ମାମୁ
ଫକୀରମୋହନ ସେନାପତି · ଭାଗ ୧୮ / ୨୪
ସମ୍ପୂର୍ଣ୍ଣ ସୂଚୀପତ୍ର
ମାଈଁଙ୍କ ଅନୁତାପ
ମନୁଷ୍ୟ ରାଗମୁଣ୍ଡରେ ଗୋଟାଏ ଖରାପ କାମ କରିପକାଏ, ରାଗଟା ମେଣ୍ଟିଗଲେ ସେଥିଲାଗି ସନ୍ତାପି ହୁଏ । ନରୁବାବୁ ଚାଳିଯିବାରୁ ବିଶାଖା ଦେଈଙ୍କ ମନରେ ଗୋଟାଏ ଡର ପଶିଲାଣି–କ୍ୟାଁ ସେ ପିଲାଟାକୁ ଗାଳିଦେଲି–ସାନ୍ତ ଆସିଲେ କ’ଣ କହିବେ, ମୋ ଉପରେ ଖପା ହେବେ ପରା ? ମଙ୍ଗଳା ଦେଈ କହିଲେ, କ୍ୟାଁ ଏତେ ସନ୍ତାପି ହେଉଛୁ, କ୍ୟାଁ ଏତେ ଡର, ଜୁଆଁଇବାବୁ ଆସିଲେ କହିବା, ଆମ୍ଭେମାନେ କିଛି କହିନାହୁଁ, ତୁଚ୍ଛାଟାରେ ନରୁ ଆପେ ଆପେ ଚାଲିଗଲା । ଆହୁରି ଯିବାବେଳେ ମାମୁ–ମାଈଙ୍କୁ ଦାଣ୍ଡେ ଦାଣ୍ଡେ କେତେ ଗାଳି ଦେଇଗଲା ! ଚିତ୍ରକଳା କହିଲା, ନାହିଁ ନାହିଁ, ସେପରି କଥା ନୁହେଁ, ତୁମ୍ଭେମାନେ ତୁନି ପଡ଼ିଥାଅ, ସାନ୍ତ ଆସିଲେ ମୁଁ ସବୁକଥା ବୁଝାଇ କହିବି ।
ରୋଜ ରୋଜ ଯେପରି ଯା’ନ୍ତି, ସକାଳୁ ଉଠି ନାଜର ବାବୁ ସାହେବଙ୍କ କୋଠିକୁ ଚାଲିଯାଇଛନ୍ତି । ବସାରେ ଯେ ଏତେ କାଣ୍ଡ, ତାଙ୍କୁ କିଛି ଜଣାନାହିଁ । ବେଳ ଦଶ ବାଜିବା ସରିକି ବସାକୁ ବାହୁଡ଼ିଲେ । ଚିତ୍ରକଳା ଜଗି ବସିଥିଲା, ସାନ୍ତ ଭିତର ଚୌକାଠ ଡେଇଁଛନ୍ତି କି ନାହିଁ, ପାଖକୁ ଧାଇଁଗଲା ଗୋଟାଏ ଯେମନ୍ତ ଦାରୁଣ ବିପଦ ଉପସ୍ଥିତ । ଭାରି ଗୋଟାଏ ଛାନିଆ ହେଲା ପରି କହିଲା, ‘‘ଶୁଣିନାହାନ୍ତି ସାନ୍ତ ! ସକାଳେ ଆପଣ ଯିମିତି ସାହେବଙ୍କ ପାଖକୁ ବାହାରି ଯାଇଛନ୍ତି, ସେଇ ସେ ଯେ ପୋଡ଼ାମୁହାଁ ପେସ୍କାର, ନରୁବାବୁ ଯାହାକୁ ମଉସା ବୋଲି କହନ୍ତି, ଦି କୋଡ଼ି କି ଚାରି କୋଡ଼ି ଲୋକ ସାଙ୍ଗରେ ଘେନି ଆସିଲା–ନରୁବାବୁଙ୍କର ଯେତେ ଜିନିଷ ଥିଲା, ସବୁ ଘେନିଗଲା–ନରୁବାବୁ ତା’ ସାଙ୍ଗରେ ଚାଲିଗଲେ । ମୁଁ ଆଉ ଭାଇସାନ୍ତ ଦୁଇଜଣ ତାଙ୍କୁ ଯେତେ ନେହୁରା କଲୁ କହିଲୁ ଟିକିଏ ମଠ କର, ସାନ୍ତ ଆସିଯାଆନ୍ତୁ, ଶୁଣିଛି କିଏ ? ଭାଇସାନ୍ତ ଆଉ ମୁଁ ଦୁଇଜଣ ଯିମିତି ରାଗିଥିଲୁ ଆସିଥାନ୍ତେ କି ଆଠ ଦଶଜଣ, ଗାଲ କାମୁଡ଼ି ପକାଇ ନ ଥାନ୍ତୁ ? ପଣକୁ ପଣ ଲୋକ, କ’ଣ କରିବୁ ? ଦେଖନ୍ତୁ ସାନ୍ତାଣୀ ତେତିକିବେଳକୁ ଠା ବସି କାନ୍ଦୁଛନ୍ତି ।’’ ମଙ୍ଗଳା ଆଉ ବିଶାଖା ଦେଈ ଦୁଇଜଣ ଚିତ୍ରା ଉପରେ ଭାରି ଖୁସି । ତାଙ୍କ ଜାଣିବାରେ ଚିତ୍ରା ପରି ସିଆଣୀ ଆଉ ଭଲ ମଣିଷ ପୃଥିବୀରେ ନାହିଁ ।
ନାଜର ବାବୁ ସବୁ କଥା ଶୁଣି ପ୍ରଥମେ ଭାରି ଖପାଟାଏ ହେଲେ । ତହିଁ ଉତ୍ତାରେ ମନରେ ଦୁଃଖ କଲେ । ଦୁଃଖର କାରଣ- ନରୁ ପିଛେ ସବୁ ସବୁ ରକମରେ ମାସକୁ ତିରିଶ ଟଙ୍କାରୁ ବଳି ଖରଚ ନୁହେଁ–ମୁଁ ମାସକୁ ଅଢ଼େଇଶ ଟଙ୍କା ଖରଚ ପକାଉଥିଲି । ଏତେ ଗୁଡ଼ାଏ ଟଙ୍କା ଏକାବେଳକେ ଲେକାସାନ । ସାଆନ୍ତାଣୀଙ୍କ ମନରେ ଦୁଃଖ–କେତେ ରକମ ଖଜା, କାକରା, ଏଣ୍ଡୁରୀ, ସରୁଚକୁଳି, ମଣ୍ଡାପିଠା ଜେଜିମା ପଠାଉଥିଲେ; ବଡ଼ ଉଆସରୁ କେତେ ଭଲ ଘିଅ, ଛେନା, ସରୁ ଚାଉଳ, ମୁଗ ଜାଇ ଆସୁଥିଲା । ଏବେ ଆଉ ଆସିବ ନାହିଁ । ମଙ୍ଗଳା ଦେଈ ଆଉ ରାଘବ ମାମୁ ଭାରି ଖୁସି, ଗୋଟାଏ କଣ୍ଟା ଗଲା । ନାଜର ବାବୁ କଚେରିକୁ ଯାଇ ପେସ୍କାରକୁ ଧମକାଇଲେ, ସାହେବ ପାଖରେ ରିପୋର୍ଟ କରିବେ ବୋଲି କହିଲେ । ପେସ୍କାରବାବୁ କେବଳ ଏତିକି କହିଲେ, ‘‘ସାବଧାନ ! ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବେଟି ।’’
–୫୦–
ଧର୍ମଭାଇ
‘‘ତସ୍ୟା ବିସ୍ତାରିତା ବୁଦ୍ଧିଃ ତୈଳବିନ୍ଦୁରିବାମ୍ଭସି’’
ଚିତ୍ରାଟା ଚାକରାଣୀ ପରା–ବସାରେ କିଛି ଅଟକିଲେ ନାଜର ବାବୁ ତାକୁ ଡାକି ଯାନ୍ତି ତାଙ୍କ କହିବାରୁ ଏକଥା ଜାଣିଛୁ । ସତକଥା, ନୋହିଲେ ତାଙ୍କ ପରି ବଡ଼ ଲୋକଟା ଚାକରାଣୀଟା ଦୁଆରକୁ କ୍ୟାଁ ଯିବେ ? ବାବୁଙ୍କ ଡାକି ଯିବାବେଳ ପ୍ରତିଦିନ ରାତି ଆଠ ବାଜିବା ଉତ୍ତାରେ । କ୍ୟାଁ କେଜାଣେ ଆଜି ସଞ୍ଜକୁ ଉପସ୍ଥିତ । ଚିତ୍ରା ଶୋଇବାଘରେ ସଉପ ମଶିଣାଟା ଉପରେ ଗୋଟିଏ ଭେଣ୍ଡିଆ ଭଳିଆ ଲୋକ ବସିଛି, ଚିତ୍ରା ବଟାଟା ଆଗରେ ଥୋଇ ପାନ ଭାଙ୍ଗୁଛି ଦୁଇଜଣଯାକ ହସି ହସି କଥାବାର୍ତ୍ତା କରୁଛନ୍ତି । ନାଜର ବାବୁ ଯାଇ ଥକାହୋଇ ଛିଡ଼ା ହୋଇଗଲେ; ରାଗରେ ବିଜୁଳିଟା ଯେମନ୍ତ ତାଙ୍କ ଦେହଯାକ ଖେଳିଗଲା । ଏହି ଲୋକଟାକୁ ବାବୁ ଚିତ୍ରାଘର ଆଗ ସଡ଼କରେ କେତେଥର ଦେଖିଛନ୍ତି, ହେଲେ ଲୋକବିଶେଷକୁ ସ୍ଥାନ ବିଶେଷରେ ଦେଖିଲେ ମନରେ ଭାବବିଶେଷର ଉଦୟହେବା ସହଜ କଥା । ନାଜର ବାବୁ ଚିହ୍ନି ଗଲେଣି, ଏଇଟା ତ ସେହି ଉମେଦବାର । ଭାରି ଖପା ହୋଇ ପଚାରିଲେ, ‘‘ଚିତ୍ରା ! ଏ ଲୋକଟା କିଏ ?’’ ଲୋକଟା ଖପ୍ କରି ଉଠିପଡ଼ି ଗୋଟାଏ କୋଣ କାନ୍ଥରେ ମିଶି ଗଲାଣି । ଚିତ୍ରା ଦେଖିଲା, ଦୁଇଜଣଯାକ ପବନରେ ବରଡ଼ାପତ୍ର ପରି ଥରୁଛନ୍ତି–ଜଣେ ଭୟରେ, ଆଉ ଜଣେ ଭୟଙ୍କର କ୍ରୋଧରେ । ‘‘ହି ହି ହି’’ ଚିତ୍ରା ଭାରି ଗୋଟାଏ ହସି କହିଲା, ‘‘ଆରେ ପ୍ରଭୁ ! ତୋ କପାଳ ବଡ଼ ଭଲ, ଆଜି ସକାଳୁ ତୁ ଶଙ୍ଖଚିଲ ମୁହଁ ଚାହିଥିଲୁ–ଆଜି ଜାଣ ତୋର ସବୁ ଦୁଃଖ ମେଣ୍ଟିଲା । ମୁଁ କହୁଥିଲି, ସା’ନ୍ତଙ୍କ ଆସିବା ଢେର ଡେରି, ତୁ କେତେବେଳଯାଏ ବସିବୁ ? ତୋ କପାଳ ଯୋଗ ଦେଖ, ସାନ୍ତ ଗୁମ କରି ବିଜେ ହୋଇଗଲେ–ଆଜ୍ଞା ସା’ନ୍ତେ ! ଟିକିଏ ଦୟା କର, ଆପଣ ଶହେ ଟଙ୍କା ହୁକୁମ କରିଥିଲେ, ମାସେ ହେଲା ଧାଇଁଛି, ରୁଣ୍ଡେଇ ପୁଣ୍ଡେଇ ଦି’ କୋଡ଼ି ନ ଟଙ୍କା ଆଠଅଣା କଲା, ଆଉ ପାରିଲା ନାହିଁ । ମୁଁ ଯୋଡ଼ାଏ ସୁକି ମିଶାଇ ଦି’କୋଡ଼ି ଦଶ ପୂରା କରିଦେଲି । ଏ ମୋ ଧର୍ମ ଭାଇ, ଆପଣ ୟାକୁ ଟିକିଏ ଦୟା କର— ସା’ନ୍ତଙ୍କ ଗୋଡ଼ତଳେ ପଡ଼ରେ, ଗୋଡ଼ତଳେ ପଡ଼ିଯା ।’’ ନିଆଁରେ ପାଣି ପକାଇଲା ପରି ଦୁହିଁଙ୍କ ରାଗ ଆଉ ଡର ଊଣା ହୋଇଗଲାଣି । ‘‘ଟକିଏ ରହନ୍ତୁ ସା’ନ୍ତ, ପ୍ରଭୁ ଯେ ଟଙ୍କା ରଖିଛି ଘେନି ଆସେଁ’’ କହି ଚିତ୍ରା ଚଟ୍ କରି ବାକ୍ସଟା ଫିଟାଇ ପକାଇଲା । ‘‘ମଲା ଯା’ ସର୍ବନାଶ ! କଥା ଲହସରେ ସିନା କହିପକାଇଛି, ବାକ୍ସଟା ଅଣ୍ଡାଳି ଦେଖେ ଯେ ନ’ଟା ଟଙ୍କା ଆଉ କେତେ ଅଣା ପଇସା ପଡ଼ିଛି, ଦଶ ଟଙ୍କା ବି ପୂରାପୂରି ନୁହେଁ ।’’ ସେହି ଟଙ୍କାଗୁଡ଼ା ଥରକୁଥର ଝମ୍ ଝମ୍ କରୁଛି, ମତଲବ ପାଞ୍ଚୁଛି କ’ଣ କରିବ, ନାଜର ବାବୁ ଡାକିଦେଲେ, ‘‘ଥାଉ ଥାଉ ଉଛୁଣିଟା ଟଙ୍କା ଥାଉ ।’’ ଚିତ୍ରା ତ ଧଡ଼ କରି ବାକ୍ସ ପକାଇ ଫଁ-କରି ନିଃଶ୍ୱାସଟାଏ ମାରିଲା । ‘‘ଆଚ୍ଛା, ଆଚ୍ଛା, ଯେତେବେଳେ କହିବେ ବସାରେ ଦେଇଆସିବି । ଏ ଟଙ୍କା ଆଉ ଛୁଇଁବି ନାହିଁ, ତୁଳସୀ ପତ୍ରଟାଏ ପକାଇ ରଖିଲି । ଦେ ରେ ପ୍ରଭୁ ! ସାନ୍ତଙ୍କୁ ଗୁଡ଼ାଖୁ ଚିଲମେ ସଜାଡ଼ି ଦେ ।’’ ପ୍ରଭୁଦୟାଲ ଚଟ କରି ଲୁହା ଶିକରେ ହୁକା ନଳିଚାଟା ସଫା କରି ପକାଇଲା । ଚିଲମରେ ଠିକ୍ କରି ଦେଇ ଗୁଡ଼ାଖୁ ସାଜି ଭଲ କରି ଫୁଙ୍କି ସାଆନ୍ତଙ୍କ ହାତକୁ ହୁକଟା ବଢ଼ାଇ ଦେଲା । ଘଣ୍ଟାଏ ହେଲା ଗୁଡ଼ାଖୁ ଖାଇ ନ ଥିଲେ । ଦୁଇ ଚାରିଟା ଦମ୍ ଟାଣି ସାନ୍ତଙ୍କ ଆତ୍ମାପୁରୁଷଟା ଶୀତଳ ହୋଇଗଲା । ଏଣେ ତ ଚିତ୍ରାର କଥାର ଲହର ଛୁଟିଛି । କହିଲା–‘‘ଜାଣିବା ହେଲେ ସାନ୍ତ ! ମୋର ଯେ ଧର୍ମମା’ ଏଇ ପ୍ରଭୁର ନିଜ ମା’, ତାଙ୍କରି ଦୟାରୁ ମୁଁ ଅଣ୍ଡାଟି କତିରୁ ଭେଣ୍ଡୀଟିଏ । ସେ ଯେ ଥିଲେ ସାନ୍ତ, ମୁଁ କ’ଣ କହିବି, ତାଙ୍କୁ ଦେ ପଦେ କହି ତୁଣ୍ଡ ହୁଡ଼ିଲେ ‘ନା’ ପଦ ବୋଲି ନ ଥିଲା । କ’ଣ କହିବି ସାନ୍ତ, ସେ ଥିଲେ ଗୋଟିଏ ଲକ୍ଷ୍ମୀ ଠାକୁରାଣୀ ତା’ପରା ଦେବୀ ଚାଲିଗଲେ, ମୁଁ ପଡ଼ିଛି ।’’ ଉଁ-ଉଁ-ଉଁ ! ଦଣ୍ଡେ କାନ୍ଦି ମୁହଁଟା ପଣନ୍ତ କାନିରେ ପୋଛି ଦେଲା । ମା’ ସ୍ୱର୍ଗକୁ ଗଲାଦିନୁ ମୋ ସେ ଦୁଆରେ କଣ୍ଟା । ଏ ଯେ ସାନଭାଇଟା, ନିଆଁଖାଇ ଭଉଣୀଟା ମଲା କି ଗଲା, ଥରେ ଭଲା ଆସି ଦୁଆର ଡୁଙ୍ଗି ଯା-ନା ସେ କଥା ଭାଇଙ୍କ ପାଖରେ ଦେଖିବ ନାହିଁ । ଆଜି କାମ ଅଟକିଲା ବୋଲି ଧାଇଁ ଆସିଛି । ନୋହିଲେ କିଏ କାହାକୁ ଅନାଏ-? ଦେଖ ପ୍ରଭୁ, ତୁ ଯଦି ଥରେ ଆସି ଦେଖା ଦେଇ ନ ଯିବୁ, ତୋ ଲାଗି ସାନ୍ତକୁ କିଛି କେବେ କହିବି ନାହିଁ । କହ ଆସିବୁ କି ନା, କହ । ପ୍ରଭୁଦୟାଲ, କହିଲା ‘‘ହଁ ନାନୀଜୀ ଆସିବି ।’’ ଏଥିମଧ୍ୟରେ ପ୍ରଭୁଦୟାଲ ଦୁଇ ତିନି ଚିଲମ ଗୁଡ଼ାଖୁ ସାଜି ସାରିଲାଣି ସେ ଖାଲି ସାନ୍ତଙ୍କ ହାତକୁ ଅନାଇ ବସିଛି । ନାଜର ବାବୁ ମନ ମଧ୍ୟରେ ଭାରି ଖୁସି, ଏଟା ଖୁବ୍ କାମକା ଲୋକ ହେବ ।
ଚିତ୍ରା କହିଲା–‘‘ରେ ପ୍ରଭୁ ! ତୁ ଟୋକାଳିଆ ଚଗଲା ବୁଦ୍ଧି ସବୁ ଛାଡ଼ । ସା’ନ୍ତଙ୍କ ପିଛା ଧରି ରହ, ତୋ କପାଳ ଫିଟିଲା ଜାଣ ।’’
–୫୧–
ମଧୁବନ ତୋଟା
‘‘ନବ ପଳାଶ ପଳାଶ ବନଂ ପୁରଃ ସ୍ଫୁଟରାଗ ପରାଗତପଙ୍କଜଂ ।
ମୃଦଲତ ନ୍ତ ଲତାନ୍ତମଲୋକୟତ୍ ସସୁରଭିଂ ସୁରଭିଂ ସୁମନୋହରୈଃ ।’’
ଆଜିକାଲି ମଣିମା ଚାନ୍ଦମଣି ଦେଈ ଟିକିଏ ବୁଲାଚଲା କରିପାରିଲେଣି । ସଞ୍ଜ ସକାଳ ଉଆସ ଭିତରେ ଏଣେତେଣେ ଚଳାବୁଲା କଲେଣି । ଦିନେ ଉପରଓଳି ଖରା ଗଡ଼ି ଗଲାଣି, ଏକୁଟିଆ ଏଣେତେଣେ ଚାଲବୁଲ କରୁ କରୁ ମଧୁବନ ତୋଟା ବେଣ୍ଟପୋଖରୀ ଘାଟକୁ ଚାଲିଗଲେ-। ଚାରିବର୍ଷ ବାଦେ ଆଜି ପ୍ରଥମ ଯିବାର ।
ଉଆସକୁ ଲାଗି ପଛପଟକୁ ମଧୁବନ ତୋଟା ତାହା ମଝିରେ ବେଣ୍ଟପୋଖରୀ । ପୋଖରୀ ତୁଚ୍ଛା ଜଳପୁଟଟା ପାଞ୍ଚ ମାଣରୁ ଉଣା ହେବ ନାହିଁ–ବଗଚରା ମିଶିଲେ ଛ’ ସାତ ମାଣକୁ ବଳି ପଡ଼ି ପାରେ । ତା ନାମ ବେଣ୍ଟସର । ସରର ଚାରି ପାଖରେ ମାଙ୍କଡ଼ା ପଥରରେ ବନ୍ଧା ଚାରିଟା ଘାଟ । ଉଆସ ପାଖ ମାଜଣା ଘାଟଟା ସବୁଠାରୁ ବଡ଼ । ଉଆସ ବେଣ୍ଟଦୁଆର ଚୌକାଠ ମୂଳକୁ ଲାଗି ଘାଟଯାଏଁ ଗୋଟାଏ ସଳଖ ସଡ଼କ । ସଡକ ଓସାର ଦୁଆର ଓସାର ମାପରେ, ଇଟା ପାଖପଟ ପୋତା ଚାରି ଆଙ୍ଗୁଳି ଉଚ୍ଚରେ ସଡ଼କ ଦୁଇ ପାଖ ବନ୍ଧା, ମଝିରେ ଗୋଡ଼ି ବାଡ଼ିଆ ହୋଇଥାଏ । ସଡ଼କ ଦୁଇପାଖରେ ଡାଳକୁ ଡାଳ ଲଗାଲଗି ମନାଣ ସହିରେ କତୁରା ମଲ୍ଲୀଗଛ ଲଗା ହୋଇଛି । ବସନ୍ତ ଆଉ ଗ୍ରୀଷ୍ମ କାଳରେ କୋମଳ ପତ୍ର ଆଉ ପୁଷ୍ପ ପୂର୍ଣ୍ଣ ହେଲେ ବଡ଼ ଡୌଲ ଦିଶେ । କୌଣସି ପ୍ରକାର ଫୁଲ ଗଛରୁ ଛିଡ଼ାଇବାକୁ ସାନ୍ତ ଆଉ ମଣିମାଙ୍କର ବିଶେଷ ରୂପେ ମନା-। ରାତିରେ ଫୁଲ ଫୁଟିଲେ ଗନ୍ଧରେ ଉଆସଟା ପୂରିଯାଏ । ସେହି ସଡ଼କଟିକୁ ବ୍ୟାସ କରି ଗୋଟିଏ ବଡ଼ ବୃତ୍ତ ଚାଣିକା । ଆଉ ବ୍ୟାସ ଚୌଡ଼ା ମାପରେ ଗୋଟିଏ ସଡ଼କ ପରିଧି ଚାରିପଟ ବୁଲିଯାଇଛି-। ସେହି ସଡ଼କ ଦୁଇ ପାଖରେ ମଧ୍ୟ ମଲ୍ଲୀଗଛ ରୁଆ । ବୃତ୍ତ କେନ୍ଦ୍ର ସ୍ପର୍ଶକରି ପଶାପାଲି ଛକ ପରି ଆଉ ଗୋଟିଏ ସଡ଼କ ପରିଧି ଅତିକ୍ରମପୂର୍ବକ ବଗିଚା ମଧ୍ୟକୁ ଚାଲି ଯାଇଛି । ପୁଣି ସହର ଚାରିପାଖ ଘୂରି ମୁଣ୍ଡ ମିଳି ଯିବାରୁ ଗୋଟିଏ ସଡ଼କ ପରି ଜଣାଯାଏ । ସବୁ ସଡ଼କ ଦୁଇଧାର ଇଟାରେ ବନ୍ଧା, ଆଉ ଧାରେ ଧାରେ ଜାଇ, ଯୂଇ, ମଲ୍ଲୀ, ନିଆଳୀ, କୁନ୍ଦ, କାମୋଦ, ରଙ୍ଗଣୀ ଆହୁରି କେତେ ଜାତି ଫୁଲଗଛ ରୁଆ ହୋଇଛି । ସାମନ୍ତ କଲିକତା ଫୁଲବାଗ ଦୋକାନମାନଙ୍କରୁ ପଲନିରନ, ମଣ୍ଟକ୍ରିଷ୍ଟ, ଇମୋଶନ ବ୍ଳାକ୍ପିନ୍ସ, ମାର୍ସେଲ, ଲିଲି ପ୍ରଭୃତି ଭଲ ଭଲ ଜାତି ଗୋଲାପ ଫୁଳ ଚାରାମାନ ଅଣାଇ ଘାଟ ପାଖମାନଙ୍କରେ ରୋଇଥିଲେ । ଆମ୍ବ, ପଣସ, ପେଡ଼ା, ଜାମୁରୋଲ, ଗୋଲାପଜାମୁ, ଜାମୁ, ସପେଟା, ଜଳପାଇ, ଲିଚୁ, ମଙ୍ଗୋସ୍ତିନ, ତାଳ ପ୍ରଭୃତି ଦେଶୀ ବିଦେଶୀ ଗଛମାନଙ୍କରେ ତୋଟା ପୂର୍ଣ୍ଣ ଥାଏ । ସର ଚାରି ପାଖରେ ନଡ଼ିଆ, ଗୁଆ ଧାଡ଼ି ଧାଡ଼ି ଲଗାହୋଇଛି । ସେହି ଗଛ ଫାଙ୍କମାନଙ୍କରେ ପଦ୍ମ, କରବୀର ଫୁଲ ଫୁଟି ପବନରେ ଦୋହଲିବା ବେଳେ ବଡ଼ ସୁନ୍ଦର ଦିଶେ । ନଡ଼ିଆ ବାହୁଙ୍ଗାରେ ଅସଂଖ୍ୟ ତାଳବାଇ ବସା ଦୋହଲୁ ଥାଏ, ସାନ ସାନ ପକ୍ଷୀଗୁଡ଼ାକ ସବୁବେଳେ କିଚିରି ମିଚିରି କରୁଥାନ୍ତି । ତୋଟାରେ ହେତାଖିଆ ଦଶ ପନ୍ଦର ଜଣ ତୋଟାଳିଆ ନିଯୁକ୍ତ ଥିଲେ । କୌଣସି ଗଛମୂଳ ଶୁଖିଲା ପଡ଼ୁ ନ ଥିଲା । ସବୁବେଳେ ଜଳ ଢଳା–ସଫା ସୁତରା । ଶୁଖିଲା ପତ୍ରଟିଏ ପଡ଼ିଲେ ସାଙ୍ଗେ ସାଙ୍ଗେ ପହଁରାଯାଏ–ସଡ଼କମାନଙ୍କରେ ଦିନକୁ ଦୁଇ ଥର ପହଁରା ଡାଙ୍ଗ ବାଜୁଥାଏ ।
ସା’ନ୍ତଙ୍କ ବିୟୋଗ ଦିନଠାରୁ ତୋଟା ସମ୍ଭାଳିବାକୁ କେହି ନାହିଁ । ନାଜରବାବୁ ହେତା ଜମି ଉପରେ କର ଭିଡ଼ି ଦେବାରୁ ତୋଟାଳିଆଗୁଡ଼ାକ ଛାଡ଼ି ପଲାଇଲେଣି । ପୃଥିବୀର ସମସ୍ତ ମାଙ୍କଡ଼ ଯେମନ୍ତ ତୋଟାରେ ରୁଣ୍ଡ; ଧୋ ବୋଲି କହି ଟେକାଟାଏ ଫୋପାଡ଼ି ଦେବାକୁ କେହି ନାହିଁ-। ତୋଟା ଚାରିପଟ ମେଲା । ଅଧସରିକି ଗଛ ମରିଗଲାଣି । ଗାଁ ଲୋକେ ଶୁଖିଲା ଗଛ ବୋଲି କଞ୍ଚା ଗଛ କେତେ ହାଣି ଘେନିଗଲେଣି । ଘାଟ ଦୁଇପାଖ ହାଁସିଆ ଉପରଠାରୁ ପାଣି ଲଗାଯାଏ ଦୁଇ ଧାଡ଼ି କୁଣ୍ଡ ବସାଇ ସେଥିରେ ଗୋଲାପ ଆଉ କ୍ରୋଟନ ଗଛ ଲଗା ଥିଲା । କେତେଟା କୁଣ୍ଡରେ ମଲା ଗଛର ଡାଙ୍ଗଗୁଡ଼ାଏ ଛିଡ଼ା । ଢେର କୁଣ୍ଡ ଘାଟ ତଳକୁ ପଡ଼ିଯାଇ ଭାଙ୍ଗିଗଲାଣି-। ଖପରା ଆଉ ଡାଙ୍ଗଗୁଡ଼ାକ ବୁଣି ପଡ଼ିଛି । ଘାଟରେ ବି ଗୁଡ଼ାଏ ଖପରା ମାଟିଟେଳା ଜମା ହୋଇଛି-। ସାନ୍ତଙ୍କ ଅମଳରେ ଗାଁର ବିଲେଇ ପିଲାଟିଏ ବି ତୋଟାରେ ପଶିପାରୁ ନଥିଲା, ଏବେ ଗାଁ ଗୋରୁଗୋଠର ଚରାଭୂଇଁ । ଗୋରୁମଣା ପିଲାଗୁଡ଼ାକ ଗୋରୁପଲ ଛାଡ଼ିଦେଇ ଡାଳମାଙ୍କୁଡ଼ି ଖେଳି କେତେ ଡାଳ ଭାଙ୍ଗି ପକେଇଲେଣି । ତୋଟାର ଫଳ ଫୁଲ ସବୁ ତାଙ୍କ ଜିମା—ଚୋର ବୋଲେ ମୁହିଁ । ଆଗେ ତୋଟାରେ ଲୋକେ ଭାତ ବାଢ଼ି ଖାନ୍ତେ, ଏବେ ଭଇଞ୍ଚ, ଆଙ୍କୁ, ବଣିଆଘଣ୍ଟା, କୁକୁରଛାଲିଆ, ଚାକୁଣ୍ଡା ବଣରେ ପୂରିଗଲାଣି । ସଡ଼କ ବାଟର ଚିହ୍ନ ନାହିଁ । ଠେକୁଆପଲରେ ବିଲୁଆପଲ ନିର୍ଭୟରେ ଖେଳୁଛନ୍ତି । ହୁଣ୍ଡାଳିଆ ଡରରେ ଉଆସର ପରିଜନମାନେ ଖରା ଥାଉଁ ଥାଉଁ ପୋଖରୀ ତୋଠ ପାଇଟି ସାରିନେଇଯାନ୍ତି–କେବେ କେମିତି ରାତିରେ ଆସିବାକୁ ହେଲେ ବଇଠାଟାଏ ହାତରେ ଧରି ଚାରି ପାଞ୍ଚଟା ମାଇକିନିଆ ରୁଣ୍ଡ ନ ହେଲେ ଭରସି ଆସିପାରନ୍ତି ନାହିଁ । ପୋଖରୀଟା ବୋରଝାଞ୍ଜି-ବଉଳମାଳା-ଘୋଡ଼ାଦଳରେ ପୂରିଗଲାଣି–କେତେଟା ଦଳପିମ୍ପି ସରଳ ଲମ୍ବ, ଲମ୍ବ ଗୋଡ଼ ପକାଇ ଜଳ ଉପରେ ବୁଲୁଛନ୍ତି । ଛାତିଏ ପାଣିଯାଏ ଘାଟଟି ମାତ୍ର ସଫା-। ଦଣ୍ଡେଇ ଗସିମରା ସାନ ମାଛ ପଲ ଝକଝକ କରି ଖେଳୁଛନ୍ତି ।
ମଣିମା କେତେବେଳୁ ଆସି ପୋଖରୀଟାକୁ, କେବେ ବା ତୋଟା ଭିତରକୁ ବକବକ କରି ଅନାଇ ଦେଖୁଛନ୍ତି । —କିଛି ବୁଝିପାରୁ ନାହାନ୍ତି । ସ୍ୱପ୍ନପରି ତୋଟାର ପୂର୍ବ ଚିତ୍ର ଛାୟାଟା ଯେମନ୍ତ ମନରେ ପଡ଼ିଯାଉଛି । ସବୁ ଦେଖୁଛନ୍ତି, କେତେ କଥା ମନରେ ବି ପଡ଼ି ଯାଉଛି, ହେଲେ ମନରେ ଧାରଣା ଶକ୍ତି ନାହିଁ । କ’ଣ ଥିଲା, କ’ଣ ଦେଖୁଛନ୍ତି, କ୍ୟାଁ ହେଲା, ଏ ସବୁ କଥା ମିଳାଇ ବୁଝିପାରୁ ନାହାନ୍ତି । ଧାଈମା ପରିଜନ ପ୍ରସ୍ତରେ ଥିଲେ, ମଣିମାଙ୍କ ତୋଠକୁ ଆସିବା କଥା ଜଣା ନାହିଁ । ବେହରଣ ପ୍ରସ୍ତକୁ ଆସି ଛାନିଆ ହେଲା ପରି ଚାରିଆଡ଼େ ଅଣ୍ଡାଳି ପକାଇଲେ । ମାଜଣା ତୋଠକୁ ଧାଇଁଲେ, ପାଞ୍ଚ ଛ’ଟା ପୋଇଲୀ ପଛରେ ଗୋଡ଼ାଇଛନ୍ତି । ଦେଖିଲେ, କାଠପିତୁଳିଟି ପରି ମଣିମା ଘାଟରେ ଉଭା ହୋଇଛନ୍ତି । ଧାଇଁ ଆସି କୁଣ୍ଢାଇ ପକାଇଲେ— ‘ଆସ ଆସ, ଭିତରକୁ ଆସ’ କହି ହାତଧରି ଘେନିଗଲେ ।
–୫୨–
ନରୁବାବୁଙ୍କ ଚିଠି
‘‘ସପ୍ରତିବନ୍ଧଂ କାର୍ଯ୍ୟଂ ପ୍ରଭୁ ରଧିଗନ୍ତୁଂ ସହାୟଦାନେନ ।’’
(ମାଳବିକାଗ୍ନି ମିତ୍ର)
ପରମପୂଜନୀୟା ଶ୍ରୀ ଶ୍ରୀମତୀ ଜେଜୀମା ଠାକୁରାଣୀଙ୍କ ଶ୍ରୀଚରଣକୁ ଅଧୀନ ଦାସ ନରହରିର ଶତଶତ ଦଣ୍ଡବତ ଓଳଗି । ଆଗେ ଏ ନିମନ୍ତେ କଟକ ମୁକାମ ବସାଘରଠାରେ ଥାଇ ଲେଖିଲୁ କି ଏଠାରେ ମୋ ଦେହପା ସମସ୍ତ ମଙ୍ଗଳ, ଆପଣମାନଙ୍କ କ୍ଷେମକୁଶଳକୁ ଶ୍ରୀ ଶ୍ରୀ ଯୁଗଳକିଶୋର ଦେଉ ବିଚାରୁ ଅଛନ୍ତି । ମାତା ଠାକୁରାଣୀଙ୍କ ଶ୍ରୀ ଚରଣରେ ମୋହର ଲକ୍ଷ ଲକ୍ଷ ଜୁହାର ଜଣାଇବ । ଶିରୁକୁ କହିବ, ମାଇନର ପରୀକ୍ଷା ଫଳ ବାହାରିଲେ ଦେଖାଯିବ । ସେ ଯଦି ପାଶ୍ କରିଥାଏ, କଟକକୁ ଆସି ଇଂରେଜୀ ପଢ଼ିବ, ମଉସା ଏ କଥା କହିଛନ୍ତି । ମୁଁ ଏଣ୍ଟ୍ରାନ୍ସ୍ ପରୀକ୍ଷାରେ ପ୍ରଥମ ବିଭାଗରେ ପାଶ୍ କରିଥିବା ବିଷୟ ପୂର୍ବ ଚିଠିରେ ଜଣାଇଥିଲି । ମାସିକ ପନ୍ଦର ଟଙ୍କା ଜଳପାନି ପାଏଁ । ଗଲା କାଲି କଲେଜ ପ୍ରିନ୍ସପାଲ ସାହେବ ତିନିମାସର ବୃତ୍ତି ପଇଁଞ୍ଚାଳିଶ ଟଙ୍କା ଏକ ସଙ୍ଗରେ ମୋତେ ଦେଲେ । ମୁଁ ସେ ଟଙ୍କା ନେଇ ମଉସାଙ୍କୁ ଦେବାରେ ସେ ନେଲେ ନାହିଁ–ଖରଚ କରିବା ସକାଶେ ମୋତେ କହିଲେ । ଏଠିକା ଖରଚ ତ ମଉସା ସବୁ ଦେଉଛନ୍ତି, ମୁଁ ଆଉ କ’ଣ ଖରଚ କରିବି ? ସେହି ୪୫ ଟଙ୍କା ଭୀମମଲ୍ଲ ହମରା ପଠାଇଲି । ଶୁଣାଶୁଣିରେ ଆପଣ ଉଛୁଣି ଖରଚପତ୍ରରେ ଟାଣଟୁଣ ଅଛନ୍ତି । କି ସକାଶେ ଟାଣଟୁଣ ମାମୁ କି ସବୁ ଖରଚ ଦେଉନାହାନ୍ତି ?
ମୁଁ ଏଠାରେ ପରମ ସୁଖରେ ଅଛି । ବାରଲୋକଙ୍କ ଯିବାଆସିବା ଯୋଗୁଁ ମଉସାଙ୍କ ବସାରେ ଗୋଳମାଳ ହୁଏ । ମୋ ପଢ଼ାରେ ହରକତ ହେବା ଭୟରେ ମୋତେ ଗୋଟାଏ ଅଲଗା ବଡ଼ ଦୋତାଲା ଘର ଠିକ୍ କରି ଦେଇଛନ୍ତି । ଚାରିଜଣ ଚାକର ତଳେ କାମ ପାଇଟି କରନ୍ତି, ଦୁଇଜଣ ପାଇକ ଦୁଆରେ ପହରା, ଅକାରଣ ସେମାନଙ୍କର ମୋ ପାଖକୁ ଆସିବାକୁ ମଉସାଙ୍କର ମନା, କେବଳ କରୁଣା ସବୁବେଳେ ପାଖରେ ହାଜର ଥାଇ ଡାକହାକ ଶୁଣେ । ମଉସା ରୋଜ ରୋଜ ବସାକୁ ଆସି ସବୁ ବିଷୟ ଦେଖିଯାନ୍ତି, ଦେହପା ହେଲେ ଦିନଯାକ ମୋ ପାଖରେ ଛୁଟାଣ ହୁଅନ୍ତି ନାହିଁ । ଏଠାକୁ ଆସିବା ଦିନରୁ ମାମୁଙ୍କୁ ଦେଖି ନାହିଁ । ଦିନେ କଚେରି ଦାଣ୍ଡରେ ଭେଟ ହୋଇଥିଲା । ମୁଁ ଦଣ୍ଡବତ କଲି, କଥାଭାଷା କିଛି ହୋଇ ନାହିଁ । ଉଆସକୁ ଯିବା ସକାଶେ ମୋତେ ବାରମ୍ବାର ଲେଖୁଛି; ମାତ୍ର ମୁଁ ପ୍ରତିଜ୍ଞା କରିଛି, ଏଫ.ଏ. ପାସ୍ ନ କଲେ ଗଡ଼କୁ ଯିବି ନାହିଁ । ମୁଁ ଏଠି ଭଲ ଅଛି-। ଲେଖିବା ଦୋଷ ମାଫ କରିବ । ଇତି ।
ମେଷ ମାସ ସାତ ଦିନ, ୧୨୭୦ ସାଲ
ଚିଠିଖଣ୍ଡ ପୁଲିନ୍ଦାରେ ଉତ୍ତମରୂପେ ବନ୍ଦକରି ଟଙ୍କା ସହିତ ପାଇକ ହମରାରେ ପଠାଇଦେଲେ । ଠିକ୍ ବେଳେରେ ଚିଠି ଗଡ଼ରେ ପହଞ୍ଚିଲା । ‘‘ନରୁ ଚିଠି – ନରୁ ଚିଠି’’ କହି ଜେଜେମା ଉଆସ ଭିତରୁ ଧାଇଁଛନ୍ତି । ପାଇକ ହାତରୁ ଚିଠି ଆଉ ଟଙ୍କା ପୁଟୁଳା ନେଇ ବାରମ୍ବାର ଚୁମା ଖାଉଥାନ୍ତି ଆଉ ଛାତିରେ ଲଗାଉଥାନ୍ତି । ପହଡ଼ ଘର ମଧ୍ୟରେ ନିରୋଳାରେ ବସି ଚିଠି ପଢ଼ା ପଢ଼ି ହେଲା । ଧାଈମା ପଢ଼ିଯାଉଛନ୍ତି–ମଣିମା ଆଁ ଟା କରି ଏକ ଧ୍ୟାନରେ ଶୁଣୁଥାନ୍ତି । ଦୁହିଁଙ୍କ ନେତ୍ରରୁ ଝରଝର କରି ଲୋତକ ବହି ଯାଉଥାଏ । ସାତବର୍ଷ ଉତ୍ତାରେ ଆଜି ମଣିମାଙ୍କ ନେତ୍ରରେ ଲୋତକ ଆଉ ମୁଖରେ ପ୍ରସନ୍ନ ଭାବ ଦେଖାଗଲା । ପରିଜନ ମହଲରୁ ଶଙ୍ଖ ହୁଳହୁଳି ଉଛୁଳି ପଡ଼ୁଛି । ଗ୍ରାମଯାକ ହାଟ ହୋଇଗଲା; କଟକ ହାକିମ ଖୁସିହୋଇ ଟିକାୟତ ବାବୁଙ୍କୁ ପାଞ୍ଚ ଶ’ ଟଙ୍କା ଖଜାଖିଆ ଦେଇଛନ୍ତି । କେହି କହେ ହଜାରେ, ଆଉ ଜଣେ କହିଲା, ନାହିଁ ନାହିଁ କହେ ଦି ହଜାର । ସବୁ କଥାର ହାଲ ଆଉ ଟଙ୍କାର ସଂଖ୍ୟା ଜାଣିବା ପାଇଁ ଜଣକେତେ ହରିବୋଲ ବାରିକଙ୍କ ପାଖକୁ ଧାଇଁଲେ । ବାରିକଙ୍କୁ ମୂଲକର ସବୁକଥା ଜଣା । କାହାରି କିଛି କଥା ଅଟକିଲେ ବାରିକଙ୍କ ପାଖକୁ ଧାଇଁ ଆସେ-। ସେ ଯେଉଁ କଥା ପଚାରୁ, ବାରିକଙ୍କ ପାଖରୁ ସାଙ୍ଗେ ସାଙ୍ଗେ ଉତ୍ତର ପାଏ । କାମ ଚଳାଇବା ଅଥଚ ଆପଣା ଗୌରବ ବଢ଼ାଇବା ପାଇଁ ମିଛ କଥାରେ ଯେ ଅଧର୍ମ ଅଛି, ବାରିକେ ଏ କଥା ବୁଝନ୍ତି ନାହିଁ-। ହେଲେ, ଯହିଁରେ ଲୋକର ଅନିଷ୍ଟ ହେବ, ଏ ସବୁ ଜାଗାରେ ବାରିକେ ଧର୍ମ-ଯୁଧିଷ୍ଠିର । ପ୍ରଶ୍ନ ଶୁଣି ବାରିକେ ଉତ୍ତର କଲେ–‘‘ଏ ହରିବୋଲ । ଜେଜୀମା ଡକାଇଥିଲେ, ମୁଁ ଏଇଲାଗେ ଉଆସରୁ ଆସି ବସିପଡ଼ୁଅଛି ପରା ! ନିଜେ ଟଙ୍କା ଗଣି ଥଳିରେ ପୂରାଇ ମୁହଁ ବାନ୍ଧି ଦେଲି । ଯୋଡ଼ାଏ ଥଳିରେ ହଜାରେ ହଜାରେ ଦୁଇ ହଜାର, ଆଉ ଗୋଟାଏ ଥଳିରେ ହଜାର ଏକ ଟଙ୍କା । ହାକିମମାନେ ଶୂନ ଟଙ୍କା ଦିଅନ୍ତି ନାହିଁ, ସେଥିଲାଗି ଟଙ୍କାଟାଏ ବଳକା ଦେଇଛନ୍ତି ।’’
ରାମ ପରିଡ଼ା ପଚାରିଲା, ‘‘ଶୂନ ଟଙ୍କା କ’ଣ ?’’
ବାରିକେ–‘‘ଏଁ–ହରିବୋଲ । ଆରେ ବାପା ! ଏତିକି ବୁଝି ପାରିଲୁ ନାହିଁ ? ହଜାରେ ଲେଖିଲେ ଶେଷ ଅକ୍ଷରଟା ଶୂନ ହୋଇଯାଏ, ଏଥିଲାଗି ଏକ ବସାଇ ଦିଅନ୍ତି । ଖଣ୍ଡେ ଅଙ୍ଗାରରେ ଭୂଇଁରେ ଲେଖିଲେ ଏହି ଦେଖ ହେଲା ୧୦୦୦, ଶେଷ ଅକ୍ଷରଟା ହେଲା ଶୂନ୍ୟ, ଏଥିଲାଗି ଗୋଟାଏ ୧ ଚଢ଼ାଇ ଦେଲେ ହେବ ୧୦୦୧ ।
ସମସ୍ତେ ଶୁଣି ଭାରି ଖୁସି । ବୁଝିଗଲେ, ହିସାବ କିତାବରେ ବି ବାରିକେ ବଡ଼ ଟାଣୁଆ । ବାରିକେ ଆଉ ଗୋଟିଏ ଗୁପ୍ତକଥା ତୁନି ତୁନି ସମସ୍ତଙ୍କୁ ଜଣାଇ ଦେଲେ–କଟକ କମଷ୍ଟିନ ସାହେବ ପରଗଣାରେ ହୁକୁମ ଲେଖି ଦେଲେଣି, ଏଇ ଆସନ୍ତା ଦଶହରା ପୂଜା ବେଳକୁ ଟିକାଇତ ବାବୁ ପାଲିକି ପାଟଛତା ଉଡ଼ାଇ, ବାଜା ବଜାଇ ଆସି ଗାଦିରେ ବସିବେ । ବାରିକେ ତୁଚ୍ଛାଟାରେ ଏ କଥା କହି ନାହାନ୍ତି, ଏଥିରୁ ଢେର ମତଲବ ହାସଲ ହେବ ।
ଜେଜୀମା ଆଉ ମା’ ମଣିମା ସ୍ଥିର କଲେ, ନରୁର ଏହି ପ୍ରଥମ ଟଙ୍କାରେ ଯୁଗଳକିଶୋର ମନ୍ଦିରରେ ହରିଲୁଟ ହେବ । ବୁଢ଼ା ରଙ୍ଗାଧର ମହାନ୍ତିଙ୍କୁ ପଢ଼ିହାରୀ ଡାକି ଆଣିଲା, ଛାମୁ ଦୁଇ ବନ୍ଧ ଦୁଇ, ପାଖରେ ଜେଜୀମା ଆଉ ବୁଢ଼ା । ଛାମୁକରଣ ଦୁଇଜଣ ବସି କଥାବାର୍ତ୍ତା ହେଲେ । ଛାମୁକରଣ ଭାରି ଖୁସିଟାଏ ହେଲେ, ‘ଯୁଗଳ କିଶୋର’ କହି ହାତଯୋଡ଼ି ଦୁଇ ତିନିଥର ଦଣ୍ଡବତ କଲେ । ଯୁଗଳକିଶୋର ମନ୍ଦିରରେ ହରିଲୁଟ ହେବ–ଆସନ୍ତା ସ୍ନାନପୂର୍ଣ୍ଣିମାକୁ ଦିନ ସ୍ଥିର ହେଲା । ମୁଲକର ବାଇଶ କୀର୍ତ୍ତନ ସମ୍ପ୍ରଦାୟଙ୍କୁ ଗୁଆ ଦିଆଯିବ–ମୁଲକର ସାନବଡ଼ ସମସ୍ତ ପ୍ରଜା ହାଜର ହୋଇ ପ୍ରସାଦସେବା ନିମନ୍ତେ ପ୍ରଭୁଙ୍କ ଧଣ୍ଡା ଗାଁ ଗାଁକେ ବିଜେ ହେବେ । ଜେଜୀମା ପଇଁଚାଳିଶିଟି ଟଙ୍କା ଥାକ କରି ପଟ୍ଟନାୟକଙ୍କ ପାଖରେ ଥୋଇଦେଲେ । ପଟ୍ଟନାୟକେ ଟଙ୍କା ଉଠାଇ ଅଳ୍ପ ଟିକିଏ ବସି ଜେଜୀମାଙ୍କ ମୁହଁଙ୍କୁ ଚାହିଁଲେ । ଜେଜୀମା ସେଥିର ଅର୍ଥ ବୁଝିପାରି କହିଲେ, ହେଉ ତୁମେ ତ ଆରମ୍ଭ କରିଦିଅ, ଅଣ୍ଟନିଅଣ୍ଟକୁ ଦେଖାଯିବ ।
ସ୍ନାନପୂର୍ଣ୍ଣିମାକୁ ଆଉ ଚାରିଦିନ ବାକି–ମଫସଲରୁ ସରଞ୍ଜାମମାନ ଆସୁଛି । ଭାରିଆ, ମୁଣ୍ଡବୋଝିଆ ଧାଡ଼ି ଲାଗିଛି । କାହା ପିଢ଼ାରେ କଖାରୁ, କାହା ବାଡ଼ିରେ କଦଳୀ ଆପେ ଧରି ଚାଲିଛି । ଟିକାଇତ ବାବୁଙ୍କ ମଙ୍ଗଳ ମନାସ, ଯୁଗଳ କିଶୋର ମନ୍ଦିରରେ ହରିଲୁଟ, —ଏଡ଼େ ପୁଣ୍ୟଯୋଗ କି ଘଟିବ ? ସାନ ବଡ଼ ସମସ୍ତ ପ୍ରଜା ଧାଇଁଛନ୍ତି । ନାନା ପ୍ରକାର ସରଞ୍ଜାମ ପର୍ବତ ପ୍ରମାଣ ମନ୍ଦିରରେ ଜମା ହୋଇଗଲାଣି । ମୂଲ୍ୟ ଯାଚିଲେ ‘ରାମ–ରାମ’ କହି ଟଙ୍କା ଫେରାଇ ଦେଉଛନ୍ତି । ଟଙ୍କା କେତୋଟିରେ ପଟ୍ଟନାୟକେ ଆଉ ହାତ ଲଗାଇ ନାହାନ୍ତି । ସିଠ ସବୁ ଗୋଠିଆ ଗଉଡ଼କୁ ଏକାଠି କରି ଡାକିଦେଲା, ‘‘ସମସ୍ତେ ଶୁଣ, ଅନ୍ନଦାତା ହାକିମ ପିଲା, ବିଦେଶରେ ଅଛନ୍ତି, ତାଙ୍କର ଶୁଭକାର୍ଯ୍ୟ, ଯୁଗଳକିଶୋରଙ୍କ ଅମଣିଆ–ପାଞ୍ଚ ମୁଖରେ ପଡ଼ିବ, ବୁଝି ଖବରଦାର, କୂଳ ବୁଡ଼ିଯିବାର କଥା ।’’ ଦୁଧ ଦହି ଘିଅ ଛେନାରେ ମନ୍ଦିର ସରଘର ପୂରିଗଲାଣି ।
ଚତୁର୍ଦ୍ଦଶୀ ପିଛଲା ପହର ରାତି ଥାଉଁ ମନ୍ଦିର ଖନ୍ଦା ଚୁଲିରେ ନିଆଁକୁଣ୍ଡା ପଡ଼ିଗଲା । ଦୁଇକୋଡ଼ି ସରିକି ଗୁଡ଼ିଆ ପିଠା ଖଜା ତିଆରିରେ ଲାଗିଗଲେ । ଦିନେ ପହରକ ସରିକି ଚାରିଆଡ଼ୁ କୀର୍ତ୍ତନ ଶବ୍ଦ ଶୁଭିଲା, କୀର୍ତ୍ତନିଆ ପଞ୍ଝା ଆସୁ ଆସୁ ଅଧକୋଶ ଦୂରରୁ କୀର୍ତ୍ତନ ଆରମ୍ଭ କରି ଦେଇଅଛନ୍ତି । କ୍ରମେ ସମସ୍ତ ପଞ୍ଝା ପହଞ୍ଚିଗଲେ । ସେମାନଙ୍କର ଉନ୍ମାଦ ନୃତ୍ୟ ଚିତ୍କାର ସଙ୍ଗୀତରେ ଝାଞ୍ଜ ମୃଦଙ୍ଗ କାହାଳି ଶବ୍ଦ ମିଶି ଦୂରକୁ ସମୁଦ୍ର ଗର୍ଜନ ପରି ଶୁଭୁଛି । ଶଙ୍ଖ ହୁଳହୁଳି ଶବ୍ଦରେ ମାଇକିନିଆମାନେ ଗାଁ କମ୍ପାଉଛନ୍ତି । କି ସ୍ତ୍ରୀ କି ପୁରୁଷ ଆଜି କାହାରି ହାତରେ କିଛି କାମ ପାଇଟି ନାହିଁ । ସମସ୍ତଙ୍କ ମନରେ ଆନନ୍ଦ, ସମସ୍ତେ ହରିଲୁଟରେ ଲାଗିଛନ୍ତି । ସବୁ କୀର୍ତ୍ତନିଆ ପଞ୍ଝା ମିଶି ଗୋଟାଏ ସଙ୍ଗୀତ ଆରମ୍ଭ କଲେ–
‘‘ଭଜରେ ମନ ହରିନାମ
ହରିନାମ ହରିନାମ ହରିନାମ
ଯେ ନାମ ଜପିଲେ ପୂର୍ଣ୍ଣହୁଏ ମନସ୍କାମ ।
(ସେହି) ସୁଧାମୟ ନାମ ଜପି ଲଭ ସ୍ୱର୍ଗଧାମ (ଘୋଷା)
ସଂସାରର ଧନ ଜନ ସବୁ ହେବ ଅକାରଣ
ଯେବେ ତେଜିବୁ ଭବଧାମ ।
ତୁଚ୍ଛା ଚିନ୍ତା ପରିହରି ଭଜ ମନ ହରି ହରି
ଜୀବନେ ମରଣେ ସାହା ମାତ୍ର ସେହି ନାମ ।
ହରି ପିତା ହରି ମାତା ହରି ଗୁରୁ ଜ୍ଞାନ-ଦାତା
ହରି ଜଗତର ପାତା ହରି ପୂର୍ଣ୍ଣଧାମ ।’’
ଦିନ ଦିପହର ଯାଏ କୀର୍ତ୍ତନ ଗାଇ ଗାଇ ବାଆଣିଆ ଗାଆଣିମାନେ ଥକି ପଡ଼ିଲେଣି । ଥକା ମେଣ୍ଟିବା ପାଇଁ କୀର୍ତ୍ତନ ବନ୍ଦ କରି ସମସ୍ତେ କିଛିକ୍ଷଣ ବସିଲେ । ବାଳଭୋଗ ପାଇଁ ଜେଜୀମା ଦଶ ଭରଣ ଧାନ ଆଉ ଗୁଡ଼ର ବରାଦ କରି ଦେଇଥଲେ । ମଫସଲମାନଙ୍କରୁ ଉଖୁଡ଼ା ତିଆରି ହୋଇ ଆସିଥିଲା । ସେହି ବାଳଭୋଗ କୀର୍ତ୍ତନିଆ ଆଉ ଆଉ ଲୋକେ ସେବାକରି ଜଳପାନ କଲେ-। ପ୍ରସାଦ ହେବାକୁ ଢେର ବିଲମ୍ବ ଅଛି ।
କୀର୍ତ୍ତନିଆମାନଙ୍କ ମଧ୍ୟରେ ସଙ୍ଗୀତ ବିଦ୍ୟାର ଆଲୋଚନା ଆରମ୍ଭ ହେଲା । ଦେଶ ମଧ୍ୟରେ କେଉଁ ବାଆଣିଆର କିପରି ହାତ, କାହାର କିପରି କଣ୍ଠସ୍ୱର ଇତ୍ୟାଦି ଚର୍ଚ୍ଚା ଲାଗିଲା । ମୁକୁନ୍ଦପୁର ସମ୍ପ୍ରଦାୟର ଶ୍ରୀ ବାଆଣିଆଙ୍କର ଭାରି ନାମ ଡାକ—ସେ ମନ ମଧ୍ୟରେ ବିଚାର କଲେ ସମସ୍ତଙ୍କ ଆଗରେ ଆପଣା ଗୁଣ ଜାହିର କରିବାର ତ ଏହି ବେଳ ! ଆପଣା ହାତର ସଫାଇଟା ସମସ୍ତଙ୍କୁ ଦେଖାଇବା ପାଇଁ ମୃଦଙ୍ଗଟା କାନ୍ଧରେ ପକାଇ ଖପ୍ କରି ଛିଡ଼ା ହୋଇ ଏକତାଳର ବୋଲଟା ଝାଡ଼ିବାକୁ ଲାଗିଲେ–
ଧିକକା–ତାଧିନା–ତାକତି–ତାଧିନା
ନାଚି ନାଚି କେବେ ଚକ୍ରାକାର, କେତେବେଳେ ଗାଈଛନ୍ଦ ପରି ଘୂରି ଯାଉଥାନ୍ତି, ତାଳ ଛିଡ଼ିବାବେଳେ ମୁଣ୍ଡଟାକୁ ବେଜାଏ ଝୁଲାଇ ବାଆଣିଆମାନଙ୍କ ଆଡ଼କୁ ଡାହାଣ ହାତଟା ଲମ୍ବାଇ ଦେଉଛନ୍ତି । ଶ୍ୟାମନଗର ସମ୍ପ୍ରଦାୟର ବାଆଣିଆ ରାମ ଦାସେ ଆଉ ସମ୍ଭାଳି ପାରିଲେ ନାହିଁ, ଛିଡ଼ା ହୋଇଯାଇ ଲୋଫା ତାଳରେ ବୋଲଟା ଆରମ୍ଭ କରିଦେଲେ–
ଧାକତି–ତିଦ୍ଧାକତି
ଦୁଇ ଚାରିହାତ ଦେଖାଇଛନ୍ତି, ବାଆଣିଆ ଭୀମ ଅଧିକାରୀଏ ଖୁବ ପାଟିଟାଏ କରି କହିଲେ, ‘‘ହଁ-ହେଁ ହଁ । ଏକତାଲା–କବାଲି–ତେଓଟି କାହାକୁ ଅଜଣା ? ଦେଖା ତ ଭଲା ହାତେ ରୁଦ୍ରତାଳ ।’’ ରାଧା ଦାସ ବାଆଣିଆ ଜବାବ ଦେଲେ–‘‘ହୋଇ ହେ ବାଆଣିଆ ଭାଇ ! ଆପଣଙ୍କ କଥାଟା ଠିକ୍ ହେଲା ଜାଣେ ମୋ ମୁଣ୍ଡ ଉପରେ । ବୋଇଲା ଭଲା, ରୁଦ୍ରତାଳ ବଡ଼ ନା ବ୍ରହ୍ମତାଳ ବଡ଼ ? ଏଇ ଦେଖନ୍ତୁ ବ୍ରହ୍ମତାଳ ।’’ ତାଙ୍କ ହାତ ନ ଚାଲୁଣୁ, ଆଉ କ’ଣ ସମ୍ଭଳା ପଡ଼େ, ଆଉ ଆଉ ସମ୍ପ୍ରଦାୟର ବାଆଣିଆମାନେ କମ୍ପିଗଲେଣି । ଆପଣା ସମ୍ପ୍ରଦାୟ ଆଗରେ ସମସ୍ତେ ଏକାବେଳକେ ମୃଦଙ୍ଗ କାନ୍ଧରେ ପକାଇ ଛିଡ଼ା ହୋଇଗଲେ । ଯେଉଁ ବାଆଣିଆଟା ଗଲା ଶ୍ରୀ-ପଞ୍ଚମୀ ଦିନ ପୂଜା ଦେଇ ମୃଦଙ୍ଗ ଛୁଇଁଛି, ତାହାର ଡିଆଁ ଡେଇଁ ବଢ଼ି ପଡ଼ିଛି । କିଏ ପଚାରେ ତାଳମାନ, ଚାରି ଚାରି ହାତ ଚିଲା ମାରି ତୁଚ୍ଛା ମୃଦଙ୍ଗ ବାଡ଼ଉଛନ୍ତି । ହଜାର ହଜାର ଲୋକଙ୍କ ହରିବୋଲ ଆଉ ଗାଁର ମାଇକିନିଆମାନଙ୍କ ଶଙ୍ଖ ହୁଳହୁଳିରେ ଯେମନ୍ତ ଭୂମିକମ୍ପ ଉପସ୍ଥିତ । ବାଆଣିଆମାନଙ୍କର ଚେତା ଥିଲା ପରି ଜଣାଯାଉ ନାହିଁ । ମୃଦଙ୍ଗକୁ ମୃଦଙ୍ଗ ଠୁଙ୍କାଠୁଙ୍କି ହୋଇ ଦଶ ବାରଟା ଭାଙ୍ଗିଗଲାଣି, ଖପରାଗୁଡ଼ାକ ଖସି ପଡ଼ି ତୁଚ୍ଛା କାକେରିଗୁଡ଼ାକ ବେକରେ ଝୁଲୁଛି, ହେଲେ ହାତ ବନ୍ଦ ନାହିଁ । କାହାରି ଗାମୁଛା କାହାରି ବା ପାଛୋଡ଼ିଖଣ୍ଡମାନ ମୁଣ୍ଡରେ ପାଗ ବନ୍ଧା ଥିଲା, ବେଜାଏ ମୁଣ୍ଡଝୁଙ୍କାରେ ତଳେ ଖସି ପଡ଼ିଲାଣି, ଲୋକେ ମାଡ଼ି ଦଳିଦେଇ ଯାଉଛନ୍ତି । ଥୋକେ ବାଆଣିଆମାନଙ୍କର କଛା ମୁକୁଳା । କୀର୍ତ୍ତନିଆମାନେ ଦେଖିଲେ ଆଉ ସମ୍ଭଳା ପଡ଼ିବ ନାହିଁ—ଆପଣା ଆପଣା ପଞ୍ଝାର ବାଆଣିଆମାନଙ୍କୁ ହାତ ଧରି ଭିଡ଼ି ନେଇ ବସାଇ ଦେଲେ । ସମସ୍ତେ ଗୋଟା ଝାଳରେ ସରପଟ । ଲୁଗା କାନିଟାମାନ ଧରି ବିଞ୍ଝି ହେଉଛନ୍ତି । ଫଁ ଫଁ କରି ନିଶ୍ୱାସ ପଡ଼ୁଛି-।
ବେଳ ତିନି ପହର ସରିକି ଧୂପଘଣ୍ଟା ବାଜିଲା । ଭୋଗମଣ୍ଡପର ଏତେ ଜାଗା କାହିଁ ? ଆଗ ଅଗଣାଟା ଧୋଇଧାଇ ଗଛ ପ୍ରମାଣ ଅମଣିଆ ଗଦା, ପୂଜାହାରୀ ଚଳୁ ଧରି ତୁଳସୀପତ୍ରଟାଏ ପକାଇ ଘଣ୍ଟ ବଜାଇ ଭୋଗ ଲଗାଇଦେଲେ ।
ଧୂପ ଉତ୍ତାରେ ପ୍ରସାଦସେବାର ଆୟୋଜନ ହେଲା । ପ୍ରଥମେ ହେଲା ବ୍ରାହ୍ମଣ ଭୋଜନ ନିସଙ୍ଖୁଡ଼ି । ବୈଷ୍ଣବ ପଙ୍ଗତ ଉତ୍ତାରେ ବାବୁଙ୍କର ପ୍ରସାଦ ସେବା ହେବ । ହଜାରକୁ ହଜାର ବୈଷ୍ଣବ ଗୋସାଇଁ ଧାଡ଼ି ଧାଡ଼ି ବସିଗଲେ । ଊଣା ଅଧିକ ତିନିକୋଡ଼ି ସରିକି ପରଷୁଣିଆ ଅଣ୍ଟାରେ ଗାମୁଛା ଭିଡ଼ି ପରଷି ଯାଉଝନ୍ତି । ଅନ୍ନ ବ୍ୟଞ୍ଜନ ଲାଗିଗଲା, ଅଧିକାରୀଏ ଆଗରେ ଛିଡ଼ାହୋଇ ଜୟ ଫେରାଇଲେ–
ଅଧିକାରୀ–ଶ୍ରୀ ଯୁଗଳକିଶୋରକି –
ସମସ୍ତ ବୈଷ୍ଣବ–ଜେ !
ଅଧିକାରୀ ଶ୍ରୀ ବ୍ରିନ୍ଦାବନବିହାରିକି
ସମସ୍ତେ–ଜେ !
ଅଧିକାରୀ– ଶ୍ରୀ ରାଧାରାଣୀକି
ସମସ୍ତେ–ଜେ !
ଅଧିକାରୀ –ଗିରିଗୋବର୍ଦ୍ଧନକି–
ସମସ୍ତେ–ଜେ !
ଅଧିକାରୀ – ବାଳଗୋପାଳକି–
ସମସ୍ତେ–ଜେ !
ଅଧିକାରୀ–ଦାତା ଭକ୍ତକି–
ସମସ୍ତେ–ଜେ !
ଅଧିକାରୀ ସବୁ ବୈଷ୍ଣବ ଗୋସେଇଁକି–
ସମସ୍ତେ–ଜେ !
ଅଧିକାରୀ–ଟିକାଏତ ବାବୁକି–
ସମସ୍ତେ–ଜେ !
ଅଧିକାରୀ–ମା ମଣିମାକି–
ସମସ୍ତେ–ଜେ !
ଅଧିକାରୀ–ଜେଜୀ ମଣିମାକି
ସମସ୍ତେ–ଜେ !
ଅଧିକାରୀ–ପ୍ରେମସେ କହ
ସମସ୍ତେ କହି ଉଠିଲେ–ନାହିଁ ନାହିଁ, ପୁଝାରୀ ଟହଲିଆ ରହିଗଲେ ।
ଅଧିକାରୀ–ପୁଝାରୀ ଟହଲିଆକି–
ସମସ୍ତେ–ଜେ !
ଅଧିକାରୀ ସହିତ ସମସ୍ତେ–ପ୍ରେମସେ କହ ରାଧେ–
ବାକ୍ୟ ସମାପ୍ତ ନ ହେଉଣୁ ସପ୍ ସପ୍, ଗପ୍ ଗପ୍, ସଡ଼୍ ସଡ଼୍, ମଡ଼୍ ମଡ଼୍, ଶବ୍ଦ ଶୁଭିଲାଣି-। ଚହଳ ପଡ଼ିଛି, ଆହେ ଡାଲି ଦିଅ ହେ–ଏ ଧାଡ଼ିରେ ଶୁକତାନି ନାହିଁ, ଆମ୍ବିଳ–ଆମ୍ୱିଳ–ଅନ୍ନ ଆଣ, ଅନ୍ନ ଆଣ ! ଯେତେ ଦିଅ, ବୈଷ୍ଣବ ଗୋସାଇଁମାନଙ୍କ ପତ୍ର ତୁଚ୍ଛା ପୋଛାପୋଛି । ଖାଇଲା ପତ୍ର ଦୁଇ ପାଖରେ ଆଉ ଦୁଇଖଣ୍ଡ ପତ୍ର ପଡ଼ିଛି, ବୈଷ୍ଣବ ଗୋସାଇଁମାନେ ସେହି ଦୁଇପତ୍ରକୁ ବାହି ପକାଉଛନ୍ତି । ଏ ଦୁଇଖଣ୍ଡ ପତ୍ର କ’ଣ ନା ଗୋସେଇଁଆଣୀଙ୍କ ପାଇଁ । ପାଣି ପିଇଦେଇ ଟୁକୁଣା ଭିତରେ ତମସୀ ଭର୍ତ୍ତି କରିନେଲେ । ବୈଷ୍ଣବ ଗୋସାଇଁମାନଙ୍କର ପ୍ରସାଦସେବା ବଢ଼ିଲା, ଅଧିକାରୀଏ ସମସ୍ତଙ୍କ ପତ୍ରରୁ କଣିକାଏ କଣିକାଏ ଅଧରାମୃତ ନେଇ ଗୋଟିଏ ପଥର ଗିନାରେ ପୂରାଇ କଦଳୀପତ୍ର ଖଣ୍ଡେ ଘୋଡ଼ାଇଦେଲେ । ଜେଜୀମା, ମା’ ମଣିମା, ଆଉ ଉଆସର ସମସ୍ତେ ସେବା କରିବେ ।
ତହିଁ ଉତ୍ତାରେ ବାବୁମାନେ ବସିଗଲେ । ଛତିଶପାଟକର ଏକ ଧାଡ଼ି, ଆଜି କି ଜାତି ବିଚାର ? ଏ ଯେ ହରିଲୁଟ ! ଖାଲି ଚହଳ ପଡ଼ିଛି, ଆଣ ଅନ୍ନ । ପରଷୁଣିଆମାନେ ଧାଇଁଛନ୍ତି, ଗମଗମ ଝାଳ ଗୋଡ଼ବାଟେ ବହିଯାଉଛି । ପ୍ରସାଦସେବା ବଢ଼ିବାକୁ ରାତି ପ୍ରାୟ ଶେଷ । ପୂଜାହାରୀ ମଙ୍ଗଳ ଆରତି ପାଇଁ ସ୍ନାନ କରିବାକୁ ବାହାରିଛନ୍ତି, ଧାଈମା ସକାଳୁ ଠା ବସିଛନ୍ତି, ସ୍ନାନଟା ଯେ ବଢ଼େଇ ଆସିଥିଲେ ତେତିକି, ମହାରଦ ବି ସେବା ହୋଇନାହିଁ । ଚମକି ପଡ଼ିଲେ, ରାତି ଯେ ପାହିଲା ଆସି, ପୂର୍ବ ଦିଗରେ ସୁନ୍ଦରା ଫାଟିଲାଣି । ଅଧିକାରୀ ଦେଇଥିବା ଅଧରାମୃତ ପଥରଗିନାଟା ଧରି ଉଆସକୁ ବାହାରିଲେ । ଯୋଡ଼ାଏ ପୋଇଲୀ ପଛରେ ଧାଇଁଛନ୍ତି । ଏ କ’ଣ ? ଧାଈମା ଯେଉଁ ଜାଗାରେ ବସାଇ ଦେଇ ଆସିଥିଲେ, ମଣିମା ଠିକ ସେହି ଜାଗାରେ ବେଙ୍ଗୁଲୀଟି ପରି ତୁନି ହୋଇ ବସିଛନ୍ତି । ଧାଈମା ଚଞ୍ଚଳ ଆପଣା ମୁହଁ ହାତ ଧୋଇ ପକାଇ ମଣିମାଙ୍କ ମୁହଁରେ ଓଦା ହାତଟା ବୁଲାଇ ଦେଲେ, ଆପେ କଣିକାଏ ଅଧରାମୃତ ମୁହଁରେ ଦେଇ ମଣିମାଙ୍କ ମୁଖରେ କଣିକାଏ ଗୁଞ୍ଜିଦେଲେ । ଆଉ କଣିକାଏ ଦେବାବେଳେ ମଣିମା ମୁହଁ ବୁଲାଇ ନେଲେ ।