ଦ୍ୱିତୀୟ ଦୃଶ୍ୟ — ଉତ୍କଳ-ଗୌରବ — ଅଶ୍ୱିନୀକୁମାର ଘୋଷ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଦୃଶ୍ୟ
-କୃଷ୍ଣାର ଶୟନ କକ୍ଷ-
[ବେଶ୍ସୁସଜ୍ଜିତ । ପଶ୍ଚାତରେ ଗବାକ୍ଷ ମଧ୍ୟ ଦେଇ ଉଦ୍ୟାନ ଦେଖାଯାଉ ଥିଲା- ପ୍ରଭାତୀ- କିରଣବୋଳା ସଖୀଗଣ କିଏ ଏସ୍ ରାଜ, କିଏ ବେହେଲା ଧରି ନାନା ଭଙ୍ଗିରେ ଉପବେଶନପୂର୍ବକ ଗୀତ ଗାଉଥିଲେ, ଜଣେ ମଧ୍ୟ ନୃତ୍ୟ କରୁଥିଲା]
ଗୀତ
ଆମେ ଚାଲିବୁ ଭାସି ହସି, ହସି ।
ଢେଉରେ, ଢେଉରେ ଉଠି, ବସି ॥
କନକ ପ୍ରଭାତ କନକ ହିଲ୍ଲୋଳେ
ଖେଳାଏ ତରଙ୍ଗ ପରଶେ ମୃଦୁଳେ;-
ଅନିଳ ଚଞ୍ଚଳ ବୋହି ପରିମଳ,
କରେ ଗୋ ଆକୁଳ ଭସାଇ ଦି’କୁଳ;
କେ ସେ ଇଙ୍ଗିତେ ଉଛୁଳାଏ ହସି-
ଛୋଇଁଲେ, ଯାଏତ ଖସି, ଖସି ।
ମୁକୁନ୍ଦ – କାହିଁ ? ଏଠିବିତ ଜେମାଦେଈଙ୍କୁ ଦେଖୁ ନାହିଁ- ଏମାନଙ୍କୁ ପଚାରିବି କି ? ନା, ନା- ଏ’ ଯେ ଗୋପନୀୟ- କି ମୂର୍ଖ ମୁଁ, ସେହି ସଖୀତ ଏହି ଗୁପ୍ତ କଥା ଜାଣେ- ତା’ରି ଦ୍ୱାରା ଅଣାଇ ନେଇଥିଲେ ତ ସବୁଦିଗ ରକ୍ଷା ହୋଇଥା’ନ୍ତା- ହାୟ । କି ଆବେଗରେ ସିନା- । କାହିଁ ଗଲା ସେ- ‘ଏଠି ଥାଅ’ ବୋଲି କହ ? -କେଉଁଠି ପାଉଛି- ନା, ନା, ତାକୁ ଖୋଜି ସମୟ ନଷ୍ଟ କରିବାଠାରୁ, ଜେମାଦେଈଙ୍କ ସଙ୍ଗେ ବରଂ ଗୋପନରେ - ନା, ନା, ମୁଁ ଫେରି ଯାଏଁ, ଫେରି ଯାଏଁ- ସେହି ସଖିଦ୍ୱାରାହିଁ-
[ଏହି ସମୟରେ ସୁସଜ୍ଜିତା କୃଷ୍ଣା ବିପରୀତ ଦିଗରୁ ପ୍ରବେଶ କଲେ ଓ ମୁକୁନ୍ଦ ମନ୍ତ୍ରମୁଗ୍ଧବତ୍ ଅନାଇ ରହିଲେ]
ସଖୀଗଣ – (ଗୀତ ଗାଇବାର ଉଦ୍ଯୋଗ କଲେ)
କୃଷ୍ଣା – (ଇଙ୍ଗିତରେ ସଖୀମାନଙ୍କୁ ସ୍ଥାନତ୍ୟାଗ କରିବାକୁ ଆଦେଶ କଲେ, ସଖୀମାନେ ନୀରବରେ ନିଜ ନିଜ ଯନ୍ତ୍ରାଦି ଘେନି ଗୋଟାଏ ଦିଗରେ ପ୍ରସ୍ଥାନ କଲେ । କୃଷ୍ଣା ଗୋଟିଏ ସୁସଜ୍ଜିତ ଆସନରେ କିଛି କ୍ଷଣ ବସି, ଦୀର୍ଘ ନିଶ୍ୱାସ ତ୍ୟାଗ କରୁ କରୁ)- ଓଃ କି ବିଶ୍ୱାସଘାତିନୀ ।
ମୁକୁନ୍ଦ – (ହଠାତ୍ ସ୍ୱପ୍ନୋତ୍ଥିତବତ୍) ନା, ନା, ବିଶ୍ୱାସଘାତିନୀ ନୁହେଁ, ଜେମା- (କୃଷ୍ଣା ନିକଟକୁ ଧାଇଁ ଆସିଲେ)
କୃଷ୍ଣା – କିଏ ? କିଏ ? (ଆତଙ୍କରେ ଶିହରି-ଉଠି ପଛକୁ ଘୁଞ୍ଚିଗଲେ)
ମୁକୁନ୍ଦ – ଭୟର କାରଣ ନାହିଁ, ଯେମାଦେଈ- ମୁଁ- (ସ୍ୱଗତ) ଓଃ, ରାଜମର୍ଯ୍ୟାଦା ଯେ ଭୁଲିଚି (ଆଣ୍ଠୁମାଡ଼ି ପ୍ରଣାମପୂର୍ବକ) ଏ’ ଅଧୀନ (ଜିହ୍ୱା ଦଂଶନପୂର୍ବକ) ନା, ନା, ଅଧମ- ଦାସାନୁଦାସ- ସେବକ- ମୋର, ନା, ନା, ଅଧମର, ସେବକର ନାମ- ମୁକୁନ୍ଦ-
କୃଷ୍ଣା – ମୁକୁନ୍ଦ ତୁମ୍ଭେ ! ତୁମ୍ଭରି ନାମ- ମୁକୁନ୍ଦ ।
ମୁକୁନ୍ଦ – ହଁ, ହଁ, ନା, ନା- ଆଜ୍ଞା, ଆଜ୍ଞା- ମଣିମା-
କୃଷ୍ଣା – ଅସମ୍ଭବ-ଅସମ୍ଭବ-
ମୁକୁନ୍ଦ – ସେହି ଖୋଳଟା ହିଁ-
କୃଷ୍ଣା – (କେଉଁ ସ୍ମୃତିଦଂଶନରେ ମୁଖ ବିବର୍ଣ୍ଣ କରିଦେଲେ)
ମୁକୁନ୍ଦ – (ହଠାତ୍ ରହି ଯାଇ ଓ କୃଷ୍ଣାର ବିବର୍ଣ୍ଣଭାବ ଦେଖି ଜିଭ କାମୁଡ଼ି ସ୍ୱଗତ) ଏଁ, ଏଁ, ନ ପଚାରୁଣୁ ନାମ କହି, ପ୍ରମାଣ ଦେଇ, ମର୍ଯ୍ୟାଦା ନଷ୍ଟ କଲି ନା କ’ଣ ?- (ପ୍ରକାଶ୍ୟେ) କ୍ଷମା କରନ୍ତୁ ଜେମାଦେଈ- ପ୍ରକୃତରେ ମୁହିଁ- ନା, ନା, ଏ’ ଅଧୀନ- ଅଧମ- ମୁକୁନ୍ଦ ।
କୃଷ୍ଣା – ପ୍ରକୃତ ମୁକୁନ୍ଦ ନୁହଁ ତୁମ୍ଭେ- ତୁମ୍ଭେ ନିଶ୍ଚୟ ଜାଲ- ଜାଲ-
ମୁକୁନ୍ଦ – ଜାଲ, ଜାଲ- (ଠିଆ ହୋଇ) ସତ୍ୟ ଛଡ଼ା ମିଥ୍ୟା କେବେ- ନା- ନା (ସ୍ୱଗତ) ମର୍ଯ୍ୟାଦା- ମର୍ଯ୍ୟାଦା- (ଆଣ୍ଠୁମାଡ଼ି ବସି, ପ୍ରକାଶ୍ୟେ) ଧୁଷ୍ଟତା -ପ୍ରଗଳ୍ଭତା- ଆତ୍ମଂଭରିତା- ମାର୍ଜ୍ଜନା-
କୃଷ୍ଣା – ସତ୍ୟ, ସତ୍ୟକି ସେହି ମୁକୁନ୍ଦ ତୁମ୍ଭେ । ଯାହାକୁ, ଦିନେ କେତେକ ସଖୀଙ୍କ ମେଳରେ ଜଳକେଳି କଲାବେଳେ, କୁମ୍ଭୀର ଗ୍ରାସରୁ ମୋତେ ରକ୍ଷା କରି- ନା, ନା, ରକ୍ଷା ତ ନୁହେଁ- ଅନ୍ୟ କେଉଁ ଭୀଷଣତର କୁମ୍ଭୀର ଗ୍ରାସରେ ଯେହ୍ନେ ନିକ୍ଷେପ କରି, କ୍ରୂର ମଧୁରଭାବେ, ଏ’ ନୟନ ଓ ହୃଦୟ ପଥେ ମୋର ଗୋଟାଏ ଚମକ ଖେଳାଇ ଦେଇ, କେଉଁ ଘନାନ୍ତରାଳରେ ଲୁଚି ଯିବାକୁ ଦେଖିଥିଲି- ?
ମୁକୁନ୍ଦ – (ସଲଜ୍ଜେ ମସ୍ତକାବନତ କଲେ)
କୃଷ୍ଣା – ତୁମ୍ଭେ କି ସେହି ମୁକୁନ୍ଦ, ଯେ କି, ସେ ଦିନ ସଭାରେ ପୁରସ୍କାର ତା’ର ଗୋଟାଏ ପ୍ରତାରକ, ଶୃଗାଳପରି ପୁଛୋତ୍ତୋଳନପୂର୍ବକ ନେଇ ପଳାଇ ଯିବାକୁ ଦେଖି ପିଞ୍ଜରାବଦ୍ଧ କେଶରୀ ପରି ନୀରବ ହୁଙ୍କାରରେ ଯେହ୍ନେ ସମସ୍ତ ବାହାର ଅନ୍ତର ମୋ’ର ପ୍ରକମ୍ପିତ କରି ଦେଇଥିଲ ?-
ମୁକୁନ୍ଦ – (ଦୀର୍ଘନିଶ୍ୱାସ ତ୍ୟାଗ କଲେ)
କୃଷ୍ଣା – ସତେ, ସତେ କି ତୁମ୍ଭେ ସେହି ବୀର, କର୍ତ୍ତବ୍ୟନିଷ୍ଠ ସୁନ୍ଦର ଯୁବକ, ଯାହାର ସଦିନକାର ସେହି କ୍ଷଣିକ ସଂସ୍ପର୍ଶରେ ମୁଁ ଯେ କି ଆବେଗ ଓ ତାଡ଼ନାରେ ଦିନରାତି ଭୁଲି କେତେ କେତେ ଚିନ୍ତା ଓ ସ୍ୱପ୍ନ ରାଜ୍ୟ ମଧ୍ୟ ଦେଇ ଭାସି ଚାଲିଲି- ଚାଲିଥା’ନ୍ତି ଆଜି ପର୍ଯ୍ୟନ୍ତ- ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ ନା, ନା ଚିରଦିନପାଇଁ, ଯଦି ବାଧା ଦେଇ ନ ଥାନ୍ତା- ଦୈବରାଣୀ ସମ-ମର୍ଯ୍ୟାଦର - ରାଜମର୍ଯ୍ୟାଦା- କେଉଁ ବହିର୍ଦେଶେ ଥାଇ ।
ମୁକୁନ୍ଦ – ସେହି ମର୍ଯ୍ୟାଦା -ରାଜ-ମର୍ଯ୍ୟାଦା ରକ୍ଷା କରିବା ଉଦ୍ଦେଶ୍ୟରେହିଁ ଏଠାକୁ ଆଗମନ, ସେହି ମୁକୁନ୍ଦର ।
କୃଷ୍ଣା – ‘ମର୍ଯ୍ୟାଦା ରକ୍ଷା’ କରିବା ଉଦ୍ଦେଶ୍ୟରେ, ନା ମର୍ଯ୍ୟାଦା ନାଶ କରିବା ଉଦ୍ଦେଶ୍ୟରେ, ଚୋର-
ମୁକୁନ୍ଦ – ‘ମର୍ଯ୍ୟାଦା ନାଶ’ -‘ମର୍ଯ୍ୟାଦା ନାଶ’ (ସହସା ବଜ୍ରପାତନରେ ଯେହ୍ନେ କିଛିକ୍ଷଣ ଜ୍ଞାନହୀନ ହେଲେ- ଜେମାଦେଈ, ଜେମାଦେଈ ବିଶ୍ୱାସ କରନ୍ତୁ- ମୁହିଁ ସେହି ମୁକୁନ୍ଦ- ପ୍ରକୃତରେ -(ଅତୀବ ବିନୟ ଭାବରେ କୃଷ୍ଣାଆଡ଼େ ଚାହିଁ ରହିଲେ)
କୃଷ୍ଣା – ବାଃ, ବାଃ ସ୍ୱର ବଦଳାଇ ବେଶ ଅଭିନୟ କରି ଜାଣତ ?
ମୁକୁନ୍ଦ – ଜେମାଦେଈ । ଜେମାଦେଈ । ଏ ଶ୍ଲେଷବାକ୍ୟ ପ୍ରୟୋଗ ବିଧାନୁ -ନିଅ ଅସ୍ତ୍ର କାଟିଦେଲୁ ମୋର- ବିନ୍ଧି ବକ୍ଷେ ନିଜ କରେ କର ନାଶ ପ୍ରାଣ ତ୍ୱରା ମମ-
କୃଷ୍ଣା – ଏତେ ଯେବେ ମହତ୍ତ୍ୱ ତୋହର- କେଉଁ ନୀଚ ପ୍ରାଣେ, ନୀର ଅଭିଳାଷେ ପଶିଛୁରେ ଅନ୍ତଃପୁରେ ମୋର- ଏକାକିନୀ ମୁହିଁ- ନାହାନ୍ତି ସଙ୍ଗିନୀ-
ମୁକୁନ୍ଦ – ସେତିକି, ସେତିକି, ଜେମାଦେଈ- ନ କର ଛଳନା- ବିନା ଆଦେଶରେ, ଚନ୍ଦ୍ର ସୂର୍ଯ୍ୟ ନ ପଶେ ଯେଠାବେ - କିବା ଶକ୍ତି ଦାସାନୁଦାସର ତବ-
କୃଷ୍ଣା – କହିବାକୁ ତେବେ ଚାହୁଁ, ମିଥ୍ୟାବାଦୀ ଡକାଇଛି ସଂଗୋପନେ
ମୁକୁନ୍ଦ – (ସ୍ୱପ୍ନୋତ୍ଥବତବତ୍ ଚମକି ଉଠି) ଏଁ- ଏ- ଏ’ କି କଥା ଶୁଣୁଅଛି ମୁହିଁ ଜେମାଦେଈ -ଜେମାଦେଈ-
କୃଷ୍ଣା – କାମୁକ- ଲମ୍ପଟ- କିଏ ଅଛ-ଶୀଘ୍ର - (ପ୍ରସ୍ଥାନୋଦ୍ୟତ)
ମୁକୁନ୍ଦ – ତେବେ କ’ଣ ମିଥ୍ୟାରେ ଭୁଲାଇ ମୋତେ-
କୃଷ୍ଣା – ମିଥ୍ୟାରେ ଭୁଲାଇ’ । (ଏହି କଥାରେ ଯେମନ୍ତ ଅନ୍ତଦେଶସ୍ଥ ଗୋଟାଏ ଅର୍ଦ୍ଧରୁଦ୍ଧ ଦ୍ୱାର ସମ୍ପୂର୍ଣ୍ଣ ଖୋଲିଗଲା) -କିଏ ? କିଏ ?-
ମୁକୁନ୍ଦ – ଆପଣଙ୍କରି- ଛାମୁଙ୍କରି ସଖୀ-
ମୁକୁନ୍ଦ – ଜାଣେ ନା, ଜେମାଦେଈ- କି ନାମ -ଓଃ, ମୁକୁନ୍ଦ- ମୁକୁନ୍ଦ- କି ଭ୍ରମରେ-
ମୁକୁନ୍ଦ – ଜେମାଦେଈ ଆପଣଙ୍କର ସେହି ଖୋଳଟା ଯୋଗଁ ଭାରି ବିପଦରେ-’
କୃଷ୍ଣା – ବୁଝିଚି, ବୁଝିଚି- ଚମ୍ପା ଦୁଷ୍ଟାର କାର୍ଯ୍ୟ ଏହି ଆପଣ କ’ଣ ଆପଣଙ୍କର ଖୋଳଟା ଫେରି ପାଇ ନାହାନ୍ତି ?-ସଭାଘରେ ତ ସେହିଦିନୁ ମୁଁ ପକାଇ- ନା, ନା ଥୋଇଦେଇ, ସେହି ମୁହୂର୍ତ୍ତେ-
ମୁକୁନ୍ଦ – ତେବେ- ତେବେ ଆପଣଙ୍କ ପାଖରେ ନ ଥିଲା ?
କୃଷ୍ଣା – ଏ’ପରି ବିଶ୍ୱାସ କରିବା ପୂର୍ବରୁ ଥରେ ଅନୁସନ୍ଧାନ -
ମୁକୁନ୍ଦ – କରିଥିଲି, -କିନ୍ତୁ ଖୋଜି ନ ପାଇବାରୁ -(ଲଜ୍ଜାରେ ମୁଖାବନତ କଲେ)
କୃଷ୍ଣା – ସେହି ଦୁଷ୍ଟା ତେବେ ନିଶ୍ଚୟ- ବେଶ୍, ମଗାଇ ପଠାଇଲୁ ନାହିଁ ?
ମୁକୁନ୍ଦ – କ୍ଷମା, କ୍ଷମା, ଜେମାଦେଈ- ଜାଣେ ନାହିଁ, କେଉଁ ଆବେଗରେ- ନା, ନା, ସେହି ଦୁଷ୍ଟାର ଛଳନାରେ ଭୁଲି ସିନା ଜେମାଦେଈ । ଜେମାଦେଈ । ମଗାଇଥିଲେ ମଧ୍ୟ, ସେହି ଦୁଷ୍ଟା ହାତରେହିଁ ମଗାଇ ଥାନ୍ତୁ ସିନା-
କୃଷ୍ଣା – ଓଃ, ନିଶ୍ଚୟ ଗୋଟାଏ କିଛି ବିପଦ ତେବେ- ମୁକୁନ୍ଦ - ‘ବିପଦ’ -‘ବିପଦ’ ମୁହିଁ ସେ ‘ବିପଦ’ ସଶରୀରେ ଏବେ- ଓଃ, କି ଅଦୂରବର୍ତ୍ତୀ ମୁହିଁ ମର୍ଯ୍ୟାଦା ରକ୍ଷା କରିବାକୁ ଆସି-
କୃଷ୍ଣା – (ନେପଥ୍ୟକୁ ଚାହିଁ) ଏଁ, ଏଁ - କିଏ, କିଏ ଏମାନେ- (ମୁକୁନ୍ଦ ଆଡ଼େ ଚାହିଁ ମର୍ଯ୍ୟାଦା ନାଶ ଭୟରେ ଅଧୀରା ହେଲେ ପରା)
ମୁକୁନ୍ଦ – ଧୌର୍ଯ୍ୟ, ଧୌର୍ଯ୍ୟ, ଜେମାଦେଈ- ମର୍ଯ୍ୟାଦା ରହିବ ଚିର ଅକ୍ଷୁର୍ଣ୍ଣ ତୁମ୍ଭର- ଯାବତ ମୁକୁନ୍ଦ ପିଣ୍ଡେ ଧରଇ ପରାଣ (ଡେଇଁ ଉଠି ଜଳାକବାଟିର ଲୁହାଗଜ ଦୁଇଟା ଉଠାଇ ଦେଇ ଆର ପାଖକୁ ଡେଇଁପଡ଼ି, ସେହି ଦୁଇଟା ପୁଣି ଯଥା ସ୍ଥାନରେ ଲଗାଇଦେଲେ- କୃଷ୍ଣା ସାଶ୍ଚର୍ଯ୍ୟ ଚାହିଁଥିଲେ) କ୍ଷମା, ଅପରାଧ ମୋ’ର ।
କୃଷ୍ଣା – (ମୁଗ୍ଧ ଦୃଷ୍ଟିରେ ଚାହିଁ) ନା, ନା, ଅପରାଧିନୀ ମୁହିଁ, ବୀର- ଫେର- (ଜଳାକବାଟିଆଡ଼େ ଦୌଡ଼ି ଗଲେ)
[ସମରେନ୍ଦ୍ର ଓ ଚମ୍ପାର ବେଗେ ପ୍ରବେଶ]
ସମରେନ୍ଦ୍ର – କାହିଁ, କାହିଁ ଚୋର ?- (ସେହି ଜଳା କବାଟି ବାଟେ ଅନାଇ ବିସ୍ମୃତ ହେଲେ)
ଚମ୍ପା – ଡେଇଁ ପଳାଇଳା ନା କଣ ?
[କୃଷ୍ଣା କ୍ରୁଦ୍ଧ ଦୃଷ୍ଟିରେ ଚାହିଁଥିଲେ]
ଚମ୍ପା – କିଛି ବେଆଇନ କାମ କରି ନାହୁଁ, ଜେମା ମଣିମା- ଏହି ଦେଖନ୍ତୁ ବା ପ୍ରତିନିଧି ଅନନ୍ତ ସିଂହଙ୍କ ଆଦେଶ ପତ୍ର-
କୃଷ୍ଣା – ବିଶ୍ୱାସଘାତିନୀ- କାଳନାଗୁଣୀ-(ଘୃଣାଭରେ ପ୍ରସ୍ଥାନ କଲେ)
ଚମ୍ପା – ସେହି କାଳନାଗୁଣୀର କାଳଦଂଶନ ଏବେ ସମ୍ଭାଳି-
ଚମ୍ପା – ହଁ, ସେଇଠି ଭୂତପରି ଠିଆ ହୋଇ ଥାଅଯାଇ, ବେଗେ ଖୋଜି, ବାନ୍ଧି ଘେନି ଆସ ନା-
[ସମରେନ୍ଦ୍ର ପ୍ରସ୍ଥାନ କରିବାକୁ ଯାଇ ଦ୍ୱାର ବନ୍ଦ ଦେଖି ଫେରିଲା]
ସମରେନ୍ଦ୍ର – ଚମ୍ପା । -ସର୍ବନାଶ ।-ଦ୍ୱାର ଯେ ବାହାରଆଡ଼ୁ କିଳା ।
ଚମ୍ପା – ଏଁ- (ପ୍ରତ୍ୟୁପନ୍ନମତି ବଳରେ) ମ’ ଭାଙ୍ଗି ଦେଇ ପାରୁ ନାହିଁ ? କେମିତିକା ମିଣିପ ତୁମେ ? ଏଇଥିପାଇଁ ପରା-
ସମରେନ୍ଦ୍ର – (କେଉଁ ଉତ୍ତେଜନାରେ ଧକ୍କା ମାରି ଭାଙ୍ଗିବାକୁ ଚେଷ୍ଟା କଲା, କିନ୍ତୁ ବିଫଳ ଓ କ୍ଲାନ୍ତ ହେବାକୁ ଲାଗିଲା)
ଚମ୍ପା – ମ’ -ଟିକିଏ ହୋଇ କ’ଣ ତୁମର ବୁଦ୍ଧିଶୁଦ୍ଧି ନାହିଁ- ସେହି ଜଳାକବାଟି ବାଟେ ଚଳିଯାଇ ପାରୁନାହିଁ- ତୁମ ସାମନାରେ ପରା-
ସମରେନ୍ଦ୍ର – ଠିକ୍ ଠିକ୍(ମୁଣ୍ଡ ଗଳାଇ) ଚମ୍ପା । କିଛି ଯେ ଗଳୁ ନାହିଁ ।
ଚମ୍ପା – ମର, ଓଲୁ । ସେହି ଲୁହା ବାଡ଼ ଗୁଡ଼ାକ ଓଟାରି ବାହାର କରିଦିଅନା ଆଗେ-
ସମରେନ୍ଦ୍ର – ଚମ୍ପା, (ସେଥିରେ ମଧ୍ୟ ବିଫଳ ହୋଇ) ଖାଲ ଖୋଳିବାକୁ ଆସି, ନିଜେ ସେହି ଖାଲରେ -?
ଚମ୍ପା – ପଡ଼ି ମର, ମର୍ ତୁହି- ମୁଁ ବେଶ୍ କରି ମାଟି ଚଳାଇ ଦେଉଛି-
ସମର – ଚମ୍ପା ! ଚମ୍ପା ! ପ୍ରାଣେଶ୍ୱରୀ- (ବିକଳରେ ଚାହିଁଲେ)
[ରାଜା ଓ କୃଷ୍ଣାଙ୍କ ଆସିବାର ପରେ ପରେ କେତେକ ସୈନ୍ୟ ସହ ଅନନ୍ତସିଂହଙ୍କ ପ୍ରବେଶ]
ପ୍ରତାପ – ଏତେ କଥା- କାହିଁ ସେ ନରାଧମ ?
କୃଷ୍ଣା – ଏହି ଘରେ- (ସମରେନ୍ଦ୍ରକୁ ଦେଖାଇ ଦେଲେ)
ପ୍ରତାପ – ମୁହଁ ତା’ର ଦେଖିବା ମଧ୍ୟ ଅନୁଚିତ -
ଚମ୍ପା – ଏହି ବାଟେ ପଳାଇଛି, ମହାରାଜ ! -ଏହି ବାଟେ, ସେନାପତେ ।
କୃଷ୍ଣା – ସେହି ଦାସୀଟା ବି- (ରାଜାଙ୍କ କାନେ କାନେ କ’ଣ କହିଲେ)
ପ୍ରତାପ – ସଙ୍ଗେ, ସଙ୍ଗେ ଅଛି ନା ?- ରକ୍ତ ଥରେ ପରା ମୁହଁରେ ଲାଗିଛି- ସେନାପତେ । ସେ ଦିନ କୁମ୍ଭୀର କଥା ମୁକୁନ୍ଦ ଯେଉଁପରି କହୁଥିଲା, ତାହାହିଁ ପ୍ରକୃତ ଘଟଣା- ତୁମ୍ଭେ ମଧ୍ୟ ଭୁଲ ବୁଝିଥିଲ; - ଏହି ପାପିୟସୀ ତା’ର ପାପ ପ୍ରଣୟ ସାର୍ଥକ କରିବା ଉଦ୍ଦେଶ୍ୟରେ -ଛାଡ଼-ମା, ସେହି ପାପିଷ୍ଠକୁ ବାହାର କରି ଦେବାଆଗରୁ ଏ’ କଥା ମୋତେ ନ ଜଣାଇଲୁ କାହିଁକି ? ଦେଖ୍, ଦୟାକରି ଛାଡ଼ି ଦେବାର ପ୍ରତିଫଳ ସୟତାନ କିପରି ଭାବରେ ଦେଇଥାଏ-ଓଃ-କମ୍ ସାହସ ତ ନୁହେଁ ତା’ର !-
ଚମ୍ପା – ମହାରାଜ । ପ୍ରକୃତ ଚୋର କିଏ, ଥରେ ବିଚାର କରି -(ସମରେନ୍ଦ୍ରଆଡ଼େ) ଖୋଳଟା- ଖୋଳଟା -
ସମରେନ୍ଦ୍ର – (ସଭୟେ ଅନନ୍ତ ଆଡ଼େ ଦେଖାଇ ଦେଲେ)
ପ୍ରତାପ – ଶୀଘ୍ର ବନ୍ଦୀ କରି ଏମାନଙ୍କୁ ଏ ସ୍ଥାନରୁ ଘେନି ଯାଅ, ଅନନ୍ତ ସିଂହ !-(ପ୍ରସ୍ଥାନୋଦ୍ୟତ ହେଲେ)
ଚମ୍ପା – ସେନାପତେ- ସେନାପତେ- କାହିଁ ସେହି ଖୋଳଟା-
କୃଷ୍ଣା – ଚାଲ, ଚାଲ, ବାବା । -ଆଉ ଏ’ ସ୍ଥାନରେ - (ଉଭୟେ ପ୍ରସ୍ଥାନ କଲେ)
ଚମ୍ପା – ଆଣ, ଆଣ- ବେଗେ ଆଣି ଦେଖାଅ ମହାରାଜାଙ୍କୁ, କୁହ ବୁଝାଇ- କିଏ ଚୋର - କିଏ ଚୋରଣୀ -
ଅନନ୍ତ – (ଅନ୍ୟମନସ୍କ ଥାଇ) ବାନ୍ଧ, ବାନ୍ଧ ଦୁହିଙ୍କୁ, ସୈନିକ ।
ସମରେନ୍ଦ୍ର – ମୁଁ- ମୁଁ- ମୁଁ- ଯେ-ସ-ମ-ସ-ମ-ରେ ।
ଚମ୍ପା – ଏ’ କଣ କରୁଛ, ଅନନ୍ତ ସିଂହ ?- ମୁଁ ଯେ ଚମ୍ପା- ।
ଅନନ୍ତ – (ସେହିପରି ଅନ୍ୟମନସ୍କଭାବେ) ରାଜାଙ୍କର ଆଦେଶ- ।-ହାଃ-ହାଃ-ହାଃ- (ଉଚ୍ଚ ରୋଳରେ ହସିଉଠିଲେ- ସେହି ହସରେ ଯେମନ୍ତ ସେ ନିଜକୁ ନିଜେ ବିଦ୍ରୂପ କରୁଥିଲେ)
ଚମ୍ପା – (ତ୍ରୂଦ୍ଧାସିଂହିନୀ ପରି ଚାହିଁ ରହିଲେ)
ସମରେନ୍ଦ୍ର – (ଚମ୍ପାର କାନଭିତରେ ମୁଣ୍ଡ ଗୁଞ୍ଜିବାକୁ ଲାଗିଲେ)
ତୃତୀୟ ଅଙ୍କ
ପ୍ରଥମ ଦୃଶ୍ୟ
[ ସଖୀଗଣ ମଧ୍ୟରୁ କେତେକ ଫୁଲ ଚାଙ୍ଗୁଡ଼ିରେ ଫୁଲ ତୋଳି ଆଣି ଦେଉଥିଲେ, କେତେକ ବସି ବସି ହାର ଗୁନ୍ଥୁଥିଲେ, କେତେକ କେବଳ ନିରୀକ୍ଷଣ କରୁଥିଲେ । ସମସ୍ତେ କିନ୍ତୁ ସମଭାବରେ ଓ ସମସ୍ୱରରେ ଗୋଟିଏ ସଙ୍ଗୀତର ଝଙ୍କାରରେ ଉଦ୍ୟାନଟି ପୂର୍ଣ୍ଣ କରି ଦେଇଥିଲେ ]
ଆମେ ଗାଉ ଗାନ, ଗୁନ୍ଥୁ ମାଳ ।
ଫୁଲେ, ଫୁଲେ ଗୋ ସଞ୍ଜ ସକାଳ ॥
ପୁଲକେ ପୁଲକେ କେ ଆସି କି ତାନ
[ ଏହି ସମୟରେ କୃଷ୍ଣାର ପ୍ରବେଶ ]
କୃଷ୍ଣା – କ’ଣ କରୁଛ ତୁମ୍ଭେମାନେ ? ଏତେବେଳେ କି ହାର ଗୁନ୍ଥିବାର ବେଳ ?
୧ମ ସଖୀ – ମଣିମାଙ୍କ ହୁକୁମ୍ ହୋଇଥିଲା ବୋଲି- କୃଷ୍ଣା- ହୁକୁମ୍ କରିଥିଲି ?-ବେଶ୍- ବେଶ୍- ଗୁନ୍ଥ ଗୁନ୍ଥ- ଦେଖେଁ କେମିତିକା-
୧ମା ସଖୀ – (ହାରଟି ଆଣି ଦେଖାଇଲେ)
କୃଷ୍ଣା – (ସାଗ୍ରହେ ନେଇ) ଘେନି ଯା’ ଏଠୁଁ-
ସଖୀଗଣ – (ସଭୟେ ଚାହିଁରହିଲେ)
କୃଷ୍ଣା – ଚାଲି ଯାଅ ସମସ୍ତେ- ମୋ’ର ହୁକୁମ୍ (ସଖୀଗଣ କ୍ଷୁଣ୍ଣମନେ ପ୍ରସ୍ଥାନ କଲେ) କି’ ସମ୍ବାଦ ପାଉଛି । କି’ ବିଚାର ହେଲା । କେହିତ ଫେରିଲେ ନାହିଁ । ଯା’କୁ ପଠାଇଲି- ଏହି ଯେ ଅନନ୍ତ ଭାଇ- ।
କୃଷ୍ଣା – କି ସମ୍ବାଦ,- କୁହ- ଶୀଘ୍ର ଶୀଘ୍ର ଭାଇ ?
ଅନନ୍ତ – ଶୁଭସମ୍ବାଦ, ଜେମାଦେଈ । ମୁକୁନ୍ଦ ନିର୍ଦ୍ଦୋଷ ପ୍ରମାଣିତ ହୋଇ, ମୁକ୍ତି-
କୃଷ୍ଣା – ‘ମୁକ୍ତି’ । ଭାଇ । ଭାଇ । ସତ କହୁଚତ ? ‘ମୁକ୍ତି’- ଆଉଥରେ- ଆଉଥରେ-
ଅନନ୍ତ – ହଁ, ‘ମୁକ୍ତି’, ଜେମାଦେଈ- ମୁକୁନ୍ଦ ନିର୍ଦ୍ଦୋଷ ପ୍ରମାଣିତ ହୋଇ ମୁକ୍ତି ଲାଭ କରିଛି- ଆଉ ଚମ୍ପା, ସମରେନ୍ଦ୍ର ପ୍ରାଣଦଣ୍ଡରେ ଦଣ୍ଡିତ ହୋଇ, ବର୍ତ୍ତମାନ କାରାଗାରରେ -।
କୃଷ୍ଣା – (ଅତ୍ୟଧିକ ଆନନ୍ଦୋଚ୍ଛାସରେ ରୁଦ୍ଧଶ୍ୱାସ ହୋଇ, କେଉଁ ପ୍ରବାହରେ ଯେ ଭାସି ଯାଉଥିଲେ)
ଅନନ୍ତ – (କୃଷ୍ଣାର ଅବସାଦ-ଭାବରେ ଭୀତହୋଇ, ଧାରଣ କରିବାକୁ
ଯାଉଥିଲେ) ଜେମାଦେଈ- ଜେମାଦେଈ-
କୃଷ୍ଣ – (ସ୍ୱପ୍ନୋତ୍ଥିତବତ୍) ହଁ, ମୋର ଭାରି ଭୟ ଥିଲା, ସେନା- ନା ଭାଇ- ସେଦିନ ତୁମେ ଯଦି ସତ କଥାଟା-
ଅନନ୍ତ – ପ୍ରକାଶ କରିବାଠାରୁ ସଂଗୋପନରେ ବରଂ କି ଯେ ଆନନ୍ଦ ମୁଁ ଅନୁଭବ କରିଥିଲି- ।
କୃଷ୍ଣା – ସେଦିନ ସଭାରେ ସମରେନ୍ଦ୍ରର ପକ୍ଷ ସମର୍ଥନ କରି ଯେଉଁଭାବେ ତୁମ୍ଭଙ୍କୁ ଯୁକ୍ତି କରିବାକୁ ଦେଖିଥିଲି-
ଅନନ୍ତ – ସେଥିରେ ଅପର କ’ଣ- ନିଜେ ମୁଁ ନିଜକୁ ବିଶ୍ୱାସ କରି ନାରୁ ନାହିଁ, ସେହି କୁକ୍କୁରଟାର ସଂସର୍ଗ ଏତେ ସହଜେ ଓ ବେଗେ ଏଡ଼ି ପାରିବି ବୋଲି- ଓଃ, ଜେମାଦେଈ । ମୁକୁନ୍ଦ ପ୍ରତି ମୁଁ ଯେ କି ଅନ୍ୟାୟ କରିଚି-
କୃଷ୍ଣା – କରିଥାଅ ଯେବେ, ଏହିଥିରେହିଁ ତାର ପ୍ରତିକାର ହୋଇଗଲା ନାହିଁ କି ?
ଅନନ୍ତ – ଅଣୁମାତ୍ରାରେ ନୁହେଁ, ଜେମାଦେଈ- ଆଜିକାର ଘଟଣାଟି କେବଳ ତୁମ୍ଭର- ତୁମ୍ଭରି ଯତ୍ନର ପ୍ରତିଫଳ, ଜେମାଦେଈ ।
କୃଷ୍ଣା – (ଗୋଟାଏ ସ୍ୱାଭାବିକ ଲଜ୍ଜାରେ ଗଣ୍ଡଦେଶ ରଞ୍ଜିତ ହୋଇଗଲା, କିନ୍ତୁ ତାହା ତତ୍କ୍ଷଣାତ୍ ଅତି ସାବଧାନରେ ଦମନ କରିନେଲେ) ଯତ୍ନକି ମନୁଷ୍ୟର କର୍ତ୍ତବ୍ୟ ନୁହେ, ଭାଇ ।- ଯାହାହେଉ, ଭାଗ୍ୟକୁ ଖୋଳଟା ତୁମ ହାତରେ ପଡ଼ିଥିଲା ବୋଲି ସିନା-
ଅନନ୍ତ – ଭାଗ୍ୟକୁ ରାଜାଙ୍କ ଆଗରେ ଅଭିଯୋଗ କଲାବେଳେ ସେଟାକୁ ଘରେ ଛାଡ଼ି ଯାଇଥିଲି ବୋଲି, ରକ୍ଷା ।
କୃଷ୍ଣା – ମୁକୁନ୍ଦର ନାମ ତ ଅବଶ୍ୟ ପ୍ରକାଶ କରିଥିବ-
ଅନନ୍ତ – ଦୈବ ସହାୟ, ଜେମାଦେଈ । ମୋ’ ଭିତରେ ଭିତରେ ତେତେବେଳକୁ କି ଯୁଦ୍ଧ ଯେ ଲାଗିଯାଉଥିଲା, ବାଉଳାରେ ହେଉ କି ଅନ୍ୟ କେଉଁ ତାଡ଼ନାରେ ହେଉ, ମୁକୁନ୍ଦ କହୁ କହୁ ସମରେନ୍ଦ୍ର’ ବୋଲି କହି ପକାଇଥିଲି- ପରେ ପରେ କଥାର ଅସାମଞ୍ଜସ୍ୟ ଭୟରେ କିଂ କର୍ତ୍ତବ୍ୟମୂଢ଼ ହେଲାବେଳକୁ, ‘ଆସ ମୋ ସଙ୍ଗେ’ ଆଦେଶ କରି, ମହାରାଜ ଅସ୍ତବ୍ୟସ୍ତ ହୋଇ ଏଣେତ ଉଠି ଆସିଲେ-
କୃଷ୍ଣା – ଓହୋ । ସେଇଥିପାଇଁ ପିତା ମୋର ବିବରଣାନୁଯାୟୀ କୁମ୍ଭୀର ଘଟଣା ପ୍ରସଙ୍ଗରେ ସମରେନ୍ଦ୍ର ଓ ଚମ୍ପାର କୁଅଭିସିଦ୍ଧ କଥାଟା ଏତେ ସହଜରେ ବିଶ୍ୱାସ କରି ନେଇଥିଲେ- ଆଉ ସେମାନଙ୍କୁ ବିନା ପ୍ରଶ୍ନରେ ଏକାବେଳକେ ବନ୍ଦୀ କରିବାକୁ ଆଦେଶ ଦେଇଥିଲେ ।
ଅନନ୍ତ – (ସ୍ୱଗତ୍ୱ) ଓଃ, କୁମ୍ଭୀର ଘଟଣା ପ୍ରସଙ୍ଗରେ ଯେ ମୁଁ କୁମ୍ଭୀରର ଗ୍ରାସ ଅନୁଭବ କରୁଚି ।
କୃଷ୍ଣା – ଈଶ୍ୱରଙ୍କୁ ଧନ୍ୟବାଦ, ଯେ ସବୁଦିଗ ରକ୍ଷା ହୋଇ, ପ୍ରକୃତ ଦୋଷୀ ଦଣ୍ଡିତ ହୋଇଚି- ଆଚ୍ଛା, ଚମ୍ପି ନିଶ୍ଚୟ ଖୁବ୍ ଜେରା କରିଥିବ ?
ଅନନ୍ତ – ଜେଟ୍ ବୋଲି ଜେରା- ମୁକୁନ୍ଦର ପ୍ରକୃତି ତ ଜାଣ- ସତ୍ୟ ନିମିତ୍ତ ମୃତ୍ୟୁକୁ ସୁଦ୍ଧା ଯେ ଭୟ କରେ ନାହିଁ-
କୃଷ୍ଣା – ପ୍ରକୃତ ଘଟଣା ସବୁ କହି ପକାଇଲେ ପରା ?
ଅନନ୍ତ – ଭାଗ୍ୟକୁ, ଆତ୍ମ-ମର୍ଯ୍ୟାଦା ଗୁଣରୁ ହେଉ, ବା ରାଜ-ମର୍ଯ୍ୟାଦା ତ୍ରୁଟି ଭୟରେ ହେଉ, ବା ଆମ୍ଭମାନଙ୍କର ତୀବ୍ର କଟାକ୍ଷ ଯୋଗୁଁ ହେଉ, କହୁ କହୁ ହଠାତ୍ ସୁରଟା ବଦଳାଇ ନେଲା- ମାତ୍ର, ‘ନେଇ ଆଣି ଥୋଇ ଜାଣିଲେ ତ’ ହେବ-କଥା ଗୁଡ଼ାକ ଏମିତିକା ଅଡ଼ୁଆ ତଡ଼ୁଆ କରି ପକାଇଲା ଯେ-
କୃଷ୍ଣା – ପିତାତ ନିଶ୍ଚୟ ସନ୍ଦେହ କରିଥିବେ ।-
ଅନନ୍ତ – ବିଚାର ଶେଷରେ ଏହିପରି ମନ୍ତବ୍ୟ ପରା ପ୍ରକାଶ କରିଥିଲେ- ‘ପ୍ରମାଣ ଅଭାବରୁ ମୁକୁନ୍ଦକୁ ମୁକ୍ତି ଦିଆଗଲା ସତ,- କିନ୍ତୁ ତା’ର ଆଚରଣ ସନ୍ଦେହ ଜନକ-
କୃଷ୍ଣା – (ସ୍ୱଗତ) ମୋ’ର ଆଚରଣ-
ଅନନ୍ତ – ‘ସୁତରାଂ ତା’କୁ ସାଧାରଣ ସୈନିକ ପଦକୁ ଅବନତ କରାଗଲା ।’
କୃଷ୍ଣା – (ହଠାତ୍ ଅସଂଯତଭାବେ) ଏ’ ଅପମାନ ମୁକୁନ୍ଦପରି ବୀର ସହ୍ୟ କରିପାରିବ ତ ?
ଅନନ୍ତ – ମୁଁ ଅନେକ ବୁଝାଇ ଧୈର୍ଯ୍ୟ ଧରିବାକୁ ସମ୍ମତ କରାଇଚି, ଜେମାଦେଈ ।
କୃଷ୍ଣା – ଖାଲି ସେତିକିରେ ନିଶ୍ଚିନ୍ତ ହେବା କି-
(ହଠାତ୍ କେଉଁ ଲଜ୍ଜାବଶରେ ଅବନତ ହେଲେ)
ଅନନ୍ତ – କଦାପି ଉଚିତ ନୁହେଁ, ଜେମାଦେଈ- ଏ’ କଥା ମନେ ମନେ ପାଞ୍ଚି ରଖିଚି, ସୁବିଧା ପାଇଲେହିଁ ପୂର୍ବ ପଦରେ- ନା,- ନା- ଅଧିକ ତର ସମ୍ମାନିତ ପଦରେ ତା’କୁ ପ୍ରତିଷ୍ଠିତ କରିବା ପାଇଁ ମହାରାଜଙ୍କଠାରେ ଯଥାସାଧ୍ୟ ଶକ୍ତିପ୍ରୟୋଗ କରିବାକୁ କୁଣ୍ଠିତ ହେବି ନାହିଁ । ଜାଣନ୍ତି ନାହିଁ, ଜେମାଦେଈ, କେତେ ଋଣରେ ମୁକୁନ୍ଦଠାରେ ମୁଁ ରାଣୀ- ତା’ରି ମଣି ହରଣ କରି ସିନା- ଏ’ କଣ, ମହାରାଜ ଏ’ପରି ବ୍ୟସ୍ତ ତ୍ରସ୍ତ ହୋଇ ଏଣେ-
[ ପ୍ରତାପରୁଦ୍ର ଦେବଙ୍କର ବେଗେ ପ୍ରବେଶ ]
ପ୍ରତାପ – ଏହିତ ସେନାପତି - ଏଠାକୁ ଡକାଇବା ନିମନ୍ତେ ଏହିକ୍ଷଣି ଯେ ଲୋକେ ପଠାଇ, ଆସୁଚି- (କୃଷ୍ଣା ଗମନୋଦ୍ୟତ) ଚାଲି ଯା ନା, ମା- ଟିକିଏ ମାତ୍ର ଅପେକ୍ଷା- (କୃଷ୍ଣା ଭୀତିପୂର୍ଣ୍ଣ ହୃଦୟରେ ଠିଆ ହେଲେ) ଜାଣତ, ଅନନ୍ତ ସିଂହ । ତୁମ୍ଭଙ୍କୁ ମୁଁ ପୁତ୍ରାଧିକ ଜ୍ଞାନ କରେ ବୋଲି ଅନ୍ତଃପୁର ପ୍ରବେଶରେ ମଧ୍ୟ ଅଧିକାର ଦେଇଚି ।
ଅନନ୍ତ – (ବିସ୍ମୟ ଓ ଭୟରେ ଚମକିତ ହେଲେ)
ପ୍ରତାପ – ସୁତରାଂ ପୁତ୍ରୋଚିତ ବ୍ୟବହାର ତୁମ୍ଭପକ୍ଷେ କର୍ତ୍ତବ୍ୟ ନୁହେଁ କି ?
ଅନନ୍ତ – (ସହସା ଅବନତ ହୋଇ) ମହାରାଜ । ମୋ’ରି ସମସ୍ତ ଦୋଷ- ବରଂ ମୁକୁନ୍ଦ ନିର୍ଦ୍ଧୋଷ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ପ୍ରତାପ – (ସାଶ୍ଚର୍ଯ୍ୟେ) ଅନନ୍ତ ।-
ଅନନ୍ତ – ପ୍ରକୃତରେ, ପ୍ରଭୁ-ମୋର ପଦ-ମର୍ଯ୍ୟାଦା ଦୃଷ୍ଟିରେ, ସେହି ପାପିଷ୍ଠ ସମରେନ୍ଦ୍ରକୁ ଯଦି ଏତେଦୂର ପ୍ରଶ୍ରୟଦାନ-
ପ୍ରତାପ – ପ୍ରଶ୍ରୟଦାନରେ ପ୍ରତିଫଳତ ସେଦିନ ବେଶ ଉପଭୋଗ କରିଚ-‘ପାଷଣ୍ଡ’, ‘ବର୍ବର’, ‘ବିଶ୍ୱାସଘାତକ’- ମୁଖରେ ଯା’ ଆସିଚି-
ଅନନ୍ତ – ସତ୍ୟକଥା କହିଚି, ମହାରାଜ ।- ସତ୍ୟ- ଓଃ- ସେହି କଠୋର ସତ୍ୟ ଗୁଡ଼ିକ ଯଦି ସତ୍ୟ ବୋଲି ଆଲିଙ୍ଗନ କରି ଥା’ନ୍ତି, ତା’ ହେଲେ ଜଣେ ସତ୍ୟନିଷ୍ଠ ବୀର-
ପ୍ରତାପ – ଭୁଲ, ଭୁଲ, ଅନନ୍ତ- ସେପରି ଅଳଙ୍କାରର ଯୋଗ୍ୟ ସେହି ଦୁଶ୍ଚରିତ୍ର ମୁକୁନ୍ଦ କଦାପି ନୁହେଁ- ଓଃ, କି ଭ୍ରମରେ ତା’କୁ ଏତେବଡ଼ ପୁରସ୍କାର ସେଦିନ-
ଅନନ୍ତ – ସାମନ୍ୟ- ଅତି ସାମାନ୍ୟ ସେହି ପୁରସ୍କାର, ମହାରାଜ- ତା’ର ଯୋଗ୍ୟ ପୁରସ୍କାର- ଯେଉଁ ପଦର ବର୍ତ୍ତମାନ ମୁହଁ ଅଧିକାରୀ, ସେହି ପଦହିଁ ତାର ପ୍ରାପ୍ୟ- ନା- ନା- ଏ ପଦ ମଧ୍ୟ ତା’ର କାର୍ଯ୍ୟର ଉପଯୁକ୍ତ ପୁରସ୍କାର ନୁହେଁ, ମହାରାଜ ।
ପ୍ରତାପ – ଅନନ୍ତ । ମୁକୁନ୍ଦ ସପକ୍ଷରେ ଯୁକ୍ତି କରି କରି ତମେ କ’ଣ ଏକାବେଳକେ ମୁକନ୍ଦଗତ ପ୍ରାଣ ହୋଇ ଯାଇଚ ?
ଅନନ୍ତ – ‘ମୁକୁନ୍ଦ’- ‘ମୁକୁନ୍ଦ’ ମୋର ପ୍ରାଣ, ମହାରାଜ ।-ମହାରାଜ । ମୋତେ ମୁକୁନ୍ଦର ଉପସ୍ଥିତ-ପଦହିଁ ଦାନ କରନ୍ତୁ- ନା- ସମରେନ୍ଦ୍ରର ପଦ- ନା, ନା ତହୁଁ ହୀନ- ତହୁଁ ହୀନ-ପଦ ଯଦି ଥାଏ, ସମ୍ଭବ ହୋଇପାରେ- ଦିଅନ୍ତୁ- ଦିଅନ୍ତୁ-
ପ୍ରତାପ – (ଉଠାଇ) ଅନନ୍ତ । ବାତୁଳ ପରି କ’ଣ ଗୁଡ଼ାଏ ଏଣୁ ତେଣୁ ବକୁଚ- ସାମାନ୍ୟ ଗୋଟାଏ ସୈନ୍ୟ ପାଇଁ ଏତେ ବିଚଳିତ ତୁମ୍ଭେ ? ଗୋଟାଏ କ୍ଷୁଦ୍ର ପ୍ରସଙ୍ଗ ଘେନି ଯଦି ସାରା ଜୀବନଟା କଟାଇ ଦିଅ, ମୁହୂର୍ତ୍ତେ ମୁହୂର୍ତ୍ତେ ଯେ କେତେ କେତେ ଗୁରୁତର ସମସ୍ୟ ଲହରି ପରେ ଲହରି ପରି ଉପସ୍ଥିତ ହେଉଚି, ତା’ରଚିନ୍ତା କରିବ କେତେବେଳେ ?- ଏ’ପରି ଭାବ ପ୍ରବଣ ହେଲେ ରାଜକାର୍ଯ୍ୟ ସଂପାଦନ କି ସମ୍ଭବ ହେବ ?- ଶାସନର ଦାୟିତ୍ୱ ବହନ କରି, ବ୍ୟକ୍ତିଗତ ଚିନ୍ତାରେ ଏପରି କାଳକ୍ଷେପ-
ଅନନ୍ତ – (ଆତ୍ମ ସଂଯମ କରି) ଅନ୍ୟାୟ କରିଛି, ମହାରାଜ- ମାର୍ଜନା-
ପ୍ରତାପ – ଶୁଣ, ଅନନ୍ତ- ତୁମ୍ଭରି ଯୋଗୁଁ ଅନ୍ତଃପୁରର ମାନ ଆଜି ରକ୍ଷିତ ।
ଅନନ୍ତ – (ସ୍ୱଗତ) ନା, ନା, ମୁହିଁତ ଦିନେ- (ଅର୍ଦ୍ଧପ୍ରକାଶ୍ୟେ) ନା, ନା- ଏକମାତ୍ର ଚିନ୍ତା ମୋର- ସାର ଚିନ୍ତା- ‘ଦାୟିତ୍ୱ ବହନ’ ।- ରାଜକାର୍ଯ୍ୟ ସଂପାଦନ’-
ପ୍ରତାପ – ହଁ, ଏହିପରି ଉଜ୍ୱଳ ଦୃଷ୍ଟିହିଁ ଚାହେଁ- ସେହି ଅନ୍ତଃପୁରର ମାନ ସୁରକ୍ଷା ପାଇଁ, ଅନ୍ତଃପୁରେଶ୍ୱରୀଙ୍କୁ ଆଜି ତୁମ୍ଭରି କରେ-
ଅନନ୍ତ – ମହାରାଜ ।- (ବିସ୍ଫାରିତ ନେତ୍ରରେ ଚାହିଁ ଅବନତ ହେଲେ)
ପ୍ରତାପ – ଏଥିରେ ଆଶ୍ଚର୍ଯ୍ୟ ବା ଲଜ୍ଜାର କଥା କଣ ଅଛି, ଅନନ୍ତ- ଏ’ ଦାୟିତ୍ୱ ବହନ କରିବାକୁ ତୁମ୍ଭେ ଏକା କ୍ଷମ ସିନା ।
ପ୍ରତାପ – ଜାଣେ, ଏ’ଅତି ଗୁରୁଭାର, ମାତ୍ର ଉପାୟାନ୍ତର ନାହିଁ ।
କୃଷ୍ଣା – (ସମୁଦ୍ର ବକ୍ଷରେ ନାନା ଭଙ୍ଗିରେ ଦୋଦୁଲ୍ୟମାନ ତରୀ ପରି ସମସ୍ତ ଶୁଣୁଥିଲେ, ଶେଷେ ସମାଳି ନ ପାରି କହି ପକାଇଲେ) ପିତା । ପିତା । ତେବେ କଣ କନ୍ୟାକୁ-
ପ୍ରତାପ – ଅବିଶ୍ୱାସ । ତୋତେ, ମା- ଅସମ୍ଭବ- ଅସମ୍ଭବ- ନିର୍ମାଲ୍ୟର ନିର୍ମଳତାକୁ ଅବିଶ୍ୱାସ କରିପାରେ, କିନ୍ତୁ ତୋର ନିର୍ମଳତାକୁ-
କୃଷ୍ଣା – (କେଉଁ ଉଚ୍ଚ ଲହରୀର ଶିଖର ଦେଶରୁ ପତିତା ହୋଇ ଯେହ୍ନେ) ନା, ନିତା- ଏତେ ବିଶ୍ୱାସ-
ପ୍ରତାପ – କରିବା ଉଚିତ ନୁହେଁ କାହାରିକୁ- କିନ୍ତୁ ମୁଁ କ’ଣ ପାତ୍ର ବୁଝି କେବେ କାର୍ଯ୍ୟ କରେ ?
କୃଷ୍ଣା – (କେଉଁ କମ୍ପିତ ଚିତ୍ତରେ) ତେବେ, ତେବେ କନ୍ୟାକୁ ଆପଣାଙ୍କ ଆଦୌ-
ପ୍ରତାପ – ଖୁବ୍ ଚିହ୍ନିଚି- ମୋର ସନ୍ତାନ- ମୋର ରକ୍ତ ମାଂସ, ମନ, ପ୍ରାଣର ସତ୍ତା ନେଇ ଗୋଟିଏ ପ୍ରତିମୂର୍ତ୍ତି- ସ୍ୱହସ୍ତରେ ଲାଳିତ ପାଳିତ-
କୃଷ୍ଣା – ପିତା । ପିତା । (ହଠାତ୍ କେଉଁ କାରଣରୁ ସତ୍ୟ ପ୍ରକାଶରେ ବାଧାବଶତଃ ଗୋଟାଏ ଘୂର୍ଣ୍ଣନ ଭାବ କିପରି ଅନୁଭବ କଲେ)
ପ୍ରତାପ – ମା ମୋର । ଅନେକ କଥା, ଭଲ, ମନ୍ଦ- ମିଥ୍ୟା, ସତ୍ୟ- ପ୍ରତି ମୁହୂର୍ତ୍ତ ଏ’ ହୃଦୟସାଗରରେ ବୁଦ୍ବୁଦ୍ ପରି ଉଠୁଚି, ଲୀନ ହେଉଚି- କେତେ କେତେ ଭାବ ରାଶି, ତରଙ୍ଗ ପଛେ ତରଙ୍ଗ ପରି ଆସି ଧକ୍କା ଦେଇ, ଉଦ୍ବେଳିତ କରୁଚି- ମାତ୍ର ସେ ସମସ୍ତ ତୁଚ୍ଛ କରି, ବେଳାଭୂମି ପରି ଆମ୍ଭମାନଙ୍କୁ ନିୟତ ଅଟଳ, ଅଚଳଭାବେ ସ୍ଥିର ସ୍ଥିର ହୋଇ ରହିବା କର୍ତ୍ତବ୍ୟ ନୁହେ କି ? ଅତୀତକୁ ଅତୀତ ଗର୍ଭରେହିଁ ଶାୟିତ କରିଦେବା ଉଚିତ- ପ୍ରତି ମୁହୂର୍ତ୍ତ ଭବିଷ୍ୟତ ଚିନ୍ତା ଭବିଷ୍ୟତ ଚିନ୍ତା- ବର୍ତ୍ତମାନର ଅଣୁ ପରମାଣୁ ସେହି ଚିନ୍ତାରେ ବ୍ୟୟିତ କରିଦେବା ଆବଶ୍ୟକ ସିନା- ତେବେ ଯାଇଁ ମନୁଷ୍ୟର ଅଗ୍ରଗତି- ଜୀବନରେ ବିଜୟ ଡଙ୍କା- ଚରମରେ ଚିର ଶାନ୍ତି-
[ କୃଷ୍ଣା ଓ ଅନନ୍ତ ଉଜ୍ଜ୍ୱଳ ଦୃଷ୍ଟିରେ ପ୍ରତାପଆଡ଼େ ଚାହିଁ ନିର୍ବାକ୍ ହୋଇ ରହିଲେ- ଉତ୍କର୍ଣ୍ଣରେ ତଥାପି କଅଣ ଶୁଣୁଥିଲେ ଯେମନ୍ତ ]
ପ୍ରତାପ – (କୃଷ୍ଣାର ହସ୍ତ ଆଣି ଅନନ୍ତର ହସ୍ତରେ ମିଳାଇ ଦେଲେ) ଏହି ମୋ’ର ବର୍ତ୍ତମାନର ଉଦ୍ଦେଶ୍ୟ । (ଉଭୟେ ମନ୍ତ୍ର ମୁଗ୍ଧ ପରି ନୀରବରେ ପ୍ରତାପରୁଦ୍ରଙ୍କ ଚରଣରେ ପ୍ରଣାମ କଲେ)
କୃଷ୍ଣା – (ହଠାତ୍ କି ଗୋଟାଏ ଅନୁଭୂତିରେ ଉତ୍କ୍ଷିପ୍ତା ହୋଇ) ପିତା । ପିତା ।-(କିନ୍ତୁ ଲଜ୍ଜାରେ ସଙ୍କୁଚିତା ହୋଇ ଦ୍ରୁତ ପ୍ରସ୍ଥାନ କଲେ)
ପ୍ରତାପ – ମା- ମା- (କିଛିକ୍ଷଣ ଚାହିଁ ସ୍ମିତମୁଖ ହେଲେ, ପରେ ଗାମ୍ଭୀର୍ଯ୍ୟ ଧାରଣପୂର୍ବକ) ଶୁଣ ସେନାପତେ ।- ପର ମୁହୂର୍ତ୍ତର କର୍ତ୍ତବ୍ୟ ମୋର- ବିଜୟନଗର- ରାଜ ଆଜକୁ ସପ୍ତାହ କାଳ ହେଲା ଆମ୍ଭର ଦାକ୍ଷିଣାତ୍ୟ ପ୍ରଦେଶର ଅଧିକାଂଶ ଅଧିକାର କରି ବସିଛି- ଆମ୍ଭର ବହୁ ସୈନ୍ୟ ନିହତ- ରାୟ ରାମାନନ୍ଦ ବନ୍ଦୀ ।
ଅନନ୍ତ – (ସଲଜ୍ଜେ ମୁଖ ଫେରାଇଥିଲେ, କିନ୍ତୁ ଏହି କଥାରେ ଚମକିତ ହେଲେ) ବନ୍ଦୀ-। ଆଦେଶ କରନ୍ତୁ, ମହାରାଜ । ଏହି ମୁହୂର୍ତ୍ତେ ସସୈନ୍ୟ ସେ ଅଞ୍ଚଳକୁ ଅଗ୍ରସର ହେବା ପାଇଁ ମୁଁ ପ୍ରସ୍ତୁତ ।
ପ୍ରତାପ – ଅଧୀର ହୁଅ ନାହିଁ, ଯୁବକ- ଆବଶ୍ୟକ ମନେକରିଥିଲେ ବହୁ ପୂର୍ବରୁ ତାହା ହୋଇ ସାରନ୍ତାଣି-
ପ୍ରତାପ – ଉପାୟ ? ଉପାୟ ଯେ ବହୁଦିନୁ ସ୍ଥରୀକୃତ ହୋଇଯାଇଚି,
ଅନନ୍ତ – ତେବେ କ’ଣ ଏଥି ପୂର୍ବରୁ ଆକ୍ରମଣର ସମ୍ବାଦ-
ପ୍ରତାପ – ଆଶଙ୍କା କରିଥିଲି, ଅନନ୍ତ ।-
ଅନନ୍ତ – କି’ ଉପାୟ ହୋଇଚି, ଶୁଣିପାରେ କି-
ପ୍ରତାପ – ବାଧା ?- କାର୍ଯ୍ୟରେ ପରିଣତ ହେବା ପରେ ?-
ଅନନ୍ତ – କାର୍ଯ୍ୟରେ ପରିଣତ ହୋଇ ଯାଇଛି ।
ପ୍ରତାପ – ହଁ- ଏହି ଯେ ପୁରସ୍କାର ଛଳରେ ତୁମ୍ଭଙ୍କୁ ବାରବାଟୀର ଭାର ଅର୍ପଣ- ଗୋବିନ୍ଦଙ୍କୁ ସାରଙ୍ଗଗଡ଼ର ଅଧିନାୟକ ପଦରେ ବରଣ-
ଅନନ୍ତ – (ସାଶ୍ଚର୍ଯ୍ୟ ଚାହିଁ) ମହାରାଜ ।-
ପ୍ରତାପ – (ସସ୍ମିତେ) କ’ଣ ପଚାର-
ଅନନ୍ତ – ତଥାପି ଏ’ ଜଟିଳତା ଭେଦ କରିବାକୁ ଏ’ ଅଧୀନ ନୀତାନ୍ତ ଅକ୍ଷମ, ମହାରାଜ । ଏ’ ଅଧୀନ କାହିଁକି, ବହୁ ବିଜ୍ଞ ସଭାସଦ୍ ଅକ୍ଷମ ହେବେ-। ଧୃଷ୍ଟତା ମାର୍ଜ୍ଜନା କରି କହନ୍ତୁ, ମହାରାଜ ।- ଯେଉଁ ସମ୍ମାନରେ ଅଧୀନ ଆଜି ଭୂଷିତ, ସେହି ସମ୍ମାନ ନ୍ୟାୟତଃ ଗୋବିନ୍ଦ ବିଦ୍ୟାଧରଙ୍କର ପ୍ରାପ୍ୟ ନୁହେଁ କି ?
ପ୍ରତାପ – (ସସ୍ମିତେ) ଖାଲି ସମ୍ମାନର ବିଚାର କରିଥିଲେ ଆଜି କି ଉପାୟ କରିଥାନ୍ତି, ଅନନ୍ତ ? ହଠାତ୍ ଯଦି ଶତ୍ରୁ ଉତ୍ତର ଦିଗରୁ ଆକ୍ରମଣ କରେ- ବିଶେଷତଃ, ଏହି ଦକ୍ଷିଣାକ୍ରମଣ ବାର୍ତ୍ତା ପାଇବା ମାତ୍ରେ ହୋସେନ ଖାଁ କେବେହେଲେ ସ୍ଥିର ହୋଇ ରହି ପାରିବ କି ?- କୌଣସି ସର୍ତ୍ତ, କୌଣସି କ୍ଷତିର ଭୟ କ’ଣ ସେହି ଲୋଭୀକୁ କଦାପି ଅଟକାଇ ରଖିପାରିବ ?- ମାତ୍ର ଆକ୍ରମଣ କଲେ, ସେ ନିଶ୍ଚୟ ବାରବାଟୀ ଅତିକ୍ରମ ନ କରି ଶାରଙ୍ଗଗଡ଼ ଆକ୍ରମଣ କରି ପାରିବ ନାହିଁ- ସୁତରାଂ ତୁମ୍ଭଠାରୁ ଖୁବ୍ ବାଧା ପାଇ ସୁଦ୍ଧା ପରାସ୍ତ ନ ହୋଇ ଅତିକ୍ରମ କଲେ ବି ଗୋବିନ୍ଦଙ୍କ ପରି ଏହି ଧୀର ସ୍ଥିର କର୍ତ୍ତବ୍ୟନିଷ୍ଠ କୌଶଳୀ ସେନାପତି ଏହି ଅବସର ଭିତରେ ନାନା ଉପାୟ ଉଦ୍ଭାବନପୂର୍ବକ, ସ୍ୱଳ୍ପ ସୈନ୍ୟ ସାହାଯ୍ୟରେ ମଧ୍ୟ ଜୟ କରିବାକୁ ନିଶ୍ଚୟ ସମର୍ଥ ହେବ ।
ଅନନ୍ତ – ଉପାୟ ଠିକ୍ ଚିନ୍ତା କରିଛନ୍ତି, ମହାରାଜ ।- କିନ୍ତୁ ସେ ଆପଣ ଯଦି ମନୁଷ୍ୟ-ପ୍ରକୃତି-ସୁଲଭ ଅସୂୟା ପରବଶ ହୋଇ-
ପ୍ରତାପ – ଅସମ୍ଭବ- ଭାବିଛ କି ଅନନ୍ତ, କୌଣସି କାର୍ଯ୍ୟ ପରୀକ୍ଷା ନ କରି ମୁଁ ସେଥିରେ ହସ୍ତକ୍ଷେପ କରେ- ସୁନାକୁ ନ ପୋଡ଼ାଇ ମୁଁ ତାହାର ମୂଲ୍ୟ ନିର୍ଦ୍ଦେଶ କରେ- ଗୋବିନ୍ଦ ତୁଲ୍ୟ କର୍ତ୍ତବ୍ୟ-ନିଷ୍ଠ ବୀର କ୍ୱଚିତ ଦେଖିଛି, ଯେ କି ମାନ, ଅପମାନ,- ଧର୍ମ, ଅଧର୍ମ- ଜୀବନ, ମୃତ୍ୟୁ କର୍ତ୍ତବ୍ୟ ସମ୍ମୁଖରେ ତୁଲ୍ୟ ଜ୍ଞାନ କରେ ।- ଏହି ମୁକୁନ୍ଦକୁ ମଧ୍ୟ ସେହିପରି- ଛାଡ଼ି, ଏହିକ୍ଷଣି ମୋତେ ଯାତ୍ରା କରିବାକୁ ହେବ- ସେନାପତେ । ସମସ୍ତେ ସୈନ୍ୟଙ୍କୁ ବର୍ତ୍ତମାନ ଯୁଦ୍ଧାର୍ଥ ପ୍ରସ୍ତୁତ କରାଇ ଶ୍ରେଣୀବଦ୍ଧ ହେବା ପାଇଁ ଆଦେଶ ଦିଅ- ମୁଁ ନିଜେ ପର୍ଯ୍ୟବେକ୍ଷଣ କରି ସୈନ୍ୟ ମୋର ବାଛି
ଅନନ୍ତ – ଯଥା ଆଜ୍ଞା-(ପ୍ରସ୍ଥାନ)
ପ୍ରତାପ – ଆଉ ବାକି ରହିଲା କଣ ? (ଚିନ୍ତିତ ମସ୍ତକରେ କିଛିକ୍ଷଣ ବିଚରଣ କଲେ) ନା, ଏଠାରେ କର୍ତ୍ତବ୍ୟ ଶେଷ ହୋଇଚି- ଯାଏ, ତେଣେ ସଭାସଦ୍ଗଣ ଉପସ୍ଥିତ ହୋଇ ସାରିଥିବେ । (ପ୍ରସ୍ଥାନ)
କୃଷ୍ଣା – ଏଠାରେ କର୍ତ୍ତବ୍ୟ ଶେଷ ହୋଇଚି ଆପଣଙ୍କର, ପିତା- ଆପଣଙ୍କର ଭବିଷ୍ୟତ୍ ଚିନ୍ତାଅନୁଯାୟୀ- କିନ୍ତୁ ମୋର ଭବିଷ୍ୟତ୍ ଚିନ୍ତା ଯେ ଅନ୍ୟରୂପ- ଆପଣଙ୍କର କର୍ତ୍ତବ୍ୟ ସ୍ରୋତରେ ଭାସି ଯିବି କିପରି, ପିତା- ।
[ ଉତ୍ତପ୍ତ ମସ୍ତିଷ୍କରେ କିଛିକ୍ଷଣ ବିଚରଣ କରୁ କରୁ ଗୋଟାଏ ବେଦୀ ଉପରେ କ୍ଲାନ୍ତ ହୋଇ ବସି ପଡ଼ିଲେ । ଏହି ସମୟରେ ଜଣେ ସଖୀ ଅଙ୍ଗବଙ୍ଗି କରି ଗୀତ ଗାଉ ଗାଉ ପ୍ରବେଶ କଲା- କୃଷ୍ଣା ଟିକିଏ ତନ୍ଦ୍ରାବିଷ୍ଟା ହୋଇ ପଡ଼ିଲେ ]
ସପନେ ସମ୍ପିବୁ, ଆସିବେ ଲୋ ବଜାଇ ବାଜଣା ॥
[ ନେପଥ୍ୟ ଯୁଦ୍ଧ ବାଦ୍ୟ ଓ କୋଳାହଳ ଶୁଣାଗଲା ]
କୃଷ୍ଣା – (ଚମକି ଉଠି) ଏ’ କି କୋଳାହଳ ।- ମୁକ୍ତି- ମୁକ୍ତି (ପୁଣି କୋଳାହଳ) ଓଃ- ପିତାଙ୍କର ଯୁଦ୍ଧ ଯାତ୍ରା- ଯୁଦ୍ଧର ସୂଚନା ମାତ୍ର- କିନ୍ତୁ, ଅନ୍ତରରେ ମୋର ଯେ ଭୀଷଣ ଯୁଦ୍ଧ ଲାଗି ଗଲାଣି ।
[ ଯୋଦ୍ଧୃବେଶରେ ପ୍ରତାପରୁଦ୍ରଙ୍କର ପ୍ରବେଶ ]
ପ୍ରତାପ – ବିଦାୟ ଦେ, ମା । (କୃଷ୍ଣାକୁ ଆଲିଙ୍ଗନ କରି) ଛି, ମା ଏତେ ବ୍ୟାକୁଳା ହେଉଚୁ ।-ଏଁ, ଏତେ କମ୍ପିତା ହେଉଚୁ କାହିଁକି ?
କୃଷ୍ଣା – (କମ୍ପିତା ହୋଇ) ପିତା- ପିତା- – (ନପଥ୍ୟେ)- ଜୟ ମହାରାଜ ପ୍ରତାପରୁଦ୍ର ଦେବଙ୍କର ଜୟ ।
କୃଷ୍ଣା – (ଅତୀବ ଆନନ୍ଦରେ ଯେହ୍ନେ) ଜୟ ।- ଜୟ ।-
ପ୍ରତାପ – (ଚୁମ୍ବନ ରକି) ଏହିଥିର ଜୟ ମୋର ସୁନିଶ୍ଚିତ, ମା-
କୃଷ୍ଣା – (ଅସ୍ପଷ୍ଟ ଭାବରେ) ମୋର- ମୋର ଜୟ, ପିତା- (‘ପିତା’ ଡାକଟି କେବଳ ଶୁଣି, ପ୍ରତାପ ଯାଉଁ ଯାଉଁ ଫେରିଆସି ପୁନରାୟ ଚୁମ୍ବନ କରି ପ୍ରସ୍ଥାନ କଲେ- କୃଷ୍ଣା ବ୍ୟଥିତ ଭାବରେ ସେହିଆଡ଼େ ଚାହିଁ ଠିଆ ହେଉ ହେଉ ବାତାହତ ପ୍ରାୟ ପଡ଼ିଗଲେ-)