ନବମ ସର୍ଗ — ପଦ୍ମିନୀ — ଗଙ୍ଗାଧର ମେହେର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ସର୍ଗ
ବିପୁଳ ଉତ୍ସାହେ ଆଜି ଚିତୋର ନଗରଭାସଇ ସାଗରେ ଯଥା ତରଙ୍ଗନିକର ।ବୀରବେଶେ ହେଉଛନ୍ତି ସୈନିକେ ସଜ୍ଜିତବୀରତ୍ୱ ଛଟାରେ ତାଙ୍କ ବଦନ ପ୍ରଦୀପ୍ତ ।ସୁଦୃଢ଼ କବଚେ ଗାତ୍ର ହେଉଛି ଆବୃତ,ବିବିଧ ପ୍ରକାର ହାର ବକ୍ଷରେ ବିଧୃତ ।ସୁଶାଣିତ କରବାଳ ହସ୍ତେ ବିରାଜିତ,ସୁଚାରୁ ଶିରସ୍ତ୍ରମାଳ ମସ୍ତକେ ମଣ୍ଡିତ ।ଢାଲ, ଭିଦିପାଳ, ଶେଲ, ପରିଘ, କୁଠାର,ଯତ୍ନ ସହ ବାନ୍ଦି ରଖୁଛନ୍ତି ଯେ ଯାହାର ।ରଙ୍ଗିଆ ଜଘିଂଆ କଟିତଟେ ପହରଣତା’ ଉପରେ ସାରସନ ହରଇ ନୟନ ।ସୁତଳ କଙ୍କଣ କରେ, ଭୁଜେ ଭୁଜବନ୍ଧଚାହିଁଲା ମାତ୍ରକେ ହୃଦେ ଉପୁଜେ ଆନନ୍ଦ ।ପ୍ରତି ଗାଳେ ଗାଲ ମୁଚ୍ଛ ଦିଶେ ଶୋଭମାନଲଲାଟେ ସିନ୍ଦୂର-ଚିତା ମୁଖେ ଖିଲିପାନ ।ଏହି ରୂପେ ବୀରଗଣ ସାଜି ନାନା ମତେବାଦଲ ଗୋରାଙ୍କୁ ଟାକି ରହିଲେ ସମସ୍ତେ ।କିଛିକ୍ଷଣ ପରେ ତହିଁ ଆସୁଛନ୍ତି ବେନି,ଦିବ୍ୟ ବେଶେ ପିନ୍ଧି ଦିବ୍ୟ ଅସ୍ତ୍ରଶସ୍ତ୍ର ଘେନି ।ମହାନନ୍ଦେ ପ୍ରଫୁଲ୍ଲିତ ବେନିଙ୍କର ମନ,ଆଗେ ଗୋରା, ପଛେ କରେ ବାଦଲ ଗମନ ।ଶିବିକା ଆସଇ ତାଙ୍କ ପଛେ ଅଗଣିତ,ବିଚିତ୍ର ବରଣ ଆବରଣ ବିମଣ୍ଡିତ ।ତହିଁ ମଧ୍ୟେ ପଶିଗଲେ ଜଣେ ଜଣେ ବୀରମେଘ ଅନ୍ତରାଳେ ଯେହ୍ନେ ଲୁଚଇ ମିହିର ।ଅବଶିଷ୍ଟ ବୀର ହୋଇ ପ୍ରଚ୍ଛଦ-ପିହିତଆୟୁଧ ସକଳ କଲେ ତା’ ମଧ୍ୟେ ନିହିତ ।ତହୁଁ ଗୋଟି ଗୋଟି କଲେ ଶିବିକା ବହନଯବନ ଭବନ ଦିଗେ ଚାଲିଲେ ବହନ ।ଛଦ୍ମିନୀ ପଦ୍ମିନୀ ହେଲେ ଏ ରୂପେ ବାହାରଅନୁଯାତ୍ରୀ ତାଙ୍କ ଅନୁରୂପ ସଖୀ ବାର ।ଚିତ୍ରସେନ ଗନ୍ଧର୍ବର ବିଚିତ୍ର ଉଦ୍ୟାନେବିହାରାର୍ଥ ଯା’ନ୍ତି କି’ଏ କୁରୁ ନାରୀମାନେ ?ଦୂରକୁ ସୁନ୍ଦର ଦିଶେ ସରୋବର-ନୀରକେ’ ଜାଣିପାରିବ ଥିଲେ ତା’ ମଧ୍ୟେ କୁମ୍ଭୀର ।ଶୁଦ୍ଧ ବୋଧ ହୋଇଥାଏ ଯସନ ପବନଭିତରେ ତା’ ବିଷକୀଟ ଥା’ନ୍ତି ଅଗଣନ ।ଶିବିର ସମ୍ମୁଖେ ବସି ଦିଲ୍ଲୀ ନରନାଥ,ଚିତୋର ନଗର ପ୍ରତି କଲା ଦୃଷ୍ଟିପାତ ।ଏ କାଳେ ଶିବିକାଶ୍ରେଣୀ ତହୁଁ ବିନିର୍ଗତ-ହୋଇ ସୁଧାସିକ୍ତ କଲେ ତା’ ନୟନପଥ ।ମହାନନ୍ଦେ ଉଭା ହୋଇ ରହିଲା ଅନାଇପଦ୍ମିନୀ-ଶିବିକା କାହିଁ ଚିହ୍ନିବାର ପାଇଁ ।ଆହୁରି ସେ ମନେ ହେଲା ପୁଲକିତ,
ଏତେ ଦିନେ ହେଲା ବୋଲି ଆୟାସ ଫଳିତ ।
ଭାବିଲା କି ଦ୍ରବ୍ୟ ଦେଲେ ଭାବୀ ଭାବିନୀ’ କି
ମୋ ପ୍ରତି ଆସକ୍ତ ହେବ ତା’ ମତି ଏଣିକି ।
ଭୀମକୁ ପାସୋରି ମତେ ପରିବର୍ତ୍ତେ ତାର-
କରି ରଖିଥିବ ସଦା ହୃଦୟର ହାର ।
କରୁଥିବ ପ୍ରେମାବେଶେ ଆଦେଶ ପ୍ରଦାନ
ପ୍ରେମଦଣ୍ଡ ଦେବ କଲେ ତା’ କଥା ଅମାନ୍ୟ ।
ବାନ୍ଧବୀ ପ୍ରେମର ଡୋରେ ଥିବ ମୋତେ ବାନ୍ଧି,
ଅବାଧ୍ୟ ମୁଁ ହେଲେ ବାଧ୍ୟ କରୁଥିବ କାନ୍ଦି ।
ପ୍ରେମର ବିପଣି ଖୋଲି ବସିଥିବ ସଖୀ,
ପ୍ରେମ କିଣା ଦେବ ମୋଠୁଁ ଧନ ଦ୍ରବ୍ୟ ରଖି ।
ପୁଣି ମୋ ପ୍ରେମରେ ଧନୀ ହୋଇ ବଶୀଭୂତ,
କରିବ ସେ ସବୁ ଦ୍ରବ୍ୟ ମୋତେ ପୁରସ୍କୃତ ।
ଚକ୍ଷୁରନ୍ତରାଳ ହେଲେ ମରୁଥିବ ଝୁରି,
ଦେଖିଲା ମାତ୍ରେ ଉଦର ଦେଉଥିବ ପୂରି ।
ପ୍ରେମ ଗୀତ ଗାଉଥିବ ପାଖରେ ବସାଇ
କିଣି ନେଉଥିବ ମୋତେ ହସାଇ ରସାଇ ।
ଏହି ରୂପେ ନାନା କଥା ଭାବିଲ ତା’ ମନ,
କଳ୍ପିତ ଆମୋଦ-ହ୍ରଦେ କଲେ ସନ୍ତରଣ ।
ପ୍ରକଶଃ ଶିବିକାଶ୍ରେଣୀ ହେଲା ସମୀପସ୍ଥ
ତା’ ଦେଖି ସମ୍ରାଟ୍ ହେଲା ଅତି ବ୍ୟତିବ୍ୟସ୍ତ ।
ନିକଟରେ ଥିଲା ଏକ ପ୍ରକାଣ୍ଡ ଶିବିର,
ଶିବିକା ରହିବା ଲାଗି ତାହା କଲା ସ୍ଥର ।
ସତ୍ୱର ଆଦିଷ୍ଟ ହେଲେ ଭୃତ୍ୟ ପରିଜନେ
ଯାଇ ନ ପାରିବେ ବୋଲି ତହିଁ କେହି ଜଣେ ।
ସେ ବାରଣ ଶୁଣି ଭୀମ ମୁର୍ମୁର ସମାନ
ଭିତରେ ଭିତରେ ରୋଷେ ହେଲେ ଦହ୍ୟମାନ ।
ମନେ କଲେ ମୁକ୍ତି ମାତ୍ୟେ ପଦ୍ମିନୀ ନିକଟ
ଯାଇ ତାକୁ ଅସିଚୋଟେ କରିବି ବିନଷ୍ଟ ।
‘ରୂପବତୀ ନାରୀ ଶତ୍ରୁ’ ଯେ ଅଛନ୍ତି କହି
ତାଙ୍କ ବାକ୍ୟମୂଳେ ଚିର ସତ୍ୟ ଅଛି ରହି ।
ପାପୀୟସୀ କରି ପତି-ମୁକ୍ତିର ଛଳନା,
ଆସିଛି ହେବାକୁ ଏବେ ଯବନ-ଲଳନା ।
ରମଣୀଏ ପୁରୁଷଙ୍କୁ ଠକି ଏହିପରି
ସୁଯୋଗ ପାଇଲେ ଇଚ୍ଛା ଥା’ନ୍ତି ପୂର୍ଣ୍ଣ କରି ।
ଅନ୍ୟ କ୍ଷଣେ ପୁଣି ମନେ ହେଲା ତାହାଙ୍କର
ପଦ୍ମିନୀର ପାତିବ୍ରତ୍ୟ ନୁହେଁ ଦିନକର ।
ଏତେ ଦୀର୍ଘକାଳୁ ଅଛି ଯେ’ ଧର୍ମ ଆଚରି
ଏତେ ଶୀଘ୍ର ତାକୁ ଦେବ ପାସୋରି କିପରି ?
ନିଶ୍ଚୟ ରହସ୍ୟ ଅଛି ଏଥି ବିଜଡ଼ିତ
ଭାବି ଭାବି ଚିତ୍ତ ହେଲା ଘୋର ଆନ୍ଦୋଳିତ ।
ଏହିରୂପେ ଭୀମ ସିଂହ ବସି ନିକାଞ୍ଚନେ,
ଭାବୁଛନ୍ତି ପଦ୍ମିନୀଙ୍କ କଥା ମନେ ମନେ ।
ଏ’ କାଳେ ପ୍ରହରୀ ଏକ ହୋଇ ଉପଗତ
ଜଣାଇଲା ସବିନୟେ ଯୋଡ଼ି ବେନି ହସ୍ତ ।
ସମ୍ରାଟ୍ ଆଦେଶମତେ ହେ ଚିତୋର-ନାଥ,
କରନ୍ତୁ ପଦ୍ମିନୀ ସଙ୍ଗେ ଚରମ ସାକ୍ଷାତ ।
ନିକଟେ ଦିଶଇ ଏ’ ଯେ, ଶିବିର ସୁନ୍ଦର,
ତହିଁ ମଧ୍ୟେ ବିଜେ କରିଛନ୍ତି ନାରିବର ।
ଘଟିକାର୍ଦ୍ଧ ମାତ୍ର ତହିଁ କରି ଅବସ୍ଥାନ
ବାହୁଡ଼ିବେ ବେଗେ ଦିଲ୍ଲୀ-ପତି ସନ୍ନିଧାନ ।
ବହୁ ଧନରତ୍ନ ହୋଇଅଛି ଏକତ୍ରିତ,
ଶ୍ରୀଛାମୁଙ୍କ କରେ ହେବାପାଇଁ ସମର୍ପିତ ।
ରାଣା ମନକଥା କରି ମନରେ ଗୋପନ
ଶିବିରାଭିମୁଖେ କଲେ ସତ୍ୱର ଗମନ ।
ଭିତରକୁ ଯାଇ ଯାହା କଲେ ଦରଶନ
ତହିଁରେ ସନ୍ଦେହ ସବୁ ହେଲା ନିରସନ ।
ଗୋରା ଭକ୍ତିଭରେ ଧରି ଭୀମଙ୍କ ଶ୍ରୀକର
ବସାଇଲେ ନେଇ ଏକ ଶିବିକା ଭିତର ।
ଧରି ତାହା ବେଗଗାମୀ ଶିବିକାବାହକେ
ବୋହିନେଲେ ବହୁଦୂର ନିମିଷ ମାତ୍ରକେ ।
କ୍ରମେ ପ୍ରବାହିତ ହେଲା ପଛେ ପଛେ ତା’ର
ଶିବିର ଭିତରୁ ଦ୍ରୁତ ସ୍ରୋତ ଶିବିକାର ।
କିଛି ଦୂରେ ଅବସର ବୁଝି ଭୀମ ବୀର
ଅଶ୍ୱଯାନେ ଚଢ଼ି ଗଲେ ଆପଣା ମନ୍ଦିର ।
ପଦ୍ମିନୀ ସହିତ ଭୀମ ଦୀର୍ଘ ଆଳାପନ
କରୁଅଛି ଭାବି, କ୍ଷୁବ୍ଧ ହେଲା ଆଲ୍ଲା ମନ ।
ବୋଇଲା, ‘‘ଯେ ହୋଇ ପତି-ମୁକ୍ତି-ଭିଖାରିଣୀ
ଏବେ ହୋଇଅଛି ମୋର ପ୍ରେମାଧିକାରିଣୀ,
ତା’ ସହିତ ଭୀମ ଏତେ ବେଳ ସମ୍ଭାଷଣ
କରୁଅଛି ଦେଖ ତା’ର ମନ୍ଦ ଆଚରଣ ।
ସହଜେ ନ ଦେଇ ନାରୀ ହେଲା ଏତେସରି
ତଥାପି ରହୁଛି ଜାଣି ନ ଜାଣିଲା ପରି ।
ଯାଇ କେହି ଡାକିଆଣ ଭୀମକୁ ଏ ଥର
ଚଞ୍ଚଳ ଏଠାରୁ ତାକୁ କରିବା ଅନ୍ତର ।’’
ସମ୍ରାଟ ଆଦେଶେ ଯାଇ ବେଗେ ଭୃତ୍ୟଗଣ,
ଭୀମଙ୍କୁ ଡାକିଲେ ତମ୍ଭୁପାଖେ ଘନଘନ ।
ନ ଶୁଣିଲେ ଭୀମ ସିଂହ ନ ଶୁଣିଲେ କେହି
ରୋଷେ ଗଳେ ଭିତରକୁ ରୁଦ୍ଧଦ୍ୱାର ଫେଇ ।
ନାହିଁ ତହିଁ ଭୀମ ସିଂହ କିମ୍ୱା ତା’ ସଦ୍ମିନୀ
ପଦ୍ମମୁଖୀ ପଦ୍ମାଳୟା-ରୂପିଣୀ ପଦ୍ମିନୀ ।
କିନ୍ତୁ ପୂରି ରହିଛନ୍ତି ବୀର ଅଗଣିତ,
ଯୋଦ୍ଧୃବେଶେ ହୋଇଛନ୍ତି ସକଳେ ସଜ୍ଜିତ ।
ପଳାଇଲେ ସର୍ବେ କରି ସଭୟ ଚିତ୍କାର,
ଆଲ୍ଲାପାଖେ ନିବେଦିଲେ ତାହା ସବିସ୍ତାର ।
ସୈନିକଗଣଙ୍କୁ ତହୁଁ ବେଗେ ଦିଲ୍ଲୀପତି
ତାଙ୍କ ସହ ଯୁଝିବାକୁ ଦେଲା ଅନୁମତି ।
ପଳାୟିତ ଭୀମେ ପୁଣି ଧରିବାର ପାଇଁ
କେତେ ଅଶ୍ୱାରୋହୀ ଗଲେ ଅଶ୍ୱ ଦଉଡ଼ାଇ ।
ସେମାନଙ୍କ ପଥ ଛେକି ରାଜପୁତଗଣ
ଭୟାବହ ଆହବରେ ମାତିଲେ ବହନ ।
ସେ ଦିଗେ ତୁମୁଳ ଯୁଦ୍ଧ ହେଲା ଅଭିନୀତ
ଯବନ ଶିବିର ପାଖେ ବର୍ଣ୍ଣନା ଅତୀତ ।
ବୁଭୁକ୍ଷୁ କେଶରୀ ଯଥା ପାଇଲେ ଶିକାର,
ଧରି ତାକୁ ସେହିକ୍ଷଣି କରଇ ସଂହାର ।
ସେହି ରୂପେ ରାଜପୁତେ ହୋଇ ଉନମତ୍ତ,
ଯବନଗଣଙ୍କୁ କଲେ କ୍ଷଣକେ ନିହତ ।
ସେହିକ୍ଷଣି ଆସି ପୁଣି ଅନ୍ୟ ସେନା ଦଳ
ଅଧିକାର କଲେ ମୃତ ପୃତନାର ସ୍ଥଳ ।
ଲାଗିଲା ଉଭୟ ବଳେ ଭୀଷଣ ଆହବ,
ଧୂଳିଜାଲେ ପରିପୂର୍ଣ୍ଣ ହୋଇଗଲା ନଭ ।
କୃପାଣ, ପରିଘ, ଶେଳ ଆଦି ଅସ୍ତ୍ର ଧରି
ମାରୁଛନ୍ତି ଯେ ଯାହାକୁ ପାରେ ଲକ୍ଷ୍ୟ କରି ।
ଝଡ଼ିପଡ଼େ କେତେ ମୁଣ୍ଡ ତେଜି ଗ୍ରୀବାସ୍ଥଳ
ପ୍ରବଳ ପବନେ ଯଥା ବୃକ୍ଷୁ ପଡ଼େ ଫଳ ।
କାହାର ଗୋଟିଏ ହସ୍ତ ହୋଇଅଛି ନାଶ
ଅନ୍ୟ ହସ୍ତେ କରୁଅଛି ବୀରତ୍ୱ ପ୍ରକାଶ ।
ଜାନୁ-ଚ୍ଛେଦ ହୋଇଅଛି ଅଥବା କାହାର
କାହା ଶିରୁ ଝରୁଅଛି ରକତର ଧାର ।
ପ୍ରାଣଭୟେ କେତେ କରୁଁ କରୁଁ ପଳାୟନ
ପଛ ପଟୁ ହାଣ ଖାଇ ତେଜନ୍ତି ଜୀବନ ।
ଅସଂଖ୍ୟ ଯାବନୀ ସେନା ବେଢି ଚଉପାଶ
ବହୁ ପରିମାଣ କଲେ ଚିତୋରୀ ବିନାଶ ।
ଯେ’ ଦିଗେ ନୟନ ପଡ଼େ ଦିଶଇ କେବଳ
ବିପୁଳ ଯବନ ବଳ ଯେହ୍ନେ ସିନ୍ଧୁଜଳ ।
ଚିତୋରୀଙ୍କୁ ନ ମିଳଇ ପଳାୟନ ପଥ
ଅରି-କରେ ତହିଁ କେତେ ଲଭିଲେ ପଞ୍ଚତ୍ୱ ।
ଦୂରେ ଥାଇ ଦେଖି ଏହି ଦୃଶ୍ୟ ମର୍ମଦାହୀ
ପଲକ ପତନ ମାତ୍ର ତହିଁ ଗଲା ଧାଇଁ ।
ମହା ପରାକ୍ରମୀ ଗୋରା ଦେଖାଇ ବିକ୍ରମ,
ବୁଲାଇ ପ୍ରଚଣ୍ଡ ବେଗେ ଆସି ଅନୁପମ ।
ନନ୍ଦବନଚାରି-ମତ୍ତ-ମତଙ୍ଗଜ ପରି
ଯବନ ସେନାକୁ ଦେଲା ବିମର୍ଦ୍ଦନ କରି ।
ପଛେ ପଛେ ଥାଇ ତାର ବାଦଲ ପ୍ରବୀର
ଦେହ ଭିନ୍ନ କରୁଥାଏ କାଟି ଅରି ଶିର ।
ସମବୀର୍ଯ୍ୟ ସମତେଜ ବେନି ବୀରବର
ନ ପାରି ଅରିଏ ତିଷ୍ଠି ସମକ୍ଷେ ତାଙ୍କର
ପଳାଇଲେ ଅବଲମ୍ୱି ଯେ ଯାହା ଅୟନ
ଯେ ରହିଲେ କଲେ ରଣ-ଭୂମିରେ ଶୟନ ।
କିଛି କ୍ଷଣେ ପୁଣି ବେଗ-ଗାମିନୀ ବାହିନୀ-
ରୂପେ ଆସି ଅନ୍ୟ ଏକ ଯବନବାହିନୀ
ରଚିଲେ ଭୀଷଣ ରଣ ସଙ୍ଗେ ବେନିଙ୍କର
ଯୁଝିଲେ ବେନିଏ ତିଳେ ନ ହୋଇ କାତର ।
ବର୍ଷାରମ୍ଭେ ଯେଉଁପରି କର ଘଡ଼ଘଡ଼ି
ଜଳଧାରେ ଦେଇଥାନ୍ତି ଭୟଙ୍କର ରଡ଼ି ।
ଚଉଦିଗେ ହେଉଥାଏ ଚପଳା ସ୍ଫୁରଣ
ଅନର୍ଗଳ ଧାରେ ହୁଏ ବାରି ବରଷଣ ।
ତଦ୍ରୁପ ସେ-ବୀରେ କରି ଭୀଷଣ ଗର୍ଜନ
ସୁଶାଣିତ ଅସି କରି ପ୍ରଚଣ୍ଡ ଘୂର୍ଣ୍ଣନ ।
ବିକୀରିଲେ ତେଜୋରାଶି ତାର ଚକ୍ରାକାର
ବୁହାଇ ଅରାତି ଅଙ୍ଗୁ ଖର ରକ୍ତଧାର ।
ରାଜପୁତ ପ୍ରହରଣ ହେବାରୁ ଅସହ୍ୟ
ଅଗ୍ନି ଯନ୍ତ୍ରେ ଆରମ୍ଭିଲେ ଯବନେ ବିଗ୍ରହ ।
ବରଷି ପ୍ରଚଣ୍ଡ ଗୋଳାରାଶି ଅପ୍ରମିତ
କେତେ ଚିତୋରୀଙ୍କୁ କଲେ ଜୀବନୁ ବଞ୍ଚିତ ।
ଚିତୋରୀଏ କରି ଶତ ଶତଘ୍ନୀ ପ୍ରହାର
ଯବନଙ୍କୁ କଲେ ଯୁଦ୍ଧଭୂମିରୁ ବାହାର ।
ଅବସର ପାଇ ଗୋରା ଦୂର କଲେ ଶ୍ରମ
ପୋଛିପକାଇଲେ ମୁଖୁ ଶ୍ରମଜ ଘରମ ।
ଗୋଳାଟିଏ ଅଲକ୍ଷିତେ ଆସି ଏହି କାଳେ
ସବେଗେ ପଡ଼ିଲା ଗୋରା ଉନ୍ନତ କପାଳେ ।
ସେ ଭୀଷଣାଘାତେ ବୀର ସହଜେ ଆସକ୍ତ-
ହୋଇ ଭୂମିତଳେ ପଡ଼ି ହେଲେ ମୂର୍ଚ୍ଛାଗତ ।
ନିକଟସ୍ଥ ବାଦଲର ପ୍ରାଣାନ୍ତ ଯତନ-
ଫଳେ କିଛି କାଳେ ହେଲା ଜ୍ଞାନ ସଞ୍ଚରଣ ।
କିନ୍ତୁ ବୀର ନ ପାରିଲେ କହି ଆଉ କଥା
ମର୍ମେ ମର୍ମେ ବିଦାରଣ କରିବାକୁ ବ୍ୟଥା ।
ପରିଶେଷେ ବାହୁଯୁଗ କରି ପ୍ରସାରଣ,
ବାଦଲକୁ ବକ୍ଷେ ଧରି କଲେ ଆଲିଙ୍ଗନ ।
ବାଦଲ ଭିଡ଼ିଲା କ୍ଷୁଦ୍ର ହସ୍ତେ ଗୋରା ବକ୍ଷ,
ଉଭୟେ ରହିଲେ ହୋଇ ଉଭୟ ସମକ୍ଷ ।
କପାଳେ ନିବେଶି କର ସଜଳ ନୟନେ
ଅନାଇ ରହିଲା ବୀର ବାଦଲ ବଦନେ ।
ତହୁଁ ତାର ଶିରେ ବେନି କର ସଂସ୍ଥାପନେ
ଆଶୀର୍ବାଦ ଜଣାଇଲା ନୀରବ ଭାଷଣେ ।
ଗଣ୍ଡେ ପୁଣି କରୁଁ କରୁଁ ଶେଷ ଚୁମ୍ୱଦାନ
ଚିଦାନନ୍ଦ ଧାମେ କଲା ଆନନ୍ଦେ ପ୍ରୟାଣ ।
ଚିତୋରୀଏ ଏହା ଦେଖି କଲେ ହାହାକାର,
ବହିଲା ପ୍ରବଳ ବେଗେ ଶ୍ୱାସ ନାସିକାର ।
ଅବସନ୍ନ ହୋଇଗଲା ତାଙ୍କ ମନ-ପ୍ରାଣ
ହାତରୁ ପଡ଼ିଲା ଖସି ରକ୍ତାକ୍ତ କୃପାଣ ।
ଘନ ଘନ କରି ନେତ୍ର-ନୀର ବିସର୍ଜନ,
ସକାତରେ କଲେ ମୃତ ଆତ୍ମାର ତର୍ପଣ ।
ଅସ୍ତାଚଳେ ଅସ୍ତ ହେଲେ ଦେବ ବିକର୍ତ୍ତନ
କ୍ରମେ ତମଃ ପୁଞ୍ଜେ ହେଲା ଅବନୀ ଆଚ୍ଛାନ୍ନ ।
ଅନ୍ଧକାର କଲା ନିଜ ମହିମା ପ୍ରଚାର
ସପକ୍ଷ ବିପକ୍ଷ ସର୍ବେ କରି ଏକାକାର ।
ବିଷମ ବ୍ୟାପାର ହେଲା ଅସ୍ତ୍ର ସଞ୍ଚାଳନ
ଅରି ମାରୁ ମାରୁ ମଲେ ଆତ୍ମପକ୍ଷଜନ ।
ଶତ୍ରୁ ମିତ୍ର ଭେଦ ବାରି ନ ହେଲା କିଞ୍ଚିତ
ଆର୍ତ୍ତନାଦୁ ଜଣାଯାଏ କେ’ ଅରି କେ’ ମିତ୍ର ।
ଏହିପରି କିଛି କ୍ଷଣ ଯୁଦ୍ଧେ ହୋଇ ରତ
ଯାହାକୁ ଯେ’ ପାରେ କଲେ ଚକ୍ଷୁ ବୁଜି ହତ ।
ଅତିଶୟ ରଣକ୍ଳାନ୍ତ ହୋଇ ବୀରଗଣ
କ୍ରମେ ଯାଇ ଆଶ୍ରାକଲେ ଯେ’ ଯାହା ଭବନ ।
ହତ ଅବଶିଷ୍ଟ ସେନା ଥିଲେ ଯେ ସକଳ,
ତାଙ୍କ ସହ ଗୃହାଗତ ବିଜୟୀ ବାଦଲ ।
ସଜଳ ନୟନେ ଶୋକ ଗଦ୍ଗଦ ବଚନେ
ଜଣାଇଲା ଯୁଦ୍ଧବାର୍ତ୍ତା ଭୀମଙ୍କ ଚରଣେ ।
ବୋଇଲା, ‘‘ଭୋ ଦେବ !
ମାରି ଅସଂଖ୍ୟ ସୈନିକ,
ଦେଖାଇ ବିକ୍ରମ ଗୋରା ଅତିମାନୁଷିକ,
ଜୟଶ୍ରୀ-ମଣ୍ଡିତ ହୋଇ ଲଲାଟପଟଳେ,
ଦିବାକରେ ବିଲମ୍ୱିତ ଦେଖି ଅସ୍ତାଚଳେ
ଫେରିବା ଉଦ୍ଦେଶ୍ୟେ ପୋଛୁଥିଲେ ମୁଖ-ସ୍ୱେଦ
ଏ’ ସମୟେ ଗୋଳାଟିଏ ଭାଲେ କଲା ଭେଦ ।
ସେହି ଗୋଳାଘାତେ ଗୋରା ହୋଇ ଅଚେତନ
ଶେଷେ ହରାଇଲେ ତାଙ୍କ ଅମୂଲ୍ୟ ଜୀବନ ।’’
ବାଦଲ ବଚନେ ରାଣା ହୋଇ ଶୋକାଚ୍ଛନ୍ନ,
ବୋଇଲେ, ‘‘ମୋ ପାଇଁ ଗୋରା ତେଜିଲେ ଜୀବନ ।
ପର ଉପକାରେ ବୀର କଲେ ଆତ୍ମଦାନ
ତାଙ୍କ ପକ୍ଷେ ଏହା ଏକ ଅମର-ସମ୍ମାନ ।
ଧନ୍ୟ ସେ ଯା’ ଗର୍ଭେ ବୀର ହୋଇଛି ପ୍ରଭବ
ଧନ୍ୟ ଏ ବିତୋର ଲଭି ତା’ ତୁଲ୍ୟ ମାନବ ।
ତହୁଁ ଭୀମଠାରୁ ନେଇ ମେଲାଣି ଚଞ୍ଚଳ
ଗୋରା-ପତ୍ନୀ ପାଖେ ଉଭା ବାଳକ ବାଦଲ ।
ତା’ ଦର୍ଶନେ ନାରୀ ହୋଇ ଆନନ୍ଦ ମଗନ
ସ୍ନେହେ କୋଳେ ଧରି କଲା କପୋଳ ଚୁମ୍ୱନ ।
ବୋଇଲା, ‘‘ବାବୁରେ ଦେଖି ତୋ’ ଚନ୍ଦ୍ରବଦନ
ଅପାର ଆନନ୍ଦ କରେ ମୋ ନେତ୍ରେ ନର୍ତ୍ତନ ।
ଭାଳୁଥିଲି ବସି ବାବୁ ତୋ’ ପାଇଁ ବିଜନେ,
ଦେଖାଦେଲୁ ଏବେ ମୋତେ ଆସି ଶୁଭକ୍ଷଣେ ।
ଜୀବର ଜୀବନ ତୁ’ ମୋ ଆନନ୍ଦର ଖଣି
ହୃଦୟର ଅଳଙ୍କାର ନୟନର ମଣି ।
ନିଃଶ୍ୱାସ ପ୍ରଶ୍ୱାସ ବାବୁ ତୁ’ ମୋ ନାସିକାର
ଶ୍ରବଣେ ଶ୍ରବଣ ଶକ୍ତି ଦେହେ ରକ୍ତଧାର ।
ରସନାର ସରସତା ମାନସ ଆସକ୍ତି
ଚରମର ସ୍ପର୍ଶ ତୁ’ ମୋ କାର୍ଯ୍ୟର ପ୍ରଶସ୍ତି ।
ହୃତପିଣ୍ଡେ ତୁହି ମୋର ସଜୀବ ସ୍ପନ୍ଦନ
ତାପିତ ପରାଣେ ପୁଣି ଶୀତଳ ଚନ୍ଦନ ।
କେତେ ଦୂରେ ରହିଛନ୍ତି ବାବୁରେ ତୋ’ ତାତ
ତାଙ୍କୁ ଛାଡ଼ି କିପାଁ ତୁହି ଆସିଲୁ ଏକାନ୍ତ ?
ଯେତେବେଳେ ହେଲେ କହୁ ହସି ହସି କଥା
ଆଜ ମନେ ଉପୁଜିଲା କି ଦାରୁଣ ବ୍ୟଥା ?
ପରିମ୍ଳାନ ଦିଶେ ମୁଖ ଅମଳ-କମଳ
ଢଳଢଳ କିପାଁ ବାବୁ ନେତ୍ରେ ନେତ୍ରଜଳ ।
ଜୀବନେ ଜନମେ ମୋର ଅତି ଉଦବେଗ-
ଶୁଣିବାକୁ ତୋ’ ବଚନ କହ ବାବୁ ବେଗ ।
ହୋଇଅଛି କିରେ କିଛି ଅଶୁଭ ଘଟନ,
କହ କହ ବହନ ତୁ ଆରେ ପ୍ରାଣଧନ ।’’
ଶୋକେ ଦୁଃଖେ କ୍ଷୋଭେ ହୋଇ ମରମ ପୀଡ଼ିତ
ବାଷ୍ପରୁଦ୍ଧ କଣ୍ଠେ ଆସ୍ୟ କରି ଅଶ୍ରୁସିକ୍ତ
ବୋଇଲା ବାଦଲ, ‘‘ମାଗୋ; ସେ ଶୋକ ବାରତା
କହିଲାବେଳକୁ ମନେ ଜନମଇ ବ୍ୟଥା ।
ନ’ କହି ସେ କଥା ପୁଣି ନ’ ହୁଏ ଠହରି
ଶୋକ ଦେଉଅଛି ଏଣେ କଣ୍ଠରୋଧ କରି ।’’
କିଛି କ୍ଷଣ ପରେ କରି ଧୀରତା ଧାରଣ,
ଭାସିଲା କରୁଣ କଣ୍ଠେ ବାଦଲ ଏସନ-
‘‘ମାଆ ଗୋ ! ପ୍ରଚଣ୍ଡ ବେଗ ଝଞ୍ଜା ବାତ ସମ
ପ୍ରକାଶି ସମରକ୍ଷେତ୍ରେ ଅମର ବିକ୍ରମ
ଅସଂଖ୍ୟ ଯବନ ସେନା ତରୁ-ପ୍ରାଣମୂଳ
ଉପାଡ଼ିଲେ କରି ତାତ ନିଃଶେଷ ନିଷ୍କଳ ।
ଫେରିବାକୁ କରୁଥିବା ବେଳେ ଉପକ୍ରମ,
ଆସିଲା ଗୋଲକଟିଏ ଅନଳ ଉପମ
ବାଜିବାରୁ ବେଗେ ପିତା ଲଳାଟପଟଳେ
ସଂଜ୍ଞାଶୂନ୍ୟ ହୋଇ ପଡ଼ିଗଲେ ଭୂମିତଳେ ।
ବିଫଳତା ପ୍ରସବିଲା ଯାବତ ଯତନ
ଶେଷେ ହେଲା ତାହା ତାଙ୍କ ମରଣ କାରଣ । ’’
ଏତେ କହି ଶୋକାବେଗେ କଲା ବିଳପନ
ନ ପାରିଲା ସ୍ଫୁରି ଆଉ ମୁଖରୁ ବଚନ ।
ବାଦଲର ବାଣୀ ଶୁଣି ବାଦଲ-ଜନନୀ
ଶୋକଗ୍ରସ୍ତ ହେଲେ ଯଥା ହୃତମଣି-ଫଣୀ ।
ଅଶ୍ରୁଜଳେ ଧୈର୍ଯ୍ୟବଦ୍ଧ ଭାଙ୍ଗି ଅଭାଗିନୀ
କ୍ରନ୍ଦନରୋଳରେ ଦେଲେ କମ୍ପାଇ ମେଦିନୀ ।
ଏହିପରି ବହୁକ୍ଷଣ କରି ସେ ରୋଦନ
ଶେଷେ ଚିତାନଳେ କଲେ ଆତ୍ମ-ବିସର୍ଜନ ।