ଦ୍ୱିତୀୟ ଦୃଶ୍ୟ — ଉତ୍କଳ-ଗୌରବ — ଅଶ୍ୱିନୀକୁମାର ଘୋଷ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଦୃଶ୍ୟ
ଗୋଟାଏ ପୁରାତନ ଅତି ଜୀର୍ଣ୍ଣ କକ୍ଷ-
[ ବାହାରେ ମୁକୁନ୍ଦ ଏକାକୀ ବସି ନିଜର ସେହି ପୁରାତନ ଅସ୍ତ୍ରର କଳଙ୍କ ମାର୍ଜ୍ଜନା କରୁଥିଲେ- ଖୋଳଟି ନିକଟରେ ପଡ଼ି ରହିଥାଏ । ]
ମୁକୁନ୍ଦ – ଯୁଦ୍ଧଯାତ୍ରାର କୋଳାହଳ- ଯୁଦ୍ଧବାଦ୍ୟର ଉନ୍ମାଦିଧ୍ୱନି- ଯୋଦ୍ଧାର ଯୁଦ୍ଧୋଦ୍ବେଗ, ମୋତେ ଉତ୍କ୍ଷିପ୍ତ କରି ଦେଉଚି ।- ଏହି ଜୀର୍ଣ୍ଣ ଅସ୍ତ୍ର ଖଣ୍ଡିକ ଘେନି ଶତ୍ରୁ ସମ୍ମୁଖରେ ଧାବିତ ହେବାକୁ ତାଡ଼ିତ କରୁଛି ।- କିନ୍ତୁ- କିନ୍ତୁ- ଦଂଷ୍ଟ୍ର ଥାଉଁ ଥାଉଁ ମୁଁ ଯେ ଦଂଷ୍ଟ୍ରହୀନ- ବୀର୍ଯ୍ୟ ଥାଉଁ ଥାଉଁ ମୁଁ ଯେ ବୀର୍ଯ୍ୟହୀନ- ଜୀବନ ଥାଉଁ ଥାଉଁ ମୁଁ ଯେ ମୃତ-କଳ୍ପ । ତଥାପି- କେଉଁ ସୁଖେ ଜାପୁଅଛି ଦିନ- ଏହି ଜୀର୍ଣ୍ଣକୁଟୀରେ ?- ଜୀର୍ଣ୍ଣ ବସନେ- ଶୀର୍ଣ୍ଣ ଅଶନେ (ଦୀର୍ଘ ନିଃଶ୍ୱାସ ଛାଡ଼ି) କାହିଁ ଥିଲି ମହାରାଜାଙ୍କ ଦେହରକ୍ଷୀ କାହିଁ ଆଜି ଜଣେ ସାମାନ୍ୟ ଦ୍ୱାରରକ୍ଷୀ- କା’ର ଆଶାରେ ?- କେଉଁ ଆଶାରେ ?- (ଖୋଳଟି ଉପରେ କିଛିକ୍ଷଣ ନୟନ ପୂରାଇ, କାହାର ମୂର୍ତ୍ତି ଯେହ୍ନେ ପ୍ରତିଫଳିତ ହେବାକୁ ଦେଖି ଚୁମ୍ବନ କଲେ) ପ୍ରଣୟ- ପ୍ରଣୟ- କିନ୍ତୁ ଏ’ ଯେ ଆକାଶ, ପାତାଳ ମଧ୍ୟରେ ପ୍ରଣୟ ।- ଏହା କି ସମ୍ଭବ ?- ସମ୍ଭବ- ସମ୍ଭବ- ଏହା ଯେ ସତ୍ୟ- ସତ୍ୟ-ଜ୍ୟୋତି-ଦିବାକର ଯେହ୍ନେ- ଉଚ୍ଚେ, ଅତି ଉଚ୍ଚେ ଥାଇ ଅନୁକ୍ଷଣ, ବର୍ଷଇ କିରଣ- ଉଚ୍ଚ, ନୀଚ କରି ସମଜ୍ଞାନ- କିନ୍ତୁ,- କିନ୍ତୁ- ନିମ୍ନେ ରହିଚି ଗୋପନ- ରାହୁ ସମ ସଦା ପାର୍ଥିବ ମଳିନ ସେହି ମର୍ଯ୍ୟାଦା- ମର୍ଯ୍ୟାଦା- ମର୍ଯ୍ୟାଦା । (କି ଗୋଟିଏ ହତାଶ ଭାବରେ ଭାଙ୍ଗି ପଡ଼ୁଥିଲେ)
[ ଅନନ୍ତର ପ୍ରବେଶ ]
ଅନନ୍ତ – କ’ଣ ଭାବୁଚ, ଭାଇ ?
ମୁକୁନ୍ଦ – (ନ ଚିହ୍ନି ପାରି ହଠାତ୍) କିଏ ?- (ଲଜ୍ଜିତ ହୋଇ) ଅନ- ନା, ନା, ସେନାପତେ- (ସସବ୍ୟସ୍ତେ ଉଠି ଅଭିବାଦନ କଲେ)
ଅନନ୍ତ – (ଉଠାଇ) ଭାଇ, ଭାଇ- ଏପରି କଲେ ଆଉ ମୁଁ-
ମୁକନ୍ଦ
ଏ’ କ’ଣ କହୁଚ, ଭାଇ-ନା, ସେନାପତେ ।- ଯେତେ ହେଲେ ଆପଣ-
ଅନନ୍ତ – ମୁକୁନ୍ଦ- ଭାଇ ମୋ’ର-। (ଆଲିଙ୍ଗନ କଲେ)
ମୁକୁନ୍ଦ – ଲକ୍ଷ ଲକ୍ଷ ସୈନ୍ୟର ଅଧିନାୟକ ହୋଇ, ସାମନ୍ୟ ଜଣେ ଦ୍ୱାରରକ୍ଷକ ସଙ୍ଗେ ଏ’ପରି ବ୍ୟବହାର କି-
ଅନନ୍ତ – ଯୁକ୍ତିସଙ୍ଗତ, ଅନ୍ୟ ରକ୍ଷକ ସଙ୍ଗେ ନ ହୋଇପାରେ- କିନ୍ତୁ ମୁକୁନ୍ଦ ସଙ୍ଗେ ଯେ- (କାନ୍ଦି ପକାଇଲେ ପରା)
ମୁକୁନ୍ଦ – ଭୁଲ, ଭୁଲ, ସେନାପତେ- ମୁକୁନ୍ଦ ରାଜ ମର୍ଯ୍ୟାଦା ରକ୍ଷା କରି ଜାଣେ- ସେଥିପାଇଁ ହୃଦୟର ମର୍ଯ୍ୟଦା ଆଜି ସେ ବିସର୍ଜ୍ଜନ କରି ପାରିଛି-
ଅନନ୍ତ – ପ୍ରେମ ପର୍ଯ୍ୟନ୍ତ ?-
ମକୁନ୍ଦ – ପ୍ରେମ ?- (ସବିସ୍ମୟେ କେତେ କ୍ଷଣ ନିସ୍ତବ୍ଧ ହୋଇ ଗଲେ)
ଅନନ୍ତ – ଆଶ୍ଚର୍ଯ୍ୟଭାବେ ଚାହିଁଚ କ’ଣ- ବିସର୍ଜନ କରି ପାରିବକି ?
ମୁକୁନ୍ଦ – ତା’ କ’ଣ ମନୁଷ୍ୟ ପାରେ, ଭା-?
ଅନନ୍ତ – କେ ଜାଣି, ତୁମେ ଯଦି ମନୁଷ୍ୟର ବାହାର ହୋଇଥାଅ ।
ମୁକୁନ୍ଦ – ଅସମ୍ଭବ- ଅସମ୍ଭବ- ସେହି ପ୍ରେମହିଁ ମୋତେ ଜିଆଇ ରଖିଚି- ମୋ’ର ଭୂତ, ବର୍ତ୍ତମାନ, ଭବିଷ୍ୟତକୁ ଗୋଟାଏ କେଉଁ ମଧୁର ଆଲୋକରେ ଆଲୋକିତ କରି ରଖିଚି ସିନା ।
ଅନନ୍ତ – ଏ’ ଅଧମଠାରେ ତେବେ ବିପରୀତ ଭାବ କାହିଁକି ? ଭାଇ- ଭାଇ- ମୋ’ ସମ୍ବନ୍ଧେ ସେହିପରି ‘ଭୂତ, ବର୍ତ୍ତମାନ, ଭବିଷ୍ୟତକୁ ମଧୁର ଆଲୋକରେ ଆଲୋକିତ’ କରି ଦେଉ ନାହିଁ କାହିଁକି- ‘ଭାଇ’, ‘ଭାଇ’ ବୋଲି ଡାକି ଥରେ ଏ’ ଦଗ୍ଧ ହୃଦୟରେ ଶାନ୍ତିବାରି ସିଞ୍ଚି ଦେଉ ନାହିଁ କାହିଁକି ?-
ମୁକୁନ୍ଦ – (ସ୍ୱଗତ) ଏଁ, ଏଁ- ମୁଁ କେଉଁ ମୋହାବେଶରେ ମନୋଭାବ ମୋ’ର ପ୍ରକାଶ କରି ପକାଉ ଥିଲି ।
ଅନନ୍ତ – ଭାବୁଚ କ’ଣ ଏତେ, ଭାଇ ?- ‘ଭାଇ’ ବୋଲି ଡାକିଲେ ରାଜ ମର୍ଯ୍ୟାଦା ମୋ’ର ନଷ୍ଟ ହେବ, ଏହି କଥା ତ ? କିନ୍ତୁ ପ୍ରକୃତ ପ୍ରେମର ମର୍ଯ୍ୟାଦା ସବୁ ଦଳି ମଥି ଦିଏ ନାହିଁକି ?
ମୁକୁନ୍ଦ – ‘ଦଳି ମଥି’ ଦିଏ ? ପ୍ରକୃତ କହୁଚ ? ମିଥ୍ୟା ନୁହେଁ ତ ? ପ୍ରତାରଣା କରୁ ନାହିଁ ତ ?
ଅନନ୍ତ – ଭାଇ । ଭାଇ । ବିଶ୍ୱାସ କର, ଭାଇ- ଭୁଲି ଯାଅ ଅତୀତ-କଥା- ବନ୍ଧୁକୁ ବନ୍ଧୁ ବୋଲି ଆଲିଙ୍ଗନ ଦିଅ- ଭାଇକୁ ଭାଇ ବୋଲି ଗ୍ରହଣ କର (ଆଲିଙ୍ଗନ କଲେ)
ମୁକୁନ୍ଦ – ଭାଇ । ଭାଇ । ଓଃ- ମୋ ଭିତରୁ ଆଜି ଗୋଟାଏ ହିମାଳୟର ଭାର ଘୁଞ୍ଚାଇ ଦେଲ- ଗୋଟାଏ ନୂତନ ଦ୍ୱାର ଉନ୍ମୂକ୍ତ କରି ଦେଲ ଯେହ୍ନେ- କି ଯେ ଆଲୋକର ବନ୍ୟା ମାଡ଼ି ଆସୁଚି- ଚକ୍ଷୁ ମୋର ଝଲସି ଯାଉଚି- ମନ ଆବେଗରେ ନାଚି ଉଠୁଚି- କଣ୍ଠ ଆଉ ରୋଧ କରି ରଖିପାରୁନାହିଁ- ‘ଜୟ ପ୍ରେମର ଜୟ ।’- ‘ଜୟ ପ୍ରେମର ଜୟ ।’-
ଅନନ୍ତ – କି ଆନନ୍ଦ- କି ଆନନ୍ଦ- ପ୍ରକୃତରେ କେଡ଼େ ମୁର୍ଖ ଆମ୍ଭେମାନେ- ମିଥ୍ୟାର କ୍ଷଣିକ ବାହ୍ୟାଡ଼ମ୍ବର ପୂର୍ଣ୍ଣ ଆପାତ ମଧୁର କଥାରେ ଭୁଲି, ସତ୍ୟକୁ ପରମଶତ୍ରୁ ଜ୍ଞାନରେ କେଉଁ ଅନ୍ଧକାର ପୁରୀ ମଧ୍ୟରେ ଆବଦ୍ଧ କରି ରଖିଥାଉଁ ସିନା । ଆସ, ଭାଇ ସେହି ସରଳ ନିଷ୍କପଟ ବନ୍ଧୁତ୍ୱ ସାହାଯ୍ୟରେ ଆଜି ଉଚ୍ଚ ନୀଚ ଭେଦାଭେଦ ଭୁଲି ଯାଇ, ବନ୍ଧୁ, ବନ୍ଧୁ- ଭାଇ, ଭାଇ ବୋଲି ପୁନର୍ମିଳନ ସୁଖ-
ମୁକୁନ୍ଦ – ମିଳନ । ମିଳନ ।- ଏତେ ଆନନ୍ଦ- ଏତେ ସୁଖ- ଏ’ ଜୀବନରେ କି ସମ୍ଭବ-?- ନା, ନା, ଭାଇ । ପ୍ରେମ ପଥରେ ମର୍ଯ୍ୟାଦା ଯେପରି ଗୌରୀଶଙ୍କର ପରି ଶୃଙ୍ଗୋତ୍ତଳନ କରି ଠିଆ ହୋଇଚି ।
ଅନନ୍ତ – ପୁଣି ସେହି କଥା ? ବ୍ରାହ୍ମଣ୍ଡ ପରି ପ୍ରତି ବନ୍ଧକ ହେଲେ ମଧ୍ୟ ପ୍ରେମରେ ତଡ଼ିତ୍ ସ୍ପର୍ଶରେ ଯେ ଅଣୁ ପରମାଣୁରେ ପରିଣତ ହୋଇ, ସମତଳ ହୋଇଯାଏ-
ମୁକୁନ୍ଦ – ‘ସମତଳ ହୋଇଯାଏ ।’- ‘ସମମତଳ’- ମୁକୁନ୍ଦ । ମୁକୁନ୍ଦ ।-ନାଚ- ନାଚ- ଗାଅ- ଗାଅ- ‘ଜୟ ପ୍ରେମର ଜୟ ।’
ଅନନ୍ତ – ଭାଇ । ଭାଇ । ଗୋଟାଏ ଭାରି କଥା ଭୁଲି ଆସିଚି- (ଗମନୋଦ୍ୟତ ଓ ଫେରି) ହଁ,- ଭାଇ ତୁମେ ଘରେ ଖାଇବ ନାହିଁ, ଆଜି ନିମନ୍ତ୍ରଣ-
ମୁକୁନ୍ଦ – ଆଉ କି ନିମନ୍ତ୍ରଣ, ଭାଇ ?- ବେଶି କ’ଣ ଖୁଆଇବ ?- ଆଦୌ ଯେ କ୍ଷୁଧା ମୋ’ର ନାହିଁ, ଭାଇ- ଆକଣ୍ଠ ପୂରି ଯାଇଚି- ନିଶ୍ୱାସ ମାରିବାର ପଥ ପର୍ଯ୍ୟନ୍ତ ରୁଦ୍ଧ ହୋଇ ଯାଇଚି ।
ଅନନ୍ତ – କହିବାକୁ ଭୁଲି ଯାଇଥିଲି, ଭାଇ- ଆଜିକାର ନିମନ୍ତ୍ରଣ ଗୋଟାଏ ବିଶିଷ୍ଟ ନିମନ୍ତ୍ରଣ- ଓଡ଼ିଶାର ପ୍ରବଳ ପ୍ରତାପୀ ରାଜାଧିରାଜ ପ୍ରତାପରୁଦ୍ର ଦେବଙ୍କ ଏକମାତ୍ର କନ୍ୟା-
ମୁକୁନ୍ଦ – କୃଷ୍ଣା ନିମନ୍ତ୍ରଣ କରିଚନ୍ତି ?- ଏତେ ଅନୁଗ୍ରହ ?-
ଅନନ୍ତ – ଭାଇ । ସେହି ଅନୁଗ୍ରହ’ ଏ’ ଅଧମ ଏତେ ସହଜେ ଲାଭ କରିବ- ଏପରି ଅଯାଚିତଭାବେ- ଏତେ ସୌଭାଗ୍ୟ-
ମୁକୁନ୍ଦ – କି ସୌଭାଗ୍ୟ, ଅନନ୍ତ ?
ଅନନ୍ତ – ଜେମାଦେଈଙ୍କ ପରିଣୟ-
ମୁକୁନ୍ଦ – ‘ପରିଣୟ’- ‘ପରିଣୟ’- କ’ଣ କହିଲ ଭାଇ- ସ୍ପଷ୍ଟ କରି କୁହ- ପରିଣୟ ?-
ପରିଣୟ ?- କା’ର ? କା’ ସଙ୍ଗେ?
ଅନନ୍ତ – ଏ’ ହତଭାଗ୍ୟ ସଙ୍ଗେ, ଭାଇ-
ମୁକୁନ୍ଦ – (ବାକ୍ରୁଦ୍ଧ ହେଲେ ପରା)
ଅନନ୍ତ – ବିଶ୍ୱାସ କର, ଭାଇ- ମୁଁ ଅବିଳମ୍ବେ ଫେରିଆସି ସବୁ କହୁଚି, ଭାଇ ।
ମୁକୁନ୍ଦ – (ହତାଶ ଦୃଷ୍ଟିରେ ଚାହୁଁ ଚାହୁଁ ଲୁପ୍ତ ଜ୍ଞାନ ହୋଇ ପଡ଼ିଗଲେ ଓ କୃଷ୍ଣାକୁ କେଉଁ ସ୍ୱପ୍ନରେ ଦେଖି ଡାକିବାକୁ ଲାଗିଲେ, ବିହଳଭାବେ) କୃଷ୍ଣା- କୃଷ୍ଣା-
[ ଠିକ୍ ସେତିକିବେଳେ ଗାଇ ଗାଇ ଉନ୍ମାଦିନୀର ପ୍ରବେଶ ]
ଭୁଲନା- ଭୁଲନା ସେ ‘କୃଷ୍ଣା’ ଧରାରେ ।
ଯେ ଦେଲା ସର୍ବସ୍ୱ ‘ସଭା’ରେ ହେଲାରେ ॥
ବୀରର ମର୍ଯ୍ୟଦା ରହୁ- ଯାଉ ନିଜ ପ୍ରାଣ-
ସତ୍ୟର ମର୍ଯ୍ୟାଦା ରହୁ- ଯାଉ ନିଜ ମାନ -
ମର୍ମ୍ମେ ମର୍ମ୍ମେ ବାଜି ଉଠିଲା ଝଙ୍କାରେ ॥
ଉନ୍ମାଦିନୀ – ଉଠ, ବୀର- ବୀରର ମର୍ଯ୍ୟାଦା ରକ୍ଷାକର- ସତ୍ୟର ମର୍ଯ୍ୟାଦା ରକ୍ଷାକର- ସତ୍ୟର ମର୍ଯ୍ୟାଦା-
ମୁକୁନ୍ଦ – (ଚମକି ଉଠି) ସତ୍ୟର ମର୍ଯ୍ୟାଦା- ବୀରର ମର୍ଯ୍ୟାଦା । କିଏ- କିଏ- ତୁହି-?
(ଉନ୍ମାଦିନୀ ବେଗେ ପଳାୟନ କଲା)
ସେହି- ସେହି ଉନ୍ମାଦିନୀଟା ନା-? (ଅନୁଧାବନ କରୁଥିଲେ)
[ ହଠାତ୍ କୃଷ୍ଣ- ବସନାବୃତ୍ତା କୃଷ୍ଣା ପ୍ରବେଶ କଲେ, ମୁକୁନ୍ଦ ସ୍ଥାଣୁବତ୍ ଠିଆ ହୋଇଗଲେ ]
କୃଷ୍ଣା – (ଧୀରେ ସ୍ୱରେ) ହଁ, ହଁ, ସେହି ଉନ୍ମାଦିନୀଟା- ଘରେ ପଶିଥିଲା ନା ?- ବାହାରିଗଲା ଏହିବାଟେ-
(ସଭୟେ ନେପଥ୍ୟକୁ ଚାହୁଁ ଥିଲେ)
ମୁକୁନ୍ଦ – (ପ୍ରଥମେ ବିଶ୍ୱାସ କରି ପାରି ନ ଥିଲେ) କିଏ ? କିଏ ?-କୃଷ୍ଣା- କୃଷ୍ଣା-ପ୍ରେ-ମ-
(ସାବେଗେ କୃଷ୍ଣଆଡ଼େ ଅଗ୍ରସର ହେଲେ)
କୃଷ୍ଣା – ଚୁପ୍- ଚୁପ୍- ବୋଧହୁଏ ସେ-
ମୁକୁନ୍ଦ – ନା, ନା, ଆଉ ମୁଁ ସମ୍ଭାଳି ପାରୁନାହିଁ-
କୃଷ୍ଣା – ମୁଁ କ’ଣ ପାରିଛି, ପ୍ରେମମୟ ?- ପ୍ରତି ମୁହୂର୍ତ୍ତ ଭବିଷ୍ୟତର ଚିନ୍ତାକୁ ସମ୍ବଳ କରି ବର୍ତ୍ତମାନର ଅଣୁ ପରମାଣୁ ସୁଦ୍ଧା ସାର୍ଥକତାରେ ବ୍ୟୟ କରିବାକୁ ଯେ ମୁଁ କୁଣ୍ଠିତ ନୁହେଁ, ଏହା କ’ଣ ଏହି ବେଶ ଭୂଷା- ଭାବ ଇଙ୍ଗିତରୁ ବୁଝିପାରୁ ନାହିଁ, ପ୍ରେମମୟ ?-ମୋ’ର ଧନ, ସମ୍ପଦ- ଲଜ୍ଜା, ସଙ୍କୋଚ-ମାନ, ସଂଭ୍ରମ-ପିତା, ମାତା-ସମସ୍ତ ଆଜି ଅତିକ୍ରମ କରି- ଦିକ୍ ବିଦିକ୍ ଜ୍ଞାନଶୂନ୍ୟା ହୋଇ ଧାଇଁ ଆସିଚି- କେବଳ ତୁମ୍ଭର ପ୍ରେମ ପରାବାରର ସଙ୍ଗମ ଲାଭ କରିବି ବୋଲି ସିନା-ମୋ’ର ସମସ୍ତ- ତୁମ୍ଭର ସେହି ହୃଦୟର ଅନନ୍ତ ନୀଳିମାରେ ମିଳାଇ ଦେବି ବୋଲି ସିନା-
ମୁକୁନ୍ଦ – ପ୍ରାଣେଶ୍ୱରି- ପ୍ରେମ-(ଆଲିଙ୍ଗନ କରିବାକୁ ଯିବାବେଳେ)
(ନେପଥ୍ୟେ ଅଦୂରରୁ ଉନ୍ମାଦନୀ)- ସତ୍ୟ ।- ସତ୍ୟ ।-ସତ୍ୟର ମର୍ଯ୍ୟଦା- (ଏହିପରି କହୁ କହୁ ଦୂରେଇ ଗଲା)
ମୁକୁନ୍ଦ – (ନିରସ୍ତ ହୋଇ) ‘ସତ୍ୟ ।’-‘ସତ୍ୟ ।’-
କୃଷ୍ଣା – କି ସତ୍ୟ, ପ୍ରିୟତମ ?
ମୁକୁନ୍ଦ – ଶୁଣିକି ପାରିଲ ନାହିଁ- ସେହ ସେହି ଉନ୍ମାଦିନୀଟା- କ୍ଷଣେ କ୍ଷଣେ ମୋତେ ଉନ୍ମାଦ କରି କାହିଁ ଉଭାଇ ଯାଏ ?- କୃଷ୍ଣା- କୃଷ୍ଣା- କୃଷ୍ଣା- (ଧରିବାକୁ ଗଲେ) ପ୍ରିୟତମା-
ମୁକୁନ୍ଦ – ନା, ନା, ଛୁଅଁନା- ଛୁଅଁନା- (ତଥାପି ସେହି ଧ୍ୱନି ଯେମନ୍ତ ହୃଦୟ ମଧ୍ୟରେ ପ୍ରତିଧ୍ୱନିତ ହେଉଥିଲା)
କୃଷ୍ଣା – ଏ’ କି କଥା, ପ୍ରିୟତମ ?
ମୁକୁନ୍ଦ – କୃଷ୍ଣା- କୃଷ୍ଣ- ତୁମ୍ଭେ କି- ତୁମ୍ଭେ କି ପରିଣୀତା ? କୁହ- କୁହ- ଏ’ କଥା ମିଥ୍ୟା- ସମ୍ପୂର୍ଣ୍ଣ-
କୃଷ୍ଣା – ସମ୍ପୂର୍ଣ୍ଣ ମିଥ୍ୟା, ପ୍ରେମମୟ । କିଏ ଏ’ପରି ମିଥ୍ୟା କଥା କହି, ପ୍ରତାରଣା-
ମୁକୁନ୍ଦ – ସେହି ଅନନ୍ତ- ପାଷଣ୍ଡ- ବର୍ବର –ନା, ନା- ସେତ ‘ଭାଇ’, ‘ଭାଇ’ ବୋଲି-ନା, ନା, ଏ ଗୁପ୍ତ-ହତ୍ୟା-ଗୁପ୍ତ-ହତ୍ୟା ଛଦ୍ମବେଶରେ ଆଜି ପ୍ରତିଶୋଧ ।- ପ୍ରତିଶୋଧ-॥
କୃଷ୍ଣା – (କେଉଁ କୃତଜ୍ଞତାର ତାଡ଼ନାରେ ବୋଧହୁଏ ସତ୍ୟବ୍ୟକ୍ତ କରିବାକୁ ଉତ୍କ୍ଷିପ୍ତା ହୋଇ ଉଠିଲେ) ପ୍ରିୟତମ- ଅନନ୍ତର କୌଣସି ଦୋଷ ନାହିଁ- ପିତାଙ୍କର ଉଦ୍ଦେଶ୍ୟ ଯାହା-
ମୁକୁନ୍ଦ – ଅନନ୍ତ ସଙ୍ଗେ ପରିଣୟ ?
କୃଷ୍ଣା – କାର୍ଯ୍ୟରେ କିନ୍ତୁ ପରିଣତ- (ସତ୍ୟପ୍ରକାଶ ଓ ଗୋପାନର ଦ୍ୱନ୍ଦ୍ୱରେ ଯେହ୍ନେ କିଂ କର୍ତ୍ତବ୍ୟ ବିମୂଢ଼ା ହୋଇ ଗଲେ)
ମୁକୁନ୍ଦ – ହୋଇନାହିଁ- ହୋଇନାହିଁ- କି ଆନନ୍ଦ ।-କି ଆନନ୍ଦ ।-
(ହସି ହସି ଅସ୍ଥିର ହୋଇଗଲେ ପରା)
(ଦୂରେ ନେପଥ୍ୟରୁ ଶୁଣାଗଲା)- ‘ସତ୍ୟ’ ?- ‘କି ସତ୍ୟ’ ?- ପିତୃ ସତ୍ୟ-।
ମୁକୁନ୍ଦ – (ଚମକିତ ହେଲେ) ‘ସତ୍ୟ’ ?- ‘କି ସତ୍ୟ’ ?- ପିତୃ ସତ୍ୟ-। (କୁଳୀଶ ନିନାଦ ଯେହ୍ନେ ଅନୁଭବ କଲେ)କୃଷ୍ଣା ଏ’ କି ଶବ୍ଦ ?-ଏ’ ଯେ ଘନ ଘନ ବିଜୁଳି- ଘଡ଼ଘଡ଼ି- ମୂଷଳଧାରରେ ଦୃଷ୍ଟି ମଧ୍ୟ ଆରମ୍ଭ ହୋଇଚି ।
ମୁକୁନ୍ଦ – କାହିଁ ?- କାହିଁ ?-
କୃଷ୍ଣା – (ଦ୍ୱାରେ ଖୋଲି ଦେଖାଇଲେ)- କି ବିତ୍ପାତ୍ ।
ମୁକୁନ୍ଦ – ହାଃ, ହାଃ, ହାଃ,- ଭିତରର ବିତ୍ପାତକୁ ମୋ’ର ଜିଣି ପାରିଚି କି ?
କୃଷ୍ଣା – ତେବେ ଏହି ସୁଯୋଗ- ଏହି ସୁଯୋଗ, ପ୍ରିୟତମ- ଆସ, ଆସ- ଭିତରର ସମସ୍ତ କୋଳାହଳ ଏହି ବାହାରର କୋଳାହଳ ସଙ୍ଗେ ଆଜି ମିଶାଇ ଦେବା-
ମୁକୁନ୍ଦ – ପାରିବା- ପାରିବା ତ-?
କୃଷ୍ଣା – ଧର- ଏହି କର ମୋ’ର ଧର ପ୍ରିୟତମ-(ହାତ ବଢ଼ାଇ ଦେଲେ)
ମୁକୁନ୍ଦ – (କମ୍ପିତ ହସ୍ତରେ ଧରୁଥିଲେ) – (ନେପଥ୍ୟେ ଅତିଦୂରରୁ ଉନ୍ମାଦିନୀ)- ସତ୍ୟ- ସତ୍ୟର ମର୍ଯ୍ୟାଦା ।
ମୁକୁନ୍ଦ – ମର୍ଯ୍ୟାଦା- ସତ୍ୟର ମର୍ଯ୍ୟଦା- ପିତୃସତ୍ୟର ମର୍ଯ୍ୟାଦା- ବୀର- ବୀର ସତ୍ୟନିଷ୍ଠ ମୁହିଁ- ପ୍ରିୟ- ନା, ନା, କୃଷ୍ଣା- ନା, ନା, ଜେମାଦେଈ- ଯାଅ ଚାଲି- ଚାଲି ଯାଅ ସମ୍ମୁଖରୁ- ତୁମ୍ଭେ ପରିଣୀତା- ତୁମ୍ଭେ- ନା, ନା, ଆପଣ-
କୃଷ୍ଣା – ନୁହେଁ ପରିଣୀତା- ଅଦ୍ୟାପି ଅବସର- ମୁକୁନ୍ଦ- ନା, ନା- ଅନନ୍ତ କହି ଯାଇଚି- ମୋତେ ନିମନ୍ତ୍ରଣ କରି ଯାଇଚି- ହାଃ, ହାଃ,- ମୁଁ ଯିବି, ନିମନ୍ତ୍ରଣ ରକ୍ଷା କରିବି- ବନ୍ଧୁ ନିମନ୍ତ୍ରଣ- ଯାଅ- ଯାଅ- ନା, ନା ଆସନ୍ତୁ- (ମୁଖ ବୁଲାଇ ଦେଲେ)
କୃଷ୍ଣା – ମୋତେ କ’ଣ ଅବିଶ୍ୱାସ ?
ମୁକୁନ୍ଦ – ବିଶ୍ୱାସ କରୁଚି, ଭଉଣି ।-ଏ’ ପର୍ଯ୍ୟନ୍ତ ଏ’ ବିବାହ ଘଟିନାହିଁ- ମାତ୍ର ପିତାଙ୍କର ଉଦ୍ଦେଶ୍ୟ ଯେତେବେଳେ- ପିତା କରିଚନ୍ତି ‘ସତ୍ୟ’ ଯେତେବେଳେ- ତୁମ୍ଭର ସମ୍ମତି ଥାଉ ବା ନ ଥାଉ- ଆଚ୍ଛା, ତୁମେ କ’ଣ ସମ୍ମତି ଦେଲ ?- କୌଣସି ଆପତ୍ତ- ନା- ନା- ମୁଁ କ’ଣ କରୁଚି- ଯାଅ- ଯାଅ, କୃଷ୍ଣା- ଭଉଣି- ନା, ନା, ଆସନ୍ତୁ, ଜେମାଦେଈ (କି ଯାତନାରେ ଯେ କଲବଲ ହେଉଥିଲେ, ତାହା ସେହି ଏକା ଜାଣୁଥିଲେ ସିନା)
କୃଷ୍ଣା – ସତ୍ୟ କଥା, ପ୍ରିୟତମ ! ତେତେବେଳେ ଲେଶ ମାତ୍ର ଆପତ୍ତି ସୁଦ୍ଧା କରିବାକୁ କ୍ଷମ ହୋଇ ନ ଥିଲି- ପିତାଙ୍କର କି ଗୋଟାଏ କଥା- ମୋହରେ ଏତେଦୂର ଆତ୍ମ ଜ୍ଞାନ- ଶୂନ୍ୟା ହୋଇ ଯାଇଥିଲି ଯେ ଯନ୍ତ୍ରଚାଳିତ ପରି ତାଙ୍କରି ନିର୍ଦ୍ଦେଶ ଅନୁସାରେ ସ୍ୱଚ୍ଛନ୍ଦେ କାର୍ଯ୍ୟ କରି ପକାଇ ଥିଲି- ପରେ ହଠାତ୍ ସେହି ମୋହଟା କଟିଯାଇ ଜ୍ଞାନର ବିକାଶ ହେଲା ଯେତେବେଳେ ମସ୍ତକ ମୋ’ର କରାଳ ଚକ୍ରପରି ଘୂର୍ଣ୍ଣିତ ହେବାକୁ ଲାଗିଲା ସିନା- ସଂସାର ଅନ୍ଧକାରମୟ ଦିଶିଲା ସିନା- ଉନ୍ମାଦିନୀ ପରି ନାନା ଆଡ଼େ ବୁଲି ବୁଲି ଏହିଠାରେ ସମସ୍ତ ବିସର୍ଜ୍ଜନ କରିଦେବି ବୋଲି ସେ ଧାଇଁ ଆସିଚି- ପ୍ରିୟତମ- ପ୍ରିୟତମ-
ମୁକୁନ୍ଦ – ସ୍ଥିର ହୁଅ- ସ୍ଥିର ହୁଅ, ଜେମାଦେଈ । ଆତ୍ମହତ୍ୟା କରିବାକୁ ମନ ବଳାଅ ନାହିଁ ଗୋଟାଏ ଉନ୍ମାଦନାରେ ‘ପିତୃ ସତ୍ୟ’ ଲଙ୍ଘନ କରିବାକୁ ଉତ୍କ୍ଷିପ୍ତା ହୋଇ ଉଠନାହିଁ - ସତ୍ୟର ମର୍ଯ୍ୟାଦାକୁ ପଦଦଳିତ କରି-
କୃଷ୍ଣା – ମର୍ଯ୍ୟାଦା - ମର୍ଯ୍ୟାଦା - ଦିନେ ମୋ’ର ସେ ଗର୍ବଥିଲା - ପ୍ରେମର ଶୀର୍ଷ ଦେଶରେ ସ୍ଥାନ ତା’ର ନିରୂପିତ କରିଥିଲି - କିନ୍ତୁ, ପ୍ରେମମୟ । ପ୍ରେମର ପ୍ରସ୍ରବଣ ତେତେବେଳେ କ୍ଷୀଣ ଧାରରେ ଝରୁ ଥିଲା ସିନା - ମର୍ଯ୍ୟାଦାର ଗୁରୁଭାର ଭେଦ କରି ଉଠିବାର ଶକ୍ତି କି ଥିଲା ? - ବର୍ତ୍ତମାନ ଯେ କାଳକ୍ରମେ ତାହା ସ୍ଫୀତ ହୋଇ ଉଠିଚି - ପିତାଙ୍କର ଏହି ବିବାହୋଦ୍ଦେଶ୍ୟ - ଖୋଦନରେ ହଠାତ୍ ଶତଧାରାରେ ଆଜି ପ୍ରବାହିତ ହେଉଚି । ପ୍ରବଳ ବନ୍ୟାରେ, ସାମାନ୍ୟ ଶୀଳା ଖଣ୍ଡତ ଦୂରେ - କାହିଁ, କେତେ ପାହାଡ଼, ପର୍ବତ, ଦେଶ, ମହାଦେଶ ପ୍ଲାବିତ କରି, ଏହି ମହାସାଗରରେ ଆଜି ମିଳିବାକୁ ଧାଇଁ ଆସିଚି ସିନା । ଦେଖ, ଦେଖଚାହିଁ, ପ୍ରିୟତମ - ଚତୁର୍ଦ୍ଦିଗ କିପରି ଶୂନ୍ୟ - ମହାଶୂନ୍ୟ - ଅଣୁ ପରମାଣୁ ଅସ୍ତିତ୍ୱ ସୁଦ୍ଧା ନାହିଁ । ବିଶ୍ୱ ଏକାବେଳକେ ମହାପ୍ରଳୟ ଜଳଧି ଗର୍ଭରେ ଲୀନ ହୋଇ ଯାଇଛି - ଅନନ୍ତ - ବକ୍ଷରେ ଭାସମାନ, ଅର୍ଦ୍ଧନିମିଳିତ ନୟନ, ପ୍ରସାରିତ - ଦୀର୍ଘବକ୍ଷ ପ୍ରେମର - ପ୍ରତିମୂର୍ତ୍ତି ‘ମୁକୁନ୍ଦ’ ତୁମ୍ଭେ, - ଆଉ ସେହି ପଦାମ୍ଭୁଜ - ସେବା - ନିରତା ଭାଗ୍ୟବତୀ ‘କୃଷ୍ଣା’ ମୁହିଁ - ।
ମୁକୁନ୍ଦ – କ’ଣ ଦେଖାଇଲ, କୃଷ୍ଣା । - କି ଭାବ ଜଗାଇ ଦେଲ ? କୃଷ୍ଣ - ନା, ନା, ଜେମାଦେଈ - ଜେମାଦେଈ - କୁହ, କୁହ ସତ୍ୟକଥା ଥରେ, - ସତ୍ୟର ମର୍ଯ୍ୟାଦା ରକ୍ଷା ପାଇଁ - ବୀରର ମର୍ଯ୍ୟାଦା ରକ୍ଷା ପାଇଁ, ଉଭୟେ ଲକ୍ଷ୍ମୀ ଲକ୍ଷ୍ମୀ - ପତି କ’ଣ ସେହି ଅନନ୍ତ ଶୟନର ଅନନ୍ତ ସୁଖନିଦ୍ରା ବିସର୍ଜନ ଦେଇ କେତେ କେତେ ବିନିଦ୍ର ବିରହ କାତର ଯୁଗଯୁଗାନ୍ତକାଳ ଏହି ଶୋକ ଦୁଃଖପୂର୍ଣ୍ଣ ଧରାଧାମରେ ଯାପନ କରି ନାହାନ୍ତି ? ଜେମାଦେଈ । ଜେମାଦେଈ । ପ୍ରକୃତରେ ଆଜି ମୋତେ ଚକ୍ଷୁଷ୍ମାନ କରିଚି - ସେହି ଦିବ୍ୟାଲୋକରେ ନିଜେ ଚାହିଁ ଦେଖ ଥରେ, ପ୍ରେମବୋଲି ଯେଉଁ ସ୍ରୋତରେ ଆମ୍ଭେ ଏତେଦିନେ ଭାସି ବୁଲିଚୁ, ତାହାକି ପ୍ରକୃତ ପ୍ରେମ ? - ତାହା ଗୋଟିଏ ଲାଳସା - ଭୀଷଣ ଆସୁରି - ଲାଳସା ନୁହେଁ କି ? - ତାର ପ୍ଳାବନରେ ବିଶ୍ୱ ରସାତଳ ଗର୍ଭେ ଳୀନ ହୋଇଯାଏ - ତା’ର ନିଶ୍ୱାସରେ ପ୍ରଳୟର ଝଞ୍ଜା ମାତି ଉଠେ । - ଆଉ ପ୍ରେମ-ପ୍ରେମ - ତା’ର ଉଚ୍ଛ୍ୱାସରେ ବିଶ୍ୱ ରସାତଳ ଗର୍ଭରୁ ଉତ୍ତୋଳିତ ହୁଏ - ତା’ର ପ୍ରଶ୍ୱାସରେ ମଳୟାନିଳ ଖେଳି ବୁଲେ - ତା’ର ଜ୍ୟୋତିରେ ମର୍ଯ୍ୟାଦା ଭାସ୍ୱର ହୋଇ ଉଠେ, ମିଳନ ହୁଏ ନାହିଁ - କର୍ତ୍ତବ୍ୟ ପଥ ଆଲୋକିତ ହୋଇ ଉଠେ, ଅନ୍ଧକାରରେ ଆବୃତ୍ତ ହୁଏ ନାହିଁ । -
କୃଷ୍ଣା – କିନ୍ତୁ ମୋର ଆଲୋକ, ଅନ୍ଧକାର - ମୋ’ର ପଥ, ବିପଥ ଯେ ଏକ ମାତ୍ର ତୁମ୍ଭେ, ପ୍ରେମମୟ । (ଚରଣ ଧାରଣ କଲେ)
ମୁକୁନ୍ଦ – ଛାଡ଼-ଛାଡ଼- ପଥ । ପଥ- । -କାହିଁ ପଥ ମୋ’ର ? -ଏ’ ଯେ ଚାରିଆଡ଼େ ସେହି ଜଳା କବାଟିର ଲୌହସ୍ତମ୍ଭମାଳା । - ନା, ନା, ତାହାଠାରୁ ଯେ କଠିନତର ପ୍ରତିବନ୍ଧକ । - ମୁକୁନ୍ଦର କି ଶକ୍ତିର ଅତୀତ ? -
କୃଷ୍ଣା – ରକ୍ଷାକର - ରକ୍ଷାକର, ପ୍ରେମ - (ଦୃଢ଼ଭାବେ ଧରିଲେ)
ମୁକୁନ୍ଦ – ରକ୍ଷା-ରକ୍ଷା କରିବ ମକୁନ୍ଦ ନିଶ୍ଚେ ଆଜି- କେବଳ ରାଜ- ମର୍ଯ୍ୟାଦା ନୁହେଁ- ସତ୍ୟର ମର୍ଯ୍ୟାଦା- ବୀରର- ମର୍ଯ୍ୟାଦା- ।
(ଆପଣାକୁ କୌଣସିମତେ ମୁକ୍ତ କରି ବେଗେ ପ୍ରସ୍ଥାନ କଲେ)
କୃଷ୍ଣା – ଓଃ- (ଗୋଟିଏ କେଉଁ ପ୍ରତିଘାତରେ ମୂର୍ଚ୍ଛିତାପ୍ରାୟ ହେଲେ)
[ଅନନ୍ତର ସୋଲ୍ଲାସେ ବେଗେ ପ୍ରବେଶ]
ଅନନ୍ତ – ବାସନା ପୂର୍ଣ୍ଣ ହୋଇଚି, ଭାଇ- ରାଜଦେଶ- ପୂର୍ବ ପଦ ତୁମ୍ଭେ ଫେରି ପାଇଚ- ଓଃ, କି ବର୍ଷା- ବିଜୁଳି- ଘଡ଼ଘଡ଼ି- ।
କୃଷ୍ଣା – ଆସ, ଆସ,- ନାରୀର ମର୍ଯ୍ୟାଦା ରକ୍ଷା କରିବାକୁ ଭୁଲିଯାଅ ନାହିଁ- (ମୁକୁନ୍ଦଜ୍ଞାନରେ ଅନନ୍ତର ଚରଣ ଧରିବାକୁ ଗଲେ)
ଅନନ୍ତ – ନାରୀର ମର୍ଯ୍ୟାଦା । - କେଉଁଠି ମୁଁ ? ଏ’ କ’ଣ ?
କୃଷ୍ଣା – (ଅନନ୍ତକୁ ଦେଖି) ଏଁ-ଏଁ - ଏ’ ଯେ - (ମୂର୍ଚ୍ଛିତା ହୋଇ ପଡ଼ିଗଲେ)
ଅନନ୍ତ – ଭୟ ନାହିଁ- ଭୟ - କିଏ ? - କିଏ ? - ନୟନ ! ଧରି ବହ୍ନିଶିଖା ସେହି - ତେଜେ ଯା’ର ଜଳି ଯାଏ କ୍ଷଣେ, ବିଶ୍ୱ ବ୍ରହ୍ମାଣ୍ଡ ଅଖିଳ ମସ୍ତିଷ୍କ । କରିଠୁଳ ଏକାଠାବେ ସର୍ବ ସ୍ନାୟୁ କୁଳ କେନ୍ଦ୍ରୀଭୂତ ଯଥା ବିଶ୍ୱ, ନାଭି ପଦ୍ମେ ଅନନ୍ତ ବ୍ରହ୍ମର । ବୁଝି ଦେଖ- ଚାହିଁ ଦେଖ- ଏ’ କି କୃଷ୍ଣା । ରାଜଜେମା କୃଷ୍ଣା ? ମୋ’ର ସହଧର୍ମଣୀ କୃଷ୍ଣା ? [ବିସ୍ମୟ, କ୍ରୋଧ ଓ ଶୋକାକୁଳଭାବରେ ଚାହିଁ ରହିଲେ]