ମାରକଣ୍ଡ ବ୍ରହ୍ମାଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ଓ — ସାରଳା ମହାଭାରତ ମୂଷଳୀପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ମାରକଣ୍ଡ ବ୍ରହ୍ମାଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ଓ
ଗୋମୁଖୀ ହରିଙ୍କ କଥାବଦୟନ୍ତି ଅଗସ୍ତି ଶୁଣ ବଇବସୁତ ମନୁଅଶେଷ ମହାଭାରତ ୟେ ଅମୀୟ କାମଧେନୁ ।୧।ଜାରା ଶବର କହଇ ଶୁଣ ହୋ ଇନ୍ଦ୍ରଦ୍ୟୁମନସାଗରାସୁର ଭୟ ଲାଗିଲା ମୃତୁ ଭୁବନ ।୨।ପିତାମହ ଆଗ୍ୟାଂ ଦିଲେ ଶୁଣ ହୋ କେଶବତୁ ଯାଇ ବଧକର ସାଗରସିଂହ ଦାନବ ।୩।ପରମେଷ୍ଠୀର ବଚନେ ବିଜୟେ ମୁରାରିଚଲନ୍ତି ନାରାୟଣ ଗୋମୁଖ ଚକ୍ରଧାରୀ ।୪।ବିଜୟ ନାରାୟଣ ଅଗ୍ନି କୋଣ ଦ୍ୱାରେସାମାନ୍ୟ ରୂପ ଧରି ମିଳିଲେ ଗୁପତ ପ୍ରକାରେ ।୫।ଗୋମୁଖ ଦେଖିକରି ଯେ ଧାମଇ କଉଣୋପଆହାର ନିମନ୍ତେ ହେ କରିଅଛି ଧାପ ।୬।ଆକ୍ରେଷିଣ ଗୋଧନ ଧଇଲା ବେନିଭୁଜେଗର୍ଭ ବିସ୍ତାରିଣ ସେ ଗିଳିଲା ଦନୁଜେ ।୭।ଗିଳନ୍ତେ ଶରୀରକୁ ତାର ଲାଗିଲା ମହାଜାଳାସାଗରେ ପଶିଲା ସେ ଦାନବ ଅଚାର୍ଗଳା ।୮।ଗର୍ଭ ଭିତରେ ଯେ ପଶିଲେ କେଶବ ଗୋମୁଖବିକାଶିଲେ ବିଶ୍ୱରୂପ ଗଗନପତି ଶିଖ ।୯।ଶିଂଗେଣ ମାରିଣ ତାର ବିଦାରିଲେ ବୁକୁବେନି ଫାଳ କରି ଦେବ ଚିରିଲେ ଅସୁରକୁ ।୧୦।ଧନୁ ଶୁକ୍ଳପକ୍ଷ ତ୍ରୟୋଦଶୀ ଅର୍କବାରପୁନର୍ବସୁ ନକ୍ଷତ୍ର ବେଳ ତିନି ଯେ ପ୍ରହର ।୧୧।ବିଷ୍କୁମ୍ଭ ନାମେ ଯୋଗ ବିଷ୍ଟି ନାମେ ଯେ କରଣସେ ଦିନରେ ହୋଇବ ଯେ ମକର ସଂକ୍ରମଣ ।୧୨।ମହୋଦଧି ଭିତରେ ପଶି ଦେବ କଲେ ଜଳକ୍ରୀଡ଼ାସେ ଦିନ ସାଗରସିଂହକୁ ମାଗଇ ଲହଡ଼ା ।୧୩।ଅସୁର ବଧ ଦେଖି ବୃନ୍ଦାରକ ଲୋଡେସାନନ୍ଦେ ବିଜୟ କଲେ ନିଭୟେ ନିଶଂକେ ।୧୪।ଛପନ କୋଟି ଜୀବ ଜନ୍ତୁ ଯେ ଲୁଚାଇଥିଲେ ପିତାଗୋସାଗରୁ ଆଣିଣ ସମସ୍ତ ଛାଡ଼ିଲେ ଯେ ଧାତା ।୧୫।ଗୋସାଗରୁ ବାହାର ହୋଇଲେ ଛପନ କୋଟି ଜୀବଗୋମୁଖ କେଶବଂକୁ ହୋୟେ ମକର ଉଛବ ।୧୬।ଦେବତା ମାନବେ ସମସ୍ତେ ହୋଇଲେକ ୟେକକେଶବ ପ୍ରସନ୍ନ ସେ ହୋଇଲେ ନିଶଂକ ।୧୭।ଉଚ୍ଛବ ବେଳେ ଯେ ବୋଇଲା ଯମ ଦେବତାରଅଠାଇଶ କୋଟି ଭକ୍ଷିଲା ସାଗର ଅସୁର ।୧୮।ସେ ପୁଣ କେସନେକ ସର୍ଜନ ହୋଇବେ ଧାତାବ୍ରହ୍ମା ବୋଇଲେ ଯେ ହକାର ବିଶ୍ୱାମିତ୍ରା ।୧୯।ଅଠାଇଶ କୋଟି ଜୀବ ଯେ ଅସୁର ଭୋଗକଲାଭୋ ବିଶ୍ୱାମିତ୍ର ୟେହାନ୍ତ ଭିଆଅ ବୋଲି ଯେ ପିତାମହବୋଇଲା ।୨୦।ବ୍ରହ୍ମାର ବଚନେ ଯେ ଭିଆଇଲେ ବିଶ୍ୱାମିତ୍ରାଅଠାଇଶ କୋଟି ଜୀବ ଯେ ଭିଆଇଲେ ତପୋବନ୍ତା ।୨୧।
ବ୍ରହ୍ମା ଭିଆଇଲେ ଯେବଣ ଜୀବ ଛପନ କୋଟି
ୟେ ବିଧିରେ ଚଉରାଶି କୋଟି ଜୀବ ହୋଇଲେକ ସୃଷ୍ଟି ।୨୨।
ବୋଲଇ ଜାରାଶବର ଶୁଣସି ରାଜନ
ଗୋମୁଖ କେଶବ ଯେ ଅନାଦି ନିରଞ୍ଜନ ।୨୩।
ମକର ସଂକରାନ୍ତିରେ ମଉଦଧିରେ କରଇ ସ୍ରାହାନ
ରାତ୍ରେଣ ଜାଗର ଦେଇ ନିରାହାରେ ଦୀପ ଦାନ ।୨୪।
କେଶବ ସୁମରାଣ କରନ୍ତି ଯେବଣ ଜନଗ୍ୟାଂତା
ତାହାର କତିକି ଆସି ନୁଆରଇ ଯମ ଯେ ଦେବତା ।୨୫।
ଗୋମୁଖ କେଶବର ଲାଞ୍ଜ ଯେ ପଚ୍ଛିମ ମୂରତି
ତହୁଂ ସେ ପ୍ରାଚୀ ନାମେ ହେଲା ନଦୀୟେ ଉତପତ୍ତି ।୨୬।
ଅଶି ସହସ୍ର ଗନ୍ଧର୍ବ ଆଣିଲେ ତାହା ଖୋଳି
କେଶବ ଲାଞ୍ଜ ଛାଡ଼ିଲେ ଯେ ବାଜିଣ କୋଦାଳି ।୨୭।
ଆଠ ଖଣ୍ଡ ହୋଇ ଛିଡ଼ିଗଲା ଯେ ଲାଙ୍ଗୁଡ଼
ଅଷ୍ଟଶମ୍ଭୁ ହୋଇଲେ ସେ ପ୍ରାଚୀନଦୀ କୂଳର ।୨୮।
ଗୋକର୍ଣ୍ଣେଶ୍ୱର କପଳେଶ୍ୱର ଶୋଭନେଶ୍ୱର ଗ୍ରାମେଶ୍ୱର
ହରଶଂକରେଶ୍ୱର ସୋମେଶ୍ୱର ନଟକେଶ୍ୱର ଶୁକ୍ଳେଶ୍ୱର ।୨୯।
ମଙ୍ଗଳରୂପୀ ପିଙ୍ଗଳରୂପୀ ମହାମାୟା
କହୁଂ ନସରି ଯେ ତାହାକିଂ କାୟା ।୩୦।
ଭୋ ରାଜନ ମକର ସଂକ୍ରାନ୍ତିରେ ଯେ ପ୍ରାଚୀରେ କରନ୍ତି ସ୍ରାହାନ
ଉପବାସେ ମଉନେ ଅଷ୍ଟଶମ୍ଭୁ କରନ୍ତି ଦରଶନ ।୩୧।
ନବକୋଟି ତୀର୍ଥସଙ୍ଗେ ଘେନିଣ ପୁଷ୍କର
ରାତ୍ର ଦିବସେ ଆମ୍ଭେ ୟେ ପ୍ରାଚୀ ନଦୀ ତୀର ।୩୨।
ଅଷ୍ଟଶମ୍ଭୁ ଦ୍ରଶନ କରି ଯେ ଗୋମୁଖେ ପଶଇ
ନକ୍ଷତ୍ର ଡେଇଂଣ ସେ ସ୍ୱର୍ଗରେ ବସଇ ।୩୩।
ନାଟକେଶ୍ୱର ଠାବରେ ସେହୁ ଅସକତ ହୁଅନ୍ତି
ଶତେ ବରଷ ପର୍ଯ୍ୟନ୍ତେ ସେ ସ୍ୱର୍ଗରେ ବସନ୍ତି ।୩୪।
ଗୟା ବାରାଣସୀ ଯେ ପ୍ରୟାଗ ତୀର୍ଥ
ୟେ ତୀର୍ଥ କଲେ ଲିଙ୍ଗେକ ହେଉଛି ହେ ଅଇ ସତ ।୩୫।
ଗଙ୍ଗାଗୟା ହୋୟେ ବାରାଣାସୀ ପୁରସ୍ତାନ
ୟେତେ ଲିଙ୍ଗ ଦ୍ରଶନେ ଅଛଇ ଅନେକ ପୁଣ୍ୟ ।୩୬।
ୟେ ମୃତୁ ମଣ୍ଡଳେ ସେ ପାଉଣ ଥାନ୍ତି ପୂଜା
ୟେ ତୀର୍ଥ କଲେ ନକ୍ଷତ୍ର ହୋଇ ହ୍ୱନ୍ତି ସ୍ୱର୍ଗେ ରାଜା ।୩୬।
ଜାରା ଶବର କହିଲା ତାଂଙ୍କୁ ସେ କ୍ଷେତ୍ରଧର୍ମ
ଇନ୍ଦ୍ରଦ୍ରୁମନ ରାଜା ଶୁଣି ଚିତ୍ତ କଲା ଶମ ।୩୭।
ସାଧୁ ସାଧୁ ମହାତମା ହୋ ଜୀବନ ତୋହୋର
ଅନେକ ସୁଫଳ ଯେ ହୋଇଲାନ ମୋହୋର ।୩୮।
ସାଗରେ ସ୍ରାହାନ କରି ଦେଖିଲେ କେଶବ ଗୋମୁଖ
ଖଣ୍ଡିଲେ ଅଶେଷ କୋଟି ଜନ୍ମର ଯେ ଦୁଖ ।୩୯।
ଭୋ ଗୋମୁଖ କେଶବ ପ୍ରସାଦ ମାଗଇ ମୁହିଂ ତୋତେ
ସତ୍ୟ ବାକ୍ୟେଣ ତୁ ପ୍ରସନ୍ନ ହୋଇ ମୋତେ ।୪୦।
ଜାରା ବୋଇଲା ତ୍ରିବାର ମୋର ସତ୍ୟ
ତୁ ଯାହା ମାଗିବୁ ତାହା ଦେବଇ ନିରୁତାନ୍ତ ।୪୧।
ଜାରା ବୋଇଲା ବାବୁ ଯେବଣ ପିଣ୍ଡ ଦହନ କରିଥିଲା କିରୀଟୀ
ଆକାଶର ବାଣୀ ଶୁଣି ଜଳେ ମେଲିଲା ନାରାୟଣ ପିଣ୍ଡଗୋଟି ।୪୨।
ତୁ ତାହା ଜାଣୁ ଯିବାକ ତାହା ଘେନି
ନୀଳଗିରିରେ ପୂଜା କରିବା ଦୁହେଂ ପୁଣି ।୪୩।
ଜାରା ବୋଇଲା ସେ ପଡ଼ିଲା ଅଗାଦ ଜଳେ
ଅପାର କାଳହୁଂ ଜଗିଅଛି ୟେହି କୂଳେ ।୪୪।
ୟେ ମୃତୁମଣ୍ଡଳେ ଯେବେ ତାର ପୂଜାକୁ ଅଛି ଇଚ୍ଛା
ଆଜ ଲୟେ କରି ମୁଂ ମାଗଇକିନା ଦୀକ୍ଷା ।୪୫।
ତୁମ୍ଭେ ରହିଥାଅ ଯେ ଚନ୍ଦ୍ରଭାଗା ଅର୍କ ତୀର୍ଥେ
ୟେକ ରାତ୍ରହୁଂ ୟେଥେ ଯେ ନରହିବି ଦୁଇ ରାତ୍ରେ ।୪୬।
ବିଷ୍ଣୁର ତହୁଂ ଯେବେ ମୁଁ ସମ୍ପାଦ ପାଇବି
ତୋହର ତହିଂକି ଅବଶ୍ୟ ମୁହିଂ ଯିବି ।୪୭।
ଜାରାଶବର ବଚନେ ଚଳଇ ମହୀପାଳ
ତୁଲେଣ ଅଛଇ ମନ୍ତ୍ରୀ ତାର ସିଦ୍ଧ ଅନକୂଳ ।୪୮।
ବିଜୟେ କଣାଅର୍କ ତୀର୍ଥେ ବିରଞ୍ଚି ନାରାୟଣ
ଇନ୍ଦ୍ରଦ୍ରୁମନ ରାଜା ତାଂକୁ କରଇ ପ୍ରତିକ୍ଷଣ ।୪୯।
ରାତ୍ରେଣ ସିନ୍ଧୁକୂଳେ ଯେ ନିରୋପଇ କିରାତ
ସାଗରୁ ବାହାର ହୋଇ କୃଷ୍ଣ ଉପଗତ ।୫୦।
ଦେଖିଣ ଜରାଶବର ହୋଇଲା ପରିଣାମି
ନିଳଗିରିକି ବିଜୟେ କରିବିକି ଦେବସ୍ୱାମୀ ।୫୧।
ଶ୍ରୀକୃଷ୍ଣ ବୋଇଲେ ହେଉଛି ୟେଥି ବ୍ରହ୍ମାର ଯେହ୍ନେ ଇଚ୍ଛା
କଳିଯୁଗେ ଚାରିଲକ୍ଷ ବତିଶି ସହସ୍ର ବରଷ ଭୋଗ ବାଞ୍ଛା ।୫୨।
ବଉଧ ଅବତାର ଅବଶ୍ୟ ବିହରିବୁ
ଦୁଷ୍ଟ ଜନ ମାରି ସନ୍ଥଜନ ପ୍ରତୁପାଳିବୁ ।୫୩।
କ୍ଷୀରୋଦ୍ର ଶାହୀରେ ଯାହା ଦେବତା ଛନ୍ତିକହି
ଯିବୁଂ ନୀଳଗିରିକି ସଂଶୟ କିଛିନାହିଂ ।୫୪।
ୟେହା ଶୁଣି ଯେ ଜାରାଶବର ବୋଇଲା
ସ୍ୱାମୀ ବିଷ୍ଣୁପ୍ରତିମା ନଦେଖି ରାଜା ବହୁତ କୋପକଲା ।୫୫।
ସ୍ୱାମୀ ଅନେକ ବିନୋୟୀ ଯେ ଇନ୍ଦ୍ରଦ୍ୟୁମନ ରାଜା
ପ୍ରାସାଦ କରିଅଛି କରିବ ତୋତେ ପୂଜା ।୫୬।
କୃଷ୍ଣ ବୋଇଲେ ଇନ୍ଦ୍ରଦ୍ୟୁମନକୁ ଘେନି ଯାଆ
କାଲି ପ୍ରଭାତେ ରୋହିଣୀକୁଣ୍ଡ ଜଗିଥାଆ ।୫୭।
ରୋହିଣୀକୁଣ୍ଡେ ଆମ୍ଭେ କାୟା ଯେ ବିସ୍ତାରୁ
ୟେ ପିଣ୍ଡ ଗୋଟିକ କାଳେ ହୋଇବାକ ଦାରୁ ।୫୮।
ଜାରାକୁ କହି କୃଷ୍ଣ ହୋଇଲେ ଅନ୍ତର
ଚଳଇ ଜାରା ତହୁଂ ଅର୍କ ନାମେ ତୀର୍ଥର ।୫୯।
ଜାରା କଇବ୍ରତକୁ ବୋଇଲା ଆସ ଯିବା ମିତେ
କଇବ୍ରତ ବୋଇଲା ୟେହାଉଂ ଆନ କିସ ତୀର୍ଥେ ।୬୦।
ରହିଲା କଇବ୍ରତ ଗୋମୁଖ ଆଶ୍ରିତେ
ଅନେକ କୁଟୁମ୍ବ ତାର ହୋଇଲା ଅପ୍ରମିତେ ।୬୧।
ଜରାଶବରକୁ ପଥ ନିରୋପଇ ଇନ୍ଦ୍ରଦ୍ୟୁମନ
ସତେହେଂକି ଜାରାଶବର ଛାଡ଼ିବ ସେ ସ୍ତାନ ।୬୨।
ଭାଳିଣ ଚାହାନ୍ତେ ନିଚଳ ବେନିଆଖି
ଚନ୍ଦ୍ରଭାଗାୟେ ସାହାନ କରୁ ଜାରାଶବରକଇଂ ଦେଖି ।୬୩।
ଧାଇଂ ଧାଇଂ ନରେନ୍ଦ୍ର ଯେ ଜାରାକୁ କଲା କୋଳ
ନିଚୟେ କାର୍ଯ୍ୟ ମୋର ହୋଇଲା ସୁଫଳ ।୬୪।
ଜାରା ବୋଇଲା ହୋ ୟେକଥା ଅଟଇ ସତ୍ୟ
ଚାଲ ହୋ ନୀଳଗିରିକି ଯିବାକ ତୁରିତ ।୬୫।
ଜାରାଶବର ଇନ୍ଦ୍ରଦ୍ରୁମନ ସିଦ୍ଧ ଅନକୂଳ ମନ୍ତ୍ରୀ
ତିନିହେଂ ପ୍ରବେଶ ହୋଇଲେ ନୀଳସୁନ୍ଦର ପର୍ବତ କତି ।୬୬।
ଇନ୍ଦ୍ରଦ୍ୟୁମନ ବୋଇଲା ଶୁଣସି ହୋ ମିତ୍ର
ଦେଖ ଦେଖ ପ୍ରାସାଦ ମୋର ପୂର୍ବର ଯେହ୍ନେ କୃତ୍ୟ ।୬୭।
ଜାରା ଦେଖଇ ନୀଳସୁନ୍ଦର ଗିରି ପରିମଲ
ଅତିଅନ୍ତ ସୁସଞ୍ଚ ଦେଖ ୟେ ଦେଉଳ ।୬୮।
ବ୍ରହ୍ମାଂକୁ ଆଣି ମୁଂ ଯେ କଲିଟି ୟେହିଗ୍ରାମ
ଶ୍ରୀପୁରୁଷୋତ୍ତମ ପାଟଣା ନାମ ଆଶ୍ରମ ।୬୯।
ବେଦପତି ବୋଇଲେ କି ପୂଜା କରିବୁ
ବିଷ୍ଣୁ ପ୍ରତିମା ନଥିଲେ ଆମ୍ଭେହେଂ ନୁଆରିବୁ ।୭୦।
କୋପିତ ହୋଇ ଧାତା ବୋଲନ୍ତି ବଚନ
ଯହୁଂ ତହୁଂ ବିଷ୍ଣୁ ପ୍ରତିମାମାନ ।୭୧।
ଧାତାର ବଚନେ ମୁଂ ଗଲିଟି ଅନ୍ତରୀକ୍ଷେ
ସ୍ୱର୍ଗ ମଞ୍ଚ ପାତାଳ ବୁଲିଲି ପ୍ରତକ୍ଷେ ।୭୨।
ଲୋଡ଼ି ଖୋଜି ମୁଂ ତ କାହିଂ ନପାଇଲି
ବିଷ୍ଣୁଭଗତି ଲୋକ ବୋଲି ମୁଂ ତୁକୁ ଆଶ୍ରେକଲି ।୭୩।
ପାରିଲା କାରଣ ତୁମ୍ଭେ କର ଭୋଜନାଳୟ ମଇତ୍ର
ବିଜେ କରାଅ ୟେଥେ ସରୂପେ ଜଗନ୍ନାଥ ।୭୪।
ୟେଥେ ଯେ ବିଷ୍ଣୁପ୍ରତିମା ବିଜୟେ କରିବେ
ବ୍ରହ୍ମା ସହିତେ ସକଳ ସୁରପତି ୟେଥକୁ ଆସିବେ ।୭୫।
ନଇଲେ ଭୋ ମଇତ୍ର କାରଣ ନାହିଂ ୟେଥେ
ଅନେକ କଷ୍ଠୋରେ ମୁଂ କହୁଅଛି ତୋତେ ।୭୬।
ରାଜାର ବଚନ ବୋଲଇ କିରାତ ନାମେ ଶବର
ଆତଂକେ ନ ଭାଳ ତୁ ମୋହୋର ବୋଲ କର ।୭୭।
ଅନେକ କଷ୍ଠୋରେ ତପେ ସେବା କରିଅଛି ତାଂକୁ
ସେ କୃଷ୍ଣ ବୋଇଲେ କହ ଜାରା ଇନ୍ଦ୍ରଦ୍ୟୁମନକୁ ।୭୮।
ରୋହିଣୀ କୁଣ୍ଡରେ ପଶି ବିଜେ କରିବୁ
ନୀଲସୁନ୍ଦର କଳପବଟରେ ରହିବୁ ।୭୯।
ତୁମ୍ଭେ ୟେବେ ରାଜା ହୋ ନୁହସି ତରସ୍ତ
ୟେହି ରୋହିଣୀ କୁଣ୍ଡେ ତୁମ୍ଭେ ଦେଖିବ ସରୂପ ଜଗନ୍ନାଥ ।୮୦।
ଦିବା ରାତ୍ରେ ଜଗିଥିବଟି ୟେହିଠାବେ
ପ୍ରତକ୍ଷେ ୟେଠାରେ ବିଜେ କରିବେ ଶ୍ରୀବାସୁଦେବେ ।୮୧।
ରାଜା ଜରାଶବର କଥା ହୁଅନ୍ତେ ୟେମନ୍ତ ବାଣୀ
ଦିବସ ଶେଷ ହୋଇ ପାହିଲା ରୟଣୀ ।୮୨।
ଶୁଣ ହୋ ସୁଜନେ ୟେଥୁ ଅପୂର୍ବ କଥା
ନୀଳଗିରିରେ ବିଜେ କରିବାକ ସରୂପ ଜଗନ୍ନାଥା ।୮୩।
ବ୍ରହ୍ମାଦି ଦେବତାୟେ ସ୍ୱର୍ଗରେ ଭାଳେଣି
କଳିଯୁଗ କରିବାକୁ ବିଜେ କରିବେ ଚକ୍ରପାଣି ।୮୪।
ନାରଦେ ବୋଲନ୍ତି ହୋ ଶୁଣ ବଜ୍ରଧାରୀ
ଶ୍ରୀକୃଷ୍ଣ ବିଜେ କରିବେଟି ନୀଳସୁନ୍ଦର ଗିରି ।୮୫।
ବ୍ରହ୍ମା ରୁଦ୍ର ଇନ୍ଦ୍ର ଚନ୍ଦ୍ର ଆଦି ଯେ କୁବେର
ସମସ୍ତେ ବିଜେ କଲେ ଗୋସାଗର ତୀର୍ଥର ।୮୬।
କୃଷ୍ଣ ବୋଇଲେ ଆହୋ ଶୁଣସି ବିରଞ୍ଚି
କଳିଯୁଗରେ ନୀଳଗିରିରେ ମୁଂ ପୂଜା ଘେନୁଅଛି ।୮୭।
ଈଶ୍ୱର ବୋଇଲେ ଆମ୍ଭେ ଥିବୁଂ ତୁମ୍ଭ ତୁଲେ
ବଳଦେବ ରୂପ ତହିଂ ଈଶ୍ୱର ଧଇଲେ ।୮୮।
ପିତାୟେ ବୋଇଲେ ୟେବେ ଆମ୍ଭେ ହୋଇଲୁ ଯେ ୟେକ
ଆମ୍ଭର ଛାଡି ତୋହୋର କିସ ଭୋଗ ସୁଖ ।୮୯।
ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଆମ ସଙ୍ଗେ ଥିବ
ଇନ୍ଦ୍ର ଚନ୍ଦ୍ର କୁବେର ତୁମ୍ଭେ କାହିଂକି ଆଉ ଯିବ ।୯୦।
ୟେତେ ବିଚାରିଣ ସେ ସମସ୍ତ ଦିଗପାଳେ
ଚଳିଲେ ନିଜ କର୍ମେ ଶୂନ୍ୟ ଯେ ମଣ୍ଡଳେ ।୯୧।
ରୋହିଣୀକୁଣ୍ଡେ କିରାତ ରାୟେ ନିରୋପଇ ଆସି
ପାତାଳୁଂ ଫୁଟିଣ କୃଷ୍ଣ କଳେବର ଦିଶି ।୯୨।
ଅଷ୍ଟାଦଶ ହାଥ ଉଚ୍ଛର୍ଗ ୟେକକାୟେ
ସବୁନ୍ତି ଦିଶିଲେ ହରି ରକତ ଚନ୍ଦନବୃକ୍ଷ ପ୍ରାୟେ ।୯୩।
ଇନ୍ଦ୍ରଦ୍ୟୁମନ ଚାହିଂଲା ଜାରାଶବର ମୁଖ
ଜାରାଶବର ବୋଇଲା ୟେକୃଷ୍ଣ ପିଣ୍ଡଟି ପ୍ରତକ୍ଷ ।୯୪।
ବ୍ରାହ୍ମଣ ସାମନ୍ତ ଅଷ୍ଟାଦଶ ପାତ୍ରମୂଳେ
ଅହିବ୍ରତେକ ବିପ୍ର ଧଇଲେ ମହାବଳେ ।୯୫।
ଦୃମନ ପର୍ବତ ଜିଣିଣ ସେହୁ ଗରୁ
କାହାରି ବଳେହେଂ ସେ ନଚଳଇ ଦାରୁ ।୯୬।
କ୍ଷୁଧା ପିପାସେ ଆଦିତ୍ୟ ହୋଇଲେକ ଅସ୍ତ
ଚାଳି ନୁଆରିଲେ କେହୁ ଉପବାସେ ଅଶକତ ।୯୭।
ପ୍ରାଣ ନିବେଶି ରାଜା ଚିନ୍ତଇ ମନ ଧ୍ୟାନେ
ଶ୍ରୀକୃଷ୍ଣ କହିଲେ ଯେ ନିଶାୟେ ସପନେ ।୯୮।
ଆହୋ ଇନ୍ଦ୍ରଦ୍ରୁମନ ସେ ନୋହେ ଚନ୍ଦନ ଦାରୁ
ଆମ୍ଭର ପଣ୍ଡିତ ଅଟଇ ମହାଗରୁ ।୯୯।
ସମରାଷ୍ଟ୍ର ଲାଗିଲେ ନୁଆରିବ ୟେହାକୁ ଚାଳି
ଜାରାଶବର ବସୁବ୍ରାହ୍ମାଣ ପାରନ୍ତି ଯେ ତୋଳି ।୧୦୦।
ସପନ ଚେତିଣ ଯେ ଉଠଇ ନରେନ୍ଦ୍ର
ବସୁ ବ୍ରାହ୍ମଣ ଜାରା ନାମେ ଅସକନ୍ଦ ।୧୦୧।
ଶ୍ରୀକୃଷ୍ଣ ଚନ୍ଦ୍ରେ ଆଜି ଆଗ୍ୟାଂ ଦିଲେ ମୋତେ
ଦାରୁ ବୋଲି ମୁହିଂ କରିଥିଲି ପ୍ରତେ ।୧୦୨।
ୟେବେ ଜାଣିଲି ସେ କୃଷ୍ଣର ପିଣ୍ଡ ଗୋଟି
ଆନ କେହି ନୁଆରିଲେ ତୁମ୍ଭର ବେଳେଉଠି ।୧୦୩।
ବସୁନାମେ ବ୍ରାହ୍ମଣ ଜାରା ନାମେ ଶବର
ଦୁହେଂ ଆକ୍ରେଷି ଯାଇ ଧଇଲେ କଳେବର ।୧୦୪।
ହାସ୍ୟ ପରିହାସେ ଉଚ୍ଛୁକ ଭାବମତି
ଶବର ବ୍ରାହ୍ମଣ ଯେ ଅନେକ ପୀରତି ।୧୦୫।
ବ୍ରାହ୍ମଣ ଆଡ଼େ ତାଡ଼ଇ ଶବର ଆଡ଼େ ଉଠଇ
ଶ୍ରୀକୃଷ୍ଣ ଆଗ୍ୟାଂରେ ସେ ଉଞ୍ଚକ ନିଷ୍ଠଇ ।୧୦୬।
ସେ କୁଣ୍ଡ ଭିତରୁ ତୋଳିଲେ ଅବନୀଳେ
କଉତୁକେ ତାହାଂକୁ ନେଇ ଭରିଲେ ଦେଉଳେ ।୧୦୭।
ଭାଳଇ ଇନ୍ଦ୍ରଦ୍ୟୁମନ ହୋଇବ ୟେ କେମନ୍ତ
ପ୍ରାସାଦ ନ ଅଣ୍ଟଇ ଯେ ଉଚ୍ଛର୍ଗ ବହୁତ ।୧୦୮।
ଇନ୍ଦ୍ରଦ୍ୟୁମନ ରାଜା ଧ୍ୟାୟେ କରି ଚିନ୍ତଇ
ଶ୍ରୀଜଗନ୍ନାଥ ସ୍ୱାମୀ ହେଲେ ଉପଗତଇ ।୧୦୯।
ତୁହୋ କିଛି ବିସ୍ମୟେ ନୋହସି ମହାରାୟେ
ଜାରାଶବର ଆମ୍ଭର ନିର୍ବାଣ କରିବ କାୟେ ।୧୧୦।
ସପନ ଚେତି ସେ ଉଠଇ ନତପତି
ଜାରାଶବରକଇଂ ବିନୟ ଭଗତି ।୧୧୧।
ଯଦ୍ୟପି ୟେଥିରେ ମୁଂ ତୋଳାଇଲି ଦେଉଳ
କୃଷ୍ଣର ଅନୁରାଗେ ତୁ ୟେଥକଇଂ ମୂଳ ।୧୧୨।
କେମନ୍ତ କରିବୁଟି ତୁହି ଜାଣସି ଭଲେ
ପ୍ରତିମା ନିର୍ବାଣ କର ତୋତେ ଶ୍ରୀକୃଷ୍ଣ ଆଗ୍ୟାଂ ଦିଲେ ।୧୧୩।
ଅନେକ ରତ୍ନ ଦେଇ ରାଜା କଲେ କୋଳ
ବହୁତ ବିନୋୟୀ କରି ଭରିଲେ ଦେଉଳ ।୧୧୪।
କପାଟ ପାଡ଼ିଣ ଯେ ରହିଲେ ଦେଉଳ ଭିତର
ଅଦଭୂତେ ବ୍ରାହ୍ମଣେକ ହୋଇଲା ସଙ୍ଗର ।୧୧୫।
ତିନି ଖଣ୍ଡ କରିଣ ଦାରୁକୁ କରତି
ଜ୍ୟେଷ୍ଠ ମଧ୍ୟ କନିଷ୍ଠ କଲେକ ତିନିମୂର୍ତ୍ତି ।୧୧୬।
ମିଥୁନ କୃଷ୍ଣପକ୍ଷ ପଞ୍ଚମୀ ଗୁରୁବାର
ଶ୍ରବଣା ନକ୍ଷେତ୍ର ଯେ ଅଟଇ ସେ ଦିନର ।୧୧୭।
ବାଳବ ନାମେ କରଣ ଯେ ଇନ୍ଦ୍ର ନାମେ ଯୋଗ
ସେଦିନ ସ୍ୱାମୀର ସଞ୍ଚିତ ଦିନ ଦୀର୍ଘ ।୧୧୮।
ପଞ୍ଚମୀ ପଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ
ଦଶମୀ ୟେକାଦଶୀ ଦ୍ୱାଦଶୀ ଉତ୍ତମୀ ।୧୧୯।
ବୃହସ୍ପତି ରୋହିଣୀ ଯେ ଅଟଇ ସେ ଦିନର
ସର୍ବସିଦ୍ଧ ହୋଇଲା ସମସ୍ତ ମକର ।୧୨୦।
ମିଥୁନ ସଂକ୍ରରାନ୍ତି ପଞ୍ଚମୀ ଦିନର
ଇନ୍ଦ୍ରଦ୍ରୁମନ ତହିଂ ବିଚାରଇ ମନର ।୧୨୧।
ଭାଳଇ ରାଜନ ଯେ ଦଶ ଦିନ ଗଲା
ଦେଉଳ ଠୁକୁ ଠୁକୁ କିଛି ନଶୁଭିଲା ।୧୨୨।
କି ଅବା ପଳାଇଲା ଜାରା ଯେ ଶବର
ୟେତେ ତ ବିଚାରି ନରେନ୍ଦ୍ର ଫେଡ଼ାଇଲା ଦୁଆର ।୧୨୩।
ମିଥୁନ ତ୍ରୟୋଦଶୀ କୃଷ୍ଣପକ୍ଷ ଶୁକ୍ରବାର ନକ୍ଷତ୍ର ରୋହିଣୀ
ଶୁକ୍ରଂକର ବେଳା ଯେ ସାତଦଣ୍ଡ ସେ ରୟଣୀ ।୧୨୪।
ଦିହୁଡ଼ି ଲଗାଇ ରାଜା ପଶିଲା ଭିତରେ
ଦିଶଇ ଜଗମୋହନ ସିଂଘାସନ ଉପରେ ।୧୨୫।
ଶ୍ୱେର କୁଂକୁମ କୃଷ୍ଣ ୟେ ତିନି ପ୍ରତିମା
ଦେଖି ଇନ୍ଦ୍ରଦ୍ୟୁମନ ଶତ ସହସ୍ର ଦଣ୍ଡ ପ୍ରଳମ୍ବା ।୧୨୬।
ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତି
ଅଦଭୂତେ ବ୍ରାହ୍ମଣେ କାହୁଂ ହୋଇଲା ଉତପତ୍ତି ।୧୨୭।
କହ ମୁନି ସେ ବ୍ରାହ୍ମଣ କିସ କଲା କାହିଂକି ସେ ଗଲା
କହିବା ଅଗସ୍ତି ମୋତେ ଗୋଚର ନଗଲା ।୧୨୮।
ଅଗସ୍ତି ବୋଇଲେ ଶୁଣ ରାଜା ମନୁ ପୁରୁଷ
ଦେଉଳେ ପଶି ଜାରାଶବର ବୋଲଇ ମୁଁ କରିବି କିସ ।୧୨୯।
ନ ଜାଣଇ ଘଟଣ ନ ଦେଖଇ ଚିତ୍ରକର୍ମ
ଦେଉଳ ସମାନେ ଯେ ପିଣ୍ଡ ଉଚ୍ଛର୍ଗ ହୋୟେ ପୁଣ ।୧୩୦।
ଉଚ୍ଛର୍ଗ ଦେବତାକଇଂ କେହୁ କରିବାକ ପୂଜା
ମାନବ ହୋଇକେ ୟେହାକୁ ଦେଇପାରିବ ବଳିଭୋଜା ।୧୩୧।
ୟେତେ ବୋଲି ମନେ ବିଚାରଇ କିରାତ
ମୋହୋର ବେଳେ ୟେହାକଇଂ ନୋହୋଇ ଖଟିତ ।୧୩୨।
ୟେସନେକ ବିଚାରନ୍ତେ ବିଜୟ କଲେ ବ୍ରହ୍ମା
ବ୍ରାହ୍ମଣ ରୂପ ଧରି ବିଜେ କଲେ ବିଶ୍ୱକର୍ମା ।୧୩୩।
ତ୍ରିୟଖଣ୍ଡ କରି ତହିଂ ବିବଧିଲେ ଶାଖା
ଉଞ୍ଚ ମଧ୍ୟ କନେଷ୍ଠ କଲେ ଆର ଲେଖା ।୧୩୪।
କୃଷ୍ଣ ବୋଇଲେ ୟେହା ନିର୍ବାଣ କର ଜାରା
ନିଜ ପିଣ୍ଡ ଆମ୍ଭର ଗୁପ୍ତ କରା ।୧୩୫।
କଳିଯୁଗ ଲୋକେ ନଦେଖନ୍ତୁ ୟେ ବର୍ଣ୍ଣ
ସେହି ଶରୀରେ ସମସ୍ତ ହୋଇବଟି ଲୀନ ।୧୩୬।
ଶାଳବୃକ୍ଷ ଚିରି ବାହାର କଲେ ଲସା
ଅଉଷଧ କରି ତାହା ଲେପନ କଲେ ମିଶା ।୧୩୭।
ରାତ୍ରେ ବାହାର କରି ଆଣଇ ଯହିଂ ତାହା
ବାଟିଣ ଲେପନ କରଇ କୃଷ୍ଣର ପିଣ୍ଡ ବାହା ।୧୩୮।
ଅଗସ୍ତି ବୋଲନ୍ତି ଯାହା ପୁଚ୍ଛା କଲୁ ମନୁ
ସେହି ବ୍ରାହ୍ମଣ ଲୀନ ହେଲା ମଧ୍ୟ ପ୍ରତିମା ତନୁ ।୧୩୯।
ଇନ୍ଦ୍ରଦ୍ରୁମନ ପଚାରଇ ବସୁ ବ୍ରାହ୍ମଣକୁ
ୟେ ତିନି ମୂର୍ତ୍ତି କେ କେ ଗୋଚର ନଗଲା ମୁକୁ ।୧୪୦।
ବ୍ରାହ୍ମଣ ବୋଲନ୍ତି ୟେ ଦକ୍ଷିଣ ପ୍ରତିମା
ରୁଦ୍ର ଇବତାର ଧବଳ ବର୍ଣ୍ଣ ନାମ ବଳରାମା ।୧୪୧।
ଦକ୍ଷିଣ ସଉନନ୍ଦ ବାମେ ବଜ୍ର ଯେ ଲଙ୍ଗଳ
କୃଷ୍ଣଂକର ୟେ ଜ୍ୟେଷ୍ଠ ଅଟନ୍ତି କାମପାଳ ।୧୪୨।
ମଧ୍ୟ ପ୍ରତିମାୟେ କୁଂକୁମ ବର୍ଣ୍ଣ ରୂପ
ବ୍ରହ୍ମା ଅବତାର ୟେ ଶାପେଣ ଅନୁରୂପ ।୧୪୩।
କୃଷ୍ଣ ବର୍ଣ୍ଣ ନୀଳରୁଚିର ଯାର କାୟେ
ଶଙ୍ଖ ଚକ୍ର ଗଦା ପଦ୍ମୟେ ଶ୍ରୀଜଗନ୍ନାଥ ସ୍ୱୟେଂ ।୧୪୪।
ସୋହୋଦ୍ରା ରାମ କୃଷ୍ଣ ୟେ ତିନି ପ୍ରତିମା
ବ୍ରହ୍ମାଈଶ୍ୱର ୟେ ଶ୍ରୀପୁରୁଷୋତ୍ତମା ।୧୪୫।
ଶ୍ରୀପୁରୁଷୋତ୍ତମେ ହୋଇଲେ ମୁକତ
ଦ୍ରଶନେ ଜନଂକର ପାପ ଯେ ମୁକତ ।୧୪୬।
କଳିଯୁଗର ଲୋକର ତହିଂ କୃଷ୍ଣର ନାହିଂ ଦୟେ
ସେ କାରଣେ ପଦ୍ମପାଦୁକା ନ ଦେଖାୟେ ।୧୪୭।
ହରିହର ୟେକ ଆତ୍ମା ଅଟନ୍ତି ହୋ ଜାଣ
ୟେକ ପୂଜନ୍ତେ ବେନି ସନ୍ତୋଷ ହୋନ୍ତି ପୁଣ ।୧୪୮।
ଚାରିଲକ୍ଷ ବତିଶସହସ୍ର କଳିଯୁଗ
ତେଣୁ ସେ ନୀଳସୁନ୍ଦର ପର୍ବତେ ଉଦିଯୋଗ ।୧୪୯।
ଶୁଣିଣ ସାନନ୍ଦ ହେଲେ ମହାରାଜା
ବସୁବ୍ରହ୍ମାଣ ମୂଳେ କରାଇଲା କୋଟି ପୂଜା ।୧୫୦।
ଯାହା ସେ ସର୍ଜନା କଲେ ଦେବ ଧାତା
ଜାରାଶବର ବଂଶ ହୋଇଲେ ଦୟିତା ।୧୫୧।
କୃଷ୍ଣର ଆଗ୍ୟାଂରେ ସେ ନିର୍ବାଣ ଅଟଇ
ମିଥୁନ ମାସକୃଷ୍ଣ ପକ୍ଷ ସେ କରିବ ଓଷୋଧଇ ।୧୫୨।
ବସୁବ୍ରାହ୍ମଣ ବଂଶ କରିବାକ ପୂଜା
ୟେହେନେକ ପ୍ରସ୍ତାବ ବାକ୍ୟ ମାଗିଲା ଇନ୍ଦ୍ରଦ୍ରୁମନ ରାଜା ।୧୫୩।
ଜୟ ତୁ ନୀଳସୁନ୍ଦର ଗିରିବାସୀ
ପୁରୁଷୋତ୍ତମ ନାଥ ଅନନ୍ତ କୋଟିରାଶି ।୧୫୪।
କୋଟିୟେ ତୀର୍ଥ ଘେନି ପୁଷ୍କର ଗୋପ୍ୟାନ ହୋଇଥିଲା
କୃଷ୍ଣର ଚରଣେ ଆସି ସେ ଅବିଷେକ କଲା ।୧୫୫।
କ୍ଷେତ୍ରର ଈଶାନ୍ୟ କୋଣେ ଯେବଣ ହିଂ କୁଣ୍ଡ
ତହୁଂ ବିକାଶିଲା ଇନ୍ଦ୍ର ଦେବତାର ପିଣ୍ଡ ।୧୫୬।
ଯମ କୋବେର ଯେ ବାହାର ତହୁଂ ବେନି
ତହୁଂ ସେ ବାହିଲା ନାମ ଇନ୍ଦ୍ରଜାମୁନି ।୧୫୭।
କଳିକାଳ ଧସିଂବାକୁ ଆକାଶ ଭୁବନ ଛାଡ଼ି
କୃଷ୍ଣର ଆଶ୍ରିତେ ରହିଲି ସର୍ବ ତୀର୍ଥ ମାଡ଼ି ।୧୫୮।
ଧର୍ମଦେବତା ତହିଂ ଶ୍ୱେତମାଧବ ରୂପ
ଧର୍ମ ବିଚାରି ସେ ହୋଇଲାକ ଗୋପ୍ୟ ।୧୫୯।
ବାରାନିଧି ସହିତେ ଆବର ରତ୍ନାକର
ସେହି ଆର୍ଦ୍ଧନା କରନ୍ତି ନୀଳ ସୁନ୍ଦର ଗିରିର ।୧୬୦।
ବ୍ରହ୍ମା ବୋଇଲେ ନାଶକର ଦେବତାଂକୁ
ତୁ ମାତ୍ର ନପଶିବୁ ୟେ କ୍ଷେତ୍ର ଭିତରକୁ ।୧୬୧।
ବସୁବ୍ରହ୍ମାଣର ମୃତପୁତ୍ର ବଳଦେବଙ୍କ ଦ୍ୱାରା
ପୁନର୍ଜୀବନ ପ୍ରାପ୍ତ
ବସୁବ୍ରାହ୍ମଣର ପୁତ୍ରେକ ହୋଇଲା
ତିନିମାସ ତେର ଦିନେ ତାକୁ ଯମଦେବତା ହରିନେଲା ।୧।
ପୁତ୍ରର ଅଭାବେ ସେ ବ୍ରାହ୍ମଣ ବ୍ରାହ୍ମଣୀ
କାନ୍ଦନ୍ତି ଉଚ୍ଚସ୍ୱରେ ପୁତ୍ରର ନାମ ଗୁଣି ।୨।
ସେ କ୍ଷେତ୍ର ମଧ୍ୟରେ ଶୁଭିଲା ଯହୁଂ ଗୋଳ
ଯମର ଅନୀତି ବୋଲି ଶୁଣିଲେ କାମପାଳ ।୩।
ବଳରାମ ଆଗ୍ୟାଂ ଦିଲେ ଜାରାଶବରକୁ
ୟେ ସ୍ଥଳୀରେ ପଶି ନଦେବୁ ଯମ ଦେବତାକୁ ।୪।
ମୋତେ ଆଶ୍ରାକରି ରହିଥାନ୍ତି ଜନେ
ୟେ ଭୁବନେ ବିଶ୍ରାମ ନକରିବେ ଯମଗଣେ ।୫।
ଯମ ବୋଇଲା ଦେବ କଳିଯୁଗେ ସମସ୍ତେ ଗ୍ୟାଂନଭ୍ରଷ୍ଟ
ଅନେକ ପାପ କରି ପଶିବେ ୟେ ତୀର୍ଥର ନିକଟ ।୬।
ସମସ୍ତହେଂ ମୋକ୍ଷ ଯେ ହୋଇବେ ଦେବହଳୀ
ମୁହିଂ କିସ ଯମ ଧର୍ମ ଅଟଇ ଯୁଗକଳି ।୭।
ଯମ ବୋଇଲା କେ ଭ୍ରଷ୍ଟ କରିବ ତୁମ୍ଭ ବଚନ
ନିର୍ଯ୍ୟାପ ଆଗ୍ୟାଂ ମୋତେ ଦେବାକ ସଂକ୍ରିଷେଣ ।୮।
ବଳରାମେ ବୋଇଲେ ଯମେଶ୍ୱରଠାରୁ ମାରକଣ୍ଡେଶ୍ୱର ପରିଯନ୍ତେ
ଅନେକ ପାପୀଥିଲେ ହେଂ ତୁ ନପଶିବୁ କଦାଶ୍ଚିତେ ।୯।
ଯମ ବୋଇଲା ଦେବ ମୋହର ସତ୍ୟସତ୍ୟ
ଅନେକ ପାପୀଥିଲେହେଂ ନପଶିବି ୟେଥ ।୧୦।
ବସୁବ୍ରାହ୍ମଣ ପୁତ୍ରକୁ ଯମ ଜୀଆଂଇଣ ଦିଲା
ଭୟେଣ ଦ୍ୱିଜବର ତାକୁ ଶ୍ରୀପୁରୁଷୋତ୍ତମ ନାମ ଦିଲା ।୧୧।
ପୁଣି ଜାରାଶବରର ପୁତ୍ରେକ ହୋଇଲା
ବଳରାମ ବୋଲି ତାହାର ନାମଦିଲା ।୧୨।
ଜୟ ତୁ ନୀଳଗିରି ନୀଳ ସୁନ୍ଦରଉତ୍ତମ
ବ୍ରହ୍ମା ରୁଦ୍ର ଅବତାର ଶ୍ରୀପୁରୁଷଉତ୍ତମ ।୧୩।
କଳି କାଳ ନିବାରଣେ ବିଜୟେ ମହାପ୍ରଭୁ
ନବକୋଟି ତୀର୍ଥ ଘେନି ପୁଷ୍କର ପାଦେରହୁ ।୧୪।
ପରମ ସାତୁକୀ ନାଥ ଅଭୟେ ପରମଯୋଗୀ
ଜନ୍ମେ ଜନ୍ମେ ସେବଇ ମୁହିଂ ତବ ପଦ୍ମପାଦ ଲାଗି ।୧୫।
ଶ୍ୱେତ କୁଂକୁମ ହୋଇଲେ ତିନି ମୂର୍ତ୍ତି
ସତ୍ତ୍ୱ ରଜ ତମ ତ୍ରିଗୁଣରେ ଥିତି ।୧୬।
ସତ୍ତ୍ୱରେ ବିଷ୍ଣୁ ହୋୟେ ଜଗନ୍ନାଥ ରୂପ
ରଜେ ସୋହୋଦ୍ରା ତମେ ନୀଳାମ୍ବର ସରୂପ ।୧୭।
ମନ ବଚନ କର୍ତ୍ତବ୍ୟେ ମୋହୋର ଆନ ନୋହୁ
ଶ୍ରୀପୁରୁଷୋତ୍ତମ ଆଶ୍ରେ କରି ମୋହୋର ଦିନଯାଉ ।୧୮।
ନୀଳଗିରି ଆଖ୍ୟାନ କରିବାକ ମୋହୋର ମମତା
ନବକୋଟି ତୀର୍ଥଯହିଂ ତେତିସ କୋଟି ଦେବତା ।୧୯।
ଦୋହିତା ସମର୍ପି ଯଉତୁକ ବାରାନିଧି
ସପତ ସମୁଦ୍ର ଘେନି ରତ୍ନାକର ଖଟଇ ଅବଧି ।୨୦।
ଅନନ୍ତ ବାସୁକି ତୁଲେ ଅଷ୍ଟକୁଳା ନାଗ ଥାଇ
ନିରାକୁଳ ରୂପେ ଯାହାର ଚରଣେ ଲାଗଇ ।୨୧।
ବାଳକାଳେ ବ୍ରହ୍ମା ହରିଲେ ତୋର ବଚ୍ଛା
ତାହାକୁ ମୁକତି କଲୁ ଦୋଷ କଲୁ ଉପେକ୍ଷା ।୨୨।
ସ୍ୱାମୀ ତୋହୋର ମୁହିଂ ଜନ୍ମେ ଜନ୍ମେ ଦାସ ଅଟଇ
ତୋହୋର ଭଗତି ବିନା ମୋହୋର ଆନ ନାହିଂ ।୨୩।
ବଦୟନ୍ତି ଶ୍ରୀଚଣ୍ଡିର ପୁତ୍ର ଶୁଦ୍ରମୁନି ସାରୋଳଦାସ
ଭବଜଳୁଂ ଉଦ୍ଧରି ଧର ମୋତେ ଲକ୍ଷ୍ମୀର ବିଳାସ ।୨୪।
ତୁଳୁସାର ବଲ୍ଲଭ ମୁଂ ଜନ୍ମେ ଜନ୍ମେ ଦାସ
ଶୂଦ୍ରମୁନି ସାରୋଳାଦାସ ଜନ୍ମେ ଜନ୍ମେ ଅଭ୍ୟାସ ।୨୫।୧୩୭୧।