ଭାରତୀୟ ସଂସ୍କୃତିର ପ୍ରାଣ-କେନ୍ଦ୍ର — ବିଶ୍ୱ ମାନବର ପଥେ — ରବୀନ୍ଦ୍ରନାଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଭାରତୀୟ ସଂସ୍କୃତିର ପ୍ରାଣ-କେନ୍ଦ୍ର
ଭାରତର ଯେ ନିଜସ୍ୱ ମନ ରହିଛି ଏବଂ ନିଜର ଆଲୋକରେ ଜୀବନର ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନରେ ଏହା ଯେ ବ୍ରତୀ, ଏ କଥା ପ୍ରମାଣିତ, ନିଜର ବ୍ୟକ୍ତିକ ଉପାୟରେ ଜ୍ଞାନାନ୍ୱେଷଣର ପିପାସା ଚରିତାର୍ଥ କରିବାକୁ ସମର୍ଥ ହେବା ହିଁ ଭାରତୀୟ ଶିକ୍ଷାର ଲକ୍ଷ୍ୟ । ଏହି କାରଣରୁ ଭାରତୀୟ ମନ ଶୃଙ୍ଖଳିତ ଓ ଆତ୍ମଚେତନ ହେବା ଆବଶ୍ୟକ । ତାହାହେଲେ ପ୍ରକୃତ ଭାବରେ ନିଜର ଶିକ୍ଷକମାନଙ୍କଠାରୁ ଶିକ୍ଷାଲାଭ କରିବାକୁ ଏହା ସମର୍ଥ ହେବ । ଶିକ୍ଷାର ନିଜସ୍ୱ ମୂଲ୍ୟର ମାନଦଣ୍ଡରେ ତାକୁ ବିଚାର କରିବ ଏବଂ ନିଜର ସୃଜନଶୀଳଶକ୍ତି ବଳରେ ଏହାର ଉପଯୁକ୍ତ ବ୍ୟବହାର କରି ପାରିବ । ଦାନ ଓ ଗ୍ରହଣ କରିବାକୁ ସେ କୃତାଞ୍ଜଳିବଦ୍ଧ ହେବା ଆବଶ୍ୟକ, ବିକ୍ଷିପ୍ତ ମନକୁ ଶୃଙ୍ଖଳିତ କରି ପାରିଲେ ଗ୍ରହଣ ଓ ସୃଷ୍ଟିକରିବା ପାଇଁ ସେମାନେ ସମର୍ଥ ହେବେ ଏବଂ ରନ୍ଧ୍ରପଥରେ ଜୀବନ ସଲିଳ କ୍ଷରିତ ହୋଇ ଭୂତଳକୁ ଆଉ ସିକ୍ତ କରିବ ନାହିଁ ।
ସୃଜନାତ୍ମକ କର୍ମର ଏକ ବାତାବରଣ ହିଁ ଶିକ୍ଷାକ୍ଷେତ୍ରରେ ସବୁଠୁଁ ଅଧିକ ପ୍ରୟୋଜନ ଏବଂ ସେଠାରେ ବୁଦ୍ଧିର ଆବିଷ୍କାର ସ୍ପୃହା ଚରିତାର୍ଥ କରିବାର ସକଳପ୍ରକାର ସୁଯୋଗ ରହିବା ବାଞ୍ଛନୀୟ । ଏକ ସାଂସ୍କୃତିକ ଉତ୍ସର ଉଚ୍ଛ୍ୱସିତ ଜଳପ୍ରବାହ ଭଳି ଶିକ୍ଷା ସ୍ୱତଃସ୍ଫୂର୍ତ୍ତ ଓ ଅପରିହାର୍ଯ୍ୟ ହେବ ଉଚିତ । ଶିକ୍ଷା ଏକ ଜୀବନ୍ତ ଓ ବିକାଶ ଧର୍ମୀ ଜ୍ଞାନ ବୃକ୍ଷର ଫଳ ରୂପରେ ଯେତେବେଳେ ଦେଖାଦିଏ ସେତେବେଳେ ତାହା ସ୍ୱାଭାବିକ ଓ ଶୁଭଙ୍କର ହୋଇଥାଏ ।
ପୁଣି ଆମର ଶିକ୍ଷା ଆମ ଆର୍ଥନୀତିକ, ବୌଦ୍ଧିକ, ସାମାଜିକ, ସୌନ୍ଦର୍ଯ୍ୟ ବିଷୟକ ଓ ଆଧ୍ୟାତ୍ମିକ ଜୀବନର ପୂର୍ଣ୍ଣରୂପ ସହିତ ସର୍ବଦା ସମ୍ପର୍କିତ ହେବ ଆବଶ୍ୟକ ଏବଂ ଆମର ବିଦ୍ୟାଳୟଗୁଡ଼ିକ ବହୁମୁଖୀ ସହଯୋଗିତାର ଜୀବନ୍ତ ବନ୍ଧନ ଦ୍ୱାରା ବିଜଡ଼ିତ ହୋଇ ଆମ ସମାଜର ପ୍ରାଣକେନ୍ଦ୍ରରେ ପ୍ରତିଷ୍ଠିତ ହେବା ଉଚିତ । କାରଣ ଆମର ପରିପାର୍ଶ୍ୱିକ ପରିବେଶ ସହିତ ଶିକ୍ଷା ଓ ଶିକ୍ଷାଦାନ ପଦ୍ଧତିର ଯେ ମୌଳିକ ସମ୍ପର୍କ ରହିଛି, ପ୍ରତି ପଦକ୍ଷେପରେ ପ୍ରକୃତ ଶିକ୍ଷା ଏହା ଅନୁଭବ କରିବା ଉଚିତ ।
(୨)
ଆମର ପ୍ରଚଳିତ ଶିକ୍ଷାପଦ୍ଧତି ସମ୍ବନ୍ଧରେ ଆଜି ସାରାଭାରତରେ ଏକ ଅସ୍ପଷ୍ଟ ଅସନ୍ତୋଷର ଭାବ ପରିଲକ୍ଷିତ, ନିକଟରେ ଶିକ୍ଷାର ପରିବର୍ତ୍ତନ ପାଇଁ ଆକାଂକ୍ଷାର ବହୁ ସୂଚନା ଦେଖାଯାଉଛି । ଆମ ଜାତିର ଅବଚେତନ ମନରେ ଜୀବନର ଏକ ନବ ପ୍ରେରଣା ଅନୁଭୂତ ହେଲାଭଳି ଆଜି ମନେହେଉଛି, ଫଳରେ ନୂତନ ଧରଣର ଅନୁଷ୍ଠାନ ଓ ନୂତନ ଧରଣର ପରୀକ୍ଷା ଦେଖାଯାଉଛି । କିନ୍ତୁ ମଣିଷର ଏହି ଅଭିଳାଷ ଏତେ ପ୍ରବଳ ଓ ଆକସ୍ମିକ ଯେ ଏହି ଉତ୍ସାହର କାରଣ ଯଥାଯଥ ଭାବେ ନିରୂପଣ କରିବା ଓ ଇପ୍ସିତ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଅନେକ ସମୟରେ କଠିନ ହୋଇପଡ଼ୁଛି ।
ଯେଉଁ ପ୍ରଚଳିତ ଶିକ୍ଷାପଦ୍ଧତିରେ ଆମର ମନ ଶିକ୍ଷା ପ୍ରାପ୍ତ ହୋଇଆସିଛି, ତାହା ଆମର ଶରୀରଭଳି ସ୍ପର୍ଶଚେତନ ଏବଂ ସେଥିପାଇଁ ଏହା ଯେ ପରିବର୍ତ୍ତିତ ହୋଇ ପାରେ ଏ କଥା ଆମେ ଚିନ୍ତା କରି ପାରୁ ନା । ଆମର କଳ୍ପନା ନିଜ ନିର୍ଦ୍ଦିଷ୍ଟ ସୀମାର ବାହାରକୁ ଯିବା ପାଇଁ ସାହସୀ ହୁଏ ନା ଏବଂ ଆମେ ବାହାରରୁ ତାକୁ ଦେଖି ବିଚାର କରିବାକୁ ଅକ୍ଷମ । ପ୍ରଚଳିତ ଶିକ୍ଷାପଦ୍ଧତି ପରିବର୍ତ୍ତରେ ଆମେ ଅନ୍ୟ କିଛି ଯେ ଚାହୁଁ ଏ କଥା କହିବାକୁ ଆମର ହୃଦୟ କିମ୍ବା ସାହସ ନାହିଁ । କାରଣ ଯେଉଁ ବୌଦ୍ଧିକ ଜୀବନପ୍ରତି ଆମର ଏକ ସ୍ୱାଭାବିକ ପ୍ରବଣତା ରହିଛି, ତାହା ମଧ୍ୟ ଏହି ଶିକ୍ଷାପ୍ରାଣାଳୀରୁ ସମ୍ଭୁତ ।
ତଥାପି ଆମର ଆତ୍ମସନ୍ତୋଷ ମଧ୍ୟରେ କଣ୍ଟକାଘାତର ଏପରି ଏକ ବେଦନା ରହିଛି, ଯାହା ଫଳରେ ଆମର ସୁଖକର ନିଦ୍ରାରେ ସର୍ବଦା ବ୍ୟାଘାତ ଘଟୁଛି । ଏହି କଣ୍ଟକାଘାତ ଯେତେବେଳେ ଗୁପ୍ତଭାବରେ ଚାଲୁଥାଏ, ଆମେ କ୍ରୋଧାନ୍ୱିତ ହୋଇ ଆମର ଆଘାତ ପାଇଁ କୌଣସି ବାହାରର କାରଣକୁ ନିର୍ଦ୍ଦେଶ କରିଥାଉଁ । ଆମେ କହୁ ଯେ ଆମ ପ୍ରଚଳିତ ଶିକ୍ଷା ପଦ୍ଧତିର ଏକ ମାତ୍ର ଦୋଷ ହେଉଛି, ତାହା ଆମର ସମ୍ପୂର୍ଣ୍ଣ କର୍ତ୍ତୃତ୍ୱାଧୀନ ନୁହେ । ଅନ୍ୟଥା ସମୁଦ୍ର ଯାତାୟାତ ପାଇଁ ଏ ତରୀ ସର୍ବଥା ଉପଯୁକ୍ତ, କେବଳ ଆମେ ତାର କର୍ଣ୍ଣଧାର ହେଲେ ସଲିଳ ସମାଧିରୁ ଏହାକୁ ରକ୍ଷା କରି ପାରିବୁ । "ତେଣୁ ଆମର କେବଳ ବହିଃ ସ୍ୱାଧୀନତା ହିଁ ଆବଶ୍ୟକ" ଏହି ଧାରଣାରେ ଜାତୀୟ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରିବାର ଉଦ୍ୟମ ପରେ ପରିଲକ୍ଷିତ ହେଉଥିଲା । ଯେଉଁ ଚାରିତ୍ରିକ ଓ ପରିପାର୍ଶ୍ୱିକ ଦୁର୍ବଳତା ଅନୁକରଣର ପିଛିଳ ପଥ ଆଡ଼କୁ ଆମକୁ ଦୁର୍ବାର ଭାବରେ ଆକର୍ଷଣ କରୁଛି, ଆମର ସ୍ୱାଧୀନତା ଯଦି କେବଳ ବହିରଙ୍ଗ ଉପରେ ପ୍ରତିଷ୍ଠିତ ହୁଏ, ତାହା ହେଲେ ତାହା ଆମକୁ ଯେ ସେହି ପଥ ଆଡ଼କୁ ପୁଣି ଟାଣି ନେବ, ଏକଥା ଆମେ ଭୁଲିଯାଉ । କାରଣ ଆମର ସ୍ୱାଧୀନତା କେବଳ ବିଦେଶୀ ଅନୁଷ୍ଠାନଗୁଡ଼ିକର ସ୍ୱାଧୀନ ଅନୁକରଣରେ ହିଁ ପର୍ଯ୍ୟବେସିତ ହେବ, ଏବଂ ତଦ୍ଦ୍ୱାରା ଆମର ମନ୍ଦଭାଗ୍ୟ ଉପରେ ଦୁଇଟି ଦୁଷ୍ଟଗ୍ରହ ସେମାନଙ୍କର ମିଳିତ ପ୍ରଭାବ ବିସ୍ତାର କରିବେ । ତାହା ହେଉଛି ଅନୁକରଣ ଓ ଅନୁକରଣର ମନ୍ଦ ଫଳ ଏବଂ ଖରାପ କଳ ଦ୍ୱାରା ପ୍ରସ୍ତୁତ ଏକ କଳତିଆରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା-। ଗୋଟିଏ ପରାଜିତ ଖେଳାଳୀଦଳ, ସାଧାରଣତଃ ନିଜର ପରାଜୟ ସକାଶେ ପରସ୍ପରର ଅଯୋଗ୍ୟତାକୁ ଦାୟୀ କରିଥାନ୍ତି । ଆମର ଏହି ନିନ୍ଦିତ ଶିକ୍ଷାପ୍ରାଣାଳୀ ପାଇଁ ଆମେ ଓ ଆମର ବିଦେଶୀ ଶାସକମାନେ ଠିକ୍ ସେହିଭଳି ପରସ୍ପରକୁ ଅଭିଯୋଗ କରିଥାଉଁ । ଖୁବ୍ ସମ୍ଭବ ଯେ ଆମେ ଉଭୟ ସମାନ ଭାବରେ ଏହି ନିନ୍ଦାର ଅଧିକାରୀ, ତଥାପି ଏହି ସାଧାରଣ ବିଫଳତା ସକାଶେ ଆମର ପରସ୍ପରର ଦାୟିତ୍ୱବୋଧ କେଉଁ ପରିମାଣରେ ଦାୟୀ ସେ ସମ୍ପର୍କରେ ପରସ୍ପର ଭିତରେ ଯୁକ୍ତିତର୍କ ବା ବାଗ୍ବିତଣ୍ଡା କରିବା କେବଳ ଏକ କାଳ୍ପନିକ ଆଲୋଚନା ବୋଲି ମୁଁ ମନେକରେ । ଶିକ୍ଷା ବ୍ୟବସ୍ଥାର ଏହି ଅପୂର୍ଣ୍ଣତା ପାଇଁ ଆମେ ନିଜେ କେଉଁ ପରିମାଣରେ ଦାୟୀ ତାହା ଜାଣିବା ଆମର ବାସ୍ତବ କଲ୍ୟାଣ ଦୃଷ୍ଟିରୁ ଅଧିକ ପ୍ରୟୋଜନ । ଏ ସମ୍ପର୍କରେ ଅନ୍ୟପକ୍ଷ କଥା ଛାଡ଼ି ଦିଆଯାଉ । ବର୍ତ୍ତମାନ ଆମ ନିଜର ଦୁର୍ବଳତାକୁ ହିଁ ଦୋଷ ଦେବା ଉଚିତ । ଆମର ଯେ ନିଜର ଗୋଡ଼ ନାହିଁ ଏବଂ ସେହି କାରଣରୁ ବିଦେଶୀ ତିଆରି ଶିକ୍ଷାପଦ୍ଧତି ନକଲି କାଠ ଗୋଡ଼ ଦ୍ୱାରା ଆମେ ଚାଲିବାକୁ ସମର୍ଥ ହେବୁ, ଏହି ଧାରଣ ଆମ ମନକୁ ଆବିଷ୍ଟ କରିଛି । ଠିକ୍ ଏହି ଧରଣର ଜଣେ ମଣିଷର କଥା ମୁଁ ଶୁଣିଛି । ସେ ଖୁବ୍ ଗଭୀର ଜଳକୁ ଚାଲି ଯାଇଛି ବୋଲି କଳ୍ପନା କରି ଅତି ଅଗଭୀର ଜଳରେ ବୁଡ଼ି ମରିଥିଲା ।
ଅସଲ ବିପଦ ହେଉଛି ଯେ ଆମେ ଯେତେବେଳେ ବିଶ୍ୱ ବିଦ୍ୟାଳୟ କଥା କଳ୍ପନା କରୁ ସେତେବେଳେ ଅକ୍ସଫୋର୍ଡ, କେମ୍ବ୍ରିଜ, ଓ ଅନ୍ୟାନ୍ୟ ଇଉରୋପୀୟ ବିଶ୍ୱବିଦ୍ୟାଳୟର ଧାରଣା ଆସି ଆମ ମନକୁ ପୂର୍ଣ୍ଣ କରିଦିଏ । ତା' ପରେ ଆମେ ଚିନ୍ତାକରୁ ଯେ ପ୍ରତ୍ୟେକରୁ ଉତ୍ତମ ଉପାଦାନତକ ସଂଗ୍ରହ କରି ଏବଂ ସେଗୁଡ଼ିକୁ ଏକତ୍ରିତ କରି ଏକ ପୂର୍ଣ୍ଣ ରୂପ ପ୍ରଦାନ କରିବାରେ ହିଁ ଆମର ମୁକ୍ତି ନିହିତ । ଇଉରୋପୀୟ ଜୀବନର ଯେ ଅଙ୍ଗବିଶେଷ ଏବଂ ପ୍ରତ୍ୟେକ ସ୍ୱାଭାବିକ ଭାବରେ ଜନ୍ମ ଗ୍ରହଣ କରିଛନ୍ତି, ଏ କଥା ଆମ୍ଭେମାନେ ଭୁଲିଯାଉଁ, ଆଧୁନିକ ଶଲ୍ୟଚିକିତ୍ସାରେ ଗୋଟିଏ ବିଦେଶୀ ଅଙ୍ଗରୁ ଖଣ୍ଡେ ଚର୍ମ ଆଣି ଅନ୍ୟ ଏକ ଅଙ୍ଗରେ ସଂଯୋଜିତ କରିବା ସହଜ ହେଉଛି । କିନ୍ତୁ ସେହି ପ୍ରଣାଳୀରେ ଗୋଟିଏ ପୂର୍ଣ୍ଣ ମନୁଷ୍ୟକୁ ରୂପ ଦେବା ବୈଜ୍ଞାନିକ ସମ୍ଭାବନାର ବହିର୍ଭୂତ । କେବଳ ଆଜି ନୁହେ, ସବୁକାଳରେ ମଧ୍ୟ ଏହା ଯେ ଘଟିବ, ଏ କଥା ଆନ୍ତରିକତାର ସହିତ ଆମେ ବିଶ୍ୱାସ କରୁ ।
ଇଉରୋପୀୟ ବିଶ୍ୱବିଦ୍ୟାଳୟ ଆଜି ଆମ ଦୃଷ୍ଟି ସମକ୍ଷରେ ପୂର୍ଣ୍ଣ ମାତ୍ରାରେ ବିକଶିତ । ସେଥିପାଇଁ ଗୋଟିଏ ପୂର୍ଣ୍ଣ ବିକଶିତ ଅନୁଷ୍ଠାନ ବ୍ୟତୀତ ଏକ ବିଶ୍ୱବିଦ୍ୟାଳୟ ଅନ୍ୟ ଧାରଣା ଆମେ କରି ପାରୁ ନା । ମୁଁ ଯେତେବେଳେ ଦେଖେ ଯେ, ମୋର ଜଣେ ପ୍ରତିବେଶୀ ତା'ର ଗୋଟିଏ ସୁସ୍ଥସବଳ ପୁତ୍ର ନିକଟରୁ ସାହାଯ୍ୟ ସମର୍ଥନ ଲାଭ କରୁଛି, ସେତେବେଳେ ମୋ ମନରେ ମଧ୍ୟ ସନ୍ତାନ ପ୍ରାପ୍ତିର ଆଶା ଜାଗ୍ରତ ହେବା ସ୍ୱାଭାବିକ, କିନ୍ତୁ ମୁଁ ଯଦି ଗୋଟିଏ ବୟସ୍କ ସନ୍ତାନ ସହସା ପାଇବାକୁ ଅଧୀର ହୋଇପଡ଼େ, ତାହାହେଲେ ବ୍ୟଗ୍ରତାର ବଶବର୍ତ୍ତୀ ହୋଇ ଭ୍ରମରେ କୌଣସି ଗୋଟିଏ ବୟସ୍କ ସନ୍ତାନକୁ ପାଇଯାଇ ପାରେ ସିନା, କିନ୍ତୁ ସେ ତ ଆଉ ମୋର ପୁଅ ହେବ ନାହିଁ ! ତେଣୁ ଫଳପ୍ରାପ୍ତି ପାଇଁ ଏକ ଆକୁଳ ପିପାସା ଓ ଅନୁକରଣ ପାଇଁ ଏକ ଦୁଃଖଦାୟକ ଦୁର୍ବଳତାବଶତଃ, ଜନ୍ମରୁ ପୂର୍ଣ୍ଣ ବିକଶିତ ହୋଇଥିବା ଗୋଟିଏ ଜାତୀୟ ବିଶ୍ୱବିଦ୍ୟାଳୟ ପାଇଁ ଅସ୍ୱାଭାବିକ ଅଭିଳାଷ ଠିକ୍ ଏହିଭଳି ମନରେ ଆମେ ପୋଷଣ କରିଥାଉ, ସେଥିପାଇଁ ଆମର ସକଳ ଉଦ୍ୟମ ବ୍ୟର୍ଥ ହୁଏ ଏବଂ ଯଦିବା ତାହା ଫଳପ୍ରସୂ ହୁଏ, ସେ ଫଳ ହୁଏ ବିଷାକ୍ତ । ପୁନଶ୍ଚ ଏହାର ଆକାର ପ୍ରକାର ରୂପରଙ୍ଗ ଦେଖିଲେ ଯଦିଓ ପ୍ରକୃତ ଫଳ ବୋଲି ମନେହୁଏ ତଥାପି ଏହାକୁ ଚାଖିବା ବା ଖାଇବାପାଇଁ ସତର୍କତା ପ୍ରୟୋଜନ । ଆମର ଦେଶ ଯେଉଁ ପୂର୍ଣ୍ଣାଙ୍ଗପ୍ରାପ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକର ସମ୍ପର୍କରେ ଆଜି ଚିନ୍ତା କରୁଛି, ତାହା ଠିକ୍ ଉତ୍ତାପସିଦ୍ଧ ଡିମ୍ବ ସଦୃଶ । ସେଥିରୁ ଜୀବନ୍ତ କୁକ୍କୁଟ ଶାବକ ଆଶା କରିବା ବିଡ଼ମ୍ବନା ମାତ୍ର ।
ଆମେ କେବଳ ନୋହୁଁ, ଆମର ଇଉରୋପୀୟ ସ୍କୁଲ ଶିକ୍ଷକ ମଧ୍ୟ ଅନେକ ସମୟରେ ଭୁଲିଯାଇଥିବା ଭଳି ମନେହୁଏ ଯେ ତାଙ୍କର ବିଶ୍ୱବିଦ୍ୟାଳୟ ତାଙ୍କ ଜାତୀୟ ଜୀବନ ସହିତ ବିକାଶ ଲାଭ କରିଛି ଓ ତା'ର ବୈଷୟିକ ଗୌରବ ତା'ର ପ୍ରାଥମିକ ଅବସ୍ଥା ସହିତ ସମ୍ପର୍କହୀନ । ପୁଣି ମଧ୍ୟ ସେ ସ୍ୱଚ୍ଛନ୍ଦରେ ଭୁଲି ଯାଇଥାଏ ଯେ ଦରିଦ୍ର ଧର୍ମଯାଜକ ମାନେହିଁ ଥିଲେ ତା'ର ପ୍ରାଥମିକ ଜୀବନର ଶିକ୍ଷାଦାତା, ଏବଂ ଅଧିକାଂଶ ଛାତ୍ର ମଧ୍ୟ ଦିନେ ଥିଲେ ସମ୍ବଳହୀନ ।
ଭାରତ ଭଳି ଏକ ଦରିଦ୍ର ଦେଶରେ ଆବଶ୍ୟକତା ଅନୁପାତରେ ବିଶ୍ୱବିଦ୍ୟାଳୟର ବୈଷୟିକ ଦିଗ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ନୁହେ, କିମ୍ବା ସ୍କୁଲ କଲେଜ୍ଗୁଡ଼ିକର ସଂଖ୍ୟା ଅଭାବନୀୟ ଥିବା ସତ୍ତ୍ୱେ କେବଳ ଅସବବାପତ୍ରର ପରିମାଣ ବଢ଼ାଇ ଓ ସେଗୁଡ଼ିକର ବିକାଶର ସୁବିଧା ସୁଯୋଗ କାଟିଦେଇ ଉନ୍ନତିର ସମ୍ଭାବନାକୁ ସଙ୍କୀର୍ଣ୍ଣତର କରିଦେବା ଉଚିତ ନୁହେ । ଏ ସମ୍ପର୍କରେ ସେମାନେ ଯେତେବେଳେ ଜାଣି ମଧ୍ୟ ନ ଜାଣିବାର ଛଳନା କରନ୍ତି ବା ସମସ୍ୟାକୁ ଶିଥିଳ ଭାବରେ ଭୁଲିଯା'ନ୍ତି ସେତେବେଳେ ଆମ ଲୋକଙ୍କ ପକ୍ଷରେ ତାହା ଧ୍ୱଂସର କାରଣ ହୋଇଥାଏ ।
ମୁଁ ଅବଶ୍ୟ ଖାଇବାପାଇଁ ଖାଦ୍ୟସାମଗ୍ରୀ ଓ ବାସନକୁସନ ଉଭୟର ଆବଶ୍ୟକତା ରହିଛି, କିନ୍ତୁ ଖାଦ୍ୟସାମଗ୍ରୀର ଅଭାବ ପରିଲକ୍ଷିତ ହେଲେ ବାସନକୁସନ ଦିଗରେ ବ୍ୟୟ-ସଂକୋଚନ ବାଞ୍ଛନୀୟ । ଶିକ୍ଷାର ସାଜସଜ୍ଜାକୁ ବ୍ୟୟବହୁଳ କରିବା ଦ୍ୱାରା ପ୍ରକୃତ ଶିକ୍ଷାଲାଭ କଷ୍ଟକର ହୋଇପଡ଼େ ଏବଂ ଏହା ଠିକ୍ ମନିବ୍ୟାଗ୍ କିଣିବା ପାଇଁ ଜଣକର ସମସ୍ତ ଅର୍ଥ ବ୍ୟୟ କରିଦେବା ସଙ୍ଗେ ସମାନ ।
ଜୀବନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରାଚ୍ୟ ଭୂମିରେ ଆମେ ଆମର ନିଜସ୍ୱପନ୍ଥା ଗ୍ରହଣ କରିଅଛୁଁ । ଯେତେଦୂର ସମ୍ଭବ ଆମେ ଆମର ଖାଦ୍ୟ ପୋଷାକକୁ ଦୁର୍ବହ ନ କରିବାକୁ ଚେଷ୍ଟା କରିଛୁଁ ଏବଂ ଆମର ଜଳବାୟୁ ମଧ୍ୟ ଏହା କରିବାକୁ ଆମକୁ ଶିକ୍ଷା ଦେଇଛି କାନ୍ଥ ଅପେକ୍ଷା କାନ୍ଥ ଦେହରେ ଆମେ ଅଧିକ ଝରକା ଖୋଲିଥାଉଁ, ତନ୍ତୀର ତନ୍ତ ଅପେକ୍ଷା ଆଲୋକ ଓ ପବନ ସହିତ ଆମ ପୋଷାକ ପରିଚ୍ଛଦର ସମ୍ପର୍କ ଅଧିକ । ଅନ୍ୟ କେଉଁଠି ଲୋକମାନେ ଖାଦ୍ୟରୁ ଶକ୍ତି ଆହରଣ କରୁଥିଲେ ମଧ୍ୟ ସୌରକିରଣ ଆମ ପରମରେ ଶକ୍ତି ସଞ୍ଚାର କରିଥାଏ । ଏହି ସମସ୍ତ ପ୍ରାକୃତିକ ସୁବିଧା ଆମର ଜୀବନକୁ ଏକ ନିର୍ଦ୍ଦିଷ୍ଟ ରୂପ ପ୍ରଦାନ କରିଛି । ଆମ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହା ବିସ୍ମୃତ ହେବ ଉଚିତ ନୁହେଁ । କିମ୍ବା ବିସ୍ମୃତ ହେଲେ ତାହା ଲାଭଜନକ ହେବ ନାହିଁ ବୋଲି ମୋର ବିଶ୍ୱାସ ।
ଦାରିଦ୍ର୍ୟର ଜୟଗାନ କରିବାକୁ ମୁଁ ଚାହୁଁ ନାହିଁ, କିନ୍ତୁ ବିଳାସର ପଲ୍ଲବୀକରଣ ଅପେକ୍ଷା ସାରଲ୍ୟ ଅଧିକ ମୂଲ୍ୟବାନ । ମୁଁ ଯେଉଁ ସରଳତାର କଥା କହୁଛି ତାହା ବାହୁଲ୍ୟର ଅଭାବଜନିତ ପରିଣତି ନୁହେ, ଏହା ପୂର୍ଣ୍ଣତାର ଏକ ନିଦର୍ଶନ । ମାନବର ଜୀବନ-ଆକାଶରେ ଯେତେବେଳେ ଏହା ଉଷା ସଦୃଶ ଆବିର୍ଭୂତ ହେବ, ମାନବ ସଭ୍ୟତାକୁ ଯେଉଁ ଅସ୍ୱାସ୍ଥ୍ୟକର କୁଝଟିକା ବର୍ତ୍ତମାନ ଆଚ୍ଛନ୍ନ କରି ରଖିଛି ତାହା ସେତେବେଳେ ଅନ୍ତର୍ହିତ ହୋଇଯିବ ।
ଏହି ସରଳତାର ଅଭାବରେ ହିଁ ଜୀବନର ଆବଶ୍ୟକୀୟ ଉପକରଣ ଆଜି ଏତେ ଦୁର୍ଲଭ ଓ ଦୁର୍ମୂଲ୍ୟ ହୋଇପଡ଼ିଛି, ଶିକ୍ଷା ଓ ସଂସ୍କୃତି, ଶାସନ ଓ ମାଲିମକଦ୍ଦମା, ଖାଇବାପିଇବା ଓ ଆମୋଦପ୍ରମୋଦ, ଆଜି ଅଧିକାଂଶ ବିଷୟ ସଭ୍ୟଜଗତରେ ସେମାନଙ୍କ ନ୍ୟାର୍ଯ୍ୟ ସ୍ଥାନ ଅପେକ୍ଷା ଅଧିକ ସ୍ଥାନ ଅଧିକାର କରିଛନ୍ତି । ସେଗୁଡ଼ିକର ଅଧିକାଂଶ ବୋଝ ଅପ୍ରୟୋଜନୀୟ ଏବଂ ତାହା ବହନ କରିବାରେ ସଭ୍ୟ ମାନବ ତା'ର ବିରାଟ ଶକ୍ତିର ପରିଚୟ ଦେଇ ପାରେ, କିନ୍ତୁ ଏଥିରେ କର୍ମକୁଶଳତାର ଅଭାବ ପରିଲକ୍ଷିତ । ଯେଉଁ ଦେବତାମାନେ ଆକାଶରେ ଏହା ଲକ୍ଷ୍ୟ କରୁଛନ୍ତି ସେମାନଙ୍କୁ ଏହା ଜଣାପଡ଼ିବ ଯେ ସତେ ଯେପରି ଗୋଟାଏ ରାକ୍ଷସ ଜଳରେ ନିମଜ୍ଜମାନ ଅବସ୍ଥାରେ ଥାଇ ଆତ୍ମରକ୍ଷା ପାଇଁ ଛଟପଟ ହେଉଅଛି, ଏବଂ ସନ୍ତରଣ-କୌଶଳ ମଧ୍ୟ ତାକୁ ଅଜଣା-। ସମୁଦାୟ ଜଳାଶୟକୁ ନିଜର ନିଷ୍ଫଳ ମନ୍ଥନ ଦ୍ୱାରା ସେ କେବଳ ପଙ୍କିଳ କରୁଛି ମାତ୍ର, କିନ୍ତୁ ତା'ର ଏହି ଶକ୍ତି ପ୍ରଦର୍ଶନ ଯେ ବ୍ୟର୍ଥ ଓ ନିରର୍ଥକ ତାହା ସେ ଚିନ୍ତା କରି ପାରୁ ନାହିଁ ।
ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ଗୋଟିଏ ଅଗ୍ନିଶିଖା ଭଳି ଜୀବନ ଧାରଣ କରନ୍ତି । ସେମାନଙ୍କର ଜୀବନ କେବଳ ନିଜ ମଧ୍ୟରେ ସୀମିତ ନୁହେ, ତାହା ଅସୀମ ଆଡ଼କୁ ପ୍ରସାରିତ । ତେଣୁ ସେମାନଙ୍କର ଗୋଟିଏ କ୍ଷୁଦ୍ର ରୂପ ଓ ଗୋଟିଏ ବୃହତ୍ ରୂପ ରହିଛି । କ୍ଷୁଦ୍ର ରୂପଟି ଆଖିକୁ ସଦୃଶ୍ୟ, ଏହାକୁ ସ୍ପର୍ଶ କରାଯାଇ ପାରେ, ଅଧିକାର କରାଯାଇ ପାରେ ଏବଂ ଶୃଙ୍ଖଳିତ ମଧ୍ୟ କରାଯାଇପାରେ, ଅନ୍ୟ ରୂପଟି ତା'ର ଅନିର୍ଦ୍ଧିଷ୍ଟ, ତା'ର ନିର୍ଦ୍ଧିଷ୍ଟ ସୀମା ନାହିଁ ଓ ତାହା ସ୍ଥାନ ଓ କାଳ ମଧ୍ୟରେ ସୁଧୁରିପ୍ରସାରୀ, ଆମେ ଯେତେବେଳେ ଗୋଟିଏ ବିଦେଶୀ ବିଦ୍ୟାଳୟକୁ ଦେଖୁଁ, ଆମେ କେବଳ ତା'ର କୋଠା-ବାଡ଼ି, ଆସବାବପତ୍ର, ନିୟମପଦ୍ଧତି ଓ ପାଠ୍ୟ ନିର୍ଘଣ୍ଟାଦି–ତା'ର କ୍ଷୁଦ୍ର ରୂପକୁ ହୀନ ଦେଖିଥାଉଁ । ତାହାର ବୃହତ୍ତର ରୂପ ଆମେ ଦେଖିବାକୁ ଅସମର୍ଥ । କିନ୍ତୁ ନଡ଼ିଆର ଶସ ଯେପରି ନଡ଼ିଆର ସମଗ୍ର ଦେହରେ ପରିବ୍ୟାପ୍ତ ହୋଇ ରହିଥାଏ, ସେହିପରି ଇଉରୋପୀୟ ବିଶ୍ୱବିଦ୍ୟାଳୟ ସେମାନଙ୍କର ସମାଜ, ଲୋକସଭା, ସାହିତ୍ୟ, ଓ ମିଳିତ ଜୀବନର ଅସଂଖ୍ୟ କର୍ମ ସହିତ ସଂଲଗ୍ନ ହୋଇ ରହିଥାଏ । ସେମାନଙ୍କର ଚିନ୍ତାସମୂହ କେବଳ ଯେ ତାଙ୍କର ଗ୍ରନ୍ଥ ମଧ୍ୟରେ ବିଗ୍ରହବନ୍ତ ହୋଇଛି ତାହା ନୁହେ, ପରନ୍ତୁ ଯେଉଁମାନେ ସେହି ଚିନ୍ତାସବୁ ଧ୍ୟାନ ଓ ସମାଲୋଚନା, ତୁଳନା ଓ ପ୍ରତ୍ୟାଖ୍ୟାନ କରନ୍ତି ସେମାନଙ୍କ ଭିତରେ ମଧ୍ୟ ତାହା ଜୀବନ୍ତ ହୋଇ ରହିଛି । ମନର ଏକ ସାଧାରଣ ମାଧ୍ୟମ ସେମାନଙ୍କର ଶିକ୍ଷକ ଓ ଛାତ୍ରସମାଜ ମଧ୍ୟରେ ଏକ ଜୀବନ୍ତ ଓ ଭାସ୍ୱର ସମ୍ପର୍କ ସ୍ଥାପନ କରିଥାଏ । ସଂକ୍ଷେପରେ ସେମାନଙ୍କ ଶିକ୍ଷାର ଚିରନ୍ତର ବାହନ ସେମାନଙ୍କର ମନ ମଧ୍ୟରେ ଯେପରି ନିହିତ, ତା'ର ଚିରନ୍ତନ ଉତ୍ସ ଠିକ୍ ସେହିଭଳି ସେମାନଙ୍କର ସାଂସ୍କୃତିକ ପ୍ରଭାବ ମଧ୍ୟରେ ଓ କୃଷିକର୍ମର ଶାଶ୍ୱତ କ୍ଷେତ୍ର ସେମାନଙ୍କ ସାମାଜିକ ଜୀବନ ମଧ୍ୟରେ ଅବସ୍ଥିତ । ମନ, ଜୀବନ ଓ ସଂସ୍କୃତିର ଏହି ମୌଳିକ ଐକ୍ୟ ବିଭିନ୍ନ ଦେଶ ଓ ବିଭିନ୍ନ କାଳ ମଧ୍ୟରୁ ସତ୍ୟ ଆହରଣ କରି ନିଜ ସଂସ୍କୃତି ମଧ୍ୟରେ ତାହାକୁ ଏକ ଅପରିହାର୍ଯ୍ୟ ଉପାଦାନରେ ପରିଣତ କରିବାକୁ ସେମାନଙ୍କୁ ସେମାନଙ୍କୁ ସମର୍ଥ କରିଛି ।
ଅନ୍ୟପକ୍ଷରେ ଯେଉଁମାନେ ଭାରତୀୟ ଛାତ୍ରଙ୍କ ଭଳି ନିଜର ମାନସିକ ପରିପୁଷ୍ଟି ବଦଳରେ କୌଣସି ବାହାରର ସୁବିଧା ହାସଲ କରିବାକୁ ପୁସ୍ତକ ଉପରେ କେବଳ ନିର୍ଭର କରୁଥିବା ଶିଶୁମାନଙ୍କ ଭଳି ବୁଦ୍ଧି ବୃତ୍ତିରେ ଦୁର୍ବଳ ହେବ ସୁନିଶ୍ଚିତ, ନିଜ ପରିପାର୍ଶ୍ୱ ଓ ଶିକ୍ଷାଲାଭ କରୁଥିବା ଚିନ୍ତାରାଶିର ବିକାଶ ପ୍ରଣାଳୀକୁ ବାସ୍ତବ ପରି ପ୍ରୋକ୍ଷୀରେ ଲକ୍ଷ୍ୟ କରୁ ନ ଥିବାରୁ ସେମାନଙ୍କର ସାହସିକତାର ଅଭାବ ମଧ୍ୟ ବୁଦ୍ଧିବୃତ୍ତିରେ ପରିଲକ୍ଷିତ ହୋଇଥାଏ । ସେମାନେ କେବଳ ମୁଦ୍ରିତ ଶବ୍ଦସମୂହର ସୂକ୍ଷ୍ମ ଚିନ୍ତାଧାରା ଦ୍ୱାରା ମନ୍ତ୍ରମୁଗ୍ଧ ହୋଇଥାନ୍ତି, ଏବଂ ନିଜର ମାନବିକ ସ୍ୱଭାବର ଉତ୍ସ ସେମାନେ ଭୁଲିଯାନ୍ତି, କେବଳ ବିଦେଶୀ ସଂସ୍କୃତି ନୁହେ, ବିଚାରର ଏକ ବିଦେଶୀ ମାନଦଣ୍ଡ ମଧ୍ୟ ସେମାନେ ଗ୍ରହଣ କରିଥାନ୍ତି । ସେମାନଙ୍କର ଶିକ୍ଷା ଏପରି ଗୋଟିଏ ରଥ ଯେ ତାହା ସେମାନଙ୍କୁ ନିଜ ଉପରେ ବସାଇ ବୋହିନେବା ବଦଳରେ ସେମାନଙ୍କୁ ନିଜ ପଛଆଡ଼େ ରଖି ଟାଣିଥାଏ, ଏହି ଦୃଶ୍ୟ ଅତୀବ ଦୟନୀୟ ଓ ଅନେକ ସମୟରେ ହାସ୍ୟାସ୍ପଦ ମଧ୍ୟ, ଆଧୁନିକ ଇଉରୋପୀୟ ସଭ୍ୟତାର ଶକ୍ତି ଓ ସତ୍ୟ, ତାର ଗତିଶୀଳତା ମଧ୍ୟରେ ହୀନ ନିହିତ, ଏବଂ ଆମର ଶାସ୍ତ୍ରଗୁଡ଼ିକୁ ଦୈବବାଣୀ ବୋଲି ମନେକରି, ଆମର ମନକୁ ଶାସ୍ତ୍ରବଚନ ସମ୍ପର୍କରେ ନିଷ୍କ୍ରିୟ, ଅଯୌକ୍ତିକ କରିଦେବା ଭଳି ଏହି ଇଉରୋପୀୟ ସଭ୍ୟତାକୁ ମଧ୍ୟ କଠୋର ନିୟମାନୁବଦ୍ଧ ଅନୁଶାସକ ଭଳି ଆମେ ଗ୍ରହଣ କରିଛୁଁ ।
ତେଣୁ ଜୀବନ୍ତ ସତ୍ୟର ଗତିଶୀଳ ଚରିତ୍ରକୁ ଆମେ ହରାଇ ଵାସୁଛୁଁ । ଭିକ୍ଟୋରିଆ ଯୁଗର ଆଦିକାଳଠାରୁ ପରବର୍ତ୍ତୀ କାଳ ପର୍ଯ୍ୟନ୍ତ ଇଂରେଜୀ ଜାତିର ମାନସିକ ବିକାଶ ବିଭିନ୍ନ ଅବସ୍ଥା ଓ ମୂଲ୍ୟବୋଧ ମଧ୍ୟରୁ କୌଣସି ଗୋଟିକୁ ବା ଅନ୍ୟଟିକୁ ନିର୍ଦ୍ଧିଷ୍ଟ ବୋଲି କେବଳ ଗ୍ରହଣ କରୁ । ଶିକ୍ଷକର ଗତିଶୀଳମନ ସହିତ ଆମେ ସ୍ୱଭାବତଃ ଗତି କରି ପାରୁ ନା, ଏବଂ କେବଳ ଗୋଟିଏ କଥାରୁ ଅନ୍ୟ କଥାକୁ ଲମ୍ଫ ପ୍ରଦାନ କରି ଜୀବନର ସ୍ୱରସାମ୍ୟ ହରାଇବସୁଁ । ଆମେ ଅତି ନିର୍ବିଘ୍ନରେ ଆମର ସମସ୍ତ ବୌଦ୍ଧିକ ବିଶ୍ୱାସକୁ ବେନ୍ଥାମ୍ ବା ମିଲ୍ଙ୍କର ହିତବାଦନୀତି, ବା କାର୍ଲାଇଲ ଓ ରସ୍କିନ୍ଙ୍କର ଅଧ୍ୟାତ୍ମବାଦ ମଧ୍ୟରେ ସୀମାବଦ୍ଧ କରିଥାଉ । ପୁଣି ହୁଏତ ଅଳସ ମନରେ ଚମକ ସୃଷ୍ଟି କରି ସତ୍ୟ ସନ୍ଧାନ କରୁଥିବା ଆପାତ ବିରୋଧୀମତବାଦ ଉପରେ ଆମର ବିଶ୍ୱାସକୁ ଅନେକ ସମୟରେ ସୀମିତ ରଖିଥାଉଁ । ଏଭଳି ମତବାଦର ପ୍ରତ୍ୟାଖ୍ୟାନ ଇଂରାଜୀ ସାହିତ୍ୟର ଚେଷ୍ଟରଟନ ଓ ବର୍ଣ୍ଣାଡ୍ଶଙ୍କ ପ୍ରତିଭା ଅଗ୍ରଗଣ୍ୟ । କିନ୍ତୁ ସେଗୁଡ଼ିକର ଅପରିହାର୍ଯ୍ୟ କ୍ରିୟା ଓ ପ୍ରତିକ୍ରିୟା ଲକ୍ଷ୍ୟ କରିବାକୁ ଆମେ ଭୁଲିଯାଉଁ । ଆମେ ଆମ ଶିକ୍ଷାର ଆଧୁନିକତା ନେଇ ଗର୍ବକରୁଁ ଏବଂ ବର୍ତ୍ତମାନକୁ ଅତିକ୍ରମ କରିଯିବା ଯେ ସକଳ ଶିକ୍ଷାର ଲକ୍ଷ୍ୟ ତାହା ଆମେ ବିସ୍ମୃତ ହେଉ ।
ଜୀବନର ଆଦାନପ୍ରଦାନ କେବଳ ଏକ ଜୀବନ୍ତ ମାଧ୍ୟମରେ ସମ୍ଭବପର । ପୁଣି ସଂସ୍କୃତି, ଯାହାକି ହେଉଛି ମନର ଜୀବନ, ତାହା ମଧ୍ୟ କେବଳ ମନୁଷ୍ୟ ଦ୍ୱାରା ମନୁଷ୍ୟ ନିକଟରେ ପହଞ୍ଚି ପାରେ । ପୁସ୍ତକଗତ ଶିକ୍ଷା ଆମକୁ ବିଦ୍ୟାଭିମାନୀ କରିଥାଏ । ଏହି ଶିକ୍ଷା ସ୍ଥିତିଶୀଳ ଓ ପରିମାଣ ସର୍ବସ୍ୱ ମାତ୍ର । ଏହା ସଞ୍ଚିତ ହୋଇ କେବଳ ସ୍ତୂପାକାର ଧାରଣ କରେ ଏବଂ ସଞ୍ଚିତ ଧାନ ପ୍ରହରୀର କଡ଼ା ନଜରରେ ଜମା ହୋଇ ରହିଥାଏ । ସଂସ୍କୃତି କିନ୍ତୁ ଜୀବନରେ ନିଜେ ବୃଦ୍ଧିପ୍ରାପ୍ତ ହୁଏ, ଗତିଶୀଳ ହୁଏ ଓ ନିଜକୁ ବହୁଗୁଣିତ କରିଥାଏ ।
ୟୁରୋପୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରମାନେ ସେମାନଙ୍କ ସଂସ୍କୃତିର ମାନବିକ ପରିବେଶ କେବଳ ଯେ ସାମାଜିକ ଜୀବନରେ ଅନୁଭବ କରିଥାନ୍ତି ତା’ ନୁହେ, ନିଜର ଶିକ୍ଷକମାନଙ୍କ ସହିତ ମଧ୍ୟ ନିବିଡ଼ ସମ୍ପର୍କ ସ୍ଥାପନ କରି ଜୀବନରେ ଲାଭବାନ୍ ହୋଇଥାନ୍ତି । ଛାତ୍ର ଓ ଶିକ୍ଷକ ମଧ୍ୟରେ ମାନବିକ ସୌହାର୍ଦ୍ର ବନ୍ଧନ ସେଠାରେ ପ୍ରତିଷ୍ଠିତ ହୋଇଥାଏ ଏବଂ ସୂର୍ଯ୍ୟସଦୃଶ ଏହା ସେମାନଙ୍କୁ ଜୀବନରେ ଆଲୋକ ଦାନ କରିଥାଏ । କିନ୍ତୁ ଆମ ହାତରେ ଯେଉଁ କଠିନ ଚକ୍ମକି ପଥର ରହିଛି, ଅତି ଦୃଢ଼ ଘର୍ଷଣ ଫଳରେ ସେଥିରୁ ଆମେ କେତେକ ବିଛିନ୍ନ ଅଗ୍ନିକଣା ପାଇଥାଉ । ଏଥିରେ ଆଲୋକର ମାତ୍ର ଅପେକ୍ଷା ସଂଘର୍ଷ କୋଳାହଳର ମାତ୍ର ଯଥେଷ୍ଟ ଅଧିକ । ଏହି ଚକମକି ପଥରଗୁଡ଼ିକ ହେଉଛନ୍ତି ଆମ ବିଦ୍ୟାର ସଂକ୍ଷିପ୍ତ ସାର । ସେଗୁଡ଼ିକ ସ୍ଥାଣୁ ଓ ପ୍ରାଣହୀନ କେତେକ କଠିନ ପ୍ରଣାଳୀ ମାତ୍ର ।
ଦୁର୍ଭାଗ୍ୟବଶତଃ ଆମ ଦେଶରେ ଇଉରୋପୀୟ ବିଶ୍ୱବିଦ୍ୟାଳୟର ଆସବାବପତ୍ରସବୁ ରହିଛି, କିନ୍ତୁ ଅସଲ ଅଭାବ ରହିଛି ପ୍ରାଣବନ୍ତ ଶିକ୍ଷକର । ତା ପରିବର୍ତ୍ତରେ ଆମେ ପାଇଥାଉଁ କେବଳ ପୁସ୍ତକ ଜ୍ଞାନର କେତେକ ସଂଗ୍ରାହକ । ସେମାନଙ୍କୁ ଦେଖିଲେ ମନେହୁଏ ସତେ ଯେପରି ବହି ଦୋକାନର କାଗଜ-ଦେବତା ତାଙ୍କ ଭିତରେ ମୂର୍ତ୍ତିମନ୍ତ ହୋଇ କଥା କହୁଛି । ଏହାର ସ୍ୱାଭାବିକ ପରିଣତି ହେଉଛି ଯେ ଆମର ଛାତ୍ରମାନେ, ଏପରି କି ଆମ ନିଜର ଅଧ୍ୟାପକମାନଙ୍କ ନିକଟରେ ମଧ୍ୟ ‘ଅସ୍ପୃଶ୍ୟ’ ହୋଇ ରହିଛନ୍ତି, ଏହି ଶିକ୍ଷକମାନେ ଛାତ୍ର ଓ ତାଙ୍କ ନିଜମଧ୍ୟରେ ନୋଟ୍ ବହିର ପ୍ରାଚୀର ଛିଡ଼ା କରାଇ ଏବଂ ଅତି ସତର୍କତାର ସହିତ ବେଶ୍ କିଛି ଦୂରରେ ରହି ଛାତ୍ରମାନଙ୍କୁ ମାନସିକ ଖାଦ୍ୟର ମୁଷ୍ଟିବିତରଣ କରିଥାନ୍ତି । ଏ ଧରଣର ଖାଦ୍ୟ ସ୍ୱାଦୁକର ନୁହେ, କିମ୍ବା ସ୍ୱାସ୍ଥ୍ୟକର ମଧ୍ୟ ନୁହେ । ଏହା ଠିକ୍ ଦୁର୍ଭିକ୍ଷକାଳୀନ ଦୈନିକ ଖୋରାକ ଭଳି ଦୃଢ଼ଭାବରେ ନିୟମିତ ଏବଂ ଶୀର୍ଣ୍ଣତା ପରିବର୍ତ୍ତେ ଏହା ଆମକୁ କେବଳ ମୃତ୍ୟୁମୁଖରୁ ରକ୍ଷା କରିଥାଏ । କେବଳ ଜୀବନଧାରଣୋପଯୋଗୀ ଆବଶ୍ୟକତା ଅପେକ୍ଷା ଯଥେଷ୍ଟ ପ୍ରାଚୁର୍ଯ୍ୟର ଅଧିକାରୀ ହୋଇଥିବା ସଂସ୍କୃତି ପାଇଁ ଏହା ମନରେ ଆଶାପୋଷଣ କରି ନ ଥାଏ । ପ୍ରାଚୁର୍ଯ୍ୟ ଅପେକ୍ଷା ତ ନିଶ୍ଚୟ କମ୍, ଗୋଟିଏ ଭୋଜିର ବହୁଳ ସାମଗ୍ରୀ ତୁଳନାରେ ଏହା ଯଥେଷ୍ଟ ପରିମାଣରେ କମ ।
ପୃଥିବୀ ପାଇଁ ଆମେ ଯେ ଆବଶ୍ୟକ ଓ ଆମର ସାହାଯ୍ୟ ବ୍ୟତୀତ ପୃଥିବୀ ଚଳିବାକୁ ଅସମର୍ଥ ଏବଂ ପ୍ରତିଦାନ ପାଇଁ ଅଯୋଗ୍ୟ ଓ ପରନିର୍ଭରଶୀଳ ଭିକ୍ଷାଶୀ ମାତ୍ର ଆମେ ନୋହୁ-ଏକଥା ପ୍ରମାଣିତ କରିବାର ଅବସ୍ଥା ନ ଆସିବା ଯାଏଁ ଆମର ସମସ୍ତ ଆଶା ଅନ୍ୟର ଅନୁଗ୍ରହ ଉପରେ ପ୍ରତିଷ୍ଠିତ ହେବାକୁ ବାଧ୍ୟ । ତାହା ମଧ୍ୟ କାକୁତି ମିନତୀ, ତୋଷାମଦ ଓ ପୁଚ୍ଛସଞ୍ଚାଳନର ନିୟମାନୁଗତ ପ୍ରଣାଳୀ ଦ୍ୱାରା ହିଁ କେବଳ ମିଳି ପାରେ ।
ସମ୍ମାନ ସହକାରେ ଗୃହୀତ ହେବା ଭଳି କୌଣସି ଯୋଗ୍ୟବସ୍ତୁ ଆମେ ଯଦି ଦେଖିବାକୁ ଅସମର୍ଥ, ତାହାହେଲେ ଆମ ସମ୍ପର୍କରେ କେହି ମଧ୍ୟ ଆଗ୍ରହୀ ନ ହେବା ସ୍ୱାଭାବିକ । ଏଥିପାଇଁ କାହାକୁ ଆମେ ଦୋଷ ଦେବା ? କେବଳ ମାତ୍ର ବଞ୍ଚିରହି ଉତ୍ପାଦନକ୍ଷମ ନ ହୋଇଥିବା ଏପରି ଆଳସ୍ୟପରାୟଣ ଲୋକମାନଙ୍କ ପାଇଁ କେଉଁଠି ବା ଆମ ଦେଶରେ ଏତେ ପ୍ରଚୁର ଅନାବାଦି ଜମି ପଡ଼ିରହିଛି ? ଦେଶ ଭଳି ବୃହତ୍ ଠିକ୍ ଏକ ବିରାଟ ଆତୁରାଳୟ ସେମାନେ କିପରି ବା ଖୋଲି ପାରିବେ ? ନିରାଟ ସତ୍ୟ ହେଉଛି, ଆମକୁ ଦାନ କରାଯାଇ ଥିବାରୁ ହିଁ କୌଣସି ଜିନିଷକୁ ନିଜର କରିବାକୁ ଆମେ ଅକ୍ଷମ । ମରୁଭୂମି ନୁହେ, କେବଳ ହ୍ରଦହିଁ ଆକାଶର ମେଘମାଳାର ଦାନାକୁ ଗ୍ରହଣ ଓ ସଂରକ୍ଷଣ କରିବାକୁ ସମର୍ଥ, କାରଣ ଏହାର ଗଭୀରତା ମଧ୍ୟରେ ଦାନ ଓ ଗ୍ରହଣ ଏକାକାର ହୋଇପାରିଛି । ଯାହାର ଅଛି କେବଳ ତାକୁ ହିଁ ଦିଆଯାଇଥାଏ । ଅନ୍ୟଥା କେବଳ ଡାଟା ଓ ଗ୍ରହୀତା ଉଭୟେ ଅପମାନିତ ହୋଇଥାନ୍ତି ।
ବର୍ତ୍ତମାନ ମୁଁ ଗୋଟିଏ ବିଶ୍ୱବିଦ୍ୟାଳୟର ଦୃଷ୍ଟାନ୍ତ ଦେଉଛି, ଯାହା ଜାତୀୟ ଭୂମିରେ ଜନ୍ମ ଓ ବିକାଶଲାଭ କରି ସୁଦ୍ଧା ଏହାର ଇତିହାସର ପରିବର୍ତ୍ତନ ହେତୁ ପରିଶେଷରେ ପୁଣି ଭାଙ୍ଗିପଡ଼ିଥିଲା ।
ଯେତେବେଳେ ରୋମର ସଭ୍ୟତା-ପ୍ରଦୀପ ବର୍ବରମାନଙ୍କ ଆକ୍ରମଣ ଫଳରେ ନିର୍ବାପିତ ହୋଇଥିଲା, ଇଉରୋପର ସେହି ଅନ୍ଧକାରାଛନ୍ନ ଯୁଗରେ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ଏକମାତ୍ର ଆୟାରଲାଣ୍ଡ ହିଁ ନିଜର ସାଂସ୍କୃତିକ ପରମ୍ପରା ରକ୍ଷା କରିଥିଲା, ଇଉରୋପର ଅଧିକାଂଶ ଅଞ୍ଚଳରୁ ଛାତ୍ରମାନେ ଶିକ୍ଷାଲାଭ ଉଦ୍ଦେଶ୍ୟରେ ସେଠାକୁ ଆସୁଥିଲେ, ଆମର ସଂସ୍କୃତି ପାଠଶାଳା ଭଳି ସେଠାରେ ଛାତ୍ରମାନଙ୍କୁ ରହିବା, ଖାଇବା ବା ପୁସ୍ତକ କ୍ରୟ କରିବା ଦିଗରେ କୌଣସି ଅର୍ଥ ବ୍ୟୟ କରିବାକୁ ପଡ଼ୁ ନ ଥିଲା, ଆୟାରଲାଣ୍ଡର ଧର୍ମଯାଜକମାନେ ଖ୍ରୀଷ୍ଟିଆନ ଧର୍ମ ଓ ସଂସ୍କୃତିର ନିଷ୍ପ୍ରଭ ଦୀପକୁ ପୁଣି ଥରେ ଇଉରୋପବ୍ୟାପୀ ଆଲୋକ ଦୀପ୍ତ କରିଥିଲେ, ପାରିସ୍ରେ ଗୋଟିଏ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ସକାଶେ ଚାର୍ଲମାନ୍, କ୍ଲିମେନ୍ସ ନାମକ ଜଣେ ଜ୍ଞାନୀ ଆୟାରଲାଣ୍ଡବାସୀଙ୍କର ସାହାଯ୍ୟ ନେଇଥିଲେ । ସେତେବେଳେ ଆୟାରଲାଣ୍ଡର ସଂସ୍କୃତି ଯେଉଁ ଗୌରବ ଓ ପ୍ରତିଷ୍ଠା ଅର୍ଜନ କରିଥିଲା, ତା'ର ଅନ୍ୟାନ୍ୟ ଦୃଷ୍ଟାନ୍ତ ମଧ୍ୟ ରହିଛି । ଯଦିଚ ଏହି ସଂସ୍କୃତିର ଜନ୍ମନାଡ଼ି ରୋମ୍ ସହିତ ସଂଲଗ୍ନ, କିନ୍ତୁ ତାହା ସହିତ ଦୀର୍ଘକାଳର ବ୍ୟବଧାନ ଫଳରେ ଏହା ନିଜର ଜନସାଧାରଣଙ୍କର ମନ ଓ ଜୀବନ ସହିତ ଗଭୀର ସମ୍ପର୍କ ସ୍ଥାପନ କରିଥିଲା । ଫଳରେ ଏହା ଏଭଳି ଏକ ପ୍ରତିଭାର ଅଧିକାରୀ ହୋଇଥିଲା, ଯାହା ପୂର୍ଣ୍ଣମାତ୍ରାରେ କେବଳ ଆୟାରଲାଣ୍ଡର ହେଉଛି ନିଜସ୍ୱ । ଏହି ସଂସ୍କୃତିର ମାଧ୍ୟମ ଥିଲା ଆଇରିସ୍ ଭାଷା ।
ଇଂରେଜ ଓ ଡେନ୍ମାକବାସୀଗଣ ଆୟାରଲାଣ୍ଡ ଆକ୍ରମଣ କରିବା ସମୟରେ କଲେଜ, ପାଠାଗାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେଇଥିଲେ, ଏବଂ ଧର୍ମଯାଜକ ଓ ଛାତ୍ରମାନଙ୍କୁ ହତ୍ୟା କରିଥିଲେ ବା ସେମାନଙ୍କୁ ବିକ୍ଷିପ୍ତ କରି ଦେଇଥିଲେ । ପରନ୍ତୁ ଦେଶର ଯେଉଁ ଅଞ୍ଚଳ ଗୁଡ଼ିକ ତଥାପି ସ୍ୱାଧୀନ ଓ ଅତ୍ୟାଚାରମୂକ୍ତ ହୋଇ ରହିଥିଲା, ସେଠାରେ ମାତୃଭାଷା ମାଧ୍ୟମରେ ଶିକ୍ଷା ଦିଆଯାଉଥିଲା ଏବଂ ରାଣୀ ଏଲିଜାବେଥଙ୍କ ଅମଳରେ ଏ ଦେଶ ସମ୍ପୂର୍ଣ୍ଣ ପରାଜିତ ହୋଇ ନିଜର ଦେଶୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ହରାଇବା ପର୍ଯ୍ୟନ୍ତ ଏହି ପ୍ରଥା ସେଠାରେ ପ୍ରଚଳିତ ରହିଥିଲା । ସଂସ୍କୃତି ଓ ଅଧ୍ୟୟନର ବାତାବରଣରୁ ବଞ୍ଚିତ ହୋଇ ଆଇରସ୍ ଭାଷା ଘୃଣିତ ହେବା ସଙ୍ଗେ କେବଳ ତଳଶ୍ରେଣୀରେ ତାହା ପଠନୋପଯୋଗୀ ବୋଲି ବିବେଚିତ ହୋଇଥିଲା । ତା ପରେ ଉନବିଂଶ ଶତକରେ ଯେତେବେଳେ ଜାତୀୟ ବିଶ୍ୱବିଦ୍ୟାଳୟ ପାଇଁ ଆନ୍ଦୋଳନର ସୂତ୍ରପାତ ହେଲା, ସେତେବେଳେ ଆଇରସ୍ ଗଣ ସେମାନଙ୍କର ଜ୍ଞାନ ପ୍ରତି ମୌଳିକ ଶ୍ରଦ୍ଧା ହେତୁ ଏହି ଆନ୍ଦୋଳନକୁ ଗଭୀର ଉତ୍ସାହ ସହକାରେ ସମ୍ବର୍ଦ୍ଧନା ଜଣାଇଲେ । ଆଇରସ୍ ଜାତିକୁ ଆଙ୍ଗ୍ଳୋସାକ୍ସନ ଛାଞ୍ଚରେ ଗଢ଼ିବା ହିଁ ଥିଲା, ଏହି ତଥାକଥିତ ଜାତୀୟ ବିଦ୍ୟାଳୟର ଲକ୍ଷ୍ୟ, କିନ୍ତୁ ଭଲ ହେଉ ବା ମନ୍ଦ ହେଉ ଭଗବାନ ପ୍ରତ୍ୟେକ ଜାତିକୁ ବିଭିନ୍ନ ରୂପରେ ଗଢ଼ିଛନ୍ତି ଏବଂ ଗୋଟିଏ ଜାତି ଅନ୍ୟ ଜାତିର ପୋଷାକକୁ ଯଦି ବ୍ୟବହାର କରେ ତା’-ହେଲେ ତାକୁ ତାହା ନ ସାଜିବା ନିଶ୍ଚିତ । ଏହି ଜାତୀୟ ବିଦ୍ୟାଳୟର ଆନ୍ଦୋଳନ ଯେତେବେଳେ ଆରମ୍ଭ ହେଲା ସେତେବେଳେ ଶତକଡ଼ା ଅଶୀ ଜଣ ଆଇରସ୍ ନିଜର ମାତୃଭାଷା ବ୍ୟବହାର କରୁଥିଲେ । କିନ୍ତୁ ଦଣ୍ଡର ଧମକରେ ଆଇରସ୍ ପିଲାମାନେ ନିଜ ମାତୃଭାଷାକୁ ଛାଡ଼ି ଦେବାକୁ ବାଧ୍ୟ ହେଲେ ଏବଂ ଏପରି କି ନିଜର ଇତିହାସ ପଢ଼ିବାକୁ ମଧ୍ୟ ତାଙ୍କୁ ନିଷିଦ୍ଧ କରାଯାଇଥିଲା ।
ଏହା ଦ୍ୱାରା ଆଶାନୁରୂପ ପରିଣତି ମଧ୍ୟ ଦେଖାଯାଇଥିଲା । ଦେଶବ୍ୟାପୀ ମାନସିକ ଜଡ଼ତା ପରିବ୍ୟାପ୍ତ ହୋଇଥିଲା । ଆଇରସ୍ ଭାଷା ଭାଷୀ ଯେଉଁ ଛାତ୍ରଙ୍କର ବୁଦ୍ଧି ଓ କୌତୁହଳ ବିଦ୍ୟାଳୟରେ ପ୍ରବେଶ କରିବା ସମୟରେ ଜାଗ୍ରତ ରହୁଥିଲା, ସେମାନେ ବିଦ୍ୟାଳୟ ଛାଡ଼ିବା ସମୟରେ, ମାନସିକ ପଙ୍ଗୁତା ଓ ସକଳ ଅଧ୍ୟୟନ ପ୍ରତି ବୀତଶ୍ରଦ୍ଧ ଭାବ ଧରି ପ୍ରତ୍ୟାବର୍ତ୍ତନ କରୁଥିଲେ । ଏହାର କାରଣ ହେଉଛି ଯେ ଶିକ୍ଷାପ୍ରଣାଳୀ ଥିଲା ଯାନ୍ତ୍ରିକ; ଏବଂ ତା’ର ପରିଣତି ମଧ୍ୟ ପୋଷା ସୁଆର ଶିକ୍ଷା ଭଳି ହେବା ସ୍ୱାଭାବିକ ।
ଶିକ୍ଷାର ଉପଯୁକ୍ତ ବିକାଶ ପାଇଁ ଗୋଟିଏ ବିଦେଶୀ ଭାଷା ଉପଯୁକ୍ତ ମାଧ୍ୟମ ହୋଇ ନ ପାରେ । ନିଜ ଦେଶ ବ୍ୟତୀତ ଅନ୍ୟ ଯେ କୌଣସି ସ୍ଥାନରେ ଏହା ଯେ ଲୋକମାନଙ୍କୁ ଅବସନ୍ନ କରି ତନ୍ଦ୍ରାଳୁ କରିଦିଏ ଏବଂ ନିଜ ଦେଶ କଥା କହିଲେ ଲୋକମାନଙ୍କୁ ଏହା କହି ଯେ ବିପଜ୍ଜନକ ଧର୍ମବିରୁଦ୍ଧ କଥା ବୋଲି ମନେହୁଏ ତାହା ସ୍ୱତଃସିଦ୍ଧ । ଆମ ମନରେ ଶତ୍ରୁତାଭାବ ସୃଷ୍ଟି କରିବା ଦିଗରେ ଏହା ପ୍ରକୃତରେ ଏକ ଟନିକ୍ ଭଳି କାମ କରେ । ତେଣୁ ବରଂ ଆମର ପୁରାତନ କଥା ଅଧିକ ଶୁଭପ୍ରଦ ଏବଂ ସେଥିପାଇଁ ବାରମ୍ବାର ମୁଁ କହୁଛି ଯେ ଇଂରାଜୀ ଭାଷା ମାଧ୍ୟମରେ ଶିକ୍ଷାଲାଭ କରିବାକୁ ଆମକୁ ଯେତେବେଳେ ବାଧ୍ୟ କରାଯାଉଛି, ସେତେବେଳେ ଆମ ଜୀବନର ଶ୍ରେଷ୍ଠ ସମୟତକ ଦ୍ୱାରା ଦେଶରେ କେବଳ ଆଘାତ ଦେବା ଓ ତାଲା ଖୋଲିବାରେ ହିଁ ବ୍ୟୟିତ ହେଉଛି । କକ୍ଷ ମଧ୍ୟରେ ଆମ ପାଇଁ ହୁଏତ ଭୋଜିସାମଗ୍ରୀ ଅପେକ୍ଷା କରି ରହିଛି, କିନ୍ତୁ ସେଠାକୁ ପ୍ରବେଶ କରିବା ଯଦି କଷ୍ଟକର ଓ ବିଳମ୍ବଜନକ ହୁଏ, ତାହା ଆମ କ୍ଷୁଧା ନଷ୍ଟ କରିଦେଇଥାଏ ଏବଂ ଦୀର୍ଘସମୟ ଧରି ବଞ୍ଚିତ ହେବା ଫଳରେ ଆମର ପାକସ୍ଥଳୀ ମଧ୍ୟ ଆଘାତପ୍ରାପ୍ତ ହୋଇଥାଏ । ଚିନ୍ତା ସବୁ ପାରେ ଦେଖାଦିଏ ଏବଂ ବ୍ୟାକରଣର କ୍ଲାନ୍ତିକର ଆବୃତ୍ତି ଓ ଶବ୍ଦ ବନାନ କରି ଶିଖିବାର ହେତୁ-ହିଁ ପ୍ରଣାଳୀ ସବା ପଛରେ ଆସୁଥିବା ଖାଦ୍ୟ ପ୍ରତି ଆମର ରୁଚି ଓ ଆଗ୍ରହ ସମସ୍ତ ନଷ୍ଟ କରିଦିଅନ୍ତି । ଆମେ ଯଦି ବୃଷ୍ଟିହୀନ ଏକ ମରୁଭୂମିର ବାଲିଆ ଜମିରେ ଗୋଟିଏ ଗଛ ବଢ଼ାଇବାକୁ ଚାହୁଁ ତା’ହେଲେ କେବଳ ଯେ ଆମକୁ ଗୋଟିଏ ଦୂର ସ୍ଥାନରୁ ବୀଜ ଧାର କରିବାକୁ ପଡ଼ିବ ତାହା ନୁହେ, ଆମକୁ ଜଳ ଓ ମୃତ୍ତିକା ମଧ୍ୟ ସଂଗ୍ରହ କରିବାକୁ ପଡ଼ିବ । ତଥାପି ସମସ୍ତ ଯତ୍ନ ଓ କ୍ଳେଶ ସତ୍ତ୍ୱେ ସେ ଗଛଟି ଭଲ ଭାବରେ ବଢ଼ି ପାରିବ ନାହିଁ । ଯଦିବା ଏହା ଫଳଧାରଣ କରିବ ତା’ହେଲେ ବୀଜ ପରିପକ୍ୱ ହେବ ନାହିଁ, ଯେଉଁ ଶିକ୍ଷା ଆଜି ଆମେ ବିଶ୍ୱବିଦ୍ୟାଳୟଠାରୁ ଲାଭ କରିଛୁଁ ତାହା ସତ୍ୟ ବୋଲି ଗ୍ରହଣ କରି ନେଉଛୁ ଯେ ଏ ଦେଶର ନୀରସ ଭୂମିକୁ ଫଳପ୍ରସୂ କରିବା ପାଇଁ ସେ ଉଦ୍ଧିଷ୍ଟ ଏବଂ ସେଥିପାଇଁ କେବଳ ମାନସିକ ଦୃଷ୍ଟିକୋଣ ବା ଜ୍ଞାନ ନୁହେ, ଏପରି କି ସମସ୍ତ ଭାଷା ମଧ୍ୟ ସଶରୀରରେ ଦରିଆପାରିରୁ ଆମଦାନୀ ହେବା ଆବଶ୍ୟକ, ଏଥିସକାଶେ ଆମର ଶିକ୍ଷା ଏତେ ଅବାସ୍ତବ, ଦୂରବର୍ତ୍ତୀ, ଅସ୍ପଷ୍ଟ, ଜୀବନ ସହିତ ସମ୍ପର୍କହୀନ; ସମୟ, ସ୍ୱାସ୍ଥ୍ୟ ଓ ଅବଲମ୍ବନ ଦୃଷ୍ଟିରୁ ଅତି ଦୁର୍ମୂଲ୍ୟ ତଥାପି ଏହାର ଫଳାଫଳ ମଧ୍ୟ ସ୍ୱଳ୍ପ ।
ମୋ ନିଜ ଶିକ୍ଷାଦାନର ଅଭିଜ୍ଞତାରୁ ମୁଁ ଯେତେଦୂର ଜାଣେ ଯେ ଅଧିକାଂଶ ଛାତ୍ର ଗୁଡ଼ିଏ ଭାଷା ଶିକ୍ଷା କରିବା ଦିଗରେ ସ୍ୱଭାବତଃ ଦୁର୍ବଳ । ସେମାନେ ଇଂରାଜୀ ଭାଷା ଭଲ ଭାବରେ ଉପଲବ୍ଧି ନ କରି ମଧ୍ୟ ପ୍ରବେଶିକା ପରୀକ୍ଷାରେ କୌଣସି ପ୍ରକାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି । କିନ୍ତୁ ଉଚ୍ଚତର ଶ୍ରେଣୀଗୁଡ଼ିକରେ ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼େ । ଅଧିକାଂଶ ଭାରତୀୟ ବାଳକ ଇଂରାଜୀଭାଷାରେ କାହିଁକି ବ୍ୟୁତ୍ପତ୍ତି ଅର୍ଜନ କରି ପାରିବେ ନାହିଁ, ସେଥିପାଇଁ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି । ପ୍ରଥମତଃ ଏହି ଭାଷାକୁ ମନ ମଧ୍ୟରେ ସ୍ଥାନ ଦେବାକୁ ସେମାନେ ଅସମର୍ଥ । କାରଣ ଗୋଟିଏ ପ୍ରାଚ୍ୟ ଭାଷାରେ ଚିନ୍ତା କରିବାର ଅଭ୍ୟାସ ସେମାନଙ୍କର ରହିଛି, ଯଦିବା ସେମାନଙ୍କ ମନରେ ତାହା ସ୍ଥାନ ପାଇବାକୁ ଯତ୍ନ କରାଯାଏ, ତାହାହେଲେ ଗୋଟିଏ ଇଂରାଜୀ ତରବାରୀକୁ ଖଡ୍ଗର ଖୋଲା ମଧ୍ୟରେ ରଖିବା ଭଳି ଅବସ୍ଥା ସୃଷ୍ଟି ହେବ । ପୁଣି ଜଣେ ସୁଦକ୍ଷ ଶିକ୍ଷକ ନିକଟରୁ ଇଂରାଜୀଭାଷାରେ ଗଭୀର ପ୍ରବେଶଲାଭ କଲାଭଳି ଶିକ୍ଷାଲାଭ କରିବାର ସାମର୍ଥ୍ୟ କ୍ୱଚିତ୍ ପିଲାଙ୍କର ରହିଛି । ଦରିଦ୍ର ଛାତ୍ରଙ୍କର ଯେ ସେ ସାମର୍ଥ୍ୟ ଆଦୌ ନାହିଁ ଏହା ନିଶ୍ଚିତ ।
ଏହାର ବିପକ୍ଷ ଯୁକ୍ତି କ’ଣ ହେବ ତାହା ମୁଁ ଜାଣେ । ତୁମେ କହିବ ଯେ ଭାରତୀୟ ଭାଷା ମାଧ୍ୟମରେ ଯଦି ଉଚ୍ଚ ଶିକ୍ଷା ଦେବାକୁ ଚାହୁଁଛ ତାହାହେଲେ ତୁମର ପାଠ୍ୟପୁସ୍ତକ କାହିଁ ? ଆମର ଯେ ନାହିଁ, ତାହା ମୋତେ ଜଣା । କିନ୍ତୁ ଆମ ନିଜ ଭାଷାରେ ଉଚ୍ଚଶିକ୍ଷା ଯଦି ନ ଦିଆଯାଏ ତା’ହେଲେ ପାଠ୍ୟପୁସ୍ତକ ବା ଆସିବ କେଉଁଠୁ ? ଯଦି ମୁଦ୍ରା ସବୁଦେଶରେ ଅଚଳ ହୁଏ ତାହେଲେ ଗୋଟିଏ ଟଙ୍କା ତିଆରି କାରଖାନା ଯେ ଚାଲିବ, ତାହା ଆମେ ଆଶା କରି ନ ପାରୁ ।
ଆଇରସ୍ ଦୃଷ୍ଟାନ୍ତରୁ ଆମେ ଅନ୍ୟ ଏକ ଶିକ୍ଷା ମଧ୍ୟ ଲାଭ କରୁ । ତାହା ହେଉଛି, ସ୍ୱାଭାବିକ ଗତିରେ ସାଧାରଣତଃ ଜଳ ପ୍ରଥମେ ଆସେ ଓ ତା’ପରେ ମାଛ ଆସିଥାଏ । ଠିକ୍ ସେହିଭଳି ବିଦ୍ୱାନ ବ୍ୟକ୍ତିମାନଙ୍କର ଉପସ୍ଥିତିହିଁ ନିଜର ଚାରି ପାଖରୁ ଛାତ୍ରମାନଙ୍କୁ ଆକର୍ଷଣ କରିଥାଏ । ଯେଉଁ ଯୁଗରେ ମାନସିକ ଶକ୍ତିର ଉତ୍କର୍ଷ ପ୍ରଚୁର ପରିମାଣରେ ଦେଖଦେଇଥିଲା ଏବଂ ଯେତେବେଳେ ନିଜର ଚତୁଃପାର୍ଶ୍ୱକୁ ଉତ୍ପ୍ଲାବିତ କରିବା ଭଳି ଚିନ୍ତା, ଜ୍ଞାନ ଓ ଶକ୍ତିସମ୍ପନ୍ନ ବ୍ୟକ୍ତିମାନେ ଏ ଦେଶରେ ଥିଲେ, ସେତେବେଳେ ନାଳନ୍ଦା ଓ ତକ୍ଷଶିଳା ଭଳି ସାଂସ୍କୃତିକ କେନ୍ଦ୍ର ଭାରତରେ ସ୍ୱାଭାବିକ ଭାବେ ଗଢ଼ି ଉଠିଥିଲା । କିନ୍ତୁ କେବଳ ଅନୁଷ୍ଠାନ ଉଦ୍ଘାଟନ କରିବାରେ ଅଭ୍ୟସ୍ତ ହୋଇ ପଡ଼ିଥିବାରୁ ଆମେ ଯେତେବେଳେ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁ, ସେତେବେଳେ ମଧ୍ୟ ଆମେ ଭୁଲ୍ ଦିଗରୁ ହିଁ ଆରମ୍ଭ କରିଥାଉ । ପ୍ରଥମେ ଆମେ ଛାତ୍ର ସଂଗ୍ରହ କରୁ ଓ ପରେ ଶିକ୍ଷକମାନଙ୍କର ସନ୍ଧାନ ନେଇଥାଉଁ । ଏହା ଠିକ୍ ଜଣେ ଅନ୍ୟମନସ୍କ ସ୍ରଷ୍ଟାର ବୁଦ୍ଧ ବିଭ୍ରମ ସଙ୍ଗେ ସମାନ । ସେ ଲାଙ୍ଗୁଳକୁ ରୂପରେଖ ଦେବା ପାଇଁ ବହୁତ କ୍ଳେଶ ସ୍ୱୀକାର କରି ସାରିଲା ପରେ ହଠାତ୍ ଆବିଷ୍କାର କରେ ଯେ ମୂର୍ତ୍ତିର ମସ୍ତକ ଅଂଶଟି ନାହିଁ । ଆମର ଅତିଥିମାନଙ୍କୁ ଖାଇବା ସକାଶେ ଆଗ ବସାଇ ଦେଇ ପରେ ଦେଖୁଁ ଯେ ରନ୍ଧା କାମ ହୁଏତ ସେ ପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ । ଆମର ମାନସିକ ସୁସ୍ଥତା ଓ ଉଦ୍ଦେଶ୍ୟର ଯୌକ୍ତିକତା ପାଇଁ ପାଠ୍ୟ ନିର୍ଘଣ୍ଟ ଓ ଛାତ୍ରସମସ୍ୟା ସମ୍ପର୍କରେ ସମସ୍ତ ବ୍ୟଗ୍ରତା ଥରକ ପାଇଁ ଫିଙ୍ଗିଦିଆଯାଉ । ତା ପରେ ଆମେ ପ୍ରାର୍ଥନା କରିବା ଉଚିତ ଯେ ଯେଉଁମାନେ ନିଜ ମନକୁ କର୍ଷଣ କରିବାର ଶୃଙ୍ଖଳା ମଧ୍ୟରେ ସଫଳତାର ସହିତ ଗତି କରିଛନ୍ତି, ଯେଉଁମାନେ ସୃଷ୍ଟି ଓ ବିତରଣ କରିବାକୁ ପ୍ରସ୍ତୁତ, କେବଳ ସେହିମାନେ ହିଁ ଏକତ୍ରିତ ହୋଇ ଜ୍ଞାନ ରାଜ୍ୟରେ ନିଜର ଆବିଷ୍କାର ଓ ଉଦ୍ଭାବନୀ ଶକ୍ତି ନିଷ୍ଠାର ସହିତ ବିକାଶ କରିବାକୁ ଅଧ୍ୟୟନର ସାଧନା ପାଇଁ ଆସନ ଗ୍ରହଣ କରନ୍ତୁ । ଏହିପରି ଭାବରେ ଶକ୍ତି ଜୀବନର ସମ୍ପୂର୍ଣ୍ଣ ସତ୍ୟ ବହନ କରି ଆମ ନିଜ ମଧ୍ୟରୁ ଘନୀଭୂତ ହେବା ଫଳରେ ଗୋଟିଏ ବିଶ୍ୱବିଦ୍ୟାଳୟ ସୃଷ୍ଟି ପାଇଁ ସ୍ୱାଭାବିକ କ୍ଷେତ୍ର ପ୍ରସ୍ତୁତ ହେବ । ଆମର ଜାଣି ରଖିବା ଉଚିତ ଯେ ଦେଶର ବୁଦ୍ଧୀଶକ୍ତିକୁ କେନ୍ଦ୍ରୀଭୂତ କରିବା ହିଁ ବିଶ୍ୱବିଦ୍ୟାଳୟର ହେଉଛି ମହତ୍ତମ ଲକ୍ଷ୍ୟ । କାରଣ ଏହା ଏକ ଜୀବନ୍ତ କୋଷର ମଧ୍ୟବର୍ତ୍ତୀ ପ୍ରାଣବିନ୍ଦୁ ସଦୃଶ, ଜାତୀୟମାନସର ସୃଜନଶୀଳ ଜୀବନର କେନ୍ଦ୍ରସ୍ଥଳି ।
ମୁଁ ଅନେକ ସମୟରେ ଶୁଣୁଛି ଯେ ଭାରତବର୍ଷରେ ବହୁ ଭାଷା ପ୍ରଚଳିତ ଥିବାରୁ ଚିନ୍ତାରାଜ୍ୟରେ ଏକତା ପ୍ରତିଷ୍ଠା କରିବା ଦୁଃସାଧ୍ୟ ଓ ଅସମ୍ଭବ ।
କିନ୍ତୁ ପୃଥିବୀର ପ୍ରତ୍ୟେକ ଜାତି ନିଜର ସମସ୍ୟାବଳୀ ସମାଧାନ କରିବା ଆବଶ୍ୟକ । ତା’ ନ ହେଲେ ତା’ର ପାଟଣା ଓ ପରାଜୟ ଅବଶ୍ୟମ୍ଭାବୀ । ପ୍ରକୃତ ସଭ୍ୟତା ବହୁ ବାଧାବିଘ୍ନ ମଧ୍ୟରେ ହିଁ ଗଢ଼ିଉଠେ । ଜଳ ଯୋଗାଣର ସୁବିଧା ପାଇଁ ଯେଉଁମାନଙ୍କର ନଦୀ ରହିଛି, ସେମାନଙ୍କ ପ୍ରତି ଅନ୍ୟମାନେ ଈର୍ଷାନ୍ୱିତ ହୋଇ ପାରନ୍ତି, କିନ୍ତୁ ସେ ସୁବିଧା ଯେଉଁମାନଙ୍କର ନାହିଁ କୂପଖନନ ପୂର୍ବକ ନିଜ ଦେଶମାଟିର ଗଭୀର ପ୍ରଦେଶରେ ସେମାନେ ଜଳ ସନ୍ଧାନ କରିବା ଆବଶ୍ୟକ । କିନ୍ତୁ ସହଜରେ କେବଳ ମିଳିଯିବ ବୋଲି ଯେ ପାଣିର ଅଭାବ ଧୂଳି ମେଣ୍ଟାଇ ପାରିବ, ଏହା ଆମେ ଭାବିବା ଅନୁଚିତ । ଭାଷା ବୈଷମ୍ୟର ଅସୁବିଧାଜନକ ସମସ୍ୟା ଆମର ଯେ ରହିଛି, ତାହା ସାହସିକତାର ସହିତ ଆମେ ଗ୍ରହଣ କରିନେବା ବିଧେୟ ଏବଂ ତା ସହିତ ଆମେ ସ୍ୱୀକାର କରିବା ଯେ ବିଦେଶୀ ମାଟିଭଳି ଏକ ବିଦେଶୀ ଭାଷା କେବଳ ଉଷ୍ଣଗୃହ (Hot House)ରେ ପାଳିତ ହେବା ପାଇଁ ଉତ୍ତମ ବୋଲି ବିବେଚିତ ହୋଇପାରେ । କିନ୍ତୁ ଜୀବନ ଧାରଣ ପାଇଁ ପ୍ରୟୋଜନୀୟ ବ୍ୟାପକ କୃଷିକର୍ମ ସକାଶେ ତାହା ଅନୁପଯୁକ୍ତ ।
ପୁଣି ସ୍ୱୀକାର କରାଯାଉ ଯେ ଭାରତବର୍ଷ ଇଉରୋପ ମହାଦେଶର ଏକ ଭାଷାଭାଷୀ କୌଣସି ବିରାଟ ଦେଶ ସହିତ ସମାନ ନୁହେ; କିନ୍ତୁ ବିଭିନ୍ନ ଜାତି ଓ ବିଭିନ୍ନ ଭାଷା ଥିବା ସମସ୍ତ ଇଉରୋପ ମହାଦେଶ ସହିତ ଏହା ସମାନ । ତଥାପି ଭାଷାଗତ ସାମଞ୍ଜସ୍ୟ ଉପରେ ପ୍ରତିଷ୍ଠିତ ନ ହେଲେ ହେଁ ଚିନ୍ତାସାମ୍ୟ ଥିବା ଏକ ସାଧାରଣ ସଭ୍ୟତା ଇଉରୋପର ରହିଛି ।
ଇଉରୋପୀୟ ସଂସ୍କୃତିର ପ୍ରାଥମିକ ସ୍ତରରେ ସମସ୍ତ ଇଉରୋପବ୍ୟପୀ ଶିକ୍ଷାର ମାଧ୍ୟମ ଥିଲା ଲାଟିନ୍ ଭାଷା । ସେ ସମୟ ହେଉଛି ତା'ର ବୌଦ୍ଧିକ ଜୀବନର କାଳିକାବସ୍ଥା ଏବଂ ସେତେବେଳେ ଆତ୍ମପ୍ରକାଶର ସମସ୍ତ ପାଖୁଡ଼ାଗୁଡ଼ିକ ଗୋଟିଏ ବିନ୍ଦୁରେ ମୁଦ୍ରିତ ହୋଇ ରହିଥିଲା । କିନ୍ତୁ ତା'ର ମାନସିକ ବିକାଶର ପରିପୂର୍ଣ୍ଣତା ଗୋଟିଏ ସାହିତ୍ୟିକ ମାଧ୍ୟମ ଦ୍ୱାରା ସାଧିତ ହୋଇ ନ ଥିଲା । ଯେତେବେଳେ ୟୁରୋପୀୟ ଦେଶସମୂହ ପ୍ରତ୍ୟେକେ ନିଜ ନିଜର ସ୍ୱତନ୍ତ୍ର ଭାଷାର ଅଧିକାରୀ ହୋଇଥିଲେ ସେତେବେଳେ ହିଁ ପାଶ୍ଚାତ୍ୟ ଜଗତର ବିଭିନ୍ନ ସଂସ୍କୃତିର ବାସ୍ତବ ମିଳନ ସମ୍ଭବ ହୋଇଥିଲା । ଚିନ୍ତା ପ୍ରଣାଳୀର ପାର୍ଥକ୍ୟ ଦ୍ୱାରା ହିଁ ୟୁରୋପର ଭାବ ବାଣିଜ୍ୟ ଏତେ ପ୍ରଚୁର ପରିମାଣରେ ସମୃଦ୍ଧ ଏବଂ ଏତେ ବିଚିତ୍ର ରୂପରେ ସକ୍ରିୟ ହୋଇ ଉଠିଲା । ଏହା ସତ୍ୟ ଯେ ସ୍ୱଭାବଗତ ପାର୍ଥକ୍ୟ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠିତ ହେଲେ ପ୍ରକୃତ ଐକ୍ୟ ସାଧିତ ହୋଇଥାଏ । କିନ୍ତୁ କୁତ୍ରିମ ସାମଞ୍ଜସ୍ୟର ପ୍ରତିଷ୍ଠା ଆମ୍ଭମାନଙ୍କୁ ପ୍ରାଣଶୂନ୍ୟତା ଆଡ଼କୁ ନେଇଯାଏ । ଫ୍ରାନ୍ସ, ଇଟାଲୀ, ଜର୍ମାନୀ ଓ ଇଂଲଣ୍ଡ ଯଦି ନିଜର ପୃଥକ୍ କର୍ତ୍ତୃତ୍ୱର ବ୍ୟକ୍ତିଗତ ଉପାର୍ଜନ ସାଧାରଣ ଅର୍ଥକୋଷକୁ ଦାନ ନ କରନ୍ତି, ଇଉରୋପ ସଭ୍ୟତାର କିପରି କ୍ଷତି ଘଟିବ ତାହା ଆମେ ସହଜରେ ଅନୁମାନ କରି ପରିବା । ସେଥିପାଇଁ ଜର୍ମାନୀର ସଂସ୍କୃତି ଯେତେବେଳେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରିଥିଲା, ତାହାକୁ ଏକ ବିରାଟ ବିପତ୍ତି ବୋଲି ମନେ କରି ସମଗ୍ର ଇଉରୋପ ତାହାର ପ୍ରତିରୋଧ ସେତେବେଳେ କାହିଁକି କରିଥିଲା ତାହା ସମସ୍ତେ ଆମେ ଜାଣୁ ।
ଦିନ ଥିଲା ଯେତେବେଳେ ଭାରତରେ ମଧ୍ୟ ସଂସ୍କୃତିର ସାଧାରଣ ମାଧ୍ୟମ ଥିଲା ସଂସ୍କୃତ ଭାଷା । କିନ୍ତୁ ତା’ର ଭାବ ବିନିମୟର ପରିପୂର୍ଣ୍ଣତା ପାଇଁ ପ୍ରତ୍ୟେକ ଭାଷା ପୂର୍ଣ୍ଣ ଶକ୍ତିର ଅଧିକାରୀ ହେବା ବାଞ୍ଛନୀୟ ଏବଂ ପ୍ରତ୍ୟେକ ଜାତିର ସ୍ୱତନ୍ତ୍ର ପ୍ରତିଭା ତା'ର ଭାଷା ମଧ୍ୟରେ ଅଭିବ୍ୟକ୍ତ ହେବା ଆବଶ୍ୟକ । ଏକ ବିଦେଶୀ ଭାଷା ସାହାଯ୍ୟରେ ତାହା ସାଧିତ ହେବା ସମ୍ଭବ ନୁହେ । କାରଣ ତାର ନିଜସ୍ୱ ଓ ସ୍ୱତନ୍ତ୍ର ଆନୁସାଙ୍ଗିକତା ରହିଛି ଏବଂ ତାହା ଦ୍ୱାରା ଆମର ଚିନ୍ତା ଓ ସୃଷ୍ଟିର ସ୍ୱାଧୀନତା ଆବଦ୍ଧ ହେବା ସ୍ୱାଭାବିକ । ଇଂରାଜୀ ଭାଷାର ବ୍ୟବହାର ଫଳରେ ଆମର ମନ ପ୍ରେରଣାର ମୂଳ ଉତ୍ସ ସନ୍ଧାନ କରିବା ପାଇଁ ସ୍ୱଭାବତଃ ପଶ୍ଚିମାଭିମୁଖୀ ହୋଇଥାଏ, କିନ୍ତୁ ତା ସହିତ ଆମେ କେବେ ହେଲେ ଆନ୍ତରିକ ସମ୍ପର୍କ ସ୍ଥାପନ କରି ନ ପାରୁ । ସେଥିପାଇଁ ଆମର ଶିକ୍ଷା କୌଣସି ଫଳ ପ୍ରସବ କରିବାକୁ ଅସମର୍ଥ । ଯଦିବା ପ୍ରସବ କରେ ସେଗୁଡ଼ିକ ଅସଂଲଗ୍ନ ଓ ଆକୃତିହୀନ ହୋଇଥାନ୍ତି । ତେଣୁ ଭାଷା-ବୈଷମ୍ୟ ସକାଶେ ଆମେ ଆତଙ୍କିତ ହେବା ଅନୁଚିତ । ପରନ୍ତୁ ଗୋଟିଏ ସୁଦୂର ଦେଶର ଭାଷାକୁ ଧାର କରି, ଆମ ସଂସ୍କୃତିର ପ୍ରକାଶ ମଧ୍ୟମରୁପେ ବ୍ୟବହାର କରିବା କିପରି ନିଷ୍ଫଳ ଏବଂ ତଦ୍ଦ୍ୱାରା ଆମର ଜୀବନ ପ୍ରଭାବ କିପରି ଅଗଭୀର ଓ ଆବଦ୍ଧ ହୋଇଯିବ, ସେଥିପ୍ରତି ସଚେତନ ରହିବ କର୍ତ୍ତବ୍ୟ ।
ତେଣୁ ଭାରତୀୟ ବିଦ୍ୟାପୀଠ ବର୍ତ୍ତମାନର ବିଶ୍ୱବିଦ୍ୟାଳୟ ନିୟନ୍ତ୍ରିତ ସ୍କୁଲ କଲେଜମାନଙ୍କଠାରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ହେବା ଉଚିତ । ଏହି ଅକର୍ମା କଳଗୁଡ଼ିକ ଆମର ଆଇନ ଅଦାଲତ, ଅଫିସ୍, କଏଦୀଖାନା, ଅନାଥାଶ୍ରମ ଓ ସଭ୍ୟତାର ଅନ୍ୟାନ୍ୟ ବହିଃକକ୍ଷଗୁଡ଼ିକ ମଧ୍ୟରେ ହୀନ ସ୍ଥାନଲାଭ କରନ୍ତୁ ।
ଆମ ଦେଶ ଯଦି ଛାୟା ଓ ଫଳ ଲାଭ କରିବାକୁ ଚାହେ, ତାହା ହେଲେ ଏହି ଇଟା ଚୂନ ସୁରକିର ସୌଧ ନିର୍ମାଣକାର୍ଯ୍ୟ ବନ୍ଦ ହେବା ଉଚିତ । ଆମେ କାହିଁକି ଆଜି ଦୃଢ଼ ଶପଥ ଗ୍ରହଣ ନ କରିବା ଯେ ବୈଦିକ ଯୁଗର ଅରଣ୍ୟାଶ୍ରମ, ବୌଦ୍ଧ ଯୁଗର ନାଳନ୍ଦା ଓ ତକ୍ଷଶୀଳା ଏବଂ ଏପରି କି ଆଜିର ଏହି ଅଧଃପତିତ ଯୁଗରେ ମଧ୍ୟ ଟୋଲ ଓ ପାଠଶାଲାଗୁଡ଼ିକ ପରି ଶିକ୍ଷକଙ୍କ ନିକଟରେ ଆସି ପରିଵୃତ୍ତ ହେଉଥିବା ଛାତ୍ରମାନଙ୍କଭଳି ଆମର ପ୍ରାଣଶକ୍ତିକୁ ସ୍ୱାଭାବିକ ସ୍ୱାଭାବିକ ଗତିରେ ପରିଚାଳିତ କରିବା ?
ଏହାକୁ ଗୋଟିଏ ବିଶ୍ୱବିଦ୍ୟାଳୟ ବୋଲି କହିବାକୁ ମଧ୍ୟ ଆମ୍ଭେ ସାବଧାନ ହେବା ଉଚିତ । କାରଣ ଏହି ନାମକରଣ ମଧ୍ୟ ତୁଳନା ଓ ଦୁର୍ବଳ ଅନୁକରଣ ସକାଶେ ମନରେ ଏକ ଅଦମ୍ୟ ଆଗ୍ରହ ସୃଷ୍ଟି କରିବା ସ୍ୱାଭାବିକ । ମୋର ମତ ହେଉଛି ଯେ ଦେଶରେ କୌଣସି ସ୍ଥାନରେ ଆମେ ଏପରି ଏକ କେନ୍ଦ୍ରାଭିମୁଖୀ ଶକ୍ତି ସୃଷ୍ଟି କରିବା, ଯାହାକି ଦେଶର ବିଭିନ୍ନାଂଶରୁ ଓ ବିଭିନ୍ନ ଯୁଗରୁ ଆମ ଜ୍ଞାନର ସକଳ ନିଜସ୍ୱ ଉପାଦାନ ଆକର୍ଷଣ କରି ଏକତ୍ରିତ କରିବ ଏବଂ ଫଳରେ ଭାରତୀୟ ସଂସ୍କୃତିର ଏକ ସମ୍ପୂର୍ଣ୍ଣ ଓ ଗତିଶୀଳ କକ୍ଷମଧ୍ୟ ନିର୍ମାଣ କରି ପାରିବ ।
ଏଲହାବାଦର ଗୋଟିଏ ଆଙ୍ଗ୍ଳୋଭରନାକୁଲର ସ୍କୁଲରେ ଗୋଟିଏ ଛାତ୍ରକୁ ନଦୀର ସଂଜ୍ଞା ଦେବାକୁ ପଚରାଗଲା । ସେହି ଚତୁର ଛୋଟ ପିଲାଟି ନଦୀର ପ୍ରକୃତ ସଜ୍ଞା ପ୍ରଦାନ କଲା, କିନ୍ତୁ କେଉଁ ନଦୀସବୁ ସେ ଦେଖିଚି ବୋଲି ଯେତେବେଳେ ତାକୁ ପଚରାଗଲା, ଗଙ୍ଗାଯମୁନାର ସଙ୍ଗମ ନିକଟରେ ବାସ କରୁଥିଲେ ମଧ୍ୟ ସେ କୌଣସି ନଦୀ ଦେଖି ନାହିଁ ବୋଲି ଉତ୍ତର ଦେଲା । ତା’ର ଏକ ଅସ୍ପଷ୍ଟ ଧାରଣା ଥିଲା ଯେ ତା’ର ପରିଚିତ ଜଗତ ଭୂଗୋଳରେ ଥିବା ବିରାଟ ଜ୍ଞାନ-ଜଗତ ଭଳି ହୋଇ ନ ପାରେ ଏବଂ ଏହି ତା’ର ପ୍ରତ୍ୟକ୍ଷ ଚେତନା ମାଧ୍ୟମରେ ଅତି ସହଜରେ ସେ ଅର୍ଜନ କରିଥିଲା । ପରବର୍ତ୍ତୀ ଜୀବନରେ ସେ ନିଶ୍ଚୟ ଶିକ୍ଷାଲାଭ କରିଥିବ ଯେ ଭୂଗୋଳରେ ତା'ର ନିଜ ଦେଶରେ ମଧ୍ୟ ସ୍ଥାନ ଅଛି ଏବଂ ବାସ୍ତବିକ୍ ତା’ର ନଦୀ ମଧ୍ୟ ରହିଛି । ମନେକରାଯାଉ ଯେ ଏକ ବିରାଟ ପର୍ବତମାଳା ଓ ତାର ସିନ୍ଧୁ ଗଙ୍ଗା, ବ୍ରହ୍ମପୁତ୍ର ଯେ ବୃହତ୍ ନଦୀ ଏ କଥା ନ କହିବା ପର୍ଯ୍ୟନ୍ତ ଏ ସମ୍ବାଦ ତା’ର ମାନସିକ ସମତା ନିଶ୍ଚୟ ନଷ୍ଟ କରିଦେବ ଏବଂ ଯେଉଁ ଆତ୍ମଗ୍ଲାନି ଏ ପର୍ଯ୍ୟନ୍ତ ସେ ପୋଷଣ କରିଥିଲା ତା'ର ପ୍ରତିକ୍ରିୟା ଫଳରେ ସେ ସହସା ରୁକ୍ଷ ଭାବରେ ଚିତ୍କାର କରିଉଠିବ ଯେ ଅନ୍ୟାନ୍ୟ ଦେଶସମୂହ କେବଳ ଦେଶ ମାତ୍ର, କିନ୍ତୁ ତା’ର ଦେଶ ହିଁ ଏକମାତ୍ର ଧରାସ୍ୱର୍ଗ । ପୃଥିବୀ ସମ୍ପର୍କରେ ତା’ର ପ୍ରଥମ ଉପଲବ୍ଧି ତାର ନିଜର ଅଜ୍ଞାତ ବଶତଃ ଭ୍ରାନ୍ତ ଥିଲା । କିନ୍ତୁ ତା’ର ପରବର୍ତ୍ତୀ ଉପଲବ୍ଧି ଏହାଠୁଁ ଅଧିକ ଖରାପ ଏବଂ ତାର ସେହି ମିଥ୍ୟା ଧାରଣା, କୁତ୍ରିମ ନିର୍ବୋଧତା ପାଇଁ ଅଧିକ ହାସ୍ୟାସ୍ପଦ ।
ଆମ ଭାରତୀୟ ସଂସ୍କୃତି କ୍ଷେତ୍ରରେ ତାହାହିଁ ଘଟୁଛି । ଆମ ଅଧ୍ୟୟନ ପ୍ରଣାଳୀରେ ଅନେକ ଶୂନ୍ୟସ୍ଥାନ ରହିଯାଇଥିବାରୁ ଆମେ ଧରିନେଉଛୁ ଯେ ଭାରତବର୍ଷର ସଂସ୍କୃତି ବୋଲି କିଛି ନ ଥିଲା, କିମ୍ବା ଯଦିବା ଥିଲା, ସେଭଳି ସଂସ୍କୃତି ଅନ୍ୟ କାହାରି ନ ଥିଲା । ତା ପାରେ ଆମେ ଯେତେବେଳେ ଜଣେ ବିଦେଶୀ ପଣ୍ଡିତ ମୁହଁରୁ ଭାରତୀୟ ସଂସ୍କୃତିର ପ୍ରଶଂସା ଶୁଣୁ, ସେତେବେଳେ ଆମ ଭିତରେ ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଏ ଏବଂ ଆମେ ଆକାଶ କମ୍ପାଇ ଚିତ୍କାର କରୁଁ ଯେ ଅନ୍ୟ ସମସ୍ତ ସଂସ୍କୃତି ହେଉଛି ମାନବଧର୍ମୀ । କେବଳ ଆମରି ହେଉଛି ସ୍ୱର୍ଗୀୟ, କିନ୍ତୁ ଆମର ସ୍ମରଣ ରଖିବା ଉଚିତ ଯେ ସ୍ୱତନ୍ତ୍ର ସୃଷ୍ଟିର ମତବାଦ ଆଜି ପୁରୁଣା ହୋଇଗଲାଣି, ଏବଂ ଗୋଟିଏ ଦୈବାନୁଗୃହୀତ ଜାତିର ଧାରଣା ଏକ ଅସଭ୍ୟ ଯୁଗର ଧାରଣା ବୋଲି ପରିଗଣିତ ହେଲାଣି । ଆଧୁନିକ ଯୁଗରେ ଆମେ ଉପଲବ୍ଧି କରିବାକୁ ସମର୍ଥ ଯେ ଗୋଟିଏ ନିର୍ଦ୍ଧିଷ୍ଟ ସଂସ୍କୃତି ଯଦି ସମ୍ପୂର୍ଣ୍ଣଭାବରେ ସାର୍ବଭୌମିକତାରୁ ବିଛିନ୍ନ ହୁଏ ତାହା ସତ୍ୟ ହୋଇ ନ ପାରେ । କେବଳ ନିଃସଙ୍ଗ କକ୍ଷ ମଧ୍ୟରେ ବନ୍ଦୀ ହୋଇଥିବା ଜଣେ କୟେଦୀ ହିଁ ପୃଥିବୀଠାରୁ ସମ୍ପର୍କହୀନ । ଯେଉଁ ବ୍ୟକ୍ତି ପ୍ରଚାର କରେ ଯେ ଭାରତବର୍ଷ ନିୟତି ଦ୍ୱାରା ଘୃଣିତ ହୋଇ ଜ୍ଞାନ ଜଗତରେ ଏକ ନିର୍ଜନ କକ୍ଷ ମଧ୍ୟରେ ବନ୍ଦୀ, ସେ କେବେ ତାକୁ ଗୌରବାନ୍ୱିତ କରେ ନା, ଆମ ସଂସ୍କୃତିର ଦୁର୍ବଳତା ଓ ଅନ୍ଧବିଶ୍ୱାସ ଯେ ରହିଛି, ତାହା ସହଜରେ ଦେଖାଇ ଦିଆଯାଇପାରେ । କିନ୍ତୁ ଇଉରୋପୀୟ ସଂସ୍କୃତିରେ ମଧ୍ୟ ତାହା ରହିଛି ଏବଂ ଏପରି କି ତାହାର ରାଜନୀତି ବିଜ୍ଞାନ ମଧ୍ୟ ତଦ୍ଦ୍ୱାରା ପରିପୂର୍ଣ୍ଣ, ତଥାପି ସେଗୁଡ଼ିକ ଏତେ ମାରାତ୍ମକ ନୁହନ୍ତି, କାରଣ ସର୍ବଦା ଗତିଶୀଳ ହୋଇଥିବାରୁ ଇଉରୋପର ଜାତିଭେଦ ଯେପରି ଏତେ ନିର୍ଯାତକ ବୋଲି ଅନୁଭୂତ ହୁଏ ନା, ଠିକ୍ ସେହିଭଳି ସେଗୁଡ଼ିକର ସ୍ୱଭାବ ମଧ୍ୟ ଗତିଧର୍ମୀ ଓ ପରିବତ୍ତନଶୀଳ ହୋଇଥିବାରୁ ଏପରି ଉତ୍କଟ ବୋଲି ମନେହୋଇ ନ ଥାନ୍ତି ।
କେବଳ ଅତି ଅଳ୍ପଦିନ ତଳେ ଏକ ବୈଜ୍ଞାନିକ ମନ୍ତ୍ରର କୁହେଳିକା ମାଧ୍ୟମରେ ଇଉରୋପ ସମଗ୍ର ବିଶ୍ୱକୁ ଦେଖିବାକୁ ଆରମ୍ଭ କଲା ଏବଂ ସେ ମନ୍ତ୍ର ହେଉଛି ‘‘ଜୀବନ ସଂଗ୍ରାମ’’ । ଏହା ତା’ର ଦୃଷ୍ଟିକୁ ଅନୁରଞ୍ଜିତ କରିବା ସଙ୍ଗେ, ତାର ମତବାଦକୁ ମଧ୍ୟ ନିର୍ଦ୍ଧାରଣ କରିଦେଲା, ଆମେ ମଧ୍ୟ ଜଣେ ଆଜ୍ଞାବହ ଛାତ୍ର ଭଳି ଇଉରୋପ ନିକଟରୁ ଏହି କଥାଟି ଗ୍ରହଣ କଲୁ ଏବଂ ଏଠି ପ୍ରତି ଅବିଶ୍ୱାସକୁ ଆମ ଶିକ୍ଷାର ଅପୂର୍ଣ୍ଣତାର ଏକ ନିଦର୍ଶନ ବୋଲି ମନେକଲୁ; କିନ୍ତୁ ଏହି ମତବାଦର ପରିବର୍ତ୍ତନର ଏକ ସୂଚନା ଦେଖାଗଲାଣି ଏବଂ ଏହା ପ୍ରମାଣିତ ହେଉଛି ଯେ ପ୍ରାକୃତିକ ନିର୍ବାଚନ ମୂଳରେ ଯେଉଁ ଗୁଣାତ୍ମକ ଶକ୍ତି କାମ କରୁଛି ତାହାହିଁ ସମ୍ମିଳିତ କରିବାର ସହାନୁଭୂତିମୂଳକ ଶକ୍ତି ।
ଉନବିଂଶ ଶତକରେ ଅନିୟନ୍ତ୍ରିତ ପ୍ରତିଯୋଗିତା ହୀନ ରାଜନୀତିକ ଅର୍ଥନୀତିର ଥିଲା ଏକ ବାର୍ତ୍ତା, କିନ୍ତୁ ବିଂଶ ଶତାବ୍ଦୀର ତାହା ସମବାୟ ନୀତିରେ ପରିବର୍ତ୍ତିତ ହେବାର ଉଦ୍ୟମ ପରିଲକ୍ଷିତ ହେଉଛି । ଦିନ ଥିଲା ଯେତେବେଳେ ଆମେ ଭରତବର୍ଷରେ ମଧ୍ୟ ଜୀବନର ସମସ୍ୟା ସମ୍ପର୍କରେ ସ୍ୱାଧୀନ ଭାବରେ ନାନାପ୍ରକାର ଚିନ୍ତା ଓ ପରୀକ୍ଷା କରିଥିଲୁଁ ଏବଂ ଯେଉଁ ସମାଧାନ ଆମେ ପହଞ୍ଚିଥିଲୁ, ଇଉରୋପୀୟ ସମାଧାନ ସହିତ ତାହାର ସାମ୍ୟ ନ ଥିବାରୁ ତାକୁ ଆଜି ଅବହେଳା କରାଯାଇ ନ ପାରେ, କିନ୍ତୁ ସେଗୁଡ଼ିକ ସ୍ଥାଣୁ ନ ହୋଇ ମନୁଷ୍ୟର ଆବିଷ୍କାରର ଶୋଭାଯାତ୍ରାରେ ଯୋଗଦାନପୂର୍ବକ ଜୀବନର ଜୟଯାତ୍ରା ସହିତ ଗତି କରିବା ଆବଶ୍ୟକ ।
ଦୀର୍ଘକାଳ ଧରି ଆମେ ଆମର ସଂସ୍କୃତିକୁ ନିଜ ଦେଶର ସଂସ୍କୃତ ପାଠଶାଳା ମଧ୍ୟରେ ବନ୍ଦୀ କରି ତାହାକୁ ସମାଜ ବାସନ୍ଦ କଲାଭଳି ରଖିଅଛୁ । ଅଯଥା ସମ୍ମାନ ଯେଉଁ ଅସ୍ପୃଶ୍ୟତା ସୃଷ୍ଟି କରେ ତାହା ଅଯଥା ଘୃଣା ଦ୍ୱାରା ସୃଷ୍ଟି ହେଉଥିବା ଅସ୍ପୃଶ୍ୟତାଠାରୁ କୌଣସି ଗୁଣରେ ଉଣା ନୁହେ । ସମୟ ଥିଲା ଯେତେବେଳେ ଅତ୍ୟଧିକ ସମ୍ମାନ ଫଳରେ ଜାପାନର ମିକାଦୋ ନିଜ ରାଜପ୍ରାସାଦ ମଧ୍ୟରେ ପ୍ରାୟ ଜଣେ ବନ୍ଦୀର ଜୀବନଯାପନ କରୁଥିଲେ ଏବଂ ଫଳରେ ତାଙ୍କ ବଦଳରେ ସୋଗାନ ଥିଲେ ପ୍ରକୃତ ଶାସକ, କିନ୍ତୁ ପରେ ଯେତେବେଳେ ପ୍ରକୃତ ଶାସନର ଆବଶ୍ୟକତା ସେ ଅନୁଭବ କରିଥିଲେ, ସେତେବେଳେ ତାଙ୍କର ନିର୍ଜ୍ଜନ କକ୍ଷରୁ ତାଙ୍କୁ ସାଧାରଣ ରାଜପଥକୁ ଆଣିବାକୁ ପଡ଼ିଥିଲା । ଆମ ସଂସ୍କୃତି ପାଠଶାଳାର ସଂସ୍କୃତି ମଧ୍ୟ ଠିକ୍ ସେହିପରି ଥିଲା । ଏହା ନିଜ ମଧ୍ୟରେ ସୀମାବଦ୍ଧ ହେବା ସଙ୍ଗେ ଅନ୍ୟ ସକଳ ସଂସ୍କୃତିକୁ ଘୃଣା ସହିତ ଅବହେଳା କରୁଥିଲା । ଏହାକୁ ଏପରି ଉଚ୍ଛ୍ୱସିତ ପ୍ରଶଂସା କରାଯାଉଥିଲା ଯେ, ସତେ ଯେପରି ଏହା ବ୍ରହ୍ମାଙ୍କ ମୁଖ ନିଃସୃତ ବା ଶିବଙ୍କ ଜଟାରୁ ପ୍ରବାହିତ ଏବଂ ସେଥିପାଇଁ ପୃଥିବୀର ଯେକୌଣସି ଜ୍ଞାନ ଅପେକ୍ଷା ମହତ୍ତମ ଓ ସ୍ୱର୍ଗୀୟ, ସୁତରାଂ ସାଧାରଣ ଲୋକଙ୍କ ସ୍ପର୍ଶ ଦ୍ୱାରା ଏହା କାଳେ ଅପବିତ୍ର ହୋଇଯିବ, ସେଥିସକାଶେ ଏହା ସ୍ୱତନ୍ତ୍ର ଭାବେ ସୁରକ୍ଷିତ ହେଉଥିଲା । ଆମ ସଂସ୍କୃତିର ଅବସ୍ଥା ମଧ୍ୟ ଠିକ୍ ଏହି ମିକାଦୋଙ୍କ ପରି । ମାତ୍ର ବିଦେଶୀ ସଂସ୍କୃତି ନିଜର ଗତି, ବିକାଶ ଓ ମାନବିକତାର ପୂର୍ଣ୍ଣ ସ୍ୱାଧୀନତା ଦ୍ୱାରା ଶକ୍ତି ସଂଚୟ କରି ନିଜର ଆଧିପତ୍ୟ ଏ ଦେଶରେ ବିସ୍ତାର କରିଥିଲା ।
ଆମର ସମ୍ମାନବୋଧ ଜଣକ ପାଇଁ ସଂରକ୍ଷିତ ହୋଇଛି, କିନ୍ତୁ ଆମର ସକଳ ରାଜସ୍ୱ ଆମେ ଅନ୍ୟଜଣକୁ ପ୍ରଦାନ କରୁଛି । ଆମେ ଘରେ ବସି ଦ୍ୱିତୀୟ ବ୍ୟକ୍ତିକୁ ଭୀଷଣ ଭର୍ତ୍ସନା କରି ପାରୁ, କିମ୍ବା ଏହାର ଅଧୀନତା ସ୍ୱୀକାର କରିଥିବାରୁ ନୀରବରେ ବିଳାପ କରି ପାରୁ, ଅନ୍ୟ ଦିଗରେ କିନ୍ତୁ ଆମେ ନିଜ ସ୍ତ୍ରୀର ଅଳାଙ୍କାରପତ୍ର ବିକ୍ରିକରି ଓ ଆମର ପୈତୃକ ଗୃହକୁ ବନ୍ଧାଦେଇ ନିଜର ପିଲାମାନଙ୍କୁ ଏହାର ଦରବାରକୁ ପଠାଇଥାଉଁ । ଆମର ସଂସ୍କୃତିକୁ ଏପରି ସ୍ୱର୍ଣ୍ଣଶିକୁଳିରେ ଆବଦ୍ଧ ରଖି କେବଳ ସମ୍ମାନ ପ୍ରଦର୍ଶନ କଲେ ଚଳିବ ନାହିଁ । ସମସ୍ତ କୁତ୍ରିମ ବନ୍ଧନ ଭାଙ୍ଗିଯିବାର ଯୁଗ ଆଜି ଆସିଛି । ଯାହା ମୌଳିକଭାବରେ ବିଶ୍ୱ ସହିତ ସଂଲଗ୍ନ, ତାହାହିଁ କେବଳ ବଞ୍ଚିରହିବ । ଜୀବନର ସାଧାରଣ ମାର୍ଗର ବହିର୍ଭୁତ ବୈଶିଷ୍ଟ୍ୟର କୌଣସି ଗହ୍ୱର ମଧ୍ୟରେ ଯେ ନିଜର ନିରାପତ୍ତା ସନ୍ଧାନ କରେ, ତାହାର ଧ୍ୱଂସ ଅନିବାର୍ଯ୍ୟ, ଶିଶୁର ଲାଳନ କକ୍ଷ ନିର୍ଜନ ଓ ତା’ର ଦୋଳି ନିରାପଦ ହେବ ଆବଶ୍ୟକ, କିନ୍ତୁ ଶିଶୁ ବଢ଼ିଯିବା ପରେ ସେହି ନିର୍ଜନ ପରିବେଶ ଯଦି ରକ୍ଷା କରାଯାଏ ତାହାହେଲେ ଦେହ ଓ ମନରେ ସେ ଦୁର୍ବଳ ହୋଇଯାଏ ।
ସମୟ ଥିଲା ଯେତେବେଳେ ଚୀନ, ପାରସ୍ୟ, ଇଜିପ୍ଟ, ଗ୍ରୀସ ଓ ରୋମ ପ୍ରତ୍ୟେକେ ନିଜର ସଭ୍ୟତାକୁ ଅନ୍ୟମାନଙ୍କ ତୁଳନାରେ ଅଧିକ ନିର୍ଜ୍ଜନତା ମଧ୍ୟରେ ଲାଳନପାଳନ କରିବାକୁ ଯତ୍ନ କରିଥିଲେ । ପ୍ରତ୍ୟେକର ବିଶ୍ୱ ପରିମାପର ମାନଦଣ୍ଡ ଥିଲା ସ୍ୱତନ୍ତ୍ର, ଏବଂ ପ୍ରତ୍ୟେକେ ନିଜର ବ୍ୟକ୍ତି ସ୍ୱାତନ୍ତ୍ର୍ୟର ରକ୍ଷାକାରୀ ଆବରଣ ମଧ୍ୟରେ ଶକ୍ତି ସଞ୍ଚୟ କରିଥିଲେ । ବର୍ତ୍ତମାନ ସମବାୟ ଓ ସମନ୍ୱୟର ଯୁଗ ଆସିଛି । ଯେଉଁ ଚାରା ଗଛଗୁଡ଼ିକ ନିଜର ବେଢ଼ାମଧ୍ୟରେ ପାଳିତ ହେଉଥିଲେ, ସେଗୁଡ଼ିକ ଆଜି ଖୋଲା ଜମିରେ ରୋପିତ ହେବ ଆବଶ୍ୟକ । ଯଦି ଆଜି ସେଗୁଡ଼ିକର ଚରମ ମୂଲ୍ୟ ପାଇବାକୁ ଆଶା ଥାଏ, ତା'ହେଲେ ସେଗୁଡ଼ିକୁ ସମସ୍ତ ପୃଥିବୀର ବଜାର ଦରର ସମ୍ମୁଖୀନ ହେବାକୁ ପଡ଼ିବ ।
ତେଣୁ ଆମେ ପୃଥିବୀର ବିଭିନ୍ନ ସଂସ୍କୃତିର ସମନ୍ୱୟ ଓ ଆଦାନପ୍ରଦାନ ପାଇଁ ଏକ ବିରାଟ କ୍ଷେତ୍ର ଆଜି ପ୍ରସ୍ତୁତ କରୁଛୁଁ । ତୁଳନାତ୍ମକ ଅଧ୍ୟୟନ ମାଧ୍ୟମରେ ଜ୍ଞାନର ଏହି ସମାଧାନ ଓ ଚିନ୍ତା ସମବାୟର ଏହି ପ୍ରଗତି ଆଗାମୀ ଯୁଗର ପ୍ରଧାନ ସ୍ୱର ହେବା ଆବଶ୍ୟକ । କାଳ୍ପନିକ ନିରାପତ୍ତାର ଏକ ଆଶ୍ରୟ କକ୍ଷ ମଧ୍ୟରେ ଆମେ ନିଜର ପବିତ୍ର ସ୍ୱାତନ୍ତ୍ର୍ୟକୁ ଆବୃତ୍ତ ରଖିବାକୁ ଚେଷ୍ଟା କରି ପାରୁ, କିନ୍ତୁ ଆମର ଆଶ୍ରୟସ୍ଥଳୀ ଅପେକ୍ଷା ପୃଥିବୀ ବଳବତ୍ତର ବୋଲି ପ୍ରମାଣିତ ହେବ । ତେଣୁ ପୃଥିବୀର ଅନ୍ୟାନ୍ୟ ସଂସ୍କୃତି ସହିତ ସହଯୋଗୀ ବା ପ୍ରତିଦ୍ୱନ୍ଦୀ ହେବାର ସାମର୍ଥ୍ୟ ଅର୍ଜନ କରିବା ପୂର୍ବରୁ ଭାରତବର୍ଷକୁ ଆସିଥିବା ବିଭିନ୍ନ ଉପାଦାନର ସମନ୍ୱୟ ସାଧନ ଦ୍ୱାରା ଆମେ ନିଜର ସଂସ୍କୃତି ପ୍ରଥମେ ନିର୍ମାଣ କରିବା ଆବଶ୍ୟକ । ଏହିପରି ଏକ କେନ୍ଦ୍ରସ୍ଥଳରେ ଛିଡ଼ାହୋଇ ଆମେ ଯଦି ପାଶ୍ଚାତ୍ୟ ଜଗତ ଆଡ଼କୁ ଦୃଷ୍ଟି ଦେଉଁ, ତାହାହେଲେ ଆମର ଦୃଷ୍ଟି ସ୍ତବ୍ଧ ବା ସନ୍ତ୍ରସ୍ତ ନ ହୋଇ ଶିର ଉନ୍ନତ ହେବା ସ୍ୱାଭାବିକ । କାରଣ ନିଜର ଗୋଟିଏ ସୁବିଧାଜନକ ସ୍ଥାନରୁ ସତ୍ୟ ପ୍ରତି ଦୃଷ୍ଟି ଦେବାକୁ ଆମେ ସେତେବେଳେ ସମର୍ଥ ହେବୁ ଏବଂ ଉଦାର ପୃଥିବୀ ସମ୍ମୁଖରେ ଚିନ୍ତାର ଏକ ନୂତନ ଦୃଷ୍ଟି ସୃଷ୍ଟି କରି ପାରିବୁଁ ।
ବୌଦ୍ଧିକ ଜୀବନ ପାଇଁ ପ୍ରତ୍ୟେକ ବିରାଟ ଦେଶର ନିଜସ୍ୱ ପ୍ରାଣ କେନ୍ଦ୍ର ରହିଛି । ସେଠାରେ ଶିକ୍ଷାର ଏକ ଉନ୍ନତ ମନ ନିର୍ଦ୍ଧାରଣ ଏବଂ ସ୍ୱାଭାବିକ ବାତାବରଣ ମଧ୍ୟରେ ଲୋକମାନେ ନିଜର ଯୋଗ୍ୟତାର ପରିଚୟ ମଧ୍ୟ ପ୍ରଦାନ କରିଥା'ନ୍ତି । ଦେଶର ସଂସ୍କୃତିକୁ ଦାନ କରିବା ସଙ୍ଗେ ତ୍ୟାଗର ଯେଉଁ ହୋମାନଳ ସେମାନେ ପ୍ରଜ୍ଜ୍ୱଳିତ କରିଥାନ୍ତି ତାହା ଚତୁର୍ଦ୍ଦିଗରେ ପବିତ୍ର ଜ୍ୟୋତି ବିକିରଣ କରିଥାଏ ।
ଏହି ଭଳି ପ୍ରାଣ-କେନ୍ଦ୍ର ଥିଲେ ଏଥେନ୍ସ ଓ ରୋମ, ଏବଂ ଆଜି ସେହିପରି ଏକ ପ୍ରାଣ-କେନ୍ଦ୍ର ହେଉଛି ପାରିସ୍ । ବହୁଦିନ ଧରି ଆମ ସଂସ୍କୃତି ଚର୍ଚ୍ଚାର ମଧ୍ୟ କେନ୍ଦ୍ର ଥିଲା ବାରଣାସୀ ଏବଂ ଆଜି ମଧ୍ୟ ତାହା ରହିଛି, କିନ୍ତୁ କେବଳ ମାତ୍ର ସଂସ୍କୃତି ଚର୍ଚ୍ଚା ଦ୍ୱାରା ଭାରତୀୟ ସଂସ୍କୃତିର ସକଳ ଉପାଦାନ ସହିତ ପରିଚିତ ହେବା ଅସମ୍ଭବ । ଅନେକ ଲୋକ ଯାହା ଧାରଣା କରିଥାନ୍ତି ସେହି ଧାରଣାକୁ ହୀନ ସତ୍ୟ ବୋଲି ଗ୍ରହଣ କରି ନିଆଯାଉ ଯେ ଆମର ଆଧୁନିକ ଯୁଗରେ ଏକମାତ୍ର ଇଉରୋପୀୟ ସଂସ୍କୃତି ହୀନ ଯଥାର୍ଥ ସଂସ୍କୃତି ପଦବାଚ୍ୟ । ତା’ପରେ ଆମ ମନରେ ପ୍ରଶ୍ନ ଆସେ, ଏହି ସଂସ୍କୃତିର କୌଣସି ସ୍ୱାଭାବିକ କେନ୍ଦ୍ର ଭାରତବର୍ଷରେ ରହିଛି କି ? ଏହାର ଉତ୍ତରରେ କୁହାଯାଇ ପାରେ, ସେଭଳି ଭାରତବର୍ଷରେ ନାହିଁ, କେବେ ମଧ୍ୟ ହୋଇପାରେ ନା; କାରଣ ଇଉରୋପୀୟ ସଂସ୍କୃତିର ଚିରନ୍ତନ ପ୍ରାଣକେନ୍ଦ୍ର ସେହି ଇଉରୋପରେ ହିଁ ରହିବା ସୁନିଶ୍ଚିତ । ଆଜି ତାହାକୁ ଯଦି ଆମ ଜୀବନର ଏକମାତ୍ର ଅବଲମ୍ବନ ବୋଲି ଗ୍ରହଣ କରିବା, ତାହା ଠିକ୍ ଆମର ନିଦ୍ରାଭଙ୍ଗ ସକାଶେ ନିଜ ସୂର୍ଯ୍ୟ ଉପରେ ନିର୍ଭର ନ କରି ଏକ ବିଦେଶୀ ତାରକା ଉପରେ ନିର୍ଭର କରିବା ଭଳି ହେବ । ଏଭଳି ଏକ ତାରକା ଆମକୁ ଆଲୋକ ଦେଇପାରେ, କିନ୍ତୁ ତଦ୍ଦ୍ୱାରା ଦିବସ ସୃଷ୍ଟି ହୁଏ ନା, ଆମ ଅବିଷ୍କାରର ଯାତ୍ରାରେ ଦିଗ ନିର୍ଣ୍ଣୟ କରିବା ପାଇଁ କରିବା ପାଇଁ ଏହା ସହାୟକ ହୋଇ ପାରେ, କିନ୍ତୁ ଆମ ସମ୍ମୁଖରେ ସତ୍ୟର ସମ୍ପୂର୍ଣ୍ଣଦୃଶ୍ୟ ଉଦ୍ଘାଟନ ଏହା କେବେ କରି ନ ପାରେ । ପ୍ରକୃତରେ ଆମର ଅଦୃଶ୍ୟ ଗଭୀରତା ମଧ୍ୟରୁ ରସ ସଞ୍ଚୟ କରି ଜୀବନକୁ ଅନୁରଞ୍ଜିତ ଓ ବିକଶିତ କରିବା ପାଇଁ ଏହି ତାରକା ଜ୍ୟୋତିକୁ ବ୍ୟବହାର କରି ନ ପାରୁଁ ।
ସେଥିପାଇଁ ଇଉରୋପୀୟ ଶିକ୍ଷା ଭାରବର୍ଷରେ ସଂସ୍କୃତି ପରିବର୍ତ୍ତେ କେବଳ ବିଦ୍ୟାଳୟ ଶିକ୍ଷାରେ ପରିଣତ ହୋଇଛି । ତାହା ଠିକ୍ ଗୋଟିଏ ନିଆଁ ପେଡ଼ି ପରି ନାନାପ୍ରକାର ବ୍ୟବହାରରେ ହୁଏତ ଲାଗୁଛି, କିନ୍ତୁ ଉପକାରିତା, ସୌନ୍ଦର୍ଯ୍ୟ ଓ ଜୀବନର ସୂକ୍ଷ୍ମ ରହସ୍ୟସମ୍ବଳିତ ଉଷାଲୋକ ପରି ତାହା ନୁହେ । ସେଥିପାଇଁ ଭାରତର ଅନ୍ତଃସ୍ୱର ଆଜି ଦେଶରେ ଏଭଳି ପ୍ରାଣ-କେନ୍ଦ୍ର ସବୁ ପ୍ରତିଷ୍ଠିତ କରିବାକୁ ଆହ୍ୱାନ କରୁଛି, ଯେଉଁଠି ସୃଷ୍ଟି ପାଇଁ ତାହାର ସକଳ ବିଜ୍ଞାନଶକ୍ତି ସଂଗୃହିତ ହେବ, ଏବଂ ପ୍ରାଚ୍ୟ ପାଶ୍ଚାତ୍ୟର ସମସ୍ତ ଜ୍ଞାନ ଓ ଚିନ୍ତାର ଉପାଦାନ ଓଉର୍ଣ୍ଣ ସମନ୍ୱୟ ମଧ୍ୟରେ ଏକତ୍ରିତ ହେବ । ସେ ବର୍ତ୍ତମାନ ତା'ର ଆଧୁନିକ ବ୍ରହ୍ମାବର୍ତ୍ତ, ଜନକଯୁଗର ମିଥିଳା ଓ ବିକ୍ରମାଦିତ୍ୟଙ୍କ ସମୟର ଉଜ୍ଜୟିନୀ ପୁଣି ସନ୍ଧାନ କରୁଛି । ସେ ଆଜି ସେହି ସୁବର୍ଣ୍ଣ ସୁଯୋଗର ସନ୍ଧାନୀ, ଯେତେବେଳେ କି ନିଜର ମନକୁ ଉପଲବ୍ଧି କରିବା ସଙ୍ଗେ ସ୍ୱାଧୀନ ଭାବରେ ପୃଥିବୀକୁ ତା’ର ଚିନ୍ତାଙ୍କଶି ଦାନ କରି ପାରିବ ଏବଂ ବିକ୍ଷିପ୍ତ ଶକ୍ତିର ବିଶୃଙ୍ଖଳା ଓ ପରସ୍ୱ ଜ୍ଞାନର କୃତ୍ରିମ ଜାଗରଣରୁ ନିଜକୁ ମୁକ୍ତ କରି ପାରିବ ।
ପରିସ୍କାର ଭାବରେ ମୁଁ କହି ରଖୁଛି ଯେ କେବଳ ଖାଲି ବିଦେଶୀ ବୋଲି ଯେ କୌଣସି ସଂସ୍କୃତି ପ୍ରତି ମୋର ଅବିଶ୍ୱାସ ରହିଛି, ତା’ ନୁହେ । ଅନ୍ୟ ଦିଗରେ ମୁଁ ବରଂ ବିଶ୍ୱାସ କରେ ଆମର ବୁଦ୍ଧିର ପ୍ରାଣ-ଶକ୍ତିକୁ ବଜାୟ ରଖିବା ପାଇଁ ବହିଃଶକ୍ତିର ଆଘାତ ପ୍ରୟୋଜନୀୟ, ଖ୍ରୀଷ୍ଟଧର୍ମର ଅଧିକାଂଶ ଭାବ କେବଳ ଯେ ଇଉରୋପର ପ୍ରାଚୀନ ପାରମ୍ପରିକ ସଂସ୍କୃତିର ପ୍ରତକୂଳ, ତା ନୁହେ; ତାହା ଇଉରୋପୀୟ ପ୍ରକୃତିର ମଧ୍ୟ ଯେ ବିରୋଧୀ ଏକଥା ଆଜି ସ୍ୱୀକୃତ । କିନ୍ତୁ ତଥାପି ଏହି ବିଜାତୀୟ ଚିନ୍ତାଧାରା ଇଉରୋପୀୟ ସ୍ୱାଭାବିକ ପ୍ରବୃତ୍ତି ବିରୁଦ୍ଧରେ ସର୍ବଦା ପ୍ରବାହିତ ହେଉଥିଲେ ହେଁ ତା’ର ସଭ୍ୟତାକୁ ବଳିଷ୍ଠ ଓ ସମୃଦ୍ଧ କରିବାରେ ପ୍ରଧାନ ସହାୟକ । ପ୍ରକୃତରେ ଏହାର ଗତିଧାରାର ପ୍ରତିକୂଳତା ହିଁ ଏହାକୁ ଅଧିକ ଫଳପ୍ରଦ କରିଛି । ପ୍ରାଚ୍ୟର ରୂପ ଓ ଭାବ ବହନ କରିଥିବା ଏହି ବିଦେଶୀ ଚିନ୍ତା ସହିତ ସଂସ୍ରବ ଫଳରେ ଇଉରୋପୀୟ ଭାଷାଗୁଡ଼ିକ ପ୍ରଥମେ ଜନ୍ମଗ୍ରହଣ କରିଥିଲେ ଏବଂ ପରିପକ୍ୱ ଶକ୍ତିର ଅଧିକାରୀ ହୋଇଥିଲେ । ଆମ ଭାରତରେ ମଧ୍ୟ ତାହା ହିଁ ଘଟୁଛି । ଇଉରୋପର ସଂସ୍କୃତି ଆମ ନିକଟକୁ କେବଳ ତା’ର ଜ୍ଞାନ ନେଇ ନୁହେ, ଗତି ବେଗ ବହନ କରି ମଧ୍ୟ ଆସିଛି । ଏପରି କି ଯେତେବେଳେ ଆମର ଆହରଣଶକ୍ତି ଅପୂର୍ଣ୍ଣ ଓ ଆମେ ପଥଭ୍ରଷ୍ଟ, ସେତେବେଳେ ମଧ୍ୟ ଗତାନୁଗତିକ ଅଭ୍ୟାସର ଜଡ଼ତା ମଧ୍ୟରୁ, ଆମର ବୌଦ୍ଧିକ ଜୀବନକୁ ଜାଗ୍ରତ କରୁଛି । ଆମର ପରମ୍ପରା ପ୍ରତି ପ୍ରତିକୂଳ ଭାବ ପ୍ରଦର୍ଶନ କଲେ ମଧ୍ୟ ତଦ୍ଦ୍ୱାରା ଆମର ଚେତନ ଶକ୍ତି ଜାଗ୍ରତ ହେଉଛି ।
କିନ୍ତୁ ମୋର ଅଭିଯୋଗ କରିବା କଥା ହେଉଛି ଯେ ଏହି ବିଦେଶୀ ଶିକ୍ଷାର କୃତ୍ରିମ ଆୟୋଜନ ହିଁ ଆମ ଜାତୀୟମନର ସକଳ ସ୍ଥାନ ଅଧିକାର କରିବାକୁ ଉନ୍ମୁଖ ଏବଂ ସତ୍ୟର ଏକ ନୂତନ ସମନ୍ୱୟ ଦ୍ୱାରା ନୂତନ ଚିନ୍ତା ସୃଷ୍ଟିର ମହତ୍ ସୁଯୋଗକୁ ଏହା ହତ୍ୟା ବା ପଙ୍ଗୁ କରି ଦେଉଛି, ଏହି କାରଣରୁ ମୁଁ ଦାବୀ କରୁଛି ଯେ ଆମ ନିଜ ସଂସ୍କୃତିର ସମସ୍ତ ଉପାଦାନଗୁଡ଼ିକୁ ଅଧିକ ବଳବତ୍ତର କରିବା ଆବଶ୍ୟକ ଏବଂ ପାଶ୍ଚାତ୍ୟ ସଭ୍ୟତାକୁ ପ୍ରତିରୋଧ ନ କରି ତାହାକୁ ଗ୍ରହଣ ଓ ଆହରଣ କରିବା ଉଚିତ । ଏହା ଆମ ପାଇଁ ବୋଝ ପରିବର୍ତ୍ତେ ଆହାର୍ଯ୍ୟ ସାମଗ୍ରୀ ହେବା ଆବଶ୍ୟକ । ପୁସ୍ତକଗତ ଜ୍ଞାନର ଧାରକ ବା ପାଠ୍ୟପୁସ୍ତକର ଚର୍ବଣକାରୀ ହେବାର ଅନୁଗ୍ରହ ଉପରେ ନ ବଞ୍ଚି ଆମେ ତାହା ଉପରେ ପ୍ରଭୂତ୍ୱ ବିସ୍ତାର କରିବା ଉଚିତ ।
ଭାରତୀୟ ସଂସ୍କୃତିର ମୁଖ୍ୟ ପ୍ରବାହ ଚାରୋଟି ଧାରାରେ ପ୍ରବାହିତ । ସେହି ଧାରାଗୁଡ଼ିକ ହେଉଛନ୍ତି ବୈଦିକ, ପୌରାଣିକ, ବୌଦ୍ଧ ଓ ଜୈନ । ଭାରତୀୟ ଚେତନାବୋଧର ଉନ୍ନତ ପ୍ରବେଶ ହିଁ ଏହି ପ୍ରବାହର ଉତ୍ପତ୍ତି ସ୍ଥଳ ।
କିନ୍ତୁ କୌଣସି ଦେଶର ଅଧିକାରଭୁକ୍ତ ହୋଇଥିବା ଗୋଟିଏ ନଦୀ କେବଳ ସେହି ଦେଶର ଜଳ ନିଜ ମଧ୍ୟରେ ଧାରଣ କରି ନ ଥାଏ । ତିକତର ବ୍ରହ୍ମପୁତ୍ର ନଦୀର ଜଳ ଭାରତର ଗଙ୍ଗାନଦୀରେ ମିଶିଛି । ଠିକ୍ ସେହିପରି ଭାରତର ମୌଳିକ ସଂସ୍କୃତିରେ ଅନ୍ୟମାନଙ୍କର ଦାନ ମଧ୍ୟ ରହିଛି । ଦୃଷ୍ଟାନ୍ତ ସ୍ୱରୂପ ମୁସଲମାନ ଜାତି ନିଜର ଅନୁଭୂତି ଓ ଜ୍ଞାନର ଭଣ୍ଡାର ଏବଂ ଧର୍ମର ଅଦ୍ଭୁତ ଗଣତାନ୍ତ୍ରିକ ଭାବ ବହନ କରି ଭାରତବର୍ଷର ବାହାରୁ ବାରମ୍ବାର ଏ ଦେଶକୁ ଆସିଛି । ଫଳରେ ଆମ ସଂସ୍କୃତିର ପ୍ରବାହରେ ମଧ୍ୟ ବହୁବାର ନୂତନ ବନ୍ୟା ଦେଖାଦେଇଛି । ଆମର ସଙ୍ଗୀତ, ସ୍ଥାପତ୍ୟ, ଚିତ୍ରକଳା ଓ ସାହିତ୍ୟ-ଜଗତକୁ ମୁସଲମାନ ଜାତିର ଦାନ ସ୍ଥାୟୀ ଓ ମୂଲ୍ୟବାନ୍ । ମୋଗଲ ଶାସନର ଯୁଗରେ ଦେଖା ଦେଇଥିବା ବିରାଟ ଧର୍ମ ଆନ୍ଦୋଳନସମୂହ ଏବଂ ମଧ୍ୟଯୁଗୀୟ ସନ୍ଥମାନଙ୍କର ଜୀବନୀ ଓ ରଚନା ଯେଉଁମାନେ ଅଧ୍ୟୟନ କରିଛନ୍ତି, ସେମାନେ ଜାଣନ୍ତି ଯେ ଆମର ଜୀବନ ସହିତ ନିବିଡ଼ ଭାବରେ ମିଶିଯାଇଥିବା ଏହି ବୈଦେଶିକ ସ୍ରୋତ ନିକଟରେ ଆମେ କିପରି ଗଭୀର ପରିମାଣରେ ଋଣୀ ।
ତା’ପରେ ପାଶ୍ଚାତ୍ୟ ସସ୍କୃତିର ବନ୍ୟା ବର୍ତ୍ତମାନ ଆମ ନିକଟରେ ଆସି ପହଞ୍ଚିଛି ଏବଂ ତାହା ନିଜର ବେଗବାନ୍ ଗତି ଦ୍ୱାରା ଅନ୍ୟସକଳ ସ୍ରୋତକୁ ଆଚ୍ଛନ୍ନ କରି ସମସ୍ତ କୂଳ ଓ ସୀମା ଲଙ୍ଘନ କରିବାକୁ ଆଜି ଉଦ୍ୟତ । ଏହାର ପ୍ରବାହ ପାଇଁ ଆମେ ଯଦି ଗୋଟିଏ ପ୍ରଣାଳୀ ଛାଡ଼ି ନ ଦେଉଁ ତା’ହେଲେ ଏହାର ବନ୍ୟା କୋପରୁ ଆମେ ନିଜକୁ ରକ୍ଷା କରି ପାରିବା ନାହିଁ । ଆମ ଭାରତୀୟ ଶିକ୍ଷାର ପ୍ରାଣ- କେନ୍ଦ୍ରରେ ବୈଦିକ, ପୌରାଣିକ, ବୌଦ୍ଧ, ଜୈନ, ଇସ୍ଲାମ୍, ଶିଖ ଓ ଜୋରାଷ୍ଟ୍ରାଦି ବିଭିନ୍ନ ସଂସ୍କୃତିର ସୁସଂହତ ଅଧ୍ୟୟନ ପାଇଁ ସୁଯୋଗ ଦେବା ଉଚିତ । ତାହା ସହିତ ଇଉରୋପୀୟ ସଂସ୍କୃତିର ଅଧ୍ୟୟନ ମଧ୍ୟ ଆବଶ୍ୟକ, କାରଣ ତଦ୍ଦ୍ୱାରା ତାକୁ ଆହରଣ କରିବାକୁ ଆମେ ସମର୍ଥ ହେବୁ । କୂଳ ମଧ୍ୟରେ ପ୍ରବାହିତ ହେଉଥିବା ନଦୀ ହିଁ ପ୍ରକୃତରେ ଆମର ନିଜସ୍ୱ, କିନ୍ତୁ ଗୋଟିଏ ବନ୍ୟା ସହିତ ଆମର ସମ୍ପର୍କ ଧ୍ୱଂସର ଆତଙ୍କ ଆନୟନ କରିଥାଏ । ଏହା କହିବା ନିଷ୍ପ୍ରୟୋଜନ ଯେ, ଯେଉଁ ଭାଷାଗୁଡ଼ିକ ମଧ୍ୟରେ ଆମ ପୂର୍ବପୁରୁଷଙ୍କର ଜ୍ଞାନର ଐଶ୍ୱର୍ଯ୍ୟ ସଞ୍ଚିତ, ତା’ ସହିତ ଆଧୁନିକ ଭାରତୀୟ ମନର ଜୀବନ୍ତ ସ୍ରୋତକୁ ବହନ କରୁଥିବା ଅନ୍ୟସମସ୍ତ ଭାଷାଗୁଡ଼ିକର ଅଧ୍ୟୟନ ମଧ୍ୟ ଏକାନ୍ତ ଆବଶ୍ୟକ । ଆମର ଜୀବନ୍ତ ଭାଷାଗୁଡ଼ିକର ଅଧ୍ୟୟନ ସହିତ, ଆମ ଜନସାଧାରଣଙ୍କର ମାନସିକତା ଓ ଆମ ଜୀବନର ଗୁପ୍ତ ସ୍ରୋତର ଗତିପଥ ନିର୍ଦ୍ଧାରଣ ପାଇଁ ଲୋକ- ସାହିତ୍ୟର ଅଧ୍ୟୟନ ମଧ୍ୟ ପ୍ରୟୋଜନ ।
କେତେକ ଲୋକ କେବଳ ଆଧୁନିକତାର ସୀମା ମଧ୍ୟରେ ଆବଦ୍ଧ ଏବଂ ସେମାନେ ବିଶ୍ୱାସ କରନ୍ତି ଯେ ଆମର ଅତୀତ ହେଉଛି ସମ୍ବଳଶୂନ୍ୟ । ଆମ ପାଇଁ ତାହା କୌଣସି ସମ୍ପତ୍ତି ରଖିଯିବା ପରିବର୍ତ୍ତେ ଆମକୁ କେବଳ ଋଣ ଦାୟଗ୍ରସ୍ତ କରିଯାଇଛି । ଯେଉଁ ସୈନ୍ୟବାହିନୀ ଆଗକୁ ଗତି କରୁଛି ତାକୁ ଯେ ପଛଆଡ଼ୁ ଖାଦ୍ୟ ଯୋଗାଇ ଦିଆଯାଇ ପାରେ ଏକଥା ବିଶ୍ୱାସ କରିବାକୁ ସେମାନେ କୁଣ୍ଠିତ । ଏ କ୍ଷେତ୍ରରେ ସେମାନଙ୍କୁ ସ୍ମରଣ କରାଇଦେବା ଉଚିତ ଯେ ମନୁଷ୍ୟ ଯେତେବେଳେ ତା’ର ଅତୀତର ଶସ୍ୟାଗାର ମଧ୍ୟରୁ ଚିନ୍ତାର ବୀଜ ସହସା ଆବିଷ୍କାର କରିଛି, ସେହି ସମୟହିଁ ଇତିହାସର ନବଜାଗରଣର ଏକ ବିରାଟ ଯୁଗ ବୋଲି ଖ୍ୟାତି ଲାଭ କରିଛି । ଯେଉଁ ଦୁର୍ଭାଗା ଦଳ ନିଜ ଅତୀତର ସିଦ୍ଧି ହରାଇଛନ୍ତି, ସେମାନେ ବର୍ତ୍ତମାନକୁ ମଧ୍ୟ ହରାଇଛନ୍ତି, ନିଜର କୃଷି ପାଇଁ ସେମାନଙ୍କ ନିକଟରେ ବିହନ ନାହିଁ ଏବଂ କେବଳ ବଞ୍ଚିରହିବା ପାଇଁ ସେମାନେ ଭିକ୍ଷାବୃତ୍ତି ଅବଲମ୍ବନ କରନ୍ତି । ଆମେ ପୃଥିବୀରେ ଏପରି ଏକ ସମ୍ବଳଶୂନ୍ୟ ଜାତିର ଦାୟାଦ ବୋଲି କଳ୍ପନା କରିବା ଉଚିତ ନୁହେ, ଆମ ପୂର୍ବପୁରୁଷଙ୍କର ଅର୍ଥକୋଷ ଭାଙ୍ଗି ନିଜ ଜୀବନର ବାଣିଜ୍ୟ ପାଇଁ ତାହା ବ୍ୟବହାର କରିବାର ଯୁଗ ଆଜି ଆସିଛି । ଏହାରି ସାହାଯ୍ୟରେ ଚାଲ ଆମେ ଆମର ଭବିଷ୍ୟତକୁ ନିରାପଦ କରିବା ଓ ଅନ୍ୟ ଜାତିର ମଇଲାଗଦାରୁ ଛିଣ୍ଡାକନା ଗୋଟାଇ ବଞ୍ଚି ରହିବାର ଚିରନ୍ତନ ଅଭ୍ୟାସ ମଧ୍ୟ ପରିହାର କରିବା ।
ଏ ପର୍ଯ୍ୟନ୍ତ ମୁଁ କେବଳ ଶିକ୍ଷାର ବୌଦ୍ଧିକ ବିଭାବ ସମ୍ପର୍କରେ ଆଲୋଚନା କରିଛି । ତାର କାରଣ ହେଉଛି ଯେ ବିଶ୍ୱ ସଂସ୍କୃତିର ସୂର୍ଯ୍ୟ ନିକଟରେ ଚନ୍ଦ୍ର ସଦୃଶ ଆଧୁନିକ ଭାରତରେ ଆମେ କେବଳ ଗୋଟିଏ ଦିଗ, ଉପସ୍ଥାପିତ କରିଥାଉଁ, ଏବଂ ତାହା ହେଉଛି ଏହି ବୁଦ୍ଧିର ଦିଗ । ଆମ୍ଭେ ଏ ପର୍ଯ୍ୟନ୍ତ ପୂର୍ଣ୍ଣ ଭାବରେ ଉପଲବ୍ଧି କରିବାକୁ ଅସମର୍ଥ ଯେ, ଆମର ଅନ୍ୟାନ୍ୟ ଦିଗ ମଧ୍ୟ ସେଗୁଡ଼ିକର ଦୀପ୍ତି ପାଇଁ ସମାନ ଆଲୋକ ଆବଶ୍ୟକ କରିଥାନ୍ତି । ଇଉରୋପ କେଉଁ କ୍ଷେତ୍ରରେ ବୈଜ୍ଞାନିକ ବା ଖୁବ ବେଶୀ କେଉଁଠି ସାହିତ୍ୟିକ, ତାହା ଶିକ୍ଷା ଦୃଷ୍ଟିରୁ ଆମେ ଜାଣୁଁ, ଠିକ୍ ସେଇଭଳି ଆମର ଆଧୁନିକ ସଂସ୍କୃତିର ଧାରଣା ବ୍ୟାକରଣ ଓ ବୈଜ୍ଞାନିକ ପରୀକ୍ଷାଗାରର ସୀମାରେଖା ମଧ୍ୟରେ ଆବଦ୍ଧ । ଆମେ ପ୍ରାୟ ସଂପୂର୍ଣ୍ଣଭାବେ ମନୁଷ୍ୟ ଜୀବନର ସୌନ୍ଦର୍ଯ୍ୟର ଦିଗକୁ ଭୁଲି ଯାଇଥାଉଁ ଏବଂ ସେ କ୍ଷେତ୍ରକୁ ଆକର୍ଷିତ ରଖି କେବଳ ଅନାବନା ଗଛର ଜନ୍ମ ପାଇଁ ଆମେ ସେ ଭୂମିକୁ ଛାଡ଼ି ଦେଇଥାଉଁ ।
ତେଣୁ ପୁଣି ଥରେ ଗୋଟିଏ ସ୍ୱତଃସିଦ୍ଧ ସତ୍ୟର ପୁନରାବୃତ୍ତି କରି ମୁଁ କହୁଛି ଯେ ଜାତିର ଆତ୍ମପ୍ରକାଶର ଉନ୍ନତ ମାର୍ଗଗୁଡ଼ିକ ମଧ୍ୟରେ ସଙ୍ଗୀତ ଓ ସୂକ୍ଷ୍ମକଳା ମଧ୍ୟ ଅନ୍ତର୍ଭୂକ୍ତ, ଏବଂ ସେଗୁଡ଼ିକର ଅଭାବର ଜାତି ମୂକ ହୋଇ ରହିଥାଏ ।
ଆମର ଚେତନ ମନ ଆମ ଜୀବନର କେବଳ ଗୋଟିଏ ବହିଃସ୍ତରକୁ ଅଧିକାର କରିଥାଏ, କିନ୍ତୁ ଆମର ଅବଚେତନ ମନର ଗଭୀରତା ପ୍ରାୟ ଅତଳସ୍ପର୍ଶୀ । ସେଠାରେ ଆମ ଦୃଷ୍ଟିର ଅନ୍ତରାଳରେ ସଂଖ୍ୟାତୀତ ଯୁଗର ଜ୍ଞାନ ବିକାଶଲାଭ କରୁଥାଏ । ଆମର ଚେତନ ମନ ଯେଉଁ କର୍ମସମୂହ ମଧ୍ୟରେ ଅଭିବ୍ୟକ୍ତି ଲାଭ କରେ ସେଗୁଡ଼ିକ ଆମ ଚକ୍ଷୁ ସମକ୍ଷରେ ହିଁ ଗମନାଗମନ କରନ୍ତି । ଆମର ଅବଚେତନ ମଧ୍ୟରେ ଆମର ଆତ୍ମା ବାସ କରିଥାଏ ଏବଂ ସେ ଅବଚେତନର ଅଭିବ୍ୟକ୍ତି ପାଇଁ ଉପଯୁକ୍ତ ମାଧ୍ୟମ ରହିବା ଆବଶ୍ୟକ । ଏହି ମାଧ୍ୟମଗୁଡ଼ିକ ହେଉଛନ୍ତି କବିତା, ସଙ୍ଗୀତ, ଓ ବିଭିନ୍ନ କଳା । ସେଠାରେ ମନୁଷ୍ୟର ପୂର୍ଣ୍ଣ ବ୍ୟକ୍ତିତ୍ୱ ଅଭିବ୍ୟକ୍ତି ଲାଭ କରେ ।
ଜଣେ କାଠ ବେପାରୀ ହୁଏତ ଭାବି ପାରେ ଯେ ପତ୍ର ଓ ଫୁଲଗୁଡ଼ିକ ଗଛର ତୁଚ୍ଛ ଅଳଂକରଣ ମାତ୍ର, କିନ୍ତୁ ସେ ଜାଣିବା ଉଚିତ ଯେ ଯଦି ସେଗୁଡ଼ିକ ବାଦ ହୋଇଯାନ୍ତି ତାହାହେଲେ ଗଛର ଅସ୍ତିତ୍ୱ ମଧ୍ୟ ସମ୍ଭବ ନୁହେଁ ।
ମୋଗଲ ଯୁଗରେ କଳା ଓ ସଙ୍ଗୀତ ତା’ର ଶାସକମାନଙ୍କ ନିକଟରୁ ମହତ୍ ପ୍ରେରଣା ଲାଭ କରିଥିଲା । ଏହାର କାରଣ ହେଉଛି ଯେ ସେମାନଙ୍କର ଜୀବନ କେବଳ ସରକାରୀ କାର୍ଯ୍ୟାଳୟ ଭିତରେ ଆବଦ୍ଧ ନ ରହି ପୂର୍ଣ୍ଣଭାବରେ ଏ ଦେଶର ମାଟି ସହିତ ସଂଲଗ୍ନ ଥିଲା । ମନୁଷ୍ୟ ଜୀବନର ପୂର୍ଣ୍ଣତା ମଧ୍ୟରୁ ହିଁ କଲା ଜନ୍ମଲାଭ କରିଥାଏ । ଆମ ଇଂରାଜୀ ଶିକ୍ଷକମାନେ ବାଟୋଇ ପକ୍ଷୀ ଭଳି କେବଳ କୋଳାହଳ କରନ୍ତି ସିନା, କିନ୍ତୁ ଗୀତ ଗାଇବାକୁ ଅକ୍ଷମ । ସେମାନଙ୍କର ପ୍ରକୃତ ହୃଦୟ ତାଙ୍କର ନିର୍ବାସିତ ଦେଶ ମଧ୍ୟରେ ନ ଥାଏ । ସେମାନଙ୍କର ସଙ୍ଗୀତ ଓ କଳାର ସ୍ୱାଭାବିକ କ୍ଷେତ୍ର ହେଉଛି ଇଉରୋପ । ସେଠାରେ ସେମାନଙ୍କର ଜନ୍ମ ନାଡ଼ିର ସମ୍ପର୍କ ଏତେ ଗଭୀର ଓ ଅବିଚ୍ଛେଦ୍ୟ ଯେ ସେ ମାଟି ସ୍ଥାନାନ୍ତରିତ ନ ହେବା ଯାଏ, ସେମାନେ ମଧ୍ୟ ଦେଶାନ୍ତରିତ ହୋଇ ନ ପାରନ୍ତି ।
ଭାରତବର୍ଷରେ ଆମେ ଯେଉଁ ଇଉରୋପୀୟ ଦେଖୁଛୁ, ସେ ହେଉଛି ବିଦ୍ୱାନ୍, ସେ ହେଉଛି ପ୍ରଭୁ, ବାଣିଜ୍ୟ ଓ ରାଜନୀତିରେ ସେ ନିୟତ ନିର୍ମାଣକ୍ଷମ । କିନ୍ତୁ ସେ ଜଣେ ସୃଜନଧର୍ମୀ କଳାକାର ନୁହେ । ସେଥିପାଇଁ ଇଉରୋପର ପୂର୍ଣ୍ଣ ବ୍ୟକ୍ତିତ୍ୱ ଆମ ନିକଟରେ ପ୍ରକଟିତ ନୁହେ । କେବଳ ତା’ର ବୁଦ୍ଧିଶକ୍ତି ଓ ବୈଷୟିକ ଆକାଂକ୍ଷାକୁ ଜାଗ୍ରତ କରିଛି । ସଂସ୍କୃତିର ଏହି ସଂକୀର୍ଣ୍ଣତାଜନିତ ଜୀବନର ଅଙ୍ଗଚ୍ଛେଦକୁ ଆଉ ଅଧିକ କାଳ ବରଦାସ୍ତ କରାଯାଇ ନ ପାରେ । ଆମ ସଂସ୍କୃତିର ପ୍ରସ୍ତାବିତ ପ୍ରାଣକେନ୍ଦ୍ରରେ ସଙ୍ଗୀତ ଓ କଳା ସମ୍ମାନିତ ଆସନର ଅଧିକାରୀ ହେବା ଉଚିତ । କେବଳ ଚଳନୀୟ ଯୋଗ୍ୟତା ହାସଲ କରିବା ସେମାନଙ୍କ ହେବ ପକ୍ଷରେ ଯଥେଷ୍ଟ ନୁହେ-। ଏହା ଫଳରେ ସୌନ୍ଦର୍ଯ୍ୟ ରୁଚିର ଏକ ପ୍ରକୃତ ମାନ ବିକଶିତ ହେବ ଏବଂ ତାରି ସାହାଯ୍ୟରେ ଆମ ନିଜର କଳା, ଶକ୍ତି ଓ ସମୃଦ୍ଧିରେ କ୍ରମଶଃ ଉନ୍ନତ ହେବ । ତଦ୍ଦ୍ୱାରା ସମସ୍ତ ବିଦେଶୀ କଳାକୁ ଆମେ ଧୀର ଚିତ୍ତରେ ବିଚାର କରିବାକୁ ସମର୍ଥ ହେବୁ ଏବଂ ଚୌର୍ଯ୍ୟ ଅପରାଧରେ ଅଭିଯୁକ୍ତ ନ ହୋଇ ସେଗୁଡ଼ିକର ଆଙ୍ଗିକ ଓ ଚିନ୍ତା ଆହରଣ କରିବାକୁ ସକ୍ଷମ ହେବୁ-।
ଆମେ ଦୁଇଟି ବିରାଟ ସମସ୍ୟାର ସମ୍ମୁଖୀନ, ଗୋଟିଏ ହେଉଛି ଆମର ମାନସିକ ଜୀବନର ଦାରିଦ୍ର୍ୟ ଓ ଅନ୍ୟଟି ହେଉଛି ବୈଷୟିକ ଜୀବନର ଦୁଃସ୍ଥତା । ପ୍ରଥମଟି ସମ୍ପର୍କରେ ଏହି ପ୍ରବନ୍ଧର କେତେକାଂଶରେ ମୁଁ ବିସ୍ତୃତ ଆଲୋଚନା କରିଛି । ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ, ଆମ ମାନସିକ ଜୀବନର ପରିପୂର୍ଣ୍ଣତା ପାଇଁ ଆମର ସମସ୍ତ ସାଂସ୍କୃତିକ ପନ୍ଥାଗୁଡ଼ିକର ସମନ୍ୱୟ ସାଧନ ଆବଶ୍ୟକ । ମୁଁ ଲକ୍ଷ୍ୟ କରିଛି, ବର୍ତ୍ତମାନର ଶିକ୍ଷା ଆମର ଏପରି ଏକ ମାନସିକ ଖାଦ୍ୟ ଯାହାକି ଜୀବନ ଧରଣ ପାଇଁ କେବଳ ଗୋଟିଏ ମାତ୍ର ନିର୍ଦ୍ଦିଷ୍ଟ ଉପାଦାନ ଧାରଣ କରିଛି । ତାହା ମଧ୍ୟ ସତେଜ ନୁହେ, ପରନ୍ତୁ ଶୁଷ୍କ ଓ ଟିଣ ଭିତରେ ଆବଦ୍ଧ । ସୁଷମ ଖାଦ୍ୟ ପାଇଁ ବିଭିନ୍ନ ଉପାଦାନଗୁଡ଼ିକର ସମନ୍ୱୟ ଆବଶ୍ୟକ ଏବଂ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ପରୀକ୍ଷାଗାରରେ ପ୍ରସ୍ତୁତ ହେବା ଅନୁଚିତ କିମ୍ବା ତାହା ନିର୍ଜିବ ଅବସ୍ଥାରେ ରହିବା ଅବାଞ୍ଛନୀୟ, ପରନ୍ତୁ ଆମର ଜୀବନ୍ତ ସ୍ନାୟୁଭଳି ସେଗୁଡ଼ିକ ସଜୀବ ହେବା ଆବଶ୍ୟକ । ଠିକ୍ ଏହିପରି ଆମର ବୈଷୟିକ ଦାରିଦ୍ର୍ୟ ମଧ୍ୟ ଆମର ବ୍ୟକ୍ତିଗତ ଶକ୍ତିର ସହଯୋଗ ଦ୍ୱାରା ଦୂରୀଭୂତ ହୋଇ ପାରେ, ଏବଂ ଏହି ଅର୍ଥନୀତିକ ସହଯୋଗିତା ଉପରେ ଆମର ଅନୁଷ୍ଠାନ ପ୍ରତିଷ୍ଠାନ ହେବା ଉଚିତ । ଏହା କେବଳ ଯେ ଉପଦେଶ ହେବ, ତା’ନୁହେ; କର୍ମରେ ମଧ୍ୟ ଜୀବନ୍ତ ହେବା ଆବଶ୍ୟକ । କେବଳ ଚିନ୍ତା କରିବ ତାହା ନୁହେ, ଉତ୍ପାଦନ ମଧ୍ୟ କରିବ । ସ୍ୱାଭାବିକ ବିଶ୍ୱବିଦ୍ୟାଳୟ ରୂପରେ ଗଢ଼ି ଉଠିଥିବା ଆମର ତପୋବନଗୁଡ଼ିକ ଜୀବନଠାରୁ ବିଚ୍ଛିନ୍ନ ନ ଥିଲେ । ସେଠାରେ ଶିକ୍ଷକ ଓ ଛାତ୍ରମାନେ ପୂର୍ଣ୍ଣ ଜୀବନ ଯାପନ କରୁଥିଲେ । ସେମାନେ ଫଳ ଓ ଇନ୍ଧନ ସଂଗ୍ରହ କରୁଥିଲେ ଏବଂ ଗୋଚାରଣ କରୁଥିଲେ । ଛାତ୍ରମାନେ ଯେଉଁ ଆଧ୍ୟାତ୍ମିକ ଶିକ୍ଷାଲାଭ କରୁଥିଲେ ତାହା ତାଙ୍କ ଆଧ୍ୟାତ୍ମ ଜୀବନର ଥିଲା ଅଙ୍ଗ ବିଶେଷ ଏବଂ ତଦ୍ଦ୍ୱାରା ତାଙ୍କର ସମଗ୍ର ଜୀବନ ପ୍ରଭାବିତ ହେଉଥିଲା । ଆମର ସାଂସ୍କୃତିକ କେନ୍ଦ୍ର କେବଳ ଯେ ଭାରତବର୍ଷର ବୌଦ୍ଧିକ ଜୀବନର ମଧ୍ୟ କେନ୍ଦ୍ର ହେବ ତାହା ନୁହେ, ଏହା ତାହାର ଅର୍ଥନୀତିକ ଜୀବନର ମଧ୍ୟ କେନ୍ଦ୍ର ହେବ । ଏହା ଭୂମିକର୍ଷଣ କରିବ, ଗୋପାଳନ କରିବ ଏବଂ ବିଜ୍ଞାନର ସାହାଯ୍ୟ ନେଇ ଉତ୍କୃଷ୍ଟ ପନ୍ଥା ଓ ଉତ୍କୃଷ୍ଟ ଉପାଦାନର ବିନିଯୋଗପୂର୍ବକ ନିଜର ଓ ଛାତ୍ରମାନଙ୍କର ଖାଦ୍ୟ ସଂଗ୍ରହ ପାଇଁ ସକଳ ଆବଶ୍ୟକୀୟ ଉପକରଣ ଉତ୍ପାଦନ କରିବ । ସମବାୟନୀତି ଦ୍ୱାରା ପରିଚାଳିତ ଶିଳ୍ପ ଉଦ୍ୟମର ସଫଳତା ଉପରେ ହିଁ ଏହାର ଅସ୍ତିତ୍ୱ ନିର୍ଭର କରିବ ଓ ଏହା ଫଳରେ ଶିକ୍ଷକ ଓ ଛାତ୍ରଗଣ ପ୍ରୟୋଜନର ଏକ ଜୀବନ୍ତ ଓ ସକ୍ରିୟ ସମ୍ପର୍କ ଦ୍ୱାରା ଏକତ୍ରିକ ହେବେ । ଏହା ମଧ୍ୟ ଆମକୁ ବାସ୍ତବ ଶିଳ୍ପଶିକ୍ଷା ପ୍ରଦାନ କରିବ, ଯାହାର ମୂଳ ଲକ୍ଷ୍ୟ କେବଳ ଲାଭ ଉପରେ ପ୍ରତିଷ୍ଠିତ ନୁହେ ।
ଏ ଭଳି ଏକ ଅନୁଷ୍ଠାନ ନିଜ ଚାରି ପାଖର ପଡ଼ୋଶୀ ଗ୍ରାମଗୁଡ଼ିକୁ ସଙ୍ଗବଦ୍ଧ କରିବ ଏବଂ ନିଜର ସମସ୍ତ ଅର୍ଥନୀତିକ ଉଦ୍ୟମରେ ସେଗୁଡ଼ିକୁ ନିଜ ସହିତ ଏକତ୍ରିତ କରିବ । ନୈତିକ ଓ ବୌଦ୍ଧିକ ଜୀବନ ସହିତ ସେମାନଙ୍କର ବସବାସ ଓ ସ୍ୱାସ୍ଥ୍ୟର ଉନ୍ନତି ଏହି କର୍ମପନ୍ଥାର ସାମାଜିକ ଦିଗର ଲକ୍ଷ୍ୟ ହେବା ଉଚିତ । ଅଳ୍ପ କଥାରେ ଏହା ପୃଥିବୀ ସହିତ ସମ୍ପର୍କହୀନ ଏକ ବିଚ୍ଛିନ୍ନ ଉଲ୍କା ସଦୃଶ ନ ହୋଇ ଏକ ସଂପୂର୍ଣ୍ଣ ପୃଥିବୀ ହେବା ଆବଶ୍ୟକ । ଏହା ଆତ୍ମନିର୍ଭରଶୀଳ ଓ ଜୀବନର ନିତ୍ୟ ନୂତନତାରେ ସମୃଦ୍ଧ ହେବା ବାଞ୍ଚନୀୟ । ଦେଶ କାଳକୁ ଅତିକ୍ରମ କରି ତାହାର ଆଲୋକ ବିକୀର୍ଣ୍ଣ ହେବ ଓ ଏହା ଉପରେ ନିର୍ଭର କରୁଥିବା ଅନେକ ଜୀବନକୁ ଗ୍ରହଜଗତ ଭଳି ଆକୃଷ୍ଟ ଓ ପରିଚାଳିତ କରିବ, ଏହା ଏପରି ଏକ ପୂର୍ଣ୍ଣମାନବକୁ ଜନ୍ମଦେବ ଯେକି ଏକା ଧାରରେ ହେବ ବୈଦ୍ଧିକ, ବୈଷୟିକ ଏବଂ ସମାର୍ଜିକ ଓ ଆଧ୍ୟାତ୍ମିକ ସ୍ୱାଧୀନତାର ଅଭିଲାଷୀ ।
ଉପସଂହାର ପୂର୍ବରୁ ଗୋଟିଏ ସୂକ୍ଷ୍ମ ପ୍ରଶ୍ନର ବିଚାର ଆବଶ୍ୟକ । ଆମ ଭାରତୀୟ ସଂସ୍କୃତିର ପ୍ରାଣ କେନ୍ଦ୍ର, ଯାହାକୁ ମୁଁ ବିଶ୍ୱଭାରତୀ ନାମ ଦେଇ ପାରେ, ସେଠାରେ କେଉଁ ଧରଣର ଧର୍ମଶିକ୍ଷା ପ୍ରଦାନ କରାଯିବ ? ଆମେ ଯାହାକୁ ଜାତୀୟ ବିଦ୍ୟାଳୟ ବୋଲି କହୁଛୁ ସେଗୁଡ଼ିକରେ ଏହି ପ୍ରଶ୍ନ ସାଧାରଣତଃ ପରିହାର କରାଯାଉଛି । ଆମ ମନରେ ଜାତୀୟ ବିଶ୍ୱବିଦ୍ୟାଳୟର ଧରଣା କେବଳ ହିନ୍ଦୁ ବିଶ୍ୱବିଦ୍ୟାଳୟର ହିଁ ରୂପାନ୍ତର ମାତ୍ର । ଆମେ ଏହି ପ୍ରଶ୍ନ ସମ୍ପର୍କରେ ଯେତେବେଳେ ଚିନ୍ତା କରୁ, ସେତେବେଳେ କେବଳ ହିନ୍ଦୁଧର୍ମ ସମ୍ପର୍କରେ ଭାବିଥାଉ । ବିରାଟ ଭାରତ ପ୍ରତି ଧ୍ୟାନ ଦେବାକୁ ଆମେ ଅକ୍ଷମ ହୋଇଥିବାରୁ ଆମର ଧର୍ମପଦ୍ଧତି ଓ ସାମାଜିକ ପ୍ରଥାଗୁଡ଼ିକ ଭଳି ସଂସ୍କୃତିକୁ ମଧ୍ୟ ବିଚ୍ଛିନ୍ନ କରିଥାଉଁ । ଅନ୍ୟ କଥାରେ ଏହି ଏକତାର ଯେଉଁ ଧରଣା ଆମ୍ଭମାନଙ୍କ ସକାଶେ ରୂପ ଦେବାକୁ ସମର୍ଥ ହୁଅନ୍ତୁ, ତାହା ସମସ୍ତଙ୍କ ପ୍ରାଣରେ ପ୍ରେରଣା ସୃଷ୍ଟି କରିବାକୁ ଯେ କେବଳ ଅସମର୍ଥ ହେଉଛି ତାହା ନୁହେ, କେତେକଙ୍କ ହୃଦୟରେ ବଦ୍ୱେଷଭାବ ମଧ୍ୟ ସୃଷ୍ଟି କରୁଛି । ସେ ଯାହା ହେଉନା କାହିଁକି, ସ୍ୱୀକାର କରିବାକୁ ପଡ଼ିବ ଯେ ପୃଥିବୀ ବିଭିନ୍ନ ଧର୍ମ ସମ୍ପ୍ରଦାୟ ଦ୍ୱାରା ପରିପୂର୍ଣ୍ଣ ଏବଂ ତାହା ଚିରକାଳ ରହିବ ମଧ୍ୟ । ଏ ସମ୍ବନ୍ଧରେ କଳହ ସୃଷ୍ଟି କରି ବା ଦୁଃଖ ପ୍ରକାଶ କରି କିଛି ଲାଭ ନାହିଁ । ମୋ ଘରେ ନିଜ ପାଇଁ ଗୋଟିଏ ସ୍ୱତନ୍ତ୍ର କକ୍ଷ ରହିଛି । ସେଠାରେ ଛୋଟ ଟେବୁଲଟିଏ ଅଛି ଓ ସେଥିରେ ଦୁଆତ କଲମ ଓ କାଗଜ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇଛି । ସେଠାରେ ମୋର ଲେଖାପଢ଼ା ଓ ଅନ୍ୟାନ୍ୟ କାମ ଖୁବ୍ ଭଲଭାବରେ ମୁଁ କରିପାରେ ।
ମୋର ସବୁ ବନ୍ଧୁ ଓ ଅତିଥିମାନଙ୍କୁ ନିମନ୍ତ୍ରଣ କରି ଏହି କକ୍ଷ ମଧ୍ୟରେ ସେମାନଙ୍କୁ ଆସନ ଦେବାକୁ ଅକ୍ଷମ ବୋଲି ସେ କକ୍ଷଛାଡ଼ି ପଲାଇ ଯିବା ବା ତାକୁ ନିନ୍ଦା କରିବା ମୋର ଉଚିତ ନୁହେ । ଏହା ହୋଇ ପାରେ ଯେ ବା ତାକୁ ନିନ୍ଦା କରିବା ମୋର ଉଚିତ ନୁହେ । ଏହା ହୋଇ ପାରେ ଯେ ଏହି କକ୍ଷଟି ଅତି ସଂକୀର୍ଣ୍ଣ, ଅତି ଅପ୍ରଶସ୍ତ ଓ ଅତି ଅପରିଷ୍କର, ଯାହା ଫଳରେ କି ମୋର ଡାକ୍ତର ଆପତ୍ତି କରି ପାରନ୍ତି, ମୋର ବନ୍ଧୁମାନେ ପ୍ରତିବାଦ କରି ପାରନ୍ତି ଓ ମୋର ଶତ୍ରୁମାନେ ନାସିକା କୁଞ୍ଚନ କରି ପାରନ୍ତି, କିନ୍ତୁ ବର୍ତ୍ତମାନର ପ୍ରସଙ୍ଗ ସହିତ ସେଗୁଡ଼ିକର କୌଣସି ସମ୍ପର୍କ ନାହିଁ । ମୋର ଯୁକ୍ତି ହେଉଛି, ମୋ ଘରେ ଯଦି ସବୁ କକ୍ଷ କେବଳ ମୋରି ନିଜ ସୁବିଧା ପାଇଁ ସଂପୂର୍ଣ୍ଣ ପୃଥକ ଭାବରେ ବ୍ୟବହୃତ ହୁଏ, ମୋର ବନ୍ଧୁ ଅଭ୍ୟର୍ଥନା ବା ଅତିଥି ସତ୍କାର ପାଇଁ ଯଦି କୌଣସି କକ୍ଷ ନ ରହେ ତାହାହେଲେ ପ୍ରକୃତରେ ମୁଁ ନିନ୍ଦିତ ହୋଇ ପାରେ । ଏଭଳି ପରିସ୍ଥିତିରେ ମୁଁ ନତମସ୍ତକରେ ସ୍ୱୀକାର କରିବି ଯେ ମୋର ବନ୍ଧୁମାନଙ୍କର କୌଣସି ବିରାଟ ମିଳନ ମୋ ଘରେ କଦାପି ସମ୍ଭବ ହୋଇ ନ ପାରେ ।
ଐତିହାସିକ କାରଣ ଯୋଗୁଁ ପ୍ରତି ଦେଶ ଓ ପ୍ରତି ଯୁଗରେ ଧର୍ମ ସମ୍ପ୍ରଦାୟଗୁଡ଼ିକ ସୃଷ୍ଟି ହୋଇଥାନ୍ତି । ପରମ୍ପରା ଓ ମନୋବୃତ୍ତି ସକାଶେ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ହେବାର ଅନେକ ଆଶ୍ୱସ୍ତ ହୋଇଥାନ୍ତି ଏବଂ ଏଭଳି ଲୋକ ସବୁସମୟରେ ବହୁତ ମିଳିବେ । ଏହିପରି ଅନ୍ୟମାନେ ମଧ୍ୟ ରହିବେ ଯେଉଁମାନେ ଭାବିବେ ଯେ ଏହି ପ୍ରକାରର ଶାନ୍ତି ଓ ଆଶ୍ୱାସନା ପ୍ରଦାନ କରିବା କେବଳ ତାଙ୍କର ଧର୍ମସଂପ୍ରଦାୟର ହିଁ ନ୍ୟାଯ୍ୟ ଅଧିକାର । ତେଣୁ ସେମାନଙ୍କ ମଧ୍ୟରେ କଳହ ଉପୁଜିବା ସ୍ୱାଭାବିକ । ଏଭଳି ବିବାଦର ସମ୍ଭାବନା ଥିଲେ ମଧ୍ୟ ଏପରି କୌଣସି ବ୍ୟାପକ ମିଳନକ୍ଷେତ୍ର କ୍ରମେ କଅଣ ସୃଷ୍ଟି ହୋଇ ପାରିବ ନି ଯେଉଁଠି ସବୁ ସମ୍ପ୍ରଦାୟର ଲୋକେ ଏକତ୍ରିକ ହୋଇ ପାରିବେ ଏବଂ ସେମାନଙ୍କର ସମସ୍ତ ଭେଦଭାବ ଭୁଲିଯାଇ ପାରିବେ ? ସମଗ୍ର ମାନବଜାତି ପାଇଁ ଦିବସର ସାଧାରଣ ଆଲୋକକୁ ଧାରଣ କରିବା ଏବଂ ମୁକ୍ତ ବାୟୁ ବିତରଣ କରିବା ସକାଶେ ଭାରତର ଧର୍ମୀଦର୍ଶରେ ଏପରି କୌଣସି ସ୍ଥାନ କ’ଣ ନାହିଁ ? ଜଣେ ସମ୍ପ୍ରଦାୟିକ ମତାନ୍ଧବ୍ୟକ୍ତି ଯେପରି ଦୃଢ଼ ଭାବରେ ଅନ୍ୟକୁ ଅସ୍ୱୀକାର କରେ, ଛୋଟ ଛୋଟ କାରଣ ପାଇଁ ଅନେକ ସମୟରେ ଯେପରି ରକ୍ତପାତ ଘଟିଥାଏ ଏବଂ ଧର୍ମର ଦ୍ୱାହିରେ ମନୁଷ୍ୟ ମନୁଷ୍ୟ ମଧ୍ୟରେ ଯେପରି ନିର୍ମମ ଓ ଅପମାନଜନକ ଭେଦଭାବ ସୃଷ୍ଟି ହୋଇଥାଏ, ତାହା ଦେଖିଲେ ଏହି ପ୍ରଶ୍ନ ଶୁଣି ଜଣେ ସନ୍ଦିଗ୍ଧ ହେବା ସ୍ୱାଭାବିକ । ଏହା ହେଲେ ମଧ୍ୟ ମୁଁ ଯେତେବେଳେ ସତ୍ୟ ମଧ୍ୟରେ ପ୍ରକାଶ ଲାଭ କରିଥିବା ଭାରତର ଅତୀତ ଯୁଗର ସଂସ୍କୃତିକୁ ଳକ୍ଷ୍ୟ କରେ, ସେତେବେଳେ ମୁଁ କହିବାକୁ ସାହାସୀ ହୁଏ ଯେ ଏହାର ସମାଧାନ ସେଠାରେ ହିଁ ରହିଛି । ଆମର ପୂର୍ବପୁରୁଷଗଣ କେବଳ ଗୋଟିଏ ମାତ୍ର ଗାଲିଚା ପକାଇଥିଲେ ଯେଉଁଠି ସମଗ୍ର ପୃଥିବୀ ବନ୍ଧୁତ୍ୱ ଓ ସୌଜନ୍ୟ ମଧ୍ୟରେ ଆସନ ଗ୍ରହଣ କରିବାକୁ ଆନ୍ତରିକତାର ସହିତ ନିମନ୍ତ୍ରିତ ହେଉଥିଲା । ସେଠାରେ କୌଣସି କଳହ ବା ଦ୍ୱନ୍ଦ୍ୱ ଦେଖାଯାଉ ନ ଥିଲା । କାରଣ ଯାହାଙ୍କ ନାମରେ ଚିରକାଳର ନିମନ୍ତ୍ରଣ ପ୍ରେରିତ ହେଉଥିଲା ସେ ହେଉଛନ୍ତି ଶାନ୍ତମ୍, ଶିବମ୍, ଅଦ୍ୱୈତମ୍-ସକଳ ଦ୍ୱନ୍ଦ ମଧ୍ୟରେ ସେ ହେଉଛନ୍ତି ଶାନ୍ତିମୟ, ସକଳ କ୍ଷତି ଓ ଦୁଃଖ ମଧ୍ୟରେ ସେ ହେଉଛନ୍ତି ମଙ୍ଗଳମୟ ଓ ସୃଷ୍ଟିର ସକଳ ବୈଷମ୍ୟ ମଧ୍ୟରେ ସେ ହେଉଛନ୍ତି ଏକକ । ତାଙ୍କରି ନାମରେ ହିଁ ପ୍ରାଚୀନ ଭାରତରେ ଚିରନ୍ତନ ସତ୍ୟ ଉଦ୍ଘୋଷିତ ହୋଇଥିଲେ ।
’ଯସ୍ତୁ ସର୍ବାଣି ଭୂତାନି ଆତ୍ମନ୍ୟେବାନୁପଶ୍ୟତି ।
ସର୍ବଭୁତେଷୁ ଚାତ୍ମାନଂ ତତୋ ନ ବିଜୁଗୁପ୍ସତେ ।
ଅର୍ଥାତ୍, ସମୁଦାୟ ବସ୍ତୁକୁ ଯେ ଆତ୍ମ ସଦୃଶ ମନେ କରନ୍ତି ସେହି କେବଳ ସତ୍ୟ ଦର୍ଶନଲାଭ କରନ୍ତି ।
‘‘ପୁଷ୍ପର ଚତୁଃପାର୍ଶ୍ୱସ୍ଥ ପତ୍ରାବଳୀ ହେଉଛନ୍ତି ନୀରବତାର ପ୍ରତିମୂର୍ତ୍ତି ଓ ତାହା ହେଉଛି ପୁଷ୍ପର ବାଙ୍ମୟ ଅଭିବ୍ୟକ୍ତି ।’’