ଶିକ୍ଷା ସମସ୍ୟା — ବିଶ୍ୱ ମାନବର ପଥେ — ରବୀନ୍ଦ୍ରନାଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଶିକ୍ଷା ସମସ୍ୟା
ଏ ଦେଶରେ ସ୍କୁଲ କହିଲେ ଯାହା ବୁଝାଯାଏ, ପ୍ରକୃତରେ ତାହା ଶିକ୍ଷା ଦେବାର ଏକ କାରଖାନା । ଶିକ୍ଷକମାନ ସେହି କାରଖାନାର ଏକ ଅଂଶ ମାତ୍ର । ସକାଳ ସାଢ଼େ ଦଶଟା ବେଳେ ଘଣ୍ଟା ବାଜିଲେ ଏ କାରଖାନା ଖୋଲିଯାଏ । ଶିକ୍ଷକମାନେ ପଢ଼ାଇବା ଆରମ୍ଭ କରି ମୁହଁ ଖୋଲିଲେ କଳ ଚାଲିବା ଆରମ୍ଭ ହୁଏ । ଅପରାହ୍ନ ଚାରିଟା ବେଳେ କାରଖାନା ବନ୍ଦ ହୁଏ । ଶିକ୍ଷକମାନେ ମୁହଁ ବନ୍ଦ କରନ୍ତି, ଛାତ୍ରମାନେ କଳପ୍ରସ୍ତୁତ ଦ୍ରବ୍ୟ ଭଳି ଦୁଇ ଚାରି ପୃଷ୍ଠାର ପାଠ ନେଇ ଘରକୁ ଫେରିଆସନ୍ତି । ପରେ ଏହି ପାଠର ପରୀକ୍ଷା ହୁଏ ଏବଂ ତା ଉପରେ ମୋହର ମରା ଯାଏ ।
କଳର ଗୋଟିଏ ସୁବିଧା, ଏହା ଫରମାସ ମୁତାବକ ଠିକ୍ ଜିନିଷ ତିଆରି କରେ । ଅଧିକନ୍ତୁ ବିଭିନ୍ନ କଳରେ ପ୍ରସ୍ତୁତ ହେଉଥିବା ଦ୍ରବ୍ୟମାନଙ୍କ ମଧ୍ୟରେ ବିଶେଷ ପାର୍ଥକ୍ୟ ନ ଥିବାରୁ ସେଗୁଡ଼ିକୁ ମାର୍କା ଦେବା ସୁବିଧା ହୁଏ ।
କିନ୍ତୁ ଜଣେ ମନୁଷ୍ୟର ଅନ୍ୟ ମନୁଷ୍ୟ ସଂଗରେ ଅନେକ ତଫାତ୍ । ଏପରିକି ଜଣେ ମନୁଷ୍ୟର ଗୋଟିଏ ଦିନ ସଂଗରେ ଅନ୍ୟ ଏକ ଦିନର ବିଶେଷ ପାର୍ଥକ୍ୟ ଅଛି ।
ଅଧିକନ୍ତୁ ମନୁଷ୍ୟଠାରୁ ଆମ୍ଭେମାନେ ଯାହା ପାଉଁ କଳଠାରୁ ତାହା କେବେହେଲେ ପାଇପାରିବୁ ନାହିଁ । କଳ ଆମ ସମ୍ମୁଖରେ ଜିନିଷ ଧରି ରଖେ, କିନ୍ତୁ ଆମକୁ ଦାନ କରି ପାରେ ନାହିଁ । ଆଲୁଅ ଲଗାଇବା ଲାଗି ଏହା ତେଲ ଦେଇ ପାରେ, କିନ୍ତୁ ଆଲୁଅ ଜଳାଇବା ନିମନ୍ତେ ସେ ସମର୍ଥ ନୁହେ ।
ୟୁରୋପରେ ବାଳାକର ମାନସିକ ବିକାଶରେ ବିଦ୍ୟାଳୟର ଅବଦାନ ଗୌଣ, ସମାଜଜୀବନ ଭିତରେ ବଢ଼ି ସେ ମନୁଷ୍ୟ ହୁଏ । ଜୀବନ ସମ୍ପର୍କରୁ ବିଚ୍ଛିନ୍ନ ନ ହୋଇ ଇଉରୋପୀୟ ଶିକ୍ଷା ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପଡ଼େ । ସମାଜ ମଧ୍ୟରେ ଏହାର ଜନ୍ମ, ବିକାଶ ଓ ପ୍ରସାର ସାଧିତ ହୁଏ । ଲୋକମାନଙ୍କ ନିତିଦିନିଆ ଜୀବନର କଥାବାର୍ତ୍ତା, ଚିନ୍ତା ଓ କାର୍ଯ୍ୟ ଉପରେ ଏହାର ପ୍ରଭାବ ସ୍ପଷ୍ଟ ହୋଇଉଠେ । ସେଠାରେ ଜନସମାଜ କାଳେ କାଳେ ନାନା ଘଟଣାରେ ଓ ବହୁଲୋକଙ୍କ ବିବିଧ କର୍ମ ମଧ୍ୟରେ ଲାଭ କରିଥିବା ସଂସ୍କୃତିକୁ ପରିବେଷଣ କରିବା ନିମନ୍ତେ ବିଦ୍ୟାଳୟ କେବଳ ଏକ ମାଧ୍ୟମ ମାତ୍ର ।
କିନ୍ତୁ ଆମ ଦେଶରେ ବିଦ୍ୟାଳୟମାନ ସମାଜ ସହିତ ଏକ ହୋଇ ମିଶି ରହିବା ଦୂରେଥାଉ, ସେଗୁଡ଼ିକୁ ବାହାରୁ ସମାଜ ଉପରେ ଯେପରି ଲଦି ଦିଆଯାଇଛି । ସେମାନେ ଶିକ୍ଷା ଦେଇଥିବା ପାଠ୍ୟ ବିଷୟଗୁଡ଼ିକ ଶୁଷ୍କ ଓ ନିର୍ଜୀବ, ତାକୁ ଶିକ୍ଷା କରିବା କଷ୍ଟକର, ଏବଂ ଶିକ୍ଷା କଲେ ମଧ୍ୟ ପ୍ରୟୋଗ କାଳରେ ତାହା ନିରର୍ଥକ । ଦଶଟାରୁ ଚାରିଟା ପର୍ଯ୍ୟନ୍ତ ଛାତ୍ରମାନେ ନାନାପାଠ ମୁଖସ୍ଥ କରନ୍ତି, କିନ୍ତୁ ସେମାନେ ବାସ କରୁଥୁବା ଦେଶ ସଙ୍ଗରେ ତା’ର କୌଣସି ସାଧାରଣ ସଂଯୋଗ-ସାଦୃଶ୍ୟ ଦେଖାଯାଏ ନା । ଛାତ୍ରମାନେ ବିଦ୍ୟାଳୟରେ ଯାହା ଶିକ୍ଷା କରନ୍ତି ତା’ ସହିତ ଘରେ ପିତା ମାତା, ଓ ଜ୍ଞାତି କୁଟୁମ୍ବ କରୁଥିବା ଆଲୋଚନାର କୌଣସି ଯୋଗ ନାହିଁ, ବରଂ ଅନେକ ବିରୋଧ ପରିଲକ୍ଷିତ ହୋଇଥାଏ । ଏପରି ଅବସ୍ଥାରେ ବିଦ୍ୟାଳୟଗୁଡ଼ିକ କାରଖାନା ଅପେକ୍ଷା ଟିକିଏ ଉନ୍ନତ ଧରଣର–ତାହା ବସ୍ତୁ ମାତ୍ର ଯୋଗାଏ-ପ୍ରାଣ ଯୋଗାଏ ନାହିଁ ।
ଏହି କାରଣରୁ ଏହା ସ୍ପଷ୍ଟ ଯେ ୟୁରୋପର ବିଦ୍ୟାଳୟମାନଙ୍କର ଅବିକଳ ବାହ୍ୟ ନକଲ କଲେ ସୁଦ୍ଧା ଆମେ କେବେହେଲେ ପ୍ରକୃତ ପଦାର୍ଥ ପାଇ ପାରିବୁ ନାହିଁ । ଏହି ନକଲରୁ ଇଉରୋପୀୟ ବିଦ୍ୟାଳୟମାନଙ୍କର ସେହି ଟେବୁଲ୍ ବେଞ୍ଚ, ସେହି ପ୍ରକାର ଆଇନ୍ ଓ କାର୍ଯ୍ୟପ୍ରଣାଳୀ ସମସ୍ତ ଠିକ୍ ମିଳି ପାରେ, କିନ୍ତୁ ସେଗୁଡ଼ିକ ଆମ ପକ୍ଷରେ ବୋଝ ହୋଇ ଉଠିବ ।
ପ୍ରାଚୀନ ଭାରତରେ ଶିକ୍ଷା ଗୁରୁମାନଙ୍କର ଦାୟିତ୍ୱାଧିନ ଥିଲା, ସେମାନେ ଥିଲେ ନୈତିକ ଓ ଆଧ୍ୟାତ୍ମିକ ଉପଦେଷ୍ଟା । ସେ କାଳର ଶିକ୍ଷକମାନଙ୍କଠାରେ ମନୁଷ୍ୟତ୍ୱ ଥିଲା, ସେମାନେ କେବଳ କଳମାତ୍ର ନ ଥିଲେ, ସେତେବେଳେ ଶିକ୍ଷାର ବିଷୟ ଏତେ ବିସ୍ତୃତ ଓ ବିଚିତ୍ର ନ ଥିଲା ଏବଂ ସମାଜରେ ପ୍ରଚଳିତ ଭାବ ଓ ମତ ସହ ପୋଥିଗତ ଶିକ୍ଷାର କୌଣସି ବିରୋଧ ନ ଥିଲା । କିନ୍ତୁ ସେ କାଳର ପଦ୍ଧତିକୁ ଆଜି ଫେରାଇ ଆଣିବାର ଚେଷ୍ଟାକଲେ ତାହାର କୌଣସି ଉପଯୋଗିତା ରହିବ ନାହିଁ; ଏବଂ ପରିଶେଷରେ ତାହା ମଧ୍ୟ ବୋଝରେ ପରିଣତ ହେବ ।
ଯଦି ଆମେ ପ୍ରକୃତରେ ଆମର ବର୍ତ୍ତମାନ କାଳର ପ୍ରୟୋଜନ ଠିକ୍ରୂପେ ବୁଝୁ, ତା’ହେଲେ ଆମଦ୍ୱାରା ସ୍ଥାପିତ ନୂତନ ବିଦ୍ୟାଳୟମାନଙ୍କରେ ନିମ୍ନ ସୂଚିତ ଅବସ୍ଥାର ପୂରଣ ନିମନ୍ତେ ବ୍ୟବସ୍ଥା କରିବା ଉଚିତ । ଆମ ବିଦ୍ୟାଳୟର ପାଠ୍ୟ ବିଚିତ୍ର ଓ ଜୀବନ୍ତ ହେବା ଆବଶ୍ୟକ । ସେମାନେ ହୃଦୟ ଓ ବୁଦ୍ଧିର ପୋଷକତା ଅବଲମ୍ବନ କରିବା ବାଞ୍ଛନୀୟ । ଦେଖିବାକୁ ହେବ ଆମ ଛାତ୍ରମାନଙ୍କର ମନ କୌଣସି ପ୍ରକାର ବିଚ୍ଛେଦ ଓ ବିରୋଧ ଦ୍ୱାରା ଯେପରି କଳୁଷିତ ନ ହୁଏ । ବିଦ୍ୟାଶିକ୍ଷା ଯେପରି ଅବାସ୍ତବ, ଜଡ଼ ଓ ଦୁରୂହ ନ ହୁଏ ଏବଂ ଛାତ୍ରମାନେ ବିଦ୍ୟାଳୟରେ ଥିବା ଅଳ୍ପ କେତେକ ଘଣ୍ଟା ପାଇଁ ଏଥିଲଗି ଯେପରି ଅଧିକ ଚିନ୍ତିତ ନ ହୁଅନ୍ତି, ତାର ବ୍ୟବସ୍ଥା କରିବାକୁ ହେବ-।
ବିଦ୍ୟାଳୟକୁ ଗୃହରେ ପରିଣତ କରିବାକୁ ଚେଷ୍ଟା କଲେ ତାହା ବୋର୍ଡ଼ିଂ ସ୍କୁଲର ଆକାର ଧାରଣ କରେ । ଏହି ବୋର୍ଡ଼ିଂ ସ୍କୁଲ କହିଲେ ମନରେ ଯେଉଁ ଛବି ସୃଷ୍ଟି ହୁଏ, ତାହା ଆଦୌ ମନୋହର ନୁହେ । ସେଗୁଡ଼ିକ ସୈନ୍ୟବାହିନୀର ବାରାକ୍, ପାଗଳା ଗାରଦ, ହାସପାତାଳ ବା ଜେଲ୍ର ସମଗୋଷ୍ଠୀଭୁକ୍ତ ।
ଅତଏବ ବିଲାତର ନଜିରକୁ ପୂରାପୁରି ଆମ ମନରୁ ଦୁର କରିଦେବାକୁ ହେବ, କାରଣ ବିଲାତର ଇତିହାସ ଓ ବିଲାତି ସମାଜ ଆମ ଇତିହାସ ସମାଜରୁ ପୃଥକ୍ । ଆମ ଦେଶର ଲୋକମାନଙ୍କ ଚିତ୍ତ ଅତୀତ କାଳରେ ଯେଉଁ ଆଦର୍ଶ ଦ୍ୱାରା ଆକୃଷ୍ଟ ଓ ମୁଗ୍ଧ ହୋଇଥିଲା, ଯେଉଁ ଆଦର୍ଶ ଏହାକୁ ଅନୁପ୍ରାଣିତ କରିଥିଲା, ତାହା ଭଲକରି ବୁଝିବାକୁ ହେବ ।
ଏହି ବୁଝିବାରେ ଅନେକ ବାଧା ଅଛି । ଆମ୍ଭେମାନେ ଇଂରାଜୀ ଶିକ୍ଷାଲାଭ କରିଥିବାରୁ ଇଂରେଜମାନଙ୍କର ଦୃଷ୍ଟାନ୍ତ ଆମ ଦୃଷ୍ଟିସୀମାର ସକଳ କ୍ଷେତ୍ରକୁ ଅଧିକାର କରିଅଛି । ଏହାର ଅନ୍ତରାଳରେ ଆମ ଦେଶର ବୈଶିଷ୍ଟ୍ୟ ଅସ୍ପଷ୍ଟ ରହିଯାଏ । ଏପରିକି ବ୍ରିଟିଶ୍ ଶାସନରୁ ସ୍ୱାଧୀନତା ଲାଭ କରିବା ନିମନ୍ତେ ଲିପ୍ତଥିବା ତୀବ୍ର ସଂଗ୍ରାମରେ ମଧ୍ୟ ଆମେ ବ୍ରିଟେନ୍ ସହ ଶୃଙ୍ଖଳାବଦ୍ଧ ରହୁ । କାରଣ ଇଂରେଜ ଜାତିର ରାଜନୀତିକ ଆଦର୍ଶ ଛଡ଼ା ଆମର ଅନ୍ୟ ଆଦର୍ଶ ନାହିଁ ।
ଆମ ଅସୁବିଧାର ଏକ ପ୍ରଧାନ ହେତୁ, ଆମେ ଇଂଲଣ୍ଡ ଦେଶର ସମାଜ ବିଷୟରେ ଜ୍ଞାନଲାଭ କରି ନ ଥିବାରୁ ଇଂରାଜୀ ଶିକ୍ଷାକୁ ତାର ଯଥା ସ୍ଥାନରେ ପ୍ରୟୋଗ କରିବାକୁ ଅସମର୍ଥ ହେଉ । ଯେଉଁ ସମାଜର ଏହା ଅନ୍ତର୍ଗତ, ସେହି ସମାଜ ସହ ଏହାର ଯଥାର୍ଥ ସମ୍ପର୍କ ଆମେ ଜାଣୁ ନାହିଁ, ଫଳରେ ସେହି ବିଦ୍ୟାଳୟର ଭାରତୀୟ ପ୍ରତିରୂପ ଯେପରି ଭାବେ ଆମ ଜୀବନ ସଙ୍ଗେ ଏକ ତାନରେ ସମନ୍ୱିତ ହେବ, ତାହା ନିରୂପଣ କରିବାରେ ଆମେ ବ୍ୟର୍ଥକାମ, ଅଥଚ ଏହାହିଁ ସର୍ବାପେକ୍ଷା ଅଧିକ ପ୍ରୟୋଜନୀୟ । ବିଲାତର କେଉଁ ସ୍କୁଲ ବା କଲେଜରେ କେଉଁ ପାଠ୍ୟପୁସ୍ତକ ପଢ଼ାଯାଏ, କି ପ୍ରକାର ନିୟମ ପାଳିତ ହୁଏ, ଏ ଧରଣର ପ୍ରଶ୍ନ ଆଲୋଚନାରେ କାଳକ୍ଷେପ କରିବା ସମୟର ଅପଚୟମାତ୍ର ।
ଏହି ବିଷୟରେ ଏକ ଅନ୍ଧସଂସ୍କାର ଆମର ମଜ୍ଜାଗତ ହୋଇଅଛି । ଆମେ ମନେକରୁ କୌଣସି ପ୍ରକାରେ ଗୋଟିଏ ସଭା ସ୍ଥାପନ କରି ଓ ଏକ କମିଟି ବସାଇଲେ ସହଜରେ ଫଳଲାଭ ହେବ । ଏହି ବିଷୟରେ ଆମେ ତିବ୍ଦତୀୟମାନଙ୍କ ସଙ୍ଗେ ସମାନ । ସେମାନେ ବିଶ୍ୱାସ କରନ୍ତି ଜଣେ ଧର୍ମ ପ୍ରଚାରକ ଲାମାଙ୍କୁ ଉଡ଼ା କରି ତାଙ୍କ ଦ୍ୱାରା ଗୋଟିଏ ପ୍ରାର୍ଥନାଚକ୍ର, ବୁଲାଇଦେଲେ ସ୍ୱର୍ଗରେ ପୁଣ୍ୟଲାଭ କରାଯାଇ ପାରେ । ଅନେକଦିନ ହେଲା ଆମ୍ଭେମାନେ ବିଜ୍ଞାନସଭା ସ୍ଥାପନ କରିଅଛୁ, କିନ୍ତୁ ଆମ ଦେଶ ବିଜ୍ଞାନ ଶିକ୍ଷାରେ ଉଦାସୀନ, ଏଥିପାଇଁ ବର୍ଷ ବର୍ଷ ଧରି ଆମ୍ଭମାନଙ୍କର ବିଳାପର ଅନ୍ତ ନାହିଁ । ବିଜ୍ଞାନସଭା ସ୍ଥାପନ କରିବା ଏବଂ ଦେଶର ଲେକଚିତ୍ତକୁ ବିଜ୍ଞାନ ଶିକ୍ଷା ପ୍ରତି ଆକୃଷ୍ଟ କରାଇବା ସମାନ କଥା ନୁହେ । ଆମ୍ଭେମାନେ କେବଳ ବିଜ୍ଞାନସମିତି ସ୍ଥାପନ କରିଦେଲେ ଦେଶ ସଙ୍ଗେ ସଙ୍ଗେ ଯେ ଶତ ଶତ ବିଜ୍ଞାନୀ ପ୍ରସ୍ତୁତ କରି ପାରିବ, ବର୍ତ୍ତମାନ କାଳରେ ଆମର ଏକନିଷ୍ଟ କଳ ଉପାସନା ହିଁ ଏହି ଚିନ୍ତାର ପରିଚାୟକ ।
ଅସଲ କଥା ହେଉଛି, ମନୁଷ୍ୟର ଚିତ୍ତ ଆକର୍ଷଣ କରିବା । ତାହା ହୋଇ ପାରିଲେ ଆମର ଉଦ୍ୟମ ପୂର୍ଣ୍ଣ ସଫଳ ହେବ । ପ୍ରାଚୀନ ଭାରତୀୟମାନେ ନିଜେ ଲାଭ କରୁଥିବା ଶିକ୍ଷାରେ ଏତେ ନିବିଷ୍ଟ ଥିଲେ କିପରି ? ଏହା ଭଲ ଭାବରେ ବିବେଚନା କରି ଦେଖିବା କଥା । ମୁଁ ଜାଣେ କେତେକ ଲୋକ ବିଦେଶୀ ବିଦ୍ୟାଳୟମାନଙ୍କର ପଞ୍ଜିକା (କାଲେଣ୍ଡର) ଖୋଲି ମନୋଯୋଗ ସହକାରେ ଅଧ୍ୟୟନ କରନ୍ତି ମନେହୁଏ ତାହା ମଧ୍ୟରୁ ସେମାନେ ପ୍ରଚୁର ଆନନ୍ଦ ଲାଭ କରୁଅଛନ୍ତି । ସେମାନଙ୍କ ଆନନ୍ଦ ଉପଭୋଗରେ ବାଧାଦେବା ମୋର ଆନ୍ତରିକ ଇଚ୍ଛା ନୁହେ । ଆମ ବିଦ୍ୟାଳୟମାନଙ୍କରେ କି ବିଷୟ ପଢ଼ାହେବ, ତାହା ଚିନ୍ତା କରିବା ନିଶ୍ଚୟ ପ୍ରଧାନ କଥା, କିନ୍ତୁ ଛାତ୍ରମାନଙ୍କୁ ସେମାନଙ୍କ ପାଠ୍ୟ ପ୍ରତି ନିବିଷ୍ଟ କରାଇବା କମ୍ ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେ ।
ଆମର ପରମ୍ପରା କହେ ପ୍ରାଚୀନ ଭାରତର ଗୁରୁମାନେ ତପୋବନ କୁଟୀରରେ ବାସ କରୁଥିଲେ । ତପୋବନମାନଙ୍କର ଏକ ସୂକ୍ଷ୍ମ ଚିତ୍ର ଆମ ମନରେ ଅଙ୍କନ କରିହେବ ନାହିଁ । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଗୁରୁ ଜଣେ ଗୃହୀ ବ୍ୟକ୍ତି ଥିଲେ ଏବଂ ଶିଷ୍ୟମାନେ ସନ୍ତାନତୁଲ୍ୟ ତାଙ୍କ ଗୃହସ୍ଥଳୀରେ ବାସ କରୁଥିଲେ । ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟ ଏକତ୍ର ବାସ କରିବା ଉଚିତ, ଏହି ଭାବଧାରା ଆମ ଦେଶରେ ଆଜିକାଲି ମଧ୍ୟ ଟୋଲ, ଚତୁଷ୍ପାଠୀ ନୈଷ୍ଠିକ ହିନ୍ଦୁ ବିଦ୍ୟାଶିକ୍ଷା ଦେଉଥିବା ସ୍କୁଲ ଓ କଲେଜମାନଙ୍କରେ ଠାଏ ଠାଏ ଦେଖାଯାଇଥାଏ ।
ଏହି ଟୋଲ ଓ ଚତୁଷ୍ପାଠୀ ପ୍ରତି ଦୃଷ୍ଟି ନିକ୍ଷେପ କଲେ ଜଣାଯିବ ସେମାନେ ପୁସ୍ତକପାଠକୁ ଶିକ୍ଷାର ସର୍ବାପେକ୍ଷା ପ୍ରଧାନ ଅଙ୍ଗରୂପେ ବିଚାର କରନ୍ତି ନାହିଁ । ସେଠାରେ ଚତୁର୍ଦ୍ଦିଗରେ ସଂସ୍କୃତିର ଏକ ବାତାବରଣ ବିଦ୍ୟମାନ, ଶିକ୍ଷକମାନେ ସେମାନଙ୍କ କର୍ମରେ ନିଜକୁ ଉତ୍ସର୍ଗ କରିଛନ୍ତି । ସେଠୀର ଜୀବନଯାତ୍ରା ଅତ୍ୟନ୍ତ ସାଧାସିଧା, ବୈଷୟିକ ସ୍ୱାର୍ଥ ବା ବିଳାସ ସେମାନଙ୍କ ମନକୁ ବିଚଳିତ କରି ପାରେ ନାହିଁ, ସୁତରାଂ ଶିକ୍ଷା ସେମାନଙ୍କର ସ୍ୱଭାବ ସଙ୍ଗରେ ମିଶିବା ନିମନ୍ତେ ଯଥେଷ୍ଟ ସୁବିଧା ଓ ସମୟ ଅଛି । ୟୁରୋପର ବଡ଼ ବଡ଼ ଶିକ୍ଷାୟତନମାନଙ୍କରେ ଏହି ଭାବଧାରା ମଧ୍ୟ ବିଦ୍ୟମାନ ସେ ବିଷୟ ଏଠାରେ ମୁଁ ସୂଚାଇଦେଇ ପାରେ ।
ପ୍ରାଚୀନ ଭାରତବର୍ଷରେ ଛାତ୍ର ପକ୍ଷରେ ଅଧ୍ୟୟନ କାଳରେ ଗୁରୁ ଗୃହରେ ବାସ ଓ ବ୍ରହ୍ମଚର୍ଯ୍ୟ ପାଳନ ଏହି ଦୁଇଟି ଅତ୍ୟାବଶ୍ୟକ ବିଷୟ ବିବେଚିତ ହେଉଥିଲା ।
ବ୍ରହ୍ନଚର୍ଯ୍ୟ କହିଲେ ସଂକୀର୍ଣ୍ଣ ଅର୍ଥରେ କୃଚ୍ଛ୍ରସାଧନ ବୁଝାଯାଏ ନାହିଁ । ସମାଜ ମଧ୍ୟରେ ପରିବର୍ଦ୍ଧିତ ବାଳକ ବହୁ ଲୋକଙ୍କର ସଂସର୍ଗ, ନାନା ବିଷୟର ପ୍ରଭାବରେ ଚଞ୍ଚଳ ହୋଇଉଠେ, ତାହାର ସ୍ୱାଭାବିକ ବିକାଶ ବାଧାପ୍ରାପ୍ତ ହୁଏ । ତାହାର ହୃଦୟବୃତ୍ତି ଭ୍ରୁଣ ଅବସ୍ଥାରେ ଥିଲାବେଳେ କୃତ୍ରିମ ଉତ୍ତେଜନା ଦ୍ୱାରା ଅକାଳରେ ଜାଗ୍ରତ ହୁଏ, ଫଳରେ ଶାରୀରିକ ଓ ମାନସିକ ଶକ୍ତିର ପ୍ରଭୂତ ଅପଚୟ ଘଟେ । ବିକୃତିର ସମସ୍ତ କୃତ୍ରିମ କାରଣ ନିକଟରୁ ତରୁଣ ସ୍ୱଭାବକୁ ପ୍ରକୃତିସ୍ଥ ରଖିବା ଏକାନ୍ତ ଆବଶ୍ୟକ । ପ୍ରବୃତ୍ତିର ଅକାଳବୋଧନ ଏବଂ ବିଳାସିତାର ଉଗ୍ର ଉତ୍ତେଜନାକୁ ସଂଯତ କରି ଏହା ନିକଟରୁ ମନୁଷ୍ୟତ୍ୱର କ୍ରମବିକଶିତ ଅବସ୍ଥାକୁ ସୁରକ୍ଷିତ କରିବାହିଁ ବ୍ରହ୍ମଚର୍ଯ୍ୟା ପାଳନର ଉଦ୍ଦେଶ୍ୟ ।
ବସ୍ତୁତଃ ସ୍ୱଭାବର ଶୃଙ୍ଖଳା ମଧ୍ୟରେ ବାସ କରିବାହିଁ ବାଳକମାନଙ୍କ ପକ୍ଷରେ ସୁଖକର ଅବସ୍ଥା । ଶୃଙ୍ଖଳା ସେମାନଙ୍କ ପୂର୍ଣ୍ଣ ବିକାଶରେ ସହାୟତା କରେ ଏବଂ ପ୍ରକୃତ ସ୍ୱାଧୀନତାର ଆନନ୍ଦ ସେମାନେ ଉପଭୋଗ କରି ପାରନ୍ତି । ଏହା ସେମାନଙ୍କର ନବାଙ୍କୁରିତ ମନକୁ ସତେଜ ରଖେ । ସେମାନଙ୍କ ଶରୀର ମଧ୍ୟରେ ଦୀପ୍ତି ସଞ୍ଚାର କରେ ।
ଆମ୍ଭମାନଙ୍କ ବିଦ୍ୟାଳୟରେ ବ୍ରହ୍ମଚର୍ଯ୍ୟ ପାଳନ ପରିବର୍ତ୍ତେ ଆଜିକାଲି ନୀତିପାଠ ପ୍ରବର୍ତ୍ତିତ ହୋଇଅଛି । ଯେକୌଣସି ଉପଲକ୍ଷରେ ଛାତ୍ରମାନଙ୍କୁ ନୀତି ଉପଦେଶ ଦେବାକୁ ହେବ, ଅଭିଭାବକମାନଙ୍କର ଏହି ଅଭିପ୍ରାୟ । କିନ୍ତୁ ଏହା ମଧ୍ୟ ଯାନ୍ତ୍ରିକ ବ୍ୟାପାର, ପ୍ରତ୍ୟହ ନିୟମିତ ଭାବରେ କଛି ସାଲସା କିମ୍ୱା ଉତ୍ତମ ଖାଦ୍ୟଦେଇ ଦୁର୍ବଳ ଅକର୍ମଣ୍ୟ ଶିଶୁକୁ ପ୍ରଫୁଲ୍ଲ ସୁନ୍ଦର କରିବାର ଚେଷ୍ଟା ସହ ଏହା ସମାନ, ଏହାର ମଧ୍ୟ ଅନେକ ଅସୁବିଧା ଅଛି । ଏ ପଦ୍ଧତି କୌଣସି ପ୍ରକାରେ ବାଳକ ପକ୍ଷରେ ମନୋରମ ହୋଇ ନ ପାରେ । ଏହା ତାହାକୁ ଆଘାତ କରେ କିମ୍ୱା ତାର ମସ୍ତକରେ ବୋଝତୁଲ୍ୟ ହୁଏ, କାଠଗଡ଼ା ମଧ୍ୟରେ ଠିଆ ହୋଇଥିବା ଦୋଷୀ ଆସାମୀ ପରି ସେ ନିଜକୁ ଅନୁଭବ କରେ । ମୋ ବିବେଚନାରେ ନୀତିଶିକ୍ଷା ସମୟ ଓ ଉଦ୍ୟମର ବିପୁଳ ଅପଚୟ ଏବଂ ବହୁ ଉତ୍ତମ ବ୍ୟକ୍ତି ଯେ ଏଥିନିମନ୍ତେ ଆଗ୍ରହୀ, ଏହାହିଁ ମୋର ଆଶଙ୍କାର ବିଷୟ । ଏହା ଯେପରି ଅସାର ସେହିପରି ଅସନ୍ତୋଷଜନକ ଏବଂ ଏହାଠାରୁ ବଳି ମନୁଷ୍ୟ ସମାଜର କ୍ଷତିକର ବିଷୟ ଅନ୍ୟକିଛି ନାହିଁ ।
ସଂସାରରେ ଜୀବନଯାତ୍ରାର ଅସତ୍ୟ ଓ ବିକୃତି ଦ୍ୱାରା ପ୍ରତି ମୁହୂର୍ତ୍ତରେ ଆମର ରୁଚି ବିନଷ୍ଟ । ସେପରି ଅବସ୍ଥାରେ ବିଦ୍ୟାଳୟରେ ଦଶଟାରୁ ଚାରିଟା ମଧ୍ୟରେ କେତେଖଣ୍ଡ ପୁସ୍ତକର ବଚନକୁ ଉଚ୍ଚାରଣ କଲେ ସମସ୍ତ ସଂଶୋଧିତ ହେବ ଏପରି ଆଶା କରିବା ବୃଥା । ଏଥୁରେ କେବଳି ଭୂର ଭୂରି ମାରାତ୍ମକ ଛଳନା ଓ ଧୃଷ୍ଟତାର ସୃଷ୍ଟି ହୁଏ, ଏହା ତରୁଣ ପ୍ରାଣର ସୌକୁମାର୍ଯ୍ୟ ଓ ସ୍ୱାଭାବିକତା ନଷ୍ଟ କରେ ।
ବ୍ରହ୍ମଚର୍ଯ୍ୟ ପାଳନ, ଖାଲି ଉପଦେଶ ପରିବର୍ତ୍ତେ ବରଂ ଶକ୍ତିଦାନ କରେ । ନୀତିଜ୍ଞାନକୁ ବାହ୍ୟଭୂଷଣ ତୁଲ୍ୟ ଏହା ଜୀବନ ଉପରେ ଲଦି ଦିଏ ନାହିଁ ବରଂ ଏହାକୁ ଜୀବନର ଅତ୍ୟାବଶ୍ୟକ ସାମଗ୍ରୀଭାବରେ ବିବେଚନା କରେ, ଏହାକୁ ଅଭ୍ୟାସ କରୁଥିବା ଲୋକ ଧର୍ମକୁ ଜୀବନର ବିରୋଧୀ-ଭାବରେ ସ୍ୱୀକାର ନ କରି ବରଂ ଅନ୍ତରଙ୍ଗ ବନ୍ଧୁ ଭାବରେ ଗ୍ରହଣ କରନ୍ତି ଓ ତାଙ୍କ ଦୃଷ୍ଟିରେ ଜୀବନ ଧର୍ମ ସଙ୍ଗରେ ଅବିଚ୍ଛେଦ୍ୟ ଭାବରେ ଗୃହୀତ ହୁଏ । ବାଳକର ମନ ଓ ଚରିତ୍ରର ଗଠନ ନିମନ୍ତେ ନୀତି ଉପଦେଶ ଆବଶ୍ୟକ ନୁହେ, ବରଂ ଅନୁକୂଳ ବାତାବରଣ ଓ ବନ୍ଧୁସୁଲଭ ପରିଚାଳନା ଏକାନ୍ତ ଆବଶ୍ୟକ ।
କେବଳ ବ୍ରହ୍ମଚର୍ଯ୍ୟ ପାଳନ ନୁହେ । ପ୍ରକୃତିର ଅନୁକୂଳ ପରିବେଶ ମଧ୍ୟରେ ଛାତ୍ର ଜୀବନଯାପନ କରିବା ଉଚିତ । ସହରଗୁଡ଼ିକ ଆମ୍ଭମାନଙ୍କର ସ୍ୱାଭାବିକ ବାସସ୍ଥାନ ନୁହନ୍ତି, ଆମର ବ୍ୟାବହାରିକ ପ୍ରୟୋଜନ ଯୋଗାଇବା ନିମନ୍ତେ ସେମାନେ ଗଠିତ ହୋଇଛନ୍ତି । ସହରରେ ଜନ୍ମଗ୍ରହଣ କରି ଇଟା ପଥର କୋଳରେ ଆମ୍ଭେମାନେ ମନୁଷ୍ୟ ହେବା, ଏହା କେବେ ବିଧାତାଙ୍କର ବିଧାନ ନ ଥିଲା । ସହରଗୁଡ଼ିକ ପ୍ରକୃତିର ବକ୍ଷରୁ ଆମ୍ଭମାନଙ୍କୁ ଦୂରକୁ ଟାଣିନେଇ ସେମାନଙ୍କ କ୍ଷୁଧାର୍ତ୍ତ, ଉତ୍ତପ୍ତ, ଜଠର ଗହ୍ୱରରେ ପରିପାକ କରନ୍ତି । ଏହି ସହରରେ ବାସ କରୁଥିବା କର୍ମବିହ୍ୱଳ ଲୋକମାନେ ସେମାନଙ୍କର ସ୍ୱଭାବଭ୍ରଷ୍ଟ ହୋଇ ବୃହତ୍ ବିଶ୍ୱର ସଂସ୍ରବରୁ ପ୍ରତ୍ୟହ ଦୂରକୁ ଚାଲିଯାଉଥିଲେ ସୁଦ୍ଧା ନିଜ ଜୀବନର ଅଭାବ କ୍ୱଚିତ୍ ଉପଲବ୍ଧି କରି ପାରନ୍ତି ।
କିନ୍ତୁ କର୍ମବ୍ୟାପାରର ଘୂର୍ଣ୍ଣାବର୍ତ୍ତ ମଧ୍ୟରେ ସଂପୂର୍ଣ୍ଣରୂପେ ନିକ୍ଷିପ୍ତ ହେବା ପୂର୍ବରୁ, ଶିକ୍ଷାକାଳରେ, ଶକ୍ତିବିକାଶ ବେଳରେ ପ୍ରକୃତିର ସହାୟତା ନିତାନ୍ତ ଦରକାର । ବୃକ୍ଷ ଓ ନଦୀ, ନୀଳ ଆକାଶ ଓ ସୁନ୍ଦର ଦୃଶ୍ୟାବଳୀ, ଶିକ୍ଷା ନିମନ୍ତେ ବେଞ୍ଚ, କଳାପଟା, ପୁସ୍ତକ ଓ ପରୀକ୍ଷା ଅପେକ୍ଷା କୌଣସି ଗୁଣରେ କମ୍ ଆବଶ୍ୟକ ନୁହେ ।
ପ୍ରାଚୀନକାଳରୁ ଭାରତବର୍ଷର ମନ ପ୍ରକୃତିସହ ଦୃଢ଼ ଓ ଅବିଚ୍ଛେଦ୍ୟ ସମ୍ବନ୍ଧ ରଖି ବିକଶିତ ହୋଇଅଛି । ଜଗତର ଜଡ଼-ଉଭିଦ-ଚେତନ ସଙ୍ଗରେ ନିଜକୁ ଏକାନ୍ତଭାବେ ବ୍ୟାପ୍ତ କରିବା ଭାରତବର୍ଷରେ ସ୍ୱଭାବସିଦ୍ଧ ହୋଇଅଛି । ପ୍ରାଚୀନ ଭାରତର ତପୋବନରେ ତରୁଣ ଦ୍ୱିଜବଟୁଙ୍କ କଣ୍ଠରୁ ଏହି ମନ୍ତ୍ର ଉଚ୍ଚାରିତ ହେଉଥିଲା–
ଯେ ଦେବୋଽଗ୍ନୌ ଯୋଽପ୍ସୁ ଯୋ ବିଶ୍ୱଂ ଭୂବନମାବିବେଶ,
ଯୋ ଓଷଧିଷ୍ଣୁ ଯୋ ବନଷ୍ପତିଷୁ ତସ୍ମୈ ଦେବାୟ ନମୋ ନମଃ ।
ଯେଉଁ ଦେବତା ଅଗ୍ନିରେ, ଜଳରେ, ବିଶ୍ୱଭୂବନରେ ଆବିଷ୍ଟ ହୋଇଅଛନ୍ତି, ଯେ ଔଷଧରେ, ବନସ୍ପତିରେ ବ୍ୟାପ୍ତ, ସେହି ଦେବତାକୁ ନମସ୍କାର, ନମସ୍କାର ।
ଅଗ୍ନି, ବାୟୁ, ଜଳ-ସ୍ଥଳଯୁକ୍ତ ବିଶ୍ୱକୁ ବିଶ୍ୱାତ୍ମାସହ ସହଜରେ ପରିପୂର୍ଣ୍ଣ କରି ଦେଖିବାର ଶିକ୍ଷାହିଁ ଯଥାର୍ଥ ଶିକ୍ଷା–ଏହି ଶିକ୍ଷା ସହରର ସ୍କୁଲରେ ଠିକ୍ରୂପେ ଲାଭ କରିବା ସମ୍ଭବ ନୁହେ । ସହରର, ବିଦ୍ୟାଳୟ ଗୋଟିଏ କାରଖାନା ଏବଂ ତାହା ଜଗତକୁ ଯନ୍ତ୍ର ଭାବରେ ଗ୍ରହଣ କରିବାକୁ ଶିକ୍ଷାଦିଏ । କାମିକାଲୋକମାନେ ଏ ଧରଣର କଥାକୁ ମିଷ୍ଟିସିଜ୍ମ୍ ବା ଭାବ କୁହେଳିକା ବୋଲି ଉଡ଼ାଇଦେବେ । ତଥାପି ନୀଳ ଆକାଶ ଓ ମୁକ୍ତ ପବନ; ବୃକ୍ଷ ଓ ପୁଷ୍ପ ଗୋଟିଏ ବାଳକର ଶରୀର ଓ ମନର ଯଥାର୍ଥ ବିକାଶ ନିମନ୍ତେ ଅତ୍ୟନ୍ତ ଦରକାର, ଏ କଥା ସେମାନେ ଅସ୍ୱୀକାର କରି ପାରିବେ ନାହିଁ । ବୟସ ବଢ଼ିଲେ, ଜନବହୁଳ ସହରର ଅଫିସରେ କାମ କରି ବ୍ୟାପାରସମ୍ପନ୍ନ କର୍ମବ୍ୟସ୍ତ ଲୋକ ହେଲେ, ପ୍ରକୃତି ସହିତ ଆମର ନିବିଡ଼ ସମ୍ପର୍କ ରକ୍ଷିତ ହୋଇ ପାରିବ ନାହିଁ । ତାହା ପୂର୍ବରୁ ଆମର ତରୁଣ ବୟସରେ ପ୍ରକୃତି ଧାତ୍ରୀର ପ୍ରଭାବରେ ରହିବା ଆମ ପକ୍ଷରେ ଅଧିକ ଆବଶ୍ୟକ । ଏତେବେଳେ ଆମର ମନ ନବୀନ, ଶିକ୍ଷା କରିବାର କୌତୁହଳ ସଜୀବ, ସମୁଦାୟ ଇନ୍ଦ୍ରିୟଶକ୍ତି ସତେଜ ଥାଏ । ସେତେବେଳେ ନିଜର ମାତୃସ୍ତନ୍ୟ ତୁଲ୍ୟ ସ୍ଥଳ ଓ ଜଳ, ଆକାଶ ଓ ବାୟୁର ଅମୃତ ରସରେ ପୁଷ୍ଟ ହୋଇ ଆମ୍ଭେମାନେ ପୂର୍ଣ୍ଣ ମନୁଷ୍ୟ ହୋଇ ପାରିବୁ । ତେଣୁ ପିଲାମାନଙ୍କୁ ମେଘ ଓ ରୌଦ୍ରର ଲୀଳାଭୂମି ଅବାରିତ ମୁକ୍ତ ଆକାଶତଳେ ଖେଳିବାକୁ ଦିଅ; ସେମାନଙ୍କୁ ପୂର୍ଣ୍ଣଶକ୍ତି ଭୂମାଙ୍କର ଆଲିଙ୍ଗନରୁ ବଞ୍ଚିତ କର ନାହିଁ । ସିଗ୍ଧ ନିର୍ମଳ ପ୍ରାତଃକାଳରେ ସୂର୍ଯ୍ୟଙ୍କର ଜ୍ୟୋତିର୍ମୟ ଅଙ୍ଗୁଳି ଦ୍ୱାରା ଦିବସର ଉଦ୍ଘାଟନ ଏବଂ ସୂର୍ଯ୍ୟସ୍ତ ଦୀପ୍ତ ସୌମ୍ୟ ଗମ୍ଭୀର ସନ୍ଧ୍ୟା, ରାତ୍ରିର ନକ୍ଷତ୍ରଖଚିତ ଅନ୍ଧକାର ମଧ୍ୟରେ ନିଃଶବ୍ଦରେ ମିଳିତ ହେବାର ଦୃଶ୍ୟ ସେମାନେ ଦେଖନ୍ତୁ । ତରୁଲତାର ଶାଖା-ପଲ୍ଲବିତ ପ୍ରକୃତିର ନାଟ୍ୟଶାଳାରେ ଛଅ ଅଙ୍କରେ ବିଭକ୍ତ ବର୍ଷର ଛଅ ଋତୁର ନାନା ରସ ବିଚିତ୍ର ଗୀତ ନାଟ୍ୟାଭିନୟ ସେମାନେ ଦର୍ଶନ କରନ୍ତୁ । ନବ ବର୍ଷା ତାହାର ପୁଞ୍ଜ ପୁଞ୍ଜ ସଜଳ ନିବିଡ଼ ମେଘ ନେଇ ବନଭୂମିକୁ ଆସନ୍ନ ବର୍ଷାର ଛାୟାରେ ଆଚ୍ଛନ୍ନ କରିବା ଦୃଶ୍ୟ ସେମାନେ ଦେଖନ୍ତୁ ଓ ବଜ୍ରର ମନ୍ଦ୍ରନିର୍ଘୋଷ ସେମାନେ ଶୁଣନ୍ତୁ । ବର୍ଷାଋତୁର ଶେଷରେ ଶରତରେ ଶିଶିର ସଞ୍ଚିତ, ବାୟୁରେ ଆନ୍ଦୋଳିତ ଦିଗନ୍ତବ୍ୟାପୀ ସବୁଜ ଶସ୍ୟକ୍ଷେତ୍ରର ବିସ୍ତାର ସେମାନେ ସ୍ୱଚକ୍ଷୁରେ ଅବଲୋକନ କରନ୍ତୁ ।
ମନର ବିକାଶ କାଳରେ ଏଥିପାଇଁ ସ୍ୱାଧୀନତା ଆବଶ୍ୟକ । ବିଶ୍ୱପ୍ରକୃତି ମଧ୍ୟରେ ସେହି ସ୍ୱାଧୀନତା ବିଚିତ୍ରଭାବେ ବିରାଜମାନ । କୌଣସି ପ୍ରକାରେ ସକାଳ ସାଢ଼େ ନଅଟାରୁ ଦଶଟା ମଧ୍ୟରେ । ଅସ୍ତବ୍ୟସ୍ତ ହୋଇ ଚଞ୍ଚଳ ମୁଠାଏ ଖାଇ ଥାନାରେ ସନ୍ଦେହଜନକ ଦୋଷୀବ୍ୟକ୍ତି ହାଜର ହେଲାପର ବିଦ୍ୟାଳୟରେ ନାମ ଡକା ବେଳରେ ଉପସ୍ଥିତ ହେଲେ ବାଳକ ପ୍ରକୃତିର ସୁସ୍ଥ ବିକାଶ ଅସମ୍ଭବ । ଶିକ୍ଷାକୁ ପ୍ରାଚୀର ଭିତରେ ଘେରାଇ ଦରୁଆନ ପହରାଦିଆ ଫାଟକ ଭିତରେ ରୁଦ୍ଧକରି ରଖିଲେ ଛାତ୍ରମାନଙ୍କର କ୍ଷତି ଛଡ଼ା ଲାଭ ନାହିଁ । ଶିଶୁ ଯେ ଆଲ୍ଜେବ୍ରା ନ କଷି, ଇତିହାସର ତାରିଖ ମୁଖସ୍ଥ ନ କରି ମାତୃଗର୍ଭରୁ ଭୂମିଷ୍ଠ ହୋଇଅଛି ସେଥି ନିମନ୍ତେ କଅଣ ସେ ଅପରାଧୀ ? ଉକ୍ତ କାରଣରୁ ସେହି ହତଭାଗ୍ୟଙ୍କ ନିକଟରୁ ବାୟୁ ଓ ଆଲୋକ, ଅବକାଶ ଓ ଆନନ୍ଦ ଛଡ଼ାଇ ନେଇ ଶିକ୍ଷାକୁ ସର୍ବଦିଗରୁ ସେମାନଙ୍କ ପକ୍ଷରେ ଶାସ୍ତି ସ୍ୱରୂପ କରିବାର କୌଣସି ଯାଥାର୍ଥ୍ୟ ଅଛି କି-? ଶିଶୁମାନେ ଜ୍ଞାନହୀନ ହୋଇ ଜନ୍ମ ହୋଇଅଛନ୍ତି । ତେଣୁ କ୍ରମେ କ୍ରମେ ଜ୍ଞାନର ଆନନ୍ଦ ଭିତରେ ପରିବର୍ଦ୍ଧିତ ହେବାର ସୁଯୋଗ ସେମାନଙ୍କୁ ଦେବାକୁ ହେବ । ଆମର ଅଯୋଗ୍ୟତାବଶତଃ ଆମେ ଶିକ୍ଷାକୁ ଆନନ୍ଦଜନକ କରି ନ ପାରୁ, କିନ୍ତୁ ଅତ୍ୟନ୍ତ ନିଷ୍ଠୁରଭାବରେ ବିଦ୍ୟାଳୟକୁ କାରାଗାରରେ ପରିଣତ କରିବା ଆମ ପକ୍ଷରେ ଅସଙ୍ଗତ । ବିଶ୍ୱପ୍ରକୃତିର ରମଣୀୟ ଅବକାଶ ମଧ୍ୟରେ ଶିଶୁମାନଙ୍କର ଜ୍ଞାନଶିକ୍ଷାକୁ ଉନ୍ନେଷିତ କରିବା ବିଧାତାଙ୍କର ଅଭିପ୍ରାୟ ଥିଲା - ସେହି ଅଭିପ୍ରାୟ ଆମ୍ଭେମାନ ବ୍ୟର୍ଥ କରି ସମ ପରିମାଣରେ ନିଜେ ବ୍ୟର୍ଥକାମ ହୋଇଛୁ । ତେଣୁ ଦୟାପୂର୍ବକ ସହି କାରାଗାରର ପ୍ରାଚୀର ଭାଙ୍ଗିଦେବା ଉଚିତ । ମାତୃଗର୍ଭ ମଧ୍ୟରେ ପଣ୍ଡିତ ହେବାକୁ ସମର୍ଥ ହୋଇନାହାନ୍ତି ବୋଲି ଶିଶୁମାନଙ୍କୁ ଆଉ ଅଧିକ କାଳ କଠିନ ଶ୍ରମସହ କାରାବାସ ଦଣ୍ଡବିଧାନ କରିବା ଅବାଞ୍ଛନୀୟ ।
ତେଣୁ ମୁଁ କହେ, ପ୍ରାଚୀନ ଭାରତର ଶିକ୍ଷାପଦ୍ଧତି ଆମ୍ଭମାନଙ୍କର ଅନୁସରଣ କରିବା ବିଧେୟ । ଛାତ୍ର ଓ ଶିକ୍ଷକ ପ୍ରାକୃତିକ ବାତାବରଣ ମଧ୍ୟରେ ଏକତ୍ର ବାସ କରିବା ଉଚିତ । ବ୍ରହ୍ମଚର୍ଯ୍ୟ ଅଭ୍ୟାସ କରି ଛାତ୍ରମାନେ ନିଜ ଶିକ୍ଷା ସମାପ୍ତ କରିବା ବାଞ୍ଛନୀୟ । ଯୁଗର ପରିବର୍ତ୍ତନ ସତ୍ତ୍ୱେ ଆମ ଅବସ୍ଥାର ଯେତେ ପରିବର୍ତ୍ତନ ହେଉ ନା କାହିଁକି ମାନବ, ପ୍ରକୃତିର ଚିରନ୍ତନ ସତ୍ୟ ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଏହି ପଦ୍ଧତିଗୁଡ଼ିକ ଏପର୍ଯ୍ୟନ୍ତ ସେମାନଙ୍କର ଉପଯୋଗିତା ହରାଇ ନାହାନ୍ତି-।
ଅତଏବ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ହେଲେ ଜନବହୁଳ ନଗରଠାରୁ ଦୂରରେ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ, ମୁକ୍ତ ଆକାଶ, ପ୍ରାନ୍ତର, ବୃକ୍ଷ ଓ ତତ୍ତୁଲ୍ୟ ପ୍ରାକୃତିକ ଅନୁକୂଳ ପରିବେଷ ମଧ୍ୟରେ ଏହାକୁ ସ୍ଥାପନ କରିବାକୁ ହେବ । ଏହି ନିଭୃତ ସ୍ଥାନରେ ଅଧ୍ୟାପକମାନେ ଅଧ୍ୟୟନ ଓ ଅଧ୍ୟାପନାରେ ନିଯୁକ୍ତ ରହିବେ, ଛାତ୍ରମାନେ ଜ୍ଞାନଲାଭ କର୍ମରେ ନିଜକୁ ନିୟୋଜିତ କରିବେ ।
ଯଦି ସମ୍ଭବ ହୁଏ, ଏହି ବିଦ୍ୟାଳୟ ସଙ୍ଗରେ ଫସଲଯୋଗ୍ୟ ଜମି କିଛି ଥିବା ଆବଶ୍ୟକ-। ଏହି ଜମିରୁ ବିଦ୍ୟାଳୟର ପ୍ରୟୋଜନୀୟ ଆହାର୍ଯ୍ୟ ଉତ୍ପନ୍ନ ହେବ । ଛାତ୍ରମାନେ ଚାଷକର୍ମରେ ସହାୟତା କରିବେ । ଦୁଧ ଘିଅ ନିମନ୍ତେ ଗାଈ ରହିବେ, ଗୋ ପାଳନରେ ଛାତ୍ରମାନେ ଯୋଗ ଦେବେ । ପଠନ କର୍ମରେ ନିବିଷ୍ଟ ନ ଥିବା ସମୟରେ ସେମାନେ ବଗିଚାରେ କାମ କରିବେ, ଗଛ ଚେରର ଚାରିପାଖରେ ମୃତ୍ତିକାକୁ କୋମଳ କରିବେ, ଗଛରେ ପାଣି ଦେବେ, ଗଛଲତା ଲାଗି ବାଡ଼ ବୁଜିବେ । ଏହିପର ପ୍ରକୃତି ସଙ୍ଗରେ ସେମାନଙ୍କର ସମ୍ପର୍କ, ଉଭୟ ଭାବର ଓ କର୍ମର ସମ୍ପର୍କ ହେବ-।
ଅନୁକୂଳ ପାଖରେ ବଡ଼ ଗଛମାନଙ୍କର ଛାଇରେ ଛାତ୍ରମାନଙ୍କର କ୍ଳାସ ବସିବ । ବୃକ୍ଷ ଶ୍ରେଣୀର ଧାଡ଼ି ଭିତରେ ବୁଲୁଥିବା ଅବସରରେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଆଲୋଚନା ରୂପରେ ଶିକ୍ଷାଦାନର କେତେକ ଅଂଶ ସମାହିତ ହେବ । ସନ୍ଧ୍ୟାର ଅବକାଶରେ ଛାତ୍ରମାନେ ନକ୍ଷତ୍ର ପରିଚୟ ଓ ସଙ୍ଗୀତ ଚର୍ଚ୍ଚାରେ ଏବଂ ପୁରାଣକଥା ଓ ଇତିହାସର ଗଳ୍ପ ଶୁଣିବାରେ କଟାଇବେ ।
ଅପରାଧ କଲେ ଛାତ୍ରମାନେ ପ୍ରାଚୀନ ଭାରତୀୟ ପ୍ରଥା ଅନୁସାରେ ପ୍ରାୟଶ୍ଚିତ୍ତ ପାଳନ କରିବେ । ଶାସ୍ତି ଅପର ନିକଟରୁ ଅପରାଧୀର ଅପରାଧ ନିମନ୍ତେ ପ୍ରତିଫଳ । ପ୍ରାୟଶ୍ଚିତ୍ତ ଆତ୍ମକୃତ ଅପରାଧର ସ୍ୱେଚ୍ଛାକୃତ ସଂଶୋଧନ । ଦଣ୍ଡ ସ୍ୱୀକାର କରିବା ନିଜର କର୍ତ୍ତବ୍ୟ ଏବଂ ନ କଲେ ଅପରାଧ କେବେହେଲେ ପୂର୍ଣ୍ଣରୂପେ ମୋଚିତ ହେବ ନାହିଁ । ଜୀବନର ବାଲ୍ୟକାଳରୁ ଆମ୍ଭେମାନେ ଏହି ଶିକ୍ଷା ଲାଭ କରିବା ଉଚିତ । ଅପର ନିକଟରେ ନିଜକୁ ଦଣ୍ଡନୀୟ କରିବାର ହୀନତା ମନୁଷ୍ୟୋଚିତ ନୁହେ ।
ଏହି ପ୍ରସଙ୍ଗରେ ଆଉକିଛି କଥା କହି ରଖିବା ଦରକାର । ଆମର ଆଦର୍ଶ ବିଦ୍ୟାଳୟରେ ଟେବୁଲ, ଚେୟାର ଓ ବେଞ୍ଚ ରଖିବାର କୌଣସି ଉପଯୋଗିତା ମୁଁ ଦେଖୁ ନାହିଁ । ଇଂରେଜୀ ସାମଗ୍ରୀ ଓ ଚଳଣି ବିରୁଦ୍ଧରେ ପକ୍ଷପାତିତା ହେତୁ ଏକଥା ମୁଁ କହୁଛି ବୋଲି କେହି ଯେପରି ମନେ ନ କରନ୍ତି । ମୋର ବକ୍ତବ୍ୟ, ଆମ ବିଦ୍ୟାଳୟରେ ଅନାବଶ୍ୟକ ସକଳ ବସ୍ତୁକୁ ଖର୍ବ କରିବାର ଆଦର୍ଶ ଯେପରି ସର୍ବତୋଭାବେ ସ୍ପଷ୍ଟ ରୂପରେ ଅନୁସୃତ ହୁଏ, ସେଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ । ଚୌକି, ଟେବୁଲ ଓ ବେଞ୍ଚ ପ୍ରଭୃତିର ଆୟୋଜନ କରିବା ସବୁବେଳେ ଆମ୍ଭମାନଙ୍କ ପକ୍ଷରେ ସହଜ ହୋଇ ନ ପାରେ, କିନ୍ତୁ ଭୂମି ସର୍ବଦା ଆମ୍ଭମାନଙ୍କର ଉପବେଶନ ନିମନ୍ତେ ପ୍ରସାରିତ ହୋଇ ରହିଛି । ଚୌକି, ଟେବୁଲ ଆମକୁ ଏହାର ବ୍ୟବହାରରୁ ବଞ୍ଚିତ କରେ । ଆମ ଦେଶ ଶୀତପ୍ରଧାନ ଦେଶ ନୁହେ, କିମ୍ବା ଭୂମିରେ ବସିବା ନିମନ୍ତେ ଆମର ପରିଚ୍ଛଦ ଅସୁବିଧାଜନକ ନୁହେ । ତଥାପି ପରଦେଶର ଅଭ୍ୟାସ ଅନୁକରଣ କରିବାରେ ଆମ୍ଭେମାନେ ଏତେଦୂର ଆଗ୍ରହୀ ଯେ, ଅନାବଶ୍ୟକ ଆସବାବ ପତ୍ରର ବାହୁଲ୍ୟ ସୃଷ୍ଟି କରୁ । ଅନାବଶ୍ୟକ ପଦାର୍ଥଗୁଡ଼ିକୁ ଯେଉଁ ପରିମାଣରେ ଅତ୍ୟାବଶ୍ୟକ ମନେକରିବୁ; ସେହି ପରିମାଣରେ ଆମ ଶକ୍ତିର ଅପଚୟ ଘଟିବ, ଏଥିରେ ସନ୍ଦେହ ନାହିଁ ।
ଧନଶାଳୀ ୟୁରୋପ ତୁଲ୍ୟ ଆମ ଦେଶର ସମ୍ୱଳ ନାହିଁ, ସେମାନଙ୍କ ପକ୍ଷରେ ଯାହା ସୁଲଭ ଆମ ପକ୍ଷରେ ତାହା ଦୁର୍ମୂଲ୍ୟ । ସାଧାରଣ ଜନକଲ୍ୟାଣକର କର୍ମର ଯୋଜନା କରିବାକୁ ଆମ୍ଭେମାନେ ଘରବାଡ଼ି ଓ ଆସବାବପତ୍ର ପ୍ରଭୃତି ପ୍ରାରମ୍ଭିକ ବ୍ୟାପାର ଉପରେ ମନୋନିବେଶ କରୁ, କିନ୍ତୁ ସେଗୁଡ଼ିକର ମୂଲ୍ୟ ଚିନ୍ତା କରି ଆମର ଶିରଃପୀଢ଼ା ସୃଷ୍ଟି ହୁଏ, ଯଦିଚ ସେମାନଙ୍କ ମଧ୍ୟରୁ ଅନେକ ଅନାବଶ୍ୟକ ବାହୁଲ୍ୟମାତ୍ର । ମାଟି କୁଡ଼ିଆରେ କାମ ଆରମ୍ଭ କରିବା, ଭୂଇଁ ଉପରେ ଆସନ ଗ୍ରହଣ କରି ସଭା କରିବା, ଏହା ସାହାସ ସହକାରେ ଆମେ କାହିଁକି କରି ନ ପାରିବା ? ଏହା କରି ପାରିଲେ ଆମର ଶ୍ରମ ଅର୍ଦ୍ଧେକ କମିଯିବ ଅଥଚ କାର୍ଯ୍ୟର ଉପାଦେୟତା କୌଣସି ପ୍ରକାରେ ହ୍ରାସ ହେବ ନାହିଁ । ଅସୀମ ଶକ୍ତିଶାଳୀ, ପ୍ରଚୁର ଧନଶାଳୀ ପର ଦେଶର ଆଦର୍ଶରେ ସକଳ କର୍ମ ନିମନ୍ତେ ଉଚ୍ଚାଭିଳାଷଯୁକ୍ତ ଯୋଜନା ନ କଲେ ଆମେ ଲଜ୍ଜା ଓ ଅସନ୍ତୋଷ ଅନୁଭବ କରୁ । ଫଳତଃ ଆମର କ୍ଷୁଦ୍ର ସମ୍ବଳର ଅଧିକାଂଶ ପ୍ରାରମ୍ଭିକ ଆୟୋଜନରେ ନିଃଶେଷିତ ହୁଏ ଏବଂ ଅସଲ କାମ ନିମନ୍ତେ ହାତରେ ବିଶେଷ କିଛି ସମ୍ବଳ ରହେ ନା ।
ଯେତେଦିନଯାଏଁ ଶିଶୁର ବିଦ୍ୟାଶିକ୍ଷା ନିମନ୍ତେ ଭୂଇଁ ଉପର ଓ ମାଟିଖଡ଼ି ଆବଶ୍ୟକ ହେଉଥିଲା, ସତେଦିନ ପର୍ଯ୍ୟନ୍ତ ପାଠଶାଳା ସ୍ଥାପନ କରିବାରେ ଆମର ଭାବନା ନ ଥିଲା । ବର୍ତ୍ତମାନ ବଜାରରେ ସ୍ଳେଟ୍ ଓ ପେନ୍ସିଲ୍ର ପ୍ରାଦୁର୍ଭାବ ବଢ଼ିଅଛି କିନ୍ତୁ ବିଦ୍ୟାଳୟ ଅଳ୍ପ । ଆବଶ୍ୟକବସ୍ତୁ ପ୍ରତି ପରଙ୍ମୁଖ ହୋଇ ଅନାବଶ୍ୟକ ବସ୍ତୁରେ ଅଧିକ ମନୋଯୋଗ ବର୍ତ୍ତମାନ ଆମର ଜୀବନର ପ୍ରତ୍ୟେକ ବିଭାବରେ ଦେଖାଯାଉଛି । ଆମର ପୂର୍ବପୁରୁଷମାନେ ସାମାଜିକ ଆଚାରକୁ ତେତେ ବଡ଼ ମନେକରୁ ନ ଥିଲେ; ସାମାଜିକ କର୍ତ୍ତବ୍ୟ ସେମାନଙ୍କ ନିକଟରେ ବଡ଼ ଥିଲା-। କିନ୍ତୁ ଆମେ ଏହାର ବିପରୀତ ଆଚରଣ କରୁଛୁ । ସେମାନେ ଆସବାବକୁ ଐଶ୍ୱର୍ଯ୍ୟର ଅଙ୍ଗ ବୋଲି କହୁଥିଲେ କିନ୍ତୁ ସଭ୍ୟତାର ଅଙ୍ଗଭାବରେ ଗ୍ରହଣ କରୁ ନ ଥିଲେ । ସଭ୍ୟତାର ଅଭିଭାବକମାନଙ୍କୁ ଗୃହରେ ସେ କାଳରେ ବିଶେଷ ଆସବାବ ନ ଥିଲା, ସେମାନେ ଦାରିଦ୍ର୍ୟକୁ ସମ୍ମାନାର୍ହ ମନେକରି ସମଗ୍ର ଦେଶକୁ ସନ୍ତୋଷ ପ୍ରଦାନ କରୁଥିଲେ । ଶିକ୍ଷା କାଳରେ ସରଳଜୀବନ ଯାପନର ଆଦର୍ଶରେ ଯଦି ଆମ୍ଭେମାନେ ଅନୁପ୍ରାଣିତ ହୋଇ ପାରୁ, ଅନ୍ୟ କିଛି ନ ହେଉ ପଛକେ ଆମର କେତେକ ଶକ୍ତି ଲାଭ ହେବ–ଭୂମିରେ ବସିବାର ସାମର୍ଥ୍ୟ, ସାଧାସିଧା ପୋଷାକ ପିନ୍ଧିବାର ଅଭ୍ୟାସ, ମୋଟା ଖାଇବାର କ୍ଷମତା, ଯଥାସମ୍ଭବ ଅଳ୍ପ ଆୟୋଜନରେ ଅଧିକ ଫଳଲାଭର ସାମର୍ଥ୍ୟ ଆମେ ହାସଲ କରିପାରିବୁ । ଏଗୁଡ଼ିକ କମ କ୍ଷମତା ନୁହେଁ ବରଂ ଏଗୁଡ଼ିକ ଲାଭ କରିବା ନିମନ୍ତେ ଯଥେଷ୍ଟ ସାଧନା ଆବଶ୍ୟକ ।
ସରଳତା, ସ୍ୱାଭାବିକତା ଓ ସହଜତା ହିଁ ଯଥାର୍ଥ ସଭ୍ୟତା–ବହୁ ଆୟୋଜନର ଆଧିକ୍ୟ ଓ ଆଡ଼ମ୍ବର, ବର୍ବରତା ମାତ୍ର । ପ୍ରକୃତ ମନୁଷ୍ୟତ୍ୱର ସମ୍ଭ୍ରମ ସ୍ୱାଭାବିକ ଦୀପ୍ତିରେ ଉଭାସିତ; ସରଳ ବାତାବରଣ ମଧ୍ୟରେ ତାହାର କୌଣସି କ୍ଷତି ହୁଏ ନାହିଁ । ଏହି ସହଜ ସତ୍ୟକୁ ଆମ୍ଭର ଶିଶୁମାନଙ୍କ ଆଗରେ ସକଳ ଉପାୟରେ ଉପସ୍ଥାପନ କରିବାକୁ ହେବ । କେବଳ ନିଷ୍ଫଳ ନୈତିକ ଉପଦେଶ ଭାବରେ ନୁହେ, ସରଳ ଜୀବନଯାପନର ପ୍ରତ୍ୟକ୍ଷ ଦୃଷ୍ଟାନ୍ତ ବିଦ୍ୟାଳୟର ସର୍ବତ୍ର ସେମାନେ ଦେଖି ସେହି ସତ୍ୟ ଉପଲବ୍ଧି କରିବେ । ଯଦି ସେମାନେ ଏହା ଶିକ୍ଷା ନ କରନ୍ତି, ଶାରୀରିକଶ୍ରମ ପ୍ରତି ସେମାନଙ୍କର ଅବଜ୍ଞା ଜାତହେବ, ଭୂମି ଉପରେ ବସିବାକୁ ସେମାନେ ଘୃଣାଜନକ ମନେକରିବେ । କେବଳ ସେତିକି ନୁହେ, ନିଜର ପିତା-ପିତାମହଙ୍କୁ ମଧ୍ୟ ସେମାନେ ଘୃଣା କରିବେ । ପ୍ରାଚୀନ ଭାରତର ସାଧନାର ମାହାତ୍ମ୍ୟ ଯଥାର୍ଥଭାବେ ଉପଲବ୍ଧି କରିବାରେ ସେମାନଙ୍କ ଅସାମର୍ଥ୍ୟ ପ୍ରକାଶିତ ହେବ ।
ମନେକରାଯାଉ ଯେ ବାହାରର ଜିନିଷ ଯେତେ ଚିକ୍କଣ ଚାକଣ ହେଲେ ସୁଦ୍ଧା ଆମେ ଏହାକୁ ପରିତ୍ୟାଗ କରିବା ଏବଂ ଭିତରର ଜିନିଷକୁ ମୁଲ୍ୟବାନ୍ ମନେ କରିବା । ତେବେ ପ୍ରଶ୍ନ ହୁଏ, ଏଥି ନିମନ୍ତେ ଯେଉଁ ସମ୍ବଳ ଆବଶ୍ୟକ ତାହା ଆମଠାରେ ପ୍ରଚୁର ପରିମାଣରେ ଅଛି କି ? ସ୍କୁଲର ପ୍ରତିଷ୍ଠାତା ଭାବରେ ଆମର ପ୍ରଥମ କର୍ତ୍ତବ୍ୟ–ଶିକ୍ଷାକୁ ଗୁରୁମାନଙ୍କ ଦାୟିତ୍ୱରେ ଛାଡ଼ିଦେବା, କିନ୍ତୁ ସେମାନଙ୍କୁ ପାଇବାର ପନ୍ଥା କଅଣ ? କାଗଜରେ ବିଜ୍ଞାପନ ଦେଲେ ଆମ୍ଭେମାନେ ସ୍କୁଲ ଶିକ୍ଷକ ପାଇ ପାରୁ, କିନ୍ତୁ ଫରମାସ ଦେଇ ଗୁରୁ ପାଇବା ସମ୍ଭବ ହେବ ନାହିଁ ।
ଏ ସମ୍ବନ୍ଧରେ ମୁଁ ସ୍ୱୀକାର କରେ ଯେ ସଙ୍ଗତିକୁ ଚାହିଁ ଆମର ଦାବୀ ବା ଆକାଙ୍କ୍ଷା ପ୍ରକାଶିତ ହେବା ଉଚିତ । ଆମ୍ଭମାନଙ୍କ ପକ୍ଷରେ ଗୁରୁ ଅତ୍ୟନ୍ତ ଆବଶ୍ୟକ, ତେଣୁ ସହସା ଆମେ ଜଣେ ଯାଜ୍ଞବଲ୍କ ଋଷି ଆମଦାନୀ କରିବୁ ଏହା କାହାରି ଆୟତ୍ତାଧୀନ ନୁହେ । କିନ୍ତୁ ଏ ବିଷୟ ମଧ୍ୟ ସ୍ମରଣ ରଖିବାକୁ ହେବ ଯେ କୌଣସି ଲାଭଜନକ କର୍ମରେ ମୂଳଧନ ବିନିଯୋଗ ନ କରି ତାକୁ ପକାଇ ରଖିବା ପରି ଆମ ଦେଶର ପ୍ରତିଭାର ବହୁଳ ଅଂଶ ବର୍ତ୍ତମାନ ଅବସ୍ଥାରେ କର୍ମହୀନ ହୋଇ ରହୁଛି । ଲଫାଫା ଉପରେ ଡାକ ଟିକଟ ଲଗାଇବାବେଳେ ବିରାଟ ଜଳପାତ୍ର ବ୍ୟବହାର କଲେ ଅଧିକାଂଶ ଜଳ ଅବ୍ୟବହୃତ ହୋଇ ରହିଯାଏ । କିନ୍ତୁ ସ୍ନାନ କରିବାକୁ ହେଲେ ଏହି ଜଳର ସମ୍ପୂର୍ଣ୍ଣାଂଶ ବ୍ୟବହୃତ ହୁଏ । ଫଳରେ ବ୍ୟବହାର ଗୁଣରେ ଜଳପାତ୍ରର ଉପଯୋଗିତା ବଢ଼େ ଓ କମେ । ଆଜିକାଲି ଜଣେ ସ୍କୁଲଶିକ୍ଷକ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ତାଙ୍କ ହୃଦୟ ମନର ଅତି ଅଳ୍ପ ଅଂଶ ହିଁ କାର୍ଯ୍ୟରେ ବ୍ୟବହୃତ ହୁଏ । ଗୋଟିଏ ଗ୍ରାମୋଫୋନ୍ ଯନ୍ତ୍ର ସଙ୍ଗରେ ଖଣ୍ଡିଏ ବେତ ଓ ଟିକିଏ ମଗଜ ଯୋଡ଼ିଦେଲେ ଏହି କର୍ତ୍ତବ୍ୟ ପ୍ରାୟ ସମାନ ଭାବରେ ସମ୍ପାଦିତ ହୋଇ ପାରନ୍ତା, କିନ୍ତୁ ଏହି ଶିକ୍ଷକଙ୍କୁ ଯଦି ଗୁରୁଙ୍ଗ ଆସନରେ ବସାଇ ଦିଆଯାଏ ତେବେ ସ୍ୱଭାବତଃ ହିଁ ତାଙ୍କ ହୃଦୟ ମନର ଶକ୍ତି, ସମୂହ ଭାବରେ ଶିଷ୍ୟଙ୍କ କର୍ମରେ ଧାବିତ ହେବ । ଅବଶ୍ୟ ସେ ତାଙ୍କର ସାଧ୍ୟତୀତ କିଛି ଦେଇ ପାରିବେ ନାହିଁ, ତଥାପି ସାଧ୍ୟ ଅପେକ୍ଷା କମ୍ ଦେବା ତାଙ୍କ ପକ୍ଷରେ ଲଜ୍ଜାଜନକ ହେବ । ଏକ ପକ୍ଷରୁ ଯଥାର୍ଥଭାବେ ଦାବୀ ଉପସ୍ଥାପିତ ନ ହେଲେ ଅନ୍ୟ ପକ୍ଷର ପୂର୍ଣ୍ଣ ଶକ୍ତିର ଉଦ୍ବୋଧନ ଘଟେ ନାହିଁ । ଆଜି ବିଦ୍ୟାଳୟର ଶିକ୍ଷକଭାବରେ ଦେଶର ମାନସିକ ଓ ଆତ୍ମିକ ଶକ୍ତିର ଅତି କ୍ଷୁଦ୍ର ଅଂଶ କାର୍ଯ୍ୟ କରୁଛି, କିନ୍ତୁ ଦେଶ ଅନ୍ତରର ସହିତ ପ୍ରାର୍ଥନା କଲେ ଗୁରୁରୁପେ ତାହା ଅପେକ୍ଷା ଅନେକ ବେଶୀ ଶକ୍ତି କାର୍ଯ୍ୟ କରି ପାରିବ ।
ଆଜିକାଲି ଅର୍ଥନୀତିଘଟିତ ପ୍ରୟୋଜନର ନିୟମରେ ଶିକ୍ଷକ ଛାତ୍ରମାନଙ୍କ ନିକଟକୁ ଆସିବାକୁ ବାଧ୍ୟ ହେଉଛନ୍ତି କିନ୍ତୁ ସ୍ୱଭାବର ନିୟମରେ ଗୁରୁଙ୍କୁ ଅନ୍ୱେଷଣ କରିବା ହେଉଛି ଛାତ୍ର ପକ୍ଷରେ ପ୍ରୟୋଜନ । ଶିକ୍ଷିକ ଆଜି ଜଣେ ଦୋକାନଦାର, ବିଦ୍ୟାଦାନ ତାହାଙ୍କର ବ୍ୟବସାୟ ଓ ଗରାଖମାନଙ୍କର ସନ୍ଧାନରେ ସେ ବାହାରନ୍ତି । ତାହାଙ୍କର ପଣ୍ୟ ତାଲିକାରେ ସ୍ନେହ, ଶ୍ରଦ୍ଧା, ନିଷ୍ଠା ପ୍ରଭୃତି ହୃଦୟର ସାମଗ୍ରୀ ରହିବ–ଏହା କେହି ପ୍ରତ୍ୟାଶା କରିବା ଅନୁଚିତ । ନିଜ ବିଦ୍ୟାବସ୍ତୁର ବିକ୍ରୀସ୍ୱରୂପ ବେତନ ଗ୍ରହଣ କରିସାରିବା ପରେ ଛାତ୍ରଙ୍କ ସହିତ ତାଙ୍କର ସମସ୍ତ ସମ୍ପର୍କ ଶେଷ ହୁଏ-। ବର୍ତ୍ତମାନ କାଳର ଏହି ପ୍ରତିକୂଳ ଅବସ୍ଥା ସତ୍ତ୍ୱେ ଆମ ଦେଶରେ ଏ ପର୍ଯ୍ୟନ୍ତ ମଧ୍ୟ କେତେକ ଶିକ୍ଷକ ଅଛନ୍ତି ଯେଉଁମାନେ ଟଙ୍କା ପଇସା ବିବେଚନାର ଉର୍ଦ୍ଧ୍ୱକୁ ଉଠିବାକୁ ସମର୍ଥ–ଏହା ତାଙ୍କ ଅନ୍ତରର ମହାନ୍ ଗୁଣରୁ ସମ୍ଭବ ହୋଇଛି । ଏହି ଶିକ୍ଷକଙ୍କ ମଧ୍ୟରୁ ଜଣକୁ ଗୁରୁର ଆସନକୁ ଉନ୍ନୀତ କରିବାକୁ ହେବ । ଏହି ଶିକ୍ଷକ ଯଦି ଜାଣନ୍ତି, ସେ ଗୁରୁ ଆସନରେ ବସିଛନ୍ତି, ନିଜ ଜୀବନ ଦ୍ୱାରା ଛାତ୍ରଙ୍କ ମଧ୍ୟରେ ତାଙ୍କୁ ଜୀବନ ସଞ୍ଚାର କରିବାକୁ ହେବ, ନିଜ ଜ୍ଞାନ ଦ୍ୱାରା ସେମାନଙ୍କର ଜ୍ଞାନଦୀପ ଜାଳିବାକୁ ପଡ଼ିବ, ସ୍ନେହ ଦାନ କରି ସେମାନଙ୍କ କଲ୍ୟାଣ ସାଧନ କରିବାକୁ ହେବ, ତା'ହେଲେ ସେ ନିଶ୍ଚୟ ଗୌରବ ଲାଭ କରିବେ । ସେ ଛାତ୍ରମାନଙ୍କୁ ଏପରି ପଦାର୍ଥ ଦାନ କରିବେ, ଯାହା ପଣ୍ୟଦ୍ରବ୍ୟ ତୁଲ୍ୟ କ୍ରୟ ବିକ୍ରୟ ହୋଇ ପାରିବ ନାହିଁ–ତାହା ମୂଲ୍ୟାତୀତ; ତେଣୁ ଛାତ୍ରମାନଙ୍କ ନିକଟରୁ ଦଣ୍ଡ ଦେବାର ଅଧିକାର ହେତୁ ନୁହେ, ଧର୍ମର ବିଧାନରେ, ସ୍ୱଭାବର ନିୟମରେ ସେ ଗଭୀର ଓ ଅକୃତ୍ରିମ ଭକ୍ତି ଗ୍ରହଣର ଯୋଗ୍ୟ ହୋଇ ପାରିବେ । ଜୀବିକା ଅନୁରୋଧରେ ବେତନ ଗ୍ରହଣ କଲେ ସୁଦ୍ଧା ସେହି ଅର୍ଥ ଅପେକ୍ଷା ଯଥେଷ୍ଟ ଅଧିକ ଦେଇ ସେ ନିଜ କର୍ତ୍ତବ୍ୟକୁ ମହିମାନ୍ୱିତ କରିବେ । ଏ ସକଳ ବିସ୍ତାରିତ ଆଲୋଚନାରେ ପ୍ରବୃତ୍ତ ହେବା ମୋର ବହୁ ପାଠକଙ୍କ ନିକଟରେ ବୃଥା ମନେ ହୋଇପାରେ । ଲେଖାପଢ଼ା ଶିଖାଇବା ଲଗି ଛାତ୍ରମାନଙ୍କୁ ଘରୁ ଦୂରକୁ ପଠାଇବା ହିତକର–ମୋର ଏହି ମୌଳିକ ମତରେ ଅନେକଙ୍କର ଅସମ୍ମତି ଅଛି ।
ଏ ସମ୍ବନ୍ଧରେ ମୋର ପ୍ରଥମ ବକ୍ତବ୍ୟ ଏହି ଯେ, ‘ଲେଖାପଢ଼ା ଶିଖିବା’ କହିଲେ ସାଧାରଣତଃ ଆଜିକାଲି ଯାହା ବୁଝାଯାଏ ସେଥିଲାଗି ପିତାମାତାମାନେ ଶିଶୁକୁ ନିକଟତମ ସ୍କୁଲକୁ ପଠାଇବା କିମ୍ବା ବଡ଼ ଜୋର୍ ଜଣେ ଗୃହଶିକ୍ଷକ ନିଯୁକ୍ତ କରିବାକୁ ଯଥେଷ୍ଟ ମନେକରନ୍ତି । କିନ୍ତୁ ଏ ଧରଣର ଶିକ୍ଷାର ଲକ୍ଷ୍ୟ କେବଳ ଅର୍ଥ ରୋଜଗାରରେ ସୀମିତ–ଏହି ଶିକ୍ଷାର ଦୀନତା ଓ କାର୍ପଣ୍ୟ ଏହାକୁ ଶିକ୍ଷା ନାମର ଯେ ଅଯୋଗ୍ୟ କରିଅଛି, ମୁଁ ପୂର୍ବରୁ ତାର ସୂଚନା ଦେଇଛି ।
ବିଭିନ୍ନ ବ୍ୟବସାୟର ଲୋକମାନଙ୍କୁ ନେଇ ଏହି ଜଗତ । ଏମାନଙ୍କର ଗୃହର ପ୍ରକୃତ ଓ ବାତାବରଣ ସ୍ୱତନ୍ତ୍ର । ସେମାନଙ୍କ ପିଲାମାନେ ତାଙ୍କ ଶୈଶବରୁ ବିଶେଷ ବିଶେଷ ଛାପନେଇ ବଢ଼ନ୍ତି । ଜୀବନଯାତ୍ରାର ବୈଚିତ୍ର୍ୟ ହେତୁ ବୟସ୍କ ଲୋକମାନେ ବିଭିନ୍ନ ବିଶେଷତ୍ୱ ଲାଭ କରନ୍ତି । ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୁଅନ୍ତି । କିନ୍ତୁ ସଂସାରକ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ବାଳକକୁ ତାର ପିତାମାତାଙ୍କ ଛାଞ୍ଚରେ ତିଆରି କରିବା କେବେ ହେଲେ କଲ୍ୟାଣକର ନୁହେ ।
ଉଦାହରଣ ସ୍ୱରୂପ ଧନୀର ସନ୍ତାନକୁ ନିଆଯାଉ । ଜଗତକୁ ଆସିଲାବେଳେ ଦରିଦ୍ରର ପୁତ୍ରଠାରୁ ପୃଥକ୍ ହେଲାଭଳି ବିଶେଷ କିଛି ସ୍ୱତନ୍ତ୍ର୍ୟ ସଙ୍ଗରେ ନେଇ ସେ ଆସି ନ ଥାଏ । ଜନ୍ମ ପରଠାରୁ ସେ ଯେଉଁ ଉପାୟରେ ପାଳିତ ହୁଏ, ତାହାହିଁ ତାହାକୁ ଧନିକର ସ୍ୱୀକୃତି ଦାନ କରେ ।
ସୁତରାଂ ଆରମ୍ଭରୁ ସନ୍ତାନର ସାଧାରଣ ମନୁଷ୍ୟର ଗଠନହିଁ ପିତାମାତାଙ୍କର ପ୍ରଥମ କର୍ତ୍ତବ୍ୟ । ତାହା ହେଲା ପରେ ଆବଶ୍ୟକମତେ ତାକୁ ଧନୀର ସନ୍ତାନଭାବରେ ବିକାଶର ସୁଯୋଗ ଦେବା ଆବଶ୍ୟକ । କିନ୍ତୁ ସାଧାରଣତଃ ତାହାର ବିପରୀତ ଘଟିଥାଏ । ମାନବସନ୍ତାନ ଭାବରେ ବ୍ୟବହାର ଓ କର୍ମ କରିବାର ଶିକ୍ଷା ପୂର୍ଣ୍ଣରୂପେ ପାଇବା ପୂର୍ବରୁ ଧନୀ ସନ୍ତାନ ଭାବରେ ଅଭ୍ୟସ୍ତ ହେବାକୁ ସେ ଶିଖେ, ଫଳରେ ଶୈଶବର ବହୁ ସଫଳ ଅଭିଜ୍ଞତା ଲାଭ କରିବାର ସୁଯୋଗରୁ ସେ ବିଞ୍ଚିତ ହୁଏ ଏବଂ ସୀମାବଦ୍ଧ ଅନୁଭୂତି ମଧ୍ୟରେ ତାର ବିକାଶ ଘଟେ । ପିତାମାତା ନିଜେ ପିଞ୍ଜୂରାବଦ୍ଧ ଛିନ୍ନପଷ ପକ୍ଷୀତୁଲ୍ୟ ବାସ କରୁଥିଲେ ସୁଦ୍ଧା ସନ୍ତାନର ହସ୍ତ ପଦ ଥିବା ସତ୍ତ୍ୱେ ତାକୁ ପଙ୍ଗୁ କରିଦିଅନ୍ତି । ତାହାର ଚାଲିବାର ଜୋର ନାହିଁ, ଗାଡ଼ି ଆବଶ୍ୟକ । ସାମାନ୍ୟ ବୋଝ ସୁଦ୍ଧା ସେ ବହିବ ନାହିଁ, ସେଥିଲାଗି ମୋଟିଆ ଦରକାର । ନିଜର କାର୍ଯ୍ୟ ନିଜେ ମଧ୍ୟ କରିବ ନାହିଁ, ସେଥିଲାଗି ଚାକର ପ୍ରୟୋଜନ । ତାର ସୁସ୍ଥ ଅଙ୍ଗପ୍ରତ୍ୟଙ୍ଗ ଥିଲେ ସୁଦ୍ଧା, ସେ ପଷାଘାତଗ୍ରସ୍ତ ରୋଗୀପରି ଚଳିବା, ତାର ପିତାମାତାଙ୍କୁ ଇଚ୍ଛା । ନିଜର କୌଣସି ଶାରୀରିକ କ୍ଷମତାର ଅଭାବରୁ ସେ ଯେ ଏପରି କରେ ତା ନୁହେ, କେବଳ ଲୋକଲଜ୍ଜାର ଭୟ ତାକୁ ହତଭାଗ୍ୟ କରେ । ପରିଣାମରେ ସହଜତମ ପଦାର୍ଥ ତା ପକ୍ଷରେ କଷ୍ଟସାଧ୍ୟ ହୁଏ, ସ୍ୱାଭାବିକ ପଦାର୍ଥ ଲଜ୍ଜାଜନକ ବୋଧ ହୁଏ । ନିଜର ସାମରିକ ବେଷ୍ଟନୀର ସମ୍ଭ୍ରମ ଦୃଷ୍ଟିରୁ ତା’ର ପିତାମାତା ତାକୁ ଗୁଡ଼ିଏ ନିରର୍ଥକ ରୀତି ମଧ୍ୟରେ ଶୃଙ୍ଖଳିତ କରନ୍ତି । ଫଳରେ ମାନବସନ୍ତାନ ଭାବରେ ତା’ର ସ୍ୱାଭାବିକ ଅଧିକାର ତା ଠାରୁ ପ୍ରାୟ ଅପହୃତ ହୁଏ । ତା’ହେଲେ କ’ଣ କହିବାକୁ ହେବ ଯେ ପୃଥିବୀର ଶସ୍ୟକ୍ଷେତ୍ରଗୁଡ଼ିକରେ କଣ୍ଟାଗଛ ବୁଣି ଦେଉଥିବା ଏହି ସମସ୍ତ ପିତାମାତା ସନ୍ତାନମାନଙ୍କର ପ୍ରକୃତ ହୈତୈଷୀ ?
ଯେଉଁମାନେ ବୟଃପ୍ରାପ୍ତ ହୋଇ ସ୍ୱେଚ୍ଛାପୂର୍ବକ ବିଳାସିତାକୁ ବରଣ କରନ୍ତି, ସେମାନଙ୍କୁ ବାଧା ଦେବାକୁ କାହାର ସାଧ୍ୟ ନାହିଁ, କିନ୍ତୁ ଶିଶୁର ପ୍ରକୃତିକୁ ଆମେ ଯଦି ଉତ୍ତମରୂପେ ବୁଝୁ,....ଚେଷ୍ଟାପୂର୍ବକ ସେମାନଙ୍କୁ ଏ ଧରଣର ବିକୃତି ଭିତରକୁ ଠେଲିଦେବା କେବେ ହେଲେ ଉଚିତ୍ହେବ ନାହିଁ । ଶିଶୁ ଧୂଳିମାଟି ଭରା ପୃଥିବୀକୁ ଭଲପାଏ, ସୂର୍ଯ୍ୟ, ବାୟୁ ଓ ବର୍ଷା ତାହାର ଆଦରର ସାମଗ୍ରୀ । ସାଜସଜ୍ଜା ଶିଶୁମାନଙ୍କର ମନଃପୂତ ନୁହେ, ନିଜର ସମସ୍ତ ଇନ୍ଦ୍ରିୟ ଚାଳନା କରି ଜଗତକୁ ପ୍ରତ୍ୟକ୍ଷଭାବରେ ଆବିଷ୍କାର କରିବାରେ ସେମାନଙ୍କର ପରମ ଆନନ୍ଦ, ନିଜ ସ୍ୱଭାବରେ ସ୍ଥିତହେଲେ ସେମାନେ ଲଜ୍ଜା ଅନୁଭବ କରନ୍ତି ନାହିଁ ।
ଆମ ଦେଶର ଅନେକ ବାଳକବାଳିକା ଏ ଦେଶରେ ବାସ କରୁଥିବା ସାହେବମାନଙ୍କରେ ଢଙ୍ଗରେ ପାଳିତ ହେଉଅଛନ୍ତି । ଆୟାମାନଙ୍କ ହାତରେ ସେମାନେ ମନୁଷ୍ୟ ହୁଅନ୍ତି, ବିକୃତ ହିନ୍ଦୀ ଶିଖି ସେମାନେ ବଙ୍ଗଳା ଭୂଲିଯାଆନ୍ତି, ଦେଶର ସନ୍ତାନ ନିଜ ମାତୃଭୂମି ସହ ଯେଉଁ ନାଭିଗ୍ରନ୍ଥି ଦ୍ୱାରା ସମ୍ପୃକ୍ତ ଓ ଦେଶର ସମାଜସହ ଭାବସୂତ୍ର ରକ୍ଷା କରି ବିଚିତ୍ର ରସ ଆକର୍ଷଣ ପୂର୍ବକ ପରିପୃଷ୍ଠ ହେବାକଥା ସେମାନେ ସେହି ସମ୍ପର୍କରୁ ବିଚ୍ୟୁତ । ଅଥଚ ଇଂରାଜୀ ସମାଜସହ ସେମାନଙ୍କର ସମ୍ପର୍କ ନାହିଁ । ସେମାନେ ଅରଣ୍ୟରୁ ଉତ୍ପାଟିତ ହୋଇ ବିଲାତି ଫୁଲକୁଣ୍ଡ ମଧ୍ୟରେ ରୋପିତ ହୋଇଅଛନ୍ତି । ଜଣେ ବୟସ୍କ ବଙ୍ଗୀୟ ସ୍ୱାଧୀନ ରୁଚିବଶତଃ ସ୍ୱେଚ୍ଛାକୃତ ଭାବରେ ବିଲାତି ଢଙ୍ଗ ଅବଲମ୍ବନ କରି ପାରନ୍ତି, କିନ୍ତୁ ବଙ୍ଗଦେଶର ପିତାମାତା ନିଜ ସନ୍ତାନମାନଙ୍କୁ ବିଲାତି କାଇଦାରେ ବଢ଼ାଇବାର ଯତ୍ନ କରିବା ସଙ୍ଗତ କି ? ମୁଁ ସ୍ୱକର୍ଣ୍ଣରେ ଥରେ ଶୁଣିଛି, ବିଲାତୀ ଢଙ୍ଗରେ ବଢ଼ିଥିବା ଗୋଟିଏ ବାଳକ ଦୂରରୁ କେତେଜଣ ଦେଶୀ ଭାବାପନ୍ନ ଭାରତୀୟ ପୋଷାକ ପିନ୍ଧା ଆତ୍ମୀୟଙ୍କୁ ଦେଖି ମାଆକୁ ସମ୍ବୋଧନ କରି କହୁଥିଲା- ‘Mamma, Mamma, look a lot of babus are coming’- ମାମ, ମାମା; ଦେଖ ଅନେକ ବାବୁ ଆସୁଅଛନ୍ତି । ଏହା ଅପେକ୍ଷା ଅଧିକ ଦୁର୍ଗତ ମୋର କଳ୍ପନାତୀତ । ଏ ଧରଣର ବାଳକମାନେ ବଡ଼ହେଲେ ବଙ୍ଗାଳି ସମାଜ ନିମନ୍ତେ ଅଯୋଗ୍ୟ ଓ ବିଲାତି ସମାଜରେ ଅଗ୍ରାହ୍ୟ ହୋଇ ସମାଜଚ୍ୟୁତ ବ୍ୟକ୍ତଭଳି ଜୀବନଯାପନ କରିବେ ।
ବସ୍ତୁତଃ ସେହି ପିତାମାତା ନିଜ ସନ୍ତାନକୁ ଏପରି ଭୁଲ୍ ଉପାୟରେ ବଢ଼ାଉଛନ୍ତି ବୋଲି ଧାରଣା କରିପାରନ୍ତି ନାହିଁ । ମନୁଷ୍ୟ ନିଜର ଦୋଷ ଦୁର୍ବଳତା ପ୍ରତି ଅନ୍ଧ ହୋଇ ଅପର ପ୍ରତି କରୁଥିବା ଅନିଷ୍ଟ ଦର୍ଶନରେ ଅସମର୍ଥ ହୁଏ । ସେହିହେତୁ ପରିବାର ନାନାପ୍ରକାର ଦୋଷ, ଦ୍ୱେଷ, ଅନ୍ୟାୟ, ପକ୍ଷପାତ, ବିବାଦ, ବିରୋଧ, ମତାନ୍ଧତା ଓ କୁସଂସ୍କାରର ଲୀଳାଭୂମି ହୋଇଥିଲେ ସୁଦ୍ଧା ସେମାନେ ନିଜର ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ଦୂରକୁ ପଠାଇବାକୁ ଅନିଚ୍ଛୂକ । ଏହା ନିର୍ଦ୍ଦେଶ କରିଦେବା ଉଚିତ ଯେ ପିତାମାତାମାନେ ନିଜର ସନ୍ତାନମାନଙ୍କୁ ଏପରି ବିଦ୍ୟାଳୟକୁ ପଠାଇବା କର୍ତ୍ତବ୍ୟ–ଯେଉଁ ବିଦ୍ୟାଳୟରେ ଗ୍ରନ୍ଥମାନେ ସ୍ୱଭାବର ନିୟମରେ ବିଶ୍ୱପ୍ରକୃତି ସହ ଘନିଷ୍ଠ ହୋଇ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଗୁରୁଙ୍କ ସହ ବାସ କରି ପ୍ରକୃତ ମନୁଷ୍ୟ ହୋଇ ପାରିବେ ।
ଭ୍ରୁଣ ଗର୍ଭ ମଧ୍ୟରେ ଓ ବୀଜ ମାଟି ଭିତରେ ନିଜର ଉପଯୁକ୍ତ ଖାଦ୍ୟ ଦ୍ୱାରା ପରିବୃତ୍ତ ହୋଇ ଗୋପନରେ ରହିଥାଏ । ସେତେବେଳେ ସେମାନଙ୍କର ଏକମାତ୍ର କାର୍ଯ୍ୟ–ଦିବାରାତ୍ର ନିଜର ପରିବେଶ ମଧ୍ୟରୁ ଖାଦ୍ୟ ଶୋଷଣ ପୁର୍ବକ ବାୟୁ ଓ ଆଲୋକ ମଧ୍ୟରେ ପ୍ରକାଶିତ ହେବା ପାଇଁ ବଳ ସଞ୍ଚୟ କରିବା । ପ୍ରକୃତି ସେମାନଙ୍କୁ ଅନୁକୂଳ ବାତାବରଣ ମଧ୍ୟରେ ବେଷ୍ଟନ କରି ରଖେ ବାହାରର ନାନା ଆଘାତ ଓ ଆକର୍ଷଣ ତାକୁ ଯେପରି ବିକ୍ଷୁବ୍ଧ କରି ତା’ର ଶକ୍ତି କ୍ଷୟ ନ କରେ ସେଥିପ୍ରତି ପ୍ରକୃତିର ଅଶେଷ ଯତ୍ନ ।
ମନୁଷ୍ୟର ମନ ଶିଶୁକାଳରେ ଏହି ଭ୍ରୂଣ ଅବସ୍ଥାରେ ଥାଏ । ଏହି ସମୟରେ ସ୍କୁଲ ଛାତ୍ରମାନେ ଚିତ୍ତର ବିଭ୍ରାନ୍ତକର ପରିବେଷରୁ ଦୂରରେ ରହି ଜ୍ଞାନର ସଜୀବ ବେଷ୍ଟନୀ ମଧ୍ୟରେ ବାସ କରିବା ଉଚିତ । ସଜ୍ଞାନ ଓ ନିର୍ଜ୍ଞାନ ଉଭୟ ପ୍ରକାରରେ ଜ୍ଞାନ ଲାଭ କରି ଶକ୍ତି ସଂଗ୍ରହ କରିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେବା ଉଚିତ ଏବଂ ସେମାନଙ୍କର ଚତୁର୍ଦ୍ଦିଗର ପରବେଷ ଏହି ଉଦ୍ଦେଶ୍ୟ ସାଧନର ଉପଯୋଗୀ ହେବା ବାଞ୍ଛନୀୟ ।
କୀଟ ଚିନ୍ତା କରୁଛି, “ମଣିଷ ଆହା କେଡ଼େ ନିର୍ବୋଧ, ନିକ ଗ୍ରନ୍ଥକୁ ମଧ୍ୟ ସେ ନିଜେ ଆତ୍ମସାତ୍ କରିବାକୁ ଅକ୍ଷମ !”