ସ୍ୱରାଜ ସାଧନ — ବିଶ୍ୱ ମାନବର ପଥେ — ରବୀନ୍ଦ୍ରନାଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସ୍ୱରାଜ ସାଧନ
ଆମ ଦେଶର ବିଜ୍ଞବ୍ୟକ୍ତିଗଣ ସଂସ୍କୃତଭାଷାରେ ଉପଦେଶ ଦେଇଛନ୍ତି ଯେ ଯେତେ ଇଚ୍ଛା କଥାରେ କୁହ, କିନ୍ତୁ ଲେଖ ନାହିଁ । ମୁଁ ଏହି ବିଜ୍ଞ ଉପଦେଶକୁ ସବୁବେଳେ ଯେ ଗ୍ରହଣ କରି ନାହିଁ ତା’ର ଭୁରି ଭୁରି ପ୍ରମାଣ ଅଛି । କେବଳ ନିହାତି ଆବଶ୍ୟକୀୟ ମୁହୂର୍ତ୍ତରେ ଏହି ଉପଦେଶକୁ ମୁଁ ଅନୁସରଣ କରିଛି । ଗଦ୍ୟରେ ହେଉ ବା ପଦ୍ୟରେ ହେଉ ଯେତେବେଳେ ମୁଁ କିଛି କହିବାର ଆବଶ୍ୟକତା ଅନୁଭବ କରିଛି ତାହା ଲିପିବଦ୍ଧ କରିବାକୁ କୁଣ୍ଠାବୋଧ କରି ନାହିଁ, କେବଳ ବାଦ ପ୍ରତିବାଦ ସମୟରେ ମୋର ଲେଖନୀ ନୀରବ ।
ଆମର ବିଶ୍ୱାସ ସମୂହ ଅନେକ ସ୍ଥଳରେ ଯୁକ୍ତିନିର୍ଭର ନୁହେ ବରଂ ଏହା ଆମର କୌଣସି ବିଶେଷ ମୁହୂର୍ତ୍ତରେ ମନୋଭଙ୍ଗୀ ବା ମାନସିକ ପ୍ରକୃତି ଉପରେ ପ୍ରତିଷ୍ଠିତ । ଆମେ କ୍ୱଚିତ୍ ସ୍ଥଳରେ ବିଶୁଦ୍ଧ ଯୁକ୍ତି ଉପରେ ନିର୍ଭର କଋଥାଉଁ; ଅଧିକାଂଶ କ୍ଷେତ୍ରରେ ଆମର ସିଦ୍ଧାନ୍ତ ରାଗ ବିରାଗର ଆକର୍ଷଣ ଦ୍ୱାରା ବ୍ୟକ୍ତିଗତ ଇଚ୍ଛାକୁ ହିଁ କେନ୍ଦ୍ର କରିଥାଏ । ତେଣୁ ଏକ ନିର୍ଦ୍ଧିଷ୍ଟ ପରିଣତିର ଆକାଂକ୍ଷାରୁ ଆମର ବିଶ୍ୱାସ ଯେତେବେଳେ ଅଙ୍କୁରିତ ହୁଏ, ସେତେବେଳେ ମତ ପ୍ରତିଷ୍ଠା ସକାଶେ ଏକ ଯୌକ୍ତିକ ପନ୍ଥା ଗ୍ରହଣର ଆବଶ୍ୟକତା ଆମେ ଅନୁଭବ କରୁ ନା । ଆମେ କେବଳ ଲକ୍ଷ୍ୟ କରୁଁ ଯେ ଆମର ପନ୍ଥା ସହଜ ସିଦ୍ଧିର ଏକ ସୋପାନ, କି ନା ଏବଂ ତଦ୍ଦ୍ୱାରା ଆମର ସିଦ୍ଧି କେଉଁ ପରିମାଣରେ ସହଜସାଧ୍ୟ । ଖୁବ୍ ସହଜରେ ଏବଂ ଖୁବ୍ ଶୀଘ୍ର ସ୍ୱରାଜ୍ୟ ଲାଭ ସମ୍ଭବପର ହୋଇ ପାରେ, ଏ ଚିନ୍ତା କେତେଦିନ ହେଲା ଦେଶର ମନକୁ ଆନ୍ଦୋଳିତ କରିଅଛି । ଗଣମନର ଏହି ବିକ୍ଷୁବ୍ଧ ଅବସ୍ଥାରେ ଏ ସମ୍ବନ୍ଧରେ କୌଣସି ପ୍ରଶ୍ନ ନେଇ ବାଦ ପ୍ରତିବାଦ କଲେ ତାହା କେବଳ ବାକ୍ ବିତଣ୍ଡାର ଝଡ଼ ସୃଷ୍ଟି କରେ ଏବଂ ତଦ୍ଦ୍ୱାରା ଆମର ଯୁକ୍ତିପୋତ ଇପ୍ସିତ ବନ୍ଦରର ଲକ୍ଷ୍ୟ ସ୍ଥଳରେ ଉପନୀତ ହୋଇ ପାରେ ନାହିଁ । ବହୁକାଳ ଧରି ଆମର ଧାରଣା ଥିଲା ଯେ ସ୍ୱରାଜ୍ୟ ସାଧନ ଅସମ୍ଭବ । ଅନ୍ୟ ପକ୍ଷରେ ଦେଶର ଏହି ମାନସିକ ଅବସ୍ଥାରେ ଆମେ ଯେତେବେଳେ ଜାଣିଲୁଁ ଯେ ସ୍ୱରାଜ୍ୟ ଲାଭ କରିବା ଖୁବ୍ ସହଜ ଏବଂ ଖୁବ୍ ଅଳ୍ପଦିନ ମଧ୍ୟରେ ପାଇବା ମଧ୍ୟ ଅସାଧ୍ୟ ନୁହେ, ସେତେବେଳେ ଏ ସମ୍ବନ୍ଧରେ ବିଚାର ବା ପ୍ରଶ୍ନ କରିବାକୁ ଲୋକମାନଙ୍କର ବା ଆଉ ଧୈର୍ଯ୍ୟ କାହିଁ-? ଜଣେ ସନ୍ୟାସୀ ତାମ୍ରମୁଦ୍ରାକୁ ସ୍ୱର୍ଣ୍ଣମୁଦ୍ରାରେ ପରିଣତ କରିପାରେ, ଏ ବିଶ୍ୱାସ ଯେଉଁ ଜନସାଧାରଣଙ୍କର ଅଛି, ସେମାନେ ନିର୍ବୋଧ ନୁହନ୍ତି; କେବଳ ଲୋଭହିଁ ତାଙ୍କର ବୁଦ୍ଧି ପ୍ରୟୋଗର ପ୍ରଧାନ ପ୍ରତିବନ୍ଧକ ।
‘ସ୍ୱରାଜ୍ୟ ଆମର ଅତି ନିକଟବର୍ତ୍ତୀ’ ଏହି ଚିନ୍ତା ଅଳ୍ପଦିନ ହେଲା ଆମ ଦେଶର ଲୋକମାନଙ୍କୁ ଆନନ୍ଦରେ ଅଭିଭୂତ କରିଛି । ତା'ପରେ ନିଧାର୍ଯ୍ୟ ସମୟ ଅତିବାହିତ ହୋଇଗଲା ଏବଂ ଆମକୁ କୁହାଗଲା ଯେ ନିର୍ଦ୍ଦିଷ୍ଟ ସର୍ତ୍ତ ଆମେ ପାଳନ କରି ନାହୁଁ ବୋଲି ଆମେ ସ୍ୱରାଜ୍ୟ ଲାଭରୁ ବଞ୍ଚିତ । ସର୍ତ୍ତ ପାଳନ କରିବା ଯେ ଆମର ଅସଲ ସମସ୍ୟା ଏ ସମ୍ପର୍କରେ ଖୁବ୍ ଅଳ୍ପ ଲୋକ ଚିନ୍ତା କଲେ । ଏହା କହିବା ବାହୁଲ୍ୟ ଯେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ଯଦି ପ୍ରକୃତ ଆତ୍ମୀୟତା ସୂତ୍ରରେ ଆବଦ୍ଧ ହୁଅନ୍ତେ, ତେବେ ଆମର ସ୍ୱରାଜ୍ୟ ଲାଭର ପଥ ସୁଗମ ହୁଅନ୍ତା । କିନ୍ତୁ ହିନ୍ଦୁ ଓ ମୁସଲମାନ ଯେ ଏକତାବଦ୍ଧ ହେଉ ନାହାନ୍ତି, ତାହା ଏ କ୍ଷେତ୍ରରେ ଏକ ଅନ୍ତରାୟ । ସେମାନଙ୍କର ମୈତ୍ରୀ ସ୍ୱରାଜ୍ୟ ସାଧନ ପାଇଁ ପ୍ରତିଦିନ ଏକ ଶୁଭଦିନରୂପେ ପରିଗଣିତ ହୁଅନ୍ତା । ଏ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ସମୟରେ ଘୋଷଣା ଜନସାଧାରଣଙ୍କର ପ୍ରାଣରେ ଏକ ଉତ୍ତେଜିତ ପ୍ରତିକ୍ରିୟା ସୃଷ୍ଟି କରି ପାରେ, କିନ୍ତୁ ଏଭଳି ଏକ ପଙ୍କିଳ ମାନସିକ ଅବସ୍ଥା ମଧ୍ୟରେ ଜାତିର ବାସ୍ତବ ପ୍ରଗତି ଅସମ୍ଭବ-।
ସ୍ୱରାଜ୍ୟ ପ୍ରାପ୍ତିର ନିର୍ଦ୍ଦିଷ୍ଟ ସମୟ ଆମ୍ଭମାନଙ୍କ ନିକଟରୁ ବର୍ତ୍ତମାନ ବହୁ ଦୂରରେ । ତଥାପି ଲକ୍ଷ୍ୟସ୍ଥଳରେ ଉପନୀତ ହେବା ସକାଶେ ଗୋଟିଏ ବା ଦୁଇଟି ଅସ୍ପଷ୍ଟ ପନ୍ଥା ଉପରେ ଆମେ ଅସ୍ଥାବାନ୍, କିନ୍ତୁ ଏହାର ପ୍ରେରଣା ଆମ୍ଭର ଦ୍ରୁତଗତିରେ ବିଶୃଙ୍ଖଳା ସୃଷ୍ଟି କରିଛି । ଏହି ପନ୍ଥାମାନଙ୍କ ମଧ୍ୟରେ ଚରଖା ହିଁ ଆମର ତୀବ୍ର ଓ ତୀକ୍ଷ୍ଣ ଦୃଷ୍ଟି ଆକର୍ଷଣ କରିଛି । ତେଣୁ ବର୍ତ୍ତମାନ ଆମର ପ୍ରଶ୍ନ ହେଉଛି, ସ୍ୱରାଜ୍ୟ କ’ଣ ? ଆମର ନେତାମାନେ ଏହାର ଯଥାର୍ଥ ସଜ୍ଞା ପ୍ରଦାନ କରି ନାହାନ୍ତି । ସ୍ୱାଧୀନତା ଶବ୍ଦଟିର ବ୍ୟାଖ୍ୟା ବିଭିନ୍ନ ପ୍ରକାରରେ କରାଯାଇ ପାରେ । ବସ୍ତୁତଃ ଚରଖା ସାହାଯ୍ୟରେ ନିଜର ବସ୍ତ୍ର ପାଇଁ ସୂତ୍ରବୟନ କରିବାର ସ୍ୱାଧୀନତା ଆମର ରହିଛି । ଏଥିରେ ଆମେ ବିଫଳ ହୋଇଥିବାର କାରଣ ହେଉଛି ଯେ, ଆମର ହାତକଟାସୂତା କଳାସୂତା ସହିତ ପ୍ରତିଦ୍ୱନ୍ଦୀ ହେବାକୁ ଅସମର୍ଥ । ଯଦି ଭାରତର ଲକ୍ଷ ଲକ୍ଷ ଜନତା ତାଙ୍କର ଅବସର ମୁହୂର୍ତ୍ତକୁ ଚରଖା ସାହାଯ୍ୟରେ ସୂତ୍ରୋତ୍ପାଟନ କରିବାରେ ବ୍ୟୟ କରନ୍ତେ, ତାହାହେଲେ ଅବସ୍ଥା ଅନ୍ୟ ଧରଣର ହୁଅନ୍ତା ଓ ହାତକଟାସୂତାର ଦ୍ୱାରା ମଧ୍ୟ ହ୍ରାସଲାଭ କରନ୍ତା, କିନ୍ତୁ ଏଭଳି ଆଶା କରିବା ଆମ୍ଭମାନଙ୍କ ପକ୍ଷରେ ବୃଥା । କାରଣ ଚରଖା ସପକ୍ଷରେ ଯେଉଁମାନେ ଲେଖନୀ ଧାରଣ କରିଛନ୍ତି ସେମାନଙ୍କର ଚରଖା ପ୍ରତି ଆନ୍ତରିକ ସମର୍ଥନ ନାହିଁ ।
ଦ୍ୱୀତୀୟତଃ କେତେକ ମତ ଦିଅନ୍ତି, ଦେଶର ସମସ୍ତେ ଯଦି ଚରଖା ବ୍ୟବହାର କରନ୍ତି, ତାହାହେଲେ ଆମର ଦାରିଦ୍ର୍ୟ କେତେକ ପରିମାଣରେ ଦୂର ହୁଅନ୍ତା ? କିନ୍ତୁ ଏହା ଦ୍ୱାରା ମଧ୍ୟ ସ୍ୱରାଜ୍ୟ ସାଧନ ସମ୍ଭବପର ନୁହେ–ତାହାହେଲେ ସ୍ୱରାଜ୍ୟ ସାଧନ କ'ଣ ? ଜାତୀୟ ସମ୍ପତ୍ତିର ଅଭିବୃଦ୍ଧି ଦାରିଦ୍ର୍ୟ ପୀଡ଼ିତ ଏକ ଦେଶ ପକ୍ଷରେ ଅବଶ୍ୟ ଏକ ସାମାନ୍ୟ କଥା ନୁହେ । ମାତ୍ର କୃଷକଗଣ ତାଙ୍କର ଅବସର ସମୟ ନଷ୍ଟ ନ କରି ଯଦି ଏହି ଧରଣର ଉତ୍ପାଦନ କାର୍ଯ୍ୟରେ ବିନିଯୋଗ କରନ୍ତେ, ତାହା ଦେଶ ପକ୍ଷରେ ଯଥେଷ୍ଟ ଲାଭଜନକ ହୁଅନ୍ତା ।
ଏହା ଧରି ନିଆଯାଉ ଯେ କୃଷକମାନଙ୍କ ବଳକା ସମୟକୁ ଲାଭଜନକ ଦିଗରେ ବ୍ୟବହାର କରିବା ଦେଶ ପକ୍ଷରେ ଏକ ପ୍ରଧାନ ଆବଶ୍ୟକତା, ତାହାହେଲେ ମଧ୍ୟ, ଏ କଥା ଯେତେ ସହଜ ଶୁଣାଯାଉଛି, ଏ ସମସ୍ୟା ସେତେ ସରଳ ନୁହେ । ଏ ସମ୍ପର୍କରେ ଆହୁରି ସ୍ପଷ୍ଟ ଚିନ୍ତା ଆବଶ୍ୟକ । ‘‘ସେମାନେ ସୂତା କାଟନ୍ତୁ’’ ସଂକ୍ଷେପରେ ଏତକ କହିଦେଲେ ଯଥେଷ୍ଟ ନୁହେ । ବ୍ୟକ୍ତିଗତ ଓ ଚିରାଭ୍ୟସ୍ତ କାର୍ଯ୍ୟରେ କୃଷକର ଏକ ନିର୍ଦ୍ଦିଷ୍ଟ ମନୋଭଙ୍ଗୀ ଓ ହସ୍ତକୁଶଳତା ରହିଛି । ଭୂମିକର୍ଷଣ କୃଷକ ପକ୍ଷରେ ଅତି ସହଜସାଧ୍ୟ । ଯେ ପର୍ଯ୍ୟନ୍ତ କୃଷକ ତା’ର ଭୂମିରେ ରହିଛି, ବିଭିନ୍ନ ଧରଣର ଶସ୍ୟ ଉତ୍ପାଦନରେ ତା’ର ଧ୍ୟାନ ସର୍ବଦା ନିବଦ୍ଧ । ଯେଉଁ ସମୟରେ ଏ ପରିଶ୍ରମରୁ ସେ ମୁକ୍ତ ଓ କର୍ମହୀନ, ସେତେବେଳେ ତାକୁ ଆଳସ୍ୟପରାୟଣ ବୋଲି ଅଭିଯୁକ୍ତ କରିବା ଅନ୍ୟାୟ । କୃଷିକାର୍ଯ୍ୟ ଯଦି ବର୍ଷବ୍ୟାପୀ ହୋଇଥାଆନ୍ତା, ତାହାହେଲେ ମନେହୁଏ, କ୍ରମାଗତଭାବେ ସେ ଏଥିରେ ନିଯୁକ୍ତ ରହୁଥାଆନ୍ତା ।
କର୍ମହୀନତା ଯେ ମନକୁ ନିଷ୍କ୍ରିୟ କରିଦିଏ ଏହା ହିଁ କୃଷି ଭଳି ଯେ କୌଣସି ଦୁଃସହ କର୍ମର ଏକ ସହଜାତ ଦୁର୍ଲକ୍ଷଣ । କେବଳ ସକ୍ରିୟ ମନ ହିଁ ଦୈନନ୍ଦିନ ଜୀବନର ଏକ କାର୍ଯ୍ୟରୁ, କାର୍ଯ୍ୟାନ୍ତରକୁ ଗତି କରିବା ପାଇଁ ସମର୍ଥ ହୋଇଥାଏ । ଗୋଟିଏ ଟ୍ରାମଗାଡ଼ି ଯେପରି ତା’ର ନିର୍ଦ୍ଦିଷ୍ଟ ଗୁଳାରେ ଗତି କରେ ଏବଂ ସହଜରେ ତା’ର ଗତିପଥ ପରିବର୍ତ୍ତନ କରି ପାରେ ନା, କୃଷି ପରି ହସ୍ତ-ଶ୍ରମସମ୍ବଳୀ କର୍ମରେ ଅବସ୍ଥା ମଧ୍ୟ ତଦନୁରୂପ । କୃଷକ ସୂତାକଟାରେ ନିଯୁକ୍ତ ହେଲେ-ତାହାର ମନ ପଥଚ୍ୟୁତ ହୁଏ ଏବଂ ବହୁ ଆୟାସ ଓ ଶକ୍ତି ବ୍ୟୟ କରି ଏହି କାର୍ଯ୍ୟ କିଛି ସମୟ ପାଇଁ ସେ କରି ପାରେ ।
ବଙ୍ଗ ପ୍ରଦେଶରେ ଦୁଇଟି ଜିଲ୍ଲାର କୃଷକମାନଙ୍କ ସହିତ ମୋର ଘନିଷ୍ଠ ପରିଚୟ ଘଟିଛି-। ଅଭ୍ୟାସର ଶୃଙ୍ଖଳା ସେମାନଙ୍କ ପକ୍ଷରେ କେତେ କଠିନ, ତାହା ମୁଁ ଅଭିଜ୍ଞତାରୁ ହିଁ ଜାଣେ-। ଏଇ ଦୁଇଟି ଜିଲ୍ଲା ମଧ୍ୟରୁ ଗୋଟିକରେ ପ୍ରଧାନତଃ ଧାନ୍ୟଶସ୍ୟ ହିଁ ଉତ୍ପନ୍ନ ହୁଏ ଏବଂ ତାହାର କୃଷକମାନେ ଏହି ଗୋଟିଏ ମାତ୍ର ଶସ୍ୟକୁ ଅତ୍ୟନ୍ତ ପରିଶ୍ରମ ସହକାରେ ଉତ୍ପାଦନ କରନ୍ତି-। ତା ନ ହେଲେ ବଳକା ସମୟରେ ନିଜ ଘର ଡିହରେ ସେମାନେ ପନିପରିବା ଚାଷ କରି ପାରନ୍ତେ-। ତାହା କରିବାକୁ ମୁଁ ସେମାନଙ୍କୁ ଉତ୍ସାହ ଦେଇଛି, କିନ୍ତୁ ସେଥିରେ ମୋର ଉଦ୍ୟମ ବ୍ୟର୍ଥ ହୋଇଛି-। ଯେଉଁ ଲୋକମାନେ ଧାନ୍ୟ ଉତ୍ପାଦନ ପାଇଁ ସ୍ୱେଚ୍ଛାରେ ନିଜର ଶ୍ରମ ଓ ସ୍ୱେଦ ଦାନ କରିଛନ୍ତି, ପନିପରିବା ଉତ୍ପାଦନ ପାଇଁ ଶ୍ରମ ଦାନ କରିବାକୁ କୁଣ୍ଠିତ ହେବା ସେମାନଙ୍କ ପକ୍ଷରେ ସ୍ୱାଭାବିକ । ଅନ୍ୟ ଜିଲ୍ଲାର କୃଷକମାନେ ଧାନ, ଝୋଟ, ଆଖୁ, ସୋରିଷ ଓ ଅନ୍ୟାନ୍ୟ ରବିଫସଲ ଉତ୍ପାଦନ ପାଇଁ ବର୍ଷସାରା ବ୍ୟସ୍ତ, କିନ୍ତୁ ଏହି ସକଳ ଶସ୍ୟ ପାଇଁ ଯେଉଁ ଜମି ଅନୁପଯୁକ୍ତ, ତାହା ଅନାବାଦୀ ହୋଇ ପଡ଼ିରହେ ଏବଂ ଜମିଦାରର ଖଜଣା ଦୃଷ୍ଟିରୁ କେବଳ କ୍ଷତିଜନିତ ହୋଇଥାଏ । ଏହି ସ୍ଥାନକୁ ଉତ୍ତରାଞ୍ଚଳର କୃଷକମାନେ ଆସି ଅନାବାଦୀ ଜମିକୁ ପଟା ନେଇ ଚାଷ କରନ୍ତି ଏବଂ ଫୁଟିକାକୁଡ଼ି ଓ ତରଭୁଜ ଆଦି ବିଭିନ୍ନ ଜାତୀୟ ଫସଲ ପଡ଼ିଆ ଜମିରେ ଉତ୍ପାଦନ କରନ୍ତି ଓ ବେଶ୍ ଲାଭବାନ ହୋଇ ଘରକୁ ଫେରିଥାନ୍ତି । ଝୋଟ ଉତ୍ପାଦନକାରୀ ଚାଷୀକୁ କୌଣସି ପ୍ରକାରେ ଆଳସ୍ୟପରାୟଣ ବୋଲି କୁହାଯାଇ ନ ପାରେ । ମୁଁ ଶୁଣିଚି ଯେ ପୃଥିବୀରେ ଏପରି ଅନେକ ଅଞ୍ଚଳ ଅଛି ଯାହାକୁ ଝୋଟଚାଷ ପାଇଁ ଅନୁକୂଳ, କିନ୍ତୁ ପରିଶ୍ରମଜନିତ କ୍ଳେଶ ପାଇଁ କୃଷକମାନେ ଏହା ଚାଷ କରିବାକୁ କୁଣ୍ଠାବୋଧ କରିଥାଆନ୍ତି । ଝୋଟ ଉତ୍ପାଦନ କ୍ଷେତ୍ରରେ ବଙ୍ଗଦେଶ ଯେ ଏକଚାଟିଆ ସ୍ଥାନ ଅଧିକାର କରିଛି, ତାହାର କାରଣ ହେଉଛି ସେ ଦେଶର ମାଟି ଓ କଠୋର ପରିଶ୍ରମୀ କୃଷକର ସ୍ୱଭାବ । ତଥାପି ଝୋଟ ଚାଷୀମାନେ ଯେ ପ୍ରତିବର୍ଷ ଲାଭବାନ ହେଉଥିବା ଉତ୍ତରାଞ୍ଚଳର ଚାଷୀମାନଙ୍କୁ ଦେଖି ମଧ୍ୟ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉ ନାହାନ୍ତି ବା ପଡ଼ିଆ ଜମିରେ ଫସଲ ଉତ୍ପାଦନ କରୁ ନାହାନ୍ତି, ତାର କାରଣ ହେଉଛି, ଏହି ପଥରେ ପଦକ୍ଷେପ କରିବାକୁ ସେମାନେ ଅନଭ୍ୟସ୍ତ ।
ଆମର ପ୍ରଧାନ ସମସ୍ୟା ହେଉଛି, ଏକ ପୁରୁଣା ପଥରୁ ନୂତନ ପଥ ପ୍ରତି ଲୋକମନକୁ ଆକୃଷ୍ଟ କରିବା । ମୋର ବିଶ୍ୱାସ କେବଳ ଗୋଟିଏ ବାହାରିଆ ଓ ସହଜ ସାଧନ ପ୍ରଣାଳୀ ନିର୍ଦ୍ଦେଶ କରିବା ଦ୍ୱାରା କୌଣସି କଲ୍ୟାଣ ସାଧିତ ହୋଇ ନ ପାରେ । କେବଳ ମାନସିକତାର ପରିବତ୍ତନ ଦ୍ୱାରା ହିଁ ଏହାର ସମାଧାନ ସମ୍ଭବପର । ହିନ୍ଦୁ ଓ ମୁସଲମାନ ଏକତ୍ରିତ ହୁଅନ୍ତୁ' ଏପରି ଏକ ଇସ୍ତହାର ଦେବା ଅତି ସହଜ । ଏହି ଅନୁଜ୍ଞାପାଳନ କରି ହିନ୍ଦୁମାନେ ଖିଲାଫତ ଆନ୍ଦୋଳନରେ ଯୋଗଦେବା ମଧ୍ୟ କଠିଣ ନୁହେ । ଏପରି କି ନିଜର ଆର୍ଥିକ ସ୍ୱଚ୍ଛଳତା ମୁସଲମାନଙ୍କସକାଶେ ଅନେକ ପରିମାଣରେ ସେମାନେ ତ୍ୟାଗ କରି ପାରନ୍ତି, କିନ୍ତୁ ହିନ୍ଦୁ ଓ ମୁସଲମାନମାନଙ୍କର ମିଳନ ପଥରେ ସେମାନଙ୍କର ମାନସିକ ସଂସ୍କାର ହିଁ ପ୍ରକୃତ ଅନ୍ତରାୟ । ଏହା ହିଁ ହେଉଛି ସମସ୍ୟାର ପ୍ରକୃତ ସ୍ୱରୂପ । ହିନ୍ଦୁ ପାଖରେ ମୁସଲମାନ ଅପବିତ୍ର ଏବଂ ମୁସଲମାନ ନିକଟରେ ହିନ୍ଦୁ କାଫେରରୂପେ ବିବେଚିତ । ସ୍ୱରାଜଲାଭ ପାଇଁ ସେମାନଙ୍କର ପ୍ରବଳ ଆଗ୍ରହ ସତ୍ତ୍ୱେ ଏହି ମାନସିକ ସଂସ୍କାରକୁ ସେମାନେ ଅତିକ୍ରମ କରି ପାରୁ ନାହାନ୍ତି । ମୁଁ ଜଣେ ଇଂରେଜ ନବିଶଙ୍କ କଥା ଜାଣିଥିଲି-। ୟୁରୋପୀୟ ହୋଟେଲଖାନା ପ୍ରତି ତାଙ୍କର ବିଶେଷ ରୁଚି ଥିଲା । ହୋଟେଲର ପ୍ରତ୍ୟେକ ଖାଦ୍ୟ ସେ ଆନନ୍ଦର ସହିତ ଖାଉଥିଲେ, କିନ୍ତୁ ହୋଟେଲର ରନ୍ଧା ଭାତ ପ୍ରତି ତାଙ୍କର ଘୃଣା ଥିଲା । ସେ କହୁଥିଲେ ଯେ ମୁସଲମାନ ଖାନସମା ଦ୍ୱାରା ରନ୍ଧାଭାତ ଗ୍ରହଣ କରିବା ତାଙ୍କ ପକ୍ଷରେ ଅସମ୍ଭବ । ଭାତ ସମ୍ପର୍କରେ ଯେଉଁ ସଂସ୍କାର ତାହା ହିଁ ହିନ୍ଦୁ ମୁସଲମାନଙ୍କ ମୈତ୍ରୀ ସାଧନ ପଥରେ ପ୍ରତିବନ୍ଧକରୂପେ ଦଣ୍ଡାୟମାନ । ଧର୍ମାଚାରର ଆଦେଶ ଦ୍ୱାରା ମନରେ ଯେଉଁ ସମସ୍ତ ଅଭ୍ୟାସ ଆମର ଗଢ଼ିଉଠିଛି, ତାହା ଆମ ମଧ୍ୟରେ ସାମ୍ପ୍ରଦାୟିକ ଭାବନାରେ ଏକ ପ୍ରାଚୀନ ଦୁର୍ଗା ନିର୍ମାଣ କରିଛି । ଖିଲାଫତ ଆନ୍ଦୋଳନ ବା କେତେକ ସୁବିଧାଜନକ ସନ୍ଧିସର୍ତ୍ତ ସାହାଯ୍ୟରେ ବାହ୍ୟିକ ଏକତା ସାଧନ ଦ୍ୱାରା ଏହାର ସମାଧାନ ହୋଇ ନ ପାରେ ।
ଏହି ଧରଣର ସମସ୍ୟା ଆଭ୍ୟନ୍ତରୀଣ ଅଚଳ ପ୍ରକୃତି ଯୋଗୁଁ ତାର ସମାଧାନ ଦୁରୁହ । ଏହାର ମୂଳ ଅତି ଗଭୀରଭାବେ ଆମ ମନ ସହିତ ସଂଶ୍ଲିଷ୍ଟ ଏବଂ ତାହାର ମୁଳୋତ୍ପାଟନ ପାଇଁ କୌଣସି ପ୍ରସ୍ତାବ ହେଲେ ଆମେ ତତ୍କ୍ଷଣାତ୍ ପ୍ରତିକ୍ରିୟାଶୀଳ ହୋଇଉଠୁ । ଏହି କାରଣରୁ କୌଣସି ସହଜ ଓ ବାହ୍ୟିକ ସମାଧାନ କଥା ଶୁଣିଲେ ତାହାକୁ ଆମେ ଏକ ଆଶୀର୍ବାଦ ବୋଲି ମନେକରୁଁ । ନ୍ୟାୟ ପଥରେ ଅର୍ଥ ଉପାର୍ଜନ କରିବାକୁ ଯେ କୁଣ୍ଠିତ, ସେହି ବ୍ୟକ୍ତି ହିଁ ଜୁଆଖେଳି ଗତାଗତ ବଡ଼ଲୋକ ହେବାର ଦୁରାଶାରେ ନିଜର ସର୍ବନାଶ ସାଧନ କରିବାକୁ କୁଣ୍ଠାବୋଧ କରେ ନାହିଁ । ଚରଖା କାଟିବାର ସ୍ୱରାଜ ସାଧନର ଏକ ପ୍ରଧାନ ଅଙ୍ଗ, ଏହା ଯଦି ଆମ ଦେଶବାସୀ ସ୍ୱୀକାର କରନ୍ତି, ତାହାହେଲେ ମାନିବାକୁ ପଡ଼ିବ ଯେ ସ୍ୱରାଜପ୍ରାପ୍ତି ଏକ ବାହ୍ୟିକ ସିଦ୍ଧି ମାତ୍ର । ଏଥିସକାଶେ ଦେଶର ମଙ୍ଗଳ ସାଧନ ପାଇଁ ଆତ୍ମପ୍ରଭାବର ଯେଉଁସବୁ ଚରିତ୍ରଗତ ଓ ସାମାଜିକ ପ୍ରଥାଗତ ବାଧା ରହିଛି, ସେହି ପ୍ରଧାନ ବିଷୟରୁ ଆମ୍ଭମାନଙ୍କ ମନକୁ ଅପସାରଣ କରି ଚରଖା ଉପରେ ନ୍ୟସ୍ତ କଲେ ଲୋକମାନେ ବିସ୍ମିତ ନ ହୋଇ ବରଂ ଆଶ୍ୱସ୍ତ ହୁଅନ୍ତେ । ଏପରି ଅବସ୍ଥାରେ ଧରି ନିଆଯାଉ ଯେ ଚାଷୀମାନେ ସେମାନଙ୍କର ଅବସର ସମୟକୁ ଯଦି କୌଣସି ଲାଭଜନକ କାର୍ଯ୍ୟରେ ବିନିଯୋଗ କରନ୍ତି ତାହାହେଲେ ଆମର ସ୍ୱରାଜଲାଭର ଗୋଟିଏ ପ୍ରଧାନ ଅନ୍ତରାୟ ଦୂରୀଭୂତ ହୁଅନ୍ତା, ଚାଷୀମାନଙ୍କର ଅବସର ସମୟ କିପରି ସବୁଠି ବେଶୀ ଲାଭଜନକ ଉପାୟରେ ବ୍ୟବହୃତ ହୋଇ ପାରିବ ସେ ସମ୍ପର୍କରେ ଆମ ଦେଶର ନେତାମାନଙ୍କୁ କର୍ମପନ୍ଥା ଚିନ୍ତା କରିବାକୁ ପଡ଼ିବ । ଏଥିରୁ କ’ଣ ସ୍ପଷ୍ଟ ନୁହେ ଯେ କୃଷିକର୍ମ ମଧ୍ୟରେ ହିଁ ଏହି ଧରଣର ସୁବିଧା ପ୍ରକୃଷ୍ଟ ଭାବରେ ନିହିତ-?
ଧରିନିଆଯାଉ ମୋ ଜୀବନରେ ଆର୍ଥିକ ସଙ୍କଟ ଦେଖାଦେଇଛି । ଏହି କ୍ଷେତ୍ରରେ ମୋର କେହି ହିତେଷୀ ମୋତେ ଯଦି ପ୍ରକୃତ ପରାମର୍ଶ ଦେବାକୁ ଚାହାନ୍ତି, ତାଙ୍କର ପ୍ରଥମତଃ ଚିନ୍ତା କରିବା ଉଚିତ ଯେ ମୁଁ ଦୀର୍ଘକାଳ ଧରି ସାହିତ୍ୟ ସୃଷ୍ଟିରେ ଅଭ୍ୟସ୍ତ । ଏହି କର୍ମ ପ୍ରତି ପରାମର୍ଶଦାତା ଯେତେ ବୀତଶ୍ରଦ୍ଧ ହେଲେ ମଧ୍ୟ ମୋର ଜୀବିକାର୍ଜନ ପ୍ରତି ଉପଦେଶ ଦେବାକୁ ଗଲେ ତାଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ । ସେ ହୁଏ ତ ମୋତେ ହିସାବ କରି ଦେଖାଇଦେଇ ପାରନ୍ତି ଯେ ଛାତ୍ରମାନଙ୍କ ସକାଶେ କଲେଜ ବସ୍ତିରେ ଯଦି ଚାହା ଦୋକାନଟିଏ ଖୋଲାଯାଏ, ତାହାହେଲେ ଶତକଡ଼ା ପଞ୍ଚସ୍ତରୀ ଭାଗ ମୁନାଫା ଆସିବ । ଗାଣିତିକ ହିସାବରୁ ମଣିଷ ମନକୁ ବାଦ୍ ଦେଲେ ଲାଭାଙ୍କକୁ ଦେଖାଇବା ଅତି ସହଜ ।
ଚା’ଦୋକାନ କରିବାକୁ ଯାଇ ମୁଁ ସର୍ବସ୍ୱାନ୍ତ ହୋଇ ପାରେ ତା’ର କାରଣ ନୁହେ ଯେ ସୁଯୋଗ୍ୟ ଚା’ଦୋକାନୀ ଭଳି ମୋର ବୁଦ୍ଧି ନାହିଁ; ତା’ର ଅସଲ କାରଣ ହେଉଛି ଚା’ବାଲାଠାରୁ ମୋର ମନ ଭିନ୍ନ ଉପାଦାନରେ ଗଢା । ତେଣୁ ହିତୈଷୀ ବନ୍ଧୁ ଯଦି ମୋତେ ଗୋଇନ୍ଦା ଗଳ୍ପ ବା ସ୍କୁଲ କଲେଜର ପାଠ୍ୟପୁସ୍ତକର ନୋଟବହି ଲେଖିବାକୁ କହନ୍ତି, ତାହାହେଲେ ପରିସ୍ଥିତିର ଅଧୀନ ହୋଇ ମୁଁ ଏହି ଉପଦେଶ ଗ୍ରହଣ କରି ପାରେ, କିନ୍ତୁ ମୋର ବିଶ୍ୱାସ ଚା’ଦୋକାନ ଖୋଲିବାଠାରୁ ଏଥିରେ ମୋର କ୍ଷତିର ସମ୍ଭାବନା କମ୍ । ଅବଶ୍ୟ ଲାଭ ସମ୍ପର୍କରେ ମୋର ସନ୍ଦେହ ରହିଛି । କାରଣ ଜଣେ ଲେଖକଙ୍କର ମନକୁ କବିତା କ୍ଷେତ୍ରରୁ ଅପସାରିତ କରି ଜନପ୍ରିୟ କଥାସାହିତ୍ୟ ସୃଷ୍ଟି କରିବାର ନିଯୁକ୍ତ କରିବା ସେତେ ସହଜସାଧ୍ୟ ନୁହେ । ଚିରଜୀବନ ଧରି ଚାଷୀର ଦେହ ମନରେ ଯେଉଁ ଶିକ୍ଷା ଅଭ୍ୟାସଗତ ହୋଇଯାଇଛି ସେଥିରୁ ତାକୁ ହଠାତ୍ ବଞ୍ଚିତ କରି ସୁଖୀ ବା ଧନୀ କରାଇବା ସହଜ ନୁହେ । ପୂର୍ବରୁ ମୁଁ ସୁଚାଇଦେଇଛି ଯେ ଯେଉଁମାନେ ମନର ଉପଯୁକ୍ତ ଚର୍ଚା ବା ବ୍ୟବହାର ନ କରନ୍ତି ସେମାନଙ୍କଠାରେ କେତେଗୁଡ଼ିଏ ବଦ୍ଧମୂଳ ଅଭ୍ୟାସ ସୃଷ୍ଟି ହୁଏ ଏବଂ ଫଳରେ ସାମାନ୍ୟ ପରିମାଣର ପରିବର୍ତ୍ତନ ମଧ୍ୟ ସେମାନଙ୍କ ପକ୍ଷରେ ଗ୍ରହଣ କରିବା କଷ୍ଟକର ହୋଇପଡ଼େ-। ନିଜ ଯୋଜନାଟି କିପରି ଅତି ସହଜରେ କାର୍ଯ୍ୟକାରୀ ହେବ ସେଥିପ୍ରତି ଆସକ୍ତ ହୋଇ ମନସ୍ତତ୍ତ୍ୱର ଏହି ନିୟମଟିକୁ କେହି ଯଦି ଲଙ୍ଘନ କରେ, ସେଥିରେ ମନସ୍ତତ୍ତ୍ୱର କୌଣସି ପରିବର୍ତ୍ତନ ଘଟିବ ନାହିଁ, କିନ୍ତୁ ଯୋଜନାଟି ବିଫଳ ହେବାକୁ ବାଧ୍ୟ ।
ଅନ୍ୟାନ୍ୟ କୃଷିପ୍ରଧାନ ଦେଶରେ କୃଷି ପ୍ରଣାଳୀର ଉନ୍ନତି ପାଇଁ ସଫଳ ଉଦ୍ୟମ କରାଯାଉଛି । ବିଜ୍ଞାନର ବ୍ୟବହାର ଦ୍ୱାରା ଆମ ଦେଶ ଅପେକ୍ଷା ପ୍ରାୟ ଚାରିଗୁଣ ଅଧିକ ଫସଲ ସେଠାରେ ଉତ୍ପନ୍ନ ହେଉଛି । ଜ୍ଞାନପଥ ସହଜ ନୁହେ, କିନ୍ତୁ ତାହା ହିଁ ଏକମାତ୍ର ସତ୍ୟପଥ । କୃଷିର ଉନ୍ନତି ବିଧାନ ପାଇଁ କୃଷକର ସମସ୍ତ ଶକ୍ତିକୁ ବିନିଯୋଗ କରିବାକୁ ଉପଦେଶ ନ ଦେଇ, ଚରଖା ସାହାଯ୍ୟରେ ତାକୁ ସୂତା କାଟିବାକୁ ନିର୍ଦ୍ଦେଶ ଦେବା ଦୁର୍ବଳତାର ଏକ ନିଦର୍ଶନ । ଆଳସ୍ୟ-ପରାୟଣାତା ସକାଶେ ଚାଷୀକୁ ଆମେ ଦୋଷ ଦେଉଁ, କିନ୍ତୁ ଆମ ଉପଦେଶ ଅନେକାଂଶରେ ଆମ ମାନସିକ ଆଳସ୍ୟରେ ଅଭିବ୍ୟକ୍ତ । ହାତକଟା ସୂତା ଓ ଲୁଗାର ବହୁଳ ଉତ୍ପାଦନ ଶ୍ରମିକର ଆର୍ଥିକ ଲାଭ ଦୃଷ୍ଟିରୁ କଲ୍ୟାଣକାରକ ବୋଲି ଏପର୍ଯ୍ୟନ୍ତ ମୁଁ ସ୍ୱୀକାର କରିଆସିଛି । ତାହା କେବଳ ଏକ ଯୁକ୍ତି । ଏ ସମ୍ବନ୍ଧରେ ଯେଉଁମାନଙ୍କର ଅଭିଜ୍ଞତା ଅଛି, ଏଥିରେ ସେମାନେ ଗଭୀର ସନ୍ଦେହ ପ୍ରକାଶ କରିଥାନ୍ତି । ମୋ ପରି ଜଣେ ଅନଭିଜ୍ଞ ବ୍ୟକ୍ତି ଏ ବିଷୟରେ ବାଦାନୁବାଦ ଭିତରେ ପଶିବା ଅନାବଶ୍ୟକ । ମୋର ଅଭିଯୋଗ ଯେ ଚରଖା ସଙ୍ଗରେ ସ୍ୱରାଜକୁ ଜଡ଼ିତ କରି ସ୍ୱରାଜ୍ୟ ସମ୍ବନ୍ଧରେ ଦେଶର ଜନସାଧାରଣଙ୍କୁ ବିଚଳିତ କରି ଦିଆଯାଉଛି । ଦେଶର କଲ୍ୟାଣ କହିଲେ କ’ଣ ବୁଝାଏ, ସେ ସମ୍ପର୍କରେ ଆମ ମନରେ ଏକ ସ୍ପଷ୍ଟ ବ୍ୟାପକ ଧାରଣା ସୃଷ୍ଟି ହେବା ଆବଶ୍ୟକ । ଧାରଣା ଯଦି ସଂକୀର୍ଣ୍ଣ ବା ଅପୂର୍ଣ୍ଣ ହୁଏ, ତାହାହେଲେ ଆମ ଶକ୍ତି ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ମନର ଦାବି ହ୍ରାସ ହେଲେ ମାନସିକ ଆଳସ୍ୟ ବୃଦ୍ଧିପ୍ରାପ୍ତ ହୁଏ । ଆମ ଜାତୀୟ ଉନ୍ନତିରେ ଚରଖାକୁ ପ୍ରଥମସ୍ଥାନ ଦେବା ଅର୍ଥ ଆମ ବୁଦ୍ଧିବୃତ୍ତିକୁ ଅପମାନିତ କରିବା । ଦେଶକଲ୍ୟାଣର ଏକ ଚିତ୍ର ତାର ସମସ୍ତ ବୃହତ୍ତର ବିଭାବ ସହିତ ଆମ ଚକ୍ଷୁ ସମକ୍ଷରେ ଯଦି ପାଞ୍ଜଳ ଭାବରେ ଉପସ୍ଥାପିତ କରାଯାଏ, ତାହାହେଲେ ସମସ୍ତ ଆବେଗ ଓ ବୁଦ୍ଧିପୁଷ୍ଟ ଜନସାଧାରଣଙ୍କ ପ୍ରଖର ଶକ୍ତି-ସ୍ରୋତ ତାରି ଅଭିମୁଖରେ ହିଁ ପ୍ରଧାବିତ ହୁଏ । ସେହି ଚିତ୍ରକୁ ଯଦି ସଂକୀର୍ଣ୍ଣ କରିଦିଆଯାଏ ଆମର ସାଧନା ମଧ୍ୟ ସଂକୀର୍ଣ୍ଣତା ପ୍ରାପ୍ତ ହୁଏ । ପୃଥିବୀର ଯେଉଁ ମହାମାନବଗଣ ନିଜ ଦେଶ ଓ ମାନବଜାତି ପାଇଁ ଅସାମାନ୍ୟ ତ୍ୟାଗ ସ୍ୱୀକାର କରିଛନ୍ତି, ସେମାନେ ମଙ୍ଗଳର ଏକ ବିରାଟ ଓ ଉଜ୍ଜ୍ୱଳରୂପ ଦ୍ୱାରା ଅଭିଭୂତ ହୋଇଥାନ୍ତି । ଆତ୍ମତ୍ୟାଗ ସେହିଭଳି ଏକ ମହାନ ଦୃଷ୍ଟିର ପ୍ରେରଣା ପାଇଁ ଅପେକ୍ଷା ରଖେ-। ସ୍ତୂପୀକୃତ ସୂତ୍ରସମ୍ଭୀର ଦ୍ୱାରା ସେ ପ୍ରେରଣା ସୃଷ୍ଟି ହେବା ଅସମ୍ଭବ । ଗୋଟିଏ ହିସାବି ମନ ପରିସଂଖ୍ୟାନର କେତେଗୁଡ଼ିଏ ଅଙ୍କର ଚିତ୍ର ପ୍ରଦାନ କରି ପାରେ, କିନ୍ତୁ ଯେଉଁ ବୃହତ୍ତର ଶକ୍ତି ବଳରେ ବଳିୟାନ୍ ହୋଇ ଜଣେ ମନୁଷ୍ୟ ପ୍ରତିବନ୍ଧନ ଓ ବିଫଳତାକୁ ଭୃକ୍ଷେପ ନ କରି ଯେ କୌଣସି ଯନ୍ତ୍ରଣା, ଏପରି କି ମୃତ୍ୟୁ ବେଦନାକୁ ସହ୍ୟ କରିବାକୁ ପ୍ରସ୍ତୁତ ହୁଏ ସେହି ବୃହତ୍ତର ଶକ୍ତିର ଜାଗରଣ ଏହି ପରିସଂଖ୍ୟାନ ଦ୍ୱାରା ହୋଇ ନ ଥାଏ ।
ଶିଶୁ ଆନନ୍ଦର ସହିତ ଭାଷା ଶିଖେ । କାରଣ ସେ ନିଜର ପିତାମାତାଙ୍କ ମୁଖରେ ସବୁବେଳେ ଭାଷାର ଆକାର ପ୍ରକାର ଲକ୍ଷ୍ୟ କରେ । ସ୍ପଷ୍ଟ ଭାବରେ ବୁଝି ନ ପାରିଲେ ମଧ୍ୟ ଭାଷାର ସାମଗ୍ରିକ ରୂପ ତା ପ୍ରାଣରେ ଶିହରଣ ସୃଷ୍ଟି କରେ ଏବଂ ଉତ୍କଣ୍ଠାର ସହିତ ତାହା ଶିଖିବାକୁ ସେ ଚେଷ୍ଟା କରିଥାଏ । ଭାଷାର, ପ୍ରାଚୁର୍ଯ୍ୟ ପରିବର୍ତ୍ତେ ଯଦି ଶିଶୁ ସମ୍ମୁଖରେ କେବଳ ବ୍ୟାକରଣ ଗ୍ରନ୍ଥ ରଖିଯାଆନ୍ତା, ମାତୃଭାଷା ଶିକ୍ଷା ପାଇଁ ତାର ସମସ୍ତ ଆଗ୍ରହ ନଷ୍ଟ ହୁଅନ୍ତା, ଏବଂ ଯଦିବା କିଛି ସେ ଶିଖନ୍ତା ତାହା କେବଳ ବେକ୍ରାଘାତର ଭୟରେ । ଏହା ଫଳରେ ତାର ଶିକ୍ଷା ହୁଅନ୍ତା ସମୟସାପେକ୍ଷ ।
ଏହି କାରଣରୁ ମୁଁ ମନେକରୁଛି ଯେ ଦେଶକୁ ଯଦି ସ୍ୱରାଜ୍ୟ ସାଧନର ପ୍ରକୃତ ଦୀକ୍ଷା ଦେବାକୁ ଆମେ ଚାହୁଁ, ତାହାହେଲେ ଏକ କ୍ଷୁଦ୍ର ଅଂଶ ବଦଳରେ ସ୍ୱରାଜର ସମଗ୍ର ମୂର୍ତ୍ତି ଦେଶ ସମକ୍ଷରେ ସ୍ଥାପନ କରିବା ଉଚିତ୍ । ତାହାର ସମଗ୍ର ରୂପର ଆକାର ବୃହତ୍ ହୋଇ ନ ପାରେ, କିନ୍ତୁ ଏହା ବାସ୍ତବ ଓ ସମ୍ପୂର୍ଣ୍ଣ ହେବା ଉଚିତ । ପ୍ରତ୍ୟେକ ପ୍ରାଣବନ୍ତ ପଦାର୍ଥ ବିନାଶର ପ୍ରତ୍ୟେକ ସ୍ତରରେ ପୂର୍ଣ୍ଣ ରୂପର ଅଧିକାରୀ । ଗୋଟିଏ ଶିଶୁର ଜୀବନ କେବଳ ବୁଢାଆଙ୍ଗୁଳିରୁ ଆରମ୍ଭ ହୋଇ କ୍ରମଶଃ ଗୋଟିଏ ଗୋଡ଼ରେ ପରିଣତ ହୁଏ ନାହିଁ ବା ପନ୍ଦର କୋଡ଼ିଏ ବର୍ଷ ପରେ ମନୁଷ୍ୟର ପୂର୍ଣ୍ଣ ଆକାର ପାଏ ନାହିଁ । ମନୁଷ୍ୟର ପୂର୍ଣ୍ଣାକୃତି ତା’ର ଶୈଶବରେ ହିଁ ପରିଦୃଷ୍ଟ । ସେଥିପାଇଁ ତା’ ମଧ୍ୟରେ ଆମେ ଏତେ ଆନନ୍ଦ ପାଉଁ ଓ ସେହି ଆନନ୍ଦ ହେତୁ ତାକୁ ମଣିଷ କରିବାର କଠିଣ ଦୁଃଖ ମଧ୍ୟ ପିତାମାତା ଆଗ୍ରହ ସହକାରେ ବରଣ କରିଥାଆନ୍ତି । ତା’ ନ ହୋଇ ଯଦି ଅଂଶ ବିଶେଷର ଲାଳନପାଳନରେ ସେମାନଙ୍କର ବହୁ ବର୍ଷ ଅତିବାହିତ ହୁଅନ୍ତା ଓ ତାକୁ ମନୁଷ୍ୟାକୃତି ଦେବାର ଶ୍ରମକ୍ଳେଶ ସେମାନେ ବରଣ କରନ୍ତେ ତାହା ନିଶ୍ଚୟ ସେମାନଙ୍କ ପକ୍ଷରେ ଦୁଃସହ ହୋଇଉଠନ୍ତା ।
ଯଦି ସ୍ୱରାଜ ଠିକ୍ ସେହିପରି ଚରଖା ସୁତା ଆକାରରେ ଆମ ନିକଟକୁ ଆସେ, ଆମର ଅବସ୍ଥା ମଧ୍ୟ ସେହିଭଳି ଅସହନୀୟ ହୋଇଉଠିବ । ଏଭଳି ପରିସ୍ଥିତିରେ ମହାତ୍ମାଗାନ୍ଧୀଙ୍କ ଭଳି ଜଣେ ଉଚ୍ଚକୋଟୀର ବ୍ୟକ୍ତି କିଛିକାଳ ପାଇଁ ତାଙ୍କ ବ୍ୟକ୍ତିତ୍ୱର ମହତ୍ୱ ଯୋଗୁଁ ଆମ ଦେଶର କେତେକ ଲୋକଙ୍କୁ ଭବିଷ୍ୟତ ଉନ୍ନତିର ସମ୍ଭାବନାହୀନ ଏହି କାର୍ଯ୍ୟରେ ଅନୁପ୍ରାଣିତ କରିବାକୁ ସଫଳ ହୋଇ ପାରନ୍ତି । କାରଣ ତାଙ୍କର ବ୍ୟକ୍ତିଗତ ମାହାତ୍ମ୍ୟ ଉପରେ ଆମର ଯଥେଷ୍ଟ ଆସ୍ଥା ଅଛି-। ସେଥିପାଇଁ ତାଙ୍କର ଆଦେଶ ପାଳନ କରିବାକୁ ଅଧିକାଂଶ ମଧ୍ୟ ଏକ ଫଳ ଲାଭ ବୋଲି ମନେ କରିଥାନ୍ତି, ମୋ ମତରେ ଏ ପ୍ରକାରର ମତିଗତି ସ୍ୱରାଜ୍ୟପ୍ରାପ୍ତି ଦିଗରେ ଅନୁକୂଳ ନୁହେ ।
କେବଳ ସୁତାକଟାରେ ନୁହେ, ନିଜ ଦେଶର ଦାୟିତ୍ୱକୁ ସମ୍ୟକ୍ ଭାବରେ ଗ୍ରହଣ କରିବାର ସାଧନ ପାଇଁ ଦେଶର ନାନା ସ୍ଥାନରେ କେନ୍ଦ୍ରମାନ ପ୍ରତିଷ୍ଠିତ ହେବା ଆବଶ୍ୟକ ବୋଲି ମୁଁ ମନେକରେ । ଜନକଲ୍ୟାଣ ବିଭିନ୍ନ ଉପାଦାନର ଏକ ସମାହାର । ସେଥିରୁ ଗୋଟିଏ ପୃଥକ୍ କରିଦେଲେ ସୁଫଳ ମିଳେ ନାହିଁ । ସ୍ୱାସ୍ଥ୍ୟ, ଅବସର ବିନୋଦନ, ଦୈହିକ ଓ ମାନସିକ କ୍ରିୟାର ଏକତ୍ରୀକରଣ ଦ୍ୱାରା ମଙ୍ଗଳର ପୂର୍ଣ୍ଣଚିତ୍ର ମିଳିଥାଏ । ଆମେ ସ୍ୱଦେଶର ସେହି ମଙ୍ଗଳର ପୂର୍ଣ୍ଣରୂପକୁ ଆଖି ଆଗରେ ଦେଖିବାକୁ ଚାହୁଁ । ଯାହାକି ଆମକୁ ନିର୍ଦ୍ଦିଷ୍ଟ ଉପଦେଶ ଅପେକ୍ଷା ଅଧିକ ଶିକ୍ଷାଦେବ-। ଦେଶର ବିଭିନ୍ନ ସ୍ଥାନରେ ନବଜୀବନର ନିଦର୍ଶନ ଆମ ଚକ୍ଷୁ ସମକ୍ଷରେ ଉପସ୍ଥାପିତ ହେବା ବାଞ୍ଛନୀୟ । ତା’ ନ ହେଲେ କେବଳ ଚରଖା ଘୁରାଇ, ସୂତାକାଟି, ଗୁରୁଗମ୍ଭୀର ଆଳାପ କରି ସ୍ୱରାଜ ଚିତ୍ର କଳ୍ପନା କରିବା ଅସମ୍ଭବ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଭାରତବର୍ଷର ସାମଗ୍ରିକ ରୂପ, ଆମ ପାଇଁ ପ୍ରଥମେ ବାସ୍ତବ ଓ ମୂର୍ତ୍ତିମନ୍ତ ହେବା ଆବଶ୍ୟକ । ତା’ହେଲେ ପ୍ରତ୍ୟକ୍ଷ ଅଭିଜ୍ଞତା ଦ୍ୱାରା ଆତ୍ମନିୟନ୍ତ୍ରଣର ମୂଲ୍ୟ ଉପଲବ୍ଧି କରିବାକୁ ଆମେ ସକ୍ଷମ ହେବୁ । ଭାରତବର୍ଷରେ ଯଦି ଗୋଟିଏମାତ୍ର ଗ୍ରାମର ଲୋକେ ଆତ୍ମଶକ୍ତି ଦ୍ୱାରା ସମଗ୍ର ଗ୍ରାମଟିକୁ ଆପଣାର କରି ପାରନ୍ତି, ତାହାହେଲେ ସ୍ୱରାଜ୍ୟ ସାଧନାର ପ୍ରଥମ ପଦକ୍ଷେପ ସେହିଠାରେ ହିଁ ଆରମ୍ଭ ହୁଅନ୍ତା । ଭାରତ ପକ୍ଷରେ ଆଜି ଯେଉଁ ବହୁମୁଖୀ ଓ ସୃଜନଶୀଳ ଉଦ୍ୟମ ଆବଶ୍ୟକ ସେଥିପାଇଁ ଆମ ଶକ୍ତିକୁ ପ୍ରାୟ ନିଃଶେଷ କରି ବିନିଯୋଗ କରିବା ଉଚିତ । ଗୋଟିଏ ଲକ୍ଷ୍ୟସ୍ଥଳରେ ଉପନୀତ ହେବା ପାଇଁ ଓ ଆମର ପୂର୍ଣ୍ଣତା ପାଇଁ ଏହି ଶକ୍ତି ବିଭିନ୍ନ ପନ୍ଥାରେ ସର୍ବୋତ୍କୃଷ୍ଟ ଭାବରେ ବିନିଯୁକ୍ତ ହେବା ବିଧେୟ । ଏହି କାର୍ଯ୍ୟ ସୁଦୂରପ୍ରସାରୀ ହେବା ପରିବର୍ତ୍ତେ ଆମର ନିକଟବର୍ତ୍ତୀ ପରିବେଶ ମଧ୍ୟରେ ହିଁ ଆରମ୍ଭ ହେବା ଉଚିତ । ଆମେ ଯଦି ପ୍ରଥମରୁ ଏହି ମୌଳିକ ଓ ସାମାନ୍ୟ କାର୍ଯ୍ୟକୁ ଘୃଣାବ୍ୟଞ୍ଜକ ଦୃଷ୍ଟିରେ ଦେଖୁଁ ତାହାହେଲେ ଗୀତାର ଏହି ଉପଦେଶ ଆମ ପକ୍ଷରେ ସ୍ମରଣୀୟ ।
‘‘ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍’’ ଅର୍ଥାତ୍ ଧର୍ମର ସାମାନ୍ୟ ସ୍ପର୍ଶ ମଣିଷକୁ ମହତ୍ ଭୟରୁ ପରିତ୍ରାଣ କରେ । ଅନ୍ୟ କଥାରେ ସତ୍ୟର ଶକ୍ତି, ତା’ର ସତ୍ୟସ୍ୱରୂପ ମଧ୍ୟରେ ହିଁ ନିହିତ । ଏହିପରି ବାସ୍ତବ ରୂପରେ ସମ୍ମିଳିତ ଆତ୍ମକର୍ତ୍ତୃତ୍ୱର ଚର୍ଚ୍ଚା ଓ ପ୍ରସାର ଗର୍ବ ଓ ଗୌରବବୋଧର ଆନ୍ତରିକ ଅଭିଜ୍ଞତା ଦ୍ୱାରା ସ୍ୱରାଜ୍ୟର ମୂଳଭିତ୍ତି ସ୍ଥାପନ ସମ୍ଭବପର । ଭିତରେ ଓ ବାହାରେ ଏହାର ଅଭାବ ହିଁ, ଖାଦ୍ୟ, ସ୍ୟସ୍ଥ୍ୟ, ଶିକ୍ଷା, ଜ୍ଞାନ ଓ ଆନନ୍ଦ ପ୍ରଭୃତି ସକଳ କ୍ଷେତ୍ରରେ ଆମ ନିଗ୍ରହର ମୂଳକାରଣ । ଏହି ଭାବ-ଦାରିଦ୍ର୍ୟ ସତ୍ତ୍ୱେ ଆମେ ଯେ ସ୍ୱରାଜ ଲାଭ କରିବା, ଏଭଳି ଚିନ୍ତା ଅର୍ଥହୀନ ।
ସୂତାକଟା ଯେ ଏକ ସୃଷ୍ଟି ଏହା କହିବା ଯଥାର୍ଥ ନୁହେ । କାଠତିଆରି ଗୋଟିଏ ଚକକୁ ଘୁରାଇବା ଦ୍ୱାରା ମଣିଷ କେବଳ ତା’ର ଅଙ୍ଗ ବିଶେଷ ବା ଗୋଟିଏ ଯନ୍ତ୍ରରେ ପରିଣତ ହୁଏ । ମନହୀନ ଏକ ଯନ୍ତ୍ର ନିଜ ମଧ୍ୟରେ ପ୍ରାଚୁର୍ଯ୍ୟର ଅଧିକାରୀ । ନିଜ ବ୍ୟତୀତ ଏହା କିନ୍ତୁ ଅଧିକ କିଛି ଜାଣେ ନାହିଁ । ଚରଖାଧାରୀ ମନୁଷ୍ୟ ହେଉଛି ଏହି ଶ୍ରେଣୀୟ । ଯେଉଁ ସୂତା ସେ କାଟେ ଅନ୍ୟ ସହିତ ସେ ସୂତାର ଆବଶ୍ୟକୀୟ ସମ୍ବନ୍ଧ ନାହିଁ । ଏପରିକି ନିଜ ପ୍ରତିବେଶୀମାନଙ୍କ ସମ୍ପର୍କରେ ମଧ୍ୟ ସଚେତନ ହେବାର ପ୍ରୟୋଜନୀୟତା ସେ ଅନୁଭବ କରେ ନା । ରେଶମ ପୋକଭଳି ତା’ର ସମସ୍ତ କର୍ମ ଆତ୍ମକେନ୍ଦ୍ରିକ । ଯନ୍ତ୍ରାଧର୍ମୀ ମନୁଷ୍ୟ ଏକାକୀ ବିଛିନ୍ନ ଓ ବନ୍ଧୁହୀନ ହେବାକୁ ବାଧ୍ୟ । ଜଣେ କଂଗ୍ରେସ ସଭ୍ୟ ସୂତାକଟାରେ ଯେତେବେଳେ ନିଯୁକ୍ତ, ଠିକ୍ ସେହି ସମୟରେ ସେ ତାଙ୍କ ଦେଶ ପାଇଁ ଏକ ଧରାସ୍ୱର୍ଗର ପରିକଳ୍ପନା କରି ପାରନ୍ତି, କିନ୍ତୁ ଏଭଳି ସ୍ୱପ୍ନ ମୂଳରେ ଅବଶ୍ୟ ଅନ୍ୟ କିଛି ପ୍ରେରଣା ନିହିତ ।
ଅନ୍ୟ ପକ୍ଷରେ ଯେଉଁ ମନୁଷ୍ୟ ଏକାକୀ ନିଜ ଗ୍ରାମରୁ ମହାମାରୀ ଭୟ ଦୂର କରିବାରେ ଯତ୍ନଶୀଳ, ପ୍ରତି ପଦକ୍ଷେପରେ ସମଗ୍ର ଗ୍ରାମଜୀବନ ପାଇଁ ତା’ର ଜୀବନ ଉତ୍ସର୍ଗୀକୃତ । ସାଧାରଣ କଲ୍ୟାଣ ପାଇଁ ତା’ର କର୍ମ ମାଧ୍ୟମରେ ସମସ୍ତ ଗ୍ରାମଜୀବନକୁ ନିଜ ମଧ୍ୟରେ ସେ ଉପଲବ୍ଧି କରିବାକୁ ସମର୍ଥ ହୁଏ । ତା’ର କର୍ମମୂଳରେ ଆନନ୍ଦଦାୟକ ଓ ସୃଜନଶୀଳ ଏକ ମହତ୍ ଉଦ୍ଦେଶ୍ୟ ବର୍ତ୍ତମାନ ଏବଂ ଏହାରି ମଧ୍ୟରେ ହିଁ ସ୍ୱରାଜ୍ୟସାଧନ ପାଇଁ ଉଦ୍ୟମର ପ୍ରକୃତ ଅୟମାରମ୍ଭ ବିଦ୍ୟମାନ-। ସେହି କାର୍ଯ୍ୟରେ ଯଦି ଗ୍ରାମର ସମସ୍ତ ଲୋକେ ପରସ୍ପର ଯୋଗଦାନ କରନ୍ତି ତାହାହେଲେ ବୁଝାଯିବ ଯେ ଗ୍ରାମ ନିଜକୁ ନିଜେ ସୃଷ୍ଟି କରିବା ଦ୍ୱାରା ନିଜକୁ ନିଜେ ଯଥାର୍ଥ ଭାବରେ ଲାଭ କରିବା ଦିଗରେ ଗତିଶୀଳ । ଏହା ହିଁ ପ୍ରକୃତ ସ୍ୱରାଜ୍ୟସାଧନ ଓ ଏହା ପରିମାଣ ଦିଗରୁ କମ୍ ହେଲେ ମଧ୍ୟ ସତ୍ୟ ହିସାବରେ କମ୍ ନୁହେ । ଯେଉଁ ଗ୍ରାମର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥୋପାର୍ଜନ ଓ ଆନନ୍ଦ ବିଧାନ କ୍ଷେତ୍ରରେ ସମଗ୍ର ଭାବରେ ସମ୍ମିଳିତ ହୋଇ ପାରିଛନ୍ତି, ସେହି ଗ୍ରାମରେ ହିଁ ସମଗ୍ର ଭାରତର ସ୍ୱରାଜ୍ୟ ପ୍ରଥମେ ଆତ୍ମପ୍ରକାଶ କରିବ । ସେହି ସ୍ୱରାଜ୍ୟ ହିଁ କ୍ରମଶଃ ନିଜର ଅନ୍ତର୍ନିହିତ ବିକାଶପରାୟଣ ଆତ୍ମଶକ୍ତି ସାହାଯ୍ୟରେ ଅଗ୍ରସର ହେବ, କିନ୍ତୁ ଚରଖାର ଯାନ୍ତ୍ରିକ ଘୂର୍ଣ୍ଣନ ଦ୍ୱାରା ସେପରି ଅଗ୍ରଗତି ସମ୍ଭବପର ନୁହେ ।
ତାଙ୍କୁ ଅସ୍ୱୀକାର କରିବାର ସ୍ୱାଧୀନତା ଈଶ୍ୱର ମୋତେ ଦେଇଥିବାରୁ ତାଙ୍କୁ ପ୍ରେମ କରିବାକୁ ମୁଁ ସମର୍ଥ ।