ତତଃ କିମ୍ — ବିଶ୍ୱ ମାନବର ପଥେ — ରବୀନ୍ଦ୍ରନାଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତତଃ କିମ୍
ଶିଳ୍ପୀ ସତର୍କତା ସହକାରେ ନିଜର ଅଙ୍କନରେଖା ଓ ରଙ୍ଗ ମନୋନୟନ କରି ବିଚିତ୍ର ପ୍ରଣାଳୀରେ ସେମାନଙ୍କର ମଧୁର ମିଳନ ଘଟାନ୍ତି; ଫଳରେ ସେଗୁଡ଼ିକ କେବଳ ରେଖା ଓ ବର୍ଣ୍ଣ ସମୂହର ଏକତ୍ରୀକରଣ ବୋଲି ମନେ ହୁଏନା । ଉତ୍କୃଷ୍ଟ ରୂପଧାରଣ ପୂର୍ବକ ସେମାନ ଏକ ଚିତ୍ରରେ ପରିଣତ ହୁଅନ୍ତି, ଏଥିରେ ଶିଳ୍ପୀର ପୂର୍ଣ୍ଣତାର ଆଦର୍ଶ ବାସ୍ତବରୂପ ମଧ୍ୟରେ ଆତ୍ମପ୍ରକାଶ କରେ । ଠିକ୍ ସମାନ ଭାବରେ ଭାରତବର୍ଷ ମଧ୍ୟ ତା’ର ସ୍ୱାଧୀନତାର ଆଦର୍ଶ ଅନୁଧାବନରେ ଏକ ନିର୍ଦ୍ଦିଷ୍ଟ ଚରମ ଉଦ୍ଦେଶ୍ୟ ଅଭିମୁଖରେ ନିଜ ପ୍ରାଣଶକ୍ତିକୁ ପରିଚାଳିତ କରିବା ପାଇଁ ଚେଷ୍ଟା କରିଥିଲା । ଜୀବନ ନିଜ ସୀମା ମଧ୍ୟରେ ବିକଶିତ ନ ହୋଇ କ୍ରମବର୍ଦ୍ଧିତ ପୁଷ୍ପ ଫଳରେ ପରିଣତ ହେଲା ପରି ଏକ ଉଚ୍ଚତର ଲକ୍ଷ୍ୟ ଦିଗରେ ବିକଶିତ ହେବା ବାଞ୍ଛନୀୟ- ଏହା ହିଁ ଭାରତର ଆଦର୍ଶ । ରେଖାସମୂହ ସେମାନଙ୍କ ସୀମାର ଶୃଙ୍ଖଳା ମଧ୍ୟଦେଇ ସୌନ୍ଦର୍ଯ୍ୟ ରାଜ୍ୟରେ ଉପନୀତ ହୁଅନ୍ତି ଏବଂ ଏହାହିଁ ହେଉଛି ଅସୀମର ପ୍ରକାଶ । ନିଜର ସୀମାରେଖା ବା କୂଳ ମଧ୍ୟଦେଇ ସ୍ୱାଧୀନତାର ଏକ ଅସୀମ ସାଗର ମଧ୍ୟକୁ ଜୀବନସ୍ରୋତ ବୁହାଇ ନେବା ଭାରତର ଲକ୍ଷ୍ୟ । ଭାରତ ବନେ ଜୀବନଯାପନ ରୂପକ କଳାର ପ୍ରଣାଳୀ ଓ ପଦ୍ଧତି ଅବଲମ୍ବନ କରିବା ନିମନ୍ତେ ନିଜ ସନ୍ତାନମାନଙ୍କୁ ଯେଉଁ ଶିକ୍ଷା ଦେଇଥିଲା, ତାହାହିଁ ଏହି ପ୍ରବନ୍ଧରେ ଆଲୋଚିତ ହେଉଅଛି ।
ଏହି ଦେହ ଅପବିତ୍ର, ସଂସାର ଅନିତ୍ୟ ଓ ଅସାର ଏବଂ କଠିନ ସଂଯମହିଁ ମୁକ୍ତିଲାଭର ପନ୍ଥା-ଏ ଧରଣର ବୈରାଗ୍ୟ ଧର୍ମର ଶ୍ରେଷ୍ଠତା ମଧ୍ୟଯୁଗୀୟ ଇଉରୋପରେ ପାରମାର୍ଥିକ ଜୀବନର ଆଦର୍ଶରୂପେ ଗୃହୀତ ହୋଇଥିଲା । ସଂସାର ଅନିତ୍ୟ ବୋଲି ଏକି ଦିଗରେ ମନୁଷ୍ୟର ସ୍ୱାଭାବିକ ପ୍ରବୃତ୍ତି ଓ ସାମାଜିକ ଆଦର୍ଶ ଏବଂ ଅନ୍ୟ ଦିଗରେ ପାରମାର୍ଥିକ ଜୀବନର ଅଭିଳାଷ ଓ ଶୃଙ୍ଖଳାଜନିତ ନିବୃତ୍ତି ମଧ୍ୟରେ ଚିରସ୍ଥାୟୀ ଏକ କଳହକୁ ସ୍ୱୀକାର କରିବାକୁ ଆଧୁନିକ ଇଉରୋପ ଶ୍ରେୟସ୍କର ମନେ କରି ନାହିଁ । ଏହି ଭାବଧାରା ଅନୁସାରେ ଜଗତର ଅସାରତା ଉପରେ ଅଧିକ ଗୁରୁତ୍ୱ ଦେବା ଦ୍ୱାରା ମାନବସତ୍ତାର ନୈତିକ ଆଦର୍ଶ ଖର୍ବୀକୃତ ହୁଏ । ଜୀବନର ପ୍ରତିଯୋଗିତା ମଧ୍ୟରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପୂର୍ଣ୍ଣବେଗରେ ଧାବମାନ ହେବାହିଁ ବୀରତ୍ୱ ଏବଂ କାର୍ଯ୍ୟରେ ବିଶ୍ରାମ ନ ନେଇ ଜୀବନ ଶେଷ କରିବା ଗୌରବାନ୍ୱିତ ମୃତ୍ୟୁଭାବେ ସେମାନଙ୍କ ଦ୍ୱାରା ବିବେଚିତ ।
ସଂସାରର ଅନିତ୍ୟତା ଓ ମୃତ୍ୟୁର ନିଶ୍ଚିତତା ମନ ମଧ୍ୟରେ ପୋଷଣ ନ କରି ସଂସାର ସହିତ ଚିରନ୍ତନ ସମ୍ପର୍କ ସ୍ଥାପନ କରିବାର ଚେଷ୍ଟାରୁ ୟୁରୋପୀୟ ଜାତି ଏକ ବିଶେଷ ଫଳ ଓ ଶକ୍ତି ଯେ ଲାଭ କରିଅଛି ଏଥିରେ ସନ୍ଦେହ ନାହିଁ । ତା’ର ସନ୍ତାନମାନେ ଜୀବନକୁ ସଂଗ୍ରାମ ବୋଲି ଜାଣନ୍ତି; ବିଜ୍ଞାନର ଶିକ୍ଷା ଅନୁସାରେ ଯୋଗ୍ୟତମର ଉଦ୍ବର୍ତ୍ତନ ନୀତି ଉପରେ ସେମାନେ ଆସ୍ଥା ପୋଷଣ କରନ୍ତି ।
ଏହା ହିଁ ୟୁରୋପୀୟମାନଙ୍କ ନିକଟରେ ଜୀବନର ପୂର୍ଣ୍ଣ ତାତ୍ପର୍ଯ୍ୟ । ତଥାପି ଏ ଧରଣର ଜୀବନ-ଦର୍ଶନର ବ୍ୟବହାରିକ ମୂଲ୍ୟ ଯାହା ହେଉ ନା କାହିଁକି ଜଗତ ସହ ଆମର ସମ୍ବନ୍ଧ ଯେ ଅସ୍ଥାୟୀ; ଏହା ଏକ ନିର୍ଦ୍ଦଷ୍ଟ ସତ୍ୟ ।
ପ୍ରକୃତି ନିଜର ଜୈବ ଉଦ୍ଦେଶ୍ୟ ସାଧନ ନିମନ୍ତେ ଆମ୍ଭମାନଙ୍କ ମଧ୍ୟରେ ଜୀବନ ପ୍ରତି ଏକ ବଳିଷ୍ଟ ବିଶ୍ୱାସ ସୃଷ୍ଟି କରି, ମୃତ୍ୟୁ ସମ୍ପର୍କରେ ଆମକୁ ସଚେତନ କରି ନାହିଁ । ତଥାପି ସଂସାରରେ ଆମର ଦୈହିକସତ୍ତାର ଅବସାନ ଘଟିବା ସଙ୍ଗେ ଏହାର ସକଳ କୃତିତ୍ୱ ବିଜୟର ଶିଖରତମ ପ୍ରଦେଶରେ ବିଲୀନ ହୁଏ । ସର୍ବୋଚ୍ଚ ସମୃଦ୍ଧି ଶୂନ୍ୟତାରେ ପରିଣତ ହୁଏ ଏବଂ ପରମ ଶକ୍ତିଶାଳୀ ସାମ୍ରାଜ୍ୟ ଉତ୍ସବର ଉଲ୍ଳାସମୟ ଆଲୋକମାଳା ମଧ୍ୟରେ ସୁଦ୍ଧା ହତଜ୍ଞାନ ହୋଇ କବଳିତ ହୁଏ । ଏହି ସତ୍ୟ ଆମ ପକ୍ଷରେ କ୍ଲାନ୍ତିଦାୟକ ହୋଇପାରେ, କିନ୍ତୁ ଏହା ଉଣା ଅଧିକ ସତ୍ୟ । ତେଣୁ ଜୀବନର ପୃଷ୍ଠଭୂମି ସହ ବା ମୃତ୍ୟୁ ସହ ସମତାନ ରକ୍ଷା କରିବାର ସାମର୍ଥ୍ୟ ଦିଗରୁ ଆମର କାର୍ଯ୍ୟାବଳୀର ଗୁରୁତ୍ୱ ବିଚାର କରିବା ଉଚିତ ।
ଏହା ସମାନ ଭାବରେ ସତ୍ୟ ଯେ ଆମର ନଶ୍ୱର ସମ୍ବନ୍ଧଗୁଡ଼ିକ ନିଶ୍ଚୟ ଧ୍ୱଂସପ୍ରାପ୍ତ ହେବ, ତଥାପି ସେଗୁଡ଼ିକର ବିଦ୍ୟମାନବତାରେ ଆମେ ସେମାନଙ୍କୁ ଅବହେଳା କରି ପାରିବା ନାହିଁ-। ସେମନଙ୍କ ଅସ୍ଥାୟୀତ୍ୱ ହେତୁ ଆମେ ଯଦି ତାଙ୍କୁ ଅବର୍ତ୍ତମାନ ରୂପେ ବ୍ୟବହାର କରୁ ସେମାନେ କ୍ଷତିପୂରଣ ଆକାରରେ ସେମାନଙ୍କର ପ୍ରାପ୍ୟ ଆମ୍ଭମାନଙ୍କ ନିକଟରୁ ନିଶ୍ଚୟ ଆଦାୟ କରିବେ । ରେଲଗାଡ଼ି ମାନଙ୍କରେ ବାସଗୃହର ସ୍ଥାୟୀ ବ୍ୟବସ୍ଥା ନାହିଁ ବୋଲି ଆମେ ରେଳଯାତ୍ରାର ଭଡ଼ାରୁ ଅବ୍ୟାହିତ ପାଇଁ ଦାବୀ କରି ପାରିବା ନାହିଁ । ଅସ୍ଥାୟୀ ହେଲେ ସୁଦ୍ଧା ବାସ୍ତବ ବନ୍ଧନକୁ ଅବହେଳା କରିବାର ପ୍ରୟାସ ହିଁ ଆମ ବନ୍ଧନକୁ ଦୃଢ଼ ଓ ଦୀର୍ଘକାଳସ୍ଥାୟୀ କରିବ ।
ବସ୍ତୁତଃ ଗ୍ରହଣ ଓ ବର୍ଜ୍ଜନ, ବନ୍ଧନ ଓ ବୈରାଗ୍ୟ ଦୁଇ ସମାନ ସତ୍ୟକୁ ଯଥାର୍ଥରୂପେ ମିଳାଇ ପାରିଲେ ପୂର୍ଣ୍ଣତା ଲାଭ କରିବା ସହଜ ହେବ । ସତ୍ୟର ସସୀମ ବିଭାବର ସ୍ପର୍ଶ ଆମେ ବନ୍ଧନ ମଧ୍ୟରେ ପାଉଁ, କିନ୍ତୁ ବୈରାଗ୍ୟ ଆମକୁ ସତ୍ୟର ଅସୀମତା ମଧ୍ୟରେ ନିହିତ ସ୍ୱାଧୀନତା ଦିଗକୁ ନେଇଯାଏ ଏବଂ ଏହାହିଁ ହେଉଛି ଆଦର୍ଶ ବିଭାବ । ଗମନ ପ୍ରକ୍ରିୟାରେ ମୃତ୍ତିକାକୁ ସ୍ପର୍ଶ କରିବା ସମୟର ପଦକ୍ଷେପ ବନ୍ଧନର ପ୍ରତୀକ, ପୁଣି ସେ ସମୟରେ ଆପେ ଆପେ ଟେକି ହେଉଥିବା ଅପର ପାଦର ଗତି ମୁକ୍ତିର ସୂଚକ । ବନ୍ଧନ ଓ ମୁକ୍ତିର ଐକ୍ୟତାନିକ ମିଳନହିଁ ସୃଷ୍ଟିର ନୃତ୍ୟ । ଭାରତୀୟ ଚିନ୍ତାଧାରାର ସୂଚନା ଅନୁସାରେ ସତ୍ୟର ପୁଂ ସତ୍ତା ଶିବ ଶକ୍ତିର ସ୍ୱାଧୀନତାର ପ୍ରତୀକ, ନାରୀସତ୍ତା ଶିବା ଭୌତିକ ଜଗତର ବନ୍ଧନର ପ୍ରତୀକ । ଉଭୟେ ମିଳିତ ହୋଇ ଏକାଙ୍ଗ ହେଲେ ସମ୍ପୂର୍ଣ୍ଣତାର ଆନନ୍ଦ ।
ଏହି ବୈପରୀତ୍ୟ ମଧ୍ୟରେ ଐକ୍ୟ ଆଣିବାକୁ ହେଲେ, ମନୁଷ୍ୟ ସମ୍ବନ୍ଧରେ ଆମର ପ୍ରକୃତ ଧାରଣା ଥିବା ଆବଶ୍ୟକ, ଅର୍ଥାତ୍ ଆମେ ତା’କୁ କୌଣସି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟର ଆବଶ୍ୟକତାର ନିମ୍ନଭୂମିକୁ ଆଣିବା ଅନୁଚିତ । କେବଳ ଇନ୍ଧନ ଦୃଷ୍ଟିରେ ବୃକ୍ଷକୁ ଦେଖିବା ଦ୍ୱାରା ବୃକ୍ଷର ଫଳ ପୁଷ୍ପ ପତ୍ର ସମ୍ପର୍କରେ ସାମଗ୍ରିକ ଜ୍ଞାନ ଲାଭ କରାଯାଇ ପାରେ ନାହିଁ । ସେହିପରି ମନୁଷ୍ୟକୁ କେବଳ ଦେଶର ରକ୍ଷାକାରୀ ବା ତା’ର ସମୃଦ୍ଧିର ଉତ୍ପାଦନକାରୀ ଭାବରେ ବିଚାର କରିବା ଦ୍ୱାରା ଆମେ ତା’କୁ କେବଳ ସୈନ୍ୟ, ବ୍ୟବସାୟୀ ବା କୂଟନୀତିଜ୍ଞର ଶ୍ରେଣୀଭୁକ୍ତ କରିଥାଉ ଏବଂ କର୍ମର ଯୋଗ୍ୟତାକୁ ତା'ର ମନୁଷ୍ୟତ୍ୱର ମାନଦଣ୍ଡଭାବେ ଗ୍ରହଣ କରୁ । ଏ ଧରଣର ସଙ୍କୀର୍ଣ୍ଣ ଦୃଷ୍ଟି ମାରାତ୍ମକ ଏବଂ ଯେଉଁମାନଙ୍କର ମହତ୍ତ୍ୱ ଅବଧାରଣରେ ଆମେ ପ୍ରବୃତ୍ତ ହେଉଁ ଏହା ଦ୍ୱାରା ସେମାନେ ଅପମାନିତ ହୋଇଥାନ୍ତି ଓ ତାଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥାଏ ।
ଭାରତବର୍ଷରେ ଦିନେ ମନୁଷ୍ୟକୁ ସକଳ ପ୍ରୟୋଜନ ଅପେକ୍ଷା ବଡ଼ ବୋଲି ମନେ କରାଯାଉଥିଲା ଏବଂ ଚାଣକ୍ୟଙ୍କର ଗୋଟିଏ ସାଧାରଣ ପ୍ରଚଳିତ ଶ୍ଳୋକ ମଧ୍ୟରେ ତାହା ନିହିତ-
ତ୍ୟଜେଦେକଂ କୁଳସ୍ୟାର୍ଥେ ଗ୍ରାମସ୍ୟାର୍ଥେ କୁଳଂ ତ୍ୟଜେତ୍ ।
ଗ୍ରାମଂ ଜନିପଦସ୍ୟାର୍ଥେ ଆମ୍ବାର୍ଥେ ପୃଥିବୀଂ ତ୍ୟଜେତ୍ ॥
–ମନୁଷ୍ୟର ଆତ୍ମା କୁଳ ଅପେକ୍ଷା, ଗ୍ରାମ ଅପେକ୍ଷା, ଜନପଦ ଅପେକ୍ଷା, ସକଳ ପୃଥିବୀ ଅପେକ୍ଷା ବଡ଼ ।
ତାହାହେଲେ ପ୍ରଶ୍ନ ହୋଇପାରେ; ଏହି ଆତ୍ମା କଅଣ ? ତେବେ ଅପେକ୍ଷାକୃତ ଅଧିକ ସରଳ ଗୋଟିଏ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ପ୍ରଥମେ ଚେଷ୍ଟା କରାଯାଉ । ଏହି ଜୀବନ କଅଣ-? ନିଃଶ୍ୱାସ ପ୍ରଶ୍ୱାସ, ପାଚନ କ୍ଷମତା ଓ ଶରୀରର ଅନ୍ୟାନ୍ୟ ପ୍ରକ୍ରିୟା କିମ୍ବା ସେମାନଙ୍କର ଐକ୍ୟଜନିତ ପଦ୍ଧତି–ଏ ଧରଣର ଜୀବନଧାରଣ ସମ୍ପର୍କୀୟ ବିଷୟକୁ ସାଧାରଣତଃ ଆମେ ‘ଜୀବନ’ କହୁଁ, କିନ୍ତୁ ନିଶ୍ଚିତଭାବେ ତାହା ଜୀବନ ନୁହେ, ରହସ୍ୟମୟ ଭାବରେ ଏହି ଜୀବନ ମଧ୍ୟରେ ଭବିଷ୍ୟତ ନିହିତ, ଏହା ବର୍ତ୍ତମାନର ଆବରଣ ସର୍ବଦା ଲଙ୍ଘନ କରିବାକୁ ପ୍ରୟାସୀ, ଅଦୃଷ୍ଟ ଅବସ୍ଥା ସହ ଏହାର ସମ୍ପର୍କ ଏବଂ ନୂତନ ନୂତନ ପରିବର୍ତ୍ତନ ମଧ୍ୟରେ ଏହାର ପରୀକ୍ଷା । ଏହାର ନିତ୍ୟ ବିକଶିତ ଭବିଷ୍ୟତର ପଥ ଜଡ଼ବସ୍ତୁ ସମୂହ ଦ୍ୱାରା ଅବରୁଦ୍ଧ ହେଲେ ଜୀବନ ବିଶ୍ୱାସଘାତକ ହୁଏ ଏବଂ ବିଶ୍ୱାସ ପ୍ରତି ଏହାର ଛଳନା ପ୍ରଦର୍ଶିତ ହୁଏ ।
ଆତ୍ମା ଆମର ପାରମାର୍ଥିକ ଜୀବନ, ଏହା ମଧ୍ୟରେ ଆମର ଅସୀମ ସତ୍ତା ନିହିତ । ଆମର ଅଶାନ୍ତ ପ୍ରବୃତ୍ତି ସମୂହ ଏକ ସଂକୀର୍ଣ୍ଣ ପରିସୀମା ମଧ୍ୟରେ ପ୍ରଭୁତ୍ୱ ଲାଭ କରିବାକୁ ପ୍ରୟାସୀ ହେଉଥିବା ଜାନ୍ତବ ଜୀବନର କ୍ଷୀଣ ଆଲୋକିତ ପ୍ରାଚୀର ଲଙ୍ଘନ କରିବାକୁ ଆତ୍ମା ଆମ ଚେତନାକୁ ଉଦ୍ଦୀପିତ କରେ । ପ୍ରାଣୀମାନଙ୍କ ତୁଲ୍ୟ ମନୁଷ୍ୟ ଅହଂଭାବ ଦ୍ୱାରା ଅତ୍ୟଧିକ ପ୍ରଭାବିତ ହେଲେ ସୁଦ୍ଧା ତା’ର ଏକ ସ୍ୱାଭାବିକ ସଂସ୍କାର, ଏହା ବିରୁଦ୍ଧରେ ସଂଗ୍ରାମ କରେ ଏବଂ ଏହା ଠିକ୍ ବିଦ୍ରୋହୀ ପ୍ରାଣ କାରାଗାରର ଅନ୍ଧକାରମୟ ପ୍ରଦେଶକୁ ଲଙ୍ଘନ କରି ତା'ର ସ୍ୱାଧୀନତାର ପତାକା ବହିର୍ଜଗତରେ ଉଡ଼ାଇବା ସଙ୍ଗେ ସମାନ । ଆମ ପ୍ରାଚ୍ୟର ମନୀଷୀମାନେ ସର୍ବଦା ସ୍ୱୀକାର କରିଛନ୍ତି ଯେ ଆତ୍ମମୁକ୍ତି ମନୁଷ୍ୟ ନିମନ୍ତେ ଚରମ ସ୍ୱାଧୀନତା, କାରଣ ଏହି ଅବସ୍ଥାରେ ଅନନ୍ତର ହୃଦୟ ମଧ୍ୟର ତା’ର ପୂର୍ଣ୍ଣତା । ଏହା କେବଳ କେତେକ ନିର୍ଦ୍ଦିଷ୍ଟ ପଦ୍ଧତିର ଅନୁସରଣ ପୂର୍ବକ ଲାଭ କରିଥିବା ପୁରସ୍କାରରୂପୀ ପରିତ୍ରାଣ ମାତ୍ର ନୁହେ ।
ଭାରତବର୍ଷରେ ଏହା ସବୁବେଳେ ପ୍ରଚାରିତ ଏବଂ ଅଭ୍ୟାସରୂପେ ମଧ୍ୟ ଗୃହୀତ । ବ୍ରହ୍ମଶକ୍ତି ମଧ୍ୟରେ ଲାଭ କରୁଥିବା ମାନବ ଶକ୍ତିର ଅସୀମ ମର୍ଯ୍ୟାଦା ଆମ ଦେଶର ଋଷିମାନେ ସ୍ୱୀକାର କରିଛନ୍ତି । ମନୁଷ୍ୟ ସମ୍ବନ୍ଧରେ କୌଣସି ସୀମାବଦ୍ଧ ବିଚାର ଅଳୀକ । ସେ କେବଳ ନାଗରିକ ବା ଦେଶପ୍ରେମୀ ନୁହେ, କାରଣ କେବଳ ନଗର ବା ଦେଶ କିମ୍ବା ଜଗତ୍ରୂପୀ ବୁଦ୍ବୁଦ ତା’ର ଚିରନ୍ତନ ଆତ୍ମାକୁ ଧାରଣ କରିବାକୁ ଅସମର୍ଥ ।
ପ୍ରାଚୀନ ଭାରତରେ ଏକ କାଳରେ ରାଜା ଥିବା କବି ଭର୍ତ୍ତୃହରି ଥରେ ପ୍ରଶ୍ନ କରିଥିଲେ–
ପ୍ରାପ୍ତାଶ୍ରିୟଃ ସକଳ କାମଦୁଘାସ୍ତତଃ କିଂ
ନ୍ୟସ୍ତଂ ପଦଂ ଶିରସି ବିଦ୍ୱିଷତାଂ ତତଃ କିମ୍ ।
ସମ୍ପାଦିତାଃ ପ୍ରଣୟିନୋ ବିଭବୈସ୍ତତଃ କିଂ
କଳ୍ପସ୍ଥିତା ସ୍ତନୁଭୃତାଂ ତନବସ୍ତତଃ କିମ୍ ।
–ସକଳ କାମ୍ୟ ଫଳପ୍ରଦ ଲକ୍ଷ୍ମୀଙ୍କୁ ଲାଭ କଲେ ବା କ’ଣ ହବ, ଶତ୍ରୁମାନଙ୍କର ମସ୍ତକ ଉପରେ ବା ପଦ ରଖିଲେ କ'ଣ ହେବ କିମ୍ବା ବିଭବ ବଳରେ ବହୁ ସୁହୃଦ ସଂଗ୍ରହ କଲେ ବା କ’ଣ ହେବ, ଦେହଧାରୀମାନଙ୍କର ଦେହଗୁଡ଼ିକୁ କଳ୍ପକାଳ ପର୍ଯ୍ୟନ୍ତ ବଞ୍ଚାଇ ରଖିଲେ ବା କ'ଣ ହେବ ?
ଅର୍ଥାତ୍ ଏହି ସକଳ କାମନାର ବିଷୟ ଦ୍ୱାରା ମନୁଷ୍ୟକୁ ବିଚାର କରାଯାଇ ନ ପାରେ, ସେ ଏହା ଅପେକ୍ଷା ବଡ଼ । ଆରମ୍ଭ ଓ ଅନ୍ତଃଶୂନ୍ୟ ମନୁଷ୍ୟର ଜୀବନପ୍ରବାହ ଅନାଦି କାଳରୁ ଅନନ୍ତ ମୁଖରେ ପ୍ରଧାବିତ ବିଷୟ ଅପେକ୍ଷା ବୃହତ୍ତର, ଏହି ସତ୍ୟ ମନେ ରଖିଲେ ତା’ର ଜୀବନକୁ ପରିପୂର୍ଣ୍ଣତା ଦିଗରେ ପରିଚାଳନା କରାଯାଇ ପାରେ ।
ଆମ ଦେଶରେ ପ୍ରାଚୀନ ମନୀଷୀଗଣ ନିଜର ପ୍ରସାରିତ ଦୃଷ୍ଟିଭଙ୍ଗୀ ହେତୁ ମନୁଷ୍ୟର ଆତ୍ମାକୁ ବଡ଼ କରି ଦେଖିଥିବାରୁ ସେମାନଙ୍କ ଜୀବନଯାତ୍ରାର ସ୍ୱତନ୍ତ୍ର ଆଦର୍ଶ ମଧ୍ୟଯୁଗୀୟ ୟୁରୋପୀୟ ସନ୍ନ୍ୟାସୀମାନଙ୍କର ଜୀବନାଦର୍ଶରୁ ପୃଥକ୍ ହୋଇଛି । ଜୀବନର ଶେଷ ପର୍ଯ୍ୟନ୍ତ ପରିଶ୍ରମ କରି ମୃତ୍ୟୁ ବରଣ କରିବାକୁ ଭାରତୀୟମାନେ ଗୌରବାବହ ମନେ କରି ନାହାନ୍ତି । କର୍ମକୁ ସେମାନେ ଜୀବନର ଶେଷ ଲକ୍ଷ୍ୟରୂପେ ସ୍ୱୀକାର ନ କରି କର୍ମ ଦ୍ୱାରା କର୍ମ ବିରତିକୁହିଁ ଚରମ ସାଧନା ବୋଲି ଗ୍ରହଣ କରିଛନ୍ତି । ଆତ୍ମମୁକ୍ତି ଯେ ପ୍ରତ୍ୟେକ ମନୁଷ୍ୟର ଏକମାତ୍ର ଶ୍ରେୟ ଓ କାମ୍ୟ ଏ ବିଷୟରେ ସେମାନେ ଥିଲେ ନିଃସନ୍ଦେହ ।
ସ୍ୱାଧୀନତାର ଗୌରବ ସକଳ ସମୟରେ ୟୁରୋପ ଅକ୍ଲାନ୍ତ ଭାବରେ ଗାନ କରୁଛି । ଏହି ସ୍ୱାଧୀନତାର ଅର୍ଥ ଆହରଣ କରିବାର ସ୍ୱାଧୀନତା, ଭୋଗ କରିବାର ସ୍ୱାଧୀନତା ଓ କର୍ମ କରିବାର ସ୍ୱାଧୀନତା । ଏ ସ୍ୱାଧୀନତା କୌଣସି ପ୍ରକାର କ୍ଷୁଦ୍ର ପଦାର୍ଥ ନୁହେ । କିନ୍ତୁ ଭାରତର ମନୀଷୀଗଣ ଏଥିରେ ଚରମ ସନ୍ତୋଷ ଲାଭ କରି ନ ଥିଲେ, ସେମାନେ ପ୍ରଶ୍ନ କରିଥିଲେ ‘ତତଃ କମ୍’ । ଏ ସ୍ୱାଧୀନତାକୁ ସେମାନେ ଚରମ ସ୍ୱାଧୀନତା ଭାବେ ସ୍ୱୀକାର ନ କରି କାମନା ଓ କର୍ମର ଊର୍ଦ୍ଧ୍ୱରେ ସ୍ୱାଧୀନ ହେବା ନିମନ୍ତେ ପ୍ରବଳଭାବେ ଆଗ୍ରହୀ ଥିଲେ ।
ସ୍ୱାଧୀନତା ପ୍ରାପ୍ତିର କ୍ରମିକ ଗତି ମଧ୍ୟରେ ମନୁଷ୍ୟ ତା’ର ଇଚ୍ଛାକୁ ନିୟମାଧୀନ କରିବା ବାଞ୍ଛନୀୟ; ତା ହେଲେ ଏହାର ଶକ୍ତି ଅସ୍ଥିରତା ଓ ଅପଚୟ ମଧ୍ୟରୁ ମୁକ୍ତିଲାଭ କରିବ ଏବଂ ଅଧୀନତା ମଧ୍ୟରେ ରହିଲେ ସୁଦ୍ଧା ବିପୁଳ ଶକ୍ତିଲାଭ ତା’ ପକ୍ଷରେ ସହଜ ହେବ । କେବଳ ମାତ୍ର ରାଜନୀତିକ ସ୍ତରରେ ସ୍ୱାଧୀନତା ଲାଭ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିମାନେ ଏହାକୁ ସର୍ବଦା ସଙ୍କୁଚିତ କରି ସେମାନଙ୍କ ଚିନ୍ତା ଓ କର୍ମର ସ୍ୱାଧୀନତାକୁ ସଂକୀର୍ଣ୍ଣ ସୀମା ମଧ୍ୟରେ ଆବଦ୍ଧ କରନ୍ତି । ନିଜ ବିବେକର ସ୍ୱାଧୀନତାକୁ ମଧ୍ୟ ବଳି ଦେଇଥାନ୍ତି । ଇଂଲଣ୍ଡରେ ଯେଉଁ ସୈନ୍ୟମାନେ ଅଛନ୍ତି: ସେମାନେ କ'ଣ ସ୍ୱାଧୀନ ? ମନୁଷ୍ୟତ୍ୱକୁ ମଣିଷମରା କଳରେ ପରିଣତ କରି ସେମାନେ କେବଳ ଜୀବନ୍ତ ବନ୍ଧୁକ ନୁହନ୍ତି କି ? ପୁଣି ଇଂଲଣ୍ଡର ଅନ୍ଧକାରମୟ ଖଣିଗର୍ଭ ଓ କାରଖାନାର ଅଗ୍ନି କୁଣ୍ଡମାନଙ୍କରେ କର୍ମରତ ଶ୍ରମିକମାନେ ତାଙ୍କ ନିକଟବର୍ତ୍ତୀ ନିର୍ଜୀବ ଯନ୍ତ୍ରମାନଙ୍କର ସଜୀବ ଅଙ୍ଗ ପ୍ରତ୍ୟଙ୍ଗ ନୁହନ୍ତି କି ? ସେମାନେ ରକ୍ତଦାନ କରି ଇଂଲଣ୍ଡର ରାଜଲକ୍ଷ୍ମୀଙ୍କ ପଦ ଅଲକ୍ତକରଞ୍ଜିତ କରି ନାହାନ୍ତି କି ? ଇଂଲଣ୍ଡର ଜନସଂଖ୍ୟାର କେତେ ଶତାଂଶ ଲୋକ ସ୍ୱାଧୀନତାର ଫଳଭୋଗ କରୁଛନ୍ତି-? ୟୁରୋପ ବ୍ୟକ୍ତିର ଅଧିକାର ସ୍ୱୀକାର କରି ଏହାର ପ୍ରତିଷ୍ଠା ନିମନ୍ତେ ଉଦ୍ୟମ କରି ଥାଇ ପାରେ କିନ୍ତୁ ପୃଥିବୀର ଅନ୍ୟ କେଉଁଠି ବ୍ୟକ୍ତିର ପରତନ୍ତ୍ରତା ଏତେ ଅଧିକ ପରିମାଣରେ ପରିଲିକ୍ଷିତ-?
ଏହାର ଉତ୍ତରରେ ଗୋଟିଏ ସ୍ୱଗତ ବିରୋଧୀ ବିଷୟ ପୂର୍ବରୁ କୁହାଯାଇଛି । ଶୃଙ୍ଖଳାର ବନ୍ଧନ ମଧ୍ୟଦେଇ ସ୍ୱାଧୀନତା ଲାଭ କରାଯାଇ ପାରେ ଏବଂ ଏଥିଲାଗି ବ୍ୟକ୍ତିଗତ ପ୍ରବଣତାକୁ ଉତ୍ସର୍ଗ କରିବାକୁ ପଡ଼ିବ । ଆତ୍ମସଂଯମ ରୂପକ ପ୍ରଭୂତ ମୂଳଧନର ବିନିଯୋଗ ବଳରେ ସ୍ୱାଧୀନତାର ସୁଫଳ ଲାଭ କରାଯାଇ ପାରେ ।
ଆମ ଦେଶରେ ମଧ୍ୟ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ସାଧନାର ବିଷୟ ଥିଲା, କିନ୍ତୁ ତାହା ଏ ଧରଣର ସଙ୍କୀର୍ଣ୍ଣ ସ୍ୱାତନ୍ତ୍ର ନୁହେ । ସେହି ସ୍ୱାତନ୍ତ୍ର୍ୟର ଆଦର୍ଶ ଆତ୍ମମୁକ୍ତି ଦିଗରେ ଚାଳିତ ହେଉଥିଲା । ଇଉରୋପରେ ସ୍ୱାଧୀନ ତାର ଆଦର୍ଶ ଯାନ୍ତ୍ରିକ ବନ୍ଧନର ପୂର୍ଣ୍ଣ କଠୋରତା ମଧ୍ୟରେ ପ୍ରକଟିତ ହୋଇଥିଲା । ସେହି ଆଦର୍ଶର ସ୍ୱରୂପ ଦର୍ଶନରେ ଅସମର୍ଥ ହୋଇ ଆମେ ଆଧୁନିକ କାଳର ବାହ୍ୟ ନିୟମ-ସଂଯମ ଉପରେ ଗୁରୁତ୍ୱ ଦେଲେ ଭାରତରେ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ଖର୍ବ ଅଧିକ ପ୍ରକାଶିତ ହେବ-। ମୁଖ୍ୟ ପଦାର୍ଥକୁ ଛାଡ଼ି ଗୌଣକୁ ବଡ଼ କରି ଦେଖିବା ମାନବ ସମାଜର ଇତିହାସରେ ବାରମ୍ବାର ଘଟିଛି । ଲୋଭଲାଳସା ଆମ୍ଭମାନଙ୍କର ଚିତ୍ତକୁ ଆଦର୍ଶ ଲକ୍ଷ୍ୟରୁ ଜାଗତିକ କାମନା ଆଡ଼କୁ ଆକୃଷ୍ଟ କଲେ ଆଦର୍ଶର ଆପେକ୍ଷିକ ମହତ୍ତ୍ୱ ସମ୍ବନ୍ଧରେ ଆମେ ଅନ୍ଧ ହେଉ କିମ୍ବା ଶକ୍ତିର ଅବସନ୍ନତା ହେତୁ ଆମର ଉଦ୍ୟମ ଲକ୍ଷ୍ୟଚ୍ୟୁତ ହୁଏ । ନିରର୍ଥକ ନିୟମ ବନ୍ଧନର ସ୍ୱୀକୃତି ମଧ୍ୟରେ ଆମେ ଗର୍ବ ଅନୁଭବ କରି ଅଧିକ ପରିମାଣରେ ତ୍ୟାଗ ସ୍ୱୀକାର କରୁ ମାତ୍ର କୌଣସି ଫଳଲାଭ କରୁ ନାହିଁ । ଏପରି ଅବସ୍ଥାରେ ଉପେୟ ଉପାୟ ଅପେକ୍ଷା ବଡ଼ ବୋଲି ବିବେଚିତ ହୁଏ ।
ଆମ ଦେଶରେ ତାହାହିଁ ଘଟିଛି । ଆମ୍ଭେମାନେ ବର୍ତ୍ତମାନ ସମାଜିକ ନିୟମରେ ବିବିଧ ବନ୍ଧନକୁ ମଧ୍ୟ ମାନୁଛୁ ଅଥଚ ତାହାର ପରିଣାମ ମୁକ୍ତିପ୍ରତି ଆମର ଲକ୍ଷ୍ୟ ନାହିଁ । ଆଦର୍ଶକୁ ଆମେ ବିସ୍ତୃତ ହୋଇଛୁ । ଆମ ସାଧନାର ମହତ୍ତ୍ୱ ସମ୍ବନ୍ଧୀୟ ସମସ୍ତ ଧାରଣା ଆମ ନିକଟରେ ଅବଜ୍ଞାତ, ଅଥଚ ଅନ୍ଧ ଅଭ୍ୟାସର କ୍ରିୟାହୀନତା ଆମକୁ ଆଚ୍ଛନ୍ନ କରି ରଖିଛି । ଯଦି ଜଣେ ଦର୍ଶକ ଆମ ସମ୍ବନ୍ଧରେ କହନ୍ତି ଯେ, ଭାରତବର୍ଷର ସାମାଜିକ ପଦ୍ଧତି ଲୋକମାନଙ୍କୁ ଅର୍ଥହୀନ ଆଚାର ବିଚାରର ବନ୍ଧନ ମଧ୍ୟରେ ବାନ୍ଧି ରଖିବା ନିମନ୍ତେ ଉଦ୍ଦିଷ୍ଟ-ଆମେ ରାଗାନ୍ୱିତ ହୋଇପାରୁ କିନ୍ତୁ ତାଙ୍କୁ ପ୍ରତି ଉତ୍ତର ଦେବା ଆମ ପକ୍ଷରେ କଠିନ ହେବ ।
ଆମର ପତନ ନିମନ୍ତେ ବିଳାପ କରିବା ମୋର ଉଦ୍ଦେଶ୍ୟ ନୁହେ । ସମାଜ ମଧ୍ୟ ଦେଇ ସମାଜ ଜୀବନକୁ ଅତିକ୍ରମ କରିବା ନିମନ୍ତେ ସାମାଜିକ ନିୟମର ବନ୍ଧନକୁ ଭାରତ ମୂଳତଃ ଗ୍ରହଣ କରିଥିଲା । ଅଶ୍ୱାରୋହୀ ଅଧିକ ବେଗ ଉଦ୍ଦେଶ୍ୟରେ ଘୋଡ଼ାକୁ ଲଗାମ ଦେଇ ବାନ୍ଧେ ଏବଂ ନିଜେ ମଧ୍ୟ ଗୋଡ଼ରେ ଜିନର ରେକାବ ପିନ୍ଧେ । ଭାରତବର୍ଷ ଜାଣିଥିଲା ଯେ ସମାଜ ମନୁଷ୍ୟର ଶେଷଲକ୍ଷ୍ୟ ନୁହେ, ବ୍ୟକ୍ତିମାନଙ୍କର ସାମୁହିକ ଉଦ୍ୟମହିଁ ମୁକ୍ତି ଲାଭର ପ୍ରକୃଷ୍ଟ ପନ୍ଥା । ଇଉରୋପ ନିଜ ଉପରେ ଲଦିଥିବା ବନ୍ଧନ ଅପେକ୍ଷା ଭାରତର ବନ୍ଧନ ଗୁରୁତର । ସାଂସାରିକ ବନ୍ଧନରୁ ନିଷ୍କୃତି ଲାଭ କରି ବୃହତ୍ତର ସ୍ୱାଧୀନତା ଲାଭ ଉଦ୍ଦେଶ୍ୟରେ ଭାରତ ଏହି ବନ୍ଧନକୁ ଅଧିକ ସ୍ୱୀକାର କରିଥିଲା । ବର୍ତ୍ତମାନ ତା’ର ଅଧୋଗତି ଦେଖିଲେ ମନେହୁଏ ଯେ ହ୍ରଦ ଯେତେ, ଗଭୀର, ଶୁଷ୍କ ହେଲେ ତାହା ସେତିକି ବଡ଼ ଶୂନ୍ୟ ଗର୍ତ୍ତରେ ପରିଣତ ହୁଏ ।
ଏହି ଭାବରେ ବନ୍ଧନ ଓ ମୁକ୍ତି, ଉପାୟ ଓ ଉଦ୍ଦେଶ୍ୟ ଉଭୟର ବରୁଦ୍ଧାତ୍ମକ ବିଭାବ ମଧ୍ୟରେ ସମନ୍ୱୟ ବିଧାନର ନିର୍ଦ୍ଦେଶ ଈଶୋପ ନିଷଦରେ ଅଛି ।
ଅଂନ୍ଧ ତମଃ ପ୍ରବିଶନ୍ତି ଯେ ଅବିଦ୍ୟାମୁପାସତେ
ତତୋ ଭୂୟ ଇବ ତେ ତମୋ ଯ ଉ ବିଦ୍ୟାୟାଂ ରତାଃ ।
ବିଦ୍ୟାଞ୍ଚାବିଦ୍ୟାଞ୍ଚ ଯସ୍ତଦ୍ବେଦୋ ଭୟଂ ସହ
ଅବିଦ୍ୟୟା ମୃତ୍ୟୁଂ ତୀର୍ତ୍ୱା ବିଦ୍ୟୟା ମୃତମପ୍ନୂତେ ।
–ଯେଉଁମାନେ କେବଳମାତ୍ର ଅବିଦ୍ୟା ଅର୍ଥାତ୍ ସଂସାରର ଉପାସନା କରନ୍ତି ସେମାନେ ଅନ୍ଧତମସ ମଧ୍ୟରେ ପ୍ରବେଶ କରନ୍ତି, ଯେଉଁମାନେ କେବଳମାନ ବ୍ରହ୍ମର ଉପାସନା କରନ୍ତି ତଦପେକ୍ଷା ଅଧିକ ଅନ୍ଧକାର ମଧ୍ୟରେ ସେମାନଙ୍କର ପ୍ରବେଶା କିନ୍ତୁ ବିଦ୍ୟା ଓ ଅବିଦ୍ୟା ଉଭୟଙ୍କୁ ଗ୍ରହଣ କରିଥିବା ବ୍ୟକ୍ତି ଅବିଦ୍ୟା ସମ୍ପର୍କରେ ଜ୍ଞାନ ଦ୍ୱାରା ନିଜକୁ ମୃତ୍ୟୁ ମୁଖରୁ ରକ୍ଷା କରେ, ବିଦ୍ୟା ଦ୍ୱାରା ଅମରତ୍ୱ ଲାଭ କରେ ।
ଅସୀମତ୍ୱ ପ୍ରାପ୍ତି ପୂର୍ବରୁ ଜାଗତିକ ଜୀବନର ପୂର୍ଣ୍ଣତା ଉପଲବ୍ଧ ଆବଶ୍ୟକ । କର୍ମ ସହ ପ୍ରବୃତ୍ତି ସଂଯୁକ୍ତ ହେବା ଉଚିତ, ତା ହେଲେ କର୍ମ ଓ ପ୍ରଭୃତ୍ତି ଉଭୟଙ୍କୁ ଅତିକ୍ରମ କରି ହେବ । ସେତିକିବେଳେ ହିଁ ବ୍ରହ୍ମ ସହ ମିଳନ ସମ୍ଭବ । ସଂସାରକୁ ବଳପୂର୍ବକ ଅସ୍ୱୀକାର କରି କେହି ଅମୃତତ୍ୱର ଅଧିକାରୀ ହୋଇ ପାରିବେ ନାହିଁ । ଉପରୋକ୍ତ ଶାସ୍ତ୍ରରେ ମଧ୍ୟ କୁହାଯାଇଛି–
କୁର୍ବନ୍ନେବେହ କର୍ମାଣି ଜିଜୀବିଷେତ୍ ଶତଂ ସମାଃ
ଏବଂ ତ୍ୱୟି ନାନ୍ୟଥେତୋଽସ୍ତି ନ କର୍ମ ଲିପ୍ୟତେ ନରେ ।
–କର୍ମ କରି ଶହେ ବର୍ଷ ଇହଲୋକରେ ଜୀବିତ ରହିବାକୁ ଇଚ୍ଛା କର । ହେ ମନୁଷ୍ୟ, ତୁମ ପକ୍ଷରେ ଏହାର ଅନ୍ୟଥା କିଛି ସମ୍ଭବ ନୁହେ, କର୍ମରେ ଲିପ୍ତ ହେବା ଛଡ଼ା ତୁମର ଅନ୍ୟ ପଥ ନାହିଁ ।
କର୍ମମୟ ଉନ୍ନତ ଜୀବନ ହିଁ ମନୁଷ୍ୟ ଭାଗ୍ୟର ପୂର୍ଣ୍ଣ ସମ୍ପାଦନ କରିବ । ଏହି ଜାଗତିକ ଜୀବନ ସମ୍ପୂର୍ଣ୍ଣ ହେଲେ; ଏହାର ସ୍ୱାଭାବିକ ସମାପ୍ତି ଆସେ, ଜୀବନର ପ୍ରୟୋଜନ ନିଃଶେଷ ହୋଇଯାଏ ଏବଂ କର୍ମ ସମାପ୍ତି ହେଲେ କର୍ମର ବନ୍ଧନ ଶିଥିଳ ହୁଏ । ଜୀବନକୁ ଓ ଜୀବନର ସମାପ୍ତିକୁ ଏହିପରି ଅତ୍ୟନ୍ତ ସହଜ ଭାବରେ ଗ୍ରହଣ କରିବାକୁ ହେଲେ ଈଶୋପନିଷଦର ପଂକ୍ତି ଆମର ମନେପଡ଼େ–
ଈଶାବାସ୍ୟମିଦଂ ସର୍ବଂ ଯତ୍କିଞ୍ଚ ଜଗତ୍ୟାଂ ଜଗତ୍
ତେନ ତ୍ୟକ୍ତେନ ଭୁଞ୍ଜୀଥା ମା ଗୃଧଃ କସ୍ୟଶ୍ଚଦ୍ଧନମ୍ ।
–ଏହି ଜଗତର ସକଳ କିଛିକୁ ଈଶ୍ୱରଙ୍କ ଦ୍ୱାରା ଆଚ୍ଛନ୍ନ ବୋଲି ଜାଣିବ । ସେ ଯାହା ତ୍ୟାଗ କରିଛନ୍ତି, ଯାହା ଦେଇଛନ୍ତି ତାହାକୁ ହିଁ ଭୋଗ କରିବ, ଅନ୍ୟ କାହା ଧନରେ ଲୋଭ ପ୍ରକାଶ କରିବ ନାହିଁ ।
ସଂସାରକୁ ବ୍ରହ୍ମଙ୍କ ଦ୍ୱାରା ଆଚ୍ଛନ୍ନ ବୋଲି ଜାଣିବା ସଙ୍ଗେ ସଙ୍ଗେ ସଂସାର ଜୀବନର ବିଷ ଅନେକ କଟିଯିବ । ତାହାର ସଙ୍କୀର୍ଣ୍ଣତା ଦୁରୀଭୂତ ହେବ ଏବଂ ତାର ବନ୍ଧନ ଆମକୁ ଦୃଢ଼ଭାବରେ ଆବଦ୍ଧ କରି ପାରିବ ନାହିଁ । ସଂସାରର ଭୋଗକୁ ଈଶ୍ୱରଙ୍କର ଦାନଭାବେ ଗ୍ରହଣ କଲେ ଅପହରଣ ଓ ଆକ୍ରମଣ ନିମନ୍ତେ ଆଉ ଅବକାଶ ନ ଥିବ । ଏହି ଭାବେ ସଂସାରର କର୍ମ ଓ ଭୋଗକୁ ବ୍ରହ୍ମୋପଲବ୍ଧି ସଙ୍ଗେ ଯୁକ୍ତ କରି ଖୁବ୍ ବଡ଼ ଭାବରେ ଦେଖିବା ଭାରତୀୟ ସମାଜ ବ୍ୟବସ୍ଥାର ମୂଳ କଥା । ଏହିପରି ଭାବେ ଭାରତ ମନୁଷ୍ୟର ଆତ୍ମାକୁ ମୁକ୍ତି ଦେବାକୁ ଚେଷ୍ଟା କରିଥିଲା ।
ୟୁରୋପରେ ମନୁଷ୍ୟର ଜାଗତିକ ଜୀବନର ଦୁଇଟି ବିଭାଗ ପରିଦୃଷ୍ଟ । ଗୋଟିଏ ଶିଖିବାର ଓ ଅନ୍ୟଟି ସଂସାରରେ କର୍ମ କରିବାର ଅବସ୍ଥା । ତୁମେ ଅବସନ୍ନ ହୋଇ ନିଜ ତୁଳୀକୁ ତଳେ ରଖିବା ପର୍ଯ୍ୟନ୍ତ ଏହା ଏକ ସରଳରେଖାକୁ ପ୍ରସାରିତ କରିବା ସଦୃଶ ଅବସ୍ଥା । ଏକ ସରଳ ରେଖାକୁ ଏହିପରି ଲମ୍ବାଇବାର ପ୍ରୟାସ ଦ୍ୱାରା କେବେହେଲେ ଛବି ସୃଷ୍ଟି ହୁଏ ନାହିଁ, କାରଣ କୌଣସି ନିର୍ଦ୍ଦିଷ୍ଟ ଗଠନ ନ ଥିବାରୁ ତାହା ନିରର୍ଥକ । କର୍ମ କେବଳ ଏକମାତ୍ର ଧାରା, ଏହା କେବେ ନିଜ ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ନ ପାରେ । କିଛି ଲାଭ ଓ କିଞ୍ଚିତ୍ ସଫଳତା ହିଁ ଏହାର ଲକ୍ଷ୍ୟ । କିନ୍ତୁ କର୍ମର ସ୍ୱାଭାବିକ ପରିଣତି ପାଇଁ ୟୁରୋପ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୋଷଣ କରି ନାହିଁ । ସଂଗ୍ରହ ବା ଜ୍ଞାନାର୍ଜ୍ଜନର ଅନ୍ତ ନାହିଁ । ଇଉରୋପୀୟ ସଭ୍ୟତା ରାଶୀକୃତ ଅର୍ଜ୍ଜନର ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦେଉଛି । ମାନବସମାଜର ଉନ୍ନତିଶୀଳ ଜୀବନ ପାଇଁ ପ୍ରତ୍ୟେକ ବ୍ୟକ୍ତିର ଶ୍ରେଷ୍ଠ ଦାନରେ ହିଁ ତା’ ନିଜ ଜୀବନର ପୂର୍ଣ୍ଣତା ଯେ ନିହିତ, ୟୁରୋପ ତାହା ଭୂଲିଯାଇଛି । ତେଣୁ ବସ୍ତୁସମୂହର ମଧ୍ୟ ଅବସ୍ଥାରେ ହିଁ ସେମାନଙ୍କର ପରିଣତି ଦେଖାଦିଏ; ଶିକାର ପାଇବାର ନୁହେ, କେବଳ ଶିକାର ପଛରେ ଅନୁଧାବନ କରିବା ହିଁ ସେମାନଙ୍କ ନିକଟରେ ପରମ ଆନନ୍ଦ ରୂପେ ଗୃହୀତ ।
ଆମେ ମଧ୍ୟ କହୁ କାମନାର ଅନ୍ତ ନାହିଁ, ବରଂ ପ୍ରାପ୍ତିରେ ହିଁ ଏହାର କ୍ରମିକ ଅଭିବୃଦ୍ଧି । ତା’ ହେଲେ କର୍ମର ସମାପ୍ତି ହେବ କିପରି ? ପ୍ରାଚୀନ ଭାରତର ଉତ୍ତର ହେଉଛି–ଏହି ସାଧାରଣ ନିୟମର ଏକ ବ୍ୟତିକ୍ରମ ରହିଛି ଏକ ସ୍ଥାନରେ ପ୍ରାପ୍ତିର ସମାପ୍ତି ଘଟେ । ବିଶ୍ୱବ୍ୟାପାରକୁ ପାଗଳା ଗାରଦର ହାଲଚାଲ ବୋଲି ଭାବିବା ଅନୁଚିତ, କିମ୍ବା ଆମର କାମନା ବିରତିହୀନ ଏକ ଅବିଶ୍ରାନ୍ତ ସଙ୍ଗୀତ ମାତ୍ର ନୁହେ । ସଙ୍ଗୀତର ସ୍ୱର ଯେତେ ଶ୍ରୁତିମଧୁର ହେଉ ନା କାହିଁକି ମଧ୍ୟପଥରେ ଅକସ୍ମାତ୍ ଗୀତର ସମାପ୍ତି ହେଲେ ରସବୋଧ ବ୍ୟାହତ ହୁଏ । ସମସ୍ତ ସ୍ୱରର ଐକତାନ ହିଁ ନିବିଡ଼ ରସବୋଧ ସଞ୍ଚାର କରେ ।
ତେଣୁ ଭାରବର୍ଷ କର୍ମର ମଧ୍ୟସ୍ଥଳରେ ହଠାତ୍ କର୍ମରୁ ବିରତ ହେବା ନିମନ୍ତେ ଆମକୁ ଉପଦେଶ ଦେଇ ନାହିଁ । ଏହା ସତ୍ୟ ଯେ ଜଗତର ଅସମାପ୍ତ ଶୋଭାଯାତ୍ରା ନାନା ଉତ୍ଥାନ ପତନ ମଧ୍ୟ ଦେଇ ସୃଷ୍ଟିର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଅବିରାମ ଭାବେ ଚାଲିଛି ! କିନ୍ତୁ ଏହା ମଧ୍ୟ ସ୍ପଷ୍ଟ ଯେ ପ୍ରତ୍ୟେକ ବ୍ୟକ୍ତିର ସଂସାର ଲୀଳାର ଅବସାନ ଘଟିଥାଏ । ସମ୍ପୂର୍ଣ୍ଣତାର ଉପଲବ୍ଧି ବ୍ୟତୀତ ତା’ର ମହାଯାତ୍ରା କଅଣ ବାଞ୍ଛନୀୟ ? ତା’ ହୋଇଥିଲେ ପ୍ରକୃତରେ ସେ ବଡ଼ ଦୁର୍ଭାଗ୍ୟ ସମ୍ପନ୍ନ ହୋଇଥାନ୍ତା !
ଏକ ଦିଗରେ ମୋ ମଧ୍ୟରେ ବଂଶ ପରମ୍ପରାର ଅନନ୍ତ ସ୍ରୋତ ପ୍ରବାହିତ । ମୋ ଜୀବନକାଳ ମଧ୍ୟରେ ମୁଁ ଏହି ପ୍ରବାହକୁ ପରିପୃଷ୍ଟ କରେ । ଜ୍ଞାନର ସତତ ବୃଦ୍ଧିଶୀଳ ଅନୁଭୂତି ଏବଂ ଶକ୍ତି ସମ୍ଭାବନାର ଭଣ୍ଡାରକୁ ସମୃଦ୍ଧ କରିବା ଦିଗରେ ମୁଁ ମୋର ସାଧ୍ୟମତେ ଯତ୍ନଶୀଳ । ଅନ୍ୟଦିଗରେ ମୁଁ ଜଣେ ବ୍ୟକ୍ତି, ମୋ ଜୀବନର ଏକ ଆରମ୍ଭ ଓ ଅନ୍ତ ଅଛି । ସମୟର ସୀମାବଦ୍ଧ କାଳ ମଧ୍ୟରେ ପୂର୍ଣ୍ଣତାର କିଞ୍ଚିତ୍ ଆଦର୍ଶରେ ମୋତେ ନିଶ୍ଚୟ ଉପନୀତ ହେବାକୁ ପଡ଼ିବ । ଅନନ୍ତ ଜଳଧାରାର ପୂର୍ଣ୍ଣତାର କୌଣସି ଧାରଣା ନ ଥାଇ ପାରେ, କାରଣ ଏହାର ପ୍ରକୃତି ହେଉଛି ଗତି । କ୍ଷଣକଲାଗି ଏହାର ଅଂଶ ବିଶେଷ ହୋଇ ଅନ୍ତର୍ହିତ ହେବାର ଅର୍ଥ ହେଉଛି ସଂଗ୍ରାମ କିନ୍ତୁ ଉପଲବ୍ଧି ନୁହେ । ଯେଉଁମାନେ କହନ୍ତି ଯେ ଜଗତ ଅର୍ଥହୀନ କୋଳାହଳ ଧ୍ୱନିର ଏକ ଚରମ ପୀଠ, ବିନା କାରଣରେ ଏହା ଧ୍ୱନିମୁଖର ଓ ଆବର୍ତ୍ତିତ, ସେମାନେ କର୍ମର ମହିମା ଗାନକରି ଏହି ଗତିର ପାଗଳାମିକୁ ବଢ଼ାଇବାରେ ସାହାଯ୍ୟ କରିବା ଅବାଞ୍ଛନୀୟ । ସକଳ ବସ୍ତୁର ଅନ୍ତରରେ ଅନନ୍ତ ଅଗ୍ରଗତିର ପ୍ରେରଣା ଥିଲାପରି ପୂର୍ଣ୍ଣତାର ଆଦର୍ଶ ମଧ୍ୟ ଥିବା ଉଚିତ୍ । ଏହା ସକଳ ଗତିର ଅର୍ଥବୋଧକ ହେବ । ବ୍ୟକ୍ତି ଛଡ଼ା ଅନ୍ୟ କିଏ ଏହାକୁ ଉପଲବ୍ଧି କରିବ ? ସସୀମ ଗତିର ଦାବୀ ତା’ ନିକଟରେ ଅଛି, କିନ୍ତୁ ଅସୀମତା ମଧ୍ୟରେ ନିହତ ଥିବା ସୂର୍ଣ୍ଣତାର ଆହ୍ୱାନ ମଧ୍ୟ ତା ନିମନ୍ତେ ଉଦ୍ଦିଷ୍ଟ । ଯେତେବେଳେ ସେହି ଆହ୍ୱାନର ଉତ୍ତର ଆମେ ଦେଉଁ, ଆମ ବାସ୍ତବ ଜଗତରେ ମୃତ୍ୟୁ ଏକ ଆକସ୍ମିକ ପ୍ରତିବନ୍ଧକ ରୂପେ ଦେଖା ଦେଇ ପାରେ ନାହିଁ ।
ଏହି କାରଣରୁ ଭାରତବର୍ଷ ମନୁଷ୍ୟର ଜାଗତିକ ଜୀବନକୁ ଯେପରି ବିଭକ୍ତ କରିଥିଲା ସେଥିରେ କର୍ମକୁ ମଧ୍ୟସ୍ଥଳରେ ଓ ମୁକ୍ତିକୁ ପ୍ରାନ୍ତ ଭାଗରେ ରଖିଥିଲା । ପ୍ରଭାତ, ମଧ୍ୟାହ୍ୱ, ଅପରାହ୍ନ ଓ ସନ୍ଧ୍ୟା ଏହି ଭାବରେ ଦିବସକୁ ବିଭକ୍ତ କଲା ପରି ଭାରତବର୍ଷ ମନୁଷ୍ୟର ଜୀବନକୁ ଚାରି ଆଶ୍ରମରେ ବିଭକ୍ତ କରିଥିଲା ଏବଂ ଏହି ବିଭାଗ ତା’ର ସ୍ୱଭାବର ଆବଶ୍ୟକତା ଅନୁସାରେ ଗଠିତ ହୋଇଥିଲା । ଆଲୋକ ଓ ଉତ୍ତାପର କ୍ରମିକ ବୃଦ୍ଧି ଓ କ୍ଷୟ ଦିବସର ଥିଲାପରି ମନୁଷ୍ୟର ଇନ୍ଦ୍ରିୟ ଶକ୍ତିର କ୍ରମୋନ୍ନତି ଓ ଅବନତି ଅଛି । ସେହି ସ୍ୱାଭାବିକ କ୍ରମକୁ ଅବଲମ୍ବନ କରି ଭାରତବର୍ଷ ଜୀବନର ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତ ଏହାକୁ ଏକ ଅଖଣ୍ଡ ତାତ୍ପର୍ଯ୍ୟ ଦାନ କରିଥିଲା ।
ପ୍ରଥମରେ ଶିକ୍ଷାର କାଳ, ତା’ପରେ ସଂସାରର କର୍ମାବଳୀ, ପରେ ପରେ ବନ୍ଧନଗୁଡ଼ିକ ଶିଥିଳ କରିବାର ଉଦ୍ୟମ, ଶେଷରେ ମୃତ୍ୟୁ ମଧ୍ୟରେ ମୁକ୍ତିର ପ୍ରତୀକ୍ଷା ଏହାହିଁ ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ପ୍ରବଜ୍ୟା ।
ଆଧୁନିକ କାଳରେ ଜୀବନ ସଙ୍ଗରେ ମୃତ୍ୟୁର ଏକ ବିରୋଧ ଅନୁଭୂତ ହୁଏ । ମୃତ୍ୟୁ ଯେ ଜୀବନର ସ୍ୱାଭାବିକ ପରିଣତି ଏହା ବିଚାର ନ କରି ଆମେ ଏହାକୁ ଜୀବନର ଶତ୍ରୁ ବୋଲି ମନେକରୁ । ଜୀବନର ପ୍ରତ୍ୟେକ ପର୍ବରେ ଆମ୍ଭେମାନେ ଅକ୍ଷମ ଭାବରେ ମୃତ୍ୟୁ ସଙ୍ଗରେ ଦ୍ୱନ୍ଦ କରି ଗତି କରିବାକୁ ପ୍ରୟାସୀ । ଯୌବନ ଅତିକ୍ରାନ୍ତ ହେଲେ ସୁଦ୍ଧା ଆମେ ତାକୁ ବଳପୂର୍ବକ ଧରି ରଖିବାକୁ ଚେଷ୍ଟା କରୁ । ଭୋଗର ଅଗ୍ନି ଶାନ୍ତ ହେଲେ ତାକୁ ଆମ୍ଭେମାନେ ନାନାପ୍ରକାର ଉପଚାର ସାହାଯ୍ୟରେ ପ୍ରଜ୍ୱଳିତ କରି ରଖିବାକୁ ପ୍ରୟାସୀ ହେଉ । ଇନ୍ଦ୍ରିୟ ଶକ୍ତି ଦୁର୍ବଳ ହେଲେ ପ୍ରାଣପଣେ ଯତ୍ନ କରି ସେମାନଙ୍କୁ କର୍ମକ୍ଷମ କରିବାକୁ ଚେଷ୍ଟା କରୁ । ମୁଷ୍ଟି ସ୍ୱଭାବତଃ ଶିଥିଳ ହୋଇ ଆସିଲେ ମଧ୍ୟ ଆମେ କୌଣସି ପ୍ରକାରେ ବସ୍ତୁର ଦଖଲ ଛାଡ଼ିବାକୁ କୁଣ୍ଠିତ । ପ୍ରଭାତ ଓ ମଧ୍ୟାହ୍ନ ଛଡ଼ା ଜୀବନର ଅନ୍ୟ କୌଣସି ଅଂଶକୁ କୌଣସି ଭାବେ ସ୍ୱୀକାର କରିବାକୁ ଆମେ ଅନିଚ୍ଛୁକ । ଅବଶେଷରେ ଜୀବନ-ସନ୍ଧ୍ୟାର ପ୍ରଭାବ ଆମକୁ ସ୍ପର୍ଶ କଲେ, ଆମେ ବିଦ୍ରୋହୀ ହେଉ ବା ବିଷଣ୍ଣ ହେଉ । ନିଶ୍ଚିତ ପରିଣତିଗୁଡ଼ିକୁ ସହଜରେ ଗ୍ରହଣ କରିବାର ଶିକ୍ଷା ନାହିଁ ବୋଲି ବଳପୂର୍ବକ ଆମଠାରୁ ଛଡ଼ାଇ ନିଆ ନ ଯିବା ପର୍ଯ୍ୟନ୍ତ ଆମେ କୌଣସି ବସ୍ତୁ ପରିତ୍ୟାଗ କରିବାକୁ ଅପ୍ରସ୍ତୁତ । ସତ୍ୟକୁ ଅତିଥି ଭାବରେ ଗ୍ରହଣ କରିବାର ସାମର୍ଥ୍ୟ ହରାଇ ଥିବାରୁ ଏହା ଆମର ପ୍ରବଳ ଶତ୍ରୁ ରୂପେ ଦେଖାଦିଏ ।
ପକ୍ୱ ଫଳର ବୃନ୍ତ ଶିଥିଳ ଓ ମଜ୍ଜା କୋମଳ ହୁଏ କିନ୍ତୁ ତା'ର ବୀଜ ଶକ୍ତ ହୋଇ ନୂତନ ପ୍ରାଣ ନିମନ୍ତେ ସମ୍ବଳ ଲାଭ କରିଥାଏ । ଆମଠାରେ ସେହି ହରଣ ପୂରଣ ମଧ୍ୟ ଅଛି । ବୟସ ବୃଦ୍ଧି ହେତୁ ଆମ ବହିଃ ଶକ୍ତିର କ୍ଷୟ ସଙ୍ଗେ ସଙ୍ଗେ ଅନ୍ତର୍ନିହିତ ଶକ୍ତିର ବିକାଶ ଘଟେ । କିନ୍ତୁ ମନୁଷ୍ୟର ଆନ୍ତର ଜୀବନରେ ଚା’ ନିଜର ଇଚ୍ଛା ବଳିଦାନ୍, ତେଣୁ ଏହି ବୃଦ୍ଧି ଓ ପରିଣତ ତା’ର ଶୃଙ୍ଖଳିତ ସାଧନାର ଅପେକ୍ଷା ରଖେ । ସେହି କାରଣରୁ ଦେଖାଯାଏ ଯେ ଅସଂଯତ ମନୁଷ୍ୟର ଦାନ୍ତ ହୁଏତ ପଡ଼ିଗଲେ, ବାଳ ପାଚିଲା, ଶରୀରର ତେଜ କମିଲା, ପଦକ୍ଷପ ଶିଥିଳ ହେଲା, ସେ ତା ଆୟୁର ଶେଷପ୍ରାନ୍ତରେ ଆସି ଦଣ୍ଡାୟମାନ ହେଲା, ତଥାପି କୌଣସି ପ୍ରକାରେ ସହଜରେ ସଂସାରରୁ ତା’ର ନିବିଡ଼ ମମତା ଘଟିଲା ନାହିଁ–ପ୍ରାଣପଣେ ସେ ସବୁକିଛି ଦୃଢ଼ରୂପେ ଧରି ରଖିବାକୁ ଚେଷ୍ଟିତ, ଏପରି କି ମୃତ୍ୟୁ ପରେ ମଧ୍ୟ ସଂସାରର କ୍ଷୁଦ୍ର ବିଷୟରେ ତାହାର କାମନା ଅତୁଟ ରଖିବାକୁ ସେ ବ୍ୟଗ୍ର । ଏ ଧରଣର ସଂସାର ଜୀବନ ପ୍ରତି ଆସକ୍ତି ଆଧୁନିକ କାଳରେ ମଧ୍ୟ ଆମ ଦେଶରେ ଗର୍ବର ବିଷୟ ବୋଲି ବିବେଚିତ ହେଉଅଛି । କିନ୍ତୁ ଏଥିରେ ଗୌରବାନ୍ୱିତ ହେବା ଭଳି କିଛି ବିଷୟ ଅଛି କି ?
ତ୍ୟାଗ କରିବାକୁ ହେବ ଏବଂ ତ୍ୟାଗ ଦ୍ୱାରାହିଁ ଲାଭ କରିବାକୁ ହେବ, ଏହାହିଁ ଜଗତର ମର୍ମଗତ ସତ୍ୟ । ଫୁଲ ପାଖୁଡ଼ା ଝରାଇ ଫଳ ଧରେ, ଫଳ ଝଡ଼ି ପଡ଼ିଲେ ବୃକ୍ଷର ପୁନର୍ଜନ୍ମ ହୁଏ । ଗର୍ଭସ୍ଥ ଶିଶୁ ଠିକ୍ ସେହିପରି ଗର୍ଭାଶୟ ଛାଡ଼ି ପୃଥିବୀରେ ଭୂମିଷ୍ଠ ହୁଏ ଏବଂ ଶରୀର ଓ ମନର ଅଧିକ ଅଭିବୃଦ୍ଧି ହେଉଛି ତା’ର ଲକ୍ଷ୍ୟ । ତା' ପରେ ସେ ସଙ୍କୀର୍ଣ୍ଣ ଆତ୍ମ କୈନ୍ଦ୍ରିକ ଜଗତ ପରିତ୍ୟାଗ କରି ଅଗଣିତ ଲୋକଙ୍କ ସହିତ ବିଚିତ୍ର ସମ୍ବନ୍ଧ ସ୍ଥାପନ କରେ । ଶେଷରେ ତା’ର ଶରୀର ଓ ପ୍ରବୃତ୍ତି କ୍ଷୀଣ ହୁଏ । ମନୁଷ୍ୟ ନିଜର ବିଚିତ୍ର ଅଭିଜ୍ଞତା ଓ ଅନାସକ୍ତ ପ୍ରବୀଣତା ସାହାଯ୍ୟରେ ଆପଣାର କ୍ଷୁଦ୍ର ସଂସାର ମଧ୍ୟରୁ ବୃହତ୍ତର ସଂସାରରେ ଜନ୍ମଗ୍ରହଣ କରେ ଏବଂ ତାହାର ଶିକ୍ଷା, ଆହୃତ ଜ୍ଞାନ ବିଶାଳ ସଂସାରର ସାଧାରଣ ମାନବର କାର୍ଯ୍ୟରେ ବିନିଯୁକ୍ତ ହୁଏ; ଅନ୍ୟ ଦିଗରେ ସେ ଅବସନ୍ନ ପ୍ରାୟ ମାନବ ଜୀବନ ସଙ୍ଗରେ ନିଜ ଜୀବନର ସମ୍ବନ୍ଧ ସ୍ଥାପନ କରେ । ତା’ ପରେ ସାଂସାରିକ ରଜ୍ଜୁର ବନ୍ଧନ ସମ୍ପୂର୍ଣ୍ଣ କ୍ଷୟପ୍ରାପ୍ତ ହୁଏ । ଅନନ୍ତ ଲୋକରେ ଜନ୍ମଗ୍ରହଣ କରିବା ଆଶାରେ ସେ ଅତି ସହଜରେ ବିନା ଦ୍ୱିଧାରେ ମୃତ୍ୟୁ ସମ୍ମୁଖରେ ଆସି ଦଣ୍ଡାୟମାନ ହୁଏ ।
ଏହିପରି ସେ ବ୍ୟକ୍ତି ଶରୀର ମଧ୍ୟରୁ ସମାଜରେ ସମାଜ ମଧରୁ ବିଶ୍ୱରେ, ବିଶ୍ୱ ମଧ୍ୟରୁ ଅଧ୍ୟାତ୍ମ ଜଗତରେ ମାନବ ଜନ୍ମକୁ ପରିଣତି ଦାନ କରେ । ଏହାହିଁ ଆତ୍ମାର ସାଧାରଣ ଅଗ୍ରଗତି ।
ତେଣୁ ଆମର ପ୍ରାଚୀନ ମନୀଷୀଗଣ ଏହି ଅଗ୍ରଗତିର ଲକ୍ଷ୍ୟକୁ ବିଚାର କରି ଆମ ଜୀବନର ପ୍ରାରମ୍ଭିକ ସ୍ତରର ଶିକ୍ଷାକୁ କେବଳ ବିଷୟ ଶିକ୍ଷା ବା ଗ୍ରନ୍ଥ ଅଧ୍ୟୟନରେ ପରିଣତ କରି ନ ଥିଲେ, ତାହା ଥିଲା ବ୍ରହ୍ମଚର୍ଯ୍ୟର ଶିକ୍ଷା । ନିୟମ ସଂଯମର ଅଭ୍ୟାସ ଦ୍ୱାରା ଏପରି ଏକ ବଳଲାଭ ହେଉଥିଲା ଯେଉଁଥିରେ ଭୋଗ ଓ ବୈରାଗ୍ୟ ଉଭୟ ଆମ ଚରିତ୍ରକୁ ଦୃଢ଼ କରିଥିଲେ । ସମସ୍ତ ଜୀବନହିଁ ଥିଲା ଧର୍ମାଚରଣ, ତାହାର ଲକ୍ଷ ବ୍ରହ୍ମ ମଧ୍ୟରେ ମୁକ୍ତି ଏବଂ ସେଥିପାଇଁ ସେହି ଜୀବନ ଯାପନ କରିବାର ଶିକ୍ଷା ଧର୍ମ ବ୍ରତରୂପେ ବିବେଚିତ ହେଉଥିଲା । ଏହି ବ୍ରତ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠା ସହକାରେ ଅତି ସାବଧାନରେ ପାଳନ କରିବାକୁ ପଡ଼ୁଥିଲା । ଏହି ଚରମ ସତ୍ୟକୁ ସମ୍ମୁଖରେ ସ୍ଥାପନ କରି ଶିକ୍ଷାର୍ଥୀ ବାଳକ ତାହାର ଜୀବନ ପଥରେ ପ୍ରବେଶ କରୁଥିଲା ।
ବାହାର ଶକ୍ତି ସଙ୍ଗରେ ଅନ୍ତର ଶକ୍ତିର ସାମଞ୍ଜସ୍ୟ ବିଧାନ ପ୍ରାଣର ଲକ୍ଷଣଭାବେ କଥିତ ହୋଇଛି । ଏହି ସାମଞ୍ଜସ୍ୟ ପ୍ରକ୍ରିୟା ପ୍ରାୟ ସ୍ୱୟଂକ୍ରିୟ ଯନ୍ତ୍ର ତୁଲ୍ୟ । କିନ୍ତୁ ମନୁଷ୍ୟର ମନ ଏ ପର୍ଯ୍ୟନ୍ତ ସଜ୍ଞାନ ପରୀକ୍ଷାମୂଳକ ସ୍ତରରେ ଥିବାରୁ ତା’ ନିମନ୍ତେ ଏହା ବିଶୃଙ୍ଖଳାର କରଣରୁପେ ଦେଖାଦିଏ; ଏହାର କ୍ରିୟାକଳାପକୁ ସାର୍ବଜନୀନ ନିୟମସହ ସଂଯୁକ୍ତ କରା ନ ଯିବା ପର୍ଯ୍ୟନ୍ତ ଏହା ମନୁଷ୍ୟ ନିମନ୍ତେ ଅସୀମ ଦୁଃଖର ଆଧାର ହୁଏ । ଉଦାହରଣ ସ୍ୱରୂପ ବର୍ତ୍ତମାନ ପାଇଁ ଶରୀର ଯନ୍ତ୍ର ନିମନ୍ତେ ଖାଦ୍ୟ ଆବଶ୍ୟକତାର ସମାପ୍ତି ଘଟିଛି, କିନ୍ତୁ ମନ ନିମନ୍ତେ ହୁଏତ ସେ ଅବସ୍ଥା ପ୍ରଯୁଜ୍ୟ ହୋଇ ନ ପାରେ । ପ୍ରକୃତ ଆବଶ୍ୟକତାର ଊର୍ଦ୍ଧ୍ୱରେ ଏହାର ପରିତୃପ୍ତିକୁ ବଢ଼ାଇବା ପାଇଁ ଇଚ୍ଛୁକ ହେଲେ ରସନା ଓ ପାକଯନ୍ତ୍ରକୁ ଅଧିକ କାର୍ଯ୍ୟକାରୀ କରାଇବା ନିମନ୍ତେ ମନ ଉତ୍ତେଜନା ଦିଏ । ଫଳରେ ବାହାର ସହିତ ପ୍ରାଣର ଓ ପ୍ରାଣ ସହିତ ମନର ଐକ୍ୟତାନ ନଷ୍ଟ କରି ସେ ନାନା ଅନାବଶ୍ୟକ ଚେଷ୍ଟା, ଅନାବଶ୍ୟକ ଉପକରଣର ଆହରଣଜନିତ ଦୁଃଖର ସୃଷ୍ଟି କରିବାକୁ ସମର୍ଥ ହୁଏ ।
ଥରେ ମନୁଷ୍ୟର ମନ ପ୍ରକୃତ ଆବଶ୍ୟକତାର ସୀମା ଲଙ୍ଘନ କଲେ, କେଉଁଠି କୌଣସି ସୀମା ମଧ୍ୟରେ ସେ ବିରାମ ନେବାର କାରଣ ରହେ ନାହିଁ । ତେଣୁ ତୈଳ ସାହାଯ୍ୟରେ ଅଗ୍ନି ନିର୍ବାପିତ କରିବାର ଚେଷ୍ଟା ଭଳି ମନୁଷ୍ୟ ମନର ଅର୍ଜ୍ଜନ କେବଳ ତାହାର କାମନାକୁ ଅଧିକ ପ୍ରଜ୍ଜ୍ୱଳିତ କରେ । ସେହି କାରଣରୁ ପ୍ରଥମରୁ ମନକୁ ଅଭ୍ୟସ୍ତ କରିବା ଆବଶ୍ୟକ, ଯେପରି ସେ ପ୍ରାକୃତିକ ସୀମାସମୂହ ମଧ୍ୟରେ ରହିବାର ଆବଶ୍ୟକତା ସମ୍ପର୍କରେ ସଚେତନ ହୋଇ ପାରିବ । ଅନ୍ୟ କଥାରେ ବିଶ୍ୱଶକ୍ତି ସଙ୍ଗରେ ମନୁଷ୍ୟର ଇଚ୍ଛା ଶକ୍ତିର ସାମଞ୍ଜସ୍ୟ ବିଧାନ କରି ପାରିଲେ ଆମେ ପରମାନନ୍ଦ ଲାଭ କରି ପାରିବା । ତା’ହେଲେ ଏହି ଇଚ୍ଛା ନିଜର ବିଭିନ୍ନ ସ୍ୱର ଝଙ୍କାର ସୃଷ୍ଟି କରିବାର ସ୍ୱାଧୀନତା ସତ୍ତ୍ୱେ ମଙ୍ଗଳ ଓ ସତ୍ୟ ସହିତ କୌଣସି ବିରୋଧ ସୃଷ୍ଟି କରିବାକୁ ଅସମର୍ଥ ହେବ ।
ଏହିପରି ଶିକ୍ଷାର କାଳ ଉଦ୍ଯାପନ କରି ସଂସାର ଜୀବନ ମଧ୍ୟରେ ପ୍ରବେଶ କରିବାକୁ ହେବ । ଆମର ସଂହିତାକର ମନୁ କହିଛନ୍ତି–
ନ ତଥୈତାନି ଶକ୍ୟନ୍ତେ ସଂନିୟନ୍ତୁମସେବୟା
ବିଷୟେଷୁ ପ୍ରଜୁଷ୍ଟାନି ଯଥା ଜ୍ଞାନେନ ନିତ୍ୟଶଃ ।
–ବିଷୟର ସେବା ନ କରି ସଂଯମ ଆଚରଣ କରାଯାଇ ନ ପାରେ । ବିଷୟରେ ନିଯୁକ୍ତ ଥାଇ ସୁଦ୍ଧା ଜ୍ଞାନ ଦ୍ୱାରା ସଂଯମ ସର୍ବଦା ପାଳନ କରାଯାଇ ପାରେ ।
ଅର୍ଥାତ୍ ବିଷୟ ବିଯୁକ୍ତ ହୋଇ ଜୀବନର ପୂର୍ଣ୍ଣତା ଆସ୍ୱାଦନ ନ କଲେ ପୂର୍ଣ୍ଣଜ୍ଞାନ ଲାଭ କରାଯାଇ ପାରେ ନାହିଁ । ପୁଣି ଯେଉଁ ସଂଯମ ଜ୍ଞାନ ଦ୍ୱାରା ଲବ୍ଧ ନୁହେ, ତାହା ପ୍ରକୃତ ସଂଯମ ନୁହେ, ତାହା ଜଡ଼ ଆଚାର ବା ଅନଭିଜ୍ଞତାର ଅନୁସରଣ ମାତ୍ର ।
କାମନା ସଂଯତ ହେବାର ଅଭ୍ୟାସ ଥିଲେ କର୍ମ ସହଜସାଧ୍ୟ ହୁଏ । ସେହି ଅବସ୍ଥାରେହିଁ ଗୃହସ୍ଥାଶ୍ରମ ସମାଜ କଲ୍ୟାଣର ଆଧାର ହୋଇ ଉଠେ । ସେହି ଅବସ୍ଥା ମନୁଷ୍ୟର ପୂର୍ଣ୍ଣ ମୁକ୍ତି ପଥରେ ବାଧା ନୁହେ, ସହାୟ ମାତ୍ର । ତା’ର ସମସ୍ତ କର୍ମ ଆତ୍ମପରତନ୍ତ୍ରତାର ବନ୍ଧନ ମୁକ୍ତ ହେଲେ କର୍ମ ଦାୟିତ୍ୱ ଆତ୍ମିକ ସ୍ୱାଧୀନତାକୁ ହ୍ରାସ କରି ପାରେ ନାହିଁ; ସେ ବ୍ରହ୍ମ ସମର୍ପଣପୂର୍ବକ କର୍ମାନୁଷ୍ଠାନ କରି ଆନନ୍ଦିତ ହୁଏ ।
ଜୀବନର ଦ୍ୱିତୀୟ ଭାଗ ଏହି ଭାବରେ ସଂସାର ଧର୍ମରେ ନିଯୋଗ କରି ଶାରୀରିକ ଶକ୍ତିର ହ୍ରାସ ଘଟିଲେ ମନେ ରଖିବାକୁ ହେବଯେ ଏହି କ୍ଷେତ୍ରରେ ସ୍ୱାଭାବିକ ସମାପ୍ତି ଆସିଛି । ଚାକିରୀ କରିବାକୁ ଅଧିକ ଆଗ୍ରହୀ ଥିବା ବ୍ୟକ୍ତି ଚାକିରୀରୁ ବରଖାସ୍ତ ହେବାର ନିର୍ଦ୍ଦେଶ ପାଇଲେ ଯେପରି ଦୁଃଖିତ ହୁଏ, ସେପରି ଏହି ଚେତନାରେ ଦୁଃଖାଭିଭୂତ ହେବାର କୌଣସି କାରଣ ନାହିଁ । ବରଂ ମହତ୍ତର କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ପଦୋନ୍ନତିର ସମ୍ବାଦରେ ଆନନ୍ଦିତ ହେବା ପରି ସନ୍ତୋଷ ଲାଭ କରିବା ବାଞ୍ଛନୀୟ ।
ଶାରୀରିକ ବଳ ଯାହାକି ଇନ୍ଦ୍ରିୟଶକ୍ତି ଓ ପ୍ରବୃତ୍ତି ସମୂହର କ୍ଷେତ୍ର ଥଲା ବର୍ତ୍ତମାନ ତାହା ପଛରେ ପଡ଼ି ରହିଲା । ସେଠାରେ ଉତ୍ପନ୍ନ ଫସଲ ଗଚ୍ଛିତ ହୋଇଛି, ବର୍ତ୍ତମାନ ସନ୍ଧ୍ୟା ସମାଗତ । କର୍ମ ସମାପ୍ତ କରି ଘରକୁ ଯିବାର ରାସ୍ତା ଧରିବାକୁ ହେବ । ଘରେ ନ ପହଞ୍ଚିଲେ ଚରମ ଶାନ୍ତି ବା କାହିଁ ? ଜୀବନ ସାରା ଯେତେ କିଛି ପରିଶ୍ରମ କରାଗଲା, ଯେତେ କଷ୍ଟ ସହିବାକୁ ପଡ଼ିଲା ସବୁ ଏହି ଘର ଲାଗି ନୁହେ କି ? ସେହି ଘରହିଁ ହେଉଛି ଭୂମା, ତାହାହିଁ ହେଉଛି ଆନନ୍ଦର ଆଧାର । ଯେଉଁ ଆନନ୍ଦରୁ ଆମେ ଆସିଛୁ, ସେହି ଆନନ୍ଦକୁ ଆମେ ନିଶ୍ଚୟ ଫେରିଯିବା । ତାହା ଯଦି ନ ହୁଏ ତେବେ ତତଃ କିମ୍କେଉଁଥି ପାଇଁ ବା ଆମେ ଦୃଢ଼ ସଂକଳ୍ପବଦ୍ଧ ହୋଇଛୁ ?
ଶିଶୁ ଗର୍ଭରୁ ଭୂମିଷ୍ଠ ହେଲେ ମଧ୍ୟ ସମ୍ପୂର୍ଣ୍ଣ ସ୍ୱାଧୀନ ହେବା ପୂର୍ବରୁ କିଛିକାଳ ମା’ ପାଖେ ପାଖେ ରହେ । ବିଯୁକ୍ତ ହୋଇ ସୁଦ୍ଧା ସେ ଥାଏ ସଂଯୁକ୍ତ ଏବଂ ସମ୍ପୂର୍ଣ୍ଣ ବିଯୁକ୍ତ ହେବା ନିମନ୍ତେ ପ୍ରସ୍ତୁତ ହୁଏ । ଜୀବନର ତୃତୀୟାବସ୍ଥା-ବାନପ୍ରସ୍ଥାଶ୍ରମର ଏହାହିଁ ପ୍ରକୃତ କଥା । ସଂସାର ଗର୍ଭରୁ ମନୁଷ୍ୟ ନିଷ୍କ୍ରାନ୍ତ ହୋଇ ସୁଦ୍ଧା ସେହି ସଂସାର ସଙ୍ଗରେ ତା’ର ସଂଯୋଗ ଥାଏ । ସେ ଜଗତକୁ ନିଜର ସଞ୍ଚିତ ଜ୍ଞାନ ତଥାପି ଦାନ କରେ । ପକ୍ୱଫଳ ନିଜ ବୃନ୍ତରୁ ଝଡ଼ିପଡ଼େ ଓ ତାର ବୀଜ ନିଜର ନୂତନ ଜନ୍ମ ନିମନ୍ତେ ଭୂମି ନର୍ବାଚନ କରିବା ପୂର୍ବରୁ ଫଳ ଭୋଜ୍ୟରୂପେ ବ୍ୟବହୃତ ହୁଏ । ତା’ର ଜ୍ଞାନ ବୃଷ୍ଟିଧାରା ତୁଲ୍ୟ ସମସ୍ତଙ୍କ ନିମନ୍ତେ ବର୍ଷିତ ହୁଏ, ଏକ ଊର୍ଦ୍ଧ୍ୱ ଅନାସକ୍ତ ବାୟୁମଣ୍ଡଳରୁ ଏହା ନିମ୍ନକୁ ଅବତରଣ କରେ ।
ଅବଶେଷରେ ଜୀବନର ଶେଷ ଅବସ୍ଥା ଆସେ, ସକଳ ସ୍ୱାଧୀନ ସମ୍ପର୍କର ପରିସମାପ୍ତି ଘଟେ । ମୁକ୍ତ ଆତ୍ମା ନିଜ ଜାଗତିକ କର୍ମ ସମାପ୍ତ କରି ପରମ ଆତ୍ମାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୁଏ । ଜୀବନର ପ୍ରତି ପଦକ୍ଷେପରେ ମୃତ୍ୟୁକୁ ଲଙ୍ଘନ କରିବାକୁ ଚେଷ୍ଟା ନ କରି କିମ୍ୱା ମୃତ୍ୟୁ ଦ୍ୱାରା ଅବଶେଷର ସମ୍ପୂର୍ଣ୍ଣ ପରାହତ ନ ହୋଇ ଏହି ଭାବେହିଁ ପ୍ରକୃତ ମାନବଜୀବନ ଯାପନ କରାଯାଇ ପାରେ ।
ଭାରତବର୍ଷ ଚାରି ଆଶ୍ରମ ମଧ୍ୟଦେଇ ମନୁଷ୍ୟ ଜୀବନକୁ ବାଲ୍ୟ, ଯୌବନ, ପୌଢ଼ତ୍ୱ ଓ ବାର୍ଦ୍ଧକ୍ୟର ସ୍ୱାଭାବିକ ବିଭାଗର ଅନୁଗତ କରି ଅଧ୍ୟାୟେ ଅଧ୍ୟାୟେ ଯେପରି ସମାପ୍ତି ଦିଗରେ ନେଇଯାଇଛି ସେଥିରେ ବିଶାଳ ବିଶ୍ୱ-ସଙ୍ଗୀତ ସହ ମନୁଷ୍ୟର ଜୀବନ-ସଙ୍ଗୀତ ସମ୍ମିଳିତ । ସେଠାରେ ବିଦ୍ରୋହ ବା ବିପ୍ଳବ ନାହିଁ କିମ୍ବା ଅସଂଯତ ପ୍ରବୃତ୍ତି ନିଜର ଉପଯୁକ୍ତ ସ୍ଥାନ କାଳ ବିସ୍ମୃତ ହୋଇ ଯେଉଁ ସକଳ ଅଶାନ୍ତ ଓ ଧ୍ୱଂସଲୀଳା ସୃଷ୍ଟି କରେ ତାହା ମଧ୍ୟ ନାହିଁ । ବରଂ ପରମବ୍ରହ୍ମଙ୍କ ସହ ସେମାନଙ୍କ ଚରମ ସମ୍ପର୍କ ସ୍ଥାପିତ ହୋଇଛି ।
ଜୀବନର ଯେ କୌଣସି ଅଭିପ୍ସାକୁ ଆମେ ଚରମ ବୋଲି ଜ୍ଞାନ କରି ତାହାକୁ ଦେଶପ୍ରୀତି, ଲୋକହିତ ବା ଯେ କୌଣସି ବଡ଼ ନାମ ଦେଉ ନା କାହିଁକି ତାହା ଆମକୁ ସମ୍ପୂର୍ଣ୍ଣତା ଆଡ଼କୁ ନେଇ ପାରିବ ନାହଁ, ତାହା ଆମକୁ ଆମର କର୍ମ ପରିସରର ମଧ୍ୟପଥରେ ଅକସ୍ମାତ୍ ପରିତ୍ୟାଗ କରିବ ଏବଂ ତାହା ମଧ୍ୟରେ ଏହି ପ୍ରଶ୍ନ ବାରମ୍ବାର ଆମ କର୍ଣ୍ଣରେ ଧ୍ୱନିତ ହେବ–ତତଃ କିମ୍; ତତଃ କିମ୍ ।
ମୁଁ ଜାଣେ ଏଇଠି ସନ୍ଦେହ ଉଦିତ ହେବ, ଗୋଟିଏ ଦେଶର ସମସ୍ତ ଲୋକଙ୍କୁ ଏହି ଆଦର୍ଶରେ ଗଢ଼ିବା କେତେଦୂର ସମ୍ଭବ ? ତା’ର ଉତ୍ତରରେ ମୁଁ କହେ ଯେ, ଗୋଟିଏ ସଳିତାର ଅଗ୍ରଭାଗ କେବଳ ଜଳୁଥିଲେ ମଧ୍ୟ ସମଗ୍ର ପ୍ରଦୀପ ପ୍ରଜ୍ଜ୍ୱଳିତ ହେଲା ବୋଲି କୁହାଯାଏ । ଜୀବନଯାପନର ଆଦର୍ଶ ସମଗ୍ର ଦେଶର ମୁଖମଣ୍ଡଳ ସଦୃଶ ଅଳ୍ପ କେତେକ ଶୀର୍ଷସ୍ଥାନୀୟ ବ୍ୟକ୍ତିଙ୍କ ନିକଟରେ ଉଜ୍ଜ୍ୱଳରୂପେ ଅଭିବ୍ୟକ୍ତି ଲାଭ କରେ । ଯଦି ଦେଶରେ ଅଳ୍ପସଂଖ୍ୟକ ଲୋକ ମଧ୍ୟ କୌଣସି ଆଦର୍ଶ ଉପଲବ୍ଧି କରିବାରେ ସଫଳକାମ ହୁଅନ୍ତି, ସମଗ୍ର ଦେଶ ପକ୍ଷରେ ତାହା ଲାଭଜନକ । ଭାରତବର୍ଷରେ ଯଦି ଏପରି ଦିନ କେବେ ଆସେ, ଯେତେବେଳେ ଆମର ନେତୃବର୍ଗ ସର୍ବୋଚ୍ଚ ସତ୍ୟ ଓ ସର୍ବୋଚ୍ଚ ମଙ୍ଗଳକୁ ଅନ୍ୟ ସମସ୍ତ ଖଣ୍ଡ ପ୍ରୟୋଜନର ଉର୍ଦ୍ଧ୍ୱରେ ରଖି ଚିରଜୀବନର ସାଧନାର ସାମଗ୍ରୀ କରନ୍ତି, ତା’ହେଲେ ତାଙ୍କର ସାଧନା ଓ ସାର୍ଥକତା ସମସ୍ତ ଦେଶ ମଧ୍ୟରେ ଏକ ବିଶେଷ ଗତି ଓ ସ୍ୱତନ୍ତ୍ର ଶକ୍ତି ସଞ୍ଚାର କରିବ ।
ଦିନେ ପ୍ରାଚୀନ ଭାରତବର୍ଷର ଚିନ୍ତାନାୟକମାନେ ବ୍ରହ୍ମସାଧନାରେ ଏ ଧରଣର ସଂଯତ ଓ ଉଦ୍ଦେଶ୍ୟମୟ ଜୀବନ ଯାପନ କରୁଥିଲେ । ସେମାନଙ୍କର ସାଧନା କେବଳ ଧର୍ମ କ୍ଷେତ୍ରରେ ନିୟୋଜିତ ନ ଥିଲା, ରାଜକର୍ମ, ଯୁଦ୍ଧ, ବାଣିଜ୍ୟ, ସାହିତ୍ୟ ଓ ଶିଳ୍ପ ସକଳ କ୍ଷେତ୍ରରେ ସେହି ବ୍ରହ୍ମଙ୍କର ସ୍ୱର ଝଂକୃତ ହେଉଥିଲା । କେବଳ ମୈତ୍ରେୟୀଙ୍କ କଣ୍ଠରେ ନୁହେ, ସମଗ୍ର ସମାଜ ତାଙ୍କ ବାଣୀ ପ୍ରତିଧ୍ୱନିତ କରି କହୁଥିଲା, ‘‘ଯେନାଽହଂ ନାମୃତା ସ୍ୟାଂ କିମହଂ ତେନ କୁର୍ଯ୍ୟାମ୍ ?’’ –ଯାହା ଅମୃତ ନୁହେ, ତାହାକୁ ନେଇ ମୁଁ କ’ଣ କରିବି ?
ଯଦି ଆମେ ବିଶ୍ୱାସ କରୁ ଯେ ସେ ପ୍ରତିବାଦର ସ୍ୱର ଆମ ଦେଶରେ ଚିରକାଳ ପାଇଁ ନୀରବ, ତାହାହେଲେ ବିଜେତା ବିଦେଶୀ ଜାତି ନିକଟରେ ଆତ୍ମସମର୍ପଣ କରିବା ପ୍ରକୃତରେ ଆମ ପକ୍ଷରେ ଶ୍ରେୟସ୍କର; ମୃତ ସମାଜକୁ ଜୀବନ୍ତ କରିବା ସକାଶେ ବ୍ୟର୍ଥ ଉଦ୍ୟମ କରିବା ଅପେକ୍ଷା ତାହା ଯଥେଷ୍ଟ ଉତ୍ତମ ହେବ ।
କିନ୍ତୁ ଏହା କେବେହେଲେ ଆମେ ସ୍ୱୀକାର କରି ପାରିବା ନାହିଁ । ଭାରତରେ ଆମକୁ କବଳିତ କରିଥିବା ବାହ୍ୟ ଦୁର୍ଗତି ଯେତେ ଅଧିକ ହେଉ ନା କାହିଁକି, ଆମର ଅନ୍ତରତମ ସ୍ଥାନ ଏପରି ଭାବରେ ପ୍ରସ୍ତୁତ ଯେ ଯେଉଁଥିରେ ବ୍ରହ୍ମ ଅପେକ୍ଷା ନ୍ୟୁନ କୌଣସି ଅସମ୍ପୂର୍ଣ୍ଣ ଅଧିକାରକୁ ଆମେ ପରମ ଲାଭ ବୋଲି ସ୍ୱୀକାର କରି ନ ପାରୁଁ । ଆଜି ମଧ୍ୟ କୌଣସି ମହାତ୍ମା-ସାଧକ ଯଦି ମହାନ୍ ବାଣୀ ଉଚ୍ଚାରଣ କରନ୍ତି ଆମ ହୃଦୟ ତାରରେ ତା’ର ଝଙ୍କାର ସୃଷ୍ଟ ହେବ; ତାହାକୁ ଆମର ନିମ୍ନତମ ଜାଗତିକ ଉଦ୍ଦେଶ୍ୟ ପ୍ରତିରୋଧ କରି ପାରିବ ନାହିଁ । ବିକ୍ରମ ଓ ଐଶ୍ୱର୍ଯ୍ୟକୁ ଆମେ ଯେତେ ଉଚ୍ଚକଣ୍ଠରେ ବିଶ୍ୱସ୍ତ ଭାବରେ ବଡ଼ କରି ପ୍ରଚାର କରିବାର ଚେଷ୍ଟା କରୁ ନା କାହିଁକି, ମନପ୍ରାଣ ଦେଇ ତାହାକୁ ଗ୍ରହଣ କରି ପାରିବୁ ନାହିଁ ।
ଆମ ସମାଜରେ ଆଜିକାଲି ବିବାହ ପ୍ରଭୃତି ଉତ୍ସବମାନଙ୍କରେ ଗତାନୁଗତିକ ଦେଶୀ ବାଦ୍ୟ ସଙ୍ଗରେ ବିଦେଶୀ ବାଦ୍ୟ ବାଜି ଉଠିବାର ଆମେ ଶୁଣୁ । ଏହା ସ୍ୱରର ଏକ ବିରାଟ ବିଶୃଙ୍ଖଳା ସୃଷ୍ଟି କରେ; ସଙ୍ଗୀତର ମାଧୁରୀ ଛିନ୍ନ ବିଚ୍ଛିନ୍ନ ହୋଇଯାଏ । ଏହି ବିଷମ ଗଣ୍ଡଗୋଳ ଓ କର୍କଶ ଧ୍ୱନି ମଧ୍ୟରେ ମନୋନିବେଶ କଲେ ବୁଝାଯାଏ ଯେ ଆମ ଭାରତୀୟ ସଙ୍ଗୀତର ବୈରାଗ୍ୟ ଗାମ୍ଭୀର୍ଯ୍ୟମିଶ୍ରିତ ସ୍ୱର ହିଁ ଆମ କର୍ଣ୍ଣରସାୟନ ହେଉଛି । ଆଉ ବିଦେଶୀୟ ବରାଟ ବାଦ୍ୟ ତା’ର ପ୍ରକାଣ୍ଡ କାଂସ୍ୟ କଣ୍ଠ ଓ ସ୍ଫୀତୋଦର ନେଇ କେବଳମାତ୍ର ନେଇ ଧନର ଅହଙ୍କାର ଓ ସାଜସଜ୍ଜାର ଆଡ଼ମ୍ବରକୁ ଅଭ୍ରଭେଦୀ କରି ଆମର ଗଭୀରତର ଓ ଅନ୍ତରତର ସ୍ୱରକୁ ଆଚ୍ଛନ୍ନ କରିଦେଉଛି । ଏହା ଆମର ମଙ୍ଗଳ ଅନୁଷ୍ଠାନ ମଧ୍ୟରେ ଅହଙ୍କାର ପୂର୍ଣ୍ଣ ଏକ ଅସାମଞ୍ଜସ୍ୟକୁ ଅତି ଉତ୍କଟ କରେ । ତାହା ଆମ ଉତ୍ସବର ଚିରନ୍ତନ ବେଦନା ସହିତ ନିଜର ସ୍ୱର ମିଳାଇବାକୁ ଅସମର୍ଥ । ଇଉରୋପୀୟ ରାଷ୍ଟ୍ରନୀତି, ସମାଜ ବ୍ୟବସ୍ଥା ଓ ବାଣିଜ୍ୟ ନୀତିର ଉପଯୋଗିତା ଆମେ ଯେତେ ଉଚ୍ଚକଣ୍ଠରେ ଘୋଷଣା କଲେ ସୁଦ୍ଧା ତାହା ଆମର ସମସ୍ତ ହୃଦୟର ଆବଶ୍ୟକତାକୁ ପୂର୍ଣ୍ଣରୂପେ ଚରିତାର୍ଥ କରୁ ନାହିଁ । ବରଂ ଆମ ଅନ୍ତର ମଧ୍ୟରେ ବିଦ୍ୟମାନ ଥିବା ପୂର୍ଣ୍ଣତାର ଆଦର୍ଶକୁ ଏହା ଆଘାତ କରୁଛି ଏବଂ ଆମ ଅନ୍ତରାତ୍ମା ଏମାନଙ୍କ ବିରୁଦ୍ଧରେ ଚିତ୍କାର କରିଉଠୁଛି ।
ଆମ୍ଭେମାନେ ସର୍ବଦା ଏପରି ହାଟୁଆ ମଣିଷ ନ ଥିଲୁ । ଆଜି ଆମେ ହାଟ ମଧରେ ବାହାରି ପରସ୍ପର ଭିତରେ ଇତର ଭାବରେ ଠେଲାପେଲା ଓ ଚିତ୍କାର କରୁ, ସମ୍ମାନ ଓ ପଦବୀକୁ ଆଳ କରି କଳହରତ ହେଉ, ନିର୍ଲଜ୍ଜ ଭାବରେ ଆସ୍ଫାଳନ କରି ଉଚ୍ଚକଣ୍ଠରେ ନିଜ ମହତ୍ୱର ବିଜ୍ଞାପନ ପ୍ରଚାର କରୁ । ଏହା ଏକ ନକଲି ପ୍ରକ୍ରିୟା, ଏହା ମଧ୍ୟରେ ସତ୍ୟର ପରମାଣ ଅଳ୍ପ; ଏଥିରେ ଶାନ୍ତି ନାହିଁ, ଗାମ୍ଭୀର୍ଯ୍ୟ ନାହିଁ, ଶିଷ୍ଟତା ସଂଯମ ଓ ଶ୍ରୀ ନାହିଁ । ଏହି ନକଲର ଯୁଗ ଆସିବା ପୂର୍ବରୁ ଆମ ମଧ୍ୟରେ ଏକ ସ୍ୱାଭାବିକ ମର୍ଯ୍ୟାଦା ଥିଲା; ଦାରିଦ୍ର୍ୟ ଓ ସରଳ ଜୀବନ ସତ୍ତ୍ୱେ ଏହା ନଷ୍ଟପ୍ରାପ୍ତ ହୋଇ ପାରି ନ ଥିଲା । ତାହା ଆମ୍ଭମାନଙ୍କ ପକ୍ଷରେ ସହଜାତ ରକ୍ଷାକବଚ ତୁଲ୍ୟ ଥିଲା, ତାହା ଆମକୁ ଭୌତିକ ଜୀବନର କଳଙ୍କର ପରୀକ୍ଷା ଓ ଅସମ୍ମାନ ନିକଟରୁ ରକ୍ଷା କରିଥିଲା । ସେହି ରକ୍ଷାକବଚ ହରାଇ ଆମ୍ଭେମାନେ ଆସ୍ଫାଳନ ଓ ଆଡ଼ମ୍ବର ମଧ୍ୟରେ ଆତ୍ମରକ୍ଷାର ବୃଥା ପ୍ରୟାସ କରୁଛୁ । ସମ୍ମାନ ବର୍ତ୍ତମାନ ବାହାରର ପଦାର୍ଥ ହୋଇଛି ଏବଂ ତାହାକୁ ଆମ୍ଭେମାନେ ବାହାରର ଆଡ଼ମ୍ବର ଦ୍ୱାରା ଧରିରଖିବାକୁ ଚାହୁଁ, ବିଦେଶୀ ଦୋକାନମାନଙ୍କରେ ଏହାର ସାଜସଜ୍ଜା, ଉପକରଣ ଆମ୍ଭେମାନେ ଖୋଜୁ ତଥାପି କେବେହେଲେ ସେମାନଙ୍କ ମଧ୍ୟରୁ ଯଥେଷ୍ଟ ସଂଗ୍ରହ କରିବାକୁ ସମର୍ଥ ହେବୁ ନାହଁ । ସନ୍ଧାନର ଏହି ସକଳ ଅର୍ଥହୀନ ଉତ୍ତେଜନା ଓ ଉନ୍ମାଦନାକୁ ଆମ୍ଭେମାନେ ସୁଖ ବୋଲି ବରଣ କରିଛୁ । ଫଳରେ ଆମେ ପୂର୍ବରୁ କେବଳ ବହିର୍ବିଷୟରେ ଆଂଶିକ ପରାଧୀନ ମାତ୍ର ଥିଲୁ, କିନ୍ତୁ ବର୍ତ୍ତମାନ ଚିରଦିନ ପାଇଁ ବିଦେଶୀମାନଙ୍କର ଦାସାନୁଦାସ ହୋଇଛୁ ।
ତଥାପି ମୁଁ ବିଶ୍ୱାସ କରେ ଯେ ଏହି ଉପସର୍ଗ ବର୍ତ୍ତମାନ ମଧ୍ୟ ଆମ ଅସ୍ଥିମଜ୍ଜା ମଧ୍ୟରେ ପ୍ରବେଶ କରି ନାହିଁ । ବର୍ତ୍ତମାନ ମଧ୍ୟ ଏହା ଏକ ବହିବ୍ୟାପାର, ବାହାରେ ଅଛି ବୋଲି ତା’ର ଏତେ ଆତିଶଯ୍ୟ । ବର୍ତ୍ତମାନ ସୁଦ୍ଧା ଏହା ଆମର ଗଭୀରତର ସ୍ୱଭାବର ଅନୁଗତ ହୋଇ ନାହିଁ ବୋଲି ଅନଭିଜ୍ଞ ସନ୍ତରଣକାରୀର ସନ୍ତରଣ ପ୍ରକ୍ରିୟା ସଦୃଶ ଏହାକୁ ନେଇ ଆମେ ଏପରି ଉନ୍ନତ୍ତ ଆସ୍ଫାଳନ ପ୍ରକାଶ କରୁଛୁ ।
କିନ୍ତୁ ଯଦି କେହି ଯୋଗ୍ୟ ବ୍ୟକ୍ତି ଆମ ମଧ୍ୟରେ ଛିଡ଼ାହୋଇ ଦୃଢ଼ତାର ସହିତ କହେ ଯେ ଉନ୍ନତ୍ତ ପ୍ରତିଯୋଗିତା, ଅନିତ୍ୟ ଐଶ୍ୱର୍ଯ୍ୟ, ଲକ୍ଷ୍ୟହୀନ ଉନ୍ମାଦନା ଆମ ନିମନ୍ତେ ଶ୍ରେୟ ନୁହେଁ, ସକଳ କର୍ମ, ସକଳ ସାଧନାର ଏକ ସ୍ୱାଭାବିକ ପରିସମାପ୍ତି ଅଛି ଏବଂ ସେହି ପରିଣତି, ସେହି ପରିସମାପ୍ତି ହିଁ ଆମ୍ଭ ପ୍ରତ୍ୟେକଙ୍କର ଏକମାତ୍ର ଚରମ ଚରିତାର୍ଥତା-ବ୍ରହ୍ମ ବ୍ୟତିରେକ ସକଳ ତୁଚ୍ଛ–ତା’ହେଲେ ଆଜି ଏହି ହାଟବଜାରର କୋଳାହଳ ମଧ୍ୟରେ ସୁଦ୍ଧା ଆମର ସମସ୍ତ ହୃଦୟରେ ସେହି ବାଣୀ ନିଶ୍ଚୟ ଝଙ୍କାର ସୃଷ୍ଟି କରିବ । ହୃଦୟ ଊତ୍ତର ଦେବ, ‘‘ସତ୍ୟ, ଏହାହଁ ସତ୍ୟ, ଏହା ଅପେକ୍ଷା ଅଧିକ ସତ୍ୟ ଅନ୍ୟ କିଛି ନାହିଁ ।’’ ସେତେବେଳେ ବିଦ୍ୟାଳୟରେ ମୁଖସ୍ଥ କରଥିବା ଇତିହାସର ପାଠ ଅନୁଯାୟୀ ମୂଢ଼ ପ୍ରତଯୋଗିତାର ଲାଭ, ରକ୍ତରଞ୍ଜିତ ଜାତୀୟତାର ଗୌରବ ଆମ ଚିତ୍ତପ୍ରଦେଶରୁ ଦୂରୀଭୂତ ହେବ । ସୈନ୍ୟବାହିନୀର ଦମ୍ଭ ବା ନୌସେନାର ଔଦ୍ଧତ୍ୟ ଆମ ଚିତ୍ତକୁ ଆଉ ଅଭିଭୂତ କରି ପାରିବ ନାହିଁ ।
ଅଥଚ ଆମେ ଯାହାକୁ ମନୁଷ୍ୟ ଜୀବନର ଶ୍ରେୟ ଆଖ୍ୟା ଦେଇଛୁ ତାହା କେବଳ ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ମଧ୍ୟରେ ସୀମିତ ନୁହେଁ ବୋଲି ମୋର ବିଶ୍ୱାସ । ଆମେ ଅକ୍ଷମ ବୋଲି ଧର୍ମକୁ କେବଳ ଦାୟରେ ପଡ଼ି ଗ୍ରହଣ କରିବା କିମ୍ବା ପବିତ୍ରତାକୁ ଆମ ଦାରିଦ୍ର୍ୟ ଗୋପନର ଏକ ସୁବିଧାଜନକ ଆଚ୍ଛାଦନ ମନେ କରିବା ମଧ୍ୟ ସମାନଭାବେ ଅସତ୍ୟ । ପୃଥିବୀର ପ୍ରସିଦ୍ଧ ମନୀଷୀମାନେ ପ୍ରଚାର କରିଥିବା ଆଦର୍ଶାବଳୀର ଗ୍ରହଣ ପାଇଁ ଦୃଢ଼ ସାହସ, ପୂର୍ଣ୍ଣ ଶିକ୍ଷା ଓ ତ୍ୟାଗଶକ୍ତି ଆବଶ୍ୟକ । ବିଦ୍ୟାଳୟରେ ପଢ଼ିଥିବା ପ୍ରତଯୋଗିତାର ଲାଭ ପ୍ରସଙ୍ଗ କିମ୍ବା ମନୁଷ୍ୟ ମାଂସ ଉପରେ ବର୍ଦ୍ଧିଷ୍ଣୁ ହେଉଥିବା ବୁଭୁକ୍ଷୁ ଜାତୀୟତାର ରକ୍ତପାତର ବିଷୟ ଅପେକ୍ଷା ଏହାର ଗୁରୁତ୍ୱ ନିଶ୍ଚୟ ଅଧିକ ।
ନବ ଯୌବନରେ ଜଗତ ଜୀବନ ପାଇଁ ପ୍ରସ୍ତୁତ ହେବା, ଏହି ଅବସରରେ ଆତ୍ମୋତ୍ସର୍ଗ ଓ ସଂଯମ ଦ୍ୱାରା ଆତ୍ମାକୁ ପରିପୁଷ୍ଟ କରିବା ଏବଂ ଦୈହିକ ସତ୍ତାର ଅବସାନବେଳେ ଆନନ୍ଦ ସହକାରେ ଅନିର୍ବଚନୀୟ ଆଲୋକମୟ ରାଜ୍ୟ ଦର୍ଶନ କରିବା ହିଁ ମନୁଷ୍ୟ ଜୀବନର ପୂର୍ଣ୍ଣ ମହତ୍ତ୍ୱ ଉପଲବ୍ଧିର ଏକମାତ୍ର ପନ୍ଥା ।
ଏହାହିଁ ଆମର ବିଶ୍ୱାସ ହେଲେ ଆମେ ଅନୁଭବ କରିବା ଉଚିତ ଯେ ଏହି ସତ୍ୟର ଉପଲବ୍ଧି ନିମନ୍ତେ ସକଳ ଜାତି ଉଦ୍ୟୋଗୀ ହେବା ଆବଶ୍ୟକ । ସେତେବେଳେ ବ୍ୟକ୍ତଗତ ସମ୍ପତ୍ତିର ବିଳାସ, ଜାତିର ପ୍ରତାପ, ଅନ୍ୟ ସମସ୍ତ ଗୌଣ ବୋଲି ବିବେଚିତ ହେବ ଏବଂ ମନୁଷ୍ୟର ଆତ୍ମା ବିଜୟୀ ହୋଇ ନିଜକୁ ମୁକ୍ତ କଲେ ତା’ର ଐତିହାସିକ ଦାୟିତ୍ୱ ସମ୍ପନ୍ନ ହେବ ।
ଯଦି ତାହା ନ ହୁଏ ଏବଂ ଅଗ୍ରଗତିର କୁହୁକ ଦଣ୍ଡ ବଳରେ ମନୁଷ୍ୟ-ସମାଜ ଯଦି ସୁବିଧାର ଅସରନ୍ତି ଉତ୍ସର ସନ୍ଧାନ ପାଏ, ଏକ ସେକେଣ୍ଡରେ ଲକ୍ଷ ଲକ୍ଷ ଶତ୍ରୁ ନାଶ କରିବା ଭଳି ଅସ୍ତ୍ର ନିର୍ମାଣ କରେ, କିମ୍ୱା ତରଳ ଔଷଧ ଜାତୀୟ ପାନୀୟ ବଳରେ ମୃତ୍ୟୁଶୀଳ ଦେହକୁ ଶତ ଶତ ବର୍ଷ ପର୍ଯ୍ୟନ୍ତ ବଞ୍ଚାଇ ରଖେ–ତାହାହେଲେ ତତଃ କିମ୍ ।
‘‘କୁହେଳି ଦ୍ୱାରା ପରାଜିତ ହେବା ଭଳି ପ୍ରତୀତ ହେଲେହେଁ
ପର୍ବତ ଅଚଳ ଓ ଅବିଚଳିତ ରହିଥାଏ ।’’