ମାମୁ
ଫକୀରମୋହନ ସେନାପତି · ଭାଗ ୧୫ / ୨୪
ସମ୍ପୂର୍ଣ୍ଣ ସୂଚୀପତ୍ର
ଶାଶୁଙ୍କ ଆଗମନ
ଆଜି ରବିବାର, କଚେରି ବନ୍ଦ । ହେଲେ କ’ଣ ହେବ, ନାଜର ବାବୁଙ୍କ ହାତରେ କାମର ଭିଡ଼ ସବୁଦିନେ । ସାହେବ ମଫସଲ ଗସ୍ତରେ ଅଛନ୍ତି, ତାଙ୍କ ପାଖକୁ ଡାକ ପଠାଇବାକୁ ହେବ । ମହାଫିସଖାନାରେ ଆଠଗୋଟା ଆଲମାରି ଲୋଡ଼ା, ଚାରିଜଣ ବଢ଼େଇ ହାଜର । ଆଲମାରି ଦାମ ତ ସରକାରୀ ବନ୍ଧା, କେବଳ ନାଜର ବାବୁଙ୍କ ରୋଷମ ସକାଶେ ତିନିଘଣ୍ଟା କାଳ କଷାକଷି । ଶେଷରେ ବକ୍ସିବଜାରର ମଦନ ମହାରଣା ଟଙ୍କାରେ ସୋଇ ରୋଷମ କବୁଲ କରି ବଇନା ଟଙ୍କା ରସିଦ ଦେଇ ଚାଲିଗଲା । ଏସବୁ କାମ ଅଞ୍ଜାମ କରି ବସାକୁ ବାହୁଡ଼ିବାକୁ ରୋଜିକାପରି ସଞ୍ଜ । ଜଳଖିଆ କରି ଭିତର ଅଗଣାରେ ଗୋଟିଏ ମାଞ୍ଚିଆ ଉପରେ ବସିଛନ୍ତି–ନାଜରାଣୀ ତଳେ ବସି ପାନଖିଲ ଭାଙ୍ଗିବାରେ ବ୍ୟସ୍ତ । ଚିତ୍ରକଳା ଗୁଡ଼ାଖୁ ସାଜି ଆଣିଲା, ଭଲକରି ଚିଲମଟା ଫୁଙ୍କିଦେଇ ବାବୁଙ୍କ ହାତକୁ ବଢ଼ାଇଦେଲା । ଆଜିକା କଚେରି ରୋଜଗାର ଆଲମାରି ତିଆରି ବାବଦ ଦଶଟଙ୍କା ନାଜରାଣୀ ଏଯାଏ ବାକ୍ସରେ ରଖି ନାହାନ୍ତି, ଥାକ ହୋଇ ଆଗରେ ଥୁଆ ଅଛି–ସେହି ଟଙ୍କାରେ ନଜର ପଡ଼ିବାରୁ ଦୁଇଜଣଙ୍କ ମନରେ ଭାରି ଆନନ୍ଦ । ଚିତ୍ରକଳା ତୁହାକୁ ତୁହା ଚିଲମଟା ବଦଳାଇ ପକାଇଛି । କିଛିକ୍ଷଣ ଉତ୍ତାରେ ନାଜର ବାବୁ ମାଳଝୁଲିଟା ତଲବ କଲେ, ଏଇଟା ବାହାରକୁ ବାହାରିବାର ପୂର୍ବ ସଙ୍କେତ । ଝୁଲିଟା କାନ୍ଥରେ ବାଡ଼ିଆ ଗୋଟାଏ ଲୁହାକଣ୍ଟାରେ ଟଙ୍ଗା ହୋଇଥାଏ–ବାହାରକୁ ବାହାରିବା ବେଳେ ହାତରେ ପୂରାଇ ବାହାରନ୍ତି । ନାଜରାଣୀ କହିଲେ, “ତୁମେ ତ ମନ୍ଦିରକୁ ବାହାରିଲ, ଦିନ ଓଳାଟା ସଟ ବଟାରେ, ଚଳିଗଲା, ରାତି ଓଳିଟା କ’ଣ କରାଯିବ-? ଆଗ କଥା ତ ନୁହେଁ, ଭଣଜା ବାବୁ ଅଛି, ତାହାର ଚାକରଟା ବି ଅଛି, ସେମାନଙ୍କର ଚିନ୍ତା କ’ଣ ଊଣା ଚିନ୍ତା ?” ନାଜର ବାବୁ କହିଲେ, “ସତ–ସତ, ଆଚ୍ଛା–ଆଚ୍ଛା ମୁଁ ଯାଉଛି ପିଆଦା ପଠାଇ ଜଣେ ରୋଷେୟା ବ୍ରାହ୍ମଣ ଖୋଜାଇବି, ନୋହିଲେ ରାମ ପାଣ୍ଡେ ପିଆଦା ରାତି ଓଳିଟା ଚଳାଇ ନେବ, କାଲିକା କଥା ତ ଅଛି !”
ନାଜରାଣୀ କହିଲେ, “ଦେଖ, ବ୍ରାହ୍ନଣଗୁଡ଼ାଙ୍କୁ ଆଉ ପାରିବି ନାହିଁ, ତିନି ଓଳି ତିନିପେଟ ଖାଇବେ, ତାହା ଉପରେ ଚୋରି । ପୁଣି ମାସ ପୂରିଲା କି ନାହିଁ–ଦିଅ ଦରମା । ଦରମା ଦେବାକୁ ଦଶ ପନ୍ଦର ଦିନ ମଠ ହୋଇଗଲା ତ ପଳାଇ ଯିବେ । ଦେଖୁ ନାହଁ, ଦୁଇ ମାସରୁ ଅଧିକ କେହି ଗୋଟାଏ ରହିବାକୁ ନାହିଁ । ମୁଁ ବି ସେମାନଙ୍କ ଗୁଣ ଜାଣି ଦରମା ଦିଏ ନାହିଁ ।” ଚିତ୍ରା କହିଲା, ‘‘ହଁ–ହଁ, ସତ ସତ, ବ୍ରାହ୍ମଣଗୁଡ଼ାକ ଢେର୍ ଖା’ନ୍ତି–ଓଳିକେ ଦି’ ସେର ଚାଉଳ କାହିଁ ଫୁଙ୍କି ଦେବେ । ଆଉ ମୁଁ କଟକରେ ଯେତେ ରୋଷେୟା ବ୍ରାହ୍ମଣ ଦେଖିଲି, ସବୁଗୁଡ଼ାକ ଚୋର, ସେଇଗୁଡ଼ାକ ତ ଡାକୁ, ମଣିଷ ମାରନ୍ତି । ସେମାନେ ଦରମା ମାଗିଲେ ସା’ନ୍ତାଣୀ ତାଙ୍କୁ ତଡ଼ିଦିଅନ୍ତି, ଆଚ୍ଛା କରନ୍ତି–ଲୁହା ଜାଣି ପାଣିଦିଅନ୍ତି । ଖାଇଲ ପିଇଲ, ଫେର୍ ଦରମା କ’ଣରେ ବ୍ରାହ୍ମଣ ? ନାହିଁ ନାହିଁ ସେମାନଙ୍କୁ ଦରମା କେଭେ ଦେବେ ନାହିଁ !”
ନାଜରାଣୀ–ଯାହା ବୋଲ, ବ୍ରାହ୍ମାଣଗୁଡ଼ାଙ୍କୁ ମୁଁ ଆଉ ପାରିବି ନାହିଁ, ସେମାନେ ମତେ ବଡ଼ ହଇରାଣ କଲେଣି ।
ଚିତ୍ରା–ରାମ, ରାମ, ରାମ ! ହଇରାଣ ବୋଲି ହଇରାଣ–ସା’ନ୍ତାଣୀ ତ ସେଇ ହଇରାଣ ସହି ନପାରି କାନ୍ଦିପକାନ୍ତି– ତାଙ୍କ କାନ୍ଦଣା ଦେଖି ମୋ ପ୍ରାଣକୁ ବଡ଼ ବାଧେ, ସହିପାରେ ନାହିଁ, ଘରକୁ ପଳାଇଯାଇ ଘଡ଼ିଏ ବସି କାନ୍ଦେ ।
ନାଜରାଣୀ–ମୁଁ କହୁଥିଲି, ବୋଉକୁ ଆଣିଲେ ଭଲ ହୁଅନ୍ତା ନାହିଁ ?
ଚିତ୍ରା–ଖୁବ୍ ଭଲ ହେବ–ଆଚ୍ଛା ହେବ । ଆଜିକି ଆଠଦିନ ହେଲା ସେଇ କଥାଟା କହିବି ପାଞ୍ଚିଲିଣି, ଭୁଲି ଯାଇଥିଲି ।
ନାଜରାଣୀ–ବୋଉ ଆଉ ମୁଁ ଦୁଇଜଣ ମିଳିମିଶି ରାନ୍ଧିବା, କିଛି ହରକତ ହେବନାହିଁ । ଆଉ ଖର୍ଚ୍ଚ କେତେ ଊଣା, ସେ କଥାଟା ବି ବୁଝ । ବୋଉ ସିନା ମୁଠାଏ ଖାଇବ, ଖଣ୍ଡେ ପିନ୍ଧିବ, ଦରମା ତ ଦେବାକୁ ପଡ଼ିବ ନାହିଁ ।
ଚିତ୍ରା–ମା’ ବୁଢ଼ୀଟା ଖାଇବେ କ’ଣ ମ ? ମୁଠାଏ ଖାଇଦେଲେ ତ ଗଲା ଚାରିଦିନ ବାହାରି । ଆଉ ଲୁଗା କ’ଣ, ଖଣ୍ଡେ ଲୁଗା ହେଲେ ଚାରି ପାଞ୍ଚ ବରଷ କଥା ଛିଡ଼ିଲା । ଏଣେ ଦରମା ବାଡ଼ଟା ଧରନା । ମାସକୁ ମାସ ମୁଠାକୁ ମୁଠା ଟଙ୍କା ରହିଯିବ ।
ନାଜରାଣୀ–ବୋଉ ମନଦେଇ ପାଞ୍ଚ ଚିଜ ରାନ୍ଧିବ । ପୁଅ ସାରିବେ– ଦରବ ବସିବ । ଚାକରବାକର କଥା ବୋଲ, ଯିମିତି ସିମିତି ଚାରିଟା ସିଝାସିଝି କରିଦେଇ ଦରମାଟା ନେଲେ ତାଙ୍କର ପାଇଟି ଛିଡ଼ିଲା ।
ଚିତ୍ରା–ମା’ ଯିମିତିକା ରାନ୍ଧିବେ, କଟକ ସହରରେ ଯେତେ ବ୍ରାହ୍ମଣ ଅଛଛି, ତାଙ୍କ ଆଗରେ ଆଗେ ମୁହଁ ଦେଇ ପାରିବେ ? ତାଙ୍କ ପରି ପରଷି ଜାଣିବ କିଏ ? ଉହୁଁ, ସେ ରାନ୍ଧିବାଢ଼ି ବୁଢ଼ୀ–ସେ ଜଣେ, ପୁଣି ତାଙ୍କ ପାଖକୁ ଆଉ ଜଣେ ?
ନାଜର ବାବୁ ବସି ବସି ସବୁ କଥା ଶୁଣିଯାଉଥିଲେ– ଏବେ ମନରେ ଠିକ୍ କରିନେଲେ, ହେଉ ତେବେ ଆସନ୍ତୁ । ଆଜି ଭାତ ନାହିଁ, କାଲି ଲୁଗା ନାହିଁ, ଖଜଣା ଲାଗି ଜମିଦାର ପାଇକ ଦୁଆରେ ବସିଛି, ସବୁ ତ ଚଳାଇବାକୁ ହେଉଛି । ଏ ବି ଲୁଚାଚୋରାରେ କିଛି କିଛି ଚଳାଚଳି କରନ୍ତି-। ହେଉ ଆସନ୍ତୁ, ଏକା ଖରଚରେ ଯିବ । ହେଲେ ରାଘବାଟା ନ ଆସୁ, ଅସୁର ପରି ମଣିଷଟାଏ, ଦିନକେ ଦୁଇ ସେର ଠୁଙ୍କିବ, ତୁଚ୍ଛାଟାରେ ଏ ଖର୍ଚ୍ଚ କ୍ୟାଁ ଦେବୁଁ ? ପ୍ରକାଶ୍ୟରେ କହିଲେ, “ହେଉ ବୋଉ ଆସନ୍ତୁ, ରାଘବ ମାହାଳିଆଟା କ୍ୟାଁ ଆସିବ ?’’
ଟିତ୍ରା–ହଁ–ହଁ, ମା ଅବଶ୍ୟ ଆସିବେ, ନାହିଁ, ନାହିଁ, ରାଘୋ ଭାଇ ସା’ନ୍ତ ଆସିବେ ନାହିଁ–ସେଠି ସମ୍ଭାଳିବ କିଏ ? ଚୋର ଟସ୍କର ସବୁ ଘେନି ପଳାଇବେ । ପିଢ଼ାରେ ହନୁ ଡେଇଁ ଚାଳ ଭାଙ୍ଗି ପକାଇବେ, ଘଉଡ଼ିବ କିଏ ?
ନାଜରାଣୀ–ନାହିଁ ନାହିଁ, ବୋଉ ଆସିଲେ ସେ ପିଲାଟା ଏକୁଟିଆ କିମିତି ଚଳିବ ? ତାକୁ ଭାତ ଚାରିଟା ରାନ୍ଧିଦେବ କିଏ ?
ଟିତ୍ରା–ହଁ–ହଁ, ସତ–ସତ, ଭାଇସା’ନ୍ତେ ନ ଆସିବେ ? ପିଲାଲୋକ, ଏକୁଟିଆ ଭାରି ଡରିବେ । ଆଉ ସବୁ ବାଡ଼େ, ଭାତ ଚାରିଟା ରାନ୍ଧି ଦେଉଛି କିଏ ?
ନାଜର ବିବାର କଲେ–ନ ଆଣିଲେ ତ ନୁହେଁ, କ’ଣ ସେଟା ବସି ବସି ଖାଇବ ? କିଛି ଗୋଟାଏ କାମରେ ଲଗାଇ ଦେବି । ପ୍ରକାଶ କରି କହିଲେ, ‘‘ହେଉ ତେବେ ଆସନ୍ତୁ, ଦୁହେଁ ଆସନ୍ତୁ-।’’
ଚିତ୍ରା–ସା’ନ୍ତ, ମୁଁ କହୁଛି, ଚଞ୍ଚଳ ଲୋକ ପଠାଉନ୍ତୁ–ଆଜି ରାତି ବରାତ ଧାଉଡ଼ିଆ ଯାଉନ୍ତୁ ।
ନାଜର ବାବୁ ଟିକିଏ ହସି ତୁନି ହେଲେ । ଆସନ୍ତା ବୁଧବାରେ ସେମାନଙ୍କୁ ଆଣିବା ସକାଶେ ଲୋକ ଯିବାର ସ୍ଥିର ହେଲା ।
–୪୨–
ମାତା ପୁତ୍ରଙ୍କ ଆଗମନ
ବୋଉଙ୍କୁ ଅଣାଇବା ପ୍ରସ୍ତାବର ଚତୁର୍ଥ ଦିନ ସଞ୍ଜବେଳେ ଖଣ୍ଡିଏ ତାଳତାଟି ଛପର ଶଗଡ଼, ଖଣ୍ଡେ କନା ଆଗ ମୁହଁରେ ପର୍ଦ୍ଦାପରି ଝୁଲୁଛି, ନାଜର ବାବୁଙ୍କ ବାଖରାବାଦ ବସା ଦୁଆର ଆଗରେ ଆସି ଛିଡ଼ାହେଲା । ନାଜରଖାନାର ଚ୍ଚଣେ ପିଆଦା ଶଗଡ଼ର ଆଗେ ଆଗେ ଚାଲିଆସୁଥିଲା, କହିଲା ‘‘ଫିଟା । ଏଇଠି ଫିଟା ।” ଶଗଡ଼ିଆ ଜୁଆଳିରୁ ବଳଦ ଯୋଡ଼ାକ ଫିଟାଇ ନେଇ ଶଗଡ଼ର ଲାଞ୍ଜ ଦଣ୍ଡାରେ ବାନ୍ଧିଦେଲା– ଶଗଡ଼ ଜୁଆଳିଟା ଦୁଆର ଚୌକାଠକୁ ଭିଡ଼ାଇ ଦେଇ ବଳଦ ପାଖକୁ ଚାଲିଗଲା । ପିଆଦା ଆଉ ଆଉ ଯେଉଁ ଲୋକମାନେ ଥିଲେ, ବାହାରକୁ ଆଡ଼େଇ ଗଲେ । ଚିତ୍ରା ଦୀପଟିଏ ଧରି ଆଗେ ଆଗେ ଚାଲିଥାଏ; ନାଜରାଣୀ ପଛେ ପଛେ ଚାଲୁଛନ୍ତି; ଶଗଡ଼ ପାଖରେ ପହଞ୍ଚ ପରଦା କନାଖଣ୍ଡ ଭିଡ଼ିଦେଲେ, “ଆ–ବୋ’ଉ–ଆ”–କହି ବୁଢ଼ୀଟିର ହାତ ଧରି ଧରି ଶଗଡ଼ ଭିତରୁ ଓହ୍ଲାଇ ନେଲେ । ଚିତ୍ରା ଦୀପଟି ଧରି ଆଗେ ଆଗେ ଚାଲିଲା । ବାରନ୍ଦାଏ ବାରନ୍ଦାଏ ସମସ୍ତେ ଭିତରକୁ ଗଲେ । ଆଣ୍ଠୁଲୁଚା ଲୁଗା ଖଣ୍ଡେ ପିନ୍ଧା, ମୁଣ୍ଡରେ ଖଣ୍ଡିଏ ମଳିଆ ଗାମୁଛା ଗୁଡ଼ିଆ– ହାତରେ ଛାତିଏ ଲମ୍ବ ବାଉଁଶବାଡ଼ି ଖଣ୍ଡେ ଧରି ଗୋଟାଏ ଡେଙ୍ଗା ଭେଣ୍ଡିଆ ଅନ୍ଧକାରରେ ମିଶି ଶଗଡ଼ ପାଖ କିଛି ଦୂରରେ ଛିଡ଼ା ହୋଇଥିଲା । ମାଇକିନିଆ ପଲ ଭିତରକୁ ପଶିଗଲା ବାଦେ ସେହି ଛିଡ଼ା ହୋଇଥିବା ପୁରୁଷଟି ଧୀରେ ଧୀରେ ଆସି ଅନ୍ଧାରିଆ ଶଗଡ଼ ଭିତରୁ ଅଣ୍ଡାଳି ଗୋଟାଏ ଟୋକେଇ ବାହାର କଲା । ସେ ଟୋକାଇଟି କେତେ ରକମ ଜିନିଷରେ ପୂର୍ଣ୍ଣ । ବାଁ କାନ୍ଧରେ ସେହି ଟୋକେଇଟା କାନ୍ଧେଇ, ଡାହାଣ ହାତରେ ବାଡ଼ିଖଣ୍ଡ ଧରି ଘର ଭିତରକୁ ଚାଲିଲା । ଭିତରକୁ ବାରନ୍ଦାଏ ବାରନ୍ଦାଏ ବୁଲି ଯିବାର ବାଟ । ନୂଆ ଲୋକଟିକୁ ତ ତାହା ଅଜଣା । ବାହାର ଅଗଣାରେ ଘିଟି ଘିଟିଆ ଅନ୍ଧାର–ଚିତ୍ରା ଆଲୁଅଟା ଧରି ଚାଲିଗଲାଣି । ନୂଆଲୋକଟି ଦୁଆରବନ୍ଧ ଡେଇଁ ସଳଖେ ସଳଖେ ଚାଲିଛି । ମନରେ ଭାରି ଆନନ୍ଦ, ଏଇଟା ଅପାଘର, କେଡ଼େ କୋଠା ଘରଟାଏ । ଏହି କୋଠାରେ ରହିବାକୁ ହେବ । ତଳ ବାଟକୁ ନଜର ନାହିଁ– ଉପରକୁ ଅନାଇ କୋଠାଘର ଦେଖୁଛି ଆଉ ଚାଲୁଛି । ଏଣେ ଘରର ଚାରିପାଖେ ବାରନ୍ଦା, ମଝିରେ ଅଗଣା-। ସେହି ଅଗଣାଟା ବାରନ୍ଦାଠାରୁ ହାତେ ଗହୀର । ଲୋକଟି ଯେମନ୍ତ ଗୋଡ଼ ପକାଇଛି– ମୂଳକଟା ତାଳଗଛ ପରି ଏକାବେଳକେ ଦୁଲ୍ କରି ପଡ଼ିଗଲା । ଠଣ୍–ଠଣ୍–ଠଣ୍–ଝଣ୍–ଝଣ୍–ଝଣ୍–ଶବ୍ଦ କରି ଟୋକେଇ ଭିତରୁ ଜିନିଷଗୁଡ଼ାକ ଅଗଣାଗୋଟାଯାକ ବୁଣି ପଡ଼ିଲା । ଲୋକଟିର ତେତେବେଳକା ଅବସ୍ଥା କଥା କହିଲେ ନ ସରେ । ଚଞ୍ଚଳ ଉଠିବସି ଦୁଇ ଜଙ୍ଘ ଆଣ୍ଠୁ ଆଉଁସି ହେଉଛି । ବନ୍ଧୁବାସ ଘର–ଯେତେହେଲେ ହାକିମ ଘର, ନୂଆ ମଣିଷ, ଲାଜରେ–ବେଶି ଭାଗ ଡରରେ ପାଟିକରି କାନ୍ଦିପାରୁ ନାହିଁ । ହାୟ ହାୟ ମନୁଷ୍ୟର ଜୀବନ କି ଶୋଚନୀୟ–ଦୁଃଖଗୁଡ଼ାକ ଯେମନ୍ତ ତା’ ପଛେ ପଛେ ଲାଗି ରହିଛି । ମନ ମଧ୍ୟରେ କେତେ ଆଶାଭରସା ପୋଷିଥିଲା–କେଡ଼େ ଆନନ୍ଦ–ଆଖିପିଛଡ଼ାରେ ସବୁ କାହିଁ ଗଲା–ପୁଣି ଦାରୁଣ ଦୁଃଖ ଉପସ୍ଥିତ । ଦୁଃଖଗୁଡ଼ାକ ଯେମନ୍ତ ମନୁଷ୍ୟ ପଛେ ପଛେ ସବୁବେଳେ ଗୋଡ଼ାଇଛନ୍ତି । ଟିକିଏ ବେଳ ପାଇଲେ ବାଘ ଶିକାର ଉପରେ ଝାମ୍ପି ପଡ଼ିଲା ପରି ମାଡ଼ି ବସିବେ । କର୍ମବାଦୀ କହିବେ, ସେ ଲୋକଟା ବାରନ୍ଦା ବାଟେ ବୁଲିଗଲା ନାହିଁ କ୍ୟାଁ ? ଏଇଟା କର୍ମଫଳ । ହେଲେ, ଆମ୍ଭମାନଙ୍କର ବିଶ୍ୱାସ, କୃତକର୍ମ ଛାଡ଼ି ମନୁଷ୍ୟମାନଙ୍କର ଶୁଭାଶୁଭଦାତା ଆଉ ଗୋଟିଏ ହସ୍ତ ସେମାନଙ୍କ ଭାଗ୍ୟର ଅନ୍ତରାଳରେ ନିୟତ ବିଦ୍ୟମାନ ଅଛି-। ସହଜ କଥାରେ ତାହାକୁ ଅଦୃଷ୍ଟ ବୋଲାଯାଏ । ଅର୍ଥ କ’ଣ କି, ଲୋକେ ତାକୁ ଦେଖି ପାରନ୍ତି ନାହିଁ-। ବୁଝନ୍ତୁ ନଳ ବା ଯୁଧିଷ୍ଠିର ଜାଣୁ ଜାଣୁ ପଶାଖେଳି ବନକୁ ଗଲେ । ଶ୍ରୀ ରାମଚନ୍ଦ୍ର ତ ନିଜେ କୌଣସି ଦୋଷ କରିନାହାନ୍ତି । ଏଥକୁ ଜାଣ, ଏକ ଅଲକ୍ଷ୍ୟ ବିଧାତା ପୁରୁଷଙ୍କ ପ୍ରେରଣାରେ ଅଲକ୍ଷ୍ୟ ସୂତ୍ରଧରି ଏମନ୍ତ ଅନେକ ସୁଖଦୁଃଖ ଆସେ, ଯାହା ନିବାରଣ କରିବା ମାନବ ପକ୍ଷରେ ସାଧ୍ୟାତୀତ ବିଷୟ ଅଟେ ।
ଠଣ୍–ଠଣ୍–ଝଣ୍–ଝଣ୍ ଶବ୍ଦଟା ଭିତରୁ ଶୁଣିଲା ଚିତ୍ରକଳା । ଆହା ! ଭାଇସା’ନ୍ତ ପଡ଼ିଗଲେ ପରା, କହି ଦୀପଟା ଧରି ଧାଇଁଲା । ଆସି ଦେଖିଲା କ’ଣ ନା–ଜିନିଷଗୁଡ଼ାକ ଅଗଣାଯାକ ବୁଣିପଡ଼ିଛି–ଲୋକଟାଏ କାଳିଆ ଉଇହୁଙ୍କାଟା ପରି ବସି ଦୁଇ ଆଣ୍ଠୁରେ ହାତ ବୁଲାଉଛି । ବୁଦ୍ଧିମତୀ ଚିତ୍ରକଳା ଅନାଇଦେଇ କଥାଟା ବୁଝିଗଲା । ମନ ମଧ୍ୟରେ ଖୁବ୍ ଗୋଟାଏ ହସି ହସି କହିଲା, ‘ଏଇଟା ଅନ୍ଧ ନା କ’ଣ ।’ ପ୍ରକାଶ୍ୟରେ ଛାନିଆ ହୋଇଗଲା ପରି ଆକୁଳ ହୋଇ କହିଲା, ‘‘ଆହା-! ଆହା ! ଭାଇସା’ନ୍ତ, କିମିତି ପଡ଼ିଗଲ ? ମୁଁ ତ ଆଲୁଅ ଧରି ଧାଇଁଛି–ଟିକିଏ ଥୟ ଧଇଲ ନାହିଁ ।’’ ଭାଇସା’ନ୍ତଙ୍କ ହାତଧରି ଛିଡ଼ା କରାଇଦେଲା । ଲଜ୍ଜାରେ, ଦୁଃଖରେ, ଦେହଯନ୍ତ୍ରଣାରେ ଭାଇସା’ନ୍ତ ଗୋଟା ଝାଳରେ ଗାଧୋଇ ଗଲେଣି । ଚିତ୍ରା ହାତକୁ ଚଟ ଚଟ ଲାଗିବାରୁ ଘୃଣାରେ ହାତଟା କାଢ଼ିନେଇ ଅଗଣାରେ ବୁଣି ପଡ଼ିଥିବା ଜିନିଷଗୁଡ଼ାକ ଗୋଟାଇ ବସିଲା । ଦୁଷ୍ଟାଟା ପରଖି ଯାଉଥାଏ, ଜିନିଷଗୁଡ଼ାକ କ’ଣ । ଏଇଟା ତ ଲୁଗା ପୁଟୁଳା–ଖଣ୍ଡ ଦୁଇ ଲୁଗା ହେବ । ଏଇଟା ଚାଉଳ ପୁଡ଼ିଆ–କଣ୍ଟି ଦେଖିଲା ଓଜନରେ ଅନ୍ଦାଜ ଦୁଇ ସେର ହେବ । ସାନ ପୁଡ଼ିଆଟା ବିରି କି ମୁଗ–ଚିପି ଚିପି ଠିକ୍ କରିପାରିଲା ନାହିଁ । ଓହୋ ! ଏ ସାନପୁଟୁଳା ତ ଦୁଇମୁଠା ଅନ୍ଦାଜ ସୋରିଷ । ଚିତ୍ରା ମନ ମଧ୍ୟରେ ଖୁବ୍ ଗୋଟାଏ ହସି ହସି କହିଲା, ‘‘ହୁଁ–ହୁଁ, ଘରକରଣା ସବୁ ଜିନିଷଗୁଡ଼ାକ ଧରି ବାହାରି ଆସିଲେ, କିଛି ଛାଡ଼ି ଆସିନାହାନ୍ତି ।’’ ଗଡ଼ି ଗଡ଼ି ଯାଇ ପାଞ୍ଚହାତ ଦୂରରେ ନୋଟାଟା ପଡ଼ିଥିଲା–ଚିତ୍ରା ଉଠାଇ ଦେଖିଲା, ସେଥିରେ ଝୁଣାର ଗୋଟାଏ ଗେବ ବସିଛି । ଚିତ୍ରା ଠିକ୍ କରିନେଲା, ଏଇଟା କ’ଣ ବୁଝିବା ଉପାୟ ? ପକ୍କା ଭୂଇଁରେ ପଡ଼ି ଭାରୀ ଗୋଟାଏ ଟୋଲା ହୋଇଗଲାଣି । ଏଇଟା କ’ଣ ? ତୋରାଣି ପିଆ କଂସା ହେବ–ହାତକୁ ପତର ପରି ଲାଗୁଛି–କଂସା କ’ଣ ଏଡ଼େ ପାତଳ, ଏଡ଼େ ଉଶ୍ୱାସ ହୁଏ ? ମଲା ଯା ! ଏ ଖଣ୍ଡ ଯେ ପକ୍କାରେ ଚାରି ଚାଙ୍ଗୁଳା ହୋଇ ଫାଟି ଗଲାଣି ! ହେ ଚିତ୍ରକଳେ ! ଟିକିଏ ତୁନି ହୁଅ, ଭାଇସା’ନ୍ତେ ଦେହ ଯନ୍ତ୍ରଣାରେ ଅସ୍ଥିର, ତହିଁ ଉପରେ ସର୍ବସ୍ୱନାଶର ସମ୍ବାଦ ଶୁଣାଇଲେ ତାଙ୍କର ଦଶା କ’ଣ ଘଟିବ ? ଚିତ୍ରକଳା ଜିନିଷଗୁଡ଼ାକ ପାଚିଆରେ ପୂରାଇ ଦୀପଟା ଧରି ଆଗେ ଆଗେ ଚାଲିଲା, ଭାଇସା’ନ୍ତ ପଛେ ପଛେ ଚାଲିଛନ୍ତି । ବାହାରରେ ଯେ ଏତେ କାଣ୍ଡ, ମା ଝିଅଙ୍କୁ କିଛି ଜଣାପଡ଼ିନାହିଁ, କନ୍ଦାକଟାରେ ଲାଗିଛନ୍ତି । ଝିଅ ଭିତର ଅଗଣା ମଝିରେ ଖୁମ୍ବଟି ପରି ଛିଡ଼ାହୋଇ ଭୋ–ଭୋ ଡକା ପାରିଛନ୍ତି । ଦୀର୍ଘ ବିଚ୍ଛେଦ ଉଭାରେ ମିଳନ ସମୟରେ ହୃଦୟରେ କେମନ୍ତ ଗୋଟାଏ ଆନନ୍ଦ ଉଛୁଳି ଉଠେ–ବିଚ୍ଛେଦ ଅନଳରେ ମିଳନ ଜଳପାତ ଯୋଗେ ହୃଦୟରୁ ଯେଉଁ ଗୋଟାଏ ବାଷ୍ପ ବାହାରେ, ସେଇଟା ଜଳରୂପେ ପରିଣତ ହୋଇ ନେତ୍ର ଯୁଗଳ ମାର୍ଗରେ ଅଶ୍ରୁ ରୂପରେ ବହିପଡ଼େ । ବୋଉ ତ ଝିଅକୁ କୁଣ୍ଢାଇ ପକାଇ ତୁହାକୁ ତୁହା ବାହୁନି ଯାଇଛନ୍ତି । ଆରେ ମୋ ବିସ୍କୀ ରେ ! ତୋ ଚାନ୍ଦମୁଖ ନ ଦେଖି ମୁଁ ଅନ୍ଧୁଣୀ ହୋଇଯାଇଥିଲି– ଆରେ ମୋ କଳାମାଣିକରେ ଚନ୍ଦ୍ରବଦନ–ଅନ୍ଧାର ଆଲୁଅ–ଦୁଃଖସଙ୍ଖାଳି–ଏହପରି ଢେର୍ ଢେର୍ ବିଶେଷଣ ଦେଇ ଢେର୍ ବେଳଯାଏଁ ବାହୁନିଲେ । ପାଠକ ମହାଶୟ ଅନୁମାନରେ ବୁଝିଯାଉନ୍ତୁ, ସବୁଗୁଡ଼ାକ ଲେଖିବାର ଦରକାର ନାହିଁ । ଗୋଟାଏ କଥା ଏତେଦିନ ଉତ୍ତାରେ ଜଣାପଡ଼ିଲା । ନାଜର ଗୃହିଣୀଙ୍କ ନାମ, ବିସ୍କୀ କ’ଣ କି ବୋଉ ସିନା ଗେହ୍ଲାରେ ବିସ୍କୀ ବୋଲି ଡାକନ୍ତି, ସନ୍ଧାନଦ୍ୱାରା ଜଣାପଡ଼ିଲା, ଅସଲ ନାମ ହେଉଛି ବିଶାଖା । ଆମ୍ଭେମାନେ ଏତେ ଦିନଯାଏଁ ନାଜରାଣୀ–ସାଆନ୍ତାଣୀ ବାରମ୍ବାର ଲେଖି ପାଠକ ମହାଶୟଙ୍କୁ ବିରକ୍ତି କରିଅଛୁଁ–ଜଣା ନ ଥିଲା, କ’ଣ କରିବୁ ? ଏଡ଼େ ଘର ସା’ନ୍ତାଣୀ, ନାମ କ’ଣ ଦାଣ୍ଡରେ ପଡ଼ିଛି ଯେ ଲେଖିପକାଇଲେ ହେଲା ? ଏହି ଯେ ବୋଉଙ୍କ ଶୁଭାଗମନ, ଲେଖକ ପକ୍ଷରେ ଗୋଟିଏ ସୌଭାଗ୍ୟର ବିଷୟ ଅଟେ-।
ବୋଉଙ୍କ ଗୋଡ଼ଧୁଆ ନିମନ୍ତେ ଚିତ୍ରକଳା ଲୋଟାଏ ଜଳ ଧରି ଛିଡ଼ାହୋଇଛି । ମା ଝିଅ ତ କାନ୍ଦିବାର ଲାଗିଛନ୍ତି । ଚିତ୍ରକଳା ମନମଧ୍ୟରେ ଭାରି ଦିକ୍ଦାର୍ ହେଲାଣି । ମାଇକିନିଆ ଗୁଡ଼ାକ କ’ଣ ରାତିଯାକ ଛିଡ଼ାହୋଇ କାନ୍ଦୁଥିବେ । କହିଲା, ‘‘ଆସନ୍ତୁ ଆସନ୍ତୁ ବୋଉସା’ନ୍ତାଣୀ ! ଦିନଯାକ ଶଗଡ଼ରେ ବସି ବସି ଶ୍ରୀଅଙ୍ଗକୁ ବାଧିଥିବ । ଆସନ୍ତୁ ପଦ ପଖାଳ କରନ୍ତୁ’’ କହି ହାତଧରି ଭିଡ଼ିନେଇ ନଳାମୁହଁ ପାଖରେ ବସାଇଦେଲା, ପାଣି ଢାଳି ଗୋଡ଼ ଧୋଇଦେଲା–ଆବଡ଼ା ଖାବଡ଼ା ଗୋଡ଼ ତଳିଟା ହାତକୁ ଖୁଞ୍ଚାପରି ବାଜିବାରୁ ନାକଟା କିମିତିକା ସିଟ୍କୁଥାଏ । ବୋଉସା’ନ୍ତାଣୀଙ୍କ ଉତ୍ତାରେ ଭାଇସା’ନ୍ତ ଉପସ୍ଥିତ–ଚିତ୍ରା ଥରେ ତାଙ୍କ ପାଦରେ ହାତ ବୁଲାଇ ନାକପୁଡ଼ା ଯୋଡ଼ାକ ଫୁଲାଇଦେଲା । ହାତଟା କାଢ଼ିନେଇ ପାଦରେ ପାଣି ଢାଳୁଥାଏ । ଦେଖିଲା, ଗୋଡ଼ ପାପୁଲିଟା ଭାରି ଚଉଡ଼ା ବୁବେଇ ଦଉଡ଼ା ପରି ଶିରଗୁଡ଼ାକ ଛିଡ଼ାହୋଇଛି, ଆଙ୍ଗୁଳିଗୁଡ଼ାକ ଫାଙ୍ଗୁଳା । ଅଗଗୁଡ଼ାକ ଚେପଟା ଚେପଟା, କେଉଁ କାଳରୁ ନହୁରୁଣୀ ଛୁଇଁ ନାହିଁ–ଅଗଗୁଡ଼ାକ ଦା’ ଦାଢ଼ ପରି; ଗୋଇଠି ଫାଟରେ ଅଙ୍ଗୁଳି ପଶିଯିବ ।
ପଦ ଧୌତ ହେଲା ଉତ୍ତାରେ ମା’ଝିଅ, ପୁଅ ଏକ ଜାଗାରେ ବସି ଜଳଖିଆ ସାରିଲେ । ଚିତ୍ରା ସବୁ ଜିନିଷ ଠିକଣା କରି ବଢ଼େଇ ଦେଉଥାଏ । ବୋଉ ପଚାରିଲେ, ‘‘ହୋଇରେ ମା’ ବିସ୍କୀ, ଏ ଝିଅଟି କିଏ ?’’ ବିଶାଖାଦେଈ କହିଲେ, ‘‘ମୋ ପୋଇଲୀ ।’’ ଚିତ୍ରା ତା’ ଶୁଣି ମନ ମଧ୍ୟରେ ଭାରି ଖପା–ହଁ, ତୋ ଚଉଦପୁରୁଷ ଢେର୍ ପୋଇଲୀ ରଖିଥିଲେ ! କ’ଣ କରିବ–ପେଟପାଇଁ ପିଠି ସହେ, ତୁନି ହେଲା । ବୋଉ ସା’ନ୍ତାଣୀ ଢେର୍ ବେଳଯାଏ ଚିତ୍ରାକୁ ଅନାଇ ରହିଲେ । ଏଁ–ମୋ ବିସ୍କୀର ପୋଇଲୀ ଏଡ଼େ ସୁନ୍ଦରୀ ! ତା’ ଦେହରେ ଏତେ ଅଳଙ୍କାର ? ସତେ ! ସେ ରାଣୀ ହୋଇଗଲାଣି ।
–୪୩–
ନରୁବାବୁର ଅସୁବିଧା
ନରୁବାବୁ କଟକ ପହଞ୍ଚିବା ଦିନଠାରୁ ଯାବନ୍ତ ଅସୁବିଧା ଭୋଗ କରୁଅଛନ୍ତି । ପ୍ରଥମେ ପୁଣି ବିଶେଷ ଅସୁବିଧା ଆହାର ବିଷୟରେ । ପ୍ରଥମଦିନ ଭୋଜନ କରିବାକୁ ଯାଇ ନିତାନ୍ତ ଆକୁଳ ହୋଇପଡ଼ିଲେ । ରାତି ପହରକ ସରିକି ନାଜର ବାବୁଙ୍କ ରୋଷେୟା ବ୍ରାହ୍ମଣ ଭିତର ପ୍ରସ୍ତକୁ ଡାକି ଘେନିଗଲା । ଖଣ୍ଡିଏ କମଳାସନ ପରା–ଆଗରେ ଗୋଟିଏ ପିତ୍ତଳ ଦୀପରୁଖାରେ ଆଲୁଅଟାଏ ମିଞ୍ଜି ମିଞ୍ଜି ହୋଇ ଜଳୁଛି । ‘ବସିବା ହେଉ ବୋଲି’ କେହି ବୋଲିବାକୁ ନାହିଁ । ଛିଡ଼ା ହୋଇ ସ୍ଥାନ ଆସନ ଆଉ ଆଲୁଅ ଦେଖୁଛନ୍ତି । ମନଟା କିମିତିକା ହୋଇଗଲା । କେହି ଭଲକରି ଅନାଇଥିଲେ ତାଙ୍କ ମୁଖ କେମନ୍ତ ଶୁଖି ଯାଇଛି ଦେଖିଥାନ୍ତା । ରୋଷେୟା ଅନ୍ନ ବ୍ୟଞ୍ଜନ ଆଉ ଅବଖୁରାଟାରେ ଜଳ ଥୋଇଦେଇ– ‘‘ଆସିବା ହେଉ, ଠାରେ ବିଜେ ହେଉ,’’ କହି ଚାଲିଗଲା । ଯନ୍ତ୍ରଚାଳିତ ପରି ନରୁବାବୁ ଯାଇ ଆସନରେ ବସିଲେ । ତାଙ୍କ ପକ୍ଷରେ ଆଜି ଏଇଟା ନିତାନ୍ତ ଅଭିନବ ଏବଂ ଅସ୍ୱାଭାବିକ ଦୃଶ୍ୟ । ଗୋଟାଏ ସୁନ୍ଦର ରୁପାଥାଳିରେ ମଲ୍ଲିଫୁଲ ପରି ଧଳା ଅନ୍ନ–ସୁନ୍ଦର ରୂପେ ଅତି ଯତ୍ନରେ ବଢ଼ା– ତା’ ଉପରେ ରୁପା ଗିନାରେ ଗୁଆଘିଅ, ଆଠଦଶଟା ଗିନାରେ ନାନାପ୍ରକାର ବ୍ୟଞ୍ଜନ ବଢ଼ା ନାହିଁ । ଶୁକ୍ଳାବସନ ସୁଗଠନ ଦୁଇଜଣ ନାନୀ ଆଗରେ ଛିଡ଼ା ହୋଇନାହାନ୍ତି । ଲଙ୍ଗଳା ଶିରୁ ଦୁଇହାତରେ ଭାତ ତିଅଣ ଘାଣ୍ଟୁ ନାହିଁ, ଜେଜୀମା ତାକୁ ଡରାଇ ଗାଳିଦେଇ ବହଲାଇ ଖୁଆଇ ଦେଉନାହାନ୍ତି । ନରୁ ! ଏଇଟା ଖା, ସେଇଟା ଖା, କହି ଭଜା ମାଛ ଖଣ୍ଡରୁ କଣ୍ଟା କାଢ଼ି ବଢ଼ାଇ ଦେଉନାହାନ୍ତି । ବାପା ସାଆନ୍ତ କଟକରୁ ଯେଉଁ କାବୁଲି ଧଳା ବିରାଡ଼ିଟା କିଣିନେଇ ଯାଇଥିଲେ, ସେଇଟା ଆଗରେ ବସି ମିଆଁଉଁ– ମିଆଁଉଁ କରୁନାହିଁ । ଆମ୍ଭମାନଙ୍କୁ ଲେଖିବାକୁ ଏତେ ବିଳମ୍ବ ହେଲା, ମାତ୍ର ମୁହୂର୍ତ୍ତ ମଧ୍ୟରେ ନରୁବାବୁଙ୍କ ମନରେ ସବୁ କଥାଗୁଡ଼ାକ ଖେଳିଗଲା । ବାବୁ ନିତାନ୍ତ କାତର ହୋଇପଡ଼ିଲେ । ଆଗେ ବଡ଼ ଚଞ୍ଚଳିଆ ଆଉ ଅଝଟିଆ ପିଲା ଥିଲେ । ବାପା ସା’ନ୍ତଙ୍କ ବିୟୋଗ ଦିନଠାରୁ କ’ଣ ବୁଝି ଭାରି ଗମ୍ଭୀର ଆଉ ଧୀର ହୋଇପଡ଼ିଛନ୍ତି, ଖୁବ୍ କଷ୍ଟ ସହି ସାରିଲେଣି । ଦିନବେଳେ ଠା’ ହୋଇନାହିଁ, ବଡ଼ ଭୋକ ଲାଗୁଛି– ଆଖିକାନ ବୁଜି ଚାରିଟା ଖାଇଦେଲେ । ମନରେ କଲେ, ଦୁଧ ଟିକକ ପିଇଦେଇ ଉଠିଯିବେ, ପାଟିକୁ କିପରି ଲାଗିଲା, ତାଟିଆଟା ଆଲୁଅରେ ଧରି ଦେଖିଲେ, ଦୁଧ ପରି ଧଳା ଦିଶୁଛି– ପିଇଲେ ନାହିଁ– ତାଟିଆଟା ଥୋଇଦେଇ ଉଠିଗଲେ । କାହାକୁ କିଛି ନ କହି ହାତ ଧୋଇ ଶେଯରେ ପଡ଼ିବାମାତ୍ର ନିଦେଇ ଗଲେ । କରୁଣା ଠା ଗୋଟେଇବାକୁ ଯାଇ ଚମକି ପଡ଼ିଲା, ବିଚାର କଲା, ଦିନେ ଓଳିଏ କଥା ନୁହେଁ, ସବୁଦିନେ ଚଳିବ କିପରି ? ଜେଜୀମା କାନେ କାନେ କରୁଣାକୁ କହିଦେଇଛନ୍ତି, ସେ ପ୍ରତିଦିନ ମଉସାଙ୍କ ପାଖକୁ ଯାଇ ନରୁର ହାଲ ହବାବ ଜଣାଇ ସେ ଯାହା କହିବେ, ସେହିପରି କରିବ । କରୁଣା ସକାଳୁ ନରୁ ବାବୁଙ୍କ ପାଇଟି ସାରି ସଳଖେ ସଳଖେ ମଉସାଙ୍କୁ ଯାଇ ସମସ୍ତ କଥା ଜଣାଇଲା । ମଉସା ବନ୍ଦୋବସ୍ତ କରିଦେଲେ ବାଲୁବଜାରରେ ଜଣେ ବ୍ରାହ୍ମଣର ଗୋଟାଏ ହୋଟେଲ ଅଛି, ଆଉ ଆଉ, ବଜାରୀ ହୋଟେଲ ପରି ନୁହେଁ– ଭଲ ଭଲ ରୋଷେୟା, ଭଲ ଭଲ ଚାକର ଅନେକ ନିଯୁକ୍ତ ଅଛନ୍ତି । ଭଲ ଭଲ ଜିନିଷମାନ ତିଆରି ହୁଏ, କଟକରେ ବଡ଼ ବଡ଼ ବାବୁମାନେ ତାହାର ଗହକି । ହୋଟେଲର ଜଣେ ରୋଷେୟା ଭଲ ଭଲ ଖାଦ୍ୟ ନାନାପ୍ରକାର ବ୍ୟଞ୍ଜନ ବାସନରେ ପୂରାଇ ନରୁ ବାବୁଙ୍କ ବସାରେ ଦେଇଯିବ । ଜେଜୀମା ନରୁର ଖାଦ୍ୟ ବିଷୟରେ ନଟବର ବାବୁଙ୍କୁ ବିଶେଷକରି ଲେଖିଥିଲେ । ସେଥିରେ ଗୋଟିଏ କଥା ଥିଲା, ନରୁ ରାତି ଓଳିଟା ଅନ୍ନ ଠାରେ ବସି ନାହିଁ, ପୁରି ତରକାରୀ ବନ୍ଦୋବସ୍ତ କରିଦେବ । ପ୍ରଥମ ଦୁଇତିନି ରାତି ଭୋଜନ ବିଷୟରେ ବଡ଼ କଷ୍ଟ ହୋଇଥିଲା । ମାମୁଙ୍କ ବସା ଭିତରୁ ଯେଉଁ ଶୁଖିଲା ପୁରି ଆଉ ସାମାନ୍ୟ ତରକାରୀ ଆସୁଥିଲା ତାହା ନରୁ ବାବୁ ପକ୍ଷରେ ଅଖାଦ୍ୟ । ପରେ ତାହା କରୁଣାର ଭୋଗରେ ଆସିଲା– ହୋଟେଲ ଖାଦ୍ୟରେ ନରୁ ବାବୁଙ୍କର ସୁନ୍ଦର ଚଳେ । ନରୁ ବାବୁଙ୍କ ରାତିଓଳିଟା ଠା ବିଷୟ ମାମୁ ମାଈଁ ଗନ୍ଧବାସନାଦି ପା’ନ୍ତି ନାହିଁ–କିଛି ତତ୍ତ୍ୱ ନେବାର ନାହିଁ– କିପରି ବା ଜାଣିବେ ? କଚେରି କାମ ଆଉ ସନ୍ଧ୍ୟା ଉତ୍ତାରେ ଦେବତା ଦର୍ଶନ କାମରେ ମାମୁଙ୍କର ସଖାଳୁ ରାତିଅଧ ହୋଇଯାଏ । ରାତିରେ ମନ୍ଦିରରୁ ବାହୁଡ଼ି ଆସିବା ବେଳକୁ ନରୁ ବାବୁ ଆହାରାଦି କରି ଶୋଇପଡ଼ନ୍ତି । ଆହାର ବିଷୟରେ ଏହି ଅବସ୍ଥା, ରହିବା ଘରରେ ମଧ୍ୟ ଭାରି ଅସୁବିଧା । କୋଠରୀ ଦୁଆରଟା ବନ୍ଦ କରିଦେଲେ ଭିତରଟା ରାତି ପରି ଅନ୍ଧାରିଆ ହୋଇଯାଏ । ରବିବାର କିମ୍ବା ଆଉ ଆଉ ଦିନରେ ମାମୁଙ୍କ କଚେରି ଘରେ ଏତେ ଗୋଳମାଳ ହୁଏ ଯେ, ନରୁ ବାବୁ ଦୁଆର ମେଲା ରଖିପାରନ୍ତି ନାହିଁ । କରୁଣା ଦୁଆରଟା କିଳିଦେଇ ବାବୁଙ୍କ ପଢ଼ିବା ସକାଶେ ମେଜ ଉପରେ ବତିଟାଏ ଜାଳିଦିଏ । ନରୁ ବାବୁ ବିଦେଶୀ ସାଙ୍ଗ ପଢ଼ୁଆଙ୍କଠାରୁ ଶୁଣିଲେ, ସମସ୍ତଙ୍କୁ ନାନାପ୍ରକାର ଅସୁବିଧା ଭୋଗିବାକୁ ହୁଏ । ସେ ତ ଲୋକର ଅବସ୍ଥା ବୁଝନ୍ତି ନାହିଁ । ସ୍ଥିର କଲେ କଟକରେ ପଢ଼ିବାକୁ ହେଲେ କଷ୍ଟ ସହିବାକୁ ହେବ–ସ୍ଥିର କଲେ, ଯେତେ କଷ୍ଟ ହେଉ ପଛକେ ସବୁ ସହି କଟକରେ ପାଠ ପଢ଼ିବେ । ଉତ୍ତରରାୟ କୁଳଚନ୍ଦ୍ରମା–ଜେଜୀମାର ନୟନ ପ୍ରତିମା, ଦୁଃଖ କାହାକୁ ବୋଲନ୍ତି ଜାଣି ନଥିଲେ, ବର୍ତ୍ତମାନ ସମସ୍ତ ଦୁଃଖ ଏକାବେଳେ ଉପସ୍ଥିତ । ମନରେ ଦୃଢ଼ପ୍ରତିଜ୍ଞା ସବୁ କଷ୍ଟ ସହି ଇଂରେଜୀ ପଢ଼ିବେ । ଦୁଃଖ ସହିବାକୁ ଶିଖିଲେଣି ବିପଦ ମଣିଷପଣିଆ ଶିଖାଏ ।
ସବୁ ବିଷୟରେ ଗୋଟିଏ ସୀମା ଥାଏ । ନରୁ ବାବୁଙ୍କ କଷ୍ଟ ଏବେ ସୀମାରୁ ବଳିପଡ଼ିଲାଣି । ବର୍ତ୍ତମାନ ଉପସ୍ଥିତ ଦୁଃଖଟା କୌଣସି ଲୋକ ପକ୍ଷରେ ହେଲେ ମଧ୍ୟ ଅସହ୍ୟ । ରାଘବ ପଟ୍ଟନାୟକେ ନରୁ ବାବୁଙ୍କ ସହିତ ଏକ ଘରେ ରହିଛନ୍ତି । ମାଈଁ କହିଲେ, ‘‘ଏଡ଼େ ଘରଟା, ଦଶଜଣ ମଣିଷ ରହିପାରିବେ, ପିଲାଟା କେତେ ଜାଗାରେ ଶୋଇବ କି ? ନୋହିଲେ ଭଣ୍ଡାରିଟା ବାହାରେ ରହିବ ।’’ ରାଘବମାମୁଙ୍କର ଆକାର ଆଚରଣ ଦେଖି, ବାଘମାମୁକୁ ଦେଖିଲା ଭଳି ନରୁ ବାବୁଙ୍କ ମନରେ ଗୋଟାଏ ଭାରି ଆତଙ୍କ ଜାତ ହେଲାଣି । କାନ୍ଦିପକାଇବେ ପରା ! ସା’ନ୍ତେ, ବାରିକେ ଦୁଇଜଣ ବସି ବିଚାର କଲେ– ଶେଷରେ ସ୍ଥିର ହେଲା, ‘ଦେଖାଯାଉ କ’ଣ ହେବ ।’ ହେଲେ କ’ଣ, ନରୁ ବାବୁଙ୍କ ମନ ସ୍ଥିର ହେଉ ନାହିଁ, କିପରି ମାମୁ ହାତରୁ ରକ୍ଷାପାଇବେ, ସବୁବେଳେ ମନରେ ଏହି ବିଚାର ।
ରାଘବମାମୁ ପ୍ରଥମ ପ୍ରଥମ ଦୁଇ ଚାରିଦିନ ଘରର ଗୋଟାଏ କୋଣରେ ତୁନିତାନି ହୋଇ ପଡ଼ିଥାନ୍ତି । କେବଳ ଶୋଇବା ବେଳଟାରେ ଘର ମଧ୍ୟରେ– ଆଉ ଆଉ ସମୟରେ ପିଆଦା ବା ଚାକରମାନଙ୍କ ସଙ୍ଗେ ବସି ଦିନ କାଟନ୍ତି । ଭରସି ନରୁ ବାବୁଙ୍କ ପାଖ ପଶନ୍ତି ନାହିଁ– ‘ଆଲୋ ବାପଲୋ– ବଡ଼ଲୋକ ପୁଅ, କ’ଣ କରିବ ପରା !’ ଦୁଇ ଚାରିଦିନ ଗଲା, ଆଠଦିନ ବି ଗଲା, ସବୁବେଳେ ପାଖରେ ରହିଲେ ମଧ୍ୟ ଭୟ ଭଡ଼କ ଭାଙ୍ଗିଯାଏ । ଆଉ ଅପା କହିଦେଇଛନ୍ତି, ‘ନରୁ ତୁମ ଭଣଜା, ଭଣଜାବାବୁ ବୋଲି ଡାକିବାକୁ ହେବ ।’ ଦିନେ ସଖାଳେ ନରୁବାବୁ ଖଟିଆଟି ଉପରେ ବସି ସ୍କୁଲର ପାଠ ଅଭ୍ୟାସ କରୁଅଛନ୍ତି, ରାଘବମାମୁ ପାଖ ପାଖ ହୋଇ ଯାଇ ଏକାବେଳକେ କତିରେ ଦେହକୁ ଲାଗିଲାପରି ବସିପଡ଼ିଲେ । ତହିଁ ଆରଦିନଠାରୁ କିତାପଗୁଡ଼ିକ ଓଲଟପାଲଟ କରିବା ଆରମ୍ଭ ହେଲା । ଦିନେ ଖଣ୍ଡେ କିତାପ ମେଲାଇ କହିଲେ, ‘‘ମଲା–ମଲା, ଏଇଟା ଗୋଟାଏ ବଳଦ ପରି ଦିଶୁଛି ।’’ ଆଉ ଦୁଇ ପୁଡ଼ା ଓଲଟାଇ କହିଲେ, ‘‘ହୋ–ହୋ–ହୋ ! ଏଇଟା ବିରାଡ଼ି, ଏଇଟା ଗୋଟାଏ ଗଛ, ପୋଥି ଉପର ପଟାଗୁଡ଼ାକ କିମିତିକା ରଙ୍ଗ ଦିଶୁଛି, ଭଣଜାବାବୁ ! ଏ ଖଣ୍ଡ କି ପୋଥି ? ମୁଁ ଟିକେ ପଢ଼ନ୍ତି । ମତେ ଦିନେ କହିଦେବ ।’’ କରୁଣା ପାଖରେ ବସିଥିଲା, ବୁଝିପାରିଲା ପଢ଼ାରେ ବାଧା ପଡ଼ିବାରୁ ଟିକାଏତ ବାବୁ ବଡ଼ ଦିକ୍ଦାର୍ ହେଲେଣି । ଆଉ ସହିପାରିଲା ନାହିଁ–କହିଲା, ‘‘ଏ ମାମୁସା’ନ୍ତ, ଟିକାୟତ ବାବୁ ଉଛୁଣି ପାଠ ପଢ଼ନ୍ତୁ, ତାଙ୍କୁ କିଛି ବୋଲ ନା–ଆଉବେଳେ ତାଙ୍କ ସାଙ୍ଗରେ କଥା କହିବ, ପୋଥିକଥା ପଚାରିବ ।’’ କରୁଣା କଥା ଶୁଣି ରାଘବମାମୁ ମନ ମଧ୍ୟରେ ଭାରି ଖୁସି–କରୁଣା ତାଙ୍କୁ ସା’ନ୍ତ ବୋଲି ଡାକିଲା । ଆଜିଯାଏ ତାଙ୍କୁ ସା’ନ୍ତ ବୋଲି କେହି ଡାକି ନାହିଁ–ଏଇଟା ହେଲା ପ୍ରଥମ ସମ୍ବୋଧନ । ଗାଁରେ ତ ତାଙ୍କୁ ରଘୁଆ ମହାନ୍ତି ବୋଲି ସମସ୍ତେ ଡାକନ୍ତି । ଅପା ରାଣୀ–ମୁଁ ସା’ନ୍ତ, କଥାଟା ମନରେ କରି ହସି ହସି ଉଠିଗଲେ ।
ରାଘବ ମହାନ୍ତି ସଙ୍ଗରେ ଏକତ୍ର ବାସ ଟିକାଏତ ବାବୁଙ୍କ ପକ୍ଷରେ ଦିନକୁଦିନ ନିହାତି କଷ୍ଟକର ହୋଇପଡ଼ିଲାଣି । ସ୍କୁଲ ବାହୁଡ଼ା ନରୁବାବୁ ଟିକିଏ ଶୀତଳ ଠାରେ ବସନ୍ତି; ରାଘବ ମହାନ୍ତି କଟମଟ କରି ଖାଇବାକୁ ଅନାଇଥାଏ । ନିପଟ ମୂର୍ଖ, ଦରିଦ୍ର, ମଫସଲ ଗାଉଁଲିଆ ଲୋକ, ଭଦ୍ର ବ୍ୟବହାର କାହୁଁ ଜାଣିବ ? ନରୁ ବାବୁଙ୍କୁ ବଡ଼ ଲାଜ ମାଡ଼େ–ଦରଖିଆ ହୋଇ ଉଠିଯାନ୍ତି । କରୁଣାକୁ ଭଲ ଲାଗେ ନାହିଁ, ଦିକ୍ଦାର୍ ହୋଇଗଲାଣି, ଠା ବେଳେ କରୁଣା ପିଠି ଉହାଡ଼ କରି ବସେ । ଗୋଟାଏ କଥା ରକ୍ଷା ଥିଲା ନରୁ ବାବୁଙ୍କ ରାତି ଠା ବେଳେ ରାଘବମାମୁ ପିଆଦାମାନଙ୍କ ସଙ୍ଗେ ବଜାର ବୁଲି ବାହାରିଥାନ୍ତି । କରୁଣା କବାଟଟା କିଳିଦେଇ ମାମୁ ଘର-ବାହୁଡ଼ା ଆଗରୁ ସେ ପାଇଟି ସବୁ ନିବାଡ଼ି ରଖେ । ମାମୁ ଦିନେହେଲେ ସେ କଥାର ଗନ୍ଧ ପାଇ ନାହାନ୍ତି ।
–୪୪–