କବିର ବିଦ୍ୟାଳୟ — ବିଶ୍ୱ ମାନବର ପଥେ — ରବୀନ୍ଦ୍ରନାଥ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
କବିର ବିଦ୍ୟାଳୟ
ମୋତେ ବାରମ୍ବାର ଯେଉଁ ପ୍ରଶ୍ନ କରାଯାଇଛି ସେଥିରୁ ମୁଁ ଅନୁଭବ କରି ପାରିଛି ଯେ, ଅବିମୃଶ୍ୟକାରୀଭାବେ ଗୋଟିଏ ସ୍କୁଲ ବସାଇଥିବାରୁ ସାଧାରଣ ଲୋକେ କବିଙ୍କଠାରୁ କୈଫିୟତ୍ ଦାବୀ କରନ୍ତି । ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ ସୂତା କାଟୁଥିବା ରେଶମ ପୋକ ଓ ଶୂନ୍ୟରେ ଉଡ଼ି ବୁଲୁଥିବା ପ୍ରଜାପତି ପରସ୍ପର ବିପରୀତ ଦୁଇଟି ଜୀବନଧାରାର ପ୍ରତୀକ । ବୋଧହୁଏ ରେଶମ ପୋକ ଯେତିକି କାମ କରେ ସେହି ଅନୁଯାୟୀ ଟଙ୍କା କଉଡ଼ିରେ ତାର ମୂଲ୍ୟ ପ୍ରକୃତିର ହିସାବନିକାଶ ବିଭାଗରେ ତା ନାମରେ ଜମା ରହିଥାଏ । କିନ୍ତୁ ପ୍ରଜାପତି ଦାୟିତ୍ୱହୀନ । ଏହାର ହୁଏତ କିଛି ତାତ୍ପର୍ଯ୍ୟ ଥାଇ ପାରେ, କିନ୍ତୁ ତାହାର ଗୁରୁତ୍ୱ ନାହିଁ କି ପ୍ରୟୋଜନ ନାହିଁ । ଏହାର ନର୍ତ୍ତନଶୀଳ ଡେଣାଯୋଡ଼ିକ ତାକୁ ଧୀରେ ଧୀରେ ବହି ନିଏ । ସମ୍ଭବତଃ ହିସାବକିତାବ ସହିତ ସମ୍ପର୍କହୀନ ଏବଂ ଅପଚୟ କଳାରେ ସମ୍ପୂର୍ଣ୍ଣ ନିପୁଣ ଥିବା ସୂର୍ଯ୍ୟାଲୋକର ଅନ୍ତର୍ନିହିତ କେହି ଜଣେ ରଙ୍ଗର ଅଧିପତିକୁ ସେ ଆନନ୍ଦ ଦେଇଥାଏ ।
ସେହି ନିର୍ବୋଧ ପ୍ରଜାପତି ସହିତ କବିଙ୍କୁ ତୁଳନା କରାଯାଇ ପାରେ । ସେ ମଧ୍ୟ ଆନନ୍ଦମୟ ରଙ୍ଗସମୂହକୁ କବିତାରେ ରୂପାୟିତ କରିବାକୁ ଚେଷ୍ଟା କରନ୍ତି । ତେଣୁ ନିଜକୁ ସେ କର୍ତ୍ତବ୍ୟ ମଧ୍ୟରେ ଅବରୁଦ୍ଧ ରଖିବେ କାହିଁକି ? ଯେଉଁମାନେ ତାଙ୍କର ଉତ୍ପାଦନକୁ ତଦ୍ଦ୍ୱାରା ଅର୍ଜିତ ଲାଭର ପରିମାଣ ଦ୍ୱାରା ନିରୂପଣ କରିବେ ସେମାନଙ୍କ ନିକଟରେ ସେ ନିଜକୁ ହିସାବ ଦାୟୀ କରିବେ ବା କାହିଁକି ?
ମୁଁ ମନେ କରୁଛି, ଏହି କବିର ଉତ୍ତର ହେବ ଯେ ଶୀତକାଳର ଏକ ସୂର୍ଯ୍ୟାଲୋକିତ ଦିନରେ ସେ ଯେତେବେଳେ ପ୍ରଶାନ୍ତ ସୁଶୋଭିତ ଶାଖାବିଶିଷ୍ଟ ଉଚ୍ଚ ସଳଖ ଶାଳବୃକ୍ଷମାନଙ୍କ ଉଷ୍ଣ ଛାୟା ମଧ୍ୟରେ କେତେକ ବାଳକଙ୍କୁ ଆଣି ସମବେତ କଲା ସେତେବେଳେ ସେ ଶବ୍ଦଭିନ୍ନ ଅନ୍ୟ ଏକ ମାଧ୍ୟମରେ ଗୋଟିଏ କବିତା ରଚନା କରିବାକୁ ଆରମ୍ଭ କରିଥିଲା ।
ମନଃ ସମୀକ୍ଷଣର ଏହି ଆତ୍ମଚେତନ ଦିନରେ ଚତୁରମତି ବ୍ୟକ୍ତିଗଣ କବିତାର ଗୁପ୍ତ ଉତ୍ସ ଆବିଷ୍କାର କରିଛନ୍ତି ନିଷ୍ପେଷିତ ମୁକ୍ତିର କୌଣସି ଅସ୍ପଷ୍ଟ ସ୍ତରରେ, ବ୍ୟର୍ଥ ଆତ୍ମୋପଲବ୍ଧିର କୌଣସି ଅବିରତ କ୍ରୋଧଶୀଳତାରେ । ସ୍ପଷ୍ଟତଃ ଏ ବିଷୟରେ ସେମାନେ ଠିକ୍ । ମୋର ବହୁଦିନରୁ ଅତୀତ ବାଲ୍ୟାବସ୍ଥାର ଛାୟାମୂର୍ତ୍ତି ଏହାର ପ୍ରାରମ୍ଭିକ ଅବସ୍ଥାରେ ପୁନଃ ପୁନଃ ଆସି ଦେଖାଦେଇଥିଲା ଏବଂ ଚାହିଁଥିଲା ଅନ୍ୟ ବାଳକମାନଙ୍କ ଜୀବନରେ ବଞ୍ଚି ରହିବାକୁ ଓ ଯେଉଁ ଉପାଦାନଗୁଡ଼ିକର କୌଣସି ରକ୍ଷଣଶୀଳତା କିମ୍ବା ନିର୍ଦ୍ଧାରିତ ପରିମାଣ ବା ମୂଲ୍ୟ ନ ଥିବ ସେଗୁଡ଼ିକୁ ନେଇ ତାହାର ହଜିଥିବା ସ୍ୱର୍ଗ ଗଠନ କରିବାକୁ ।
ମୋର ମନେପଡ଼ୁଛନ୍ତି ପ୍ରାଚୀନ ଭାରତର ଜଣେ କବି କାଳିଦାସ । ପଣ୍ଡିତମାନଙ୍କ ସୌଭାଗ୍ୟକୁ କାଳିଦାସ ତାଙ୍କ ଜନ୍ମସ୍ଥାନ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇ ଯାଇ ନାହାନ୍ତି, ତେଣୁ ଅବିଛିନ୍ନ ମତଭେଦ ପାଇଁ ଯଥେଷ୍ଟ ପରିସର ରହିଛି । ମୋର ପାଣ୍ଡିତ୍ୟ ଗଭୀର ବୋଲି ମୁଁ ଛଳନା କରୁ ନାହିଁ, କିନ୍ତୁ ମୁଁ କେଉଁଠି ପଡ଼ିଥିବାର ମନେ ହେଉଛି ଯେ, ସେ ମନୋରମ କାଶ୍ମୀରରେ କେଉଁଠି ଜନ୍ମଗ୍ରହଣ କରିଥିଲେ । କାଳେ ସମଭାବରେ ବିଶ୍ୱାସଜନକ କୌଣସି ପାଣ୍ଡିତ୍ୟପୂର୍ଣ୍ଣ ପ୍ରତିବାଦ ଦେଖିବାକୁ ପାଇବି ସେଥିପାଇଁ ସେଦିନୁ ମୁଁ ତାଙ୍କ ଜନ୍ମସ୍ଥାନ ବିଷୟକ ଆଲୋଚନା ପାଠ କରିବା ଛାଡ଼ି ଦେଇଛି । ଯାହାହେଉ କାଳିଦାସ କାଶ୍ମୀରରେ ଜନ୍ମଗ୍ରହଣ କରିଥିବା ଯଥୋପଯୁକ୍ତ । ମୋର ତାଙ୍କ ପ୍ରତି ଇର୍ଷା ହେଉଛି, କାରଣ ମୁଁ କଲିକତାରେ ଜନ୍ମଲାଭ କରିଥିଲି ।
କିନ୍ତୁ ମନଃ ସମୀକ୍ଷଣ ନିରାଶ ହେବା ଅନାବଶ୍ୟକ, କାରଣ ସେ ସମତଳ ଅଞ୍ଚଳର ଏକ ନଗରକୁ ନିର୍ବାସିତ ହୋଇଥିଲେ । ମେଘଦୂତ ଦୁଃଖର ସଂଗୀତ ନେଇ ସ୍ପନ୍ଦିତ ଯାହାର ମୌଳିକ ସ୍ୱର ଅଧିକ ସୁଖକର ବିଷୟଗୁଡ଼ିକର ସ୍ମରଣରେ ହିଁ ନିହିତ । ଏହା ତାତ୍ପର୍ଯ୍ୟାପୂର୍ଣ୍ଣ ଯେ ଏହି କାବ୍ୟରେ ଶାଶ୍ୱତ ସୌନ୍ଦର୍ଯ୍ୟର ଅଳକାପୁରୀବାସିନୀ ପ୍ରିୟାର ଅନ୍ୱେଷଣରେ ପ୍ରଣୟୀର ଭ୍ରାମ୍ୟମାଣ କଳ୍ପନା ଯେଉଁ ଯେଉଁ ପାହାଡ଼, ନଦୀ ବା ବନ ଉପର ଦେଇ ଗତି କରିଛି ସେଥିରୁ ପ୍ରତ୍ୟେକଟି ପାଖରେ ଆମୋଦ ସହିତ ସେ ରହି ରହି ଯାଇଛି; ଆଷାଢ଼ ମାସର ବର୍ଷାଭରା ମେଘମାଳାକୁ ସ୍ୱାଗତ କରୁଥିବା କୃଷକ ବାଳିକାମାନଙ୍କ କୃତଜ୍ଞତାଭରା କଲା ଆଖି ସେ ନିରୀକ୍ଷଣ କରିଛି; କୌଣସି ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ବଟବୃକ୍ଷ ତଳେ ପୁରୁଷାନୁକ୍ରମେ ସରଳ ହୃଦୟ ନରନାରୀଙ୍କ ଅଶ୍ରୁ ଓ ହାସ୍ୟର ସତେଜ ରହିଥିବା ଏକ ଜଣାଶୁଣା ପ୍ରେମ କାହାଣୀ ଆବୃତ୍ତି କରୁଥିବା ସେ ଶୁଣିଛି-। ଏ ସବୁଥିରେ ଆମେ ଅନୁଭବ କରୁଛୁ, ପାଷାଣ ହୃଦୟ ନଗରର ବନ୍ଦୀ ପରି ଆନନ୍ଦ-ସ୍ୱପ୍ନରେ ବିହ୍ୱଳ ହୋଇପଡ଼ିଛି, ଯାହାକି ତାର କାଳ୍ପନିକ ଯାତ୍ରାରେ ପାହାଡ଼କୁ ପାହାଡ଼ ବ୍ୟତିକ୍ରମ କରି ତାକୁ ଅନୁସରଣ କରିଛି ଏବଂ ମର୍ତ୍ତ୍ୟରେ ନିର୍ବାସିତ ଓ ପରସ୍ପରଠାରୁ ବିଚ୍ଛିନ୍ନ ପ୍ରେମିକ ପ୍ରେମିକାଙ୍କ ପାଇଁ ସ୍ୱର୍ଗର ପଥପ୍ରଦର୍ଶକ ନିଶାଣସ୍ତମ୍ଭ ଧାରଣ କରିଥିବା ପ୍ରତ୍ୟେକ ପଥ ମୋଡ଼ରେ ଅପେକ୍ଷା କରିଛି ।
ଏହା କବିଙ୍କର ଶାରୀରିକ ଗୃହକାତର ବ୍ୟାଧି ନୁହେ, ଏହା ଆହୁରି ଅଧିକ ମୌଳିକ ଆତ୍ମାର ଗୃହ କାତରତା । ତାଙ୍କର ପ୍ରାୟ ସହସ୍ର ଗ୍ରନ୍ଥରେ ଆମେ ଅନୁଭବ କରୁ ତତ୍କାଳୀନ ରାଜପ୍ରାସାଦର ବିଳାସ ଓ ଆତ୍ମସନ୍ତୋଷଜନିତ ଉଦାସୀନତାର ବାତାବରଣ । ତଥାପି ଏହା ଥିଲା ମାର୍ଜିତ ସଂସ୍କୃତି ଓ ଅମିତାଚାରୀ ସଭ୍ୟତାର ବାତାବରଣ ।
ରାଜସଭାର କବିଙ୍କୁ ଯେପରି କି ନିର୍ବାସନରେ ରହିବାକୁ ହେଉଥିଲା । ସେ ଜାଣିଥିଲେ ଯେ ଏହା କେବଳ ତାଙ୍କ ନିଜର ନିର୍ବାସନ ନୁହେ, ସେ ଯେଉଁ ଯୁଗରେ ଜନ୍ମଗ୍ରହଣ କରିଥିଲେ ଓ ଯେଉଁ ଯୁଗ ଧନ ସମୃଦ୍ଧି ହାସଲ କରିଥିଲେ ହେଁ ବିଶ୍ୱର ପଟ୍ଟଭୂମି ହରାଇଥିଲା, ତାହା ହେଉଛି ସେହି ଯୁଗର ନିର୍ବାସନ । ତାଙ୍କ ପୂର୍ଣ୍ଣତାର ଅଭିଳାଷ ତାଙ୍କ କାବ୍ୟ ନାଟ୍ୟକରେ କି ପ୍ରକାର ପ୍ରତିରୂପ ଗ୍ରହଣ କରି ବାରମ୍ବାର ପ୍ରକାଶିତ ହେଉଥିଲା ? ତାହା ହେଉଛି ପ୍ରାଚୀନ ଭାରତର ଧର୍ମାଧ୍ୟକ୍ଷ ସମାଜର ଅରଣ୍ୟ ନିବାସ-ତପୋବନ । ସଂସ୍କୃତ ସାହିତ୍ୟ ସହିତ ସୁପରିଚିତ ବ୍ୟକ୍ତିମାନେ ଜାଣନ୍ତି ଯେ ଏହା କେବଳ ଆଦିମ ସଂସ୍କୃତିବିଶିଷ୍ଟ ଲୋକଙ୍କର ଉପନିବେଶ ମାତ୍ର ନ ଥିଲା । ସେମାନେ ଥିଲେ ସତ୍ୟାନ୍ୱେଷୀ, ଏବଂ ସେଥିପାଇଁ ସେମାନେ କେବଳ ପଉରିଟାନ ମତବାଦରେ ନୁହେ, ପବିତ୍ରତା ମଧ୍ୟରେ ହିଁ ଜୀବନଯାପନ କରୁଥିଲେ । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଥିଲା ସରଳ; ସେଥିରେ ଆତ୍ମବଞ୍ଚନାର ସ୍ଥାନ ନ ଥିଲା । ସେମାନେ ଅବିବାହିତାବସ୍ଥା ସମର୍ଥନ କରୁଥିଲେ ଓ ସାଂସାରିକମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖୁଥିଲେ । ଉପନିଷଦର ନିମ୍ନୋକ୍ତ ପଂକ୍ତିରେ ସେମାନଙ୍କ ଲକ୍ଷ୍ୟର ସଂକ୍ଷିପ୍ତ ସୂଚନା ନିହିତ ।
ତେ ସର୍ବଗମ୍ ସର୍ବତଃ ପ୍ରାପ୍ୟ ଧୀରା ।
ଯୁକ୍ତତ୍ମନାଃ ସର୍ବମେବାଭି ଶାନ୍ତି ।
ଅର୍ଥାତ୍–ସେହି ନିର୍ମଲମତି ଲୋକମାନେ ସର୍ବତ୍ର ବିଦ୍ୟମାନ ପରମାତ୍ମାକୁ ଉପଲବ୍ଧି କରି ଓ ତାହା ସହିତ ପ୍ରତ୍ୟେକ ସ୍ଥାନରେ ମିଳିତ ହୋଇ ନିଖିଳ ମଧ୍ୟରେ ପ୍ରବେଶ କରନ୍ତି ।
ଏହା ତ୍ୟାଗର ଅଭାବବୋଧକ ଦର୍ଶନ ନୁହେ । ବିକ୍ରମାଦିତ୍ୟଙ୍କ ଗୌରବମୟ ରାଜତ୍ୱ କାଳରେ ସମୃଦ୍ଧିଶାଳୀ ଉଜ୍ଜୟିନୀରେ ବାସ କରୁଥିଲେ କାଳିଦାସ । ତାଙ୍କର ମନ ଭୌତିକ ବସ୍ତୁ ଓ ନିଜର ଚାହିଦା ଦ୍ୱାରା ଉତ୍ପୀଡ଼ିତ ହୋଇଥିବାରୁ ତାଙ୍କର ଚିନ୍ତାକୁ ତପୋବନ-କଳ୍ପନାର ଜୀବନ, ଆଲୋକ ଓ ମୁକ୍ତିର ଭିତରକୁ ସେ ଛାଡ଼ିଦେଇଥିଲେ ।
ଆଧୁନିକ ଭାରତର ଜଣେ କବି ନିଜ ଅନ୍ତରରେ ଆଧ୍ୟାତ୍ମିକ ନିର୍ବାସନର ଦୁର୍ଦ୍ଦଶା ଭୋଗୁଥିବାବେଳେ ଯେ ଅନୁରୂପ କଳ୍ପନା କରିବ, ଏହା ତାର ଇଚ୍ଛାପ୍ରଣୋଦିତ ନକଲ ନୁହେ, ସ୍ୱାଭାବିକ ସମସାମୟିକ ସଙ୍ଘଟନ ମାତ୍ର । କାଳିଦାସଙ୍କ ସମୟରେ ଅରଣ୍ୟ ଉପନିବେଶ ତପୋବନରେ ଲୋକଙ୍କର ଦୃଢ଼ବିଶ୍ୱାସ ଥିଲା ଏବଂ ସେ ଯୁଗରେ ମଧ୍ୟ ପ୍ରକୃତି କୋଳରେ ବାସ କରୁଥିଲା ଜନସମାଜ । ସେମାନେ କେବଳ ଧୀର ଆତ୍ମହତ୍ୟା ପ୍ରୟାସୀ ସଂକଳ୍ପବଦ୍ଧ ସନ୍ନ୍ୟାସୀ ମାତ୍ର ନୁହନ୍ତି, ସେମାନେ ପ୍ରଶାନ୍ତମନା ମନୁଷ୍ୟ, ଯେଉଁମାନେ କି ସେମାନଙ୍କ ଜୀବନର ମର୍ମ ଉପଲବ୍ଧ କରିବାକୁ ଚାହୁଁଥିଲେ । ଯେତେବେଳେ କାଳିଦାସ ତପୋବନର ଗୌରବ ଗାନ କରୁଥିଲେ ସେତେବେଳେ ତାଙ୍କ କବିତା ତାଙ୍କ ଶ୍ରୋତାମାନଙ୍କ ଜୀବନ୍ତ ବିଶ୍ୱାସକୁ ସ୍ପର୍ଶ କରୁଥିଲା, କିନ୍ତୁ ଆଜି ତପୋବନର ଧାରଣା ବାସ୍ତବତା ସହିତ ସମସ୍ତ ସାଦୃଶ୍ୟ ହରାଇଛି ଓ ପ୍ରାଚୀନ କାହାଣୀର ସ୍ତରକୁ ତାହା ଖସି ଯାଇଛି । ତେଣୁ ଆଧୁନିକ କବିତାରେ ଏହା କେବଳ ସାହିତ୍ୟର ବିଷୟ ହୋଇ ରହିବ । ପୁନଶ୍ଚ ଜୀବନର ବର୍ତ୍ତମାନ ଅବସ୍ଥାର ଛାଞ୍ଚରେ ଯଦି ତପୋବନର ଧାରଣା ପୁନର୍ଗଠିତ ନ ହୁଏ ତେବେ ତାହା ବର୍ତ୍ତମାନ ଯୁଗରେ ଏକ ଅଦ୍ଭୁତ ଓ ଅସଙ୍ଗତ ବିଷୟ ବୋଲି ବିବେଚିତ ହେବ । ସେହି କାରଣରୁ ହିଁ ଆଧୁନିକ ଯୁଗର କବିକୁ ଆପାତତଃ ଯୁକ୍ତିଯୁକ୍ତ ଭାଷାରେ ତାର କବିତା ରଚନା କରିବାକୁ ପଡ଼ିଲା ।
କିନ୍ତୁ ସେହି ଇତିହାସର କିଛି ବର୍ଣ୍ଣନା ମୋତେ ବର୍ତ୍ତମାନ ଦେବାକୁ ପଡ଼ିବ ।
ସଭ୍ୟ ମାନବ ତାର ସ୍ୱାଭାବିକ ଜୀବନର କକ୍ଷରୁ ବହୁ ଦୂରକୁ ଆଜି ଚାଲିଆସିଛି । ମହୁଫେଣା ତୁଲ୍ୟ ସଂସାର ସହିତ ନିଜକୁ ଖାପ ଖୁଆଇବା ପାଇଁ ମହୁମାଛି ପରି କେତେକ ରୀତି ସେ କ୍ରମେ କ୍ରମେ ସୃଷ୍ଟି କରିଛି ଓ ତାକୁ ତୀବ୍ରତର କରିଛି । ଆଧୁନିକ ମାନବ ତାର ପରିବେଶ ବିରୁଦ୍ଧରେ ବିଦ୍ରୋହଜନିତ ଭବ-ଶ୍ରାନ୍ତି ଭୋଗୁଥିବାର ଅନେକ ସମୟରେ ଆମେ ଦେଖିବାକୁ ପାଉଁ । ଆତ୍ମଘାତୀ ପ୍ରଚଣ୍ଡତା ସହିତ ସାମାଜିକ ବିପ୍ଳବ ଦେଖାଦିଏ । ଆମର ଜୀବନ-ବ୍ୟବସ୍ଥା ଠିକ୍ ମହୁଫେଣାର କାନ୍ଥି ଭଳି ଓ ତାହା ଆମର ଜୀବନଯାପନ କଳାରେ ଲୋଡ଼ା ହେଉଥିବା ଦୃଷ୍ଟିଭଙ୍ଗୀରୁ ଆମକୁ ବଞ୍ଚିତ କରିଥାଏ ଏବଂ ତାହା ହିଁ ହେଉଛି ସାମାଜିକ ବିପ୍ଲବର ମୂଳ କାରଣ । ମନୁଷ୍ୟ ଯେ ପ୍ରକୃତରେ ମହୁମାଛି ଆଦର୍ଶରେ ଗଠିତ ନୁହେ ଏ ସମସ୍ତ ହେଉଛି ତାହାର ସୂଚନା । ତେଣୁ ଯେତେବେଳେ ଅଧିସାମାଜିକ ହେବା ପାଇଁ ତାର ସ୍ୱାଧୀନତାକୁ ପ୍ରତ୍ୟାଖ୍ୟାନ କରାଯାଏ, ସେତେବେଳେ ସେ ବେପରୁଆ ଭାବରେ ସମାଜ ବିରୋଧୀ ହୋଇପଡ଼େ ।
ଆମର ଅତି ଜଟିଳ ଆଧୁନିକ ଅବସ୍ଥାରେ ଯାନ୍ତ୍ରିକ ଶକ୍ତିକୁ ଏପରି ଦକ୍ଷତା ସହକାରେ ସଂଗଠିତ କରାଯାଇଛି ଯେ ମନୁଷ୍ୟର ସ୍ୱଭାବ ଓ ଆବଶ୍ୟକତାର ଉପଯୋଗୀ ହେବା ଭଳି ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ବାଛିବାକୁ ଓ କାମରେ ଲଗାଇବାକୁ ତାର ସାମର୍ଥ୍ୟଠାରୁ ସେହି ସାମଗ୍ରୀଗୁଡ଼ିକର ବୃଦ୍ଧି ଢେର ଆଗେଇ ଯାଇଛି । ଗ୍ରୀଷ୍ମ କଟିବନ୍ଧର ଉଦ୍ଭିଦ ବୃଦ୍ଧି ପରି ଏପରି ଅତିଶୟ ବୃଦ୍ଧି ମନୁଷ୍ୟକୁ ଅବରୁଦ୍ଧ କରି ପକାଇଛି । ନୀଡ଼ ସରଳ । ଆକାଶ ସହିତ ଏହାର ସ୍ୱଚ୍ଛନ୍ଦ ସମ୍ପର୍କ ରହିଛି । ପିଞ୍ଜରା ଜଟିଳ ଓ ମହାର୍ହ । ବାହାରର କାହା ସହିତ ଏହାର ସମ୍ପର୍କ ନାହିଁ । ଆଧୁନିକ ମାନବ ତାର ପିଞ୍ଜରା ଗଢ଼ିବାରେ ବ୍ୟସ୍ତ । ଏହାର ସୀମା ମଧ୍ୟରେ ନିଜକୁ ସୀମାବଦ୍ଧ କରି ଏହାର ପ୍ରାଣହୀନ କୋଣର ବୈଶିଷ୍ଟ୍ୟ ସହିତ ନିଜକୁ ଖାପ ଖୁଆଇବାରେ ସେ ସବୁବେଳେ ନିଯୁକ୍ତ-। ତେଣୁ ସେ ମଧ୍ୟ ଶେଷରେ ଏହି ପ୍ରାଣହୀନ ପିଞ୍ଜରାର ଅଂଶବିଶେଷ ହୋଇପଡ଼େ ।
ମୋର ଶ୍ରୋତାମାନଙ୍କ ମଧ୍ୟରୁ କେତେକଙ୍କୁ ଏହା ଅତି ପ୍ରାଚ୍ୟ ଦେଶୀୟ କଥା ବୋଲି ବୋଧ ହୋଇପାରେ । ମୁଁ ଶୁଣିବାକୁ ପାଇଲି ଯେ ଜଡ଼ବସ୍ତୁ ପାଇଁ ଏକ କୃତ୍ରିମ କ୍ଷୁଧା ପ୍ରସୂତ ଜୀବନ ଧାରଣର ଅବିରାମ ଗୁରୁ ଚାପରେ ସେମାନେ ବିଶ୍ୱାସୀ । ସେମାନଙ୍କ ମତରେ ସଭ୍ୟତାକୁ ତାର ଅନନ୍ତ ଯାତ୍ରା ପଥରେ ପରିଚାଳିତ କରିବାର ଶକ୍ତିକୁ ଏହା ଜନ୍ମ ଦିଏ ଓ ପୁଷ୍ଟ କରେ, କିନ୍ତୁ ଏହା ଯେ କେବେ କୌଣସି ମହାନ ସଭ୍ୟତାର ମୁଖ୍ୟ ଚାଳନ ଶକ୍ତି ହୋଇଛି, ତାହା ବ୍ୟକ୍ତିଗତ ଭାବରେ ମୁଁ ବିଶ୍ୱାସ କରେ ନାହିଁ, କିନ୍ତୁ ବିଶେଷଜ୍ଞ ଓ ଶିକ୍ଷାଗତ ପାଣ୍ଡିତ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ସୁରକ୍ଷିତ କ୍ଷେତ୍ରରେ ଜଣେ କବିର ଅନଧିକାର ପ୍ରବେଶକୁ ବୁଝାଇ ଦେବା ଉଦ୍ଦେଶ୍ୟରେ ମୁଁ ଏହି ପ୍ରସଙ୍ଗର ଅବତାରଣା କଲି ।
ବ୍ରିଟିଶ୍ ଭାରତର ତତ୍କାଳୀନ ରାଜଧାନୀରେ ମୁଁ ଜନ୍ମଗ୍ରହଣ କରିଥିଲି । ଇଷ୍ଟଇଣ୍ଡିଆ କମ୍ପାନୀର ଅନିଶ୍ଚିତ ଭାଗ୍ୟର ପ୍ରଥମ ଜୁଆରରେ କଲିକତାକୁ ଭାସି ଆସିଥିଲେ ଆମର ପୂର୍ବ ପୁରୁଷଗଣ । ଆମ ପରିବାରର ଜୀବନଯାପନ ପଦ୍ଧତି ହିନ୍ଦୁ, ମୁସଲମାନ ଓ ବ୍ରିଟିଶ୍–ଏହି ତିନୋଟି ସଂସ୍କୃତିରେ ଗଠିତ ହୋଇଥିଲା । ମୋର ପିତାମହ ସେହି ସମୟର ଲୋକ ଯେଉଁ ସମୟରେ କି ପୋଷାକପତ୍ର ଓ ସୌଜନ୍ୟରେ ଅମିତାଚାର ଓ ଉଦାର ଅବକାଶ କ୍ରମେ କ୍ରମେ କାଟଛାଣ୍ଟ ହୋଇ ଭିକ୍ଟୋରିଆ ଯୁଗର ଆଚାର ବ୍ୟବହାରରେ ପରିଣତ ହେଉଥିଲା । ମୁଁ ଏପରି ଏକ ଜଗତକୁ ଆସିଲି ଯେଉଁଠାରେ କି ପ୍ରଗତିର ଆଧୁନିକ ନାଗରିକଭାବ ଆମ ପ୍ରାଚୀନ ପଲ୍ଲୀସମାଜର ସରସ ସବୁଜ ଜୀବନ ଉପରେ ଏଇମାତ୍ର ବିଜୟୀ ହୋଇ ସାରିଥିଲା ।
ଯଦିଓ ମୋର ଚଉପାଶର ଦଳାଦଳି ପ୍ରକ୍ରିୟା ପ୍ରାୟ ସଂପୂର୍ଣ୍ଣ ହୋଇ ସାରିଥିଲା ତଥାପି ଅତୀତର କେତେକ କଥା ଧ୍ୱଂସାବଶେଷ ମଧ୍ୟରେ ରହି ଯାଇଥିଲା । ଅତିଥି ପରାୟଣତା, ଦୟା, ସରଳ ବିଶ୍ୱାସ ଓ ଜୀବନର ଉତ୍ସବମୟ କବିତାରେ ପୂର୍ଣ୍ଣ ହୋଇଥିବା ଏକ ସମାଜ ବିଷୟରେ ମୋର ବଡ଼ଭାଇ ଦୁଃଖର ସହିତ ବରାବର ଆଲୋଚନା କରୁଥିବା, ମୁଁ ମୋର ପିଲାଦିନେ ଶୁଣିଛି । ସେସବୁ ଚକ୍ରବାଳର ଗୋଧୂଳିକାଳୀନ କୁହେଳିକାର ଅନ୍ତରାଳରେ ଲୁଚି ରହିଥିବା ଅସ୍ପଷ୍ଟ ଛାୟାମୂର୍ତ୍ତି ମାତ୍ର । ସର୍ବବ୍ୟାପକ ବିଷୟ ହେଉଛି ପାଶ୍ଚାତ୍ୟ ବଣିକ୍ କମ୍ପାନୀ ଦ୍ୱାରା ନବ ନିର୍ମିତ ଆଧୁନିକ ନଗର ଓ ଅଗଣିତ ଅସ୍ୱାଭାବିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଆମ ପ୍ରାଣ ଉପରେ ନୂତନ ଯୁଗର ପ୍ରଭାବ । ମାତ୍ର ସବୁବେଳେ ମୋ ପକ୍ଷରେ ବିସ୍ମୟକର ହୋଇଛି ଯେ, ଗୋଟିଏ ନଗରର କଠିନ ଭୂମି ଛଡ଼ା ଦୁନିଆର ଅନ୍ୟ ଅଭିଜ୍ଞତା ମୋର ନ ଥିବା ସ୍ଥଳେ ନିର୍ବାସନର ଗୃହାଭିମୁଖୀ କଳ୍ପନା, ଅବିରତ ମୋ ମନରେ ଉଦିତ ହେଉଥିଲା ।
ମନେହୁଏ ଯେପରି ଏକ ପ୍ରାଚୀନ ବାସସ୍ଥାନ, ଯେଉଁଠି କି ଆମ ପୂର୍ବପୁରୁଷଙ୍କ ମନରେ ଅସ୍ପଷ୍ଟ ପାହାଡ଼, ଦ୍ରୁତଗାମୀ ଜଳପ୍ରବାହ, ଅରଣ୍ୟର ଦୁର୍ବୋଧ୍ୟ ନିରବ ଶବ୍ଦର ରହସ୍ୟ ଅଙ୍କିତ ଓ ପ୍ରକଟିତ ହେଉଥିଲା, ତାହାର ଅବଚେତନ ସ୍ମୃତି ଅବିରାମ ଆହ୍ୱାନରେ ମୋର ରକ୍ତକୁ ଆଲୋଡ଼ିତ କରୁଥିଲା । (ମାଟି, ପାଣି ଓ ପବନର ଅସୀମ କୁହୁକରେ ଆଦିମ ଜୀବନ ସହିତ ଦିନେ ଯେଉଁ ଖେଳ ପଡ଼ିଆର ସେ ଭାଗୀଦାର ହୋଇଥିଲା ତା’ପାଇଁ ମୋର ଅନ୍ତରରେ ଏକ ସଜୀବ ସ୍ମୃତି ବ୍ୟଥିତ ହେଲା ପରି ଜଣା ଯାଉଥିଲା ।) ଉଜ୍ଜ୍ୱଳ ଭାରତୀୟ ମଧ୍ୟାନ୍ତର ପ୍ରଖର ସୂର୍ଯ୍ୟ କିରଣରେ ଅତି ଉଚ୍ଚରେ ଉଡ଼ୁଥିବା ଗୁଡ଼ିର ତୀବ୍ର ସରୁ ଶବ୍ଦ ଜଣେ ନିଃସଙ୍ଗ ବାଳକକୁ ଏକ ସୁଦୂର ମୁକ ସମ୍ପର୍କର ସଂକେତ ଦେଉଥିଲା । ଏହି ପୃଥିବୀର ପୁରୁଣା ଆକ୍ରମଣକାରୀ ସେନା ମଧ୍ୟରୁ କେତୋଟି ଯୁଦ୍ଧବନ୍ଦୀ ପରି ଆମ ଘରର ପାଚେରୀ ପାଖରେ ଥିବା କେତୋଟି ନଡ଼ିଆ ଗଛ ବରାବର ମନୁଷ୍ୟକୁ ଦେଉଥିବା ବୃକ୍ଷ ସମାଜର ଶାଶ୍ୱତ ସାହଚର୍ଯ୍ୟର ବିଷୟ ମୋତେ କହୁଥିଲେ । ଅରଣ୍ୟର ନିମନ୍ତ୍ରଣ ପ୍ରତି ସେମାନେ ମୋର ଅନ୍ତରକୁ କମ୍ପିତ କରୁଥିଲେ । ମୋର ଦଶବର୍ଷ ବୟସରେ ଯେତେବେଳେ ହିମାଳୟ ପର୍ବତଶ୍ରେଣୀ ଉପରେ ଦେବଦାରୁ ବୃକ୍ଷ ଛାୟାରେ ଜୀବନର ପ୍ରାଥମିକ ଆଭିଜାତ୍ୟରେ ଅନ୍ଧକାରାଛନ୍ନ ସମ୍ଭ୍ରମ ଓ ତାହାର ଭୟାନକ ତଥା ସୌଜନ୍ୟପୁର୍ଣ୍ଣ ପ୍ରବଳ ଦୃଢ଼ତା ଦ୍ୱାରା ଭୀତତ୍ରସ୍ତ ହୋଇ ମୁଁ ଏକାକୀ ଛିଡ଼ା ହୋଇଥିଲି; ସେତେବେଳେ ଏହି ନିମନ୍ତ୍ରଣର ଜବାବ ଦେବାର ସୌଭାଗ୍ୟ ମୁଁ ପାଇଥିଲି ।
ମୋର ବାଲ୍ୟାବସ୍ଥାର ଯେଉଁ ମୁହୂର୍ତ୍ତଗୁଡ଼ିକରେ ମୋର ମନ ଆକାଶ ଓ ଆଲୋକର ବିଶାଳ ଅନୁଭୂତି ଉପରେ ସମଭରା ଅବସ୍ଥାରେ ଭାସମାନ ହେଲାପରି ବୋଧ ହେଉଥିଲା; ସେଥିପ୍ରତି ଫେରି ଚାହିଁଲେ ମୁଁ ବିଶ୍ୱାସ ନ କରି ରହି ପାରେ ନାହିଁ ଯେ ମୋର ଭାରତୀୟକୁଳ ତାହାର ଦର୍ଶନର ଦାୟଦାନ ମୋ ମଧ୍ୟରେ ଛାଡ଼ି ଯାଇଛି । ଏହି ଦର୍ଶନ ପ୍ରକୃତି ସହିତ ସାମଞ୍ଜସ୍ୟ ରକ୍ଷା କରିବା ଜରିଆରେ ପୂର୍ଣ୍ଣତା ପ୍ରାପ୍ତିର ଦର୍ଶନ । ମନୁଷ୍ୟକୃତ ଜଗତ ଛାଡ଼ି ବିଶ୍ୱର ଗଭୀର ପ୍ରଦେଶରେ ଆମ୍ଭମାନଙ୍କ ମୁକ୍ତିର ଅନ୍ୱେଷଣ କରିବାର ପ୍ରବଳ ଇଚ୍ଛା, ଏହା ଆମ୍ଭମାନଙ୍କ ମଧ୍ୟରେ ଜାଗ୍ରତ କରେ । ଅଗ୍ନି, ଜଳ ଓ ବୃକ୍ଷରେ ପ୍ରତ୍ୟେକ ସଞ୍ଚରଣଶୀଳ ଓ ବର୍ଦ୍ଧିଷ୍ଣୁ ବସ୍ତୁରେ ନିହିତ ଥିବା ଦେବତ୍ୱ ପ୍ରତି ଭକ୍ତି ଅର୍ପଣ କରିବାକୁ ଏହା କରି ଯିବାପରି ବୋଧ ହେଉଥିବା ମୁକ୍ତି ସ୍ପୃହାର ସ୍ମୃତି ମଧ୍ୟରେ ହିଁ ମୋ ସ୍କୁଲ ପ୍ରତିଷ୍ଠାର ଉତ୍ପତ୍ତିସ୍ଥଳ ନିହିତ ।
କେବଳ ସ୍ୱାଧୀନତା ଅର୍ଥରେ ମୁକ୍ତି ଅର୍ଥହୀନ । ସଂପୂର୍ଣ୍ଣ ମୁକ୍ତି ସମ୍ବନ୍ଧର ସାମଞ୍ଜସ୍ୟରେ ନିହିତ, ଯାହାକି କେବଳ ଜାଣିବାରେ ନୁହେ, ନିୟତ ଅଭିବୃଦ୍ଧି ମଧ୍ୟରେ ହିଁ ଆମେ ଧାରଣା କରି ପାରିବା । ଜାଣିବା ଲୋକଙ୍କଠାରୁ ଜ୍ଞାନର ବସ୍ତୁ ବହୁ ଦୂରରେ । କାରଣ ଜ୍ଞାନ ମିଳନ ନୁହେ । ପୂର୍ଣ୍ଣ ସହାନୁଭୂତି ମାଧ୍ୟମରେ ଆମେ ମୁକ୍ତି ରାଜ୍ୟରେ ପହଞ୍ଚିବାକୁ ସମର୍ଥ ହେବା ।
ପିଲାମାନେ ସେମାନଙ୍କ ଜ୍ଞାନେନ୍ଦ୍ରିୟର ସତେଜଟା ନେଇ ପ୍ରତ୍ୟକ୍ଷ ଭାବରେ ଜଗତର ଘନିଷ୍ଠ ସଂପର୍କରେ ଆସନ୍ତି । ଏହା ସେମାନଙ୍କ ପ୍ରତି ପ୍ରଥମ ଓ ଶ୍ରେଷ୍ଠ ଦାନ । ସେମାନଙ୍କୁ ନଗ୍ନ ଓ ସରଳ ଭାବରେ ଏହା ଗ୍ରହଣ କରିବାକୁ ପଡ଼ିବ ଓ ସେମାନଙ୍କ ଦ୍ରୁତ ସଂଯୋଗସ୍ଥାପନ ଶକ୍ତି କଦାପି ହରାଇବାକୁ ହେବ ନାହିଁ । ଆମର ପୂର୍ଣ୍ଣତା ପାଇଁ ଆମକୁ ଏକାଧାରରେ ଅସଭ୍ୟ ଓ ସଭ୍ୟ ହେବାକୁ ପଡ଼ିବ । ଆମକୁ ପ୍ରକୃତି ସହିତ ଓ ମାନବସମାଜ ସହିତ ମାନବିକ ହେବାକୁ ପଡ଼ିବ । ଯେଉଁ ନଗରରେ ସବୁଆଡ଼େ ମନୁଷ୍ୟ, ଯେଉଁଠି ବଡ଼ ଅଣମନୁଷ୍ୟ ପାଇଁ ତିଳେହେଲେ ଫାଙ୍କ ନାହିଁ ସେଠାରେ ଜନଗହଳିରେ ନିର୍ଜନତାରେ ବାସ କରୁଥିବା ଯୋଗୁଁ ମୁଁ କଷ୍ଟ ଅନୁଭବ କରୁଥିଲି । ନଗର-ଜୀବନର ବିଚ୍ଛିନ୍ନ ଅବସ୍ଥାରେ ମୋର ନିର୍ବାସିତ ଆତ୍ମା ମୋ ଭିତରେ ନୂଆ ଦିଗ୍ବଳୟ ପାଇଁ କାନ୍ଦୁଥିଲା । କବିତାର ବିଚ୍ଛିନ୍ନ ଧାଡ଼ି ପରି ମୁଁ ସବୁବେଳେ ଅନିଶ୍ଚିତ ଅବସ୍ଥାରେ ରହୁଥିଲି । ଅନ୍ୟ ଯେଉଁ ଧାଡ଼ିଟି ସହିତ ଏହାର ଯତିପାତ ହୋଇଥିଲା ଓ ଯାହା ଏହାକୁ ପୂର୍ଣ୍ଣତା ଦେଇ ପାରୁଥିଲା ତାହା ଅସ୍ପଷ୍ଟ ହୋଇ ପଡ଼ିଥିଲା । ସୁଖୀ ହେବାର ଯେଉଁ ସହଜ ଶକ୍ତି ମୁଁ ଅନ୍ୟ ପିଲାମାନଙ୍କ ସହିତ ଏ ଜଗତକୁ ଆଣିଥିଲି ତାହା ଜୀବନରେ ଇଟା ଓ ବାଲି-ଚୂନର ବିନ୍ୟାସ, ଯନ୍ତ୍ରବତ୍ ଅଭ୍ୟାସ ଓ ସମ୍ମାନବୋଧର ଚିରାଚରିତ ରୀତି ସହିତ ସଂଘର୍ଷ ଯୋଗୁ ଅବିରାମ କ୍ଷୟପ୍ରାପ୍ତ ହେଉଥିଲା ।
ସାଧାରଣ ରୀତିର ମୋତେ ସ୍କୁଲକୁ ପଠାଯାଇଥିଲା, କିନ୍ତୁ ଅଧିକାଂଶ ପିଲାଙ୍କ ତୁଳନାରେ ମୋର କଷ୍ଟ ଥିଲା ଅସାଧାରଣ ବେଶୀ । ମୋ ଭିତରର ଅସଭ୍ୟତା ଥିଲା ଅଭିମାନୀ । ରଙ୍ଗ ପାଇଁ, ସଂଗୀତ ପାଇଁ, ଜୀବନର ଗତି ପାଇଁ ଏହାର ଖୁବ୍ ତୃଷ୍ଣା ଥିଲା । ଆମର ନଗରଗଢ଼ା ଶିକ୍ଷା ସେହି ଜୀବନ୍ତ ବିଷୟ ପ୍ରତି କୌଣସି ଧ୍ୟାନ ଦେଇ ନ ଥିଲା । ସେ ତାହାର ମାଲ୍-ଗାଡ଼ିକୁ ବଜାର ଉପଯୁକ୍ତ ଫଳାଫଳର ମାର୍କାଦିଆ ଗାଣ୍ଠିଗୁଡ଼ିକ ପାଇଁ ପ୍ରସ୍ତୁତ ରଖୁଥିଲା । ଆମ୍ଭମାନଙ୍କ ଭୂମଣ୍ଡଳରେ ଜଳର ପ୍ରାଧାନ୍ୟ ଥାଇ ଜଳ ଓ ସ୍ଥଳ ଯେଉଁ ଅନୁପାତରେ ଅଛି, ମନୁଷ୍ୟ ଭିତରର ଅସଭ୍ୟତା ଓ ସଭ୍ୟତା ସେହି ଅନୁପାତରେ ରହିବା ଉଚିତ, କିନ୍ତୁ ଅସଭ୍ୟତାର କ୍ରମାଗତ ସଂସ୍କାର ଥିଲା ସ୍କୁଲର ଉଦ୍ଦେଶ୍ୟ । ପ୍ରାଣବନ୍ତ ଜଳର ଏପରି ନିଷ୍କାସନ ଯେଉଁ ଶୁଷ୍କତା ଆଣିଦିଏ ତାହା କୌଣସି ନଗରରେ ପରିତାପର ବିଷୟ ବୋଲି ବିବେଚିତ ହୋଇ ନ ପାରେ, କିନ୍ତୁ ମୋର ସ୍ୱଭାବ ସେ ଧରଣର ଅବସ୍ଥା ସହିତ କେବେ ଅଭ୍ୟସ୍ତ ହୋଇ ପାରି ନ ଥିଲା । ଅସଭ୍ୟତା ମୋ ଭିତରେ ଖୁବ୍ ଶୀଘ୍ର ଜୟୀ ହେଲା ଓ ମୋର ତେର ଚଉଦ ବର୍ଷ ବୟସବେଳେ ମୋତେ ସ୍କୁଲରୁ ତଡ଼ିଦେଲା ।
ଅଜ୍ଞାନତାର ନିର୍ଜନ ଦ୍ୱୀପରେ ନିଜକୁ ଅସହାୟ ଅବସ୍ଥାରେ ପରିତ୍ୟକ୍ତ ହୋଇଥିବାର ମୁଁ ଦେଖିଲି ଏବଂ ମୂଳରୁ ମୋର ଶିକ୍ଷା ଗଠନ ପାଇଁ ଏକମାତ୍ର ମୋ ନିଜର ପ୍ରବୃତ୍ତି ଉପରେ ମୋତେ ନିର୍ଭର କରିବାକୁ ପଡ଼ିଲା ।
ମୋର ମନେ ପଡ଼ୁଛି, ମୁଁ ଯେତେବେଳେ ପିଲା ସେତେବେଳେ ରବିନ୍ସନ୍ କୃସୋର ଖଣ୍ଡେ ବଙ୍ଗଳା ଅନୁବାଦ ପାଇବାର ବଡ଼ ସୌଭାଗ୍ୟ ମୋର ହୋଇଥିଲା । ଅଦ୍ୟାପି ମୋର ବିଶ୍ୱାସ ଯେ ପିଲାମାନଙ୍କ ପାଇଁ ଲେଖାଯାଇଥିବା ଉତ୍କୃଷ୍ଟ ପୁସ୍ତକମାନଙ୍କ ମଧ୍ୟରେ ଏହା ଅନ୍ୟତମ । ପିଲାବେଳେ ନିଜଠାରୁ ଦଉଡ଼ି ପଳାଇବାକୁ ଓ ପ୍ରକୃତିର ପ୍ରତ୍ୟେକ ବସ୍ତୁ ସହିତ ମିଶି ଏକାକାର ହୋଇଯିବାକୁ ମୋର ଉତ୍କଣ୍ଠା ବିଷୟ ମୁଁ କହି ସାରିଛି । ଏହି ମନୋଭାବକୁ ମୁଁ ବିଶେଷତଃ ଭାରତୀୟ ବୋଲି ବର୍ଣ୍ଣନା କରିଛି । ଏହା ଚୈତନ୍ୟର ସଂପ୍ରସାରଣ ପାଇଁ ପାରମ୍ପରିକ ଅଭିଳାଷର ପରିଣାମ । ସ୍ୱୀକାର କରିବାକୁ ହେବ ଯେ ଏପରି ଅଭିଳାଷ ଆଧ୍ୟତ୍ମୀୟ, କିନ୍ତୁ ଆମର ଭୌଗଳିକ ପରିସ୍ଥିତିରେ ଏହା ଅନିବାର୍ଯ୍ୟ । କେବଳ ବଞ୍ଚି ରହିବାର ଅଧିକାର ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ଅତ୍ୟଧିକ ଶୁଳ୍କ ଦେଇ ଗ୍ରୀଷ୍ମମଣ୍ଡଳର ଅତ୍ୟାଚାର ମଧ୍ୟରେ ଅମ୍ଭେମାନେ ବାସ କରୁ । ଉତ୍ତାପ, ସନ୍ତସନ୍ତିଆ ଭୂମି, ବଡ଼ ବଡ଼ ପ୍ରାଣୀଙ୍କ ଉପରେ ବଞ୍ଚୁଥିବା କ୍ଷୁଦ୍ର ପ୍ରାଣୀମାନଙ୍କର ଅକଥନୀୟ ଉତ୍ପାଦିକା ଶକ୍ତି, ଦୃଶ୍ୟ ହେଉ ବା ଅଦୃଶ୍ୟ ହେଉ, ବିରକ୍ତିର ଚିରସ୍ଥାୟୀ ଉତ୍ପତ୍ତିସ୍ଥଳଗୁଡ଼ିକ ଯୋଗୁ ଅମିତାଚାରୀ ପରୀକ୍ଷା ପାଇଁ ଟିକିଏ ହେଲେ ଅବକାଶ ଆମର ଆଉ ରହେ ନାହିଁ ।
ଶକ୍ତିର ଆଧିକ୍ୟ ଲଢ଼ିବାକୁ ଓ ପରାସ୍ତ କରିବାକୁ ଖୋଜେ ପ୍ରତିବନ୍ଧକ । ସେହି କାରଣରୁ ପାଶ୍ଚାତ୍ୟ ସାହିତ୍ୟରେ ପ୍ରକୃତିର ବିଦ୍ୱେଷପରାୟଣତା ଉପରେ ଅବିରତ ଜୋର ଦିଆଯାଉଥିବାର ଆମେ ଦେଖୁ । କେବଳ ତାକୁ ଲଢ଼େଇକୁ ଆହ୍ୱାନ କରିବାର ଆନନ୍ଦ ପାଇଁ ପାଶ୍ଚାତ୍ୟ ଜଗତରେ ଲୋକେ ତା ମଧ୍ୟରେ ଏକ ଶତ୍ରୁକୁ ଆବିଷ୍କାର କରିଥାନ୍ତି । ଯେଉଁ କାରଣରୁ ଏହି ଜଗତକୁ ଜୟ କରିସାରି ଆଲେକ୍ଜାଣ୍ଡର୍ ଅନ୍ୟ ଜଗତକୁ ଜୟ କରିବାକୁ ଇଚ୍ଛା କରିଥିଲେ ସେହି କାରଣରୁ ଏହି ଅତିଶୟ ଜୀବନୀଶକ୍ତିମାନ ଲୋକେ ନିଜ ବାଟରୁ ବାହାରିଯାଇ ଅନ୍ୟ ଲୋକଙ୍କ ରାସ୍ତାରେ ସେମାନଙ୍କ ପୋଷାକର ପୁଚ୍ଛ ପ୍ରସାରି ବସନ୍ତି ଓ ତାହା ପଦଦଳିତ ହେଲେ କ୍ଷତିପୂରଣ ଦାବି କରନ୍ତି-। ନିଜେ ଆହତ ହେବାର ବିପଦକୁ ଉପଭୋଗ କରିବା ପାଇଁ ସେମାନେ ଅନାକ୍ରମଣକାରୀମାନଙ୍କୁ, ଉଡ଼ି ପଳାଇ ଜାଣିଥିବା ପକ୍ଷିମାନଙ୍କୁ, ଅଗମ୍ୟ ସ୍ଥାନରେ ବାସ କରୁଥିବା ଭୀରୁ ପ୍ରାଣୀମାନଙ୍କୁ ଆଘାତ କରିବାକୁ ପ୍ରସ୍ତୁତ । ଏ କ୍ଷେତ୍ରରେ ଉଚ୍ଚ ଜାତିମାନଙ୍କୁ ଉଲ୍ଲେଖ କରିବାର ଅଶିଷ୍ଟତା ମୁଁ ଏଡ଼ିଦେଉଛି ।
ଜୀବନର ଅଗ୍ରଗତି ପାଇଁ ପ୍ରତିବନ୍ଧକ ଅବଶ୍ୟ ଆବଶ୍ୟକ । ଯେଉଁ ମାଟିଦେଇ ନଦୀ ବାଟ କାଟିବ ତାହାର ବାଧା ବ୍ୟତିରେକେ ତାର ପ୍ରବାହର ବେଗ ସେ ହରାଇଥାଏ । ଲଢ଼ୁଆଭାବ ଜୀବନର ବୁଦ୍ଧି ବୃତ୍ତିର ଅଂଶ । ସଙ୍ଗୀତର ସଂପୂର୍ଣ୍ଣ ଉପଲବ୍ଧି ପାଇଁ ବାଦ୍ୟଯନ୍ତ୍ରର ସ୍ୱରସଂଯୋଗ ସାହାଯ୍ୟ କରିଥାଏ । ଆମ୍ଭେମାନେ ଆନନ୍ଦିତ ହେବା ଯେ ପାଶ୍ଚାତ୍ୟ ଜଗତରେ ପ୍ରତିବନ୍ଧକ ସହିତ ଲଢ଼େଇ ଦ୍ୱାରା ସମସ୍ତ ତନ୍ତ୍ରୀରେ ଜୀବନ-ଯନ୍ତ୍ରର ସ୍ୱର ମିଳିଯାଉଛି । ବିଶ୍ୱର ଅନ୍ତର୍ନିହିତ ସୃଜନକ୍ଷମତା କେବେ ହେଲେ ପ୍ରତିବନ୍ଧକଗୁଡ଼ିକୁ ପୁରାପୁରି ଦୂର କରିବାକୁ ହେବ ନାହିଁ । ଲଢ଼ୁଆ ଭାବଟି ଯେ ଶ୍ରେଷ୍ଠ-ଏହି ପୂର୍ଣ୍ଣତାର ଆଦର୍ଶ ହିଁ ତାର ଏକମାତ୍ର କାରଣ ।
ରବିନ୍ସନ୍ କୃସୋରେ ପ୍ରକୃତି ସହିତ ମିଳନର ଆନନ୍ଦ ଏକ ଦୁଃସାହସିକ କାହାଣୀରେ ପ୍ରକାଶିତ । ସେଥିରେ ଏକ ସଙ୍ଗହୀନ ମାନବ ସଙ୍ଗହୀନା ପ୍ରକୃତି ସହିତ ମୁହାଁମୁହିଁ ଭେଟ ହୋଇଛି, ତାକୁ ମନୋତୋଷିଆ କଥା କହୁଛି, ତା ସହିତ ସହଯୋଗ କରୁଛି, ତାର ଗୁପ୍ତରହସ୍ୟ ଉଦ୍ଘାଟନ କରୁଛି, ତାର ସାହାଯ୍ୟ ଲାଭ କରିବାକୁ ତାର ସମସ୍ତ ବୁଦ୍ଧିବୃତ୍ତି ପ୍ରୟୋଗ କରୁଛି । ଏ ବହିଟି ପଢ଼ି ମୁଁ ଯେଉଁ ଆନନ୍ଦ ପାଇଲି ତାହା କୃପଣା ପ୍ରକୃତିର ବଦ୍ଧମୁଷ୍ଟି ବିରୁଦ୍ଧରେ ମାନବିକ ସାଫଲ୍ୟର ଗୌରବରେ ଭାଗୀ ହେବାରେ ନୁହେ, ସେ ଆନନ୍ଦ ବୁଦ୍ଧିମତ୍ତାର କାର୍ଯ୍ୟ ଦ୍ୱାରା ପ୍ରାପ୍ତ ପ୍ରକୃତି ସହିତ ସାମଞ୍ଜସ୍ୟ ମଧ୍ୟରେ ନିହିତ । ଏହା ହିଁ ପାଶ୍ଚାତ୍ୟ ଜଗତର ବୀରତ୍ୱପୂର୍ଣ୍ଣ ପ୍ରେମ ସାହସିକତା ଓ ପୃଥିବୀର ସକ୍ରିୟ ପ୍ରଣୟପ୍ରାର୍ଥନା ।
ମୋର ମନେପଡ଼େ କିପରି ମୋର ଯୌବନରେ ଇଉରୋପରେ ବ୍ରିଣ୍ଡିସିଠାରୁ କାଲାଇସ୍ ପର୍ଯ୍ୟନ୍ତ ରେଳଯାତ୍ରାବେଳେ ସେ ମହାଦେଶର ସାହସୀ ପ୍ରେମିକ-ପାଶ୍ଚାତ୍ୟ ଜନସମାଜର ଯୁଗ ଯୁଗର ଯତ୍ନରେ ସମୃଦ୍ଧିଶାଳୀ ହୋଇଥିବା ସେହି ଅଞ୍ଚଳକୁ ମୁଁ ଅତ୍ୟନ୍ତ ଆନନ୍ଦ ଓ ବିସ୍ମୟର ସହିତ ଲକ୍ଷ୍ୟ କରିଥିଲି । ସେ ତାକୁ ଲାଭ କରିଛି, ତାକୁ ନିଜର କରି ନେଇଛି, ତା ହୃଦୟର ଅସରନ୍ତି ଉଦାରତାକୁ ଖୋଲି ଦେଇଛି । ମୋର ଏକାନ୍ତ ଇଚ୍ଛା ହୋଇଥିଲା ଯେ ପ୍ରାଚ୍ୟ ଦେଶର ଭକ୍ତ ତାର ମନର ନିର୍ଜନତାରେ ଯେଉଁ ବିଶ୍ୱାତ୍ମାକୁ ଅନୁଭବ କରେ ତାର ଅର୍ନ୍ତଦୃଷ୍ଟି ଏହି ସେବାଭାବ ସହିତ ମିଳିତ ହୋଇ ପାରନ୍ତା କି ।
ମୋର ମନେପଡ଼େ ଗୋଟିଏ ସକାଳ ଯେତେବେଳେ କି ବଙ୍ଗର ଗୋଟିଏ ଗ୍ରାମରେ ଗୋଟିଏ ଭିକାରୁଣୀ ମୋ ଟେବୁଲ ଉପରର ଫୁଲଦାନିରୁ ଫୋପଡ଼ା ହେବାକୁ ଯାଉଥିବା ବସି ଫୁଲଗୁଡ଼ିକ ତା' ଶାଢ଼ୀର ପଣତରେ ତୋଳିନେଇ ଉଲ୍ଲାସର କୋମଳ ଚାହାଣିରେ "ମୋ ହୃଦୟର ନିଧି" ବୋଲି ଚିତ୍କାର କରିଉଠି ସେଗୁଡ଼ିକରେ ତାର ମୁହଁକୁ ପୋତି ପକାଇଥିଲା । ତାର ଆଖିଯୋଡ଼ିକ ସହଜରେ ବାହାର ଆକୃତିର ଆବରଣ ଭେଦ କରି ଏହି ଫୁଲଗୁଡ଼ିକରେ ଅନ୍ତରର ରାଜ୍ୟରେ ପହୁଞ୍ଚି ପାରିଥିଲା, ଯେଉଁଠି କି ସେ ତା ପ୍ରିୟର ଅନ୍ତରଙ୍ଗ ସ୍ପର୍ଶ ପାଇଥିଲା, କିନ୍ତୁ ଏସବୁ ସତ୍ତ୍ୱେ ତାର ନ ଥିଲା ସେହି ଭକ୍ତିର ଶକ୍ତି, ପାଶ୍ଚାତ୍ୟ ଆକାରର ପ୍ରତ୍ୟକ୍ଷ ଦେବସେବା, ଯାହା କି ପୃଥିବୀକୁ ତାର ଫୁଲଗୁଡ଼ିକ ଫୁଟାଇବା ଓ ମରୁଭୂମିର ଧୂଳିରେ ସୌନ୍ଦର୍ଯ୍ୟର ରାଜୁତି ବିସ୍ତାର କରିବାରେ ସାହାଯ୍ୟ କରେ । ପ୍ରାଚ୍ୟ ଓ ପାଶ୍ଚାତ୍ୟର ଯାଆଁଳା ଭାବ, ମେରୀ ଓ ମାର୍ଥା, ସତ୍ୟର ଉପଲବ୍ଧିକୁ ସଂପୂର୍ଣ୍ଣ କରିବାକୁ ଯେ କେବେହେଁ ମିଳିତ ହୋଇ ପାରିବେ ନାହିଁ, ଏପରି ଚିନ୍ତା କରିବାକୁ ମୁଁ ନାରାଜ । ଆମର ଭୌତିକ ଦରିଦ୍ରତା ଓ ସମୟର ବିରୋଧସତ୍ତ୍ୱେ ଏହି ମିଳନ ପାଇଁ ମୁଁ ଧୈର୍ଯ୍ୟ ସହିତ ଅପେକ୍ଷା କରୁଛି ।
ଯେଉଁଠି କେବଳ ପ୍ରେମ ଦ୍ୱାରା ନୁହେ, ସକ୍ରିୟ ସଂଯୋଗ ସ୍ଥାପନ ଦ୍ୱାରା ମାନବ ଓ ପ୍ରକୃତିର ପୂର୍ଣ୍ଣମିଳନର ପ୍ରଥମ ମହାପାଠ ଅବାଧରେ ଶିକ୍ଷା କରାଯାଇ ପାରିବ ସେପରି ଏକ ଅନୁଷ୍ଠାନର ଚିନ୍ତା କଲାବେଳେ ରବିନ୍ ସନ୍ କୃସୋଙ୍କ ଦ୍ୱୀପ ମୋ ମନରେ ଉଦୟ ହୁଏ । ଆମକୁ ସ୍ମରଣ ରଖିବାକୁ ହେବ ଯେ କେବଳ ପ୍ରେମ ଓ କାର୍ଯ୍ୟ ମାଧ୍ୟମରେ ପୂର୍ଣ୍ଣ ଜ୍ଞାନ ଲାଭ କରାଯାଇ ପାରେ, କାରଣ ଜ୍ଞାନର ଉଦ୍ଦେଶ୍ୟ ବୃଥା ପାଣ୍ଡିତ୍ୟ ନୁହେ, କବିତା । ଏ ପ୍ରକାରର ଗୋଟିଏ ଅନୁଷ୍ଠାନ କେବଳ ସମସ୍ତ ଜରୁରୀ ଅବସ୍ଥା ପାଇଁ ପ୍ରସ୍ତୁତ ହେବାକୁ ନୁହେ, ଜୀବନ ଓ ଜଗତ ମଧ୍ୟରେ ପ୍ରତିକ୍ରିୟା ସହିତ ସ୍ୱର ମିଳାଇବାକୁ, ସେମାନଙ୍କ ସମନ୍ୱୟର ଭାରସାମ୍ୟ, ଯାହାକି କବିତା ତାହା ଲାଭ କରିବାକୁ ଜଣକର ଅଙ୍ଗ ପ୍ରତ୍ୟଙ୍ଗ ଓ ମନକୁ ତାଲିମ କରିବ । ଏପରି ଏକ ସ୍ଥାନରେ ପିଲାମାନଙ୍କ ପାଇଁ ପ୍ରଥମ ଓ ପ୍ରଧାନ ଶିକ୍ଷା ହେବ ବିନା ପ୍ରସ୍ତୁତିରେ କାର୍ଯ୍ୟ କରିବାର ଶିକ୍ଷା, ଅପ୍ରତ୍ୟାଶିତ କୃତିତ୍ୱ ଦେଇ ଜଣକର ସାମର୍ଥ୍ୟ ଅନୁସନ୍ଧାନ କରିବାକୁ ଅବିରାମ ସୁଯୋଗ ସୁବିଧା ଦେବା ଉଦ୍ଦେଶ୍ୟରେ ପୂର୍ବ ପ୍ରସ୍ତୁତ ନିର୍ବାସିତ ହେବାର ଶିକ୍ଷା । ସ୍ପଷ୍ଟ କଥାରେ ଏହା ସରଳ ଜୀବନ ମଧ୍ୟରେ ନୁହେ ସୃଜନକାରୀ ଜୀବନ ମଧ୍ୟରେ ଶିକ୍ଷା । କାରଣ ଜୀବନ ଜଟିଳ ହୋଇ ପଡ଼ିପାରେ, ତଥାପି ଯଦି ଏହାର କେନ୍ଦ୍ରସ୍ଥଳରେ ଏକ ଜୀବନ୍ତ ବ୍ୟକ୍ତିତ୍ୱ ଥାଏ ତେବେ ଏହାର ସୃଜନର ଏକତା ରହିବ, ଏହା ପୂର୍ଣ୍ଣ ପ୍ରସନ୍ନତାରେ ନିଜର ଭାର ବହନ କରିବ ଏବଂ କେବଳ ଗୋଟିଏ ଗହଳିବର୍ଦ୍ଧକ ସଂଖ୍ୟାରେ ତାହା ପରିଣତ ହେବ ନାହିଁ ।
ମୋର ଇଚ୍ଛା ହୁଏ, ଆମ ସ୍କୁଲ୍ରେ ଏହି ସ୍ୱପ୍ନ ସଫଳ ହୋଇଛି ବୋଲି ମୁଁ କହି ପାରନ୍ତି । ଆମେ କେବଳ ଆରମ୍ଭ ମାତ୍ର କରିଛୁ । ପ୍ରକୃତିକୁ ଭଲ ପାଇବାକୁ ସମର୍ଥ ହେବା ଦ୍ୱାରା ତହିଁରେ ସେମାନଙ୍କ ମୁକ୍ତି ପାଇବାକୁ ଆମେ ପିଲାମାନଙ୍କୁ ସୁଯୋଗ ଦେଇଚୁ । କାରଣ ପ୍ରେମ ହିଁ ମୁକ୍ତି । ଅତ୍ୟନ୍ତ ଶସ୍ତା ଜିନିଷ ପାଇଁ ଆମ ଆତ୍ମାକୁ ମୂଲ୍ୟ ଦେବାରୁ ଏହା ଆମକୁ ରକ୍ଷା କରେ । ଯେଉଁ ଲୋକେ ଦରିଦ୍ରତାର ଆଧ୍ୟାତ୍ମିକ ମୂଲ୍ୟକୁ ପ୍ରଶଂସା କରି ସରଳ ଜୀବନର ଧର୍ମତତ୍ତ୍ୱ ପ୍ରଚାର କରନ୍ତି ସେମାନଙ୍କୁ ମୁଁ ଜାଣେ । ଯେତେବେଳେ ଦରିଦ୍ରତା କେବଳ ଅଭାବ, ସେତେବେଳେ ତହିଁରେ କୌଣସି ବିଶେଷ ମୂଲ୍ୟ ଅଛି ବୋଲି କଳ୍ପନା କରିବାକୁ ମୁଁ ସ୍ୱୀକୃତ ନୁହେ । କେବଳ ଯେତେବେଳେ ବାସ୍ତବତାର ଗଭୀର ଆହ୍ୱାନ ପ୍ରତି ମନ ସଂବେଦନଶୀଳ ସେତେବେଳେ ସେ କାଳ୍ପନିକର ପ୍ରଲୋଭନ ଛାଡ଼ି ଦୂରେଇ ଯାଏ । ଅନୁଭୂତିହୀନ ଜଡ଼ତା ଆମର ସରଳ ଉପଭୋଗ ଶକ୍ତିରୁ ଆମକୁ ବଞ୍ଚିତ କରେ ଏବଂ ଆସବାବପତ୍ର ଓ ବହୁମୂଲ୍ୟ ଜିନିଷର ନିର୍ବୋଧ ବୋଝର ବଡ଼ିମାଜନିତ ଅମର୍ଯ୍ୟାଦା ଆମ ଭାଗ୍ୟରେ ଆଣିଦିଏ । ବିଳାସର ଜଡ଼ତା ବିରୁଦ୍ଧରେ ଆତ୍ମନିଗ୍ରହର ଜଡ଼ତାକୁ ଠିଆ କରାଇବା ହେଉଛି ଗୋଟିଏ ଅନିଷ୍ଟ ସହିତ ଆଉ ଗୋଟିଏ ଅନିଷ୍ଟ ଦ୍ୱାରା ଲଢ଼ିବା, ଜଙ୍ଗଲର ଅବିବେକୀ ପିଶାଚ ସ୍ଥାନର ମରୁଭୂମିର ନିର୍ମମ ପିଶାଚକୁ ନିମନ୍ତ୍ରଣ କରି ଆଣିବା ।
ସାହିତ୍ୟ ଆନନ୍ଦମୟ ଉତ୍ସବ ଅନୁଷ୍ଠାନ ଓ ଧର୍ମ ଶିକ୍ଷା ସାହାଯ୍ୟରେ ମୋ ସ୍କୁଲର ଛାତ୍ରମାନଙ୍କୁ ମଧ୍ୟରେ ପ୍ରକୃତି ପାଇଁ ସେମାନଙ୍କ ଅନୁଭୂତି ଏବଂ ସେମାନଙ୍କର ମାନବିକ ପାରିପାର୍ଶ୍ୱିକ ଅବସ୍ଥା ପ୍ରତି ସଂବେଦନଶୀଳତାର ଉନ୍ନତି ବିଧାନ କରିବାକୁ ମୁଁ ଚେଷ୍ଟା କରିଥିଲି, ସେମାନଙ୍କ ପାଇଁ ଏହି ଜଗତକୁ ବାସ୍ତବ ଗୃହାଗମନର ପଥ ମୁଁ ପ୍ରସ୍ତୁତ କରିଥିଲି । ଖୋଲା ହାଉଆରେ, ଗଛ ଛାଇରେ ସେମାନେ ଶିକ୍ଷା କରୁଥିବା ବିଷୟଗୁଡ଼ିକ ମଧ୍ୟରେ ଥିଲା ସଙ୍ଗୀତ ଓ ଚିତ୍ରକଳା ଏବଂ ସେମାନେ ନାଟକ ଅଭିନୟ ମଧ୍ୟ କରୁଥିଲେ ।
ଏତିକି ଯଥେଷ୍ଟ ନ ଥିଲା । ଚରିତ୍ର ଗଠନ ଉପଯୋଗୀ କାର୍ଯ୍ୟ ଆମ ସ୍କୁଲରେ ପ୍ରବର୍ତ୍ତନ କରିବା ପାଇଁ ସମର୍ଥ ହେବାକୁ ଲୋକେ ଓ ସମ୍ବଳ ସକାଶେ ମୁଁ ଅପେକ୍ଷା କରିଥିଲି । ବାସ୍ତବ ମଙ୍ଗଳକରକାର୍ଯ୍ୟ ହାସଲ କରିବାର ଶକ୍ତି ମୋ ଶିକ୍ଷାର ଆଦର୍ଶକୁ ଦେବାପାଇଁ ମୁଁ ପାଶ୍ଚାତ୍ୟ ପ୍ରତିଭାର ଆବଶ୍ୟକତା ଅନୁଭବ କରିଥିଲି ।
ଅସଂଖ୍ୟ ବାଧା ବିଘ୍ନ ଥିଲା । ଶିକ୍ଷିତ ବୋଲାଉଥିବା ସମ୍ପ୍ରଦାୟର ପରମ୍ପରା ପିତା ମାତାଙ୍କ ପ୍ରତ୍ୟାଶା, ନିଜେ ଶିକ୍ଷକମାନଙ୍କ ତାଲିମ, ସରକାରୀ ବିଶ୍ୱ ବିଦ୍ୟାଳୟର ଦାବୀ ଓ ଗଠନତନ୍ତ୍ର କିନ୍ତୁ, ଏସମସ୍ତ ମୋର ପୋଷତ କଳ୍ପନା ବିରୁଦ୍ଧରେ ଅତି ପ୍ରବଳଭାବରେ ସଜ୍ଜିତ ହୋଇ ରହିଥିଲେ । ଅଧିକନ୍ତୁ ଛାତ୍ରସଂଖ୍ୟା ଅବଶ୍ୟ କମ୍ ହେଉଥିବା ଏକ ଅନୁଷ୍ଠାନର ପୋଷକତା ପାଇଁ ଆମର ଯଥେଷ୍ଟ ପାଣ୍ଠି ନ ଥିବାରୁ ନିଜ ଦେଶବାସୀଙ୍କଠାରୁ କ୍ୱଚିତ୍ କୌଣସି ଦାନ ଆମେ ପାଉଥିଲୁ-।
ସୌଭାଗ୍ୟବଶତଃ ଜଣେ ଇଂରେଜ ବନ୍ଧୁଙ୍କଠାରୁ ଆମେ ସାହାଯ୍ୟ ପାଇଲୁ । ବିଶ୍ୱଭାରତୀ ସହିତ ସଂପୃକ୍ତ ଗ୍ରାମସଙ୍ଗଠନ ବିଭାଗର ସୃଷ୍ଟି ଓ ପରିକଳ୍ପନାରେ ସେ ମୁଖ୍ୟ ଅଂଶ ଗ୍ରହଣ କଲେ । ଶାରୀରିକ ଓ ମାନସିକ ସମସ୍ତ ପ୍ରତିହାର ସାଧାରଣ ଉଦୀପନା ଆବଶ୍ୟକ କରୁଥିବା ମାନବିକ ବ୍ୟକ୍ତିତ୍ୱର ଆଙ୍ଗିକ ପୂର୍ଣ୍ଣତାର ଶିକ୍ଷା ସାଧନାରେ ସେ ମୋପରି ବିଶ୍ୱାସ କରନ୍ତି । ଏହି ଧାରଣା କାର୍ଯ୍ୟକାରୀ କରିବାକୁ ସ୍ୱାଧୀନତା ପାଇବା ଉଦ୍ଦେଶ୍ୟରେ, ଯେଉଁ ବାଳକମାନେ ପିତୃମାତୃ-ହୀନ ବା ଯେଉଁମାନଙ୍କୁ କୌଣସି ପ୍ରକାରର ସ୍କୁଲକୁ ପଠାଇବାକୁ ସେମାନଙ୍କ ବାପ ମା ନିହାତି ଦରିଦ୍ର, ସେପରି କେତେକ ବାଳକଙ୍କୁ ନେଇ ଆମେ କାର୍ଯ୍ୟ ଆରମ୍ଭ କଲୁ ।
ଅନତି ବିଳମ୍ବରେ ଆମେ ଲକ୍ଷ୍ୟକଲୁ ଯେ ଯେଉଁମାନଙ୍କର ମନ ସକ୍ରିୟ ଭାବରେ ଗଠନମୂଳକ କାର୍ଯ୍ୟରେ ନିୟୋଜିତ ଥିଲା, ଜ୍ଞାନ ଆହରଣ କରିବାକୁ ସେମାନଙ୍କର ଖୁବ୍ ଶୀଘ୍ର ଉତ୍ସାହ ଓ ବ୍ୟଗ୍ରତା ପ୍ରକାଶ ପାଇଲା । ଏପରିକି ଅଧିକା ପାଠ ପଢ଼ିବା ପାଇଁ ମଧ୍ୟ ସେମାନେ ବ୍ୟଗ୍ର ହୋଇ ଉଠିଲେ । ଏହି ବାଳକମାନଙ୍କ ମନ ଏପରି ତତ୍ପର ହୋଇ ପଡ଼ିଲା ଯେ ଗୋଟିଏ ଅତି ସରଳ କଥାରୁ ସେମାନେ ସଙ୍ଗେ ସଙ୍ଗେ ସେମାନଙ୍କ ପାଠ୍ୟକ୍ରମରେ ନ ଥିବା ଇଂରାଜୀ ଶିକ୍ଷାର ସୁବିଧା ବୁଝି ପାରିଲେ । ଦିନେ କେତେଗୁଡ଼ିଏ ଚିଠି ଡାକରେ ପକାଇବା ବେଳେ ଏ ଧାରଣା ସେମାନଙ୍କ ମନକୁ ଆସିଲା । ପୋଷ୍ଟମାଷ୍ଟର ଲଫାପାଗୁଡ଼ିକ ଉପରେ ବଙ୍ଗଳାରେ ଆଗରୁ ଲେଖାଥିବା ଠିକଣା ଇଂରାଜୀରେ ଲେଖିଲେ । ସଙ୍ଗେ ସଙ୍ଗେ ସେମାନେ ଶିକ୍ଷକଙ୍କ ନିକଟକୁ ଯାଇ ଏକ ଅତିରିକ୍ତ ଘଣ୍ଟାରେ ସେମାନଙ୍କୁ ଇଂରାଜୀ ପଢ଼ାଯାଉ ବୋଲି କହିଲେ । ଏହି ବାଳକମାନେ ସେମାନଙ୍କ ସତ୍ୱର ଅନୁରୋଧ ପାଇଁ କେବେହେଲେ ଦୁଃଖ କରି ନାହାନ୍ତି । ତଥାପି ଆଜି ପର୍ଯ୍ୟନ୍ତ ମୋର ମନେ ଅଛି ମୋ ନିଜର ଇଂରାଜୀ ଶିକ୍ଷକ ଯେତେବେଳେ ଆମ ଘରକୁ ଯାଉଥିବା ଗଳି ମୋଡ଼ରେ ଦେଖାଯାନ୍ତି, ସେତେବେଳେ ମୋର ପିଲା ମନ କି ଅପରାଧମୂଳକ ଚିନ୍ତାରେ ପୂରିଉଠେ-।
ଏହି ବାଳକମାନଙ୍କ ପକ୍ଷରେ ଚୁଟିର କିଛି ଅର୍ଥ ନାହିଁ । ସେମାନଙ୍କ ପାଠ ପଢ଼ା ଶ୍ରମସାଧ୍ୟ ହେଲେ ମଧ୍ୟ ତାହା ସେମାନଙ୍କ ରୋଷେଇଶାଳ, ପରିବା ବଗିଚା, ଲୁଗାବୁଣା, ଛୋଟ ଛୋଟ ମରାମତି କାମ ଆକାରରେ ଛୁଟିଦିନିଆ ଭାବ ସହିତ ଜଡିତ ଥିବାରୁ କଷ୍ଟକର କାର୍ଯ୍ୟ ହୁଏ ନାହିଁ । ଏହାର କାରଣ ସେମାନଙ୍କ କ୍ଲାସ କାମ ତାଙ୍କର ସ୍ୱାଭାବିକ କାର୍ଯ୍ୟଠାରୁ ପୃଥକ ନୁହେ । ଏହା ସେମାନଙ୍କ ଦୈନନ୍ଦିନ ଜୀବନ ସ୍ରୋତର ଏକ ଅଂଶ । ଅଗ୍ରାଭିମୁଖୀ ପ୍ରବାହରେ ଏହା ନିଜକୁ ସହଜରେ ବହିନିଏ ।
ଆମର ଅଧିକାଂଶ ବାଳକ ପ୍ରଥମେ ଆସିବା ସମୟରେ ଦେହ ଓ ମନରେ ଦୁର୍ବଳ ଥିଲେ । ମେଲେରିଆ ଓ ଅନ୍ୟ ଗ୍ରୀଷ୍ମ ମଣ୍ଡଳୀୟ ରୋଗର ଧ୍ବଂସକ୍ରିୟା ସେମାନଙ୍କର ଉତ୍ତରାଧିକାର-। ସେମାନେ ସଙ୍ଗରେ ଆଣିଥିଲେ ଦୁଃସହ ମାନସିକ ବିକାର । ବ୍ରାହ୍ମଣ ଥିଲା ଉଦ୍ଧତ ଓ ଅ-ବ୍ରାହ୍ମଣ ସଂକୋଚ ଓ ଆତ୍ମ ଅବମାନନାରେ ଦାୟର ପାତ୍ର । କାଳେ ନିଜ ଛଡ଼ା ଅନ୍ୟ କେହି ତିଳେ ସୁବିଧା ପାଇଯିବ, ସେଥିପାଇଁ କୌଣସି ସାଧାରଣ ହିତକର କାର୍ଯ୍ୟ କରିବାକୁ ସେମାନଙ୍କର ଘୃଣା । ଯେଉଁ କାମ ଦରମାଦିଆ ଚାକର କରିବା ଉଚିତ ବୋଲି ସେମାନେ ଭାବୁଥିଲେ ସେପରି କାମ ନିଜର ଉପକାର ପାଇଁ ସେମାନଙ୍କୁ କରିବାକୁ କୁହାଗଲେ ସେମାନେ ମୁହଁ ଭାରି କରୁଥିଲେ । ସେମାନେ ଅନ୍ୟର ଦାନ ଉପରେ ଚଳିବାକୁ ପରାଉନ୍ମୁଖ ନ ଥିଲେ, କିନ୍ତୁ ଆତ୍ମ ସାହାଯ୍ୟ ଦ୍ୱାରା ଚଳିବାକୁ ଲଜ୍ଜାବୋଧ କରୁଥିଲେ । ଏହି ନୀଚତା ଓ ନୈତିକ ନିଶ୍ଚେଷ୍ଟତା ସେମାନଙ୍କ ସ୍ୱଭାବଗତ ବୋଲି ମନେ କରାଯାଇଥାନ୍ତା, କିନ୍ତୁ ଅତି ଅଳ୍ପସମୟ ମଧ୍ୟରେ ସେ ସମସ୍ତ ପରିବର୍ତ୍ତିତ ହୋଇଗଲା-। ଯେଉଁ ତ୍ୟାଗ ଓ ବନ୍ଧୁତ୍ୱର ଭାବ ଏହି ବାଳକମାନଙ୍କଠାରେ ବିକଶିତ ହୋଇଛି ତାହା ଉତ୍ତମ ସୁଯୋଗ ପ୍ରାପ୍ତ ପିଲାମାନଙ୍କଠାରେ ମଧ୍ୟ ବିରଳ । ସକ୍ରିୟ ସ୍ୱଚ୍ଛ ଜୀବନ ଯୋଗୁହିଁ ସେମାନଙ୍କ ଭିତରେ ଯାହା କିଛି ଭଲ ଥିଲା, ସେ ସମସ୍ତ ପ୍ରକାଶ ପାଇଲା ଓ ଜମି ରହିଥିବା ମଇଳା ଆବର୍ଜନା ସଫା ହୋଇଗଲା । ସେମାନେ କରୁଥିବା ଦୈନନ୍ଦିନ କାର୍ଯ୍ୟରୁ ଏପରି କେତେକ ସମସ୍ୟାର ଉଦ୍ଭବ ହେଲା, ଯାହାର କି ଆବଶ୍ୟକ ପଡ଼ିଲା ଗୋଟାଏ ସମାଧାନ । ଘଟଣାବଳିର ଯୁକ୍ତି ସେମାନଙ୍କୁ ଦେଖାଇ ଦେଲା ଜୀବନର ନୈତିକ ତତ୍ତ୍ୱର ବାସ୍ତବତା । ବର୍ତ୍ତମାନ ଅନ୍ୟ ପିଲାମାନେ ଏପରି ତତ୍ତ୍ୱ ହୃଦୟଙ୍ଗମ ନ କରି ପାରିଲେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୁଅନ୍ତି । ରୋଷେଇ, ଲୁଗାବୁଣା, ବଗିଚା କାମ ଓ ନିଜ ଚତୁଃପାର୍ଶ୍ୱରେ ଉନ୍ନତି ବିଧାନ କରିବାରେ ଏବଂ କାଳେ ବିବ୍ରତ ହେବାକୁ ପଡ଼ିବ ସେଥିପାଇଁ ଅଧିକାଂଶ ସମୟରେ ଗୋପନରେ ମଧ୍ୟ ପିଲାଙ୍କ ସେବା କରିବାରେ ସେମାନେ ଖୁବ୍ ଆନନ୍ଦ ପାଆନ୍ତି । ମେସ୍ରେ ରହୁଥିବା ପିଲାମାନେ ସାଧାରଣତଃ ସେମାନଙ୍କୁ ଯେତିକି ଯୋଗାଇ ଦିଆଯାଏ ତା'ଠାରୁ ଅଧିକ ପାଇବାକୁ ଗୋଳମାଳ କରିଥାନ୍ତି, କିନ୍ତୁ ଏହି ବାଳକମାନେ ଇଚ୍ଛାକ୍ରମେ ସେମାନଙ୍କ ଆବଶ୍ୟକତାକୁ ସରଳ କରନ୍ତି । ସେମାନଙ୍କର ଦାୟିତ୍ୱବୋଧ ବଢ଼ିଛି । ଅଭାବରେ ଅସନ୍ତୋଷ ପ୍ରକାଶ କରିବା ପରିବର୍ତ୍ତେ ସେମାନେ ନିଜେ ନିଜ ପାଇଁ ଚିନ୍ତା କରନ୍ତି ଓ ଚଳେଇ ନିଅନ୍ତି । ସେମାନଙ୍କ ଭୋଜନ ବ୍ୟବସ୍ଥାରେ ଉନ୍ନତି କରିବାକୁ ସେମାନଙ୍କୁ ସେମାନଙ୍କ ପରିବାକିଆରି ଗୁଡ଼ିକର ଯେ ଉତ୍କର୍ଷ ସାଧନ କରିବାକୁ ହେବ, ତାହା ସେମାନେ ଅନୁଭବ କରନ୍ତି । ସେମାନେ ସାମାନ୍ୟ ଫଳ ପାଇଲେ ମଧ୍ୟ ଏଗୁଡ଼ିକର ଏପରି ମୂଲ୍ୟ ଅଛି ଯାହାକି ବଜାର ଦାମ୍ରେ ନିରୂପଣ କରାଯାଇ ପାରିବ ନାହିଁ ।
ମୋର ବର୍ଣ୍ଣନାକୁ ଟିକିଏ ଶିଳ୍ପକଳାର ସ୍ପର୍ଶ ଦେବାକୁ ଇଚ୍ଛାକରି ମୁଁ ଭାବୁଛି, ଆମ ଯୋଜନା ଭାଙ୍ଗିପଡ଼ିବା ବିଷୟରେ, ଆମ ଆୟୋଜନର ସୌଷ୍ଠବ ନଷ୍ଟ କରିବାକୁ ଚେଷ୍ଟା କରୁଥିବା କୌଣସି ଅପ୍ରତ୍ୟାଶିତ ଅନୁପଯୁକ୍ତ ଉପାଦାନ ବିଷୟରେ ମୁଁ କିଛି କହିପାରନ୍ତି କି । ଯାହାହେଉ ମୋତେ ସ୍ୱୀକାର କରିବାକୁ ହେବ ଯେ ଏ ପର୍ଯ୍ୟନ୍ତ ତାହା ଘଟି ନାହିଁ । ଆମର ବାୟୁମଣ୍ଡଳରେ ଏହି ମାନ୍ଦା ଶାନ୍ତ ଅବସ୍ଥା ପାଇଁ, ଯେଉଁ ଅଧିକା କର୍ମଶକ୍ତି ପ୍ରାୟ ବିପର୍ଯ୍ୟୟର କାରଣ ହୁଏ ତାର ଅଭାବ ପାଇଁ ସମ୍ଭବତଃ ଆମର ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଦାୟୀ । ହୋଇପାରେ ଆମର ଏହି ପରୀକ୍ଷା ନିରୀହ ବାଳକମାନଙ୍କ ପାଇଁ ଗୋଟିଏ ଆଦର୍ଶ ସ୍ୱର୍ଗ ହେବାକୁ ଯାଉନାହିଁ । ମୁଁ ନିଶ୍ଚିତ ଯେ ଆମର ମତବାଦ ଓ ଆମ ଆଦର୍ଶରେ ଆମର ବିଶ୍ୱାସକୁ ପରୀକ୍ଷା କରିବାକୁ ଅବିଳମ୍ବେ କେତେକ ଅକଳନୀୟ ସମସ୍ୟାର ଉଦ୍ଭବ ହେବ ।
ଏଥିମଧ୍ୟରେ ଜୀବନର ଆବଶ୍ୟକତା ସହିତ ମନ ଓ ଶରୀରର ସମୀକରଣରେ ଏ ଧରଣର ଦୈନିକ ଅଭ୍ୟାସ ଏହି ବାଳକମାନଙ୍କୁ ବୁଦ୍ଧିବୃତ୍ତିରେ ତତ୍ପର କରିଛି ବୋଲି ଉପଲବ୍ଧି କରି ଏହି ପଦ୍ଧତିକୁ ଆମ ସ୍କୁଲର ପ୍ରାଥମିକ ବିଭାଗ ପର୍ଯ୍ୟନ୍ତ ପ୍ରସାର କରିବାକୁ ଆମେ ସାହସୀ ହୋଇଛୁ-। ଶିକ୍ଷା ଦେବାକୁ ଶିକ୍ଷା କରିବା ବୋଲି ବିଶ୍ୱାସ କରୁଥିବା ଜଣେ ଆଦର୍ଶ ଶିକ୍ଷକଙ୍କ ଅଧୀନରେ ସେହି ବିଭାଗର ପିଲାମାନେ, ଏଇ ମାତ୍ର ସେମାନଙ୍କର ପ୍ରଥମ କୁଟୀର ନିର୍ମାଣ ଶେଷ କରିଛନ୍ତି, ଯାହା ପାଇଁ କି ସେମାନେ ଅଯୌକ୍ତିକ ଭାବରେ ଗର୍ବ ଅନୁଭବ କରନ୍ତି । ଆପାତତଃ ସେମାନେ ଭାବିବାକୁ ଲାଗିଲେଣି ଯେ ଶିକ୍ଷା ଜୀବନର ସାହସିକ କାର୍ଯ୍ୟର ଏକ ସ୍ଥାୟୀ ଅଂଶ, ଏହା ସେମାନଙ୍କର ସହଜାତ ଅଜ୍ଞାନତା ବ୍ୟାଧିରୁ ସେମାନଙ୍କୁ ଆରୋଗ୍ୟ କରିବାକୁ ଯନ୍ତ୍ରଣାଦାୟକ ହାସପିଟାଲ ଚିକିତ୍ସା ପରି ନୁହେ । ଏହା ସ୍ୱାସ୍ଥ୍ୟର ଧର୍ମ, ସେମାନଙ୍କ ମାନସିକ ଜୀବନୀଶକ୍ତିର ସ୍ୱାଭାବିକ ପ୍ରକାଶ । ଏହିରୂପେ ଆମ ସଂଗଠନର ଏକ କ୍ଷୁଦ୍ର କୋଣରେ ଜୀବନର ପ୍ରଥମ ପଲ୍ଲଵ ଉଙ୍କି ମାରିବା ଲକ୍ଷ୍ୟ କରିବାର ସୌଭାଗ୍ୟ ମୁଁ ଏହି ମାତ୍ର ଲାଭ କରିଛି । ମୋର ଧାରଣା ହେଉଛି କୌଣସି ଏକ ପାଣ୍ଡିତ୍ୟବୋଧକ ନାମର ସ୍ୱତନ୍ତ୍ର ଟିକଟ୍ ନ ଲଗାଇ ଏହି ଲତାଟିକୁ ବଢ଼ିବାକୁ ଦେବା; ଯେଉଁ ନିର୍ଜୀଵ ଦଣ୍ଡ ପ୍ରାକୃତିକ ଫୁଲ ବା ଫଳ ଧରେ ନାହିଁ, କିନ୍ତୁ ପରୀକ୍ଷା କୃତକାର୍ଯ୍ୟତାର ଚର୍ମ କାଗଜ ନିର୍ମିତ ପତାକା ଉଡ଼ାଉଥାଏ, ତାକୁ ପୁରାପୁରି ଲୁଚେଇ ଦେବା ପର୍ଯ୍ୟନ୍ତ ଏହାକୁ ବଢ଼ିବାକୁ ଦେବା ।
ବନ୍ଦ କରିବା ପୂର୍ବରୁ ଆମ ଶିକ୍ଷା କାର୍ଯ୍ୟକ୍ରମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏକ ବିଷୟରେ ଅଧିକ କିଛି କହିବି ।
ପିଲାମାନଙ୍କର ସକ୍ରିୟ ଅବଚେତନ ମନ ରହିଛି, ଯାହାର କି ବୃକ୍ଷ ପରି ପାରିପାର୍ଶ୍ୱିକ ବାୟୁମଣ୍ଡଳରୁ ଖାଦ୍ୟ ଗ୍ରହଣ କରିବାର ଶକ୍ତି ଅଛି । ବାୟୁମଣ୍ଡଳ ସେମାନଙ୍କ ପକ୍ଷରେ ନିୟମ ଓ ପଦ୍ଧତି, ଉପକରଣ, ପାଠ୍ୟପୁସ୍ତକ ଓ ପାଠ ଅପେକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ପୃଥିବୀ ତାର ମାଟି ଓ ପାଣିରୁ ତାର ଉପାଦାନ ପାଇଛି, କିନ୍ତୁ ଆଳଙ୍କାରିକ ଭାଷାରେ କହିଲେ ସେ ତାର ବାୟୁମଣ୍ଡଳରୁ ତାର ଉଦ୍ଦୀପନା ପାଏ । ତାହା ତା'ଠାରୁ ପ୍ରତିକ୍ରିୟା ପ୍ରକାଶ କରାଏ ରଙ୍ଗ ଓ ସୁଗନ୍ଧିରେ, ସଙ୍ଗୀତ ଓ ଗତିରେ । ମନୁଷ୍ୟ ସମାଜରେ ମଧ୍ୟ ତାର ଚତୁଃପାର୍ଶ୍ୱରେ ରହିଛି ସଂସ୍କୃତିର ପରିବ୍ୟାପ୍ତ ବାୟୁମଣ୍ଡଳ-। ତାର ଜାତିଗତ ଉତ୍ତରାଧିକାର ପ୍ରତି, ପରମ୍ପରାଗତ ପ୍ରଭାବଗୁଡ଼ିକର ସ୍ରୋତ ପ୍ରତି ତାର ମନକୁ ଏହା ସମ୍ବେଦନଶୀଳ କରି ରଖେ । ଯୁଗ ଯୁଗର ଘନୀଭୂତ ପ୍ରଜ୍ଞା ଅଜ୍ଞାତସାରରେ ଗ୍ରହଣ କରିବା ପାଇଁ ଏହା ତାକୁ ସମର୍ଥ କରାଏ ।, କିନ୍ତୁ ଆମର ଶିକ୍ଷାନୁଷ୍ଠାନମାନଙ୍କରେ ଆମେ ଖଣିର ଶ୍ରମିକ ପରି କାମ କରୁ ଓ କେବଳ ବସ୍ତୁ ପାଇଁ ଖନନ କରୁ; କିନ୍ତୁ ପ୍ରକୃତି ସହିତ ପୂର୍ଣ୍ଣ ସହଯୋଗ ରଖିଥିବା ମାଟିର କୃଷକ ପରି ଆମେ କାର୍ଯ୍ୟ କରୁ ନା ।
ମୁଁ ମୋର ସ୍କୁଲରେ ଗୋଟାଏ ବାୟୁମଣ୍ଡଳ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲି ତାହା ମୋର ପ୍ରଧାନ କାର୍ଯ୍ୟ । ଆମର ମନକୁ ତାର ସ୍ୱାଧୀନତା ଦେବା, କଲା ଜଗତ ପାଇଁ ଆମର ସହାନୁଭୁତିକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନମାନଙ୍କରେ ଆମର ବୁଦ୍ଧିବୃତ୍ତିକୁ ପୁଷ୍ଟ କରିବାକୁ ହେବ । ଶେଷୋକ୍ତ ଉଦ୍ଦେଶ୍ୟଟି ବିଦେଶର ଭୂଗୋଳ ଶିକ୍ଷା କରିବାଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ।
ଆଜିକାଲି ପିଲାମାନଙ୍କ ମନକୁ ପ୍ରାୟ ଇଚ୍ଛାମୂଳକ ଭାବରେ ଭିନ୍ନ ଭାଷା ଓ ଆଚାରବ୍ୟବହାର ବିଶିଷ୍ଟ ଅନ୍ୟାନ୍ୟ ଲୋକଙ୍କୁ ବୁଝିବାକୁ ଅସମର୍ଥ କରି ଦିଆଯାଉଛି । ଫଳ ହେଉଛି ଯେ ପରେ ସେମାନେ ଅଜ୍ଞତାବଶତଃ ପରସ୍ପରକୁ ଆଘାତ କରୁଛନ୍ତି ଏବଂ ଏ ଯୁଗର ହୀନତମ ଅନ୍ଧଦଶା ଭୋଗୁଛନ୍ତି । ନିଜେ ଖ୍ରୀଷ୍ଟିଆନ ମିସନାରୀମାନେ ମଧ୍ୟ ବିଦେଶୀ ଜାତି ଓ ସଭ୍ୟତା ପ୍ରତି ଘୃଣାଭାବ ବୃଦ୍ଧି କରିବା ଦିଗରେ ସହାୟକ ହେଉଛନ୍ତି । ସମସ୍ତ ମାନବଜାତି ପାଇଁ ଭ୍ରାତୃତ୍ୱଭାବ ପ୍ରଚାର କରୁଥିବା ସମୟରେ ସାଂପ୍ରଦାୟିକ ଅହଙ୍କାରଦ୍ୱାରା ପରିଚାଳିତ ହୋଇ ସେମାନେ ଭାବପ୍ରବଣ କିଶୋର ମନକୁ କଳୁଷିତ କରିବା ପାଇଁ ସ୍କୁଲମାନଙ୍କରେ ପାଠ୍ୟପୁସ୍ତକ ସବୁ ପ୍ରଚଳନ କରୁଛନ୍ତି, ଆମର ପିଲାମାନଙ୍କୁ ଏ ଧରଣର ବିପଥଗାମିତାରୁ ରକ୍ଷା କରିବା ସକାଶେ ମୁଁ ଯତ୍ନ କରିଛି ଏବଂ ଏ କ୍ଷେତ୍ରରେ ମୋର ପାଶ୍ଚାତ୍ୟ ବନ୍ଧୁମାନଙ୍କର ସହୃଦୟ ସହଯୋଗିତା ନିକଟରେ ମୁଁ ଗଭୀର ଭାବେ ଋଣୀ ।
"ଦେବାଳୟକୁ ଅବହେଳା କରି ଶିଶୁଗଣ ଧୂଳିଖେଳକୁ ହିଁ ସୁଖ ପାଆନ୍ତି ଏବଂ ସେଇ ଶିଶୁ ଖେଳରେ ଈଶ୍ୱର ପୁରୋହିତକୁ ମଧ୍ୟ ଭୁଲି ଯାଆନ୍ତି ।"
ମଧୁମକ୍ଷିକା ପ୍ରଥମେ ଯେତେବେଳେ ମଧୁକୋଷ ନିର୍ମାଣ କଲା, ସେତେବେଳେ ତା'ର ପ୍ରଧାନ ଲକ୍ଷ୍ୟ ଥିଲା, ଖାଦ୍ୟ କିନ୍ତୁ ଯେତେବେଳେ ବିଭିନ୍ନ ଫୁଲର ମଧୁ ସଂଗ୍ରହ କରିବାକୁ ମହୁମାଛିସବୁ ଏକତ୍ରିତ ହେଲେ ଏବଂ ଅସମୟ ପାଇଁ ତାହା ସଞ୍ଚୟ କଲେ, ସେତେବେଳେ ସେମାନେ ମଧୁକୋଷ ମଧ୍ୟରେ ତାଙ୍କର ସଂପ୍ରଦାୟ ସୃଷ୍ଟି କଲେ । ତାହା କେବଳ ସେମାନଙ୍କର କେତେଗୁଡ଼ିଏ ସଂଖ୍ୟାରେ ଗାଣିତିକ ବିଭାଗ ମାତ୍ର ନ ଥିଲା, ପରନ୍ତୁ ପାରସ୍ପରିକ ସେବାରେ ନୈତିକ ଦିଗ ମଧ୍ୟ, ତା'ମଧ୍ୟରେ ପରିସ୍ଫୁଟ ହେଲା । ଏହିପରି ଭାବରେ ଯାହା ବହୁର ଆନନ୍ଦ ଉପଭୋଗ ସକାଶେ ଆରମ୍ଭ ହୋଇଥାଏ, ତାହାର ପରିସମାପ୍ତି ବାହୁର ତ୍ୟାଗ ମଧ୍ୟରେ ପର୍ଯ୍ୟବସିତ ହୁଏ । ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟ ବ୍ୟକ୍ତିଗତ କାର୍ଯ୍ୟରେ ମଧ୍ୟ ପରିଣତ ହୋଇଥାଏ-। ବ୍ୟକ୍ତିଗତ ଜୀବନ ସଂପ୍ରଦାୟର ଜୀବନ ମଧ୍ୟରେ ବିକାଶର ବିସ୍ତୃତ ପରିବେଶ ଲାଭ କରେ । ଏହିପରି ଭାବରେ ଜଣେ ବର୍ତ୍ତମାନକୁ ଅତିକ୍ରମ କରି ଆଗମୀକୁ ଅନୁଭବ କରିବାକୁ ସମର୍ଥ ହୋଇଥାଏ । ଏପରି କି ଜଣକର ଉଦ୍ୟମ ଜୀବଦଶାରେ ଫଳପ୍ରସୂ ନ ହେଲେ ମଧ୍ୟ ଏଥିରେ ନଷ୍ଟ ହୋଇ ନ ଥାଏ । ସଂପ୍ରଦାୟ ମିଳନର ଏକ ସାଧାରଣ ଭୂମିରେ ପରିଣତ ହୁଏ ଏବଂ ସେଠାରେ ବ୍ୟକ୍ତିର ସମ୍ପର୍କ ଅନ୍ୟମାନଙ୍କ ସହିତ ଓ ବର୍ତ୍ତମାନର ସମ୍ପର୍କ ଭବିଷ୍ୟତ ସହିତ ସ୍ଥାପିତ ହୋଇଥାଏ । ଖାଦ୍ୟ ପ୍ରଚ୍ୟୁର ହେବା ଫଳରେ ତା'ର ବସ୍ତୁ ବିଭବକୁ ଅତିକ୍ରମ କରି ଏକ ଆଧ୍ୟାତ୍ମିକ ମୂଲ୍ୟ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବ୍ରହ୍ମର ଅସୀମତାକୁ ପ୍ରକଟିତ କରେ ।
ଆଦିମ ଯୁଗର ମନୁଷ୍ୟ ଏକାକୀ ବିଚରଣ କରୁଥିଲା ଏବଂ ପ୍ରତ୍ୟେକ ମନୁଷ୍ୟ ଜୀବନଯାତ୍ରା କରିବା ଉଦ୍ଦେଶ୍ୟରେ ସଂଗ୍ରାମ କରୁଥିଲା । ସେମାନଙ୍କର ସ୍ୱଭାଵ ଥିଲା ଭୀଷଣ, ଅଭ୍ୟାସ ଥିଲା ଲୁଣ୍ଠନଧର୍ମୀ ଓ ଆଚରଣ ଥିଲା ଅସାମାଜିକ । ନଦୀ କୂଳରେ ଖାଦ୍ୟ ଯେତେବେଳେ ପ୍ରଚୁର ପରିମାଣରେ ଉତ୍ପନ୍ନ ହେଲା, ସେତେବେଳେ ସମାଜ ଗଠିତ ହେବା ସଙ୍ଗେ ସଙ୍ଗେ ସଭ୍ୟତା ଜନ୍ମଲାଭ କଲା । ନଦୀର ଉର୍ବର ମୃତ୍ତିକା କର୍ଷଣ କରି ମନୁଷ୍ୟ ବର୍ଷ ବର୍ଷ ଧରି ପ୍ରଚୁର ଶସ୍ୟ ଉତ୍ପାଦନ କଲା । ସେ ଅନୁଭବ କଲା ଯେ ପାରସ୍ପରିକ ସାହାଯ୍ୟ ଦ୍ୱାରା ମନୁଷ୍ୟ ଯେପରି ଲାଭବାନ ହୁଏ, ପରସ୍ପରକୁ ବଞ୍ଚିତ କରିବାର ଉଦ୍ୟମ ଦ୍ୱାରା ସେହି ଲାଭ ମିଳି ନ ଥାଏ ।
ଖାଦ୍ୟ ସମସ୍ୟାର ସମାଧାନ ପରେ ମନୁଷ୍ୟ ପ୍ରକୃତିର ଅନ୍ତର୍ନିହିତ ସାମାଜିକ ପ୍ରବୃତ୍ତି ଅନୁପ୍ରାଣିତ ହେଲା । ବସୁଧାମାତାର ନିୟନ୍ତ୍ରଣରେ ମନୁଷ୍ୟ ଯେତେବେଳେ ଏକତ୍ରିତ ହୋଇ ଭୋଜ୍ୟ ସାମଗ୍ରୀ ଗ୍ରହଣ କରିବାକୁ ଉପବେଶନ କଲା, ସେତେବେଳେ ସେମାନଙ୍କର ବିଚ୍ଛିନ୍ନ ଜୀବନ ସାଧାରଣ ଖାଦ୍ୟ ଗ୍ରହଣ ମଧ୍ୟରେ ଭ୍ରାତୃତ୍ୱର ବିକାଶ ପାଇଁ ଗୋଟିଏ ମୂଳଭିତ୍ତି ସ୍ଥାପନ କଲା-। ସମ୍ମେଳନ ଦ୍ୱାରା କେବଳ ଯେ ଉପକାରିତା ଅଛି ତା' ନୁହେଁ, ତୃପ୍ତି ଓ ଆନନ୍ଦ ମଧ୍ୟ ରହିଛି । ଏହି ଅନୁଭୂତି ମନୁଷ୍ୟ କ୍ରମେ କ୍ରମେ ଲାଭ କଲା । ଏହାପାଇଁ ବ୍ୟକ୍ତି ବିଶେଷ ଯନ୍ତ୍ରଣା ଓ ମୃତ୍ୟୁବରଣ କରିବାକୁ ପ୍ରସ୍ତୁତ ହେଲା । ବସୁମତୀ ଆମକୁ ଏପରି ଭାବରେ ଖାଦ୍ୟ ଦାନ କରିଥାଏ, ଯାହା ଫଳରେ ଆମର ଚକ୍ଷୁ ଉଲ୍ଲସିତ ହେବା ସଙ୍ଗେ ସଙ୍ଗେ ମନ ମଧ୍ୟ ନିରତିଶୟ ଆନନ୍ଦ ଅନୁଭବ କରେ-।
ଆକାଶବ୍ୟାପୀ ସ୍ୱର୍ଣ୍ଣାଭ ସୌରକିରଣ ଦିଗନ୍ତପ୍ରସାରୀ ସ୍ୱର୍ଣ୍ଣଶସ୍ୟ ମଧ୍ୟରେ ପ୍ରତିଫଳିତ ହୋଇଥାଏ । ଏହି ମନୋଜ୍ଞ ଦୃଶ୍ୟର ଚମତ୍କାରିତାରେ ମନୁଷ୍ୟ କେବଳ ତା'ର ଖାଦ୍ୟ ଚିନ୍ତା ଯେ କରେ, ତାହା ନୁହେ, ଉତ୍ସଵ ଆନନ୍ଦର ପରିକଳ୍ପନା ମଧ୍ୟ ସେ କରିଥାଏ, ଧରିତ୍ରୀର ଗନ୍ତାଘରରେ ଆମର କ୍ଷୁଧା ବ୍ୟବସ୍ଥା ସହିତ ଆନନ୍ଦାମୃତର ବ୍ୟବସ୍ଥା ମଧ୍ୟ ରହିଛି । ଐଶ୍ଚର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀ ଏକାଧାରରେ ସୁନ୍ଦରୀ ଓ କଲ୍ୟାଣୀ । କେବଳ ପୁଷ୍ଟିକର ଖାଦ୍ୟ ବୋଲି ଯେ ଫଳ ପ୍ରତି ଆମେ ଲାଳସୀ ହୋଇଥାଉଁ, ତାହା ନୁହେ ଆମେ ତା'ର ରୂପ ମାଧୂର୍ଯ୍ୟ ଓ ସୌରଭ ଦ୍ୱାରା ମଧ୍ୟ ଆକୃଷ୍ଟ ହେଉ । ତେଣୁ ଯେଉଁ ଖାଦ୍ୟ ଏକାକୀ ଆମେ ଗ୍ରହଣ କରୁ, ତାହା ପୁଷ୍ଟିକର ହୋଇ ପାରେ, କିନ୍ତୁ ଯେଉଁ ଖାଦ୍ୟ ଆମେ ବନ୍ଧୁ ମେଳରେ ଖାଉଁ ସେଥିରେ ପୁଷ୍ଟିକାରକ ଶକ୍ତି ସହିତ ସ୍ନେହାର୍ଦ୍ର ସମତାବୋଧ ମଧ୍ୟ ରହିଅଛି । ହାର୍ଦ୍ଦିକ ମିଳନର ଏହି ଭୋଜୀରେ ବାସନକୁସନଗୁଡ଼ିକ ସଫାସୁତରା ହେବା ସଙ୍ଗେ ପରିବେଷଣ ଶୃଙ୍ଖଳିତ ଓ ଖାଦ୍ୟସାମଗ୍ରୀ ରୁଚିକର ହୋଇଥାଏ ।
ଯେଉଁ ଆତିଥେୟତା ଉପରେ ସମାଜ ପ୍ରତିଷ୍ଠିତ, ମନୁଷ୍ୟର ସେହି ଆତିଥ୍ୟ ଭାବକୁ ଅଭାବ ନଷ୍ଟ କରି ଦେଇଥାଏ । ସେଥିପାଇଁ ପୃଥିବୀର ଖାଦ୍ୟଭଣ୍ଡାର ଭିତ୍ତି ଉପରେ ହିଁ ଗ୍ରାମଗୁଡ଼ିକ ବିକାଶଲାଭ କରିଥିଲା । ମନୁଷ୍ୟ ନିଜର ପୁନର୍ମିଳନ ମାଧ୍ୟମରେ ତା'ପ୍ରାଣର ଅମରସତ୍ତାକୁ ଅଭିବ୍ୟକ୍ତ କରିବାକୁ ସମର୍ଥ ହେଲା । ତା'ର ନୈତିକତା, ସାହିତ୍ୟ, ସଙ୍ଗୀତ, କଳା ଓ ବିଭିନ୍ନ ପର୍ବପର୍ବାଣି ମାଧ୍ୟମରେ ମନୁଷ୍ୟର ଅମର ରୂପ ପ୍ରକଟିତ ହେଲା । ଏହି ଗୁଡ଼ିକର ଜରିଆରେ ସେ ନିଜର ପ୍ରାଣର ଗଭୀରତା ପ୍ରତି ସଚେତନ ହେବାକୁ ଆରମ୍ଭ କଲା । ଏବଂ ତା'ର ନିଜର ପରିପୂର୍ଣ୍ଣତାର ଆଦର୍ଶ ତା'ନିକଟରେ ମୂର୍ତ୍ତିମନ୍ତ ହୋଇଉଠିଲା । ଗ୍ରାମଗୁଡ଼ିକର ବୃଦ୍ଧି ସଙ୍ଗେ ସଙ୍ଗେ ସହରଗୁଡ଼ିକ ମଧ୍ୟ ବିକାଶଲାଭ କଲା । ସହରରେ ସରକାରଙ୍କର ସବୁ ଶକ୍ତି କେନ୍ଦ୍ରୀଭୂତ ହେଲା । ସେଠାରେ ସେନାବାହିନୀ ପାଇଁ ଦୁର୍ଗ, ବ୍ୟବସାୟୀମାନଙ୍କ ପାଇଁ ବାଣିଜ୍ୟାଳୟ, ଜ୍ଞାନ ସାଧନା ପାଇଁ ଶିକ୍ଷକ, ଛାତ୍ରଙ୍କ ସକାଶେ କଲେଜ ଏବଂ ବହିର୍ଜଗତ ସହିତ ବାଣିଜ୍ୟ ଯୋଗାଯୋଗ ପାଇଁ କେନ୍ଦ୍ରସ୍ଥଳୀମାନ ପ୍ରତିଷ୍ଠିତ ହେଲା ।
ସେଠାରେ କଠିଣ ଶିଳା ମଧ୍ୟରେ ମନୁଷ୍ୟର ଆତ୍ମା ଆବଦ୍ଧ ଜୀବନଯାତ୍ରା କଠୋର ଓ ଶକ୍ତି, ଶକ୍ତି ମଧ୍ୟରେ ପ୍ରତିଯୋଗିତା ବିଦ୍ୟମାନ । ସେଠାରେ ବ୍ୟକ୍ତି ଅନ୍ୟମାନଙ୍କର ବ୍ୟୟରେ ବଞ୍ଚିବାକୁ ଯତ୍ନଶୀଳ, ଏହିସବୁ ଯଦି ଚରମ ସୀମାରେ ନ ପହଞ୍ଚେ, ତେବେ ତାର ମୂଲ୍ୟ ରହିଛି । ଯଦି ଅଧିକ ପରିମାଣରେ ବ୍ୟକ୍ତି ସ୍ୱାତନ୍ତ୍ର୍ୟକୁ ଦମନ କରାଯାଏ, ତାହାହେଲେ ମନୁଷ୍ୟ ପୂର୍ଣ୍ଣାବୟବ ହୋଇ ପାରେ ନା । ବଣର ଗୋଟିଏ ଛୋଟ ପୁଆଗଛ ଯତ୍ନ ଯଦି ପ୍ରଚୁର ଗୁଳ୍ମାଦି ଦ୍ୱାରା ଶ୍ୱାସରୁଦ୍ଧ ହୋଇଯାଏ, ତେବେ ତା'ର ବୃଦ୍ଧି ବାଧାପ୍ରାପ୍ତ ହୁଏ । ଅନ୍ୟପକ୍ଷରେ ବ୍ୟକ୍ତିର ଉଚ୍ଚାଭିଳାଷର ଆଗ୍ନେୟସ୍ପର୍ଶ ଜନତାର ସାଧନାସ୍ଥରକୁ ଉନ୍ନୀତ କରିଥାଏ । କୃତୀରମାନ ମଧ୍ୟ ଉନ୍ନୀତ ହୁଏ । ପ୍ରତିଯୋଗିତା ଫଳରେ ଶକ୍ତିର ଅଭିବୃଦ୍ଧି ଘଟେ । ଜ୍ଞାନ ଓ କର୍ମକ୍ଷେତ୍ରରେ ଚୀରନୂତନ ସୃଷ୍ଟି ପରିଲକ୍ଷିତ ହୁଏ । ବିଭିନ୍ନ ଦେଶ ଓ ଜାତିର ସଂସ୍କୃତିର ସମାଗମ ଫଳରେ ଜ୍ଞାନର ପରିସର ମଧ୍ୟ ବିସ୍ତୃତି ଲାଭ କରିଥାଏ । ତେଣୁ ସହରରେ ସମାଜର ଚାପ କୋହଳ ହେବା ଫଳରେ ଗଣ ମାନସର ସାଧାରଣ ଅନୁନ୍ନତ ମାନସିକାତାଠାରୁ ଉପରକୁ ଉଠିବା ପାଇଁ ବ୍ୟକ୍ତି-ମାନସ ସୁଯୋଗ ଲାଭ କରେ । ଗାଉଁଲି କଥାଟି ପ୍ରତ୍ୟକ ସ୍ଥାନରେ ମାନସିକ ସଂକୀର୍ଣ୍ଣତାର ଏକ ପ୍ରତିଶବ୍ଦ ।
ସ୍ୱାଭାବିକ ଅବସ୍ଥାରେ ଅର୍ଥାତ୍ ସମାଜ କୌଣସି ଗୋଟିଏ ଦିଗକୁ ଅଧିକ ପରିମାଣରେ ଢଳି ନ ଥିବାବେଳେ ପଲ୍ଲୀ ଓ ସହର ମଧ୍ୟରେ ପାରସ୍ପରିକ ମିଳନ ସଂଘଟିତ ହୋଇଥାଏ । ଗୋଟିକରୁ ଆସେ ଖାଦ୍ୟ, ସହାନୁଭୂତି ଏବଂ ଅପରଟିରୁ ପ୍ରତିଦାନ ଆକାରରେ ଆସେ ଐଶ୍ୱର୍ଯ୍ୟ, ଜ୍ଞାନ ଓ ଶକ୍ତି । ଯେଉଁ ସଭ୍ୟତା ମୁଖ୍ୟତଃ ଗ୍ରାମ୍ୟଜୀବନ ଉପରେ ପ୍ରତିଷ୍ଠିତ, ତାହା ଖୁବ୍ ବେଶୀ ଅଗ୍ରଗତି କରି ପାରେ ନା । ସେଠାରେ ବ୍ୟକ୍ତି ଜୀବନର ପ୍ରାଧାନ୍ୟ ନାହିଁ-ସମାଜ ହେଉଛି ସେଠାରେ ସର୍ବେସର୍ବା । ସେଠାରେ ଆମେ ପକ୍ଷୀରାଜ ଅଶ୍ୱାରୋହଣ ପୂର୍ବକ ଦେବା ସେନାପତି କାର୍ତ୍ତିକେୟଙ୍କ ପ୍ରଥମେ ଦେଖୁନା-ଆମେ ଦେଖୁଁ ଲମ୍ବୋଦର, ଗଜାନନ, ଗଣପତି ଗଣେଶଙ୍କୁ ।
ଅନ୍ୟପକ୍ଷରେ ସହର ପ୍ରାଧାନ୍ୟ ଅର୍ଜନ କଲେ ବ୍ୟକ୍ତି ସର୍ବଶକ୍ତିମାନ ହୁଏ, ଏବଂ ସମାଜ ହୁଏ ଅବହେଳିତ । ସେଠାରେ ସଭ୍ୟତା ନିଜ ଅଗ୍ନୀରେ ନିଜକୁ ଦଗ୍ଧ କରେ । ଏହାର ଅଗ୍ନିଶିଖା ଯେତେ ଅଧିକ ପରିମାଣରେ ଉଜ୍ଜ୍ୱଳ ହୁଏ, ତାହାର ଇନ୍ଧନ ସାମଗ୍ରୀ ଠିକ୍ ସେତିକି ପରିମାଣରେ ଅଧିକତର ଭାବେ କାଳିମାଯୁକ୍ତ ହୁଏ, ଏବଂ ବିଶେଷତଃ ଏହା ଭସ୍ମରେ ପରିଣତ ହୋଇଥାଏ । ବହୁ ସଭ୍ୟତା ଏପରି ଭାବରେ ନିଜକୁ ଶିକାର କରିବା ଦ୍ୱାରା ଧ୍ୱଂସପ୍ରାପ୍ତ ହୋଇଛନ୍ତି । ଆଧୁନିକ ଇଉରୋପୀୟ ସଭ୍ୟତା ଯେ ଏହି ଧରଣର ଆତ୍ମକ୍ଷୟକାରୀ ସଭ୍ୟତା ନୁହେ, ତାହା ଏତେ ଆଗରୁ କହିହେବ ନାହିଁ ।
ସହର ହେଉଛି ବିଭିନ୍ନ କର୍ମର କେନ୍ଦ୍ରବିନ୍ଦୁ । ଆମ ଶରୀରର ପ୍ରାଣଶକ୍ତି ବିଭିନ୍ନ କେନ୍ଦ୍ରରେ ସଂଚିତ । ଇତର ପ୍ରାଣୀ ବିଶେଷଙ୍କ ଠାରେ ଏହି କେନ୍ଦ୍ରଗୁଡ଼ିକ ଶୃଙ୍ଖଳିତ ନୁହେ । ବିବର୍ତ୍ତନ ମଧ୍ୟଦେଇ ମସ୍ତିସ୍କ, ଫୁସ୍ଫୁସ୍, ହୃଦୟ ଓ ପାକସ୍ଥଳୀର କର୍ମ ପ୍ରାଧାନ୍ୟ ଅର୍ଜ୍ଜନ କରିଥାଏ । ଏହାକୁ ସହର ସହିତ ତୁଳନା କରାଯାଇ ପାରେ । ନାଗରିକ ସମାଜର ବିଶେଷ ଅଭାବଗୁଡ଼ିକର ପରିପୂରଣ ହେବା ପାଇଁ ସହରଗୁଡ଼ିକ ହେଉଛନ୍ତି ଶୃଙ୍ଖଳିତ କେନ୍ଦ୍ର । ପ୍ରାଚୀନ କାଳରେ ଏହି ଅଭାବଗୁଡ଼ିକର ପରିପୂର୍ଣ୍ଣତା ଦିଗରେ ମନ୍ତ୍ରର ଭୂମିକା ଥିଲା ଗୌଣ । ସୃଷ୍ଟି କରିବାର ଆନନ୍ଦ ହିଁ ଥିଲା ସେତେବେଳେ ଉତ୍ପାଦନର ପ୍ରଧାନ ଉଦ୍ଦେଶ୍ୟ । କେବଳ ଫଳ ଲାଭର କ୍ଷୁଧାକୁ ସେତେବେଳେ କେହି ବଡ଼ ମନେ କରୁ ନଥିଲେ । ଆଧୁନିକ ଯୁଗରେ ଯନ୍ତ୍ର ଯେ କେବଳ କାର୍ଯ୍ୟଦକ୍ଷତା ବହୁଗୁଣିତ କରିଛି, ତାହା ନୁହେ ଲାଭ ଓ ଲାଭର ପରିମାଣ ପ୍ରତି ମଧ୍ୟ କ୍ଷୁଧାର ମାତ୍ର ବୃଦ୍ଧି କରିଛି । ସେଥିପାଇଁ ବ୍ୟକ୍ତି ଓ ସମାଜର ସ୍ୱାର୍ଥ ମଧ୍ୟରେ ବୈଷମ୍ୟ ଦେଖାଦେଇଛି, ଏବଂ ତାହା ଫଳରେ ସଂଘର୍ଷ ମଧ୍ୟ ସୃଷ୍ଟି ହୋଇଛି । ଲାଭ ସକାଶେ ଆଜି ପଲ୍ଲୀ ଓ ସହରର ସଂପର୍କ ଛିନ୍ନ । ସହର ପଲ୍ଲିନିକଟରେ ନର୍ଦ୍ଧମା ରୂପେ ବିବେଚିତ । କାରଣ ପଲ୍ଲୀକୁ କିଛି ଦାନ କରିବାର ଶକ୍ତି ଆଜି ସହର ହରାଇଛି । ସହରର କୃନ୍ତ୍ରିମ ଆଲୋକ ଆଜି ଉଦ୍ଭାସିତ, କିନ୍ତୁ ସେହି ଆଲୋକର ତାରକା, ସୂର୍ଯ୍ୟ ଓ ଚନ୍ଦ୍ର ସହିତ କୌଣସି ସଂପର୍କ ନାହିଁ, କିନ୍ତୁ ଅନ୍ୟପକ୍ଷରେ ପଲ୍ଲୀର ବିନୀତ ପ୍ରଦୀପଗୁଡ଼ିକ ଆଜି ନିର୍ବାପିତ । ପଲ୍ଲୀଜୀବନର ଶାନ୍ତିମୟ ବିଶ୍ରାମ କ୍ରୋଡ଼ ପରିହାର କରି ସାହରାଭିମୁଖୀ ହେବା ପାଇଁ କାରଖାନାର ସିଙ୍ଗା ଆଜି ପଲ୍ଲୀବାସୀକୁ ପ୍ରଲୁବ୍ଧ କରୁଛି । ମନୁଷ୍ୟ ଆଜି ଦ୍ରୁତ ବେଗରେ ତା’ର ଆଦିମ ଆରଣ୍ୟକ ପ୍ରବୃତ୍ତି ଆଡ଼କୁ ଗତି କରୁଛି । ସେହି ଆଦିମ ଯୁଗର ବ୍ୟକ୍ତି-ସ୍ୱାତନ୍ତ୍ର୍ୟ ପୁଣି ଠାରେ ନବରୂପରେ ବିରାଟ କଳେବର ଧାରଣ କରି ଜୀବନରେ ଦେଖାଦେଇଛି ।
ପାରସ୍ପରିକ କଲ୍ୟାଣ ପାଇଁ ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ସଂଚୟ କରିବାକୁ ମନୁଷ୍ୟ ପ୍ରଥମେ ଗ୍ରାମଗୁଡ଼ିକରେ ଦଳବଦ୍ଧ ହୋଇଥିଲା । ବର୍ତ୍ତମାନ ମଧ୍ୟ ସେମାନେ ବହୁ ଅଧିକ ସଂଖ୍ୟାରେ ଏକାଠି ଦଳବଦ୍ଧ ହୋଇ ରହୁଛନ୍ତି, କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜେ ହେଉଛି ତାର ସଞ୍ଚୟ ଓ ଆନନ୍ଦ ଉପଭୋଗର ଏକମାତ୍ର କେନ୍ଦ୍ର । ତେଣୁ ସାମାଜିକ ଅନୁଶାସନ ସ୍ଥାନରେ ଅଧିକତର କଠୋର ପୋଲିସଶାସନ ଆଜି ଦେଖାଦେଇଛି ଏବଂ ସହାନୁଭୂତିର ସାମାଜିକ ଏକ ସୁତ୍ରତା ପରିବର୍ତ୍ତେ ଦେଖାଦେଇଛି ଜଟିଳ ଆଇନ ପ୍ରଣାଳୀର କଠୋର ପ୍ରଭାବ । ଯେଉଁଠି ଆତ୍ମତୃପ୍ତି ହେଉଛି ଜୀବନର ଏକମାତ୍ର ଧର୍ମ, ସେଠାରେ ନିଜର ହେଉ ବା ଅନ୍ୟର ହେଉ, ଆମେ ହେଉଛୁ କ୍ରୀତଦାସ ଏବଂ ଯେ କୌଣସି ସ୍ଥଳରେ ଆମେ କେବଳ କ୍ରୀତଦାସ ମାତ୍ର । ଯେଉଁ କର୍ମ ମଧ୍ୟରେ ସ୍ୱେଚ୍ଛାକୃତ ତ୍ୟାଗର ଅବକାଶ ନ ଅଥାଏ, ତାହାକୁ ବନ୍ଧନ ବୋଲି ଆଖ୍ୟା ଦିଆଯାଇ ପାରେ । ଆବଶ୍ୟକତାର ଅନୁରୋଧରେ ଯଦି ଚିର-ବର୍ଦ୍ଧିଷ୍ଣୁ ବହୁସଂଖ୍ୟକ ବ୍ୟକ୍ତି ଏକ ସୂତ୍ରରେ ଆବଦ୍ଧ ହୁଅନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱର ଆଭ୍ୟନ୍ତରୀଣ ସଂପର୍କ ନ ରହେ, ତା ହେଲେ ପ୍ରତିଯୋଗିତା ଓ ପରଶ୍ରୀକାତରତା ସେମାନଙ୍କ ମଧ୍ୟରେ ଉତ୍ତରୋତ୍ତର ବୃଦ୍ଧି ଲାଭ କରିଥାଏ ।
ବିକଳାଙ୍ଗ ସାମଜିକ ଜୀବନକୁ ଶ୍ରୀସମ୍ପନ୍ନ କରିବା ପାଇଁ ଏବଂ ପଲ୍ଲୀ ଓ ସହର ମଧ୍ୟରେ ସୁବିଧାବାଦୀ ଶ୍ରେଣୀ ଓ ଜନସାଧାରଣ ମଧ୍ୟରେ କ୍ଷମତା, ଦର୍ପ ଓ ମୈତ୍ରୀଭାବ ମଧ୍ୟରେ ନିହିତ ଭେଦଭାବ ଦୂର କରି ସେମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା କର୍ତ୍ତବ୍ୟ ଆଜି ଆମ ସମ୍ମୁଖରେ ବିଦ୍ୟମାନ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁମାନେ ବିପ୍ଳବ ଉପରେ ବିଶ୍ୱାସ କରନ୍ତି, ସେମାନେ ଏହି ପନ୍ଥାକୁ ସୁଗମ କରିବାପାଇଁ ସତ୍ୟକୁ ଖଣ୍ଡିତ କରିବାକୁ ଚାହାନ୍ତି । ସେମାନେ ଯେତେବେଳେ ସୁଖର ସନ୍ଧାନୀ, ତ୍ୟାଗମାର୍ଗକୁ ସେମାନେ ପୂର୍ଣ୍ଣଭାବେ ବିସର୍ଜନ ଦିଅନ୍ତି ଓ ତ୍ୟାଗ ଆଡ଼କୁ ସେମାନେ ଯତେବେଳେ ଉନ୍ମୁଖ, ସେତେବେଳେ ଦେଶରୁ ସେମାନେ ଆନନ୍ଦକୁ ନିର୍ବାସିତ କରିବା ସଙ୍ଗେ ସଙ୍ଗେ ମନୁଷ୍ୟର ମନକୁ ସଂକୁଚିତ କରି ଦମନ କରିଥାନ୍ତି । ଆମ ବିଶ୍ୱଭାରତୀର ବାର୍ତ୍ତା ହେଊଛି ଯେ ମନୁଷ୍ୟ ସତ୍ୟକୁ ଯଦି ପୂର୍ଣ୍ଣ ମାତ୍ରାରେ ଉପଲବ୍ଧି ନ କରେ ତା’ହେଲେ ତାର ସ୍ୱଭାବ ନିଗୃହୀତ ହୋଇଥାଏ, ଏଥିରୁ ବଞ୍ଚିତ ହେବା ଫଳରେ ଜୀବନରେ ନୈରାଶ୍ୟ ଓ ଯନ୍ତ୍ରଣା ଦେଖାଦିଏ ।
କଳକାରଖାନା, ମନୁଷ୍ୟର ବହୁ ମନ୍ଦକର୍ମର ଅସ୍ତ୍ରବିଶେଷ ହେଲେ ମଧ୍ୟ, ତାହାକୁ ଆମେ ବିସର୍ଜନ ଦେଇ ନ ପାରୁ । ଯନ୍ତ୍ର ଆମ ପ୍ରାଣ-ଶକ୍ତିର ଗୋଟିଏ ଗୋଟିଏ ଅଙ୍ଗ, ଆମର ହାତ ଯଦି ଦସ୍ୟୁବୃତ୍ତି ଆଚରଣ କରେ । ତାକୁ କାଟି ଫିଙ୍ଗି ଦେଲେ, ତା’ର ପ୍ରତିକାର ହୋଇ ନପାରେ । ସେଥିପାଇଁ ପାପ କ୍ଷାଳନ ଆବଶ୍ୟକ, ଉନ୍ନତି ପାଇଁ ନିଜକୁ ପଙ୍ଗୁ କରିବାକୁ ଉପଦେଶ ଦେବା ଭୀରୁତାର ଉପଦେଶ ମାତ୍ର । ମନୁଷ୍ୟର ପ୍ରତ୍ୟେକ ଶକ୍ତିର ଉନ୍ନତି ଓ ବିସ୍ତୃତ ଆବଶ୍ୟକ ।
ଅତି ଆଦିମ ଯୁଗର ମନୁଷ୍ୟ ଅସ୍ତ୍ର ନିର୍ମାଣ କରିବାକୁ ଚେଷ୍ଟା କରିଛି । ଯେଉଁ ମୁହୂର୍ତ୍ତରେ ସେ ପ୍ରକୃତିରାଜ୍ୟରେ ଏକ ନୂତନ ଗୋପନୀୟ ତଥ୍ୟ ଆବିଷ୍କାର କରିଛି, ସେହି ମୁହୂର୍ତ୍ତରେ ହିଁ ସେ ତାକୁ କୌଣସି ଯନ୍ତ୍ର ସାହାଯ୍ୟରେ କରାୟତ୍ତ ଓ ନିଜସ୍ୱ କରିବାକୁ ଚେଷ୍ଟା କରିଛି । ମନୁଷ୍ୟର ସଭ୍ୟତା ଏହି ପ୍ରକାରେ ହିଁ ଅଗ୍ରଗତି କରିଆସିଛି । ମନୁଷ୍ୟ ଯେଉଁଦିନ ଭୂମି କର୍ଷଣ କରି ତାର ଉର୍ବରତାକୁ ବିନିଯୋଗ କରିବାକୁ ସମର୍ଥ ହେଲା, ସେଦିନ ତା’ର ପ୍ରଗତି ପଥରେ ଏକ ପ୍ରଧାନ ପ୍ରତିବନ୍ଧକ ଦୂରୀଭୂତ ହୋଇଥିଲା । ଏହା ଯେ କେବଳ ତା’ର ଖାଦ୍ୟସଂସ୍ଥାର ଗୋଟିଏ ଉଚ୍ଚ ତା’ନିକଟରେ ପ୍ରକାଶ କରିଥିଲା ତା’ ନୁହେ, ଏହା ମଧ୍ୟ ତା’ ମନର ଏକ ଅଜ୍ଞାନ କକ୍ଷକୁ ଉଦ୍ଭାସିତ କରିଥିଲା । ପ୍ରଥମେ ସେ ଯେତେବେଳେ ଚରଖା ଓ ତନ୍ତ ଆବିଷ୍କାର କଳା, ସେଗୁଡ଼ିକ ସେତେବେଳେ ଯେ କେବଳ ତା’ର ନଗ୍ନତାକୁ ଆବୃତ କରିବାକୁ ସମର୍ଥ ହେଲା ତାହା ନୁହେ ସେଗୁଡ଼ିକ ତା’ଜୀବନରେ କ୍ରମଶଃ ବହୁ ସ୍ଥାନ ଅଧିକାର କରିଥିବା ‘ସୌନ୍ଦର୍ଯ୍ୟ-ଚେତନା’ ମଧ୍ୟ ସୃଷ୍ଟି କରିଥିଲା ଆଜି ମନୁଷ୍ୟର ଶରୀର ଯେପରି ଆଚ୍ଛାଦିତ, ମନ ମଧ୍ୟ ସେହିପରି ଆବୃତ । ମନୁଷ୍ୟ ରାଜ୍ୟ ଏହି ଉଭୟ ପରିଚ୍ଛଦ ଉପରେ ନିର୍ଭରଶୀଳ ।
ଯଦି କୌଣସି ସନ୍ନ୍ୟାସୀ ଯୁକ୍ତି କରେ ଯେ ବହିର୍ବିଶ୍ୱ ସହିତ ମଣିଷର ଏହି ବ୍ୟାପକ ବାଣିଜ୍ୟ ସଂକୁଚିତ ହେବା ଆବଶ୍ୟକ, ତାହାହେଲେ ସେ ଉଲ୍ଲିଖିତ ହସ୍ତାପରାଧଘଟଣା ଭଳି ଯୁକ୍ତି ଆରମ୍ଭ କରିବାକୁ ବାଧ୍ୟ ହେବ । ଏହିପରି ଜଣେ ସନ୍ନ୍ୟାସୀ ସେହି ଚରମ ସୀମା ପର୍ଯ୍ୟନ୍ତ ଯାଇ ପାରେ । ସେ ଯେ ମୁକ୍ତି ଅର୍ଜ୍ଜନ କରିଛି । ଏହା ଜଣାଇ ଦେବାକୁ ପୃଥିବୀକୁ ଅସ୍ୱୀକାର କରିବା ଭଙ୍ଗୀରେ ଯୋଗାଭ୍ୟାସ ପୂର୍ବକ ନିଜର ହସ୍ତକୁ ସର୍ବଦା ଉତ୍ତୋଳିତ କରି ରଖିବା ଦ୍ୱାରା ତା’ର କାର୍ଯ୍ୟକାରୀଶକ୍ତି ଲୋପ ହୋଇଥାଏ । ମଣିଷର ହାତକୁ ସଂଯତ କରିବାକୁ ଯଦି ଆଦେଶ ଦିଆଯାଏ ଯେ, ‘‘ଏହି ପର୍ଯ୍ୟନ୍ତ ତୁମେ ଯାଅ, ତା’ ଠାରୁ ଅଧିକ ତୁମେ ଯାଇ ନ ପାର’’ ତାହାହେଲେ ଏହି ଆଦେଶ ହାତଟେକ ସଂପ୍ରଦାୟର ନୀତି ସହିତ ସମାନ ହେବ । ବିଶ୍ୱସ୍ରଷ୍ଟା ମନୁଷ୍ୟକୁ କାର୍ଯ୍ୟ କରିବାକୁ ଯେତେଦୂର ପର୍ଯ୍ୟନ୍ତ ଆହ୍ୱାନ କରୁଛନ୍ତି ମନୁଷ୍ୟ ସେତେଦୂର ପର୍ଯ୍ୟନ୍ତ ଗତି କରି ପାରେ ନା,-ଏହାକହି ମନୁଷ୍ୟର ଈଶ୍ୱରଦତ୍ତ ଶକ୍ତିକୁ ପଙ୍ଗୁ କରିବାକୁ ଏପରି ଏକ ନିଷେଧାଜ୍ଞା ଦେବାକୁ କାହାର ଅଧିକାର ଅଛି ? ଆମ୍ଭର କଲ୍ୟାଣ ପାଇଁ କ୍ଷମତା ପ୍ରୟୋଗକୁ ଆମେ ନିୟନ୍ତ୍ରିତ କରି ପାରୁ, କିନ୍ତୁ ତା’ର ବିସ୍ତୃତିର ପାଠ ଅବରୋଧ କରିବା ଅନୁଚିତ ।
ପ୍ରାଚୀନ କାଳରେ ମଣିଷ ତା’ର ତନ୍ତ ଓ ଲଙ୍ଗଳ, ତୀର ଓ ଧନୁ ଏବଂ ଚକ ଗାଡ଼ି ଜୀବନର ପ୍ରଗତି ପାଇଁ ବ୍ୟବହାର କରୁଥିଲା । ଠିକ୍ ସେହିଭଳି ଆଜି ମଧ୍ୟ ମାନବଜାତିର ଅଭାବ ପୁରାଣ ପାଇଁ ଆଧୁନିକ ଯନ୍ତ୍ରପାତିର ପ୍ରଚଳନ ହେବା ଆବଶ୍ୟକ । ଏହା ଅବଶ୍ୟ ସତ୍ୟ ଯେ, ଯନ୍ତ୍ର ସକାଶେ ଆଜି ସହସ୍ର ଲୋକ ଜଣେ ଧନୀ ପାଖରେ ଖଟୁଛନ୍ତି ଏହା ଦ୍ୱାରା ପ୍ରମାଣ ହେଉଛି ଯେ, ଯନ୍ତ୍ର ବଳରେ ଜଣେ ମନୁଷ୍ୟ ସହସ୍ର ଲୋକର ଶକ୍ତି ସଞ୍ଚୟ କରି ପାରିଛି । ଯନ୍ତ୍ର ଦ୍ୱାରା ମଣିଷ ଆଜି ଯେଉଁ ଶକ୍ତିର ଅଧିକାରୀ, ତାହାକୁ ଅଳ୍ପ କେତେଜଣ ବ୍ୟକ୍ତି ଏକଚାଟିଆ କରିବା ଅନୁଚିତ । ବହୁର ମଙ୍ଗଳ ପାଇଁ ତାହାର ବିନିଯୋଗ ହେବା ଆବଶ୍ୟକ । ମନୁଷ୍ୟକୁ ବିଛିନ୍ନ କରି ରଖିବା ପାଇଁ ଶକ୍ତି କେନ୍ଦୀଭୂତ ହେବା ଅବାଞ୍ଛନୀୟ ଏବଂ ଏହା ଦାୟିତ୍ୱହୀନ ହେବା ମଧ୍ୟ ଅନୁଚିତ । ପ୍ରକୃତିର ଦାନ ସହିତ ମନୁଷ୍ୟର ବୁଦ୍ଧିବୃତ୍ତିର ସଂଯୋଜନା ଫଳରେ ସଭ୍ୟତା ବିକାଶଲାଭ କରିଛି । ଏହି ଉଭୟ ଅଂଶୀଦାର ଭାବରେ ସର୍ବଦା କାମ କରିବା ଆବଶ୍ୟକ । ବୁଦ୍ଧିର ଅର୍ଜ୍ଜନ ଯେତେବେଳେ ଗୋଟାଏ ଭଣ୍ଡାରଘର ଭିତରେ ସଞ୍ଚିତ ହୋଇ ରହେ, ସେତେବେଳେ ସଞ୍ଚୟ କ୍ରମଶଃ କ୍ଷୟପ୍ରାପ୍ତ ହୋଇଥାଏ । ଗୋଟିଏ ଅତୀତ ଯୁଗର ସଞ୍ଚିତ ଧନରେ ଆମେ ଦୀର୍ଘକାଳ ବଞ୍ଚି ରହି ନ ପାରୁ ।
ମନୁଷ୍ୟର ଏହି ନୂତନ ଶକ୍ତି ମଧ୍ୟ ଆମ ଗ୍ରାମଗୁଡ଼ିକ ଭିତରେ ପହଞ୍ଚିବା ଉଚିତ । ତାହା ନ ହୋଇଥିବା ଯୋଗୁଁ ଯେଉଁଆଡ଼କୁ ଅନାଇଲେ ବି କେବଳ ଦୈନ୍ୟ ଓ ପରାଜୟର ଚିତ୍ର ଆମେ ଦେଖୁଛୁଁ । ସବୁଠି ଆମର ଦେଶବାସୀ ଚିତ୍କାର କରୁଛନ୍ତି, ‘‘ଆମେ ହାରିଗଲୁ !’’ ଆମର ଜୀର୍ଣ୍ଣଶୂନ୍ୟ ଗର୍ଭରୁ, ଫଳହୀନ କ୍ଷେତ ମଧ୍ୟରୁ ଓ ବିରାମହୀନ ମରଣର ଚିତାନଳ ମଧ୍ୟରୁ ସେହି ଗୋଟାଏ ଚିତ୍କାର ଶୁଣାଯାଉଛି–‘‘ଆମେ ହାରି ଗଲୁ !’’ ଯେଉଁ ବିଜ୍ଞାନ ଏହି ଯୁଗକୁ ଶକ୍ତିଶାଳୀ କରିଛି, ଆମେ ଯଦି ତା’ର ଅଧିକାରୀ ହୋଇ ପାରିବା, ତାହାହେଲେ ଆମେ ଜୟଲାଭ କରିବା, ତଥାପି ଆମେ ବଞ୍ଚି ରହିପାରିବା ।
ଆର୍ଥିକ ଅସମତା ଯେଉଁ ବଡ଼-ସାନ ଭାବି ସୃଷ୍ଟି କରିପାରେ, ତାହା ଯଦି ଗୋଟିଏ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରହେ, ତାହାହେଲେ ତାହା ସ୍ୱାସ୍ଥ୍ୟକର । ଗୋଟିଏ ଦେଶ ଯଦି ଉତ୍ତୁଙ୍ଗ ପର୍ବତ ଦ୍ୱାରା ବହୁଧା ବିଭକ୍ତ ହୁଏ, ଏବଂ ତା'ର ସ୍ୱାଭାବିକ ଗମନାଗମନ ପାଠ ବାଧାପ୍ରାପ୍ତ ହୁଏ, ସେଠାରେ ଏକ ଉନ୍ନତ ସଭ୍ୟତା ଜନ୍ମଲାଭ କରିବା ଅସମ୍ଭବ । ବିଶାଳ ସମ୍ପତ୍ତି ଓ ବିଳାସମୟ ଜୀବନଯାତ୍ରା ଠିକ୍ ପର୍ବତମାଳା ପରି ଭେଦର ଉନ୍ନତ ପ୍ରାଚୀର ଦେଶରେ ସୃଷ୍ଟିକରିଥା'ନ୍ତି । ପ୍ରାକୃତିକ ପ୍ରତିବନ୍ଧକ ଅପେକ୍ଷା ଏହି ବିଭାଗୀକରଣ ଅତି ଦୁର୍ଭାଗ୍ୟର କାରଣ ହୋଇଥାଏ । କେତେକ ଲୋକ ବିଶ୍ୱାସ କରନ୍ତି ଯେ ସମ୍ପତ୍ତିଚିନ୍ତା ସମ୍ପୂର୍ଣ୍ଣ ପରିହାର କରିବା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇ ପାରେ । କିନ୍ତୁ ଆମର ସ୍ମରଣ ରଖିବା ଉଚିତ ଯେ ମନୁଷ୍ୟ ଯେଉଁ ପ୍ରେରଣାର ବଶବର୍ତ୍ତୀ ହୋଇ ବ୍ୟକ୍ତିଗତ ସମ୍ପତ୍ତି ଅର୍ଜନ କରେ, ମନୁଷ୍ୟର ପ୍ରକୃତି ସହିତ ତାହାର ମୌଳିକ ସମ୍ପର୍କ ରହିଛି । କ୍ଷମତା ପ୍ରୟୋଗ ଦ୍ୱାରା ବ୍ୟକ୍ତିଗତ ସମ୍ପତ୍ତିର ଉଚ୍ଛେଦ ସାଧନ ଆମେ କରିପାରୁ । କିନ୍ତୁ ମନୁଷ୍ୟ ପ୍ରକୃତିର ପରିବର୍ତ୍ତନ ଅସମ୍ଭବ ।
ବ୍ୟକ୍ତିତ୍ୱର ଅଭିବ୍ୟକ୍ତି ପାଇଁ ସମ୍ପତ୍ତି ହେଉଛି ଗୋଟାଏ ମାଧ୍ୟମ । ଆମେ ଯଦି ବ୍ୟକ୍ତିତ୍ୱର ନିଷିଦ୍ଧ ବିଭବ ପ୍ରତି ଦୃଷ୍ଟି ଦେଉଁ ତାହାହେଲେ ମଣିଷକୁ ମଣିଷଠୁଁ ବିଚ୍ଛିନ୍ନ କରୁଥିବା ବହୁ ସଙ୍କୀର୍ଣ୍ଣତାର ସନ୍ଧାନ ପାଇଥାଉଁ । ପୁଣି ଯେତେବେଳେ ଏହି ପାର୍ଥକ୍ୟ ଜ୍ଞାନ କେତେକ ବ୍ୟକ୍ତିଙ୍କଠାରେ ଗଭୀର ମାତ୍ରାରେ ପରିଲକ୍ଷିତ ହୋଇଥାଏ, ଆମେ ତାକୁ ସ୍ୱାର୍ଥପର ବୋଲି କହିଥାଉଁ, କିନ୍ତୁ ନିରପେକ୍ଷ ଓ ବାସ୍ତବ ବିଭାଗ ଦୃଷ୍ଟିରୁ ବିଚାର କଲେ ଏହା ହିଁ ହେଉଛି ଏକମାତ୍ର ମାଧ୍ୟମ, ଯଦ୍ୱାରା ମନୁଷ୍ୟ ପରସ୍ପର ମଧ୍ୟରେ ଭାବି ବିନିମୟ କରିବାକୁ ସମର୍ଥ । ସ୍ୱାର୍ଥପର ହେବାର ଆଶଙ୍କାରେ ଆମେ ଯଦି ବ୍ୟକ୍ତିତ୍ୱକୁ ହତ୍ୟା କରୁ ତାହାହେଲେ ମନୁଷ୍ୟର ଭାବି ପ୍ରକାଶ ମଧ୍ୟ ଅର୍ଥହୀନ ହୋଇପଡ଼ିବ । ସେ ଯାହାହେଉ, ଆମେ ଏହାକୁ ବିକଶିତ ହେବାର ସୁଯୋଗ ଦେଲେ, ସ୍ୱଭାବତଃ ସୃଜନଶୀଳ ହୋଇ ଏହା ନିଜସ୍ୱ ଜଗତ ନିର୍ମାଣ କରିବ । ବହୁ ସମୟରେ ଓ ବହୁ ଲୋକଙ୍କ ପାଇଁ ସମ୍ପତ୍ତି ହେଉଛି, ଏକମାତ୍ର ଛାଞ୍ଚ, ଯଦ୍ୱାରା କି ମନୁଷ୍ୟ ତା'ର ବ୍ୟକ୍ତିଗତ ସଂସାର ସୃଷ୍ଟି କରିଥାଏ । ଏହା କେବଳ ଠିକ୍ ତାଙ୍କ ବା ଆସବାବପତ୍ର ନୁହେ, କିମ୍ବା ଏହା ଆମର କେବଳ ଅର୍ଜ୍ଜନସ୍ପୃହା ପ୍ରକାଶ କରି ନ ଥାଏ । ଅନ୍ୟ ପକ୍ଷରେ ଏହା ଆମର ରୁଚି, କଳ୍ପନା, କାର୍ଯ୍ୟଦକ୍ଷତା ଓ ଆତ୍ମତ୍ୟାଗର ସ୍ପୃହା ମଧ୍ୟ ପ୍ରକାଶ କରିଥାଏ ।
ଆମ ବ୍ୟକ୍ତିତ୍ୱର ଏହି ପ୍ରତୀକ ମାଧ୍ୟମରେ ଆମେ ଗ୍ରହଣ କରୁଁ, ଦାନ କରୁ ଏବଂ ନିଜକୁ ମଧ୍ୟ ପ୍ରକାଶ କଋଥାଉଁ । ତେଣୁ ସାମାଜିକ ଶିକ୍ଷାର ଶ୍ରେଷ୍ଠ ଲକ୍ଷ ହେଉଛି ଆମର ଅନ୍ତନିର୍ହିତ ମହତ୍ତମ ବିଭବ । ସେଥିପାଇଁ ଆମର ବ୍ୟକ୍ତିତ୍ୱକୁ ସମୃଦ୍ଧରୂପେ ପ୍ରକାଶ କରିବାକୁ ସମ୍ପତ୍ତିକୁ ସହାୟକ କରି ତୋଳିବା ଏବଂ ପ୍ରେମ ହିଁ ହେଉଛି ସେହି ବ୍ୟକ୍ତିତ୍ୱର ଉଜ୍ଜ୍ୱଳତମ ଜ୍ୟୋତି । ବ୍ୟକ୍ତିବିଶେଷଙ୍କ ଏକ ସତ୍ତାର ସମନ୍ୱୟ ଦ୍ୱାରା ସମାଜ ଯେପରି ସଂଗଠିତ ହୋଇଥାଏ, ସେହିପରି ସମ୍ପତ୍ତି ମଧ୍ୟ ଯେତେବେଳେ କର୍ମକ୍ଷେତ୍ରରେ ସଚଳ ଥାଏ, ତାହା ଏକକ ଐଶ୍ୱର୍ଯ୍ୟରେ ପରିଣତ ହୁଏ, ଏବଂ ତଦ୍ଦ୍ୱାରା ସାମାଜିକ ଉନ୍ନତି ସାଧିତ ହୋଇଥାଏ । ବିଭିନ୍ନ ସତ୍ତାର ଏକକ ତାକୁ ଧ୍ୱଂସ ନ କରି, ଦୃଢ଼ ଭାବରେ ସେଗୁଡ଼ିକ ମଧ୍ୟରେ ଐକ୍ୟ ସ୍ଥାପନ କରିବା ହିଁ ପ୍ରଜ୍ଞାର ପରିଚାୟକ ।
ଜୀବନ ଯେତେବେଳେ ସରଳ, ସେତେବେଳେ ଐଶ୍ୱର୍ଯ୍ୟର ପ୍ରାଧାନ୍ୟ ନ ଥାଏ । ବ୍ୟକ୍ତିଗତ ସମ୍ପତ୍ତି ସେତେବେଳେ ଜନତା ପ୍ରତି ତା'ର ଦାୟିତ୍ୱ ସମ୍ପର୍କରେ ସଚେତନ, କିନ୍ତୁ ଜୀବନଯାତ୍ରାର ମାଁ ଉନ୍ନତ ହେବା ସଙ୍ଗେ, ସମ୍ପତ୍ତି ମଧ୍ୟ ତା’ର ଆଭିମୁଖ୍ୟ ପରିବର୍ତ୍ତନ କରିଥାଏ । ସମାଜ ମଧ୍ୟରେ ଭାବ ବିନିମୟର ପ୍ରଧାନ ମାଧ୍ୟମ ହେଉଛି ଆତିଥ୍ୟ, କିନ୍ତୁ ସେହି ଆତିଥ୍ୟର ଦ୍ୱାରା ଏହା ଫଳରେ ଅବରୁଦ୍ଧ ହୋଇଥାଏ ଏବଂ ଅନାବଶ୍ୟକ ବ୍ୟୟ ମଧ୍ୟରେ ଏହା ନିଜର ସ୍ୱରୂପ ପ୍ରକାଶ କରିବା ସଙ୍ଗେ କଠୋର ଶ୍ରେଣୀ ବିଭାଗ ମଧ୍ୟ ସୃଷ୍ଟି କରିଥାଏ । ସଂକ୍ଷେପରେ ଏହା ହୁଏ ସମାଜବିରୋଧୀ । ବୈଷୟିକ ପ୍ରଗତି ସମ୍ପତ୍ତି ଆଜି ଅତି ପ୍ରବଳ ଭାବରେ ବ୍ୟକ୍ତିଧର୍ମୀ ହୋଇପଡ଼ିଛି-। ଏହା ଲାଭ କରିବାର ପ୍ରଣାଳୀ ଆଜି ବୈଜ୍ଞାନିକ ବିଷୟବସ୍ତୁ ରୂପର ଗୃହୀତ ଏବଂ ତାହା ଆଉ ସାମାଜିକ ନୀତି ହୋଇ ରହି ନାହିଁ । ଏହା ସମାଜର ବନ୍ଧନ ଭାଙ୍ଗିଦେଇଛି ଓ ସମାଜର ଜୀବନରସକୁ ନିଃଶେଷ କରିଦେଇଛି । ଏହାର ନ୍ୟାୟାନ୍ୟାୟ ବିଚାରହୀନତା ଆଜି ଧ୍ୱଂସର ଆତଙ୍କ ସୃଷ୍ଟି କରିଛି । ଜାଳେଣିକାଠ ସହିତ ନିଜେ ସମ୍ପୂର୍ଣ୍ଣ ରୂପେ ନିଃଶେଷ ହୋଇଯିବା ପର୍ଯ୍ୟନ୍ତ ବନାଗ୍ନି ଯେଉଁ କାଠରୁ ଉତ୍ପନ୍ନ ହୋଇଥାଏ, ସେହି କାଠକୁ ହିଁ ଭକ୍ଷଣ କରି ନିଜର ଉଦାର ପୁରଣ କରିଥାଏ-। ଠିକ୍ ସେହିପରି ଲୋଭ ଭଳି ଗୋଟେ କୌଣସି ଭୋଗ ପ୍ରବୃତ୍ତି ଯେତେବେଳେ ସାମାଜିକ ବନ୍ଧନର ପ୍ରାଚୀର ଅତିକ୍ରମ କରେ । ସେତେବେଳେ ତାହା ଏହି ବନାଗ୍ନି ସଦୃଶ୍ୟ ସାମାଜିକ ଜୀବନକୁ ଧ୍ୱଂସ କରି ଧ୍ୱଂସପ୍ରାପ୍ତ ହୋଇଥାଏ । ତେଣୁ ଆଧ୍ୟାତ୍ମିକ ଶିକ୍ଷାର ଚିରନ୍ତନ ଲକ୍ଷ୍ୟ ହେଉଛି, ସମାଜ ବିରୋଧୀ ଭୋଗ ପ୍ରବୃତ୍ତିଗୁଡ଼ିକ ବିରୁଦ୍ଧରେ ସଂଗ୍ରାମ କରିବା ଓ ତାକୁ ଶୃଙ୍ଖଳିତ କରିବା । ଆମର ଶସ୍ୟକ୍ଷେତ୍ରରେ କେତେକ କୀଟପତଙ୍ଗ ଦେଖାଯା'ନ୍ତି, ସେଗୁଡ଼ିକର ଲୁଣ୍ଠନ ସତ୍ତ୍ୱେ ଭୂମିର କୃଷକ ପାଇଁ ଯଥେଷ୍ଟ ବ୍ଲକ ଶସ୍ୟ ଏବଂ ସେଗୁଡ଼ିକୁ ବାହାର କରିଦେବା ପାଇଁ ବହୁଗୁଣିତ କରିବାର ପ୍ରବଳ ଶକ୍ତି ଥିବା ଗୋଟିଏ ମଡ଼କ ଦେଖାଦିଏ, ସେତେବେଳେ ତାକୁ ଗୋଟିଏ ଭୀଷଣ ବିପଦ ବୋଲି ଭାବି ତା’ର ପ୍ରତିକାର କରିବା ଉଚିତ । ମଣିଷ ସମାଜରେ ମଧ୍ୟ, ସାଧାରଣ ପରିସ୍ଥିତିରେ ଅପଚୟର ବହୁ କାରଣ ଦେଖାଦେଇଥାଏ । ତଥାପି ସେଠି ପ୍ରତି ଆମେ ଅବହେଳା ପ୍ରକାଶ କଋଥାଉଁ । ସେ ଯାହାହେଉ, ଆମର ସାମାଜିକ ଜୀବନ ଓ ତା’ର ସମ୍ବଳ ଉପରେ ଯେଉଁ ଧ୍ୱଂସର ଛାୟା ଆଜି ପ୍ରତିଫଳିତ, ତାହା ଅତି ଭୟଙ୍କର । କାରଣ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ଏହା ସୀମିତ ନୁହେ, ଏବଂ ଏହି ସର୍ବକ୍ଷୟକାରୀ ମହାମାରୀ, ସଭ୍ୟତାର ସମସ୍ତ ରୂପକୁ ଆଜି ସଂକ୍ରମିତ କରିଛି । ଆମର ସାମର୍ଥ୍ୟ ଥିବାପର୍ଯ୍ୟନ୍ତ ଆନନ୍ଦ ଉପଭୋଗ ପାଇଁ ଅପବ୍ୟୟ କରିବାର ଅଧିକାର ଯେ ରହିଛି, ଏହା ଆମେ ଦାବୀ କଋଥାଉଁ । ଆମର ପଡ଼ୋଶୀ ଭଳି ଆମର ବ୍ୟକ୍ତିଗତ ସନ୍ତୋଷ ପାଇଁ ଖର୍ଚ୍ଚ କରିବାକୁ ଆମେ ଯଦି ସମର୍ଥ ହୋଇ ନ ଥାଉଁ, ତାହାହେଲେ ଆମେ ଲଜ୍ଜିତ ହେଉଁ । ସମ୍ମାନ ବୋଧର ଅତ୍ୟାଚାର ହିଁ ଆମକୁ ଧ୍ୱଂସ ଆଡ଼କୁ ନେଇ ନେଇଯାଏ । ଆଜି ସୁଖ ସୁବିଧାର ଧାରଣା ଉପରେ ସବୁଠି ଜୋର ଦିଆଯାଉଛି । ଏଥିରେ ଶକ୍ତିର ପରିଚୟ ହେଉଥିବାରୁ ଆଶାନୁରୂପ ଫଳ ଲାଭ ହେଉ ନାହିଁ । ଉତ୍ପାଦନର ଅଭିବୃଦ୍ଧି ସହିତ ଯେଉଁ ଓ ଜୀବନ-ଶକ୍ତିର ପ୍ରଚୁର ଅପବ୍ୟୟ ହେଉଛି । ସଭ୍ୟତା ଆଜି ଏକ ବିରାଟ ସରବରାହ ସଂସ୍ଥାରେ ପରିଣତ । ଉଦର ସର୍ବସ୍ୱ ଲୋକମାନଙ୍କ ପାଇଁ ଏହା ସର୍ବଦା ଭୋଜି ଓ ଉତ୍ସବର ଆୟୋଜନ କରୁଛି । ଅଳ୍ପ ଲୋକଙ୍କର ଅମିତଚାର ହୁଏ ତ ସହନୀୟ ହୋଇ ପାରନ୍ତା, କିନ୍ତୁ ତାହା ଆଜି ସର୍ବବ୍ୟାପୀ ଲାଳସା ତା ଆଜି ଦେଖା ଦେଇଛି, ତାହାହିଁ ରାଜନୀତି ଓ ବାଣିଜ୍ୟ କ୍ଷେତ୍ରରେ ସଂକୀର୍ଣ୍ଣତା, ନିର୍ମମତା ଓ ମିଥ୍ୟାର କାରଣ ହୋଇଛି, ଏବଂ ତଦ୍ୱାରା ସମଗ୍ର ମାନବିକ ବାତାବରଣ ଆଜି କଳୁଷିତ । ଯେଉଁ ସଭ୍ୟତାର କୃତିମ କ୍ଷୁଧା ରହିଛି । ସେ ନିଶ୍ଚୟ ତା’ର ପରିତୃପ୍ତି ପାଇଁ ଅସଂଖ୍ୟ ବଳ ଆବଶ୍ୟକ କରିବ ଏବଂ ଯେଉଁଠି ନରମାଂସ ଅତି ଶସ୍ତା, ପୃଥିବୀର ସେହିଭଳି ସ୍ଥାନରେ ତାହା ଖୋଜା ଯାଉଛି । ଉକ୍ତଟ ରୁଚିକୁ ସମ୍ମାନର ତୁଚ୍ଛ ସାମଗ୍ରୀର ଏକ ବିରାମ ହୀନ-ପ୍ରବାହ ଯୋଗାଇଦେବା ପାଇଁ ଆଜି ଏସିଆ ଓ ଆଫ୍ରିକାର ସମସ୍ତ ଲୋକଙ୍କର ସୁଖ ଶାନ୍ତି ବଳି ଦିଆଯାଉଛି ।
ଯେଉଁ ସମାଜରେ ଲୋଭ ଅସଂଯତ ଭାବରେ ବଢ଼ିଚାଲିଛି, ଉତ୍ସାହିତ ହେଉଛି, ଏପରିକି ଲୋକଙ୍କ ଦ୍ୱାରା ପ୍ରଶଂସିତ ହେଉଛି, ପାଶ୍ଚାତ୍ୟ ଜଗତର ଯାହାକୁ ଗଣତନ୍ତ୍ର ବୋଲି କହୁଛନ୍ତି; ତା’ର ସତ୍ୟ ରୂପ ପ୍ରକାଶିତ ହୋଇ ନପାରେ । ଏହିଭଳି ଏକ ବାତାବରଣରେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ପାଇଁ ସାଧାରଣ ଅନୁଷ୍ଠାନଗୁଡ଼ିକୁ ଅଧିକାର କରିବା ସକାଶେ ବ୍ୟକ୍ତିମାନଙ୍କ ମଧ୍ୟରେ ଚିରନ୍ତନ ସଂଗ୍ରାମ ଚାଲିଛି, ସେଠାରେ ଗଣତନ୍ତ୍ର ଗୋଟିଏ ହାତୀ ଭଳି, ଯାହା ଜୀବନର ଏକମାତ୍ର ଲକ୍ଷ୍ୟ ହେଉଛି, କେବଳ ଚତୁର ଓ ଧନୀ ବ୍ୟକ୍ତିକୁ ହିଁ ସେମାନଙ୍କର ଆନନ୍ଦ ସକାଶେ ଆରୋହଣର ସୁଯୋଗ ଦେବା । ଏଭଳି ପରିବେଶରେ ଯେଉଁ ଅଙ୍ଗଗୁଡ଼ିକ ସାହାଯ୍ୟରେ ଶାସନକଳ ସହିତ ଲୋକମତ ମଧ୍ୟ ସଂଗଠିତ ହୁଏ, ତାହା ଅଳ୍ପ କେତେଜଣ ଧନଶାଳୀ ବ୍ୟକ୍ତି ଦ୍ୱାରା ଖୋଲାଖୋଲି ବା ଗୋପନୀୟ ଭାବେ ପରିଚାଳିତ ହୋଇଥାଏ । ସେମାନଙ୍କୁ ପୁରୁଣା କାଳର ସେହି ଓଟ ସହିତ ତୁଳନା କରାଯାଇପାରେ, ଯେ କି ଗୋଟିଏ ଛୁଞ୍ଚିର ରନ୍ଧ୍ର ମଧ୍ୟରେ ପ୍ରବେଶ କରିବାକୁ ଅକ୍ଷମ, କିନ୍ତୁ ସେହି ଦ୍ୱାରହିଁ ଆଦର୍ଶର ରାଜ୍ୟ ଆଡ଼କୁ ସଂପ୍ରସାରିତ । ଯେଉଁମାନେ ଆଧ୍ୟାତ୍ମିକ ସ୍ୱାଧୀନତାର ମାତ୍ର ପ୍ରଚାର କରନ୍ତି, ସେମାନଙ୍କ ପ୍ରତି ଏ ଧରଣର ସମାଜ ଶିଥିଳ ଓ ନିର୍ମମ । ଏଭଳି ସମାଜରେ ତଥାକଥିତ ପ୍ରଗତିର ଅବିରାମ ଉତ୍ତେଜନା ଦ୍ୱାରା ଲୋକମାନେ ମଦମତ୍ତ ଏବଂ ଖାଦ୍ୟ ଅପେକ୍ଷା ମଦ୍ୟକୁ ଅଧିକ ପସନ୍ଦ କରୁଥିବା ବ୍ୟକ୍ତି ସଦୃଶ ସେମାନେ ସଭ୍ୟତାକୁ ବିକ୍ରୟ କରି ଏହି ପ୍ରଗତି କିଣିବାକୁ ଆଗ୍ରହୀ । ପଲ୍ଲୀ ଠିକ୍ ନାରୀ ସଦୃଶ, ତା’ରି ସଂରକ୍ଷଣରେ ସମସ୍ତ ଜାତିର ଲାଳନ ପାଳନର ଦୋଳା ନିହିତ, ତାହା ସହର ଅପେକ୍ଷା ପ୍ରକୃତିର ଅଧିକ ନିକଟବର୍ତ୍ତୀ ଏବଂ ଜୀବନନିର୍ଝର ସହିତ ନିବିଡ଼ଭାବେ ସଂପର୍କିତା, ଆରୋଗ୍ୟର ଏକ ସ୍ୱାଭାବିକ ଶକ୍ତି ତା’ର ରହିଛି । ନାରୀ ଭଳି ପଲ୍ଲୀର କାର୍ଯ୍ୟ ହେଉଛି ଜୀବନର ମୌଳିକ ଆବଶ୍ୟକତାଗୁଡ଼ିକୁ ମଣିଷକୁ ଯୋଗାଇଦେବା । ଖାଦ୍ୟ ଓ ଆନନ୍ଦ ସରଳ ଜୀବନର କବିତା ଏବଂ ପଲ୍ଲୀ ନିଜେ ଯେଉଁଥିରେ ଆନନ୍ଦ ଅନୁଭବ କରିଥାଏ, ସ୍ୱାଭାବିକ ଭାବରେ ଜନ୍ମ ଦେଇଥିବା ସେହିଭଳି ରୂପର ଉତ୍ସବ ମଣିଷକୁ ଯୋଗାଇ ଦେଇଥାଏ । କିନ୍ତୁ ଯେତେବେଳେ ତା’ ଉପରେ ଚାପା ଅବିରାମ ଭାବରେ ପଡ଼ିଥାଏ ଓ ତା’ର ସମ୍ବଳ ଅତିମାତ୍ରାରେ ଲୁଣ୍ଠିତ ହୋଇଥାଏ, ସେତେବେଳେ ସେ ନିର୍ଜୀବ ହେବା ସଙ୍ଗେ ସୃଜନକ୍ଷମତା ହରାଇ ବସେ । ବିବାହିତ ପତ୍ନୀର ଚିରନ୍ତନ ମର୍ଯ୍ୟାଦା ହରାଇ ସେ ପରିଚାରିକା ସ୍ତରକୁ ଅବନମିତ ହୁଏ । ନିଜର ମୌଳିକ ପ୍ରାଣଉତ୍ସ, ନିଜ ସ୍ୱାସ୍ଥ୍ୟ ଓ ସୁଖ ସହର ଯେପରି ଆଘାତ ଦିଏ, ଗର୍ବ ଓ ଅହଂଭାବ ଭିତରେ ଗଭୀର ଭାବେ ବୁଡ଼ି ରହିଥିବାରୁ ତାହା ଜାଣିବାକୁ ସେ ସମର୍ଥ ହୋଇ ନ ଥାଏ ।
ସଂସ୍କୃତ କାବ୍ୟ ‘ମେଘଦୂତ’ ଯେତେବେଳେ ପଢ଼ୁ, ଆମେ ମେଘଦୂତର ପାଠ ଅନୁସରଣ କରି କଳ୍ପନାରେ ପ୍ରାଚୀନ ପୃଥିବୀର ବହୁ ମନୋଜ୍ଞ ନାମଧାରୀ ସହରଗୁଡ଼ିକୁ ଅତିକ୍ରମ କଋଥାଉଁ, ଆମେ ଅନୁଭବ କରୁଁ ଯେ ପୃଥିବୀର ଅନ୍ୟ କୌଣସି ବିଷୟ ଅପେକ୍ଷା ଏହି ସହରଗୁଡ଼ିକ ମଣିଷର ପ୍ରେମ ଓ ଆଶାକୁ ହିଁ ଅଭିବ୍ୟକ୍ତି ପ୍ରଦାନ କରିଛନ୍ତି । ମଣିଷ ଆତ୍ମାର ସୌନ୍ଦର୍ଯ୍ୟ କେତେକାଂଶରେ ନାରୀ ହସ୍ତର ପବିତ୍ର ସାଜସଜ୍ଜା ଦ୍ୱାରା ପ୍ରତ୍ୟହ ପରିଶୋଭିତ ଗୃହ ଓ ଦେବାଳୟଗୁଡ଼ିକରେ ଏବଂ ଏପରି କି ପଣ୍ୟଶାଳାର ଦ୍ରବ୍ୟ ବିନିମୟର ଦୃଶ୍ୟ ମଧ୍ୟରେ ଦିନେ ସଂରକ୍ଷିତ ହୋଇଥିଲା ।
ଦିଲ୍ଲୀ ଓ ଆଗ୍ରାର ରୂପ ସେ ଯୁଗରେ କ'ଣ ଥିଲା, ତାହା ଆମେ କେବଳ କଳ୍ପନାରେ ହିଁ ଅନୁଭବ କରି ପାରୁ । ଗୋଟିଏ ବିରାଟ ସାମାଜ୍ୟର ସୃଜନଶୀଳ ଓ ମାନବିକ ବିଭାବଗୁଡ଼ିକ ସେଠାରେ ମୂର୍ତ୍ତିମନ୍ତ ହୋଇଥିଲା । ଏପରି କି ସେଗୁଡ଼ିକର ଧ୍ୱଂସ ପରେ ମଧ୍ୟ, ମନୁଷ୍ୟର ଗୌରବ ସେଠାରେ ଆଜି ସଂରକ୍ଷିତ, କିନ୍ତୁ ଆଧୁନିକ ସହରଗୁଡ଼ିକ କେବଳ ସୁଯୋଗ ଦେଇଥାନ୍ତି ସିନା, ଆଦର୍ଶ କିଛି ଦେଇ ନ ଥାନ୍ତି । ଉଚ୍ଚତର ପ୍ରାଣୀଗୁଡ଼ିକ ମଧ୍ୟରେ ମସ୍ତିଷ୍କ, ହୃଦୟ ବା ପାକସ୍ଥଳୀ ଭଳି ଯେପରି ଶୃଙ୍ଖଳିତ ପ୍ରାଣ କେନ୍ଦ୍ର ରହିଥାଏ, ଠିକ୍ ସେହିଭଳି ସଭ୍ୟତାର ମଧ୍ୟ ସହରଗୁଡ଼ିକ ପ୍ରାଣକେନ୍ଦ୍ର ଭଳି ରହିବା ଆବଶ୍ୟକ ଶରୀରର ଜୀବନ୍ତ ପୂର୍ଣ୍ଣତା ଏହା ଦ୍ୱାରା କେବେ ଅଭିଭୂତ ହୋଇ ନ ଥାଏ । ଅନ୍ୟ ଦିଗରେ ସେମାନଙ୍କର କାର୍ଯ୍ୟର ପୂର୍ଣ୍ଣ ମିଳନ ଦ୍ୱାରା ଶରୀର ବରଂ ରୁଦ୍ଧିମନ୍ତ ହୋଇଥାଏ । କିନ୍ତୁ ରକ୍ତ ଜମି ଯାଇଥାଏ ଦେହର କୌଣସି ଅଂଶରେ ଏକ ଆବୁ ଦେହର ଶତ୍ରୁରୂପେ ଦେଖାଦେଇଥାଏ । ଏବଂ ନିଜର ସ୍ଫୀତ ସଙ୍ଗେ ସଙ୍ଗେ ଦେହରୁ ରକ୍ତ ସଂଗ୍ରହ କରି ଏହା ବଞ୍ଚିବାକୁ ଚେଷ୍ଟା କରେ । ଆମର ଆଧୁନିକ ସହରଗୁଡ଼ିକ ଠିକ୍ ସେହିପରି ଗ୍ରାମ ମଧ୍ୟରେ ପ୍ରବାହିତ ହେଉଥିବା ସାମାଜିକ ପ୍ରାଣ-ଶକ୍ତିକୁ ଶୋଷଣ କରି ଜୀବନଧାରଣ କରିଥାଏ । ସେମାନେ ସମାଜର ଜୀବନୀଶକ୍ତିକୁ ଆତ୍ମସାତ କରିବା ସଙ୍ଗେ ଅନ୍ୟ ଦିଗରେ ସମୃଦ୍ଧିର କୃତିମ ଛଳନା ପ୍ରକାଶ କରିଥାନ୍ତି-।
ଏହିପରିଭାବେ ସହରଗୁଡ଼ିକ ହୃଦୟର ଜୀବନୀଶକ୍ତି ହରାଇ ବସନ୍ତି ଏବଂ ମନୁଷ୍ୟର ରକ୍ତପ୍ରବାହକୁ ନଷ୍ଟ ଓ ରୁଦ୍ଧ କରି ବିଷାକ୍ତ କେନ୍ଦ୍ରସବୁ ସୃଷ୍ଟି କରିଥାନ୍ତି । ତେଣୁ କୌଣସି ବୈଷୟିକ ଉଦ୍ଦେଶ୍ୟରେ ଯେତେବେଳେ ସହରର ସମସ୍ତ ଲୋକେ ଏମିତି ହୁଅନ୍ତି, ସେମାନେ ମିଳିତ ବି ସମବେତ ହେବା ପରିବର୍ତ୍ତେ କେବଳ ସଂଗୃହୀତ ହୋଇ ସଂକଳିତ ମାତ୍ର ହୁଅନ୍ତି । ସେଥିପାଇଁ ସେମାନଙ୍କର ନୈତିକ କ୍ଷୟ ଦେଖାଯାଏ, ପାଶ୍ଚାତ୍ୟ ଜଗତର ତଥାକଥିତ ପ୍ରଗତି ପ୍ରକୃତ ସଭ୍ୟତାର ସ୍ଥାନ ଗ୍ରହଣ କରିଥିବାରୁ ଏହି ପରିଣତି ଦେଖାଦେଇଛି । ମୁଁ ପ୍ରଗତିର ପରିପନ୍ଥି ନୁହେ; କିନ୍ତୁ ତା’ ବୋଲି ସଭ୍ୟତାର ଆତ୍ମାକୁ ଯଦି ଏହା ପାଇଁ ବିକ୍ରି କରିଦେବାକୁ ପଡ଼େ, ତାହାହେଲେ ମୁଁ ବରଂ ଆଦିମ ଅବସ୍ଥାରେ ରହିବାକୁ ପସନ୍ଦ କରିବି ।
ଯୁଗ ଯୁଗ ଧରି ଆମ ଭାରତରେ ପାରିବାରିକ ସଂସ୍ଥା ରହିଥିଲା । ବୃହତ ଓ ମିଶ୍ର ହୋଇଥିବାରୁ ପ୍ରତ୍ୟେକ ପରିବାର ନିଜ ରୂପରେ ସମାଜର ଏକ କ୍ଷୁଦ୍ର ଛବି ବହନ କରିଥିଲା । ଏହାର ଉପଯୋଗିତା ସମ୍ପର୍କରେ ମୁଁ ବର୍ତ୍ତମାନ ଆଲୋଚନା କରିବାକୁ ଚାହୁଁ ନାହିଁ, କିନ୍ତୁ ସାଂପ୍ରତିକ ଯୁଗରେ ତା’ର ଯେପରି ଦ୍ରୁତ ପତନ ଦେଖାଦେଇଛି ଓ ସେହିପରି ବର୍ତ୍ତମାନ କାର୍ଯ୍ୟ କରୁଥିବା ଧ୍ୱଂସ ନୀତିର ସ୍ୱଭାବ ଓ ପ୍ରଣାଳୀ ସ୍ପଷ୍ଟ ହେଉଛି । ଜୀବନ ଯେତେବେଳେ ସରଳ ଓ ତା’ର ଅଭାବ ଯେତେବେଳେ ସ୍ୱାଭାବିକ ଏବଂ ସ୍ୱାର୍ଥପର ପ୍ରବୃତ୍ତିଗୁଡ଼ିକ ସଂଯତ-ଏହି ଧରଣର ପ୍ରଥା ସେତେବେଳେ ସଂପୂର୍ଣ୍ଣ ସ୍ୱାଭାବିକ ଓ ସୁଖକର ଥିଲା । ପାରିବାରିକ ସମ୍ବଳ ସମସ୍ତଙ୍କ ପାଇଁ ଯଥେଷ୍ଟ ଥିଲା ଏବଂ କୌଣସି ବ୍ୟକ୍ତି ଅତିରିକ୍ତ ଦାବୀ କରୁ ନ ଥିଲେ । କିନ୍ତୁ ଯେତେବେଳେ ଆବଶ୍ୟକତା ତୁଳନାରେ କୌଣସି ସଭ୍ୟ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଅଧିକ ଲାଳସା ପ୍ରକାଶ କରେ ଏବଂ ସାଧାରଣ କଲ୍ୟାଣକୁ ବଳିଦେଇ ନିଜ କାମନାର ପରିପୂର୍ତ୍ତି ପାଇଁ ସମସ୍ତପ୍ରକାର ସୁବିଧା ସୁଯୋଗର ସନ୍ଧାନ କରେ, ସେ ପରିସ୍ଥିତିରେ ଏ ପ୍ରକାର ପାରିବାରିକ ଏକତା ନଷ୍ଟ ହୋଇଥାଏ, ସେତେବେଳେ ଭାଇ ଭାଇ ମଧ୍ୟରେ ସମ୍ପତ୍ତିବଣ୍ଟନ ହୁଏ ଏବଂ ସେମାନେ ପରସ୍ପରର ଶତ୍ରୁ ମଧ୍ୟ ହୁଅନ୍ତି । ପେଟେଙ୍କ ଜର୍ମାନୀ, ବିସମାର୍କଙ୍କ ଜର୍ମାନୀ ଅପେକ୍ଷା ଦରିଦ୍ରତର ବୋଲି ବିବେଚିତ ହୋଇଥିଲା । ପ୍ଲାଟୋଙ୍କ ଚିନ୍ତା ବା ଅଶୋକଙ୍କ ସାଧନାଦୀପ୍ତ ସଭ୍ୟତାର ବୋଧହୁଏ ଆଧୁନିକ କାଳର ଉଦ୍ଧତ ସନ୍ତାନଙ୍କ ଦ୍ୱାରା ଘୃଣିତ; କିନ୍ତୁ ଚିନ୍ତାହୀନ ଓ ମୁଦ୍ରାଯନ୍ତ୍ର ସର୍ବସ୍ୱ ଆଧୁନିକ ଯୁଗର କିଶୋରମାନଙ୍କ ଦ୍ୱାରା ସେ ଯୁଗର ମଣିଷ ତାହାହେଲେ କ’ଣ କେବଳ କୃପାପାତ୍ର ବୋଲି ବିବେଚିତ ହେବେ ? ଅନେକ ସମୟରେ କଳ୍ପନାରେ ମୋତେ ଭାବିବାକୁ ଭାରି ସୁଖଲାଗେ ଯେ ଚନ୍ଦ୍ର ପୃଥିବୀ ପ୍ରଥମେ ସେ ଜୀବନ ସୃଷ୍ଟି କରିଥାଏ । ଏକଦା ସେ ଚନ୍ଦ୍ରର ବର୍ଣ୍ଣ, ସଙ୍ଗୀତ, ଗତିର ଉତ୍ସବମଧ୍ୟ ଥିଲା ଏବଂ ତା’ର ଗନ୍ତାଘର ମଧ୍ୟ ଖାଦ୍ୟଦ୍ୱାରା ସର୍ବଦା ପୂର୍ଣ୍ଣ ଥିଲା । ତା’ପରେ ସେହି ଚନ୍ଦ୍ରଲୋକରେ ଏଭଳି ଏକ ଜାତି ଜନ୍ମଗ୍ରହଣ କଲା, ଯେ କି ଲୋଭର ବଶବର୍ତ୍ତୀ ହୋଇ ତା’ର ସମଗ୍ର ପରିପାର୍ଶ୍ୱକୁ ଗର୍ଭସାତ କରିବାକୁ ଚେଷ୍ଟିତ ହେଲା । ଏହା ଏପରି ପ୍ରାଣୀସବୁ ସୃଷ୍ଟିକଲା ଯେଉଁମାନଙ୍କର ବୃଦ୍ଧି ବୃତ୍ତି ସହିତ ପାଶବିକ ଭାବରାଜ୍ୟକୁ ମଧ୍ୟ ପ୍ରବେଶ କରିବାର ଅଧିକାର ରହିଥିଲା, କିନ୍ତୁ କେବଳ ମିଶ୍ରଣ ଯେ ପରିପୂର୍ଣ୍ଣତା ସୃଷ୍ଟିକରିବାକୁ ଅସମର୍ଥ, ଏହା ଅନୁଭବ କରିବାକୁ କଲ୍ପନାଶକ୍ତି ସେମାନଙ୍କର ନ ଥିଲା; କିମ୍ବା ସଞ୍ଚୟର ବିଶାଳତା ଯେ ସୁଖ ପ୍ରଦାନ କରେ ନାହିଁ, ଗତି ଯେ କେବଳ ତା’ର ଆବେଗ ସକାଶେ ପ୍ରଗତି ସମ୍ପାଦନ କରେ ନାହିଁ ଓ ଆଦର୍ଶର ପରିପୂର୍ଣ୍ଣତା ସହିତ ପ୍ରଗତିର ସମ୍ପର୍କ ଯେ ବିବିଦଭାବେ ନିହିତ, ଏହାର ଅନୁଭବ ଶକ୍ତି ମଧ୍ୟ ସେମାନେ ହରାଇଥିଲେ । ସେମାନଙ୍କର ଲୁଣ୍ଠନ ସ୍ପୃହା ଖୁବ୍ ଶୀଘ୍ର ପ୍ରକୃତିର ପୁର୍ନଜନ୍ମ ଶକ୍ତିକୁ ଅତିକ୍ରମ କରାଗଲା ସେମାନଙ୍କର ଲାଭ ଖୋର୍ ଦଳ ଅସ୍ୱାଭାବିକ ଅଭାବସବୁ ସୃଷ୍ଟି କରିଥିଲେ । ସେମାନେ ପ୍ରକୃତିର ସଞ୍ଚିତ ମୂଲଧନ ଆଶାରେ ଗଭୀର ଖନନ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ନିର୍ମମ ଭବରେ ତା’ର ସମ୍ବଳସବୁ ଲୁଣ୍ଠନ କରିବାକୁ ଲାଗିଲେ । ପ୍ରକୃତ ଯୋଗାଇ ଦେଇଥିବା ତା’ର ସୀମିତ ସମ୍ପତ୍ତିକୁ ଯେତେବେଳେ ସେମାନେ ନିଃଶେଷ କଲେ, ସେତେବେଳେ ସେମାନେ ଅଧିକ ଭାଗ ଲାଳସାରେ ପରସ୍ପର ମଧ୍ୟରେ ସଂଗ୍ରାମରତ ହେଲେ । ସ୍ୱାଧୀକାର ପ୍ରତିଷ୍ଠା ପାଇଁ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା ସୃଷ୍ଟି କରିବା ସମୟରେ ସେମାନେ ନୀତିଶାସ୍ତ୍ରକୁ ଉପହାସ କଲେ ଏବଂ ତାହାକୁ ଜାତିଗତ ପ୍ରଧାନ୍ୟର ନିଦର୍ଶନରୂପେ ଗ୍ରହଣ କରି ଆକାଙ୍କ୍ଷାର ପୁରାଣ ପାଇଁ ନିର୍ମମଭାବେ ପଦଦଳିତ କରିବାକୁ ଲାଗିଲେ । ସେମାନେ ଜଳଭଣ୍ଡାର ଶୁନ୍ୟ କଲେ, ବୃକ୍ଷସବୁ ଛେଦନ କଲେ ଏବଂ ସେହି ଗ୍ରହର ଉପରିଭାଗକୁ ଶସ୍ୟହୀନ ଗହ୍ୱରର ଏକ ମରୁଭୂମିରେ ଏବଂ ଅନ୍ତଃପୁରକୁ ଐଶ୍ୱର୍ଯ୍ୟହୀନ ଏକ ଶୁନ୍ୟ ବନ୍ଧୁକଖୋଳରେ ପରିଣତ କଲେ । ଅନେକ ସମୟରେ ଯେଉଁ କୀଟସବୁ ଫଳ ଦେହରେ ଆଶ୍ରୟ ନେଇଥାନ୍ତି, ସେମାନେ ସେହି ଫଳର ଶସକୁ ସମ୍ପୂର୍ଣ୍ଣଭାବେ ନିଜ ଖାଦ୍ୟରେ ପରିଣତ କରିବା ଦ୍ୱାରା ତାହା ଅନ୍ତଃସାରଶୁନ୍ୟ ହୋଇଥାଏ ଏବଂ ଠିକ୍ ସେହିଭଳି ଯେଉଁ ସର୍ବଗ୍ରାସୀ ପ୍ରାଣୀସବୁ ଚନ୍ଦ୍ର ଦେହରେ ଜ୍ଞନଲାଭ କରିଥିଲେ, ସେମାନେ ତାହାର ଭୂମିକୁ ଗ୍ରାସ କରିବା ଫଳର ଚନ୍ଦ୍ର ପରିଣାମରେ ଏକ ପ୍ରାଣହୀନ କୋଷରେ ପରିଣତ ହେଲା । ଆଜି ପୃଥିବୀରେ ମନୁଷ୍ୟମାନେ ଯେଉଁପରି ଭାବରେ ବ୍ୟବହାର କରୁଛନ୍ତି, ମୋର କଳ୍ପିତ ଚନ୍ଦ୍ରଲୋକର ଅଧିବାସୀଙ୍କ ଆଚରଣ ଠିକ୍ ସେହିପରି ଥିଲା । ବସୁଧାମାତା ତା’ର ସନ୍ତାନସନ୍ତତିଙ୍କ ସ୍ୱାଭାବିକ କ୍ଷୁଧା ପାଇଁ ଯଥେଷ୍ଟ ଖାଦ୍ୟ ନିଜ ଭଣ୍ଡାରରେ ସଞ୍ଚୟ କରି ରଖିଛି । ଏପରିକି କ୍ୱଚିତ ଅସ୍ୱାଭାବିକ ପରସ୍ଥିତି ପାଇଁ ମଧ୍ୟ କିଛି ଅଧିକ ଖାଦ୍ୟ ତା’ ନିକଟରେ ସଞ୍ଚିତ, କିମ୍ବା ସହସା ଯଦି ସମଗ୍ର ପୃଥିବୀ ଭୋଜନସର୍ବସ୍ୱ ଓ ବିଳାସପ୍ରିୟ ବିପଥଗାମୀ ସନ୍ତାନସନ୍ତତିଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଉଠେ, ତା’ ହେଲେ ପ୍ରାୟ ସେମାନଙ୍କର ବିଶ୍ୱଗ୍ରାହୀ କ୍ଷୁଧା ପାଇଁ ଏତେ ଅଧିକ ପରିମାଣର ଖାଦ୍ୟ, ବସୁଧାମାତା ସଞ୍ଚୟ କରି ରଖି ନାହିଁ ।
ନିଜର ଜୀବନ ଧାରଣ ପାଇଁ ମନୁଷ୍ୟ ବସୁମତୀର ସଞ୍ଚୟନର ଶେଷ ସମ୍ବଳକୁ ଲୁଣ୍ଠନ କରିବାକୁ ଗର୍ତ୍ତ ଖନନ କରିବା ସଙ୍ଗେ ନିଜର ଜୀବନ ପାଇଁ ମଧ୍ୟ ଗର୍ତ୍ତ ଖନନ କରୁଛି ଏବଂ ନିଜ ଶରୀରକୁ ଖାଦ୍ୟ ଭାବରେ ଗ୍ରହଣ କରି ସେ ଜୀବନ ଧାରଣ କରିବାକୁ ଚେଷ୍ଟିତ । ମଣିଷର ଏ ବିଚାରହୀନ ଅପଚୟର ଶ୍ରେଷ୍ଠ ନମୁନା ସେହି ପଲ୍ଲୀ । ସେଠାରେ ଜୀବନର ଆଲୋକ ନିଷ୍ପ୍ରଭ । ଜୀବନ ଧାରଣର ଆନନ୍ଦ ନିର୍ଜୀବ ଓ ସାମାଜିକ ମିଳନର ଯୋଗସୂତ୍ର ଛିନ୍ନ । ସମାଜର ଏହି ଅବହେଳିତ ସ୍ନାୟୁଗୁଡ଼ିକରେ ଜୀବନରକ୍ତର ପ୍ରବାହ ପୁଣି ସୃଷ୍ଟିକରିବା ଆମର ଲକ୍ଷ୍ୟ ହେବା ଉଚିତ-। ପଲ୍ଲୀବାସୀମାନେ ଯେପରି ସ୍ୱାସ୍ଥ୍ୟ ଓ ଜ୍ଞାନର ଅଧିକାରୀ ହୋଇ ବଞ୍ଚିବା ସକାଶେ ପ୍ରଚୁର ସ୍ଥାନ ଓ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ସମୟ ପାଇ ପାରିବେ, ଅବସର ସଙ୍ଗେ ଆନନ୍ଦ ଉପଭୋଗ ଓ ପଦମର୍ଯ୍ୟାଦା ଲାଭ କରିବା ପାଇଁ ସମ୍ମାନର ଅଧିକାରୀ ହେବେ; ମାନବଜଗତ ସହିତ ସେମାନଙ୍କର ଆତ୍ମୀୟତା ଅନୁଭବ କରିବାକୁ ସହାନୁଭୂତି ଲାଭ କରିବେ ଏବଂ କେବଳ ସହରବାସୀଙ୍କର ଆନୁଗତ୍ୟ ସ୍ୱୀକାର କରି ତାଙ୍କର କ୍ରୀଡ଼ାପୁତ୍ତଳିକା ନ ହେବେ, ସେଥିପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡ଼ିବ ।
ସ୍ରୋତସ୍ୱିନୀ, ହ୍ରଦ ବା ସାଗର ନିଜର ସୀମା ମଧ୍ୟରେ ଜଳ ସଞ୍ଚୟ କରିବାକୁ କେବଳ ରହି ନ ଥାନ୍ତି; ସେମାନଙ୍କର ଜଳୀୟବାଷ୍ପରେ ମେଘମାଳା ଆକାଶରେ ସୃଷ୍ଟିହୁଏ ଏବଂ ବୃଷ୍ଟି ଫଳରେ ଜଳର ବ୍ୟାପକ ବିତରଣ ହୋଇଥାଏ । ସହରରେ ସେହିପରି ଧନ ଓ ଜ୍ଞାନାର୍ଜ୍ଜନର ସାଧନା କେନ୍ଦ୍ରୀଭୂତ ହୋଇ ରହିଛି । ଏହି ସାଧନା କେବଳ ଆତ୍ମସର୍ବସ୍ୱ ହେବ ଉଚିତ ନୁହେ । ଜଳସେଚନ କେନ୍ଦ୍ରଭଳି ତାହା ବିତରଣ ଉଦ୍ଦେଶ୍ୟରେ ହିଁ ସଞ୍ଚୟ କରିବା ଆବଶ୍ୟକ ଏବଂ ନିଜକୁ କେବଳ ବିରାଟ ନ କରି ସର୍ବସଧାରଣ ସମ୍ପତ୍ତିକୁ ସମୃଦ୍ଧ କରିବା ବାଞ୍ଛନୀୟ । ନିଜର ଆଲୋକ କେବଳ ପରିଧି ମଧ୍ୟରେ ସୀମିତ ନ ରଖି ଦୀପସ୍ତମ୍ଭ ଭଳି ତାହା ଚତୁର୍ଦ୍ଦିଗକୁ ବିକିରଣ କରିବା ଉଚିତ-।
ସହଯୋଗିତା ଓ ଆତ୍ମତ୍ୟାଗରଭାବ ସମାଜରେ ଏକ ଜୀବନ୍ତ ଆଦେଶ ହୋଇଥିବା ପର୍ଯ୍ୟନ୍ତ ପଲ୍ଲୀ ଓ ସହର ମଧ୍ୟରେ ପାରସ୍ପରିକ କଲ୍ୟାଣର ସମ୍ପର୍କ ସ୍ଥାପିତ ହୋଇଥାଏ । ଏହି ଆଦର୍ଶ ଯେତେବେଳେ କୌଣସି ପ୍ରଲୋଭନ ଦ୍ୱାରା ପରାଜିତ ହୁଏ ଓ ସ୍ୱାର୍ଥପର ମନୋବୃତ୍ତି ପ୍ରାଧାନ୍ୟ ଲାଭ କରେ, ସେତେବେଳେ ପଲ୍ଲୀ ଓ ସହର ମଧ୍ୟରେ ଏକ ବ୍ୟବଧାନ ସୃଷ୍ଟି ହୋଇ ଉଠେ ଓ ତାହା କ୍ରମଶଃ ବିସ୍ତୃତ ଲାଭ କରେ । ପଲ୍ଲୀ ଓ ସହର ମଧ୍ୟରେ ସେତେବେଳେ ଭକ୍ଷ ଓ ଭକ୍ଷକର ସମ୍ପର୍କ ସ୍ଥାପିତ ହୁଏ ।
ଭାରତରେ ଆମ ବିଶ୍ୱଭାରତୀରେ ଏହି ଗ୍ରାମ ପୁନର୍ଗଠନର କାର୍ଯ୍ୟ ଆରମ୍ଭ ହୋଇଛି । ଜାତିକୁ ଅତ୍ମହତ୍ୟାର ପନ୍ଥାରୁ ନିବୃତ୍ତ କରିବା ଏହାର ଲକ୍ଷ୍ୟ । ଆପଣମାନଙ୍କୁ ଏହାର କର୍ମପନ୍ଥାର ବିସ୍ତୃତ ବିବରଣୀ ଦେବାକୁ ଯଦି ମୁଁ ଚେଷ୍ଟାକରେ, ତାହାହେଲେ ତାହା ଆପଣଙ୍କ ଦୃଷ୍ଟିରେ ଅତି ସାମାନ୍ୟ ବୋଲି ପ୍ରତୀତ ହେବ, କିନ୍ତୁ ଏହାର କ୍ଷୁଦ୍ରରୂପରେ ଆମେ ଆତଙ୍କିତ ନୋହୁଁ; କାରଣ ଜୀବନ ଉପରେ ଆମର ଅଖଣ୍ଡ ବିଶ୍ୱାସ ରହିଛି । ଆମେ ଜାଣୁଛୁ ଯେ ଯଦି ଆମର ଅନ୍ତର୍ନିହିତ ସତ୍ୟର ଭୃଣକୁ ଏହା ଯଦି ପ୍ରକାଶ କରୁଥାଏ, ତାହାହେଲେ ଏହା ସକଳ ବିରୋଧକୁ ଅତିକ୍ରମ କରି ଦେଶ କାଳକୁ ଜୟ କରିବ ।
ଆମେ ଜାଣୁଛୁଁ ଯେ ଦାରିଦ୍ର୍ୟ ଅପେକ୍ଷା, ଅସନ୍ତୋଷ ହିଁ ହେଉଛି ଆମର ଶ୍ରେଷ୍ଠ ସମସ୍ୟା-। ବିଭିନ୍ନ ସାମଗ୍ରୀର ଉତ୍ପାଦନ ଓ ସଂଗ୍ରହ ହିଁ ହେଉଛି ସମ୍ପତ୍ତିର ନାମାନ୍ତର ମାତ୍ର, ଏବଂ ମନୁଷ୍ୟ ଏହାକୁ ନିର୍ଦ୍ଦୟ ଭାବରେ ବ୍ୟବହାର କରି ପାରେ । ପୃଥିବୀକୁ ବିଦୀର୍ଣ୍ଣ କରି ମନୁଷ୍ୟ ଜୀବନ ସଞ୍ଚୟ କରି ପାରେ; କିନ୍ତୁ ବୈଷୟିକ ଉତ୍ପାଦନ ଦୃଷ୍ଟିରୁ ଐଶ୍ୱର୍ଯ୍ୟ ସହିତ ସୁଖ-ସନ୍ତୋଷ ପ୍ରତିଯୋଗିତା କରିବାକୁ ସମର୍ଥ ନ ହେଲେ ମଧ୍ୟ, ତାହା ହିଁ ହେଉଛି ଚରମ ସତ୍ୟ ଓ ସୃଜନକ୍ଷମ ମଧ୍ୟ । ତାହାର ଅନ୍ତର ମଧ୍ୟରେ ଐଶ୍ୱର୍ଯ୍ୟର ଉତ୍ସ ନିହିତ ।
ପଲ୍ଲୀ ଜୀବନର ମୃତ୍ତିକା ଶଯ୍ୟାକୁ ସୁଖ ସ୍ରୋତରେ ଵନ୍ୟାପ୍ଲୁତ କରିବା ହେଉଛି ଆମର ଲକ୍ଷ୍ୟ । ପଣ୍ଡିତ, କବି, ସଙ୍ଗୀତଜ୍ଞ ଓ କଳାକାରମାନେ ସହଯୋଗ କରି ତାଙ୍କର ଦାନ ଏଥିପାଇଁ ବିନିଯୋଗ କରିବା ଉଚିତ । ଅନ୍ୟଥା ସେମାନେ ପରାଙ୍ଗପୁଷ୍ଟ ଜୀବ ଭଳି ଜୀବନଧାରଣ କରିବେ ଏବଂ ଜନତାର ଜୀବନରୁ ରସ ସଞ୍ଚୟ କଲେ ମଧ୍ୟ ସେମାନଙ୍କୁ କିଛି ପ୍ରତିଦାନ ଦେବାକୁ ଅସମର୍ଥ ହେବେ, ଆମର ଦାରିଦ୍ର୍ୟ ସମସ୍ୟା ସମ୍ପର୍କରେ ଯେଉଁମାନେ ଚିନ୍ତା କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଉତ୍ପାଦନର ଗଭୀର ଉଦ୍ୟମ ଉପରେ ଜୋର ଦେଇଥା'ନ୍ତି, କିନ୍ତୁ ଆମେ ଭୁଲି ଯାଉଁ ଯେ, ଏହା ଦ୍ୱାରା ମାନବତା ଓ ଉପାଦାନ ଉଭୟର ଅଧିକ କ୍ଷୟ ଘଟିଥାଏ । ଏହା ବହୁର ଜୀବନମୂଲ୍ୟ ବିନିମୟରେ ଅଳ୍ପ କେତେକଙ୍କୁ ଲାଭର ଅତିରିକ୍ତ ସୁଯୋଗ ପ୍ରଦାନ କରିଥାଏ । ଅର୍ଥ ନୁହେ, କେବଳ ଖାଦ୍ୟ ହିଁ ଆମକୁ ଲାଳନ ପାଳନ ଓ ସୁସ୍ଥ ସବଳ କରିଥାଏ, ଏବଂ ଟଙ୍କାଥଳୀର ପୂର୍ଣ୍ଣତା ନୁହେ, କେବଳ ଜୀବନର ପରିପୂର୍ଣ୍ଣତା ହିଁ ମନୁଷ୍ୟକୁ ସୁଖୀ କରିଥାଏ । ଐଶ୍ୱର୍ଯ୍ୟର ପରିମାଣ ବୃଦ୍ଧି ହିଁ କେବଳ ଧନୀ ଓ ନିର୍ଦ୍ଧନ ମଧ୍ୟରେ ଅସମତକୁ ଗଭୀର ଓ ଦୃଢ଼ତର କରିଥାଏ ଏବଂ ସାମାଜିକ ସଂସ୍ଥା ଉପରେ ଏହା ଏପରି ଏକ ଗଭୀର କ୍ଷତ ସୃଷ୍ଟି କରେ ଯା ଫଳରେ ସମଗ୍ର ସମାଜ–ଶରୀର ରକ୍ତକ୍ଷୟ ହେତୁ ମୃତ୍ୟୁବରଣ କରିବାକୁ ବାଧ୍ୟ ହୁଏ ।
ମୋର ଯାହା କହିବାର କଥା, ତାହା ମୁଁ ପୂର୍ବରୁ ବହୁବାର କହିଛି, କହିବାର ଆଉ କିଛି ବାକି ନାହିଁ । ସେତେବେଳେ ମୋର ବଳ ବୟସ ଥିଲା ଏବଂ ମୋର ଚିନ୍ତାସ୍ରୋତ ମଧ୍ୟ ଥିଲା ଅପ୍ରତିହତ । ବୟସ ଓ ରୁଗ୍ଣ ସ୍ୱାସ୍ଥ୍ୟ ଦ୍ୱାରା ମୋର ଶକ୍ତି ବର୍ତ୍ତମାନ ଅପହୃତ ଏବଂ ମୋଠାରୁ ବର୍ତ୍ତମାନ ଆପଣମାନେ କିଛି ଆଶା କରିବା ବୃଥା ।
ଦୀର୍ଘକାଳ ପରେ ମୁଁ ବର୍ତ୍ତମାନ ଆପଣଙ୍କ ସମକ୍ଷରେ ଉପସ୍ଥିତ । ଆପଣମାନଙ୍କ ଭିତରୁ କେତେକଙ୍କୁ ମୁଁ ସମୟ ସମୟରେ ଦେଖିଛି ଓ ବର୍ତ୍ତମାନ ଆପଣଙ୍କୁ କେବଳ ମୋର ସାନ୍ନିଧ୍ୟ ଓ ସହଯୋଗ ପ୍ରଦାନ କରି ପାରେ । ପ୍ରଥମେ ଏ ଘରଟିକୁ ଯେତେବେଳେ ମୁଁ କିଣିଲି, ସେତେବେଳେ ମୋର କୌଣସି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନ ଥିଲା । କିନ୍ତୁ ଏତିକି କେବଳ ମୁଁ ସେତେବେଳେ ଭାବୁଥିଲି ଯେ, ଶାନ୍ତିନିକେତନ ଜନାକୀର୍ଣ୍ଣ ଜୀବନଠାରୁ ବହୁ ଦୂରରେ ଅବସ୍ଥିତ ଏବଂ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ସୁଯୋଗ ଦେବା ସଙ୍ଗେ, ଶିକ୍ଷା ବିଭାଗ ଦ୍ୱାରା ନିର୍ଦ୍ଦିଷ୍ଟ ପ୍ରାତ୍ୟହିକ ଖାଦ୍ୟ ଅପେକ୍ଷା ଏହା ପିଲାମାନଙ୍କୁ ଅଧିକ କିଛି ପ୍ରଦାନ କରୁଛି ।
କିନ୍ତୁ ମୋର ମନରେ ଆଉ ଗୋଟିଏ ସ୍ରୋତ ପ୍ରବାହିତ ହେଉଥିଲା । ସିଆଲ୍ଦା ଓ ପାତିସର ଗାଁଗୁଡ଼ିକରେ ରହୁଥିବାବେଳେ ପ୍ରଥମେ ପଲ୍ଲୀଜୀବନ ସହିତ ମୋର ସମ୍ପର୍କ ସ୍ଥାପିତ ହେଲା । ଜମିଦାରୀ ବୁଝିବା ସେତେବେଳେ ମୋର କର୍ତ୍ତବ୍ୟ ଥିଲା । ପ୍ରଜାମାନେ ତାଙ୍କର ଆନନ୍ଦ, ବେଦନା, ଅନୁରୋଧ ଓ ଅଭିଯୋଗ ଧରି ମୋ ନିକଟକୁ ଆସୁଥିଲେ ଏବଂ ତାହାରି ମାଧ୍ୟମରେ ହିଁ ଗ୍ରାମର ସମ୍ପୂର୍ଣ୍ଣ ରୂପ ମୋ ନିକଟରେ ଆବିଷ୍କୃତ ହୋଇଥିଲା । ଏକ ଦିଗରେ ତାହାର ନଦୀ, ପ୍ରାନ୍ତର, କୃଷିକ୍ଷେତ୍ର ଓ ବୃକ୍ଷତଳାଶ୍ରୟୀ କୁଟୀରର ବହିର୍ଦୃଶ୍ୟ, ମୋ ନିକଟରେ ଯେପରି ପ୍ରତିଭାତ ହେଉଥିଲା, ଅନ୍ୟ ଦିଗରେ ତା'ର ଅନ୍ତରର ଗୋପନ କାହାଣୀ ମୋ ନିକଟରେ ମଧ୍ୟ ଉନ୍ମୋଚିତ ହୋଇଥିଲା । ମୋର କର୍ତ୍ତବ୍ୟର ଭିତର ଦେଇ ସେମାନଙ୍କର ଦୁଃଖ ଯନ୍ତ୍ରଣା ଅନୁଭବ କରିବାକୁ ସମର୍ଥ ହେଲି । ସହରଜାତ ମୁଁ ଏକ ନାଗରିକ ମାନବ । ମୋର ପୂର୍ବପୁରୁଷଗଣ କଲିକତାର ପ୍ରାଚୀନ ଆଧିବାସୀମାନଙ୍କର ଅନ୍ତର୍ଗତ ଏବଂ ଶୈଶବ, ପଲ୍ଲୀର କୌଣସି ସ୍ପର୍ଶଲାଭ କରି ନ ଥିଲା । ଯେତେବେଳେ ଜମିଦାରୀ ପରିଚାଳନାରେ ମୁଁ ନିଯୁକ୍ତି ହେଲି, ସେତେବେଳେ ମୋର କର୍ତ୍ତବ୍ୟ କ୍ଳାନ୍ତିକର ହେବ ବୋଲି ମୁଁ ଭାବିଥିଲି । ଜମାଖର୍ଚ୍ଚ ରଖିବା, ଖଜଣା ଆଦାୟ ଓ ଲାଭ କ୍ଷତି ବିଷୟ ବୁଝିବା କାଯ୍ୟରେ ମୁଁ ଆଦୌ ଅଭ୍ୟସ୍ତ ନ ଥିଲି ଏବଂ ମୋର ଅଜ୍ଞାତ ହିଁ ମୋ ମନରେ ଏକ ବୋଝ ଭଳି ମାଡ଼ି ବସିଥିଲା । ହିସାବ କିତାବ ଓ ଅଙ୍କ ଭିତରେ ଆବଦ୍ଧ ହେଲେ ବି, ମୁଁ ଯେ ତଥାପି ମନୁଷ୍ୟ ଓ ସ୍ୱାଭାବିକ ଅବସ୍ଥାରେ ରହି ପାରେ-ଏକଥା ମୋର ଥିଲା କଳ୍ପନାତୀତ ।
କିନ୍ତୁ ଯେତେବେଳେ ଏହି କର୍ତ୍ତବ୍ୟ ଭିତରେ ମୁଁ ପ୍ରବେଶ କଲି, ସେତେବେଳେ ଏହା ମୋତେ ସମ୍ପୂର୍ଣ୍ଣଭାବେ ଅଧିକାର କଲା । ମୋର ସ୍ୱଭାଵ ହେଉଛି ଯେ ମୁଁ ଯେତେବେଳେ କୌଣସି ଦାୟିତ୍ୱ ଗ୍ରହଣ କରେ, ସେତେବେଳେ ତାହା ମଧ୍ୟରେ ନିଜକୁ ପୂର୍ଣ୍ଣମାତ୍ରାରେ ହରାଇ ଦେଇଥାଏ ଏବଂ ପାରୁପର୍ଯ୍ୟନ୍ତ ତାହା ସମ୍ପନ୍ନ କରିବାକୁ ମଧ୍ୟ ଚେଷ୍ଟା କରିଥାଏ । ଜୀବନରେ ଥରେ ମୋତେ ଶିକ୍ଷାଦାନ କରିବାକୁ ପଡ଼ିଥିଲା, ସେତେବେଳେ ମୋର ସମସ୍ତ ହୃଦୟ ତା'ପ୍ରତି ମୁଁ ସମର୍ପଣ କରିଥିଲି ଏବଂ ତାହା ହିଁ ଥିଲା ମୋ ପକ୍ଷରେ ଯଥେଷ୍ଟ ଆନନ୍ଦଦାୟକ । ଜଟିଳ ଜମିଦାରୀ କାମକୁ ସହଜ କରିବା ସକାଶେ ମୁଁ ଯେତେବେଳେ ନିଜକୁ ନିୟୋଜିତ କଲି, ସେତେବେଳେ କେତେ ନୂତନ ପ୍ରଣାଳୀ ସୃଷ୍ଟି କରିଥିବାରୁ ମୁଁ ପ୍ରଶଂସାଭାଜକ ହୋଇଥିଲି ଏବଂ ସେହି ପ୍ରଣାଳୀ ଶିଖିବା ସକାଶେ ପଡ଼ୋଶୀ ଜମିଦାରମାନେ ମଧ୍ୟ ତାଙ୍କ କର୍ମଚାରୀମାନଙ୍କୁ ମୋ ନିକଟକୁ ପଠାଉଥିଲେ । ଏହା ଦ୍ୱାରା ଜମିଦାରୀ ମାହାଲରେ ଥିବା ବୃଦ୍ଧ କର୍ମଚାରୀଗଣ ଆତଙ୍କିତ ହେଲେ । ଏଭଳି ଏକ ଉପାୟରେ ସେମାନେ ଜମିଦାରୀ ହିସାବପତ୍ର ରଖୁଥିଲେ ଯେ, ତାହା ଧାରଣା କରିବା ମୋ ପକ୍ଷରେ ଥିଲା ଅସମ୍ଭବ । ତାଙ୍କର ଧାରଣା ଥିଲା ଯେ ସେମାନେ ଯାହାକୁ ପସନ୍ଦଯୋଗ୍ୟ ଭାବି ମୋତେ ବୁଝେଇଦେବାକୁ ଚେଷ୍ଟା କରୁଛନ୍ତି, ତହିଁରୁ ଅଧିକ ଜାଣିବାକୁ ଆଗ୍ରହ ପ୍ରକାଶ କରିବା ମୋ ପକ୍ଷରେ ଅନୁଚିତ । ପ୍ରଣାଳୀର ପରିବର୍ତ୍ତନ ଦ୍ୱାରା ଗଣ୍ଡଗୋଳ ଘଟିବ ବୋଲି ସେମାନେ ମୋତେ ବାରମ୍ବାର ସାବଧାନ କରାଉଥିଲେ । ପୁଣି ସେମାନେ ମୋତେ ସୂଚାଇ ଦେଇଥିଲେ ଯେ, ଯେଉଁ-ନୂତନ ପ୍ରଣାଳୀରେ ହିସାବ କିତାବସବୁ ରଖାଯାଇଛି, କୌଣସି ମାଲିମକଦ୍ଦମାର ପ୍ରଶ୍ନ ଉଠିଲେ, ଅଦାଲତ ନିଶ୍ଚୟ ତାକୁ ସନ୍ଦେହଚକ୍ଷୁରେ ଦେଖିବ । ଏ ସମସ୍ତ ସତ୍ତ୍ୱେ ବିଷୟର ଆମୂଳଚୂଳ ପରିବର୍ତ୍ତନ ଉପରେ ମୁଁ ଜୋର୍ ଦେଇଥିଲି ଏବଂ ଫଳ ମଧ୍ୟ ବେଶ ସନ୍ତୋଷଜନକ ହୋଇଥିଲା ।
ପ୍ରଜାମାନେ ଅନେକ ସମୟରେ ମୋତେ ଦେଖା କରିବାକୁ ଆସୁଥିଲେ ଏବଂ ସେମାନଙ୍କ ପାଇଁ ମୋର ଦ୍ୱାର ଦିନରାତି ଖୋଲାଥିଲା । ସେମାନଙ୍କର ଅଭିଯୋଗ ଶୁଣିବାରେ କେତେବେଳେ ମୋର ସାରାଦିନ କଟୁଥିଲା ଏବଂ ମୋର ଖାଇବାବେଳ ମଧ୍ୟ ଗଡ଼ି ଯାଉଥିଲା । ଆନନ୍ଦ ଓ ଉତ୍ସାହର ସହିତ ଏହି ସକଳ କାର୍ଯ୍ୟ ମୁଁ କରୁଥିଲି । ପିଲାଦିନୁ ମୁଁ ନିଛାଟିଆ ଭାବେ ରହିଥିଲି ଏବଂ ଏହିଠାରେ ହିଁ ପଲ୍ଲୀଜୀବନର ଅଭିଜ୍ଞତା ହେଉଛି ମୋର ପ୍ରଥମ । ନୂତନ ପଥରେ ଗତି କରିବାରୁ ମୁଁ ସନ୍ତୁଷ୍ଟ, ଉତ୍ସାହିତ ଓ ଆନନ୍ଦିତ ଥିଲି । ପଲ୍ଲୀଜୀବନର ସୁକ୍ଷ୍ମ ବିବରଣୀ ଜାଣିବାକୁ ମୁଁ ସର୍ବଦା ଆଗ୍ରହୀ ଥିଲି । କର୍ତ୍ତବ୍ୟର ଅନୁରୋଧରେ ନଦୀ, କେନାଲ ଓ ଅନ୍ୟ ଜଳ ପ୍ରଣାଳୀ ସାହାଯ୍ୟରେ ମୋତେ ବିଭିନ୍ନ ଦୂରବର୍ତ୍ତୀ ସ୍ଥାନକୁ ଯିବାପାଇଁ ପଡ଼ୁଥିଲା । ତଦ୍ଦ୍ୱାରା ଜୀବନର ପରିବର୍ତ୍ତନମାନ ଦୃଶ୍ୟ ଦେଖିବାର ସୁଯୋଗ ମଧ୍ୟ ମୋର ଘଟିଥିଲା । ପଲ୍ଲୀବାସୀଙ୍କର ପ୍ରାତ୍ୟହିକ କର୍ମ୍ମ ଓ ସେମାନଙ୍କର କାର୍ଯ୍ୟର ବିଚିତ୍ର ଗତି ଦ୍ୱାରା ମୁଁ ବିସ୍ମିତ ହୋଇଥିଲି । ସହର ମଧ୍ୟରେ ଲାଳିତ ପାଳିତ ହୋଇ ମୁଁ ସିଧାସଳଖ ପଲ୍ଲୀମାଧୁରୀ ମଧ୍ୟରେ ପ୍ରବେଶ କରିଥିଲି ଏବଂ ସେଥିରେ ମୋର ପ୍ରାଣପ୍ରାଚୂର୍ଯ୍ୟ ମଧ୍ୟ ପରିପୂର୍ଣ୍ଣ ହୋଇ ଉଠିଥିଲା । ତା'ପରେ କ୍ରମଶଃ ଲୋକମାନଙ୍କର ଦୁଃଖ ଦୈନ୍ୟର ଚିତ୍ର ମୋ ନିକଟରେ ସ୍ପଷ୍ଟ ହୋଇ ଉଠିଲା ଏବଂ ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟ ସମ୍ପର୍କରେ ମୁଁ ଚିନ୍ତା କରିବାକୁ ଲାଗିଲି । ମୁଁ ଲଜ୍ଜିତ ହେଲି ଯେ ମୁଁ ଜଣେ ଜମିଦାର-ମୋର ବୁଦ୍ଧିକେବଳ ଅର୍ଥକରୀ ଏବଂ କେବଳ ରାଜସ୍ୱ ଆଦାୟରେ ମୁଁ ସର୍ବଦା ନିମଗ୍ନ । ଏହି ଅନୁଭୂତି ଫଳରେ ଲୋକମାନଙ୍କୁ ଜାଗ୍ରତ କରିବାକୁ ଏବଂ ତାଙ୍କରି ଦାୟିତ୍ୱ ତାଙ୍କରି ହାତରେ ସମର୍ପଣ କରିବାକୁ ମୁଁ ଉଦ୍ୟମ କଲି । କୌଣସି ବାହାରିଆ ସାହାଯ୍ୟ ଦେବାକୁ ଚେଷ୍ଟା କରିବା ଦ୍ୱାରା ଗ୍ରାମବାସୀଙ୍କର କୌଣସି ମଙ୍ଗଳ ସାଧିତ ହୋଇ ପାରି ନ ଥାନ୍ତା । ତେଣୁ ତାଙ୍କରି ଭିତରେ ଜୀବନଶିଖା ମୁଁ କିପରି ପ୍ରଜ୍ଜ୍ୱଳିତ କରିବି,–ତାହା ହିଁ ମୋ ପକ୍ଷରେ ଅସଲ ସମସ୍ୟା । ତାଙ୍କୁ ସାହାଯ୍ୟ ଦେବା କଷ୍ଟକର ହେବାର କାରଣ ହେଉଛି ଯେ ସେମାନଙ୍କଠି ଥିଲା ଆତ୍ମସମ୍ମାନବୋଧର ଅଭାବ-।'' ଆମେ ହେଉଛୁ ନିହାତି ଅପଦାର୍ଥ କେବଳ ଚାବୁକ ହିଁ ଆମକୁ ସଳଖ କରି ପାରେ''-ଏହା ହିଁ ଥିଲା ତାଙ୍କ ମୁହଁର ଭାଷା ।
ନିକଟବର୍ତ୍ତୀ ଏକ ଗ୍ରାମରେ ଦିନେ ନିଆଁ ଲାଗିଲା । ଲୋକମାନେ ସେଥିରେ ଏତେ ହତବୁଦ୍ଧି ହୋଇ ପଡ଼ିଲେ ଯେ ସେମାନେ କିଛି କରିବାକୁ ହେଲେ ଅସମର୍ଥ । ତା'ପରେ ଏକ ପଡ଼ୋଶୀ ମୁସଲମାନ ବସ୍ତିରୁ ଲୋକମାନେ ଧାଇଁ ଆସି ନିଆଁ ସହିତ ବେଶ ଯୁଦ୍ଧକଲେ । ପାଣି ସେଠାରେ ନ ଥିବାରୁ ଚାଳଛପରକୁ ନିଆଁ ଲିଭାଇବା ସକାଶେ ଓଲାରୀ ଦେବାକୁ ପଡ଼ିଥିଲା । ଯେଉଁଠି ବା ନିଆଁ ଲାଗିଥିଲା, ତାହା ସମ୍ପୂର୍ଣ୍ଣ ଜଳିଯିବା ପୂର୍ବରୁ ତାକୁ ବାଡ଼େଇ ଲିଭେଇ ଦେବାକୁ ହୋଇଥିଲା । କଲ୍ୟାଣ ପାଇଁ ମଧ୍ୟ କ'ଣ ଶକ୍ତିବଳ ଆବଶ୍ୟକ ? ତାପରେ ସେମାନେ ଆସି ମୋତେ କହିଲେ, ''ଯାହାହେଉ ଭାଗ୍ୟବଳରୁ ଆମ ଚାଳସବୁ ଭାଙ୍ଗି ଦିଆଯିବାରୁ ଆମେ ଅଳ୍ପକେ ରକ୍ଷା ପାଇଗଲୁ ।'' ସେମାନେ ସୁଖୀ ହେଲେ ଯେ ମୁସଲମାନମାନେ ତାଙ୍କ ଛପରକୁ ବାଡ଼େଇବା ଦ୍ୱାରା ତାଙ୍କର ଉପକାର ହେଲା-କିନ୍ତୁ ମୁଁ ତାଙ୍କର ଵଶ୍ୟତା ସ୍ୱୀକାରରେ ଅତିଶୟ ଲଜ୍ଜିତ ହେଲି । ଗାଁ ମଝିରେ ଛୋଟ କୋଠାଟିଏ ଗାଁବାଲାଙ୍କ ପାଇଁ ତିଆରି କରିବାକୁ ମୁଁ ସ୍ଥିର କଲି । ସେଠାରେ ସନ୍ଧ୍ୟାବେଳେ ସମସ୍ତେ ଏକାଠି ହୋଇ ପାରିବେ, ଖବରକାଗଜ ପଢ଼ି ପାରିବେ ଏବଂ ରାମାୟଣ ମହାଭାରତ ମଧ୍ୟ ଶୁଣିବେ । ସେମାନଙ୍କ ପାଇଁ ତାହାହେବ ଗୋଟିଏ କ୍ଲବଘର । କାରଣ ସେମାନଙ୍କର ସନ୍ଧ୍ୟା ଯେପରି ଆନନ୍ଦହୀନଭାବେ ଅତିବାହିତ ହେଉଥିଲା, ତାହା ଚିନ୍ତାକରି ମୁଁ ଦୁଃଖିତ ହୋଇଥିଲି । ସେମାନଙ୍କର ସଂଧ୍ୟାର ଜୀବନଧାରା ଦେଖି ମୋତେ ଜଣାପଡୁଥିଲା, ସତେ ଯେପରି ଗୀତର ଗୋଟିଏ କ୍ଳାନ୍ତିକର ପଂକ୍ତି ପ୍ରତିଦିନ ବିରାମହୀନ ଭାବରେ ବୋଲାଯାଉଛି । କାଳକ୍ରମେ କୋଠାଟି ଛିଡ଼ାହେଲା, କିନ୍ତୁ ତଥାପି କେହି ତାକୁ ବ୍ୟବହାର କଲେ ନାହିଁ । ଶିକ୍ଷକ ଜଣେ ମୁଁ ନିଯୁକ୍ତ କଲି ସତ୍ୟ, କିନ୍ତୁ ନାନାପ୍ରକାର ଛଳନା ଦେଖାଇ ପିଲାମାନେ ତା'ପାଖକୁ ଆସିଲେ ନାହିଁ । ଏହାରି ତୁଳନାରେ ବରଂ ଗୋଟିଏ ମୁସଲମାନ ବସ୍ତିର ଲୋକମାନେ ଆସି ମୋତେ ଜଣେ ଶିକ୍ଷକ ସକାଶେ ଅନୁରୋଧ କଲେ ଏବଂ ଶିକ୍ଷକର ସମସ୍ତ ଖର୍ଚ୍ଚ ବହନ କରିବାକୁ ମଧ୍ୟ ସେମାନେ ମୋତେ ପ୍ରତିଶ୍ରୁତି ଦେଲେ । ଏହି ପ୍ରସ୍ତାବରେ ମୁଁ ସମ୍ମତ ହେଲି, ତାଙ୍କ ଗ୍ରାମରେ ସ୍କୁଲଟିଏ ସ୍ଥାପିତ ହେଲା ଏବଂ ବୋଧହୁଏ ଏବେ ସୁଦ୍ଧା ତାହା ରହିଛି । ମୋ ନିଜ ଗାଁରେ କିଛି ଆଉ କରାଯାଇପାରିଲାନି । ଗ୍ରାମବାସୀମାନେ ସମସ୍ତେ ନିଜ ଉପରୁ ସମସ୍ତ ଆସ୍ଥା ହରାଇ ବସିଲେ । ଅନ୍ୟ ଉପରେ ନିର୍ଭର କରିବାର ଅଭ୍ୟାସ କେଉଁ ସ୍ମରଣାତୀତ କାଳରୁ ଆମର ଅସ୍ତି ମଜ୍ଜାଗତ ହୋଇଯାଇଛି । ପ୍ରାଚୀନ କାଳରେ ଜଣେ ଧନୀବ୍ୟକ୍ତି ପଲ୍ଲୀଜୀବନର ଥିଲେ ମୂଳାଧାର ଓ ପରିଚାଳକ । ଶିକ୍ଷା, ସ୍ୱାସ୍ଥ୍ୟ ଓ ସବୁ କିଛି ତାଙ୍କ ଦାୟିତ୍ୱରେ ରହୁଥିଲା । ଏହି ପ୍ରଥା ଯୋଗୁଁ ହିଁ ସାଧାରଣ ମନୁଷ୍ୟର ଆତ୍ମବିଶ୍ୱାସ ଶକ୍ତି ଦୁର୍ବଳ ହୋଇଯାଇଥିଲା ।
ମୋ ଜମିଦାରୀ ଇଲାକାରେ ନଦୀ ଥିଲା ବହୁ ଦୂରରେ ଏବଂ ଜଳାଭାବ ଥିଲା ଗୋଟାଏ ପ୍ରଧାନ ସମସ୍ୟା । ପ୍ରଜାମାନଙ୍କୁ କହିଲି ଯେ ଯଦି ସେମାନେ କୂଅଟିଏ ଖୋଳି ଦିଅନ୍ତି, ମୁଁ ତାହାହେଲେ ତା'କୁ ପଲସ୍ତରା କରିଦେବି । ମୋ କଥାରେ ସେମାନେ ଉତ୍ତର ଦେଲେ, ‘‘ତୁମେ ତାହାହେଲେ ମାଛତେଲରେ ମାଛ ଭାଜିବାକୁ ଚାହଁ ।’’ ଆମେ ଯଦି କୂଅଟିଏ ଖୋଳିଦେଉଁ, ତୁମେ ସେଥିରୁ ଶୋଷୀକୁ ଜଳଦାନ କରି ପୂଣ୍ୟ ସଞ୍ଚୟ କରିବା ଫଳରେ ଶେଷରେ ସ୍ୱର୍ଗକୁ ଯିବ, କିନ୍ତୁ କାମଟି କରିବୁ ଆମେ । ଏହି ଧରଣାର ମୂଳ ହେଉଛି ଏ ସକଳ ପ୍ରକାର କାର୍ଯ୍ୟର ତାଲିକା ସ୍ୱର୍ଗରେ ରହୁଛି ଏବଂ ମୁଁ ଯେତେବେଳେ ବିରାଟ ପୁଣ୍ୟ ଅର୍ଜନ କରି ସପ୍ତସ୍ୱର୍ଗକୁ ଗମନ କରିବି, ସେତେବେଳେ ଗ୍ରାମବାସୀ କେବଳ କିଛି ଜଳମାତ୍ର ପିଇବେ । ଏଥିପାଇଁ ବାଧ୍ୟ ହୋଇ ମୋର ପ୍ରସ୍ତାବ ପ୍ରତ୍ୟାହାର କରିବାକୁ ପଡ଼ିଲା । ଆଉ ଗୋଟିଏ ଦୃଷ୍ଟାନ୍ତ ମୁଁ ଦେଉଛି । ଆମ ଜମିଦାରୀ ଅଫିସରୁ ଖୁସ୍ତିଆ ପର୍ଯ୍ୟନ୍ତ ମୁଁ ଏକ ରାସ୍ତା ତିଆରି କରିଥିଲି । ସେହି ରାସ୍ତା ପାଖାପାଖି ରହୁଥିବା ଗ୍ରାମବାସୀଙ୍କୁ ମୁଁ କହିଲି, "ଏ ରାସ୍ତାଟିକୁ ଠିକ୍ ରଖିବା ହେଉଛି ତୁମ୍ଭମାନଙ୍କର ଦାୟିତ୍ୱ, ଅତି ସହଜରେ ତୁମ୍ଭେମାନେ ଏକାଠି ହୋଇ ପାରିବ ଏବଂ ରାସ୍ତାଟିର ଖାଲଢ଼ିମାକୁ ମଧ୍ୟ ମରାମତି କରିଦେଇପାରିବ । ପ୍ରକୃତ ପକ୍ଷେ ସେହିମାନଙ୍କର ଶଗଡ଼ଚକ ଦ୍ୱାରା ହିଁ ରାସ୍ତାଟି ନଷ୍ଟ ହୋଇଥିଲା ଏବଂ ବର୍ଷା ଦିନରେ ତାକୁ କେହି ବ୍ୟବହାର କରିପାରୁ ନ ଥିଲେ । ସେମାନେ ଉତ୍ତର ଦେଲେ, "ଖୁସ୍ତିଆର ଭଦ୍ରଲୋକମାନେ ସହଜରେ ଯିବା ଆସିବା କରି ପାରିବେ ବୋଲି ଆମେ କ'ଣ ରାସ୍ତାଟିର ଯତ୍ନନେବୁ ? "ଅନ୍ୟମାନେ ଯେ ତାଙ୍କର ଶ୍ରମର ଫଳ ଉପଭୋଗ କରି ପାରିବେ, ଏ ଧାରଣା ସେମାନେ ସହ୍ୟକରି ପାରୁ ନ ଥିଲେ । ତାହା ଘଟୁ ପଛକେ ସେମାନେ ଅସୁବିଧା ଭିତରେ ରହିବାକୁ ସୁଖ ପାଉଥିଲେ । ଆମ ଗ୍ରାମଗୁଡ଼ିକରେ ନିର୍ଧନଲୋକେ ବହୁ ଅପମାନ ସହ୍ୟ କରିଛନ୍ତି ଏବଂ କ୍ଷମତାଶାଳୀ ଲୋକମାନେ ମଧ୍ୟ ଅନେକ ଭୁଲ କରିଛନ୍ତି । ଅନ୍ୟ ଦିଗରେ କ୍ଷମତାପନ୍ନ ଲୋକକୁ ହିଁ ସମସ୍ତ ଜନହିତକର କାର୍ଯ୍ୟ କରିବାକୁ ପଡ଼ୁଥିଲା ।
ଅତ୍ୟାଚାର ଓ କରୁଣା ମଧ୍ୟରେ ରହି ଗ୍ରାମବାସୀମାନଙ୍କର ଆତ୍ମସମ୍ମାନବୋଧ ଶୂନ୍ୟ ହୋଇ ଯାଇଛି । ତାଙ୍କର ଦୁଃଖକୁ ପୂର୍ବ ଜନ୍ମର ଅର୍ଜିତ ପାପର କାରଣ ବୋଲି ସେମାନେ ଭାବନ୍ତି ଏବଂ ବିଶ୍ୱାସ କରନ୍ତି ଯେ ଗୋଟିଏ ଭଲ ଜୀବନ ପାଇବାକୁ ହେଲେ ଅଧିକ ଶକ୍ତିଧରି ପୁଣି ଥରେ ନବଜନ୍ମ ଲାଭ କରିବା ଉଚିତ । ଦୁଃଖ ଯନ୍ତ୍ରଣାରୁ ଯେ ଆଉ ନିଷ୍କୃତ ନାହିଁ–ଏ ଦୃଢ଼ ସଂସ୍କାର ଫଳରୁ ହିଁ ସେମାନେ ଅସହାୟ ହୋଇ ପଡ଼ିଥାନ୍ତି ।
ଦିନଥିଲା ଯେତେବେଳେ ଜଳଦାନ ବି ଶିକ୍ଷାଦାନ କରିବାକୁ ଧନୀଲୋକେ ଗୋଟିଏ ପୂଣ୍ୟ କାର୍ଯ୍ୟ ବୋଲି ଭାବୁଥିଲେ । ସେମାନଙ୍କର ଶୁଭେଚ୍ଛା ଫଳରେ ଗ୍ରାମବାସୀମାନେ ସୁଖରେ ଚଳୁଥିଲେ । କିନ୍ତୁ ଏହି ଧନୀଲୋକମାନେ ଯେତେବେଳେ ସହରକୁ ଯିବା ଆରମ୍ଭ କଲେ, ଜଳଯୋଗାଣ ବନ୍ଦ ହୋଇଗଲା, ହଇଜା ଓ ମେଲେରିଆ ପ୍ରବଳ ଭାବରେ ଦେଖାଦେଲା ଏବଂ ସୁଖର ସ୍ରୋତ ଗାଁ ଗାଁ ଧରି ଶୁଖିଗଲା । ପଲ୍ଲୀ ଅଂଚଳରେ ଜୀବନ କିପରି ନିରାନନ୍ଦମୟ, ତାହା କଳ୍ପନା କରିବା ମଧ୍ୟ କଷ୍ଟକର । ଏହାର ନିଷ୍କୃତିର ପନ୍ଥା ମୁଁ କିଛି ପାଇଲି ନାହିଁ । ଯେଉଁ ଲୋକମାନେ ବହୁ ଶତାବ୍ଦୀ ଧରି ନିଜ ଭିତରେ ଦୁର୍ବଳତାକୁ ପ୍ରଶ୍ରୟ ଦେଇ ପାଳନ କରିଛନ୍ତି ଏବଂ ସ୍ୱାବଲମ୍ବନଶୀଳତା କଣ ଜାଣି ନାହାନ୍ତି, ସେମାନଙ୍କ ପାଇଁ କିଛି କରିବା ଅତି କଷ୍ଟକର । ତଥାପି ମୁଁ ଗୋଟାଏ ଆରମ୍ଭ କଲି । ସେତେବେଳେ ମୋର ଏକମାତ୍ର ସହାୟକ ଥିଲା କାଳିମୋହନ । ପ୍ରତିଦିନ ସଂଜ ସକାଳେ ତାକୁ ଜର ଆସୁଥିଲା, ମୋ ଔଷଧ ବାକ୍ସ ସାହାଯ୍ୟରେ ମୁଁ ନିଜେ ତା'ର ଚିକିତ୍ସା କରିଥିଲି ଏବଂ ତାକୁ ଯେ ବଞ୍ଚାଇ ପାରିବି-ଏ ଧାରଣା ମୋର ନ ଥିଲା । ଶାସ୍ତ୍ର କହେ, ‘‘ଶ୍ରଦ୍ଧୟା ଦେୟମ୍"–ଯଦି ଦେଉଛ, ତେବେ ଶ୍ରଦ୍ଧା ସହକାରେ ଦାନ କର । ସେହି ଦୃଷ୍ଟିରୁ ମୁଁ କାମ କରିବାକୁ ଆରମ୍ଭ କଲି । କୃଷକମାନେ ବଳଦ ଓ ଲଙ୍ଗଳ ଧରି ତାଙ୍କ କୃଷିକ୍ଷେତ୍ରକୁ ଯାଉଥିବାର ଦୃଶ୍ୟ ଅଫିସ କୋଠାରେ ଥାଇ ମୁଁ ବହୁବାର ଲକ୍ଷ୍ୟ କରିଥିଲି । ସେମାନଙ୍କର କ୍ଷେତସବୁ ଛୋଟ ଛୋଟ କିଆରୀରେ ବିଭକ୍ତ ଏବଂ ପ୍ରତ୍ୟେକ ଲୋକ ତା'ର ନିଜର ଜମିଜୁମା ଚାଷ କରୁଥିଲା । ଶକ୍ତିର ତାହା ଏକ ବିରାଟ ଅପଚୟ ବୋଲି ମୁଁ ଜାଣୁଥିଲି । ତେଣୁ ଲୋକମାନଙ୍କୁ ଡକାଇଆଣି କହିଲି, "ଜମିସବୁ ଏକାଠି ହଳ କର, ସମସ୍ତଙ୍କର ଶକ୍ତି ଓ ସମ୍ୱଳକୁ ମଧ୍ୟ ଏକାଠି କର, ତାହା ହେଲେ ତୁମେ ଟ୍ରାକ୍ଟର ମଧ୍ୟ ବ୍ୟବହାର କରିପାରିବ । ତୁମେ ସବୁ ଯଦି ଏକାଠି କାମ କରନ୍ତ, ତାହାହେଲେ ବ୍ୟକ୍ତିଗତ ଜମିଜମାର ଯେଉଁ କ୍ଷୁଦ୍ର ପାର୍ଥକ୍ୟ ରହିଛି, ତାହା ଆଉ ବିଶେଷ ବଡ଼ ବୋଲି ମନେ ହେବ ନାହିଁ । ଲାଭ ଯାହାକିଛି ହେବ, ତୁମେମାନେ ସମାନଭାବରେ ଭୋଗ କରିବ । ଗାଁର ସବୁ ଫସଲକୁ ଗୋଟିଏ ସ୍ଥାନରେ ତୁମେ ସଞ୍ଚୟ କର, ତାହାହେଲେ ତୁମେ ମଧ୍ୟସ୍ଥ ବେପାରୀଠୁଁ ଫସଲ ପାଇଁ ଭଲ ଦାମ ମଧ୍ୟ ପାଇ ପାରିବ । ଲୋକମାନେ ତାହା ଶୁଣି କହିଲେ, "ଧାରଣାଟି ବେଶ୍ ଭଲ କିନ୍ତୁ, କିପରି ତାକୁ ଆମେ କାର୍ଯ୍ୟରେ ପରିଣତ କରିବୁ ?" ସେ ସମ୍ପର୍କରେ ଯଦି ମୋର ଜ୍ଞାନ ଓ ଶିକ୍ଷା ଥା'ନ୍ତା, ତାହାହେଲେ ସେ ଦାୟିତ୍ୱବହନ କରିବାକୁ ମୁଁ ସମ୍ମତି ଦେଇଥାନ୍ତି । ସେମାନେ ମୋତେ ଜାଣିଥିଲେ; କିନ୍ତୁ କେବଳ ଖାଲି ଚାହିଁଦେଲେ ଜଣେ କେବେ ଅନ୍ୟର ଉପକାର କରି ନ ପାରେ । ଆଜି ସାହାଯ୍ୟ ଅପେକ୍ଷା ଅଧିକ ବିପଜ୍ଜନକ କଥା ଆଉ କିଛି ନାହିଁ । ଥରେ ସହରର ଦଳେ ଯୁବକ ଗ୍ରାମବାସୀମାନଙ୍କୁ ସାହାଯ୍ୟ କରିବାକୁ ଗଲେ । କିନ୍ତୁ ଲୋକମାନେ ଥଟ୍ଟା କରି ଚିତ୍କାର କରି ଉଠିଲେ, "ଦେଖ, ଚାରିଅଣିଆ ଭଦ୍ରଲୋକସବୁ ଆସୁଛନ୍ତି ।" ଏଥିରେ ବିସ୍ମିତ ହେବାର କିଛି ନାହିଁ । ଏହି ଯୁବକ ଦଳ ଗ୍ରାମବାସୀମାନଙ୍କର ଭାଷା ବା ସେମାନଙ୍କର ମାନସିକ କ୍ରିୟାକଳାପ ସମ୍ପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ ।
କିନ୍ତୁ କିଛି ନା କିଛି କରିବାର ଆବଶ୍ୟକତା ମୋତେ ପଡ଼ିଥିଲା । ମୋର ପୁଅ ସନ୍ତୋଷକୁ କୃଷି ଓ ଗୋପାଳନ ସମ୍ବନ୍ଧରେ ଶିକ୍ଷାଲାଭ କରିବା ସକାଶେ ବିଦେଶକୁ ପଠାଇଥିଲି ଏବଂ ଅନ୍ୟ କେତେ ପ୍ରକାର ମଧ୍ୟ କାମ ଓ ଚିନ୍ତା କରିବାକୁ ଲାଗିଥିଲି । ପ୍ରାୟ ସେହି ସମୟରେ ଘରଟିକୁ କିଣି ସିଆଲଦାରେ ଆରମ୍ଭ କରିଥିବା କାର୍ଯ୍ୟକୁ ପୁଣି ସେଠାରେ ଆରମ୍ଭ କରିବାକୁ ଭାବିଥିଲି । ଏହି ପତନୋନ୍ମୁଖ ଗୃହଟି ପୁଣି ଭୂତପ୍ରେତଙ୍କ ଆଶ୍ରୟସ୍ଥଳୀ ବୋଲି ବିବେଚିତ ହେଉଥିଲା । ଏହାର ମରାମତି କାର୍ଯ୍ୟରେ ଗୁଡ଼ାଏ ଅର୍ଥ ବ୍ୟୟ ମଧ୍ୟ କରିଥିଲି । ତା'ପରେ କିଛିକାଳ ମୁଁ ନୀରବ ହୋଇ ବସିଗଲି । ଘରଟିକୁ ବିକ୍ରି କରିଦେବା ପାଇଁ ଏଣ୍ଡ୍ରୁଜ ମୋତେ ପରାମର୍ଶ ଦେଲେ । କିନ୍ତୁ ମନେ ମନେ ଭାବିଲି, ଘରଟିକୁ ଯେତେବେଳେ ମୁଁ କିଣିଛି, ତାର କିଛି ଅର୍ଥ ହୁଏତ ଥାଇପାରେ-। ମୋ ଜୀବନର ଦୁଇଟି ଲକ୍ଷ୍ୟ ମଧ୍ୟରୁ କୌଣସି ଗୋଟିଏ ହୁଏତ ଏଠାରେ ପରିପୂର୍ଣ୍ଣ ହୋଇପାରେ-। କିନ୍ତୁ କିପରି ଓ କେତେବେଳେ ତାହା ପୂର୍ଣ୍ଣ ହେବ ? ମୋର କୌଣସି ଧାରଣା ନ ଥିଲା । ଏକ ମାହେନ୍ଦ୍ର ମୁହୂର୍ତ୍ତରେ ଅନୁର୍ବର ଜମିରେ ବୀଜ ବପନ କଲେ ମଧ୍ୟ ସହସା ସେଥିରେ ଲକ୍ଷଣ ମଧ୍ୟ ଦେଖାଯାଉ ନ ଥିଲା । ପ୍ରତ୍ୟେକ ବସ୍ତୁ ଥିଲା ଦୁର୍ଲଭ । ଯାହା ହେଉ ଧୀରେ ଧୀରେ ବୀଜ ଅଙ୍କୁରିତ ହେବାକୁ ଲାଗିଲା । ବନ୍ଧୁ ଆମହାର୍ତ୍ ମୋତେ ଯଥେଷ୍ଟ ସାହାଯ୍ୟ କଲେ । କେବଳ ତାଙ୍କରି ଯୋଗୁଁ ହିଁ ଏହି ସ୍ଥାନ ଏକ ସ୍ୱାଧୀନ କର୍ମକ୍ଷେତ୍ରରେ ପରିଣତ ହେଲା ଓ ତା'ର ଦ୍ରୁତପ୍ରଗତି ମଧ୍ୟ ପରିଲକ୍ଷିତ ହେଲା । ଶାନ୍ତିନିକେତନ ସହିତ ଏହାକୁ ଏକାଠି କରି ଗଣିବା ଉଚିତ ହୋଇ ନ ଥାନ୍ତା ।
ଆପଣମାନକୁ ମୋର ଆଉ ଗୋଟିଏ କଥା କହିବାକୁ ଅଛି । ଆମେ ଦେଖିବା ଉଚିତ ଯେ ଲୋକଙ୍କ ମଧ୍ୟରୁ ଗୋଟିଏ ଶକ୍ତି ଆସି କାମ କରିବାକୁ ଆରମ୍ଭ କରିଛି । "ସ୍ୱଦେଶ ସମାଜ" ଲେଖିବା ସମୟରେ ସେହି ଚିନ୍ତା ହିଁ ମୋ ମନରେ ଆସିଥିଲା । ସେତେବେଳେ ମୁଁ କହିଥିଲି ଯେ ସମଗ୍ର ଦେଶ ବିଷୟରେ ଭାବିବା ଆମର ଦରକାର ନାହିଁ, ଏବଂ ଗୋଟିଏ ବା ଦୁଇଟି ଗ୍ରାମରେ ଆମେ ଆମର କାର୍ଯ୍ୟ ଆରମ୍ଭ କରିଦେବା । ଯଦି ଆମେ ଗୋଟିଏ ଗାଁକୁ ମଧ୍ୟ ଅସହାୟତା ଓ ଅଜ୍ଞତାର ଶୃଙ୍ଖଳା ଭିତରୁ ମୁକ୍ତ କରିଦେଇ ପାରିବା, ତାହାହେଲେ ସମଗ୍ର ଭାରତ ପାଇଁ ଗୋଟିଏ ଆଦର୍ଶ ପ୍ରତିଷ୍ଠିତ ହୋଇପାରିବ । ସେତେବେଳେ ତାହା ହିଁ ମୁଁ ଭାବିଥିଲି ଏବଂ ଏପର୍ଯ୍ୟନ୍ତ ମଧ୍ୟ ମୁଁ ତାହା ଭାବୁଛି । ଏହି ପ୍ରକାରେ ଅଳ୍ପ କେତୋଟି ଗାଁ ଅନ୍ତତଃ ପୁନର୍ଗଠିତ ହୁଅନ୍ତୁ, ଏବଂ ମୁଁ କହିବି ସେଗୁଡ଼ିକ ହିଁ ମୋର ଭାରତବର୍ଷ, ପ୍ରକୃତ ଭାରତବର୍ଷକୁ ଆବିଷ୍କାର କରିବାର ତାହା ହିଁ ହେଉଛି ଯଥାର୍ଥ ମାର୍ଗ ।