ରସିକ ହାରାବଳୀ — ଉପେନ୍ଦ୍ର ଭଞ୍ଜ · ସ୍ୱର୍ଣ୍ଣଲିପି।୧୭।
ଦର୍ବଣୁ ଝଳି କମଳୁ ବାସ ବଳେ ହରି ।
ଚନ୍ଦ୍ରରୁ ଆହ୍ଲାଦ ନେଇ ଲପନରେ ଭରି ।
।୧୮।
ନୀଳୋତ୍ପଳୁଁ ନୀଳ ଖଞ୍ଜନରୁ ଚଞ୍ଚଳତା ।
ବିଶିଖୁଁ ତୀକ୍ଷ୍ଣ ଆଖି ଆଖି କଲା ଧାତା ।
।୧୯।
କାଳିନ୍ଦୀ ଜଳ ଜଳଦ ଠାରୁ ହରି କଳା ।
ଚାମର ନୀଳ ରୁଚିରୁ କୁଟିଳ ହରିଲା ।
।୨୦।
କେଶ କଳା ତାହା ବେଶ ହେବା ପାଇଁ ପାଞ୍ଚି ।
ଫୁଲ କଙ୍କତିକା ପାଟସୁତ୍ର ଥାଇ ସଞ୍ଚି ।
।୨୧।
ଲବଣୀ ଶିରୀଷରୁ କୋମଳ ନେଇ ଦେହେ ।
ବିଦ୍ୟୁ ହେମ ଚମ୍ପା କାନ୍ତି ହରି କାନ୍ତିବହେ ।
।୨୨।
ଯେଉଁଅଙ୍ଗକୁ ଉପମା ଯେଉଁ ଦ୍ରବ୍ୟ ହୋଇ ।
ତହୁଁ ସାର ନେଇଟି ସେ ତନୁ କଲା ବିହି ।
।୨୩।
ଜନ୍ମ ଦେଇ ଆଣି ଅପସରୀର ଉଦରେ ।
ଅବନୀ ସୁନ୍ଦର ହେଲା ତାହାରି ଶୋଭାରେ ।
।୨୪।
କୋଟୀ ବ୍ରହ୍ମାଣ୍ଡ ସୁନ୍ଦରୀ ବୋଲି ନାମ ଦେଲେ ।
ଯେତେ ଲୋକ ବାଳକାଳେ ବାଳାକୁ ଦେଖିଲେ ।
।୨୫।
ବିଜ୍ଞେ ଯେ ବୋଇଲେ ଏ ରସିକ ହାରାବଳୀ ।
ପିତାମାତା ହିଁ ଡାକିଲେ ବେନି ନାମ ଛଳି ।
।୨୬।
ଜନମୁଖେ ଖ୍ୟାତ ହେଲା ମହୋଜ୍ଜ୍ୱଳ ଯଶ ।
ପାଇଲେ ନୃପନନ୍ଦନେ ଏଣେ ମନେ ତ୍ରାସ ।
।୨୭।
ପୂର୍ବେ କୋଶଳ ଦେଶରେ ନରେଶକୁମର ।
ଦ୍ୱିଜଙ୍କ ବଦନୁ ଶୋଭା ଶୁଣୁଥାଇ ତାର ।
।୨୮।
ଗୁଣୁଥାଇ ମୋର ସେ କି ହୁଅନ୍ତା ବାନ୍ଧବୀ ।
କରନ୍ତି ମୁଁ ପଦତଳେ ମହତ ପଦବୀ ।
।୨୯।
କେଡ଼େ ଶୋଭା କେତେ ତାକୁ ବୟସ ପଚାରେ ।
ଚାର କେ ହୋଇବ ଏହି କଥା ତ ବିଚାରେ ।
।୩୦।
ବିପ୍ରକାମିନୀଏ କହି ଆରମ୍ଭିଲା ତାକୁ ।
ମୁଁ ଯାଇଁ ଧାଇ ସେମନୋରମାର ପୁରକୁ ।
।୩୧।
କହଇ ତାହାର ରୀତି ଶୁଣ ଶୋଭା ଲେଶି ।
ବତିଶ ପଦରେ ଏହି ଛାନ୍ଦ ହେଲା ଶେଷ ।
।୩୨।
ଦ୍ୱିତୀୟ ଛାନ୍ଦ
ରସିକ ହାରାବଳୀର ଶୋଭା ବର୍ଣ୍ଣନା
(ବସନ୍ତରାଗ ୫ ପାଦବିଶିଷ୍ଟ । ୧ମ, ୨ୟ ଓ ୫ମ ପାଦରେ ୨୧ଟି ଅକ୍ଷର, ୩ୟ ପାଦରେ ୩ଟି ଅକ୍ଷର ଓ ୪ର୍ଥ ପାଦରେ ୯ଟି ଅକ୍ଷର ଥାଏ । ୧ମ, ୨ୟ ଓ ୫ମ ପାଦରେ ୬ଷ୍ଠ, ୧୨ଶ, ୧୮ଶ ଓ ଶେଷ ଅକ୍ଷରଉପରେ ଯତିପାତ ହୁଏ ।୩ୟ ପାଦର ଶେଷ ଅକ୍ଷର ଓ ୪ର୍ଥ ପାଦର ୬ଷ୍ଠ ଓ ଶେଷ ଅକ୍ଷର ଉପରେ ଯତିପାତ ପଡ଼େ । ’ଛାନ୍ଦ ଭୂଷଣ’ ର ୨୬ଶ ଛାନ୍ଦ, ‘ଲାବଣ୍ୟବତୀ’ର ୫ମ ଛାନ୍ଦ ଏହି ବୃତ୍ତରେ ରଚିତ ।)
ଶୁଣ ନୃପସୁତ ସୁନ୍ଦରୀ ଚରିତ ଆଲୋକିତ ଶୋଭା ତାହାର ।ନଚବୟସ ନରେଶ ଅଙ୍ଗଦେଶ ଆକର୍ଷି କଲାଣି ବିହାର ।ରସିକ ।ଗୁରୁ ଜଘନ ଭଦ୍ରାସନ ।କେଶ କେକୀପୁଚ୍ଛ ସ୍ୱଚ୍ଛେ ଯତ୍ନ କରି ଦେଲାଣି ଅଭିଷେକେ ମନ ।।୧।ଅତି ସଉନ୍ଦର୍ଯ୍ୟ ଯଉବନଗଜ ଅମାରୀ ଉରଜ ରୁଚିର ।ଅଚିରରୁଚିର ପ୍ରତିଭା ବିତାନ ଛଳେ ମଣ୍ଡିଲାଣି ସୁଚୀର ।ରସିକ ।ଶିବଙ୍କୁ କରାଇ ସନ୍ତୋଷ ।ମାହନ୍ତ ହୋଇ ବହୁତ ପୁଣ୍ୟ ଥିଲେ ମାର ତୀକ୍ଷ୍ଣ ନଖଅଙ୍କୁଶ ।।୨।କେଳତୀବର ଶବର ତୀକ୍ଷ୍ଣ ଶରପ୍ରବର ପ୍ରହାରୁ ଭୟରେ ।ତରଙ୍ଗ ହେଲାଣି ସୁରଙ୍ଗ ନୟନକୁ ରଙ୍ଗ ତ ଅତିଶୟରେ ।ରସିକ ।କଲାଣି ଧୀବର ବିଧାତା ।ମଦନ ନଦୀରୁ ପାର କରିବାକୁ ରୋମାବଳୀ ଭେଳା ଶୋଭିତ ।।୩।ମନମଥ ରତ ଦିଗ ବିଜୟକୁ ସାଜିଲାଣି ମନେ ପରତେ ।ରସନା ଘଣ୍ଟି ନିତମ୍ବଚକ୍ର ଚାରୁ ନ ରଖିବା ଯୁବା ଜୀବିତେ ।ରସିକ ।ଚଞ୍ଚଳ ଅଚଞ୍ଚଳ ପତାକା ।ଅତି ଉଚ୍ଚ କୁଚ ସୁସଞ୍ଚ କଳସ ଲୋଚନେ ଲୋକେ କଲେ ବକା ।।୪।ଦାଶରଥି କୃପାବିନୁ ତହିଁ ରଥି ହେବାକୁ କେବା କାହିଁ ଅଛି ।ସମରସଜ ଉଜ କରି ସରୋଜ ଆଶୁଗ ତହିଁରେ ଥୋଇ ।ରସିକ ।ନେତ୍ର ଭୂରୁ କାଣ୍ଡ କୋଦଣ୍ଡ ।ହେଲାଣି ଅଞ୍ଜନ ସିଞ୍ଜନୀ ରଞ୍ଜନ ଦଣ୍ଡକେ ଜିଣିବି ବ୍ରହ୍ମାଣ୍ଡ ।।୫।ଆସି ଅତନୁ ନୂତନ ରାଜା ହେଲା ମହିଳା-ଶରୀର-ମହୀରେ ।ଉତ୍ତମ ପାତ୍ର ଜାନୁ୍ସ୍ତନ ଶାଟୀରେ ଶୋଭିତ ହୋଇଲେ ଯହିଁରେ ।ରସିକ ।ଜଘନ ସ୍ବିଚ ସ୍ମରପୁର ।ଲୁଚି ରହିଲାଣି ଅପରାଧୀ ପ୍ରାୟେ, ହେବ ଭାଗ୍ୟବନ୍ତେ ଗୋଚର ।।୬।ମନ୍ଦହାସ ସୁଧାସମୁଦ୍ରେ ମହତୀଯୋଗ ପାଇ ଓଷ୍ଠ ଅରୁଣ ।ହେଲାଣି ମଜ୍ଜନ ରାତ୍ର ଦିବା ଅସ୍ତ ନୋହିବାକୁ ଏହି କାରଣ ।ରସିକ ।ବନପ୍ରିୟ ଗଣେ ଡରାଇ ।ଗୁରୁ ହୋଇ ଗୁରୁସ୍ତନୀ ଶିଶୁଶୁକ ଶିଷ୍ୟ କରି ଶ୍ଳୋକ ପଢ଼ାଇ ।।୭।ମିଶାଇଲଣି କିଛି କାମବଣିକ ଉନ୍ନତ ବିକାର ପାରସ ।ବିରହାନଳେ ହେମତନୁ ଦହିବ କଲାଣି ଏମନ୍ତ ମାନସ ।ରସିକ ।ନାହିଁ କାହିଁ ମହୀମଣ୍ଡଳ ।ଟାଙ୍ଗଣା ହୋଇ କେ ତା ସଙ୍ଗେ ଝଳିବ କାହା ଭାଗ୍ୟ ଏଡ଼େ ପ୍ରବଳ ।।୮।ଲାବଣ୍ୟସରସୀ ଶୋଭା ବହିଲାଣି ରସପୂର୍ଣ୍ଣ ପୁଣି ଗଭୀରେ ।ଲପନ ମିଳନ ସୁଊରୁ ପୁଳିନ, ସଲୀଳ ଭଉଁରୀନାଭୀରେ ।ରସିକ ।ହାସ କୁମୁଦ ନେତ୍ରମୀନ ।ଚକ୍ରବାକ ସ୍ତନ ମରାଳ ଗମନ ଦର୍ଶନେ ତାର କରେ ମନ ।।୯।ଗଙ୍ଗାରେ ବହୁବାର ଯେ ଝାସିଥିବ ସେ ପ୍ରେମଜଳରେ ମଜ୍ଜିବ ।ସରସ ଶୀତଳେ ଅଙ୍ଗଜନିତ ମହାସନ୍ତାପକୁ ତେଜିବ ।ରସିକ ।ବଦନଚନ୍ଦ୍ରରେ ତାହାର ।ଲୋଚନ ଚକୋର କରିବା ଜନର ନୁହଁଇଟି ଭାଗ୍ୟ ଇତର ।।୧୦।ଲାବଣ୍ୟସିନ୍ଧୁ ସେ ବନ୍ଧୁକଅଧରା ଦେବ ଦୟିତ ହରଷକୁ ।ଉରଜ ମନ୍ଦର ବେଣୀ ଦର୍ବୀକର କଲାଣି ଧାତା ମନ୍ଥନକୁ ।ରସିକ ।ହେଲାଣି ଯହିଁରୁ ଜନ୍ମିତ ।ଲାବଣ୍ୟ ଲକ୍ଷ୍ମୀ, ଚନ୍ଦ୍ର ହାସ କଟାକ୍ଷ ଗରଳ ଗତି ଐରାବତ ।।୧୧।ଅଙ୍ଗ ସୁବାସ ପାରିଜାତ ସୁଊରୁ ରମ୍ଭା ହେଲାଣି ମନୋହର ।ପ୍ରେମ ଅମୃତ ଉପୁଜାଇ ତହିଁରୁ ବିଚାର ଭୋଗ କରିବାର ।ରସିକ ।ତନୁ କ୍ଷେତ୍ର ନଖଲାଙ୍ଗଳେ ।ଚଷି ସ୍ନେହବୀଜ ରୁପିବାର ତହିଁ ନୁହଇ ଅଳପ ମଙ୍ଗଳେ ।।୧୨।ବାଳାନବଦୟ ବସନ୍ତ ସମୟ ଶୋଭା ଓଷ୍ଠ ନବପଲ୍ଲବେ ।ଅତିମଧୁର ପିକବାଣୀ ରୁଚିର ନିଆଳୀ ତୀକ୍ଷ୍ଣ ପୁନର୍ଭବେ ।ରସିକ ।କାନ୍ତି କେତକୀ ମହୋଜ୍ଜ୍ୱଳ ।ଅଙ୍ଗୁଳି ଝଳି ଗନ୍ଧଫଳି ଯହିଁରେ ସଘନ ଜଘନ ରସାଳ ।।୧୩।ଶୋଭାବଲ୍ଲରୀ ପୁଷ୍ପବତୀ ହେଲାଣି ତୁମେତ ରସିକ ଭ୍ରମର ।ରସାଳତରୁ ବକୁଳିତ ହୋଇଗଲେ ଉତ୍ସବ ନୋହେ କି ପିକର ।ରସିକ ।ସବୁଠାରୁ ମୂଳ ସାହାସ ।ରସ-ନଦୀ-କୂଳ ଲଙ୍ଘିବାକୁ ଏବେ ହୁଅ ଜଳଧର ସଦୃଶ ।।୧୪।କୁମର ଭଣି ଶୁଣ ଦ୍ୱିଜରମଣୀ ଶ୍ରବଣେ ତରୁଣୀ ଚରିତ ।ବିରହ ବହନ ଦହନ କଲା ମୋ ହୃଦୟମନକୁ ତ୍ୱରିତ ।ପକାଇ ।ମନଯୁଗ ହୋଇ ଅଧୀରା ।ତାହା ଶୋଭାବନେ ନିବାସ କଲାଣି ତହିଁ ଏ ଭୟ ନାହିଁପରା ।।୧୫।ମନ୍ଦ ମଦନପୁଳିତ ଶିଳୀମୁଖ ଧନୁରେ ବସାଇ ଲୋଡ଼ଇ ।ମୋହିନୀ ମୋହନ ପାଶେ ବାନ୍ଧିଲାଣି ନ ପୁଣ ତା ମୁଖେ ପଡ଼ଇ ।ହୋଇଛି ।ଏହି ଆଶଙ୍କା ଚିତ୍ତେ ଘେନ ।ଅତି ଦୁଷ୍ଟ ସେହି ଭେଟ କରି ନେଇ ନଦେଉ ପରେତ ରାଜନ ।।୧୬।ବ୍ରାହ୍ମଣୀ କହେ ମାଧବମାସେ ହୋଏ ମାଧବ ଚନ୍ଦନଉତ୍ସବ ।ମଣୁଛି ସେ ଯାତ୍ରା-ପ୍ରାବୃଟ ତୁମ୍ଭର ଆଶାଚାତକକୁ ତୋଷିବ ।ରସିକ ।ରାମା ଦର୍ଶନ ଦୃଷ୍ଟି ସତ ।ତାପ ଅଗ୍ନି ନାଶ କରି ବିସ୍ତାରିବ ପ୍ରମୋଦ ମେଘନାଦ ନୃତ୍ୟ ।।୧୭।ହୃଦୟସର ହରଷସାରସକୁ ଦୁଃଖତୁଷାର ଦହୁଥିଲା ।ଏ ବାଣୀ ଶୁଣିକରି ନବଜାତ ବହୁତ ରୂପେ ପ୍ରକାଶିଲା ।ରସିକ ।ସଖାସୌନ୍ୟ ସଙ୍ଗେ ଗମନେ ।କହେ ଉପଇନ୍ଦ୍ର ବୀରବର କ୍ଷେତ୍ରେ ପ୍ରବେଶ ହେଲା କେତେ ଦିନେ ।।୧୮।ତୃତୀୟ ଛାନ୍ଦ
ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ବର୍ଣ୍ଣନା
(ରାମକେରୀ ପ୍ରାଚୀନ ବୃତ୍ତମାନଙ୍କ ମଧ୍ୟରେ ଅନ୍ୟତମ । ସଂସ୍କୃତର ’ବୃଷଭ ଗଜ ବିଳସିତ’ ଛାନ୍ଦରୁ ଏହାର ସୃଷ୍ଟି ହୋଇଥିବା ଅନୁମାନ କରାଯାଏ । ଏହା ଦୁଇପାଦ ବିଶିଷ୍ଟ । ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା ୧୬ । ପ୍ରତ୍ୟେକ ପାଦର ୬ଷ୍ଠ, ୯ମ, ୧୧ଶ ଓ ଶେଷ ଅକ୍ଷର ଉପରେ କିମ୍ବା୯ମ ଓ ଶେଷାକ୍ଷର ଉପରେ ଯତିପାତ ପଡ଼ିଥାଏ ।)
ଯେଉଁ କ୍ଷେତ୍ରରାଜ ବିରାଜମାନ ଗରୁଡଧ୍ୱଜେ ।ଶ୍ରବଣେ ଚରିତ ତୁରିତ ଜନ ଦୁରିତ ଗଞ୍ଜେ ।।୧।ଯେବଣ କଟକେ ଛଟକେ ବରାଟକେ ମୁକତି ।ମହାପ୍ରସାଦରେ ସାଦରେ ଲୋକମାନେ ଲଭନ୍ତି ।।୨।ଅଳପ କଳପବଟରେ ଯହିଁ ଛାୟା ଆଶ୍ରିତ ।କଳପି କଳପି ନରକିନ୍ନର ତରିଲା ମତ ।।୩।ବିନା ତୁଷାତୁରେ ଚତୁରେ କୁଣ୍ଡପତନେ ଯହିଁ ।କାକର ହେଲା କର ଚାରି କିସ ବିଚାର ତହିଁ ।।୪।ଦକ୍ଷିଣ ଦକ୍ଷିଣ ସମୁଦ୍ର ପାପ କ୍ଷୀଣକୁ ତହିଁ ।ଯମଦୂତଙ୍କର ବଡ଼ଭୀ ବଡ଼ଭୀକି ଅନାଇଁ ।।୫।ଅବିଦ୍ୟା ଚକ୍ର ଚକ୍ର ପ୍ରାୟେ ଚକ୍ର ନିଶି ବିଯୋଗ ।ପ୍ରସନ୍ନ ଦର୍ଶନେ କରାଇ ଅନ୍ତେ ସେ ସ୍ୱର୍ଗ ଭୋଗ ।।୬।ପତାକାଅଞ୍ଚଳ ଚଞ୍ଚଳ ଡାକେ ପାପୀଙ୍କୁ ଅବା ।ଏ ନାଳନଗ-ନଗରକୁ ଆସ ଭଲ କରବା ।।୭।ଯେତେ ଦୂର ଘଣ୍ଟନିନାଦ ଶୁଭେ ନଦରେ ନେଇ ।ପକାଏ ଅନୃତ ଦୁଷ୍କୃତଗଳେ ଗଳଥା ଦେଇ ।।୮।ସୁମନା ମନରେ ଇଚ୍ଛନ୍ତି ତହିଁ ବେତ୍ରାଘାତକୁ ।ଗମନରେ ନରେ ତେଜନ୍ତି ଶମନର ଭୟକୁ ।।୯।ଶିରୀଷ ଆଜ୍ଞାରେ ଗିରୀଶ ଅଷ୍ଟ କ୍ଷେତ୍ରରକ୍ଷକ ।ଚଣ୍ଡୀ ରୂଢ଼ୀଭୂତ ଖଣ୍ଡିତ କରେ ଭୟ ଯେତକ ।।୧୦।ଦୀନବାନ୍ଧବ ମାଧବର ତହିଁ ମାଧବମାସେ ।ନୃପତିନନ୍ଦନ ଚନ୍ଦନଯାତ୍ରା ଦେଖେ ହରଷେ ।।୧୧।ନରେନ୍ଦ୍ର ତଡ଼ାଗେ କରୀନ୍ଦ୍ରେ ସୁରେନ୍ଦ୍ର ପରିହରି ।ନାବରେ ଭାବରେ ବିଜୟ କରି ସୁଖେ ବିହରି ।।୧୨।ପଛେ ରହି ସ୍ୱଚ୍ଛେ ବରହୀପୁଚ୍ଛେ ଦ୍ୱିଜ ସେବନ୍ତି ।ରଞ୍ଜନ ବ୍ୟଜନ ସଜ୍ଜନ କରେ ଧରି ବିଞ୍ଚନ୍ତି ।।୧୩।ସଂସାରସାରା ଘନସାରପିଚିକା କେ ମାରଇ ।କ୍ଷୀରନିଧି ଧୀର ଲହରୀ ପରି ଚାମର ଶୋହି ।।୧୪।ତରାସେ ତରାସେ ଦୁଷ୍ଟଙ୍କୁ ନାନା ପାପ ସ୍ଫରଶି ।ଚନ୍ଦ୍ରେ ନିର୍ମିତ ଚଣ୍ଡୁ ସୂର୍ଯ୍ୟତାରେ ତାର ପ୍ରକାଶି ।।୧୫।ପ୍ରବଳ ଶୋଭନ ଧବଳ ଛତ୍ର ବର୍ଣ୍ଣ ନୁହଇ ।ବଳରେ କବଳ ଧବଳକର ଶୋଭା କରଇ ।।୧୬।ଆଡ଼ମ୍ବର ମେଘାଡ଼ମ୍ବର କେତେ ଦେଖି ଅମ୍ବର ।ଅମରପୁରେ ସମ୍ବରବି ନାନା ବାଦ୍ୟ ନାଦର ।।୧୭।ନୀରଜମୁଖୀଙ୍କ ଉରଜ ହିମରଜରେ ଭୂଷି ।ଦର୍ଶନ ଲୋଭରେ ନିର୍ଭର ହେଲେ ଯୋଗୀ ସନ୍ୟାସୀ ।।୧୮।ଏହାଙ୍କ ବିଭୂତି ତାହାଙ୍କ ଅଙ୍ଗେ ଅଙ୍କିତ ହୋଇ ।ତନୁ ପୁଲକିତ ଶଙ୍କିତନୋହେ କୈତବ୍ୟ ନାହିଁ ।।୧୯।ଭେଟେ ଭେଟେ ମାର ଉଚ୍ଚାଟେ ସ୍ନେହେ ନାରୀପୁରୁଷ ।ଈକ୍ଷଣେ କଲେ ସେ କ୍ଷଣେକ୍ଷଣେ ବିଳାସ ।।୨୦।କପଟ ଦଶନ ଲମ୍ପଟ ବୀଟରୀତିକି ଚାହିଁ ।ଯେ ସୁଧୀ ସୁଧୀରେ ବୋଲନ୍ତି କ୍ଷେତ୍ରବରଟି ଏହି ।।୨୧।ବିଧୁର ଚରିତ ମଧୁର କରି ଗାଆନ୍ତି ସାଧୁ ।ଆଗତ ହୋଇଣନାଚନ୍ତି ଯହିଁ ଗଣିକାବଧୂ ।।୨୨।ମୁରୁଜଘାତକୁ ଉରଜ ଯେ ଚମକେ ।ତ୍ରିପୁର ମୋହିବୁଁ ବୋଲନ୍ତି ସେ କି ନୃତ୍ୟଝମକେ ।।୨୩।ଗୋପୀଗୋପୀନାଥ ସୁବେଶ ସବୁ ଆବେଶ ନୃତ୍ୟେ ।ଅତି ବିଦଗ୍ଧମାଗଧ ତୋଷେ ଚିତ୍ତ କବିତ୍ୱ ।।୨୪।ହରି ହରି ଧ୍ୱନି ତ୍ୱରିତେ ଶୁଭେ ଅନବରତେ ।ଦଣ୍ଡଧର ଦଣ୍ଡ ଖଣ୍ଡନ କରେ ଦଣ୍ଡିଦ ମାତ୍ରେ ।।୨୫।ଛଦନ ସଦନମାନଙ୍କୁ କେହି କରିଅଛନ୍ତି ।ବାସବା ସରେ ସାମନ୍ତଙ୍କ କାମିନୀଏ ଦେଖନ୍ତି ।।୨୬।ବାତାୟନପାଶେ ନୟନଦେଇ ନିକଟେ ଚାହିଁ ।ସଲିଳ-ସଲୀଳଭ୍ରମଣ ଜଗବନ୍ଧୁର ତହିଁ ।।୨୭।ହରି କି ତରୀକି ଆରୋହି ଖେଳେ ଏମନ୍ତ ଭାବି ।ଏହିମତି ଘେନ ମତିରେ ଭବଜଳୁ ତାରିବି ।।୨୮।ଅତି ସୁକୁମାର କୁମାର ମାଗେ ଏକାଳେ ବର ।ସୁତାମରସାକ୍ଷୀ ଗନ୍ଧର୍ବୀ ମୋତେ ପ୍ରାପତ କର ।।୨୯।ସେହି ଉତ୍ସବ ଦରଶନେ ମନ ଉଚ୍ଛନ୍ନ ହୋଇ ।ଏ ରସେ ଉପଇନ୍ଦ୍ର ଭଞ୍ଜ ବୀରବର କହଇ ।।୩୦।ଚତୁର୍ଥ ଛାନ୍ଦରାଜପୁତ୍ର ରସିକ ହାରାବଳୀର ଭେଟ(ରାଗ-କେଦାର ଚକ୍ରକେଳିବାଣୀ)
(ସମ୍ଭବତଃ ସଂସ୍କୃତ ’ଉପେନ୍ଦ୍ର ବଜ୍ରା’ ବୃତ୍ତରୁ ଏହି ବୃତ୍ତର ସୃଷ୍ଟି । ’ ମଥୁରାମଙ୍ଗଳ’ ର ୧ମ ଛାନ୍ଦ, ’ପ୍ରେମସୁଧାନିଧି’ ର ୬ଷ୍ଠ ଛାନ୍ଦ ପ୍ରଭୁତିରେ ଏହାର ବ୍ୟବହାର ଆମେ ଦେଖୁଁ । ଏହି ବୃତ୍ତରେ ଦୁଇ ପାଦର ଏକ ପାଦ ହୁଏ । ପ୍ରତ୍ୟେକ ପାଦ ୧୧ ଅକ୍ଷର ବିଶିଷ୍ଟ । ପ୍ରତ୍ୟେକ ପାଦର ୫ମ ଓ ଶେଷ ଅଥବା ୨ୟ, ୫ମ ଓ ଶେଷ ଅକ୍ଷର ଉପରେ ଯତିପାତ ହୁଏ ।)
ବିଜେ ପ୍ରାସାଦେ ଜଗତ ବନ୍ଦନ ।ବାହୁଡ଼ିବା ବେଳେ ରାଜନନ୍ଦନ ।କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ସୁଗତି ।ମଣ୍ଡିଥିଲା ନିଜପୁର ଜଗତୀ ।।୧।ଦ୍ୱାରବନ୍ଧପରେ କର ନିବେଶି ।ଶୋଭା ଉଭା ହୋଇବାରୁ ସୁକେଶୀ ।ଆର କରେ ଘେନି ବାସଅଞ୍ଚଳ ।ଘର୍ମଶାନ୍ତିକି କରଇ ଚଞ୍ଚଳ ।।୨।ସେ ଯେ ଯାଚିଲା ପରାୟ ଶରଣ ।କମ୍ପାଇଲା କର କଞ୍ଜ ଚରଣ ।ଶ୍ରୁତି ଦେଖିବା ଇଚ୍ଛାରେ ଈକ୍ଷଣ ।ସ୍ଥିର ହୋଇ ନ ରହେ ଏକକ୍ଷଣ ।।୩।ଭାଗ୍ୟବଶେ ପୁଂସନେତ୍ର ପଡ଼ିଲା ।ଲୌହ ଚୁମ୍ବକ ପରାୟ ଜଡ଼ିଲା ।ଦ୍ରବୀଭୂତ ହୋଇଗଲା ହୃଦୟ ।ଯଥା ଚନ୍ଦ୍ରମଣି ଚନ୍ଦ୍ର ଉଦୟ ।।୪।ଅଶ୍ୱଗତି କରାଇଲା ମନ୍ଥର ।ଦେହେ ଆସି ଆକର୍ଷିଗଲା ଥର ।ଭାଳେ ସ୍ୱର୍ଗସୋପାନରେ ଓହ୍ଲାଇ ।ରମ୍ଭା ଆସେ କି ଯୁବାଙ୍କୁ ଭୁଲାଇ ।।୫।ଅପୂରୁବ ରମଣୀୟ ମନ୍ଦିରେ ।କିମ୍ପା ମନ ନ ପଡ଼ିବ ବନ୍ଦୀରେ ।ଏତ ସ୍ୱଭାବେ ଲାବଣ୍ୟସରସୀ ।ନେତ୍ରମୀନ ସଦନ କରେ ରସି ।।୬।ଅଳଙ୍କାର ମିଳିଲା ମେଦିନୀକି ।ଯାହା ବହିଲା ଚନ୍ଦ୍ର ବଦନୀକି ।ବାଳା ରତିରୂପେ ଶୋଭା ଦୁଷଣ ।ପୁଣି ଭୂଷଣକୁ ଏକ ଭୂଷଣ ।।୭।ନିର୍ମାଣିବା କାଳେ ରସନିଧିକି ।କେଡ଼େ ଶ୍ରମ ହୋଇଥିବ ବିଧିକି ।ମୁଖ ଅକଳଙ୍କ ଚନ୍ଦ୍ର ଅଧିକ ।କରେ ସାରସ ଆଦରଶ ଧିକ ।।୮।ଶୋଭାହୀନ କରି ସୁରନଗରୀ ।ମୋ ଭାଗ୍ୟକୁ ମହୀଜାତ ନାଗରୀ ।ନାହିଁ ଅଙ୍ଗେ ଗଣ୍ଠିଶିରା ଦର୍ଶନ ।ଆଗପଛକୁ ସମାନ ପ୍ରଚ୍ଛନ୍ନ ।। ୯।ଜଙ୍ଘଜାନୁ ଉଚ କୁଚ ବର୍ତ୍ତୁଳ ।କେଉଁ କୁନ୍ଦେ କୁନ୍ଦିତ ନାହିଁ ତୁଳ ।ଉରେ ଅଙ୍କୁରିଲା ଦିନୁ ଉରଜ ।ମହୀ ଦେଖିନାହିଁ ନେତ୍ରନୀରଜ ।।୧୦।ମେରୁବୋଲି ଦେଖାଇ ଏ ବଡ଼ାଇ ।କର ପଦ୍ମେ ପାରିବି କି ଘୋଡ଼ାଇ ।ପାଞ୍ଚି ଏମନ୍ତ କୁମରରତନ ।ରାମା ନେତ୍ର ପୁଂସପରେ ପତନ ।।୧୧।ଅଠାକାଠି ପ୍ରାୟ ତାର ରଞ୍ଜନ ।ଲାଗି ରହିଲା ନୟନ ଖଞ୍ଜନ ।ପୁଣି ତାହା ଅଙ୍ଗଦେଶ ଉଚିତ ।କଲା ପ୍ରବାସ ରାମାମଣି ଚିତ୍ତ ।।୧୨।ଛନ୍ନେ ଥିଲା ଯେତେ ସଖୀ ଆଗୁଳି ।କେ ସେ ବୋଲି ଦେଖାଇଲା ଅଙ୍ଗୁଳି ।ବ୍ୟାଜେ କହେ କି ମୀନଲାଞ୍ଛନକୁ ।କରେ ଏହି ପୁରୁଷ ଉଚ୍ଛନ୍ନକୁ ।।୧୩।ପ୍ରାଣପରି ଯେତେ ସଖୀ ଚତୁରୀ ।ଜାଣିଗଲେ ବାଳାମଣି ଚାତୁରୀ ।ପୁଂସ ଅନାଇଥିଲା ଯେ ଭାଳିଲା ।ଭାଗ୍ୟ ଦିଶିଲା କି ହୃଦ ମିଳିଲା ।।୧୪।ଭାଗ୍ୟ ନ ଥିଲେ ନିକି ଦେଖିବାର ।ହେଲା କିରୂପେ ଆସିବ ସେବାର ।ମୁଁ କି ଭାଜନ ସେବିବାରେ ତାକୁ ।ବଳିଆରତ ନାହିଁ ବିଧାତାକୁ ।।୧୫।ହରି ଅରି ହେଲେ ସୁଧାଅଶନ ।ତମ କରିଅଛି ତାହା ପ୍ରସନ୍ନ ।ବେନି ମନ କ୍ଷୀର ନୀର ପ୍ରକାର ।ଦେଲା ମିଶାଇ ମଦନବିକାର ।।୧୬।ପ୍ରୀତିଜୀବ ହୃଦକ୍ଷେତ୍ରେ ବୁଣିତ ।ହେଲେ ପୁଲକାଙ୍କୁର ଅଗଣିତ ।ବିଧିଠାରୁ ବଡ଼ ନାହିଁ ଲୋକରେ ।ପରେ ପରେ ପରଚେ ନେଇ କରେ ।।୧୭।ପ୍ରୀତିକରି କରାଏ ଉପୁଜାଇ ।ଜୀବ ଥିବାଯାଏ ମନୁ ନ ଯାଇ ।ଚିତ୍ତ ଆଉ ବିଷୟରେ ନ ଥାଇ ।ଏହି ବିଚାର ସଦା ହେଉଥାଇ ।।୧୮।ହେଲେ ହୋଇବ ପଛେ ଶିରଚ୍ଛେଦ ।କେବେ ନୋହିବ ପ୍ରୀତିର ବିଚ୍ଛେଦ ।ଯୁବକାଳ ରାଜା ସର୍ବ ଉପରେ ।ମନ ରାଜା ଯୁବକାଳ ଉପରେ ।।୧୯।ମନ ଉପରେତ ରାଜା ପୀରତି ।କେହି ପାରିବ ମନୁଷ୍ୟ ବରତି ।ନବ ଅନୁରାଗ ଦିନେ ଦିନକେ ।ସୁଖ ଜାତ ହେଉଥାଇ ଅନେକେ ।।୨୦।ପ୍ରୀତି ହୋଇ ଯେବେଏଡ଼େ ମଧୁର ।କ୍ଷୁଧା ତୃଷ୍ଣା ନିଦ୍ରା ହେବ ବିଧୁର ।ପୁଣି ଦଇବେ ହୋଇଲେ ଦମ୍ପତ୍ତି ।ପଦତଳେ ମିଳେ ଇନ୍ଦ୍ର ସମ୍ପତ୍ତି ।।୨୧।ପଶୁମାନେ ହେଲେ ବଶ ଏ ରସେ ।ସେହି ପାଷାଣ ସେ ମଧ୍ୟ ରସେ ।ପ୍ରୀତି ଯୋଗେ ପାଷାଣ ନ ଦ୍ରବଇ ।ବିଧୁ ବିଧୁମଣିଠାରୁ ଭାବଇ ।।୨୨।ଯେହୁ ପୀରତିରେ ବଶ ନୋହିଲା ।କି ବୋଲାଇ ସେ ମନକୁ ନଇଲା ।ଏତେ ବିଚାରି ସେଠାରେ କବିର ।କାମେ ଆଦେଶ ନୃପସୁତ ବୀର ।।୨୩।ବାଳା ବିରହେ ରହିଛି ସ୍ଥକିତେ ।ମୂର୍ଚ୍ଛା ନ ବାଧଇ ଲଜ୍ଜା ଚକିତେ ।ସଖା ସଖୀମାନେ ନେଲେ ସମ୍ଭାଳି ।ଦିନ ଅସର ହେଲା ଭାଳି ଭାଳି ।।୨୪।ଦରଶନେ ତ ନୟନେ ରଖିଲେ ।ରୂପ ଚାରୁ ଚିତ୍ରପଟେ ଲେଖିଲେ ।ରାଧା କୃଷ୍ଣ ନିପୁଣ ଏ ଭାବରେ ।ଜାଣେ ଅନୁଭବୀ ଅନୁଭବରେ ।।୨୫।ଯେଣୁ ଚିତ୍ତକୁ ଗୋଚର ହୋଇଲା ।ଉପଇନ୍ଦ୍ର ବୀରବର ବୋଇଲା ।ରସିକ ଜନମାନଙ୍କୁ ପୀୟୂଷ ।ଅରସିକଙ୍କୁ ଗରଳ ସଦୃଶ ।।୨୬।ପଞ୍ଚମ ଛାନ୍ଦ
ବୈଦେହୀଶ ବିଳାସ (ପ୍ରଥମ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ