ମାମୁ
ଫକୀରମୋହନ ସେନାପତି · ଭାଗ ୧୯ / ୨୪
ସମ୍ପୂର୍ଣ୍ଣ ସୂଚୀପତ୍ର
ମନ୍ତ୍ରଣା
ମନ୍ତ୍ରଣା(ସସ୍ମିତା)
ଉପର ଓଳିଆ—ବେଳ ଚଉଦଘଡ଼ି ସମୟ—ଯୁଗଳକିଶୋରଙ୍କ ନାଟମନ୍ଦିର ମଧ୍ୟରେ ଖଣ୍ଡିଏ ଗାଲିଚା ଆସନରେ ଛୋଟରାୟ ବିଜେ । ତାଙ୍କ ଆଗ ପାଞ୍ଚହାତ ସରିକି ଦୂରରେ ବୁଢ଼ା ଛାମୁକରଣ ପକା ଉପରେ ବସିଛନ୍ତି । ସାନ୍ତଙ୍କ ଡାହାଣହାତି ଦୁଆରବନ୍ଧ ଲଗାଲଗି ହରିବୋଲ ବାରିକେ । ଠିକ୍ ତାହାର ଆଗ ଛାମୁଆ ବିଜେ ମନ୍ଦିର ଭିତରେ କବାଟ ଉହାଡ଼ରେ କେବେ ପଣନ୍ତକାନି, କେତେବେଳେ ବା ଓଢ଼ଣାର ଧଡ଼ି ଦିଶୁଛି । ନିରୋଳା କରାଯାଇଛି, କେହି କାଳେ ପାଖକୁ ଚାଲିଆସି କଥା ଶୁଣିପକାଇବ—ସେଥିଲାଗି ଅଗଣାରେ ଯୋଡ଼ାଏ ପାଇକ ଟହଲି ପହରାରେ ଥାନ୍ତି । ସମସ୍ତେ ତୁନିତାନି—ତୁଚ୍ଛା ମୁହଁ ଚାହାଁଚାହିଁ ହେଉଛନ୍ତି—କେହି କିଛି ବୋଲିବାକୁ ନାହିଁ, ବୋଲିବେ କ’ଣ, କ୍ୟାଁ ଆସିଛନ୍ତି କାହାରିକୁ ଜଣା ନାହିଁ, ତୁଚ୍ଛା ହରିବୋଲ ବାରିକଟା ବସି ବସି ଗୋଟାଏ ମତଲବ ପାଞ୍ଚୁଛି । ସାନ୍ତ ଦୁଇ ତିନିଥର ମନ୍ଦିର ଭିତରକୁ ଅନାଇଲେଣି—‘‘ଆଚ୍ଛା, କ୍ୟାଁ ଡକରା ହେଲା, କହିବା ହେଉ । କବାଟ ଉହାଡ଼ରୁ ବି ଦୁଇ ତିନିଥର ଓଢ଼ଣା ଭିତରୁ ନାସିକାଟିଏ ଦିଶି ଗଲାଣି । ପଟ୍ଟନାୟକେ ଦୁହିଁଙ୍କ ମୁହଁକୁ ଚାହୁଁଛନ୍ତି । ଛୋଟରାୟ ସାନ୍ତେ ଆଉ ତୁନି ହୋଇ ବସି ରହିପାରିଲେ ନାହିଁ—ପଟ୍ଟନାୟକ ମୁହଁକୁ ଅନାଇ ପଚାରିଲେ, ‘‘କଥା କ’ଣ ପଟ୍ଟନାୟକେ’’ ? ଧାଈମା ଡାକୁଛନ୍ତି ସତ, ହେଲେ—ହଠାତ୍ ତାଙ୍କୁ ପଚାରିଦେବାଟା ମର୍ଯ୍ୟାଦାର କଥା ନୁହେ, ଏହା ମଧ୍ୟ ଜାଣନ୍ତି-। ଅନୁମାନ କରିନେଲେ, ପଟ୍ଟନାୟକେ ତ ପାଖରେ ଅଛନ୍ତି, ଧାଈମାଙ୍କ କଥା ଜଣାଥିବ । ହରିବୋଲ ବାରିକ ସଟ ପଟି-ଗଲାଣି—ଯା ମଲା! କଥାଟା ଯେ ଫାସିଆରା ହେବାକୁ ବସିଲା । କଥା କଣ କି, କେହି କାହାରିକୁ ଡାକି ନାହାନ୍ତି । ହେଲେ କ’ଣ ହେଲା, ସମସ୍ତେ ଡାକରାରେ ଆସିଛନ୍ତି । ସକାଳ ଓଳି ଗୋଟାଏ ଧାଉଡ଼ିଆ ଯାଇ ସାନ୍ତଙ୍କ ପାଖରେ ଜଣାକଲା, ଧାଈମାଙ୍କ ଇଚ୍ଛା, ଆଜି ଚଉଦଘଡ଼ିଆ ବେଳେ ଯୁଗଳକିଶୋରଙ୍କ ଦର୍ଶନ ବିଜେ ହେବେ-। ଧାଈମାଙ୍କ ପାଖରେ ସମ୍ବାଦ ପହଞ୍ଚିଲା, ଛୋଟରାୟ ସାନ୍ତ ମନ୍ଦିରରେ ବିଜେ ହେବେ, ତାଙ୍କର କିଛି ଜଣାଇବାର ଅଛି । ପଟ୍ଟନାୟକେ ସମ୍ବାଦ ପାଇଲେ—ସାନ୍ତ ଆଉ ସାଆନ୍ତାଣିଙ୍କ ଆଜ୍ଞା, ମନ୍ଦିରରେ ହାଜର ଦେବେ । ହେଲେ କାହାରିକୁ ଡାକି ନାହାନ୍ତି । ଏ ସବୁ ହରିବୋଲ ବାରିକର ଚକ୍ର-। ହରିବୋଲିଆ ବିନା ସୂତାରେ ହାଟକୁ ଯିବାର ଲୋକ ନୁହେଁ, ଏତେ କାଣ୍ଡ କଣ ମାହାଳିଆ କରି ପକାଇଛି ? ନାହିଁ ନାହିଁ, ତାହାର ମତଲବଟା ଆମ୍ଭମାନଙ୍କୁ ଜଣା । ହରିବୋଲ ବାରିକର ଗୋଟାଏ ସ୍ୱଭାବ, ତୁଚ୍ଛାଟାରେ ଗୋଟିଏ ନିରାଣିଆ ଲୋକକୁ କେହି ତୁଟି ପକାଇବ ଏ କଥାଟା ତାକୁ ଅସହଣି । ଆଜି ସକାଳେ ନିଜଗଡ଼ରେ ହରି ମହାକୁଡ଼କୁ ନଟବର ବାବୁଙ୍କର ଗୋଟାଏ ଗୁମାସ୍ତା ଖଜଣା କଥାରେ ଦୁଇଟା ଚାପୁଡ଼ା ଲଗାଇଦେଲା । ହରିବୋଲ ବାରିକ ସେଠି ଠିଆ ହୋଇଥିଲା, ତା’ଦେହ ସହିଲା ନାହିଁ । ସେ ଗୁମାସ୍ତା ସଙ୍ଗରେ ଲଗାଇଲା, ଭଟ୍ଭଟ୍ । ଗୁମାସ୍ତା ହାକିମ ହୁକୁମ ଧରା ଲୋକ; ସେ ଭଣ୍ଡାରି ଚାପୁଡ଼ା କଥା ଶୁଣି କ’ଣ ଚପିଯିବ ? ସେ ମଧ୍ୟ ଆଚ୍ଛାକରି ଚାରିକଥା ବଜେଇଦେଲା । ବାରିକେ ଭାରି ଖପାଟା ହୋଇ କହିଲେ, ‘‘ଦେଖ, ତୁମେ ଆପଣ ତ ହାକିମ ପ୍ରସ୍ତ ଲୋକ, ଆଉ କ’ଣ କହିବି-? ତେବେ, ମୋ କଥା ଶୁଣ, ଆଜୁଁ ପାଞ୍ଚଦିନ ଭିତରେ ତୁମକୁ ତଣ୍ଟିଆ ଦେଇ ଯେବେ ଦେଶରୁ ନ ତଡ଼େ, ମୁଁ ଭଣ୍ଡାରି ପିଲା ନୁହେଁ ।’’ ରାଗ ମୁଣ୍ଡରେ ବଡ଼ପଣଟାଏ କରି କଥାଟା ପାଞ୍ଚଜଣଙ୍କ ଆଗରେ କହିପକାଇଲା, ଏବେ ମାନମହତ ରହେ କିପରି ? କିପରି ବାହାର କରିବା ପାଇଁ ଗୋଟାଏ ଫିକର କରି ସମସ୍ତଙ୍କୁ ରୁଣ୍ଡ କରିଛି । ହେଲେ, କଥାଟା ବାହାରିଗଲାଣି ଆଉ ଆଡ଼େ ।
ବାରିକ ଆପଣା ଗାମୁଛା ବେକରେ ପଟା ପକାଇ ‘‘ଆଜ୍ଞା—ଆଜ୍ଞା—ଆଜ୍ଞା’’ ତିନିଥର କହି ତିନିଜଣଙ୍କୁ ଢପ୍ ଢପ୍ କରି ଭୂଇଁରେ ମୁଣ୍ଡ ଲଗାଇ ତିନିଟା ଜୁଆର କରି କହିଲା, ‘‘ଆଜ୍ଞା— ଏଁ ହରିବୋଲ ! ଆପଣମାନେ କିଛି କଥା ଆଜ୍ଞା କରିବା ଆଗରୁ ମୁଁ ଦି’ଟା କଥା ଜଣାଇବି । ମୁଲକର ହାକିମ ହେଲେ ପିଲା, ସେ ପୁଣି କାହଁ ପରବାସରେ ପଡ଼ିଛନ୍ତି; ଉଛୁଣି ନ ଛ କଣ ବା ବୁଝନ୍ତି, ଆପଣମାନେ ହେଲେ ପୁରୁଣା ହାକିମ— ଭଲମନ୍ଦ କାହାକୁ ଲାଗେ ? ନିନ୍ଦା ପରଶଂସା କାହାକୁ ? ଉଆସ ପରିଜନ ଦୁଃଖକଥା ଶୁଣି ମୁଲକ ଲୋକଙ୍କ ଆଖିରୁ ଥପ୍ ଥପ୍ ପାଣି ପଡ଼ୁଛି । ଆଉ ଦେଖନ୍ତୁ ସାତ ପୁରୁଷର ଦାନାଖିଆ ଚାକର ପାଞ୍ଜିଆ-ପଟୁଆରିମାନଙ୍କ ଭାଳୁଣି କଅଣ ଅସରନ୍ତା । କରଣ ପିଲାଗୁଡ଼ାକ କ’ଣ ମୂଲ ଲାଗିବାକୁ ଯିବେ ? ମରନ୍ତୁ, ବଞ୍ଚନ୍ତୁ, ମୁହଁମାଡ଼ି ମାଟି କାମୁଡ଼ି ଘରେ ପଡ଼ିଛନ୍ତି । ଏଣକି ଆଉ ରକ୍ଷା ନାହିଁ । ପ୍ରଜାଙ୍କ ଘରୁ ରୁଟି କବଟା ସରିଲାଣି, ପୁଣି କଥା କଥାକେ କହୁଣି ବସୁଛି । ପ୍ରଜା ଲୁଚା ହେଲେ କାଉପଲ, ଅସହଣ ହେଲେ ଗଦାହୋଇ ତ ରାଉ ରାଉ କରିବେ । ଗଲା ଗୁରୁବାର ହାଟପାଳି ଦିନ ନୂଆପୁରର ହାଟମୁଣ୍ଡରେ ପାଞ୍ଚ କି ଦଶହଜାର ପ୍ରଜା ରୁଣ୍ଡ ହୋଇ ବିଚାର କରୁଥିଲେ, କଟକ ଯାଇ ହାକିମଙ୍କୁ ଦୁଃଖ ହାଲ ଜଣାଇବେ । ମୁଁ ପହଞ୍ଚିଗଲି–ବିଚାର କଲି, କଥା ସରିଲା ଆସି ଦେଶ ନିନ୍ଦା କୁଳ ନିନ୍ଦା ଦାନାଦାର ହାକିମମାନଙ୍କ ନିନ୍ଦା-! ହାତଓଠ ଧରି ଅଟକାଇ ଦେଲି—କହିଲି, ଆରେ ଘର ହାକିମମାନଙ୍କୁ ଜଣାଇବା, ସେମାନେ ନ ବୁଝିଲେ କଟକ ଯିବା । ସେମାନେ ଆପଣମାନଙ୍କ ଚରଣ ଛାମୁରେ ଦୁଃଖ ହାଲ ଜଣାଇବାକୁ ପଠାଇଲେ । କ’ଣ ଆଜ୍ଞା ହେଉଛି ?’’
ସବୁ କଥା ଶୁଣି ତିନିଜଣଯାକ ମୁଣ୍ଡ ତଳକୁ କରି ବସିଲେଣି । ସମସ୍ତେ ଆପଣା ଆପଣାକୁ ଦୋଷୀ ମଣି ଲାଜରେ ସଢ଼ି ଯାଉଛନ୍ତି । ଧାଈମା ମନରେ କଲେ,‘ ମୁଁ ରିପୋର୍ଟରେ ଚାନ୍ଦର ମୋହରଟା ଚପାଇ ଦେବାରୁ ସିନା ନଟ ହାତରେ ଅଧିକାର ପଡ଼ିଲା । ସାନ୍ତ ମନରେ କଲେ ମୁଁ ପ୍ରଥମରେ ବାଧା ଦେଇ ତଦ୍ବିର କରିବା ଲାଗି କଟକ ଚାଲି ଯାଇଥିଲେ ନଟିଆ ଟୋକାଟା କ’ଣ ଏତେ ଲଟଘଟ କରି ପାରନ୍ତା ? ପାଞ୍ଜିଆ ବସି ବସି ମନରେ ଭାଳୁଛନ୍ତି, ‘ପାଞ୍ଜିଗୁଡ଼ାକ ବଢ଼ାଇଦେଇ ସର୍ବନାଶ କରିଛି; ପାଞ୍ଜି ପାଇ ନଥିଲେ ସେ କ’ଣ କରନ୍ତା ?’
ଦଣ୍ଡକ ଉତ୍ତାରେ ଫଁ କରି ନିଃଶ୍ୱାସଟାଏ ପକାଇ ଛାମୁକରଣେ କହିଲେ, ‘‘ଯା ହେବାର ତ ହୋଇଛି, ଏବେ ଉପାୟ କ’ଣ ?’’ ବାରିକେ ଛିଡ଼ା ହୋଇପଡ଼ି କହିଲେ, ଏଁ— ହରିବୋଲ ! ଆଜ୍ଞା, ଉପାୟ ସହଜ—ମତେ ଆଜ୍ଞା ହେଉ, ଦିନକ ଭିତରେ ଠିକ୍ ବନେଇଦେବି । ମୁଁ କହୁଛି, କଟକୀ ପାଞ୍ଜିଆମାନଙ୍କୁ ପାନେ ପାନେ ଚଢ଼େଇ ପାଞ୍ଜି ଛଡ଼ାଇ ନେବା ଆମର ତ ସମସ୍ତେ, ଗୁହା କାହୁଁ ପାଇବେ ଯେ ନାଲିଶ କରିବେ ? ଆମ ପୁରୁଣା ପାଞ୍ଜିଆମାନେ ଟଙ୍କା ଅସୁଲ କରି ସରକାର ଘରେ ଖଜଣା ଦାଖଲ କରିବେ ? ହାକିମ ସିନା ଟଙ୍କାର ମାଲିକ, ଟଙ୍କା ପାଇଲେ କ’ଣ କରିବେ ? ସମସ୍ତେ ହସି ଉଠିଲେ । ସାନ୍ତେ କହିଲେ, ‘‘ସରକାରୀ ଲଗା— ଗୋଟିଏ ଗୋଳମାଳ ଉଠିବ ।’’
ପାଞ୍ଜିଆ କହିଲେ, ‘‘ତେବେ ସେମାନଙ୍କଠାରୁ ହିସାବ ବୁଝିବା, ସବୁ ଧରା ପଡ଼ିଯିବ ।
ସାନ୍ତେ—ତାହା ବି ହାକିମଙ୍କର ହୁକୁମ ଦରକାର । ହେଉ, କିଲ୍ଲାର ଆଉ ଉଆସର ହାଲ ହବାଲ ଲେଖି ରିପୋର୍ଟ କରି ଟଙ୍କା ଖରଚ ବୁଝିବା ସକାଶେ ସରକାରରୁ ହୁକୁମ ଅଣାଯାଉ । ଧାଈମା କ’ଣ ଆଜ୍ଞା କରୁ ଅଛନ୍ତି ?
ଧାଈମା— ମୁଁ ତିରିଲା ଲୋକ, କ’ଣ ଜାଣେ କ’ଣ କହିବି ? ହେଉ, ସାନ୍ତ ଯାହା ଆଜ୍ଞା କରୁଛନ୍ତି, ତାହି ହେଉ । ପିତାମ୍ବର ବାବୁଙ୍କୁ ଲେଖନ୍ତୁ ସେ କଟକରେ ଓକିଲ ମୁକ୍ତାର ମାମଲତକାରଙ୍କୁ କଥାସବୁ କହିବେ, ସେମାନେ ଯେପରି ପରାମର୍ଶ ଦେବେ ସେଇପରି କରାଯିବ ।
ହରିବୋଲ ବାରିକ ମନକୁ ଏ କଥାଟା ପାଇଲା ନାହିଁ । ତାହାର ବଡ଼ ଇଚ୍ଛା ଥିଲା ହାକିମମାନେ ହୁକୁମ ଦେଲେ, ସେ ଧାଇଁଯାଇ ସେ ପାଞ୍ଜିଆଟା ପାଖରୁ ପାଞ୍ଜିବିଡ଼ା ଛଡ଼ାଇ ଆଣିବ-। ପଛରେ ଆପଣା ମନକୁ ବୁଝାଇଲା, ହେଉ ହେଉ—
‘‘ବୁଝି ସମଝି କାମ କଲେ
ପ୍ରମାଦ ନ ପଡ଼ଇ ଭଲେ ।’’
–୫୪–
ସାବଧାନତା
ସାପର ଆଖି ଚାରିଆଡ଼େ ଖେଳେ । ମନ୍ଦିରର ମନ୍ତ୍ରଣାଟା ଠିକ୍ କରି ନାଜର ବାବୁଙ୍କ କାନରେ ବାଜିଗଲା । ଟିକିଏ ଚମକିଗଲେ । ଦଣ୍ଡେ ବସି ବିଚାରିଲେ—ଆହୁରି ଅଛି ଚାରିମାସ ଡେରି । ଏହି କେତେଟା ମାସ ଟିକିଏ ସୁରୁଖୁରୁରେ ଗଡ଼େଇ ନେବାକୁ ହେବ । ସତକଥା, ପ୍ରଜାଗୁଡ଼ାକ ତ କାଉ—ଉଛୁଳିଲେ ସମ୍ଭଳା ପଡ଼ିବ ନାହିଁ । ରିପୋର୍ଟଟା ପହଞ୍ଚିବା ବି ହରକତ ମାମଲା-। ଆପେ ବାହାରି ପଡ଼ିବାକୁ ହେବ ଆଉ କାହାରି ହାତରେ ହେବାର କଥା ନୁହେଁ, ଖୁବ୍ ସାବଧାନତା ଦରକାର । ଚାଦରଟା କାନ୍ଧରେ ପକାଇ ବାହାରି ପଡ଼ିଲେ—ଏକାବେଳେକେ ନରୁବାବୁ ଦୁଆରେ ହାଜର୍-। ‘‘ନରୁବାବୁରେ ! ମୋର ନରୁବାବୁରେ !’’ ତଳୁ ଡାକି ଦୁମ୍ ଦୁମ୍ କରି ‘ଦୋତାଲା ଉପରକୁ ଉଠିଗଲେ । ନରୁବାବୁଙ୍କର ପଢ଼ା ଚାଲିଛି— ଆଗରେ ପଣ୍ଡିତ ମୃତ୍ୟୁଞ୍ଜୟ କବି ଭୂଷଣେ ଚୌକିଟାରେ ବସି ‘ସୋଽହମାଜନ୍ମଶୁଦ୍ଧା ନାମୋଫୋଳୋଦୟକର୍ମଣାଂ’ ଶ୍ଳୋକଟାର ଅର୍ଥ ବୁଝାଉଛନ୍ତି । ଦଣ୍ଡେଇ ପିଲାକୁ ବଗ ଚାହିଁଲା ପରି ବାବୁପିଲା ରଘୁବଂଶ କିତାପଟା ଫିଟାଇ ଏକ ଧ୍ୟାନରେ ଚାହିଁଛନ୍ତି ! ମାମୁଙ୍କୁ ଦେଖି ନରୁବାବୁ ଛିଡ଼ା ହୋଇଗଲେ । ‘ବସ, ବାପ, ବସ’ ବୋଲି ମାମୁ ଖଣ୍ଡେ ଚୌକି ଟାଣିନେଇ ଦୁମ୍ କରି ବସି ପଡ଼ିଲେ । ‘‘ପଣ୍ଡିତେ, ଭଣଜାବାବୁଙ୍କ ସଙ୍ଗରେ କିଛି ନିରୋଳା କଥାଭାଷା ଅଛି ।’’ କଥାଟା ଯିମିତି ମାମୁଙ୍କ ମୁହଁରୁ ବାହାରିଛି ପଣ୍ଡିତ ବିଚରା ଭଲ ଲୋକଟି ପରି ତଳକୁ ଓହ୍ଳାଇଗଲେ । ଦୃଷ୍ଟ କରୁଣାଟା କେଉଁଠି ଥିଲା ତୁନି ତୁନି ଆସି ଟିକେଇତ ବାବୁଙ୍କ ପଛପଟ କବାଟ ଉହାଡ଼ରେ ଲୁଚିକରି ବସି ପଡ଼ିଲାଣି । ଠିକ୍ ଏମନ୍ତ ଜାଗାଧରି ବସିଛି । ଯେମନ୍ତ ନାଜରଙ୍କ କଥା ସବୁ ଶୁଭିବ, ଆଉ ସେ କ’ଣ କରୁଛନ୍ତି ଦେଖିବ; ମାତ୍ର ନାଜର ତାକୁ ଦେଖିପାରିବେ ନାହିଁ । କରୁଣା ନାଜରକୁ ଭଲକରି ଚିହ୍ନେ ।
‘‘ଆରେ ନରୁବାବୁ ! ତୁମେ କ’ଣ ମୋ ଭଣଜାରେ ! ତୁମେ ମୋ କୁଳନନ୍ଦନ ! କୁଳଚନ୍ଦ୍ରମା ! ତୁମେ ମୋ ହୃଦୟର ରକ୍ତ ! ତୁମେ ଦୁଇପିଲା ଯେ ମୋ ନୟନର ପିତୁଳି ! ମୁଁ ଦୁଇଓଳି ତୁମର ଖବର ନେଉଥାଏଁ— ପଢ଼ା କେତେଦୂର ହେଲା ବୁଝୁଥାଏ । ତୁମର ଯେ ପାସ୍ ହେଲା—ଏକ୍ ଜାମିନରମାନଙ୍କୁ ଉଣା ଖୋସାମଦ କରିଛି ? ସେମାନେ ସାଫ୍ କାଗଜ ଦେଖାଇଲେ, ଏଗ୍ରିଗେଟକୁ ପୂରା ଚାରିନମ୍ବର ଊଣା—ମୋ ମୁଣ୍ଡରେ ତ ବଜ୍ରଟାଏ ପଡ଼ିଗଲା (ଖୁବ୍ ତୁନି ତୁନି କହିଲେ) କାହାରି ପାଖରେ କହିବି ନାହିଁ, ସେ ଲାଗି ଢେର ଟଙ୍କା ଖରଚ । ମୁଁ ବରାବର ଏଠିକି ଆସେଁ ଘର ଚାରିପଟ ବୁଲି ଯାଏଁ, ଖାଇବା ପିଇବା କଥା, ପଢ଼ାଶୁଣା କଥା ପରବାରେ ସବୁ ବୁଝିଯାଏଁ । ପାଖକୁ ଆସେ ନାହିଁ, ଖାଲି ତୁମର ପଢ଼ା କ୍ଷତି ହେବ ବୋଲି । ମନରେ କରେଁ, ଦେଖାରେ କ’ଣ ଅଛି, ନରୁ ପଢ଼ା କରୁ, ପଢ଼ାରେ ସବୁ—ପାଠ ପଢ଼ିଲେ ଖୁବ୍ ଜ୍ଞାନ ହୁଏ । ଖୁବ୍ ମନ ଦେଇ ପଢ଼ିବ । ସଞ୍ଜ ସକାଳେ ବଜାରକୁ ବୁଲିଯିବ ନାହିଁ । ଦେହରେ ଗୁଣ ଥିଲେ ସମସ୍ତେ ମାନିବେ-। ତୁମେ କ’ଣ ଚାକିରିଟାଏ କରିବ ? ରଜାପୁଅ ରାଜା ହେବ, ଆଜି କ୍ୟାଁ ଅଇଲି ଜାଣ ? ତୁମେ ଯେ ମୋ ବସାରେ ଥିଲ ଆରେ ଛି ! ସେଟା କ’ଣ ତୁମ ଭଳି ରଜାପୁଅଙ୍କ ରହିବାର ଘର ? ହଠାତ୍ ଘର ମିଳିନଥିଲା ବୋଲି ସିନା ! ଯେଉଁଦିନ ଘର ଠିକ୍ ହେଲା, ମୁଁ ଯାଇଛି ସଫା ଘରଟା କରିବାକୁ—ମେଜ ଚୌକି ସଜାଇ ଦେବାକୁ, ତୁମକୁ ତ ଜଣାନାହିଁ, ଚାଲି ଆସିଲ । ହେଉ ହେଉ, ମଉସା କ’ଣ ପର ? ମୁଁ ତ ତାକୁ ହୃଦୟବନ୍ଧୁ ବୋଲି ଜାଣେ, ସେ ମନରେ ଯାହା କରନ୍ତୁ । ଆଜି କ୍ୟାଁ ଅଇଲି ଜାଣ ? ଉଁ—ହୁଁ ! ଏଇଟା କ’ଣ ତୁମଲାଗି ଘର ? ଗୋଟାଏ ସୁନ୍ଦର ତେତାଲା ନୂଆଘର ଭଡ଼ାଘର ଭଡ଼ା କରି ସଜାଇ ଦେଇଛି ଘରର ତଳଟା ଶତରଞ୍ଜି ବିଛଣା, ତା’ ଉପରେ ଚୌକି, ମେଜ, ଖଟ, ଆଲମାରି ଥୁଆ ସ୍କୁଲକୁ ଖୁବ୍ ପାଖ, ତୁମେ ଯାଇ ସେଇ ଘରେ ରହିବ । ଗୋଟାଏ ବଗି ଗଡ଼ି ଖୁବ୍ ଶସ୍ତାରେ କିଣିଛି । ସେକେଣ୍ଡ ହେଣ୍ଡ ହେଲେ କ’ଣ ହେଲା, ଅରଖ ନୂଆ ପରି ଚକ୍ଚକିଆ । ସେଇ ଗାଡ଼ିରେ ଚଢ଼ି ସହରଯାକ ବୁଲିବ । ପାଞ୍ଜି ଦେଖିଲି—ଆସନ୍ତା ଶୁକ୍ଳ ଦଶମୀ, ବେଳ ଛ’ ଘଡ଼ି ଦି’ ଦଣ୍ଡ ତିନି ଲିତ୍ୟା ଉତ୍ତାରେ ଗୃହପ୍ରବେଶ ଶୁଭ । ତୁମେ ପ୍ରସ୍ତୁତ ଥିବ— ବଗି ଧରି, ମାଲମତା ଘେନି ଯିବାକୁ ଶଗଡ଼ ଦୁଇଖଣ୍ଡ ଆସିବ । କି ବାବୁ— ଏହି କଥା ହେଲା ତ-?’’
ନରୁବାବୁ—ମଉସାଙ୍କୁ ପଚାରି ଖବର ଦେବି ।’’
ମାମୁ—ଅବଶ୍ୟ ! ଅବଶ୍ୟ ! ସେ ହେଲେ ଜଣେ ମୁରବି—ତାଙ୍କୁ ନ ପଚାରିବ କିପରି ? ବଡ଼ ଖୁସି ହେଲି । ଯେପରି ଲୋକର ପୁଅ, ସେହିପରି କଥା ଆଚ୍ଛା ଆଚ୍ଛା, ମୁଁ ବି ଧାଈମାଙ୍କୁ କହିବି-। ସେ କ’ଣ ମୋ କଥାରୁ ବାହାର ହେବେ ? ରୋଜ ରୋଜ ଚିଠି ଯିବାଆସିବା ହେଉଛି । ମୋତେ ନ ପଚାରି କିଛି କଥା କରନ୍ତି ନାହିଁ । ନା—ନା, ମୁଁ ନିଜେ ଯିବି, ଚିଠି ପତ୍ର କଥା ନୁହେଁ । ଚାନ୍ଦକୁ ବି ଢେର ଦିନ ହେଲା ଦେଖି ନାହିଁ— ମନଟା କେମିତି ଛଟପଟ ହେଉଛି । ସରକାରୀ କାମ କିଛି ହରକତ ହେବ, ହେଉ ପଛକେ—ତୁମ କାମ ବଡ଼ ନା ସରକାରୀ କାମ ବଡ଼ ? ମୋ ଯିବା ଆସିବାରେ ଚାଳିଶପଚାଶ ଟଙ୍କା ଖରଚ, ଏ ସବୁ ଖରଚ ନିଜ ହାତରୁ କରେଁ, କିଲ୍ଲା ତହବିଲରୁ ପଇସାଏ ନିଏ ନାହିଁ । ପ୍ରତ୍ୟକ୍ଷ ଦେଖୁଛି, ମୋ ଭଣଜା ଯୋଡ଼ିକ ପିଲା, ତୁମମାନଙ୍କ ଟଙ୍କା ମୋ ପକ୍ଷରେ ବିଷ—ଠାକୁର ଅମଣିଆ ।’’ ଚାରିଆଡ଼କୁ ଆଉଥରେ ଅନାଇ କହିଲେ, ସେଇ ଯେ ଭଣ୍ଡାରି କରୁଣାଟାକୁ ଯେତେବେଳେ ସାଙ୍ଗରେ ଧରି ନଈକୂଳରେ ବୁଲ, ସେଇଟା ମୋତେ ଭଲ ଦିଶେ ନାହିଁ-। କଟକର ଲୋକେ ଭାରି ନିନ୍ଦା କରନ୍ତି । ଛି—ଛି ! ମୋତେ ବଡ଼ ବାଧେ । ମୁଁ ଜଣେ ଭଲ ଚାକର ପଠାଇବି, ତାକୁ ସବୁବେଳେ ପାଖରେ ରଖିବ, ତାକୁ ଧରି ବୁଲି ଯିବ ।’’
ନାଜର ବାବୁ ଉଠି ଛିଡ଼ା ହେଲେ, ପକେଟରୁ ଗୋଟା ପଞ୍ଚାଶ ହେବ ଟଙ୍କା କାଢ଼ି ନରୁବାବୁଙ୍କ ଆଗରେ ଥାକ କରି ଥୋଇଦେଲେ । ନରୁବାବୁ ପଚାରିଲେ, ଏ କି ଟଙ୍କା ?
ନଟବର ବାବୁ—ରଖିଥାଅ, ରଖିଥାଅ ବାପ, ପାଖରେ ରଖିଥାଅ, ଏଇଟା ତୁମର ପକେଟମନି । ରଜାପୁଅ ରଜା; କେତେ ଖରଚ ଅଛି—ଏଣିକି ମାସକୁ ମାସ ଶଏ ଟଙ୍କା କରି ପକେଟ ମନି ପାଇବ । କିଲ୍ଲା ହିସାବ ମୁଣ୍ଡରେ ଢେର୍ ଦେଣା ଥିଲା, ଦେଇପାରୁ ନ ଥିଲି ।
ନରୁବାବୁ ଏତେବେଳଯାଏ ମୂଷାଟି ପରି ତୁନି ହୋଇ ବସି ସବୁକଥା ଶୁଣିଯାଉଥିଲେ । ଏତେବେଳେ ପାଟି ଫିଟାଇ କହିଲେ, ‘‘ମଉସା ତ ସବୁ ଖର୍ଚ୍ଚ ଦେଉଛନ୍ତି, ଆଉ ଟଙ୍କା କ’ଣ ହେବ-?’’ ମାମୁ—‘‘ଆରେ ବାପା ! ଏଇଟା କ’ଣ ମୋ ଗଣ୍ଠିଧନ! ତୁମ ଟଙ୍କା ତୁମେ ଖରଚ କରିବ-। ନାହିଁ ନାହିଁ ପଡ଼ିଗଲା ଦଶଟଙ୍କା ଖରଚ, କ୍ୟାଁ ବନ୍ଧୁଲୋକଙ୍କୁ ମୁହଁ ହରାଇବ ?’’ ନାଜର ବାବୁ ଝଟ୍କରି ସେ କଥାଟା ଛାଡ଼ିଦେଲେ—ବହୁତ ଆଦର କରି—ବହୁତ ଗେହ୍ଳାକରି ନରୁବାବୁଙ୍କ ମୁଣ୍ଡରେ ପିଠିରେ ହାତ ବୁଲାଉଥାନ୍ତି । ହେଲେ ନରୁବାବୁଙ୍କୁ କଣ୍ଟାଛାଟ ପରି ଜଣାଯାଉଥାଏ-।
ମାମୁ—ମୁଁ ଆଜି ନିରିପୁର ଯିବି, ମା’ଙ୍କୁ ଜେଜିମାଙ୍କୁ କ’ଣ କହିବି ? ତୁମେ ଆଉ କ’ଣ କହିବ ? ସବୁ ତ ଦେଖୁଶୁଣି ଗଲି, କହିବି । ବସ୍ ବସ୍, ବାପା ବସ୍—ପଢ଼—ପଢ଼, ବୃଥା ସମୟ ନଷ୍ଟ କରିବ ନାହିଁ, ପଢ଼ାରେ ଖୁବ୍ ମନ ଦେବ ।’’ ଏତିକି କଥା କହି ଧପ୍ ଧପ୍ କରି ଉପରୁ ଚଞ୍ଚଳ ଓହ୍ଳାଇପଡ଼ି ବାହାରିଗଲେ । ଦୁଷ୍ଟ କରୁଣାଟା ଲୁଚିବା ଜାଗାରୁ ବାହରି ପଡ଼ିଲା— ଦୁଇଜଣ ଟିକିଏ ହସା ହସି ହେଲେ ।
ନାଜର ବାବୁ ସାହେବଙ୍କଠାରୁ ଚାରିଦିନର ଛୁଟିନେଇ ବାରଟା ଆପଟରେ ସବାରି କଷି ଦେଲେ । ଝଟପସର କାଉ କା’ କରିବାବେଳେ ନରିପୁର ଉଆସ ସିଂହଦ୍ୱାରଠାରେ ହାଜର । ବାବୁ ପାଲିକିରୁ ବାହାରିପଡ଼ି ସଳଖେ ସଳଖେ ଉଆସ ଭିତରକୁ ଧଡ଼୍ ଧଡ଼୍ କରି ବାହାରିଲେ ! ଯୋଡ଼ାଏ ଜଗୁଆଳ ପାଇକ ସିଂହଦରଜାରେ ବସିଥାନ୍ତି— ଝଟ୍ ରୋକିଦେଲେ—କିଏ ହେ ବାବୁ ! ଛିଡ଼ା ହୁଅ, ଭିତରକୁ ଯାଅ ନାହିଁ, ଯିବାକୁ ବାସନ୍ଦ । ବାବୁ ମନରେ ବିଚାରିଲେ, କଣ ! ଆମେ ହାକିମ—ଆମେ ମାଲିକ, ଏ ଅଦାନା ପାଇକ ଯୋଡ଼ାକ ଆମ ବାଟ ରୋକିବେ ?’’ କହିଲେ, ‘‘ଆରେ ତଫାତ୍ ହୁଏ, ଆମେ ଉଆସ ଭିତରକୁ ଯିବୁଁ ।’’ ପାଇକ—ଆରେ ବାନ୍ଧି ରଖ ତୁମେ ତଫାତୁ ଛିଡ଼ା ହୁଅ ।’’ ନାଜର ବାବୁଙ୍କ ମିଜାଜଟା ଟିକିଏ ପିତ୍ତଳ ତଳି ଭଳିଆ । ଅଳ୍ପରେ ତାତିଯାଏ । ଆଉ ତୁଚ୍ଛ ଚାକରଟା ମୁହଁରୁ ଟାଣକଥା ଶୁଣିଲେ କିଏ ବା ନ ରାଗିଯିବ, ତୁମେ ଆମେ କ’ଣ ରାଗିଯିବୁ ନାହିଁ ? ଏଣେ ଖଣ୍ଡାୟତ ପାଇକ ପିଲା—କଟିବେ ପଛକେ, ହଟିବେ ନାହିଁ । ଲାଗିଲା ଦୁଇକୁଳରୁ ତୋଖଡ଼୍ ମୋଖଡ଼୍, ଦଣ୍ଡେ ଦି’ଦଣ୍ଡ କାଳ ବିତିଗଲା । ବାବୁ ଆପଣଙ୍କୁ ଆପେ ଟିକିଏ ସମ୍ଭାଳି ହୋଇଗଲେ । ବିଚାର କଲେ, ଆଦାନା ଚାକରଗୁଡ଼ାକ ସାଙ୍ଗରେ ଲାଗିଛୁଁ, ଲୋକେ ଶୁଣିଲେ କ’ଣ କହିବେ ? ପେଟରେ ନିଆଁ ଭର୍ତ୍ତି, ମିଛଟାରେ ଟିକିଏ ହସିଦେଇ କହିଲେ, ‘‘ବେଶ କଥା ବେଶ କଥା, ମୁଁ ଟିକିଏ ପରଖୁଥିଲି, ତୁମ୍ଭେମାନେ ଠିକ୍ କାମ ଅଞ୍ଜାମ କରୁଛ କି ନା ! ଖୁସି ହେଲି, ବଡ଼ ଖୁସି ହେଲି— ଯା, ଧାଈମାଙ୍କୁ ଆଉ ଚାନ୍ଦମଣିଙ୍କୁ ଖବର ଦିଅ ଆମେ ଆସିଛୁ ।’’ ହାକିମ କ’ଣ ଚାକରମାନଙ୍କ ଆଗରେ ଆପଣାର ନାମ କହିବେ, ପରିବାର ଚିହ୍ନା ଦେଲେ । ମନରେ କଲେ, ଏବେ ପାଇକଗୁଡ଼ାକ ଦଣ୍ଡବତ କରି ଆଡ଼େଇଯିବେ । ‘‘ତୁ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ ।’’ ହେଲେ କ’ଣ ନରମକୁ ନରମ ଗରମକୁ ଗରମ । ପାଇକମାନେ ଦଣ୍ଡବତଟାଏ କଲେ, ମାତ୍ର ବାଟ ଛାଡ଼ିଲେ ନାହିଁ । କହିଲେ, ‘‘ଆମେ ହେଲୁ ହୁକୁମର ଚାକର, ମୁର୍ଖ ଲୋକ ଛାମୁଙ୍କୁ କିପରି ଚିହ୍ନିବୁ ? ବିଜେ ହେଉନ୍ତୁ— ବିଜେ ହୁଅନ୍ତୁ—ଏହିଠାରେ ବିଜେ ହେଛନ୍ତୁ । ପଢ଼ିଆରୀ ଅଇଲେ ଭିତରକୁ ଖବର ଦେବୁଁ । ବିଜେ ହେଉନ୍ତୁ ବୋଇଲେ ସିନା, ହେଲେ ବିଜେ ହେଉଛନ୍ତି କାହିଁ ? ସେହି ଠାଁ ଉଭା । ନାଜର ବାବୁ ବୁଝିଲେ, ତେବେ ବି ବାଟ ଛାଡ଼ିଲେ ନାହିଁ— ଆଚ୍ଛା ଆଚ୍ଛା ଆଉ ଚାରିଟା ମାସ ବାଦେ ତୁମର ଆମର ବୁଝାମଣା–ତୁମ ସବଂଶକୁ ଯଦି ଦେଶରୁ ଦୂର ନ କରେଁ, ମୁଁ ନଟବର ଦାସ ନୁହେଁ ! ଏଣେ ପାଇକଗୁଡ଼ାକ ମନରେ କରୁଛନ୍ତି—ଏଇଟା କ’ଣ ସେହି ସବାଗିଳା ରାହୁ ? ହାଏ, ଆମ ଅନ୍ନଦାତା ଖାଉନ୍ଦ ବିଜେ ହେବେ ?’’
ଉଆସ ଭିତରୁ ପଢ଼ିହାରୀ ଆସି ବାବୁଙ୍କୁ ଭିତରକୁ ଡାକି ଘେନି ଯିବାକୁ ବେଳ ରମାରମି ପହରେ । ତୁଚ୍ଛ ପାଇକ ହାତରେ ଅପମାନ ପାଇ ବାବୁ ତାତି ରହିଛନ୍ତି । ମାମଲତକାର କିନା, ଓଠ କାମୁଡ଼ି ସମ୍ଭାଳି ହୋଇଗଲେ । ସବୁର ଗଛରେ ମେବା ଫଳେ । ହେଉ ହେଉ ! ଆଉ କେତୋଟା ଦିନ ଯାଉ, ସବୁ କଥା ଏ ପେଟ ଭିତରେ ରହିଲା । ବାବୁ ଛାମୁ ଦୁଆରବନ୍ଧ ପାଖରୁ ପାଟିକରି ଡାକ ପକାଇ ପକାଇ ଚାଲିଛନ୍ତି । ‘‘ଧାଈମା— ଧାଈମା, ଆରେ ଚାନ୍ଦମଣି !’’ ଧାଈମାଙ୍କ ମନ ତ ଆଗରୁ ଜଳିପୋଡ଼ି ପାଉଁଶ ହୋଇଛି,ମନରେ ବିଚାରିଲେ, ‘ଓହୋ, ନଟର ଯେ ଆଜି ଭକ୍ତିଟା ବଳି ପଡ଼ିଛି । ଧାଈମା ଆଉ ମଣିମା ଦୁହେଁ ବେହରଣ ପିଣ୍ଡାରେ ବସିଥିଲେ । ଧାଈମା—‘‘ଆରେ ନଟ ! ଆସ ଆସ, କେତେବେଳେ ଅଇଲୁରେ?’’ ବାବୁ ସେ କଥାଟା ନ ବୁଝିଲାପରି ଧାଈମାଙ୍କ ଦୁଇ ପାଦରେ ହାତଦେଇ ଲଠ୍ କରି ଦଣ୍ଡବତଟାଏ ହେଲେ । ଡେବିରି ହାତରେ ଟଙ୍କା ଥଳିଟା ଧରିଥିଲେ, ଦୁଇଜଣଙ୍କ ମଧ୍ୟରେ ଝମ୍ କରି କଚାଡ଼ି ଦେଲେ । ‘‘ଓହୋ ! ଧାଈମା ! କ’ଣ କରିବି ଆଜି ସାତ ବରଷ ବାଦେ ଟିକିଏ ନିଃଶ୍ୱାସ ପକାଇବାକୁ ତର ମିଲିଲା । ସରକାରୀ କାମଟା କୌଣସିରୂପେ ଥାପଡ଼ା ଥାପଡ଼ି କରିଦେଇ ଖାଲି କିଲ୍ଲା କାମରେ ଲାଗିଛି—ଦିନ ନାହିଁ, ରାତି ନାହିଁ, ଏଇ କାମ । ଦିନେ ଦିନେ ରାତିଓଳିଟା ଖାଇବା ପିଇବା କଥା ଛାଡ଼ । କେତେଥର ଡାକି ପଠାଇଥିଲ, ମୋର କ’ଣ ନାକ ପୋଛିବାକୁ ତର ଥିଲା ? ମନରେ କଲି, ମା କୁଆଡ଼େ ଯାଉଛନ୍ତି କି ? ମା’ ପୁଅ ଭେଟାଭେଟି ତ ହେବା ଆଗେ କାମ ଛିଡ଼ୁ । ଓହୋ ! ରାମ—ରାମ—ରାମ ! କ’ଣ କହିବି ଧାଈମା-! କିଲ୍ଲାର ହିସାବପତ୍ର ବୁଝାବୁଝି କରିବାକୁ ଯାଇ ଦେଖେଁ ଯେ ପାଞ୍ଜିବିଡ଼ା, ନା ପୋଆଳ ବିଡ଼ା ସବୁ ଚୋର ଏକା ଜାଗାରେ ରୁଣ୍ଡ ହୋଇଥିଲେ (ଧାଈମା ଧୀର ହୋଇ କଥାଗୁଡ଼ାକ ଶୁଣି ଯାଉଥିଲେ, ଏତିକିବେଳେ ମୁହଁଟା କିଛି ବିଚିକିଟି ଗଲା) ସେହି ଚୋରଗୁଡ଼ାଙ୍କୁ ବାହାର କଲି । ମୋର ଇଚ୍ଛା ନଥିଲା–ହେଲେ ତାଙ୍କୁ ଅନାଇବି, ନା ପିଲାମାନଙ୍କ କାମକୁ ଚାହିଁବି ? ସେ ଚୋରଗୁଡ଼ାଙ୍କୁ କାଢ଼ି ଦେଇ ବିଶ୍ୱାସୀ, ହିସାବ-କିତାବରେ ମଜବୁତ ଲୋକ ଆଣିବାରେ ତେବେ କାମ ଚଳିଲା । ପୁରୁଣା ପାଞ୍ଜିଗୁଡ଼ାକ ଫିଟାଇ ଦେଖେଁ ଯେ ପ୍ରଜାଙ୍କ ପାଖରୁ ଟଙ୍କା ନେଇଛନ୍ତି ତ ସିହା କରିନାହାନ୍ତି–ପାଉତି ବିଶୋଧନ ନାହିଁ । କେତେ ପ୍ରଜାଙ୍କୁ ପାଉତି ବିଶୋଧନ ଦେଇଛନ୍ତି, ଟଙ୍କା ନେଇଥିବେ, ପାଞ୍ଜିରେ ଜମା ଦିଆଯାଇ ନାହିଁ ।’’ଧାଈମା ଆଉ ସମ୍ଭାଳି ପାରିଲେ ନାହିଁ–ଟିକିଏ ହସିଉଠି କହିଲେ, ‘‘ଆଚ୍ଛା ପାଞ୍ଜିଆ ତ !’’
ନଟବରବାବୁ—ମୁଁ ଆଉ କ’ଣ କହୁଛି, ଧାଈମା ? ସବୁ ପାଞ୍ଜିପତ୍ର ବିଡ଼ା ବାନ୍ଧି ରଖିଛି, ଗୋଟିକୁ ଗୋଟି ତୁମକୁ ଫିଟାଇ ଦେଖାଇବି ପରା ! ଏହିସବୁ ଗୋଳମାଳରେ ସରକାରର, ସରକାରର କଣ—ପିଲାଗୁଡ଼ିଙ୍କର କ’ଣ ଉଣା କ୍ଷତି ? ସବୁ ପାଦ ଗାଏ କରି ନାହିଁ । ମୁଁ ତ ଅନୁମାନ କରୁଛି, ପନ୍ଦର କୋଡ଼ିଏ ହଜାର ଟଙ୍କାରୁ ଉଣା ନୁହେଁ, ମାହାଳିଆ ଛାଡ଼ିଦେଲି । ସବୁଗୁଡ଼ାକ ତମାଦି । (ଧାଈମା ନିଃଶ୍ୱାସଟାଏ ପକାଇ ମନ ମଧ୍ୟରେ କହିଲେ, ହାୟ ! ଏତେ ଗୁଡ଼ାଏ ଟଙ୍କା କ’ଣ ସତ ନେଲୁ ରେ ନଟ ?) ପ୍ରକାଶ କରି କହିଲେ, ‘‘ଜୁଆଇଁବାବୁ ତ ସାତ ଆଠ ବରଷର ସାଲତମାମି କାଗଜ ଗୋଟି ଗୋଟି କରି ମୋତେ ଦେଖାଇଛନ୍ତି । ଦୁଇଜଣ ଉଆସ ଭିତରେ ବସି ବରଷକର ଜମାଖର୍ଚ୍ଚ ବାନ୍ଧୁଁ, ଏତେ ଟଙ୍କା କେଉଁଠି ବାକି ପଡ଼ିଲାରେ ?
ନଟବର—‘‘ଦେଖିବ ଦେଖିବ ଧାଈମା ! ମୁହଁ କଥା ନୁହେଁ, କାଗଜପତ୍ରର ପ୍ରମାଣ କରାଇ ଦେବି । ଆଉ ଗୋଟାଏ କଥା ଶୁଣିନାହଁ ଧାଈମା? ଛୁଟକୁରିଆ ହାତଉଧାରି କରଜ ଏତେ ଥିଲା ! ସାନ୍ତ ଥରେ କଟକ ଯିବେ ତ, ଦି ହଜାର ତିନି ହଜାର ଟଙ୍କା କରଜ କରି ଆସିବେ । ରେଜିଷ୍ଟରୀ ତମସୁକ ଖଣ୍ଡେ ବି ନାହିଁ, ତୁଚ୍ଛା ହେଣ୍ଡନୋଟ୍ ।’’
ଧାଈମା ମନ ମଧ୍ୟରେ ଟିକିଏ ଦିକ୍ଦାର ହୋଇଗଲାଣି— କହିଲେ, ‘‘ନା ପରାରେ ନଟ-? ଜୁଆଇଁବାବୁ ତ କଟକ ଯିବାବେଳେ ଖର୍ଚ୍ଚକୁ ଚାହିଁ ମୁଁ ଉଆସ ତହବିଲରୁ ଟଙ୍କା କାଢ଼ି ଦିଏଁ । କାହିଁ ଟଙ୍କା କରଜ କରି ଆସି ଦିନେ ବି ତ ମୋତେ କହନ୍ତି ନାହିଁ ? ଆଉ ବାହୁଡ଼ାବିଜେ କରି ଖରଚର ହିସାବ ତ ମୋତେ ବୁଝାଇ ଦିଅନ୍ତି ! ସବୁ ହିସାବ ତ ମୋ ହାତରେ, କର୍ଜା ଟଙ୍କା ତ କାହିଁ ଦେଖେ ନାହିଁ ।’’ ଏହିଠାରେ ଗୋଟାଏ କଥା ଫିଟାଇ କହିବା ଦରକାର । କେବଳ ମଣିମା ଚାନ୍ଦମଣିକୁ ଶିଖାଇବା ଲାଗି ଭିତର ତହବିଲ ଆଉ ହିସାବ ଧାଈମା ହାତରେ ରଖିଥିଲେ । ସାନ୍ତଙ୍କର ମଧ୍ୟ ତାହି ଇଚ୍ଛା, ହେଲେ ପାଞ୍ଚ ଛ ବର୍ଷ କାଳ ବିଶେଷ ଚେଷ୍ଟା କରି ମଧ୍ୟ ଅଯୋଗ୍ୟ ଛାତ୍ରୀକୁ କିଛି ହେଲେ ଶିଖାଇ ପାରିନାହାନ୍ତି । ଚାନ୍ଦମଣି ଦେଈ ସବୁ ଭଲ ବୁଝିପାରନ୍ତି ପାଟୀଗଣିତର ସବୁ ଅଙ୍କଗୁଡ଼ିକ କଷାକଷି କରି ଶିଖିଥିଲେ, ଲେଖିପଢ଼ି ଭଲ ଜାଣନ୍ତି, ହାତ ଅକ୍ଷରଗୁଡ଼ାକ ମୁକ୍ତାମାଳା ପରି—ଏତେ ହେଲେ କ’ଣ ହେବ, ଟଙ୍କା କଉଡ଼ି ହିସାବପତ୍ରର ପାଖ ପଶିବେ ନାହିଁ । ମା’ ଝିଅ ଦୁଇଜଣ ବସି ହସଖୁସି କଥାବାର୍ତ୍ତା କରୁଥିବେ, ନୋହିଲେ ଦୁହେଁ ବସି ବହି ପଢ଼ାପଢ଼ି କରୁଥିବେ । ମା’ ଯେମିତି ଟଙ୍କା କଉଡ଼ି ବା ହିସାବ କଥା ପକାଇବେ, ମଣିମାଙ୍କର ମୁଣ୍ଡବ୍ୟଥା ବେମାରିଟା ବାହାରି ପଡ଼େ–ଝଟ୍ ଧାଇଁ ଯାଇ ପଲଙ୍କରେ ଲଠ୍ କରି ଶୋଇପଡ଼ନ୍ତି, ନୋହିଲେ କବାଟ କିଳିଦେଇ ପେନ୍ସିଲ ଖଣ୍ଡେ ଧରି ବିରାଡ଼ିଟାଏ ବା କୁକୁରଟାଏ ଚିତ୍ର କରି ବସନ୍ତି । ଧାଈମା ବୁଝି ପାରି ବିରକ୍ତ ହୋଇ ମୁରୁକି ମୁରୁକି ହସି ଆଉ ଆଡ଼େ ଚାଲିଯାନ୍ତି । ସେ ଆଉ ଢେର ଢେର ଥର କଅଁଳରେ ବୁଝାଇ ଦିକଦାରିରେ ବଳାବଳି କରି ଥକିଲେଣି—ଛାତ୍ରୀଙ୍କ ଶିକ୍ଷା କିଛିମାତ୍ର ଉନ୍ନତି ଲାଭ କରପାରିଲା ନାହିଁ । ନଟବର ବାବୁଙ୍କୁ ଭିତର କଥା ସବୁ ଜଣାଇଥିଲେ ସେ ଏତେଗୁଡ଼ାଏ ନିରୋଳା ମିଛକଥା ବୋଲିବାକୁ ସାହାସ କରନ୍ତେ ନାହିଁ ।
ନଟବର ବାବୁ—‘‘ଏ ଧାଈମା ! ମୁଁ କୋଡ଼ିଏ ଖଣ୍ଡ ହେଣ୍ଡନୋଟ୍ ଗଣି କଚେରି ଫିତାରେ ବାନ୍ଧି ରଖିଛି । ମହାଜନମାନେ ଟଙ୍କା ଅସୁଲି ଲେଖି ହେଣ୍ଡନୋଟ୍ ପିଠିରେ ଦସ୍ତଖତ କରି ଦେଇଛନ୍ତି-। ସାହେବଙ୍କୁ ବୁଝାଇବାକୁ ହେବ, ପୁଣି ତମେ ସବୁ ବୁଝିବ ଶୁଝିବ ଦେଖିବ ଏ କ’ଣ ଖେଳଘର ମାମଲା ? ରସିଦ ଭାଉଚରଗୁଡ଼ାକ ନ ଦେଖାଇଲେ ହିସାବ ମଞ୍ଜୁର ହେବ କ୍ୟାଁ ?
ନାଜର ବାବୁ ଚାହିଁ ଦେଖିଲେ, ଗୁଡ଼ାଏ ଦାସୀ କବାଟ ଫାଙ୍କ ଆଉ ଜଳାକବାଟି ବାଟେ ଚାହିଁଛନ୍ତି, ସେମାନଙ୍କୁ ଶୁଣାଇ ଶୁଣାଇ କହିଲେ—‘‘ଓହୋ ! ଟଙ୍କା ଲାଗି ଉଆସ ଲୋକଗୁଡ଼ିଙ୍କର ବଡ଼ କଷ୍ଟ ହୋଇଥିବ । ଆଉ ସେପରି ଏଣିକି ହେବ ନାହିଁ । ବାଜେ ଖରଚ ସକାଶେ ମାସିକ ହଜାରେ ଲେଖାଏଁ ଟଙ୍କା ପଠାଇବି । ସଂକ୍ରାନ୍ତି ବାସି ଟପିବ ନାହିଁ ।’’
ଧାଈମା କଥାଗୁଡ଼ାକ ଶୁଣି ଭାରି ଦିକ୍ଦାର ହେଲେଣି, କହିଲେ—‘‘ଆରେ ବାବୁ ନଟ ! କାଲି ରାତିରେ ତ ଖାଇନଥିବୁ, ଯାଆ–ଯାଆ, ଜଳଦି ଗୋଧୋଇ ଆସ । କାଲି ନିଦ ବି ହୋଇ ନଥିବ—ହେବ କୁଆଡ଼ୁ ? ଆପଟଗୁଡ଼ାକ ଯେ ହୁଁ ହାଁ କରନ୍ତି, ସେଥିରେ କ’ଣ ନିଦ ମାଡ଼େ ? ଏ ସିଠ-ଘରିଆଣୀ ! ବାବୁ ସଙ୍ଗରେ ଯେଉଁ ଚାକର ବାକର ଆସିଛନ୍ତି, ସେମାନଙ୍କ କଥା ବୁଝାବୁଝି କର । ଜଲଦି ଯାଅ । ଏ ପଢ଼ିଆରୀ, ବାବୁଙ୍କ ତେଲ ମଖାଇ ଦେଇ ବେଣ୍ଟ ପୋଖରୀକୁ ସାଙ୍ଗରେ ଘେନି ଯା ତ ।’’
–ପଞ୍ଚାବନ–