ଦଶମ ଅଧ୍ୟାୟ — ବ୍ରହ୍ମନିରୂପଣ ଗୀତା — ଭୀମ ଭୋଇ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦଶମ ଅଧ୍ୟାୟ
ନିରାକାର ଉବାଚନିରାକାର ବୋଇଲେ ଶୁଣିମା ଗୁରୁଦେବ,ସସ୍ରେଦଳ ପଦ୍ମକୁଞ୍ଜ ବ୍ରହ୍ମାଙ୍କୁ ଦୁର୍ଲଭ ।୧।ଅଶ୍ରୁତି ଅମୂର୍ତ୍ତି କଥା ମନ୍ଦିର ବିଧାନ,ସଂଖ୍ୟା କରି ମୁଖରେ କହିବ କେଉଁ ଜନ ।୨।ଅପୂର୍ବ ଚରିତ ଏ ଅଟଇ ଦିବ୍ୟ ରସ,ବେନି କର୍ଣ୍ଣେ ଶୁଣିଲେ ପାତେକ ହେବ ଧ୍ୱଂସ ।୩।ଅନୁମାନୀ ଅନ୍ତର୍ଯ୍ୟାମୀ ହୋଇବ ଯେ ଜନ,ସେହି ସେ ବୁଝିପାରିବ ଏତେକଥା ମାନ ।୪।ଯାହା ଆଜ୍ଞା ହେବ ଗୁରୁ ସ୍ୱାମୀ ନାରାୟଣ,କୁଞ୍ଜ ନିରୂପଣ ଶୁଣି ପ୍ରତେ ଗଲା ମନ ।୫।ଆସ୍ଥାନର ବିଧିମତ ଫେଡ଼ି ମୋତେ କହ,ଶୁଣିକରି ସନ୍ତୋଷ ହୋଇବ ମୋର ଦେହ ।୬।ମହିଁମାଙ୍କ ସିଂହାସନ କେମନ୍ତ ପ୍ରକାର,କେତେ କେତେ ଘଟଣା ହୋଇଛି ଆସ୍ଥାନର ।୭।ଦଣ୍ଡ ସିଂହାସନ କେତେ ଦୀର୍ଘ ପ୍ରତି ଅଛି,ଏହା ମୋତେ ନିରୂପଣେ କହିଦିଅ ବାଛି ।୮।କେତେ ପାବଚ୍ଛ ବସଛି ଆସ୍ତାନ ମଧ୍ୟରେ,କେହୁ ଶେଯ ମୁଚୁଳି ହୋଇଛି ସେହି ପୁରେ ।୯।କେତେ ପୁର କେତେ ବାହୀ ଲାଗିଛି ତହିଁରେ,ମହିମା ପ୍ରଭୁ ବିଜଏ ଯୋଗ ଆସନରେ ।୧୦।ଏ କଥା ବିସ୍ତାରି ମତେ କହ ବ୍ରହ୍ମବେତ୍ତା ।ଶ୍ରୀମୁଖରୁ ଶୁଣି ମନେ ରହିବ ମୋ ଚେତା ।୧୧।ଏତେ ବୋଲି ନିରାକାର ଶିରେ କର ଦିଏ,ପୁଣ ପୁଣ ପ୍ରଳମ୍ୱିତ କରି ଗୁରୁ ପାଏ ।୧୨।ଶ୍ରୀ ଗୁରୁଦେବ ଉବାଚଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର,ତୋ ଆଗେ କହିବା ସିଂହାସନର ପ୍ରଚାର ।୧୩।ଚାରି ଯୁଣେ ତହିଁ ରହିଅଛି ଦୀର୍ଘପ୍ରତି,ସମାନରେ ସମ ହୋଇଅଛି ଚଉକତି ।୧୪।ସି ସି ଧି ଧି ହୋଇଅଛି ବେନି ଖଟପୁଆ,ରାମନାମ ଲାଗିଅଛି ଆଡ଼େଣୀ ମରୁଆ ।୧୫।ର ର ରସ୍ତୁ ହୋଇଅଛି ଆରି ବେନି ପୁଇ,ହରେକୃଷ୍ଣ କ୍ଷର ଆଡ଼େ ହୋଇଛି ମଚୁଇ ।୧୬।ଅଅ ଆଆ ହୋଇଛି ଖଟ ଖୁର ବାଣି,ଇଈ ବେନିକ୍ଷର ତହିଁ ହୋଇଛି ଛନ୍ଦଣି ।୧୭।ଉଊ ବେନିକ୍ଷର ହୋଇଅଛି ବେନି ଭଣ୍ଡା,ଋୠ ବେନିକ୍ଷର ତହିଁ ଠିଆବାହୀ ଦଣ୍ଡା ।୧୮।ଌୡ ବେନିକ୍ଷର ତହିଁ ବସିଅଛି ଖୁରା ।ଫରୁଆ ଲାଗିଛି ତହିଁ ହୀରା ତେଜ ତୋରା ।୧୯।ଏଏ ଅଇ ବେନିକ୍ଷର ଆର ପୁଆ ଖୁଇ,ଫରୁଆ ବସିଛି ନୀଳା ତେଜ ପ୍ରାଏ ହୋଇ ।୨୦।ଓଓ ଅଉ ବେନିକ୍ଷର ହୋଇଅଛି ଶେଯ,ରାରା ପୁଷ୍ପ ବିଞ୍ଚା ତହିଁ ହୋଇଛି ସରୋଜ ।୨୧।ଅ ଓ ଅଙ୍ଘ ହୋଇଅଛି ମଥାର ମୁଚୁଳି,
ମହାବ୍ରହ୍ମ ପ୍ରଭୁ ବିଜେ ମହିମା ଅକୁଳି ।୨୨।
ଡାହାଣରେ ବସିଅଛି ସଷ୍ଟମ ପାବଚ୍ଛ,
ଯାଇପାରିଲେ ଦେଖିବୁଁ ବାବୁ ନୁହେ ମିଛ ।୨୩।
ବାମଭାଗେ ସଷ୍ଟମ ପାବଚ୍ଛ ବସିଅଛି,
ଶରଣ ରକ୍ଷଣେ ବେନି ଭୁଜ ଟେକିଅଛି ।୨୪।
ଆଗଭାଗେ ବସିଅଛି ଛଡ଼ ଯେ ପାବଚ୍ଛ,
ଶୟନରୁ ଚାହିଁଲେ ଦିଶୁଛି ସ୍ୱର୍ଗ ମଞ୍ଚ ।୨୫।
ପୂର୍ବ ଭାଗେ ସଷ୍ଟମ ପାବଚ୍ଛ ବସିଅଛି,
ପ୍ରଳୟ ସଂହାର ପୃଷ୍ଠ ଭାଗେ ଲୁଚାଇଛି ।୨୬।
ଉତ୍ତର ଦକ୍ଷିଣେ ବାର ପାବଚ୍ଛ ବସିଲା,
ପୂର୍ବ ପଶ୍ଚିମକୁ ଘେନି ଚବିଶ ହୋଇଲା ।୨୭।
ଉଅ ହୁଅ ସସ ଅଟନ୍ତି ସେ ତିନିଜଣ,
ମହିମାଙ୍କ ଅଙ୍ଗେ ଲିପୁ ଅଛନ୍ତି ଚନ୍ଦନ ।୨୮।
ହ୍ଳୀଂ ଶ୍ଳୀଁ କ୍ଳୀଂ ସେ ଅଟନ୍ତି ତିନି ମୂର୍ତ୍ତି,
ମହିମାଙ୍କ ବେନି ପାଦମଞ୍ଚାଳୁ ଅଛନ୍ତି ।୨୯।
ଅଣ୍ଡ ବୀଜ ସ୍ୱେଦ ବୀଜ ଉଦ ବୀଜ ତିନି,
ଶ୍ରୀଅଙ୍ଗ ଆଉଁଶୁଛନ୍ତି ଆଗ୍ୟାଁ ଶିରେ ଘେନି ।୩୦।
ରାରା ମମ ଶବଦହିଁ ତିନି ଲୋକ ଛନ୍ତି,
ଶୟନ ଭୋଜନ ଠାରେ ଖଟଣୀଆ ନିତି ।୩୧।
ଅଷ୍ଟ ଜ୍ୟୋତି ଦୀପ ତହିଁ ଛାମୁ ରୁଖା ଦୀପ,
ଚତୁର୍ମୁଖୀ ଜାଗର ଜଳୁଛି ଚାରିପାଖ ।୩୨।
ସାତସିନ୍ଧୁ ହୋଇଅଛି ସୁବର୍ଣ୍ଣର ଝରି,
ମହାବ୍ରହ୍ମ ମହିମା ସେ ଧୁଅନ୍ତି ଆଦରି ।୩୩।
ଗ୍ୟାନର କଳ୍ପ ହୋଇଛି ସୁବର୍ଣ୍ଣ ଚାନ୍ଦୁଆ,
ଯମୁନା ନଦୀ ହୋଇଛି ଶ୍ରୀପୟର ଧୁଆ ।୩୪।
ଚାରି ଅଗ୍ନି ପଟୁଆରି ଛନ୍ତି ଚଉପାଶେ,
ମଧ୍ୟେ ବିଜୟେ ମହିମା ବ୍ରହ୍ମ ପରକାଶେ ।୩୫।
କ ଅକ୍ଷର ହୋଇଛନ୍ତି ଶ୍ରୀବୀର କାହାଳୀ,
ଶବଦ ଘାତରେ ପୁର ପଡ଼ୁଛି ଉଛୁଳି ।୩୬।
ଖ ଅକ୍ଷର ହୋଇଛି ଖଞ୍ଜରିକା ବାଦ୍ୟ,
ଘୁଘୁ କମ୍ପୁଅଛି ମହାନିତ୍ୟ ମଧ୍ୟ ।୩୭।
ଗ ଅକ୍ଷର ହୋଇଛି ମନ୍ଦିରା ଯେ ତିନି,
ସୁସ୍ୱର ଶବଦ ବାଜୁଅଛି ଟିଣି ଟିଣି ।୩୮।
ଯ ଅକ୍ଷର ହୋଇଛି ପିଟା ଘଡ଼ି ଘଣ୍ଟ,
ଝାଉଁ ଝାଉଁ ଶବଦ କରୁଛି ମହା ଆଣ୍ଟ ।୩୯।
ଙ ଅକ୍ଷର ହୋଇଛି ଆୟ ଅଳଙ୍କାର,
ମହିମାଙ୍କ ଶ୍ରୀଅଙ୍ଗ ଦିଶୁଛି ଶୋଭାକାର ।୪୦।
ଚ ଅକ୍ଷର ହୋଇଅଛି ଶେତ ଯେ ଚାମର,
ଶ୍ରୀଛାମୁରେ ପକାଉ ଅଛନ୍ତି ଧୀର ଧୀର ।୪୧।
ଛ ଅକ୍ଷର ହୋଇଛି ଛତର ଯେ ସତି,
ଧବଳମୟେ ଦିଶୁଛି ମହାନିତ୍ୟ କ୍ଷିତି ।୪୨।
ମ ଅକ୍ଷର ତହିଁ ପରେ ଜଳୁଅଛି ଦୀପ,
ଫୁଟି ଦିଶୁଅଛି ମହିମାଙ୍କ ନିଜ ରୂପ ।୪୩।
ଝ ଅକ୍ଷର ହୋଇଛି ତହିଁ ଫୁଲଝରା,
ମହିମା ମଥାରେ ଖଞ୍ଜା ହୋଇଅଛି ଝରା ।୪୪।
ଞ ଅକ୍ଷରଟି ତହିଁ ହୋଇଛି ନିଶାଣ,
ଦୁଲୁ ଦୁଲୁ ବାଜଣା ବାଜଇ ମହାଟାଣ ।୪୫।
ଟ ଅକ୍ଷରଟି ଯେହୁ ହୋଇଛି ଟମକ,
ଅଶେଷ ବ୍ରହ୍ମାଣ୍ଡ ଯାକ ଶୁଭୁଛି ଚମକ ।୪୬।
ଠ ଅକ୍ଷର ଠାକୁର ଠାକୁରାଣୀ ନାମ,
ନୀଳା ଲାଗିଅଛି ତହିଁ ମହାନିତ୍ୟ ଧାମ ।୪୭।
ଡ ଅକ୍ଷରଟି ତହିଁ ପଡ଼ିହାରୀ ଡାକ,
ତଦନ୍ତରେ କଳଣା କରୁଛି ଚଉପାଖ ।୪୮।
ଢ ଅକ୍ଷରଟି ହୋଇଅଛି ବାଜା ଢୋଲ,
ଶବଦରେ ଭୁବନ କମ୍ପୁଛି ଦଲ ଦଲ ।୪୯।
ଅଣ ଅକ୍ଷର ହୋଇଛି ଅନୁମାନ ବୁଦ୍ଧି,
ଲକ୍ଷେ ବନ୍ଧେ ଲୀଳାରଙ୍ଗ ଭିଆଉଛି ସିଦ୍ଧି ।୫୦।
ତ ଅକ୍ଷରଟି ହୋଇଅଛି ତାଳ ଝାଞ୍ଜ,
ଯହିଁକି ଯେମନ୍ତ ସାଜେ ଲଗାଇଛି ଖଞ୍ଜ ।୫୧।
ଥ ଅକ୍ଷର ହୋଇଛି ତା ତା ଧିନା ଥେଇ,
ମୃଦଙ୍ଗ ବାଜୁଛି ଆଦ୍ୟ ସଞ୍ଚାରକୁ ଫେଇ ।୫୨।
ଦଅ ଅକ୍ଷର ହୋଇଛି ଦାଉଣ୍ଡିଆ ବାଦ,
ହାଉ ହାଉ ଶବଦ କରୁଛି ମହାନାଦ ।୫୩।
ଧଅ ଅକ୍ଷରଟି ତହିଁ ଧାରଣା ଧରତୀ,
ଏକ କର୍ମ୍ମରେ ଚାଳନ୍ତେ ସର୍ବେ ଏକ ଜାତି ।୫୪।
ନଅ ଅକ୍ଷରଟି ତହିଁ ନଫୁରି ବାଜଣା,
ଡାକୁଅଛି ଧର ଧର ତିନିପୁର ଜିଣା ।୫୫।
ପଅ ଅକ୍ଷରଟି ହୋଇଅଛି କର ପଖା,
ଅନୁକ୍ଷଣେ ପଡ଼ୁଅଛି ପାରୁଶରେ ଶାଖା ।୫୬।
ଫଅ ଅକ୍ଷରଟି ତହିଁ ବରଷୁଛି ଫୁଲ,
ଆମୋଦ ବାସନା ବାସେ ମହାନିତ୍ୟ ସ୍ଥଳ ।୫୭।
ବ ଅଅକ୍ଷର ହୋଇଛି ବେଣୁ ଯେ ବୈଂସୋରି,
ଶବଦ ମଧୁର ଧ୍ୱନି କରେ ଶିରି ଶିରି ।୫୮।
ଭଅ ଅକ୍ଷର ହୋଇଛି ଭାଷା ପରବନ୍ଧ,
ଭାବ ଭୋଳେ ପୟରୁ ଝରୁଛି ମକରନ୍ଦ ।୫୯।
ମଅ ଅକ୍ଷରଟି ତହିଁ ମର୍ଦ୍ଦଳ ଡମ୍ୱରୁ,
ବାଜଣାରେ କମ୍ପମାନ ହୁଏ ଗିରି ମେରୁ ।୬୦।
ଯଅ ଅକ୍ଷରଟି ତହିଁ କରୁଛି ଯତନ,
ଯେଣିକି ଚାହିଁଲେ ତେଣେ ଦିଶେ ଘନ ଘନ ।୬୧।
ରଅ ଅକ୍ଷରଟି ତହିଁ ରାହାସ ମଣ୍ଡଳୀ,
ଲୀଳା ଲାଗିଅଛି ଆରେ ଆରକକୁ ବଳି ।୬୨।
ଲଅ ଅକ୍ଷରଟି ତହିଁ ଲାବଣ୍ୟ ସୁନ୍ଦର,
ଗହ ଗହ ଧ୍ୱନି ଶୁଭୁଅଛି ନିରନ୍ତର ।୬୩।
ବଅ ଅକ୍ଷରଟି ତହିଁ ବେହେଲା ଶିତାର,
ପଞ୍ଚମ ପ୍ରକାରେ ବାଦ୍ୟ ବାଜୁଛି ସୁସ୍ୱର ।୬୪।
ଶ୍ରୀ ଅକ୍ଷର ହୋଇଅଛି ଶିତାର ଶାରଙ୍ଗୀ,
ଅଶେଷ ପ୍ରକାରେ ହେଉଅଛି ନୃତ୍ୟ ଭଙ୍ଗି ।୬୫।
ଷଅ ଅକ୍ଷରଟି ଶଙ୍ଖ ଶିଙ୍ଗା ହୋଇଅଛି,
ଜୟ ଜୟ ଶବଦ ତ୍ରିପୁର ଉଛୁଳୁଛି ।୬୬।
ସଅ ଅକ୍ଷରଟି ତହିଁ ଶୁରୁତା ବକତା,
ହରିର ସେ ମଦ୍ୟପାନେ ସର୍ବେ ମଏମତ୍ତା ।୬୭।
ହଅ ଅକ୍ଷରଟି ହୀରା ଅଙ୍ଗ ତେଜମଏ,
ସର୍ବାଙ୍ଗେ ଶୁକଳ ଦିଶେ ସବୁଙ୍କରି କାଏ ।୬୮।
କ୍ଷଅ ଅକ୍ଷରଟି ଲାଗିଅଛି ଲୀଳା ଖେଳ,
ମହିମା ବିଜୟ ମହାନିତ୍ୟର ମଣ୍ଡଳ ।୬୯।
ବସନ ପବନ ତହିଁ ବହୁଛି ଶୀତଳ,
ଅଗୁରୁ ଚନ୍ଦନ ବାସ ଗନ୍ଧ ପରିମଳ ।୭୦।
ଶରଦ ଉଷୁମ ଦୁଇ ପରକାର ଅଛି,
ମହାନିତ୍ୟ ଅଭୟ ଭୁବନ ବୋଲାଉଛି ।୭୧।
ଗ୍ୟାନୀମାନେ ସେଠାବକୁ ଛନ୍ତି ଅନୁସରି,
ଧର୍ମ୍ମ ପୂର୍ଣ୍ଣ ଯାଏ କେହି ନ ପାରନ୍ତି ଧରି ।୭୨।
ତାରଣ ମାରଣ ତହିଁ ସର୍ବ ପୂରିଅଛି,
ସ୍ଥିତି ଉତ୍ପତ୍ତି ପ୍ରଳୟ ନ ବାଧଇ କିଛି ।୭୩।
ଅଶେଷ ବ୍ରହ୍ମାଣ୍ଡେ ଯେତେ ଦେହ ଧରିଛନ୍ତି,
ମହିମା ଶକତି ଠାରୁ ସର୍ବେ ଉତପତ୍ତି ।୭୪।
ଦିବସ ରଜନୀ ଲୀଳା ଲାଗିଅଛି ତହିଁ,
ସେହିଠାରୁ ଚାରିଯୁଗ ମୁହୂର୍ତ୍ତେ ଲାଗଇ ।୭୫।
ଅକ୍ଷଏ ମହିମା ସେ ନୁହଇ କ୍ଷଏ ବୃଦ୍ଧି,
ଅନାଦିଠାରୁ ମହିମା ଅଟନ୍ତି ସେ ଆଦି ।୭୬।
ମହିମା ନାମଟି ସେ ଅଟନ୍ତି ମହାମାୟୀ,
ଅନାଦି ଦୋରେହା ହେଲେ ଆଦି ଦିଏ ଖାଇ ।୭୭।
ଏହିରୂପେ ନାଶ ଯାଉଅଛି ଏ ଜଗତ,
ସମସ୍ତେ ଅଟନ୍ତି ଆଦି ମହିମା ଭଗତ ।୭୮।
ଆଦି ଅନାଦି ତ ଏ ଅଟନ୍ତି ମାତା ପିତା,
ପିତାଠାରେ ଦ୍ରୋହ କଲେ ସଂହାରଇ ମାତା ।୭୯।
ଅଲେଖଙ୍କ ଭଗତ ହୋଇବ ଯେଉଁ ଜନ,
ମହିମା ଭଜିଲେ ସିନା ବ୍ରହ୍ମେ ହେବ ଲୀନ ।୮୦।
ନିରାକାର ଉବାଚ
ନିରାକାର ବୋଇଲେ ଶୁଣିମା ଗୁରୁସାଇଁ,
ଛଡ଼ପାବଚ୍ଛ ସିଦ୍ଧାନ୍ତ ଫେଡ଼ି ଦିଅ କହି ।୮୧।
କେ କେମାନେ ସଷ୍ଟମ ପାବଚ୍ଛେ ବସିଛନ୍ତି,
ଶ୍ରୀମୁଖରେ ଆଜ୍ଞା ହେଉ ଯିବ ମୋକ୍ଷଗତି ।୮୨।
ନିରାକାର ବଚନେ କହନ୍ତି ଗୁରୁଦେବ,
ଶୁଣ ବାବୁ ଆଦିକନ୍ଦ ପାବଚ୍ଛ ସଂଯୋଗ ।୮୩।
ଶ୍ରୀ ଗୁରୁଦେବ ଉବାଚ
ପ୍ରଥମ ପାବଚ୍ଛ ଗୋଟା କଳ୍ପଣା ଅଟଇ,
କଳ୍ପଣା କ୍ଷରନ୍ତେ ନାଦ ଆସୁଅଛି ବହି ।୮୪।
ଦ୍ୱିତୀୟ ପାବଚ୍ଛ ଗୋଟି ଜନମ ଜାତକ,
କୋଟିକୋଟି ସଞ୍ଚରିତ ହୋଇଛନ୍ତି ଦେଖ ।୮୫।
ତୃତୀୟ ପାବଚ୍ଛ ଗୋଟି ମରଣ ଅଟଇ,
ସ୍ଥିତି ଉତ୍ପତ୍ତି ପ୍ରଳୟ ସଂହାର କରଇ ।୮୬।
ଚତୁର୍ଥ ପାବଚ୍ଛ ଗୋଟି ହୁଅଇ ନିଗମ,
ଯାହାକୁ ଯେମନ୍ତ ବାଣ୍ଟି ଲାଗିଅଛି କର୍ମ ।୮୭।
ପଞ୍ଚମ ପାବଚ୍ଛ ଗୋଟି ଜଙ୍ଗମ ହୋଇଲା,
ଅଚଳ ପାବଚ୍ଛ ସେ ଚଲାକି ତହୁଁ ହେଲା ।୮୮।
ସଷ୍ଟମ ପାବଚ୍ଛ ଗୋଟି ଅଟଇ ସ୍ଥାବର,
ଛଡ଼ ବେଦର ଉପରେ ମହିମାଙ୍କ ଘର ।୮୯।
ଅଭୟ ମହିମା ତହିଁ ବିଜେ କରିଛନ୍ତି,
ଅଚିନ୍ତା ଭୁବନ ସେ ନ ଥାଇ ଭୟ ଭ୍ରାନ୍ତି ।୯୦।
ଶରଣରକ୍ଷଣବାନା ମହିମାଙ୍କ ସିନା,
ମହିମାଠାରୁ ବ୍ରହ୍ମାଣ୍ଡେ କେହି ନାହିଁ ଜିଣା ।୯୧।
ଗତି ମୁକତି ପଦକୁ ହୃଦେ ବହିଛନ୍ତି,
ଶରଣ ବୋଇଲେ ଗର୍ଭଗତରେ ରଖନ୍ତି ।୯୨।
ମହିମା ପ୍ରସନ୍ନ ହେଲେ କି କରିବ କାଳ,
ସିଂହ ପ୍ରାଏ ଫେରୁଥିବ ଏ ମହୀମଣ୍ଡଳ ।୯୩।
ମହିମା ପ୍ରସନ୍ନ ହେଲେ କି କରିବ ଯମ,
ପାଦତଳେ ପଡ଼ି ଯମ କରିଯିବ କ୍ଷମ ।୯୪।
ମହିମା ପ୍ରସନ୍ନ ହେଲେ କି କରିବ ରୋଗ,
ଏ ତିନି ବ୍ରହ୍ମାଣ୍ଡ ନିଶ୍ଚେ କରିବ ସେ ଭୋଗ ।୯୫।
ମହିମା ପ୍ରସନ୍ନ ହେଲେ କି କରିବ ମୃତୁ,
ଅନନ୍ତ ଗର୍ଭେ ରହିବ ପାଇ ନିଜ ହେତୁ ।୯୬।
ମହିମା ପ୍ରସନ୍ନ ହେଲେ କି କରିବ ଦେବୀ,
ଭଗତ ଦୃଷ୍ଟି ପଡ଼ିଲେ ପଳାଇବ ଭାଗି ।୯୭।
ମହିମା ପ୍ରସନ୍ନ ହେଲେ କି କରିବ ଗ୍ରହ,
ଭଗତ ଅଙ୍ଗେ ପଡ଼ିଲେ ପାଇବ ସେ ଦ୍ରୋହ ।୯୮।
ମହିମା ପ୍ରସନ୍ନେ କି କରିବ କାଣ୍ଡ ଖଣ୍ଡା,
ଭଗତ ଅଙ୍ଗେ ପଡ଼ିଲେ ହେବ ମସିଗୁଣ୍ଡା ।୯୯।
ମହିମା ପ୍ରସନ୍ନ ହେଲେ କି କରିବ ବାଣ,
ଯେ ପେଷିବ ଲେଉଟାଇ ଘେନିବ ତା ପ୍ରାଣ ।୧୦୦।
ଶୁଣିଲୁକି ନିରାକାର ମହିମାର କଥା,
ମହିମା ପଦଟି ଯେହୁ ବଡ଼ ସାମରଥା ।୧୦୧।
ମହିମାଙ୍କ ଠାରୁ ବଡ଼ ନାହିଁ ନା ସଂସାରେ,
ମହିମାହୁଁ ଆତଯାତ ତିନି ଜଗତରେ ।୧୦୨।
ଚାରିଖାନି ଜୀବ ତହୁଁ ହେଉଛନ୍ତି ଜାତ,
ବିଚାରିଲେ କ୍ଷଣକ ମାତ୍ରକ କରେ ହତ ।୧୦୩।
ତାହାର ସଞ୍ଚିଲା ସିନା ଅଶେଷ ଭୁବନ,
ମନ କଲେ ମୁହୂର୍ତ୍ତକେ କରେ ରଣଭଣ ।୧୦୪।
ଛପ୍ନାକୋଟି ଜୀବ ତାର ଲେଖାରେ ଅଛନ୍ତି,
ଯାହା ବିଚାରିବ ତାହା ସେହି ଦେଉଛନ୍ତି ।୧୦୫।
ଧନ୍ୟ ଧନ୍ୟ ରତ୍ନ ସିଂହାସନର ମହିମା,
ପଦ ପ୍ରସଙ୍ଗରେ ବର୍ଣ୍ଣି କି ଦେବି ଉପମା ।୧୦୬।
ଅଶେଷ ଭୁବନଠାରୁ ଅଧିକେ ସେ ପୁରୀ,
କୋଟି କୋଟି ବ୍ରହ୍ମା ଯାକୁ ଛନ୍ତି ଆଶ୍ରେ କରି ।୧୦୭।
ଚାରିକୋଟି ବିଷ୍ଣୁ ଚଉପାଶେ ଅନୁସରି,
ଚାରିପାଦ ମହିମା ତହିଁରେ ବିଜେ କରି ।୧୦୮।
କୋଟି କୋଟି ବ୍ରହ୍ମା ଧରିଅଛନ୍ତି ପୟର,
ବ୍ରହ୍ମାଙ୍କ ପଛରେ ଛନ୍ତି କୋଟି ବିଶ୍ୱେଶ୍ୱର ।୧୦୯।
ବିଷ୍ଣୁଙ୍କ ପଛରେ ଛନ୍ତି କୋଟି ସଦାଶିବ,
ଶିବଙ୍କ ପଛରେ ଛନ୍ତି କୋଟିଏ ଗନ୍ଧର୍ବ ।୧୧୦।
ବେଦ କଳ୍ପ କାଛ ଚଉପାଶେ ହୋଇଅଛି,
ଅଭୟ ମହିମା ବ୍ରହ୍ମ ଅଚିନ୍ତାରେ ଅଛି ।୧୧୧।
ଅଭୟ କବାଟମାନ ଲାଗିଅଛି ତହିଁ,
ଅଦଭୁତ କଣ୍ଟାମାନ ପିଟିଅଅଛି ତହିଁ ।୧୧୨।
ଅନ୍ତର୍ଯ୍ୟାମୀ ମହିମା ଜାଣନ୍ତି ସର୍ବ କଥା,
ଅଶେଷ ଭୁବନ ପୁର ସମସ୍ତ ବାରତା ।୧୧୩।
ଜୟ ଜୟ ଶ୍ରୀ ମହିମା ଚରଣେ ଶରଣ,
ସୁଧା ମକରନ୍ଦ ଦେଇ କର ଉଧାରଣ ।୧୧୪।
ଜୟ ଜୟ ଶ୍ରୀ ମହିମା ଭକ୍ତ ହିତକାରୀ,
କୃପାନେତ୍ରେ ଚାହିଁ ମୋତେ ଥିବ ଦୟାକରି ।୧୧୫।
ପଶ୍ଚିମ ଦିଗ ଦୁଆର କବାଟ ପକାଇ,
ମହିମା ଚରଣେ ଦଣ୍ଡ ପ୍ରଳମ୍ୱ କରଇ ।୧୧୬।
ଉତ୍ତରଦ୍ୱାର କବାଟ ପକାଇ ତକ୍ଷଣ,
ମହିମା ଚରଣ ବିନ୍ଦେ ମାଗଇ ଶରଣ ।୧୧୭।
ଦକ୍ଷିଣଦ୍ୱାର କବାଟ ତହୁଁ ପକାଇଲା,
ଶତେବାର ପ୍ରଳମ୍ୱିତ ଶିରେ କର ଦେଲା ।୧୧୮।
ପୂର୍ବଦୁଆର କବାଟ ପକାଇ ସଧୀର,
ମହିମାକୁ ଚାହିଁ ବୋଲେ ଦୋଷ କ୍ଷମାକର ।୧୧୯।
ମହା ମହିମା ସେ ଅଲେଖଙ୍କ ପାଟରାଣୀ,
ମନ୍ଦିର ମଧ୍ୟରେ ଛନ୍ତି ଅବ୍ୟକତ ମଣି ।୧୨୦।
ଚାରିଦୁଆର କବାଟ ପଡ଼ିଲାକ ମୁଦ,
ସେ ମନ୍ଦିରେ ମୂଳ ଦ୍ୱାରୀ ହୋଇଅଛି ଭେଦ ।୧୨୧।
ଭଗତ ହୋଇଲେ ଅନୁସରି ସେହିଠାକୁ,
କାଳ ବେଳ ନିକଟ ହେଲାଣି ଦେଖୁ ଦେଖୁ ।୧୨୨।
ଏ ଯୁଗରେ ମହିମା ଭଜିଲେ କାର୍ଯ୍ୟ ଅଛି,
ଅନ୍ୟ କର୍ମାର୍ଥରେ ଆଉ ସୁଖ ନାହିଁ କିଛି ।୧୨୩।
ହୋଇବ ସମସ୍ତେ ଯେବେ ମହାନିତ୍ୟବାସୀ,
ଭଜ ଏତେବେଳେ ପ୍ରଭୁଙ୍କର ଦାସଦାସୀ ।୧୨୪।
ବ୍ରହ୍ମ-ନିରୂପଣ-ଗୀତା ସାରସ୍ୱତ ବାଣୀ,
ଶ୍ରୀଗୁରୁଙ୍କୁ ଧ୍ୟାୟିକରି ଭୀମ ଦାସ ଭଣି ।୧୨୫।
ଇତି ଶ୍ରୀ ବ୍ରହ୍ମ-ନିରୂପଣ-ଗୀତା, ସୁଜନଜନହିତା,
ଗୁରୁ ଶିଷ୍ୟ-ସମ୍ୱାଦେ, ଶକତି-ଭେଦା-ଭେଦ
ବର୍ଣ୍ଣନେ, ନିଜ ମହିମା ଚରିତ-କଥନେ,
ଆଗମ ନିଗମ ବିଚାରଣେ ନାମ
ଦଶମୋଽଧ୍ୟାୟଃ ।
ଏକାଦଶ ଅଧ୍ୟାୟ
ନିରାକାର ଉବାଚନିରାକାର ବୋଇଲେ ଶୁଣିମା ଗୁରୁସ୍ୱାମୀ,ଜଣାନନ୍ଦ ପୁରୁଷ ସକଳ ଅନ୍ତର୍ଯ୍ୟାମୀ ।୧।ମହିମା ନାମଟି ଯେହୁ ମହାବ୍ରହ୍ମ ସେହି,ବେନିକର୍ଣ୍ଣେ ଶୁଣି ମନେ ପ୍ରତେ ଗଲି ମୁହିଁ ।୨।ନିଜ ମହିମା ମନ୍ଦିର କବାଟ ପଡ଼ିଲା ।ମହାନିତ୍ୟ ପୁର କଥା କେମନ୍ତ ହୋଇଲା ।୩।ବ୍ରହ୍ମର ଭୁବନ ସେ ଯେ ଅମରାଧିପୁର ।କେତେ ପ୍ରକାରରେ ତୋଳା ହୋଇଛି ମନ୍ଦିର ।୪।କୁଞ୍ଜ ମଣ୍ଡଳକୁ ଘେନି ମହାନିତ୍ୟ ଭୂଇଁ,ଚାରି ଦ୍ୱାରେ କେତେ କେତେ ମନ୍ଦିର ଅଛଇ ।୫।କେମନ୍ତ ପ୍ରକାରେ ନିର୍ଭା ହୋଇଛି ମନ୍ଦିର,କେତେ କେତେ ଖମ୍ୱ ପାଟି ଲାଗିଛି ତହିଁର ।୬।ଏ କଥା ବିସ୍ତାରି ମୋତେ କହ ବ୍ରହ୍ମବେତ୍ତା,ମହାନିତ୍ୟ ଭୁବନର ବସତିର କଥା ।୭।ଶ୍ରୀ ଗୁରୁଦେବ ଉବାଚଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର,କହିଦେବା ମହାନିତ୍ୟ ଭୁବନ ବିଚାର ।୮।ଉତ୍ତର ଦୁଆରେ ଅଛି ଏକସ୍ତମ୍ଭ ଘର,ଛାଉଣି ଦିଶେ ଦୀର୍ଘ ଚଉଡ଼ା ପ୍ରକାର ।୯।ଖମ୍ୱ ମୂଳେ ତିଆରି ହୋଇଛି ରତ୍ନ ବେଦି,ପରମପୁରୁଷଙ୍କର ବଇଠକ ଗାଦି ।୧୦।ମହାନିତ୍ୟ ଭୁବନର ଦ୍ୱାର ଯେ ଉତ୍ତର,ଘର କରିଛନ୍ତି ଷୋଳ ଲକ୍ଷ ପର୍ମେଶ୍ୱର ।୧୧।ଷୋଳ ଲକ୍ଷ ପରମକୁ ଷୋଳ ଲକ୍ଷ ଜୀବ,ସେବା ଭକ୍ତି ଲାଗି କରୁଛନ୍ତି ପୁଣ୍ୟ ଭୋଗ ।୧୨।ରାମ ନାମ ପଦ ହୋଇଅଛି ଘଡ଼ି ଘଣ୍ଟ,ବ୍ରହ୍ମ ସେବା କରି ବୋଲୁଛନ୍ତି ଉଠ ଉଠ ।୧୩।ପରମ ଜ୍ୟୋତି ଶବଦ ହୋଇଛି ପାହାରି,ଷୋଳ ଲକ୍ଷର ଆକାର ମନ୍ଦିରକୁ ଧରି ।୧୪।ନିର୍ଭା ହୋଇଅଛି ପୁର ସୁବର୍ଣ୍ଣର ଇଟା,ନବରତ୍ନ ତିଆରି ହୋଇଛି ଘର କୋଠା ।୧୫।ସୁବର୍ଣ୍ଣ ତେଜ ପତର ହୋଇଛି ଛାଉଣି,ଶୋଭା ଦିଶୁଅଛି ପୁର ଅପୂର୍ବ କାହାଣି ।୧୬।ଉତ୍ତର ଦୁଆର ବିଧି ଏମନ୍ତ ପ୍ରକାର,ପଶ୍ଚିମ ଦୁଆର କଥା ଶୁଣ ନିରାକାର ।୧୭।ଧବଳମୟ ଦିଶୁଛି ପଶ୍ଚିମ ଦୁଆର,ଏକୌଶ ଲକ୍ଷ ଅନନ୍ତ କରିଛନ୍ତି ଘର ।୧୮।ରାତ୍ର ଦିନ ବାରଣ ନୁହଇ ସେ ଦୁଆରେ,ବ୍ରହ୍ମଜ୍ଞାନୀ ଭଗତ ଲାଗିଛି ନିରନ୍ତରେ ।୧୯।ଅଶ୍ରୁତି ଅଦୃଷ୍ଟି ହୋଇଅଛି ସେହି ପୁର,ଅନନ୍ତ ନାମଟି ଘଣ୍ଟା ହୋଇଛି ତହିଁର ।୨୦।ଅନନ୍ତ ଶବଦ ତହିଁ ହୋଇଛି ପାହାରି,ଏକୌଶ ଲକ୍ଷ ମନ୍ଦିର ଆକ୍ରାନ୍ତକୁ ଧରି ।୨୧।ପୁରମାନ ମଣ୍ଡଣି ହୋଇଛି ମନୋହର,ଚାହିଁ ଦେଲେ ଦିଶୁଅଛି ବିଚିତ୍ର ପ୍ରକାର ।୨୨।ଶୁଣିଲୁ କି ନିରାକାର ପଶ୍ଚିମର ରୀତି,ବୁଝାଇ କହୁ ଦକ୍ଷିଣ ଦୁଆର ବିଭୂତ ।୨୩।ଦକ୍ଷିଣ ଦିଗ ଦୁଆରେ ଜଗନ୍ନାଥେ ଛନ୍ତି,ବାର ଲକ୍ଷ ଅଛି ତହିଁ ମନ୍ଦିର ବିଭୂତ ।୨୪।ଜଗନ୍ନାଥ ନାମ ହୋଇଅଛି ଘଡ଼ି ଘଣ୍ଟା,ନିରନ୍ତରେ ସେବା ଭକ୍ତି ଲାଗିଅଛି ନିଷ୍ଠା ।୨୫।ଶବଦ ବ୍ରହ୍ମଟି ତହିଁ ହୋଇଛି ପାହାରି,ଚଉଦ ଲକ୍ଷ ମନ୍ଦିର ଆକାରକୁ ଧରି ।୨୬।ସୁବର୍ଣ୍ଣ ଇଟା ପଥର ଲାଗିଅଛି ତହିଁ,ଅଷ୍ଟ ଧାତୁ ନୁହେ ବ୍ରହ୍ମ ଜାତି ସେ ଅଟଇ ।୨୭।ଛାଏଣି ହୋଇଛି ତହିଁ ତେଜପତ୍ରମାନ,ଶୋଭାକାର ଦିଶୁଛି ଘଟଣା ଅନୁଅନ ।୨୮।ଶୁଣିଲୁ କି ନିରାକାର ତହିଁର ଭିଆଣ,ବୁଝାଇ କହିବି ଯେତେ ପୂର୍ବର ବିଧାନ ।୨୯।ପୂର୍ବ ଦ୍ୱାରେ ବାର ଲକ୍ଷ ମନ୍ଦିର ବସତି,ଚବିଶ ଲକ୍ଷ ରାଧିକା ଶ୍ରୀକୃଷ୍ଣ ଅଛନ୍ତି ।୩୦।ରଙ୍ଗ ପିଙ୍ଗଳ ହିଙ୍ଗୁଳ ସୁବର୍ଣ୍ଣର ଇଟା,ବଇଡ଼ୁର୍ଯ୍ୟ ବ୍ରହ୍ମଜାତି ତହିଁ ପିଣ୍ଡା କୋଠା ।୩୧।ଶ୍ରୀକୃଷ୍ଣ ନାମଟି ତହିଁ ହୋଇଛି ପାହାରି,ବାର ଲକ୍ଷ ମନ୍ଦିରର ଆକାରକୁ ଧରି ।୩୨।ନାରଦ ଶବଦ ହୋଇଅଛି ଘଡ଼ି ଘଣ୍ଟା,ଶୁଭ ଅନକୂଳ ବାରି ହୋଉଅଛି ପିଟା ।୩୩।ଶୁଣିଲୁ କି ନିରାକାର ମହାନିତ୍ୟ କଥା,ଲତା ଫୁଟାଇ କହିଲେ ବଢ଼ିଯିବ ପୋଥା ।୩୪।କୃଷ୍ଣ ମଣ୍ଡଳରେ ଚଳେ ମୃଦଙ୍ଗ କର୍ତ୍ତାଳ,ଶଙ୍ଖ ଶିଙ୍ଗା କାହାଳିର ଶବଦ ଚହଳ ।୩୫।ପରମ ମଣ୍ଡଳେ ଚଳେ ଶିତାର ବେହେଲା,ଝାଞ୍ଜ ମର୍ଦ୍ଦଳ ଶବଦେ ମେଦିନୀ ଉଛଳା ।୩୬।ଅନନ୍ତ ମନ୍ଦିରେ ବାଜେ ଖଞ୍ଜଣି ମନ୍ଦିରା,ଏକତାଳୀ ବାଦ୍ୟ ନାଦ ପୃଥୀକମ୍ପା ଧାରା ।୩୭।ଜଗନ୍ନାଥ ମଣ୍ଡଳରେ ନିଶାଣ ଟମକ,ଦେବୀଙ୍କର ବାଦ୍ୟ ସେ ଯେ ପୃଥୀ କି ଚମକ ।୩୮।ଅନନ୍ତଙ୍କ ପୁରେ ଲାଗିଅଛି ଲକ୍ଷେ ଲୀଳା,ମହା ବ୍ରହ୍ମଗ୍ୟାନର କୋଟିଏ ତେଜ କଲା ।୩୯।ଜଗନ୍ନାଥ ପୁରରେ ଲାଗିଛି ଲକ୍ଷେ ନାଟ,ସେହିଠାରୁ ରଚନା ହେଉଛି ନଟକୂଟ ।୪୦।ଶ୍ରୀକୃଷ୍ଣ ପୁରରେ ଲକ୍ଷେ ଲୀଳା ଆଭରଣ,କାମ ପ୍ରେମ କଳ୍ପଣାଟି ହେଉଛି ଉଦ୍ୟାନ ।୪୧।ପରମ ମନ୍ଦିରେ ଲାଗିଅଛି ଲକ୍ଷେ ଲୀଳା,କୋଟିଏ ଅନଳ ଦିଶେ ଜ୍ୟୋତି ବ୍ରହ୍ମକଳା ।୪୨।ଅନନ୍ତ ମଣ୍ଡଳୁ ଜାତ ହେଉଛି ଅନଳ,ପରମ ମଣ୍ଡଳୁ ଜାତ ପବନ ଶୀତଳ ।୪୩।ଶ୍ରୀକୃଷ୍ଣ ମଣ୍ଡଳୁ ଜାତ ହେଲେ ନାଦ ବିନ୍ଦୁ,ଜଗନ୍ନାଥ ଭୁବନୁ ପ୍ରକାଶ ରୂପ ଇନ୍ଦୁ ।୪୪।ଅନଣ୍ଡ ମଣ୍ଡଳୁ ଜାତ ହେଉଅଛି କ୍ଷୀର,ପରମ ମଣ୍ଡଳୁ ଜାତ ହେଉଅଛି ନୀର ।୪୫।କୃଷ୍ଣ ମଣ୍ଡଳରୁ ଜାତ ହେଉଛି ବକତା,ଜଗନ୍ନାଥ ମଣ୍ଡଳରୁ ସ୍ଫୁରୁଛି ବାରତା ।୪୬।ଅନନ୍ତ ଅଙ୍ଗରୁ ଜାତ ହେଉଛି ଶବଦ,ପରମ ଅଙ୍ଗରୁ ଜନ୍ମ ହେଉଅଛି ଭେଦ ।୪୭।ଶ୍ରୀକୃଷ୍ଣ ଅଙ୍ଗରୁ ଜାତ ହେଉଅଛି ବେଦ,ଜଗନ୍ନାଥ ଶ୍ରୀଅଙ୍ଗରୁ ହେଉଛି ସମ୍ପାଦ ।୪୮।ଅନନ୍ତ ମନ୍ଦିରୁ ଜାତ ହେଉଅଛି ହାଇ,ଦେହ ଆଳସିଳ ହେଲେ ନିଦ୍ରା ତ ଘୁମାଇ ।୪୯।ପରମ ମନ୍ଦିରୁ ଛାଇ ଜନମ ହୋଇଲା,ଜ୍ୟୋତିର୍ମୟ ବ୍ରହ୍ମତେଜ ଜାଲ ବେଢ଼ାଇଲା ।୫୦।କୃଷ୍ଣ ମନ୍ଦିରରୁ ତହୁଁ ଘୋଟିଲା ଅଚେତା,ଜଗନ୍ନାଥ ମନ୍ଦିରୁ ଜନ୍ମିଲା ଅଶକତା ।୫୧।ଶୁଣିଲୁ କି ନିରାକାର ମଣ୍ଡଳ ଆକାର,ଶିର କର୍ଣ୍ଣ ଲଲାଟର ଚକ୍ରର ବିଚାର ।୫୨।ତୋଳା ହୋଇଅଛି ପାଞ୍ଚହାତିଆ ମନ୍ଦିର,ଛଡ଼ ଖୁମ୍ୱେ ତିଆରି ହୋଇଛି ସେହୁ ଘର ।୫୩।ସାତ ହାତ ଘର ତହିଁ ଉତ୍ସର୍ଗ ଆରମ୍ଭ,ତ୍ରିଅ ଶେଣୀ ଉଠାଇଛି ପୋତି ନବ ଖୁମ୍ୱ ।୫୪।ନବହାତିଆ ମନ୍ଦିର ହୋଇଛି ରଚନା,ଷୋଳ ଖୁମ୍ବେ ନିର୍ଭାଶେଣୀ ଅଟେ ଗୋଟି ସିନା । ୫୫ ।ଦାରହାତିଆ ମନ୍ଦିର ନିର୍ମାଣ ହୋଇଛି,ଅଠର ଖୁମ୍ବରେ ନବ ଶେଣୀ ଚଢ଼ାଇଛି । ୫୬ ।ଚଉଦହାତିଆ ଘର ରଞ୍ଚିଅଛି ତହିଁ,ଚବିଶ ଖୁମ୍ବରେ ବାର ଶେଣୀ ଅଛି ଲିହି । ୫୭ ।ଷୋଳହାତିଆ ମନ୍ଦିର ମହାନିତ୍ୟେ ଅଛି,ଅଠତିରିଶ ଖୁମ୍ବରେ ନିର୍ମାଣ ହୋଇଛି । ୫୮ ।ଶେଣୀ ଲାଗିଅଛି ତହିଁ ଊନବିଂଶ ଖଣ୍ଡ,ଆବର ଲାଗିଛି ତହିଁ ଚାରି କଣ କାଣ୍ଡ । ୫୯ ।ଅଠରହାତିଆ ଘର ସେ ଭୁବନେ ଅଛି,ପଚାଶ ଖୁମ୍ବରେ ପୁର ନିବାଡ଼ ହୋଇଛି । ୬୦ ।ପଞ୍ଚବିଂଶ ଖମ୍ବ ଶେଣୀ ଲାଗିଅଛି ତହିଁ,ଉରାମାନ ଲାଗିଅଛି କଳଣା ନ ଯାଇ । ୬୧ ।ଏକୌଶହାତିଆ ଘର ସେ ଭୁବନେ ଜାଣ,ଚତୁର୍ଦ୍ଦଶ ଖୁମ୍ବ ଲାଗିଅଛି ପରମାଣ । ୬୨ ।ଦୁଇପଣ କୋଡ଼ିଏକ ଶେଣୀ ଅଛି ଲାଗି,କାନ୍ଧିଆ ପଡ଼ିଛି ତହିଁ ଧାରଣା ନିଯୋଗି । ୬୩ ।ଚବିଶହାତ ମନ୍ଦିର ମହାନିତ୍ୟେ ଦେଖ,ପଚାଶ ଖୁମ୍ବ ଲାଗିଛି ଅନୁମାନେ ଲେଖ । ୬୪ ।ଅଠାଦଶ ହାଥରେ ରଞ୍ଚନା ଯେଉଁ ପୁର,ଷାଠିଏ ଖୁମ୍ବରେ ଯାଇ ହୋଇଛି ତିଆର । ୬୫ ।ତିନିପଣ ଦୁଇ କୋଡ଼ି ଲାଗିଅଛି ଶେଣୀ,ଅନୁଭବ କଲା ଲୋକ ପାରିବ ସେ ଜାଣି । ୬୬ ।ବତିଶ ହାତରେ ହୋଇଅଛି ଯେଉଁ ପୁର,ଚଉଷଠୀ ଖୁମ୍ବ ପୋତି ହୋଇଛି ତିଆର । ୬୭ ।ଚାରିପଣ ଦୁଇକୋଡ଼ି ଶେଣୀ ଅଛି ପଡ଼ି,କରତ ବ୍ରଛନା ପ୍ରାଏ ଦିଶେ ଧାଡ଼ି ଧାଡ଼ି । ୬୮ ।ଛତିଶ ହାତରେ ନିବାଡ଼ିଛି ଯେଉଁ ଘର,ଅଶୀଏ ପାଞ୍ଚ ଖୁମ୍ବରେ ହୋଇଛି ତିଆର । ୬୯ ।ପାଞ୍ଚପଣ ଦୁଇକୋଡ଼ି ଶେଣୀ ଅଛି ଚଡ଼ି,ଛାଏଣି ଆକୃତି ଦିଶେ ଯେସନେକ ନାଡ଼ୀ । ୭୦ ।ଚାଳିଶ ହାତ ମନ୍ଦିର ଅଛି ମହାନିତ୍ୟେ,ଶହେ ଅଷ୍ଟ ଖୁମ୍ବ ଲାଗେ କହୁଅଛି ତୋତେ । ୭୧ ।ଦୁଇଶ ଷାଠୀଏ କୋଡ଼ି ଶେଣୀ ଲାଗେ ତାର,ତୋ ଆଗେ କହୁଛି ବାବୁ ଶୁଣ ନିରାକାର । ୭୨ ।ଅଠଚାଳିଶ ହାତରେ ଅଛି ଯେଉଁ ଘର,ବିଶାଶହେ ଖୁମ୍ବ ଲାଗି ହୋଇଛି ତିଆର । ୭୩ ।ତିନିଶ ପଣେକ ଶେଣୀ ଲାଗେ ବାବୁ ତହିଁ,ସାବଧାନ ହୋଇ ଶୁଣ ଫେଡ଼ି ଦେଲୁ କହି । ୭୪ ।ବାଉନହାତିଆ ପୁର ମହାନିତ୍ୟ ପୁରେ,ଦୁଇପଣ ଖୁମ୍ବ ଲାଗିଅଛି ସେ ତହିଁରେ । ୭୫ ।ତିନିଶତ ତିନିକୋଡ଼ି ଲାଗିଅଛି ପାଟି,କଳି ନୁହେ ଘର ଅନୁମାନରେ ନ ଘଟି । ୭୬ ।ଛୟାବନ ହାତ ଘର ହୋଇଛି ରଞ୍ଚନା,ବିଶାଶହେ ଖୁମ୍ବ ଲାଗି ହୋଇଛି ଘଟଣା । ୭୭ ।ସାତପଣ ଶ୍ରେଣୀ ଲାଗିଅଛି ସେ ମନ୍ଦିରେ,କୁମ୍ଭ ବସିଅଛି ଘରମାନଙ୍କ ଉପରେ । ୭୮ ।ଷାଠୀହାତ ପରିଯନ୍ତେ ଅଛି ଯେଉଁ ଘର,ଦୁଇଶତ ଦୁଇକୋଡ଼ି ଖୁମ୍ବରେ ତିଆର । ୭୯ ।ତିନିଶତ ଦୁଇପଣ ପାଟି ଲାଗେ ତହିଁ,ସେ ମନ୍ଦିର ନରଲୋକ କଳି ନ ପାରଇ । ୮୦ ।ଷାଠୀଏହାତିଆ ଠାରୁ ଘର ଆଉ ନାହିଁ,ତହିଁରୁ ଅଧିକ ହେଲେ ପୁର ବୋଲି କହି । ୮୧ ।ଷାଠୀଏ ଭିତରେ ଯେତେ ଘରମାନେ ଛନ୍ତି,ଲେଖାରେ ବଖୁରି ସେ ଯେ ମନ୍ଦିର ବୋଲାନ୍ତି । ୮୨ ।ଷାଠୀଏହାତ ଭିତରେ ହୁଏ ଯେତେ ଘର,ପୁର ବୋଲାଯାଏ ଭୁବନେକ ଅନ୍ତେଶ୍ୱର । ୮୩ ।ତହିଁରୁ ଅଧିକ ଯେବେ ତିଆର ହୁଅଇ,ବିଶାଶହେ ହାତ ହେଲେ କୁଞ୍ଜେ ଲେଖା ଯାଇ । ୮୪ ।ତହିଁରୁ ଅଧିକ ହେଲେ ଯୋଜନେ ଅଟଇ,ଯୋଜନରେ ଦୀର୍ଘ ପ୍ରତି ଚଉରାଶୀ କହି । ୮୫ ।ତହିଁରୁ ଅଧିକ ଯେବେ ଚାରିଯୁଣ ହୁଏ,ନିତ୍ୟ ସ୍ଥଳି ଭୂମି ସେ ଦ୍ୱାଦଶ ବୋଲାଯାଏ । ୮୬ ।ତହିଁରୁ ଅଧିକ ହେଲେ ମଣ୍ଡଳ ଅଟଇ,ଆଠଯୁଣ ଦୀର୍ଘ ପ୍ରତି ସ୍ଥଳ ବୋଲି କହି । ୮୭ ।ତହିଁରୁ ଅଧିକ ହେଲେ ବଢ଼େ ଅଣସଂଖ୍ୟା,ମହାନିତ୍ୟ ସସ୍ରେଦଳ କୁଞ୍ଜେ ହୁଏ ଲେଖା । ୮୮ ।ତହିଁରୁ ଅଧିକ ହେଲେ ପଦ୍ମେ ବୋଲି କହି,ପଦ୍ମରୁ ଅଧିକ ହେଲେ ଗର୍ଭଟି ଅଟଇ । ୮୯ ।ଗର୍ଭରୁ ଅଧିକ ହେଲେ ବୋଲାଏ ଶକତି,ଶକ୍ତିରୁ ଅଧିକ ହେଲେ ମହାବ୍ରହ୍ମ ମୂର୍ତ୍ତି । ୯୦ ।ଶୁଣିଲୁକି ନିରାକାର ମନ୍ଦିର ସଞ୍ଚାର,ଅପୂର୍ବ ଚରିତ ଏ ଅଟଇ ଦିବ୍ୟସାର । ୯୧ ।ଆହୁରି କଥାଏ ତୁହି ଶୁଣ ଆଦିକନ୍ଦ,ବୁଝାଇ କହିବା ରଚନାର ଭେଦ ବନ୍ଧ । ୯୨ ।ସେ ଯେଉଁ ପୁର ମଣ୍ଡିଳ ମହାନିତ୍ୟ ଜାଣ,ମାଈ ଅଣ୍ଡିର ଦୁଜାତି ହୋଇଛି ଭିଆଣ । ୯୩ ।ଦୁଇ ଜାତି ଭେଦ କଥା ଶୁଣ ନିରାକାର,କହିଦେବା ତୋତେ ଭେଦ ବର୍ଣ୍ଣର ବିଚାର । ୯୪ ।ପୁରୁଷ ଅନ୍ତ ସ୍ୱରୂପ ଶମ୍ଭୁର ଆକାର,ସ୍ତିରୀ ଅଙ୍ଗରେ ଶଙ୍କୁନ ଭିନେ ପରକାର । ୯୫ ।ଦୁଇ ରୂପ ଦୁଇ ଜାତି ରଞ୍ଚିତ ସେ ଜାଣ,ଏକ ବ୍ରହ୍ମରୁ ଦ୍ୱିତୀୟ ହୋଇଲେ ଜନମ । ୯୬ ।ଏକ ଶକତିରୁ ଯହୁଁ ହେଲେ ଦୁଇ ଜାତ,ବେନି ବର୍ଣ୍ଣ ତେଣୁ କରି ହୋଇଲେ ଏକାନ୍ତ । ୯୭ ।ଗୁରୁଙ୍କୁ ସେବି ପୁରୁଷ ବୋଲାଇଲା ଦାସ,ସ୍ତିରୀ ଗୁରୁ ପାଦେ ସେବି ହେଲେ ଦାସୀ ଦାସ । ୯୮ ।ଯେସନେକ ଜଳ ପବନର ଭେଦ ନାହିଁ,ପୁରୁଷ ଯେଣିକି ଯିବ ସ୍ତିରୀ ଯିବ ତହିଁ । ୯୯ ।ଯେସନେ ମାଟି ପଥର ସର୍ଜିଲା ଦଇବ,ଏମାନଙ୍କୁ ଭିନ୍ନାଭିନ୍ନ କରି କେ କହିବ । ୧୦୦ ।ଯେସନେକ କ୍ଷୁଧା ତୃଷା ଛନ୍ତି ବେନି ମୂର୍ତ୍ତି,ଏକା ପାଖୁଡ଼ା ଗୋଟିକେ ହୃଦେ ଫଳିଛନ୍ତି । ୧୦୧ ।ସେହି ରୂପେ ପତି ପତ୍ନୀ ଏକ ବ୍ରହ୍ମେ ଜାତ,ଭିନ୍ନାଭିନ୍ନ ଯେ କରିବ କୁଳ ଯିବ ହତ । ୧୦୨ ।ବ୍ରହ୍ମ ଭଗତିରେ ଆଉ ବର୍ଣ୍ଣ ଭେଦ ନାହିଁ,ଯେ ଭେଦ କରିବ କୁମ୍ଭୀନର୍କରେ ପଡ଼ଇ । ୧୦୩ ।ଗୁରୁ ଦୁଆରକୁ ସର୍ବେ ଅଟନ୍ତି ସମାନ,ସ୍ତିରୀ ବା ପୁରୁଷ ତହିଁ ନାହିଁ ବଡ଼ ସାନ । ୧୦୪ ।ଯେଉଁ ବ୍ରହ୍ମେ ବେନି ଜନ ହୋଇଛନ୍ତି ଜାତ,କାୟା ବର୍ଣ୍ଣ ଭେଦେ ସିନା ରହିଲା କଥାନ୍ତ । ୧୦୫ ।ସ୍ତିରୀ ପୁରୁଷ ଯେ ଏହି ରଞ୍ଚନାର ମୂଳ,ଯୁଗଳ ପଶ୍ଚାନ୍ତେ ସିନା ସବୁ ହେଲା ଠୁଳ । ୧୦୬ ।ଯେତେବେଳେ ମାଟି ପୃଥ୍ୱୀ ନ ଥିଲାକ ହୋଇ,ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ନ ଥିଲେଟି କେହି । ୧୦୭ ।ଜଳ ପବନର ଠାରୁ ଗ୍ୟାନ ଆଉ ନାହିଁ,ଏଠାରୁ ଅଧିକ ହେଲେ ଭେଦାନ୍ତ ଅଟଇ । ୧୦୮ ।ଶୁଣିଲୁ କି ନିରାକାର ବ୍ରହ୍ମଭେଦ ବାଣୀ,ଠିକ ଠିକ କରି ତୋତେ ବୁଝାଇଲୁ ଆଣି । ୧୦୯ ।ଗୁରୁ ଶିଷ୍ୟଙ୍କର ବେନି ଚରଣକୁ ଆଶ,ବ୍ରହ୍ମନିରୂପଣଗୀତା ଭଣେ ଭୀମ ଦାସ । ୧୧୦ ।ନିର୍ବାଣ-ନିର୍ମାଣ ସ୍ଥାନରେ ପଠିତ ।ଇତି ଶ୍ରୀ ବ୍ରହ୍ମ-ନିରୂପଣ-ଗୀତା, ସୁଜନଜନହିତା,ଗୁରୁ ଶିଷ୍ୟ-ସମ୍ବାଦେ, ମହାନିତ୍ୟ ଗୁରୁମନ୍ଦିରବର୍ଣ୍ଣନେ ଭେଦା-ଭେଦ କଥନେ,ଆଗମ ନିର୍ଗମ ବିଚାରଣେ ନାମଏକାଦଶୋଽଧ୍ୟାୟଃ