ସପ୍ତମ ଅଧ୍ୟାୟ — ବ୍ରହ୍ମନିରୂପଣ ଗୀତା — ଭୀମ ଭୋଇ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ଅଧ୍ୟାୟ
ନିରାକାର ଉବାଚନିରାକାର ବୋଲୁଛନ୍ତି ଶୁଣ ମୋ ବିନତି,ଗୁରୁସିନା ଅଟନ୍ତି ଜୀବର ମୋକ୍ଷଗତି ।୧।ଗୁରୁ ନ କହିଲେ ସଦଗ୍ୟାନ ନୋହେ କିଛି,ଗୁରୁ ବିନୁ ଉଦ୍ଧାରୁ ଅନ୍ୟରେ ନୋହେ କିଛି ।୨।ଚାରିଯୁଗେ ଗୁରୁପାଦେ ସେବା ସିନା ମୂଳ,ଆଉ କଥାମାନ ଯେତେ ସବୁ ସିନା ଫଳ ।୩।ଅନ୍ୟ ଧର୍ମମାନଙ୍କରେ କ୍ଷମା ଧର୍ମ ନାହିଁ,ତେଣୁକରି ସିନା ଗୁରୁ ଛାମୁରେ ପୁଚ୍ଛଇ ।୪।ଗୁପତ ସନ୍ଦେଶ ଗ୍ୟାନ ରଖିଥିଲ କାହିଁ,ତାହାମୋତେ ଶ୍ରୀ ମୁଖରେ କହିଲ ବୁଝାଇ ।୫।ଏବେ ମହିମାର କଥା ହେଉଛି କେମନ୍ତ,ନିରୂପଣ କରି ମୋତେ କହ ଆଦି ଅନ୍ତ ।୬।ମହିମା ବୋଲିବା ପଦ କେତେ ବା ଶକତି,କେଉଁ ବର୍ଣ୍ଣ ରୂପ ତାର ଦିଶଇ ମୂରତି ।୭।ଶ୍ରୀ ଚରଣେ କଉଁପରୀ ଭଗତି କରିବା,ସତ୍ୟ ସତ୍ୟ କରି ମୋତେ କହ ଗୁରୁବାବା ।୮।କେବଣ ମାର୍ଗେ ଭଜିଲେ ହଇବେ ପ୍ରସନ୍ନ,ଯୁଗେ ଯୁଗେ ଏ ପିଣ୍ଡରେ ରହିବ ପରାଣ ।୯।ଚିଆଁ ଚଇତନ୍ୟ ହେତୁ ଚେତା ନ ବୁଡ଼ିବ,କି ଉପାୟ କଲେ ପିଣ୍ଡ ଭୂମି ନ ପଡ଼ିବ ।୧୦।ମହିମାସାଗର ନାମ ଅତି ଭୟାଙ୍କାର,ବିଚାରିଲେ ମନକୁ ମାଡ଼ଇ ବଡ଼ ଡର ।୧୧।ସାଗର ବୋଇଲେ କଥା ସମଜି ନୁହଇ,ଗୁପତ ନ କରି ମୋତେ କହ ଗୁରୁସାଇଁ ।୧୨।ଶ୍ରୀ ଗୁରୁଦେବ ଉବାଚଶ୍ରୀ ଗୁରୁ ବୋଇଲେ ବାବୁ ଶୁଣ ଦିବ୍ୟସୀମା,ମହାବ୍ରହ୍ମ ଶକତିର ଅଶେଷ ମହିମା ।୧୩।ବ୍ରହ୍ମ ଅଂଶ ଆଏଶ ବୋହନ୍ତି ଯେଉଁ ଜନ,ପରିପୂର୍ଣ୍ଣ କରି ବୁଝ ନୋହେ ତାର ଗୁଣ ।୧୪।ମହିମା ନାମଟି ଯେହୁ ମଥା ପରେ ଅଛି,ଯେଉଁ ଆଡ଼େ ମୁଖ କଲେ ଆଗକୁ ହେଉଛି ।୧୫।ମହିମା ନାମଟି ଯେହୁ ମହାଦୂର ନୋହେ,ଆଣି ନେଇ ଥୋଇବାକୁ ବହୁତ ସଂଶଏ ।୧୬।ମହିମା ନାମଟି ଯେହୁ ଅଟେ କର୍ମବେଦ,କପୋଳରେ ଲେଖି ଦିଆଇଛି ଯୋଗ ଭୋଗ ।୧୭।ମହିମା ନାମଟି ଯେହୁ ଅଟେ ମହାମାୟା,ରଜ ବୀଜ ଯୁକ୍ତ କରି ଗଢୁଅଛି କାୟା ।୧୮।ମହିମା ନାମଟି ଯେହୁ ମାତାଟି ହେଉଛି,ଦଶମାସ ଯାଏ ଗର୍ଭଗତରେ ବହୁଛି ।୧୯।ମହିମା ନାମଟି କରୁଅଛି ପାର ତାର,ଏ ସଂସାରସାଗରରୁ କରନ୍ତି ଉଧାର ।୨୦।ମହିମା ନାମଟି ଯେହୁ ଏ ମହୀ ମେଦନୀ,ଦୁଷ୍ଟ ସନ୍ଥ ଏକ ସମାନରେ ଅଛି ମଣି ।୨୧।ମହିମା ନାମଟି ଯେହୁ ମନଟି ହୋଇଛି,
ବୁଦ୍ଧି ବିଚାରଣେ କରି ଧୀରାନ୍ତ ରହିଛି ।୨୨।
ମହିମା ନାମଟି ଯେହୁ ଅଟଇ ସେ ମୀନ,
ଏ ଘଟରେ ଖେଳୁଅଛି ଯେସନେ ଜୀବନ ।୨୩।
ମହିମା ନାମଟି ଯେହୁ ମହତ୍ତ୍ୱଟି ସେହି,
ସଭାମଣ୍ଡଳ ମଧ୍ୟରେ ଧର୍ମରୂପେ ଥାଇ ।୨୪।
ମହିମା ନାମଟି ଯେହୁ ମରଣଟି ଅଟେ,
ନିର୍ବଳ ହୋଇଲେ ଅଙ୍ଗେ କାଳରୂପେ ଘୋଟେ ।୨୫।
ମହିମା ନାମଟି ଯେହୁ ମଦନ ଆରତ,
ପିଣ୍ଡ ବ୍ରହ୍ମାଣ୍ଡ ହୋଇଛି ମଳୟ ବସନ୍ତ ।୨୬।
ମହିମା ନାମଟି ଯେହୁ ମିଶେ ସର୍ବଠାରେ,
ଅନ୍ତର ବାହାରେ ଆବୋରିଛି ଏ ଦେହରେ ।୨୭।
ମହିମା ନାମଟି ଯେହୁ ମନ୍ତ୍ର ମଉଷଧି,
ହୃଦୟରେ ପ୍ରକାଶ ହୋଇଛି ବ୍ରହ୍ମବୁଦ୍ଧି ।୨୮।
ମହିମା ନାମଟି ଯେହୁ ମହାପୁଣ୍ୟ ଅଟେ,
ଆପେ ଦେଇ ଦିଆଉଛି ବସି ସର୍ବଘଟେ ।୨୯।
ମହିମା ନାମଟି ଯେହୁ ସର୍ବ ବୋଲାଉଛି,
ଶ୍ରୀଅଙ୍ଗରୁ କୋଟି କୋଟି ଜନ୍ମ କରୁଅଛି ।୩୦।
ମହିମା ନାମଟି ଯେହୁ ସାକ୍ଷାତେ ସେ ଧର୍ମ,
ଅଗାଧ ଗଭୀର ସେ ଅଟଇ ପୁଣ୍ୟ ବ୍ରହ୍ମ ।୩୧।
ମହିମା ନାମଟି ଯେହୁ ପ୍ରତକ୍ଷେ ମନୁଷ୍ୟ,
ଦୁର୍ଲଭ ଜନ୍ମଟି ଅଟେ ସର୍ବଜ୍ଞ ପୁରୁଷ ।୩୨।
ମହିମା ନାମଟି ଯେହୁ ମଧୁର ବଚନ,
ଆଶ୍ୱାସନା ଅବଲମ୍ବେ ସ୍ନେହରେ ବନ୍ଧନ ।୩୩।
ମହିମା ନାମଟି ଯେହୁ ମେଘ ବୋଲାଉଛି,
ଧର୍ମ ଅନୁସାରେ ମେଘ ବରଷା କରୁଛି ।୩୪।
ମହିମା ନାମଟି ଯେହୁ ମହା ମହେଶ୍ୱର,
ଛପ୍ନାକୋଟି ଜୀବରୁ ସେ ଆତ୍ମାର ଗୋଚର ।୩୫।
ମହିମା ନାମଟି ଯେହୁ ଅଟଇ ସେ ମେରୁ,
ପ୍ରସନ୍ନ ହୋଇଲେ ସେହୁ ଦୁବ କରେ ଦାରୁ ।୩୬।
ମହିମା ନାମଟି ଯେହୁ ମହା ନିଦ୍ରାବତୀ,
ସମସ୍ତଙ୍କୁ ଅଚେତା କରୁଛି ନବକ୍ଷିତି ।୩୭।
ମହିମା ନାମଟି ଯେହୁ ମୁକତି ପସରା,
ଭକ୍ତଗଣମାନେ କରୁଅଛନ୍ତି ଆଶରା ।୩୮।
ମହିମା ନାମଟି ଯେହୁ ମୁରୁଛା ନ ଯାଏ,
ଦିନେ ଭଜିଥିଲେ ବ୍ରହ୍ମ ବୈକୁଣ୍ଠ ସେ ଯାଏ ।୩୯।
ମହିମା ନାମଟି ଯେହୁ ମାର୍ଗ ବୋଲାଉଛି,
ଭେଦାଭେଦ କଲେ ଯାଇ ପ୍ରସନ୍ନ ହେଉଛି ।୪୦।
ମହିମା ନାମଟି ଯେହୁ ମରୁତ ଉଜାଣି,
ବାସନା ବିକାଶ ପୂର୍ବ ସୁକୃତକୁ ଘେନି ।୪୧।
ମହିମା ନାମଟି ଯେହୁ ମଧ୍ୟମ ହେଉଛି,
ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏକାନ୍ତଠାରେ ଅଛି ।୪୨।
ମହିମା ନାମଟି ଯେହୁ ମହାଶୂନ୍ୟ କହି,
ସେଠାବକୁ ଗଲେ ଉଠି ନିଶୁଣୀ ଲଗାଇ ।୪୩।
ମହିମା ନାମଟି ଯେହୁ ମାଏଁସ ରୁଧିର,
ଜଳ ପବନରେ ନିର୍ଭା ହୋଇଛି ଶରୀର ।୪୪।
ମହିମା ନାମଟି ଯେହୁ ମୂର୍ତ୍ତିବନ୍ତ ଅଟେ,
ଲିଙ୍ଗରୂପେ ଆବୋରି ରହିଛି ଏହି ଘଟେ ।୪୫।
ମହିମା ନାମଟି ଯେହୁ ଅଟଇ ଯେ ମୁନି,
ଚାରିଯୁଗେ ଖୋଜି ଖୋଜି ନ ପାବନ୍ତି ଗ୍ୟାଁନୀ ।୪୬।
ମହିମା ନାମଟି ଯେହୁ ଅଟଇ ଯେ ଯମ,
ସର୍ବଠାରେ ଘଟେ କରିଅଛଇ ବିଶ୍ରାମ ।୪୭।
ମହିମା ନାମଟି ଯେହୁ ରାମନାମ ପଦ,
ଶବଦ ସ୍ୱରୂପେ ହୋଇ ପୂରିଅଛି ଭେଦ ।୪୮।
ମହିମା ନାମଟି ଯେହୁ ମହାରାଟ କହି,
ଆକାରରୂପେ ଶରୀରେ ବରାଜୁଛି ଦେହୀ ।୪୯।
ମହିମା ନାମଟି ଯେହୁ ମମକ୍ଷର ଅଟେ,
ସେହିପରି ସର୍ଜନା ହୋଇଛି ନାନା ବାଟେ ।୫୦।
ମହିମା ନାମଟି ଯେହୁ ସତରଜ ଜାଣ,
ବାଳ ବୃଦ୍ଧ ସବୁ କରୁଅଛି ସଂହାରଣ ।୫୧।
ମହିମା ନାମଟି ଯେହୁ ଅଟେ ମହାରସ,
ପାନ କଲେ ନ ଜାଣିବ ରଜନୀ ଦିବସ ।୫୨।
ମହିମା ନାମଟି ଯେହୁ ଅଟେ ମହାମେରୁ,
ମରକନ୍ଦ ଝରୁଅଛି ପଦାରବିନ୍ଦରୁ ।୫୩।
ମହିମା ନାମଟି ଯେହୁ ଅଟଇ ନମାମି,
ସାର ବ୍ରହ୍ମ ଗ୍ୟାଁନ ସେ ସାକ୍ଷାତେ ଗୁରୁସ୍ୱାମୀ ।୫୪।
ମହିମା ନାମଟି ଯେହୁ ମହାଘୋରସିନ୍ଧୁ,
ଅବ୍ୟଗତ ଶକତି ସେ ଅବ୍ୟଗତ ଇନ୍ଦୁ ।୫୫।
ମହିମା ନାମଟି ଯେହୁ ମହାଦେବ ଜାତି,
ମହାବ୍ରହ୍ମ ଶକତିରୁ ହୋଇଲା ସିଧ୍ୟାନ୍ତି ।୫୬।
ଶୁଣିଲୁକି ନିରାକାର ମହିମାଙ୍କ ରୀତି,
ମହିମା ନାମଟି ଯେହୁ ଜୀବର ମୁକତି ।୫୭।
ମହିମା ନାମଟି ଯେହୁ ଚାରିଯୁଗେ ସାର,
ମହିମା ପ୍ରକାଶ ହେଲେ ହୁଅନ୍ତି ଅମର ।୫୮।
ମହିମା ଗର୍ଭରୁ ଜାତ ହେଲା ଚାରିବେଦ,
ଋକ୍ସାମ ଯଦୁ ଅର୍ଥ କହିଲା ସେ ପଦ ।୫୯।
ମହିମା ଗର୍ଭରୁ ଜାତ ହେଲା ଚାରିଧର୍ମ,
ଶାନ୍ତ ଶୀଳ ଦୟା କ୍ଷମା ବୋଲି ତାଙ୍କ ନାମ ।୬୦।
ମହିମା ଗର୍ଭରୁ ଜାତ ହେଲା ଚାରିଦିଗ,
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ସମ୍ଭବ ।୬୧।
ମହିମା ଗର୍ଭରୁ ଜାତ ଚାରିଯୁଗ ହେଲା,
ସତ୍ୟ ତ୍ରେୟତା ଦ୍ୱାପର କଳି ବୋଲାଇଲା ।୬୨।
ମହିମା ଗର୍ଭରୁ ଜାତ ଚାରି ବ୍ରହ୍ମଭକ୍ତ,
ଅନନ୍ତ ଶ୍ରୀରାମଚନ୍ଦ୍ର କୃଷ୍ଣ ଜଗନ୍ନାଥ ।୬୩।
ମହିମା ଗର୍ଭ ଭିତରୁ ହୋଇଲେ ପ୍ରକାଶ,
ଏହାଙ୍କର ନାମ ଶୂନ୍ୟ ଧରତୀ ଆକାଶ ।୬୪।
ମହିମା ଗର୍ଭରୁ ଜାତ ବ୍ରହ୍ମା ବିଷ୍ଣୁ, ଶିବ,
ତିନିପୁରେ ଅଧିକାରୀ ହେଲେ ଜୟଦେବ ।୬୫।
ମହିମା ଗର୍ଭରୁ ଜାତ ହେଲା ତିନିପୁର,
ସ୍ୱର୍ଗ ମର୍ତ୍ତ୍ୟ ଘେନି ହେଲା ପାତାଳ ବିମ୍ବର ।୬୬।
ମହିମା ଗର୍ଭରୁ ହେଲେ ହ୍ଳୀଁ, ଶ୍ଳୀଁ, କ୍ଳୀଁ ଯେ ଜାତ,
ଅଧ ଊର୍ଦ୍ଧ୍ୱ, ଉଦ ବୀଯ ହୋଇଲା ସମ୍ଭୁତ ।୬୭।
ମହିମା ଗର୍ଭରୁ ଜାତ ତିରିଲା ପୁରୁଷ,
ଯୁଗଳ ଜ୍ୟୋତି ସଂସାରେ ହୋଇଲା ପ୍ରକାଶ ।୬୮।
ମହିମା ଗର୍ଭରୁ ଜାତ ଦିବସ ରଜନୀ,
ଅନ୍ଧାର ଉଜ୍ଜ୍ୱଳ ହେଲା ଏ ନବ ମେଦିନୀ ।୬୯।
ମହିମା ଗର୍ଭରୁ ଜାତ ହେଲେ ଚନ୍ଦ୍ର ସୂର୍ଯ୍ୟ,
ଉଦେ ଅସ୍ତ ଏ ସଂସାରେ ହେଉଛି ବିରାଜ ।୭୦।
ମହିମା ଗର୍ଭରୁ ଜାତ ହେଲା ପାପ ପୁଣ୍ୟ
ଶୁଭ ଅଶୁଭ ସଂସାରେ ହୋଇଲା ଭିଆଣ ।୭୧।
ମହିମା ଗର୍ଭରୁ ଜାତ ଭକ୍ତ ଭଗବାନ,
ଗୁରୁ ଶିଷ୍ୟ ସଂସାରେ ହୋଇଲେ ବେନି ଜନ ।୭୨।
ମହିମା ଗର୍ଭରୁ ଜାତ ଏବେ ହେଲା ମନ୍ଦ,
ତେଣୁକରି ସଂସାରେ ହୋଇଲା ନାନା ଛନ୍ଦ ।୭୩।
ମହିମା ଗର୍ଭରୁ ଜାତ ଜନମ ମରଣ,
ଆସିବା ଯିବା ହେଉଛି କେବେ ନୋହେ ଶୂନ୍ୟ ।୭୪।
ମହିମା ଗର୍ଭରୁ ଜାତ ହେଲା ପରମ୍ଜୀବ,
ଦିବାଗ୍ୟାନ ସଂସାରେ ଦିଶିଲା ସର୍ବଶୁଭ ।୭୫।
ମହିମା ଗର୍ଭରୁ ଜାତ ହେଲେ କୃଷ୍ଣ ରାଧା,
ଭିଆଣ ହୋଇଲା ଯହୁଁ ନଟକୂଟ ବିଦ୍ୟା ।୭୬।
ମହିମା ଗର୍ଭରୁ ଜାତ ହୋଇଲା ଅଶେଷ,
ଅକଳଣା ଗର୍ଭ ସେହୁ କେବେ ନୋହେ ଶେଷ ।୭୭।
ମହିମା ଗର୍ଭରୁ ଜାତ ଛପ୍ନାକୋଟି ଜନ୍ତୁ,
ସଞ୍ଚରିତ ହେଲେ ନିଜ ଶକତିର ହେତୁ ।୭୮।
ମହିମା ଗର୍ଭରୁ ଜାତ ତେତିଶ୍କୋଟି ଦେବ
ରଜଗୁଣେ ସଞ୍ଚରିତ ହୋଇଲେ ସଂଯୋଗ ।୭୯।
ମହିମା ଗର୍ଭରୁ ଜାତ ନବଲକ୍ଷ ତାରା,
ଆକାଶରେ ଜଳୁଛନ୍ତି ଯେଶନେକ ହୀରା ।୮୦।
ମହିମା ଗର୍ଭରୁ ଜାତ ନବକୋଟି ଦେବୀ,
ତିନିଭୁବନରେ ଠାବେ ରହିଛନ୍ତି ଯୋଗୀ ।୮୧।
ମହିମା ଗର୍ଭରୁ ଅଷ୍ଟକୋଟି ଯେ କାନ୍ତାନୀ,
ଧରିଛନ୍ତି ଖର୍ବକାତି ଖପର ଭବାନୀ ।୮୨।
ମହିମା ଗର୍ଭରୁ ଜାତ ହେଲେ ଚାରି ମେରୁ,
ଅଚଳ ହୋଇଅଛନ୍ତି କେତେଦିନ ଠାରୁ ।୮୩।
ମହିମା ଗର୍ଭରୁ ଜାତ ହେଲା କ୍ଷୁଧା ତୃଷା,
ସେହି ଦିନକୁ ଯେ ସବୁ ହେଲା ପ୍ରତି ଆଶା ।୮୪।
ମହିମା ଗର୍ଭରୁ ଜାତ ହେଲା ସତ ମିଛ,
ପାରୁ ଯେବେ ନିରାକାର ନିରୋଳରେ ବାଛ ।୮୫।
ମହିମା ଗର୍ଭରୁ ଜାତ ହେଲା ପଞ୍ଚୁଭୂତ,
ପଞ୍ଚମ ଗୁଣରେ ଦେହ ହୋଇଲା ଶକତ ।୮୬।
ମହିମା ଗର୍ଭରୁ ଜାତ ମହୀ ଓ ଧରତୀ,
ମହିମା ଗର୍ଭରୁ ଜାତ ହେଲା ସ୍ଥିତି ଉତପତି ।୮୭।
ମହିମା ଗର୍ଭରୁ ଜାତ ହେଲା ହେତୁ ଚେତା,
ଶ୍ରୋତା ତତ୍ତ୍ୱ ଭେଦରେ ଛିଡ଼ିଛି ସର୍ବ କଥା ।୮୮।
ମହିମା ଗର୍ଭରୁ ଜାତ ହେଲା କାଳଗ୍ରହ,
ବ୍ୟାଧିରୂପେ ପୀଡ଼ିତ ହୋଇଲା ସର୍ବଦେହ ।୮୯।
ମହିମା ଗର୍ଭରୁ ଜାତ ଲକ୍ଷ୍ମୀ ସରସ୍ୱତୀ,
ଅନ୍ନବସ୍ତ୍ର ହୋଇ ଘୋଟିଛନ୍ତି ଦିବାରାତି ।୯୦।
ମହିମା ଗର୍ଭରୁ ଜାତ ହେଲା ରସବାସ,
ପୁଷ୍ପଚନ୍ଦନ ବାସରେ ହଇଲା ପ୍ରକାଶ ।୯୧।
ମହିମା ଗର୍ଭରୁ ଜାତ ହେଲା ସରି ମଧୁ,
ନିର୍ଝରୁ ଝରୁଛି ମହା ଶକତିର ଇନ୍ଦୁ ।୯୨।
ମହିମା ଗର୍ଭରୁ ଜାତ ତପତ ଉଷୁମ,
ସର୍ବ ଘଟେ ଆବରିଛି ସତ ରଜ ତମ ।୯୩।
ମହିମା ଗର୍ଭରୁ ଜାତ ହେଲା ବେନି ଜାତି,
ମାଈ ଅଣ୍ଡିରା ଯୋଡ଼ିଏ ତ୍ରିଭୁବନେ ଛନ୍ତି ।୯୪।
ମହିମା ଗର୍ଭରୁ ଜାତ କହନ୍ତା ବହନ୍ତା,
ଯେ ଯାହାର ଦୁଖ ସୁଖ ଲାଗିଅଛି ଚିନ୍ତା ।୯୫।
ମହିମା ଗର୍ଭରୁ ଜାତ କାମଦେବ ରତି,
ତେଣୁକରି ସଂସାରେ ଯୋଡ଼ିଲା ପତିପତ୍ନୀ ।୯୬।
ମହିମା ନାମଟି ଯେହୁ ସାତୁକ୍ୟ କରମ,
ସୁପଥରେ ବୁଲିବାରୁ ଲଭିଲେ କାରଣ ।୯୭।
ମହିମା ଗର୍ଭରୁ ଜାତ ହେଲା ସର୍ବ ଶ୍ରମ,
ତେଣୁକରି ସଂସାରେ ବୋଲିଟି ଏକ ନାମ ।୯୮।
ମହିମା ଗର୍ଭରୁ ଜାତ ରଜବୀଯ ହେଲା,
ସେହିଠାରୁ ସମସ୍ତଙ୍କୁ ଭାଗ ବଣ୍ଟାଗଲା ।୯୯।
ମହିମା ଗର୍ଭରୁ ଜାତ ହୋଇଲା ସକଳ,
ମମକ୍ଷରଟି ଯେହୁ ସେ ସାଗର ଅକୂଳ ।୧୦୦।
ମହିମା ଗର୍ଭରୁ ଜାତ ହେଲା ଫଳ ମୂଳ,
ଦେହଧାରୀ ଯେତେ ଖାଇ ବଞ୍ଚିଲେ ସକଳ ।୧୦୧।
ମହିମା ଗର୍ଭରୁ ଜାତ ହେଲା ତରୁ ତୃଣ,
ତେଣୁକର ସଂସାରେ ହୋଇଲା ଝାଡ଼ ବଣ ।୧୦୨।
ମହିମା ଗର୍ଭରୁ ଜାତ ଦୟା କ୍ଷମା ଦୁଇ,
ତାରଣ ମାରଣ ତାର ଗୋଚରେ ଅଛଇ ।୧୦୩।
ମହିମା ଗର୍ଭରୁ ଜାତ ହେଲା ଲୋଭ ଲାଭ,
ଗୃହ ଆବୋରି ଯତନେ କରାଇ ସଂଯୋଗ ।୧୦୪।
ଛପ୍ନାକୋଟି ଜୀବ ଜାତ କରିଅଛି ସେହି,
ମାତା ରୂପେ ଜନ୍ମଇ ଭାରିଯାରୂପେ ଖାଇ ।୧୦୫।
ମହିମା କଥାଟି ଯେହୁ ସାଗର ଶକତି,
ଅଙ୍ଗରୁମ ପ୍ରାଏ ଜୀବ କ୍ଷରିତ ଅଛନ୍ତି ।୧୦୬।
ମହିମାଠାରୁ ହୋଇଛି ଅଶେଷ ବ୍ରହ୍ମାଣ୍ଡ,
ଅଲେଖ ପୁରୁଷ ସେହୁ ପୁରୁଷେ ଅଖଣ୍ଡ ।୧୦୭।
ଅକଳନା ବାରାନିଧି ଅଲେଖର ପେଟ,
କୋଟି ବ୍ରହ୍ମାବିଷ୍ଣୁ ଶିବ ନ ପାବନ୍ତି ଭେଟ ।୧୦୮।
ଶୁଣିଲୁକି ନିରାକାର ବ୍ରହ୍ମନିରୂପଣ,
ମନ ଭେଦି ପାରିଲେ ଝଡ଼ିବ ପାପମାନ ।୧୦୯।
ଶୁଣ ସାଧୁ ସୁଜନେ ମହିମା ବ୍ରହ୍ମ କଥା,
ମମ ଅକ୍ଷରଟି ଯେହୁ ସାକ୍ଷାତେ କରତା ।୧୧୦।
ହେ ମହିମା ମେରୁ ମୋର ନ ଧରିବ ଦୋଷ,
ବ୍ରହ୍ମନିରୂପଣ ଗୀତା ଭଣେ ଭୀମଦାସ ।୧୧୧।
ଇତି ଶ୍ରୀ ବ୍ରହ୍ମନିରୂପଣ ଗୀତା ସୁଜନଜନ ହିତା, ଶ୍ରୀ ଗୁରୁ
ଶିଷ୍ୟ ସମ୍ବାଦେ, ମହାବ୍ରହ୍ମ ଶକ୍ତିର ଆତଜାତ ବର୍ଣ୍ଣନେ,
ଭେଦାଭେଦ ଚରିତ୍ର ବିଚାରଣେ, ମହିମାମେରୁ
କଥନେ ନାମ ସପ୍ତମୋଽଧ୍ୟାୟଃ ।
ଅଷ୍ଟମ ଅଧ୍ୟାୟ
ନିରାକାର ଉବାଚନିରାକାର ବୋଇଲେ ଶୁଣିମା ଗୁରୁଦେବ,କେତେ ଦୀର୍ଘ ପ୍ରତି ଅଟେ ମହିମାଙ୍କ ଗର୍ଭ ।୧।କେଉଁ ବର୍ଣ୍ଣ ଚିହ୍ନ ଅଟେ କେବଣ ସ୍ୱରୂପ,କେତେ ସରୁ କେତେ ଗୁରୁ କହ ତାଙ୍କ ସତ୍ୟ ।୨।କୋଟି କୋଟି ଜୀବ ତହୁଁ ହେଉଛନ୍ତି ଜାତ,ଉଚିତ ବଚନ ଗୁରୁ କହିବ ଯେ ସତ୍ୟ ।୩।ଦେହଧାରୀ ହୋଇ ସର୍ବେ ତ୍ରିଭୁବନ ଖ୍ୟାତି,କେଉଁରୂପେ ଫେରି ହତ ହୋଇ ଯାଉଛନ୍ତି ।୪।ଭାରାଭର ନାହିଁକି ଲାଗଇ ତାଙ୍କୁ କିଛି,ଏହିରୂପେ ବୁଝାମଣା କେଉଁରୂପେ ଅଛି ।୫।ଏତେ ବୋଲି ପଡ଼ିଲେ ଶ୍ରୀଗୁରୁ ପାଦଗତ,ନିର୍ଣ୍ଣୟ କରିଣ କହ ଏଥିର ଅରଥ ।୬।କେତେ କୂଳ କେତେ ଜଳ କେତେ ସ୍ଥଳ ଅଛି,କେତେ କଳ କେତେ ନାଡ଼ ପାଖୁଡ଼ା ଫୁଟିଛି ।୭।ତହିଁର ଗଭୀର କେତେ ଯୁଣ ଉତ୍ସର୍ଗତ,କେତେ ଦଳ କେତେ ସ୍ଥଳ ହୋଇଅଛି ଯୁକ୍ତ ।୮।ଅଶେଷ ଭୁବନ ତାଙ୍କ ଗର୍ଭଗତେ ଠଣା,ଚାରିଯୁଗେ କି ପ୍ରକାରେ ହେଉଛି କଳଣା ।୯।ଏ କଥା ବିଚାରି ମୋତେ କହ ନାରାୟଣ,ଶୁଣିଲେ ପରତେ ଯିବ ପଞ୍ଚୁଭୂତ ମନ ।୧୦।ଶ୍ରୀ ଗୁରୁଦେବ ଉବାଚଶ୍ରୀଗୁରୁ ବୋଇଲେ ଶୁଣ ତହିଁର ବିଧାନ,ବୁଝାଇ କହିବା ତାଙ୍କ ଗର୍ଭ ନିରୂପଣ ।୧୧।କୋଟିଏ ଅଗ୍ନିରୁ ଜିଣି ବିରାଜଇ ରୂପ,କୋଟି ସୂର୍ଯ୍ୟ ପ୍ରାଏ ଅଙ୍ଗ ବିରାଜେ ଝଟକ ।୧୨।କୋଟି ଚନ୍ଦ୍ରରୁ ଜିଣିଣ ଶରୀର ନିର୍ମଳ,କୋଟିଏ ଜ୍ୟୋତିରୁ ଜିଣି ଶ୍ରୀମୁଖ ଉଜ୍ଜ୍ୱଳ ।୧୩।ବାରଭାଗେ ବତିଶ ଯୋଜନ ଲକ୍ଷ ସ୍ଥଳୀ,କନ୍ଦି କନ୍ଦି ହୋଇଣ ପଡ଼ିଛି ଦାଣ୍ଡ ଗଳି ।୧୪।ଡାହାଣରେ ବତିଶ ଯୋଜନ ଲମ୍ବ ଅଛି,ଅନୁମାନ ଭେଦାନ୍ତରେ ତୋଳିକରି ବାଛି ।୧୫।କଟିଭାଗେ ବତିଶ ଯୋଜନ ଲକ୍ଷ ମହୀ,ସେଠାରୁ ଯେ ଆସିଥିବ ସେ ପାରିବ କହି ।୧୬।ଆଗଭାଗେ ବତିଣ ଯୋଜନ ଲକ୍ଷ୍ୟ ଲମ୍ବ,ଚଉକତି ସମାନରେ ହୋଇଛି ଆରମ୍ଭ ।୧୭।ଆୟତନକୁ ଆବୋରି ଅଛି ଗର୍ଭ ସ୍ଥିତି,ଦ୍ୱାରେ ଚନ୍ଦନ ଅର୍ଗଳି ଉଜାଣି ଉଠନ୍ତି ।୧୮।ଗର୍ଭମଧ୍ୟେ ମଣ୍ଡଳରେ ଶକତି ବସିଛି,ଜୀବମାନଙ୍କର ପିଣ୍ଡ ଗଢ଼ା ହେଉଅଛି ।୧୯।ଉଜାଣି ଝର ଝରକୁ ଯେ ପାରିବ ଭେଟି,ମହାଶୂନ୍ୟ ଭୁବନକୁ ଆସିବ ସେ ଉଠି ।୨୦।ସିଦ୍ଧ ହୋଇଅଛି ତହିଁ ଗିରିହଦ ମଣ୍ଡ,ଶିଶିର ପରାଏ ଜୀବମାନଙ୍କର ପିଣ୍ଡ ।୨୧।ଶବଦ ବ୍ରହ୍ମରୁ ପିତାଅଙ୍ଗରୁ କ୍ଷରୁଛି,ସିନ୍ଧୁ ପ୍ରାଏ ହୋଇ ମାତା ପଦ୍ମରେ ପଶୁଛି ।୨୨।ମହିମାଶକତି ପାଖୁଡ଼ାରେ ସସ୍ରଦଳ,ତିନିଶ ଷାଠୀଏ ଦିନ ଫୁଟିଅଛି ଫୁଲ ।୨୩।ସଦାବେଳେ ଅବିରତେ ବସନ୍ତ ବହୁଛି,ଅବାୟ ବ୍ରହ୍ମର ତେଜ କିରଣ ପଡ଼ୁଛି ।୨୪।ଗଜା ଖଞ୍ଜ ହୋଇ ତହିଁ ଅଙ୍କୁରିଛି ଗଜା,ଲିଙ୍ଗ ଗୋଟାକରେ ଉପୁଜୁଛି ଦ୍ୱିଦ୍ୱି ପୁଞ୍ଜା ।୨୫।ଯେସନେ ତିମିର ଶ୍ରୀଗୁରୁ ଦେହେ ଅଛି,ଜୀବ ପିଣ୍ଡରୁ ପବନ କ୍ଷରିତ ହେଉଛି ।୨୬।ମହାଶକତିରେ ଜୀବ ଛନ୍ତି ପନ୍ତି ପନ୍ତି,ଭୂମିର ତିରଣ ପ୍ରାଏ ଉଦେ ହୋଇଛନ୍ତି ।୨୭।ସଞ୍ଚାର ହୋଇଅଛି ସେ ଶକତିର ମଞ୍ଚେ,ମାତା ଗର୍ଭେ ଆସି ନିର୍ଭା ହୋଇଅଛି ପଛେ ।୨୮।ଶକତିରୁ କାଟିଦିଆ ହୋଇଅଛି ଥାଇ,ମହାମହିମାଙ୍କ ଆଜ୍ଞା ପାର ଉତ୍ତାରହିଁ ।୨୯।ଭଜି ଯୋଗ କର୍ମକାଣ୍ଡ ଯୁକ୍ତ ହେଲେ ଯାଇ,ପଛେ ମନୁ ବ୍ରହ୍ମଗର୍ଭେ ପିଣ୍ଡକୁ ସଞ୍ଚଇ ।୩୦।ଶୁଣିଲୁକି ବାବୁ ପିଣ୍ଡବ୍ରହ୍ମାଣ୍ଡ ରଞ୍ଚନା,ମହିମାଙ୍କଠାରୁ ସବୁ ହେଉଛି ସର୍ଜ୍ଜନା ।୩୧।ସିନ୍ଧୁ ପ୍ରାଏ ଲହରୀ ଫିଟୁଛି ଧୀର ଧୀର,ଶକତିରୁ ଉଦୁଗାରି ପଡ଼ୁଛି ଭୂମିର ।୩୨।ଶକତିରୁ ଲିଙ୍ଗ ଜାତ ଜୀବର ପାଟଣା,ଏ ସଭାବ ଲାଗିଅଛି କିଣା ଯେ ଦ୍ୱିକିଣା ।୩୩।ରୋଟ ମୁଁ କୋଣ ମୁଁ କି କହିବି ଦୀର୍ଘ ପ୍ରତି,ଚର୍ମ୍ମ ରୁମମାନେ ମାଳ ମାଳ ହେଉଛନ୍ତି ।୩୪।ନିରାକାର ଉବାଚନିରାକାର ବୋଇଲେ ଶୁଣିମା ବ୍ରହ୍ମବେତ୍ତା,ଯାହା ଆଜ୍ଞା ହେଲା ସ୍ୱାମୀ ଅସମ୍ଭବ କଥା ।୩୫।ଯାହାର ଗର୍ଭରୁ ଜୀବ ଜାତ ହେଉଛନ୍ତି,ମେରୁମାନେ କେଉଁରୂପେ ହୋଇଲେ ଉତ୍ପତ୍ତି ।୩୬।ଏ କଥା ବିଚାରି ମୋତେ କହ ତତ୍ତ୍ୱ ବୋଧ,ବିଚାର କଲାବେଳକୁ ଲାଗୁଅଛି ଭେଦ ।୩୭।ଅନୁମାନ ବୁଦ୍ଧି ମୋର ନ ପାଉଛି ତହିଁ,ଗୁପତ ନ କରି ମୋତେ ଫେଡ଼ି ଦିଅ କହି ।୩୮।ଶ୍ରୀ ଗୁରୁଦେବ ଉବାଚଶ୍ରୀଗୁରୁ ବୋଇଲେ ବାବୁ ଶୁଣ ହୋ ଭଗତ,ଅତ୍ୟନ୍ତ କରି କହିବା ତହିଁର ଚରିତ ।୩୯।ମହିମା ଶକତି ଅଣଆକାର ଅକଣ୍ଟ,ଅଚଳ ମେରୁ ପ୍ରମାଣେ ଚାରି ଯୁଣ ମୋଟ ।୪୦।ଉଣା ଯେ ଅଧିକ ତହିଁ କହି ନୁହେ କିଛି,ଧର୍ମ୍ମ ତରାଜୁରେ ସବୁ ତୁଳନ ହେଉଛି ।୪୧।ଯେସନେ ନଉକା ସ୍ଥଳେ ଜଳ ପୂରିଥାଇ,ସେହିରୂପେ ମହିଁମାଙ୍କ ଗର୍ଭଟି ଅଟଇ ।୪୨।ଯେଉଁରୂପେ ପକ୍ଷୀ ଜନ୍ତୁ ଡିମ୍ବେକ ପ୍ରସବେ,ଦିବା ନିଶି ଜଗିଥାଇ ବାଳକର ଲୋଭେ ।୪୩।ଡିମ୍ବର ଖୋଳା ଭିତରେ ଛାଏଣି ବକଳ,ବକଳ ଭିତରେ ପୂରିଅଛି ଫୁଲ ଜଳ ।୪୪।ଡୋଳାର ଭିତରେ ଯେଉଁ କେଶର ଅଟଇ,ବିମ୍ବ ପ୍ରାଏ ଭାସୁଥାଇ ଢଳ ଢଳ ହୋଇ ।୪୫।ସେହିରୂପେ ଅଣରୂପ ବ୍ରହ୍ମର ଉଷୁମ,ମହାନିତ୍ୟ ଆକାଶ ଭୁବନ କହି ଡିମ ।୪୬।ସେହିରୂପେ ମହିମାର ଓଦର ଅଟଇ,ନବ କ୍ଷିତି ଭାସୁଅଛି ଡିମ୍ବ ପ୍ରାଏ ହୋଇ ।୪୭।ଡିମ୍ବର ଭିତରେ ମହାବ୍ରହ୍ମର ଶକତି,ମହିମା ଗର୍ଭରେ ମହା ନିତ୍ୟ ରସେ ସ୍ଥିତି ।୪୮।ଯେସନେକ ଅଗାଧ ସିନ୍ଧୁରେ ଥାଇ ମୀନ,ଜଳର ଭିତରେ ଚହଳଇ ଘନ ଘନ ।୪୯।ସେହିରୂପେ ଅଟେ ମହା ମହିମାଙ୍କ ଗର୍ଭ,ସାଗର ପରାଏ ଖେଳୁଛନ୍ତି ସର୍ବଜୀବ ।୫୦।ଯେସନେକ ମଥାର କେଶରେ ଥାଇ ଲିଖ,ବୋହିବା ଲୋକକୁ ଗୁରୁ ନୁହଇ ଅଧିକ ।୫୧।ସେହିରୂପେ ମହିମାର ଶକତି ଅଟଇ,ଛପ୍ନାକୋଟି ଜୀବଛନ୍ତି ଲିଖ ପ୍ରାଏ ହୋଇ ।୫୨।ଯେଉଁରୂପେ ଯୁଗଳରେ ରତିସୁଖ ପାଇ,ପିତା କୋଳେ ମାତା ଯେସନେକ ବସିଥାଇ ।୫୩।ମାତା କୋଳେ ଯେସନେକ ବସିଥାଇ ପୁଅ,ମନ ଆନନ୍ଦରେ ହସୁଥାଇ ଟହ ଟହ । ୫୪।ସେହିରୂପେ ମହିମାର ସ୍ୱରୂପ ଆକୃତି,ସ୍ଥଳରେ ବସିଛି ମହା ବିଷମ ଶକତି ।୫୫।ଶକତିର ଚଉକତି ମେଦିନୀ ସଞ୍ଚାର,ଜୀବମାନେ ତହିଁ କରୁଅଛନ୍ତି ବେହାର ।୫୬।ଚଳ ଅଚଳ ଏ ଦୁଇ ଉଡ଼ା ବୁଡ଼ା ଛନ୍ତି,ଚାରିଖାନି ପିଣ୍ଡ ଜୀବ ଗଡ଼ାଗଡ଼ି ଛନ୍ତି ।୫୭।ଯେସନେକେ ବାସୁକୀ ଧରିଛି ବ୍ରହ୍ମାଣ୍ଡକୁ,ମେରୁମାନେ ସ୍ତମ୍ଭ ହୋଇଛନ୍ତି ବ୍ରହ୍ମାଣ୍ଡକୁ ।୫୮।ମେରୁ ଆଭରଣ ଛନ୍ତି ସପ୍ତସିନ୍ଧୁ ପାଣି,ସାଗର ଭିତରେ ନବଖଣ୍ଡ ଏ ମେଦିନୀ ।୫୯।ସେହିରୂପେ ମହିମା ଗର୍ଭରେ ନବ କ୍ଷିତି,ମେରୁମାନେ ମାଳ ମାଳ ପୋତା ହୋଇଛନ୍ତି ।୬୦।ଶକତି ତାଳୁ ମୁରାଟ ହୋଇଅଛି ଡେରା,ମେରୁମାଳ ମାନେ ମହିମାର ଗର୍ଭଶିରା ।୬୧।ମହା ମହା ଅଚଳ ହୋଇଛି ମହୀଧର,ଚନ୍ଦ୍ର ସୂର୍ଯ୍ୟ ଛପି ଯାଉଅଛି ଯୋଜନର ।୬୨।ବେନି ଜାନୁ ଲମ୍ବାଇଛି ଉତ୍ତର ଦକ୍ଷିଣ,ପୂର୍ବାଦି ଦିଗକୁ ମୁଖ ଶକତି ମୁହାଣ ।୬୩।ପଦ୍ମ ଓଲଟି ପଦ୍ମରେ ହୋଇଛି ଗୋପ୍ୟାନ,ନ ଦିଶଇ ଚିହ୍ନ ଅଚିହ୍ନାକୁ ପରିମାଣ ।୬୪।ବିନ୍ଦୁର ଝଲକ ପ୍ରାଏ ମୁଖର ସଂଯୋଗ,ଯେଣିକି ଚାହିଁଲେ ଦିଶୁଅଛି ଚାରିଦିଗ ।୬୫।ଶୁଣିଲୁ କି ନିରାକାର ଗର୍ଭ ନିରୂପଣ,ମହିମା ଅଙ୍ଗରେ ନିଜ ଶକତି ସମାନ ।୬୬।ନିରାକାର ଉବାଚନିରାକାର ବୋଲୁଛନ୍ତି ଶୁଣିମା ଗୋସାଇଁ,ମହିମା ଅଙ୍ଗରେ କିସ ଭୂଷଣ ଅଟଇ ।୬୭।କେଉଁ ଅଳଙ୍କାର ହୋଇଛନ୍ତି ଆଭରଣ,କିସ କିସ ନାମ ଗନ୍ଧକର୍ପୂର ଚନ୍ଦନ ।୬୮।ବାଜୁବନ୍ଧ ବିଦ ମୁଦି ହସ୍ତ-ଖଡ଼ୁ ବାହୀ,ଗୁପତ ନ କରି ପ୍ରଭୁ ମୋତେ ଦିଅ କହି ।୬୯।ପିନ୍ଧିଲା ବସନ ଅଙ୍ଗେ ଉତୁରାଣ ପଡ଼ି,କି ସୂତାରେ ବୁଣା ସେ ଯେ ଅଟେ କେଉଁ ଶାଢ଼ୀ ।୭୦।ଡୋର କୁଉପୁନୀ ବାନା ଏ ନିତ୍ୟର କିସ,ବିଚାରି କହିବା ମୋତେ ସର୍ବଜ୍ଞ ପୁରୁଷ ।୭୧।ଶ୍ରୀ ଗୁରୁଦେବ ଉବାଚଶ୍ରୀଗୁରୁ ବୋଇଲେ ବାବୁ ଶୁଣ ଆଦିକନ୍ଦ,ବୁଝାଇ କହିବା ତୋତେ ଅଳଙ୍କାର ଭେଦ ।୭୨।ଜାନୁ ଯୋନି ଭୁଅ ହୋଇଛନ୍ତି ଯଶ ରାଜା,ବେନିକରେ ଚର୍ମରାଶି ହୋଇଅଛି ଭୁଜା ।୭୩।ପଦ୍ମ ଦ୍ୱାର ହୋଇଛନ୍ତି କାଳ ଯୋଗ୍ନୀଗଣେ,ରକ୍ତରସ ରୁଧିର ଆପ୍ୟାନ ଅନୁକ୍ଷଣେ ।୭୪।ଅଣ୍ଟା ଡୋର ହୋଇଛନ୍ତି ଅନନ୍ତ ଯେ ଅହି,ଲାଞ୍ଜମୂଳେ ନାଭିତଳେ ଛନ୍ତି ମୁଦ ହୋଇ ।୭୫।କୌପୁନୀ ହୋଇ ଅଛନ୍ତି ମହାଦେବ ହର,ଶିବ ଶିରେ ଶ୍ରୋଣି ପଡ଼ୁଅଛି ଝର ଝର ।୭୬।କଉପୁନୀ ଫେରକୁ ସେ କଟିରେ ଖୋସିଲା,କୁମ୍ଭରୁ ଖସନ୍ତେ କୁମ୍ଭୀପଟ ବୋଲାଇଲା ।୭୭।ବିଷ୍ଣୁ ହୋଇଛନ୍ତି ତହିଁ ଶ୍ରୀଅଙ୍ଗବିଭୂତି,ମହାମହିମା ସେ ଅବଧୂତ ସେ ମୂରତି ।୭୮।ଚେତାକୁ କରିଅଛନ୍ତି ଶୀତଳ ଚନ୍ଦନ,ତତ୍ତ୍ୱପଦ ହୋଇଅଛି ତଇଳ ଚିକ୍କଣ ।୭୯।ତମ ପଦ ହୋଇଅଛି ହଳଦୀ କୁଙ୍କୁମ,ବ୍ରହ୍ମଧୁନୀ ଜାଗି କରୁଅଛନ୍ତି ବିଶ୍ରାମ ।୮୦।କର୍ମକାଣ୍ଡ ହୋଇଅଛି କର୍ପୂର ବାସନା,ଗ୍ୟାନ କଲା ଗନ୍ଧ ହେଉଅଛହି ମାର୍ଜ୍ଜନା ।୮୧।ପୁଣ୍ୟକୁ କରିଅଛନ୍ତି ଶ୍ରୀଅଙ୍ଗ ପୋଛା,ନବାବ ମହିମା ମେରୁ ଉଦଣ୍ଡ ବଇଛା ।୮୨।ବୀରବର କ୍ଷତ୍ରି ହୋଇଛନ୍ତି ବିଦବାହୁ,ମୁଛକୁ ମୁରାଟ ଆଗେ ଦିଶେ ମହାବାହୁ ।୮୩।ହସ୍ତମୁଦି ଖଡ଼ୁ ବାହୀ କ୍ଷମା ଦୟା ପଦ,କର ନେଉଟିଲେ କମ୍ପେ ତିନିପୁର ମଧ୍ୟ ।୮୪।ରାମ ନାମ ପଦ ହୋଇଛନ୍ତି ଅଙ୍ଗ ରୋମ,ମାଳା ମାଳା ବ୍ରହ୍ମାଣ୍ଡ ହୋଇଛନ୍ତି ଅଙ୍ଗ ହୋମ ।୮୫।ବେନି ସ୍ତନ ଗୋଟିକ ସେ ସାଗର ଅଟଇ,ଛପ୍ନାକୋଟି ଜୀବ ପିଉଥିଲେ ନ ସରଇ ।୮୬।କରତା ନାମଟି ଏକା ପଦେ ମହାବଳୀ,ବୈକୁଣ୍ଠପୁର ହୋଇଛି ବେକ କଣ୍ଠମାଳୀ ।୮୭।ବେନି ନେତ୍ରରେ କଜ୍ଜଳ ଯୁଳା ଝଟକିତା,ସତ୍ୟ ପଦ ହୋଇଅଛି ସିନ୍ଦୂରର ଚିତା ।୮୮।ଆଭରଣ କରିଛନ୍ତି ଅମୂଲ୍ୟାଣ ଶାଢ଼ୀ,ମଛକଛ ଅବତାର ଛନ୍ତି ପାଏ ପଡ଼ି ।୮୯।ଶୁକ୍ର ନରସିଂହ ଶାଢ଼ୀ ଡୋର କଉପୁନୀ,ବାବନ ରାମଚନ୍ଦ୍ର ହୋଇଛନ୍ତି କମ ବେନି ।୯୦।କୃଷ୍ଣ ବଳରାମ ଦୁଇ ଶାଢ଼ୀର ପଣନ୍ତ,ବଉଦ ଶ୍ରୀ ପର୍ଶୁରାମ କମ ବିପରୀତ ।୯୧।ଦଶ ଅବତାର ହୋଇଅଛି ଶାଢ଼ୀ ସୂତା,ଏମନ୍ତ ପ୍ରଭୁ ଅଟନ୍ତି ମହିମା ବିଧାତା ।୯୨।ସରସ୍ୱତୀ ହୋଇଛନ୍ତି କଣ୍ଟନଳା ସ୍ୱର,ଲକ୍ଷ୍ମୀ ଦେବୀ ହୋଇଛନ୍ତି ଅଙ୍ଗର ସିନ୍ଦୂର ।୯୩।ପାର୍ବତୀ ହୋଇଅଛନ୍ତି ଲକ୍ଷଣ ଆଚାର,ମହିମା ପଦଟି ସେହୁ ଅଟେ ନାମ ସାର ।୯୪।ସାବିତ୍ରୀ ହୋଇଅଛନ୍ତି ଶ୍ରୀଅଙ୍ଗର ମଳି,ବ୍ରହ୍ମା ହୋଇଛନ୍ତି ତହିଁ ଚରଣର ଧୂଳି ।୯୫।ରେବତୀ ରାଧିକେ ବେନି ପୟର ଅଳତା,ଅଶେଷ ମହିମା ଅଙ୍ଗ ଅଗୋଚର କଥା ।୯୬।ଦ୍ୱାଦଶ ବର୍ଣ୍ଣ ହୋଇଛି କିଙ୍କିଣୀ ବାଜେଣୀ,ଝଲକି ଦିଶୁଛି ଏକ ଆରକକୁ ଜିଣି ।୯୭।ଦଶାଙ୍କ ଯୋଗ ହୋଇଛି ଦଶମ ଆଙ୍ଗୁଳି,ଭେଦ ମୁଦି ଗଢ଼ି ପିନ୍ଧିଅଛନ୍ତି ଯାଉଁଳି ।୯୮।ଅଷ୍ଟାଙ୍ଗ ଯୋଗ ହୋଇଛି ଅଷ୍ଟ ଗୋଟି ଫୁଲ,ଏକଘନି ସୂତା ଗୁନ୍ଥି ଧରିଛନ୍ତି ମାଳ ।୯୯।ସପ୍ତାଙ୍ଗ ଯୋଗ ହୋଇଛି ସପ୍ତ ରଜ ଧାତୁ,ସାତ କଳ୍ପ ମନୁ ଗଲେ ହୋନ୍ତି ପୁଷ୍ପଋତୁ ।୧୦୦।ତେବେ ଅଲେଖ ପୁରୁଷ ଶକ୍ତିକି ଚାହାନ୍ତି,ତେଜ ପଡ଼ିଲେ ମହିମା ଗର୍ଭବାସ ହୋନ୍ତି ।୧୦୧।କବାଟ ପକାଇ ପ୍ରଭୁ ମଉନେ ରହନ୍ତି,ମହିମା ଗର୍ଭରୁ ପିଣ୍ଡ ବ୍ରହ୍ମାଣ୍ଡ ହୁଅନ୍ତି ।୧୦୨।ଯେତେବେଳେ ସ୍ତ୍ରୀମାନେ ରଜବତୀ ଜାଣ,ରଜବତୀ ହେଲେ ଶୁଦ୍ଧ ହୋନ୍ତି ସାତ ଦିନ ।୧୦୩ ।ଯୋନୀର କୌପୁନୀ କାଢ଼ି ପକାଇ ଦିଅନ୍ତି,ଦୋସରା ଖଣ୍ଡିଏ କଉପୁନୀ ପହରନ୍ତି ।୧୦୪।ସେହିରୂପେ ମହିମାର ଶକତିର ରୀତି,ମହାଦେବ କୁଉପୁନୀ ଖଣ୍ଡିଏ ହୁଅନ୍ତି ।୧୦୫।ସାତକଳ୍ପ ମନୁଏ ଗୋଟିଏ କ୍ଷଏ ଯାନ୍ତି,ଆନ ମହାଦେବ ପୁଣି କୌପୁନୀ ହୁଅନ୍ତି ।୧୦୬।ବୁଝିଲୁ କି ନିରାକାର ମହିମା ଚରିତ,ବେନି କର୍ଣ୍ଣେ ଶୁଣି ମନେ ହେବ ଆଚମ୍ବିତ ।୧୦୭।ପରମ ହୋଇଅଛନ୍ତି ପଢ଼ିହାରୀ ଦୂତ,ଜୀବମାନେ ତହିଁ ହେଉଅଛନ୍ତି ଗତାଗତ ।୧୦୮।ପଞ୍ଚତତ୍ତ୍ୱ ହୋଇଛନ୍ତି ତହିଁ ବାଦ୍ୟକାର,ତାଣ୍ଡବ ନୃତ୍ୟ ଅଟଇ ଧୂନୀ ଘେନି ଘର ।୧୦୯।ପ୍ରକୃତି ହୋଇଅଛନ୍ତି ଆସ୍ତାନ ଜଗଡ଼ା,ଖତ କୁଢ଼ ଖଳା ପ୍ରାଏ ହୋଇଅଛି ପୁଡ଼ା ।୧୧୦।ମନ୍ତ୍ରମୃତିମାନ ମହିମାର ମଳ ମୂତ୍ର,ନିତ୍ୟର ବାହାରେ ପଡ଼ିଛନ୍ତି ସମଛତ୍ର ।୧୧୧।ଛପ୍ନାକୋଟି ଜୀବ ଜନ୍ତୁ ଧରି ବାମ ହସ୍ତେ,ନିତ୍ୟର ବାହାରେ ପଡ଼ିଅଛନ୍ତି ସମସ୍ତେ ।୧୧୨।ସିଧ୍ୟ ପଦ ହୋଇଅଛି ଅଙ୍ଗୁଷ୍ଠିର ନଟ,ଦେବମାନେ ଜାତ ହେଉଛନ୍ତି ଅନର୍ଯ୍ୟାପ ।୧୧୩।ଚାରି କର୍ମ ହୋଇଛନ୍ତି ଶ୍ରୀପୟର ସ୍ଥଳୀ,ମହିମା ଭୁବନ ଜୀବ ଯେ ପାରିବ କଳି ।୧୧୪।ଅରୁଣ ନ ଉଦେ ଯେହୁ ସ୍ନାହାନ ସାରିବ,ଅସାଧନା ଯୋଗେ ସେହୁ ଦର୍ଶନ କରିବ ।୧୧୫।ଦିବସରେ ଯେହୁ ଜାଣି ଭୋଜନ କରିବ,ସେହୁ ଭେଦି ପାରିବ ବ୍ରହ୍ମର ସଦଭାବ ।୧୧୬।ସେହି ଏକା ମହିମାକୁ ପାଇବଟି ଭେଟ,ନିଶ୍ଚଏ ଭେଟିବ ଯାଇ ଅଭୟ ବୈକୁଣ୍ଠ ।୧୧୭।ମହାନିତ୍ୟେ ଯେତେ ଛନ୍ତି ସେ ଏକା ଭଗତ,ନରଦେହଧାରୀ ଯେତେ କାମନାଆଶ୍ରିତ ।୧୧୮।ତିନି ବ୍ରହ୍ମାଣ୍ଡରେ ତିରୀ ପୁରୁଷ ଦୁଇଟି,ମହିମାଙ୍କ ହସ୍ତେ ଅଛି ସମସ୍ତଙ୍କ ଚୁଟି ।୧୧୯।ବେନି ଜାନୁ ପାତି ବସିଛନ୍ତି ମହା ବୀରା,ଶକତି ଲିଙ୍ଗରେ ବସେ ଯେସନେକ ଧାରା ।୧୨୦।ଅଲେଖ ମହିମା ବୋଲି ଛଡ଼ ଗୋଟି କ୍ଷର,ଯେ ଚିହ୍ନାଇ ଦେବ ତାର ପାଦେ ନମସ୍କାର ।୧୨୧।ଶୂନ୍ୟ ମନ୍ଦିରେ ଅଛନ୍ତି ଅଲେଖ ବୈରାଗୀ,ସେ ଚାରି ମହିମା ଛନ୍ତି ଚାରିଦ୍ୱାରେ ଜଗି ।୧୨୨।ମହିମାକୁ ସସ୍ରେ ନାମ ଜଗିଆ ସମ୍ଭବ,ନାମକୁ ଜଗିଆ ଛନ୍ତି ସହସ୍ରେ ଗନ୍ଧର୍ବ ।୧୨୩।ଗନ୍ଧର୍ବକୁ ଜଗିଆ ଅଛନ୍ତି ଦେବଗଣ,ଦେବଙ୍କୁ ଜଗିଆ ହୋଇଛନ୍ତି ଦେବୀଗଣ ।୧୨୪।ଦେବୀମାନଙ୍କୁ ଜଗିଆ ଚଣ୍ଡୀ ଯେ ଚାମଣ୍ଡା,ଚାମଣ୍ଡାକୁ ଜଗିଛନ୍ତି ଭୂତ ପ୍ରେତ ଲଣ୍ଡା ।୧୨୫।ପ୍ରେତକୁ ଜଗି ଅଛନ୍ତି କାଳଭୟମାନ,ବାମ ଡାହାଣରେ ବସିଛନ୍ତି ବେନି ଜନ ।୧୨୬।କାଳଭୟର ଜଗିଆ ନବଗ୍ରହମାନେ,ମହାନିତ୍ୟ ବାହ୍ୟରେ ଅଛନ୍ତି ଅନୁକ୍ଷଣେ ।୧୨୭।ମହିମା ଧର୍ମର ବାଟ ବହୁତ କଠିଣ,ଏହାକୁ ଜିଣିଲେ ଯିବ ବୈକୁଣ୍ଠ ଭୁବନ ।୧୨୮।ମହାନିତ୍ୟ ମଣ୍ଡଳରେ ପ୍ରବେଶ ହୋଇବ,ତେବେ ନିଜ ମହିମାକୁ ଦର୍ଶନ ପାଇବ ।୧୨୯।ମହିମା ଠାବରୁ ଆଉ କାହିଁ ଭେଟ ନାହିଁ,ମାତାଙ୍କୁ ସେବିଲେ ସିନା ପିତା ଭେଟ ପାଇ ।୧୩୦।ସାଧୁ ସୁଗ୍ୟଁଜନେ ମୋର ନ ଧରିବ ଦୋଷ,ଶୁଦ୍ଧ ଅଶୁଦ୍ଧ ପୁରାଇ କରିବା ଅଭ୍ୟାସ ।୧୩୧।ମହିମା ନିଜ ଶକତି ନିରୂପଣ କଥା,ଯେହୁ ସେ ପଢ଼ିବ ବୋଲାଇବ ବ୍ରହ୍ମବେତ୍ତା ।୧୩୨।ଅଲେଖ ମହିମା ପାଦ ପଦ୍ମେ କରି ଆଶ,ବ୍ରହ୍ମ-ନିରୂପଣ-ଗୀତା ଭଣେ ଭୀମଦାସ ।୧୩୩।ଇତି ଶ୍ରୀ ବ୍ରହ୍ମ-ନିରୂପଣ ଗୀତା ସୁଜନେ ଜନହିତା,ଗୁରୁ ଶିଷ୍ୟ-ସମ୍ୱାଦେ, ଶକତି-ଭେଦା-ଭେଦବର୍ଣ୍ଣନେ, ନିଜ ମହିମା ଚରିତ-କଥନେ,ବ୍ରହ୍ମଜ୍ଞାନ ବିଚାରଣେ ନାମଅଷ୍ଟମୋଽଧ୍ୟାୟଃ ।