ଶ୍ରୀକୃଷ୍ଣଂକ ପିଣ୍ଡଦହନ ଓ ଶବରର ନାରାୟଣ ପୂଜା — ସାରଳା ମହାଭାରତ ମୂଷଳୀପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଶ୍ରୀକୃଷ୍ଣଂକ ପିଣ୍ଡଦହନ ଓ ଶବରର ନାରାୟଣ ପୂଜା
ଅର୍ଜୁନ ବୋଇଲା ହାଦେ ଶୁଣ କିରାତ ଭାଇଅଗ୍ର ବୃକ୍ଷ ଗୋଟିଏ ଖୋଜ ସଂଜାଳିବା ଯୁଇ ।୧।ସ୍ୱାମୀ ତୁ ସେ ଆମ୍ଭନ୍ତ କରନ୍ତୁ ଦହିଜମୁହିଂ ତୁମ୍ଭର ପିଣ୍ଡକୁ ଦହିଜ କରିବି ନିଲଜ୍ଜ ।୨।ସୟଳ ସଂସାରେ ତ ହୋଇଲା ଉପହାସକୃଷ୍ଣର ପ୍ରାଣତ୍ୟାଜ ବୋଲି ଶୁଭିଲା ଭବିଷ୍ୟ ।୩।କରଣେ କୋଠାର ଘେନି ଜାରା ବୁଲଇ ସାରିକ୍ଷବନସ୍ତେ ପଶି ଶବର ଲୋଡ଼ଇ ଅଗ୍ରବୃକ୍ଷ ।୪।ଅନେକ ଗହନେ ଭ୍ରମି ସେ ନପାଇଲା ଲୋଡିଜାରା ବୋଇଲା ମୁଂ ୟେହି ଠାବରେ ଦେଖିଥିଲି ।୫।ଜାରା ବୋଇଲା ତୁ ଶୁଣ ସର୍ବସାଚୀଅପାର କାଳହୁଂ ୟେଠାରେ ଅଗ୍ରବୃକ୍ଷେକ ଅଛି ।୬।ତାହା ଲୋଡ଼ି ୟେବେ ମୁହିଂ ନ ପାଇଲି ଦେବକିମର୍ଥେ ଗୋପ୍ୟାନ ହୋଇଲାନି ତାହା ୟେବ ।୭।ଶବର ବୋଇଲା ଶୁଣିଲା ଅଛି ଅପାର କାଳର କଥାଶୁଣ ସାବଧାନେ ମୋ ଉପରେ ବଂଶର ବାରତା ।୮।ୟେହି କାଳନ୍ଦୀର ତୀର କାଳେବର ପର୍ବତ ତଳେଅଗ୍ରବୃକ୍ଷ ଗୋଟାଏ ଥାଇ ସର୍ବକାଳେ ।୯।ଅଜର ଶବର ଯେ ଅଟଇ ମୋର ଅଜାବେଣ୍ଟ ପାରଧିରେ ବୁଲଇ ବନେ ରାଜା ।୧୦।ଅନୁସରି ପାରିଧି ବୁଲଇ ନିଶା କାଳେଆସିଣ ରହିଲା ସେ ୟେହି ଅଗ୍ର ବୃକ୍ଷତଳେ ।୧୧।ଶଙ୍ଖ ଚକ୍ର ଗଦା ଅଭୟ ପଦ୍ମହସ୍ତନୀଳେତ୍ପୋଳ ତନୁ ରକତ କୁମୁଦ ନେତ୍ର ।୧୨।ଦେଖଣ କିରାତ ଯେ ଶତେ ଦଣ୍ଡ ପରିଣାମିବୋଇଲା କେବଣ ଦେବତା ଅଟ ଦେବସ୍ୱାମୀ ।୧୩।ବୋଲନ୍ତି ମାଧବ ଯେ କିରାତେଶ୍ୱର ଶୁଣମୁଂହି ଅନାଦି ନାଥ ଯେ ଶବରୀ ନାରାୟଣ ।୧୪।କଳି କାଳ ଜାଣି ମୁଂ ହୋଇଲଇଂ ଗୋପ୍ୟୟେହିଠାରେ ଥିବି ମୁହିଂ ପାଷାଣ ସ୍ୱରୂପ ।୧୫।ତୁ ମୋତେ ପାଣି ପତ୍ର ଦେଇ କରୁଥିବୁ ପୂଜାନଜାଣିମେଟି କୁଟୁମ୍ବ ତୋର ପୁତ୍ର କି ଭାରିଜା ।୧୬।ଯଦି ତୁୟେ କଥା ଆନକୁ କହିବୁବଂଶ ନାଶଯିବ ତୋର ସଂପୋଡେ ନାଶ ଯିବୁ ।୧୭।ୟେତେ ବୋଲି ଦେବ ତତକ୍ଷଣେ ହେଲେ ଅନ୍ତର୍ଧ୍ୟାୟେପାଷାଣ ରୂପ ଧଇଲେ ପ୍ରଭୁ ଦେବରାୟେ ।୧୮।ଅଗ୍ର ବୃକ୍ଷ ଆବୋରି ରହିଲେ ଭଗବାନଶବରୀ ନାରାୟଣ ରୂପେ ପୂଜା ଯେ ପାଇଣ ।୧୯।ନିତ୍ୟେହେଂ କିରାତ ଦିଅଇ ପତ୍ର ପାଣିଦିନେ ଶବର ପଚାରଇ ଭୋ ଦେବ ଶିରୋମଣି୨୦।ସ୍ୱାମୀ ପୂଜା ଯେ କରଇ ନ ଦେଇଣ ଅନ୍ନୟେଥକୁ ଅପାର ଦୋଷ ଅଟଇ ବିଦ୍ୟମାନ ।୨୧।ଶୁଣି ନାରାୟଣ ପ୍ରତିବାକ୍ୟ ଦିଅନ୍ତିତୋହର ଅନ୍ନେ ଆମ୍ଭେ ହୋଇବୁ ତ୍ରିପୁତି ।୨୨।
ଶୁଣିଣ ଶବରର ଫିଟିଲା ମନ ଭ୍ରାନ୍ତି
ଯିସ ଅନ୍ନ ମିଳଇ ସେ ଦେଉଥାଇ ନିତି ।୨୩।
ଛାମୁରେ ଥୋଇ ଶବର ଯାୟେ ଆଡ ହୋଇ
ଆପଣେ ଭୁଞ୍ଜନ୍ତି ତାହା ଜଗତ ଗୋସାଇଂ ।୨୪।
ଯାହା ସମ୍ଭର୍ବ ନିତି ହିଂ ଶବର କରଇ ଯାଇଂ ପୂଜା
ଆନ ଜଣେ କେହି ତ ନଜାଣଇ ଦୁଜା ।୨୫।
ୟେ ବିଧିରେ ବରଷ ସାତ ପାଞ୍ଚ ଗଲା
ଶବର ଶ୍ୱରୀରେ ଆସି ଜ୍ୱର ଆରମ୍ଭିଲା ।୨୬।
ଅଶକତେ ଯାଇ ନୁଆରଇ ନାରାୟଣ କତି
ଭାଳଇ ବନରେ ହୋ ମୁଂ ଦ୍ରୋହ କଲି ଶ୍ରୀପତି ।୨୭।
ଆପଣାର ଗଲେ ପୂଜା ପାଆନ୍ତି ନରହରି
ଭାଳଇ ବନଚର ମନେ ମନେ ବିଚାରି ।୨୮।
ବଡ଼ାଇ ସଂକଟ ତ ପଡ଼ିଲା ମୋତେ ଆସି
ଆଜତ ମୋହର ନିୟମ ପ୍ରକାଶି ।୨୯।
ବିଷ୍ଣୁ ମୋହରେଣ ଦିଲେକ ଆଦେଶ
ୟେହାନ୍ତ ଆନରେ ତୁ ନକରିବୁ ପ୍ରକାଶ ।୩୦।
ଲୋକେଣ ଯଦ୍ୟପି ତୁ କରାଇବୁ ଗ୍ୟାନ
ତୋହର ପୂଜା ଯାୟେ ମୋହର ନାହିଂଟି ଭୋଜନ ।୩୧।
ଆନର ଆଗେ କହିଲେ ନପୁଣ କୋପ କରଇ
ପୂଜା ନପାଇଲେ ସଂପୋଡେ ନାଶ ଯାଇ ।୩୨।
ଭାଳଇ ବନଚର ୟେ ମୋହର ନନ୍ଦନ
ଆତ୍ମାରୁ ଜାତ କଲି ଯେ ୟେ ମୋହର ସମାନ ।୩୩।
ପୁତ୍ରର ନାମ ତାର ବିରାଜ ବେଣ୍ଟକାର
ତାହାକୁ ଗୋପ୍ୟାନେ ସେ ତିଆରଇ ଶବର ।୩୪।
ତୁ ମୋହର ନନ୍ଦନ ବାବୁ ରେ କର ଗୋପ୍ୟ
ପ୍ରକାଶ କରନ୍ତେ ବଂଶ ହୋଇବ ଯେ ଲୋପ୍ୟ ।୩୫।
ବୁଲଇ ପୁତ୍ର ଯେ ପିତାର ସମୀପ
ମୋହରେଣ କଥା କିସ ତୋହୋରେଣ ଗୋପ୍ୟ ।୩୬।
ଯେ ତୋହର ଚରିତ କହ ତାତ ଜାଣି
ଦେସି ଆଗ୍ୟାଂ ତାତ ମନେଣ ପରିମାଣି ।୩୭।
ବୋଲଇ ଶବର ଯେ ଅତି ଗୋପ୍ୟ ବାଣୀ
ଯତନେ ତୁ ଗୋପ୍ୟାନ କରିବୁ ମନେ ଜାଣି ।୩୮
ବନସ୍ତର ମଧ୍ୟେ ଯେବଣ ସଂକେତ ସ୍ଥାନ
ଅଗ୍ରବୃକ୍ଷ ତଳେ ଯେ ଅଛନ୍ତି ଯେବଣ ପ୍ରତିମ ।୩୯।
ସେ ନୀଳ ପ୍ରତିମ ଯେ ପ୍ରତକ୍ଷେ ମାଧବଇ
ତାହାର ପୂଜା ତୁ କରିବୁ ବାବୁ ଯାଇଂ ।୪୦।
ତୁ ବାବୁ ପତ୍ର ପାଣି ଘେନି ବେଗି ଯିବୁ
ଲାଉକା ପତ୍ରରେ ଅନ୍ନ ପୁଡ଼ାୟେକ ନେବୁ ।୪୧।
ପାଣି ନିଉଡାଇ ଶିରେ ଚଢାଇବୁ ଫୁଲ
ଦେଖ ଯାଇ ଶବରୀ ସେ ନାରାୟଣ ଉପର ।୪୨।
କେହି ନ ଜାଣିବେ ଆଉ ୟେକା ତୋତେ କହିଲି
ବାପାଂକର ଦେହ କହିବୁ ଅଳସ ଯେ ବୋଲି ।୪୩।
ଅନ୍ନ ପୁଡାୟେକ ଛାମୁରେ ଯେ ଥୋଇବୁ
ମାଧବ ଭୁଂଜ ବୋଲି ଆଡେ ହୋଇଯିବୁ ।୪୪।
ପିତାର ବଚନ ଶୁଣି ଚଳଇ ନନ୍ଦନ
ଅଗ୍ର ବୃକ୍ଷ ତଳେ ଯାଇ ହୋଇଲା ସନ୍ନିଧାନ ।୪୫।
ଦେଖଇ ଶବର ତହିଂ ନାରାୟଣ ରୂପ
ବୋଇଲା ଭୋ ନାଥ ହେ ଖଣ୍ଡିଲା ମହାପାପ ।୪୬।
ପାଣି ଶିରେ ଦେଇଣ ଯେ ପତ୍ରୀ ଚଢାଇଲା
ବାବୁଂକର ଦେହ ଅସୁସ୍ଥ ବୋଲି ଛାମୁରେ ଜଣାଇଲା ।୪୭।
ବାବୁ ଦେଇ ପଠିଆଇ ଅଛନ୍ତିଟି ଯାହା
ତ୍ରିପୁତି ହୋଇ ଦେବ ଭୁଂଜିବାକ ତାହା ।୪୮।
ଛାମୁରେ ଥୋଇ କହିଗଲା ଯେ ଆଡ ହୋଇ
ନ ଭୁଂଜିଲେ ନାରାୟଣ ଜଗତଭୂତ ସାଇଂ ।୪୯।
କରପତ୍ର ଯୋଡ଼ି ତାଂକୁ ବୋଲଇ ବିରାଜ
କିମ୍ପାଇଂ ଅନ୍ନ ଭୋ ନାଥ ତୁମ୍ଭେ ତ ନଭୁଂଜ ।୫୦।
ନଉଚେତ ଅନ୍ନ ପୁଡ଼ାକୁ ଦିଅ ବାହୁଡ଼ାଇ
ପୁଣ ଲୋଡ଼ିଲେ ଆଉ ପାଇବ ତୁମ୍ଭେ କାହିଂ ।୫୧।
ଯାଚିଲା ଅନ୍ନ କିମ୍ପେ ନକରୁ ଆହାର
ମୋହର ଦୋଷ ନାହିଂ ଭୋକେଣ ଦେବ ମର ।୫୨।
ୟେତେ ବୋଲି ଅନ୍ନପୁଡ଼ାକ ବାହୁଡ଼ାଇ ନେଲା
ପିତାର ଆଗରେ ଯାଇଣ କହିଲା ।୫୩।
ପାଣି ପତ୍ର ଦେଇ କରିଲି ନିବେଶ
ମୋହର ବୋଲେ ଅନ୍ନ ନ କଲେ ସେ ଗ୍ରାସ ।୫୪।
ଶୁଣି ବିଷାଦ ବଡ଼ ହୋଇଲା କିରାତ
ପୂଜା ନ ଘେନନ୍ତି ପ୍ରଭୁ ନଭୁଂଜନ୍ତି ଭାତ ।୫୫।
ୟେଥୁ ଅନନ୍ତରେ ଶବର ରୁଦ୍ରପୁର ଗଲା
ମହାଦେବଂକର ଆଗେ ସମସ୍ତ କହିଲା ।୫୬।
ସ୍ୱାମୀ ପ୍ରତକ୍ଷେ ନାରାୟଣ ମାଧବ ମୂରତି
ଅଗ୍ରବୃକ୍ଷ ମୂଳେ ପୂଜଇ ମୁହିଂ ନିତି ।୫୭।
ଶୁଣି ବିସରନ୍ତି ଦେବ ସୁଢଳାଙ୍ଗ
ଦ୍ୱାପର ଯୁଗ ଶେଷ ଆସି ହୋଇଲା କଳିଯୁଗ ।୫୮।
ସେ କୃଷ୍ଣ କିମ୍ପେ ସମ୍ମୁଖେ ଅବତରଇ
ଦେଖିଲେ ବଇକୁଣ୍ଠେ ଯିବେ ସର୍ବ ନରଇ ।୫୯।
ଯମ ଆଉ କାହାକଇଂ ହାଦେ ଦେବ ଶାସ୍ତି
ବୁଡ଼ିଲା ଯମଦଣ୍ଡ ସମସ୍ତେ ସଦଗତି ।୬୦।
ୟେତେ ବୋଲି ମହାଦେବ ହକାରିଲେ ଯମ
ପାଷାଣ ରୂପେ ହାଦେ ଶ୍ରୀପୁରୁଷୋତ୍ତମ ।୬୧।
ତୁ ଯାଇ ତାହାଂକୁ ଘେନିଆସ ବେଗେ
ତେବେ ସିନା ଭୋଗ୍ୟ ସେ ହୋଇବ କଳିଯୁଗେ ।୬୨।
ୟେତେକ ଶୁଣି ତହୁଂ ଚଳଇ କୃତାନ୍ତ
ଅଗ୍ରବୃକ୍ଷ ତଳେ ଯେ ଦେଖଇ ମାଧେବନ୍ତ ।୬୩।
ପଞ୍ଚୁକେତନରେ ସେ ବିବାନ ଆରୋହିଣ
ତହିଂ ବିଜେ କରାଇ ଶବରୀ ନାରାୟଣ ।୬୪।
ପୁଷ୍ୟକ ବିବାନରେ ବସାଇଲା ନେଇ
ବୋଇଲା ଚାଲଦେବ ଯିବା ସ୍ୱର୍ଗକଇଂ ।୬୫।
କଳିଯୁଗେ ପ୍ରବେଶ ୟେଥି ନଥିବା ଗୋସାଇଂ ।୬୬।
ୟେତେବୋଲି ଘେନିଗଲା ଶବରୀ ନାରାୟଣ
ସଂଜୀବନୀ ପୁରକୁ ନେଲା ତତକ୍ଷଣ ।୬୭।
ଯମ ଧର୍ମ ସଭାରେ କଲା ନେଇପୂଜା
ଭଗତ ଭାବ ଘେନି ବିଜୟେ ଦେବରାଜା ।୬୮।
ସଂଜୀବନୀ ପୁରକୁ ଯାଆନ୍ତି ଯେତେ ଲୋକ
ବିଷ୍ଣୁ ପାଷାଣ ଦେଖି ବସନ୍ତି ବିଷ୍ଣୁଲୋକ ।୬୯।
ଗୋହତ୍ୟା ବ୍ରହ୍ମହତ୍ୟା ସ୍ତିରୀହତ୍ୟା ମାତୃହରଣ ବିଶୁଳିପତି
ୟେ ପଞ୍ଚମହାପାତକ ନଆସଇ କତି ।୭୦।
ନରକ ଲୋକେ ଯାଇ ବସନ୍ତି ସ୍ୱରଗେ
ଜନ୍ତୁନାଶନ ବୋଇଲା ୟେଥୁ ଦେବ ବିଜେ କର ବେଗେ ।୭୧।
ଅର୍ଜୁନକୁ କହଇ ଜାରା ବେଣ୍ଟକାର
ସେ ଅଗ୍ର ବୃକ୍ଷ ଗୋଟି ଅଛି ଯେ ଠାବର ।୭୨।
ଅର୍ଜୁନ ବଇକୁଲ୍ୟ ସେ ଅଗ୍ର ବୃକ୍ଷ ନପାଇ
ଶ୍ରୀକୃଷ୍ଣ ଛାଡ଼ିଗଲେ ହୋଇଲି ମୁଂ ବାଇ ।୭୩।
ମାୟାରେ ହରି ପିଣ୍ଡ ନଦହିବାର ନିମନ୍ତେ
ଅଗ୍ରବୃକ୍ଷ ଗୋପ୍ୟ କରିଥିଲେ ପୁରୁହୃତେ ।୭୪।
ଅର୍ଜୁନ ବଇକୁଲ୍ୟେ ଦୃଶ୍ୟ ଅଗ୍ରବୃକ୍ଷ
କିରାତ ବୋଇଲେ ହୋ ୟେହିଟି ପ୍ରତ୍ୟକ୍ଷ ।୭୫।
ଭୋ ଦେବ ସେ ଅଗ୍ରବୃକ୍ଷ ଗୋଟି ଗୋପ୍ୟ ହୋଇଥିଲା
ପୁଣିହିଂ ଲୋଡନ୍ତେ ସେ ଶବର ପାଇଲା ।୭୬।
କୋଠାର ଘେନିଣ ଖଣ୍ଡ ଖଣ୍ଡ କରି ହାଣି
ଚିରିଣ ସମସ୍ତ କାଠ ରୁଣ୍ଡ କଲା ଆଣି ।୭୭।
ଯଥାବିଧିରେ ଅର୍ଜୁନ ସଂଜାଳ କଲା ଜୁଇ
ପୁଷ୍ୟମାଳା ଗୋଟିଏ ହୃଦରେ ଲମ୍ବାଇ ।୭୮।
ଅଗ୍ର ଚନ୍ଦନ ଘୋରି ଲେପନ କଲା କାୟେ
ଦିଶନ୍ତି ଜଗମୋହନ ଦିବ୍ୟ ଅବତାର ପ୍ରାୟେ ।୭୯।
ଦେଖିଣ ହୃଦୟରେ ଭିଡ଼ଇ ବିବତ୍ସ
ମୋହର ଆଷ୍ୟଘେନି ଉଠକିନା ଶ୍ରୀବତ୍ସ ।୮୦।
ମୁହିଂ ମୃତୁପିଣ୍ଡ ହୋଇକିନା ଗୋସାଇଂ
ଚନ୍ଦ୍ରଚକୋର ମୁଖର ପରିମୁଣ୍ଡା ଯାଇ ।୮୧।
ମୁହିଂ ମୂଢ଼ଜନ ସହଦେବର ବଚନ ନ କଲି
ୟେକଷ୍ଟ ଅବସ୍ଥା ତୋହର ୟେବେ ଯାହା ମୁଂ ଦେଖିଲି ।୮୨।
ଯେବଣ ଦେହ ଦେଖିଲେ ଅପାର ପାପ କ୍ଷୟେ
ଅଗ୍ନିରେ କେସନେ ଭରିବି ଯେ ଦେବରାୟେ ।୮୩।
ବଇକୁଲ ହୋଇଣ ଲଗାଇଲା ବହନି
କୃଷ୍ଣକୁ ଅଗ୍ନି ଭିତରେ ବସାଇଲା ଫାଲଗୁନି ।୮୪।
ଅଗର କାଠରେ ସେ ଯେ ଲଗାଇଲା ସଂଜାଳ
ଉଠିଲା ବହନି ଯେ ପ୍ରାଣତ୍ୟାଜ ଅନଳ ।୮୫।
ୟେକା ମାତ୍ର ତୁଲେ ଅଛି ଜାରା ଶବର ସାଖା
ନବତାଳ ଉତ୍ସର୍ଗରେ ଯେ ବହନିର ଶିଖା ।୮୬।
ସ୍ୱାମୀ ଭୃଙ୍ଗାବଳୀ ନୀଳ ଜିଣି ଯେବଣ ଶରୀର ବିରାଜଇ
ମୁହିଂ ପାମର ତାହାକଇଂ ଯେ କରୁଅଛି ଦହିଜ୍ୟଇ ।୮୭।
ଜ୍ୱଳନ୍ତେଣ ୟେକ ରାତ୍ର ୟେକ ଦିବସ ଗଲା
ଶ୍ରୀକୃଷ୍ଣଂକ ପିଣ୍ଡକଇଂ ଯେ ଅଗ୍ନି ନ ଲାଗିଲା ।୮୮।
ଜାଳି ଜାଳି ଅର୍ଜୁନ ଯେ ହୋଇଲା ବିମୁଖ
ସରିଲାନି ଅଗ୍ରବୃକ୍ଷ ନବ ତାଳ ଶିଖ ।୮୯।
ଭାଳଇ ଅର୍ଜୁନ ୟେ ହୋଇଲା କେସନ
ପାପୀ ଲୋକଂକର ପିଣ୍ଡ ଯେ ନୋହଇ ଦହନ ।୯୦।
ଗୋହତ୍ୟା ବ୍ରହ୍ମହତ୍ୟା ମାତୃହରଣ ଯାହାର ଅଛଇ
ସେ ଲୋକଂକର ପିଣ୍ଡ ଯେ ଅନଳ ନଭକ୍ଷଇ ।୯୧।
ପୁଣି ବିଚାରଇ ୟେ ଗୋପେ ଷଣ୍ଢା ବଧ କଲା
ବାଳକାଳେ ୟେ ପ୍ରୋହିଣୀକି ଯେ ବଧିଲା ।୯୨।
ଗୋଗୋଷ୍ଠେ ପଶିଣ ୟେ ବକାସୁର ମାରି
ବଳାତ୍କାରେ ହରିଲା ୟେ ଗଉରୋବ ଗୋପସ୍ତିରୀ ।୯୩।
ଜୀବନ୍ତେଣ ଦୋଷ ଯେ ନକଲାକ ବାଧା
ପରଲୋକେଣ ସେ ଯେ ଲାଗିଲାକ କ୍ରୋଧା ।୯୪।
ପୁଣ ବିଚାରଇ ମୁଂ ଯେ ଅଟଇ ମନୁଷ୍ୟ
ମୁହିଂ ଛୁଇଂଲଇଂ ତେଣେ ହୋଇଲାକ ଦୋଷ ।୯୫।
ୟେତେ ବିଚାରି ବଇକୁଲ୍ୟ ହୋଅଇ ଫାଲଗୁନି
ଶୂନ୍ୟେଣ ଶୁଭିଲାକ ଯେ ଆକାଶର ବାଣୀ ।୯୬।
ତୁମ୍ଭେ କିମ୍ପା ବିମୁଖ ହେଉ ହୋ ସର୍ବସାଚୀ
ୟେ ପିଣ୍ଡ ଅଗ୍ନି ଦେବତା ନୁଆରିବ ଭକ୍ଷି ।୯୭।
ୟେପିଣ୍ଡ ବିଜେ କରିବ ନୀଳ ସୁନ୍ଦର ପର୍ବତେ
ତହିଂରେ ପୂଜା ପାଇବେ ଦଶ ଶହସ୍ର ବର୍ଷ ପରିଯନ୍ତେ ।୯୮।
ଅଗ୍ନି ଲିଭାଅ ତୁମ୍ଭେକର ଆମ୍ଭର ବୋଲ
କାଢ଼ିଆଣି ପିଣ୍ଡ ମଉଦଧିରେ ମେଲ ।୯୯।
ଦେବତାଂକ ବୋଲେ ଜଳ ଘେନି ଲିହାଇଲା ବହନି
ମୃତୁପିଣ୍ଡକୁ କାଢ଼ିଲା ସେ କରେ ଯଷ୍ଟି ଘେନି ।୧୦୦।
କୋଳ କରି ଆଣି ମେଲିଲେ ମଉଦଧି
ପ୍ରେତସ୍ନାନ କଲେ ଜଳେ ସାରିଲେ ଯଥାବିଧି ।୧୦୧।
ଜାରା ଶବରକୁ ସେ ବୋଲଇ କିରଟୀ
ତୁ ରକ୍ଷା କରିଥିବୁ ୟେ ମୃତୁପିଣ୍ଡ ଗୋଟି ।୧୦୨।
କାହିଂ ଲାଗିବୟେ ହୋଇବ କେମନ୍ତ
କେବଣ ଯୋଗେ ୟେ ହୋଇବ ଉଦିତ ।୧୦୩।
ୟେତେକ ଆଗ୍ୟାଂ ତାକୁ ଦେଇଗଲେ ପାଥ
ତହୁଂ ଶବର ଯେ ପୂଜଇ ମାଧବ ଅଲାଳନାଥ ।୧୦୪।
ଯେବଣ ପ୍ରତିମା ଯମ ଆସ୍ଥାନୁଂ ଆଣିଲା
କୃଷ୍ଣ ପିଣ୍ଡ ପ୍ରତିମା ଶବର ପୂଜିଲା ।୧୦୫।
ୟେତେ ତିଆରିଣ ଚଳିଳା ବୀରପାଥ
ଗାଣ୍ଡିମ ଧରି ନୂଆରଇ ଶରୀର ଅଶକତ ।୧୦୬।
ମହୋଦଧି କୂଳେ କୂଳେ ଚଳଇ ଅର୍ଜୁନ
ଧନୁ ମୁଣ୍ଡାଇ ଚଳେ ବାସବ ନନ୍ଦନ ।୧୦୭।
ନୟନରୁ ଲୋତକ ଯେ ବହେ ଘନ ଘନ
ପ୍ରବେଶ ବାସବି ଯାଇ ଦ୍ୱାରିକା ଭୁବନ ।୧୦୮।
ରଇବ୍ରତ ପର୍ବତେ ଉଠିଲା ଫାଲଗୁନି
ଧ୍ୟାୟେ ନିରୋପଇ ଯେ ବ୍ୟାସ ମହାମୁନି ।୧୦୯।
ଅର୍ଜୁନର ଚିନ୍ତଂତେ ଯେ କମ୍ପିଲା ଆସନ
ଧ୍ୟାନେଣ ଜାଣିଲେ ତାହା ପାରେଶ୍ୱରଂକ ନନ୍ଦନ ।୧୧୦।
ଅର୍ଜୁନ ସନ୍ନିଧ୍ୟେ ପ୍ରବେଶ ଋଷି ଆସି
ବିନୟ ଯୁଗତେ ପାଥ ବଚନ ସମ୍ଭାସି ।୧୧୧।
ବ୍ୟାସେ ବୋଲନ୍ତି ପାଥ କେବଣ କୃତ୍ୟ କଲୁ
ଶ୍ରୀକୃଷ୍ଣ ପିଣ୍ଡ କେବଣଠାରେ ଛାଡିଣ ଅଇଲୁ ।୧୧୨।
ଅର୍ଜୁନ ବୋଇଲା ଦେବ ପୋଡନ୍ତେ ଚକ୍ରପାଣି
ଅଦଭୂତେ ଶୁଭିଲା ଯେ ଆକାଶର ବାଣୀ ।୧୧୩।
ଅଗ୍ନିରୁ କାଢ଼ି ଦେବ ମେଲିଲଇଂ ସିନ୍ଧୁ ଜଳେ
ଦ୍ୱାରିକା ପଶି ମୁଂ ନୁଆରଇ ବିକଳେ ।୧୧୪।
ବ୍ୟାସେ ବୋଲନ୍ତି କୃଷ୍ଣର ସେହି ପିଣ୍ଡ
ଦଶ ଶହସ୍ର ପୂଜା ଘେନିମେ ଭ୍ରଥ ଖଣ୍ଡ ।୧୧୫।
ଅର୍ଜୁନ ବୋଲନ୍ତି ଶୁଣିମା ବେଦବ୍ୟାସେ
ମୁଂହି ଯେ ଅଇଲି କୃଷ୍ଣର ଆଦେଶେ ।୧୧୬।
ଶ୍ରୀକୃଷ୍ଣ ବୋଇଲେ ଦ୍ୱାରିକାପୁର ସ୍ତୀରିମାନଙ୍କୁ
ବାଲୁଂକ ନଦୀ ପାରିକରି ଥୋଇବୁ ତାହାଙ୍କୁ ।୧୧୭।
ତୁହୋ ଅର୍ଜୁନ ଆସସି ବେଗହୋଇ
ସମ୍ବୋଧନା ସିନା କରିବୁ ଯେ ତୁହି ।୧୧୮।
ମୁହିଂ କେମନ୍ତେ ସହିବି ତିରୀମାନଂକର କ୍ରୋଧ
ତାହାଂକର କଷ୍ଟ ଦେଖିଲେ ମତେ ବଡ ବିରୋଧ ।୧୧୯।
ବ୍ୟାସଂକୁ ଘେନି ତହୁଂ ଚଳଇ ବୀର ପାଥ
ନନ୍ଦ ବସୁଦେବ ଛାମୁରେ ମିଳିଲେ ତୁରିତ ।୧୨୦।
କୃଷ୍ଣଂକୁ ନଦେଖି ସମସ୍ତେ ଅନାସ୍ତ
ନନ୍ଦ ଯଶୋଦା ବସୁଦେବ ଦେବକୀ ଆରତ ।୧୨୧।
ସନ୍ନିଧ୍ୟେ ପ୍ରବେଶ ଆସି ହୋଇଲେ ବେନି ମାୟେ
ଅର୍ଜୁନଂକୁ ଦେଖି କରି ପୁଲକିତ କାୟେ ।୧୨୨।
ଛପନକୋଟି ଯାଦବେ ତ୍ରିଭୁବନେ ନିଶଂକା
ସମସ୍ତେ ମଲେଣି ବସୁଦେବ ଅଛି ୟେକା ।୧୨୩।
ୟେକା ଭୁବନେ ତିନିପଦ୍ମ ଅଛନ୍ତି ଯେ ନାରୀ
ଅର୍ଜୁନକୁ ଆସି କରି ସମସ୍ତେ ପଚାରି ।୧୨୪।
ଅର୍ଜୁନ ବୋଲନ୍ତି ତୁମ୍ଭେ ଶୁଣିମା ଯଦୁବଂଶୀ
ଯେବଣ ଶାପ ଦିଲେ ଅଷ୍ଟବକ୍ର ମହାଋଷି ।୧୨୫।
ସେ ଲୋହ ଖପରା ନେଇ ଘୋରିଲା ଭୀମସେନ
ସେ ଫେଣରୁ ଜାତହେଲା ସନ୍ତରା ନାମେ ବଣ ।୧୨୬।
କଦମ୍ବ ବୃକ୍ଷରୁ ଜାତ ହୋଇଲାକ କ୍ଷୀରା
ତାହା ଆପ୍ୟାନ କଲେ ସେ ହୋଇଲା ମଦିରା ।୧୨୭।
ଖାଇଣ ମତୁଆଳେ ପଡିଲେ ସର୍ବେ ଢ଼ଳି
ଉଠିଣ ସନ୍ତରା ବଣ ଓପାଡି ହେଲେ ମରାମରି ।୧୨୮।
ଯାହାଙ୍କର ଦେହରେ ନକାଟଇ ନାରାଜ ପଶୁପତ୍ର
ଶନ୍ତରା ଦାଢେ ଖଣ୍ଡଖଣ୍ଡ ହୋଇଲାକ ଗାତ୍ର ।୧୨୯।
ଛପନ କୋଟି ଯାଦବେ ସମସ୍ତେହେଂ ମଲେ
ବଳରାମ ଯାଇ ଖିର ସମୁଦ୍ରେ ଅନନ୍ତ ଶେଯ୍ୟା କଲେ ।୧୩୦।
କୃଷ୍ଣଙ୍କୁ ଜାରା ଶବର ବିନ୍ଧିଲା ନାରାଜ
ତେଣୁ କରି ପ୍ରାଣତ୍ୟାଗ ଗଲେ ଦେବରାଜ ।୧୩୧।
ମୁକୁଇଂ ବୋଇଲେ ହରି ପ୍ରାଣତ୍ୟାଜ କାଳେ
ଦ୍ବାରିକା ପୁରକୁ ତୁ ଛାଡ଼ିବୁ ରାତ୍ରକାଳେ ।୧୩୨।
ସମସ୍ତ କନ୍ୟାନ୍ତ ଆଣି ମୁଁ ତଡ଼ପି
ବାଲୁଙ୍କି ନଦୀ ପାର କରି ଛାଡ଼ିବୁ ଯୁବତୀ ।୧୩୩।
ତୁମ୍ଭେ ତହିଁ ରହିଥିବ ସମସ୍ତ କନ୍ୟାମାନେ
କୃଷ୍ଣେ ତହିଂ ବିଜେ କରିବେ ପ୍ରତିଦିନେ ।୧୩୪।
ତେଣୁ କରି ଯହୁଂ ଆଜ୍ଞା ଦିଲେ ଜଗନ୍ନାଥ
ଶୁଣି କରି ମୁହିଂ ଅଇଲଇଂ ୟେଥ ।୧୩୫।
ଶୁଣିଣ ଥମ୍ଭୀଭୂତ ସକଳ ଯୁବତୀ
କ୍ରୋଧଭର ହୋଇ କିଛି କହି ନୁଆରନ୍ତି ।୧୩୬।
ବ୍ୟାସେ ବୋଲନ୍ତି ଗୋ ବିଧବା ନୋହ ମାୟେ
ଲଭିବ କୃଷ୍ଣଙ୍କୁ ଗଲେ ବାଲୁଂକି ନଦୀ ଯାୟେ ।୧୩୭।୫୭୩।
ବାଲୁଙ୍କ ନଦୀ ପାରେ ଯଦୁବଂଶ ସ୍ତ୍ରୀଙ୍କ ବାସ ଓ
ଅର୍ଜୁନଙ୍କ ଇନ୍ଦ୍ରପ୍ରସ୍ଥେ ଗମନ
ଶୁଣ ରାଜନ ବ୍ୟାସ ଅର୍ଜୁନ ବସୁଦେବ ତିନି
ରାତ୍ରେ ବିଜେକଲେ ସମସ୍ତ ନାୟିକାନ୍ତ ଘେନି ।୧।
ଶୁଭେଣ ହୋଇଲେ ସେ ବାଲୁଂକ ନଦୀ ପାରି
ରହିଲେ ସ୍ତିରୀୟେ ନିଚିନ୍ତେ ଜାଳାନ୍ଧରେ ରାଜ୍ୟକରି ।୨।
ବ୍ୟାସେ ଅର୍ଜୁନ ଯାଆନ୍ତେ ସ୍ତିରୀ ବୃନ୍ଦେ ଘେନି
ରାତ୍ରରେ ବିଜେକଲେ ପୁଣ୍ୟ ଯେ ମେଦିନୀ ।୩।
ସମସ୍ତେ ମିଳିଲେ ଯାଇଂ ବାଲୁଂକ ନଦୀ ତୀରେ
ବ୍ୟାସଂକ ମନ୍ତ୍ରବଳେ ହୋଇଲେ ନବରେ ।୪।
ସୁବର୍ଣ୍ଣର ପୁର ହୋୟେ ସ୍ୱର୍ଗହୁଂ ଅଧିକ
ରହିଲେ ଯାଇଂ କନ୍ୟାମାନେ ୟେଂକୁ ୟେକ ।୫।
କୃଷ୍ଣ କୃଷ୍ଣ ବୋଲି ଉଚ୍ଚେ ରାବ ଦ୍ୟନ୍ତି
ସମସ୍ତ ସ୍ତିରୀମାନେ ମୁଖେ ଅଙ୍ଗୁଳି ଭରନ୍ତି ।୬।
ଭୋ ବ୍ୟାସେ କେମନ୍ତେ ହାଦେ ଦେଖିବୁ ବନମାଳୀ
ପ୍ରତେ ଉପୁଜିଲେ ସିନା ରହିପାରୁଂ ବାଳୀ ।୭।
କନ୍ୟାଂକର ବଚନେ ବ୍ୟାସେ କଲେକ ଯେ ଲୟେ
ଦିବ୍ୟ ଅବତାର ହୋଇ କୃଷ୍ଣ କଲେ ସେ ବିଜୟେ ।୮।
ନାରକାକୁ ବଧକରି ଆଣିଥିଲେ ଷୋଳ ସହସ୍ର ନାରୀ
ତାହାଂକର ପୁରେ ବିଜେକଲେ ଚକ୍ରଧାରୀ ।୯।
ଛପନ କୋଟି ଯାଦବେ ଯେ ଯାହାର କନ୍ୟା ଘେନି
ନାନା ରଙ୍ଗ ରତି ରସେ କଲେକ ଦୟିନୀ ।୧୦।
ଗୋପୀମାନେ ପୁରେ ପୁରେ ଷୋଳସସ୍ର ବାଳୀ
ତାହାଂକର ପୁରେ ବିଜେ କଲେକ ବନମାଳୀ ।୧୧।
ବ୍ୟାସଂକୁ ପ୍ରଶଂସା କଲେ ଦେବ ହୃଷୀକେଶ
ଆମ୍ଭର ଆଷ୍ୟ ଘେନି ବ୍ରତ କଳ୍ପ ଦଶ ।୧୨।
ଶୁଣ ହୋ ମନୁରାୟେ ଗୋବିନ୍ଦର ମାୟା
ସୁଦ୍ରିଶେନ ରଖିବାକୁ କଲେ ଜଗୁନାହା ।୧୩।
ପୁରୁଷ ଅବଲୋକନେ ନାଶଇ ସେ ପୁରୁଷ
ସ୍ତିରୀବୃନ୍ଦ ରହିଲେ ବାଲୁଂକ ନଦୀ ଦେଶ ।୧୪।
ତହିଂରୁ ଗୋବିନ୍ଦ ପୁଣ ଅନ୍ତର୍ଧ୍ୟାନେ ଗଲେ
ଶଶୀ ଦିବାକର ସେ ଯେ କନ୍ୟାଂକୁ ରକ୍ଷାକଲେ ।୧୫।
ଯେତେବେଳେ ଦ୍ୱାରିକା ଶୂନ୍ୟପୁର ଯେ ହୋଇଲା
କୁଶସ୍ଥଳୀ ପୁର ବରୁଣ ରାଜା ଘେନିଗଲା ।୧୬।
ନାନା ରତ୍ନ ଯେ ମଣିଗଣମାନ ଭଣ୍ଡାର
ପୃଥୀର ସାର ଦ୍ରବ୍ୟ ଥିଲା ଯେବଣ ପୁର ।୧୭।
ସମସ୍ତ ଆକ୍ରେଷି ତାହାନ୍ତ ବରୁଣ ଘେନିଗଲା
କୃଷ୍ଣର ବିହୁନେ ସେ ସବୁ ଜଳମୟ ହେଲା ।୧୮।
ୟେତେକ ସମ୍ପାଦି ବ୍ୟାସେ ଯେ ହୋଇଲେ ଅନ୍ତର୍ଧ୍ୟାନ
ତହୁଂ ଇନ୍ଦ୍ରପ୍ରଶସ୍ତକୁ ଆସଇ ଅର୍ଜୁନ ।୧୯।
ଷୋଳ ସହସ୍ର ଥିଲେ ଗୋପାଳୁଣୀ ନାରୀ
ଅର୍ଜୁନ ପଛରେ ସେ ଗୋଡାବନ୍ତି ସୁନ୍ଦରୀ ।୨୦।
ଅର୍ଜୁନ ବୋଇଲେ ଆଗୋ ଦୁଖ ସିନା ପାଇବ
ୟେ ପୁର ଛାଡି କିମ୍ପେ ମୋହର ସଙ୍ଗେ ଯିବ ।୨୧।
ୟେତେ ବୋଲି ନଦୀ ହୋଇଲେକ ପାର
ତିନି କୋଟି ବାମା ଛନ୍ତି ଅର୍ଜୁନ ସଙ୍ଗର ।୨୨।
ନଦୀ ପାର ହୋଇ ଅର୍ଜୁନ ଆସନ୍ତେ
ଗୋରୁ ଘେନି ଗୋପାଳେ ଚରାନ୍ତି ବନସ୍ତେ ।୨୩।
ଦେଖିଲେ ଗୋପୀଂକି ସେ ନେଉଛନ୍ତି ଅର୍ଜୁନ
ଚିନ୍ତିଲେ ଗୋପାଳେ ସେ ନାୟେକା ସ୍ତିରୀମାନ ।୨୪।
ଗୋପସ୍ତିରୀ ଯୁବତୀଂକି ଯହୁଂ ଦେଖିଲେ ସକଳ
ଳଉଡି କରେ ଧରି ଧାଇଂଲେ ମତୁଆଳ ।୨୫।
କନ୍ୟାମାନଂକ ଭୁଜ ଧଇଲେକ ଯାଇ
ସମସ୍ତେ ଡାକିଲେ ଅର୍ଜୁନ ତୁମ୍ଭେ କର ତ୍ରାହି ତ୍ରାହି ।୨୬।
ଗଉଡ ବୋଇଲେ ୟେ ସକଳ ବ୍ରଜନାରୀ
ନନ୍ଦ ନନ୍ଦନ ନେଇଥିଲା ବଳ କରି ଧରି ।୨୭।
ୟେବେତ ଶୁଣିଲୁ ଆମ୍ଭେ କୃଷ୍ଣ ନାଶ ଗଲା
କିମ୍ପା ଛାଡିବୁ ଆମ୍ଭେ ୟେ ଗୋପର ଅବଳା ।୨୮।
ଶୁଣିଣ ଅରଜୁନ ତାଂକୁ କଲା କୋପମାନ
ଗାଣ୍ଡିବ ଧନୁ ଧରି ଅର୍ଜୁନ କଲାକ ସନ୍ଧାନ ।୨୯।
ଯେବଣ ନାରାଜେ ତ୍ରଇଲୋକ୍ୟ ହୋୟେ ହତ
ଜଣହେଂ ମାରି ତାଂକୁ ନୁଆରିଲା ପାଥ ।୩୦।
ଦେଖିଣ ଗଉଡେ ତାଂକୁ ଛତା ଦିଲେ ଆଡି
ଅରଜୁନ ଶର ବାଜି ପଡିଲାକ ଉପୁଡି ।୩୧।
ଗଉଡେ ବୋଲନ୍ତି ପାଣ୍ଡବ ହୋଇଲୁକି ବାଇ
ଭୀଷ୍ମ ଦ୍ରୋଣ ପ୍ରାୟେକ ମଣିଲୁକି ତୁହି ।୩୨।
ଆଜ ଜାଣିମା ସିନା ଗଉଡେ ବୋଲନ୍ତି
ମତୁଆଳ ହୋଇ କରି ସେ ଲଉଡି ବୁଲାବନ୍ତି ।୩୩।
ଅର୍ଜୁନ ବୋଲନ୍ତି ମୋତେ ତ ବିପତ୍ତି ପଡିଲା
କୃଷ୍ଣର ନାସ୍ତିକେ ମୋର ବଳ କେଣେ ଗଲା ।୩୪।
ସହସ୍ରେକ ନାରାଜ କରିଲି ଜଣେହେଂ ନ ମଲା ।
ବିମୁଖ ହୋଇଣ କନ୍ୟା ଛାଡି ପଳାଇଲା ।୩୫।
କନ୍ୟାୟେ ବୋଇଲେ ଅରଜୁନ ବଳହୀନ
ୟେ କାହୁଂ ଆମ୍ଭକୁ ଆଉ କରିବ ପରିଜନ ।୩୬।
ସୋହୋଦ୍ରା ଦ୍ରୋପତୀ ହୋ ଯାହାର ଭାରିଜା
ଆମ୍ଭଂକୁ କିସ କରିବ ସେ ପଣ୍ଡୁର ତନୁଜା ।୩୭।
ତହିଂକି ଯାଇଣ ପୁଣ ଲଜାନ୍ତ ପାଇବା
ୟେଥେ ସୁସ୍ଥ ହୋଇ ଗୃହକର୍ମ କରିବା ।୩୮।
ୟେତେ ବୋଲି କନ୍ୟାମାନେ ବ୍ୟାକୁଳେ ସେ ଭାଳି
ରହିଲେ ଯେ ଯାହାର ଗୃହବାସନ୍ତ ସମ୍ଭାଳି ।୩୯।
ଶୁଣ ସାଧୁଜନେ ବିହି ଅବଳ କଥାକୁ
ତ୍ରଇଲୋକ୍ୟ ମଧ୍ୟରେ ଯେ ଅଟଇ ରଥୀ ୟେକୁ ।୪୦।
ପୃଥୀରେ ହାରିଲା ନାମ ଅଟଇ ଧନୁର୍ଧର
ଗଉଡଂକୁ ହାରିଲା ସେ ପାଣ୍ଡବସୁନ୍ଦର ।୪୧।
ତହୁଂ ଇନ୍ଦ୍ରପ୍ରଶସ୍ତକୁ କରଇ ଗମନ
ଗାଣ୍ଡିମକୁ ଆଉ ବହି ନୂଆରଇ ଅର୍ଜୁନ ।୪୨।
ଧନୁ କାନ୍ଧେ ବହି କରଇ ଗମନ
ତିନିଗୋଟି ବାଳକ ସଙ୍ଗେ ଯାଦବ ନନ୍ଦନ ।୪୩।
ବାରୁଣା ପ୍ରଶସ୍ତେ ଯାଇ ଅର୍ଜୁନ ମିଳିଲା
ସାତୁକୀର ନାତିକି ନେଇ ତହିଂରେ ରାଜ୍ୟ ଦିଲା ।୪୪।
କୃତବର୍ମା ନାତିକି ସମର୍ପି ଅଙ୍ଗଦେଶ
ବଜ୍ରନାଭ ନାତି କି ଦିଲା ହାଦେ ଜୟନ୍ତ ଯେ ଦେଶ ।୪୫।
ସମ୍ଭର୍ବ ଆସ୍ତାନେ ଯେ ବିଜୟେ ଯୁଝେଷ୍ଠି
ଯାଇଣ ଦ୍ରଶନ ତହିଂ କଲାକ କିରୀଟୀ ।୪୬।
ଶିଶିର କାଳେ ହୋୟେ ପଦ୍ମବନ ଯେସନ
ଅର୍ଜୁନର ବଦନ ଗୋଟି ଦିଶଇ ତେସନ ।୪୭।
ଅର୍ଜୁନର ବଦନ ଚାହିଂଣ ଧର୍ମରାୟେ
କୁଶଳେ ଅଛନ୍ତି କହ ପ୍ରଭୁ ଯଦୁକୁଳ ରାୟେ ।୪୮।
ଅର୍ଜୁନ କହିଲା ତୁମ୍ଭେ ଶୁଣିମା ରାଜଦେବ
ସନ୍ତରେହା ବଣେ ଦେବ ନାଶିଲେ ସମସ୍ତ ଯାଦବ ।୪୯।
ଦଇବର ଘଟସୂତ୍ର କେ କରିବ ଆନ
ଯାହା ସେ ଶାପ ଦିଲା ଅଷ୍ଟବକ୍ର ମହାମୁନ୍ୟ ।୫୦।
କହନ୍ତେ ଅର୍ଜୁନର ଶୋକଭର କାୟେ
ଆଲିଙ୍ଗନ କରି ଯେ ଧଇଲେ ଧର୍ମରାୟେ ।୫୧।
ଶୁଣ ହୋ ସ୍ୱାମୀ ଯେହୁ ଗୋବିନ୍ଦ ବାରତ
ମୁହିଂ ଯାଇଥିଲି ଶ୍ରୀକୃଷ୍ଣ ମୃତୁଗତ ।୫୨।
ଅନେକ ସମାର୍ଜନା କଲେ ଦେବ ମୁକୁ
ଆସ ହୋ ଅର୍ଜୁନ କୋଳ କରଇ ତୁମ୍ଭକୁ ।୫୩।
ଅନେକ କଷ୍ଟରେ ଦେବ ନଗଲି କତିକି
ଧନୁହୁଳ ବଢାଇ ଦିଲି ମୁହିଂ ଶ୍ରୀପତିଂକି ।୫୪।
ଅନେକ କଷ୍ଟେ ବଡାଇ ଦିଲି ଯେ ଗାଣ୍ଡିମ
ଧନୁ ଧରି ପ୍ରାଣ ଛାଡିଲେ ଶ୍ରୀପୁରୁଷୋତ୍ତମ ।୫୫।
ଅଗ୍ରବୃକ୍ଷ କାଟି ସ୍ୱାମୀ ରଞ୍ଚିଲଇଂ ଜୋଇ
ମୃତୁପିଣ୍ଡ କୋଳକରି ଶୁଆଇଲି ମୁହିଂ ।୫୬।
ରାତ୍ରେକ ଦିବସେକ ଦେବ ଜଳିଲା ବହନି
କର ଚରଣ ମାତ୍ର ପୋଡିଲାକ ବେନି ।୫୭।
ନାସିକା ଶ୍ରବଣ ସେ ଲଲାଟ ୟେକ ଖଣ୍ଡ
ୟେମାନ ଦହନ ହୋଇ ନ ପୋଡିଲା ପିଣ୍ଡ ।୫୮।
ଜାରାଶବର ଅଗ୍ର କାଠ ଦେଉ ଥାଇ ଚିରି
ପକାଇ ଜାଳଇ ତାହା ତାଳେକ ଉଚ୍ଚ କରି ।୫୯।
ରାତ୍ର ଦିବସେକ ଆଉ ନ ପୋଡିଲା ପିଣ୍ଡ
ଆକାଶରୁ ବାଣୀ ଯେ ଶୁଭିଲା ପରଚଣ୍ଡ ।୬୦।
ୟେ ପିଣ୍ଡ ଦହନ ହୋ ନକର ଫାଲଗୁନି
ସମୋଦ୍ରକୁ ମେଲି ଦିଅ ଶୁଭିଲାକ ବାଣୀ ।୬୧।
ଅଗ୍ନିକି ନିବାଇ ତହୁଂ କାନ୍ଧରେ ବହି ନେଲି
ବାରାନିଧି ଜଳରେ ନେଇଣ ପକାଇଲି ।୬୨।
କୃଷ୍ଣର ବଚନେ ତହୁଂ ଚଳିଗଲି ଦ୍ୱାରାବତୀପୁରୀ
ବାରତା ପାଇଣ ନନ୍ଦ ବସୁଦେବ ପ୍ରାଣ ହାରି ।୬୩।
ଅଷ୍ଟ ପାଟବଂଶୀ ହେଲେ ଅଗ୍ନିରେ ଦହନ ପୁଣ
ଦେଖୁଂ ଦେଖୁଂ ଦ୍ୱାରିକାରେ ଘୋଟିଲା ବରୁଣ ।୬୪।
ସ୍ତିରୀବୃନ୍ଦ କେବଳ ହୋଇଲେ ବାହାର
ସମସ୍ତ ଛାଡିଲି ଦେବ ବାଲୁଂକ ନଦୀ ତୀର ।୬୫।
ଭୋ ଦେବ ସମସ୍ତ ୟେ ସମ୍ପଦ ସରିଗଲା
ବ୍ରହ୍ମାଣ୍ଡର ନାଥ ହରି ଛାଡିକରି ଗଲା ।୬୬।
ଶୁଣିକରି ଧର୍ମରାଜ କଲେ ବଡ ଶୋକ
ୟେହା କଲୁ କିମ୍ପା ହୋ ଦ୍ୱାରିକା ନାୟକ ।୬୭।
ତୋହର ଅଭାବେ ମୋହାର କିସ କାର୍ଯ୍ୟ
ରୋଦନ କରନ୍ତି ବସି ପଣ୍ଡୁର ତନୁଜ ।୬୮।
ଅବନୀରେ ପଡି ରୋଦନ୍ତି ପଞ୍ଚୁ ଭାଇ
ସମୋଦ୍ର ଘୋଷ ଜାଣି ରୋଦନ ଶୁଭଇ ।୬୯।
ପଞ୍ଚୁପ୍ରାଣ ସଖା ତ ହୋଇଲା ମୋର ହତ
ନିଲଜ ପିଣ୍ଡ କିମ୍ପା ରହିଛି ଜୀବିତ ।୭୦।
ଅଚଳ ମନ୍ଦର କେହୁ କରେଣ ତୋଳିଲା
ଅବୟେ ବାରାନିଧି କେହୁରେ ଶୋଷିଲା ।୭୧।
ପୃଥୀ ତୋଳିବାକୁ କେହି ହେଲାରେ ଭାର୍ଜନ
କେହୁ ସେ ମାଇଲା ମୋର ତ୍ରିଜଗ ମୋହନ ।୭୨।
ଆରେ ଆରେ ଅର୍ଜୁନ ୟେହା ସେ ମୋତେ କଲୁ
ଜାରାଶବରକୁ ତୁ କିମ୍ପା ପ୍ରାଣେ ନ ମାରିଲୁ ।୭୩।
ଆବର କାହିଂ ତୋତେ ମୁଂ ଦେଖଇ ନୟନ
ତୋତେ ଦେଖି ସମସ୍ତ ପାଶୋରି ଭଗବାନ ।୭୪।
ବନ୍ଧୁ ସୋଦର ହିଂ ମୋର ନାଶ ଗଲେ ସବୁ
କାହାର ଆଗରେ ବାବୁ ୟେ ଦୁଖ କହିବୁଂ ।୭୫।
କ୍ରୋଧରେ ଧର୍ମରାୟେ ହୋଇଲେ ଅସାଷ୍ଟମ
କୋଳ କରି ଧଇଲେ ପାଣ୍ଡବ ବୀର ଭୀମ ।୭୬।
ଦ୍ରୋପତୀ ସୋହୋଦ୍ରା କଲେ ଅବାରଣ ଶୋକ
ତାହାଂକୁ ନିବର୍ତ୍ତ କରନ୍ତି ଅପାର ଯେ ଲୋକ ।୭୭।
ଦ୍ରୋପତୀ ବୋଲନ୍ତି ହରି ପ୍ରତଗ୍ୟାଂ ଯେ କଲୁ
ପାଣ୍ଡବନ୍ତ ଘେନି ତୁମ୍ଭେ ଭାରା ନିବାରିଲୁ ।୭୮।
ଆବର ଜୀବନେ ଅଛି କିସ ଲେଖା
କେବଣେ କାରଣେ ଦେବ ଛାଡିଲୁ ୟେଡେ ସାଖା ।୭୯।
ଶାସକ ନିଶଂକୁ ତୁ ଜଗତ ଅଧିକାରୀ
କେବଣ କାରଣେ ତୁ ଗଲୁ ଛାଡି କରି ।୮୦।
ସୋହୋଦ୍ରାର ଶୋକ କହିତେ କେ ପାରି
ଅଭିମନ୍ୟୁ ଶୋକ ମୋତେ କରାଇଲୁ ହରି ।୮୧।
ଅର୍ଜୁନ ହରି ତୁମ୍ଭେ ଅଟ ଯେ ୟେକ ଆତ୍ମା
ଅର୍ଜୁନକୁ ଛାଡି କେଣେ ଗଲୁ ହୋ ମହାତମା ।୮୨।
ମୋହର ହରଣ ବେଳେ ହରି କଲୁ ଯେବଣ କୃତ୍ୟ
ବଳରାମ ଅଗ୍ରଜ ତୋର ଛାଡିଲୁ ସୋଦରନ୍ତ ।୮୩।
ମୋତେ କୃଷ୍ଣ ତୁମ୍ଭେ ବୋଲ ଯେ ଭୟେଣୀ
ମୋତେ ୟେବେ ନ କହିଣ ଗଲୁ ଚକ୍ରପାଣି ।୮୪।
ଅଭିମନ୍ୟୁ ବୋଲିଣ ମୋହର ପୁତ୍ରେକ ଥିଲା
ଚକ୍ରଭୂଅ ଭିତରେ ଯାଇଂ ନନ୍ଦନ ପଡିଲା ।୮୫।
ତାହା ଚିନ୍ତି ଉପେକ୍ଷିଲି ଭୋ ନାଥ ତୋତେ ଦେଖି
ଅଭିମନ୍ୟୁ ବଧ ପାଶୋରିଲି ୟେବେ ହୋଇଲି ନିରିମାଖ ।୮୬।
ବାଳକ କୃଷ୍ଣ ତୁମ୍ଭେ ପାର୍ଥ ରଥରେ ସାରଥୀ
ପାଣ୍ଡବଂକ ମଳିନ ତୁ ନଦେଖୁ ଶିରୀପତି ।୮୭।
କେମନ୍ତ ଛାଡିଗଲୁ ବଳିଲା ତୋହର ସତ
କେମନ୍ତ ଦହନ କଲ ହୋ ଦେବ ଜଗନ୍ନାଥ ପ୍ରାଣନାଥ ।୮୮।
ଭୋ ରାଜନ ଇନ୍ଦ୍ରପ୍ରଶସ୍ତେ ବ୍ୟାସେ ବିଜେକଲେ ଆସି
ସବୁନ୍ତି ଶୋକ ଶାନ୍ତି କରାନ୍ତି ସେ ଆସ୍ତାନେଣ ବସି ।୮୯।
ବ୍ୟାସେ ବୋଇଲେ ବାବୁ ତୁମ୍ଭେ ଶୁଣ ଯୁଝେଷ୍ଠିର
ପରୀକ୍ଷୀତେ ରାଜ୍ୟ ଦେଇ ୟେବେ ତୁମ୍ଭେ ତୀର୍ଥ କର ।୯୦।
ବହୁତ ଧର୍ମେଣ ଯେ ପାଇଲ ବସୁନ୍ଧରା
ୟେବେ କଳିକାଳ ହୋଇ ପାପଭରା ।୯୧।
କୋଟିୟେ ତୀର୍ଥ କରି ଯାଅ ହିମବନ୍ତ
କେଦାର ପରୀକ୍ଷ କରି ଯାଅ ସ୍ୱର୍ଗପଥ ।୯୨।
ତୁ ଧର୍ମପୁରୁଷ ହୋ ନ ଥାଅ ପାପମହୀ
ୟୁଝେଷ୍ଟିଂକି ବ୍ୟାସମୁନି ୟେସନେକ କହି ।୯୩।
ବ୍ୟାସଂକର ଅଗ୍ରତେ ଯେ ଯୁଝେଷ୍ଠି କହିଲେ
ଶ୍ରୀକୃଷ୍ଣଂକ ପିଣ୍ଡ ଯେ ଅର୍ଜୁନ ଦହିଲେ ।୯୪।
ଆକାଶର ବାଣୀ ଶୁଣି ପକାଇଲା ଜଳେ
ସେ କେମନ୍ତେ ହୋଇବ ହେ କହତ ସର୍ବକାଳେ ।୯୫।
ବ୍ୟାସ ବୋଇଲେ ତୁମ୍ଭେ ଶୁଣ ହୋ ଧର୍ମରାୟେ
ସେ କୃଷ୍ଣର ଶରୀର ଅଟଇଟି ଅକ୍ଷୟେ ।୯୬।
ଯେବଣ ଜାରାଶବର କଲା ଶରାଘାତ
ତାହାକଇଂ ଅନୁଗ୍ରହ କଲେ ଜଗନ୍ନାଥ ।୯୭।
ପ୍ରସନ୍ନ ହୋଇଣ ଯେ ବୋଇଲେ ଦେବରାଜା
ୟେ ପିଣ୍ଡ ନେଇଣ ତୁ କରସି ଆମ୍ଭନ୍ତ ପୂଜା ।୯୮।
ସ୍ୱପନ ଚେତିଣ ଯେ ଉଠଇ ଶବର
ଦେଖଇ ମାଧବ ରୂପ ଶଙ୍ଖ ଚକ୍ର ଧର ।୯୯।
ସେ ପ୍ରତିମା ଘେନିଣ ତହୁଂ ଗଲାକ କିରାତ
ରୁଦ୍ର ନଦୀ ତୀରେ ତ୍ରିୟମ୍ବକ ନାମେ ତୀର୍ଥ ।୧୦୦।
ଧବଳି ପର୍ବତ ଉପରେ ଅଗର ଯେ ବୃକ୍ଷ
ତହିଂର ତଳେ ନେଇଣ ଥୋଇଲା ପ୍ରତକ୍ଷ ।୧୦୧।
ପାଣି ପତ୍ର ଦେଇଣ ନିତ୍ୟ କରଇ ସେ ପୂଜା
ବନସ୍ତର ପକ୍ୱ ଫଳ ନିତ୍ୟ ଦିଅଇ ଭୋଜା ।୧୦୨।
ପୁତ୍ର ଭାରିଜା ତାହାର ନ ଜାଣନ୍ତି କେହି
ୟେ ବିଧିରେ ନିତ୍ୟସେବା କରିଥାଇ ସେହି ।୧୦୩।୭୦୧।