ବିଂଶ ପରିଚ୍ଛେଦ — ରାମଚନ୍ଦ୍ର — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ବିଂଶ ପରିଚ୍ଛେଦ
ଋକ୍ଷ, ବାନର, ରାକ୍ଷସ ସୈନ୍ୟ ମିଶାମିଶି ହୋଇ ମହାଘୋର ଗୋଳ ଯୁଦ୍ଧରେ ପ୍ରମତ୍ତ ହୋଇଉଠିଲେ । ରାକ୍ଷସମାନେ ନାନାବିଧ ତୀକ୍ଷ୍ଣ ଧାର ଅସ୍ତ୍ରଶସ୍ତ୍ରରେ ଓ ବାନରମାନେ ବୃକ୍ଷଶାଖା, ପ୍ରସ୍ତର ଖଣ୍ଡରେ ଯୁଦ୍ଧ କରି ପରସ୍ପରକୁ ହତାହତ କରିବାକୁ ଲାଗିଲେ । କେତେ ମଲେ, କେତେ ଘାଉଲା ହୋଇ ଦରମରା ହେଲେ, ସେଥିର ସଂଖ୍ୟା ନାହିଁ । ବାନରମାନଙ୍କର ବିଧା ଚାପୁଡ଼ା, ଗୋଇଠା, ନଖ ଦନ୍ତର ଆଘାତରେ ସେ ଦିନ ଅନେକ ରାକ୍ଷସ ମହାରଥି ପ୍ରାଣତ୍ୟାଗ କଲେ । ରାମଚନ୍ଦ୍ର, ଲକ୍ଷ୍ମଣ ଓ ବିଭୀଷଣ ଯେତେ ବାଣ ବର୍ଷଣ କଲେ, ଶ୍ରାବଣ ମାସର ମେଘ ତେତେ ଜଳଧାରା ବର୍ଷେ ନାହିଁ । ରାମଚନ୍ଦ୍ରଙ୍କର ବଜ୍ରାଧିକ ଧନୁଷ୍ଟଙ୍କାର ଶବ୍ଦ ଶୁଣି ଶ୍ରତ୍ରୁସୈନ୍ୟର ଶକ୍ତି, ସାହସ ଅଧେ ଊଣା ହୋଇଗଲା । ଏକା, ରାମଙ୍କୁ ତ ଜଗତ ନିଅଣ୍ଟ, ତାହା ଉପରେ ପୁଣି ଲକ୍ଷ୍ମଣ । ତାଙ୍କର ଅନୁବତ, ଆଉ କି ରକ୍ଷା ଅଛି ? ଅଗ୍ନି ସଙ୍ଗରେ ବାୟୁ ମିଶିଲେ ସେ ପ୍ରଚଣ୍ଡ ଶକ୍ତିକୁ ସମ୍ଭାଳିବ କିଏ ? ରାକ୍ଷସମାନେ ନିର୍ଘାତ ମାରୁଣୀ ସହି ନ ପାରି ପୃଷ୍ଠଭଙ୍ଗ ଦେଇ ପଳାଇଗଲେ । ଏହା ଦେଖି ଇନ୍ଦ୍ରଜିତ କ୍ରୋଧରେ ଥରିଉଠିଲା; ମାତ୍ର ରାମଚନ୍ଦ୍ରଙ୍କ ସହ ସମ୍ମୁଖ ସମରରେ ପ୍ରବୃତ୍ତ ହେବାକୁ ସାହସୀ ହେଲା ନାହିଁ । ତହୁଁ ମାୟାବୀର ଆକାଶ ରଥରେ ଉପରକୁ ଉଠିଯାଇ ମାୟାବିଦ୍ୟା ପ୍ରଭାବରେ ମେଘ ଉହାଡ଼ରେ ଲୁଚିରହି ଯୁଦ୍ଧ କରିବାକୁ ଲାଗିଲା । ସେ ନାଗପାଶରେ ରାମଚନ୍ଦ୍ରଙ୍କୁ ବନ୍ଧନ କରି ଜୟଶବ୍ଦ ବଜାଇ ଦୁର୍ଗକୁ ଫେରିଗଲା । ଏଣେ ରାମଚନ୍ଦ୍ର ଗରୁଡ଼କୁ ସ୍ମରଣ କରି ଲକ୍ଷ୍ମଣ ସହ କଠୋର ନାଗପାଶରୁ ମୁକ୍ତ ହୋଇ ଉଠିବସିଲେ । ବାନରମାନେ ଜୟଶବ୍ଦ କରିବାକୁ ଲାଗିଲେ । ଅନନ୍ତର ରାବଣ ବାଛି ବାଛି ବଡ଼ ବଡ଼ ଜଗଜ୍ଜେତା ବୀରମାନଙ୍କୁ ଯୁଦ୍ଧକୁ ପଠାଇଲା; ମାତ୍ର ଯେ ଆସିଲା ସେ ଆଉ ବାହୁଡ଼ି ନ ଯାଇ ରଣକ୍ଷେତ୍ରରେ ପ୍ରାଣତ୍ୟାଗ କଲା । ଧୂମ୍ରାକ୍ଷ, ବଜ୍ରଦଂଷ୍ଟ୍ର, ପ୍ରହସ୍ତ, ଅକମ୍ପନ, ଅତିକାୟ, ମହାପାର୍ଶ୍ୱ ପ୍ରଭୃତି ବିଖ୍ୟାତ ମହାବୀରମାନେ ଜଣକ ପଛରେ ଜଣେ ଆସି ରଣଯଜ୍ଞରେ ନିଜକୁ ଆହୁତି ପ୍ରଦାଦ କଲେ । ରାବଣର ଅନେକ ପୁଅ ନାତି ମଧ୍ୟ ଯୁଦ୍ଧ କରି ମଲେ । ବୀରଧାତ୍ରୀ ଲଙ୍କା କ୍ରମେ ବୀରଶୂନ୍ୟ ହୋଇ ଆସିଲା । ଏହା ଦେଖି ରାବଣ ମନେ ମନେ ଶଙ୍କିତ ହୋଇ ଉଠିଲା । ତାହାର ବିବେକ–ଦେବତା ତାକୁ ଯୁଦ୍ଧରୁ ନିବୃତ୍ତ ହେବା ପାଇଁ ବାରମ୍ବାର ଉପଦେଶ ଦେଲା; ମାତ୍ର ତାହାର ପ୍ରକୃତି ତାହା କରାଇଦେଲା ନାହିଁ । ତାହାରି ପ୍ରକୃତି ଏକା ତାହାର ଶତ୍ରୁ ହେଲା । ସେ ପ୍ରତିଜ୍ଞା କଲା–ପୃଥିବୀ ରାମଶୂନ୍ୟ ହେଉ ବା, ଅରାବଣା ହେଉ, ଯୁଦ୍ଧ କେଭେଁ ଛାଡ଼ିବ ନାହିଁ; ଆଉ କାହାକୁ ନ ପଠାଇ ଏଥର ସେ ସ୍ୱୟଂ ଯୁଦ୍ଧଯାତ୍ରା କଲା । ଅସଂଖ୍ୟ ଦିଗ୍ବିଜୟୀ ରାକ୍ଷସ-ବୀର ସଙ୍ଗରେ ଘେନି ମହା ସମାରୋହରେ ଯାଇ ବିଶ୍ୱତ୍ରାସୀ ସମର ଆରମ୍ଭ କଲା । ବାନରମାନେ ଦ୍ୱିଗୁଣ ଉତ୍ସାହରେ ଯୁଦ୍ଧରେ ମାତି ଉଠିଲେ । ରାବଣ ରାମଚନ୍ଦ୍ରଙ୍କର ଉପଯୁକ୍ତ ପ୍ରତିଯୋଦ୍ଧା । ସେ ଦିନ ଯୁଦ୍ଧର ତୁଳନା ନାହିଁ । ରାବଣର ବାଣ ଓ ରାମଚନ୍ଦ୍ରଙ୍କ ପ୍ରତିବାଣରେ ସୂର୍ଯ୍ୟକିରଣ ଢାଙ୍କିଗଲା । ରାମଚନ୍ଦ୍ର ଏକାକୀ ସହସ୍ର ମହାରଥ ପରି ଅସ୍ତ୍ର ବର୍ଷଣ କରି ବିପକ୍ଷ ବାହିନୀକୁ ସଂହାର କରିବାକୁ ଲାଗିଲେ ; ରାବଣର ବହୁସହସ୍ର ବନ୍ଧୁ କୁଟୁମ୍ବ, ଆତ୍ମୀୟ ଜ୍ଞାତପରିବାର ଯୁଦ୍ଧରେ ପ୍ରାଣ ହରାଇଲେ । ଜଗତରେ ଅଜେୟ ମହାବୀର ରାବଣ ତାହାର ସମଗ୍ର ଶକ୍ତି ପ୍ରୟୋଗ କରି ମହାଭୟଙ୍କର ଯୁଦ୍ଧ କଲା; ମାତ୍ର ରାମଚନ୍ଦ୍ରଙ୍କର ଅସୀମ ପ୍ରଭାବ ସହିପାରିଲା ନାହିଁ । ରାମଚନ୍ଦ୍ର ତାହାର ଧ୍ୱଜ, କିରୀଟ ଛେଦନ କଲେ । ତାହାର ଦୁର୍ଗତି ଦେଖି ବାନରମାନେ ତାଳି ମାରି ହସି ବିଦ୍ରୂପ କଲେ । ରାବଣ ପରାଜିତ, ଲାଞ୍ଛିତ ହୋଇ ଭୟରେ ପୃଷ୍ଠଭଙ୍ଗ ଦେଇ ପଳାଇଗଲା ।
ରାବଣ ନିଦାରୁଣ ଅପମାନ ପାଇ ସିଂହାସନ ଉପରେ ଯାଇ ଲଜ୍ଜାରେ ହେଠମୁଖ ହୋଇ ବସି ରହିଲା । ସେ ମନେ ମନେ ଭାବିଲା–‘‘ହାୟ, ବିଶ୍ୱବିଜୟୀ ରାବଣକୁ ସାମନ୍ୟ ନର ବାନର ପରାଜୟ କଲେ, ଏ ବ୍ୟଥା ହୃଦୟରେ ତପ୍ତଶେଳ ବିଦ୍ଧ ହେଲା ପରି ଯନ୍ତ୍ରଣା ଦେଉଛି । ମୋର ଏଡ଼େ ବଡ଼ପଣ ତୁଟିଗଲା, ଏବେ ଆଉ କିଏ ମୋତେ ଏ ବିପଦରୁ ଉଦ୍ଧାର କରିପାରିବ ? କୁମ୍ଭକର୍ଣ୍ଣ ଛଡ଼ା ଆଉ ସେଭଳି ଯୋଗ୍ୟ ପାତ୍ର କିଏ ? ଭାଇ ମୋର ଐରାବତର ଦାନ୍ତ ଉପାଡ଼ି ଇନ୍ଦ୍ରକୁ ପିଟିଥିଲା–ପୁଣି ଯମ, କୁବେର, ବରୁଣ ପ୍ରଭୃତିଙ୍କୁ ଜୟ କରିଅଛି, ସେ ନିଶ୍ଚୟ ନରବାନରଗୁଡ଼ାଙ୍କୁ ଗିଳିଦେଇ ଆସିବ ।’’ ରାବଣ ଏହା ଭାବି ଅନୁଚରମାନଙ୍କୁ ପଠାଇଦେଲା । ସେମାନେ କୁମ୍ଭକର୍ଣ୍ଣର କଞ୍ଚାନିଦ୍ରା ଭଙ୍ଗାଇ ଉଠାଇ ଆଣିଲେ । ରାବଣ ତାକୁ ଉପସ୍ଥିତ ବିପଦର ଆମୂଳ ବୃତ୍ତାନ୍ତ କହି ଯୁଦ୍ଧକୁ ଯିବା ପାଇଁ ଆଦେଶ ଦେଲା । କୁମ୍ଭକର୍ଣ୍ଣ ସବୁ ଶୁଣିଲା; ମାତ୍ର ସୀତା-ହରଣ ତାହା ମନକୁ ପାଇଲା ନାହିଁ । ସେ ଘୃଣା ପ୍ରକାଶ କରି କହିଲା–‘‘ତୁମ୍ଭେ ଭୁବନବିଜୟୀ ମହାରାଜାଧିରାଜ ହୋଇ ଏଡ଼େ ନିକୁଚ୍ଛ ବୁଦ୍ଧି କଲ ? ବେଳେ ବେଳେ ବିଚାର ନ କରି ତୁମ୍ଭେ ବଡ଼ ଗର୍ହିତ କାର୍ଯ୍ୟ କରି ବସ । ଛି, ଛି, ନାରୀ-ଚୋର ବୋଲି ଗୋଟାଏ କଳଙ୍କ ଉପାଧି ବହିଲ ସିନା ! ସେଥିରେ ପୌରୁଷ କିଛି ଅର୍ଜି ନାହିଁ, ବରଂ ପୌରୁଷକୁ ଖର୍ବ କରି ଆସିଅଛ । ରାମଲକ୍ଷ୍ମଣଙ୍କ ଅନୁପସ୍ଥିତିରେ ସୀତାଙ୍କୁ ଚୋରାଇ ଆଣି ନିଜର ଭୀରୁତା ତାଙ୍କୁ ଜଣାଇଦେଇ ଆସିଅଛମାତ୍ର । ଏହା କଅଣ ତୁମ୍ଭ ଭଳି କ୍ଷାତ୍ରଶକ୍ତିମାନ୍, ଶାସ୍ତ୍ରଜ୍ଞ ବୀରପୁରୁଷର ଉଚିତ କାର୍ଯ୍ୟ ? ପଶୁବଳରେ ମାତି ବାରମ୍ବାର ବିପଦର ସମ୍ମୁଖୀନ ହେଉଅଛ, ତେବେ ବି ତୁମ୍ଭର ଚେତନା ହେଉ ନାହିଁ । ତୁମ୍ଭର ଏପରି କୁବୁଦ୍ଧି ଆମ୍ଭମାନଙ୍କର ଦୁର୍ଭାଗ୍ୟ ସିନା । ଯେଉଁ ମହାବଳ ସହସ୍ରାର୍ଜ୍ଜୁନ ତୁମ୍ଭଙ୍କୁ ବନ୍ଦୀଶାଳାରେ ରଖି ଚେଡ଼ିଦତ୍ତ ଉଚ୍ଛିଷ୍ଟ ଅନ୍ନରେ ବଞ୍ଚାଇ ରଖିଥିଲା, ତାକୁ ଯେ ମାରିଥିଲା, ସେ ପରଶୁରାମ ଯାହାଠାରେ ପରାସ୍ତ ହେଲା, ପୁଣି ଯେ ସମୁଦ୍ରକୁ ବନ୍ଧରେ ପାର ହେଲା, ସେ ରାମ କଣ ସାମାନ୍ୟ ମନୁଷ୍ୟ ? ଏଭଳି ଅସାଧ୍ୟ ସାଧନ କି କ୍ଷୁଦ୍ରପ୍ରାଣ ବ୍ୟକ୍ତି କରିପାରେ ? ତୁମ୍ଭେ କି ସାହସରେ ତାହା ସଙ୍ଗରେ ଯୁଦ୍ଧ କରିବାକୁ ଗଲ ?’’ ରାବଣ ଆଉ ସହିପାରିଲା ନାହିଁ, ମୁହଁ ଥମ୍ ଥମ୍ କରି କହିଲା–‘‘ତୁ ଏକା ବଡ଼ ଜାଣିବା ବ୍ୟକ୍ତି, ଆଉ ସମସ୍ତେ ଅଜାଣ ପଶୁ । ଦିନରାତି ଶୋଇ ଶୋଇ ତୁ ତ ଗୋଟାଏ ପଣ୍ଡିତ ପାଲଟିଗଲୁଣି । ଗୁରୁଦେବଙ୍କ ପରି ଖୁବ୍ ଉପଦେଶ ବି ଦେଇ ଶିଖିଲୁଣି । ଗୋଟାଏ କିଛି ଭେକ ଧର, ଢେର ଚେଲା ଯୁଟିବେ । ତୋତେ ଭଟ୍ଟାଚାର୍ଯ୍ୟ ଉପାଧି ଦେଲେ ବେଶ୍ ମାନନ୍ତା । ତୋର ଆଉ ବିଭୀଷଣର ଏକା ଜାତକ ପରା ! ତୁ ବି ତାହାରି ପରି ନରବାନରର ଚରଣଧୂଳି ମୁଣ୍ଡରେ ବୋଳିହୋଇ ଆଉ ପାଦୋଦକ ପାନ କରି କୃତାର୍ଥ ହେବୁ ଯା । ରାକ୍ଷସ-କୁଳର ଗୌରବ ଦାଉ ଦାଉ ଜଳି ଉଠିବ । ତୁମ୍ଭରି ପରି ବୀରପୁରୁଷ ଯେଉଁ ମା-ବାପ ଜନ୍ମକରନ୍ତି, ସେ ମା ବନ୍ଧ୍ୟା ଆଉ ସେ ବାପ କ୍ଳୀବ ।’’ କୁମ୍ଭକର୍ଣ୍ଣ ଅଗ୍ରଜକୁ କ୍ରୁଦ୍ଧ ହେବାର ଦେଖି ଆଉ କିଛି ନ କହି କାଳାନ୍ତକ ଶୂଳ ଅସ୍ତ୍ର ଧରି ଯୁଦ୍ଧଯାତ୍ରା କଲା ।
କୁମ୍ଭକର୍ଣ୍ଣର ଶରୀର ଅତି ପ୍ରକାଣ୍ଡ । ତାହାର କର୍ଣ୍ଣକୁଣ୍ଡ କଳସୀ ପରି । ଏହି ହେତୁ ତାହାର ନାମ କୁମ୍ଭକର୍ଣ୍ଣ ହୋଇଅଛି । ଦେହ ବଜ୍ର ପରି ଦୃଢ଼, ସେଥିରେ ସହଜରେ ବାଣ ଫୁଟେ ନାହିଁ । କୁମ୍ଭକର୍ଣ୍ଣ ସଙ୍ଗରେ ଅନେକ ବଛା ବଛା ରାକ୍ଷସବୀର ଯୁଦ୍ଧ କରିବାକୁ ଆସିଲେ । ବାନରମାନେ ଗଛ ପତର ଫିଙ୍ଗି ରଥ, ଅଶ୍ୱ, ସାରଥି ସହ ସେମାନଙ୍କୁ ଚୂର୍ଣ୍ଣ କରିଦେଲେ । କୁମ୍ଭକର୍ଣ୍ଣ ଏହା ଦେଖି କ୍ରୁଦ୍ଧ ହୋଇ ବାନର ସୈନ୍ୟମାନଙ୍କୁ ଧରି ଗିଳିବାକୁ ଲାଗିଲା, ମାତ୍ର ବାନରମାନେ ତାହା ପେଟକୁ ନ ଯାଇ ଗିରିଗୁହା ସଦୃଶ ନାକକାନ ପଥରେ ବାହାରି ଆସିଲେ । ତାହାର ପ୍ରଚଣ୍ଡ ପ୍ରତାପ ସହି ନ ପାରି ବାନର ସେନା ଛତ୍ରଭଙ୍ଗ ହୋଇ ଇତସ୍ତତଃ ପଳାଇଗଲେ । ତହୁଁ ରାମଚନ୍ଦ୍ର ଆସି ତାହା ସହିତ ଯୁଦ୍ଧ କଲେ । ତାଙ୍କର ଅନେକ ବାଣ ରାକ୍ଷସ ଦେହରେ ବାଜି ବ୍ୟର୍ଥ ହେଲା । ସେ ଟହ ଟହ ହୋଇ ହସିଉଠି କହିଲା–‘‘ରାଘବ, ମୁଁ ଖର ଦୂଷଣ ପରି ସାମାନ୍ୟ ରାକ୍ଷସ ନୁହେ, ତୋର ଯେତେ ଅସ୍ତ୍ର ଅଛି ମାର, କାହିଁରେ ମୋର ରୋମ କମ୍ପିବ ନାହିଁ ।’’ ରାମଚନ୍ଦ୍ର ରାକ୍ଷସର ଏହି ଅବଜ୍ଞାସୂଚକ ପରିହାସ ବାକ୍ୟ ଶୁଣି ମହା କ୍ରୋଧରେ ମହାସ୍ତ୍ର ପ୍ରୟୋଗ କରି ତାହାକୁ ସଂହାର କଲେ । ରାବଣ ଭ୍ରାତୃମରଣ ଶୁଣି ଅନେକ ବାହୁନି କାନ୍ଦିଲା । ସେ ହତାଶାବୋଳା ଦୀର୍ଘ ନିଃଶ୍ୱାସ ପକାଇ କହିଲା, ‘‘ହାୟ, ଆଜି ମୋର ଦକ୍ଷିଣହସ୍ତ ଛିଡ଼ିପଡ଼ିଲା । ମହାବୀର କୁମ୍ଭକର୍ଣ୍ଣ ମଲା, ଆଉ ଏ ରାକ୍ଷସକୁଳର ବିପୁଳ ମାନ ମହତ୍ତ୍ୱ କିଏ ରକ୍ଷା କରିପାରିବ ?’’ ପିତାର ବିଳାପ ଶୁଣି ଇନ୍ଦ୍ରଜିତ ପ୍ରତିଜ୍ଞା କରି ଯୁଦ୍ଧ କରିବାକୁ ଆସିଲା । ଦୁଷ୍ଟ ମାୟାବୀ ମାୟା ସୀତା ନିର୍ମାଣ କରାଇ ଯୁଦ୍ଧସ୍ଥଳରେ ଆଣି ଖଡ୍ଗାଘାତରେ ତାହାର ଶିରଚ୍ଛେଦନ କରି ଗଡ଼କୁ ଫେରିଗଲା । ତାହାର ଦୁରୁଦ୍ଦେଶ୍ୟ ଏହି ଯେ-ପ୍ରାଣପ୍ରିୟା ସୀତାଙ୍କ ମୃତ୍ୟୁରେ ରାମଚନ୍ଦ୍ର ନିଶ୍ଚୟ ଆତ୍ମହତ୍ୟା କରିବେ । ତାହାହେଲେ ସବୁ ଅରିଷ୍ଟ ସହଜରେ ଖଣ୍ଡିଯିବ । କିନ୍ତୁ ବୃଥା ଆଶା ! ଦୁଷ୍ଟର ସେ ଚାତୁରୀ ବିଭୀଷଣର ସତର୍କ ଦୃଷ୍ଟି ଅନ୍ତରାଳରେ ରହିଲା ନାହିଁ । ସେ ମନୋଗତି ଚାରପଠାଇ ବୁଝିଲା, ସୀତା ଅଶୋକ ବନରେ ନିରାପଦରେ ଅଛନ୍ତି । ରାମଚନ୍ଦ୍ର ଏହା ଶୁଣି ମିତ୍ରକୁ ଧନ୍ୟ ଧନ୍ୟ କହି ଆଲିଙ୍ଗନ କଲେ । ବାନରମାନେ ବିଭୀଷଣର ଚରିତ୍ରକୁ କୋଟି କଣ୍ଠରେ ପ୍ରଶଂସା କରିବାକୁ ଲାଗିଲେ । ତହିଁ ଇନ୍ଦ୍ରଜିତ-ବଧର ମନ୍ତ୍ରଣା ଲାଗିଲା । ସେଥିରେ ସ୍ଥିର ହେଲା-ବିଭୀଷଣ ଲକ୍ଷ୍ମଣଙ୍କୁ ସଙ୍ଗରେ ଘେନି ରାତିରେ ଲଙ୍କା ମଧ୍ୟରେ ପଶି ଇନ୍ଦ୍ରଜିତର ଯଜ୍ଞଭଙ୍ଗପୂର୍ବକ ତାହାକୁ ବଧ କରିବେ । ଏହି ପ୍ରସ୍ତାବ ଯଥାସମୟରେ କାର୍ଯ୍ୟରେ ପରିଣତ ହେଲା । ବିଭୀଷଣ ସାହାଯ୍ୟରେ ଲକ୍ଷ୍ମଣ ଲଙ୍କାଗଡ଼ରେ ପଶି ଯଜ୍ଞସ୍ଥାନରେ ଇନ୍ଦ୍ରଜିତକୁ ସଂହାର କଲେ । ପ୍ରିୟପୁତ୍ରର ମୃତ୍ୟୁରେ ରାବଣର ପିତୃ-ହୃଦୟ ଖଣ୍ଡ ଖଣ୍ଡ ହୋଇ ଫାଟିଗଲା । ସେ ନିସ୍ତେଜ ହୋଇପଡ଼ିଲା; ଚେତନା ପାଇ ଅସମ୍ଭାଳ କ୍ରୋଧରେ ସମର କ୍ଷେତ୍ରକୁ ଧାଇଁଲା । ସଙ୍ଗରେ ଅସଂଖ୍ୟ ବଡ଼ ବଡ଼ ବୀର ଆସିଲେ । ସେଦିନ ରାବଣ ପୁତ୍ରଶୋକରେ ଅଧୀର ହୋଇ ଅତି ଭୀଷଣ ଯୁଦ୍ଧ କରିବାକୁ ଲାଗିଲା । ଉଭୟ ପକ୍ଷରୁ ଅସଂଖ୍ୟ ସୈନ୍ୟ ନିହତ ହେଲେ । ମୃତ ବୀରମାନଙ୍କର ମୁକୁଟ, ଅଳଙ୍କାର ପ୍ରଭୃତିର ଜ୍ୟୋତିରେ ରଣଭୂମି ତାରକିତ ଦିଶିଲା ରାବଣ ଅମରତ୍ରାସ ‘‘ଶକ୍ତିଶଲ୍ୟ’ ନାମକ ଅବ୍ୟର୍ଥ ଅସ୍ତ୍ର ଲକ୍ଷ୍ମଣଙ୍କ ପ୍ରତି ପ୍ରୟୋଗ କଲା । ଲକ୍ଷ୍ମଣ ସେହି ମହାବାଣରେ ବିଦ୍ଧବକ୍ଷ ହୋଇ ଚେତନା ହରାଇ ତଳେ ପଡ଼ିଗଲେ । ରାବଣ ଏହି ଭୀଷଣ ପ୍ରତିଶୋଧ ନେଇ ସେଦିନ ଆଉ ଯୁଦ୍ଧ ନ କରି ଫେରିଗଲା ।
ରାମଚନ୍ଦ୍ର ପ୍ରାଣାଧିକ ଲକ୍ଷ୍ମଣଙ୍କୁ ମୃତବତ୍ ଦେଖି ଶଙ୍କିତ ହେଲେ; ମାତ୍ର ଧୈର୍ଯ୍ୟ ହରାଇଲେ ନାହିଁ । ଦୁର୍ବଳ ହୃଦୟ ବିପଦରେ ଅଧୀର ହୋଇପଡ଼େ ସିନା; ମାତ୍ର ମହାହୃଦୟ ମହାବିପଦରେ ସୁଦ୍ଧା ଅଟଳ । ରାମଚନ୍ଦ୍ର ଅନୁଜକୁ ବଞ୍ଚାଇବାର ଉପାୟ ଚିନ୍ତା କଲେ; କିନ୍ତୁ ତାଙ୍କୁ ଅଧିକ କ୍ଷଣ ଚିନ୍ତା କରିବାକୁ ହେଲା ନାହିଁ । ବୈଦ୍ୟରାଜ ସୁଷେଣ ରାମଚନ୍ଦ୍ରଙ୍କୁ ବିମର୍ଷ ଓ ଚିନ୍ତାନ୍ୱିତ ଦେଖି କର ଯୋଡ଼ି ଛାମୁରେ ଆସି ଜଣାଇଲା–‘‘ରଘୁପତି, ଆପଣ ଚିନ୍ତିତ ହୁଅନ୍ତୁ ନାହିଁ । ଗନ୍ଧମାଦନ ନାମକ ପର୍ବତରେ ବିଶଲ୍ୟକରଣୀ ଔଷଧ ଅଛି । ଏହି ରାତି ମଧ୍ୟରେ ସେହି ଔଷଧ ଆଣି ଦେଲେ ମୁଁ ଲକ୍ଷ୍ମଣଙ୍କୁ ଜୀଆଇଦେବି । ଏହି ଅସାଧ୍ୟ କାର୍ଯ୍ୟ ସାଧନ କରିବାକୁ ମହାବୀର ହନୁମାନ ଏକା ସମର୍ଥ ।’’ ରାମଚନ୍ଦ୍ର ଏହା ଶୁଣି ମହୌଷଧି ଆଣିବା ସକାଶେ ହନୁମାନକୁ ଆଦେଶ ଦେଲେ । ତହୁଁ ପାବନି ଯୋଗବଳରେ ପବନଗତିରେ ବହୁ ଦୂରବର୍ତ୍ତୀ ଗନ୍ଧମାଦନ ପର୍ବତକୁ ଯାଇ ବିଶଲ୍ୟକରଣୀ ଘେନି ଆସିଲା । ସୁଷେଣ ସେହି ଔଷଧରେ ଲକ୍ଷ୍ମଣଙ୍କୁ ଜୀଆଇଦେଲେ । ଲକ୍ଷ୍ମଣ ନିଦ୍ରାରୁ ଉଠିଲା ପରି ଉଠି ବସିଲେ । ରାମଚନ୍ଦ୍ର ହୃତନିଧି ପାଇ ଆନନ୍ଦରେ କାନ୍ଦିପକାଇଲେ । ବାନରମାନେ ମହୋଲ୍ଲାସରେ ମାତି ‘‘ଜୟ ରାମଚନ୍ଦ୍ର, ଜୟ ଲକ୍ଷ୍ମଣ ’ ଶବ୍ଦରେ ଗଗନ ପବନ କମ୍ପାଇଦେଲେ ।
ଲକ୍ଷ୍ମଣ ଜୀଇଉଠିବାର ଶୁଣି ରାବଣ ଅତି ଆଶ୍ଚର୍ଯ୍ୟ ହୋଇ କହିଲା–‘‘ଯେଉଁ ଶକ୍ତିଶେଳ ବାଣରେ ଦେବତା, ଯକ୍ଷ, ରକ୍ଷ କାହାରି ନିସ୍ତାର ନାହିଁ, ସେହି ଅମୋଘ ମହାସ୍ତ୍ର କ୍ଷୁଦ୍ରଜୀବ ମନୁଷ୍ୟର ପ୍ରାଣ ସଂହାର କରିପାରିଲା ନାହିଁ, ଏହାଠାରୁ ବଳି ଆଶ୍ଚର୍ଯ୍ୟ ବ୍ୟାପାର ଆଉ କଅଣ ଅଛି ? ଉଃ, ରାମଲକ୍ଷ୍ମଣ କି ବିଷମ ବୈରୀ, ମରି ସୁଦ୍ଧା ମରୁ ନାହାନ୍ତି ! ବନରେ ପ୍ରଚଣ୍ଡ ଦାବାନଳ ଚରିଆସି ଯେପରି ମହାବୃକ୍ଷର ଶାଖାପତ୍ର ନାଶି ଶେଷରେ ମୂଳକୁ ଗ୍ରାସ କରେ, ଏ ଦୂରନ୍ତ ରିପୁ ମୋ ପକ୍ଷରେ ସେହିପରି ହୋଇଅଛି । ଲଙ୍କାର ବଜ୍ରପ୍ରାଚୀରସ୍ୱରୂପ କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ ଗଲେ ଓ ଜ୍ଞାତି, ପରିବାର ପୁଅ ନାତି ସମସ୍ତେ ଗଲେ, ଖାଲି ମୁଁ ଥୁଣ୍ଟାଗଛ ପରି ଏକୁଟିଆ ଅଛି । ଯାହାହେଉ, ନିଜ ହାତରେ ତ ମୁଁ ନିଜ ଅଦୃଷ୍ଟରେ ଅଗ୍ନି ସଂଯୋଗ କରିଅଛି, ଏବେ ଆଉ ଦୁଃଖ କଲେ କଅଣ ହେବ ? ଏ ଦୁର୍ଜୟ ରିପୁ ମୋର ଶକ୍ତି ଶୋଷଣ କରିଅଛି, ମୋତେ ନ ମାରି ସେ କ୍ଷାନ୍ତ ହେବ ନାହିଁ । ତାହା ହେଉ ପଛେ; ମାତ୍ର ଯୁଦ୍ଧ କେଭେଁ ଛାଡ଼ିବ ନାହିଁ । ମୁଁ କି ଏଡ଼େ ଅଭାଜନ ଯେ, ଛାର ପ୍ରାଣ ପାଇଁ ମହତ୍ତ୍ୱ ହରାଇ ବସିବି । ସମସ୍ତଙ୍କୁ ମରାଇ ନିଜେ ବଞ୍ଚି ରହିବାକୁ କେଉଁ ଅଧମ ସୁଦ୍ଧା ଇଚ୍ଛା କରିବ ନାହିଁ । ଯେଉଁ ମାନେ ମୋ ଲାଗି ମରିଅଛନ୍ତି, ସେମାନଙ୍କ ପ୍ରେତାତ୍ମାର ସମ୍ମାନ ପାଇଁ ମୁଁ ସୁଦ୍ଧା ମରିବି । ଘୃଣିତ ଜୀବନ ଘେନି ବଞ୍ଚି ରହିବାରେ କି ଫଳ ? ପୁଣି ମହାଶ୍ମଶାନ ମଧ୍ୟରେ ଶବସିଂହାସନରେ ବସି ରାଜତ୍ୱ କରିବାରେ ବା କି ଲାଭ ? ଯେ ମୋତେ ଦେଖି ଭୟରେ ଥରୁଥିଲା, ସେ ଏବେ ଦେଖିଲେ ହସିବ, ସେ ଅପମାନ ମୁଁ ସହିପାରିବି ନାହିଁ । ଏବେ ମୁଁ ବୁଝିଲି ରାମଚନ୍ଦ୍ର ସାମାନ୍ୟ ବ୍ୟକ୍ତି ନୁହନ୍ତି–ବାସ୍ତବରେ ସେ ପରଂବ୍ରହ୍ମଙ୍କର ଅବତାର । ତାଙ୍କ ହାତରେ ସମ୍ମୁଖ ଯୁଦ୍ଧରେ ମୁଁ ମଲେ ମୁକ୍ତିଲାଭ କରିବି । ତେବେ ଏ ସୁଯୋଗ ଛାଡ଼ିବି କାହିଁକି ? ଏହି ସୌଭାଗ୍ୟ ମୃତ୍ୟୁ ମୋତେ ଅମର କରି ରଖିବ । ଭକ୍ତିରେ ଭଗବାନ ଶୀଘ୍ର ମିଳନ୍ତି ନାହିଁ; ଶତ୍ରୁ ଭାବରେ ଶୀଘ୍ର ମିଳନ୍ତି । ଅତଏବ ଯୁଦ୍ଧ କରିବା ହିଁ ମୋ ପକ୍ଷରେ ନିତାନ୍ତ ଶ୍ରେୟସ୍କର ।’’ ରାବଣ ଏହିପରି ଭାବି ଅବଶିଷ୍ଟ ରାକ୍ଷସବୀରଙ୍କୁ ଡାକି ଯୁଦ୍ଧକୁ ପଠାଇଲା; ମାତ୍ର ସେମାନେ ଆଉ ବାହୁଡ଼ି ଆସିଲେ ନାହିଁ । ନରାନ୍ତକ, ଦେବାନ୍ତକ, ତ୍ରଶିରା, କୁମ୍ଭ, ନିକୁମ୍ଭ, ମକରାକ୍ଷ, ତରଣୀସେନ ଓ ବୀରବାହୁ ପ୍ରଭୃତି ମହାବୀର ଯୁଦ୍ଧକ୍ଷେତ୍ରରେ ପ୍ରାଣତ୍ୟାଗ କଲେ । ଯେଉଁମାନେ ବର ପ୍ରଭାବରେ ଅବଧ୍ୟ, ବିଭୀଷଣ ସେମାନଙ୍କର ମୃତ୍ୟୁ ରହସ୍ୟ କହିଦେଇ ସମସ୍ତଙ୍କୁ ମରାଇଲା । ସାଧୁ ବିଭୀଷଣ ସ୍ୱୀୟ ଚରିତ୍ରର ଯେଉ ଅପୂର୍ବ ମହତ୍ତ୍ୱ ଦେଖାଇଥିଲା, ତାହା ବାସ୍ତବରେ ଅତୁଳନୀୟ । ସେଭଳି ମହତ୍ତ୍ୱ ଦେବ-ପ୍ରାଣରେ ସୁଦ୍ଧା ଦୁର୍ଲଭ । ସେ ନିଜର ପୁତ୍ର ତରଣୀସେନ ମୃତ୍ୟର ଗୁପ୍ତ ଉପାୟ କହିଦେଇ ରାମଚନ୍ଦ୍ରଙ୍କ ଦ୍ୱାରା ତାକୁ ମରାଇଥିଲା । ରାମଚନ୍ଦ୍ର ପଛରେ ତାହା ଜାଣିପାରି ଶୋକ ଓ ଅନୁତାପରେ କାନ୍ଦିପକାଇ କହିଲେ–‘‘ମିତ୍ରବର, ହାୟ, ତୁମ୍ଭର ପ୍ରାଣ କି ପାଷାଣରେ ଗଢ଼ା ହୋଇଅଛି ? ନିଜ ଆତ୍ମଜର ମରଣ-ଭେଦ କହିଦେଇ ତାକୁ ମରାଇବାକୁ କି ତୁମ୍ଭ ମନରେ ତିଳେମାତ୍ର ଦୁଃଖ ହେଲା ନାହିଁ ? ତୁମ୍ଭର ବିଭୀଷଣ ନାମ ସାର୍ଥକ । ଏଭଳି ଭୀଷଣ ଦୁଃଖ ଯେ ସହିପାରେ, ତାହାର ବିଭୀଷଣ ନାମ ଅକ୍ଷରେ ଅକ୍ଷରେ ସତ୍ୟ ।’’ ବିଭୀଷଣ ହସି ହସି କହିଲା–‘‘ପ୍ରାଣ ପାଷାଣରେ ଗଢ଼ା କାହିଁକି ହେବ ପ୍ରଭୁ ? ତୁମ୍ଭରି କୃପାଦତ୍ତ ଜ୍ଞାନ ମୋତେ ଯାହା ଶିଖାଇଅଛି, ମୁଁ ତାହାହିଁ କରିଅଛି । ସଂସାରରେ ମୁଁ କେତେ ଥର ମରି କେତେ ଥର ଜନ୍ମିଅଛି, ତାହା ତୁମ୍ଭର ଅଜ୍ଞାତ ନୁହେଁ । କେତେ ସ୍ଥାନରେ ମୋର ପରିବାର ଥିବେ; କିନ୍ତୁ ମୁଁ ତାଙ୍କୁ ଭୁଲିଯାଇଅଛି । ଆଖି ବୁଜିଲେ ବର୍ତ୍ତମାନ ସ୍ୱଜନମାନଙ୍କୁ ବି ସେହିପରି ଭୂଲିଯିବି । ସବୁ ତ ଭୁଲରେ ମିଳାଇଯାଉଅଛି, ତେବେ ବୃଥା ଦୁଃଖ କରିବି କାହିଁକି କାହା ଲାଗି ପ୍ରଭୁ ? ଏ ସଂସାରରେ ମୋର କିଏ ଅଛି ? ତେବେ ଦୁଃଖ ଏହି ଯେ, ମୋର ଭାଗ୍ୟଧର ପୁତ୍ର ‘ତରଣୀ’ ତୁମ୍ଭ ହାତରେ ମରି ବୈକୁଣ୍ଠରେ ସ୍ଥାନ ପାଇଲା; କିନ୍ତୁ ଆଜନ୍ମ ଶ୍ରୀଚରଣ-ସେବା କରି ମୋର କଣ ହେଲା–ମୁଁ ଏହି ଜଞ୍ଜାଳମୟ ସଂସାର-ବିନ୍ଧନରେ ପଡ଼ି ପଚି ସଢ଼ି ଜୀବନ୍ତ ମରଣ ଯନ୍ତ୍ରଣା ଭୋଗ କରୁଥିବି ସିନା ! ସେ ଯାହା ହେଉ, ତରଣୀସେନ ଜୀବିତ ଥିଲେ ରଣଜୟ କରି ହୁଅନ୍ତା ନାହିଁ । ସେ ସାମାନ୍ୟ ଶକ୍ତିଧର ନୁହେଁ ! ଲଙ୍କାରେ କେବଳ ଇନ୍ଦ୍ରଜିତ ତାହାର ସମକକ୍ଷ । ମୁଁ ତାହାକୁ ମରାଇ ସତ୍ୟରକ୍ଷା ଓ ଧର୍ମରକ୍ଷା କରିଅଛି ।’’ ରାମଚନ୍ଦ୍ର ଏହା ଶୁଣି ମହାମିତ୍ର ବିଭୀଷଣକୁ କୁଣ୍ଢାଇପକାଇ କହିଲେ–‘‘ସୁହୃଦ୍-ପ୍ରବର, ଦୁଃଖିତ ହୁଅ ନାହିଁ, ତୁମ୍ଭର ସ୍ଥାନ ମୋର ଏହି ହୃଦୟ ଭିତରେ ।’’ ବିଭୀଷଣ ସାଫଲ୍ୟ ଅଶ୍ରୁ ବିସର୍ଜନ କରି ଆନନ୍ଦ ଗଦ୍ଗଦ କଣ୍ଠରେ କହିଲା–‘‘ନା ପ୍ରଭୁ, ହୃଦୟରେ ସ୍ଥାନ ଲଭିବା ଭଳି ଯୋଗ୍ୟତା ମୋର ନାହିଁ–ଶ୍ରୀଚରଣ ତଳେ ମୋର ସ୍ଥାନ ନିର୍ଦ୍ଦିଷ୍ଟ ହେଉ-।’’
ମହୀରାବଣ ନାମରେ ରାବଣର ଗୋଟାଏ ପୁଅ ଥିଲା । ଅନ୍ୟ ବୀର ଅଭାବରେ ରାବଣ ତାହାକୁ ଯୁଦ୍ଧକୁ ପଠାଇଲା । ମହୀରାବଣ ମାୟା ବିଦ୍ୟାରେ ଖୁବ୍ ନିପୁଣ । ଅନ୍ୟର କଥା କିଏ ପଚାରେ ଅଦ୍ଭୁତ ମହାମାୟା ବଳରେ ସେ ସ୍ୱୟଂ ମାୟାଦେବୀଙ୍କୁ ସୁଦ୍ଧା ମୋହିତ କରିପାରେ । ସେ ରାତିରେ ଆସି ମାୟାବିଦ୍ୟା ପ୍ରଭାବରେ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ବାହ୍ୟଜ୍ଞାନ ଆଚ୍ଛନ୍ନ କରି ତାଙ୍କୁ ପାତାଳପୁରକୁ ଘେନିଯାଇ ବନ୍ଦୀ କରି ରଖିଲା । ଅସାଧ୍ୟ ସାଧନଦକ୍ଷ ପ୍ରଭୁ–ଭକ୍ତ ମହାବୀର ହନୁମାନ ପାତାଳକୁ ଯାଇ ଅସାଧାରଣ ବୁଦ୍ଧି କୌଶଳରେ ମହୀରାବଣକୁ ସବଂଶ ନିପାତ କରି ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଉଦ୍ଧାର କରି ଆଣିଲା । ରାବଣ ଛଡ଼ା ଆଉ ଯୁଦ୍ଧ କରିବାକୁ କେହି ନାହିଁ । ବୀରଜନନୀ ଲଙ୍କା ଏବେ ବୀରଶୁନ୍ୟା । ଯେଉଁ ରାକ୍ଷସ ମହାବାହିନୀ ରୂପ ମହାସାଗର ଗର୍ଭରେ ଅସଂଖ୍ୟ ନକ୍ର, ଶିଶୁମାର, ତିମି, ତିମିଙ୍ଗଳ ଚହଟି ଖେଳୁଥିଲେ, ସେଥିରେ ଏବେ କ୍ଷୁଦ୍ର ମୀନ ଓ ଗେଣ୍ଡା ଶାମୁକା ଛଡ଼ା ଆଉ କିଛି ନାହିଁ । ଚାରୁ ହର୍ମ୍ୟବତୀ ସୁନ୍ଦରୀ ଲଙ୍କାପୁରୀ ବିଧବା ପରି ହତଶ୍ରୀ ଦିଶୁଛି । ପ୍ରତିମା ଦେହରୁ ରଙ୍ଗ ଛାଡ଼ିଗଲା ପରି ତାହାର ରୂପ ମଳିନ ଓ ନାରଖାର । ରାବଣ ଅନ୍ୟ ଉପାୟ ନ ଦେଖି ମହାକ୍ରୋଧରେ ଅଧୀର ହୋଇ ନିଜେ ଯୁଦ୍ଧକୁ ଆସିଲା । ହତାବଶିଷ୍ଟ ସୈନ୍ୟବୃନ୍ଦ ତାହା ସଙ୍ଗରେ ଆସିଲେ । ରାକ୍ଷସ ବାନର ମିଶାମିଶି ହୋଇ ଜୀବନର ମାୟା ତେଜି ଭୀଷଣ ସଂଗ୍ରାମରେ ପ୍ରବୃତ୍ତ ହେଲେ । ରାବଣ କେତେ ଯୁଦ୍ଧ କରିଛି, ତାହାର ସଂଖ୍ୟା ନାହିଁ; ମାତ୍ର ଏହି ଯୁଦ୍ଧ ତାହା ଜୀବନର ଶେଷ ଯୁଦ୍ଧ । ସେ ନିଜର ସମଗ୍ର ଶକ୍ତି ପ୍ରୟୋଗ କରି ଯୁଦ୍ଧ କରିବାକୁ ଲାଗିଲା । ବାନର ସେନା ଦଳ ଦଳ ହୋଇ ମରି ପଡ଼ିଗଲେ । ରାବଣର ଦୁର୍ଦ୍ଧର୍ଷ ପ୍ରତାପ କେହି ସହିପାରିଲେ ନାହିଁ । ତହୁଁ ରାମଚନ୍ଦ୍ର ଆସି ତାହା ସଙ୍ଗରେ ଯୁଦ୍ଧ କଲେ । ସେ ଯୁଦ୍ଧରେ ପଟାନ୍ତର ନାହିଁ । ପ୍ରଜ୍ଞମାନେ କହିଛନ୍ତି–ରାମରାବଣର ଯୁଦ୍ଧ ରାମ ରାବଣର ଅନୁରୂପ, ଅର୍ଥାତ୍ ତାହାର ତୁଳନା ନାହିଁ-। ଉଭୟେ ମହାରଥ, ମହାକ୍ଷତ୍ରୀ; ଧନୁର୍ବେଦରେ କେହି କାହାର ଊଣା ନୁହନ୍ତି । ସେହି ମହାଯୁଦ୍ଧରେ ସ୍ୱର୍ଗମର୍ତ୍ତ୍ୟ କମ୍ପମାନ ହେଲା । ରାମଚନ୍ଦ୍ରଙ୍କୁ ତଳେ ଠିଆ ହୋଇ ଯୁଦ୍ଧ କରିବାର ଦେଖି ଦେବରାଜ ଇନ୍ଦ୍ର ନିଜ ରଥ ପଠାଇଦେଲେ । ଦେବସାରଥି ମାତଳି ରଥ ଘେନି ଆସିଲା । ରାମଚନ୍ଦ୍ର ସେହି ଦେବରଥରେ ବସି ଯୁଦ୍ଧ କଲେ । ତାଙ୍କର ଅନେକ ପ୍ରସିଦ୍ଧ ବାଣ ରାବଣ ଉପରେ ବାଜି ବ୍ୟର୍ଥ ହେଲା । ଶେଷରେ ସେ ମାତଳିର ଉପଦେଶରେ ଅବ୍ୟର୍ଥ ବ୍ରହ୍ମାସ୍ତ୍ର ପ୍ରହାର କରି ରାବଣର ଦଶମୁଣ୍ଡ କାଟିପକାଇଲେ । ରାବଣ ପ୍ରାଣତ୍ୟାଗ କରି ରଣକ୍ଷେତ୍ରରେ ପତିତ ହେଲା । ବାନରମାନେ ଆନନ୍ଦହୁଙ୍କାର ଓ ଜୟଧ୍ୱନିରେ ପୃଥିବୀ କମ୍ପାଇଦେଲେ । ବିଭୀଷଣ ଛଡ଼ା ରାବଣର ବଂଶରେ ଆଉ କେହି ନାହାନ୍ତି । ରାମଚନ୍ଦ୍ରଙ୍କ ଆଦେଶରେ ବିଭୀଷଣ ରାଜୋଚିତ ବିଧାନରେ ଭ୍ରାତାର ଶବସଂସ୍କାର କଲା । ଅନ୍ତ୍ୟେଷ୍ଟି ପରେ ରାମଚନ୍ଦ୍ର ଧାର୍ମିକ ବିଭୀଷଣକୁ ଲଙ୍କାର ରାଜସିଂହାସନରେ ବସାଇଲେ । ମହାସତୀ ମନ୍ଦୋଦରୀକୁ ତାହାର ପଟମହିଷୀ ପଦରେ ଅଭିଷିକ୍ତ କଲେ ।
ଅନନ୍ତର ଜୟଶ୍ରୀମଣ୍ଡିତ ରାମଚନ୍ଦ୍ରଙ୍କ ଆଦେଶରେ ସୀତା ଅଶୋକ ବନରୁ ଆନୀତ ହେଲେ । ସତୀଶିରଟିକା ବୈଦେହୀ ଆସି ସ୍ୱାମୀଙ୍କର ପଦବନ୍ଦନ କଲେ । ତାଙ୍କର ଆନନ୍ଦାଶ୍ରୁରେ ରାମଚନ୍ଦ୍ରଙ୍କର ଶ୍ରୀଚରଣ ଧୌତ ହୋଇଗଲା । ସୀତାଙ୍କର କ୍ଷୀଣ, ମ୍ଳାନ ଶରୀର ଦେଖି ଉପସ୍ଥିତ ରାକ୍ଷସ ବାନର କାହାର ଚକ୍ଷୁ ଅନାର୍ଦ୍ର ରହିପାରିଲା ନାହିଁ । ରାମଚନ୍ଦ୍ର ସୀତାଙ୍କୁ କହିଲେ–‘‘ପ୍ରିୟେ, ତୁମ୍ଭେ ଚିରଶୁଦ୍ଧା ଓ ନିଷ୍ପାପା, ଏହା ମୁଁ ଜାଣେ, ତଥାପି ଲୋକମତ ସ୍ୱତନ୍ତ୍ର । ତୁମ୍ଭେ ଚଉଦ ମାସ କାଳ ରାକ୍ଷସ ଘରେ ବନ୍ଦିନୀ ହୋଇଥିଲ, ଏଥିରେ ତୁମ୍ଭ ଚରିତ୍ର ପ୍ରତି ଲୋକେ ସନ୍ଦେହ କରିପାରନ୍ତି । ସୁତରାଂ ତୁମ୍ଭେ ସମସ୍ତଙ୍କ ଆଗରେ ନିଜର ଶୁଦ୍ଧତାର ପରିଚୟ ଦିଅ ।’’ ସ୍ୱାମୀଙ୍କର ଏ କଠୋର ଆଦେଶ ଶୁଣି ସୀତା ଦୁଃଖିତ ବା ବିଚଳିତ ହେଲେ ନାହିଁ–ନିର୍ବିକାର ଚିତ୍ତରେ ଲକ୍ଷ୍ମଣଙ୍କୁ ଅଗ୍ନିକୁଣ୍ଡ ପ୍ରସ୍ତୁତ କରିବାକୁ କହିଲେ । ଲକ୍ଷ୍ମଣ ସୀତାଙ୍କର ଆଦେଶ ପାଳନ କଲେ । ସୀତା ସେହି ପ୍ରଜ୍ୱଳିତ ଅଗ୍ନିକୁଣ୍ଡରେ ପଶି କିଛିକ୍ଷଣ ବୁଡ଼ିରହି ଅକ୍ଷତ ଶରୀରରେ ବାହାରି ଆସିଲେ । ତାଙ୍କୁ ଏହି ଭୀଷଣ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଦେଖି ସମସ୍ତେ ଧନ୍ୟ ଧନ୍ୟ କହିଉଠିଲେ । ସ୍ୱୟଂ ଅଗ୍ନିଦେବ ଆସି ସୀତାଙ୍କ ସଚରିତ୍ରତାର ସାକ୍ଷ୍ୟ ଦେଲେ । ରାମଚନ୍ଦ୍ରଙ୍କର ମୃତ ପିତା ଦେବରୂପୀ ଦଶରଥ ଇନ୍ଦ୍ରାଦି ଦେବତାମାନଙ୍କ ସହିତ ଆସି ସୀତାଙ୍କ ସପକ୍ଷରେ କହିଗଲେ । ରାମଚନ୍ଦ୍ର ଆନନ୍ଦରେ ସୀତାଙ୍କୁ ଆଲିଙ୍ଗନ କରି ଗ୍ରହଣ କଲେ । ବହୁକାଳ ବିଚ୍ଛେଦ ପରେ ରାମଚନ୍ଦ୍ର ଓ ସୀତାଙ୍କର ମିଳନ ଘଟିଲା । ବିଚ୍ଛେଦ ପରେ ଯେଉଁ ମିଳନ, ତାହାର ମଧୁରତା ଦେବଭୋଗ୍ୟ ଅମୃତରେ ନାହିଁ । ବିଚ୍ଛେଦ ସିନା ମିଳନକୁ ମଧୁମୟ କରେ ! ବିଚ୍ଛେଦ ନ ଥିଲେ ମିଳନର ମୂଲ୍ୟ ସୁଦ୍ଧା ଥାନ୍ତା ନାହିଁ । ଅନ୍ଧାର ନ ଥିଲେ ଆଲୁଅକୁ କିଏ ଗୌରବ କରନ୍ତା ? ସୀତାଙ୍କ ପ୍ରତି ଯେଉଁ ରାକ୍ଷସୀମାନେ ସଦୟ ବ୍ୟବହାର କରିଥିଲେ, ବିଭୀଷଣ ସେମାନଙ୍କୁ ଉପଯୁକ୍ତ ପୁରସ୍କାର ପ୍ରଦାନ କଲା, ଆଉ ଯେଉଁମାନେ କ୍ରୂର ବ୍ୟବହାର କରିଥିଲେ, ରାମଚନ୍ଦ୍ର ଦୟା କରି ସେମାନଙ୍କୁ କ୍ଷମା କଲେ । କ୍ଷମା ସିନା ମହାଜନର ମହାର୍ହ ଭୂଷଣ !
ଯୁଦ୍ଧ ଶେଷ ହେବାବେଳକୁ ରାମଚନ୍ଦ୍ରଙ୍କର ବନବାସ କଣ୍ଟ ଚଉଦବର୍ଷ ଅତୀତ ହୋଇଯାଇଥିଲା । ରାମଚନ୍ଦ୍ର ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟାକୁ ଫେରିଯିବାକୁ ଇଚ୍ଛାକଲେ । ବିଭୀଷଣର ଆଦେଶରେ ଶୂନ୍ୟଗାମୀ ପୁଷ୍ପକ ରଥ ମଣ୍ଡିତ ହୋଇ ଆସିଲା । ରାମଚନ୍ଦ୍ର ବାନରମାନଙ୍କୁ ବିଦାୟ ଦେବାକୁ ଇଚ୍ଛାକଲେ; ମାତ୍ର ସେମାନେ ରାମଚନ୍ଦ୍ରଙ୍କର ମଧୁର ସହବାସ ସୁଖ ତେଜି ନ ପାରି ଅଯୋଧ୍ୟା ପର୍ଯ୍ୟନ୍ତ ତାଙ୍କ ସଙ୍ଗରେ ଯିବାକୁ ଅଳି କଲେ । ରାମଚନ୍ଦ୍ର ଆନନ୍ଦ ସହ ସେଥିରେ ସମ୍ମତି ହୋଇ ବାନରମାନଙ୍କୁ ସଙ୍ଗରେ ଯିବାକୁ ଆଦେଶ ଦେଲେ । ବିଭୀଷଣ ସୁଦ୍ଧା ସଙ୍ଗରେ ଯିବାକୁ ଅନୁମତି ପାଇଲେ । ରାମଚନ୍ଦ୍ର ଆଉ ବିଳମ୍ବ ନ କରି ଲକ୍ଷ୍ମଣ, ସୀତା, ରାକ୍ଷସ, ବାନର ସମସ୍ତଙ୍କୁ ଘେନି ରଥରେ ବସି ଅଯୋଧ୍ୟାଭିମୁଖରେ ଯାତ୍ରା କଲେ । ଯାଉଁ ଯାଉଁ ରାମଚନ୍ଦ୍ର ଓ ସୀତା ବିଚ୍ଛେଦ କାଳର ଦୁଃଖ କଥା କୁହାକୁହି ହୋଇ ପରସ୍ପରର ମନ ହରଣ କରିବାକୁ ଲାଗିଲେ ଏବଂ ଦୁହେଁ ଦୁହିଙ୍କର ହୃଦୟ ବିନିମୟ କରି ଗତ ଦୁଃଖଦୁର୍ଗତି ସବୁ ଭୁଲିଗଲେ । ମଧୁର, ପବିତ୍ର, ନିର୍ମଳ ଦାମ୍ପତ୍ୟପ୍ରେମରେ ଦୁହିଁଙ୍କର ହୃଦୟ ଉଚ୍ଛୁଳି ଉଠିଲା । ଯଥାସମୟରେ ପୁଷ୍ପକବିମାନ ଯାଇ ଭରତର ନବସ୍ଥାପିତ ରାଜଧାନୀ ନନ୍ଦୀଗ୍ରାମରେ ଉପସ୍ଥିତ ହେଲା । ସମସ୍ତେ ରଥରୁ ଓହ୍ଲାଇ ଭରତଙ୍କଦ୍ୱାରା ଯଥୋଚିତ ସତ୍କୃତ ହୋଇ ସେହିଠାରେ ଅବସ୍ଥାନ କଲେ ।
ନନ୍ଦୀଗ୍ରାମରେ ରାମଚନ୍ଦ୍ର, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଚାରିଭାଇଙ୍କର ମିଳନ ହେଲା । ସ୍ନେହ, ଭକ୍ତି ଓ ଆନନ୍ଦର ଅଶ୍ରୁ ପ୍ରବାହରେ ବକ୍ଷ ତିନ୍ତିଗଲା । ସେହି ତ୍ରିବେଣୀ ଅଶ୍ରୁତୀର୍ଥରେ ସମସ୍ତଙ୍କର ଶୋକ, ଦୁଃଖ ଧୋଇଗଲା । ରାମଚନ୍ଦ୍ର, ଲକ୍ଷ୍ମଣ ଓ ଭରତ ସେହିଠାରେ ମସ୍ତକରୁ ଜଟା ଖସାଇ ବଳ୍କଳ ପରିତ୍ୟାଗ କରି ନିଜ ନିଜ ସ୍ୱାଭାବିକ ବେଶରେ ସୀତାଙ୍କ ସହ ଯାଇ ଅଯୋଧ୍ୟାରେ ପ୍ରବେଶ କଲେ । ତାଙ୍କୁ ଦେଖି ପ୍ରଜା, ପୌରଜନ, ଆତ୍ମୀୟ ଓ ବନ୍ଧୁବର୍ଗ ନୂତନ ଜୀବନ ପାଇଲା ପରି ମଣିଲେ । ସେମାନଙ୍କ ହୃଦୟରେ ଆନନ୍ଦ ଉଚ୍ଛୁଳି ପଡ଼ିଲା । ହୃଦୟର ଦେବତା ପରି ସମସ୍ତେ ରାମଚନ୍ଦ୍ରଙ୍କୁ ଅର୍ଚ୍ଚନା କଲେ । ରାମଚନ୍ଦ୍ର ଶ୍ରଦ୍ଧା, ଭକ୍ତି, ସ୍ନେହ, ପ୍ରେମ, ସୌଜନ୍ୟ ପ୍ରଭୃତି ଯଥୋପଯୁକ୍ତ ଶିଷ୍ଟ ବ୍ୟବହାରରେ ସେମାନଙ୍କୁ ପରିତୁଷ୍ଟ କଲେ । ଅଯୋଧ୍ୟା ନଗରୀ ଆନନ୍ଦ ଉତ୍ସବରେ ମାତିଉଠିଲା । ତାହାର ପୂର୍ବଶ୍ରୀ ଫେରି ଆସିଲା । ସର୍ବତ୍ର ଆନନ୍ଦ-ଲହରୀ ଖେଳି ବୁଲିଲା । ନାଗରିକମାନଙ୍କ ପ୍ରାଣ ଆଭ୍ୟନ୍ତରରୁ ସୁଖ-ସନ୍ତୋଷର ମଧୁର ବଂଶୀ ବାଜିଉଠିଲା । ଶୁଭ ମୁହୂର୍ତ୍ତରେ ରାମଚନ୍ଦ୍ର ଭରତଙ୍କଠାରୁ ରାଜ୍ୟଭାର ଗ୍ରହଣ କଲେ । ଅଭିଷେକ ଉପଲକ୍ଷରେ ବହୁଦିନ ପର୍ଯ୍ୟନ୍ତ ରାଜ୍ୟରେ ନୃତ୍ୟ, ଗୀତ ପ୍ରଭୃତି ନିର୍ଦ୍ଦୋଷ ଆମୋଦର ସ୍ରୋତ ପ୍ରବାହିତ ହେଲା । ରାମଚନ୍ଦ୍ର ଶ୍ରାବଣ ମାସର ବର୍ଷଣକାରୀ ଘନ ପରି ଅଜସ୍ର ଦାନ କରିବାକୁ ଲାଗିଲେ । ସେ ମହାଦାନର ପଟାନ୍ତର ନାହିଁ । ଯେ ଯାହା ମାଗିଲା, ସେ ତାହା ପାଇଲା । ରାମଚନ୍ଦ୍ରଙ୍କ ଦାନରେ ଚିର ଦରିଦ୍ର ସୁଦ୍ଧା ଦାରିଦ୍ର୍ୟ ପାଶୋରିଗଲା । ଲୋକେ ଦାନ କରିବା ପାଇଁ ଦୁଃଖୀ ଭିକାରୀ ଖୋଜି ପାଇଲେ ନାହିଁ । ସେହି ବିପୁଳ ଦାନ ହେତୁ ରାମଚନ୍ଦ୍ରଙ୍କ ନାମରେ ଜୟ ଜୟକାର ଘୋଷିତ ହେଲା । ସଞ୍ଚୟର ସୁଖ ଦାନରେ ସିନା ! ରାଜଭଣ୍ଡାରର ସଞ୍ଚିତ ଅର୍ଥରାଶି ସତ୍ପାତ୍ରରେ ଦାନ କରି ରାମଚନ୍ଦ୍ର ପରମାନନ୍ଦ ଲାଭ କଲେ । ମହାଜନମାନେ ପ୍ରାପ୍ତିରେ ଆନନ୍ଦ ଉପଭୋଗ କରିନ୍ତି ନାହିଁ–ଦାନରେ କରନ୍ତି । ଅଭିଷେକ ପରେ ରାକ୍ଷସ ବାନରମାନେ ବିଦାୟ ଘେନି ନିଜ ନିଜ ରାଜ୍ୟାଭିମୁଖରେ ପ୍ରସ୍ଥାନ କଲେ-। ସେମାନେ ସ୍ୱୀୟ ଯୋଗ୍ୟତାର ବହୁଗୁଣ ପୁରସ୍କାର ପାଇ ବିଣେଷ ସନ୍ତୋଷ ଲାଭ କଲେ । ସମସ୍ତେ ଘରକୁ ଗଲେ, କିନ୍ତୁ ରାମଚନ୍ଦ୍ରଙ୍କ ସ୍ନେହମାୟା କାଟି ନ ପାରି ନିଜ ନିଜର ମନକୁ ଅଯୋଧ୍ୟାରେ ରଖିଗଲେ ।
ରାମଚନ୍ଦ୍ର ରାଜା ହୋଇ ନିଜର ସୁଖ ତ୍ୟାଗ କଲେ । ମହାପ୍ରାଣ ବ୍ୟକ୍ତିମାନେ ନିଜର ସୁଖରେ ଅନ୍ୟର ସୁଖ ଗଢ଼ିଦେଇ ଆତ୍ମପ୍ରସାଦ ଉପଭୋଗ କରନ୍ତି । ସୁଖଭୋଗକୁ ସେମାନେ ସୁଖ ମଣନ୍ତି ନାହିଁ; ସୁଖତ୍ୟାଗକୁ ସୁଖ ମଣନ୍ତି । ରାମଚନ୍ଦ୍ରଙ୍କର ଶାସନନୀତି ବଡ଼ ମଧୁର । ଅପରାଧୀ ସୁଦ୍ଧା ତାଙ୍କ ସୁବିଚାରରେ ସନ୍ତୁଷ୍ଟ ହେଉଥିଲା । ସେ ଉଦାର, ନିର୍ଦ୍ଦୋଷ, ପୂର୍ଣ୍ଣାଙ୍ଗ ରାଜନୀତିର ଆଦର୍ଶ ସର୍ବପ୍ରଥମେ ଦେଖାଇଥିଲେ । ପରବର୍ତ୍ତୀ ଯୁଗରେ ମହାରାଜା ଯୁଧିଷ୍ଠିର ସେହି ଶୁଭାଦର୍ଶ ଅନୁକରଣ କରି ତାହାର ବିକାଶ ସାଧନ କରିଥିଲେ । ସେ ରାଜନୀତି ଜଟିଳତା-କୁଟିଳତା-ବର୍ଜିତ, ସରଳ ଓ ନିରାଡ଼ମ୍ୱର, ସତ୍ୟ, ନ୍ୟାୟ ଧର୍ମ ତାର ମୂଳଭିତ୍ତି । ରାମଚନ୍ଦ୍ର ରାଜଯୋଗୀ, ପ୍ରକୃତି-ପାଳନ ରୂପ କଠୋର ଯୋଗ ସାଧନରେ ସେ ପରିପକ୍ୱତା ଲାଭ କରିଥିଲେ । ତାଙ୍କର ଅବ୍ୟର୍ଥ ବାଣ ଆତୁର ତାରଣ ପାଇ ସର୍ବଦା ଜାଗ୍ରତ ଥାଏ । ରାମଚନ୍ଦ୍ରଙ୍କ ଶାସନ-ପାଳନ ଗୁଣରେ ରାଜ୍ୟରେ ରୋଗ, ଶୋକ, ଅକାଳ ମରଣ, ଦାରିଦ୍ର୍ୟ, ଚୋର ଖଣ୍ଟର ଭୟ ରହିଲା ନାହିଁ । ଲୋକେ ସ୍ୱଧର୍ମକୁ ଆଶ୍ରୟ କରି ସତ୍ୟପଥରେ ଚାଲିଲେ । ଦ୍ୱେଷ, ହିଂସା ଘୁଞ୍ଚିଗଲା, ସାମ୍ୟ ଓ ମୈତ୍ରୀଭାବ ସମସ୍ତଙ୍କର ଚରିତ୍ରର ଅଳଙ୍କାରସ୍ୱରୁପ ହେଲା । ରାମଚନ୍ଦ୍ରଙ୍କ ଅମଳରେ ଅପରାଧୀ ଅଭାବରୁ କାରାଗାରମାନ ଶୂନ୍ୟ ପଡ଼ିରହିଲା । ପ୍ରଜାମାନେ ସତ୍ଶିକ୍ଷା ଲାଭ କରି ସଦୁପାୟରେ ସଂସାରଯାତ୍ରା ନିର୍ବାହ କରିବାକୁ ଲାଗିଲେ; ଚୌର୍ଯ୍ୟାଦି ପାପବୃତ୍ତି ଆଶ୍ରୟ ନ ପାଇ ମରିଗଲେ । କାହାରି ଦ୍ୱାରରେ କୁଞ୍ଚି ପଡ଼ିଲା ନାହିଁ । ପ୍ରହରୀମାନେ ନିଷ୍କର୍ମ ହୋଇ ବସି ରହିବାରୁ ରାଜ୍ୟରେ ଆଉ ପ୍ରହରୀ ରଖିବା ଆବଶ୍ୟକ ହେଲା ନାହିଁ । ପ୍ରଜାମାନେ ନିରୁପଦ୍ରବ ହୋଇ ସୁଖ-ଶାନ୍ତିରେ କାଳଯାପନ କଲେ । ଅବସ୍ଥା ସ୍ୱଚ୍ଛଳ ହେତୁ ଆଧ୍ୟାତ୍ମିକ ଚିନ୍ତା ଓ ଧର୍ମଚର୍ଚ୍ଚାର ମାହେନ୍ଦ୍ର ସୁଯୋଗ ସେମାନଙ୍କ ଭାଗ୍ୟରେ ଘଟିଲା । ବଶବର୍ତ୍ତୀ ପ୍ରଜା, ଆଜ୍ଞକାରୀ ଭ୍ରାତା ଓ ପ୍ରିୟବାଦିନୀ ଦେବୀ ସ୍ତ୍ରୀଙ୍କ ସହାୟତାରେ ରାମଚନ୍ଦ୍ର ପରମ ଉଲ୍ଲାସରେ ରାଜ୍ୟଯନ୍ତ୍ର ପରିଚାଳନ କରିବାକୁ ଲାଗିଲେ । ରାଜ୍ୟର ପ୍ରଜାବର୍ଗ ତାଙ୍କର ବିଶ୍ୱାସୀ ପ୍ରହରୀ, ସୁତାରାଂ ସ୍ୱତନ୍ତ୍ର ଶରୀରରକ୍ଷୀ ପ୍ରହରୀ ସେ ରଖି ନ ଥିଲେ । ସେ ଏକାକୀ ପଦବ୍ରଜରେ ବୁଲି ପ୍ରଜାଙ୍କର ଅବସ୍ଥା ପର୍ଯ୍ୟବେକ୍ଷଣ କରନ୍ତି ।
ରାମଚନ୍ଦ୍ର ପରମ ସୁଖରେ ଗୁଣବତୀ ସୀତାଙ୍କ ସହ କାଳଯାପନ କରିବାକୁ ଲାଗିଲେ । ତାଙ୍କର ଦାମ୍ପତ୍ୟ ଜୀବନ କ୍ରମେ ମଧୁମୟ ହୋଇଉଠିଲା; ମାତ୍ର କାହାରି ସୁଖ ଏ ସଂସାରରେ ସ୍ଥାୟୀ ହୁଏ ନାହିଁ କିମ୍ୱା ପୂର୍ଣ୍ଣତା ପ୍ରାପ୍ତ ହୁଏ ନାହିଁ । ସୀତା ଚଉଦ ମାସକାଳ ରାକ୍ଷସ ଘରେ ଥିଲେ, ରାମଚଦ୍ର ତାଙ୍କୁ ପୁନର୍ଗ୍ରହଣ କରିଥିବା ହେତୁ ଅତି ରକ୍ଷଣଶୀଳ ପ୍ରଜାମାନେ ମନେ ମନେ ଅସନ୍ତୁଷ୍ଟ ହେଲେ; ମାତ୍ର ସେମାନଙ୍କର ସେ ଭାବ ବାହାରକୁ ସ୍ପଷ୍ଟ ପ୍ରକାଶ ପାଇଲା ନାହିଁ, ତଥାପି ଚାରିଚକ୍ଷୁ ରାମଚନ୍ଦ୍ରଙ୍କର ତାହା ଅଜ୍ଞାତ ରହିଲା ନାହିଁ, ବିଶ୍ୱାସୀ ଚାର ମୁଖରୁ ଏହି ଲୋକାପବାଦ ଶୁଣି ହୃଦୟରେ ଭୀଷଣ ଆଘାତ ପାଇଲେ; କିନ୍ତୁ ନିର୍ବିକାରରେ ଏ କଳଙ୍କ ସହ୍ୟ କରିପାରିଲେ ନାହିଁ । ତହୁଁ ଲକ୍ଷ୍ମଣଙ୍କୁ ଡାକି ସୀତାଙ୍କୁ ନେଇ ବନରେ ଛାଡ଼ି ଆସିବାକୁ ଆଦେଶ ଦେଲେ । ଲକ୍ଷ୍ମଣ ଏହା ଶୁଣି ମସ୍ତକରେ ବଜ୍ରପାତ ତୁଲ୍ୟ ମଣିଲେ । ସେ ଅଶ୍ରୁସିକ୍ତ ନେତ୍ରରେ ଅଗ୍ରଜଙ୍କୁ କହିଲେ–‘‘ଦେବ, ଲୋକପବାଦର କୌଣସି ମୂଳ ଥାଏ ନାହିଁ, ସେ ଶୂନ୍ୟରେ ଜାତହୋଇ ଶୂନ୍ୟରେ ଉଡ଼ି ବୁଲି ବଢ଼େ-। ଛାର ଲୋକପବାଦ ଭୟରେ ନିରପରାଧା, ଚିରଶୁଦ୍ଧା, ରଘୁକୁଳ-ବଧୂ ତପସ୍ୱିନୀ ସୀତାଦେବୀଙ୍କୁ ବନବାସ ଦଣ୍ଡ ପ୍ରଦାନ କଲେ ଘୋର ଅନ୍ୟାୟ ହେବ ।’’ ରାମଚନ୍ଦ୍ର କହିଲେ ତୁମ୍ଭ କଥା ସତ ଲକ୍ଷ୍ମଣ, ସୀତାଙ୍କ ଚରିତ୍ର ଯଜ୍ଞାନଳ ତୁଲ୍ୟ ଉଜ୍ଜ୍ୱଳ ଏବଂ ପବିତ୍ର, ଏହା ମୁଁ ଜାଣେ । ସେ ଲଙ୍କାର ରାକ୍ଷସ, ବାନର ଓ ଦେବଗଣଙ୍କ ସମକ୍ଷରେ ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜର ଶୁଦ୍ଧତା ପ୍ରମାଣିତ କରିଅଛନ୍ତି, ତଥାପି ଲୋକମତକୁ ଅବଜ୍ଞା କରିବା ରାଜଧର୍ମ ନୁହେଁ । ସେଥିରେ ପ୍ରଜାଏ ଅସନ୍ତୁଷ୍ଟ ହୁଅନ୍ତି । ପ୍ରଜାମାନଙ୍କ ମନତୁଷ୍ଟି ସକାଶେ ମୁଁ ପ୍ରାଣତ୍ୟାଗ କରିବାକୁ ପ୍ରସ୍ତୁତ, ସୀତା ତ୍ୟାଗ କିଛି ତାହାଠାରୁ ଗୁରୁତର ନୁହେ । ତୁମ୍ଭେ ଶୀଘ୍ର ମୋର ଆଦେଶ ପାଳନ କର ।’’ ରାମଚନ୍ଦ୍ରଙ୍କ ଆଜ୍ଞା ଅବ୍ୟର୍ଥ, ଲକ୍ଷ୍ମଣ ଏହା ଜାଣନ୍ତି । ସୁତରାଂ ଆଉ କିଛି ନ କହି ସୀତାଙ୍କୁ ରଥରେ ବସାଇ ବନକୁ ନେଇ ଗଲେ । ସ୍ୱାମୀଙ୍କର ଏ ନିଷ୍ଠୁର ଆଦେଶ ଶୁଣି ସୀତା ମୂର୍ଚ୍ଛିତ ହୋଇପଡ଼ିଲେ; କେତେକ କ୍ଷଣ ପରେ ଚେତନା ପାଇ କାନ୍ଦିଲେ । ଲକ୍ଷ୍ମଣ ତାଙ୍କୁ ଅନେକସାନ୍ତ୍ୱନା ଦେଇ ବାଲ୍ମୀକି ମୁନିଙ୍କୁ ତପୋବନରେ ଛାଡ଼ିଦେଇ ଆସିଲେ । ତେତେବେଳେ ସୀତା ପାଞ୍ଚମାସ ଗର୍ଭବତୀ ଥିଲେ । ତାଙ୍କର ବିଳାପ ଶୁଣି ମହର୍ଷି ବାଲ୍ମୀକି ଆସି ତାଙ୍କୁ ନିଜ ଆଶ୍ରମରେ ନେଇ ରଖିଲେ । ମୁନିକୁମାରୀମାନଙ୍କ ଆଶ୍ୱାସନାରେ ସୀତା ଆଶ୍ୱସ୍ତା ହୋଇ ରହିଲେ । ଯଥାସମୟରେ ସେହି ୠଷି-ଆଶ୍ରମରେ ସୀତା ଦୁଇଟି ଯାଆଁଳା ପୁଅ ଜନ୍ମକଲେ । ବାଲ୍ମୀକି ସେ ଦୁହିଙ୍କର ନାମ ଲବ, କୁଶ ରଖି ଶିଶୁ ସହ ସେମାନଙ୍କ ଜନନୀଙ୍କୁ ପ୍ରତିପାଳନ କରିବାକୁ ଲାଗିଲେ । ସୀତା ପୁତ୍ରମୁଖ ଦେଖି ସବୁ ଦୁଃଖ ପାଶୋରିଗଲେ ।
ମହା ସତୀ ସୀତାଙ୍କ ଚରିତ୍ର ଓ ନାରୀତ୍ୱର ମହିମା ଅତୁଳନୀୟ । ସେ ବିନା ଦୋଷରେ ଦଣ୍ଡିତ ହୋଇ ବିଚଳିତ ହେଲେ ନାହିଁ । ମାତାଙ୍କ ପରି ସେ ସର୍ବଂସହା । କଠୋର ଶାସ୍ତିକୁ ପତି-ଦେବତାଙ୍କ ଆଦେଶ ମଣି ନୀରବରେ ତାହା ଶିରୋଧାର୍ଯ୍ୟ କଲେ । ସ୍ୱାମୀଙ୍କ ପ୍ରତି ସେ ରୁଷ୍ଟ ବା ଅସନ୍ତୁଷ୍ଟ ହେଲେ ନାହିଁ, ପୂର୍ବପରି ଅଖଣ୍ଡ ଭକ୍ତି ସହ ହୃଦୟ ମଧ୍ୟରେ ତାଙ୍କୁ ପୂଜା କରିବାକୁ ଲାଗିଲେ-। ନାରୀମହତ୍ତ୍ୱର ଏ ଉଚ୍ଚାଦର୍ଶ ଭାରତ ବ୍ୟତୀତ ଜଗତରେ ଦୁର୍ଲଭ । ଏଣେ ରାମଚନ୍ଦ୍ର ସୀତାଙ୍କ ଅଭାବରେ କାତର ହୋଇ ପଡ଼ିଲେ । ଗୁଣମୟୀ ପତ୍ନୀଙ୍କର ଗୁଣରାଶି ସହସ୍ର ଗୁଣ ହୋଇ ତାଙ୍କ ଆଖି ଆଗରେ ଖେଳି ବୁଲିଲା । ସୀତାଙ୍କ ସ୍ମୃତି ତାଙ୍କୁ ଦାରୁଣ ଯନ୍ତ୍ରଣା ପ୍ରଦାନ କଲା । ଅଭାବ ସିନା ପଦାର୍ଥର ମୂଲ୍ୟ ବହୁଗୁଣ ବଢ଼ାଇଦିଏ । ଏଡ଼େ ବଡ଼ ଆଘାତ ପାଇ ସୁଦ୍ଧା ସେ ମୁହୂର୍ତ୍ତକ ଲାଗି କର୍ତ୍ତବ୍ୟ ଶିଥିଳ କରି ନ ଥିଲେ । ପ୍ରଜାଙ୍କ ବିପଦକୁ ନିଜକୃତ ପାପର ଫଳ ବୋଲି ସେ ବିଶ୍ୱାସ କରୁ-ଥିଲେ । କାହାରି ସାମାନ୍ୟ ବିପଦ ଆପଦ ଘଟିଲେ ସେ ତତ୍କ୍ଷଣାତ୍ ସେଥିର ପ୍ରତିକାରରେ ନିଜର ଶକ୍ତି ପ୍ରୟୋଗ କରୁଥିଲେ । ତାଙ୍କ ରାଜ୍ୟରେ ପ୍ରଜାମାନେ ମର୍ତ୍ତ୍ୟରେ ସ୍ୱର୍ଗସୁଖ ଭୋଗ କରୁଥିଲେ । ଏହି ହେତୁ ‘ରାମରାଜ୍ୟ’ ପ୍ରବାଦ ଅବଧି ଅମର ହୋଇ ରହିଅଛି । ରାମଚନ୍ଦ୍ରଙ୍କ ଭାଇମାନେ ଦିଗ୍ବିଜୟରେ ବହିର୍ଗତ ହୋଇ ଅନେକ ରାଜ୍ୟ ଜିଣିଲେ ଓ ଅନେକ ସ୍ଥାନରେ ନୂତନରାଜ୍ୟ ବସାଇଲେ । ଭାରତର ସମସ୍ତ ନରପତିଙ୍କର ମସ୍ତକ ରାମଚନ୍ଦ୍ରଙ୍କ ଛତ୍ରଛାୟା ତଳେ ରହିଲା । ଏଥିମଧ୍ୟରେ କୌଶଲ୍ୟା, କୈକେୟୀ, ସୁମିତ୍ରା ପ୍ରଭୃତି ଦଶରଥଙ୍କ ବୃଦ୍ଧା ରାଣୀମାନେ ଦେହତ୍ୟାଗ କଲେ । ରାମଚନ୍ଦ୍ର ସେମାନଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ସେମାନଙ୍କ ନାମରେ କେତେଗୁଡ଼ିଏ ଜନ-ହିତକର ସ୍ଥାୟୀ ଅନୁଷ୍ଠାନର ବ୍ୟବସ୍ଥା କରିଦେଲେ ।
କେତେ କାଳ ପରେ ରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞର ଅନୁଷ୍ଠାନ କଲେ । ସମସ୍ତ ରାଜା, ମୁନିୠଷି ନିମନ୍ତ୍ରିତ ହୋଇ ଆସିଲେ । ରକ୍ଷସବଳ ସହ ଲଙ୍କାରୁ ବିଭୀଷଣ ଆସିଲା, କିଷ୍କିନ୍ଧ୍ୟାରୁ ସୁଗ୍ରୀବ, ଅଙ୍ଗଦ, ହନୁମାନ ପ୍ରଭୃତି ଆସିଲେ । ବାଲ୍ମୀକି ମୁନି ତାଙ୍କର ଶିଷ୍ୟ ଲବକୁଶ ଦୁହିଙ୍କୁ ଘେନି ଯଜ୍ଞସଭାରେ ବସିଲେ । ବାଲ୍ମୀକି ଲବକୁଶଙ୍କୁ ଶସ୍ତ୍ରଶାସ୍ତ୍ର ବିଦ୍ୟାରେ ନିପୁଣ କରାଇଥିଲେ । ବିଶେଷତଃ ସଙ୍ଗୀତ ବିଦ୍ୟାରେ ଶିଶୁ ଦୁହେଁ ଅତୁଳନୀୟ । ବାଲ୍ମୀକି ସେମାନଙ୍କୁ ସ୍ୱରଚିତ ରାମାୟଣ ଶିଖାଇଥିଲେ । ଶିଶୁଦୁହେଁ ମୁନିକୁମାର ବେଶରେ ସଭା ଉଜ୍ଜ୍ୱଳ କରି ବସିଲେ । ତାପସକୁମାର ଦୁଇଟିଙ୍କର ରୂପ ଅତି ରମଣୀୟ । ବର୍ଣ୍ଣ କାଞ୍ଚନକାନ୍ତ ଉଜ୍ଜ୍ୱଳ ଗୌର । ପ୍ରତି ଅଙ୍ଗରୁ ଲାବଣ୍ୟ ନିଗିଡ଼ିପଡ଼ୁଛି । ଶରୀରରୁ ଶୌର୍ଯ୍ୟର ତେଜ ଫୁଟି ଉଠୁଅଛି । ପରିଧେୟ ଗୈରିକ ବସନ, ହସ୍ତରେ ଅକ୍ଷମାଳା ବଳୟ, କଣ୍ଠରେ ହାର ଶୋଭା ପାଉଅଛି । କଣ୍ଠର ସ୍ୱର ବି ରୂପର ଅନୁରୂପ । ଯଜ୍ଞ ଶେଷରେ ସେହି ବାଳକଦ୍ୱୟ ମୁନିଙ୍କ ଆଦେଶରେ ସଙ୍ଗୀତ ଆରମ୍ଭ କଲେ । ସେ ଦୁହେଁ ବୀଣା ବଜାଇ ଭାବରେ ତନ୍ମୟ ହୋଇ ମଧୁର ସ୍ୱରରେ ଗୀତ ଗାଇ ସଭାସ୍ଥ ସମସ୍ତ ଲୋକଙ୍କୁ ଚକିତ-ସ୍ତମ୍ଭିତ କରି ଦେଲେ । ରାମଚନ୍ଦ୍ର ସେହି ସଙ୍ଗୀତ ଶୁଣି ମୁଗ୍ଧ ଓ ଆତ୍ମବିସ୍ତୃତ ହୋଇଗଲେ । ମନେ ମନେ ଭାବିଲେ–ଏକାଧାରରେ ଏପରି ରୂପ, ଗୁଣ,ବିଦ୍ୟା, ବିନୟ,ପ୍ରତିଭା, ସରଳତା, ସୌଜନ୍ୟ, ଶିଷ୍ଟାଚାର-ଏ ଜଗତରେ ଦୁର୍ଲଭ । ରାମଚନ୍ଦ୍ର ବାଲ୍ମୀକିଙ୍କୁ ଶିଶୁ ଗାୟକଦ୍ୱୟଙ୍କ ପରିଚୟ ଜିଜ୍ଞାସା କଲେ । ମୁନିଙ୍କାଠାରୁ ସବୁ ଶୁଣି ଲବ-କୁଶଙ୍କୁ ନିଜର ପୁତ୍ର ବୋଲି ଜାଣିପାରି ଆନନ୍ଦରେ ଅଧୀର ହୋଇଉଠିଲେ ଏବଂ ଶିଶୁଦୁହିଙ୍କୁ ଆଣି କୋଳରେ ବସାଇ ତାଙ୍କର ଶିରଶ୍ଚୁମ୍ୱନ କଲେ । ତାଙ୍କ ଆଦେଶରେ ସୀତା ସୁଦ୍ଧା ବାଲ୍ମୀକିଙ୍କ ଆଶ୍ରମରୁ ଅଯୋଧ୍ୟକୁ ଆନୀତ ହେଲେ । ଲଙ୍କାରୁ ଆସିବା ପୂର୍ବରୁ ସୀତା ନିଜ ସତୀତ୍ୱର ଅଗ୍ନି ପରୀକ୍ଷା ଦେଇଥିଲେ । ବର୍ତ୍ତମାନ ରାମଚନ୍ଦ୍ର, ପୁଣି ତାଙ୍କୁ ପରୀକ୍ଷା ଦେଇ ଲୋକାପବାଦରୁ ମୁକ୍ତ ହେବା ସକାଶେ ଆଦେଶ ଦେଲେ । ରାମଚନ୍ଦ୍ରଙ୍କର ଏ କଠୋର ଆଦେଶ ଶୁଣି ସଭାଜନମାନେ ହାହାକାର କରିଉଠିଲେ, କେହି କେହି କାନରେ ହାତ ଦେଲେ । ପାତିବ୍ରତ୍ୟ ଧର୍ମର ପୂଜା-ଦେବତା ସୀତା ସ୍ୱାମୀଙ୍କର ଏରୂପ ଅପମାନକର ଆଦେଶ ଶୁଣି ଦାରୁଣ ଲଜ୍ଜା, କ୍ଷୋଭ ଓ ଦୁଃଖରେ ମର୍ମାହତ ହୋଇ ହଠାତ୍ ଅନ୍ତର୍ଦ୍ଧାନ ହୋଇଗଲେ । ରାମଚନ୍ଦ୍ର ଏହି ଅଦ୍ଭୁତ ଅବାଞ୍ଛିତ ଘଟଣା ଦେଖି ବ୍ୟାକୁଳ ହୋଇ ଅନୁତାପ କରିବାକୁ ଲାଗିଲେ । ସୀତାଙ୍କୁ ବାରମ୍ୱାର ହତମାନ କରି ସେ ନିଜକୁ ଅପରାଧୀ ମଣିଲେ; ମାତୃ ଅଭାବରେ ଲବକୁଶ ବିଳାପ କରିବାକୁ ଲାଗିଲେ । ରାଜନବର ଭିତରୁ ଶୋକ-ହାହାକାର ଉଠିଲା । ସତୀ ପତ୍ନୀର ବିଚ୍ଛେଦ-ଶୋକ ରାମଚନ୍ଦ୍ରଙ୍କୁ ଘାରି ପକାଇଲେ । ତାଙ୍କର ମନ କାହିଁରେ ଲାଗିଲା ନାହିଁ; ଯନ୍ତ୍ରଚାଳିତ ପରି ସବୁ କାର୍ଯ୍ୟ କରିବାକୁ ଲାଗିଲେ । ବିଧାତା ଦୁଃଖ ପରେ ପୁଣି ଦୁଃଖ ପଠାଏ । କିଛି କାଳ ପରେ ପୁଣି ଏକ ବିପଦ ଘଟିଲା । ଗୋଟାଏ ସାମାନ୍ୟ କାରଣରୁ ରାମଚନ୍ଦ୍ର ପ୍ରାଣାଧିକ ଭ୍ରାତା ଲକ୍ଷ୍ମଣଙ୍କୁ ବର୍ଜନ କଲେ ଲକ୍ଷ୍ମଣ ସରଯୁ ଜଳରେ ଦେହତ୍ୟାଗ କରି ସ୍ୱର୍ଗଗମନ କଲେ । ରାମଚନ୍ଦ୍ର ସୀତାଙ୍କର ଅଭାବ ସହିଥିଲେ; ମାତ୍ର ଲକ୍ଷ୍ମଣଙ୍କର ଅଭାବ ସହିପାରିଲେ ନାହିଁ । ଲକ୍ଷ୍ମଣ ବିନା ସଂସାରେ ତାଙ୍କୁ ବିଷବତ୍ ବୋଧହେଲା । ସେ ଚୌଦିଗ ଶୂନ୍ୟ, ଅନ୍ଧକାରମୟ ଦେଖିଲେ । ତହୁ ଜୀବନର ଅବଶିଷ୍ଟ କାର୍ଯ୍ୟ ଶୀଘ୍ର ଶେଷ କରି ମହାଯାତ୍ରା ସକାଶେ ପ୍ରସ୍ତୁତ ହେବାକୁ ଲାଗିଲେ । ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ପ୍ରତ୍ୟେକଙ୍କର ଦୁଇଟି ଲୋଖାଏଁ ପୁତ୍ର ଥିଲେ । ରାମଚନ୍ଦ୍ର ସେମାନଙ୍କୁ ସେମାନଙ୍କ ପିତୃବିଜିତ ବା ପିତୃ-ପ୍ରତିଷ୍ଠିତ ରାଜ୍ୟମାନଙ୍କରେ ରାଜପଦରେ ଅଭିଷିକ୍ତ କଲେ । ଅନନ୍ତର ଲବକୁଶଙ୍କୁ ଅଯୋଧ୍ୟାର ରାଜସିଂହାସନ ପ୍ରଦାନପୂର୍ବକ ପୁରୋବାସୀ ପ୍ରଜା ପ୍ରଭୃତିଙ୍କଠାରୁ ବିଦାୟ ଘେନି ସଂସାରରୁ ମହାପ୍ରସ୍ଥାନ କଲେ । ସେ ଭାଇମାନଙ୍କ ସଙ୍ଗରେ ପୁଣ୍ୟତୋୟା ସରଯୁ ଜଳରେ ତନୁ ତ୍ୟାଗ କରି ଅମର ଧାମକୁ ଗମନ କଲେ । ବୈକୁଣ୍ଠପତିଙ୍କର ମର୍ତ୍ତ୍ୟଲୀଳା ଶେଷ ହେଲା । ସେ ଦୁଷ୍ଟ ଦମନ, ଶିଷ୍ଟପାଳନ ଓ ଧର୍ମ ସଂରକ୍ଷଣ କରି ଅନନ୍ତ ପୁଣ୍ୟୈଶ୍ୱର୍ଯ୍ୟମୟ ଚିରପ୍ରିୟ ବୈକୁଣ୍ଠଧାମକୁ ପ୍ରସ୍ଥାନ କଲେ । ଜଗତରେ ଶାନ୍ତି ସଂସ୍ଥାପିତ ହେଲା ଏବଂ ଧର୍ମର ଉଜ୍ଜ୍ୱଳ ଶିଖାରେ ଜଗତ ଆଲୋକିତ ହେଲା ।