ମାମୁ
ଫକୀରମୋହନ ସେନାପତି · ଭାଗ ୨୦ / ୨୪
ସମ୍ପୂର୍ଣ୍ଣ ସୂଚୀପତ୍ର
ନାଜର ବାବୁଙ୍କ କଚେରି
ସନ୍ଧ୍ୟା ସମୟ । ନାଜର ବାବୁ ଯୁଗଳକିଶୋରଙ୍କ ବାହାର ମେଳାରେ କଚେରି କରି ବସିଛନ୍ତି । ବାରିକ ତା’ ପଛକୁ ପଛ ଚିଲମ ବଦଳାଇ ଦେଉଛି—ବାବୁ ଭଡ଼ର ଭଡ଼ର କରି ହୁକା ଟାଣି ଭକ୍ ଭକ୍ କରି ଧୂଆଁ ଛାଡ଼ି ଦେଉଛନ୍ତି, ସବାରିରେ ବିଛଣା ହୋଇ ଆସିଥିବା ଗାଲିଚା ଖଣ୍ଡକରେ ଗୋଟାଏ ବଡ଼ ମାଣ୍ଡିକୁ ଆଉଜି ବସିଛନ୍ତି । ଆଉ ସମସ୍ତେ ତଳେ—ଏତେ ବିଛଣା କାହିଁ-? ବାବୁ ସମସ୍ତଙ୍କ ମୁହଁକୁ ଅନାଇ ଗଲେ— ତାଙ୍କ ନିଜର ପାଞ୍ଜିଆ ପାଇକ ଛାଡ଼ି ଆଉ ବାହାର ଲୋକ କେହି ନାହିଁ । ବାବୁଙ୍କର ଇଚ୍ଛା, ନିରୋଳାରେ ଆପଣା ଲୋକଗୁଡ଼ାକ କିଛି ଉପଦେଶ ଦେବେ, ତା ଠିକ୍ ଅଛି । ବାବୁ ଟିକିଏ ତୁନି ତୁନି ସମସ୍ତଙ୍କୁ ଉପଦେଶ ଦେଲେ,‘‘ବର୍ତ୍ତମାନ ମାସ କେତେ ଖୁବ୍ ସାବଧାନରେ କର୍ମ କରିବ । ପ୍ରଜାଗୁଡ଼ାଙ୍କୁ ବିଗାଡ଼ିବ ନାହିଁ, କାହାରି ଉପରେ ଜୁଲମ ଜାଲମ କରିବ ନାହିଁ ।’’ କାଳେ ଚାକରଗୁଡ଼ାକ ଘାବରେଇ ଯିବେ, ସେଥିଲାଗି ଇସାରା ଦେଖାଇ କହିଲେ, ଅଳ୍ପଦିନ ବାଦେ ସେ ସମ୍ପୂର୍ଣ୍ଣ ଅଧିକାର ପାଇବେ ।
ନାଜର ବାବୁଙ୍କ କଚେରି ଦୁଇଦିନ ଜାରି ଥିଲା । ସେ ମନରେ ବିଚାରିଥିଲେ, ପୁରୁଣା ପାଞ୍ଜିଆ, ମକଦମ, ଗ୍ରାମର ମୁଖିଆ ଲୋକେ, ପ୍ରଜାପାଟକ ହାଜର ହୋଇ ଭେଟିବେ—କେତେ ପ୍ରଜା ଗୋଡ଼ତଳେ ପଡ଼ିଯିବେ, କେତେ ହାରିଗୁହାରି କରିବେ, କେତେ ସଲାମି ଦାଖଲ ହୋଇଯିବ, ମାତ୍ର ଦୁଇଦିନ ପୂରା କଚେରିରେ ଗୋଟିଏ ହେଲେ ଲୋକର ମୁହଁ ଦିଶୁନାହିଁ । ଗୁଡ଼ାଖୁ ଧୂଆଁରେ କଚେରିଟା ପୂରି ରହିଛି । କିଲ୍ଲାଟାଯାକ ଲୋକ ଜଳିପୋଡ଼ି ମଲେଣି, କାହାର ଭକ୍ତି ଗଦ୍ଗଦ୍ ହେଉଛି ଯେ ଧାଇଁ ଆସି ଗୁହାରିଟା ଜଣାଇବ, ଆଉ ସଲାମି ଟଙ୍କାଟାଏ ଠଣ କରି ଫୋପାଡ଼ି ଦେଇଯିବ ? କେହି କେହି ଓଲା ହେଣ୍ଡା ଅଜଣା ଲୋକ ବା ଚାଲି ଆସନ୍ତେ, ମାତ୍ର ହରିବୋଲ ବାରିକେ ଗାଁକୁ ଗାଁ ଘର ବୁଲି ମନାକରି ଦେଇ ଆସିଛନ୍ତି । କେବଳ ଏତିକି ନୁହେଁ, ସବୁ ଦୁଃଖଧନ୍ଦା ଛାଡ଼ି ଆଖପାଖ ବୁଲି କିଏ ଗଲା କିଏ ଅଇଲା ଦେଖୁଛନ୍ତି ।
ବାବୁ ଧାଈମା’ଙ୍କ ପାଖରେ ବସି ଆହୁରି ଢେର ମାମଲା କଥା ଜଣାଇଲେଣି—ହେଲେ, ମନରେ ବେଶ ବୁଝି ଗଲେଣି, ମା ମନଦେଇ କିଛି କଥା ଶୁଣିବାକୁ ନାହିଁ । ଗୋଟିଏ ମାମଲାର କଥା ପଡ଼ିଲେ ମା ବାଆଁରେଇ ଆଉ ଗୋଟାଏ ଏଣୁତେଣୁ କଥା କହି ବସନ୍ତି—ନିହାତି ଜିଦ୍ କରି ଧରିବସିଲେ କହନ୍ତି, ‘ମୁଁ ମାଇପିଲୋକ, କ’ଣ ଜାଣେ ?’
ବାବୁ ଦୁଇଦିନ ଗଡ଼ରେ ଥିଲେ, କ୍ୟାଁ କେଜାଣି ତାଙ୍କୁ କିଛି କଥା ସୁଖ ଲାଗୁନାହିଁ— ହେଲେ ଆଶା ପିଶାଚିଟା ଯେମନ୍ତ ଆସି କାନରେ କହି ଦେଉଛି, ଚିନ୍ତା କଣ, ଲାଗି ପଡ଼, ମାଲିକ ହେବୁ ।
–୫୬–
ଗୁଡ଼ ଫ୍ରାଇଡ଼େ ଛୁଟି
ଗୁଡ୍ଫ୍ରାଇଡ଼େ ସକାଶେ ଶୁକ୍ର, ଶନି, ରବି, ସୋମ ଚାରିଦିନ କଚେରି ବନ୍ଦ । ଡାଉସନ ସାହେବ ବିଲାତରେ ପିଲାମାନଙ୍କୁ ଛାଡ଼ିଆସିବା ସକାଶେ ବର୍ଷକ ଲାଗି ଫର୍ଲୋ ନେଇ ଚାଲି ଯାଇଛନ୍ତି । ସକାଳ ଓଳିଟା କୋଠିକୁ ଯିବାଆସିବା କାମ ନାହିଁ । ହେଲେ, କ’ଣ ଆଉ ଗୋଟାଏ କି କାମରେ ନାଜର ବାବୁ ଦିନରାତି ଲାଗିଛନ୍ତି । ଧେଉଁ କଲ ଭଗତ ଶୁଣ୍ଢୀ ମହାଜନ ସଙ୍ଗରେ ସବୁବେଳେ ପରାମର୍ଶ । ଦିନ ବୋଲି ନାହିଁ ରାତି ବୋଲି ନାହିଁ, ଦୁଇଜଣ ନିରୋଳାରେ ବସି କ’ଣ ଫୁସୁରୁଫାସର ହେଉଥାନ୍ତି । ବାବୁ ଆଉ ଗୋଟିଏ କାମରେ ବି ଲାଗିଛନ୍ତି । କଟକରେ ଟଙ୍କା କରଜଦିଆ ଯେତେ ମହାଜନ ସମସ୍ତଙ୍କ ନିକଟକୁ ଯିବା ଆସିବା—କାହାରିକୁ କାହାରିକୁ କଥା ନ ବୋଲି, କାହାଠାରୁ ହାତ ଉଧାରି, କାହାକୁ ବା ହେଣ୍ଡନୋଟ୍ ଲେଖି ଦେଇ, କେତେଜଣଙ୍କୁ ରେଜିଷ୍ଟରୀ ଲେଖି ଦେଇ ଟଙ୍କା କରଜ କରିବାର ବନ୍ଦୋବସ୍ତ କରୁଛନ୍ତି—ସମସ୍ତଙ୍କୁ କହି ରଖୁଛନ୍ତି, ଏ ଲାଗେ ଟଙ୍କା ଲୋଡ଼ା ନାହିଁ—ଚାରିମାସ ବାଦେ ଦରକାର, କେବଳ କଥାଟା ଠିକ୍ ହୋଇଥାଉ । ସିଆଣା ମଣିଷ କ’ଣ ବାହାବେଳେ ବାଇଗଣ ରୁଏ ? ଆଗରୁ ଠିକ୍ଠାକ୍ କରି ରଖେ । ବର୍ତ୍ତମାନ ବାବୁଙ୍କର ଆଉ କିଛି କଥା ନାହିଁ, କେବଳ ଟଙ୍କା—ଟଙ୍କା—ଟଙ୍କା । ଯୋଡ଼ାଏ ଟଙ୍କା ହେଉ ପଛକେ, ହାତ ପୈଠ ହେଲେ ସିନ୍ଦୁକରେ ପଡ଼ୁଛି ।
କଚେରିରେ ଲୋଡ଼ା ସକାଶେ ବଜାର ଦୋକାନୀମାନଙ୍କ ପାଖରୁ ଅନେକ ଜିନିଷ କାଳିରେ ଆସେ । ପଛନ୍ତି ବିଲ୍ ହେଲେ ଦୋକାନୀମାନେ ରସିଦ ଲେଖିଦେଇ ଟଙ୍କା ଘେନିଯାନ୍ତି । ନାଜର ବାବୁ ହାତ ବାଟେ ଏସବୁ କାମ ଚଳେ—ଏଥିରେ ବି ଭିତିରିଆ ତାଙ୍କର କିଛି ଫାଏଦା ରହିଯାଏ । ଆଜକୁ ଦେଢ଼ମାସ ହେଲା ଦୋକାନୀମାନଙ୍କୁ ଟଙ୍କା ମିଳୁନାହିଁ । ଦୋକାନୀମାନଙ୍କ ତାଗଦାରେ ବାବୁଙ୍କର ଏକ ଜବାବ, ବିଲ୍ ହୋଇନାହିଁ । କେତେଜଣ ଛୁଟ୍କୁରିଆ ଦୋକାନୀ ବାଟ ଚାଲି ଚାଲି ଦିକ୍ଦାର ହୋଇଗଲେଣି, କେତେଜଣ କଚେରିରୁ ବୁଝି ଆସିଲେ ବାବୁଙ୍କୁ ଭରସି କହୁଛି କିଏ ? ସାନ ଅମଲାଟାଏ ହେଲେ କ’ଣ ହେବ, ସରକାରୀ ହାକିମ ତ ସବୁଦିନର ଭରସା, ଟାଣକରି ପଦେ କହୁଛି କିଏ ? ବାରମ୍ବାର ମାଗିବାରୁ ବାବୁ କେତେଜଣଙ୍କ ଉପରେ ରାଗି ବି ଗଲେଣି । ଏ କ’ଣରେ ବାପା— ‘ବଡ଼ଲୋକକୁ ଦିଅ ଧାର, ଯାଉଣୁ ଆସୁଣୁ ନମସ୍କାର !’ ଆଉ କ’ଣ ନା— ‘ଦିଅ କାଳି, ଖାଅ ଗାଳି !’
ଆଜି ଶନିବାର, ବାବୁଙ୍କ କଚେରି ଭାରି ଜାରି । ଦଶ ବାରଜଣ ପିଆଦା ହାଜର, ଜାରି ହେବାପାଇଁ ପରବାନା ବଣ୍ଟାବଣ୍ଟି ଲାଗିଛି । ଏଥିରେ ବି କିଛି ମାର ପେଞ୍ଚ ଅଛି । କେହି ପାଇଲା ପାଞ୍ଚଖଣ୍ଡ କଉଡ଼ିଆ ପରବାନା ତ କେହି ପାଇଲା ଶୁଖିଲା ଖଣ୍ଡେ । ଯେ ଭଲ ପରାବାନା ପାଇ ନାହିଁ, ବଳେ ତ ସେ ଦିକ୍ଦାର୍ ହେବ । ବାହାରକୁ ଆସି ପିଆଦାଗୁଡ଼ାକ ଆପଣା ମଧ୍ୟରେ କଥାଭାଷା ହେଉଛନ୍ତି, ‘‘ଆରେ ଭାଇ, ତୁ ରୋଜଗାରରୁ ଅଧେ ଦେଲୁ ବୋଲି ସିନା ଭଲ ମାଲ୍ ପାଇଲୁ; ଆମକୁ ପଚାରୁଛି କିଏ ?’’ ଯେ ଭଲ ପରବାନା ପାଇଛି,ସେ ବି ଦିକଦାର—କହିଲା, ‘‘ରାତି ନାହିଁ ଦିନ ନାହିଁ, ସାପ ନାହିଁ, ବେଙ୍ଗ ନାହିଁ, ଖିଆପିଆ କଥା ଛାଡ଼— ଏ ଘରେ ବସି ମାରିନେବେ ଅଧେ ! ତାହା ବି ହେଲା । ରୋଜଗାର ପଇସାଟା ଭଲା ହାତ ଛୁଉଁ— ନା, ତୁ ଘରୁ ଆଣି ଆଗେ ଦେଇ ଯା !ଏ ସବୁ କପାଳ କଥାରେ ଭାଇ । କାହାକୁ କ’ଣ କହିବୁଁ ?’’ ଠିକ୍ ଏତିକିବେଳେ ମଫସଲ ଅସୁଲି ରୋଡ଼ସେସ ଟଙ୍କା ଧରି ଚାରିଜଣ ପିଆଦା ହାଜର । ନାଜର ବାବୁ ସେମାନଙ୍କୁ ଦେଖିଲା କ୍ଷଣି ତାତି ଗଲେଣି, କହି ବସିଲେ, ‘‘ମୁଁ କାହା ବୋପାର ଚାକର, ଏପରି କାମ କରୁଥିବି !’’ ନାଜରବାବୁଙ୍କ ମୁହଁଟି କିଛି ଅସବୁର—ରାଗ ବେଳେ କ’ଣ ବୋଲି କ’ଣ କହି ବସନ୍ତି । ପ୍ରଭୁଦୟାଲ ଭଗତ ଆଗରେ ଛିଡ଼ା ହୋଇଥିଲା । ତା’ ଉପରେ ନଜର ପଡ଼ିବାରୁ ବାବୁ ମନରେ ପାଞ୍ଚିଲେ, ବେଶ୍ ବେଳ ହୋଇଛି, ଲୋକଟା ଖୁବ୍ ବିଶ୍ୱାସୀ କାମଦାର, ଦୁଇ-ତିନି ମାସ ହେଲା ବେଠି ଖଟୁଛି, ଚିତ୍ରା ପାଖରେ ଟଙ୍କାଗୁଡ଼ାକ ଅଟକି ରହିଲା । କାହାରିକୁ ହେଲେ ଜଣକୁ ତଡ଼ିଦେଲେ ହେଲା । ବାବୁ ଅସଲି ପିଆଦାମାନଙ୍କ ମୁହଁକୁ ଅନାଇଗଲେ, ଦୁଇଥର ଅନାଇଲେ, କ’ଣ ଗୋଟିଏ କଥା ଠିକ୍ କରିନେଲେ । ପିଆଦାମାନଙ୍କୁ ଅନାଇ କହିଲେ, ‘‘ଆଣ ଆଣ, ଟଙ୍କା ଆଣ ।’’ ପିଆଦାମାନେ ଗଜ୍ ଗଜ୍ କରି ବାବୁଙ୍କ ଆଗରେ ଆପଣା ଆପଣା ଟଙ୍କା ଗୁଡ଼ାକ ଅଜାଡ଼ି ପକାଇଲେ । ବାବୁ ଜଣ ଜଣକର ଟଙ୍କା ଗଣି ଏକସଙ୍ଗରେ ମିଶାଇ ଦେଉଥାନ୍ତି । ଶେଷକୁ ଥିଲା ଖୋଦାବକ୍ସ । ବାବୁ ତା ମୁହଁକୁ ଆଉଥରେ ଅନାଇଦେଇ ଟଙ୍କା ଗଣିବ ସିଲେ—ଗଣାଗଣିବେଳେ ଖୋଦାବକ୍ସ ଏକ ଧ୍ୟାନରେ ବାବୁଙ୍କ ହାତକୁ ଅନାଇଥାଏ । ମନରେ କଲା, ବାବୁଙ୍କର ଏଟା କି ରକମ ଟଙ୍କା ଗଣା ? ଦୁଇ ତିନିଟା ଟଙ୍କା ଗୋଟାଏ ବୋଲି ଗଣିଯାଉଛନ୍ତି, ଆଉ ସମସ୍ତଙ୍କର ତ ଏପରି ଗଣି ନାହାନ୍ତି ! ତା ମନଟା କେମିତିକା ଛକେଇଗଲାଣି, କିଛି ନ କହି ତୁନିତାନି ବସିଛି । ବାବୁ ଗଣିସାରି ସାଙ୍ଗେ ସାଙ୍ଗେ ଆଉ ଟଙ୍କା ସାଙ୍ଗରେ ମିଶାଇଦେଲେ, ଖାଲି ଦେଢ଼ଟା ଟଙ୍କା ପଡ଼ିଥାଏ । ବାବୁ ପଚାରିଲେ, ‘‘ଖୋଦାବକ୍ସ ! ତୁ କେତେ ଟଙ୍କା ଆଣିଥିଲୁ ? ଖୋଦାବକ୍ସ, ‘‘ହଜୁର, ଶହେ ଏକୋଇଶ ଟଙ୍କା ଆଠଅଣା ।’’ ବାବୁ—‘‘ଏହି ତ ଶଏ ଟଙ୍କା ଗଣିନେଲି ଦେଢ଼ ଟଙ୍କା ପଡ଼ିଛି, ଆଉ କୋଡ଼ିଏ ଟଙ୍କା କାହିଁ?’ । ଖୋଦାବକ୍ସ ଛାତି ଦୁଲକିଲାଣି, ଡକାପକାଇଥାଏ ‘‘ବାବୁ ! ହଜୁର ! ଆଉ ଥରେ ସବୁ ଟଙ୍କା ଗଣନ୍ତୁ ।’’ ବାବୁ ଭାର ଖପାଟାଏ ହୋଇ କହିଲେ, ‘‘କ’ଣ । ରୋଜ ହଜାର ହଜାର ଟଙ୍କା ଗଣୁଛି, ଦିନେ ଗୋଟାଏ ଭୁଲ ହୁଏ ନାହିଁ, ତୋହରି କୋଡ଼ିଏ ଟଙ୍କା ଭୁଲ କଲୁଁ । ଆମର ଆଉ କିଛି କାମ ନାହିଁ, ତୋହରି ଟଙ୍କା ଦୁଇଶ ଥର ବସି ଗଣୁଥିବୁଁ ।’’ ପିଆଦା ଯେତେ ବିକଳରେ ରଡ଼ି ଛାଡ଼ୁଥାଏ, ବାବୁ ତେଡ଼ିକି ରାଗୁଥାନ୍ତି ! ହଜୁର ଦାନାଦାର ! ଧର୍ମାବତାର ! ମା ବାପ-! ଗରି ବପରିବାର ! ଯେତେ ପ୍ରକାର ଖୋସାମନ୍ତ କଥା ଥିଲା, ଖୋଦାବକ୍ସ ସବୁ ଝାଡ଼ିଲାଣି–ଶୁଣିଛି କିଏ ? ବାବୁ ଆହୁରି ଖପା ହୋଇ କହିଲେ, ‘‘ତୁ ସରକାରୀ ଟଙ୍କା ତୋସରଫ କରିଛୁ, ବରଖାସ୍ତ ତ ହେବୁ, ପୁଣି ସଜା ପାଇବୁ—ତୋର ଭଲ ଲୋଡ଼ୁ ତ କୋଡ଼ିଏ ଟଙ୍କା ଦାଖଲ କର-। ନାହିଁ ନାହିଁ, ତୋ ନାମରେ ରିପୋର୍ଟ ହେବ, ସାହେବ ସେକଥା ବୁଝିବେ, ଆମର କିଛି ଅକତିଆର ନାହିଁ ।’’
ସଦାଶିବ ଶନିବିଗ୍ରହ ଖଡ଼ିରତ୍ନେ ନାଜର ବାବୁଙ୍କ ଗ୍ରହରିଷ୍ଟ ଶାନ୍ତି ସକାଶେ ଆଦିତ୍ୟ ନବଗ୍ରହଙ୍କୁ ଶ୍ଳୋକରେ ଜଣାଇ ଅଧଘଣ୍ଟାଏ ହେଲା ପାଖରେ ବସିଥିଲେ । ଲୋକଟି ନିହାତି ସାଧାସିଧା ଭଳି ସମ୍ମାଳି ନ ପାରି କହିଲେ–‘‘ବାବୁ ! ଶନିବାର–ବର୍ତ୍ତମାନ ବାରବେଳା ଆପଣଙ୍କ ସିଂହରାଶିକୁ ଚନ୍ଦ୍ର ଅଷ୍ଟମ ଘାତଚକ୍ର—ବର୍ତ୍ତମାନ ସବୁ ମାମଲା ବନ୍ଦ ରଖନ୍ତୁ ।’’ ଲୋକମାନଙ୍କର ଏମନ୍ତ ଗୋଟାଏ ବେଳ ପଡ଼େ ଯେ, ହିତକାରୀ ବନ୍ଧୁଙ୍କ କଥାଗୁଡ଼ାକ ବି ପିତା ଲାଗେ । ନାଜର ବାବୁ ଭାରି ଖପାଟାଏ ହୋଇ କହିଲେ—‘‘ହଁ ହଁ, ତୁନିପଡ଼, ଏଇଟା ହେଲା ସରକାରୀ ମାମଲା,ଭିକମଗା କଥା ନୁହେଁ ।’’ ଅବଧାନଙ୍କୁ ତ ମରଣ ତୁଲ୍ୟ ବାଧିଲାଣି—ସେ ଜଣେ ଜଣାଶୁଣା ଲୋକ–ପାଞ୍ଚ ବଡ଼ଲୋକଙ୍କ ପାଖକୁ ଯିବାଆସିବା ଅଛି । କଥାଟା ତାଙ୍କ ମର୍ମକୁ ବାଧିଗଲା । ପାଖରେ ଥିବା ଆଉ ଆଉ ଲୋକେ ମୁଣ୍ଡ ତଳକୁ କଲେଣି ।
ଅସୁଲିଟଙ୍କା ଉଣା ପୂରା ପାଞ୍ଚହଜାର ହେବ, ତିନିଟା ଥଳିରେ ପୂରାଇ ସୁତୁଲି ଦଉଡ଼ିରେ ମୁହଁ ବାନ୍ଧିଦେଲେ । ଟିକିଏ ଉପରକୁ ଅନାଇ ଦିଅନ୍ତେ ଚାଲାଖ ପ୍ରଭୁଦୟାଲ ‘ହଜୁର’ ‘ହଜୁର’ କହି ହାତଯୋଡ଼ି ପାଖରେ ଛିଡ଼ା ହୋଇଗଲା । ହୁକୁମ ପାଇ ଏକାବେଳକେ ଦୁଇଟା ଥଳି ଡେବିରି କାଖରେ, ଆଉ ଗୋଟିଏ ଥଳି ଖାଇବା ହାତରେ ଧରି ବାବୁ ପଛେ ପଛେ ଚାଲିଲା । ବାବୁଙ୍କ ପହଡ଼ଘର ଦୁଆରେ ଝମ୍କରି ତିନିଟା ଥଳି ଥୋଇଦେଲେ ରୋଟି ଥାପୁଡ଼ିଲା ପରି ଦୁଇହାତ ଝାଡ଼ିଦେଇ ଝଟ୍ ବାହାରକୁ ବାହାରି ଅଇଲା । ଚିତ୍ରା ତେତେବଳେ ବାହାରେ ପାଇଟି କରୁଥିଲା । ନାଜର ବାବୁଙ୍କ ଟଙ୍କାରଖାଟା ଟେରେଇ ଟେରେଇ ଚାହିଁ ଦେଇ ଦେଖୁଥାଏ । ଆଉ ତ କେବେ ଦେଖେ ନାହିଁ, ଆଜି ଏତେ ମନ ଦେଇ କ୍ୟାଁ ଦେଖୁଛି ?
ସମସ୍ତେ ସବୁଆଡ଼େ ଆପଣା ଆପଣା ଘରକୁ ଚାଲିଗଲେ । ଖୋଦାବକ୍ସ ଘରକୁ ଗଲା ନାହିଁ । ସଳଖେ ସଳଖେ ଜୁମା ମସଜିଦ୍କୁ ଗଲା । ଉଜୁକଲା—‘‘ ଲା ଇଲାଲା—ଇଲ୍ଲଲ୍ଲା—ମହମ୍ମଦ ରସୁଲ ଇଲ୍ଲଲ୍ଲା’’ ପଢ଼ି ପଶ୍ଚିମ ଦିଗକୁ ଅନାଇ ନମାଜ ପଢ଼ିଲା ।
ଏହି ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ ଦିନ ଶେଷ ପ୍ରାୟ ହୋଇ ଆସିଲାଣି । ଟିକିଏ ବସି ପୁନର୍ବାର ଉଜୁକଲା—ନିମାଜ ପଢ଼ିଲା । ତହିଁ ଉତ୍ତାରେ ହାତଯୋଡ଼ି କରି ପଶ୍ଚିମ ଦିଗକୁ ଅନାଇ କହିଲା—‘‘ୟା ଆଲ୍ଲା— କୋରାଣ୍ ସରିଫ୍ ହୁକୁମ୍ ମାଫକେ ମୁଁ ରୋଜ ପାଞ୍ଚଥର ନିମାଜ ପଢ଼େ—ବରାବର ରୋଜା ରଖେଁ । ମୁଁ ବେକସୁର, ମୋ ପାଇଁ ଯେବେ ହକ୍ ଇନସାଫ୍ ନ ହୁଏ, ଜାଣିବି କୋରାଣ ସରିଫ୍ ଝୁଠା—ନବୀ—ପୟଗମ୍ବର ସବୁ ଝୁଠା ।’’ ଖୋଦା ବକ୍ସର ଧର୍ମପ୍ରତି ବିଶ୍ୱାସ ନାହିଁ, ଏମନ୍ତ ନୁହେଁ, ବଡ଼ ମନଃକଷ୍ଟରେ—ବଡ଼ ଅଭିମାନରେ ଖୋଦାଙ୍କୁ ଏହିକଥା ଜଣାଇଲା । ଖୋଦାବକ୍ସଟି ବଡ଼ ସରଳ ଲୋକ, ନ—ଛ ରେ ଥାଏ ନାହିଁ, ଆପଣା ଦୁଃଖ ଧନ୍ଦାରେ ଲାଗିଥାଏ । ଘରେ ଖାଇବାକୁ ପାଞ୍ଚ ପ୍ରାଣୀ—କଷ୍ଟରେ ଚଳେ ସେଥିପାଇଁ ତାହାର ପରବା ନ ଥାଏ, ବଡ଼ କଷ୍ଟ ପଡ଼ିଲେ ବସି ବସି ନିମାଜ କରେ । ଆଉ ଆଉ ପିଆଦା ଜବରଦସ୍ତ ବୋଲି ନାଜର ବାବୁ ତାଙ୍କ ପାଖ ପଶିଲେ ନାହିଁ—ପଠାଣଟିକି ବଡ଼ ଭଲଲୋକ ଦେଖି ସର୍ବନାଶ କରିବାକୁ ବସିଛନ୍ତି । କୋହଳ ମାଟିକୁ ଆମ୍ପୁଡ଼ି ବିରାଡ଼ି x x କ୍ରିୟା କରେ ।
–୫୭–
ବଙ୍ଗଳା ଖରିଦ
ବଙ୍ଗଳା ଖରିଦ (ସାଗରୀକା)
କଟକରୁ ତୁଳସୀପୁର ପଶ୍ଚିମପଟ ପଡ଼ିଆ ଲଗାଲଗି ଗୋଟାଏ ଛପରଛାଉଣୀ ବଙ୍ଗଳା ଅଛି । ବକ୍ସୀବଜାର ଶୁଣ୍ଢୀ ମହାଜନ ଶିଉଶରଣ ଭଗତର ଯେଉଁ ଚାରି ପାଞ୍ଚଟା ବଙ୍ଗଳା ଅଛି, ସେଇଟା ସେଥିମଧ୍ୟରୁ ଗୋଟାଏ । ସହରର ଏକକୋଣିଆ ନିଛାଟିଆ ଆଉ କଚେରି ବଜାରଠାରୁ ଦୂର ଥିବାରୁ ବେଶି ଲୋକେ ତା’ ପାଖ ପଶନ୍ତି ନାହିଁ-। ଭଲ ଭଲ ସାହେବ ରହିବା ଭଳିଆ ବି ନୁହେଁ । ଭୁଲ ଭଟକାରେ କେବେ କେବେ ହେଲେ ଆଉ ଜାଗାକେ ଶସ୍ତାରେ ବଙ୍ଗଳା ନ ମିଳିଲେ ଅଧା ସାହେବ ଭଳିଆ ମାଟିଆପୁରୁଷ ଫିରିଙ୍ଗୀ ରହିଯାନ୍ତି, ତାହା ବି ସବୁଦିନ ସକାଶେ ନୁହେଁ । ଭଗତ ହିସାବୀ ଲୋକ––ମରାମତି, ତଳିଜମି ଖଜଣା ମିଳାଇ ଭଡ଼ା ଟଙ୍କା କଷିଦେଲେ ମୂଳରୁ ଲେକସାନ-। ଭାରି ଖପାଟାଏ ହୋଇ କହିଲେ, ‘‘ଯାନେଦେଓ ଏସା ବଙ୍ଗଲାକା ମୁହଁ ମେ ପୟଜାର-।’’ ସେ ଦିନରୁ ବଙ୍ଗଳାଟା ତୁଚ୍ଛା ପଡ଼ି ପଡ଼ି ଧୀରେ ଧୀରେ ଭାଙ୍ଗିଯିବାକୁ ଲାଗିଛି । ପ୍ରଭୁଦୟାଲ ଭଗତକୁ ଏକଥା ଜଣା । ଦିନେ ସକାଳ ଓଳିଆ ସେହି ନିଛାଟିଆ ବଙ୍ଗଳାଟା ଭାରି ଜାରି, ଦଶ ପନ୍ଦର ଜଣ ମୂଲିଆ କାମରେ ଲାଗିଛନ୍ତି । କି ଦିନ କି ରାତି ବୁଲା ଗୋରୁଗୁଡ଼ାକ ସେହି ବଙ୍ଗଳା ବାରନ୍ଦାରେ ଶୁଅନ୍ତି–ଶୁଖିଲା ଗୁଣ୍ଡା କଞ୍ଚା ଗୋବର ଗଦାକୁ ଗଦା ପଡ଼ିଛି । ମୂଳିଆମାନେ ଟୋକେଇ ଧରି ବୋଝକୁ ବୋଝ ସେଗୁଡ଼ାକ କାଢ଼ି ପକାଉଛନ୍ତି । ଯୋଡ଼ାଏ ମୂଲିଆ ବତା ଖଣ୍ଡକ ମୁଣ୍ଡରେ ଗୋଛାଏ ଗୋଛାଏ ଖଜୁରିପିଞ୍ଛ ବାନ୍ଧି ଚାଳରୁ ଚେମଣି ତଡ଼ୁଛନ୍ତି । ସେମାନଙ୍କ ଉତ୍ପାତରୁ ଢେର୍ ଗୁଡ଼ାଏ ଚେମଣି ଚାଳକୁ ଚାଳ ଉଡ଼ି ପଳାଇଗଲେଣି; ଗୁଡ଼ାଏ ନିର୍ଲଜ୍ଜ ଚେମେଣି ଫରଫର ଉଡ଼ି ଏଘର ସେଘର ହେଉଛନ୍ତି । କେତେଟା କବାଟ ଖିଡ଼ିକି ତଳେ ପଡ଼ିଯାଇଥିଲା, ଗୋଟାଏ ବଢ଼େଇ ସେଗୁଡ଼ାକୁ ଛିଡ଼ା କରାଇବାକୁ ଲାଗିଛି । ବାବୁ ଡାକିଦେଲେ ‘‘ଆରେ ମହାରଣା ! ତୁରପଣ କରୁଛୁ କ’ଣ–ପେଞ୍ଚ କଷିବୁ ପରା ! ଆରେ ହାତୁଡ଼ିଟା ଧରି ତୁଚ୍ଛା କଣ୍ଟା ବାଡ଼େଇ ଦେ ମ–ଯିମିତି ସେମିତି କବାଟ ଗୁଡ଼ାକ ଖାଲି ଛିଡ଼ାହୋଇ ରହିଯାଉ । ଆରେ ରାଜମିସ୍ତ୍ରୀ ! ଖାଲି ମଝି କାମରାଟାରେ ଭଲ କରି କଲି ଦେ–ଆଗ ଦୁଆରଟାରେ ଟିକିଏ ଲଗା, ଆଉ ସବୁଆଡ଼େ ପାଣି ପୋଚରାଟା ବୁଲେଇ ଆଣ ।’’ ଏତିକିବେଳେ ଗୋଟାଏ ଶଗଡ଼ରେ ଲଦା କୁଣ୍ଡ ସହିତ ଦଶ ବାର ରକମ କ୍ରୋଟନ ଗଛ, ଫୁଲ ଫୁଟିଥିବା ଚାରିଟା ଗୋଲାପ ଗଛ ପହଞ୍ଚିଗଲା । ବାବୁ ସେ ସବୁଗୁଡ଼ାକ ଆଗ ବାରନ୍ଦାରେ ସଜାଇ ରଖାଇ ଦେଲେ । ‘‘ଆରେ ! ଦୁଇଜଣ ମୂଲିଆ ଯାଇ ବବର୍ଚିଖାନାଟା ସଫା କରିପକାଅ ।’’ ସଞ୍ଜସରିକି ସବୁ କାମ ଛିଡ଼ିଲା––ଘର ସଜାସଜି ଆରମ୍ଭ ହେଲା । ମଝି କାମରା ତଳେ ଖଣ୍ଡେ ପୁରୁଣା ଛିଣ୍ଡା ଶତରଞ୍ଜି ବିଛଣା–ଉପରେ ଗୋଟାଏ ପାଞ୍ଚଡାଳିଆ ଭଙ୍ଗା ଝାଡ଼ ଆଉ କେତେଟା ବିଲୋରି ହାଣ୍ଡି ଟଙ୍ଗା ଗଲା । ବାବୁ ଡାକିଦେଲେ, ‘‘ସାବଧାନ ! ସାବଧାନ ! ସବୁ ଭଡ଼ା ଜିନିଷ, ଭାଙ୍ଗି ନଷ୍ଟ ହେଲେ ଦାମ୍ ଦେବାକୁ ପଡ଼ିବ ।’’ ଚାରିଟା ଚୌକି, ଗୋଟାଏ ମେଜ ଆଗରୁ ଶତରଞ୍ଜି ଉପରେ ଥୁଆ ହୋଇଛି–ମେଜ ଉପରେ ଗୋଟାଏ କେରାସିନି ଲାମ୍ପ । ସେକ୍ ରହିମ୍ ବକ୍ସ ବବର୍ଚିକୁ ବାବୁ ଡାକିଦେଇ କହିଲେ, ‘‘ଦେଖ ବକ୍ସ ! ସେ ଗଧଟା ତ କିଛି ବୁଝେନାହିଁ, କାଳେ ଜାଣି ପକାଇବ; ନେ ଗୋଛାଏ ସୂତା କାନ୍ଧରେ ପକା–କହିବୁ, ତୋ ନାମ ରାମ ପଣ୍ଡା । ଖାଲି ମାଉଁସ ସୁରୁଆ ଆଉ ପଲାଉ ରାନ୍ଧ । ଆରେ ଆପୁଡ଼–(ଗୋଟାଏ ତେଲେଙ୍ଗା ଧୋବା ଟୋକା), ଟଙ୍କା ଧର ମାଲ ଆଉ ପୁରି କଚୁରି, କିଛି ମିଠା କିଣି ଆଣିବୁ । ମାଲ ଦୁଇ ରକମ ଆଣିବୁ, ବିଲାତି ବ୍ରାଣ୍ଡି ଆଉ ବୋତଲେ ଦେଶୀ ଦୋବାରା । ଗଞ୍ଜେଇ ଚାରିଅଣାରୁ ବେଶି ନୁହେଁ–ମାଲ ଢେର୍ ହେଲାଣି । କାଦୁ ! (କାଦର ଖାଁ କଂସେଇ ଟୋକା) ଯା, ସମସ୍ତଙ୍କୁ ଡାକଡ଼ୁକ କରି ଆଣ, ମୋର ଆଉ ବେଳନାହିଁ, ସମସ୍ତେ ଭଲ ପୋଷାକ ପିନ୍ଧି ଆସିବ; ନ ଥିଲେ ଧୋବାଘରୁ ଭଡ଼ା ଆଣିବ । ଆାରେ ମୂଲିଆମାନେ ! ଯା ଆଜି ମଜୁରି ମିଳିବ ନାହିଁ । ନା–ନା–ଓଜର କର ନାହିଁ । ଆଚ୍ଛା ବକସିସ ପାଇବ––ବାବୁଙ୍କୁ କହି ଦେଢ଼ ଦିନର ମଜୁରି ଦିଆଇ ଦେବି, ନୋଟ ଭଙ୍ଗା ହୋଇନାହିଁ, ଉଛୁଣି ଏ ପଦାଟାରେ ଟଙ୍କା କାହୁଁ ପାଇବି ?’’
ରାତି ପହରକ ସମୟରେ ଦୁଇ ଦୋସ୍ତ ଖଣ୍ଡେ ଥାର୍ଡକ୍ଳାସ ଗାଡ଼ିରେ ଚଢ଼ି ପହଞ୍ଚିଗଲେ । ସମସ୍ତେ ଚଞ୍ଚଳ ଛିଡ଼ା ହୋଇପଡ଼ି ଦଣ୍ଡବତ ରକମ ସଲାମ କରି ଆପଣା ଆପଣା ଜାଗାରେ ବସିଗଲେ । ଦୁଇ ଦୋସ୍ତଙ୍କ ବସିବା ସକାଶେ ଯୋଡ଼ାଏ ଚୌକି ଏକ ଜାଗାରେ ଥୁଆ ହୋଇଥିଲା । ବାବୁ ବସିପଡ଼ି ଉପରକୁ ଅନାଇ ଆଲୁଅଗୁଡ଼ାକ ଦେଖୁଛନ୍ତି । ଗୋଟାଏ ଘରେ ଏକ, ଦୁଇ, ତିନି, ଚାରି, ପାଞ୍ଚ, ଦଶଟା ଆଲୁଅ ଦିନପରି ହୋଇଯାଇଛି । ଝାଡ଼ଟା ଦେଖି ଦେଖି ମୋହିତ ହୋଇଗଲେଣି–‘‘ଏଁ–ଏଇଟା କେମନ୍ତ ଦୀପ–ଜକ ଜକ ଦିଶୁଛି ।’’ ନାଚୁଣୀଗୁଡ଼ାଙ୍କୁ ବକବକ କରି ଅନାଇ ରହିଛନ୍ତି–ଏମାନେ କିମିତିକା ଲୁଗା ପିନ୍ଧିଛନ୍ତି–ଏଗୁଡ଼ାକ କ’ଣ ସୁନା ରୂପାର ଲୁଗା ? ଆମ ଅପାରାଣୀ, ସେ ତ ଇମିତିକା ଲୁଗା ପିନ୍ଧି ନାହିଁ–ଏମାନେ ଅପାଠାରୁ ବି ବଡ଼ ରାଣୀ ହେବେ । ତଳକୁ ଅନାଇଦେଲେ–ବିଛଣା ବିଛା, ତା’ ଉପରେ ମାଞ୍ଚିଆ, ତା’ ଉପରେ ଜୋତା ମାଡ଼ି ବସିଛନ୍ତି । ଏତିକିବେଳେ ଆଉଥରେ ଆପଣା ପୋଷାକଟି, ଦେହକୁ ଅନାଇଲେ, ମନରେ କଲେ–ଅପା ହେଲେ ରାଣୀ–ସେ ବି ଜଣେ ବଡ଼ଲୋକ ହୋଇଗଲେଣି । ମନ ମଧ୍ୟରେ ଭାରି ଗୋଟାଏ ଖୁସି ହୋଇଗଲେ । ଏହି ସମୟରେ ଦୋସ୍ତ ବିଲାତି ପାଣି ଗ୍ଲାସ ଦୁଇଥର ପହଞ୍ଚାଇ ଦେଲେଣି । ଲାଲ ପାଣିଟା ଢକଢକ କରି ପିଇଦେଇ ବାବୁ ଆଖିବୁଜି ଦାନ୍ତ ନିସିଡ଼ି ଦେଇ ଆଁକରି ଉପରକୁ ଟିକିଏ ଅନାଇ ଫେଁ–କରି ନିଶ୍ୱାସଟା ପକାଇବାବେଳେ ଆଉ ଲୋକମାନେ ମୁହଁ ବୁଲାଇ ଟିକିଏ ହସି ଉଠିଲେ । ବାବୁଙ୍କ କଣ୍ଠଠାରୁ ପେଟଯାଏ ହାଉ କରି ପୋଡ଼ି ଉଠିଲା । ଆଲୁଅଗୁଡ଼ାକ ଦାଉ ଦାଉ କରି ଦଶଗୁଣ ତେଜରେ ଜଳି ଉଠିଲାପରି ବାବୁଙ୍କ ଆଖିକୁ ଦିଶିଲା । ବାବୁ ସବୁ ଭୁଲିଗଲେଣି–ଆପଣାକୁ ବି ଭୁଲି ପକାଇଲେଣି–ତାଙ୍କୁ ଜଣା ଯାଉଛି, ଜଗତ ସଂସାରଟା ଆଲୋକମୟ, ଆନନ୍ଦମୟ । ମନରେ କଲେ, ସେ ଆସି ସ୍ୱର୍ଗ ସିଂହାସନରେ ଅମୃତ ଖାଉଛନ୍ତି । ଗୀତରେ ଶୁଣିଥିଲେ, ସ୍ୱର୍ଗରେ ବିଦ୍ୟାଧାରୀମାନେ ନାଚନ୍ତି । ଏମାନେ କ’ଣ ବିଦ୍ୟାଧାରୀ ? ଏତିକିବେଳେ ଅଧଶିଶି ଲେଭେଣ୍ଡର ଜଳ ଦୋସ୍ତ ବାବୁଙ୍କ ମୁଣ୍ଡରେ ଢାଳିଦେଲେ, ଦେହ ଗୋଟିକ ଭିଜି ଗୋଡ଼ଯାଏଁ ବହି ପଡ଼ିଲା । ଘର ଗୋଟାକ ମହକି ଗଲା, ବାବୁଙ୍କୁ ବଡ଼ ବାସିଲା, ବଳଦ ଯେମନ୍ତ ନାକପୁଡ଼ା ଫୁଲେଇ ଉପରକୁ ଅନାଇ କିଛି ଜିନିଷ ଶୁଙ୍ଘେ, ବାବୁ ଲେଭେଣ୍ଡର ଭିଜା କନା ନାକରେ ଦେଇ ସେହିପରି ଶୁଙ୍ଘା ଲଗାଇଛନ୍ତି । ଏତିକିବେଳେ ସାରଙ୍ଗି ତବଲା ବାଜିଉଠିଲା । ନାଚୁଣୀ ଯୋଡ଼ିକ ଏକ ଜାଗାରେ ଠିଆହୋଇ ପଛଘୁଞ୍ଚା ଦେଇ–ଆଗପଛ ହୋଇ–ଦୁଇ ହାତରେ ଫୁଟକି ମାରି–ଦାନ୍ତ–ନିସିଡ଼ି–ମୁହଁଟା ବିଚିକିଟେଇ–ଝମର ଝମର କରି ଢେର୍ଗୁଡ଼ାଏ ନାଚିଲେ । ଟିକିଏ ଛିଡ଼ା ହେବାରୁ ବାବୁ ହୁକୁମ କଲେ, ଆହୁରି ନାଚ–ଆହୁରି ନାଚ । ପୁଣି ନାଚୁଣୀମାନେ ଘୂର ଚକର ଦେଇ ଟେରେଇ ଟେରେଇ ଅନାଇ ଆଁ କରି ଦାନ୍ତ ନିସିଡ଼ି ବାୟାଣୀ ପରି ମୁଣ୍ଡହଲାଇ ଗୁଡ଼ାଏ ନାଚିଲେ । ତହିଁ ଉତ୍ତାରେ ଗୀତ ଆରମ୍ଭ–
ଆଁ–ଆଁ–ଆଁ–ଇଁ–ଇଁ–ଇଁ–ଉଁ–ଉଁ–ଉଁ–ଆଁ
ସାୟାଁରେ ବୟାଁ–ତେରେ କ୍ୟେସେ ଛୋଡ଼ୁଁ ଜାନ୍ । ମେରି କ୍ୟେସେ ଗୁଜର ଗୁଜରାନ୍ ।
ବାବୁ ହୁକୁମ କଲେ, ‘‘ଗୀତ ଗାଅ–ଗୀତ ଗାଅ’’ । ନାଚୁଣୀ ଆଉ ବାଜଣାଦାର ମାନେ ମୁହଁ ଚାହାଁଚାହିଁ ହେଲେ–ଗୀତ ଆଉ କ’ଣ ? ସମଜଦାର ଦୋସ୍ତ ପ୍ରଭୁଦୟାଲ ଭଗତ ହୁକୁମ କଲେ, ‘‘ଆରେ, ଓଡ଼ିଆ ଚୌପଦୀ ଗା’’ । ତବଲା–ସାରଙ୍ଗି ପୁଣି ବାଜିଲା, ପୁଣି ଗୀତ ଆରମ୍ଭ ହେଲା ।
ଚୌପଦୀ
‘‘ସୁଖସାଗରେ ଭାସି ଗଲାଣିରେ କିପରି ଦେବି ବନ୍ଧୁ ମେଲାଣିରେ ।
ରତନ ଦୀପାବଳୀ ରତ୍ନଜ୍ୟୋତିରୁ ବଳି ଜଳୁଛି ତାରା ଜ୍ୟୋତି କି ଜାଣିରେ । (ଘୋଷା)
ସଙ୍ଗୀତ ସୁଧା ଜିଣି ମଧୁର ରଙ୍ଗ ପାଣି ରଖିଛି ସ୍ୱର୍ଗୁ ସୁଧା କି ଆଣିରେ,
ନିଶି ଦିନ ବିଳାସ ଜୀବନେ ଯେ ଉଲ୍ଲାସ ନଥିବ ତ୍ରିଭୁବନେ କି ଜାଣିରେ ।
ଶମ୍ପା କମ୍ପନ ପ୍ରାଏ କାନ୍ତି ଚହଟିଯାଏ ନାଚନ୍ତି ଅପସରୀ ଇନ୍ଦ୍ରଣୀରେ ।’’
ପାଖ ଘରେ ଗୋଟାଏ ଭଙ୍ଗା ମେଜ ଉପରେ ଚିନା ବାସନରେ ଖାନା ସଜଡ଼ା ହୋଇଥିଲା । ପ୍ରଭୁଦୟାଲ ବାବୁ ବହୁତ ମର୍ଯ୍ୟାଦାରେ ଦୋସ୍ତଙ୍କ ହାତଧରି ଘେନିଗଲେ । ବାବୁଙ୍କ କେଉଁ ପୁରୁଷରେ କେହି ପଲାଉ ନାମ ଶୁଣି ନଥିବେ–ତା’ ପାଖରେ ଥାଳିଏ ମାଉଁସ ତିଅଣ, ପୁରି, ଛେନାବଡ଼ା ସଜ । ରଙ୍ଗପାଣି ପଡ଼ି ବାବୁଙ୍କ ପେଟ ଜଳୁଥିଲା–ଆଉ ଖାଇବା ଜିନିଷଗୁଡ଼ାକ ମିଠା ମିଠା–ସ୍ୱର୍ଗରୁ ଅମୃତ ଆସିଛି–ସବୁଗୁଡ଼ାକ ଚାଖିଗଲେ, ଏବେ କେଉଁଟା ଖାଇବେ ? ସବୁ ଜିନିଷ ମିଶା ସଜା କରି କୁକୁରପରି ଗାବୁଲୁ ଗାବୁଲୁ ଚାହୁଁ ଚାହୁଁ ହାଣ୍ଡିଏ ଟେକିଦେଲେ । ଖାଇବାବେଳେ ଦୋସ୍ତ ରଙ୍ଗପାଣି ଗ୍ଲାସେ ଗ୍ଲାସେ ହାତକୁ ବଢ଼େଇ ଦେଉଥାନ୍ତି । ଖାଇସାରି ଯେତେବେଳେ ଚଉକିରେ ଆସି ବସିଲେ, ଭାରି ଆରାମ–ଭାରି ଫୁର୍ତ୍ତି । ନାଟ ଗୀତ ଚାଲିଛି–ଜଣେ ଡାକିଦେଲା, ବାହାବା ବାହାବା–ସାବାସ୍ ! ସବୁଗୁଡ଼ାକ ତ ନିଶାରେ ତର୍ ବନିଛନ୍ତି । ଗୋଟାଏ ବିଲୁଆ ଯେମନ୍ତ ହୁକେ ହୁ ଡାକିଲେ ପଲ ଯାକ ହୁକେ ହୁ କରନ୍ତି, ସେହିପରି ସବୁ ଲୋକଗୁଡ଼ାକ ବାହାବା–ବାହାବା–ସାବାସ୍–ସାବାସ୍ ! ବୋଲି ରଡ଼ି ଛାଡ଼ିଲେ । ବାବୁ କି ସମ୍ଭଳା ପଡ଼ନ୍ତି ? ଖୁବ୍ ଗୋଟାଏ ପାଟି କଲେ, ବାବା–ବାବା, ସାବୁସ୍–ସାବୁସ୍ । ବାବୁଙ୍କ କଥା ଶୁଣି ସମସ୍ତେ ହିଁ ହିଁ–କରି ହସିଲେ, ବାବୁଙ୍କ ହସି ବି ଘୋଡ଼ା ହସରୁ ବଳି ପଡ଼ିଲା । ଆଉ ବାବୁ ବସିପାରିଲେ ନାହିଁ ଠିଆ ହୋଇ ନାଚିବାକୁ ଲାଗିଲେ, ଆଉ ସମସ୍ତେ ତ ନାଟ ଆରମ୍ଭ କରିଦେଲେ । ବାବୁଙ୍କ ପିନ୍ଧିବା ଲୁଗାର ଠିକଣା ନାହିଁ, ନାଚୁଣୀ ଯୋଡ଼ାକ ଲାଜରେ ପଳାଇଗଲେଣି । ଏମାନଙ୍କ ବିକଟ ଚିତ୍କାର ଓ ତାଣ୍ଡବ ନୃତ୍ୟରେ ଘରଟା କମ୍ପୁଛି-। ସହର ମଧ୍ୟରେ ହୋଇଥିଲେ ଘର ପୋଡ଼ିଗଲା ବୋଲି ଗାଁ ଲୋକେ ଅଜାଡ଼ି ପଡ଼ନ୍ତେଣି । ନାଚୁନାଚୁ ବାବୁ ଘଳଘାଳ କରି ହାଣ୍ଡିଏ ବାନ୍ତି କରି ଦୁଲ୍ କରି ପଡ଼ିଯାଇ ବେହୋସ୍ । ଆପୁଡ଼ୁ ଆଉ ଗୋଟାଏ ଲୋକ ବାବୁ ଉପରେ ବାନ୍ତି କରି ପଡ଼ି ଯାଇଛନ୍ତି । ଘରଟା ଏକାବେଳକେ ତୁନ୍ତାନ୍, ଭୟଙ୍କର ଦୁର୍ଗନ୍ଧ–ଯେମନ୍ତ ନରକ କୁଣ୍ଡରେ କେତେଟା ଭୂତପ୍ରେତ ଗଡ଼ାଗଡ଼ି ହେଉଛନ୍ତି । ଦୋସ୍ତ ପ୍ରଭୁଦୟାଲ ଭଗତ କିନ୍ତୁ ଠିକ୍ ଅଛନ୍ତି, ସେ ଖୁବ୍ ହଜମ କରିଯିବା ଲୋକ, ପୁଣି ରୋଜ ରୋଜ ସେହି କାମ– ଅଭ୍ୟାସ ହୋଇଗଲାଣି । ପାଞ୍ଚରକମ ଟାଣିଦେଇ ଟିକିଏ ଟଳିବା ଲୋକ ନୁହନ୍ତି । ପାଠ ଡାକୁଛି, ବିପଦ ବନ୍ଧୁ–ଏତେବେଳେ ଆଉ ସାହା କିଏ ? ଆଉ ଲୋକଗୁଡ଼ାକ ନିଶା ଭୋଳରେ କିଏ କେଉଁଠି ପଡ଼ିଗଲେଣି , ହିତୈଷୀ ବନ୍ଧୁ ଏକା ପ୍ରଭୁଦୟାଲ, ମେହେନ୍ତର ମଡ଼ା ଘୋଷାରିଲାପରି ବାବୁଙ୍କୁ କୌଣସିରୂପେ ସେହି ବାନ୍ତି ବହଲରୁ ଘୋଷାରି ଘୋଷାରି କରି ଗୋଟାଏ ଭଙ୍ଗା ତକ୍ତପୋଷରେ ପକାଇଲା ।
ରାତିପାହି ଆଠଟା ବାଜି ଗଲାଣି–ଏ ଅଞ୍ଚଳକୁ ସହରର କେହି ଲୋକ ଆସନ୍ତି ନାହିଁ । ଗୋଟାକେତେ ଗାଈରଖା ଟୋକା ଛେଳି, ଗୋରୁପଲ ଘେନି ପଡ଼ିଆରେ ବୁଲୁଥିବାର ଦେଖାଗଲେ-। ଦୁଇ ଚାରିଟା ଘାସିଆରା କାଖରୁ ଥଳି ତଳେ ପକାଇ ଖୁରପିରେ ଘାସ ଛେଲିବାକୁ ଆରମ୍ଭ କରିଛନ୍ତି, ତାହା ବି ବଙ୍ଗଳା କତିରୁ ଦୂରରେ । ବଙ୍ଗଳା ଭିତରେ ତେତେବେଳର ହାଲ ଲେଖିବାକୁ ବା ପଢ଼ିବାକୁ ନିଶ୍ଚୟ କେହି ସମ୍ମତ ହେବେ ନାହିଁ । ପ୍ରଭୁଦୟାଲ ଗୋଟାଏ ମେହେନ୍ତର ଭଳିଆ ଲୋକ ଡକାଇ ଚଟାପଟ୍ ଘରଟା ସଫାସୁତରା ଧୂଆଧୋଇ କରାଇ ପକାଇଲେ । ଏବେ ବାବୁଙ୍କୁ ଉଠାଇବା ବେଳେ–ତାଙ୍କ ଦେହ ଉପରେ ଖଣ୍ଡେ ଲୁଗା ଘୋଡ଼ିଆ ହୋଇଛି, ପଣ ପଣ ମାଛି ଭଣଭଣ ମୁହଁରେ ବସୁଛନ୍ତି । ପ୍ରଭୁଦୟାଲ ଡାକିଲେ, ‘‘ଦୋସ୍ତ ! ଦୋସ୍ତ ! ଦୋସ୍ତ !’’ ଅନେକ ଡାକହାକରେ ଶବ୍ଦ ମିଳିଲା–‘ହୁଁ’ । ଥରେ ହୁଁ କରି ପୁଣି ଘୁଙ୍ଗୁଡ଼ି ମାରିବାକୁ ଲାଗିଲେ । ଘୁଙ୍ଗୁଡ଼ି ପରି ଘୁଙ୍ଗୁଡ଼ି ! ଯେମନ୍ତ ବୁଢ଼ା ଭାଲୁଟାଏ ଦିପହରିଆ ଜରରେ କମ୍ପୁଛି । ଭଗତ ଦେଖିଲେ, ମୁହଁର କଥା ନୁହେଁ, ହାତଧରି ଟଣାଟଣି କରି ବସାଇଲେ । ବାବୁଙ୍କ ନିଦ ଭାଙ୍ଗିଲାଣି, ଚାରିଆଡ଼କୁ ଅନାଇଲେ–ମୁଣ୍ଡଟା ଘୂରାଉଛି, ବଡ଼ ଭାରି, ଉଠି ଛିଡ଼ାହେବାକୁ ମନ ବଳୁନାହିଁ, ଦେହଟା କେମନ୍ତ ଘେତ ଘେତ କରି ବାନ୍ତି ମାଡ଼ୁଛି । ଭଗତ ଜାଣିବା ଶୁଣିବା ଲୋକ; ବାବୁଙ୍କ ହାଲ ବୁଝିଗଲେ, ଏଟା ଖେଉରି । ଇସାରା ପାଇ ଆପୁଡ଼ୁ ଗିନାଏ ରାଶି ମାଲପା ଆଣି ବାବୁଙ୍କ ମୁଣ୍ଡରେ ଦେହରେ ଘଷିବାକୁ ଲାଗିଲା, ବଡ଼ ଆରାମ ଲାଗୁଥାଏ, ବାବୁ ମିଞ୍ଜିମିଞ୍ଜି କରି ଆଖି ବୁଜୁଥାନ୍ତି, ଚାହୁଁଥାନ୍ତି । ବଙ୍ଗଳା ହତା ମଧ୍ୟରେ ପକା ଘାଟ-ବନ୍ଧା ଗୋଟାଏ ପୋଖରୀ ଅଛି, ପ୍ରଭୁଦୟାଲ କୌଣସିରୂପେ ଧରାଧରି କରି ବାବୁଙ୍କୁ ଘାଟରେ ବସାଇଲା । ଆପୁଡ଼ୁ ଦୁଇଚାରି କଳସା ପାଣି ମୁଣ୍ଡରେ ଢାଳିବାରୁ ବାବୁ ଆପେ ପୋଖରୀରେ ପଶି ଭଲକରି ଗାଧୁଆ କରି ଅଇଲେ । ପ୍ରଭୁଦୟାଲ ଏତିକିବେଳେ ରଙ୍ଗପାଣି ଗ୍ଲାସେ ଦେଖାଇଦେବାରୁ ବାବୁଙ୍କର ସବୁ ଖେଉରି ଏକାବେଳେକେ ଭାଙ୍ଗିଗଲା । ବର୍ତ୍ତମାନ ଭାରି ଭୋକ, ଗଲା ରାତିର ବାସି ଯେତେକ ଶୁଖିଲା ପୁରି, ବାସି ପଲାଉ ମାଉଁସ ଥିଲା, ଅଧହାଣ୍ଡିଏ ଅନ୍ଦାଜ ଟେକିଦେଇ ଢକଢକ କରି ଟୁଣୁକାଏ ପାଣି ପିଇଗଲେ । ଏତେବେଳେ ବାବୁଙ୍କ ଆନନ୍ଦ ଫୁର୍ତ୍ତି ଦେଖେ କିଏ ? ଆପୁଡ଼ୁ ଯୋଡ଼ାଏ ଚୌକି ବାରନ୍ଦାରେ ଥୋଇଦେଲା । ଦୁଇବନ୍ଧୁ ବସି ଖୁସିକଥା ବୋଲାବୋଲି ହେଉଛନ୍ତି । ଚୁଆଗୁଣ୍ଡିପକା ବଡ଼ବଡ଼ ଗୁଡ଼ାଏ ପାନବିଡ଼ିଆ ଆଗରେ ଥୁଆ, ଛେଳି ପାଟି ପରି ବାବୁ ସେଗୁଡ଼ାକ ଚୋବେଇ ଯାଉଛନ୍ତି । ଆପୁଡ଼ୁ ଗୋଟିଏ ଗୁଡ଼ୁ ଗୁଡ଼ୁରେ ଗୁଡ଼ାଖୁ ସଜାଇ ଥୋଇଦେଇଗଲା । ଦୁଇବନ୍ଧୁ ହାତକୁ ହାତ ନଳ ବଢ଼ାଇ ଦେଇ ଗୁଡ଼ାଖୁ ଧୂମପାନ କରୁଛନ୍ତି, ବାବୁଙ୍କର ଗୁଡ଼ାଖୁଟା ବି ଅଭ୍ୟାସ ହୋଇଗଲାଣି । ବାବୁ କହିଲେ, ‘‘ହଁ ହେ, ଦୋସ୍ତ ! ଭିଣୋଇ ସାନ୍ତ ଯେ ଗୁଡ଼ାଖୁ ଖାନ୍ତି, ତା’ ଧୂଆଁ ତ ଏଡ଼େ ବାସନା ନୁହେଁ ?’’
ପ୍ରଭୁଦୟାଲ–ହା–ହା–ହା, କଟକରେ ତ ଏତେ ବାବୁ ଗୁଡ଼ାଖୁ ଖାଉଛନ୍ତି, ଆପଣ ଦେଖୁଛନ୍ତି କେଉଁ ଶଳା ବାବୁ ଏ ଗୁଡ଼ାଖୁ ପାଇବ ? କଲିକତାରେ ଆମର ଯେ ବଡ଼ ଆଡ଼ତଘର ଅଛି, ଚିଠି ଲେଖି ଡାକ ପୁଲିନ୍ଦାରେ ଆପଣଙ୍କ ପାଇଁ ଏହି ଗୁଡ଼ାଖୁ ଅଣାଇଛି ।
ରାଘବବାବୁ ପଚାରିଲେ, ‘‘କଲିକତାରେ ଏହି କୋଠାଘର ପରି ବଡ଼ ବଡ଼ ଘର ଆହୁରି ବାବୁ କ’ଣ ଅଛନ୍ତି ?’’
ପ୍ରଭୁଦୟାଲ ‘‘ହଁ ହଁ, ଆପଣଙ୍କ ପରି ବାବୁ ଢେର୍ ଅଛନ୍ତି, ବଡ଼ ମୌଜ କରନ୍ତି ବଡ଼ ବଡ଼ ଘର ବି ଅଛି । ରହନ୍ତୁ, ରହନ୍ତୁ, ଆପଣଙ୍କୁ କଲିକତା ଘେନିଯିବି, ସେଠି କିମିତିକା ମୌଜ ହୁଏ, ଦେଖିବେ । ସେଠି ଢେର୍ ନାଚୁଣୀ ବି ଅଛନ୍ତି ।’’
ରାଘବବାବୁଙ୍କ ଘର ଯେଉଁ ଗାଁରେ, ସବୁ ପଲାଘର, କୋଠାଘର ଜନ୍ମଯାକ କେବେ ଦେଖି ନଥିଲେ । କଟକକୁ ଆସି ଉଞ୍ଚା ଉଞ୍ଚା ବଡ଼ ବଡ଼ କୋଠାଘର ଢେର୍ ଦେଖିଲେଣି । ହେଲେ, ଘର ଭିତରଟାରେ ଶିକାରେ ଟଙ୍ଗାହୋଇ ଏତେ ଆଲୁଅ ଜଳେ, ଏଡ଼େ ସୁନ୍ଦର ସଜା ହୋଇଥାଏ, ତାଙ୍କୁ ଜଣା ନ ଥିଲା । ବିଛଣାରେ ସିନା ଲୋକ ଶୁଅନ୍ତି–ବିଛଣା, ତା’ ଉପରେ ଚୌକି, ତା’ ଉପରେ ଜୋତାମାଡ଼ି ବସିବେ–ବାଃ ! ବାଃ ! ବାବୁମାନଙ୍କର କିମିତି କପାଳ ! ଆମେ କେମିତିକା ବାବୁ ହୋଇଗଲୁଣି । ଗାଁର ମକ୍ରା, ଶଙ୍କ୍ରା, ଉଗ୍ରା, ଗୁରୁବାରିଆ ସାଙ୍ଗ ଗୋରୁମଣା ଟୋକାଗୁଡ଼ାକ ଆସି ଆମକୁ ଦେଖିଯାନ୍ତେ କି ! ବାବୁ ପଚାରିଲେ, ‘‘ଦୋସ୍ତ ! ଏ ପକାଘର କାହାର ?’’
ପ୍ରଭୁଦୟାଲ–ଏଇ ଆମର ଜଣେ ଦୋସ୍ତର ଘର । ତାଙ୍କର ଢେର୍ ଘର ଅଛି, କହୁଥିଲେ ଏ ଘରଟା ବିକିଦେବି । ମୁଁ କହୁଥିଲି, ଦୋସ୍ତ, ଏ ଘରଟା ଆପଣ କିଣି ରଖନ୍ତୁ । ନିରୋଳା ଜାଗା, ରୋଜ ରୋଜ ମୌଜ କରିବା, କେହି ଜାଣିପାରିବେ ନାହିଁ ।
ରାଘବବାବୁ ଘର ଭିତର ଚାରିପାଖ ହତା ପୋଖରୀକୁ ଅନାଇଲେ, ‘‘ଏଃ ! କେଡ଼େ ବାଡ଼ିଟାଏ, ପୋଖରୀ ଘାଟଟା ପୁଣି ପକା, ଏଇଟା ତ ଇନ୍ଦ୍ରଭୁବନ । କପାଳରେ ଥିଲେ ଏ ଘର ଆମର ହେବ ।’’ ଏତିକିବେଳେ ଆପୁଡ଼ୁ ଲାଗ ଲାଗ ଦୁଇ ଗ୍ଲାସ ଦେଇଗଲାଣି । ବାବୁ ମନରେ କଲେ, ଏ ଘରଟା ତାଙ୍କର ନିଜର । ପ୍ରକାଶ କରି କହିଲେ, ‘‘ଏ ଘରର ଦାମ୍ କେତେ ହେବ ?’’
ଭଗତ–‘‘କଟକରେ ଏହାର ଉଆଜିବ୍ ଦାମ୍ କୋଡ଼ିଏ ହଜାର ଟଙ୍କା; ମାତ୍ର ମୁଁ ଖୁବ୍ ଶସ୍ତାରେ କିଣାଇ ଦେବି ।’’
ବାବୁ କହିଲେ ‘‘ବାପରେ, ! ମୁଁ ଏତେଗୁଡ଼ାଏ ଟଙ୍କା କାହୁଁ ପାଇବି ?’’
ପ୍ରଭୁଦୟାଲ, ହୋ–ହୋ ! ଆପଣଙ୍କର ପୁଣି ଟଙ୍କାର ଅଭାବ । ଆପଣଙ୍କ ଅପା ଯେ ରାଣୀ; ମୁଁ ଟଙ୍କା ସଜିଲି କରିଦେବି, ଚିନ୍ତା ନାହିଁ ।
ବାବୁଙ୍କ ମନ ମାଡ଼ି ପଡ଼ିଲାଣି । ଏକାବେଳକେ ହୁକୁମ କଲେ, ‘‘ହଁ, ଆମେ ଘର କିଣିବୁ, ଆଜି କିଣିବୁ ।’’ ବାବୁ ଆଉ ଆପଣାକୁ ସମ୍ଭାଳି ପାରୁନାହାନ୍ତି–ମନରେ କଲେ, ଏ ବଡ଼ କୋଠାଘରଟା ତାଙ୍କରି ହୋଇଗଲାଣି–ହୋ ହୋ ହୋ ! ଭାରି ମୌଜ ହେବ ! ସେ ଶଳା ଭିଣୋଇ ସାନ୍ତକୁ ଡରି ଡରି ପ୍ରାଣ ଗଲାଣି । ଏବେ ବସରେ ବସ୍ । ଖାସା ନିରୋଳା, କେହି ଶଳା ଜାଣି ପାରିବ ନାହିଁ । ‘‘ଡାକ ଡାକ ଦୋସ୍ତ ! ଘରବାଲାକୁ ଡାକ, ବିକିଦେଇ ଯାଉ, ଦଣ୍ଡେ ମଠ କରନା ଦୋସ୍ତ ! ସେ ନାଚୁଣୀ କାଲି କ’ଣ ଗୀତ ଗାଉଥିଲା ? ଆଁ–ଆଁ–ହୁଁ–ହୁଁ–କିପରି ସେ ମରିଗଲାଣି ରେ-।’’
ପ୍ରଭୁଦୟାଲ–‘‘ନା ନା, ଦୋସ୍ତ ! ଘରକୁ ଯିବା ଚାଲ, ବୋଉ–ଅପା ଖୋଜୁଥିବେ । କାଲି ଘର କିଣିବା ।’’
ରାଘବ ବାବୁ–‘‘ନେଇଁ–ନେଇଁ–ନେଇଁ, କେଉଁ ଶଳାକୁ ହାମେ ଡରେଙ୍ଗା ! ବୋଉକୁ କହି ଆସିଛି–ଅପା ବି ଜାଣିଛି, ଦୋସ୍ତ ସାଙ୍ଗରେ ତୁଳସୀପୁରକୁ ବାଦୀପାଲା ଦେଖିଯାଉଛି–ଦି’ଦିନ ଲାଗିବ–ଚାରିଦିନ ଲାଗିବ, ଛ’ଦିନ ଲାଗିବ, କିଏ ଶଳା, ଶାଳୀ ଖୋଜିବ ? ଆଁ–ଆଁ–ଉଁ–ଉଁ, କିପରି ମରିଗଲିଣିରେ’’–ଖୁବ୍ ପାଟିକରି ଗୀତ ଆରମ୍ଭ କରିଦେଲେ ।
ଚଲାଖ ପ୍ରଭୁଦୟାଲ ଭଗତ ବାବୁ କଥା ବୁଝିଗଲାଣି–ମନରେ କଲା, ଏଇଟା ଠିକ୍ ବେଳ । ଆପୁଡ଼ୁକୁ ଏକୁଟିଆ ଡାକି ନେଇ ତୁନି ତୁନି ଢେର୍ ବେଳଯାଏ ଢେର୍ ଉପଦେଶ ଦେଲା, ବିଶେଷକରି କହିଦେଲା, ଧୋବାଘରୁ ଭଲ ପୋଷାକ ଭଡ଼ା ଆଣିବ ।
ଇତିହାସର କଥା–କୋମ୍ପାନୀ ବାହାଦୁର ଦିଲ୍ଲୀ ବାଦ୍ଶାଙ୍କ ନିକଟକରୁ ବଙ୍ଗ ବିହାର ଓଡ଼ିଶାର ଦେବାନୀ ସନନ୍ଦ ନେବାକୁ ଗୋଟାଏ ଗଧ କିଣାବିକାର ସମୟ ଲାଗିଥିଲା, କିନ୍ତୁ ବଙ୍ଗଳା ବିକା କିଣା କଥା ଖୁବ୍ ଚଞ୍ଚଳରେ ଲାଗିପଡ଼ି ମଧ୍ୟ ପାଞ୍ଚ ଛ’ ଘଣ୍ଟା ସମୟରୁ ଊଣା ହେଲା ନାହିଁ ।
ଉପରଓଳି ଚାରିଟା ବାଜିଯାଇଛି, ବଙ୍ଗଳାମାଲିକ ବାବୁ ଆଉ ଜଣେ ଓକିଲ ଦୁଆତ କଲମ ଧରି ଉପସ୍ଥିତ ହେଲେ । ବାବୁ ଆଉ ଓକିଲଙ୍କର ଏକରକମ୍ ପୋଷାକ, ଭାରି ଲମ୍ବ ଲମ୍ବ ଚପକନ, ଗୋଡ଼ ଗୋଇଠି ଯାଏ ଲାଗିଛି, ଦେହରେ ବଡ଼ ଢିଲା ହାତ ଯୋଡ଼ାକ ଆଙ୍ଗୁଳି ଡେଇଁ ଚାରି ଚାରି ଆଙ୍ଗୁଳି ଝୁଲିପଡ଼ିଛି । ବାବୁଙ୍କ ମୁଣ୍ଡରେ ଗୋଟାଏ ପାଞ୍ଚ ଗଜିଆ ଗୋଷ୍ଟମାର୍କା ଧୋତି ପାଗ ଗୁଡ଼ିଆ, ଓକିଲଙ୍କ ମୁଣ୍ଡରେ ଗୋଟାଏ ମଇଳା ଭଙ୍ଗା ସୋଲ ପଗଡ଼ି । ଦୁଇଜଣଙ୍କ ଦେହରୁ ଭୁରୁଭୁରୁ କରି ଅତରଗନ୍ଧ ବାହାରୁଛି । ରାଘବବାବୁଙ୍କର ଚେତନା ଥିଲେ ନିଶ୍ଚୟ ଚିହ୍ନନ୍ତେ । ଏହି ଓକିଲ ବାବୁଟି ନିଶ୍ଚୟ ଗଲାକାଲି ରାତିର ଖୋଦା ବକ୍ସ ଖାନ୍ସମା–ଆଉ କୋଠିବାଲା ବାବୁଟି ସେଇ ତବଲଚି ଭଡ଼ୁଆ ଟୋକା । ଏମାନଙ୍କୁ ଦେଖି ରାଘବ ବାବୁଙ୍କ ମନରେ ଭାରି ଆନନ୍ଦ । ଆନନ୍ଦରେ ସମସ୍ତେ ଗୋଟାଏ ଭାରି କୁଣ୍ଢିଆ କୁଣ୍ଢେଇ ହେଲେ, ମଜଲିସ ବସିଲା–ଆପୁଡ଼ୁ ବୋତଲ ଗ୍ଲାସ୍ ଧରି ହାଜର ଅଛି ।
ବଙ୍ଗଳା କିଣାବିକା କଥା ପଡ଼ିଲା । ଦରଦାମ୍ ଢେର୍ କଷାକଷି ହେଲା । ଦୋସ୍ତ ପ୍ରଭୁଦୟାଲ ବାବୁଙ୍କ ପଟ ଧରି ଖୁବ୍ ଲଢ଼ାଲଢ଼ି କରି ଦାମ୍ କମାଇଲେ; ଅର୍ଥାତ୍ ଖୁବ୍ ଶସ୍ତାରେ କିଣିବା ବନ୍ଦୋବସ୍ତ କଲେ । ପୂରା ପହରେ କାଳ କଷାକଷି ଢେର୍ ଢେର୍ କଥା ଉତ୍ତାରେ ଦର ଛିଡ଼ିଲା । ସେଥିରେ ସାରକଥା ଏହି–
ବଙ୍ଗଳାର ମହାଜନ ବାବୁ ରାମ ରାମ ଭଗତ (ନାମାନ୍ତର ଖୋଦାବକ୍ସ) ବଙ୍ଗଳାର ଦାମ୍ ପ୍ରଥମେ କୋଡ଼ିଏ ହଜାର ଟଙ୍କା ହାଙ୍କିଥିଲେ । ରାଘବ ବାବୁ ଦୋସ୍ତଦାର ଲୋକ, ସମସ୍ତେ ମିଳିମିଶି ମୌଜ କରିବେ, ଶେଷରେ ପାଞ୍ଚହଜାର ଟଙ୍କା ଦାମ୍ ଛିଡ଼ିଲା । ବାବୁଙ୍କ ମନରେ ବଡ଼ ଆନନ୍ଦ । କୋଡ଼ିଏ ହଜାର ଟଙ୍କାର ମାଲ୍ ପାଞ୍ଚ ହଜାରରେ ପାଇଗଲେ । ଦୋସ୍ତଙ୍କ ପିଠିରେ ହାତମାରି କହିଲେ, ‘‘ସାବାସ୍ ଦୋସ୍ତ ସାବାସ୍ ! ଜଲଦି କାମ ଛିଡ଼ାଇ ପକାଅ ।’’ ଓକିଲ କବଲା ଲେଖାପଢ଼ା କରିପକାଇଲେ । ଓକିଲ କବଲା ଲେଖିଲା ବେଳେ ଗୋଟିଏ ପବନ ଆସି ତାଙ୍କ ଚପକନରୁ ଫାଳେ ଉଡ଼ାଇ ପକାଇଲା–ଦିଶିଗଲା, ଭିତରେ ଖଣ୍ଡେ ଚିରା ମଇଳା ଆଠହାତି ଲୁଗା ପିନ୍ଧିଛନ୍ତି, ଗୋଡ଼ରେ ଜୋତା ତ ନାହିଁ, ଚପକନଟା ଗୋଡ଼ତଳ ପର୍ଯ୍ୟନ୍ତ ଲମ୍ବି ପଡ଼ିଥିବାରୁ ଜଣା ଯାଉନାହିଁ । ଓକିଲ ଆପେ ଚଞ୍ଚଳ ଚପକନଟା ଟାଣିନେଇ ଗୋଡ଼ଟା ଢାଙ୍କି ପକାଇଲେ । କବଲା ଲେଖା ବାଦ୍ ଦୋସ୍ତ ପ୍ରଭୁଦୟାଲ ଭଗତ କହିଲେ, ‘‘ଏତେ ଟଙ୍କାର ମାମଲା, କବଲା ରେଜେଷ୍ଟରୀ ନ ହେଲେ ଚଳିବ ନାହିଁ ।’’
ଓକିଲ ସେହି ଦଲିଲ ଧରି ରେଜେଷ୍ଟରୀ କରିବାକୁ ଧାଇଁଲେ । ବାବୁଙ୍କର ତର ସହୁନାହିଁ-। ହୁକୁମ କଲେ, ‘‘ଜଲଦି ଆସ, ଖୁବ୍ ଜଲଦି ଆସ’’ ଘଣ୍ଟାକ ଉତ୍ତାରେ ଓକିଲବାବୁ ରେଜେଷ୍ଟରୀ ଅଫିସରୁ ଫେରିଆସି ଦଲିଲ ଖଣ୍ଡ ବାବୁଙ୍କ ହାତକୁ ବଢ଼ାଇଦେଲେ । ବାବୁ ଏ ପିଠ ସେ ପିଠ ତିନିଥର ଓଲଟପାଲଟ କରି ଦେଖି ମନ ମଧ୍ୟରେ ଭାରି ଖୁସିଟାଏ ହେଲେ ! ମନରେ କଲେ, କାମଟା ଠିକ୍ ହୋଇଛି–ତାଙ୍କ ଗ୍ରାମରେ ରାମ ପରିଡ଼ା ଶ୍ୟାମପଣ୍ଡାଙ୍କୁ ଯେ ଦୁଇମାଣ ଜମି ବିକିଥିଲା, ଏହିପରି ଚିତ୍ର କାଗଜରେ ଲେଖା ହୋଇଥିଲା, ଏପରି ଛାପା ମରାଯାଇଥିଲା, ଏହିପରି ଲାଲ ରଙ୍ଗରେ ଗାରଗାରିକା ପାଠ ଲେଖାଯାଇଥିଲା । ଦୋସ୍ତଙ୍କ ମୁହଁକୁ ଚାହିଁ ଖୁବ୍ ଗୋଟାଏ ଖୁସି ହେଲେ । ସେଥିର ଅର୍ଥ-ଦୋସ୍ତ ବଡ଼ ବୁଦ୍ଧିଆ, ଠିକ୍ ଠିକ୍ କାମ କରିଛି; ଅର୍ଥାତ୍ ଦଲିଲ ଲେଖାପଢ଼ାଟା ଠିକ୍ ହୋଇଛି । ବଙ୍ଗଳାର ମାଲିକ ବାବୁ ରାମ ରାମ ଭଗତ ଜରସମନ ବାବତ୍ ଟଙ୍କା ମାଗିଲେ–ତାଙ୍କର ଆଜି ଟଙ୍କାର ବଡ଼ ଦରକାର । ସବୁ ଟଙ୍କା ନ ଘଟିଲେ ଦୁଇ ତିନି ହଜାର ଟଙ୍କା ଦିଅ । ରାଘବବାବୁ ଦୋସ୍ତ ମୁହଁକୁ ଅନାଇଲେ । ଦୋସ୍ତ ପ୍ରଭୁଦୟାଲ ଚଞ୍ଚଳ କହି ପକାଇଲେ–‘‘ଟଙ୍କାଲାଗି କ’ଣ ପରବା ହେ, ବାବୁ କାଲି ଟଙ୍କା ଫୋପାଡ଼ି ଦେବେ । ଟଙ୍କା ପାଞ୍ଚ ହଜାର ନା ଆଉ କ’ଣ ? ନ ହେଲା, ଦୋସ୍ତଙ୍କ ଲାଗି ମୁଁ ହାତଉଧାରି ପାଞ୍ଚ ହଜାର ଟଙ୍କା ଚଳେଇଦେବି ।’’
ବଗି ହାଜର ଥିଲା–ଦୁଇ ଦୋସ୍ତ ସେଥିରେ ଚଢ଼ି ଘରକୁ ବାହାରିଗଲେ ।
–୫୮–