ଦ୍ୱିତୀୟ ଦୃଶ୍ୟ — ଉତ୍କଳ-ଗୌରବ — ଅଶ୍ୱିନୀକୁମାର ଘୋଷ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଦୃଶ୍ୟ
-ମୁକୁନ୍ଦର ଗୃହ ସମ୍ମୁଖ ରାସ୍ତା-
(ମୁକୁନ୍ଦ ଓ ସମରେନ୍ଦ୍ର କଥାବାର୍ତ୍ତା କରୁ କରୁ ପ୍ରବେଶ କଲେ)
ସମରେନ୍ଦ୍ର – ସା’ନ୍ତ ।
ମୁକୁନ୍ଦ – ପୁଣି ‘ସାନ୍ତେ’ ? ମୁଁ ଯେ ତବ ତୋର ଭାଇ, ସମରେନ୍ଦ୍ର-
ସମରେନ୍ଦ୍ର – ନା, ନା-
ମୁକୁନ୍ଦ – ତା’ ହେଲେ ମୋ ସଙ୍ଗେ ତୋ’ର କୌଣସି-
ସମରେନ୍ଦ୍ର – ନା, ନା- ତଡ଼ିଦିଅନା-ତୁମକୁ ଛାଡ଼ି ଯେ-
ମୁକୁନ୍ଦ – ପୁ’ଣି ‘ତୁମକୁ’-?
ସମରେନ୍ଦ୍ର – ଭାଇ । ଭାଇ । ଏତେ ଆପଣାର ତୁହି-
ମୁକୁନ୍ଦ – ପୁଣି ସେହି ‘ଆପଣାର’ କହୁଚ ?- ଆରେ, ଏ’ ଦୁନିଆରେ ଆପଣାର ବୋଲି ଯାକୁ ଭାବୁ, ସେହି ଯେ ତୋର-
ସମରେନ୍ଦ୍ର – ‘ତଣ୍ଟିକଟା’- ଠିକ୍ କହିଚୁ, ଭାଇ ।-ସେହି ଦୁଷ୍ଟ ଚମ୍ପିକୁ ଆପଣାର ଭାବି ସିନା, ତୋ’ ପରି ବନ୍ଧୁର-
ମୁକୁନ୍ଦ – ଭୁଲ,ଭୁଲ, ଭାଇ- ଏ’ ବନ୍ଧୁକୁ ତୋ’ର ତା’ହେଲେ ଆଦୌ ଚିହ୍ନି ନାହୁଁ - ଦୁଷ୍ଟା ଚମ୍ପିତ ଛାର-ନରକର ସୟତାନ ବୋଧ ହୁଏ ତା’ ସଙ୍ଗେ- (କହୁ କହୁ ମନସ୍କ ହେଲେ)
ସମରେନ୍ଦ୍ର – ନା, ନା, ଭାଇ ସ୍ୱର୍ଗର ଦେବତା ବୋଧହୁଏ-ବୋଧହୁଏ କାହିଁକି - ନିଶ୍ଚୟ ସରି ହେବ ନାହିଁ- ଯେଉଁ ଭାଇର ପ୍ରାଣନାଶ କରିବାକୁ ନରହନ୍ତା ମୁହିଁ ଶତ୍ରୁ ସଙ୍ଗେ ମିଶି, ଷଡ଼ଯନ୍ତ୍ର କରିଥିଲି, ସେହି ଦେବତାଧିକ ଭାଇ ଯୋଗୁଁ ସିନା ବିଶ୍ୱାସଘାତକ ମାନଙ୍କର ଗୁପ୍ତଛୁରିକା ଗ୍ରାସରୁ ଏ’ ପାପୀ ନାରକୀ ଆଜି ପ୍ରାଣ ପାଇଛି - ଆଶ୍ରୟ ପାଇଛି - ଜୀବିକା ଉପାର୍ଜନ ଆଶା ମଧ୍ୟ-
ମୁକୁନ୍ଦ – ବୃଥା ପ୍ରଶଂସାର ପ୍ରୟୋଜନ ନାହିଁ, ଭାଇ-ପ୍ରଭୁଙ୍କୁ ଡ଼ାକି, କିପରି ସେ ବର୍ତ୍ତମାନ ତୋ’ର ଜୀବିକାର ଉପାୟ କରିଦେବେ ।
ସମରେନ୍ଦ୍ର – ଅନ୍ୟ ପ୍ରଭୁ ମୁଁ ଜାଣେନାହିଁ, ଭାଇ - ମୋ’ର ପ୍ରଭୁ ଯେ, ସେ ମୋ’ର ସମ୍ମୁଖରେ । (ପ୍ରଣାମ କରିବାକୁ ଗଲେ)
ମୁକୁନ୍ଦ – ଛି, ଭାଇ- ଏ’ପରି କହି ପରସ୍ପର ପାପମାତ୍ରା ବଢ଼ାଇ ଦେ’ନା - ସେନାପତି ଫେରି ଆସନ୍ତୁ, କୁହାପୋଛା କରି ନିଶ୍ଚୟ ତୋତେ-
ସମରେନ୍ଦ୍ର – ଭାଇ । ଭାଇ । ଅନନ୍ତକୁ ଏ’ ପାପମୁଖ ଦେଖାଇବି କିପରି ?- କି ଗୁଣ ଦେଖି ବା ମୋ’ର-
ମୁକୁନ୍ଦ – ଏ’ ଯୁଦ୍ଧରେ କ’ଣ ମୁଁ କିଛିହେଲେ ପୁରସ୍କାର ଯୋଗ୍ୟ ଗୁଣ ଦେଖାଇ ନାହିଁ, ଭାଇ ?-ତା’ରି ବିନିମୟରେ ତୋତେ ନିଶ୍ଚୟ ଗୋଟାଏ ପଦ-
ସମରେନ୍ଦ୍ର – ମୁକୁନ୍ଦ । ମୁକୁନ୍ଦ । ତୁମ୍ଭେ ଏଡ଼େ ମହତ୍ ।
ମୁକୁନ୍ଦ – ‘ମହତ୍’ । ‘ମହତ୍।-ଭାଇ । ଭାଇ । ହାତଧରୁଚି ତୋ’ର- ଏ’ ଶବ୍ଦଟି ଆଉ କେବେ ପ୍ରୟୋଗ ନ କରୁ ଯେମନ୍ତ-ଏହାର ଗୋଟାଏ ଗୋଟାଏ ଗୁଳି ପରି ମୋର ମର୍ମସ୍ଥଳକୁ କ୍ଷିନ୍ନ, ଭିନ୍ନ କରୁଚି- (କିଛିକ୍ଷଣ ନୀରବ ରହି ପରେ ହଠାତ୍) ଭାଇ । ତୁ ଘରେ ଥା କି, ମୁଁ ସେନାନିବାସ ପରିଦର୍ଶନ କରି ଆସେଁ । (ଗମନୋଦ୍ୟତ)
ସମରେନ୍ଦ୍ର – ଏ’ ଗଳଗ୍ରହଟାକୁ ନେଇ ଯେତିକି ହଇରାଣ ସିନା - ତା’କୁ ଅନ୍ୟ ଉପାୟରେ ମୁକ୍ତି ଦେଲେ ହୁଅନ୍ତା ନାହିଁ, ଭାଇ ।
(ଦୌଡ଼ ପ୍ରସ୍ଥାନ କଲା)
ମୁକୁନ୍ଦ – ‘ମୁକ୍ତି !’ ଓ ମୁକ୍ତା- ମୁକ୍ତା । -ମୋର ମୁକ୍ତି କି ନାହିଁ ?- ନା-ନା- ତୁହି ଯେ ମୋର ମୁକ୍ତି । -ତୋ’ର ସ୍ମୃତି ଯେ ମୋର ମୁକ୍ତି ! ତୁହି ଯେ ଜୀବନେ ମରଣେ ମୋ’ର ହୃଦୟର ଚିରୋଜ୍ୱଳ ମୁକ୍ତ ।
(ପ୍ରସ୍ଥନୋଦ୍ୟତ)
ନେପଥ୍ୟ ଜୟ ସେନାପତି ମକୁନ୍ଦଙ୍କ ଜୟ ।
ମୁକୁନ୍ଦ – ଏ’ କଣ ।- – (ସୈନିକଗଣସହ ଅନନ୍ତ ସିଂହଙ୍କ ପ୍ରବେଶ)
ମୁକୁନ୍ଦ – ସେନାପତି-।
ଅନନ୍ତ – ପୁଣି ସେହି ସମ୍ବୋଧନ, ଭାଇ ?
ମୁକୁନ୍ଦ – ଭାଇ । ଭାଇ । (କୁଣ୍ଢାଇ ପକାଇଲେ)
ଅନନ୍ତ – ବେଶ୍ଏ’ ତରବାରୀ ଆଉ ପଗଡ଼ି ଧଇଲ- ବୋହି ବୋହି ମା’ ହାତ ପରାଶ୍ ହୋଇଗଲାଣି ।
ମୁକୁନ୍ଦ – (ସାଶ୍ଚର୍ଯ୍ୟେ ଚାହିଁଲେ)
ଅନନ୍ତ – ଚାହୁଁଚ କ’ଣ ?- ତୁମେ ସାରଙ୍ଗଗଡ଼ର ସେନାପତି ।
ମୁକୁନ୍ଦ – ‘ସାରଙ୍ଗଗଡ଼ର ସେନାପତି ।’-ଗୋବିନ୍ଦ ବିଦ୍ୟାଧର -?
ଅନନ୍ତ – ସେ ଯେ ବର୍ତ୍ତମାନ ମନ୍ତ୍ରୀ ।-ଆତ୍ମାର ବୁଢା ମନ୍ତ୍ରୀ କ’ଣ ଆଉ ଅଛନ୍ତି ।
ଅନନ୍ତ – ପିଶାଚ କୃଷ୍ଣରାୟ, ଗୋପନରେ ଶିବରରେ ପଶି, ସାମାନ୍ୟ ପଶୁପରି ନିଜହସ୍ତରେ ତାଙ୍କୁ ବଧ କରିଛି । ଏହି ସଂବାଦରେ ହଠାତ୍ କୌଣସି ପ୍ରକାର ବିଶୃଙ୍ଖଳା ଘଟିବା ଆଶଙ୍କାରେ କଥାଟା ରାଜାଙ୍କର କଠିନାଦେଶରେ ଗୋପନ ରଖା ହୋଇଥିଲା ମାତ୍ର ।
ମୁକୁନ୍ଦ – (କର ତାଳୁରେ ଅଙ୍ଗୁଳି ସଞ୍ଚାଳନ କରୁ କରୁ କ୍ରୁଦ୍ଧ ଦୃଷ୍ଟିରେ)- ଏ’ ପର୍ଯ୍ୟନ୍ତ ପିଶାଚଟା ଜୀବିତ ଅଛି ନା ?
ଅନନ୍ତ – ନିଅ, ନିଅ ଏବେ ଧଇଲ -
ମୁକୁନ୍ଦ – (ମୁକୁନ୍ଦ ଗ୍ରହଣକରି) ଭାଇ । ଭାଇ । ସେହି ପିଶାଚର ରକ୍ତରେ ଏ’ ଅସିର ଉଦ୍ବୋଧନ କ୍ରିୟା ସଂପାଦନ କଲେ ହୁଅନ୍ତା ନାହିଁ ?
ଅନନ୍ତ – ସେ ତୁମର ବେପାର କଥା, ତୁମେ ଭଲ ବୁଝିବ-ଛାଡ଼, ଆସିଲେ ଅନେକ ଗୁରୁତର କଥା ଅଛି ।
ମୁକୁନ୍ଦ – ମୋତେ ଯେ ସେନାନିବାସ ପରିଦର୍ଶନ-
ଅନନ୍ତ – ବେଶ୍ ଚାଳନା- ବାଟରେ ଯାଉଁ ଯାଉଁ ତ ଭଲ ହେବ (ମୁକୁନ୍ଦର କାନ୍ଧରେ ହାତ ପକାଇ ଉଭୟେ ପ୍ରସ୍ଥାନୋଦ୍ୟତ)
ସୈନ୍ୟଗଣ – ଜୟ ସେନାପତି ମୁକୁନ୍ଦଦେବଙ୍କର ଜୟ ।
ଅନନ୍ତ – ଭାଇ ! ତୁମର ପୂରା ନା’ଟି କଣଟି । କିନ୍ତୁ ‘ତେଲେଙ୍ଗା ମୁକୁନ୍ଦ’ ନା’ଟି ତୁମର ଆଉ ଯାଉ ନାହିଁ । ମଣିମା ଆମର ଆଚ୍ଛା ଆଖ୍ୟା ଦେଇ ଦେଲେଣି- ଆଚ୍ଛା, ଭାଇ ! ମୁକ୍ତାଦେବୀଙ୍କ ଘର ପରା ତୁମର ଏକା ଗାଁରେ ?
ମୁକୁନ୍ଦ – (ଦୀର୍ଘନିଃଶ୍ୱାସ ଛାଡ଼ିଲେ, କିନ୍ତୁ ହୃଦୟଭାର ଜାଣିବାକୁ ଦେଲେ ନାହିଁ) ହଁ-(ବହୁକଷ୍ଟ ଉତ୍ତରଟି ଦେଲେ)
ଅନନ୍ତ – ତା’ ସଙ୍ଗେ କ’ଣ ବିବାହ ତୁମର-
ମୁକୁନ୍ଦ – (ସଂଯତ କରି ନେଇ ସହଜଭାବରେ କହିବାକୁ ଚେଷ୍ଟା କଲେ, ହୋଇ ନ ଥିଲା - ସେ ଥିଲା ଭାର ବଡ଼ଲୋକର ଝିଅ ମୁଁ ଥିଲି ଭାରି ଗରିବ ମୋ ସଙ୍ଗେ ତାର ଘନିଷ୍ଠତା ଦେଖି, ତା’ର) ବାପ ନାନା ଷଡ଼ଯନ୍ତ୍ର କରି ମୋତେ ନିର୍ବାସିତ କରାଇଥିଲେ ଆଉ ତା’ ପ୍ରତି କି ଯେ ଅମାନୁଷିକ ଅତ୍ୟାଚାର କରିଥିଲେ ।- (ଆଖି ଛଳ ଛଳ ହୋଇ ଉଠିଥିଲା)
ଅନନ୍ତ – ପ୍ରକୃତରେ, ଭାଇ ଏପରି ନିଃସ୍ୱାର୍ଥ ପ୍ରେମ ଏ’ ଜଗତରେ ଦୁର୍ଲଭ ।
ମୁକୁନ୍ଦ – ଏ’ ପାପୀ ତା’ର ମର୍ଯ୍ୟଦା କ’ଣ ବୁଝିବ ?(ଲୁହ ପୋଛି ପକାଇଲେ)
ଅନନ୍ତ – ଏ’ କଣ କରୁଚି ମୁଁ । (ଚମକି ଉଠିଲେ)
ମୁକୁନ୍ଦ – ଏ’ ପରି ଚମକି ଉଠିଲ କାହିଁକି, ଭାଇ ?
ଅନନ୍ତ – ଭାଇ । ଭାଇ । କ୍ଷମା କର- ଏ’ ଅତୀତ କଥା ଉତ୍ଥାପନ କରି ତୁମ ମନରେ ଭାରୀ କଷ୍ଟ ଦେଇଚି ।
ମୁକୁନ୍ଦ – କୌଣସି କଷ୍ଟ ନାହିଁ, ଭାଇ-ମୁକ୍ତା ଯେ ବର୍ତ୍ତମାନ ମୋର ହୃଦୟର ମୁକ୍ତା-ତା’ର ସମୁଜ୍ୱଳାଲୋକରେ ସେ ଯେ ମୋ’ର ବାଟ କଢ଼ାଇ ଚାଲିଚି- ଆସ, ଭାଇ । (ପ୍ରସ୍ଥାନ) ଅନନ୍ତ- ମୁକୁନ୍ଦର ଏ’ପରି ଭାବତ ମୋ’ର ଉଦ୍ଦେଶ୍ୟରେ ମହାନ୍ ପ୍ରତିବନ୍ଧକ -କୃଷ୍ଣା ସଙ୍ଗେ ତା’ର ପରିଣୟ ଯେ ଅବଶ୍ୟ କର୍ତ୍ତବ୍ୟ ମୋ’ର ।
ସମରେନ୍ଦ୍ର – କି ଆନନ୍ଦ- ମୁକୁନ୍ଦ ସେନାପତି- ମୁକୁନ୍ଦ ସେନାପତି ।-ଏ’ କଣ ମୁକୁନ୍ଦ ପୁଣି ଫେରିଲା କାହିଁକି-ସଙ୍ଗେ ଅନନ୍ତ ଯେ (ଦୂତ ପ୍ରସ୍ଥାନ କଲେ)
(ମୁକୁନ୍ଦ ଶଶବ୍ୟସ୍ତେ ଫେରି ଆସିଲେ ପରେ ପରେ ଅନନ୍ତ)
ମୁକୁନ୍ଦ – ଅନନ୍ତ । ଅନନ୍ତ । ଏ’ କଥା ଯଦି ତୁମେ ପୁଣି କୁହ, ତା ହେଲେ ଜାଣିବ ତୁମପରି ଦ୍ୱିତୀୟ ଶତ୍ରୁ ଆଉ ମୋ’ରି ନାହିଁ-(ଅନନ୍ତ ଶାନ୍ତ କରାଉଥିଲେ) ଏହି ନିଅ ଫେରାଇ ତୁମର ତରବାରୀ, ଆଉ ଶିରସ୍ତ୍ରାଣ- ଏ’ ପଦରେ ମୋ’ର ଲେଶମାତ୍ର ପ୍ରୟୋଜନ ନାହିଁ ।
ଅନନ୍ତ – ତା ଯା’ଙ୍କର ଦାନ ତାଙ୍କୁ ଫେରାଇ ଦେବନା-?
ମୁକୁନ୍ଦ – ହାତ ଧରି କହୁଚି, ଭାଇ । ଏ’ ପବିତ୍ର ସ୍ମୃତିରେ ମୋ’ର, ଏ’ପରି କହି ଆଉ କଳଙ୍କ ଯେପରି ଲେପନ ନ କର -
ଅନନ୍ତ – ହେଲା, ମୋ’ରି ଦୋଷ ।(ଗମନୋଦ୍ୟତ ହେଲେ)
ମୁକୁନ୍ଦ – ଭାଇ । ଗୋଟାଏ ଉତ୍ତେଜନାରେ ଗାରି କଟୁ କଥା କହି ପକାଇଚି - (ହାତଧରି ପକାଇବା)
ଅନନ୍ତ – ଏ’ ଓଲଟା କଥା କିପରି ମ ?
ମୁକୁନ୍ଦ – ହଁ, ସମରେନ୍ଦ୍ର କଥାଟା-
ଅନନ୍ତ – ମୁଁ କ’ଣ କରିପାରିବ ଭଲା- ତା ବିରୁଦ୍ଧରେ ତ ଅଭିଯୋଗର ହିମାଳୟ । (ମନେ ମନେ ହସି ଚାଲିଯିବାର ଛଳନା କରୁଥିଲା ପରା)
ମୁକୁନ୍ଦ – ଭାଇ । ସେ ଭାରୀ ଅନୁତପ୍ତ - ପୂର୍ବ କଥା ପାଶୋରି ଯାଇ ତା’କୁ ଯଦି ଗୋଟାଏ କାମରେ ରଖାଇ ଦିଅନ୍ତି - ଆଉ ସେଥିଲାଗି ମୋତେ ଯାହା-
ଅନନ୍ତ – କିପରି ସମ୍ଭବ ?- ଆଚ୍ଛା, କରାଇ ଦେଲେ ମୋ’ତେ କ’ଣ ଦେବ-?
ମୁକୁନ୍ଦ – ଏହି ମୁଁ ହାତ ଦେଉଚି ।
ଅନନ୍ତ – ମୁଁ ଆଜି ବ୍ୟବସ୍ଥା ନ କରି ଛାଡ଼ୁଚି - କିନ୍ତୁ ଦେଖ, ଭାଇ ପ୍ରତିଜ୍ଞାଟି ତୁମର ଯେପରି ପାଶୋରି ନ ଯାଅଟି ।
ମୁକୁନ୍ଦ – ଯାହା ମାଗିବାର, ଏହିକ୍ଷଣି କୁହନା ଭାଇ- ଏଥିପାଇଁ ଯଦି ଆତ୍ମଦାନ କରିବାକୁ ହୁଏ-
ଅନନ୍ତ – (ସସ୍ମିତେ) ତା’ ହେଲେ ମୋ’ର କ’ଣ ଟିକିଏ ହୋଇ ଆତ୍ମସମ୍ମାନ ଜ୍ଞାନ ନାହିଁ, ଭାଇ-
ମୁକୁନ୍ଦ – କି ଧନ୍ୟବାଦ ତୁମକୁ ଦେବି, ଭାଇ ?
ଅନନ୍ତ – ବହୁତ୍ ସମୟ ଅଛି, ଭାବି ଠିକ୍ କରି ରଖ ନା- ?
(ଉଭୟଙ୍କର ବିପରୀତ ଦିଗେ ପ୍ରସ୍ଥାନ ବେଳେ ଅନନ୍ତ ମୁକୁନ୍ଦଆଡ଼େ ସସ୍ମିତେ ଚାହିଁ ଚାଲିଗଲେ)
ମୁକୁନ୍ଦ – ମ, ମ-ମୁଁ ଯେ ରସଦ୍ଘର ଚାବିଟା ଛାଡ଼ି ଆସିଲି-
(କୃଷ୍ଣାର ଯୋଦ୍ଧବେଶେ ଦ୍ରୁତ ପ୍ରବେଶ)
କୃଷ୍ଣା – (କାତରଭାବେ) ସର୍ବନାଶ, ସେନାପତି ।-
ମୁକୁନ୍ଦ – (ନିର୍ବାକ୍ଭାବେ ଚାହିଁଲେ)
କୃଷ୍ଣା – (ସଲଜ୍ଜେ ମୁଖ ଫେରାଇ, ଅନୁଚ୍ଚସ୍ୱରେ) କାହାନ୍ତି ଅନନ୍ତ ସିଂହ ?- (କିନ୍ତୁ ସ୍ଥାନ ଛାଡ଼ି, ଛାଡ଼ି ପାରୁ ନ ଥିଲେ)
ମୁକୁନ୍ଦ – (କିପରି ବିଭ୍ରାନ୍ତ ଓ ସ୍ୱେଦାପ୍ଳୁତ ହୋଇ) ଅନନ୍ତସିଂହ-ହଁ- ଏହିଠି-ବର୍ତ୍ତମାନ ନା, ନା-ଏହିଆଡ଼େ -
କୃଷ୍ଣା – ଭାରୀ ସର୍ବନାଶ ।-ପିତା ବନ୍ଦୀ-।
(ଅନନ୍ତ ସିଂହଙ୍କ ବେଗେ ପ୍ରବେଶ)
କୃଷ୍ଣା – (ସକାତରେ) ପିତା ବନ୍ଦୀ-କ’ଣ କରାଯିବ ଭାଇ ?
ଅନନ୍ତ – କିଛି ଚିନ୍ତା ନାହିଁ, ଭଉଣି- ମୁଁ ମୁକୁନ୍ଦକୁ ଅବିଳମ୍ବେ ପଠାଇ ଦେଉଚି- ଉଃ, କି ବିଶ୍ୱାସ ଘାତକ ସେହି କୃଷ୍ଣରାୟ-ସନ୍ଧି ହେଲା ପୁଣି ଯୁଦ୍ଧ ।-ମହାରାଜା ଯାହା କହୁଥିଲେ, ତାହା ଯେ ଅକ୍ଷରେ ଅକ୍ଷରେ ସତ୍ୟ ଦେଖୁଚି- ଚାଲ, ଭଉଣୀ-
କୃଷ୍ଣା – ନା- ନା- ମୁଁ ଫେରିଯିବି ନାହିଁ - ମୁଁ ଯିବି ବୋଲି ତ ପ୍ରସ୍ତୁତ ହୋଇ ଆସିଛ- ପିତା ନିଶ୍ଚେ ମୋତେ ଦେଖିବାକୁ ବ୍ୟାକୁଳ ହେଉଥିବେ ।
ଅନନ୍ତ – ବେଶ୍ ମୁଁ ବନ୍ଦୋବସ୍ତ କରି ଦେଉଚି-ମୁକୁନ୍ଦ । ଯାଅ ତୁମେ ଶୀଘ୍ର ପ୍ରସ୍ତୁତ ହୋଇ ଆସ ମୁଁ ସେନା-ନିବାସକୁ ଥରେ-
କୃଷ୍ଣା – ଶୀଘ୍ର, ଶୀଘ୍ର ଚାଲ, ଭାଇ- (ଉଭୟଙ୍କ ପ୍ରସ୍ଥାନ)
ମୁକୁନ୍ଦ – ମୁକୁନ୍ଦ । ମୁକୁନ୍ଦ ।-ମୁକ୍ତା-ମୁକ୍ତା- ଆଲୋକ -ଆଲୋକ-(ବେଗେ ପ୍ରସ୍ଥାନ)
ପ୍ରଥମ ଦୃଶ୍ୟ
-ଦାକ୍ଷିଣାତ୍ୟ ଯୁଦ୍ଧକ୍ଷେତ୍ରସ୍ଥ ଉତ୍କଳ ଶିବିର-
(ସୁସଜ୍ଜିତା କୃଷ୍ଣା ଆନନ୍ଦରେ ଗଦ୍ଗଦ୍ ହୋଇ ପ୍ରବେଶ କଲେ- ପଛେ ପଛେ ପ୍ରତାପ । ପ୍ରତାପର ପୂର୍ବ ପ୍ରତାପ ଯେମନ୍ତ ମଳିନ ହୋଇ ଯାଇଚି)
ପ୍ରତାପ – ଏତେ ହସୁଚ, କୃଷ୍ଣା ?
କୃଷ୍ଣା – (ଆହୁରି ହସିବାକୁ ଲାଗିଲେ)
ପ୍ରତାପ – ଛି, କୃଷ୍ଣା- ହସି ହସି ପେଟ ତୋ’ର ପରାସ ହୋଇଯିବ ଯେ-
କୃଷ୍ଣା – ଯାଉ-ଯାଉ-ପ୍ରାଣ ସୁଦ୍ଧା-ନା, ନା, ତା’ହେଲେ ହସିବ କିଏ ?- ହସାଇବ କିଏ ?
(ଆହୁରି ସଜୋରେ ହସିବାକୁ ଲାଗିଲେ)
ପ୍ରତାପ – ଏ’ କଣ, କୃଷ୍ଣା ? ମୁଣ୍ଡ ତୋ’ର ଖରାପ ହୋଇଯାଇଚି ନା କ’ଣ ?
କୃଷ୍ଣା – କହିଲ, ବାବା । ଆଜିକା ଭଳି ଦିନ ଆଉ ମିଳିବ ନା, ? (ହସିବା)
ପ୍ରତାପ – ଏ’ କେତେଟା ଦିନରେ ତୁ ଏମିତିକା ବେହିଆ ପାଲଟି ଗଲାଣି ନା ?
କୃଷ୍ଣା – କ୍ଷମା କର, କ୍ଷମା କର, ବାବା-ମୁଁ ଯେ ଆଦୌ ସମ୍ଭାଳି ପାରୁ ନାହିଁ- (ହାସ୍ୟ କରିବା)
ପ୍ରତାପ – କିଛି ମୁଁ ବୁଝି ପାରୁନାହିଁ ତୋ’ର ମତି ଗତି ଗୋଟାଏ ରୋଗ ନା କ’ଣ- ଆଗେତ ଏ’ପରି ଲକ୍ଷଣ କେବେ ଦେଖା ନ ଥିଲା-କାହିଁ, ଏଠିବିତ-କାଲି-ପରଦିନ- କାହିଁକି, ଏହି ଘଡ଼ିକ ଆଗେ ତ ଆଜି, କିଛି-
କୃଷ୍ଣା – (ହସୁ ହସୁ) ହଠାତ୍।- ହଠାତ୍, ବାବା । - କେମିତିକା ଏକାବେଳକେ ହଠାତ୍ ବଦଳି ଗଲା-ସବୁ ଶୂନ୍ଶାନ- ଆଉ କ’ଣ ଶତ୍ରୁ କାହାରି ଉପରେ ଅତ୍ୟାଚାର କରିବାକୁ ଧାଇଁ ଆସୁଚି ?- ଘର ଦ୍ୱାର ଜାଳି ପୋଡ଼ି ଦେଉଚି-?-ପିଲା ଛୁଆ ହାଣି କାଟି ପକାଉଚି ?- ଦୋକାନ ବଜାର ଲୁଟ୍ପାଟ କରି ନେଉଚି ?- ବିଲବାଡ଼ି ଓଜାଡ଼ି ଘେନି ପଳାଉଚି ?- କେମିତିକା -କେମିତିକା, ବାବା-ଗୋଟାଏ ଫୁଙ୍କରେ ଯେମିତିକା ସବୁ ଚୁପ୍ଚାପ୍- ନୁହେଁ, ବାବା ?- ହାଃ-ହାଃ-ହାଃ- (ହସି ଅସ୍ଥିର ହୋଇଗଲା)
ପ୍ରତାପ – ସେଇଥିପାଇଁ ଏତେ ଖୁସୀ ତୁ, ମା ?- ତା’ହେଲେ ସେ ପାଷାଣ୍ଡକୁ ଆଦୌ-
କୃଷ୍ଣା – ଚିହ୍ନି ନାହିଁ ?-ମୁଁ ? -ହାଃ- ହାଃ- ହାଃ-(ହସିବାକୁ ଲାଗିଲେ)
ପ୍ରତାପ – (ବିରକ୍ତରେ) ଯା, ଯା, ଭିତରକୁ ଗଲୁ- ଭାରି ବେହିଆ ତୁ ପାଲ୍ଟି
କୃଷ୍ଣା – (ହସୁ ହସୁ) ଯାଉଚି, ଯାଉଚି, ବାବା-କିନ୍ତୁ, ବାବା, ଯେଉଁ ଦକ୍ଷିଣୀପାଟ କଥା କହିଥିଲି-
ପ୍ରତାପ – ହଁ, ହଁ, ମନେଅଛି ମୋ’ର-ଗଲୁ-ଗଲୁ ତୁ-
କୃଷ୍ଣା – -(ହସୁ ହସୁ) ତା’ ହବ ନାହିଁ- ଏହିକ୍ଷଣି ଯେ ମୋ’ର ଦରକାର ।
ପ୍ରତାପ – ଏହିକ୍ଷଣି ! କୃଷ୍ଣା ! କୃଷ୍ଣା ! ବୁଦ୍ଧି ଶୁଦ୍ଧୀ କ’ଣ ତୋ’ର ସବୁ ଲୋପ ପାଇଲାଣି-ବର୍ତ୍ତମାନ କଣ ତୋ’ର ଆମୋଦ ପ୍ରମୋଦ କରିବାର ବେଳ ?-କାହିଁ ଲୋକେ ଖାଇବାକୁ ନ ପାଇ ମରୁଛନ୍ତି-ପିନ୍ଧିବାକୁ ନ ପାଇ ଲୁଚୁଛନ୍ତି ।-
କୃଷ୍ଣା – (ହସୁ ହସୁ) ମୋ’ର ସେଥିରେ କ’ଣ ?- ମୋ’ର ପାଟ ଦରକାର ।
ପ୍ରତାପ – ଏହିକ୍ଷଣି ତ ଶତ୍ରୁର ଅତ୍ୟାଚାର ବନ୍ଦଅଛି ବୋଲି, ଖୁସୀ ହେଉଥିଲୁ ପରା ?- ନିଶ୍ଚେ ତୋ’ର ମୁଣ୍ଡ ବିଗ୍ଡ଼ି ଯାଇଛି । କ’ଣ କରୁଛ -
କୃଷ୍ଣା – (କ୍ରନ୍ଦନର ସୁର କରି) ଉଁ- ଉଁ-ମୁଁ କାନ୍ଦିବି-ମୋତେ ପାଟ ଆଣି ନ ଦେଲେ- ଉଁ-ଉଁ-
କୃଷ୍ଣା – (ସେହିପରି କାନ୍ଦୁଥିଲେ)
ପ୍ରତାପ – ଏ’ ତୋ’ର କ’ଣ ହେଲା, ମା ? - କାନ୍ଦନା, ମା- ମୁଁ ଏହିକ୍ଷଣି ଅଣାଇ ଦେଉଛି-
କୃଷ୍ଣା – (ହସି ହସି) ଆଉ ଫୁଲାଇ ହାର, ବାବା ?-
କୃଷ୍ଣା – (ସେହିପରି ହସି ହସି) ଠିକ୍ ଯେମିତିକା ମୁଁ ବରାଦ୍ କରିଥିଲି, ବାବା-
ପ୍ରତାପ – ଏତେ ସଉଖିନ୍ ତୁ କେବେଠୁଁ -
କୃଷ୍ଣା – (କେବଳ ଜୋରେ ହସିବାକୁ ଲାଗିଲେ ‘ସଉଖିନ୍’- ‘ସଉଖିନ୍’-)
ପ୍ରତାପ – କାହିଁ ଦିନେତ କେବେ-। -ଏ’ କ’ଣ ପାଗଳାମି ?-
କୃଷ୍ଣା – ଆଣିଦେବ ନାହିଁ, ବାବା -ଉଁ-ଉଁ (ଜିଗର ଧରି କାନ୍ଦିଲେ)
ପ୍ରତାପ – ଅଣାଇ ଦେବି, ଅଣାଇ ଦେବି, ମା-ତୁ ଆଉ-
କୃଷ୍ଣା – ଉଁ-ଉଁ-ତା’ ହବନାହିଁ- ତୁମେ ଆସ ଏହିକ୍ଷଣି- ମୋ’ରି ସାମ୍ନାରେ ବରାଦ୍ କରିବ-ହଁ-
ପ୍ରତାପ – (ସ୍ୱଗତ) ଏ’ ନିଶ୍ଚୟ ବୟସର ରୋଗ -। (ଦୀର୍ଘନିଃସ୍ୱାସ ତ୍ୟାଗକଲେ)
କୃଷ୍ଣା – ଭାବୁଚ ଏତେ କ’ଣ, ବାବା ? ମୁଁ କ’ଣ ସହଜେ ଛାଡ଼ୁଛି ?
(ସେହିପରି ହସୁ ହସୁ ପ୍ରତାପଙ୍କ ହାତ ଧରି ଟାଣି ଘେନି ଗଲେ)
(ମୁକୁନ୍ଦ ଓ ସମରେନ୍ଦ୍ରର ପ୍ରବେଶ)
ମୁକୁନ୍ଦ – ସମରେନ୍ଦ୍ର । ଭାଇ । ତୋ’ରି ଯୋଗୁଁ ଆଜି ମୁଁ ମୁକ୍ତ ବନ୍ଦୀ ସିନା ।
ସମରେନ୍ଦ୍ର – ଦୈବ ସହାୟ, ଭାଇ-ଆଉ, ଯଦିବା ମୋ’ରି ଯୋଗୁଁ ହୋଇଥାଏ ଭାଇ, ନିଜର ଶିକ୍ଷା ଦାନର ପ୍ରତିଦାନ ଦେଖି ନିଜେ ଆଶ୍ଚର୍ଯ୍ୟ ବୋଧ କରୁନାହିଁ କି ?
ମୁକୁନ୍ଦ – ମୋ’ର ଗୋଟାଏ ମହାଶିକ୍ଷା ଆଜି ଲାଭ ହୋଇଚି, ଭାଇ-ଭାଗ୍ୟ ଯେ କେତେବେଳେ କା’କୁ କଣ କରେ, ତା’ ଆଗହୁଁ ବୁଝିବା ଦୁରୂହ ।
ସମରେନ୍ଦ୍ର – କିନ୍ତୁ ମୁଁ ବୁଝୁଚି, ଭାଇ-ସବୁ ସଂସର୍ଗର ପ୍ରଭାବ-ସେହି ଦୁଷ୍ଟା ଚମ୍ପାର ସଂସର୍ଗ ଦୋଷର ସିନା-ମୁକୁନ୍ଦ- ଠିକ୍ କହିଚୁ ଭାଇ-ସଂସର୍ଗର ପ୍ରଭାବ । (ସ୍ୱଗତ) ମୁକ୍ତା ।-ମୁକ୍ତା- । ତୁମ୍ଭରି ସଂସର୍ଗ ଗୁଣରେ ସିନା ମୁଁ ଏପର୍ଯ୍ୟନ୍ତ ମୋ’ର ମର୍ଯ୍ୟାଦା ରକ୍ଷା କରିବାକୁ ସମର୍ଥ ହୋଇଚି ।-ମୁକ୍ତା ! ମୁକ୍ତା- ମୋ’ର ଜୀବନମରଣେ ହୃଦୟର ସମୁଜ୍ଜଳ ମୁକ୍ତା । (ଉର୍ଦ୍ଧ୍ୱକ ଏକ ଉଜ୍ଜ୍ୱଳ ଦୃଷ୍ଟିରେ ଚାହିଁ ରହିଲେ)
ସମରେନ୍ଦ୍ର – ମହାରାଜ ଏଣେ ଆସୁଛନ୍ତି, ଭାଇ ।
ମୁକୁନ୍ଦ – ଅନନ୍ତସିଂହ ଯେ । କଟକର ହଠାତ୍ ଆଗମନର କାରଣ ?
ସମରେନ୍ଦ୍ର – ଯଥାଶୀଘ୍ର- ଆସିବାପାଇଁ ରାଜାଦେଶରେ ସ୍ୱତନ୍ତ୍ରଭାବେ ଦୂତ ପଠାହୋଇଥିଲା ଯେ ।-
ମୁକୁନ୍ଦ – ମୋ’ରି ବନ୍ଦୀହେବା ଯୋଗୁଁ ପରା ?- – (ଶଶବ୍ୟସ୍ତେ ପ୍ରତାପରୁଦ୍ର ଦେବ ଓ ଅନନ୍ତସିଂହଙ୍କ ପ୍ରବେଶ ମୁକୁନ୍ଦ ଓ ସମରେନ୍ଦ୍ର ଅଭିବାଦନ କଲେ)
ପ୍ରତାପ – ଅନନ୍ତ ! ଆଉ ବିଳମ୍ବ ନୁହେଁ-ଆଜି- ଏହିକ୍ଷଣି-ତୁମ୍ଭ ସଙ୍ଗେ ମୁଁ ଏକମତ-ନିଶ୍ଚୟ ସେ ପ୍ରେମୋନ୍ନଦନୀ-ଏହି ଯେ
ମୁକୁନ୍ଦ – ମୁକୁନ୍ଦ ! ତୁମ୍ଭେ ମୋ’ ଶିବିରକୁ ଯାଇ ଅପେକ୍ଷା କର ।
(ମୁକୁନ୍ଦ ଓ ସମରେନ୍ଦ୍ର ପ୍ରସ୍ଥାନ କଲେ)
ଓଃ-ନରପିଶାଚ ପୁଣି ସନ୍ଧି ପ୍ରସ୍ତାବ ପଠାଇ ଥିଲା, କୃଷ୍ଣାର ସହିତ ବିବାହକୁ, ଗୋଟିଏ ଏବଂ ଏକମାତ୍ର ସନ୍ଧିସର୍ତ୍ତ କରି-କୃଷ୍ଣରାୟ । ଯୁଦ୍ଧାନଳରେ ମୋର ରାଜ୍ୟର ଯଥା ସର୍ବସ୍ୱ ଅବଲୀଳାରେ ବରଂ ଆହୁତି ପ୍ରଦାନ କରି ପାରେ, ମାତ୍ର ତୋ ପରି ପିଶାଚ ହସ୍ତରେ କନ୍ୟା ସମର୍ପଣ- ଅସମ୍ଭବ, ଅସମ୍ଭବ । ଅନନ୍ତ । ଆଉ ବିଳମ୍ବ ନୁହେଁ - ଶୀଘ୍ର ବିବାହର ଆୟୋଜନ କର- କନ୍ୟାର ଅଭିଳାଷ ପୂର୍ଣ୍ଣ ହେଉ - ମୁଁ ନିଶ୍ଚିତ ହୁଏ ।
ଅନନ୍ତ – ପୂର୍ଣ୍ଣମନସ୍କାମ ଏତେଦିନ ମୁହିଁ-ଚୂର୍ଣ୍ଣ ବାଧାବିଘ୍ନ ଯେତେ-ମୁକ୍ତ ପ୍ରେମବିହଙ୍ଗମ ଅନନ୍ତର ବକ୍ଷେ ।
(ମୁକୁନ୍ଦ ଶଶବ୍ୟସ୍ତେ ପୁନର୍ବାର ପ୍ରବେଶ କଲେ)
ମୁକୁନ୍ଦ – ଭାଇ । ଭାଇ । ରକ୍ଷା କର- ରକ୍ଷା କର -ବଞ୍ଚାଅ-ବଞ୍ଚାଅ ଏ’ ଅଧମକୁ । ଓଃ-ଏ’ ପାପ ପ୍ରାଣ ମୁଁ ଧାରଣ କରି ରହିଛି କିପରି ?- ହାୟ । ଯେଉଁ ଶତ୍ରୁ ତା’ର ବିଜୟ ପଥରେ ପ୍ରଧାନ କଣ୍ଟକ ମନେ କରି ମୋତେ ଉତ୍ପାଟିତ କରିବାକୁ ବସିଥିଲା, ସେ ବା ହଠାତ୍ ବନ୍ଦୀ ମୁକ୍ତ କଲା କାହିଁକି, ବିନା ଯୁଦ୍ଧରେ ?- କ’ଣ ଏହି ଜୀବନମୃତ୍ୟୁ ଯନ୍ତ୍ରଣା ମୁଁ ଭୋଗ କରିବି ବୋଲି-ତିଳେ-ତିଳେ-ପଳେ-ପଳେ-? ଭାଇ । ଭାଇ । ସହାୟ ହୁଅ ମୋର -ଏ’ ବିବାହ ଗ୍ରାସରୁ ମୋତେ ରକ୍ଷାକର-।
ଅନନ୍ତ – ମୁକୁନ୍ଦ । ଭାବି ଦେଖ- ଏହି ଅମୂଲ୍ୟ ସମୟଟା କ’ଣ ବୃଥାରେ-ଅସାର ଚିନ୍ତାରେ କେବଳ ଅତିବାହିତ କରିଦେବା ଉଚିତ୍?- ସାରା ଜୀବନଟାକୁ ଗୋଟାଏ ଶୁଷ୍କ ମରୁମରୀଚିକାରେ ପରିଣତ କରିଦେବ ସିନା ।- ଯେଡ଼େ ଗୌରବମୟ ହେଲେ ମଧ୍ୟ ଅତୀତ, ଅତୀତ-ଅତୀତର ଶବାଲିଙ୍ଗନରେ ଉନ୍ମତ୍ତ ହୋଇ ବର୍ତ୍ତମାନରୁ ଉପେକ୍ଷା କରିଦିଅ ନାହିଁ, ଭାଇ ।-ପ୍ରତି-ମୂହୂର୍ତ୍ତ, ଭବିଷ୍ୟତ୍ ଚିନ୍ତା- ସାର ଭବିଷ୍ୟତ୍ ଚିନ୍ତା ।
ମୁକୁନ୍ଦ – ଭାଇ ! ଭାଇ ! ମୋ’ରି ଭବିଷ୍ୟତ ଚିନ୍ତା- ମୁକ୍ତା-ମୁକ୍ତା ॥ -ମୋ’ର ବର୍ତ୍ତମାନର ଚିନ୍ତା ‘ମୁକ୍ତା’- ମୋର ଅତୀତର ଚିନ୍ତା ‘ମୁକ୍ତା’- ସେ ଯେ ମୋ’ର ହୃଦୟର ମୁକ୍ତା- ଜୀବନର ମୁକ୍ତା -ମରଣର ମୁକ୍ତା । ଭାଇ ଭାଇ । କାଢି ନିଅ ନାହିଁ, ଭାଇ-ବଞ୍ଚିତ କର ନାହିଁ, ଭାଇ-ମୋ’ର ସେହି ଅମୂଲ୍ୟ ମୁକ୍ତ-ଜୀବନ ମରଣର ମୁକ୍ତା-ବରଂ, ସାହାଯ୍ୟ କର, ଭାଇ-ଜ୍ୟେତିରେ ତା’ର-ପବିତ୍ର ସ୍ମୃତିରେ ତା’ର, ଜୀବନମରଣ ମୋ’ର ପବିତ୍ର, ଜ୍ୟୋତିର୍ମୟ କରିବାକୁ ଦିଅ ଭାଇ ।
ଅନନ୍ତ – କିନ୍ତୁ ଏହି ସ୍ମୃତିର ସାରତ୍ୱ କେତେ ଭଲ ? କେତେଦିନ ବା ସ୍ଥାୟୀ ?- ତା’ତ ବିଚାର କରିବା ଉଚିତ ।
ମୁକୁନ୍ଦ – ଭାଇ । ଭାଇ । ହାତ ଧରୁଚି - ତର୍କକରି, ତର୍କବହିର୍ଭୁତ ମର୍ଯ୍ୟଦା ନଷ୍ଟ କରନାହିଁ ମୋତେ ବରଂ ବିଦାୟ ଦିଅ, ଭାଇ-ଚିର ବିଦାୟ -(ଗମ୍ଭୀର ଯେହ୍ନେ ପ୍ରସ୍ଥାନୋଦ୍ୟତ ହେଲେ)
ଅନନ୍ତ – କଥା ମାନ-ଏହି ଦୁର୍ବଳଟା ଝାଡ଼ି, ଫିଙ୍ଗିଦିଅ-ଅସମ୍ମତ ହୁଅ ନାହିଁ-ମୋ’ର ଅନୁରୋଧ ମୋ’ର ପ୍ରାର୍ଥନା-
ମୁକୁନ୍ଦ – ଭାଇ । ଭାଇ । (ଅନୁନୟ କରିବାକୁ ଯାଇ, କେଉଁ ଆବେଗଭରେ ବେଗେ ପଳାଇ ଯାଉଥିଲେ)
ଅନନ୍ତ – (ବାଧାଦେଇ) ଶୁଣ-ତୁମ୍ଭେ ବିବାହ କରିବାକୁ ବାଧ୍ୟ-
ମୁକୁନ୍ଦ – ‘ବାଧ୍ୟ’ ।-ବାଧ୍ୟ ଯେବେ-ବାଧ୍ୟ ପ୍ରାଣ-ଶୂନ୍ୟ ପିଣ୍ଡ ମମ-ପାଳିବାକୁ ନିର୍ଦ୍ଦେଶ ତୁମ୍ଭର । (କହୁ କହୁ ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଲେ ପରା)
ଅନନ୍ତ – (ବାଧେ ଦେଇ) ହାଃ ହାଃ ହାଃ-ମୁକୁନ୍ଦ । ଏତେ ସହଜେ ଆପଣାକୁ ମୁକ୍ତ କରିପାରିବ କି- ମୋ’ଠାରେ ଆବଦ୍ଧ ସେହି ପ୍ରତିଜ୍ଞା ଫାଶରୁ ମୁକ୍ତ ହୋଇ ନ ସାରି ?
ମୁକୁନ୍ଦ – ପ୍ରତିଜ୍ଞା ।-ପ୍ରତିଜ୍ଞା ମୋର ।-
ଅନନ୍ତ – (ହସି) ଏତେ ଶୀଘ୍ର ଭୁଲିଗଲ ନା ?- ସମରେନ୍ଦ୍ରକୁ କାମ କରାଇ ଦେଲେ- ହାଃ ହାଃ-
ମୁକୁନ୍ଦ – ଭାଇ । ଭାଇ ।-(ମୂର୍ଚ୍ଛିତ ପ୍ରାୟ ହେଲେ)
ଅନନ୍ତ – ମୁକୁନ୍ଦ ! ବୀର ତୁମ୍ଭେ-ମନୁଷ୍ୟ ତୁମ୍ଭେ- ମନୁଷ୍ୟର କାର୍ଯ୍ୟ କର-ବୀରର କାର୍ଯ୍ୟ କର-
ମୁକୁନ୍ଦ – (ସଂଜ୍ଞା ଲାଭକରି ଯେମନ୍ତ) ମୁକ୍ତା । ମୁକ୍ତା ।-ମୁକ୍ତ କର ଦ୍ୱାର-ମୁକ୍ତ କର ମୋତେ-
(ଛିନ୍ନବନ୍ଧନ ବନ୍ଦୀ ଭଳି ରକ୍ଷୀ ଭୟରେ ପଳାଉଥିଲେ ଓ ଅନନ୍ତ ଅନୁସରଣ କରୁଥିଲେ ଠିକ୍ ପ୍ରହରୀପରି ।)
(ଫୁଲହାରଶୋଭିତା କୃଷ୍ଣା ଗୋଟିଏ ହାରଧରି ପ୍ରତାପରୁଦ୍ର ଦେବଙ୍କ ସଙ୍ଗେ ପ୍ରବେଶ କଲେ)
କୃଷ୍ଣା – (ହସୁ ହସୁ) ଏତେ ବିଳମ୍ବରେ ସିନା ଏ’ରୋଗ ଚିହ୍ନିଲେ, ବାବା-ଭାଗ୍ୟକୁ ଅନନ୍ତ ଭାଇ ଆସି ନ ଥିଲେ, ଆହୁରି ବିଳମ୍ବ ବୋଧହୁଏ
ପ୍ରତାପ – କୃଷ୍ଣା, କୃଷ୍ଣା-ଟିକିଏ ହୋଇ କଣ ଲାଜ ସରମ ବି ତୋ’ର ନାହିଁ- ତୋ ବାପ ସଙ୍ଗେ ବି-
କୃଷ୍ଣା – ସତ କଥା କ’ଣ ତେବେ କହିବ ନାହିଁ, ବାବା ? - ବେଶ ଏଣିକି ମନା କରି ଦିଅ, ଆଉ କେବେ-
ପ୍ରତାପ – ତୋ ବାପର କଥା ତେବେ କ’ଣ-
କୃଷ୍ଣା – ଶୁଣିବି, ଶୁଣିବି, ବାପା-କିନ୍ତୁ ବେଳେ ବେଳେ ଶୁଣିବି ନାହିଁ, ବାବା-ଏତେ ଅତ୍ୟାଚାର - ଏତେ ରକ୍ତପାତ-
ପ୍ରତାପ – ବୁଝିଛି, ବୁଝିଛି, ମା- ଏହି ଯୁଦ୍ଧ ଦେଖିବାଦ୍ୱାରା ହିଁ-
କୃଷ୍ଣା – ମୋ’ରି ମତି ବିଗିଡ଼ିଛି -ହାଃ ହାଃ ହାଃ- କଟକର ଯୁଦ୍ଧକୁ ବଳିଯିବନା ଆଗେ ? ଶତ୍ରୁ କବଳରେ ପଡ଼ି, ମୋତେ ଯେତେବେଳେ-ନା, ନା, ପିତା ଏ’ ଯୁଦ୍ଧ ଭୀଷଣତମ-ଏହାର ତୁଳନା ନାହିଁ-ତୁଳନା ନାହିଁ-
(କେଉଁ ଆତଙ୍କରେ ଯେହ୍ନେ ପଳାଇ ଗଲେ)
ପ୍ରତାପ – କୃଷ୍ଣା-କୃଷ୍ଣା-ଓଃ, କନ୍ୟା ମୋର ଏତେ ବିଚଳିତା ।-ହେବାର କଥା-ରକ୍ତପାତ ଦର୍ଶନରେ, ବିଶେଷତଃ ନିରୀହ ପ୍ରଜାମାନଙ୍କର, କିଏ ବିଚଳିତ ନ ହେବ ?-କିନ୍ତୁ ଶତ୍ରୁର ଏତେ ଅତ୍ୟାଚାର କାହାର ଦୋଷରୁ ?- ମୋହ’ରି ନୁହେଁ କି ? ରାମାନନ୍ଦ । ରାମାନନ୍ଦ । ଏଥିସକାଶେ ତୁମ୍ଭେଇ ଦାୟୀ-ତୁମ୍ଭରି ଧର୍ମୋପଦେଶ ମୋତେ ଆଜି ଶିଥିଳ କରି ଦେବାରୁ ଶତ୍ରୁ ସୁବିଧା ପାଇ ଗଲାସିନା-ମୋତେ, ସେହି ଅପ୍ରତିହତ ପ୍ରତାପକୁ ପୁଣି ବନ୍ଦୀ କରିବାକୁ କ୍ଷମାହେଲା ସିନା- ପ୍ରତାପ । ପ୍ରତାପ । ଉଠ, ଉଠ -ଭୈରବ ହୁଙ୍କାରରେ ଥରେ, ତୋ’ର ସେହି ପୂର୍ବ ବଳ-ବୀର୍ଯ୍ୟ-ମାତ୍ସୁର୍ଯ୍ୟ ଘେନି ସମର କ୍ଷେତ୍ରରେ ପ୍ରବେଶ କର- କୃଷ୍ଣରାୟ କେଉଁଆଡ଼େ ପୋଡ଼ି ଉଡ଼ିଯିବ । ରାମାନନ୍ଦ ! ରାମାନନ୍ଦ ! ଏ’ ମିଥ୍ୟାକଥା-ପ୍ରେମଦ୍ୱାରା ଦୁଷ୍ଟର ଦମନ ଅସମ୍ଭବ- (ପ୍ରସ୍ଥାନ କଲାବେଳେ-ଏହି ସମୟରେ ବରବେଶଧାରୀ ମୁକୁନ୍ଦ ପ୍ରବେଶ କଲେ, କେତେକ ପାରିଷଦ ସଙ୍ଗେ) ଆସ, ଆସ ମୁକୁନ୍ଦ-ବୀରସନ୍ତାନ-ଏ’ ମୋର ପ୍ରାଣ ରକ୍ଷାର ପୁରସ୍କାର ରାଜ ପୁରସ୍କାର-ଉପେକ୍ଷା କରି ମର୍ଯ୍ୟଦା ନଷ୍ଟ କରି ପାରିବି ନାହିଁ ।
ମୁକୁନ୍ଦ – (ସ୍ୱଗତ) ମର୍ଯ୍ୟଦା ।-ମର୍ଯ୍ୟଦା ।- ମୁକ୍ତା ।- ମୁକ୍ତା ।-
(ମୁକୁନ୍ଦ ଯେହ୍ନେ କ୍ଷୁର୍ଣ୍ଣ କ୍ଷୁର୍ଣ୍ଣତର ମନରେ ଗୋଟାଏ କୋଣରେ ଯାଇ ଠିଆ ହେଲେ)
(ନେପଥ୍ୟ, ଦୂରରେ ବିବାହ ବାଦ୍ୟ ଶୁଣାଗଲା)
ପ୍ରତାପ – ଅନନ୍ତ । ଅନନ୍ତ । କାହିଁ ସେ-ବାଜା ଅଣାଇଲା କିଲ-ଗୋପନରେ ଏ’ କାର୍ଯ୍ୟ ସମ୍ପନ୍ନ ହେବା ଉଚିତ ଥିଲା -ଶୀଘ୍ର-ଶୀଘ୍ର ଯାଅ-ବନ୍ଦ କରାଅ-ବନ୍ଦ-
(କନ୍ୟାବେଶୀ କୃଷ୍ଣା ବେଗେ ପ୍ରବେଶ କଲେ)
କୃଷ୍ଣା – ବନ୍ଦ କାହିଁକି କରାଇବ, ବାବା-ମୋର ବିବାହ-ରାଜଜେମାର ବିବାହ-ଆନନ୍ଦୋତ୍ସବର ହେବ ନାହିଁ କିପରି ? (କିନ୍ତୁ କେଉଁ ଆବେଗ ସମ୍ଭାଳି ନ ପାରି ଯେମନ୍ତ ପିତାଙ୍କୁ କୁଣ୍ଢାଇ ମୁଣ୍ଡାଇ କାନ୍ଦି ପକାଇଲେ)
ପ୍ରତାପ – କୃଷ୍ଣା-କୃଷ୍ଣା- (କାନ୍ଦି ପକାଇଲେ) ମା । ମା । ମନରେ କିଛି କଷ୍ଟ କର ନାହିଁ, ମା- ଯୁଦ୍ଧ ଶେଷ ହେଲାକ୍ଷଣି ମହାସମୋରୋହରେ ଉତ୍ସବ ନିଶ୍ଚେ ମୁଁ କରାଇବି, ମା-
କୃଷ୍ଣା – (ସମ୍ଭାଳି ନେଇସାରି ଯେମନ୍ତ) ସେପରି ବାହ୍ୟକ ଉତ୍ସବରେ କି ପ୍ରୟୋଜନ, ବାବା ?- ପ୍ରଜାର, ସୁଖଶାନ୍ତି-ଦେଶର ସୁଖଶାନ୍ତି-ଆମ୍ଭର ପ୍ରଧାନ ଉତ୍ସବ ନୁହେଁ କି ? (ମୁକୁନ୍ଦ ନିକଟକୁ ଦୌଡ଼ିଯାଇ) ଏପରି କ୍ଷୁର୍ଣ୍ଣମନରେ ଠିଆ ହୋଇଚ କିପରି, ବୀର ?-ଆଜି ଯେ ବିବାହ - ଆନନ୍ଦ କର-ନୃତ୍ୟ କ-(ଗୋଟାଏ ରୁଦ୍ଧବେଗ ଝର ଝର ହୋଇ ଲୋତକଧାରାରେ ବହିଗଲା ଯେପରି)
ପ୍ରତାପ – ମା, ମା-(କୃଷ୍ଣା ଆଡ଼େ ସବିସ୍ମୟେ ଚାହିଁଲେ)-ଏ’ କଣ-ଏକି କୋଳାହଳ-ଏତେ ବାଦ୍ୟଧ୍ୱନି-।
କୃଷ୍ଣା – ମୋର-ମୋରି ବିବାହ ବାଦ୍ୟ, ବାବା-
(ସହସା ଅନନ୍ତ ଓ କୃଷ୍ଣରାୟ ପରସ୍ପରକୁ ‘କୃତଘ୍ନ ପିଶାଚ’ ଆଦି କହୁ କହୁ ଯୁଦ୍ଧ କରୁ କରୁ ପ୍ରବେଶ କଲେ)
କୃଷ୍ଣରାୟ – ନିମନ୍ତ୍ରଣ କରି ଏତେଦୂର ଅପମାନ ।-ଏହି ଯେ ରାଜା ଛି, ଛି ଲଜ୍ଜାନାହିଁ - ନିଜର କନ୍ୟାକୁ ପଠାଇ-ପ୍ରତାପ ସଂଯତ କର ରସନା ତୋ’ର, ନରାଧମ-
ଅନନ୍ତ – ପିଶାଚ-(ବଧ କରିବାକୁ ଉଦ୍ୟତ ହେଲେ)
କୃଷ୍ଣା – (ହସି ହସି) ନିରସ୍ତ୍ର ହୁଅ ଅନନ୍ତ ଭାଇ- ବନ୍ଧୁଜନ ପ୍ରତି ଏପରି ବ୍ୟବହାର କି ଉଚିତ- ପିତା । ଜାମାତାଙ୍କୁ ତୁମ୍ଭର ବରଣ କରି ଘେନି-ଆସିବ ନାହିଁ ?-
ଅନନ୍ତ ଓ ପ୍ରତାପ- କୃଷ୍ଣା-କୃଷ୍ଣା-
କୃଷ୍ଣା – (କୃଷ୍ଣରାୟ ପ୍ରତି) ସମ୍ମାନ ପ୍ରଦର୍ଶନରେ ତ୍ରୁଟି ଘଟିଚି, ବନ୍ଧୁ -କିନ୍ତୁ ପ୍ରଣୟ ଖାତିରରେ କ’ଣ କ୍ଷମା କରିବେ ନାହିଁ ?- (କହୁ କହୁ ଆପଣାର ମୁଦି କୃଷ୍ଣରାୟଙ୍କ ଅଙ୍ଗୁଳିରେ ପିନ୍ଧାଇ ଦେଲେ)- ଆସ, ନାଥ ପିତାଙ୍କର ପଦେ ପ୍ରଣାମ କରି ଆଶୀର୍ବାଦ କାମନା କରିବା, ଆସ (କୃଷ୍ଣରାୟ ବିସ୍ମୟରେ ଅବାକ୍ ହୋଇ ଯାଇଥିଲେ-କୃଷ୍ଣାଙ୍କ ଆକର୍ଷଣରେ ଯନ୍ତ୍ରଚାଳିତ ପରି ଯାଇ, ଯୁଗଳରେ ପ୍ରତାପ ରୁଦ୍ରଦେବଙ୍କର ଚରଣ ବନ୍ଦନା କଲେ ଯେବନ୍ତ)
ପ୍ରତାପ – ଅନନ୍ତ । ମୁକୁନ୍ଦ । ମୋତେ ଧର-ମୁଁ ଯେ-
(ଅନନ୍ତ ପ୍ରତାପକୁ ଧାରଣ କଲେ ଓ ମୂକୁନ୍ଦ ଆସି ପାର୍ଶ୍ୱରେ ଠିଆ ହେଲେ)
କୃଷ୍ଣା – ପିତା । ପିତା । ଧୃଷ୍ଟତା ବା ଦୁର୍ବଳତା, ଯା କୁହ, କନ୍ୟାକୁ ମାର୍ଜନା କର, ପିତା- (କୃଷ୍ଣରାୟଙ୍କୁ କେଉଁ ଘୃଣାସୂଚକ ଦୃଷ୍ଟିରେ ଚାହିଁ) ଏହି ଘୃଣିତ ଶତ୍ରୁର ନୃଶଂସତା, ନିରୀହ ପ୍ରଜାଙ୍କର କାତରତା, ସହ୍ୟ କରି ନ ପାରି, ଅଚିରେ ବନ୍ଦୀମାନଙ୍କର ପ୍ରାଣ ନାଶ ଆଶଙ୍କା କରି, କାଲି, ଗୋପନରେ, ଶତ୍ରୁ ଶିବିରକୁ ଏକାକିନୀ ଯାଇ, ତାଙ୍କର ପ୍ରାରିତ ସନ୍ଦି ପ୍ରସ୍ତାବରେ ରାଜ-ପ୍ରତିଭୂରୂପେ ସମ୍ମତ୍ତ ଦେଇ ଆସିଥିଲି, ବାବା-ତେତିକି ନୁହେଁ, ଏହିପରି ଭାବରେ ଆସିବାକୁ ମଧ୍ୟ ଅନୁନୟ କରି ଆସିଥିଲି । ପିତା । ପିତା । ଏହି ଛାର ରକ୍ତମାଂସ ବିନିମୟରେ ଯଦି ଦେଶ ଶାନ୍ତି ଲାଭକରେ, ତା’ ଠାରୁ ବଳି ଆନନ୍ଦର ବିଷୟ କଣ ଅଛି, ପିତା ? ଭାଇ । ଭାଇ । ତ୍ୟାଗର ମହତ୍ତ୍ୱ ସୁଖ କ’ଣ ତୁମେଇ ଏକା ଭୋଗ କରନ୍ତ-ମୁକୁନ୍ଦ । ସେନାପତେ । ମର୍ଯ୍ୟାଦାର ଭାସ୍ୱର ମୁକୁଟ କ’ଣ ତୁମେଇ ଏକା ପିନ୍ଧନ୍ତ ?
କୃଷ୍ଣରାୟ- – ଏ’ କଣ ଦେଖୁଚି-ଶୁଣୁଚି ।
ପ୍ରତାପ – କୃଷ୍ଣା-କୃଷ୍ଣା ମୋର ।-
ଅନନ୍ତ- – ଦେବୀ ।-ଦେବୀ ।- (ମନେମନେ ଯେମନ୍ତ ସାଷ୍ଟାଙ୍ଗ ପ୍ରଣିପାତ କଲେ)
ମୁକୁନ୍ଦ – ସେହି ଦେବୀଙ୍କର ଚରଣ ବନ୍ଦନା କରିବାକୁ ଦିଅ ଭାଇ, - (ସତେ ସତେ ପ୍ରଣିପାତ କରିବାକୁ ଯାଉଥିଲେ)
କୃଷ୍ଣା – (ବାଧାଦେଇ) ନା, ନା, ଭାଇ, ଦେବୀ ତବ ଦିବ୍ୟ ଧାମେ ଏହି (ଉର୍ଦ୍ଧ୍ୱକୁ ଦେଖାଇଲେ) ମୁକ୍ତା ! ମୁକ୍ତା ! ସିନା ପ୍ରେମ-ଧାରା ବିଶ୍ୱେ, ପ୍ରେମ-ରକ୍ତେ ତବ-
କୃଷ୍ଣରାୟ – କିନ୍ତୁ ହେ ଗୌରବମୟି । ମୁକ୍ତ ଆଜି ଅନ୍ଧର ନୟନ-ମୁକ୍ତ ପାଷାଣର ବନ୍ଧ-ତବ ଗୌରବ ପରଶେ । ଧନ୍ୟ, ଧନ୍ୟ, ତୁମ୍ଭେ ‘‘ଉତ୍କଳ-ଗୌରବ ॥’’
ପ୍ରତାପ – ନା, ନା, ପୁତ୍ର-କନ୍ୟା ଯେ ମୋ’ର ବିଶ୍ୱର ଗୌରବ । ରାମାନନ୍ଦ ! ରାମାନନ୍ଦ ! ତୁମ୍ଭର ଚୈତନ୍ୟଦେବ, ଜଗାଇ ମାଧାଇପ୍ରସଙ୍ଗ ଅତିମାନବ-କଳ୍ପନା ନୁହେଁ ତ- ? ଏ’ ଯେ ବାସ୍ତବ-ବାସ୍ତବରେ ଦେଖୁଅଛି ମୁହିଁ-ଏକାଠାବେ, ରକ୍ତମାଂସ ଦେହେ ।