ଚତୁର୍ଥ ଦୃଶ୍ୟ — ଉତ୍କଳ-ଗୌରବ — ଅଶ୍ୱିନୀକୁମାର ଘୋଷ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଦୃଶ୍ୟ
-ଯୁଦ୍ଧକ୍ଷେତ୍ରର ଏକଦୃଶ୍ୟ-
[ଗୋଟାଏ ଭୀଷଣ ଝଟିକାପରେ ଶାନ୍ତି ବିରାଜିତ କିନ୍ତୁ ବିଭୀଷିକାର ଛାୟା ଅଦ୍ୟାପି ଅନ୍ତର୍ହିତ ହୋଇ ନାହିଁ- ଅନନ୍ତସିଂହ ରକ୍ତାକ୍ତ ମୁକୁନ୍ଦକୁ କୋଳରେ ଧାରଣ କରି ଉପଚାର କରୁଥିଲେ, ବାହ୍ୟପ୍ରକୃତିର ସେହି ଭାବ ଅନ୍ତରରେ ଅନୁଭବ କରୁ କରୁ ଯେମନ୍ତ- ]
ମୁକୁନ୍ଦ – ମୋର ତରବାରୀ । -(ଉତ୍ତେଜିତ ହୋଇ ଉଠି ବସୁଥିଲେ)
ଅନନ୍ତ – ସ୍ଥିର ହୁଅ, ଭାଇ ।
ମୁକୁନ୍ଦ – ଯୁଦ୍ଧ-ଯୁଦ୍ଧ-
ଅନନ୍ତ – ଶେଷ ହୋଇଚି, ଭାଇ ।
ମୁକୁନ୍ଦ – ଆଲିବର୍ଦ୍ଦି- ?
ଅନନ୍ତ – ପଳାଇଚି-
ମୁକୁନ୍ଦ – ପଳାଇଚି- ହାଃ-ହାଃ-ହାଃ (ହଠାତ୍ କେଉଁ ଉତ୍ତେଜନାରେ ଏହିପରି ହସି ଉଠିଲେ)
ଅନନ୍ତ – ଏତେ ଜୋର ହସନା, ଭାଇ ! -ଏ ପର୍ଯ୍ୟନ୍ତ ରକ୍ତସ୍ରାବ ଯେ ବନ୍ଦହୋଇ-
ମୁକୁନ୍ଦ – ରକ୍ତ ! -ରକ୍ତ ! (ଅନନ୍ତ ଆଡ଼େ କେଉଁ ଉଜ୍ଜ୍ୱଳ ଦୃଷ୍ଟିରେ ଚାହିଁଲେ, କେଉଁ ଗତକଥା ସ୍ମରଣ କରି ଯେମନ୍ତ)
ଅନନ୍ତ – (ଚମକି ଉଠିଲେ, କେଉଁ ସ୍ମୃତିର ଦଂଶନରେ)
ମୁକୁନ୍ଦ – ହାଃ-ହାଃ-ହାଃ- କେମିତିକା ତା’ରି ଛୁରିରେ ତା’ରି ନାକରୁ ବୁହାଇଚି, ଭାଇ- [ଅନନ୍ତ ମୁକୁନ୍ଦକୁ କି ଗୋଟାଏ ଘୃଣାରେ କ୍ରୋଡ଼ରୁ ଅପସାରିତ କରି ଦେଲେ]
ଅନନ୍ତ – କିନ୍ତୁ, ମୋ’ରି ବନ୍ଧୁତ୍ୱ ଗୁପ୍ତଛୁରିକାରେ ଯେ ମୋ’ର ବକ୍ଷୋଦେଶରୁ ବୁହାଇଚୁ, ପାଷାଣ୍ଡ । (କି ଏକ ପୈଶାଚିକଭାବ ଧାରଣ କଲେ)
ମୁକୁନ୍ଦ – (କିଛି ବୁଝି ନ ପାରି) ଭାଇ-ଭାଇ-
ଅନନ୍ତ – ନା, ନା- ‘ରକ୍ତ’ । -‘ରକ୍ତ’ । -‘ରକ୍ତ’ । -
ମୁକୁନ୍ଦ – ଛି, ଭାଇ । ଆଉ ସେ କଥା କାହିଁକି ? - ସେ ଯେ ପଳାଇଚି ।
ଅନନ୍ତ – ପଳାଇଚି ଶତ୍ରୁସିନା- କିନ୍ତୁ ସମ୍ମୁଖେ ଯେ ମିତ୍ର ମୋ’ର- ଚାହେଁ ମୁହିଁ- ‘ମିତ୍ର ରକ୍ତ’ - ସେହି ବନ୍ଧୁ ରକ୍ତ, ଯା’କୁ ଆଶ୍ରୟ ଦେଇଚି, ନିଜକୋଳେ, କାରାଗାରେ କରି ନାହିଁ ବନ୍ଦୀ । -ଯା’ର ରଖିଅଛି ପ୍ରାଣ, ତୁଚ୍ଛ କରି ନିଜ ପ୍ରାଣ, କରିନାହିଁ ହତ୍ୟା ପାଇଣ କବଳେ ।
ମୁକୁନ୍ଦ – ଭାଇ, ଭାଇ- ନା, -ନା-ମୋର-ମାର- ମୁଁ ଯେ ଦେଶାନ୍ତରୁ ଯୁଦ୍ଧବାର୍ତ୍ତା ଶୁଣି ଧାଇଁ ଆସିଥିଲି, ବୀରର ମର୍ଯ୍ୟାଦା ରକ୍ଷା କରିବା ଆଶାରେ - ପ୍ରାଣ ବିସର୍ଜ୍ଜନ କରି, ନାରୀର ମର୍ଯ୍ୟାଦା, ସତ୍ୟର ମର୍ଯ୍ୟାଦା ରକ୍ଷା କରିବା ଲୋଭରେ-
ଅନନ୍ତ – ‘ସତ୍ୟର ମର୍ଯ୍ୟାଦା’ -‘ନାରୀର ମର୍ଯ୍ୟାଦା’, ଧ୍ୱଂସ କରିସାରି, ପାଷାଣ୍ଡ ?
ମୁକୁନ୍ଦ – ଧ୍ୱଂସ କରିସାରି- ? ଅସମ୍ଭବ-ଅସମ୍ଭବ- (ଠିଆହେଲେ ଦମ୍ଭଭରେ)
ଅନନ୍ତ – ସେ ଦିନ କଥା କ’ଣ ଭୁଲିଗଲୁ, ପାଷାଣ୍ଡ- ଯେଉଁଦିନ ମୋର ବିବାହ କଥା ଶୁଣି, ମୋରି ଯିବା ପଛେ ପଛେ, ଟିକିଏ ସୁଦ୍ଧା କାଳବିଳମ୍ୱ ନ କରି, ଅନ୍ତପୁର ମଧ୍ୟରେ ଚୋରପରି ପ୍ରବେଶ କରି, ମୋର ଧର୍ମ୍ମପତ୍ନୀକୁ ବହନପୂର୍ବକ ସେହି କୁଡ଼ିଆ ଘରେ ତୋ’ର-
ମୁକୁନ୍ଦ – ମିଥ୍ୟା କଥା-ମିଥ୍ୟା କଥା- (ମାତ୍ର କମ୍ପିତ ହେଉଥିଲେ)
ଅନନ୍ତ – ହାଃ, ହାଃ, ତୁ କଣ ଜାଣିଥିଲୁ, ପାଷାଣ୍ଡ, ମୁଁ ଫେରି ଆସିବି ବୋଲି । ଓଃ-ଏ’ ପର୍ଯ୍ୟନ୍ତ ମୋର କର୍ଣ୍ଣେ କର୍ଣ୍ଣେ, ମର୍ମ୍ମେ ମର୍ମ୍ମେ ଧ୍ୱନିତ ହେଉଚି- କୃଷ୍ଣାର ସେହି କାତର ଧ୍ୱନି- ‘ନାରୀର ମର୍ଯ୍ୟାଦା ରକ୍ଷା କର, ନାରୀର ମର୍ଯ୍ୟାଦା ରକ୍ଷା କର’-
ମୁକୁନ୍ଦ – ‘ନାରୀର ମର୍ଯ୍ୟାଦା ରକ୍ଷାକର’ । - ଠିକ୍ ଏହିପରି କାତର ଧ୍ୱନି । -କୃଷ୍ଣା । -ଜେମାଦେଈ । (ବୋଲି ଚିତ୍କାର କରି କହିଗଲେ)
ଅନନ୍ତ – ହାଃ, ହାଃ, ହାଃ- ସତ୍ୟବାଦୀ ବୋଲି ପରା ଗର୍ବ କରୁ- ଏହି ତୋ’ର ସତ୍ୟବାଦିତା । ଗୋଟିଏ ସାମାନ୍ୟା ନାରୀ ଲାଳସାରେ ବୀରତ୍ୱ, ମହତ୍ତ୍ୱ ସମସ୍ତ ଆଜି ବିସର୍ଜନ ଦେଇଚୁ । ହାୟ । ଦେବତା ବୋଲି ଯା’ ପାଇଁ ଦିନେ-
ମୁକୁନ୍ଦ – ସତ୍ୟ- ସତ୍ୟକଥା ତେବେ ଶୁଣ, ଭାଇ-
ଅନନ୍ତ – ନିର୍ଲଜ୍ଜ ! ଏତେ ସାହସ ଅଛି ତୋର- ସତ୍ୟ କହି, ସତ୍ୟର ମର୍ଯ୍ୟାଦା-
ମୁକୁନ୍ଦ – ‘ମର୍ଯ୍ୟାଦା !’ -‘ମର୍ଯ୍ୟାଦା’ । (କିଂ କର୍ତ୍ତବ୍ୟ ବିମୂଢ଼ ହେଲେ)
ଅନନ୍ତ – ହଁ, ହଁ, ଏକାସଙ୍ଗେ- ସତ୍ୟର ମର୍ଯ୍ୟାଦା- ନାରୀର ମର୍ଯ୍ୟାଦା- ରାଜ ମର୍ଯ୍ୟାଦା- ରକ୍ଷା କରିବାର ସାହସ ଅଛି କି ?
ମୁକୁନ୍ଦ – (କି ଗୋଟାଏ ଦ୍ୱନ୍ଦମଧ୍ୟରେ ଉନ୍ମାଦ ପ୍ରାୟ ହେଲେ, ଅବଶେଷେ କହିବାକୁ ଲାଗିଲେ) ମୁହିଁ ଦୋଷୀ- ମୁହିଁ ଦୋଷୀ, ଭାଇ । ଦିଅ ଦିଅ ବକ୍ଷେ ଛୁରିକା ମୋହର, ବାହାରୁ ରୁଧିର- ଶାନ୍ତ କର ତୃଷ୍ଣା- ଜ୍ୱଳା ତବ- ଶାନ୍ତ ହେଉ ହୃଦ-ଜ୍ୱଳା ମୋର ।
ଅନନ୍ତ – (ଅଧିକତର ବ୍ୟଙ୍ଗଭାବେ) ‘ହୃଦ-ଜ୍ୱାଳା ମୋ’ର । -ହାଃ, ହାଃ, କହ, କହ, କିବା ଜ୍ୱାଳା ତୋ’ର-
ମୁକୁନ୍ଦ – ଓଃ- ମୋର ମରଣ ନ ହେଲା କାହିଁକି- ଅନନ୍ତ । ଅନନ୍ତ । ଭାଇ ମୋର- ଯଦି କେବେ କିଛି ଉପକାର କରିଥାଏ, ଆଉ ତାର କୃତଜ୍ଞତା ସ୍ୱରୂପ କିଛି ଦେବାର ଥାଏ, ଦିଅ, ଦିଅ ମୋତେ ବିଦାୟ ଦିଅ- ଚିର-ବିଦାୟ-ଚିର
ଅନନ୍ତ – ଦେବି, ଦେବି ମାତ୍ର ଜ୍ୱାଳାର କାରଣ କହିବକି, ବନ୍ଧୋ- ଜେମାଦେଈ ଉନ୍ମାଦିନୀ ତବ ପ୍ରେମେ ? ହାଃ-ହାଃ-ହାଃ-
ମୁକୁନ୍ଦ – ଭାଇ- ଭାଇ- (ଚରଣପ୍ରାନ୍ତେ ପତିତ ହେଲେ)
ଅନନ୍ତ – (ସେହି କୌତୁକ ହଠାତ୍ ସନ୍ଦେହରେ ପରିଣତ ହେବାରୁ) ନା-ନା, ବୀର-କ୍ଷମା ନାହିଁ-କ୍ଷମା ନାହିଁ- ସତ୍ୟକହି, ସତ୍ୟର ମର୍ଯ୍ୟାଦା ରକ୍ଷାକର ଆଗେ ।
ମୁକୁନ୍ଦ – (ସ୍ୱଗତ) ଓଃ- ଏ’ ଯେ ମର୍ଯ୍ୟାଦା, ମର୍ଯ୍ୟାଦା ମଧ୍ୟରେ ପ୍ରତିଦ୍ୱନ୍ଦିତା- ‘ସତ୍ୟର ମର୍ଯ୍ୟାଦା’ ଏକଦିଗେ- ଅନ୍ୟଦିଗେ ‘ରାଜ-ମର୍ଯ୍ୟାଦା’- ‘ନାରୀର ମର୍ଯ୍ୟାଦା’- ।
ଅନନ୍ତ – କହ, କହ, ବୀର ସତ୍ୟ କହ- କହତ୍ୱରା- ନତୁବା ଅଜୀବନ ଏହିପରି ଜ୍ୱାଳା ଭୋଗ କରିବାର ବ୍ୟବସ୍ଥା-
ମୁକୁନ୍ଦ – କହିଲେ କ’ଣ ଶାନ୍ତି ଦେବ ? -ଚିର ଶାନ୍ତି- ?
ଅନନ୍ତ – ଚିର ଶାନ୍ତି । - ଚିର-ବିଦାୟ । - ଚିର-ବିଦାୟ
ମୁକୁନ୍ଦ – ବେଶ୍ଆସି ବାହାର କରି ମୋ ବକ୍ଷୋ- ଦେଶରେ ତେବେ ଧାରଣ କର -
ଅନନ୍ତ – (ତଡ଼ାତ୍ କରି ଆସି ନିଷ୍କୋଷିତ କରି ଧାରଣ କଲେ)
ମୁକୁନ୍ଦ – (ଜଡ଼ିତ ସ୍ୱରରେ) ଉନ୍ମାଦିନୀ ସତ୍ୟ ରାଜା-ବାଳା-
ଅନନ୍ତ – ‘ଉନ୍ମାଦିନୀ ସତ୍ୟ ରାଜ-ବାଳା’ । -ଉନ୍ମାଦିନୀ କୃଷ୍ଣା । -ଉନ୍ମଦିନୀ ପ୍ରେମେ ତବ । - (ଅସି ମାଡ଼ି ମାଡ଼ି ଦେଉଥିଲେ)
କୃଷ୍ଣା – କାହିଁ-କାହିଁ, ମୁକୁନ୍ଦ ମୋ’ର - ?
ଅନନ୍ତ – ଏହି-ଏହି ଯେ ତସ୍କର, ପ୍ରା-ଣେ- ନା-ନା- (କିପରି ଶ୍ଲେଷପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଲେ)
କୃଷ୍ଣା – (ମୁକୁନ୍ଦ ବକ୍ଷରେ ଅନନ୍ତର ଅସି ଓ ବିକୃତ ମୁଖଭାବ ଦେଖି ଶିହରିଲେ) ଅନନ୍ତ ।
ଅନନ୍ତ – ହାଃ- ହାଃ- ହାଃ- ଭାରି ତୃଷ୍ଣା-ଭାରି ତୃଷ୍ଣା- ନା, କୃଷ୍ଣା ? [କୃଷ୍ଣା ଅତି କାତରଭାବେ ଗୋଡ଼ ଧରିଲେ ]
ଅନନ୍ତ – (କେଉଁ ପ୍ରସନ୍ନଭାବରେ ଯେମନ୍ତ) କିଛି ଭୟ ନାହିଁ, କୃଷ୍ଣା । -ଲିଭାଇବି ତୃଷ୍ଣା ତ୍ୱରା- ସଂହାରିବି ବେଶୀ ବୁହାଇ ରକ୍ତର ଧାରା ।
ମୁକୁନ୍ଦ – କର, କର ତ୍ୱରା ପ୍ରତିଜ୍ଞା ପାଳନ ।
ଅନନ୍ତ – ହାଃ- ହାଃ- ହାଃ- ଅସହ୍ୟ-ଅସହ୍ୟ- ନୁହେରେ ତସ୍କର ? ମାତ୍ର - ଆହୁରି ଅସହ୍ୟ, କରାଇବି ମୁହିଁ, ତଳେ ତିଳେ ବିଦାରିବି ବକ୍ଷ ତୋର, ନଖାଘାତେ ଯେବେ- ନୁହେଁ ଅସିଘାତେ- । (ଅସି ନିକ୍ଷେପ କରିଦେଲେ)
କୃଷ୍ଣା – ଓଃ- (ମୂର୍ଚ୍ଛିତାପ୍ରାୟ ହୋଇ ପଡ଼ିଗଲେ)
ଅନନ୍ତ – ଛି, ଛି, -ଏହିପରା ଦମ୍ଭତବ- କୃଷ୍ଣା- ? (କି ମହୋଲ୍ଲାସରେ ମୁକୁନ୍ଦର ବକ୍ଷସ୍ଥଳେ କୃଷ୍ଣାର ବେଣୀ ସ୍ପର୍ଶ କରାଇଲେ)
ମୁକୁନ୍ଦ – (କେଉଁ ତଡ଼ିତ୍ ସ୍ପର୍ଶେ ଯେହ୍ନେ ଚମକି ଚାହିଁଲେ ଓ କୃଷ୍ଣାମଧ୍ୟ ଚମକି ଉଠିଲେ)
ଅନନ୍ତ – (ନାଚି ଉଠିଲେ) କି ଆନନ୍ଦ- କି ଆନନ୍ଦ- ଭୀମସେନ । ଶତ ଦୁଃଶାସନ ରକ୍ତେ କି ହେ ଆନନ୍ଦ ଏମବନ୍ତ- ପାଉଅଛି ଯାହା ମୁହିଁ- ପ୍ରେମିକର ପ୍ରେମପୂର୍ଣ୍ଣ ବକ୍ଷେ ପ୍ରେମିକାର ମୁକ୍ତକେଶ ନିରେଖି ଲମ୍ୱିତ- ଭ୍ରାତା ବୋଲି କର କ୍ଷମା, ଭାଇ ଭଗ୍ନୀ ମୋର ।
କୃଷ୍ଣା – (ଲଜ୍ଜାଭାରରେ ଯହ୍ନେ ଅବନତା ହୋଇଗଲେ)
ମୁକୁନ୍ଦ – (ଉଠି ଆବେଗଭରେ) ଭାଇ । ଭାଇ ।
ଅନନ୍ତ – ଭ୍ରାତାର କର୍ତ୍ତବ୍ୟ ଭ୍ରାତା କରିଅଛି, ଭାଇ- ଦେଖେଁ ତେଣେ ଯୁଦ୍ଧର ବାରତା - (କୌଣସି ଉତ୍ତରକୁ ଅପେକ୍ଷା ନ କରି ଆସି ହସ୍ତେ ବେଗେ ପ୍ରସ୍ଥାନ କଲେ)
ମୁକୁନ୍ଦ – ସଙ୍ଗେ ନିଅ, ସଙ୍ଗେ ନିଅ, ଭାଇ ।- (ଉଠିବାକୁ ଚେଷ୍ଟା)
କୃଷ୍ଣା – ଶକ୍ତିହୀନ ତୁମ୍ଭେ, ପ୍ରି-ୟ- (ଧାରଣ)
ମୁକୁନ୍ଦ – ଛାଡ଼ିଦେ-ଛାଡ଼ିଦେ, ରାକ୍ଷସୀ । -
କୃଷ୍ଣା – ପ୍ରଭୋ । ପ୍ରଭୋ । ଦାସୀ ତବ ମୁହିଁ- ନ ଠେଲ ଚରଣେ- ନାହିଁ ଅନ୍ୟ ଗତି ମୋର- ରକ୍ଷାକର, ରକ୍ଷାକର ନାରୀର ମର୍ଯ୍ୟାଦା ।
ମୁକୁନ୍ଦ – ‘ନାରୀର ମର୍ଯ୍ୟାଦା’-‘ନାରୀର ମର୍ଯ୍ୟାଦା’ । - ଅନନ୍ତ-ଅନନ୍ତ- (ଛଡ଼ାଇ ନେଇ ପ୍ରସ୍ଥାନୋଦ୍ୟତ ହେଲେ)
କୃଷ୍ଣା – (କାମାତୁରାଭାବେ ଧରି) ନ କର ହେ କ୍ଷୁଣ୍ଣ ‘ପ୍ରେମର ମର୍ଯ୍ୟାଦା’ ସ୍ୱତନ୍ତ୍ର ସୁନ୍ଦର ସଦା- କୋମଳ ଅଚଳ-
ମୁକୁନ୍ଦ – (ସେହି ମାଧୁରୀ ଅନୁଭୂତିରେ ନିଶ୍ଚଳ ହେଲେ ପରା)
(ନେପଥ୍ୟେ ଉନ୍ମାଦିନୀ)- ସତ୍ୟର ମର୍ଯ୍ୟାଦା- ସତ୍ୟର ମର୍ଯ୍ୟାଦା- (କହି ଗାଇବା)
ମୁକୁନ୍ଦ – (ମୋହ ଭାଙ୍ଗିଗଲା- ଚମକି ଉଠି) ‘ପିତୃ-ସତ୍ୟ’- ‘ପିତୃ-ସତ୍ୟ’ର ମର୍ଯ୍ୟାଦା- ରଖିବି- ରଖିବି ମୁହିଁ- ବୀର ସତ୍ୟସନ୍ଧି ଉପାୟ- ଏ’ ଯେ ଅନ୍ଧକାର- ଘୋର ଅନ୍ଧକାର- ଚତୁର୍ଦ୍ଦିଗେ ମୋ’ର- ନା, ନା, ପ୍ରଳୟର ଘନ ଅନ୍ଧକାର- ବାହାରେ ଅନ୍ତରେ-
କୃଷ୍ଣା – ସେହି ଅନ୍ଧକାରେ ମୁହିଁ ଜ୍ୟୋତି ସିନା ତବ- ପ୍ରିୟତମ ! ପାଇଅଛି ବହୁଯତ୍ନେ ନିଧି- ନ ଛାଡ଼ିଚି କ୍ଷଣେ- ପିଇବି ପୀୟୁଷ କଣ୍ଠଭରି
ମୁକୁନ୍ଦ – ନା, ନା- ନୁହେଁ ପୀୟୁଷ- ରକ୍ତ, ରକ୍ତ ମୋ’ର ମାଗୁଛି, ରାକ୍ଷସୀ । ଦେବି, ଦେବି ଆନନ୍ଦେ ଓଜାଡ଼ି- ମେଣ୍ଟାଇବି ତୃଷ୍ଣା ତୋର- କରିବି ଉନ୍ମୁକ୍ତ ମର୍ଯ୍ୟାଦାର ପଥ-‘ସତ୍ୟର’ ‘ନାରୀର’ - ‘ରାଜାର’-ଏକାସଙ୍ଗେ-ଅତି ଅଳ୍ପେ- ଅନନ୍ତର ବକ୍ଷେ । -ଅନନ୍ତ କାଳକୁ । (ସୋଲ୍ଲାସେ ଆସି ଘେନି ଆତ୍ମହତ୍ୟା ପାଇଁ ଉଦ୍ୟତ ହେଲେ)
ଉନ୍ମାଦିନୀ – (ପ୍ରବେଶ କରି) ଏହିଟି ଉପାୟ ଏକମାତ୍ର ଯେବେ- ଏହି ରକ୍ତତବ ନ କର ନିଷ୍ଫଳ-(ସଙ୍ଗେ ସଙ୍ଗେ ଆସି କାଢ଼ିନେଇ ଆତ୍ମହତ୍ୟା କଲେ)
ମୁକୁନ୍ଦ – କିଏ ?- କିଏ ? - ଉନ୍ମାଦିନୀ- କିଏ ?- କିଏ ?-ସବିସ୍ମୟେ ଚାହିଁ ରହିଲେ)
କୃଷ୍ଣା – ଏଁ, ଏଁ - (ସଭୟେ ଚାହିଁ ଠିଆ ହେଲେ)
ଉନ୍ମାଦିନୀ – କର୍ମେ ଅଗ୍ରସର, ହୁଅ, ପ୍ରାଣେଶ୍ୱର ।- କର ରକ୍ଷା ସେହି ଶିକ୍ଷା-ସତ୍ୟର ମର୍ଯ୍ୟଦା ପ୍ରାଣର ମର୍ଯ୍ୟାଦା ପ୍ରାଣର ମର୍ଯ୍ୟଦା ।
ମୁକୁନ୍ଦ – ତୁମେ ? -ତୁମେ ? -ମୁକ୍ତ-ମୋର ବାଲ୍ୟ-ସହଚରୀ-ପ୍ରାଣର ସଙ୍ଗିନୀ-ଏଠି କିପରି ତୁମ୍ଭେ ? ଏ’ କି ବେଶ ? ଏ’ କି ଭାବ ?
ଉନ୍ମାଦିନୀ – ନାନାଭାବେ, ନାନା ବେଶେ, ନାନା ଦେଶେ, ଧାଏଁ ନାହିଁକି ସରିତ, କାଳର ମାହାତ୍ମ୍ୟେ ?- ଅବସ୍ଥାର ବଶେ-?
ମୁକୁନ୍ଦ – ତୁମ୍ଭେ କି ସେହି ମୁକ୍ତା ମୋର । ନୟନର ମୁକ୍ତା । ଓଃ-ଓଃ-ଏ’ ଯେ ନିର୍ଯ୍ୟାତିତା, ଉତ୍ପୀଡ଼ିତା ମୁକ୍ତା ମୋର- ମୋ’ର ଲାଗିସିନା -ପ୍ରାଣେଶ୍ୱରୀ-ପ୍ରାଣେଶ୍ୱରୀ-କହ-କହ-ଏଠାରେ କିପରି ? କାହିଁ ସୁଦୂର ତୈଲଙ୍ଗ ଦେଶ-କାହିଁ-
ଉନ୍ମାଦିନୀ – ହାଃ, ହାଃ-ପ୍ରାଣେଶ୍ୱର । ପ୍ରାଣେଶ୍ୱର । ସୁଦୂର ତୈଲଙ୍ଗ କିବା-ବ୍ରହ୍ମାଣ୍ଡର ଏକ କୋଣେ ମୁହିଁ, ଅନ୍ୟ କୋଣେ ଥାନ୍ତ ଯଦି ତୁମ୍ଭେ-କେହି ନ ପାରନ୍ତେ ରୋଧି ସଂସର୍ଗ ତୁମ୍ଭର-ଏବେ କାୟାଛାଡ଼ି ମଧ୍ୟ ରହିଚି ତୁମ୍ଭରି- ରହିବି ତୁମ୍ଭରୀ-ମୁହିଁ ଯେ ତୁମ୍ଭରି, ପ୍ରାଣେଶ୍ୱର- ‘ସତ୍ୟ’ ଏକା ଦେବତା ମୋହର-‘ସତ୍ୟ’, ଜୀବନେ ମରଣେ-॥
ମୁକୁନ୍ଦ- – ମୁକ୍ତା-ମୁକ୍ତା-ପ୍ରାଣେଶ୍ୱରୀ-ଏ’ କି ଚାତୁରୀ ଖେଳିଲି-ମୂଢ ମୋ’ର ସଙ୍ଗେ-ନ ଦେଇ ଗୋ ପରିଚୟ ଲବେ-
ଉନ୍ମାଦିନୀ - – ପରିଚୟ କାର୍ଯ୍ୟେ, କାର୍ଯ୍ୟେ-ଦେଇ ନାହି କି ହେ ଚିର ସଙ୍ଗିନୀ ତୁମ୍ଭର ।
ମୁକୁନ୍ଦ – ଦେବୀ-ଦେବୀ ତୁମ୍ଭେ, ମୁକ୍ତା ।-ମାତ୍ର, କଲ ସିନା ପଣ୍ଡ କାର୍ଯ୍ୟ, ଆତ୍ମହତ୍ୟା ଦୋଷେ ।
ଉନ୍ମାଦିନୀ – ଆତ୍ମହତ୍ୟା । ହାଃ, ହାଃ- କିଏ କହେ ଆତ୍ମହତ୍ୟା, ପ୍ରଭୋ ।-ସତୀ ଆଜି ସାର ସ୍ୱାମୀର ସାହାଯ୍ୟ କଲେ - ସ୍ୱାମୀର ସାଧନ-ଯଜ୍ଞ ପୂର୍ଣ୍ଣାହୂତି ବେଳେ-ଦେଇଅଛି ଛାର ରକ୍ତ ବଳି-ରୁଧିର ଲୋଲୁପା ଲାଳସା ସମକ୍ଷେ-
ମୁକୁନ୍ଦ – ମୁକ୍ତା-ମୁକ୍ତା-(ଉନ୍ମାଦଭଳି କୁଣ୍ଢାଇ ମିଶି ଗଲେ ପରା)
କୃଷ୍ଣା – ‘‘ରୁଧିରଲୋଲୁପା’ । ‘ରୁଧିର ଲାଳସା’ ।- ରୁଧିର-ରୂଧିର-ହାଃ-ହାଃ-ହାଃ-ଦିଅ, ଛୁରିକା,ଭଉଣି- ନା, ନା-ନିଜ ନଖେ, ନିଜ ଦନ୍ତେ, ନିଜ ବକ୍ଷ କରି ବିଦାରଣ, ନିଜ ରକ୍ତେ କୃଷ୍ଣା ମେଣ୍ଟାଇବ ତୃଷ୍ଣା-ହାଃ, ହାଃ, ହାଃ,-
ଉନ୍ମାଦିନୀ – ଛି, ଭଉଣୀ, ଭୁଲନା, ଭୁଲନା, -ସତୀ- ଶକ୍ତି ତବ-ସତ୍ୟର ମହିମା -
କୃଷ୍ଣା – (ଉଚ୍ଚହାସ୍ୟ କରି) ‘ସତ୍ୟର ମହିମା’ ।-‘ସତ୍ୟ-ଶକ୍ତି ତବ’ । ଦେଖାଇବି, ଦେଖାଇବି ରକ୍ତଦାନେ ସେହି-ରଞ୍ଜାଇ ପ୍ରକୃତି-ବକ୍ଷ ଚିରକାଳ ପାଇଁ-
ଉନ୍ମାଦିନୀ – ଛି, ଭଉଣୀ । ରକ୍ତେ ଆଉ ନାହିଁ ପ୍ରୟୋଜନ-ଲିଭି ଅଛି ଲାଳସାର ବହ୍ନି-ଜାଗ ଏବେ ନବପ୍ରାଣେ, ଧରି ନବ ଶକ୍ତି -ନବ ତେଜେ ମତାଅ ଅବନୀ, ନବଭାବେ ମାତି ।-ଉଠ, ଉଠ, ବୀର-ନ କର ଅଳସ-ଫିଙ୍ଗି ଦୂରେ ଯେତେ ଅବସାଦ-ପିଅ ନବ ନବ ମଦ, ଢାଳଅଛି ମୁହିଁ- ନାଚ ନବ ନବ ନବ ଢାଳେ, ତାଳ ଦିଏ ମୁହିଁ-ମୁହିଁ ଉଲ୍ଲଙ୍ଗିନୀ-ମୁହିଁ ଉନ୍ମାଦିନୀ-ଚିର-ସତ୍ୟର ସଙ୍ଗିନୀ ॥ (କେଉଁ ଉନ୍ମାଦନାରେ ଏହିପରି ମାତିଉଠି ଠକ୍ କରି ରହିଗଲେ- କିନ୍ତୁ ବଦନରେ କି ଯେ ଆଭା ଝଳକି ଉଠିଲା)
ମୁକୁନ୍ଦ- – ମୁକ୍ତା-।-(ବୋଲି ଚିତ୍କାରପୂର୍ବକ କେଉଁ ତେଜ ସ୍ପର୍ଶରେ ଯେହ୍ନେ ଦୂରକୁ ଘୁଞ୍ଚିଗଲେ)
କୃଷ୍ଣା – ନା, ନା-ରକ୍ତ-ରକ୍ତ-ରକ୍ତ-(କେଉଁ ରକ୍ତର ପ୍ଳାବନ ଯେମନ୍ତ ଚାରିଆଡ଼େ ଦେଖିବାକୁ ଲାଗିଲେ)
ପଞ୍ଚମ ଅଙ୍କ
ପ୍ରଥମ ଦୃଶ୍ୟ
(ଜଗନ୍ନାଥଦାଶ ତନ୍ମୟ ହୋଇ ନିଜ ରଚିତ ଭାଗବତର ଦଶମ ସ୍କନ୍ଧ ରାସଲୀଳା ପାଠ କରୁଥିଲେ-କେତେକ ସଖୀ ସେହି ଭାବରେ ମଜ୍ଜି ଯାଇଥିଲେ-କେତେକ ପରସ୍ପର ମଧ୍ୟରେ ଅଙ୍ଗଭଙ୍ଗିଦ୍ୱାରା ଥଟ୍ଟା ପରିହାସ କରୁଥିଲେ -ମଧ୍ୟେ ମଧ୍ୟେ କିନ୍ତୁ ସମସ୍ତେ ସମସତ୍ୱରେ ‘ହରିବୋଲ’ ଦେଉଥିଲେ-ଅଦୂରେ ଅନୁଚ୍ଚ ଗାଲିଚାମଣ୍ଡିତ ଆସନରେ, ସାଧାରଣ-ବେଶା କୃଷ୍ଣା କେତେବେଳେ ଭାଗବତ ବୋଲା ଶୁଣୁଥିଲେ-କେତେବେଳେ ଅନ୍ୟମନସ୍କା ହେଉଥିଲେ-କେତେବେଳେ ବା ତନ୍ଦ୍ରାବିଷ୍ଟା ହେଉଥିଲେ - ହଠାତ୍ ଚିତ୍କାର କରି ଉଠିଲେ)
ସଖୀମାନେ – ଜେମାଦେଈ । ଜେମାଦେଈ ।
(ସମସ୍ତେ କୃଷ୍ଣା ପାଖକୁ ଧଡ଼ପଡ଼ ହୋଇ ଧାଇଁଗଲେ)
(ଭାଗବତ ବୋଲା କିନ୍ତୁ ଅବିରାମ ଗତିରେ ଚାଲିଥାଏ)
କୃଷ୍ଣା – (ବିସ୍ଫାରିତ ନେତ୍ରରେ ଚାହିଁ) ଏହି- ଏହି-
୧ମା – କିଏ ?-କିଏ, ଜେମାଦେଈ-?
୧ମା – ମୁକ୍ତି । ପାଖକୁ ଆ’, ତୁ-
ମୁକ୍ତି – ମୁଣ୍ଡ ଟିପି ଦେବି, ଜେମାଦେଈ ? (ମୁଣ୍ଡ ଧାରଣ)
କୃଷ୍ଣା – କିଏ ?- କିଏ ତୁ ? (ମୁକ୍ତି ଆଡ଼େ ଚାହିଁଲେ)
ମୁକ୍ତି – ମୁଁ ପରା ମୁକ୍ତି-ମୁଣ୍ଡ କିଛି-
କୃଷ୍ଣା – କ’ଣ ହେଉଚି ?-କାହିଁ ?-କିଏ କହିଲା ?-(ମୁକ୍ତିର ହାତ ଛଡ଼ାଇ ଦେଲେ ଓ ସମସ୍ତଙ୍କୁ ତଡ଼ି ଦେଲେ) ଭାଗବତ ବୋଲା
୧ମା – ଏହି ପରା ଗୋସେଇଁ ପଢ଼ୁଚନ୍ତି -
କୃଷ୍ଣା – ତୁମେମାନେ ଶୁଣୁ ନାହିଁ ଯେ ।-ଏ’ଠି ଏମିତି ରୁଣ୍ଡ ହୋଇଚି କାହିଁକି ?
୧ମା – ମଣିମା । କି ସ୍ୱପ୍ନ ଦେଖି ଏମିତିକା ପାଟି କରି ଉଠିଲେ-
କୃଷ୍ଣା – ‘ପାଟି କରି ଉଠିଲି’ । କେତେବେଳେ ? ତୁମ୍ଭମାନଙ୍କୂ ଭୂତ ଲାଗିଚି ନା କ’ଣ ?
(ଇତିମଧ୍ୟରେ ଜଗନ୍ନାଥ ଦାଶେ ‘‘ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ଦଶମସ୍କନ୍ଧେ’’ ଇତ୍ୟାଦି କହିସାରି ଶେଷକୁ ପାଟିକରି ଉଠିଲେ ‘ହରିବୋଲ’ ଓ ପୋଥିର ଡୋରର ଦେବାକୁ ଲାଗିଲେ)
କୃଷ୍ଣା – (ସେହି ସଙ୍ଗେ ସଙ୍ଗେ) ‘ହରିବୋଲ’ (ଉଠିଯାଇ ମାଟିରେ ମୁଣ୍ଡଲଗାଇ ପ୍ରଣାମ କଲେ)
ସମସ୍ତେ ‘ହରିବୋଲ’ (ସେହିପରି କହି, ପ୍ରଣାମ କଲେ)
ଜଗନ୍ନାଥ – (ସମସ୍ତଙ୍କୁ ପ୍ରଣାମ କରୁ କରୁ) – ଗୋପୀଭାବରେ ମଜ୍ଜିଥିଲେ ।
କୃଷ୍ଣା – (ଜଗନ୍ନାଥଙ୍କୁ ପ୍ରତି) ପ୍ରଭୋ ! (ସଖୀମାନଙ୍କ ପ୍ରତି) ଯାଅ, ତୁମେମାନେ - ବେଗେ ସଞ୍ଚା ସିଧା ସଜାଡ଼ି ଆଣ ।
ଜଗନ୍ନାଥ – (ପୋଥି ବାନ୍ଧିସାରି କାଖରେ ଜାକିଲେ)
କୃଷ୍ଣା – ପ୍ରଭୋ । ଏ’ ଜଗତରେ କି ଶାନ୍ତି ଅଛି ?
ଜଗନ୍ନାଥ – ଉଦ୍ଧବ କେତେ ତୁ ପଚାରୁ । – ମନ ଅଟଇ ମୋ’ର ଗୁରୁ ॥
କୃଷ୍ଣା – ମନ ଯଦି ଶାନ୍ତିର ସ୍ଥାନ - କାହିଁ କୌଣସି ଉପାୟରେ ତ ମନକୁ ସାନ୍ତ୍ୱନା ଦେଇ ପାରୁନାହିଁ -ପ୍ରତ୍ୟହ ଭଗବତ୍-ଗ୍ରନ୍ଥ ସାକ୍ଷାତ୍ ଭଗବାନଙ୍କ ଶ୍ରୀମୁଖରୁ ଶ୍ରବଣ କରୁଚି- ଦିବାରାତ୍ର ଦେବଦବୀ ପୂଜା ଓ ଲୋକହିତ ବ୍ରତରେ ଆପଣାକୁ ଉତ୍ସର୍ଗ କରି ଦେଇଚି-ତଥାପି କାହିଁ, ସ୍ଥିରତା ତ ଦଣ୍ଡକ ସକାଶେ ଆଣି ପାରୁ ନାହିଁ, ପ୍ରଭୋ ।
ଜଗନ୍ନାଥ- – ଦର୍ପଣେ ଲାଗିଲେ କଳଙ୍କ । – ବିଡ଼ମ୍ବନା ଦେଖିବା ମୁଖ ॥
କୃଷ୍ଣା – ସେ କଳଙ୍କ ଛଡ଼ାଇବାର ଉପାୟ କ’ଣ ନାହିଁ ?
ଜଗନ୍ନାଥ – କରିବା ଚେଷ୍ଟା ନାନା ମତେ । – ଫଳ ଫଳିବା ତାଙ୍କ ହାତେ ॥
କୃଷ୍ଣା – ଏ’ ପାପିୟସୀ ପ୍ରତି କ’ଣ ତାଙ୍କର ଦୟା ହେବ ନାହିଁ ?
ଜଗନ୍ନାଥ – ପାପୀ ଯେ ତାଙ୍କ ପ୍ରିୟଧନ ।
କୃଷ୍ଣା – କିପରି, କିପରି ପ୍ରଭୋ ?
ଜଗନ୍ନାଥ – ‘ମୁଁ ପାପୀ’ ଜ୍ଞାନ ଉପୁଜିଲା । – ଭବରୁ ସେହି ନିସ୍ତରିଲା ।
କୃଷ୍ଣା – ‘ମୁଁ ପାପୀ’-ଏ’ ଜ୍ଞାନ ତ ମୋ’ର ଉପୁଜୁଛି ।
ଜଗନ୍ନାଥ – ଆଲୋକ ଆସିଅଛି ଯେବେ । – ଅନ୍ଧାର ପଳାଇବ ତେବେ ॥
କୃଷ୍ଣା – ଭଗବାନ୍ ଭଗବାନ୍ ଭୀରୁ କ୍ଷୀଣାଲୋକ - ସେଥିରେ ଏ’ ନରକପୁରୀର ଅନ୍ଧକାର ଦୂରହେବା ଅସମ୍ଭବ ।
ଜଗନ୍ନାଥ – ନ ହୁଅ ଅସ୍ଥିର ବାୟାଣି । – କାଳେ ପ୍ରଚଣ୍ଡ ଦିନମଣି ॥
କୃଷ୍ଣା – ସେ ସମୟେ କି ମୋ’ର ସତେ ଆସିବ ପ୍ରଭୋ ? (ଜନୈକ ସଖୀର ପ୍ରବେଶ)
ସଖୀ – ସେନାପତି ଅନନ୍ତ ସିଂହ ଫେରି ଆସିଚନ୍ତି ।
କୃଷ୍ଣା – (ବ୍ୟସ୍ତହୋଇ ଉଠି ଧାଇଁଲେ) କାହାନ୍ତି ? କାହାନ୍ତି ?
(ଏଥିପୂର୍ବରୁ ସଖୀମାନେ ଛଞ୍ଚାଘେନି ଆସି, ଜଗନ୍ନାଥ ଦାଶଙ୍କୁ ଅନ୍ୟ ବାଟେ ଘେନି ଯାଇଥିଲେ)
କୃଷ୍ଣା – ପ୍ରଭୋ । ପ୍ରଭୋ । (ଚରଣ ଧାରଣ)
ଅନନ୍ତ – ଏ’କି ଆଚରଣ, କୃଷ୍ଣା ? (ଉଠାଇଲେ)
କୃଷ୍ଣା – ମାର୍ଜନା-ମାର୍ଜନା, ପ୍ରଭୋ ।
ଅନନ୍ତ- – ନା, ନା-‘ଭାଇ’, ‘ଭାଇ’ ବୋଲି ଡାକ, କୃଷ୍ଣା ।
କୃଷ୍ଣା – ଭୁଲିଯାଅ, ଭୁଲିଯାଅ ପୂର୍ବକଥା - ଦାସୀକୁ-ଅନନ୍ତ-ଛି, ତୁମ୍ଭେ ଯେ ଭଉଣୀ ମୋର-
କୃଷ୍ଣା – ବଢ଼ାଅନା, ବଢ଼ାଅନା ପାପମାତ୍ରା ଆଉ ପାପିୟସୀର, ପ୍ରଭୋ ।-(ଅତ୍ୟନ୍ତ ଅଶାନି ଭୋଗ କରୁଥିଲେ) ଓଃ-ଏ’ ପାପର କ’ଣ ପ୍ରାୟଶ୍ଚିତ୍ତ ଅଛି ?
ଅନନ୍ତ – ପ୍ରାୟଶ୍ଚିତ୍ତ ହୋଇଛି, କୃଷ୍ଣା ।
କୃଷ୍ଣା – ‘ପ୍ରାୟଶ୍ଚିତ୍ତ ହୋଇଚି ।’ ମୋର ପାପର-?
ଅନନ୍ତ – ପାପର ନୁହେଁ, କୃଷ୍ଣା-ଭ୍ରମର -
କୃଷ୍ଣା – ‘ଭ୍ରମ’ର ।-କି ‘ଭ୍ରମ’ ? ‘ଭ୍ରମ’ ଅବା ‘ପାପ’ ଯେଉଁ ନାମେ ହେଉ ଅଭିହିତ - କୁହ -କୁହ- ପ୍ରାୟଶ୍ଚିତ୍ତ ତା’ର ଅଛି-ହୋଇଚିକି ?-
ପ୍ରଭୋ । ଭଣ୍ଡାଅନା-ଭଣ୍ଡାଅନା ଦାସୀକୁ ତୁମ୍ଭର-
କୃଷ୍ଣା – (ପୁଣି ବ୍ୟଥିତା ହୋଇ) ପ୍ରଭୋ-ପ୍ରଭୋ-
ଅନନ୍ତ – ପୁଣି- ? ଭାଇ ବୋଲି ଡ଼ାକ, କୃଷ୍ଣା-ଶୁଣ, ଭଉଣି-ମହାରାଜା ଯେ ସେଦିନ କି ପବିତ୍ରଭାବ ପୋଷଣ କରି ଆମ୍ଭ ଦୁହିଙ୍କ କର ମିଳାଇ ଦେଇଥିଲେ, ତାହା ମୂଢ଼ ଆମ୍ଭେମାନେ ଯୌବନସୁଲଭ ଚପଳତା ବଶତଃ ସେଭାବେ ନ ବୁଝି, ଅନ୍ୟଭାବେ ଘେନି ଯାଇଥିଲୁ ସିନା- ଓଃ ତାଙ୍କର କି ଅଗାଧ ବିଶ୍ୱାସ ଯେ ଏ’ ପାଷାଣ୍ଡ ପ୍ରତି-
କୃଷ୍ଣା – ଥାଉ, ଥାଉ- ପୂର୍ବସ୍ଥିତ ଜଗାଇ ଆଉ ଲଜ୍ଜା ଦିଅନା-ଲଜ୍ଜା-
ଅନନ୍ତ – ନିଜେ ଯେ ଲଜ୍ଜିତ, ତା’ର ପୁଣି ଲଜ୍ଜାଦେବାର କ୍ଷମତା କାହିଁ, କୃଷ୍ଣା । ଶୁଣ, ଶୁଣ, କୃଷ୍ଣା । ମହାରାଜ ପବିତ୍ର ଭ୍ରାତା ଭଗିନୀ ଜ୍ଞାନରେହିଁ ଆମ୍ଭ ଦୁଇ ଜଣଙ୍କୁ ମିଳାଇ ଦେଇ ଥିଲେ- ଓଃ, କନ୍ୟାର ରକ୍ଷଣଭାର ଏ’ରାକ୍ଷସଉପରେ ସିନା-
କୃଷ୍ଣା – ପ୍ରଭୋ । ପ୍ରଭୋ । ମିଥ୍ୟାର ଅବତାରଣା କରି ସତ୍ୟର ମର୍ଯ୍ୟାଦା ନଷ୍ଟ କର ନାହିଁ - ଶ୍ରପଦେ ସ୍ଥାନ ଦେଇ ଏ’ ସ୍ଥାନ ଦେଇ ଏ’ ଅଭାଗିନୀର-
ଅନନ୍ତ – ଭଉଣି- ଭଉଣି । ବିଶ୍ୱାସ କର - ଏହି ଯେ ମହାରାଜାଙ୍କ ଶ୍ରୀହସ୍ତ ଲିଖିତ ପତ୍ର । (ପତ୍ର ଦାନ)
କୃଷ୍ଣା – (କମ୍ପିତ ହସ୍ତରେ ପଢ଼ିବାକୁ ଲାଗିଲେ ଓ ନାନାଭାବରେ ସୂଚନା ଦେଲେ) ଭାଇ ! ଭାଇ ! ଓଃ- ଏ’ ଯେ ଗୋଟିଏ ଜଟିଳ ରହସ୍ୟ ।-
ଅନନ୍ତ – କିନ୍ତୁ ଈଶ୍ୱର ଆମ୍ଭମାନଙ୍କୁ ବଞ୍ଚାଇଛନ୍ତି, କୃଷ୍ଣା । ଏଠା ଯୁଦ୍ଧ ଶେଷ ହେବାମାତ୍ରେ ମୋ’ ଭିତରେ ଗୋଟାଏ ମହାଯୁଦ୍ଧ ଆରମ୍ଭ ହେବାକୁ ଲାଗିଲା - ସେଦିନ ସିନା କି ଗୋଟାଏ ଆବେଶ ଓ ଆବେଗରେ କାର୍ଯ୍ୟ କରିଗଲ, କିନ୍ତୁ ପର ମୂହୂର୍ତ୍ତେ - ଯୁଦ୍ଧର ଅବସାନ ସଙ୍ଗେ ସଙ୍ଗେ- ମୋ ଭିତରେ ଚାରିଆଡ଼ୁ ଯେମନ୍ତ କେଉଁମାନେ ହୁଁ କାର କରି ଉଠିଲେ-‘ଅନନ୍ତ-। ତୁ ସିନା ତୋ’ର ମହତ୍ତ୍ୱ ଦେଖାଇଲୁ, କିନ୍ତୁ ସଙ୍ଗେ ସଙ୍ଗେ ଗୋଟିଏ ବାଳିକାର, ରାଜଜେମାର, ସର୍ବନାଶ କଲୁ ନାହିଁ କି ? ମୁକୁନ୍ଦ ସଙ୍ଗେ, ଗୋଟିଏ ସାମାନ୍ୟ ସଙ୍ଗେ, ତୁ ମିଳାଇ ଦେବାକୁ କିଏ ? ରାଜା ଯଦି ଅମତ ହୁଅନ୍ତି - ରାଜସମ୍ମାନର ଅମର୍ଯ୍ୟଦା କଲୁ ନାହିଁକି ?- ପିତା ଯଦି ସତ୍ୟ କରିଥା’ନ୍ତି - ପିତୃ-ସତ୍ୟର ଗୌରବ ନଷ୍ଟ କଲ ନାହିଁକି-?-ଠିକ୍ ଏହି ସମୟରେ ମହାରାଜାଙ୍କଠାରୁ ମୋତେ ଯୁଦ୍ଧାହ୍ୱାନ ଆସେ -ମୁଁ ସାହ୍ଲାଦେ ତତ୍କ୍ଷଣାତ୍ ଯାତ୍ରା କଲି- ବିଜୟନଗରର ଶତ୍ରୁ ଧ୍ୱଂସ କରିବାର ଲାଳସାରେ ନୁହେଁ, ବରଂ ମହାରାଜାଙ୍କୁ ସମସ୍ତ ସତ୍ୟ ଘଟଣା ପ୍ରକାଶ କରି ଏହାର ଗୋଟିଏ ବିହିତ କରିବାର ଲାଳସାରେ- ଏଥିରେ ଯଦି ପ୍ରାଣଦଣ୍ଡ ଭୋଗ କରିବାକୁ ପଡ଼ିଥାନ୍ତା, ତା’ମଧ୍ୟ ହାସ୍ୟମୁଖରେ ବରଣ କରିବାକୁ ମୁଁ ପ୍ରସ୍ତୁତ ଥିଲି-
କୃଷ୍ଣା – ଛାଡ଼, ଗୋଟିଏ ଶୁଭ ସମ୍ବାଦ, ଭଉଣି ।- ଏଠା ଯୁଦ୍ଧ ଜୟର ପୁରସ୍କାରସ୍ୱରୂପ ମୁକୁନ୍ଦ ସେନାପତି ପଦ ପ୍ରାପ୍ତ ହୋଇଛନ୍ତି ।
କୃଷ୍ଣା – (ଲଜ୍ଜାବନତା ହେଲେ ଓ ହୃଦୟର ଅତି ଗଭୀର ସ୍ତରରେ ଯେଉଁ ଆନନ୍ଦ ଖେଳିଗଲା, ତାହା ଓଷ୍ଠାଧରର ଇଷତ୍ କମ୍ପନରେ ଜଣାଗଲା ମାତ୍ର)
ଅନନ୍ତ – ଆହୁରି ଶୁଣି ସୁଖୀ ହେବ, ଭଉଣି, ଉପାୟ ମଧ୍ୟ କରି ଆସିଛି, ମୁକୁନ୍ଦ ସଙ୍ଗେ ତୁମ୍ଭର-
କୃଷ୍ଣା – (ଅନନ୍ତ ପ୍ରତି ଅଧର ଦଂଶନ ପୂର୍ବକ କୁଟିଳ କଟାକ୍ଷ କରିବେ କ’ଣ, ପ୍ରତି ଧିକ୍କାର ଯେହ୍ନେ ସେ’ଠି ଆଉ ରହିପାରିଲେ ନାହିଁ –
ଅନନ୍ତ – (କିଛିକ୍ଷଣ ସେହି ଆଡ଼େ ଚାହିଁ ରହି) କି ଆନନ୍ଦ ।-ଓଃ ମୁକୁନ୍ଦକୁ ଯେ ଖବର ଦେଇ ନାହିଁ ।
(ସଖୀମାନେ ସୁସଜ୍ଜିତା ହୋଇ ଗୀତ ଗାଇ ଗାଇ ପ୍ରବେଶ କଲେ)
ନାଚିବା ଗାଇବା ତା-ନା-ନା-ନା ॥
କୃଷ୍ଣା – (ପ୍ରବେଶ କରି, ଆନନ୍ଦରେ ମତୁଆଲ ହୋଇ ଗାଅ (ଗୀତ ଶୁଣୁ ଶୁଣୁ ବିଭୋର ହେଲେ)
୧ମ ସଖୀ – (ଗୀତାନ୍ତେ) ଜେମାଦେଈ ଶୋଇ ପଡ଼ିଲେ ନା କ’ଣ ?
କୃଷ୍ଣା – (ଚମକି ଉଠି) ମୁକ୍ତା । ମୁକ୍ତା । (ଲୁପ୍ତଜ୍ଞାନା ହେଲେ)