ସପ୍ତମ ପରିଚ୍ଛେଦ — ରାମଚନ୍ଦ୍ର — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ପରିଚ୍ଛେଦ
ମନ୍ଥରାର କୁମନ୍ତ୍ରଣାରେ କୈକେୟୀ କ୍ରୋଧାଗାର ମଧ୍ୟରେ ଯାଇ ମୁହଁ ମାଡ଼ି ଶୋଇରହିଲେ । ଦଶରଥ ତାଙ୍କୁ ଅନ୍ତଃପୁର ମଧ୍ୟରେ ନ ଦେଖି ଖୋଜି ଖୋଜି ଯାଇ ସେହିଠାରେ ପହଞ୍ଚିଲେ । କୈକେୟୀଙ୍କର କ୍ରୋଧ ବା ଅଭିମାନର କାରଣ ସେ କିଛି ବୁଝି ନ ପାରି କିଂକର୍ତ୍ତବ୍ୟବିମୂଢ଼ ହୋଇ ରହିଲେ । ନିଜର ବ୍ୟବହାର ମଧ୍ୟରେ ଖୋଜି ସୁଦ୍ଧା ସେଭଳି ଅପରାଧର ହେତୁ କିଛି ପାଇଲେ ନାହିଁ । ତହୁଁ ନାନାପ୍ରକାର ପ୍ରବୋଧ ବାକ୍ୟ ଓ ପ୍ରଲୋଭନ ବାକ୍ୟରେ ତାଙ୍କୁ ସାନ୍ତ୍ୱନା କରିବାକୁ ଚେଷ୍ଟା କଲେ । ସେ ଅନେକ ରାଣନିୟମ ପକାଇ କୈକେୟୀଙ୍କୁ କ୍ରୋଧର କାରଣ ପଚାରିଲେ । କୈକେୟୀ ସ୍ୱାମୀଙ୍କର ଚାଟୁବାଣୀରେ ଆଶ୍ୱସ୍ତ ହୋଇ କହିଲେ–‘‘ମୋର କ୍ରୋଧର ଅନ୍ୟ କିଛି କାରଣ ନାହିଁ, ତୁମ୍ଭ ନିକଟରେ ମୋର ଦୁଇଟି ବର ପ୍ରାପ୍ୟ ଅଛି, ସେହି ଦୁଇଟି ପାଇଲେ ମୁଁ ସନ୍ତୁଷ୍ଟ ହେବି ।’’ ଦଶରଥ କହିଲେ, ‘‘ସେହି କଥା ତ ମୋତେ କହିଥିଲେ ହୋଇଥାନ୍ତା, ଏହି ସାମାନ୍ୟ ବିଷୟରେ ଇତର ରମଣୀ ପରି ଏତେ ବିଚଳିତ ହୋଇଉଠିଲ କାହିଁକି ? ତୁମ୍ଭର ଦୁଇଟି ବର ତୁମ୍ଭେ ଯେତେବେଳେ ଇଚ୍ଛା, ତେତେବେଳେ ନେଇପାର । ମୁଁ ଯାହା ଦେଇଛି, ତାହାକୁ କାହିଁକି ବା ଫେରାଇନେବି ? ସୂର୍ଯ୍ୟବଂଶୀୟ ରାଜାମାନେ ଦତ୍ତାପହାରୀ ନୁହନ୍ତି, ମହିଷି । କି ବର ମାଗିବ ମାଗ, ଏହିକ୍ଷଣି ତୁମ୍ଭର ଇଚ୍ଛା ପୂର୍ଣ୍ଣ କରିବି, ଏହା ମୋର ତ୍ରିବାର ସତ୍ୟ ।’’ କୈକେୟୀ ଏହାଶୁଣି କହିଲେ-‘‘ଗୋଟିଏ ବରରେ ଭରତ ଅଯୋଧ୍ୟାର ରାଜା ହେବ, ଅନ୍ୟ ବରରେ ରାମ ଚଉଦବର୍ଷ ବନବାସ କରିବ ।’’ ଦଶରଥ ଏ କଥା ସତ୍ୟ କି ସ୍ୱପ୍ନ ହଠାତ୍ କିଛି ବାରିପାରିଲେ ନାହିଁ । ଆତ୍ମବିସ୍ମୃତି ତାଙ୍କୁ ଆଚ୍ଛନ୍ନ କରି ପକାଇଲା । ଆକାଶ ତାଙ୍କ ମୁଣ୍ଡ ଉପରେ ଆସି ଅଜାଡ଼ିପଡ଼ିଲା, ପୃଥିବୀ ଗୋଡ଼ତଳୁ ଖସିଗଲା । କଲିଜାରେ କିଏ ଯେପରି ହାତୁଡ଼ିର ଆଘାତ ବସାଇଦେଲା । ସେହି ଦାରୁଣ ଆଘାତରେ ତାଙ୍କ ଜୀବନରେ ଗୋଟାଏ ବିରାଟ ଫାଙ୍କ ହୋଇଗଲା । ଚାରିଆଡ଼େ ତାଙ୍କୁ ଶୂନ୍ୟ ଦେଖାଗଲା । ତାଙ୍କ ଶରୀର ଶୁଷ୍କ ଓ ମଳିନ ହୋଇଗଲା । ସତେ ଯେପରି ଦେଖୁଁ ଦେଖୁଁ ତାଙ୍କର ବୟସ ଶଏ ବର୍ଷ ବଢ଼ିଗଲା । ସ୍ତବ୍ଧବିସ୍ମୟ ଦୃଷ୍ଟିରେ ସେ କୈକେୟୀଙ୍କ ମୁଖକୁ ଏକଧ୍ୟାନରେ ଚାହିଁ ରହି ମୂର୍ଚ୍ଛିତ ହେଲେ । ସ୍ୱାମୀଙ୍କର ଏ ପ୍ରକାର ଅବସ୍ଥା ଦେଖି ସୁଦ୍ଧା କୈକେୟୀଙ୍କ କଠୋର ହୃଦୟରେ କିଛିମାତ୍ର ଭାବାନ୍ତର ଜାତ ହେଲା ନାହିଁ । ସେ ନିର୍ବିକାର ଚିତ୍ତରେ ବସି ରହିଲେ-। ମାୟା, ମମତା ବା ଆଶଙ୍କାର ଅସ୍ପଷ୍ଟ ଛାୟା ସୁଦ୍ଧା ତାଙ୍କ ଚକ୍ଷୁ ମୁଖରେ ପଡ଼ିବାର ଦେଖାଗଲା ନାହିଁ-।
କେତେକ କ୍ଷଣ ପରେ ଦଶରଥ ସଂଜ୍ଞା ଲାଭ କରି ଦୀର୍ଘନିଶ୍ୱାସ ଛାଡ଼ି କୈକେୟୀଙ୍କୁ ତୀବ୍ର ତିରସ୍କାରପୂର୍ବକ କହିଲେ–‘‘ଧିକ୍ ପାପୀୟସୀ, ମୁଁ ନ ଜାଣି ତୋ ଭଳି କାଳସର୍ପିଣୀକୁ ଦୁଗ୍ଧଶର୍କରା ଦେଇ ପୋଷିଥିଲି, ତୋହରି ଦଂଶନରେ ମୁଁ ପ୍ରାଣ ହରାଇବି । ବହୁବିବାହର ବିଷମୟ ଫଳ ମୁଁ ହାତେ ହାତେ ପାଇଲି । ରାମ ତୋତେ ଭରତଠାରୁ ଅଧିକ ଭକ୍ତି କରେ, ତୁ ତାହାର ଅମଙ୍ଗଳ ଉଚ୍ଚାରଣ କଲାବେଳେ ତୋର ପାପ-ଜିହ୍ୱା ଯାହା ଛିଡ଼ି ନ ପଡ଼ିଲା । ତୁ ସ୍ତ୍ରୀ ହୋଇ ସ୍ୱହସ୍ତରେ ସ୍ୱାମୀ-ହତ୍ୟା କଲୁ । ତୁ ପାପିଷ୍ଠା ଚିର ପବିତ୍ର ଉଜ୍ଜ୍ୱଳ ରଘୁକୁଳକୁ କଳଙ୍କିତ କଲୁ ! ସ୍ୱହସ୍ତରେ କାଳୀ ପ୍ରସ୍ତୁତ କରି ନିଜେ ବୋଳିହେଲୁ, ପୁଣି ମୋ ମୁହଁରେ ବି ସେହି କାଳୀ ବୋଳିଦେଲୁ ! କି ଅଦ୍ଭୁତ ଦୁଷ୍କରଣୀ ତୋର ? କି ପାପରେ ବିଧାତା ତୋହ ପରି ପେତୁଣୀ ମୋ ଭାଗ୍ୟରେ ଘଟାଇଥିଲା ? କିମ୍ୱା ଏହା କେଉଁ ଦୁଷ୍ଟ ଅପଦେବତାର ଅଭିଶାପ, ତାହା କିଏ କହିପାରିବ ? ଦଶରଥ ଏହିପରି ଯେତେ ଭର୍ତ୍ସନା କଲେ ସୁଦ୍ଧା କୈକେୟୀ ସେଥିପ୍ରତି ଭ୍ରୂକ୍ଷେପ କଲେ ନାହିଁ । ‘‘ଭରତ ରାଜା ହେଉ, ରାମ ବନକୁ ଯାଉ’’–ସେ କେବଳ ଏହି କଥା ଘୋଷି ହେବାକୁ ଲାଗିଲେ ।
ଅନନ୍ତର କୈକେୟୀ ଦୂତଦ୍ୱାରା ରାମଚନ୍ଦ୍ରଙ୍କୁ ଡକାଇଆଣି ତାଙ୍କୁ ପିତୃସତ୍ୟ ଓ ନିଜର ବରଲାଭ ବିଷୟ କହିଲେ । ରାମଚନ୍ଦ୍ର ସବୁ ଶୁଣି ନିର୍ବିକାର ଚିତ୍ତରେ ପିତୃସତ୍ୟ ପାଳନ ସକାଶେ ବନକୁ ଯିବାକୁ ସ୍ୱୀକୃତ ହେଲେ । ତାଙ୍କ ଭାବଭଙ୍ଗୀରୁ ବିରକ୍ତି ବା କାତରତା ଆଦୌ ପ୍ରକାଶ ପାଇଲା ନାହିଁ-। ସେ ମାତା, ଭ୍ରାତା ଓ ସ୍ତ୍ରୀ ପ୍ରଭୃତିଙ୍କଠାରୁ ବିଦାୟ ଘେନି ବନଚାରୀ ବେଶରେ ସଜ୍ଜିତ ହୋଇ ଆସିବା ସକାଶେ ସେଠାରୁ ସତ୍ୱର ପ୍ରସ୍ଥାନ କଲେ । ସେ ପିତାଙ୍କ ଆଦେଶକୁ ଅପେକ୍ଷା ନ କରି ସାବତମାତା କୈକେୟୀଙ୍କ ଆଦେଶକୁ ଆନନ୍ଦରେ ଶିରୋଧାର୍ଯ୍ୟ ମଣି ତାହା ପାଳନରେ ତତ୍ପର ହେଲେ । ତାଙ୍କର ପିତୃଭକ୍ତି ଯେପରି ଅସାଧାରଣ, ମାତୃଭକ୍ତି ମଧ୍ୟ ସେହିପରି ଆଦର୍ଶ ।
ରାମଚନ୍ଦ୍ର ଅନ୍ତଃପୁର ମଧ୍ୟରେ ପ୍ରବେଶ କରି ପ୍ରଥମେ କୌଶଲ୍ୟାଙ୍କ ଗୃହରେ ଉପସ୍ଥିତ ହେଲେ । ସେ ମାତୃପଦରେ ମସ୍ତକ ଲଗାଇ ତାଙ୍କର ପଦଧୂଳି ବୋଳି ହେଲେ । କୌଶଲ୍ୟା ପୁତ୍ରଙ୍କୁ ଆଲିଙ୍ଗନ କରି ପ୍ରଗାଢ଼ ସ୍ନେହରେ ଶିରଶ୍ଚୁମ୍ୱନପୂର୍ବକ ଆଶୀର୍ବାଦ କଲେ । ରାମଚନ୍ଦ୍ର ମାତୃପଦପ୍ରାନ୍ତରେ ବସି ପିତାଙ୍କର ସତ୍ୟ ଓ ନିଜର ବନନିର୍ବାସନ ବିଷୟ ଆମୃତ ବ୍ୟକ୍ତ କଲେ । କୌଶଲ୍ୟା ଏ କଠୋର ସମ୍ୱାଦ ଶୁଣି କ୍ଷଣେମାତ୍ର ସ୍ତମ୍ଭିତ ହୋଇ ରହିଲେ । ସମ୍ବାଦଟି ଜନନୀ ପକ୍ଷରେ ଅତୀବ ଭୟାବହ ହେଲେହେଁ ବୀରପତ୍ନୀ କୌଶଲ୍ୟାଙ୍କ ହୃଦୟ ବିଚଳିତ କରିପାରିଲା ନାହିଁ । ସେ ମୃଦୁ ହସି କହିଲେ–‘‘ବାପ, ତୁ ସୌଭାଗ୍ୟବାନ୍ । ଯେଉଁ ସୁପୁତ୍ର ପିତୃସତ୍ୟ ପାଳନ କରେ, ତାହା ପରି ଭାଗ୍ୟଧର ଦେବ-ସମାଜରେ ସୁଦ୍ଧା ଦୁର୍ଲଭ ! ତୁ ମହାବୀର ମହୁଡ଼ମଣି, ବନବାସ ତୋ ପକ୍ଷରେ ଭୀତିପ୍ରଦ ହେବ ନାହିଁ । ପିତା ପରମଗୁରୁ । ତାଙ୍କର ପୁଣ୍ୟ ଆଶୀର୍ବାଦ ବିଧାତା ପୁରୁଷର ଲେଖନଗାର ପରି ଅକ୍ଷୟ । ତୁ ତୋର ରାଜର୍ଷି ତୁଲ୍ୟ ପିତୃଦେବଙ୍କୁ ସନ୍ତୁଷ୍ଟ କରି ତାଙ୍କର ସେହି ଆଶୀର୍ବାଦ ଲାଭକର । ମୁଁ ମଧ୍ୟ ଆଶୀର୍ବାଦ କରୁଛି–ଯେବେ କାୟ, ମନ, ପ୍ରାଣରେ ମୁଁ ପତିସେବା କରିଥିବି, ତେବେ ମୋର ସେହି ସତୀତ୍ୱର ତେଜ ବନଦେବତା ରୂପ ଧରି ତୋତେ ସର୍ବଦା ରକ୍ଷା କରିବେ ।’’ ରାମଚନ୍ଦ୍ର କହିଲେ–‘‘ମା, ତୁମ୍ଭରି ଏହି ଆଶୀର୍ବାଦ ଏକା ଅଭେଦ୍ୟ ବଜ୍ରକବଚ ତୁଲ୍ୟ ମୋତେ ଆଚ୍ଛନ୍ନ କରି ରଖିବ । ମାତୃ-ଆଶୀର୍ବାଦ ଯାହାର ସମ୍ୱଳ, ତାହାର କି ଭୟ ମା ? ତୁମ୍ଭେ ବୀରପୁତ୍ରୀ, ବୀରଜାୟା । ଏଭଳି ଉକ୍ତି କେବଳ ତୁମ୍ଭଙ୍କୁହିଁ ପଟାନ୍ତର ମା ! ଏଭଳି ବୀରହୃଦୟାର ପୁତ୍ର ବୋଲି ମୁଁ ନିଜକୁ ଧନ୍ୟବାନ୍ ମନେ କରୁଛି ।’’
ଅନନ୍ତର ରାମଚନ୍ଦ୍ର ସୀତାଙ୍କ ନିକଟକୁ ଯାଇ ନିଜର ବନଗମନ ସମାଚାର ତାଙ୍କର କର୍ଣ୍ଣଗୋଚର କଲେ । ସୀତା ସବୁ ଶୁଣି ବ୍ୟଥାସିକ୍ତ ଦୀର୍ଘନିଃଶ୍ୱାସ ପରିତ୍ୟାଗ କରି କହିଲେ–‘‘ହାୟ, କାହିଁ କାଲି ରାଜା ହେବାର କଥା, କାହିଁ ପୁଣି ଆଜି ବନବାସ ! ଗୁରୁ ସୁଖ ପଛେ ପଛେ ଗୁରୁ ଦୁଃଖ ପୁଣି ଏଡ଼େ ଚାଣ୍ଡେ ଆସି ହାବୁଡ଼ିଯାଏ । ପୂର୍ଣ୍ଣିମାର ଚନ୍ଦ୍ର ଦେଖା ନ ଦେଉଣୁ ଦୂରନ୍ତ ରାହୁ ତାକୁ ଗ୍ରାସ କରିବସିଲା । ସୁଖ ଆସୁଁ ଆସୁଁ ବାଟରେ ଦୁଃଖକବଳରେ ପଡ଼ିଲା । ବିଧି-ବିଧାନ କି ବିଚିତ୍ର ! ସେ ଅପୂର୍ବ ବିଧାନ ଦେଖି ବେଳେ ବେଳେ କାନ୍ଦମାଡ଼େ, ପୁଣି ବେଳେ ବଳେ ହସ ବି ମାଡ଼େ । ଦୁର୍ବାର ନିୟତିକୁ କିଏ ଲଙ୍ଘନ କରିପାରିବ ? ସେ ଯାହାହେଉ, ମୁଁ ତୁମ୍ଭ ସଙ୍ଗରେ ବନକୁ ଯିବି ।’’ ରାମଚନ୍ଦ୍ର ଆଶ୍ଚର୍ଯ୍ୟ ହୋଇ କହିଲେ–‘‘ତୁମେ ବନକୁ ଯିବ, ଏ କି ଦୁଃସାହସ ? ତୁମେ ରାଜକନ୍ୟା, ରାଜବଧୂ, ତୁମର ସୁକୁମାର ଶରୀର କି ବନବାସ କଷ୍ଟ ସହିପାରିବ ? ବିଶେଷତଃ ବନରେ ଶ୍ୱାପଦ ଓ ଦୁଷ୍ଟ ରାକ୍ଷସମାନଙ୍କର ଉପଦ୍ରବ ଅଧିକ । ଏଭଳି ଅବସ୍ଥାରେ ତୁମର ସେ ସଙ୍କଳ୍ପ ତ୍ୟାଗ କରିବା ଉଚିତ-।’’ ସୀତା ଏହାଶୁଣି ହସି ହସି କହିଲେ–‘‘ମୁଁ ବାଳିକା ନୁହେଁ ଯେ ଶ୍ୱାପଦ ରାକ୍ଷସର ଭୟ ଦେଖାଇଲେ ବହଲିଯିବି ! ମୁଁ ମହାବୀର-ପତ୍ନୀ, ଛାର ଶ୍ୱାପଦ ବା ରାକ୍ଷସ ମୋର କଅଣ କରିପାରିବେ ? ମୋର ସ୍ୱାମୀ ଭୁବନବିଜୟୀ, ସୁତରାଂ ମୋର ଭୟ କାହାକୁ ? ତୁମ୍ଭଙ୍କୁ ଛାଡ଼ି ମୁଁ କିପରି ପ୍ରାଣ ଧରି ରହିବି ? ଚନ୍ଦ୍ର ବିନା ଚନ୍ଦ୍ରପଦଶ୍ରିତା ଜ୍ୟୋତ୍ସ୍ନା ଆଉ କାହା ଆଶ୍ରୟରେ ବଞ୍ଚିବ ? ତୁମ୍ଭେ ସଙ୍ଗରେ ଥିଲେ ପର୍ଣ୍ଣକୁଟୀରକୁ ମୁଁ ରାଜହର୍ମ୍ୟ ମଣିବି, ଖଣ୍ଡୋପଳକୁ ମଣିମାଣିକ୍ୟଖଚୀ ରାଜସିଂହାସନ ମଣିବି, ସାମାନ୍ୟ ଫଳମୂଳକୁ ପରମାନ୍ନ ମଣିବି, ଆଉ କଣ୍ଟକ ଫୁଟିଲେ ତାକୁ ପୁଷ୍ପାଘାତ ତୁଲ୍ୟ ମଣିବି । ବନରେ ତୃଣଶଯ୍ୟା ମୋ ପକ୍ଷରେ ମହାର୍ହ ତୂଳିକା ତୁଲ୍ୟ ହେବ, ଧୂଳିକଣା କର୍ପୂରଗୁଣ୍ଡା ତୁଲ୍ୟ ହେବ, ବନଫୁଲ ରତ୍ନାଳଙ୍କାର ପରି ହେବ । ପିତୃସତ୍ୟ ପାଳନ ତୁମ୍ଭର ଯେପରି ଧର୍ମ, ସ୍ୱାମୀ ସେବା ମୋର ବି ସେହିପରି ପରମ ଧର୍ମ । ସେ ବିପୁଳ ସୌଭାଗ୍ୟରୁ ଦାସୀକୁ ବଞ୍ଚିତ କର ନାହିଁ ଦେବ । ତୁମ୍ଭେ ବନରେ କଷ୍ଟ ପାଇବ, ଆଉ ମୁଁ ରାଜପ୍ରାସାଦରେ ସୁଖଭୋଗ କରିବି ? ତୁମ୍ଭର ଚରଣ-ସେବିକା ସୀତା ପ୍ରାଣ ଥାଉଁ ଥାଉଁ ତାହା କରିପାରିବ ନାହିଁ ପ୍ରଭୁ । ମୁଁ ତୁମ୍ଭର ସହଧର୍ମିଣୀ ପୁଣି ଅର୍ଦ୍ଧାଙ୍ଗିନୀ, ତୁମ୍ଭର ଯେତେବେଳେ ଯେଉଁ ଅବସ୍ଥା, ମୋର ବି ତେତେବେଳେ ସେହି ଅବସ୍ଥା । ଏଥିର ଅନ୍ୟଥା ଆର୍ଯ୍ୟରମଣୀର ଧର୍ମ ନୁହେଁ । ମୁଁ ରାଜକନ୍ୟା, ବନରେ ଯାଇ ବନରାଜକନ୍ୟା ଶିଶୁ ମୃଗୀ ସଙ୍ଗେ କ୍ରୀଡ଼ା କରିବି । ବନସ୍ପତି ରାଜଜେମା କୁସୁମ-ସୁନ୍ଦରୀ ସଙ୍ଗରେ ସଖିତ୍ୱ କରିବି, ଗିରିରାଜବାଳା ନିର୍ଝରିଣୀ ସହିତ ସମ୍ଭାଷଣ କରିବି । ମୋର ସେ ଶାଧରେ, ସେ ଆନନ୍ଦରେ ଆଘାତ ଦିଅ ନାହିଁ ନାଥ । ତୁମ ଶ୍ରୀଚରଣରେ ତୁମ୍ଭର ଚରଣସେବିକା ସୀତାର ଏତିକିମାତ୍ର ଅଳି ।’’ ସୀତାଙ୍କ ନାରୀ-ମହତ୍ତ୍ୱରେ ଆଘାତ ଦେବାକୁ ରାମଚନ୍ଦ୍ରଙ୍କର ମନ ବଳିଲା ନାହିଁ । ସେ ସୀତାଙ୍କୁ ସହଗାମିନୀ ହେବା ସକାଶେ ଆନନ୍ଦରେ ଅନୁମତି ପ୍ରଦାନ କଲେ ।
ଲକ୍ଷ୍ମଣ ରାମଚନ୍ଦ୍ରଙ୍କର ଆବାଲ୍ୟ ଅନୁଗତ । ସେ ନିଜକୁ ପିଣ୍ଡ ଆଉ ରାମଚନ୍ଦ୍ରଙ୍କୁ ପ୍ରାଣ ତୁଲ୍ୟ ମଣନ୍ତି । ସେ ମଧ୍ୟ ଅଗ୍ରଜଙ୍କ ମମତା ତେଜି ନ ପାରି ତାଙ୍କ ସଙ୍ଗରେ ବନଗାମୀ ହେବା ସକାଶେ ବାହାରିଲେ । ରାମଚନ୍ଦ୍ର କହିଲେ–‘‘ଲକ୍ଷ୍ମଣ, ମୋ ସଙ୍ଗରେ ବନକୁ ଯିବା ତୁମ୍ଭର ଉଚିତ୍ ନୁହେଁ । ତୁମ୍ଭେ ଘରେ ରହି ବୃଦ୍ଧ ପିତାମାତାଙ୍କର ସେବା କର ।’’ ଲକ୍ଷ୍ମଣ ଅଗ୍ରଜଙ୍କର ଏ ଆଦେଶ ବିନୟର ସହିତ ପ୍ରତ୍ୟାଖ୍ୟାନ କରି କହିଲେ–‘‘ଦେବ, ଆଜୀବନ ଛାୟା ତୁଲ୍ୟ ଆପଣଙ୍କର ଅନୁଗମନ କରିବି, ଏହା ମୋର ଇଷ୍ଟବ୍ରତ । ସେବକକୁ ସେହି ପବିତ୍ର ବ୍ରତରୁ ବଞ୍ଚିତ କରନ୍ତୁ ନାହିଁ । ପିତୃମାତୃ-ସେବାର ଛଳନା ଧରି ମୋତେ ଭଣ୍ଡାଇଦେଲେ ମୁଁ ସହଜରେ ଭୁଲିଯିବି ନାହିଁ । ଯେ ରାଜାଧିରାଜ ମହାରାଜ, ତାଙ୍କର ସେବା କରିବାକୁ ଲୋକର ଅଭାବ କଅଣ ? ଶତ ଶତ ସେବକ ତାଙ୍କର ଆଦେଶକୁ ଅପେକ୍ଷା କରି ଟାକି ରହିଛନ୍ତି; ମାତ୍ର ଆପଣଙ୍କୁ ଓ ମୋର ଜନନୀ ତୁଲ୍ୟ ପରମାରାଧ୍ୟା ଭ୍ରାତୃଜାୟା ସୀତାଦେବୀଙ୍କୁ ବନରେ ସେବା କରିବାକୁ କିଏ ଅଛି ଦେବ ? ଆପଣଙ୍କ କିଣାକିଙ୍କର ସୌମିତ୍ରି ଆପଣଙ୍କ ଶ୍ରୀଚରଣରେ ଏଭଳି କି ଦ୍ରୋହ କରିଛି ଯେ, ସେବାର ଅଧିକାରରୁ ସେ ନିରାଶ ହେବ ?’’ ରାମଚନ୍ଦ୍ର ଆଉ ସହିପାରିଲେ ନାହିଁ । ଋଷିପ୍ରତିମ ଭାଇ ଲକ୍ଷ୍ମଣଙ୍କର ଦେବଦୁର୍ଲଭ ଭ୍ରାତୃଭକ୍ତିରେ ତାଙ୍କର ପ୍ରେମିକ ହୃଦୟ ଉଛୁଳିଉଠିଲା । ସେ ଲକ୍ଷ୍ମଣଙ୍କୁ ସ୍ନେହରେ ଆଲିଙ୍ଗନ କରି ସଙ୍ଗରେ ଯିବା ସକାଶେ ଆଦେଶ ଦେଲେ । ତହୁଁ ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣ ଦଶରଥଙ୍କଠାରୁ ବିଦାୟ ନେବା ପାଇଁ କୈକେୟୀଙ୍କ ଅନ୍ତଃପୁରକୁ ଯାତ୍ରା କଲେ ।
ରାମଚନ୍ଦ୍ର ପିତାଙ୍କର ପଦ ବନ୍ଦନ କରି କର ଯୋଡ଼ି କହିଲେ–‘‘ପିତଃ, ଆପଣ ଆଦେଶ ପ୍ରଦାନ କରନ୍ତୁ, ଆପଣଙ୍କର ସେବକ, ସେବିକା ମୁଁ, ଲକ୍ଷ୍ମଣ ଓ ସୀତା ଏହି ମୁହୂର୍ତ୍ତରେ ବନଯାତ୍ରା କରିବୁ । ବିମାତା କୈକେୟୀ ଦେବୀଙ୍କର କିଛି ଦୋଷ ନାହିଁ, ସଂସାରର ସବୁ ଘଟଣା ଦୈବାଧୀନ । ସେ ମୋତେ ପୁତ୍ରାଧିକ ସ୍ନେହ କରନ୍ତି । ତାଙ୍କୁ ଅକାରଣ ଗଞ୍ଜଣା ଭର୍ତ୍ସନା କଲେ ମୋ ପ୍ରାଣରେ ବିଷମ ଆଘାତ ଲାଗିବ । ନିୟତି ସବୁ କରେ, ମାନବ ଉପଲକ୍ଷମାତ୍ର । ଦୁଃଖ ବୋଲି ଜଗତରେ କିଛି ନାହିଁ । ଯାହାକୁ ଦୁଃଖ ବୋଲି କହନ୍ତି, ସେ ସୁଖର ଶୁଭ ସୂଚନା ସିନା ! ନିୟତି ଯାହା କରେ ତାହା ମଙ୍ଗଳ ସକାଶେ କରେ । ମଙ୍ଗଳମୟୀ ନିୟତିର ବିଧାନ କେବେ ଅମଙ୍ଗଳ ହୋଇପାରେ ନାହିଁ । ଆପାତ ଦୃଷ୍ଟିରେ କୌଣସି କୌଣସି ଘଟଣା ଅମଙ୍ଗଳ ପରି ବୋଧହୁଏ ସତ୍ୟ; ମାତ୍ର ତାହାର ପରିଣାମ ଶୁଭାବହ । ଆପଣ ମୋ ପାଇଁ ଦୁଃଖ କରିବେ ନାହିଁ । କାଲି ପହରିଦିନ ପରି ଚଉଦ ବର୍ଷ କଟିଯିବ । ତହିଁପରେ ଏ ସେବକ ଫେରିଆସି ପିତୃସେବାରୂପ ଦେବସେବାରେ ଜୀବନ ଧନ୍ୟ କରିବ ।’’ ପୁତ୍ରର ଏଭଳି ଉଦାରତା ଓ ମହାପ୍ରାଣତାରେ ଦଶରଥ ବିମୁଗ୍ଧ ହୋଇଗଲେ; ମାତ୍ର ଦାରୁଣ ଲଜ୍ଜାହେତୁ କିଛି କହିବାକୁ ତାଙ୍କର ତୁଣ୍ଡ ଫିଟିଲା ନାହିଁ । ସେ ମୁଣ୍ଡ ଟେକି ରାମଚନ୍ଦ୍ରଙ୍କ ମୁହଁକୁ ଅନାଇପାରିଲେ ନାହିଁ । ବହୁ କ୍ଷଣ ପରେ ବ୍ୟଥାତପ୍ତ ଦୀର୍ଘ ନିଃଶ୍ୱାସ ପକାଇ କହିଲେ, ‘‘ବତ୍ସ, ତୋର କଥା ଭିତରେ ତୋର ସ୍ୱଭାବସିଦ୍ଧ ମହତ୍ତ୍ୱ ଫୁଟି ଉଠୁଅଛି । ତୁ ପିତୃସତ୍ୟ ପାଳନ ପାଇଁ ବନଗମନ କରି ସୁପୁତ୍ରର ଆଦର୍ଶ ଦେଖାଇଲୁ; କିନ୍ତୁ ହାୟ ମୁଁ କଅଣ କଲି ? ତୋ ଭଳି ଗୁଣଧର ଦେବପୁତ୍ରକୁ ମୁଁ କଷ୍ଟ ଦେଇ କୁତ୍ସିତାର ଅଖ୍ୟାତି ଅର୍ଜନ କଲି । ଧିକ୍ମୋତେ ! କିନ୍ତୁ ଏ ଗୁରୁତର ଅନୁଶୋଚନାରେ ମୋର ସାନ୍ତ୍ୱନା ଏତିକି ଯେ–ମୁଁ ସୁପୁତ୍ରର ପିତା । ମୋର ସେ ଗୌରବ ମଳିନ ହେବ ନାହିଁ । ଆଉ ଅଧିକ କିଛି କହିପାରିବି ନାହିଁ । ପିତା ନ ହେବା ଯାଏଁ ପିତୃ-ହୃଦୟର ବେଦନା କେହି ସମ୍ପୂର୍ଣ୍ଣରୂପେ ଜାଣିପାରେ ନାହିଁ; ମାତ୍ର ତୁ ପିତୃପ୍ରାଣ ହେତୁ ତୋର ଏ ବୃଦ୍ଧ ପିତାପ୍ରାଣରେ କି ହୁତାଶନ ଜଳୁଛି, ତାହା ବୁଝିପାରିଅଛୁ ପୁତ୍ର ! ମୋର ଶେଷ ଆଦେଶ ପାଳନ କରିବୁ । ତୁ ସନ୍ନ୍ୟାସୀ ବେଶ ଧରି ଚାଲିକରି ବନକୁ ଯିବୁ, ମୁଁ ତାହା ସହିପାରିବି ନାହିଁ । ସେ ଦୃଶ୍ୟ ଦେଖିଲେ ମୋର ଚକ୍ଷୁ ଫାଟିଯାଇ ରକ୍ତ ବହିବ । ମୋ ରାଜ୍ୟର ଶେଷ ସୀମାପର୍ଯ୍ୟନ୍ତ ତୁମ୍ଭେମାନେ ରଥରେ ବସି ଯାଅ ।’’ ଅନନ୍ତର ଦଶରଥ ରଥ ସଜ୍ଜିତ କରି ଆଣିବା ସକାଶେ ସୁମନ୍ତ୍ରନାମକ ସାରଥିକୁ ଆଦେଶ ଦେଲେ । କିଛିକ୍ଷଣ ପରେ ରାଜୋଚିତ ସାଜରେ ସୁସଜ୍ଜିତ ରଥ ଆସି ଉପସ୍ଥିତ ହେଲା । ତହୁଁ ରାମଚନ୍ଦ୍ର ଲକ୍ଷ୍ମଣ ଓ ସୀତା ଶୋକାର୍ତ୍ତ ଦଶରଥଙ୍କର ପାଦବନ୍ଦନ କରି ରଥରେ ବସି ଅରଣ୍ୟକୁ ପ୍ରସ୍ଥାନ କଲେ; ଦଶରଥ କମ୍ପିତ କଣ୍ଠରେ ‘ହା-ରାମ’ କହି ମୂର୍ଚ୍ଛିତ ହେଲେ ।
ଅଷ୍ଟମ ପରିଚ୍ଛେଦ
ରାମଚନ୍ଦ୍ର-ବନଗମନ ସମ୍ବାଦ ବିଷବାଷ୍ପ ପ୍ରାୟ ମୁହୂର୍ତ୍ତକ ମଧ୍ୟରେ ବିଦ୍ୟୁତ୍ ଗତିରେ ଚାରିଆଡ଼େ ବ୍ୟାପିଗଲା । ନଗରବାସୀ ଏ ସହସା ଏ ଦାରୁଣ ସମ୍ୱାଦ ଶୁଣି ବିସ୍ମୟରେ ଅଭିଭୂତ ହୋଇଗଲେ । ହର୍ଷୋତ୍ଫୁଲ୍ଲ ନଗର ବକ୍ଷରେ ବିଷାଦର ଭଟା ପଡ଼ିଗଲା । ଆନନ୍ଦ ଚହଳ ପରିବର୍ତ୍ତରେ ହାହାକାର ଧ୍ୱନି ଉଠିଲା । ଅଯୋଧ୍ୟାର ପ୍ରତି ରନ୍ଧ୍ରରୁ ବିଷାଦ-ବଂଶୀ କରୁଣ ରାଗରେ ବାଜିଉଠିଲା । ଉତ୍ସବ ବେଶରେ ସଜ୍ଜିତ ଯେଉଁ ଅଯୋଧ୍ୟା ଶୋଭା-ସ୍ୱର୍ଗରୁ ଖଣ୍ଡେ ଖସି ପଡ଼ିଲା ପରି ଦିଶୁଥିଲା, ସେ ଏବେ ଶ୍ମଶାନ ପରି ଶ୍ରୀହୀନ ଦିଶିଲା । ଅକାଳରେ ନିଦାଘ ଆସି ବସନ୍ତର ଚାରୁ ସୁଷମାକୁ ନିଭାଇଦେଲା । ନାଗରିକମାନଙ୍କର ହର୍ଷସିକ୍ତ ମନ ଚୂନା ହୋଇଗଲା । ସମସ୍ତଙ୍କ ମୁଖ ବିଷାଦ-କାଳିମାରେ ମଳିନ ଦିଶିଲା । ସମସ୍ତେ ହା-ହା କରି କାନ୍ଦିଲେ । ଅଶ୍ରୁରେ ରାଜପୁରୀ, ରାଜପଥ ପଙ୍କିଳ ହୋଇଗଲା । ସହସା ଏଭଳି ବିଷାଦ କାହୁଁ ଆସି ଆନନ୍ଦରେ ମିଶିଲା । ଅମୃତରେ ହଳାହଳ ମିଶିଲା, ଗୋଦୁଗ୍ଧରେ ଗୋମୂତ୍ର ମିଶି ତାକୁ ବିଷାକ୍ତ କରିଦେଲା । ହାୟ, ଏ କି ଗୁରୁଚଣ୍ଡାଳୀ ଯୋଗ । କୈବଲ୍ୟରେ ଆମିଷ, ତୀର୍ଥଜଳରେ ରୁଧିର, ସତ୍ୟରେ ଶଠତା କିଏ ଆଣି ମିଶାଇଲା ? ବିଷାଦ-ବିବଶା ଅଯୋଧ୍ୟା ରାମଚନ୍ଦ୍ରଙ୍କ ପଛେ ପଛେ ଶୋକ-ସମୁଦ୍ର ସୃଷ୍ଟି କରି ଧାଇଁଲା । ଚୌଦିଗ ହାହାମୟ । ରଥ ହାହାକାର କରି ଧାଇଁଲା ପବନ ହାୟ ହାୟ ଶବ୍ଦରେ ବହିଲା-। ବଂଶର ଆଦିପୁରୁଷ ସୂର୍ଯ୍ୟଦେବ ଘୃଣା, ଦୁଃଖ ଓ ଲଜ୍ଜାରେ ମେଘ ଉହାଡ଼ରେ ମୁହଁ ଲୁଚାଇଲେ । ରାମଚନ୍ଦ୍ରଙ୍କ ବିଚ୍ଛେଦଶୋକରେ ଅଧୀର ହୋଇ ଅଯୋଧ୍ୟା କାନ୍ଦି କାନ୍ଦି ନେତ୍ରରୁ ଶ୍ରାବଣର ଧାରା ବହାଇଦେଲା । ଆକାଶ ପାତାଳ କାନ୍ଦିଲେ । ସରଯୂ ହାୟ ହାୟ ଶବ୍ଦରେ କାନ୍ଦି କାନ୍ଦି ଉଜାଣି ବହିଲା । ପ୍ରଜାଙ୍କର ମନ, ପ୍ରାଣ, ଆତ୍ମା କାନ୍ଦି ଉଠିଲା । ସତେ ଯେପରି ଦୁଃଖର ଉତ୍ତାପରେ ସମସ୍ତଙ୍କର ହାଡ଼ମାଂସ ମିଳାଇଯାଇ ଅଶ୍ରୁରୂପରେ ଆଖିବାଟେ ବାହାରିପଡ଼ିଲା । ପଶୁପକ୍ଷୀ ଆହାର ତ୍ୟାଗ କରି କାନ୍ଦିଲେ-ଶିଶିରପାତ ଛଳରେ ଗଛପତ୍ର ଅଶ୍ରୁବର୍ଷଣ କଲେ–ଅଟାଳିକାମାନ ପ୍ରତିଧ୍ୱନି ବ୍ୟାଜରେ ହାୟ ହାୟ ହୋଇ କାନ୍ଦିଲେ-ଅଯୋଧ୍ୟାର ଦେବାଳୟ ସଙ୍ଗରେ ଦେବଦେବୀଙ୍କ ପ୍ରତିମାମାନେ ନୀରବରେ କାନ୍ଦିଲେ–ଏମନ୍ତକି ଅଯୋଧ୍ୟାର ପ୍ରକୃତିଲକ୍ଷ୍ମୀ, ଭାଗ୍ୟଲକ୍ଷ୍ମୀ, ଓ ରାଜଲକ୍ଷ୍ମୀ ସୁଦ୍ଧା କାନ୍ଦିବାକୁ ଲାଗିଲେ । ମନ୍ଥରା ପ୍ରବଳ ଝଟିକା ପରି ଅଯୋଧ୍ୟା-ଉପବନକୁ ମନ୍ଥନ କରି ବିପର୍ଯ୍ୟସ୍ତ ଓ ବିଧ୍ୱସ୍ତ କରିଦେଲା । ଅଯୋଧ୍ୟା ଭାଗ୍ୟରେ ସେ ଦୁଷ୍ଟ ଅପଦେବତାର କଠୋର ଅଭିଶାପ । ନଗରବାସୀ ଆବାଳବୃଦ୍ଧ ସେହି ଅଭିଶାପରୂପିଣୀ ମନ୍ଥରା ମସ୍ତକରେ ଅଭିଶାପର ଅଗ୍ନିମୁଣ୍ଡା ବୃଷ୍ଟି କରିବାକୁ ଲାଗିଲେ ।
ବିସ୍ତୃତ ଜନତା ରାମଚନ୍ଦ୍ରଙ୍କ ରଥ ପଛରେ ଧାଇଁଅଛି । ଜନତା ମଧ୍ୟରୁ କୈକେୟୀ ଓ ଦଶରଥଙ୍କ ଉଦ୍ଦେଶ୍ୟରେ ଅଜସ୍ର ନିନ୍ଦାବୃଷ୍ଟି ହେଉଅଛି । ମାତୃନିନ୍ଦା ବିଶେଷତଃ ପିତୃନିନ୍ଦା ରାମଚନ୍ଦ୍ରଙ୍କ ହୃଦୟରେ ଆଗ୍ନେୟ ଗୁଳି ତୁଲ୍ୟ ବିଦ୍ଧ ହେବାକୁ ଲାଗିଲା । ସେ ଅତ୍ୟନ୍ତ ବ୍ୟଥିତ ହୋଇ ମଧୁର କଥାରେ ଜନତାକୁ ଫେରିଯିବା ପାଇଁ ଅନୁରୋଧ କଲେ; ମାତ୍ର ଜନତା ମଧ୍ୟରୁ ବାରମ୍ୱାର ଧ୍ୱନିତ ହେଲା–‘‘ଫେରି ଆସ ରାମ, ତୁମ୍ଭେ ଅଯୋଧ୍ୟାର ଜୀବନ ପୁଣି ଅଯୋଧ୍ୟାର ପିତା । ଆମ୍ଭମାନଙ୍କୁ ମୃତବତ୍କରି, ପିତୃହୀନ କରି ଯାଅ ନାହିଁ । ତୁମ୍ଭ ଅଭାବରେ ଚଉଦବର୍ଷ ଆମ୍ଭମାନଙ୍କୁ ଚଉଦ ଯୁଗ ପରି ଲାଗିବ ପ୍ରଭୁ ।’’ ରାମଚନ୍ଦ୍ର ସେମାନଙ୍କୁ ସାନ୍ତ୍ୱନା ଦେଇ କହିଲେ, ‘‘ତୁମ୍ଭମାନେ କାତର ହୁଅ ନାହିଁ, ତୁମ୍ଭମାନଙ୍କ ସ୍ନେହର ପ୍ରବଳ ଶକ୍ତି ମୋତେ ଓଟାରି ଘେନି ଆସିବ । ସେ ଦୁର୍ଜୟ ଶକ୍ତି ନିକଟରେ ତ ସମସ୍ତ ଜଗତ ପରାସ୍ତ, ଆଉ ମୁଁ ଅବା କିଏ ? ସେହି ସ୍ନେହ ଚଉଦ ବର୍ଷକୁ ଚଉଦ ଦିନ ପରି ଲଘୁ କରିଦେବ । ମୁଁ ପିତୃସତ୍ୟ ପାଳନରେ କ୍ଷମ ହୁଏ, ସମସ୍ତେ ଏହି ଆଶୀର୍ବାଦ କର । ପ୍ରାଣର ଭାଇ ଭରତ ତୁମ୍ଭମାନଙ୍କୁ ମୋ ଅପେକ୍ଷା ଅଧିକ ସୁଖରେ ପାଳନ କରିବ, ଏଥିରେ ସନ୍ଦେହର ଅବକାଶ ସୁଦ୍ଧା ନାହିଁ । ମୋ ସାଙ୍ଗରେ ତାହାର ଶରୀରରେ ପ୍ରଭେଦ ଅଛି ସିନା, ମାତ୍ର ଆତ୍ମାରେ ପ୍ରଭେଦ ନାହିଁ । ତାହାର ମଧୁର ଶାସନ ସମସ୍ତଙ୍କ ପକ୍ଷରେ ପୁଷ୍ଟିକର ହେବ ।’’ ରାମଚନ୍ଦ୍ର ଏହିପରି ଅନେକ ବୁଝାଇ ବହୁ ଆୟାସରେ ଜନତାଙ୍କୁ ନିବୃତ୍ତ କଲେ । ତହୁଁ ସମସ୍ତେ ବିଷର୍ଣ୍ଣ ମୁଖରେ ସେହିଠାରୁ ଫେରିଗଲେ । ରାମଚନ୍ଦ୍ରଙ୍କ ରଥ ନକ୍ଷତ୍ର ଗତିରେ ଅରଣ୍ୟ ଅଭିମୁଖରେ ଧାବିତ ହେବାକୁ ଲାଗିଲା ।
ରାମଚନ୍ଦ୍ରଙ୍କ ରଥ ବହୁଗ୍ରାମ, ପ୍ରାନ୍ତର, ଶସ୍ୟକ୍ଷେତ୍ର ଅତିକ୍ରମ କରି ବନଭୂମିର ସୀମାରେ ଯାଇ ଉପସ୍ଥିତ ହେଲା । ରାମଚନ୍ଦ୍ର ପବିତ୍ର କାନନ-ପ୍ରକୃତିକୁ ନମସ୍କାର କରି ବନ ମଧ୍ୟରେ ପ୍ରବେଶ କଲେ । ବନ ଦେବତାମାନେ ବନସ୍ପତି ହସ୍ତରେ ପୁଷ୍ପାଞ୍ଜଳି ଦେଇ ତାଙ୍କୁ ସାଦର ଅଭ୍ୟର୍ଥନା କରି ନେଲେ । ରଥଚକ୍ରର ଘର୍ଘର ନିର୍ଘୋଷରେ ବନସ୍ଥଳୀ କମ୍ପି ଉଠିଲା । ସେହି ଧ୍ୱନିରେ ତାହାର ପ୍ରତିଧ୍ୱନି ମିଶି ପୃଥୁଳ ଆକାର ଧାରଣ କଲା । ବନପଶୁମାନେ ତାହା ଶୁଣି ଭୀତ ହୋଇ ଇତସ୍ତତଃ ଧାବମାନପୂର୍ବକ ନିରାପଦ ସ୍ଥାନ ଖୋଜି ବୁଲିଲେ । ପକ୍ଷୀମାନେ ଆନନ୍ଦମୟ ଜୀବ । ସେମାନେ ଭୟ ନ କରି ଉଡ଼ି ଉଡ଼ି ରଥ ଉପରେ ଛାୟା ପକାଇ ଅଗ୍ରସର ହେଲେ । ଗତି ପଥରେ ରାମଚନ୍ଦ୍ର ସୀତାଙ୍କୁ ବନର ଶୋଭା ଦେଖାଇ ଦେଖାଇ ଚାଲିଲେ । କାନନ-କମଳାଙ୍କ ଅପୂର୍ବ ଶୋଭା-ସାଗରରେ ସନ୍ତରଣ କରି ସୀତା ମୋହିତ ହୋଇଗଲେ । ସନ୍ଧ୍ୟା ସମୟରେ ରଥ ଯାଇ ତମସାନଦୀ ତୀରରେ ଉପସ୍ଥିତ ହେଲା । ରାମଚନ୍ଦ୍ର, ସୀତା, ଲକ୍ଷ୍ମଣ ଓ ସାରଥି ସୁମନ୍ତ୍ର ରଥରୁ ଓହ୍ଲାଇ ସେହିଠାରେ ରଜନୀ ଯାପନ କଲେ । ତହିଁ ପରଦିନ ଯାଇ ଗଙ୍ଗାକୂଳରେ ପହଞ୍ଚିଲେ । ତରଳ ତରଙ୍ଗମୟୀ ପତିତପାବନୀ ଭାଗୀରଥୀ ଦର୍ଶନରେ ଆନନ୍ଦିତ ହୋଇ ରାମଚନ୍ଦ୍ର ସୀତାଙ୍କୁ କହିଲେ- ‘‘ମୈଥିଳି, ଦେଖ ଏହି ଗଙ୍ଗା ନଦୀ ଆମ୍ଭର ବଂଶୀୟ କୀର୍ତ୍ତି । ଆମ୍ଭ ବଂଶରେ ଭାଗୀରଥ ନାମରେ ଜଣେ ବିଶ୍ୱ-ପ୍ରସିଦ୍ଧ ଧାର୍ମିକ ନରପତି ଜନ୍ମଗ୍ରହଣ କରିଥିଲେ । ସେ ସୁକଠୋର ତପସ୍ୟା ବଳରେ ଏହି ପୁଣ୍ୟ ପୀୟୂଷତୋୟା ଗଙ୍ଗାଙ୍କୁ ସ୍ୱର୍ଗରୁ ମର୍ତ୍ତ୍ୟମୂମିକୁ ଆଣିଥିଲେ । ଏ ଆମ୍ଭ ବଂଶର ଅଧିଦେବୀ, ତୁମ୍ଭେ ଭକ୍ତିରେ ଏହାଙ୍କୁ ନମସ୍କାର କର ।’’ ସୀତା ସ୍ୱାମୀଙ୍କ ଆଦେଶମତେ କର ଯୋଡ଼ି ଗଙ୍ଗାଙ୍କୁ ନମସ୍କାର କଲେ । ସମସ୍ତେ ରଥରୁ ଓହ୍ଲାଇ ଗଙ୍ଗା ଜଳରେ ସ୍ନାନାତର୍ପଣାଦି କଲେ । ଅନନ୍ତର ରାମଚନ୍ଦ୍ର ସେହିଠାରୁ ସୁମନ୍ତ୍ରକୁ ବିଦାୟ ଦେଲେ । ପ୍ରଭୁଙ୍କ ଆଦେଶରେ ସୁମନ୍ତ୍ର ରଥ ଲେଉଟାଇ ଅଶ୍ରୁସଜଳ ନେତ୍ରରେ ଅଯୋଧ୍ୟାକୁ ଫେରିଗଲା ।
ଅଦୂରରେ ନିଷାଦରାଜ ଗୁହକର ରାଜଧାନୀ ଥିଲା । ଗୃହକ ରାମଚନ୍ଦ୍ରଙ୍କର ପୂର୍ବମିତ୍ର । ସେ ରାମଚନ୍ଦ୍ରଙ୍କର ଆଗମନ ଶୁଣି ସେଠାରେ ଆସି ଉପସ୍ଥିତ ହେଲା ଏବଂ ମହା ସମାଦରରେ ପରମ ମିତ୍ର ରାମଚନ୍ଦ୍ରଙ୍କୁ ଅଭିନନ୍ଦନ କଲା । ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣ ତାହାର ଅତିଥି ସତ୍କାରରେ ପ୍ରୀତ ହୋଇ ସେହିଠାରେ ଯାମିନୀ ଯାପନ କଲେ । ତହି ପରିଦିନ ପ୍ରଭାତରେ ଚଣ୍ଡାଳରାଜ ଗୁହକର ଆଦେଶରେ ଗୋଟିଏ ସୁସଜ୍ଜିତ ନୌକା ଆନୀତ ହେଲା । ରାମଚନ୍ଦ୍ର ଗୁହକକୁ ପ୍ରେମରେ ଆଲିଙ୍ଗନ କରି ବିଦାୟ ଦେଲେ ଏବଂ ସୀତା ଲକ୍ଷ୍ମଣଙ୍କ ସହ ନୌକାରୋହଣପୂର୍ବକ ଗଙ୍ଗା ପାରି ହୋଇ ଗଲେ । ତହିଁପରେ ବରକ୍ଷୀରରେ ଜଟା ବାନ୍ଧି ବୃକ୍ଷର ବଳ୍କଳ ପିନ୍ଧି ସନ୍ନ୍ୟାସୀ ବେଶ ଧାରଣ କଲେ । ଅଗ୍ରଜଙ୍କ ସନ୍ନ୍ୟାସୀ ବେଶ ଦେଖି ଲକ୍ଷ୍ମଣ ମଧ୍ୟ ସେହି ବେଶରେ ସଜ୍ଜିତ ହେଲେ । ତହୁଁ ତିନିହେଁ ପଦବ୍ରଜରେ ଅରଣ୍ୟ ମଧ୍ୟରେ ଅଗ୍ରସର ହେବାକୁ ଲାଗିଲେ । ଯାନ, ବାହନ ବ୍ୟତୀତ ଯାହାଙ୍କ ପାଦ ଭୂମି ସ୍ପର୍ଶ କରୁ ନ ଥିଲା, ସେ ଏବେ ଅରଣ୍ୟର କଣ୍ଟକମୟ ପଥରେ ଚାଲିବାକୁ ଲାଗିଲେ–ହାୟ, ନିୟତି କଅଣ ନ କରେ ?
ରାମଚନ୍ଦ୍ର କେଡ଼େ ବଡ଼ ଲୋକ ହୋଇ ଇତର ଗୁହକ ଚଣ୍ଡାଳକୁ ଆଲିଙ୍ଗନ କଲେ । ତାଙ୍କର ଧର୍ମମତ ଅତି ଉଦାର ଥିଲା । ସେ ମନୁଷ୍ୟ ହୋଇ ମନୁଷ୍ୟକୁ ଅଧମ ପଶୁ ପରି ଘୃଣା କରୁ ନ ଥିଲେ । ମନୁଷ୍ୟର ଦୁଷ୍କରଣୀକୁ ଘୃଣା କରୁଥିଲେ । ତାଙ୍କ ସାମ୍ୟଦୃଷ୍ଟିରେ ଜାତି, ଧର୍ମର ପାର୍ଥକ୍ୟ ଥିଲା ନାହିଁ । ସେ ନିର୍ଦ୍ଦୋଷ ଆଦର୍ଶ ଧର୍ମର ପ୍ରତିଷ୍ଠାତା ଥିଲେ ।
ଅନନ୍ତର ରାମଚନ୍ଦ୍ର ଭାଇ ଓ ଭାର୍ଯ୍ୟା ସହ ଗଙ୍ଗା ଯମୁନାର ସଙ୍ଗମସ୍ଥଳ ହରିଦ୍ୱାର ବା ପ୍ରୟାଗ ତୀର୍ଥରେ ଭରଦ୍ୱାଜ ଋଷିଙ୍କ ଆଶ୍ରମରେ ଯାଇ ଉପସ୍ଥିତ ହେଲେ । ବନବାସ କାଳ କେଉଁଠାରେ କଟାଇବେ ବୋଲି ରାମଚନ୍ଦ୍ର ଭରଦ୍ୱାଜଙ୍କୁ ପଚାରିବାରୁ ସେ କହିଲେ–‘‘ଏଠାରୁ ଦଶକ୍ରୋଶ ଦୂରରେ ଚିତ୍ରକୂଟ ନାମରେ ରମଣୀୟ ପର୍ବତ ଅଛି । ସେଠାରେ ଫଳମୂଳ ଓ ମଧୁ ଯଥେଷ୍ଟ ମିଳେ । ସେହି ପର୍ବତରେ ମୁନିମାନଙ୍କର ଆଶ୍ରମ ଅଛି । ତୁମ୍ଭେମାନେ ସେହି ପର୍ବତର ଶିଷ୍ଟ ସହବାସରେ ରହି ପରମ ସୁଖରେ କାଳଯାପନ କରିପାରିବ ।’’ ତହିଁ ପରଦିନ ରାମଚନ୍ଦ୍ର, ସୀତା ଓ ଲକ୍ଷ୍ମଣ ଭରଦ୍ୱାଜଙ୍କ ଠାରୁ ବିଦାୟ ନେଇ ଚିତ୍ରକୂଟ ଅଭିମୁଖରେ ଯାତ୍ରା କଲେ । ଯଥାସମୟରେ ଚିତ୍ରକୂଟରେ ଉପସ୍ଥିତ ହୋଇ ବାଲ୍ମୀକି ମୁନିଙ୍କ ଆଶ୍ରମ ନିକଟରେ ପର୍ଣ୍ଣକୁଟୀର ନିର୍ମାଣ କରି ସେଥିରେ ବାସ କଲେ । ବନ ଓ ପର୍ବତର ଅପୂର୍ବ ସୁଷମା ଦେଖି ସମସ୍ତେ ମୁଗ୍ଧ ହୋଇଗଲେ । ନିର୍ଝର-ଯନ୍ତ୍ରର ରୌଦ୍ର, କରୁଣ, ମଧୁର ରାଗିଣୀର ମୋହନ ମୂର୍ଚ୍ଛନାରେ ବନସ୍ଥଳୀ ପରିପୂର୍ଣ୍ଣ । ନାନା ଜାତୀୟ କୁସୁମ ସୁବାସ ପବନରେ ଚହଟି ଉଠୁଅଛି । ତପୋବନର କି ଅଦ୍ଭୁତ ମାଧୁରୀ । ଜୀବନ୍ତ ପବିତ୍ରତା ଓ ସଜୀବ ଧର୍ମଭାବ ସେଠାରେ ଖେଳିବୁଲୁଛି । ସଂସାରର କୋଳାହଳ ବା ବିଦ୍ୱେଷ ହିଂସାରେ ସେ ସ୍ଥାନ କଳୁଷିତ ବା ବିଷାକ୍ତ ନୁହେଁ । ହିଂସ୍ରଜନ୍ତୁମାନେ ହିଂସା ପାଶୋରି ମିତ୍ରତାର ମଧୁର ବନ୍ଧନରେ ଆବଦ୍ଧ । ମୃଗ, ବ୍ୟାଘ୍ର ଏକ ଗୁମ୍ଫାରେ ଏକ ମାତାର ପୁତ୍ର ପରି ପରମ ପ୍ରୀତିରେ ବାସ କରୁଅଛନ୍ତି । ମୟୂର ଆଗରେ ସର୍ପ ନିର୍ଭୟରେ ଚାଲିଯାଉଅଛି । ସିଂହଶିଶୁକୁ ହସ୍ତିନୀ ସ୍ନେହରେ ସ୍ତନ୍ୟପାନ କରାଉଅଛି । ଆଶ୍ରମସ୍ଥ ବାଳୁଙ୍ଗା ଗଦାରେ ଶୁକ ଶାରୀ ବସି ଥଣ୍ଟରେ ନୀବାର ଧାନ୍ୟ ଛଡ଼ାଇ ଖାଉଅଛନ୍ତି । ବେଳେ ବେଳେ ଶୁକ ବେଦର ପାଦେ ପାଦେ ଶ୍ଳୋକ ଉଚ୍ଚାରଣ କରୁଅଛି । ଶାରୀ ‘‘ଓମ୍-ଓମ୍’’ କହି ପ୍ରଣବମନ୍ତ୍ର ଉଚ୍ଚରେ ଜପୁଅଛି । ମୁନିମାନଙ୍କ ତୁଣ୍ଡରୁ ସର୍ବଦା ଶୁଣି ଶୁଣି ବେଦ, ପୁରାଣ ପ୍ରଭୃତି ସେମାନଙ୍କର ଅଭ୍ୟସ୍ତ ହୋଇଯାଇଅଛି । ସୀତା ଏହି ସବୁ ଅଘଟନ ସଂଘଟନ ଦେଖି ଦେଖି ଅପାର ଆନନ୍ଦ ଓ ତୃପ୍ତି ଉପଭୋଗ କଲେ । ଅଜ୍ଞାତରେ ତାଙ୍କ ମୁଖରୁ ବାହାରି ପଡ଼ିଲା–ଧନ୍ୟ ବ୍ରାହ୍ମଣ, ତାହାର ତପୋବଳ ସାର୍ଥକ ।