ରାମଚନ୍ଦ୍ର
ଚିନ୍ତାମଣି ମହାନ୍ତି · ଭାଗ ୮ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚଦଶ ପରିଚ୍ଛେଦ
ପୂର୍ବକାଳରେ ଏକଶ୍ରେଣୀୟ ବୀରଜାତି ଅରଣ୍ୟରେ ବାସ କରୁଥିଲେ । ସେମାନଙ୍କ ଶରୀରରେ ଆସୁରିକ ବଳ ଥିଲା । ସେମାନେ ଯୁଦ୍ଧରେ ଅସ୍ତ୍ରଧାରଣ କରନ୍ତି ନାହିଁ, ବୃକ୍ଷ ଓ ପ୍ରସ୍ତର ଫିଙ୍ଗି ଯୁଦ୍ଧ କରନ୍ତି । ମଲ୍ଲ ଯୁଦ୍ଧରେ ସେମାନଙ୍କର ସମକକ୍ଷ ବୀରଜାତି ସେକାଳରେ କେହି ନ ଥିଲେ-। ଖାଲି ଅମାନୁଷୀ ବଳ ବିକ୍ରମରେ ସେମାନେ ପ୍ରସିଦ୍ଧ ନ ଥିଲେ, ଅନେକ ଭଲ ଗୁଣ ମଧ୍ୟ ସେମାନଙ୍କର ଥିଲା । ସେମାନଙ୍କ ଆକୃତି ଠିକ୍ବାନର ପରି ଥିଲା ଏବଂ କେତେଗୋଟା ଆଚରଣ ସୁଦ୍ଧା ବାନରମାନଙ୍କ ପରି ଥିଲା । ଏହିହେତୁ ପୁରାଣ ଇତିହାସରେ ସେମାନେ ବାନର ନାମରେ ଅଭିହିତ ହୋଇଅଛନ୍ତି; ମାତ୍ର ସେମାନେ ଆଧୁନିକ ଭୀରୁ, ମୂକ, ଅକର୍ମା ବାନର ନୁହନ୍ତି । ସେମାନେ କଥା କହୁଥିଲେ, ବିଦ୍ୟାଶିକ୍ଷା କରୁଥିଲେ, ଅନେକ ଉଚ୍ଚ ଉଚ୍ଚ ବିଦ୍ୟାରେ ପାରିଦର୍ଶିତା ଲାଭ କରିଥିଲେ । ସେ ଜାତିର ରାଜା ଥିଲେ, ମନ୍ତ୍ରୀ ଥିଲେ, ସୈନ୍ୟସେନାପତି ଥିଲେ । ସେ ଜାତିର ବୀର ହନୁମାନ ଜଣେ ପରମ ଯୋଗୀ ଓ କାବ୍ୟଶାସ୍ତ୍ରଜ୍ଞ ଥିଲେ । ସେ ସଂସ୍କୃତଭାଷାରେ ‘ମହାନାଟକ’ ନାମକ ଉତ୍କୃଷ୍ଟ ସାହିତ୍ୟଗ୍ରନ୍ଥ ଲେଖିଯାଇଛନ୍ତି । ମହାବୀର ହନୁମାନ ଯୋଗବଳରେ ଅସାଧ୍ୟ ସାଧନ କରିପାରୁଥିଲେ । ସୁଷେଣ ଆୟୁର୍ବେଦରେ ଅଦ୍ୱିତୀୟ ଥିଲେ । ନଳ ସ୍ଥାପତ୍ୟବିଦ୍ୟାରେ ଅସାଧାରଣ ବିଚକ୍ଷଣତା ପ୍ରଦର୍ଶନ କରିଥିଲେ । ଯେଉଁ ଜାତିରେ ଏଭଳି ଯୋଗ୍ୟ ବ୍ୟକ୍ତି ଥିଲେ, ସେ ଜାତି ଆଧୁନିକ ବାନରଶ୍ରେଣୀୟ ବୋଲି କଦାଚ ବିଶ୍ୱାସ କରାଯାଇ ନ ପାରେ । ପ୍ରାଜ୍ଞମାନେ ସେହି ଜାତିକୁ ମହାବୀର ଜାତି ବୋଲି ନିର୍ଦ୍ଦେଶ କରିଅଛନ୍ତି । ବର୍ତ୍ତମାନ ସେଜାତି ଧରାପୃଷ୍ଠରୁ ବିଲୁପ୍ତ ହୋଇଛନ୍ତି କିମ୍ୱା କେଉଁ ଅଗମ୍ୟ ଅରଣ୍ୟରେ ଆତ୍ମଗୋପନ କରିଛନ୍ତି, ତାହା କିଏ କହିପାରିବ ? ପୂର୍ବେ କିଷ୍କିନ୍ଧ୍ୟା ସେହି ଜାତିର ରାଜଧାନୀ ଥିଲା । ସେଥିର ରାଜା ବାଳୀ ଜଣେ ଅଜେୟ ପରାକ୍ରମୀ । ସେକାଳରେ ତାହାର ସମକକ୍ଷ ବୀର କେହି ନ ଥିଲେ । ଭୁବନବିଜୟୀ ରାବଣକୁ ସୁଦ୍ଧା ସେ ପରାଜୟ କରିଥିଲା । ସେ ବଡ଼ ବଡ଼ ଗିରିଶୃଙ୍ଗ ଉପାଡ଼ି ଉପରକୁ ଫିଙ୍ଗିଦେଇ ହାତ, ଛାତି, ମୁଣ୍ଡ ଓ ପିଠି ପତାଇ ତଳେ ନ ପଡ଼ୁଣୁ ତାହାକୁ ଧରି ନେଉଥିଲା । ତାହାର ଅନୁଜ ସୁଗ୍ରୀବ କିଷ୍କିନ୍ଧ୍ୟାର ଯୌବରାଜ୍ୟରେ ଅଭିଷିକ୍ତ ହୋଇ ରାଜକାର୍ଯ୍ୟରେ ତାକୁ ସାହାଯ୍ୟ କରୁଥିଲା । କୌଣସି କାରଣରୁ ଦୁଇ ଭାଇଙ୍କ ମଧ୍ୟରେ ମନୋଭେଦ ଜନ୍ମିବାରୁ ବାଳୀ ରୁଷ୍ଟ ହୋଇ ସୁଗ୍ରୀବକୁ ରାଜ୍ୟରୁ ତଡ଼ିଦେଲା ଏବଂ ଉତ୍ତେଜନାବଶତଃ ଧର୍ମାଧର୍ମଜ୍ଞାନଶୂନ୍ୟ ହୋଇ କନିଷ୍ଠ ଭ୍ରାତୃବଧୂ ରୁମାର ସତୀତ୍ୱ ବଳପୂର୍ବକ ହରଣ କଲା । ସୁଗ୍ରୀବ ବାଳୀ ସହ ବଳରେ ସମକକ୍ଷ ନ ହୋଇ ପଳାଇ ଆସି ଋଷ୍ୟମୂକ ପର୍ବତରେ ଆଶ୍ରୟ ନେଇଥିଲା । ଋଷିଶାପ ହେତୁ ବାଳୀ ସେ ପର୍ବତକୁ ଆସେ ନାହିଁ । ସୁତରାଂ ସୁଗ୍ରୀବ ନିଜର ଚାରି ମନ୍ତ୍ରୀ ସୁଷେଣ, ନଳ, ନୀଳ, ହନୁମାନ ସହ ନିର୍ଭୟରେ ସେଠାରେ ବାସ କରିଥିଲା ।
ଋଷ୍ୟମୂକ ପର୍ବତର ଚୂଡ଼ା ଉପରେ ସୁଗ୍ରୀବ ଚାରି ମନ୍ତ୍ରୀଙ୍କୁ ଘେନି ବସିଥିଲା । ଧନୁର୍ଦ୍ଧାରୀ ରାମଲକ୍ଷ୍ମଣଙ୍କୁ ଦେଖି ସେ ତାଙ୍କୁ ବାଳୀର ଗୁପ୍ତଚର ମଣି ଭୀତ ହୋଇ ଉଠିଲା । ସେମାନେ କିଏ ଓ କାହିଁକି ବନରେ ବୁଲୁଛନ୍ତି, ଏହା ଜାଣିବା ପାଇଁ ଉତ୍କଣ୍ଠିତ ହୋଇ ହନୁମାନକୁ ପଠାଇଲା । ହନୁମାନ ତପସ୍ୱୀ ରୂପ ଧରି ଆସି ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କର ପରିଚୟ ଏବଂ ଭ୍ରମଣର କାରଣ ପଚାରିଲା । ରାମଚନ୍ଦ୍ର ଆତ୍ମପରିଚୟ ଦେଇସାରି କହିଲେ–‘‘ଆମ୍ଭେମାନେ ବାନରରାଜ ସୁଗ୍ରୀବଙ୍କୁ ଖୋଜୁଛୁଁ; କୌଣସି ପ୍ରୟୋଜନ ସିଦ୍ଧି ନିମନ୍ତେ ତାଙ୍କ ସହ ମିତ୍ରତା ସ୍ଥାପନ କରିବୁଁ । ତୁମ୍ଭେ କିଏ ଓ ସୁଗ୍ରୀବ କେଉଁଠାରେ ଥାନ୍ତି ଜାଣିଥିଲେ କହ ।’’ ପରମ ଭକ୍ତ ହନୁମାନ ରାମଚନ୍ଦ୍ରଙ୍କ ରୂପ ଦେଖି ମୋହିତ ହୋଇଗଲା । ସେ ମନେ ମନେ ଭାବିଲା–‘‘ଏ ତ ସାମାନ୍ୟ ମାନବ ନୁହନ୍ତି, ଏରୂପ ସର୍ବସୁଲକ୍ଷଣବନ୍ତ ମହାପୁରୁଷ ବିଷ୍ଣୁଙ୍କ ଛଡ଼ା ଆଉ କିଏ ହୋଇପାରେ ? ଏ ନିଶ୍ଚେ ମୋର ଆରାଧ୍ୟ ସେହି ବିଶ୍ୱସୃଜୀ ବିଷ୍ଣୁରୂପୀ ରାମଚନ୍ଦ୍ର ।’’ ହନୁମାନ ଆନନ୍ଦରେ ବିହ୍ୱଳ ହୋଇ ରାମଚନ୍ଦ୍ରଙ୍କ ଗୋଡ଼ ତଳେ ପଡ଼ିଗଲା । ରାମଚନ୍ଦ୍ର ତାକୁ ଉଠାଇ ପ୍ରେମରେ ଆଲିଙ୍ଗନ କଲେ । ଭକ୍ତ ଭଗବାନଙ୍କର ମିଳନ ହେଲା । ଭକ୍ତ ଭଗବାନଙ୍କୁ ଚିହ୍ନିଲା । ଭଗବାନ ଭକ୍ତକୁ ଚିହ୍ନିଲେ । ଦୁହିଙ୍କର ହୃଦୟ ଅପୂର୍ବ ସୁଧାରସରେ ଆପ୍ଳୁତ ହୋଇଉଠିଲା । ହନୁମାନ କରଯୋଡ଼ି କହିଲା–ଆଜି ସୁପ୍ରଭାତ, ତୁମ୍ଭର ପତିତପାବନ ଶ୍ରୀଚରଣ ସ୍ପର୍ଶରେ ମୋର ପିଣ୍ଡ ପବିତ୍ର ହେଲା–ମୁଁ ଧନ୍ୟ ହେଲି । ସୁଗ୍ରୀବ ବଡ଼ ଭାଗ୍ୟବାନ୍। ସେ ଜଗନ୍ନିୟନ୍ତାଙ୍କର ମିତ୍ର ହେବ–ତାହାର ପୂର୍ବ ସୌଭାଗ୍ୟ ଆଜି ନିଶ୍ଚେ ଫେରିଆସିବ-।’’ ଅନନ୍ତର ହନୁମାନ ସ୍ୱାଭାବିକ ବାନର ରୂପ ଧରି କହିଲା–‘‘ପ୍ରଭୋ, ମୋର ନାମ ହନୁମାନ । ମୁଁ ସେହି କପିନାଥ ସୁଗ୍ରୀବର ଭଣଜା ଓ ମନ୍ତ୍ରୀ; ଭୟରେ ଛଦ୍ମବେଶ ଧରିଥିଲି । ଅଧମ ଭୃତ୍ୟର ଅପରାଧ ମାର୍ଜନା କର ଦେବ । ସୁଗ୍ରୀବ ଏହି ପର୍ବତ ଚୂଡ଼ାରେ ଅଛନ୍ତି, ତୁମ୍ଭେ ଦୁହେ ମୋ କାନ୍ଧରେ ବସ, ମୁଁ ନେଇ ତାଙ୍କ ସଙ୍ଗରେ ଭେଟାଇବି ।’’ ଏହା ଶୁଣି ରାମଚନ୍ଦ୍ର ଓ ଲକ୍ଷ୍ମଣ ହନୁମାନର କାନ୍ଧ ଉପରେ ବସିଲେ । ହନୁମାନ ତାଙ୍କୁ ଘେନିଯାଇ ସୁଗ୍ରୀବ ପାଖରେ ପହଞ୍ଚିଲା ଏବଂ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କର ପରିଚୟ ଦେଇ ତାଙ୍କ ଆଗମନର କାରଣ ସ୍ୱୀୟ ମାତୁଳକୁ କହିଲା । ସୁଗ୍ରୀବ ସବୁ ଶୁଣି ଅପୂର୍ବ ଆନନ୍ଦରେ ଗଦ୍ଗଦ ହୋଇ ରାମଲକ୍ଷ୍ମଣଙ୍କୁ ସାଷ୍ଟାଙ୍ଗ ପ୍ରଣାମ କଲା । ରାମଚନ୍ଦ୍ର ତାକୁ ସାଦରରେ ଆଲିଙ୍ଗନ କରି କହିଲେ–‘‘କପିରାଜ, କବନ୍ଧର ଉପଦେଶମତେ ମୁଁ ତୁମ୍ଭ ସଙ୍ଗରେ ମିତ୍ରତା କରିବାକୁ ଆସିଛି ।’’ ସୁଗ୍ରୀବ ଏହା ଶୁଣି ବିସ୍ମୟବୋଳା ମୃଦୁ ହାସ୍ୟରେ କହିଲା–‘‘ତୁମ୍ଭେ ଜଗତର ରାଜଚକ୍ରବର୍ତ୍ତୀ, ମୁଁ ଜଣେ ସାମାନ୍ୟ ବାନର, ତୁମ୍ଭର କି ଉପକାର କରିପାରିବି ? ମୁଁ ତୁମ୍ଭର ଦାସଯୋଗ୍ୟ ନୁହେଁ, ତଥାପି ମୋତେ ମିତ୍ର ସମ୍ୱୋଧନ କରୁଛ, ଏହା ତୁମ୍ଭର ମୋ ପ୍ରତି ଅପାର କରୁଣାର ନିଦର୍ଶନ । ମୁଁ ଜାଣୁଛି–ତୁମ୍ଭେ ମୋର ବିଧି-ପ୍ରେରିତ ସୌଭାଗ୍ୟଦେବତା ରୂପରେ ଆସିଅଛ । ଏତେଦିନ ମୋର ଦୁଃଖର ରାତି ପାହିଲା–ଆଜି ମୋ ଭାଗ୍ୟାକାଶରେ ସୁଖ-ସୂର୍ଯ୍ୟର ଉଦୟ ହେବ । ଏ ମିତ୍ରତା ଦ୍ୱାରା ମୋର ପ୍ରଭୂତ ଉପକାର ହେବ; ମାତ୍ର ତୁମ୍ଭର ଉପକାର କରିବା ଭଳି ଯୋଗ୍ୟତା ମୋର କାହିଁ ? ତୁମ୍ଭେ ଦୟାମୟ, ଉପଯାଚକ ଭାବରେ ଏ ସେବକକୁ ଦୟା କରିବାକୁ ଆସିଛ । ହନୁମାନଠାରୁ ଶୁଣିଲି–ପାପିଷ୍ଠ ରାବଣ ତୁମ୍ଭ ସ୍ତ୍ରୀ ସୀତାଙ୍କୁ ଚୋରି କରି ନେଇଯାଇଛି, ତୁମ୍ଭେ ମୋ ସାହାଯ୍ୟରେ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିବା ପାଇଁ ମୋ ସଙ୍ଗେ ମିତ୍ରତା କରିବାକୁ ଆସିଛ; କିନ୍ତୁ କଣ କରିବି, ମୁଁ ନିରୂପାୟ, ପୁଣି ବାଳୀ ଭୟରେ ଆସି ଏ ପର୍ବତରେ ଲୁଚି ରହିଛି । ମୋର ଦୁର୍ଗତିର କଥା କଣ କହିବି ? ଏଠାରୁ ଅଳ୍ପଦୂରରେ କିଷ୍କିନ୍ଧ୍ୟା ନାମରେ ଗୋଟିଏ ରାଜ୍ୟ ଅଛି । ମୋର ଭାଇ ବାଳୀ ସେହି ରାଜ୍ୟର ରାଜା । ସାମାନ୍ୟ କାରଣରୁ ସେ ମୋ ପ୍ରତି କ୍ରୁଦ୍ଧ ହୋଇ ମୋତେ ରାଜ୍ୟରୁ ନିର୍ବାସିତ କରିଛି, ପୁଣି ମୋର ସ୍ତ୍ରୀର ସତୀତ୍ୱ ନାଶ କରିବା ପାଇଁ ତାକୁ ବନ୍ଦନୀ କରି ରଖିଅଛି । ସେ ଅତୁଳ ପରାକ୍ରମୀ, ସୈନ୍ୟସାମନ୍ତ ଓ ପ୍ରଜାମାନେ ତାହାରି ଆଜ୍ଞାବହ, ମୁଁ ଏକୁଟିଆ ତାର କଣ କରିପାରିବି ? ତେଣୁ ଏ ପର୍ବତରେ ଅତି ଦୁଃଖରେ କାଳ କାଟୁଛି ।’’ ରାମଚନ୍ଦ୍ର ଏହା ଶୁଣି କାନରେ ହାତ ଦେଇ କହିଲେ–‘‘ଉଃ, କି ଭୀଷଣ ମହାପାପ, ଭ୍ରାତୃବଧୂ କନ୍ୟାସ୍ଥାନୀୟା, ମୋ ରାଜ୍ୟରେ ରହି ଏ ଭଳି ମହାପାପ ଯେ କରେ, ସେ ନାରକୀ ନିଶ୍ଚୟ ପ୍ରାଣଦଣ୍ଡାର୍ହ । ମୁଁ ବାଣାସନ ଛୁଇଁ ନିୟମ କରୁଛି, ଦୁର୍ବୃତ୍ତ ବାଳୀକି ବଧ କରି ତୁମ୍ଭଙ୍କୁ କିଷ୍କିନ୍ଧ୍ୟା ରାଜସିଂହାସନରେ ବସାଇବି । ତୁମ୍ଭେ ହୃତପତ୍ନୀକ, ମୁଁ ବି ହୃତପତ୍ନୀକ, ପୁଣି ଦୁହେଁ ବନବାସୀ, ସମଦଶାପନ୍ନ । ଅତଏବ ପରସ୍ପର ମିତ୍ରତା ସ୍ଥାପନ କରି ପରସ୍ପରର ଶତ୍ରୁସଂହାରପୂର୍ବକ ପତ୍ନୀ ଉଦ୍ଧାର କରିବା କର୍ତ୍ତବ୍ୟ ।’’ ଧନୁର୍ବାଣ ଛୁଇଁବା ଅପେକ୍ଷା ବୀର ପକ୍ଷରେ କଠୋର ନିୟମ ଆଉ କିଛି ନାହିଁ । ସୁଗ୍ରୀବ ରାମଚନ୍ଦ୍ରଙ୍କ କଥାରେ ବିଶ୍ୱାସ କରି ହର୍ଷଲାଭପୂର୍ବକ କହିଲା–‘‘ତୁମ୍ଭେ ଯେବେ ବାଳୀକୁ ମାରିବ, ତେବେ ପାପାତ୍ମା ରାବଣ ସୀତାଙ୍କୁ ସ୍ୱର୍ଗ ମର୍ତ୍ତ୍ୟପାତାଳ ଯେଉଁଠାରେ ଲୁଚାଇ ରଖିଥିବ, ମୁଁ ନିଶ୍ଚୟ ଖୋଜି ଆଣିଦେବି । ଯେଉଁଦିନ ରାବଣ ସୀତାଙ୍କୁ ରଥରେ ବସାଇ ନେଇଯାଇଥିଲା, ସେଦିନ ଆମ୍ଭେମାନେ ଏହି ପର୍ବତରେ ବସି ଦେଖିଥିଲୁ, ମାତ୍ର ରଥର ଦ୍ରୁତଗତି ହେତୁ ଚିହ୍ନିପାରି ନାହୁଁ । ଆଜି ତାହା ସ୍ମରଣ ହେଉଛି । ସୀତା ବ୍ୟସ୍ତ ହୋଇ କାନ୍ଦି କାନ୍ଦି ଦେହରୁ ଅଳଙ୍କାର କାଢ଼ି ଆମ୍ଭମାନଙ୍କ ପାଖକୁ ଫିଙ୍ଗିଦେଇ କହିଲେ–‘ଏହି ନିଦର୍ଶନ ରଖିଥାଅ,ରାମଚନ୍ଦ୍ର ଆସିଲେ ତାଙ୍କୁ ଦେଖାଇ ରାବଣ ସୀତାଙ୍କୁ ହରିନେଇଗଲା ବୋଲି କହିବ ।’ ସେହି ଅଳଙ୍କାର ମୁଁ ସଯତ୍ନରେ ରଖିଛି, ତାହା ଦେଖିଲେ ତୁମ୍ଭେ ଅବଶ୍ୟ ଚିହ୍ନିପାରିବ ।’’ ସୁଗ୍ରୀବ ଏହା କହି ଗିରିଗୁମ୍ଫା ମଧ୍ୟରୁ ଯାଇ ଅଳଙ୍କାର ଘେନି ଆସିଲା । ରାମଚନ୍ଦ୍ର ତାହା ଦେଖି ସୀତାଙ୍କର ଅଳଙ୍କାର ବୋଲି ଚିହ୍ନି ବହୁ ବିଳାପ କରିବାକୁ ଲାଗିଲେ; ଅଳଙ୍କାରଗୁଡ଼ିକ ହାତରେ ଧରି କହିଲେ–‘‘ତୁମ୍ଭେମାନେ ସୀତାଙ୍କୁ ସୁନ୍ଦର କରି ନ ଥିଲ, ବରଂ ତାଙ୍କ ସୁନ୍ଦର ଅଙ୍ଗରେ ଲାଗି ତୁମ୍ଭେ ସୁନ୍ଦର ହୋଇଥିଲ । ଏବେ ତାଙ୍କ ଅଙ୍ଗଚ୍ୟୁତ ହୋଇ ମଳିନ ଓ ହତଶ୍ରୀ ଦିଶୁଛି ।’’ ରଘୁକୁଳ ଭରସା ରାମଚନ୍ଦ୍ର ଏହିପରି ବିଳାପ କଲେ; ସୁଗ୍ରୀବ ନାନା କଥା କହି ତାଙ୍କୁ ସାନ୍ତ୍ୱନା ଦେବାକୁ ଲାଗିଲା ।