ମାମୁ
ଫକୀରମୋହନ ସେନାପତି · ଭାଗ ୨୩ / ୨୪
ସମ୍ପୂର୍ଣ୍ଣ ସୂଚୀପତ୍ର
ପୋଲିସ ରିପୋର୍ଟ
କଟକ ଥାନାର ଦାରୋଗା ‘ଏ’ ଫାରମ କାଟି ଏହି ମାମଲା ସମ୍ବନ୍ଧରେ ଶ୍ରୀଯୁକ୍ତ ମେଜେଷ୍ଟର ସାହେବଙ୍କ ନିକଟକୁ ଇଂରେଜୀରେ ଯେଉଁ ରିପୋର୍ଟ ପଠାଇଲେ, ସେଥିର ସାରାଂଶ ଓଡ଼ିଆ ଭାଷାରେ ଏହିପରି—
‘‘ଧର୍ମାବତାର !’’
ହଜୁରଙ୍କ ହୁକୁମ ଅନୁସାରେ ନାଜର ନଟବର ଦାସ ଘର ମାଲ କ୍ରୋକ ଏବଂ ଟଙ୍କା ଚୋରି ମାମଲା ତଦନ୍ତ କରି କ୍ରୋକି ମାଲର ପ୍ରସ୍ତ ନକଲ ରିପୋର୍ଟ ସହିତ ପଠାଇଲି ।
ଟଙ୍କା ଚୋରି ମାମଲା ହାଲ ଏହିକି ଖୋଦାବକ୍ସ, ରାମରାମ ସିଂହ, ଭୀମସିଂହ ନାଜରଖାନାର ପିଆଦାମାନଙ୍କ ଜମାନବନ୍ଦିରୁ ସାଫ୍ ସାବିତ, ସେମାନେ ମଫସଲରୁ ରୋଡ଼ଶେଷ ଓଗେରା ବାବଦ ଟ ୪୭୯୮ ଅସୁଲ କରି ଆଣିଥିଲେ । କଚେରି ବନ୍ଦଥିବା ଯୋଗୁଁ ନାଜର ଜିମାରେ ସେ ଟଙ୍କା ସବୁ ରଖାଯାଇଥିଲା । ଚଳିତ ମଇ ମାସ ୨୨ ତାରିଖ ରୋଜ ଶନିବାର ରାତ୍ରରେ ଟଙ୍କା ଚୋରି ଯାଇଥିବାର ଅନୁମାନ କରାଯାଏ । ନଂ ୧ ଆସାମୀ ରାଘବ ମହାନ୍ତି, ନଂ ୨ ଆସାମୀ ପ୍ରଭୁଦୟାଲ ଭଗତ, ନଂ ୩ ଆସାମୀ ଚିତ୍ରକଳା । ଏହି ତିନିଜଣଙ୍କ ଯୋଗସାଜିସରେ ଟଙ୍କା ଚୋରି ହୋଇଥିବାର ଜଣାଯାଏ । ନଂ ୧ ଆସାମୀ ରାଘବ ମହାନ୍ତି ନାଜର ମଜକୁରର ଶଳା, ଗୋଟାଏ ନିହାତି ବେକୁବ ମନ୍ଦଲୋକ ଅଟେ । ନଂ ୨ ଆସାମୀ ଗୋଟାଏ ଜାହେର ବଦମାସ୍ । ଏଥିପୂର୍ବେ ପୋଲିସ ପ୍ରତାରଣା କରିଥିବା ଅପରାଧରେ ଉକ୍ତ ଆସାମୀ ଦୁଇ ଦଫା ଚଲାଣ ଦେଇଥିଲେ, ପ୍ରମାଣ ଅଭାବରୁ ଖଲାସ ପାଇଛି । ନଂ ୩ ଆସାମୀ ଗୋଟାଏ ଦୁଶ୍ଚରିତ୍ରା, ବଜାରର ସାମାନ୍ୟ ସ୍ତ୍ରୀ ଅଟେ ଏବଂ ନାଜର ନଟବର ଦାସର ଅନୁଗ୍ରହପାତ୍ରୀ । ଆଉ ନଂ୨ ଆସାମୀ ପ୍ରଭୁଦୟାଲର ମଧ୍ୟ ପ୍ରିୟପାତ୍ରୀ ଥିଲା । ମାତ୍ର ନାଜରକୁ ଏ ବିଷୟ ଅଗୋଚର । ବୁଦ୍ଧିମତୀ ଚିତ୍ରକଳା, ପ୍ରଭୁଦୟାଲ ଭଗତ ତାହାର ଧର୍ମଭାଇ, ଏହପରି ପରିଚୟ ଦେଇ ତାହାକୁ ଭୁଲାଇ ରଖିଥିଲା । ମଧ୍ୟ ଚିତ୍ରକଳା ଦାସୀ ଭାବରେ ନାଜର ବସାକୁ ଗତାୟାତ କରୁଥିବାରୁ ବସାର ସମସ୍ତ ସନ୍ଧାନ ଅନ୍ୟ ଆସାମୀମାନଙ୍କୁ ଜଣାଥିଲା ।
ଚୋରିର ହାଲ ଏହପରି ପ୍ରକାଶ ଯେ–ନଂ ୨ ଓ ନଂ ୩ ଆସାମୀମାନଙ୍କ ପରାମର୍ଶ ଅନୁସାରେ ନଂ୧ ଆସାମୀ ନାଜର ଘର ମଧ୍ୟରେ ଥିବା ସମସ୍ତ ସିନ୍ଦୁକର ଚାବି ମୁହଁ ମହଣରେ ଛାଞ୍ଚ ଆଣିଦେବାରୁ ନଂ ୨ ଆସାମୀ ଚାବିକାଠି ବନାଇ ଆଣିଦେଲା–ନଂ ୧ ଆସାମୀ ରାଘବ ମହାନ୍ତି ଅନ୍ୟ ଦୁଇଜଣ ଆସାମୀଙ୍କ ସହାୟତାରେ ନାଜରର ସିନ୍ଦୁକ ଫିଟାଇ ଟଙ୍କା ଚୋରି କରିଥିବାର ସାଫ୍ ସାବିତ୍ ।
ଅତ୍ର କଟକ ସହର ନିବାସୀ ମହାଜନ ଶିଉଶରଣ ଭଗତର ତୁଳସୀପୁର ମୁକାମରେ ଗୋଟାଏ ପୁରୁଣା ବଙ୍ଗଳା ଅଛି । ସେହି ବଙ୍ଗଳାଟା ନଂ ୧ ଆସାମୀକୁ କିଣାଇ ଦେବାକୁ କହି ଚୋରି ଟଙ୍କା ମଧ୍ୟରୁ ୩୦୦୦ ଟଙ୍କା ନଂ ୨ ଆସାମୀ ଜୁଆଚୋରି କରି ନେଇଅଛି । ଖଣ୍ଡେ ଦୁଇ ଅଣିଆ ସିଠାମ କାଗଜରେ ଅସଙ୍ଗତ କେତେଗୁଡ଼ିଏ ବାଜେ କଥା ଲେଖାଇ କବଲା ବୋଲି ନଂ ୧ ଆସାମୀକୁ ଦେଇଥିଲା । ନଂ ୧ ଆସାମୀ ନିତାନ୍ତ ମୂର୍ଖ ବେକୁବ ଥିବାରୁ କିଛି ବୁଝିପାରିନାହିଁ । ସେହି କବଲା ଅର୍ଥାତ ମିଥ୍ୟା ଜୁଆଚୋରି କାଗଜ ଖଣ୍ଡ ନଂ ୧ ଆସାମୀ ବିଛଣା ତଳୁ ବରାମଦ ହୋଇଥିବାରୁ ହଜୁରଙ୍କ ମାଇନା ସକାଶେ ପଠାଇଲି । ଏଇ ବଙ୍ଗଳା ମଧ୍ୟରେ ଆସାମୀ ରାଘବ ମହାନ୍ତି ମତୁଆଲା ଅବସ୍ଥାରେ ପଡ଼ିଥିବା ହାଲତରେ ଗ୍ରେପ୍ତାର ହୋଇଛି । ନଂ ୩ ଆସାମୀ ଚୋରି ଟଙ୍କାରୁ ୫୦୦ ଟଙ୍କା ଭାଗସ୍ୱରୂପ ପାଇଥିଲା । ସେହି ଟଙ୍କା ଏବଂ ନାଜର ଅନୁପସ୍ଥିତ ସମୟରେ ତାହା ସ୍ତ୍ରୀ ଠାରୁ କେତେକ ଅଳଙ୍କାର ଚୋରିକରି ନେଇଥିଲା । ଏ ସମସ୍ତ ଦ୍ରବ୍ୟ ତାହା ଘରପଛ ପାଉଁଶଗଦାରୁ ବରାମଦ ହୋଇଥିବାରୁ ସ୍ୱତନ୍ତ୍ର ତାଲିକା ମାଫିକେ ହଜୁରରେ ଦାଖଲ କଲି-।
ଏପରି ନଗଦ ଟ୩୬୨/୭ ନଂ ୧ ଆସାମୀ ରାଘବ ମହାନ୍ତି ବିଛଣା ତଳେ ପଡ଼ିଥିଲା । ଅବଶିଷ୍ଟ ଟଙ୍କାରେ ଆସାମୀ ଦୁଇଜଣ ଏବଂ ଆଉ କେତେଜଣ ବଦମାସ ଲୋକ ନାନାପ୍ରକାର ମାଦକ ଏବଂ ଖାଦ୍ୟଦ୍ରବ୍ୟ କିଣି ଆମୋଦପ୍ରମୋଦ କରିଥିବାର ଜଣାଯାଏ । ନଂ ୧ ରାଘବ ମହାନ୍ତି, ନଂ ୩ ଚିତ୍ରକଳା ଆସାମୀମାନଙ୍କୁ ଚାଲାଣ ଦେଲି । ନଂ୨ ଫେରାର ଆସାମୀ ପ୍ରଭୁଦୟାଲ ଭଗତକୁ ଗ୍ରେପ୍ତାର କରିବା ସକାଶେ ହୁଲିଆଜାରି ପ୍ରାର୍ଥନା କରେଁ ।’’
୪ତାରିଖ ମାହେ ଜୁନ୍,
ନୀଳମଣି ବଳବନ୍ତରା
ସନ୍ ୧୮୭୯ ମସିହା ।
ଇ, ଇ, ସଦରଥାନା, କଟକ
–୬୪–
ପ୍ରାୟଶ୍ଚିତ୍ତ ଆରମ୍ଭ
ସାଧାରଣରେ ଦୁଷ୍କୃତକାରୀ ଲୋକ ନିଜକୃତ ପାପର ପ୍ରତିଫଳ ଭୋଗ ସମୟରେ, ଆପଣା ଭାଗ୍ୟକୁ ନିନ୍ଦା କରିଥାଏ । ମନରେ କରେ, ନିର୍ଦ୍ଦୟ ବିଧାତା ତାହା ପ୍ରତି ବିମୁଖ । ହୃଦୟରେ ଅନୁତାପ ନାହିଁ କେବଳ ଉଦ୍ଧାର ପାଇବାରେ ଚେଷ୍ଟା । ଉପସ୍ଥିତ ବିପଦରୁ ମୁକ୍ତି ପାଇବା ନିମନ୍ତେ ଆହୁରି ମଧ୍ୟ କିଛି ପାପ କାର୍ଯ୍ୟ ଅନୁଷ୍ଠାନ କରିବାର ଆବଶ୍ୟକ ହେଲେ ତାହା କରିବାକୁ ସେ କୁଣ୍ଠିତ ନୁହେଁ, କଦାଚିତ ଉପାସ୍ୟ ଦେବତା ଠାରେ ମୁକ୍ତିପ୍ରାର୍ଥୀ ହୋଇଥାଏ—କ୍ଷମାପ୍ରାର୍ଥୀ ନୁହେ । କଦାଚିତ୍ ଉପାସ୍ୟ ଦେବତାଠାରେ ମୁକ୍ତିପ୍ରାର୍ଥୀ ହୋଇଥାଏ—କ୍ଷମାପ୍ରାର୍ଥୀ ନୁହେ । ଅଜ୍ଞାନ ପଶୁବତ୍ ଦୁରାଚାରୀ ଲୋକ ଏହି ଶ୍ରେଣୀଭୁକ୍ତ ବିଦ୍ୟାବନ୍ତ, ସାଧୁ ସମାଜରେ ବର୍ଦ୍ଧିତ ସ୍ୱଭାବ ବା ମନ୍ଦସଂସର୍ଗ ହେତୁ ବିବେକ ଅବଜ୍ଞାକାରୀ ସୁଖବିଳାସୀ ଦାମ୍ଭିକ ଲୋକ ନିଜକୃତ ପାପର ଦଣ୍ଡ ଉପସ୍ଥିତ ସମୟରେ ଅନୁତାପାନଳରେ ଦଗ୍ଧ ହେଉଥାଏ, ଈଶ୍ୱରଙ୍କ ମହା ମହିମ ପବିତ୍ରମୟ ନାମ ସ୍ମରଣ କରିବାକୁ ତାହା ମନରେ ଆତଙ୍କ ଜାତ ହୁଏ, ପ୍ରତିକାରର ଅନ୍ୟ କୌଣସି ଉପାୟ ନାହିଁ । ଅତ୍ୟନ୍ତ ଭୟ ଏବଂ ପ୍ରଗାଢ଼ ଭକ୍ତି ସହିତ ପ୍ରଭୁଙ୍କ ପଦରେ ଅବଶେଷରେ ଆତ୍ମସମର୍ପଣ କରେ ।
କଟକ ଜେଲଖାନା ମଧ୍ୟରେ ଗୋଟିଏ ହାଜତ ଘର, କୋଠାଘରଟା ନିହାତି ବଡ଼ ବା ସାନ ନୁହେଁ, ମଧ୍ୟଭଳି । କାନ୍ଥ ଉପରେ କଡ଼ି କାଠର ହାତେ ଅନ୍ଦାଜ ତଳକୁ ଚାରିପଟରେ ଆଠଗୋଟା ଗୋଲାକାର କଣା (ସାଧୁ ଭାଷାରେ ଯାହାକୁ ଗବାକ୍ଷ ବୋଲାଯାଏ) । ଏହି କଣାବାଟେ ତା ମାଫିକେ ଆଲୁଅ ଓ ପବନ ଘର ମଧ୍ୟକୁ ଆସିଥାଏ । ଗୋଟାଏ ବଡ଼ ଦ୍ୱାର ଜାଉଁଳି କବାଟ ଲଗା । କବାଟ କାଠ ପଟା ଭିଡ଼ା ନୁହେ, ମୋଟା ଲୁହା ବୁଲଟିନ ଲୁହା ବତା ମଧ୍ୟରେ ଗଳାଯାଇ ପ୍ରସ୍ତୁତ, ମୋଟା ଲୁହା ଶିକୁଳିରେ ଦୁଇ କବାଟ ଛନ୍ଦାଯାଇ ଗୋଟିଏ ବଡ଼ ପିତ୍ତଳ ତାଲା ପଡ଼ିଛି । ଗୋଟିଏ ମାତ୍ର ଦୀପରେ ମିଞ୍ଜି ମିଞ୍ଜି ହୋଇ ଆଳୁଅ ଜଳୁଥିବାରୁ ଭିତରର ହାଲ ବାହାର ଲୋକ ପକ୍ଷରେ ଦେଖିବାର ଅସୁବିଧା ହୁଏ ନାହିଁ । ବାହାର ଜଗତ ସଙ୍ଗେ ଘରର ମଧ୍ୟଭାଗ ସମ୍ପୂର୍ଣ୍ଣରୂପେ ସମ୍ପର୍କଶୂନ୍ୟ, ଏକାବେଳକେ ନିସ୍ତବ୍ଧ ।
ଜେଲଖାନାର ଘଣ୍ଟାରେ ବାରଟା ବାଜିବା ସଙ୍ଗେ ସଙ୍ଗେ ସେ ସ୍ଥାନରେ ନିସ୍ତବ୍ଧତା ଭଙ୍ଗକରି ଗୋଟାଏ ଶବ୍ଦ ଶୁଭିଲା ‘‘ହୁକୁମଧର !’’ ମଚ୍ ମଚ୍ ଶବ୍ଦ କରି ପାଞ୍ଚଜଣ ସିପାହୀ ଉପସ୍ଥିତ । ଆଗର ପହରାବାଲା ବଦଳରେ ଆଉ ଜଣେ ସିପାହୀ ବନ୍ଧୁକ କାନ୍ଧରେ ପକାଇ ଛିଡ଼ା ହୋଇଗଲା । ଘର ମଧ୍ୟକୁ ଅନାଇ ଏକ—ଦୁଇ—ତିନି–ଚାରିଜଣ ବନ୍ଦୀକୁ ଗଣିନେଲା । ଆଗନ୍ତୁକ ସିପାହୀମାନେ ଚାଲିଗଲେ । ନୂତନ ପ୍ରହରୀ ମଚ ମଚ୍ କରି ଧୀରେ ଧୀରେ ଟହଲୁଥାଏ । ଘର ମଧ୍ୟରେ ଚାରିଖଣ୍ଡ କମ୍ବଳ ବିଛଣାରେ ଚାରିଜଣ ଆସାମୀ ପଡ଼ିଛନ୍ତି । ସେଥି ମଧ୍ୟରେ ଜଣେ ପାଣ, ଚୋରି ମାମଲାରେ ହାଜତରେ ବନ୍ଦୀ—ଫଁ—ଫଁ ନିଶ୍ୱାସ ପକାଇ ଘୋର ନିଦରେ ଶୋଇଯାଇଛି । ଦ୍ୱିତୀୟ ବନ୍ଦୀ ତୁଚ୍ଛା ଏକଡ଼ ସେକଡ଼ ହେଉଛି । ବେଳେ ବେଳେ ଉଠପଡ଼ ହୋଇ ଦେହଯାକ ହାତ ବୁଲାଇ ପୁଣି ଶୋଇ ପଡ଼ୁଛି । ଏହି ଲୋକ ଜଣେ ଜମିଦାର, ଆଉ ଜଣେ ଜମିଦାର ସହିତ ଦଙ୍ଗା କରିଥିବା ଅପରାଧରେ ବନ୍ଦୀ । ତୃତୀୟ ବନ୍ଦୀ ଗୋଟାଏ ବଡ଼ଲୋକର ପୁଅ–ପୈତୃକ ସମ୍ପତ୍ତି ଅପବ୍ୟୟ କରି ଅବଶେଷରେ ଖଣ୍ଡିଏ ଜାଲ ହେଣ୍ଡନୋଟ୍ ପ୍ରସ୍ତୁତ କରିଥିବା ଅପରାଧରେ ଫୈାଜଦାରୀ ସଂପ୍ରଦ ହୋଇଅଛି । ଶୋଇବା କମ୍ବଳ ଖଣ୍ଡରେ ଛାରପୋକ ଥିବାରୁ ଦୂରକୁ ଫୋପାଡ଼ି ଦେଲାଣି, ପଟାସ୍ ପଟାସ୍ କରି ଦେହରେ ଚାପୁଡ଼ା ବାଡ଼େଇ ହେଉଛି ଏବଂ ନିତାନ୍ତ ଅସ୍ଥିର ଭାବରେ ଉଠ ବସ ହେଉଛି । କେତେଥର ମଧ୍ୟ କାନ୍ଦି ପକାଇଲାଣି । ଚତୁର୍ଥ ଆସାମୀ ନିଶ୍ଚଳ ଭାବରେ ଦୁଇହାତ ଯୋଡ଼ି ଧ୍ୟାନମଗ୍ନ ପରି ବସିଛି, ବେଳେ ବେଳେ ଉପରକୁ ଅନାଇ ଭକ୍ତିଭାବରେ ନମସ୍କାର କରୁଛି । ମନରେ ଦୁଃଖ ନାହିଁ, ସନ୍ତାପ ନାହିଁ—ଗଭୀର ତଡ଼ାଗବତ୍ ସ୍ଥିର ଗମ୍ଭୀର ହୃଦୟ ।
ଗୋଟିଏ ଉପ୍ତ ବୀଜ ଉପରେ ଖଣ୍ଡିଏ ପାଷାଣଚାପ ପଡ଼ିଥିଲା, ଆଲୁଅ, ଜଳ ବା ପବନ ନ ଲାଗିବାରୁ ଗଜା ବାହାରି ପାରିନାହିଁ । ହେଲେ ବୀଜଟି ନଷ୍ଟ ହୋଇନାହିଁ, ଠିକ୍ ସେହିପରି ଅଛି । ଦୀର୍ଘକାଳ ଉତ୍ତାରେ ପ୍ରସ୍ତରଖଣ୍ଡ ଘୁଞ୍ଚିଯିବାରୁ ବାହାର ଆଲୋକ ପାଇ ବୀଜରୁ ଗଜା ବାହାରି ପଲ୍ଲବିତ ହେଲା । ନଟବର ଦାସ ନିର୍ମଳ ବଂଶଜ ବୈଜିକ ପବିତ୍ରତା କିଛିମାତ୍ର ହେଲେ ହୃଦୟ ମଧ୍ୟରେ ନିହିତ ରହିବାର କଥା । ବାଲ୍ୟକାଳଟା ମଧ୍ୟ ସାଧୁ ସହବାସରେ ଅତିବାହିତ ହୋଇଅଛି । ବୃଦ୍ଧ ବିଷ୍ଣୁଶର୍ମାଙ୍କ ଉକ୍ତି—ଯୈାବନ, ଧନ, ସମ୍ପତ୍ତି, ପ୍ରଭୁତ୍ୱ, ଅବିବେକିତା ଗୋଟିଏ ଗୋଟିଏ ଅନର୍ଥର କାରର ଅଟେ । ନଟବର ଦାସଙ୍କଠାରେ ସହସା ସମ୍ପୂର୍ଣ୍ଣ ରୂପେ ଏକାବେଳକେ ସମସ୍ତ ଉପସ୍ଥିତ । ପୁଣି ନୀତିବେତ୍ତାମାନେ ବୋଲିଛନ୍ତି, ଯୌବନକାଳଟା ପାପ ଏବଂ ପୁଣ୍ୟର ଜନ୍ମଭୂମି । ପଥପ୍ରଦର୍ଶକ ଆହ୍ୱାନରେ ମାନବ ପାପମାର୍ଗ ବା ପୁଣ୍ୟମାର୍ଗ ଅନୁସରଣ କରିଥାଏ ।
ପ୍ରଥମ ସଂସାର କାର୍ଯ୍ୟକ୍ଷେତ୍ରରେ ପ୍ରବେଶ ସମୟରେ ନଟବର ଦାସଙ୍କ ଠାରେ ସମସ୍ତ ଉତ୍ପାତର କାରଣ ଏକାବେଳକେ ଉପସ୍ଥିତ, ପୁଣି ସେ ନିରଙ୍କୁଶ । ଭଗବାନ ବାସୁଦେବ କହିଛନ୍ତି, ‘କାମ, କ୍ରୋଧ, ଲୋଭ ଏହି ତିନିଗୋଟି ନରକର ଦ୍ୱାର ।’ ନଟବର ଦାସଙ୍କ ହୃଦୟରେ ଯେତେ ସଦ୍ଗୁଣ ପ୍ରଚ୍ଛନ୍ନଭାବରେ ନିହିତ ଥାଉ ପଛକେ, ସ୍ୱଭାବରେ ତାହାଙ୍କ ସମ୍ମୁଖରେ ଏହି ତିନିଦ୍ୱାର ଉନ୍ମୁକ୍ତ । ବର୍ତ୍ତମାନ ପାପକର୍ଯ୍ୟର ପରିଣାମ ଫଳ ଉପସ୍ଥିତ । ବିକାରର ସମସ୍ତ କାରଣ ଅପସାରିତ ହୋଇଅଛି । ନଟବରଙ୍କ ହୃଦୟନିହିତ ଧର୍ମବୀଜଟି ଯେମନ୍ତ ସହସା ଅଙ୍କୁରିତ ଓ ପଲ୍ଲବିତ ହୋଇଉଠିଲା ।
ଆମ୍ଭେମାନେ ଜ୍ଞାନ-ନେତ୍ର ଉନ୍ମୀଳନ କରି ଦେଖିଲେ ସ୍ପଷ୍ଟକରି ଦେଖୁଁ, ବିପଥଗାମୀ ମାନବାତ୍ମାକୁ ସୁମାର୍ଗକୁ ଫେରାଇ ଆଣିବା ନିମନ୍ତେ ଭଗବାନ୍ ଯେମନ୍ତ ବିପଦରୂପ ପ୍ରବଳ ପଥପ୍ରଦର୍ଶକ ପ୍ରେରଣ କରିଥାନ୍ତି ।
ମୁଦ୍ରିତ ନେତ୍ର ନଟବର ଦାସେ ଧ୍ୟାନନିମଗ୍ନବତ୍ ଉପବିଷ୍ଟ । ମନ ମଧ୍ୟରେ ଚିନ୍ତା କରୁଛନ୍ତି–ହାୟ ! ଏତେବେଳେ ମଧ୍ୟ ମିଥ୍ୟା କଥା ! ମେଜେଷ୍ଟର ସାହେବଙ୍କ ପ୍ରଶ୍ନର ଉତ୍ତର ଦେଲି, ମୁଁ ନିର୍ଦ୍ଦୋଷ । ମୁଁ ନିର୍ଦ୍ଦୋଷ ? ଜଗତରେ ଆଉ ଦୋଷୀ କିଏ ? କେଉଁ ପାପ ବାକି ? ସମସ୍ତ ପ୍ରକାର ପାପ ସମ୍ପୂର୍ଣ୍ଣ ରୂପେ ଅନୁଷ୍ଠାନ କରିଛି । ମୁଁ କ’ଣ ସରକାରୀ ତହବିଲ ତସରୋଫ କରିଛି ? ସେଥି ସକାଶେ ଏହି ଦଣ୍ଡ ? ନିଶ୍ଚୟ ନୁହେଁ, ମୋହରି ଅନୁଷ୍ଠିତ ପାପ ସକାଶେ ଘୋର ଦଣ୍ଡ ଆବଶ୍ୟକ-। ନିଶ୍ଚୟ ଏହି ଦଣ୍ଡ ପର୍ଯ୍ୟାପ୍ତ ନୁହେଁ । ବୋଧକରେ, ଏହା ଆରମ୍ଭ ମାତ୍ର । ମୁଁ ଯେଉଁ ନରକକୁ ଯିବି, ତାହା ପ୍ରସ୍ତୁତ ହେଉଛି । ମୋହର ପ୍ରତ୍ୟେକ ପାପ ଅମାର୍ଜନୀୟ । ମା—ମା–ମା— ଚିରରୋଗିଣୀ ମା’ ! ତୁମ୍ଭ ପ୍ରତି ମୋହର କର୍ତ୍ତବ୍ୟ ପାଳନ କରିନାହିଁ । ତୁମ୍ଭର ସ୍ନେହ, ତୁମ୍ଭର ମାୟା ଦିନେ ମାତ୍ର ହେଲେ ସ୍ମରଣ କରିନାହିଁ । ମା’-ମା’-ମା’ ! ତୁମ୍ଭର ଚିରଜୀବନ ସଞ୍ଚିତ କେତୋଟି ଟଙ୍କାର ଉପସ୍ୱତ୍ୱ, ବ୍ୟାଧଗ୍ରସ୍ତ ଶରୀରର ତେତିକି ମାତ୍ର ଅବଲମ୍ବନ, ଅଫିମ ଟିକିଏ ଖାଇ ବଞ୍ଚିଅଛ । ତୁମର ନ୍ୟାଯ୍ୟ ପ୍ରାପ୍ୟ ଯୋଡ଼ାଏ ଟଙ୍କା ଦେଲି ନାହିଁ, କର୍କଶ ଭାଷାରେ ଚିଠି ଲେଖିଲି, ‘ତୁମ୍ଭର ପ୍ରାପ୍ୟ ନାହିଁ, ଯାହା ଦେଉଛି ମୋ ଅନୁଗ୍ରହ ।’ ମା ! ଚିଠି ପଢ଼ି ତୁମ୍ଭ ଅନ୍ତର ଆତ୍ମାକୁ କେଡ଼େ ବାଧିଥିବ । ତେତିକିବେଳେ ଅଭିଶାପ ଦେଇ ମୋତେ ବିନାଶ କରିଥିଲେ ଅନ୍ତତଃ ଅନେକ ନିରୀହ ପ୍ରାଣୀ ରକ୍ଷା ପାଇଥାନ୍ତେ-। ମା ! ଦୟାବତୀ ଜନନୀ ! ଶୁଣିଛି ମୋହର ଅମଙ୍ଗଳ ହେବ ବୋଲି ଦୀର୍ଘନିଶ୍ୱାସଟା ମଧ୍ୟ ପକାଇ ନାହୁଁ । ଧାଈମା ! ଧାଈମା ! କେତେ ଯତ୍ନରେ, କେତେ ପରିଶ୍ରମରେ ମୋ ମଳ ମୂତ୍ର କାଢ଼ି ମୋତେ ବଢ଼ାଇଥିଲ । ମନରେ ପଡ଼ୁଛି, ଟିକିଏ ମାତ୍ର ଜ୍ୱର ହେଲେ ଆହାର ନିଦ୍ରା ଛାଡ଼ି ରାତିଯାକ ମୋତେ କୋଳରେ ଧରି ବସିଥାଅ । ଦିନେ ହେଲେ ତୁମ୍ଭକୁ ଭକ୍ତି କରନାହିଁ । ଉପକାର ଥାଉ, କର୍କଶ କଥା କହି ତୁମ୍ଭ ମନରେ ଦାରୁଣ କଷ୍ଟ ଦେଇଛି । ଅନେକ ଥର ତୁମ୍ଭ ହିତକଥା, ସଦୁପଦେଶ ଅଗ୍ରାହ୍ୟ କରିଛି । ନିତାନ୍ତ ପ୍ରତାରଣା କରି ତୁମ୍ଭଠାରୁ ରିପୋର୍ଟ ଲେଖାଇ ନେଇଛି । ତୁମ୍ଭ ନୟନପ୍ରତିମା କନ୍ୟାର ସର୍ବସ୍ୱ ଅପହଣକାରୀ ମୁଁ । ଘୋର ବିପଦ ସମୟରେ କେତେ ଚାତୁରୀ କରି, ତୁମ୍ଭର ସର୍ବସ୍ୱ ଅପହରଣ କଲି । ଅନ୍ନ ବସ୍ତ୍ରରେ ପର୍ଯ୍ୟନ୍ତ କଷ୍ଟ ଦେଇଛି । କେତେ ନିରାଶ୍ରୟା କେତେ ବିଧବା, ଦାରୁଣ ଯନ୍ତ୍ରଣା ଭୋଗକରି ହାହାକାର କରିଛନ୍ତି । ଦୟାବତୀ ଧାଈମା ! ଆସି ଦେଖ ସେମାନଙ୍କ କ୍ରନ୍ଦନ ଧ୍ୱନି ତୁମ୍ଭର ପାପିଷ୍ଠ ପ୍ରିୟ ପୁତ୍ରର ଅନ୍ତର ଆତ୍ମାକୁ କିପରି ଜାଳିପୋଡ଼ି ଦେଉଛି ! ଧାଈମା ! ଦୟାବତୀ ପୁଣ୍ୟଶୀଳା ଧାଈମା, ମୁଁ ତୁମ୍ଭର ସର୍ବନାଶକାରୀ ହେଲେ ମଧ୍ୟ ଦିନେହେଲେ ମୋତେ କଟୁକଥା କହିନାହିଁ, ମୋହର ଅମଙ୍ଗଳ କାମନା କରିନାହିଁ । ଧାଈମା ! ତୁମେ କ୍ଷମା କରିଛ—ଧର୍ମ, କ୍ୟାଁ କ୍ଷମା କରିବ ? ତାହା ହେଲେ ଯେ ପୃଥିବୀରୁ ନ୍ୟାୟ ବିଚାର ଉଠିଯାଇ ଲଣ୍ଡଭଣ୍ଡ ହୋଇଯିବ, ପୃଥିବୀ ପାପମୟ ହୋଇଯିବ, ଜନସମାଜ ଉଚ୍ଛନ୍ନ ହୋଇଯିବ । ଚାନ୍ଦମଣି ! ରାଣୀ ଚାନ୍ଦମଣୀ ! ଧାର୍ମିକା ସରଳା, ପୂଣ୍ୟବତୀ ଚାନ୍ଦ ! ମୋତେ କେତେ ଭଲପାଅ, କେତେ ଭକ୍ତିକର ! ତୁମ୍ଭର ଦାରୁଣ କଷ୍ଟ ସମୟରେ ତୁମ୍ଭର କେତେ ଅନିଷ୍ଟ କରିଛି, ନିତାନ୍ତ ପ୍ରତାରଣା ପୂର୍ବକ ତୁମ୍ଭର ସର୍ବସ୍ୱ ହରଣ କରିଛି, ଜଗତର କେହି ମହାପାପୀ ହେଲେ ଏହି ପୈଶାଚିକ କାର୍ଯ୍ୟ କରିବାକୁ ଲଜ୍ଜିତ ହୁଅନ୍ତା । ନିତାନ୍ତ କପଟ ସାନ୍ତ୍ୱନା ଦେଇ ତୁମ୍ଭ ଶିଶୁ ପୁତ୍ରମାନଙ୍କର ଯେଉଁ ଧନ ହରଣ କରିଛି, ତାହା ଯଦି ଭୋଗ କରେ, ଜଗତରେ ଧର୍ମାଧର୍ମ, ନ୍ୟାୟାନ୍ୟାୟ ସର୍ବୈବ ମିଥ୍ୟା । ଜଗତରେ ସର୍ବଦର୍ଶୀ, ସର୍ବନିୟନ୍ତା ପରମେଶ୍ୱର ନାହାନ୍ତି ।
ଦୁର୍ଭାଗା ନରିପୁର ପ୍ରଜାଗଣ ! ଧାର୍ମିକ, ପରୋପକାରୀ ତୁମ୍ଭମାନଙ୍କର ରକ୍ଷକକୁ ହରାଇ ଆଠବର୍ଷ କାଳ ଗୋଟାଏ ରକ୍ତପିପାସୁ ରାକ୍ଷସ ହାତରେ ପଡ଼ିଥିଲ । ଭୟ ନାହିଁ, ଦୟାମୟ ପ୍ରଭୁ ତୁମ୍ଭମାନଙ୍କ କ୍ରନ୍ଦନଧ୍ୱନି ଶୁଣିଲେଣି । ଶତ ଶତ ପ୍ରଜାଙ୍କ ଧନ ଲୁଟି ନେଇଛି, ଜୀବନର ଏକମାତ୍ର ଅବଲମ୍ବନ ଚାଷଜମି ଖଣ୍ଡମାନ ହରାଇ ଶତଶତ ପ୍ରଜା କୁଆଡ଼େ ଭିକ ମାଗି ବୁଲୁଛନ୍ତି । ଆହା ! ପିତୃହୀନ ମୋହର ଭଣଜା ପିଲା ଦିଓଟି । ଛଳରେ କହୁଥିଲି—ତୁମ୍ଭମାନଙ୍କ ସର୍ବସ୍ୱ ଚୋରି କରିବା ପାଇଁ କପଟରେ କହୁଥିଲି, ତୁମ୍ଭେମାନେ ମୋ ନୟନର ପ୍ରତିମା, ସତ୍ୟ ସତ୍ୟ ତୁମ୍ଭେମାନେ ମୋ ଜୀବନର ଅବଲମ୍ବନ । ମୁଁ ଆଣ୍ଠୁକୁଡ଼ା, ନାରକୀ ତୁମ୍ଭମାନଙ୍କ ଆଶ୍ରୟରେ ଉଦ୍ଧାର ପାଇଥାନ୍ତି । ଆଠବର୍ଷ କାଳ ଦିନରାତି ତୁମ୍ଭମାନଙ୍କ ଅମଙ୍ଗଳ କାମନା କରିଛି, ତୁମ୍ଭେମାନେ କିଛି କଥା ଜାଣି ନାହିଁ । ହେଲେ, ସର୍ବଦର୍ଶୀ ଭଗବାନଙ୍କୁ କିଏ କ’ଣ ଲୁଚାଇବ ? ହାୟ ହାୟ ! ଏହି ଘୋର ବିପଦ କାଳରେ ସାନ୍ତ୍ୱନା ଦେଇ ପଦେ କଥା କହିବାକୁ ପାଖରେ କାହାକୁ ଦେଖୁନାହିଁ । କିଏ କାହିଁକି ପାଖକୁ ଆସିବ ? କାହାର ମର୍ଯ୍ୟାଦା ରଖିଛି ? କାହାର କି ଉପକାର କରିଛି ଯେ ପ୍ରତ୍ୟୁପକାର ପ୍ରତ୍ୟାଶା କରିବି ? ଗ୍ରାମରୁ କେହି ଜଣେ ଲୋକ ବସାକୁ ଆସିଲେ ଭାତ ମୁଠାଏ ଦେବାକୁ ହେବ ବୋଲି କର୍କଶ କଥା କହି ତଡ଼ିଦିଏଁ । ଲକ୍ଷାବଧି ଟଙ୍କା ଉପାର୍ଜନ କରି, ଦିନେହେଲେ ପଇସାଟିଏ କ୍ଷୁଧାର୍ତ୍ତ କାଙ୍ଗାଳୀଙ୍କୁ ଦେଇନାହିଁ । ଦେହର ରକ୍ତ ପରି ଟଙ୍କା ସଞ୍ଚୟ କରିଥିଲି, ଏହି ଘୋର ବିପଦ ସମୟରେ ତ ପଇସାଏ ଉପକାରକୁ ଆସିଲା ନାହିଁ । ପାପଧନ କି ବିପଦରୁ ଉଦ୍ଧାର କରିପାରେ ? ଡାଇସନ ସାହେବ ! ମୋହର ସମସ୍ତ ଉନ୍ନତିର ମୂଳାଧାର ତୁମ୍ଭେ ! ମୋହର ଯେତେ ଗୌରବ ଓ ସମ୍ମାନ, ସବୁ ତୁମ୍ଭ ସକାଶେ ମୋତେ ପୁତ୍ର ପରି ସ୍ନେହ କରୁଥିଲ, ହେଲେ ମୁଁ ତୁମର କେତେ ଟଙ୍କା ଚୋରେଇ ନେଇଛି କେତେଥର ଠକାଇଛି । କେଡ଼େ ଦୟାଳୁ ତୁମ୍ଭେ । ଚାନ୍ଦମଣି ବିଧବା ହେଲେ ତାହାର ଜାଲ୍ ରିପୋର୍ଟ ତୁମ୍ଭଠାରେ କୋଠିରେ ତୁମ୍ଭ ହାତରେ ଦେଇ ଆଖିରେ ଗୋଲମରିଚ ଗୁଣ୍ଡଦେଇ ମିଛରେ କେତେ କାନ୍ଦିଲି ଦେଖିଛ, ମୋ କ୍ରନ୍ଦନରେ ତୁମ୍ଭେ କାତର ହୋଇପଡ଼ିଲ, ମୋ ଠକପଣ କିଛି ମାତ୍ର ବୁଝିପାରିଲ ନାହିଁ, ରିପୋର୍ଟ ମଞ୍ଜୁର କରିଦେଲ । ତୁମ୍ଭେଥିଲେ କି ମୁଁ ଜେଲକୁ ଆସିଥାନ୍ତି ? କ୍ୟାଁ କରିବ ? ଏତିକିବେଳେ ପରମେଶ୍ୱର କି ତୁମ୍ଭକୁ ବିଲାତ ପଠାଇ ଦେଇଛନ୍ତି ? ପ୍ରଭୋ ! ପ୍ରଭୋ !! ମୁଁ ଦେଖୁଛି, ମୋ କଳଙ୍କିତ ଜୀବନର ଶୋଧନ ନିମନ୍ତେ ଏହି ବିପଦ ପ୍ରେରଣ କରିଛି । ପ୍ରଭୋ ! ତୁମ୍ଭ ଇଚ୍ଛା ମୋ ଜୀବନରେ ସଫଳ ହେଉ, ଆଜି କିଛି ଭରସା ନାହିଁ । ହା ପ୍ରଭୁ ଦୟାମୟ ! ଏବେ ତୁମ୍ଭେ ଏକମାତ୍ର ସାହା । ଚିତ୍ରକଳା ! ପ୍ରଭୁଦୟାଲ ! ତୁମ୍ଭେମାନେ ମୋହର ନରକମାର୍ଗର ସଙ୍ଗୀ ଥିଲ, ଏତେବେଳେ ପ୍ରକୃତ ବନ୍ଧୁଗଣର କାର୍ଯ୍ୟ କରିଛ; ଆଉ ଯେମନ୍ତ ନରକମାର୍ଗକୁ ଅଗ୍ରସର ହୋଇ ନ ପାରେ, ସେଥିର ଉପାୟ କରିଦେଇ ପ୍ରକୃତ ବନ୍ଧୁର କାର୍ଯ୍ୟ କରିଛ-। ତୁମ୍ଭମାନଙ୍କୁ ନମସ୍କାର । ଏତେବେଳେ ତୁମ୍ଭେମାନେ ମୋହର ଭବିଷ୍ୟତ ଜୀବନର ହିତକାରୀ । ତୁମ୍ଭମାନଙ୍କ ସକାଶେ ମୁଁ ଏଠାରେ ଉପସ୍ଥିତ । ଭଲ କରିଛ, ଆହୁରି କେତେକ ପାପାନୁଷ୍ଠାନ କରିଥାନ୍ତି, ଅବୋଧ ସରଳ ଶିଶୁ ଦିଓଟିଙ୍କର ସର୍ବନାଶ ସାଧନ କରି ଅନନ୍ତ ନରକ ଭୋଗ କରିଥାନ୍ତି-। ମୋ ଗମ୍ୟ ମାର୍ଗରେ କଣ୍ଟକ ପକାଇଲ, ଆଉ ଅଗ୍ରସର ହୋଇପାରିବି ନାହିଁ । ତୁମ୍ଭମାନଙ୍କୁ ଆଉଥରେ ନମସ୍କାର କରୁଛି ।
ବିଶାଖା ଦେଈ ! ତୁମେ ମୋର ଧର୍ମପତ୍ନୀ । ତୁମ୍ଭେ ଯାହା ହୁଅ ଯଜ୍ଞାଗ୍ନି ସାକ୍ଷାତରେ ଦଶଦିଗପାଳଙ୍କୁ ସାକ୍ଷୀକରି ପ୍ରତିଜ୍ଞା କରିଥିଲି, ପବିତ୍ର ଭାବରେ ତୁମ୍ଭଙ୍କୁ ପ୍ରେମ କରିବି । ଚିରକାଳ ତୁମ୍ଭ ସହିତ ପ୍ରତାରଣା କରି ପଶୁତୁଲ୍ୟ ଜଘନ୍ୟ କାର୍ଯ୍ୟ କରିଛି । ମୋ କପଟ କଥାରେ ଭୁଲି ମୋତେ ଦେବତାତୁଲ୍ୟ ସମ୍ମାନ କରୁଥିଲ । ତୁମ୍ଭଠାରେ ଆଉ କିଛି ଗୁଣ ଥାଉ ବା ନ ଥାଉ, ପରମାସତୀ, ପତିପରାୟଣା । କଳୁଷିତ ହସ୍ତରେ ତୁମ୍ଭ ପବିତ୍ର ଅଙ୍ଗ ସ୍ପର୍ଶ କରିଚି । ତୁମ୍ଭେ ବର୍ତ୍ତମାନ ନିତାନ୍ତ ଅସହାୟା, ତୁମ୍ଭ ଧର୍ମ ତୁମ୍ଭଙ୍କୁ ରକ୍ଷା କରିବ । ଭାଇ ବାନାବର ! ତୁମ୍ଭ ପାଦପଦ୍ମରେ କୋଟି କୋଟି ନମସ୍କାର । ତୁମ୍ଭ ପରିଶ୍ରମ-ଜାତ ଧାନ ମୁଠାକରୁ ପୈତୃକ ଭାଗ ବୋଲି ଅଧେ କାଢ଼ି ନେଇଛି-। ତୁନି ହୋଇ ଧାନ ମାପି ଦେଇଛ, ଦିନେ ହେଲେ କଟୁ କଥା କହି ନାହଁ ।
‘‘ପିତା ଧର୍ମଃ ପିତା ସ୍ୱର୍ଗଃ ପିତାହି ପରମ ତପଃ—’’ ହେ ସ୍ୱର୍ଗସ୍ଥ ପିତୃଦେବ ! ଏହି ଅଧମ, ପାପିଷ୍ଠ, ଦୁରାଚାର, କୁଳାଙ୍ଗାର, ବଂଶର ସର୍ବନାଶକାରୀ, ସ୍ୱାର୍ଥପର ଅଧମ ସନ୍ତାନ ତୁମ୍ଭ ପବିତ୍ର ନାମ ଉଚ୍ଚାରଣ କରିବାର ଅଯୋଗ୍ୟ, କ୍ଷମା କର ।
ହେ ଦୟାମୟ ପରମେଶ୍ୱର ! ହେ ପରମପିତା ! ଦିନେ ହେଲେ ଭକ୍ତି କରି ତୁମ୍ଭ ନାମ ଉଚ୍ଚାରଣ କରିନାହିଁ । ବର୍ତ୍ତମାନ ତୁମ୍ଭର ମହାପବିତ୍ର ନାମ ସ୍ମରଣ କରିବାକୁ ପ୍ରାଣରେ ଆତଙ୍କ ଉପସ୍ଥିତ ହେଉଛି । ଲୋକଙ୍କୁ ଭୁଲାଇବା ପାଇଁ ତୁଚ୍ଛାଟାରେ ତୁଳସୀ ମାଳଟାଏ ହାତରେ ଧରିଥାଏ । ପ୍ରଭୋ ! ପ୍ରଭୋ ! ତୁମ୍ଭ ନାମରେ ମଧ୍ୟ ପ୍ରତାରଣା ! ହେ ପତିତପାବନ ! ଅରକ୍ଷର ରକ୍ଷକ ! ହେ ଦୀନ ଦୟାମୟ ! ରକ୍ଷା କର, ରକ୍ଷା କର । ପ୍ରଭୁ ! ମୁଁ ପାପୀ–ମୋ’ଠୁଁ ବଳି ଜଗତରେ ପାପୀ ନାହିଁ-। ମୁଁ ଯେଡ଼େ ପାପୀ ହୁଏ ପଛକେ, ମୋ ପାପର ସୀମା ଅଛି, ତୁମ୍ଭର କରୁଣା ଅନନ୍ତ, ଅବଶ୍ୟ ରକ୍ଷା ପାଇବି । ଯେଉଁ ଦଣ୍ଡ ଇଚ୍ଛା ଦିଅ–ତୁମ୍ଭଙ୍କୁ ନମସ୍କାର ! ନମସ୍କାର ।
ଏହି ସମୟରେ ନଟବର ଦାସଙ୍କ ପ୍ରାଣରେ କେମନ୍ତ ଗୋଟାଏ ବଳ–କେମନ୍ତ ଗୋଟାଏ ଶାନ୍ତି ଆସିଲା । ସବୁକଥା ଭୁଲି ଚିତ୍କାର କରି ହାତଯୋଡ଼ି ଡାକିଲେ, ‘ପ୍ରଭୋ ! ପ୍ରଭୋ ! ରକ୍ଷାକର ! ରକ୍ଷାକର ।’ ସଙ୍ଗେ ସଙ୍ଗେ ଭୟଙ୍ଗର ଚିତ୍କାର କରି ଗୀତ ଗାଇବାକୁ ଆରମ୍ଭ କଲେ—
ଭାସିଲି ଦୁଃଖ-ସିନ୍ଧୁ ଜଳେ,
ରଖ ରଖ ମହାପ୍ରଭୁ, ଅଭୟ ପଦକମଳେ । (ଘୋଷା)
ମୋ ଜୀବନ ଖଣ୍ଡ ଖଣ୍ଡ ହେଉ ପ୍ରଭୁ ଦିଅ ଦଣ୍ଡ,
ଜୀବନ ଶୋଧନ ହେଉ ତୁମ୍ଭ ହସ୍ତରେ,
ଭରସା ତ ଦେଖେ ନାହିଁ ଆନ ନେତ୍ରରେ,
ନିଶିଦିନ ପୋଡ଼େ ପ୍ରାଣ ଦାରୁଣ ପାପ-ଅନଳେ ।
ନଟବର ଦାସଙ୍କ ସଙ୍ଗୀତ ଶୁଣି ଅନ୍ୟ ତିନିଜଣ ବନ୍ଦୀ ଉଠି ବସିଲେଣି । ସେମାନଙ୍କ ହୃଦୟରେ ଯେମନ୍ତ କିଏ ଅମୃତ ଢାଳି ଦେଉଛି । ହାତଯୋଡ଼ି ସ୍ଥିରଭାବରେ ବସି ସଙ୍ଗୀତ ଶୁଣୁଛନ୍ତି, ଆପଣା ଆପଣା ବିପଦ କଥା ଯେମନ୍ତ କ୍ଷଣକ ପାଇଁ ଭୁଲି ଗଲେଣି । ପ୍ରହରୀ ସିପାହୀ ଆପଣା କର୍ତ୍ତବ୍ୟ ଭୁଲି ଯାଇଛି । ବନ୍ଧୁକଟା କାନ୍ଧରେ ପକାଇ ପିତୁଳାଟା ପରି ଗୀତ ଶୁଣୁଥିଲା । ତା ମନରେ ମଧ୍ୟ ଯେମନ୍ତ କିଏ ଶାନ୍ତି-ସୁଧା ଢାଳି ଦେଉଛି ! ଭୋର ହୋଇ ଗଲାଣି, ପ୍ରହରୀ ଚମକିପଡ଼ି ଡାକିଦେଲା, ‘‘ଏ କଏଦୀ ! ଚୁପ କର, ଏଠାରେ ପାଟି କରିବାକୁ ମନା । ଦୁଇ ଚାରିଥର ଡକାଡ଼କିରେ କଏଦୀ ତୁନି ହେଲା, କନ୍ତୁ ପୂର୍ବବତ୍ ହାତଯୋଡ଼ି ଧ୍ୟାନମଗ୍ନ ।
–୬୫–