ନବମ ଅଧ୍ୟାୟ — ବ୍ରହ୍ମନିରୂପଣ ଗୀତା — ଭୀମ ଭୋଇ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ଅଧ୍ୟାୟ
ଅଲେଖ ସଦ୍ଗୁରୁଅଲେଖ ସଦ୍ଗୁଣ ରୂପଞ୍ଚ ସତ୍ୟଧର୍ମୋ ପ୍ରକାଶିତ ।ସର୍ବଧର୍ମୋପରେ ଶ୍ରେଷ୍ଠ ଭକ୍ତି ମୁକ୍ତି ନିସଂଶୟ ।୧।ଅଲେଖ ଶରଣ ନିତ୍ୟ ସର୍ବକାଳେ ପାଦାମ୍ୱୁଜଂ ।ତୋ ପାଦେ ବନ୍ଦତେ ନିତ୍ୟଂ ଭବବନ୍ଧୁଁ ପ୍ରମୁଚ୍ୟତେ ।୨।ଅଲେଖ ଅବର୍ଣ୍ଣଶ୍ଚୈବ ଅଭେଦଂ ସର୍ବତ୍ରଂ ଭେଦଂ ।ଅରୂପଞ୍ଚ ରୂପ ନାସ୍ତି ଅଦେହ ଅଦୃଶ୍ୟଂ ତତଃ ।୩।ଶବ୍ଦବିକାର ମଗ୍ନୟୋ ଅଲେଖ ପ୍ରତିଯୁଗ୍ମଞ୍ଚ ।ବ୍ରହ୍ମରୂପୋ ପରିତ୍ୟାଗ ସତ୍ୟଧର୍ମୋ ନିରୂପଣ ।୪।ଅଲେଖ ଅରୂପଶ୍ଚୈବ ଅଣାକ୍ଷରୁଁ କ୍ଷରୟତେ ।ମାତ୍ରା ବିଦ୍ୟା ବିଲୋପଞ୍ଚ ତତ୍ପରେ ପରମ୍ବିଭୂ ।୫।ଅମାତ୍ରଂ ଶବ୍ଦରହିତଂ ସ୍ୱରବ୍ୟଞ୍ଜନବର୍ଜିତଂ ।ବିନ୍ଦୁନାଦକଳାତୀତଂ ଯସ୍ତଦ୍ବେଦ ସ ବେଦବିତ୍ ।୬।ନିରାକାର ଉବାଚନିରାକାର ବୋଇଲେ ଶୁଣିମ ଗୁରୁ ସାଇଁ ।ଭଲ କଥା ଗୋଟିଏ ପଚାରୁ ଅଛି ମୁହିଁ ।୧।ଅନୁମାନ କରି ହୃଦେ ବିଚାରିଛି ଭାବ ।ଯାହା ଆଜ୍ଞା ହେଲା ସ୍ୱାମୀ ଦେବଙ୍କୁ ଦୁର୍ଲଭ ।୨।ମହା ବ୍ରହ୍ମ ଶକତି ମହିମା ନିରୂପଣ ।ବିସ୍ତାରି କରି ଶ୍ରୀ ମୁଖେ କହିଲ ଆପଣ ।୩।ଯାହା ମୋ ସଂଶୟ ଥିଲା ହୃଦୟର ଗତେ,ବେନି କର୍ଣ୍ଣେ ଶୁଣି ମନେ ପାଇଲି ପରତେ ।୪।ପିଣ୍ଡକୁ ପବିତ୍ର ଏହି ଜୀବକୁ କାରଣ,ଆବର ରହିବ ହେତୁ ଚିଆଁ ଚଇତନ ।୫।ଏତେ ବୋଲି ନିରାକାର ଶିରେ କର ଯୋଡ଼ି,ଦନ୍ତରେ ତିରଣ ଧରି ଗୁରୁପାଏ ପଡ଼ି ।୬।ଭୋ ଗୁରୁ ଗୋସାଇଁ ମୋତେ ହୁଅ ପରସନ୍ନ,ସସ୍ରଦଳ ପଦ୍ମକୁଞ୍ଜ କେମନ୍ତ ବିଧାନ ।୭।କି ପ୍ରକାରେ ରଞ୍ଚନା ହୋଇଲା ଆଦ୍ୟନ୍ତରୁ,ସଂଶୟ ଫୋଡ଼ିଣ ମୋତେ କହିବ ଶ୍ରୀ ଗୁରୁ ।୮।କେତେ ଆୟତନ ଅଟେ ସେ କୁଞ୍ଜର ସ୍ଥଳୀ,କେତେ ଦୀର୍ଘ ପ୍ରତି ତାର ହୋଇଛି ମଣ୍ଡଳୀ ।୯।ଖଣ୍ଡ ଶେଣୀ ଉରା କେତେ ଲାଗିଅଛି ତହିଁ,କେମନ୍ତ ପ୍ରକାରେ ଘର ନିବାଡ଼ିଛି କାହିଁ ।୧୦।ଏହିମତେ ପ୍ରସନ୍ନେ କହିବା ଜଣାନନ୍ଦ,ଏତେ ବୋଲି ଧଇଲେ ଶ୍ରୀଗୁରୁପାଦବିନ୍ଦ ।୧୧।ନିରୂପଣ କରି ମୋତେ କହ ତହିଁ କଥା,ତୁମ୍ଭେ ତ ଶ୍ରୀଗୁରୁ ବ୍ରହ୍ମ ପଦରେ ଶକତା ।୧୨।ଶ୍ରୀ ଗୁରୁଦେବ ଉବାଚଶ୍ରୀ ଗୁରୁ ବୋଇଲେ ବାବୁ ଶୁଣ ନିରାକାର,ମହାନିତ୍ୟ ସସ୍ରେ ଦଳ କୁଞ୍ଜର ସଞ୍ଚାର ।୧୩।ଅନାମିକା ବୋଲି ଭୂମି ଖଣ୍ଡିଏକ ଥିଲା,ପରମ ଅକ୍ଷର ଆଦ୍ୟ ନାମ ସଞ୍ଚାରିଲା ।୧୪।କର୍ମ ଇଟା ପଥର ବସାଇ ଅଛି ତହିଁ,
ଜ୍ୟୋତିରୂପ ଗ୍ୟାନ କଲା ତିନିରୂପ ଦେଇ ।୧୫।
ସେ ମନ୍ଦିରେ ସ୍ଥଳୀ ଆଠ ଯୁଣହିଁ ଓସାର,
ଅଠର ଯୋଜନ ଉଚ୍ଚ ଉପରକୁ ତାର ।୧୬।
ଉଦେ ଅସ୍ତ ମେରୁ ତହିଁ ହୋଇଛି ତୁଲିଆ,
ସସ୍ରେ ଶେଣୀ ଲାଗି ମୁଦ ମାରିଛି ଚଲିଆ ।୧୭।
ସତ୍ୟ ତ୍ରେତୟା ହୋଇଛି ଉତ୍ତର ପାରିଆ,
ରାମନାମ ଶେଣୀ ତହିଁ ଲାଗିଛି ଧରୁଆ ।୧୮।
ଦ୍ୱାପର କଳି ହୋଇଛି ଦକ୍ଷିଣର ଖମ୍ୱ,
ଚାରି ଯୁଗ ଚାରି ଗୋଟି ପାରିଆର ଦମ୍ଭ ।୧୯।
ସସ୍ରେ ମୁଖୀ ବ୍ରହ୍ମା ତହିଁ ଚଉକିଆ ସ୍ତମ୍ଭ,
ଶତେମୁଖୀ ବ୍ରହ୍ମା ମଧ୍ୟ ଚଉକି ଆରମ୍ଭ ।୨୦।
ବାରମୁଖୀ ବ୍ରହ୍ମା ପୂର୍ବ ତୁଲିଆ ଚଉକ,
ଦଶମୁଖୀ ବ୍ରହ୍ମା ତାର ପଡ଼ିଅଛି ଦେଖ ।୨୧।
ଅଷ୍ଟମୁଖୀ ଓରା ବ୍ରହ୍ମ ପାଟି ପଡ଼ିଅଛି,
ଛଡ଼ମୁଖୀ ବେଦ ବ୍ରହ୍ମାମାନେଟି ବସିଛି ।୨୨।
ଚାରି କବି କରକାଣ୍ଡ ହୋଇ ସେ ମନ୍ଦିରେ,
ଅର୍ଥ ଲୁହା କଣ୍ଟା ପଟା ହୋଇଛି ତହିଁରେ ।୨୩।
ସେ ଚାରି ପଣ୍ଡିତ ହୋଇଛନ୍ତି ପାଣି ପାଟି,
ସହସ୍ରେ ପାଖୁଡ଼ା କୁଞ୍ଜ ଘର ଅଛି ବାଣ୍ଟି ।୨୪।
ଚଉଷଠୀ ସିଦ୍ଧ ଋଷି ମନ୍ଦିରର ଖମ୍ୱ,
ଧାଡ଼ି ଧାଡ଼ି ପୋତା ହୋଇଛନ୍ତି ଚାରିଧାମ ।୨୫।
ନାଗାନ୍ତ ଯୁଗାନ୍ତ ହୋଇଛନ୍ତି ପିଣ୍ଡା କୋଠା,
ସିଦ୍ଧାନ୍ତ ବେଦାନ୍ତ ତହିଁ ପାବଚ୍ଛର ଉଠା ।୨୬।
ତେତିଶ୍କୋଟି ଦେବ ହୋଇଛନ୍ତି ରୁଆ ବତା,
ଦ୍ୱାଦଶ ସ୍ୱରୂପ କମ ପଟାଇଛି ଲତା ।୨୭।
ଷୋଲ କଲା ହୋଇଅଛି ମନ୍ଦିରର ବାଟ,
ଷୋଲ ପରକାରେ ତହିଁ ଲାଗିଛି କବାଟ ।୨୮।
କେତେ ମୁଁ କହିବି ସେହି ମନ୍ଦିର ଉପାମା,
ସ୍ତମ୍ଭ ହୋଇଛନ୍ତି ତହିଁ ପୁଞ୍ଜା ପୁଞ୍ଜା ବ୍ରହ୍ମା ।୨୯।
ଚାରିନାମ ହୋଇଛନ୍ତି ସେ ମନ୍ଦିର କାନ୍ଥ,
ମହାବ୍ରହ୍ମ ଶକତିରୁ ମହିମା ବିଦିତ ।୩୦।
ଷୋଲକ୍ଷର ହୋଇଅଛି କବାଟ ଅର୍ଗଳି,
କିଳଣିର ଖଞ୍ଜାମାନ ପଡ଼ିଛି ଯାଉଁଳି ।୩୧।
ବତିଶ ନାମଟି ହୋଇଅଛି ଦ୍ୱାରବନ୍ଧ,
ଦୁମୁହାଁ ସର୍ପ ହୋଇଛି ଶିଙ୍କୁଳିର ଛନ୍ଦ ।୩୨।
ଭାଗବତ ମୂଳ ତହିଁ ହୋଇଅଛି ଚକି,
ଦ୍ୱାରବନ୍ଧେ ବଲାପିଟା ହୋଇଅଛି ମୁଖୀ ।୩୩।
କୁଞ୍ଚିଖଡ଼ା ହୋଇଅଛି ପବନର ଗୋଡ଼,
କବାଟର ଫରୁଆ ହୋଇଛି ପାଣି ହାଡ଼ ।୩୪।
ହରି ରାମ କୃଷ୍ଣ ପଟା ହୋଇଅଛି ଯୋଡ଼ା,
ଚଉଭୂଜୀ କୁଞ୍ଜଘର ସହସ୍ରେ ପାଖୁଡ଼ା ।୩୫।
ସହସ୍ରେକ ନାମ ତହିଁ ହୋଇଛି କବାଟ,
ଏକା ବଖୁରିକେ ଅଛି ପୁଞ୍ଜେ ଲେଖେ ବାଟ ।୩୬।
ମହାନିତ୍ୟ ପଦ୍ମକୁଞ୍ଜ ସହସ୍ର ପାଖୁଡ଼ା,
କେହି କାହାକୁ ନ ଲାଗି ହୋଇଅଛି ଛଡ଼ା ।୩୭।
ପାଖୁଡ଼ା ଗୋଟାକେ ଅଛି ସହସ୍ରେ ବଖୁରି,
ଜ୍ୟୋତିର୍ମଏ ବ୍ରହ୍ମ ତହିଁ ଛନ୍ତି ବିଜେ କରି ।୩୮।
ସହସ୍ରେ ପାଖୁଡ଼ା ଯାକେ ସସ୍ରେ ସସ୍ରେ କୋଠା,
ମାଟିହିଁ ପଥର ନୁହେ ସୁବର୍ଣ୍ଣର ଇଟା ।୩୯।
ସର୍ଜନା କଳ୍ପଣା ଝୁଣ୍ଟି ଅଳ୍ପଣା ହୋଇଛି,
ଏକକୁ ଆରେକ ତହିଁ ବିରାଜି ବାସୁଛି ।୪୦।
ବାରକଲା ତହିଁ ହୋଇଅଛି ଚିତ୍ରପଟ,
ବିଚିତ୍ର କମେ ମନ୍ଦିର ଦିଶୁଛି ପ୍ରଘଟ ।୪୧।
ଆପ ତେଜ ବାୟବ ଯେ ଧରତୀ ଆକାଶ,
ପଞ୍ଚୁ ଭୂତମାନ କୁଞ୍ଜ କୁଠାର ଆଶୀଷ ।୪୨।
ଜପ ତପ ହୋଇଛନ୍ତି ଗଣ୍ଠି ଅନାବତା,
ବେଦାନ୍ତକୁ ଖଞ୍ଜିଅଛି ପାଟଫୁଲି ସୂତା ।୪୩।
ଅଷ୍ଟାଦଶ ସିଦ୍ଧି ସେହି ମନ୍ଦିରରେ ରୁଅ,
ଶ୍ରୋତା ବକ୍ତା କଣ୍ଟା ପିଟା ହୋଇଛି ସର୍ବୟ ।୪୪।
ଧର୍ମ ହୋଇଅଛି କୁଞ୍ଜ କୋଠା ଅଧିକାରୀ,
ଚିଆଁ ଚଇତନ ତହିଁ ଛାଞ୍ଚୁଣୀ ପହୁଁରି ।୪୫।
ମନ ହୋଇଅଛି ସେ ମନ୍ଦିରେ ଲୁଣ୍ଡା ହାଣ୍ଡି,
ବିଚାରଟି କରୁଛି ନିର୍ମଳ ଘର ଖଣ୍ଡି ।୪୬।
ଛଡ଼ ବ୍ରହ୍ମବାସୀ ତହିଁ ଖଟିଛନ୍ତି ସେବା,
ସସ୍ରେ ଦଳ ପଦ୍ମ କୁଞ୍ଜ କି ଉପାମା ଦେବା ।୪୭।
ବେଦର କଳ୍ପ ହୋଇଛି କୁଠା ଆଭରଣ,
ସେଠାବକୁ କାହିଁ ଆଉ ଜନ୍ମାଦି ମରଣ ।୪୮।
ସସ୍ରେ ଦଳ ପଦ୍ମ କୁଞ୍ଜ ନିବାଡ଼ କରିଛି,
ମେଦିନୀମାଳକୁ ଛଣବିଡ଼ା ଛାଇଅଛି ।୪୯।
ଶୁଭ ଅନୁକୂଳ ହୋଇଛନ୍ତି ବାମ ବତା,
ଖଣ୍ଡିଏ ଖଡ଼ ନ ଖସେ ଅଗୋଚର କଥା ।୫୦।
ନବଲକ୍ଷ ତାରା ବସିଛନ୍ତି ହୀରା କିଣି,
ମହାନିତ୍ୟ କୁଞ୍ଜଘର ବିଚିତ୍ର ମଣ୍ଡଣି ।୫୧।
ଶୋଳକ ସୁମୃତି ହୋଇଛନ୍ତି ଝରି ଝମ୍ପା,
ଅର୍ଥ ସମ୍ପାଦରେ ମରା ହୋଇଛନ୍ତି ଛପା ।୫୨।
ଆପ ତେଜ ତହିଁ ହୋଇଛନ୍ତି ଚନ୍ଦ୍ରାତପ,
ଝଟକି ଦିଶୁଛି ପୁର ଆକାଶ ସରୂପ ।୫୩।
ହରତା କରତା ଦୁଇ ଛାମୁ ଆଜ୍ଞାକାରୀ,
ଏ ପିଣ୍ଡ ବ୍ରହ୍ମାଣ୍ଡ ତହୁଁ ଆତଯାତ କରି ।୫୪।
କହନ୍ତା ବହନ୍ତା ଦୁଇ କୁଞ୍ଜ ଦ୍ୱାରପାଳ,
ରାତ୍ର ଦିନ ବାରି ନୁହେ ସେ ପୁର ଧବଳ ।୫୫।
ସୁବର୍ଣ୍ଣଠାରୁ ଅଧିକ ବିରାଜଇ ତେଜ,
ବିହି ବିଶ୍ୱକର୍ମା ଲାଗ ହୋଇଅଛି ଉଜ ।୫୬।
ଶାହାସ୍ର ପଥରେ କେତେ ଦେବି ମୁଁ ଉପମା,
କଳି ନ ପାରନ୍ତି ଯାକୁ ଇନ୍ଦ୍ର ଚନ୍ଦ୍ର ବ୍ରହ୍ମା ।୫୭।
ଅନ୍ତ କରି ନୋହେ ମହାନିତ୍ୟ କୁଞ୍ଜ କଥା,
ଏକକୁ ଆରେକ ସବୁ ହୋଇଛନ୍ତି ଜିତା ।୫୮।
ଏ କୋଠାର କମ ଆର କୋଠାକୁ ନ ଆସେ,
ବଖୁରିକେ ଭିନ୍ନ ଭିନ୍ନ ବର୍ଣ୍ଣମାନ ଦିଶେ ।୫୯।
ଶୁଣିଲୁକି ନିରାକାର ମନ୍ଦିର ଚରିତ,
ଚିତ୍ରରୁ ବିଚିତ୍ର କାମ ବହୁ ବିବର୍ଜ୍ଜିତ ।୬୦।
ମହାନିତ୍ୟ ସସ୍ରଦଳ କୁଞ୍ଜର ଆକୃତି,
ଦୀର୍ଘ ପ୍ରତି ସମାନ ହୋଇଛି ଚଉକତି ।୬୧।
ନବଗ୍ରହ ହୋଇଛନ୍ତି ଜୁଳୁକି କବାଟ,
ଜଲ୍ଲା ଦରପଣ ବସି ଦିଶୁଛି ପ୍ରଘଟ ।୬୨।
କାନ୍ଥ ଛାଏଣିରେ ସର୍ବେ ଫୁଟିଛନ୍ତି ଲତା,
ସାକ୍ଷାତରେ ପଟପଟ କହୁଛନ୍ତି କଥା ।୬୩।
ଏକାଦିଶୀ ବ୍ରତ ତହିଁ ଏକାନ୍ତ ଚାହାଁଣି,
କଦଳୀଭଣ୍ଡା ପରାଏ ପଡ଼ିଅଛି ବେଣୀ ।୬୪।
ଅନଳ ହୋଇଛି ତହିଁ ଚଉକୀ ପାହାରୀ,
ଶବଦ ଭେଦଟି ତହିଁ ହୋଇଛି ଦୁଆରୀ ।୬୫।
କୁଞ୍ଜଘର ମନ୍ଦିରରେ ବ୍ରହ୍ମ ତେଜମୟେ,
ଚାରିଯୁଗ ଯୁଗାନ୍ତରେ ନୁହନ୍ତି ସେ କ୍ଷୟେ ।୬୬।
ଦିବସ ରଜନୀ ତହିଁ ଉଲଟିଆ କାନ୍ଥ,
କଳଣା ନ ଯାଇ ପୁର ଅଗୋଚର ପଥ ।୬୭।
କାଳଗଣମାନେ ତହିଁ ଅଛନ୍ତି ଦୁଆରୀ,
ବଖରା ଗୋଟିକେ ଯୋଡ଼ି ଯୋଡ଼ି ଜଗୁଆଳୀ ।୬୮।
ଯମରାଜା ହୋଇଅଛି ତହିଁ କୁଞ୍ଜ ବେଢ଼ା,
ମାଳ ମାଳ ପୋତା ହୋଇଅଛି ତହିଁ ଗୁଡ଼ା ।୬୯।
ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ଆଦିକନ୍ଦ,
କହିଦେବା କୁଞ୍ଜ ପଦ୍ମ ପାଖୁଡ଼ାର ବନ୍ଧ ।୭୦।
ପ୍ରଥମ ପାଖୁଡ଼ା ଏକାକ୍ଷର ବୋଲି କହି,
ଅନାମରୁ ଶୂନ୍ୟ ନାମ ଉଦିତ ଅଟଇ ।୭୧।
ଏକା ପାଖୁଡ଼ାରୁ ତହିଁ ଦ୍ୱିତୀୟ ହୋଇଲା,
ଅଧେକ ଅଣ୍ଡିର ଅଧେ ମାଈ ବୋଲାଇଲା ।୭୨।
ତ୍ରିୟ ବୀର୍ଯ୍ୟ ଅର୍ଦ୍ଧ ମାତ୍ରା ତୃତୀୟ ପାଖୁଡ଼ି,
ଯେସନେକ ବୃକ୍ଷପରେ ଶାଖା ଧାଡ଼ି ଧାଡ଼ି ।୭୩।
ଚତୁର୍ବେଦ ହୋଇଅଛି ପାଖୁଡ଼ା ସେ ଚାରି,
ଚଉରସରୂପେ ସେ ମନ୍ଦିର ଅଛି କରି ।୭୪।
ପଞ୍ଚୁଭୂତ ହୋଇଅଛି ପଞ୍ଚମ ପାଖୁଡ଼ା,
କର୍ମମାନେ ଆଡ଼ ବତା ହୋଇଛନ୍ତି ଧଡ଼ା ।୭୫।
ଛଡ଼କ୍ଷର ସଷ୍ଟମ ପାଖୁଡ଼ା ବୋଲି ଜାଣ,
ସଷ୍ଟମ କଳାରେ ପୁର ହୋଇଛି ନିର୍ମାଣ ।୭୬।
ସାତ ସିନ୍ଧୁ ହୋଇଅଛି ସପ୍ତମ ପାଖୁଡ଼ା,
ଫେଣା ବୁଲାଉଛି ତହିଁ ଅବନା ଅଛଡ଼ା ।୭୭।
ଅଷ୍ଟକଳା ନାଗ ତହିଁ ଅଷ୍ଟମ ପାଖୁଡ଼ି,
ପନ୍ତି ପନ୍ତି ହୋଇ ରହିଛନ୍ତି ବେଢ଼ ପଡ଼ି ।୭୮।
ନବ୍ଧା ଭକ୍ତ ହୋଇଅଛି ନବମ ପାଖୁଡ଼ା,
ମୂଳ ବୀଜଠାରୁ କ୍ଷରୁଛନ୍ତି ଯୋଡ଼ା ଯୋଡ଼ା ।୭୯।
ବାର ପଦ୍ମ ହୋଇଅଛି ଦ୍ୱାଦଶ ପାଖୁଡ଼ି,
ନାଭି ମଣ୍ଡଳୁ ଯେସନେ ଲାଗଅଛି ନାଡ଼ି ।୮୦।
ଚଉଦ ବ୍ରହ୍ମାଣ୍ଡ ଚତୁର୍ଦ୍ଦଶମ ପାଖୁଡ଼ା,
କାଳ ମାଳ ସର୍ପ କୁଞ୍ଜ ମନ୍ଦିରରେ ଭିଡ଼ା ।୮୧।
ପନ୍ଦର ତିଥି ହୋଇଛି ପନ୍ଦର ପାଖୁଡ଼ା,
କ୍ଷରି ଯାଇଅଛି ପୁର ଯେସନେ ଲହଡ଼ା ।୮୨।
ଷୋଡ଼ଦଶ ପାଖୁଡ଼ାରେ ଷୋଡ଼ଦଶ ଲତା,
ଅବିକାରମାନେ ତହିଁ ହୋଇଛନ୍ତି ବତା ।୮୩।
ଏ କୌଶ ବ୍ରହ୍ମାଣ୍ଡ ତହିଁ ଏ କୌଶ ଚଉଁରୀ,
ସ୍ୱର୍ଗ ମର୍ତ୍ତ୍ୟ ପାତାଳହିଁ ସର୍ବେ ଛନ୍ତି ପୂରି ।୮୪।
ଚବିଶ ପଟଳ ମନ୍ତ୍ର ଚବିଶ ପାଖୁଡ଼ା,
ପଚାଶ ବର୍ଣ୍ଣରେ ନିବାଡ଼ିଛି କୁଞ୍ଜ ବେଢ଼ା ।୮୫।
ଅଣତ୍ରିଶ ପାଖୁଡ଼ା ମନ୍ଦିର ପରିପୂର୍ଣ୍ଣ,
କେ କାହାକୁ ନୁହେ ଊଣା ରୂପ ଭିନ୍ନ ଭିନ୍ନ ।୮୬।
ଏକଚାଳିଶ ପାଖୁଡ଼ା ବଢ଼ିଗଲା ଯେଣୁ,
ମହାନିତ୍ୟ ପଦ୍ମ କୁଞ୍ଜ ବୋଲାଇଲା ତେଣୁ ।୮୭।
ଚଉଷଠୀ ପାଖୁଡ଼ା ହୋଇଲା ଯେତେବେଳେ,
ଚଉଷଠୀ ବ୍ରହ୍ମଘର ନାମହିଁ ନିରୋଳେ ।୮୮।
ଅଶୀ ଶହେ ପାଖୁଡ଼ା ରଞ୍ଚିଲା ଏହିପରି,
ବେଦପତି ବ୍ରହ୍ମା ହେଲେ ବର୍ଣ୍ଣିତ ନ ପାରି ।୮୯।
ବିଶାଶହେ ପାଖୁଡ଼ା ହୋଇଲା ଯେଣୁ ପୁର,
ପାଖୁଡ଼ାକେ ବୋଲାଉଛି ସହସ୍ରେକ ଘର ।୯୦।
ଶୁଣ ବାବୁ ନିରାକାର ଠିକ ଠିକ କଥା,
ସସ୍ରେ ପାଖୁଡ଼ାରୁ ପୁର ଅଛି ଅଗଣିତା ।୯୧।
ସଂଖ୍ୟା କରି ମନ୍ଦିର କହିବା କେତେ ବଢ଼ି,
ଅଙ୍କପଢ଼ା ଜନ ମଧ୍ୟେ ନ ପାରିବେ ଧାଡ଼ି ।୯୨।
ମହାନିତ୍ୟ ପଦ୍ମ କୁଞ୍ଜ ସହସ୍ରେ ପାଖୁଡ଼ା,
ସକଳ ବଖୁରି ଭୂମ ହୋଇଛି ଚଉଡ଼ା ।୯୩।
ଅଶେଷ ଭୁବନ ତହିଁ ମହାନିତ୍ୟ କୁଞ୍ଜ
ଗଣା ପୋଛା କଲେ ତହିଁ ମନ ହେବ ଉଁଜ ।୯୪।
ଚଉଖୁଣ୍ଟିଆ ସେ ପୁର ହୋଇଛି ନିର୍ମାଣ,
ଅନ୍ତ କରି ନୋହେ ଯେସନେକ ଗିରିବଣ ।୯୫।
କ୍ଷୟେ ବୃଦ୍ଧି ନୁହେ ପୁର ଅଟଇ ଅକ୍ଷଏ,
ସ୍ତିରୀ ପୁରୁଷ ଅଛନ୍ତି ଯୋଡ଼ାଏ ଯୋଡ଼ାଏ ।୯୬।
ବୃଦ୍ଧ ବୃଦ୍ଧା ନୁହନ୍ତି ସେ ସବୁଦିନେ ଯୁବା,
ପ୍ରତିଦିନେ ସୁମଙ୍ଗଲେ ହେଉଛନ୍ତି ବିଭା ।୯୭।
ଯୁଗେ ଯୁଗେ ବୟସ ଭୂଷଣ ସେ ଭୁବନେ,
ବର କନ୍ୟା ବେଶ ହୋଇଛନ୍ତି ସର୍ବଜନେ ।୯୮।
କେହି କାହାକୁ ନୁହନ୍ତି ପାତର ଅନ୍ତର,
ସାଆନ୍ତ ସେବକ ଏକ ଆସ୍ତାନେ ବେହାର ।୯୯।
ନିରାକାର ଉବାଚ
ନିରାକାର ବୋଇଲେ ଶୁଣିମା ଜ୍ଞାନରାଜି,
କୁଞ୍ଜ ମନ୍ଦିରର କଥା ନ ପାରିଲି ବୁଝି ।୧୦୦।
ସଂଖ୍ୟା କରି ଯାହା ସେ କହିଲ ମୋ ଆଗରେ,
କର୍ଣ୍ଣେ ଶୁଣି ସଂଶୟ ଲାଗିଲା ମୋ ମନରେ ।୧୦୧।
ଭିନ୍ନ ଭିନ୍ନ କରି ମୋତେ କହିଦିଅ ବାଛି,
ସୁଧା ଶ୍ରୀଛାମୁରୁ ଶୁଣି ମନେ ପ୍ରତେ ଅଛି ।୧୦୨।
ଅଣହିସାବ ହେଉଛି ମନ୍ଦିର ସଞ୍ଚାର,
ଶ୍ରୀଗୁରୁ ବୋଇଲେ ବାବୁ ଶୁଣ ନିରାକାର ।୧୦୩।
ଶ୍ରୀ ଗୁରୁଦେବ ଉବାଚ
ପ୍ରଥମ ପାଖୁଡ଼ା ପରେ ତିନି ବସାଇଲା,
ଦ୍ୱିତୀୟେ ଚାରି ମିଶନ୍ତେ ଅଷ୍ଟମ ହୋଇଲା ।୧୦୪।
ତୃତୀୟରେ ପଞ୍ଚମ ପାଖୁଡ଼ା ଗଲା ବସି
ହେଜାକୁ ତେର ହୋଇଲା କହିଦେଲୁ ବାଛି ।୧୦୫।
ଚତୁର୍ଥରେ ସଷ୍ଟମ ପାଖୁଡ଼ା ବସାବନ୍ତେ,
ଲେଖାକୁ ହୋଇଲା ଊଣାଇଶ ପରିଯନ୍ତେ ।୧୦୬।
ପଞ୍ଚମରେ ସପ୍ତମ ପାଖୁଡ଼ା ପରକାଶ,
ଦଶ ତାକୁ ଘେନି ତହୁଁ ହେଲା ସତାଇଶ ।୧୦୭।
ଷଷ୍ଠମରେ ଅଷ୍ଟମ ପାଖୁଡ଼ା ବସାଇଲା,
ସତାଇଶ ଘେନି ପଞ୍ଚତିରିଶ ହୋଇଲା ।୧୦୮।
ସପ୍ତମରେ ନବମ ପାଖୁଡ଼ା ବସାଇଲା,
ପଞ୍ଚତିରିଶକୁ ଘେନି ଚୌରାଳିଶ ହେଲା ।୧୦୯।
ଅଷ୍ଟମରେ ଏକାଦଶ ପାଖୁଡ଼ା ବସିଲା,
ଚଉରାଳିଶକୁ ଘେନି ପଞ୍ଚାବନ ହେଲା ।୧୧୦।
ନବମରେ ଦ୍ୱାଦଶ ପାଖୁଡ଼ା ବସାବନ୍ତେ,
ପଞ୍ଚାବନୁ ହେଲା ଅଠଷଠୀ ପରିଯନ୍ତେ ।୧୧୧।
ଦଶମରେ ଚଉଦ ପାଖୁଡ଼ା ବସାଇଲା,
ଅଠଷଠୀ ମିଶାବନ୍ତେ ବୟାଶୀ ହୋଇଲା ।୧୧୨।
ଏଗାରେ ଷୋଳ ପାଖୁଡ଼ା ବସାଇଲା ଯହୁଁ,
ବୟାଶୀ ମିଶାବନ୍ତେ ହୋଇଲା ଅଠାନଉ ।୧୧୩।
ଦିବସରେ ଦଶମ ପାଖୁଡ଼ା ବସାଇଲା,
ଅଠାନଉରେ ଶଏଅଷ୍ଟ ଉତ୍ତର ହୋଇଲା ।୧୧୪।
ସହସ୍ର ନାମ ହୋଇଲା ସହସ୍ର ପାଖୁଡ଼ା,
ସସ୍ରେ ଦଳ-ପଦ୍ମ-କୁଞ୍ଜ-ମନ୍ଦିର ଆଖଡ଼ା ।୧୧୫।
ଗନ୍ଧର୍ବମାନେ ଦୁଆରୀ ହୋଇଛନ୍ତି ତହିଁ,
ସୁବର୍ଣ୍ଣରେ ବେତ ସର୍ବେ ଛନ୍ତି ହସ୍ତେ ଲାଇ ।୧୧୬।
ମହାବ୍ରହ୍ମ ପ୍ରଭୁ କରିଅଛନ୍ତି ବିଜୟେ,
ମହାନିତ୍ୟ ଭୁବନେ ସର୍ବଦା ଜୟେ ଜୟେ ।୧୧୭।
ଲକ୍ଷେ ଘଣ୍ଟ ଲକ୍ଷେ ଶଙ୍ଖ ସେଠାରେ ବାଜୁଛି,
ଲକ୍ଷେ ଲକ୍ଷେ ଚାମର ଛତ୍ର ଯେ ଉଡ଼ୁଅଛି ।୧୧୮।
ଲକ୍ଷେ ବୀର ଲକ୍ଷେ ତୂର ଲକ୍ଷେ ଘଣ୍ଟ ଘଣ୍ଟା,
ଲକ୍ଷେ ଲକ୍ଷେ ସମ୍ଭର୍ବ ହେଉଛି ଭାଗ ବଣ୍ଟା ।୧୧୯।
ଲକ୍ଷେ ଗଛ ଦୀପ ଜଳୁଅଛି ନିରନ୍ତର,
ଲକ୍ଷେ ନେତ ଲକ୍ଷେ ପାଟ ଉଡ଼େ ଫରହର ।୧୨୦।
ଲକ୍ଷ ଲକ୍ଷ ନିଶାଣ ଟମକ ବାଜୁଅଛି,
ସିନ୍ଧୁ ଗରଜନ ପ୍ରାଏ ଶବଦ ଶୁଭୁଛି ।୧୨୧।
ଲକ୍ଷେ କନ୍ୟା ତହିଁ ଖଟିଛନ୍ତି ଆଜ୍ଞାପାଳି,
ଲକ୍ଷେ ଅର୍ଘ୍ୟ ସ୍ଥାଳୀ ଧରି ଲକ୍ଷେ ଦୀପାବଳୀ ।୧୨୨।
ହରିବୋଲ ହୁଳହୁଳି ପଡ଼େ ଅବିଚ୍ଛନ୍ନ,
ନୃତ୍ୟ କରୁଛନ୍ତି ମହାନିତ୍ୟ ଭକ୍ତଗଣ ।୧୨୩।
ଲକ୍ଷେକ ମାଳ ଦିହୁଡ଼ୀ ଜଳୁଅଛି ତହିଁ,
ରାତ୍ର ଦିବସହିଁ କିଛି ବାରଣ ନ ଯାଇ ।୧୨୪।
ଲକ୍ଷେ ଝାଞ୍ଜ ଲକ୍ଷେ ତାଳ ବାଜେ ଏକାବେଳେ,
ଗହ ଗହ ଶୋଭା ମହାନିତ୍ୟର ମଣ୍ଡଳେ ।୧୨୫।
ଲକ୍ଷେ ମର୍ଦ୍ଦଳ ମୃଦଙ୍ଗ ବାଜେ ଘୁମୁଘୁମୁ,
କୁଞ୍ଜ ମଧ୍ୟରେ ବିଜୟେ କରିଛନ୍ତି ପ୍ରଭୁ ।୧୨୬।
ଅଗର ଚନ୍ଦନ ଚୂଆ କର୍ପୂର ସହିତେ,
ଅଙ୍ଗେ ଲିପା ଲିପି ହେଉଅଛନ୍ତି ସମସ୍ତେ ।୧୨୭।
ଅଭୟ ଭୁବନ ସେ ଯେ ଭୟ ଭ୍ରାନ୍ତି ନାହିଁ,
ଯମ ରାଜାଗଣେ ସେବା ଖଟିଛନ୍ତି ଯହିଁ ।୧୨୮।
ଶୁଣିଲୁ କି ଆଦିକନ୍ଦ କୁଞ୍ଜର ବୃତ୍ତାନ୍ତ,
ବେନି କର୍ଣ୍ଣେ ଶୁଣି ମନେ ହେବ ଆଚମ୍ୱିତ ।୧୨୯।
କର୍ଣ୍ଣେ ଶୁଣି ନିରାକାର ମନେ ହେଲେ ତୋଷ,
ବ୍ରହ୍ମ-ନିରୂପଣ-ଗୀତା ଭଣେ ଭୀମ ଦାସ ।୧୩୦।
ଇତି ଶ୍ରୀ ବ୍ରହ୍ମ-ନିରୂପଣ-ଗୀତା, ସୁଜନଜନହିତା, ଗୁରୁ
ଶିଷ୍ୟସମ୍ପାଦେ, ସସ୍ରଦଳ କୁଞ୍ଜ ଆତଯାତ
ବର୍ଣ୍ଣନେ, ଭେଦାଭେଦ ବିଚାରଣେ
ନାମ ନବମୋଽଧ୍ୟାୟ ।