍ୟଚୟ ।ଏବେ ଯାଇ ଲକ୍ଷ୍ମଣଙ୍କୁ କଲେ ନିବେଦନ,କରିବେ ଅବଶ୍ୟ ତବ କାମନା ପୂରଣ ।’’ପଦ୍ମିନୀ ବୋଇଲେ- ‘‘ଏହି ଭାର ସମୁଦାୟତୁମ୍ଭ ହସ୍ତେ ନ୍ୟସ୍ତ ଜାଣି କର ତା’ ଉପାୟ ।’’ପଦ୍ମିନୀ ନିକଟୁ ନେଇ ମେଲାଣି ସତ୍ୱରଲକ୍ଷ୍ମଣ ସମୀପ ଗଲେ ବେନି ବୀରବର ।ବୁଝାଇ କହିଲେ ତାଙ୍କୁ ବିଷୟ ସକଳ,କରିବୁଁ ଆଦେଶ ହେଲେ ଏ କାର୍ଯ୍ୟ ସଫଳ ।ତାଙ୍କ କଥା ଶୁଣି ରାଣା ଦେଲେ ଅନୁମତି,‘‘ଶୀଘ୍ର କାର୍ଯ୍ୟ କର, ହୋଇ ସାବଧାନ ଅତି,ଯେମନ୍ତ ଗୁପତ କଥା ଲବ ପରିମିତଯବନର କର୍ଣ୍ଣେ ହୋଇ ନ ପାରେ ପତିତ ।’’ତହୁଁ ଯାଇ ବେନି ଜନ ବସି ଏକାସନେକାହାକୁ କି ଭାର ଦେବେ ଭାବିଲେ ତା’ ମନେ ।ସେନାନୀ ନିକଟ ଦେଲେ ସମ୍ୱାଦ ଦୂରିତପ୍ରଭାତର ଅଭିଯାନ ହେବାକୁ ରହିତ ।ପରଦିନ ପ୍ରତ୍ୟୁଷରୁ ଉଠି ବେନି ଜନସମ୍ରାଟ୍ ନିକଟ କଲେ ସମ୍ୱାଦ ପ୍ରେରଣ ।ପତିଙ୍କ ମୁକତି ଅର୍ଥେ ଆତ୍ମ-ବିସର୍ଜନକରିବାକୁ ବଳିଅଛି ପଦ୍ମିନୀଙ୍କ ମନ ।ରକ୍ଷାକରି ନିଜ ମାନ ମହତ୍ତ୍ୱ ସକଳଏ କାର୍ଯ୍ୟରେ ଅଗ୍ରସର ହେବେ ସେ କେବଳ ।କରିଛନ୍ତି ରାଜଗୃହେ ଜନମ ଗ୍ରହଣ,ଏଣୁ ରାଜ-ପଦ୍ଧତିରେ କରିବେ ଗମନ,ସଙ୍ଗେ ଥିବେ ତାଙ୍କ ଚିରସହଚରୀଗଣ,ମର୍ଯ୍ୟାଦାନୁରୂପ କରି ଯାନ ଆରୋହଣ ।ଆଉ ମଧ୍ୟ କେତେ ରାଜପୁତ କୁଳନାରୀତାଙ୍କ ଅନୁଗାମୀ ତେବେ ନବରୁ ବାହାରି ।କରିଛନ୍ତି ତାଙ୍କୁ ଯେଣୁ ସ୍ନେହରେ ବନ୍ଧନଶିବିରୁ ବିଦାୟ ନେଇ ଫେରିବେ ବହନ ।ରାଜପୁତ ରମଣୀଙ୍କ ସମ୍ମାନେ ଯେପରିନ ପାରନ୍ତି କେହି ହେଲେ ହସ୍ତକ୍ଷେପ କରି ।ପଦ୍ମିନୀ ଶିବିରେ ହେବା ମାତ୍ରେ ଉପଗତଭୀମ ସିଂହ କାରାମୁକ୍ତ ହୁଅନ୍ତି ଯେମନ୍ତଏଥିରେ ସମ୍ରାଟ୍ ଯଦି ହୁଅନ୍ତି ସମ୍ମତରୂପସୀ ପଦ୍ମିନୀ ହେବେ ତାଙ୍କ ଅନୁଗତ ।ଦୁର୍ଗ ଅବରୋଧକାରୀ ସୈନିକ ନିକରଯେଉଁ ଦିନ ହୋଇ ଦୁର୍ଗ ସୀମାରୁ ଅନ୍ତର,କିଛି ଦୂର ଦେଶେ ଯାଇ ଶିବିର ସ୍ଥାପନକରିବେ, ସେ ଦିନ ହେବ କାମନା ପୂରଣ ।ଏ ବାର୍ତ୍ତା ଶ୍ରବଣେ ହୋଇ ଆନନ୍ଦବିହ୍ୱଳ,ସେନାନୀକି ଡାକି ଆଲ୍ଲାଉଦ୍ଦିନ ଚଞ୍ଚଳ,ଆଦେଶ ପାଳନ କଲା ଉଠାଇ ଛାଉଣୀକିଛି ଦୂରେ ସନ୍ନିବେଶ କରିବାକୁ ପୁଣି ।ସମ୍ରାଟ୍ ଆଦେଶ ହେଲା ଅଚିରେ ପାଳିତ,ଦୁର୍ଗସୀମା ସଙ୍ଗେ ସଙ୍ଗେ ହେଲା ଅବାରିତ ।ନିଜ ବୁଦ୍ଧି ପ୍ରତି କରି ପ୍ରଶଂସା ବହୁତତହୁଁ ଆଲ୍ଲା ମନେ ମନେ ହେଲା କୃତକୃତ୍ୟ ।ବୋଇଲା, ‘‘ଏ ବୁଦ୍ଧିବଳେ ଦିଲ୍ଲୀର ସମ୍ରାଟ୍ହେବାକୁ ମିଳିଲା ମୋତେ ସୁବିଶାଳ ବାଟ ।ଏ’ତ ଛାର ରାଜପୁତ ଚିର ବୁଦ୍ଧିହୀନମୋ କୌଶଳେ ପଡ଼ିଗଲା ଜାଲେ ଯଥା ମୀନ ।’’ପତ୍ରଟିଏ ଲେଖି ଆଲ୍ଲା ପ୍ରଣୟ ଆବେଗେପଦ୍ମିନୀଙ୍କି ନିବେଦିଲା ଆସିବାକୁ ବେଗେ ।ପୁଣି ସେ ଲେଖିଲା, ସଖି ! ଏକା ତୋ’ ନିମନ୍ତେହେଉଅଛି ପ୍ରେମାତୁର ମୁଁ ଅନବରତେ ।ଯେଉଁ ଦିନୁ ନିରେଖିଲି ତୋ’ ଚାରୁ ମୂରତିନିଦ୍ରା ଆଉ ଆସୁନାହିଁ ମୋ ନୟନ କତି ।ଅନୁକ୍ଷଣେ ସେ ପ୍ରତିମା ଚକ୍ଷୁ ସମକ୍ଷରେକ୍ରୀଡ଼ା କରି ଜୀବନକୁ ନଷ୍ଟଭ୍ରଷ୍ଟ କରେ ।ଲୋକମୁଖେ ଶୁଣିଥିଲି ଯାହା ତୋ’ ବିଷୟଲକ୍ଷ୍ୟ କଲି ଲକ୍ଷ ଗୁଣ ତହୁଁ ତା’ ନିଶ୍ଚୟ ।ସହସ୍ର ରତନ କାନ୍ତି ତୋ’ ଦେହେ ପୂରିତତୋ’ ଦର୍ଶନେ ଦୂର ହେବ କୋଟିଏ ଦୁରିତ ।ଯା’ ମନ୍ଦିରେ ବିରାଜିବୁ ତୁହି ଲୋ ସୁନ୍ଦରି,ଇନ୍ଦ୍ର ଚନ୍ଦ୍ର ତାର କେହି ହେବେ ନାହିଁ ସରି ।ବୁଦ୍ଧି ଯୋଗୁଁ ଭାଗ୍ୟ ମୋତେ ସଦା ସୁପ୍ରସନ୍ନ,ତେଣୁ ମୋର ଅଙ୍କଲକ୍ଷ୍ମୀ ହେବାକୁ ତୋ’ ମନ ।ଜୀବନତୋଷିଣି ! କରି ଶୀଘ୍ର ଆଗମନ,ଜୀବନରେ ଜୀବନକୁ କର ସଞ୍ଚରଣ ।ଆଦେଶ ତୋହୋର ଯାହା ହେବ ସୁପାଳିତ ।ତହିଁପାଇଁ ହୁଅ ନାହିଁ କିଞ୍ଚିତ ଭାବିତ ।ତୋର ଆଗମନ ମାତ୍ରେ ଭୀମଙ୍କୁ ସତ୍ୱରଛାଡ଼ିଦେବି ବନ୍ଧୁଭାବେ କରି ସମାଦର ।ବହୁ ଧନ-ରତ୍ନ-ଦାନେ ତାଙ୍କୁ କରି ସୁଖୀ,ତା’ ପରେ ତୋ’ ସହ ହେବି ଦିଲ୍ଲୀ ଅଭିମୁଖୀ ।