ଚତୁର୍ଦ୍ଦଶ ଅଧ୍ୟାୟ — ବ୍ରହ୍ମନିରୂପଣ ଗୀତା — ଭୀମ ଭୋଇ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଦ୍ଦଶ ଅଧ୍ୟାୟ
ନିରାକାର ଉବାଚନିରାକାର ବୋଇଲେ ଶୁଣିମା ଗୁରୁଦେବ,ବ୍ରହ୍ମନିରୂପଣ ଗ୍ୟାଁନୀଜନଙ୍କୁ ଦୁଲଭ ।୧।ସକଳ କହିଲ ବ୍ରହ୍ମନିରୂପଣ ଫେଇ,ବେନି କର୍ଣ୍ଣେ ଶୁଣି ମନେ ପ୍ରତେ ଗଲି ମୁହିଁ ।୨।ସକଳ ନିର୍ଣ୍ଣୟ ମୋତେ ବୁଝାଇ କହିଲ,ଆହୁରି କଥାଏ ସ୍ୱାମୀ ଗୁପତେ ରଖିଲ ।୩।ଅବଧୂତ ଅଣାକାର ଅବ୍ୟଗତ ମଣି,ଆଶ୍ରୟ କରିବି ପାଦେ କେଉଁ କର୍ମ ଘେନି ।୪।ବ୍ରହ୍ମ କର୍ମ ଆଦ୍ୟ ଅନ୍ତ କହ ମୋ ଆଗର,ଏତେ ବୋଲି ନିରାକାର ଧରି ଶ୍ରୀପୟର ।୫।ଅନାମ ବ୍ରହ୍ମର ଅଙ୍ଗ ଚିହ୍ନାଇ କହିଲ,ତ୍ରିପୁର ସଂସାରୁ ମୋତେ ଉଧରି ଧରିଲ ।୬।ସତ୍ୟ ତଥ୍ୟ କରି ମୋତେ କହ ଭକ୍ତି କଥା,ନିରାକାର ବଚନେ କହନ୍ତି ବ୍ରହ୍ମବେତ୍ତା ।୭।ଶ୍ରୀ ଗୁରୁଦେବ ଉବାଚଶ୍ରୀ ଗୁରୁଦେବ ବୋଇଲେ ଶୁଣ ନିରାକାର,ବ୍ରହ୍ମ ଭକତିର କଥା ଅତି ନିରାଧାର ।୮।ଶାନ୍ତଶୀଳ ଦୟା କ୍ଷମା ହୃଦରେ ବହିବୁ,ବଚନ ଶୁଣି ପ୍ରଥମେ କୋପିତ ନୋହିବୁ ।୯।ପୃଥିର ପରାଏ ଦେହ ଯେ ସହି ପାରୁଛି,ମାୟା ମୋହ ଜିଣି କିଛୁ ଦିନ ସେ ରହୁଛି ।୧୦।ଧୀର ସମୀର ହୋଇବୁ ନ କରିବୁ ରୋଷ୍ଟ,କ୍ରୋଧ ରାଗ ତମ କଲେ ଗ୍ୟାନ ହୁଏ ନଷ୍ଟ ।୧୧।ମେଦିନୀ ପରାଏ ଯେବେ କରିପାରୁ ଶମ,ଅଙ୍ଗରେ ଖେଳିବ ତୋର ଅନାମିକା ବ୍ରହ୍ମ ।୧୨।ଜଳ ପ୍ରାଏ ଯେବେ ମନ ହେବ ଅବାରଣ,ତେବେ ଲଭିବୁ ବ୍ରହ୍ମକୁ କହୁଅଛି ଜାଣ ।୧୩।ମେଦିନୀରେ କେତେ କଥା ଉପଦର୍ପ ନାହିଁ,ବସୁମତୀ ଯେଉଁ ରୂପେ ସମ୍ଭାଳିଛି ମହୀ ।୧୪।ସେହି ରୂପେ ଯେବେ ବାବୁ ହେବ ତୋର ଅଙ୍ଗ,ଅନାମ ବ୍ରହ୍ମରେ ନିଶ୍ଚେ ହୋଇବୁ ତୁ ସଙ୍ଗ ।୧୫।ଜଳ ଯେ ବରଷା କରେ ବ୍ରହ୍ମାଣ୍ଡ ଭିତର,ସର୍ବଠାରେ ପଡ଼ଇ ସେ ନ ଥାଇ ଅନ୍ତର ।୧୬।ଜଳର ପରାଏ ଧର୍ମ୍ମ କର ତୁ ହୋ ବାବୁ,ଅଣରୂପ ବ୍ରହ୍ମର ଭଗତ ଯେବେ ହେବୁ ।୧୭।ଚନ୍ଦ୍ର ସୂର୍ଯ୍ୟ ଉଦେ ହେଉଛନ୍ତି ପ୍ରତି ଦିନ,ଅମୃତ ଦୃଷ୍ଟିରେ ପଡ଼ୁ ଅଛଇ କିରଣ ।୧୮।ତେଜ ପଡ଼ିଲା ମାତ୍ରକେ ହୋଇଲା କି ମାରା,ସର୍ବ ସମ ଦିବାକର ଅଟେ ତାଙ୍କ ଧାରା ।୧୯।ଯେଣୁ ଅଲେଖ ବ୍ରହ୍ମର ଆଗ୍ୟାଁ ଛନ୍ତି ବହି,ତେଜ ପଡ଼ି ଦୋଷ କୃତ ହେଉଅଛି ଦହି ।୨୦।ଚନ୍ଦ୍ର ସୂର୍ଯ୍ୟ ପ୍ରାଏ ଧର୍ମ କରିବୁ ଯେମନ୍ତେ,ଅଲେଖ ବ୍ରହ୍ମର ପୁତ୍ର ହେବୁ ତୁ ସାକ୍ଷାତେ ।୨୧।
ପବନ ପରାଏ ଦୀକ୍ଷା ଯେବେ ତୁ କରିବୁ,
ଚାରିଯୁଗେ ମାୟା ମୋହ ଦୁସ୍ତରୁ ତରିବୁ ।୨୨।
ପବନ ଯେ ବହୁଅଛି ନବଦ୍ୱୀପା ମହୀ,
ସର୍ବଠାରେ ହାବୋଡ଼ଇ ଅନ୍ତର ନ ଥାଇ ।୨୩।
ଗନ୍ଧ ପରକଟ ଯେତେ ଆମୀଷ ବିଷର,
ସର୍ବଠାରେ ଭ୍ରମି କରୁଥାଇ ଏକାକାର ।୨୪।
ସାମାନ୍ୟ ଧର୍ମରେ ଦୋଷ ନ ଲାଗଇ ତାକୁ,
ଯେଣୁ ଧ୍ୟାନ କରୁଛନ୍ତି ଶୂନ୍ୟାଧି ବ୍ରହ୍ମକୁ ।୨୫।
ପବନ ପରାଏ ଦୀକ୍ଷା ଧର ତୁ ହୋ ବାବୁ,
ଭଲ ମନ୍ଦ ଦୁଇ କଥା ଅନ୍ୟ ନ କରିବୁ ।୨୬।
ପବନ ଧର୍ମେ ଚାଲିଲେ ନ ଲାଗଇ କିଛି,
ତତ୍ତ୍ୱ କରି ଧର ବାବୁ ବୁଝାଇ କହୁଛି ।୨୭।
ସକଳ ସମାନ ତୁ ହୋ କର ଅବିକାର,
ଚାରିଯୁଗେ ନାମ ବହିଥିବୁ ନିରାକାର ।୨୮।
ଅଗ୍ନିର ପରାଏ ଦୀକ୍ଷା କର ଶିରେ ବାବା,
ତୁ ଯେବେ ଅପ୍ରତେ କଲୁ ବୁଝାଇ କହିବା ।୨୯।
ଅନଳ ଯେସନେ ହୁତାଶନେ ଜଳୁଥାଇ,
ଭଲ ମନ୍ଦ ଏକ କରି ସମସ୍ତ ଭକ୍ଷଇ ।୩୦।
ଗୁଡ଼ ଘୃତ ତରୁତୃଣ ପତଙ୍ଗ ସହିତେ,
କୀଟ ପଶୁ ମାନବ ମତ୍ସାଦି ପରିଯନ୍ତେ ।୩୧।
ଉଚ୍ଚ ନୀଚ ନ ବାରଇ କରଇ ଆହାର,
ଖାଦ୍ୟ ଅଖାଦ୍ୟ ଅମେଧ ସର୍ବ ସମାଚାର ।୩୨।
ଅନଳ ଯେଉଁ ପ୍ରକାରେ ନୁହଇ ସେ ଭ୍ରଷ୍ଟ,
ସବୁ ମଣିଥାଇ ସେ ଯେ ରନ୍ଧନହିଁ ଶ୍ରେଷ୍ଠ ।୩୩।
ଅନଳ ପରାଏ ଦୀକ୍ଷା କର ଆଦିକନ୍ଦ,
ତେବେ ତୁ ପାଇବୁ ସେ ଧର୍ମର ଭେଦାଭେଦ ।୩୪।
ବିଚାର ଆଚର କଲେ ନ ପାଇଟି ବ୍ରହ୍ମ,
ବର୍ଣ୍ଣଭେଦ କଥା ଯେତେ ସବୁ ଏ ଅଧର୍ମ ।୩୫।
କାମ କ୍ରୋଧ ଲୋଭ ମୋହ ବ୍ରହ୍ମକୁ ନ ପାଇ,
ଅନର୍ଥ ଗୋପ୍ୟରେ ସର୍ବେ ଯାଉଛନ୍ତି ବହି ।୩୬।
ଦେଖିବା ଶୁଣିବା ଯେତେ କହିବା ବୋଲିବା,
ପ୍ରକୃତି ବିକାର ସବୁ ମନର ଭୁଲିବା ।୩୭।
ପଢ଼ିବା ଶୁଣିବା ଅର୍ଥ ସମ୍ପାଦ ଏ ସବୁ,
ବେଦର ବୋଲଣା ତହିଁ ନ ଥାଇଟି ପ୍ରଭୁ ।୩୮।
ଏବେ ଦୃଢ଼ ବକ୍ଷେ ଧର ନାମବ୍ରହ୍ମଶିକ୍ଷା,
ଅନ୍ତର ନ କରି ସବୁ ମଣିଥିବୁ ଏକା ।୩୯।
ମହିମାକୁ ଭଜିଲେ ତୁ ମହୀରେ ରହିବୁ,
ଗୁରୁ ଚରଣ ଧଇଲେ ଗ୍ୟାନ ତୁ ପାଇବୁ ।୪୦।
ବଡ଼ ପ୍ରଭୁ ଆଶ୍ରେ କର ହେବୁ ଏବେ ସିଦ୍ଧି,
ଏବେ ନିରାକାର ତୁ ବିଚାର ବଡ଼ ବୁଦ୍ଧି ।୪୧।
ମହା ବ୍ରହ୍ମେ ଆଶ୍ରେ କଲେ ମାୟା ମୋହ ଯାଇ,
ବଡ଼ ଲୋକଙ୍କୁ ସେବିଲେ ମହତ୍ତ୍ୱଟି ପାଇ ।୪୨।
ଯେଡ଼େ ପ୍ରଭୁଙ୍କୁ ଭଜିବୁ କର ତେଡ଼େ ବୁଦ୍ଧି,
ନ୍ୟାୟକୁ ବିଚାରି ଥିବୁ ଯେସନେ ବାରାଧି ।୪୩।
ରୂପେ ଥାଇ ଅରୂପକୁ ଲଗାଅ ତୁ ଦୃଷ୍ଟି,
ତେବେ କ୍ଷଏ ଯିବ ତୋର କଳ୍ପଣା ଅରଷ୍ଟି ।୪୪।
ବେଦେ ଥାଇ ନିର୍ବେଦକୁ ଧ୍ୟାନ ତୁ କରିବୁ,
ବେଦାନ୍ତ ଛାଡ଼ିଲେ ଅରୂପରେ ଲୀନ ହେବୁ ।୪୫।
ଦେହ ଧରିଅଛୁ ଅଦେହକୁ କର ଆଶା,
ତେବେ ତୁ ପାଇବୁ ବାବୁ ନିଶବଦେ ବସା ।୪୬।
ବେଦାନ୍ତ ଦେହକୁ ବାବୁ କାହିଁ ପକାଇବୁ,
ଏ ଶରୀର ଛାଡ଼ିଲେ ତୁ କି ଗ୍ୟାନ ପାଇବୁ ।୪୭।
ଏହି ଘଟ ଥିଲେ ସବୁ ଅଛି ଗ୍ୟାନ ଧ୍ୟାନ,
ଅନୁଭବ ପଥେ ଥୁଅ ଅମନରେ ମନ ।୪୮।
ଏ ଦେହ ଛାଡ଼ିଲେ କିଛି ଗ୍ୟାନ ଆଉ ନାହିଁ,
ଅଣହେତୁ ହେଲେ ବ୍ରହ୍ମ ପାଇବୁ ତୁ କାହିଁ ।୪୯।
ଶବଦରେ ଥାଇ ଅନାମକୁ କର ଲଏ,
ତେବେ ସେ ତୁଟିବ ତୋର ଯୋନିଜନ୍ମ ଭଏ ।୫୦।
ଆକାରରେ ଥାଇ ଅଣଆକାରକୁ ଭଜ,
ମୁଥା ତୃଣ ପ୍ରାଏ ଦେହ କର ତୁ ନିର୍ଲ୍ଲଜ୍ଜ ।୫୧।
ତୋଠର ପଥର ପ୍ରାୟେ କର ତୋର ହିଆ,
ତେବେ ଅଣରୂପ ବ୍ରହ୍ମ ତୋତେ ହେବ ଦୟା ।୫୨।
ସହିବ ଲୋକଟି ଅଟେ ବଡ଼ ସାମରଥ,
କହିବା ଲୋକଟି ଜାଣ ଦୁର୍ଜନ ପତିତ ।୫୩।
ଅଳପ ବୁଦ୍ଧିଟି ଯାର ନ ପାଏ ବ୍ରହ୍ମକୁ,
ଇତର ମଣଇ ସେହି ସତ୍ୟାଦି ଧର୍ମକୁ ।୫୪।
ମନେ ନ ଧରିବୁ ତୁ ହୋ ପରଶବ କଥା,
ଆପଣା ବୁଦ୍ଧି ଠାକୁର ପରବୁଦ୍ଧି କୁତ୍ତା ।୫୫।
ବିଷୟ ସଙ୍ଗ ମେଳରେ ଧର୍ମ ନାଶ ଯାଇ,
ଆପେ ଅପରାଧୀ ହୋଇ ଧର୍ମକୁ ନ ପାଇ ।୫୬।
ଶୁଣିଲୁ କି ନିରାକାର ଭକ୍ତିର ବିଚାର,
ପାରିବୁ ଯେମନ୍ତେ ଏହି ପ୍ରକାରେ ବିହର ।୫୭।
ନିରାକାର ଉବାଚ
ନିରାକାର ବୋଇଲେ ଶୁଣିବା ଗୁରୁସାଇଁ,
ଅଣରୂପ ବ୍ରହ୍ମ କେତେ ବେଗ୍ର ସେ ଅଟଇ ।୫୮।
କେତେହେଁ ଚଞ୍ଚଳ କେତେ ନିଶ୍ଚଳ ସେ ପ୍ରଭୁ,
ଏ କଥା ବିସ୍ତାରି ମୋତେ ଫେଡ଼ି କହ ସବୁ ।୫୯।
ଧରିବି ବୋଇଲେ ହସ୍ତେ ଧରା ନ ଦିଅଇ,
କି ପ୍ରକାରେ ସେ ବ୍ରହ୍ମକୁ ସମ୍ଭାଳିବି ମୁହିଁ ।୬୦।
ଅବନ୍ଧା ଅଛନ୍ଦା ସେ ଯେ ଅବାରଣ ମୂର୍ତ୍ତି,
କେମନ୍ତ ପ୍ରକାରେ ତାକୁ କରିବଇଁ ସ୍ଥିତି ।୬୧।
ଏକଥା ବିସ୍ତାରି ମୋତେ କହ ବ୍ରହ୍ମବେତ୍ତା,
ଅନୁମାନ କରନ୍ତେ ଲାଗଇ ବହୁ ଚିନ୍ତା ।୬୨।
ଶ୍ରୀ ଗୁରୁଦେବ ଉବାଚ
ଶ୍ରୀଗୁରୁ ବୋଇଲେ ଶୁଣ ଠୁଳଶୂନ୍ୟବାସୀ,
ସଂଶୟ ଫିଟାଇ ତୋତେ କହିବା ପ୍ରକାଶି ।୬୩।
କୋଟିଏ କାମରୁ ଜିଣି ବ୍ରହ୍ମର ପ୍ରତାପ,
ଅବକାଶ ହେଲେ ତିନିପୁର ଦିଏ ଧାପ ।୬୪।
କୋଟିଏ ଅନଳୁ ଜିଣି ଗରମ ଉଷୁମ,
ଓଦାଳ ହୋଇଲେ ନୁହେ ତପତ ଉଷୁମ ।୬୫।
କୋଟିଏ ପାରାରୁ ଜିଣି ତେଜ ତା ପ୍ରଚଣ୍ଡ,
ଆୟତ୍ତ ନ ରହେ ଏହୁ ରଜ ବୀର୍ଯ୍ୟ ପିଣ୍ଡ ।୬୬।
କୋଟିଏ ଜ୍ୟୋତିରୁ ଜିଣି ରୂପ ପରକାଶ,
ସେ ବ୍ରହ୍ମ ଉଠିଲେ ମନ ପାଞ୍ଚନା ଅଶେଷ ।୬୭।
କୋଟିଏ ସୂର୍ଯ୍ୟରୁ ଜିଣି ତେଜ ମହାବାହୁ,
କୋଟିଏ କାଳରୁ ଜିଣି ତେଜ ମହାରାହୁ ।୬୮।
କୋଟିଏ ବୀର୍ଯ୍ୟରୁ ଜିଣି ଅଟଇ ସେ ବୀର୍ଯ୍ୟ,
ବୋହି ନେବା ଆଣିମାକୁ ନୁହଇ ସେ ସଜ ।୬୯।
କୋଟିଏ ପ୍ରେମରୁ ଜିଣି ଅଟଇ ସେ ପ୍ରେମ,
ଧରି ନ ପାରିଲେ ମନ ବୁଦ୍ଧି କରେ ଭ୍ରମ ।୭୦।
କୋଟିଏ ବ୍ରହ୍ମରୁ ଜିଣି ଅଟେ ବ୍ରହ୍ମସାର,
କୋଟିଏ ପ୍ରକୃତି ପରେ କରଇ ବେହାର ।୭୧।
ମହାପରବତ ଦାରୁ ରଞ୍ଜକରୁ ବେଗ,
ଅଶେଷ ବ୍ରହ୍ମାଣ୍ଡ ନିମିଷକେ କରେ ଭୋଗ ।୭୨।
କୋଟିଏ ସମୁଦ୍ରଠାରୁ ପ୍ରଳୟ ହୁଅନ୍ତି,
ମେରୁଦ୍ରୂମ ଚନ୍ଦ୍ର ସୂର୍ଯ୍ୟ କାକୁ ନ ରଖନ୍ତି ।୭୩।
କୋଟିଏ ଅନ୍ଧାରୁ ଜିଣି ଅଟନ୍ତି ସେ ନିଶି,
ଭଗତ ପଶିଲେ ତହୁଁ ଲେଉଟି ନ ଆସି ।୭୪।
କୋଟିଏ ଅଙ୍ଗରୁ ଜିଣି ଅଙ୍ଗ ସାରସ୍ୱତ,
ସର୍ବଠାରେ ବୁଲି ଯାଉଅଛି ପ୍ରଭୁ ହସ୍ତ ।୭୫।
କୋଟିଏ ରସରୁ ଜିଣି ଅଟେ ମହାରସ,
ଭଗତ ଜନେ ଆପ୍ୟାନ କରି ହୋନ୍ତି ତୋଷ ।୭୬।
କୋଟିଏ ଭାଗରୁ ଜିଣି ଅଟନ୍ତି ସେ ଗରୁ,
ତେଣୁକରି ବୋଲାନ୍ତି ଅଲେଖ ମହାମେରୁ ।୭୭।
କୋଟିଏ ବେଦରୁ ଜିଣି ଅଟନ୍ତି ସେ ବେଦ,
ତା ଶୁଣି ଗାୟନ କଲେ ଛିଡ଼ଇ ସମ୍ପାଦ ।୭୮।
କୋଟି କୋଟି ବିଷୟରୁ ତା ବିଷୟା ଭାରି,
ଅଳପକେ ନୁହେ ତାକୁ ଆଏ ବଏ କରି ।୭୯।
କୋଟି କୋଟି ନାମର ଉପରେ ଅଟେ ନାମ,
କୋଟି ଯମରାଜା ପରେ ଅଟଇ ସେ ଯମ ।୮୦।
କୋଟି କୋଟି ଲିଙ୍ଗପରେ ଅଟନ୍ତି ସେ ଲିଙ୍ଗ,
କୋଟି ସିଂହ ବପୁ ପରେ ଅଟନ୍ତି ସେ ସିଂହ ।୮୧।
କୋଟି କୋଟି ବୀର ପରେ ଅଟନ୍ତି ସେ ବୀର,
କୋଟି ଧର୍ମରେ ସେ ଅଟନ୍ତି ଧରାଧର ।୮୨।
କୋଟି କୋଟିଏ ହାକିମରେ ଅଟନ୍ତି ହୁକୁମ,
ଅଲେଖ ପ୍ରଭୁ ଏ ବ୍ରହ୍ମାଣ୍ଡରେ ମେରୁ ଖମ ।୮୩।
ଶୁଣିଲୁ କି ନିରାକାର ବ୍ରହ୍ମର ବୃତ୍ତାନ୍ତ,
କୋଟି ଶବଦ ବ୍ରହ୍ମରୁ ଅଟନ୍ତି ସିଦ୍ଧାନ୍ତ ।୮୪।
କୋଟି କୋଟି ଭେଦ ପରେ ଅଟନ୍ତି ସେ ଭେଦ,
ଅନାମିକା ବ୍ରହ୍ମ ସେ ଏକାନ୍ତ ଗୋଟା ପାଦ ।୮୫।
ଚାରିଯୁଗେ ବଇଷ୍ଣବ ରୂପରେ ଅଛନ୍ତି,
ସେହି ଏକା ଯୋଗୀ ସର୍ବେ ଭୋଗ୍ୟାଦି ଅଟନ୍ତି ।୮୬।
ସମସ୍ତେ ଏ କଳ୍ପଣା କ୍ଷରନ୍ତେ ଉତପତ୍ତି,
ଏକା ଅକଳ୍ପଣା ସ୍ୱାମୀ ଅନାଦି ଅଛନ୍ତି ।୮୭।
ସେ ବ୍ରହ୍ମକୁ ଯେଉଁ ଜନ କରିବ ଭଗତି,
ଏ ବ୍ରହ୍ମାଣ୍ଡ ତରୁ ତୃଣ ପରାଏ ଦିଶନ୍ତି ।୮୮।
ସେହି ଏକା ଅଲେଖଙ୍କ ଭଗତ ଅଟଇ,
ଛପ୍ନାକୋଟି ଜୀବ ପିଣ୍ଡ ବ୍ରହ୍ମାଣ୍ଡ ପାଳଇ ।୮୯।
ଅଲେଖ ପୁରୁଷ ସ୍ୱାମୀ ନିଷ୍କାମ ଶରୀର,
ସକଳ ଶବଦ ସିନା ଅଟେ ଭଗତର ।୯୦।
ତାରଣ ମାରଣ ତହିଁ ଥାଇ ଦୁଇ କଥା,
ଆଗ୍ୟାଁବଳେ ମୁକତି ସେ ଦେବାକୁ ଶକତା ।୯୧।
ଶୁଣିଲୁ କି ନିରାକାର ଭକ୍ତିରସ ବାଣୀ,
ହେତୁ ଚେତା କରିଥିବୁ ଅନ୍ତର୍ଗତେ ଜାଣି ।୯୨।
ଆହୁରି କଥାଏ ତୋତେ କହିବା ବୁଝାଇ,
ସାବଧାନ ହୋଇ ବାବୁ ଶୁଣ ମନ ଦେଇ ।୯୩।
ସେ ବ୍ରହ୍ମର ଦର୍ଶନ ଭଜନ ସବୁ ନାସ୍ତି,
ଚିତା ପଇତା ଆବର ଗୋମୟ ବିଭୂତି ।୯୪।
ଡୋର କଉପୁନୀ ଆଦି କିଛି ନାହିଁ ତହିଁ,
ନିଷ୍କଳଙ୍କ ବ୍ରହ୍ମ ସେ ଯେ କଳଙ୍କ ନ ଥାଇ ।୯୫।
ଜଟାଭାର କର୍ଣ୍ଣ ମୁଦ୍ରା କାହିଁ ନାହିଁ କିଛି,
ନିର୍ମଳ ବ୍ରହ୍ମ ସ୍ୱରୂପ କିଛି ନ ଲାଗୁଛି ।୯୬।
ନିର୍ମଳ ବ୍ରହ୍ମ ଶରୀର ପରିପୂର୍ଣ୍ଣ ଅଙ୍ଗ,
ଏକାନ୍ତେ ଅଛନ୍ତି ତାଙ୍କ କେହି ନାହିଁ ସଙ୍ଗ ।୯୭।
ଡୋର ଆଡ଼ବନ୍ଧ ସେହୁ ଲଗାଇବ କାହିଁ,
ସଦାନିଦା ବ୍ରହ୍ମ ତାଙ୍କ କଟୀ ଅଣ୍ଟା ନାହିଁ ।୯୮।
କଷା କଉପୁନୀ ସେ ଯେ କି କରିବ ବୋହି,
ନିଆମୀଷ ଅଙ୍ଗ ଯାର ଯୋନି ଅଣ୍ଡ ନାହିଁ ।୯୯।
ଦ୍ୱାର ଫିଟିଥିଲେ ସିନା ଲାଗିବ କବାଟ,
କିସ କରିବ କୌପୁନୀ ଯାର ନାହିଁ ବାଟ ।୧୦୦।
ମୁଦୁରା କାହିଁରେ ଦେବ ଶ୍ରବଣ ଯା ନାହିଁ,
ସେ ବ୍ରହ୍ମକୁ ଏତେ କର୍ମ ଲାଗି ନ ପାରଇ ।୧୦୧।
ବେନି ସ୍ତନ ରସ ପୁଷ୍ପ ନାହିଁ ତାର ଅଙ୍ଗେ,
ରଜ ବୀର୍ଯ୍ୟ ନାହିଁ ନ ଲାଗଇ କାହା ସଙ୍ଗେ ।୧୦୨।
ଶିର କମଳ ଯାହାର ମଥାକେଶ ନାହିଁ,
ଜଟା ବାନ୍ଧିବାକୁ ଶ୍ରଦ୍ଧା କରିବ ସେ କାହିଁ ।୧୦୩।
ଅବ୍ୟଗତ ବ୍ରହ୍ମ ସେ ଯେ ବଚନ ନ କହେ,
କର୍ମାଦି ପଥରେ କଦାଚିତ ବଶ୍ୟ ନୋହେ ।୧୦୪।
ଭେଖବାନା ଯେତେ ସବୁ ଆଦିମଣ୍ଡଳରୁ,
ସବୁ କ୍ଷରିତ ହେଉଛି ମହିମା ଅଙ୍ଗରୁ ।୧୦୫।
ଆଦି ଭୁବନରୁ ସର୍ବ ସର୍ଜନା ହେଉଛି,
ଅଲେଖକୁ ଲଗାଇଲେ ନ ଲାଗଇ କିଛି ।୧୦୬।
ଭୋଗ ଯୋଗ ଲାଗିଅଛି ଆଦି ମନ୍ଦିରରୁ,
ସବୁ ରଞ୍ଚନା ହେଉଛି ଅନନ୍ତଗର୍ଭରୁ ।୧୦୭।
ଯେତେଠାରୁ କଳ୍ପଣା ରଞ୍ଚନା ହେଉଅଛି,
ତେତେ ସୀମାନ୍ତରୁ ଜଳ ପବନ ଲାଗିଛି ।୧୦୮।
ତହିଁ ମଧ୍ୟେ ରଜ ବୀର୍ଯ୍ୟ ସଞ୍ଚରୁଛି ପିଣ୍ଡ,
ସର୍ବ ଏ ଉତିଷ୍ଟ ଯେତେ ଭାଷୁଅଛି ତୁଣ୍ଡ ।୧୦୯।
ଶୁଣିଲୁ କି ନିରାକାର ଗ୍ୟାନର ବିଚାର,
ଐକୁଣ୍ଠ ବୈକୁଣ୍ଠ ପଦ ହେତୁ ଚେତା ଧର ।୧୧୦।
ଅନେକ ପ୍ରକାରେ ଭକ୍ତି କରିଗଲେ ବହି,
ହେତୁ ଘର ଗୋଚର କାହାକୁ ଜଣା ନାହିଁ ।୧୧୧।
ହେତୁ ହେତୁ ବୋଲିବାର ସମସ୍ତେ ଜାଣନ୍ତି,
ହେତୁ ପଦକୁ ଯେ କେହି ଲଭି ନ ପାରନ୍ତି ।୧୧୨।
ଗ୍ୟାନ ବୋଲି ଉଚ୍ଚାର କରନ୍ତି ସର୍ବମୁଖେ,
ତାହା ନ ଜାଣନ୍ତି କେହି ମିଳେ କେତେ ଦୁଖେ ।୧୧୩।
ଭଗତି ବୋଲିବା କଥା ସମସ୍ତେ କହନ୍ତି,
ଭାବି କରି ବ୍ରହ୍ମେ ଲୀନ ହୋଇ ନ ପାରନ୍ତି ।୧୧୪।
ବୁଦ୍ଧି ବୋଲିବାର କଥା ପାଞ୍ଚୁଛନ୍ତି ସର୍ବେ,
ନ ଜାଣନ୍ତି ବିଚାର ଲାଗିଛି କେତେ ମାର୍ଗେ ।୧୧୫।
ଧର୍ମ ବୋଲିବାର କଥା ସମସ୍ତେ ଜାଣନ୍ତି,
ନ ବୁଝନ୍ତି କି ପ୍ରକାରେ ରହିଛି ଧରତୀ ।୧୧୬।
ଛପ୍ନାକୋଟି ଜୀବ ବୋଲି ଶାସ୍ରେ ଅଛି କହି,
କେତେ କୋଟି ଜାତ ହେଲା କରେ ଲେଖା ଯାଇ ।୧୧୭।
ଅଲେଖ ପୁରୁଷ ନିର୍ଭା କରିଛନ୍ତି ସବୁ,
ସବୁଙ୍କର ଜୀବର ଅଟନ୍ତି ମହାପ୍ରଭୁ ।୧୧୮।
ମହାନିତ୍ୟଠାରୁ ଆସୁଅଛନ୍ତି ଉତୁରି,
ଠୁଳ ଶୂନ୍ୟରୁ ପଡ଼ିଲେ ହେତୁକୁ ପାସୋରି ।୧୧୯।
ଠୁଳ ଶୂନ୍ୟଠାରୁ ହେଉଅଛି କ୍ଷରାକ୍ଷର,
ତଳକୁ ଲାଗି ଆସିଛି ଅଶେଷ ପ୍ରକାର ।୧୨୦।
ଠୁଳ ଶୂନ୍ୟଠାରୁ ସବୁ ହେଉଛି ବିଖ୍ୟାତ,
ଉପରକୁ ମହାନିତ୍ୟ ହୋଇଛି ଉଦିତ ।୧୨୧।
ଠୁଳ ଶୂନ୍ୟଯାଏ ବାବୁ ଅଛି ଚାରିବେଦ,
ତହିଁ ଉପରକୁ ଆଉ ନ ଚଳଇ ପାଦ ।୧୨୨।
ଠୁଳ ଶୂନ୍ୟଠାରୁ ଦୁତି ଯୁଗଳ ଲାଗିଛି,
ଏକୋଇଶ ପୁର ଆଦି ଯନ୍ତ୍ରିତ ହୋଇଛି ।୧୨୩।
ଅଦ୍ୟାପ ବ୍ୟକ୍ତିମାନଙ୍କୁ ପଚାରିବୁ ତୁହି,
ଠୁଳଶୂନ୍ୟ ଉପରକୁ ନ ପରିବେ କହି ।୧୨୪।
ଅନେକ ପ୍ରକାରେ ଶାସ୍ର ପଥରେ କହିବେ,
ଉପରକୁ ପଚାରିଲେ ତୁଚ୍ଛାଟା ବୋଲିବେ ।୧୨୫।
ନର ଦେବ ଅସୁର ଏ କି ପାଇବେ ଭେଦ,
ଗ୍ୟାନକୁ କାଣ୍ଡିବେ ଯାହା ଡାକୁଅଛି ପଦ ।୧୨୬।
ତେଣୁ କରି ବେଦକୁ ମଦ୍ୟପ ବୋଲି କହି,
ବହୁତ ଶାସ୍ତ୍ର ପଢ଼ିଲେ ଚିତ୍ତ ଭ୍ରମ ହୋଇ ।୧୨୭।
ଯେଉଁରୂପେ ମତୁଆ ଚଢ଼ାଇଥାଇ ନିଶା,
ମୁଖେ ଭାଷୁଥାଇ ନାନା ପରପଞ୍ଚ ଭାଷା ।୧୨୮।
ସେହିରୂପେ ଶାସ୍ତ୍ରପଢ଼ା ଲୋକଙ୍କ ବେଭାର ।
ସେ କାହିଁ ପାଇବେ ନିଜ ବ୍ରହ୍ମର ବିଚାର । ୧୨୯।
ବେଦ ଯେତେ ବାଟେ ନେଲା ତେତେ ବାଟେ ଗଲେ,
କ୍ରିୟା କର୍ମରେ ସମସ୍ତେ ଧନ୍ଦି ହୋଇ ମଲେ ।୧୩୦।
ଉଜାଡ ହୋଇ ଯାଉଛି ଷୋଳପୁରୀ ଘର,
ଫଟା କୁଡ଼ିଆକୁ ଛାପୁଛନ୍ତି ଭଙ୍ଗା ବାଡ଼ ।୧୩୧।
ଏକୋଇଶ ପୁର ସବୁ ବେଦର ବୋଲଣା,
କ୍ରିୟା କର୍ମେ ସମସ୍ତଙ୍କୁ କରିଅଛି ବଣା ।୧୩୨।
ବେଦର କଳ୍ପ ରହିଛି ମହା ନିତ୍ୟଭୂଇଁ,
ବେଦ ଜନ୍ମିଅଛି ତହୁଁ ନ ଜାଣଇ ସେହି ।୧୩୩।
ଶୁଣିଲୁ କି ନିରାକାର ଭେଦର ମହିମା,
କଳ୍ପଣାରେ ବୁଡ଼ି ରହିଛନ୍ତି ହର ବ୍ରହ୍ମା ।୧୩୪।
ଶ୍ରୀଗୁରୁ ବୋଇଲେ ବାବୁ ସବୁ କଥା ଛାଡ଼,
ଅଲେଖ ମହିମାଠାରୁ କେହି ନାହିଁ ବଡ଼ ।୧୩୫।
ଏ ସଂସାରେ ଯେମନ୍ତ ତୁ ନରଦେହ ପାଉ,
ଦିନେ ହେଲେ ଅଲେଖ ମହିମା ଭଜିଥାଉ ।୧୩୬।
ଅଲେଖ ମହିମା ଗୁଣ ମୁଖେ ନୋହେ କହି,
ଗୋଟେ ମୁଣ୍ଡିଆରେ କୋଟି ପାତକ ହରଇ ।୧୩୭।
ମହାନିତ୍ୟପୁର ସେହୁ ବହୁତ ଆକଟ,
ଷୋଳ ଦ୍ୱାରଯାକ ସବୁ ପଡ଼ିଛି କବାଟ ।୧୩୮।
ଅଦୃଷ୍ଟି ଭୁବନ ସେ ଯେ ନେତ୍ର ଚାହିଁ ନୋହେ,
ଅବ୍ୟଗତ ମହିମା ମୁଖରେ କହି ନୋହେ ।୧୩୯।
ନିରାକାର ଜଣାନନ୍ଦ ଦୁହିଙ୍କ ସମ୍ବାଦ,
ଗୁରୁସେବା କଲା ଲୋକ ବୁଝିବେ ଏ ଭେଦ ।୧୪୦।
ସାଧୁ ସୁଗ୍ୟଁଜନେ ମୋର ନ ଧରିବ ଦୋଷ,
ଅଲେଖମହିମାଙ୍କର ଅଟଇ ମୁଁ ଶିଷ୍ୟ ।୧୪୧।
ଏ କଳିଯୁଗରେ ଜନ୍ମ ହୋଇଅଛି ବାବୁ,
ପାପ ପୁଣ୍ୟ କଥା ମୋର ଜାଣନ୍ତି ସେ ପ୍ରଭୁ ।୧୪୨।
ବ୍ରହ୍ମ-ନିରୂପଣ-ଗୀତା-ପ୍ରବନ୍ଧ ପ୍ରକାଶ,
ଅଲେଖ ପ୍ରଭୁଙ୍କୁ ଧ୍ୟାୟି ଭଣେ ଭୀମଦାସ ।୧୩୪।
ଇତି ଶ୍ରୀ ବ୍ରହ୍ମ-ନିରୂପଣଗୀତା, ସୁଜନଜନହିତା, ଶ୍ରୀ ଗୁରୁଶିଷ୍ୟ-
ସମ୍ବାଦେ, ଅର୍ଥଭେଦାଭେଦକଥନେ, ମହାନିତ୍ୟ ଅଲେଖ-
ଭୁବନବର୍ଣ୍ଣନେ ଆଗମନିଗମବିଚାରଣେ ନାମ
ଚତୁର୍ଦ୍ଦଶୋଽଧ୍ୟାୟ ।
ସମାପ୍ତ