ରାମଚନ୍ଦ୍ର
ଚିନ୍ତାମଣି ମହାନ୍ତି · ଭାଗ ୨ / ୧୧
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ପରିଚ୍ଛେଦ
ରାମ, ଲକ୍ଷ୍ମଣ ଓ ବିଶ୍ୱାମିତ୍ର ଗଭୀର ଅରଣ୍ୟ ମଧ୍ୟରେ ଯାଉଁ ଯାଉଁ ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ କହିଲେ–‘‘ମହାରାଜକୁମାର, ତୁମ୍ଭେ ବଳା, ଅତି ବଳାନାମ୍ନୀ ଦୁଇଟି ମହାବିଦ୍ୟା ମୋଠାରୁ ଶିକ୍ଷାକର-। ସେହି ବିଦ୍ୟା ପ୍ରଭାବରେ କ୍ଷୁଧାତୃଷାର ବାଧା ଜଣାଯାଏ ନାହିଁ । ବହୁକାଳଯାଏଁ ନିରାହାର ରହିଲେ ସୁଦ୍ଧା ବଳହାନି ହୁଏ ନାହିଁ, ଏହା ଶିଖିଲେ ତୁମ୍ଭେ ଅସୁରକୁଳର ଅଧର୍ଷଣୀୟ ହେବ ।’’ ରାମଚନ୍ଦ୍ର ଏହା ଶୁଣି ଆନନ୍ଦପ୍ରକାଶପୂର୍ବକ ତାପସପ୍ରବର ବିଶ୍ୱାମିତ୍ରଙ୍କ ପାଦମୂଳରେ ପ୍ରଣାମ କରି କହିଲେ–‘‘ଗୁରୁଦେବ, ଆପଣଙ୍କ ଆଜ୍ଞା ଏ ସେବକର ଶିରୋଧାର୍ଯ୍ୟ ।’’ ଅନନ୍ତର ରାମ ଲକ୍ଷ୍ମଣ ଦୁହେଁ ସ୍ନାନ କରିଆସି ଶୁଦ୍ଧପୂତ ମନରେ ଉକ୍ତ ମହୋପକାରିଣୀ ଶୁଭବିଦ୍ୟା ଶିକ୍ଷାକଲେ । ତାଡ଼କା ବନ ନିକଟରେ ଉପସ୍ଥିତ ହୋଇ ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ କହିଲେ–‘‘ବତ୍ସ, ଅବହିତ ହୁଅ । ଏଠାରୁ ଅଳ୍ପ ଦୂରରେ ତାଡ଼କାନାମ୍ନୀ ଦୁରନ୍ତା ରାକ୍ଷସୀର ବାସ । ସେହି ଦୁଷ୍ଟା ଯୋଗୁଁ ତପୋବନ ଶ୍ମଶାନ ହୋଇଅଛି । ପାମରୀ ଯେ କେତେ ଯୋଗୀ, ତପସ୍ୱୀଙ୍କୁ ଆହାର କରିଛି, ସେଥିର ସଂଖ୍ୟା ନାହିଁ । ପାପୀୟସୀର କ୍ଷୁଧା ବି ସାମାନ୍ୟ ନୁହେଁ, ତପଃକ୍ଷୀଣ ବପୁ ତପସ୍ୱିବର୍ଗହିଁ ତାହାର ପ୍ରିୟ ଫଳାହାର । ଦଶଜଣ ତପସ୍ୱୀ ତାହାର ବାଳଭୋଗକୁ ନିଅଣ୍ଟ । ସେ ଦେବ, ଦାନବ, ଯକ୍ଷ, ରାକ୍ଷସ ସମସ୍ତଙ୍କର ଅଜେୟ । ଦୁବୃର୍ତ୍ତାର ବିକଟ ରଡ଼ି ଶୁଣିଲେ ପିଣ୍ଡରୁ ପ୍ରାଣ ଛାଡ଼ିଯାଏ । ତୁମ୍ଭେ ସେହି ବ୍ରହ୍ମଘାତିନୀକୁ ସଂହାର କରି ଅତୁଳ ଧର୍ମ ଓ ଯଶଶ୍ରୀରେ ମଣ୍ଡିତ ହୁଅ ।’’ ରାମଚନ୍ଦ୍ର ଏହା ଶୁଣି ଧନୁଷ୍ଟଙ୍କାର କଲେ । ସେହି ନିର୍ଘାତ ଶବ୍ଦ ପ୍ରଳୟ କାଳର ଘଡ଼ଘଡ଼ି ତୁଲ୍ୟ ରାକ୍ଷସୀର କର୍ଣ୍ଣପଟହ ଛିନ୍ନଭିନ୍ନ କରିଦେଲା । ତହୁ ସେ ମହାକ୍ରୋଧରେ ଗର୍ଜିଉଠି ଧୂଳିରେ ଅନ୍ଧକାର ସୃଷ୍ଟି କରି ଝଡ଼ ଗତିରେ ଧାବମାନ ହେଲା । ପ୍ରଥମେ ସେ ବିଶ୍ୱାମିତ୍ରଙ୍କୁ ଆକ୍ରମଣ କରିବାକୁ ଆସିଲା; ମାତ୍ର ଋଷି ହୁଙ୍କାର ଶଦ୍ଧରେ ତାକୁ ସ୍ତମ୍ଭୀଭୂତ କରିଦେଲେ । ଦୁଷ୍ଟା ସେଆଡ଼ୁ ଫେରି ରାମଚନ୍ଦ୍ରଙ୍କ ଆଡ଼କୁ ଧାଇଁଲା । ରାମଚନ୍ଦ୍ର ତାହାର ବୀଭତ୍ସ ବିକୃତ ରୂପ ଦେଖି ହସି ଉଠିଲେ ଏବଂ ତତ୍କ୍ଷଣାତ୍ ତୀକ୍ଷ୍ଣାସ୍ତ୍ର ପ୍ରୟୋଗ କରି ତାହାର ତାଳତରୁ ସଦୃଶ ବନ୍ଧୁରୁ ଧୂସର ପ୍ରକାଣ୍ଡ ବାହୁଦ୍ୱୟ ଛେଦନ କଲେ । ତହିଁପରେ ରାମପ୍ରାଣ ବୀରଚୂଡ଼ା ଲକ୍ଷ୍ମଣଙ୍କ ଅବ୍ୟର୍ଥ ଅସ୍ତ୍ରରେ ତାଡ଼କାର ନାସାକର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଲା । ତହୁଁ ମାୟାବିନୀ ମାୟା ବିସ୍ତାର କରି ପ୍ରସ୍ତର ବୃଷ୍ଟି କରିବାକୁ ଲାଗିଲା । ତାହାର ଭୀଷଣ ଗର୍ଜନରେ ଅରଣ୍ୟ ପ୍ରକୃତି ଥରହର ହୋଇ ବିକମ୍ପିତ ହେଲା । ଏହି ସମୟରେ ବିଶ୍ୱାମିତ୍ର ରାମଚନ୍ଦ୍ରଙ୍କୁ କହିଲେ–ରାଜନନ୍ଦନ, ସନ୍ଧ୍ୟା ଆଗତ ପ୍ରାୟ, ସନ୍ଧ୍ୟା ହେଲେ ଦୁଷ୍ଟା ସମଧିକ ବଳ ଲାଭ କରିବ । ସନ୍ଧ୍ୟାବେଳେ ରାକ୍ଷସମାନେ ଦୁର୍ଦ୍ଧର୍ଷ ହୋଇଉଠନ୍ତି । ଅତଏବ ତୁମ୍ଭେ ବିଳମ୍ବ ନ କରି ପାପିଷ୍ଠା ରାକ୍ଷସୀର ପ୍ରାଣ ସଂହାର କର ।’’ ଗୁରୁବତ୍ସଳ ରାମ ଗୁରୁ-ଆଜ୍ଞାରେ ସଂହାରାସ୍ତ୍ର ପ୍ରୟୋଗ କଲେ । ରାକ୍ଷସୀ ବିଦ୍ଧବକ୍ଷା ହୋଇ ବଜ୍ରାଘାତରେ ପ୍ରକାଣ୍ଡ ତରୁ ପ୍ରାୟ ତଳେ ପଡ଼ି ପ୍ରାଣତ୍ୟାଗ କଲା-। ରାମଚନ୍ଦ୍ରଙ୍କ ଜୀବନରେ ଏହା ପ୍ରଥମ ଯୁଦ୍ଧ । ଏ ଯୁଦ୍ଧ ଜୟକୁ ମୁନିଋଷିମାନେ ତାଙ୍କ ଭାବୀ ଜୀବନର ଶୁଭ ସୂଚନା ମଣିଲେ । ସେମାନେ ଆଶୀର୍ବାଦ କରି କହିଲେ–‘‘ଆଜି ବିଜୟଲକ୍ଷ୍ମୀ ତୁମ୍ଭଙ୍କୁ ଆଶ୍ରୟ କଲେ, ସେ ଆଜୀବନ ତୁମ୍ଭ ପାଖରେ ଅଚଳା ହୋଇ ରହିବେ ।’’ ବିଶ୍ୱାମିତ୍ର ଅତୀବ ସନ୍ତୁଷ୍ଟ ହୋଇ ରାମଙ୍କର ମଙ୍ଗଳ କାମନା କଲେ । ସେ ରାମଚନ୍ଦ୍ରଙ୍କୁ ‘‘ଦଣ୍ଡଚକ୍ର, କାଳଚକ୍ର, ଧର୍ମଚକ୍ର, ବିଷ୍ଣୁଚକ୍ର, ବଜ୍ରାସ୍ତ୍ର, ବ୍ରହ୍ମାସ୍ତ୍ର, ବ୍ରହ୍ମଶିଳା, ଐଶିକ’’ ପ୍ରଭୃତି ଭୂବନ-ବିଜୟୀ ମହାସ୍ତ୍ରମାନ ପ୍ରଦାନ କଲେ । ପ୍ରୟୋଗ ଓ ସମ୍ୱରଣ ମନ୍ତ୍ର ସହ ରାମଚନ୍ଦ୍ର ତାହା ସବୁ ପରିଗ୍ରହଣ କରି କୃତାଞ୍ଜଳିପୁଟରେ କୃତଜ୍ଞତା ଜ୍ଞାପନ କଲେ ଏବଂ ଗୁରୁପଦତଳେ ଭକ୍ତିରେ ଅଭିବାଦନ କଲେ । ବିପୁଳ ଆନନ୍ଦରେ ତାଙ୍କର ହୃଦୟ ଉଦ୍ଦେଳିତ ହୋଇଉଠିଲା । ବୀର ପକ୍ଷରେ ବୀରଭୂଷଣ ଅସ୍ତ୍ରଲାଭ ସିନା ଚୂଡ଼ାନ୍ତ ପୁରସ୍କାର । ସେ ବିନୟ ପ୍ରକାଶ କରି କହିଲେ–‘‘ଗୁରୁଦେବ, ଆପଣଙ୍କର ଏ ଦୁର୍ଲଭ ମହାଦୟାର ପ୍ରତିଦାନ ଏ ସେବକ କଅଣ ଦେଇପାରିବ । ଖାଲି ସେବା, ଭକ୍ତି ଏହାର ପ୍ରତିଦାନ ନୁହେଁ, ତାହାଠାରୁ ବଳି ଆଉ ଯଦି କିଛି ଥାଆନ୍ତା, ତେବେ ଅବା ତାହା ତୁଲ୍ୟ ହୋଇପାରନ୍ତା । ବିଶ୍ୱାମିତ୍ର ଏ କଥାରେ ଏକାବେଳକେ ମୁଗ୍ଧ ହୋଇଯାଇ କହିଲେ–‘‘ନୃପାତ୍ମଜ, ଏଭଳି ଭକ୍ତି, ବିନୟ, ସୌଜନ୍ୟ, ଶିଷ୍ଟାଚାର ତୁମ୍ଭରିଠାରେ ଏକା ସମ୍ଭବ । ତୁମ୍ଭେ ମହାବଂଶ ଅଳଙ୍କୃତ କରିଅଛ, ତୁମ୍ଭର କଥା ସୁଦ୍ଧା ମହା ମୂଲ୍ୟବାନ୍ ।
ଏଥିଉତ୍ତରୁ ସମସ୍ତେ ଯାଇ ସିଦ୍ଧାଶ୍ରମରେ ଉପସ୍ଥିତ ହେଲେ । ଅହୋ, କି ନିବିଡ଼ ଭୟଙ୍କର ବନ । ସର୍ବଦା ନୀରବ, ନିସ୍ତବ୍ଧ । ସେଠାରେ ସମସ୍ତେ ଯେପରି ମୌନ । ସେହି ମୌନର ନୀରବ ବାଣୀ ବ୍ୟକ୍ତ ହୋଇ ଉଠୁଅଛି । ଶାଳ, ତାଳ ପ୍ରଭୃତି ଉତ୍ତୁଙ୍ଗ ବୃକ୍ଷମାନ ଏକଗୋଡ଼ିଆ ଭୂତ ପରି ପତ୍ରଛତ୍ର ଧରି ଠେସାଠେସି ହୋଇ ଠିଆ ହୋଇଛନ୍ତି । ସ୍ଥାନେ ସ୍ଥାନେ ଅନ୍ଧାର ବାଟ ହୁଡ଼ିଲା ପରି ଏଣେ ତେଣେ ଘୂରି ବୁଲୁଅଛି । ନିର୍ଝରର ଝର୍ଝର ଶବ୍ଦରେ ବନ ମୁଖରିତ-। ସତେ ଯେପରି ଜଳତରଙ୍ଗଯନ୍ତ୍ରର ମଧୁର ନିକ୍ୱଣ ଝଙ୍କାରିତ ହୋଇଉଠୁଅଛି । ରାମଚନ୍ଦ୍ର ବନ ଦେଖି ପରମାନନ୍ଦ ଉପଭୋଗ କଲେ । ସିଦ୍ଧାଶ୍ରମବାସୀ ଋଷିବୃନ୍ଦ ତାଙ୍କୁ ଦେଖି ଦେହରେ ନବଶକ୍ତି ଲାଭ କଲା ଭଳି ମଣିଲେ । ସେମାନେ ଉପଯୁକ୍ତ ଆଶ୍ରୟ ପାଇ ବିପୁଳ ଉତ୍ସାହରେ ଯଜ୍ଞରେ ଦୀକ୍ଷିତ ହେଲେ । ବିଶ୍ୱାମିତ୍ରଙ୍କ ଇଙ୍ଗିତକ୍ରମେ ରାମଚନ୍ଦ୍ର ଓ ଲକ୍ଷ୍ମଣ ଧନୁର୍ବାଣ ଧରି ସେମାନଙ୍କ ରକ୍ଷାରେ ନିଯୁକ୍ତ ରହିଲେ । ଯଜ୍ଞଧୂମରାଶି ଆକାଶରେ ଦିଶିଲାକ୍ଷଣି ମାରୀଚ ଓ ସୁବାହୁ ନାମକ କାମଗତି ରାକ୍ଷସଦ୍ୱୟ ଦଳବଳ ସହ ଶୂନ୍ୟରେ ରହି ତପୋବନ ଉପରେ ରୁଧିର ବୃଷ୍ଟି କଲେ । ତହୁଁ ରାମ ଲକ୍ଷ୍ମଣ ଦୁଇ ଭାଇ ସେହି ରାକ୍ଷସ-ବାହିନୀକୁ ଲକ୍ଷ୍ୟ କରି ବାଣ ପ୍ରହାର କଲେ । ସୁବାହୁ ରାମ-ବାଣରେ ବିଦ୍ଧ ହୋଇ ଭୂପତିତ ହେଲା ଏବଂ ରୁଦ୍ରଦର୍ଶନ ମାରୀଚକୁ ହାବୁଡ଼ା ଶର ଧକା ମାରି ମାରି ନେଇ ଶତ ଯୋଜନ ଦୂରବର୍ତ୍ତୀ ସମୁଦ୍ରଗର୍ଭରେ ନିକ୍ଷେପ କଲା । ସେହିଦିନୁ ଭୟରେ ସେ ଆଉ ସିଦ୍ଧାଶ୍ରମ ମାଡ଼ିଲା ନାହିଁ । ଏହି ମାରୀଚ ମୃତା ଅସୁରୀ ତାଡ଼କାର ପୁତ୍ର । ସୁବାହୁ, ମାରୀଚ ଉଭୟ ଦଳପତିର ମୃତ୍ୟୁ ଦେଖି ତାଙ୍କ ଅନୁଚରମାନେ ପ୍ରାଣଭୟରେ ବ୍ୟାକୁଳ ହୋଇଉଠିଲେ । ସେଥିମଧ୍ୟରୁ ଅଧିକାଂଶ ରାମଲକ୍ଷ୍ମଣଙ୍କ ଶରରେ ବିଶିଷ୍ଟ ଅତିଥି ହୋଇ ଉପଯୁକ୍ତ ସତ୍କାର ପାଇ ଯମ ରାଜାଙ୍କ ନଅରକୁ ଗଲେ ଏବଂ ଅବଶିଷ୍ଟ ବିକଳାଙ୍ଗ ଛତ୍ରଭଙ୍ଗ ହୋଇ ପ୍ରାଣ ଘେନି ଯେ ଯେଉଁଆଡ଼କୁ ପାରିଲା ସେଆଡ଼କୁ ପଳାଇଯାଇ ଆତ୍ମରକ୍ଷା କଲେ । ସିଦ୍ଧାଶ୍ରମ ନିଷ୍କଣ୍ଟକ ହେଲା, ହାଙ୍ଗର, ମଗର ଉପଦ୍ରବରୁ ପବିତ୍ର ତୀର୍ଥର ପୁନରୁଦ୍ଧାର ହେଲା । ସିଦ୍ଧାଶ୍ରମବାସୀ ତପୋଧନବୃନ୍ଦ ରାମଚନ୍ଦ୍ରଙ୍କ ମସ୍ତକରେ ଆଶୀର୍ବାଦ ବର୍ଷଣ କଲେ । ରାମଚନ୍ଦ୍ର ଜୟଶ୍ରୀମଣ୍ଡିତ ହୋଇ ପ୍ରସନ୍ନତା ଲାଭ କଲେ । ସେ ଲକ୍ଷ୍ମଣ ସହ ସିଦ୍ଧାଶ୍ରମରେ ମୁନିମାନଙ୍କ ସହବାସରେ କେତେ ଦିନ ଅତିବାହିତ କଲେ-।
ଦିନେ ବିଶ୍ୱାମିତ୍ର ରାମଙ୍କୁ କହିଲେ-‘‘ଅଯୋଧ୍ୟା ସୁନ୍ଦର, ମିଥିଳାର ରାଜର୍ଷି ଜନକ ଯଜ୍ଞ କରିବେ ଆମ୍ଭେ ସିଦ୍ଧାଶ୍ରମବାସୀ ଋଷିବର୍ଗ ସେହି ଯଜ୍ଞରେ ନିମନ୍ତ୍ରିତ ହୋଇଅଛୁ । ଆଜି ସମସ୍ତେ ମିଥିଳା ଯାତ୍ରା କରିବୁ । ତୁମ୍ଭେ ଦୁଇ ଭାଇ ମଧ୍ୟ ଆମ୍ଭମାନଙ୍କ ସଙ୍ଗରେ ଚାଲ । ସେଠାରେ ଯଜ୍ଞ ଓ ଆଶ୍ଚର୍ଯ୍ୟ ଧନୁ ଦେଖିବ । ତାହା ଦେଖିବା ତୁମ୍ଭମାନଙ୍କର ପ୍ରୟୋଜନୀୟ । ଜନକ ରାଜା ଗୋଟିଏ ଧନୁ ରଖି ସେ ଧନୁରେ ଯେ ଗୁଣ ଦେବ, ତାକୁ ସ୍ୱୀୟ କନ୍ୟା ସୀତାଙ୍କୁ ପ୍ରଦାନ କରିବେ ବୋଲି ପଣ କରିଛନ୍ତି । ତାହା ଶିବଙ୍କର ଧନୁ । ସେ ଧନୁରେ ଦେବତା, ଯକ୍ଷ, ରକ୍ଷ, ନର, କିନ୍ନର କେହି ଗୁଣ ଚଢ଼ାଇପାରନ୍ତି ନାହିଁ । ବହୁ ଦେଶରୁ ରାଜା ରାଜପୁତ୍ରମାନେ ଆସି ସେହି ସୁକଠୋର ଅଗ୍ନି ପରୀକ୍ଷାରେ ବ୍ୟର୍ଥକାମ ହୋଇ ବାହୁଡ଼ିଗଲେଣି । ତୁମ୍ଭେ କି ସେହି ଅଦ୍ଭୁତ ଧନୁ ଦେଖିବ ନାହିଁ ।’’ ଧନୁ ନାମ ଶୁଣି ରାମଚନ୍ଦ୍ରଙ୍କର କୌତୁହଳ ଜାତ ହେଲା । ସେ ଯିବାକୁ ସମ୍ମତ ହେବାରୁ ମୁନିମାନେ ତାଙ୍କୁ ସଙ୍ଗରେ ଘେନି ମିଥିଳାଭିମୁଖରେ ଶୁଭଯାତ୍ରା କଲେ । ଆଶ୍ରମବାସୀ ମୃଗଗୁଡ଼ିକ ତାଙ୍କର ସ୍ନେହମାୟା ତେଜି ନ ପାରି ପଛେ ପଛେ ଚାଲିଲେ । ପକ୍ଷୀଗୁଡ଼ିକ ହର୍ଷକାକଳି କରି କରି ମୁଣ୍ଡ ଉପରେ ଉଡ଼ି ଉଡ଼ି ଚାଲିଲେ । ଏହି ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖି ରାମଚନ୍ଦ୍ର ମୁଗ୍ଧ ହୋଇଗଲେ । ସେ ମନେ ମନେ କହିଲେ–‘‘ଧନ୍ୟ ଋଷି, କୋଟି ଧନ୍ୟ ତୁମ୍ଭର ତପୋବଳ । ବନର ପଶୁପକ୍ଷୀ ମଧ୍ୟ ତୁମ୍ଭମାନଙ୍କ ସାଧୁ ସଦୟ ସରଳ ବ୍ୟବହାରରେ ବଶୀଭୂତ ହୋଇ ଆତ୍ମବିକ୍ରୟ କରିଅଛନ୍ତି–ଏହା ଅପେକ୍ଷା ଚରିତ୍ରର ଉଚ୍ଚତମ ଆଦର୍ଶ ଆଉ କଅଣ ହୋଇପାରେ ?’’
ରାମଚନ୍ଦ୍ର ଓ ଲକ୍ଷ୍ମଣ ମୁନିମାନଙ୍କ ଗହଣରେ କାନନ-କମଳାର ଶୋଭା ଦେଖି ଦେଖି ଅଗ୍ରସର ହେବାକୁ ଲାଗିଲେ । ଆହା, କି ନେତ୍ର-ଶୀତଳ ରମଣୀୟ ଦୃଶ୍ୟ ! ଯେମନ୍ତ କି ଶୋଭା ଉପରେ ଅତି ଶୋଭା, ତାହା ଉପରେ ମହାଶୋଭା ଢଳି ପଡ଼ିଅଛି । ସେହି ଶୋଭାରାଶି ମଧ୍ୟରେ ଅରଣ୍ୟ ପ୍ରକୃତିର ମହତ୍ତ୍ୱ ଖେଳି ବୁଲୁଅଛି । ଯେଉଁଆଡ଼କୁ ଚାହିଁଲେ ସେଆଡ଼େ ଆଖି ଲାଖି ରହୁଅଛି, ସହଜରେ ସେଠାରୁ ଗୋଡ଼ କାଢ଼ିବାକୁ ମଙ୍ଗୁ ନାହିଁ । ରାମଲକ୍ଷ୍ମଣ ଦୁଇଭାଇଙ୍କର ମନନେତ୍ର ସେହି ଶୋଭା-ସାଗରରେ ସନ୍ତରଣ କରି ଚାଲିଲା । ରାମଚନ୍ଦ୍ର କହିଲେ–‘‘ଲକ୍ଷ୍ମଣ, ଏହି ଅରଣ୍ୟପ୍ରକୃତି ପୃଥିବୀର ଆଦି ସଭ୍ୟତାର ଜନ୍ମଭୂମି । ଶାସ୍ତ୍ର, ନ୍ୟାୟ, ଧର୍ମ, ବେଦାନ୍ତ, ଦର୍ଶନ, ବିଜ୍ଞାନ ପ୍ରଭୃତି ମାନବ–ସଭ୍ୟତାର ଯାବତୀୟ ଉପାଦାନ ଏହିଠାରୁ ଯାଇ ଜଗତରେ ବ୍ୟାପ୍ତ ହୋଇଅଛି । ଏହି ଅରଣ୍ୟର ମହିମାରେ ଜଗତ ମହିମାନ୍ୱିତ । ମାତୃପ୍ରତିମ, ମହୋପକାରିଣୀ ଏହି ବନଲକ୍ଷ୍ମୀ ସମସ୍ତଙ୍କର ନମସ୍ୟା ।’’ ରାମଚନ୍ଦ୍ର ହାତ ଯୋଡ଼ି କାନନ-ପ୍ରକୃତିଙ୍କୁ ନମସ୍କାର କଲେ । ତାଙ୍କ ଦେଖାଦେଖି ଲକ୍ଷ୍ମଣ ମଧ୍ୟ ଶ୍ରଦ୍ଧା-ଭକ୍ତିପୂତ ଚିତ୍ତରେ ଦେବୀଙ୍କ ଉଦ୍ଦେଶ୍ୟରେ ଦଣ୍ଡବତ କଲେ । ଅନନ୍ତର ସମସ୍ତେ ପତିତପାବନୀ ଗଙ୍ଗା ନଦୀ ପାରି ହୋଇ ଗୌତମ–ଆଶ୍ରମରେ ଯାଇ ଉପସ୍ଥିତ ହେଲେ । ସେଠାରେ ଗୌତମ ଋଷିଙ୍କ ପତ୍ନୀ ଅହଲ୍ୟା ପତିଶାପରେ ପାଷାଣ ହୋଇ ପଡ଼ିରହିଥିଲେ । ରାମଚନ୍ଦ୍ରଙ୍କ ପଦସ୍ପର୍ଶମାତ୍ରେ ସେ ଶାପମୁକ୍ତା ହୋଇ ନିଜ ରୂପ ଧରି ଉଭା ହେଲେ-। ପାଷାଣ ଦିବ୍ୟ ନାରୀମୂର୍ତ୍ତିରେ ପରିଣତ ହେଲା, ମୁହୂର୍ତ୍ତକ ମଧ୍ୟରେ ସ୍ୱପ୍ନରାଜ୍ୟର ଦ୍ୱାର ଯେପରି କିଏ ଖୋଲି ଦେଇଗଲା । ସମସ୍ତେ ଦେଖିଲେ–ଅନିନ୍ଦ୍ୟା ସୁନ୍ଦରୀ ଅହଲ୍ୟା ବିଧାତା-ସୃଷ୍ଟି ସୌନ୍ଦର୍ଯ୍ୟର ଶେଷ ସୀମା । ମୁନିମାନେ ମନେ ମନେ କହିଲେ–‘‘ଦେବେନ୍ଦ୍ର ମୋହିତ ହେବା ଭଳି ରୂପ ଏକା ।’’ ବିନା ଦୋଷରେ ଦଣ୍ଡିତ ହେତୁ ସତୀଙ୍କର ମୁଖ ମ୍ଳାନ ହେଲେହେଁ ମେଦୁର । ଅହଲ୍ୟା ରାମଚନ୍ଦ୍ରଙ୍କୁ ପ୍ରଦକ୍ଷିଣ ଓ ମୁନିମାନଙ୍କୁ ପ୍ରଣାମ କରି ପତିଙ୍କ ସଙ୍ଗେ ମିଳନାର୍ଥେ ଶୀଘ୍ର ପ୍ରସ୍ଥାନ କଲେ-। ତହୁଁ ରାମଚନ୍ଦ୍ର, ଲକ୍ଷ୍ମଣ ଓ ମୁନିମାନେ ମିଥିଳାଭିମୁଖରେ ଯାତ୍ରା କଲେ ।
ଚତୁର୍ଥ ପରିଚ୍ଛେଦ
ବିଶ୍ୱପିତା ବିଷ୍ଣୁ ଅଯୋଧ୍ୟାରେ ଜନ୍ମଗ୍ରହଣ କଲା ପରେ ଲୋକମାତା ଲକ୍ଷ୍ମୀ ଆସି ମିଥିଳା ରାଜ୍ୟରେ ଆବିର୍ଭୂତା ହେଲେ । ମହାକାର୍ଯ୍ୟ ସାଧନ ଯେ ମହାଶକ୍ତି ସାପେକ୍ଷ, ଏହା ବୋଲିବା ବାହୁଲ୍ୟମାତ୍ର । ବିଷ୍ଣୁଙ୍କ ଶକ୍ତିରେ ପ୍ରକୃତିରୂପିଣୀ ଲକ୍ଷ୍ମୀଙ୍କର ଶକ୍ତି ନ ମିଶିଲେ ଦୁଷ୍ଟଦମନ, ଶିଷ୍ଟପାଳନ ଓ ଧର୍ମସଂରକ୍ଷଣ ପ୍ରଭୃତି ଦୁରୁହ ମହତ୍ କାର୍ଯ୍ୟ କରି ହେବ ନାହିଁ । ପ୍ରକୃତି ଓ ପୁରୁଷ ଉଭୟର ଶକ୍ତି ମିଶିଲେ ସେହି ମହାଶକ୍ତିକୁ କେହି ଅତିକ୍ରମ କରିପାରେ ନାହିଁ । ବର୍ତ୍ତମାନ ଯାହାକୁ ତ୍ରିହୁତ୍ କହନ୍ତି, ତାହାର ପୌରାଣିକ ନାମ ମିଥିଳା ଥିଲା । ପୂର୍ବେ ସେଠାରେ ଜନକ ନାମରେ ଜଣେ ରାଜର୍ଷି ରାଜପଣ କରୁଥିଲେ । ଦିନେ ସେହି ଜନକ ରାଜା ଯଜ୍ଞଶାଳା ନିର୍ମାଣ କରିବା ସକାଶେ ଖଣ୍ଡେ ଭୂମି କର୍ଷଣ କରୁଁ କରୁଁ ଫାଳ ମୁନ ବାଜି ମାଟି ଭିତରୁ ଗୋଟାଏ ପେଡ଼ି ବାହାରିଲା । ସେହି ପେଡ଼ି ଭିତରେ ଗୋଟିଏ ସଦ୍ୟଜାତ ସୁନ୍ଦରୀ ଶିଶୁ କନ୍ୟା ଶାୟିତା । ଶିଶୁର ଦେହରୁ ଉଜ୍ଜ୍ୱଳ ଜ୍ୟୋତି ନିର୍ଗତ ହେଉଅଛି । ସେହି ଜ୍ୟୋତିରେ ଦିଗ ଆଲୋକିତ ହୋଇ ଉଠୁଅଛି । ସେ ଦେବଶିଶୁ କି ନରଶିଶୁ କିମ୍ୱା ଜ୍ୟୋତିର୍ଗଠିତ ପୁଷ୍ପ, ପ୍ରଥମ ଦୃଷ୍ଟିରେ ଜନକ କିଛି ସ୍ଥିର କରିପାରିଲେ ନାହିଁ । ଏତେ ସୌନ୍ଦର୍ଯ୍ୟ ଯେ ମନୁଷ୍ୟ ଦେହରେ ସମ୍ଭବ ହୋଇପାରେ, ଏହା ବିଶ୍ୱାସ କରି ହେଲା ନାହିଁ । ସତେ ଯେପରି ରତ୍ନଜ୍ୟୋତିରେ ଚନ୍ଦ୍ରଜ୍ୟୋତ୍ସ୍ନାର ସୁଷମା ମିଶାଇ ସ୍ୱପ୍ନ ଛାଞ୍ଚରେ ମୂର୍ତ୍ତି ଗଢ଼ା ହୋଇଛି ଅଥବା ଏହା ଅକରନିର୍ମିତ ଲାବଣ୍ୟପ୍ରତିମା, ବିଧାତା-ବିନ୍ଧାଣିର ବହୁ ଯୁଗବ୍ୟାପୀ ସୌନ୍ଦର୍ଯ୍ୟ-କଳ୍ପନା ପ୍ରାଣ ପାଇ ରୂପ ଧାରଣ କରିଅଛି । ମହର୍ଷି ଜନକ ରାଜା କନ୍ୟାଟିକୁ ଦେଖି ବିସ୍ମୟରେ ଅଭିଭୂତ ହୋଇଗଲେ । ପରେ ଧ୍ୟାନପରାୟଣ ହୋଇ ଯୋଗବଳରେ ଜାଣିପାରିଲେ ଯେ–ବିଷ୍ଣୁପ୍ରିୟା ଲକ୍ଷ୍ମୀ ବୈକୁଣ୍ଠପୁର ଛାଡ଼ି ଧରାଧାମରେ ଅବତୀର୍ଣ୍ଣ ହୋଇଅଛନ୍ତି । ତହୁଁ ସେ ମହାନନ୍ଦରେ ବିହ୍ୱଳ ହୋଇ କନ୍ୟାଟିକୁ କୋଳରେ ଧରି ଘରକୁ ଆସିଲେ । ଲଙ୍ଗଳର ଫାଳକୁ ସୀତା ବୋଲି କହନ୍ତି । କନ୍ୟାଟି ଫାଳରୁ ଜାତ ହୋଇଥିବାରୁ ତାହାର ନାମ ସୀତା ରଖାଗଲା । ସୀତା ଜନକ ରାଜାଙ୍କ ଅନ୍ତଃପୁରରେ କନ୍ୟାଠାରୁ ବଳି ସ୍ନେହ ଓ ଯତ୍ନରେ ପ୍ରତିପାଳିତ ହେଲେ । ରାଜଦମ୍ପତିଙ୍କ ଅସୀମ ଆଦର ସରାଗ ମଧ୍ୟରେ ପୃଥିବୀ-କନ୍ୟା ସୀତା ଆଶାୟୀର ଆଶାଇତା ପରି କ୍ରମଶଃ ବଢ଼ିବାକୁ ଲାଗିଲେ । ବୟୋବୃଦ୍ଧି ସଙ୍ଗେ ସଙ୍ଗେ ତାଙ୍କ ଅନିନ୍ଦ୍ୟ ରୂପଗୁଣର ସ୍ନିଗ୍ଧ ସୌରଭ ଚାରିଆଡ଼େ ମହକି ଉଠିଲା । କ୍ରମେ ସେ ବିବାହଯୋଗ୍ୟ ବୟସରେ ପଦାର୍ପଣ କଲେ । ଜନକ ଏ ରୂପ ବିଦୁଷୀ, ଗୁଣବତୀ ଦେବକନ୍ୟାକଳ୍ପା କନ୍ୟାକୁ କାହାକୁ ସମ୍ପ୍ରଦାନ କରିବେ, କନ୍ୟାର ଅନୁରୂପ ବର ବା ଭୂମଣ୍ଡଳରେ କିଏ, କିଛି ସ୍ଥିର କରି ନପାରି ପ୍ରତିଜ୍ଞା କଲେ, ଯେ ଶିବଧନୁ ଭାଙ୍ଗିବ, ସୀତାଙ୍କୁ ସେ ତାହାରି ହାତରେ ସମର୍ପଣ କରିବେ । ଏଭଳି ପ୍ରତିଜ୍ଞା ବାସ୍ତବରେ ଅସଙ୍ଗତ ନୁହେଁ । ଶୋଭାର ଉପଯୁକ୍ତ ବର ଶୌର୍ଯ୍ୟ, ଏ ବିଧିନିର୍ବନ୍ଧ ସବୁଯୁଗରେ ଚଳି ଆସୁଅଛି । ଶୋଭା-ସାମ୍ରାଜ୍ୟର ପାଟେଶ୍ୱରୀ ସ୍ୱର୍ଣ୍ଣାଙ୍ଗୀ ବିଦ୍ୟୁତ୍ ଶୀତଳ କରକାକୁ ଛାଡ଼ି ପ୍ରଚଣ୍ଡ ଅଗ୍ନିଗର୍ଭ ବଜ୍ରକୁ ବରଣ କରିଅଛି, ବନସ୍ପତି ଜେମା ସୁହାସୀ ସୁକୁମାରୀ କୁସୁମସୁନ୍ଦରୀ ଦାରୁ ଭେଦଦକ୍ଷ କଠୋରହୃଦୟ ଭ୍ରମର ପାଦରେ ଆତ୍ମଦାନ କରିଅଛି । ଶୌର୍ଯ୍ୟ ବିନା ଶୋଭାକୁ ସୁଖୀ କରିବ କିଏ ? କୋମଳାଙ୍ଗୀ ସୂର୍ଯ୍ୟମୁଖୀ ସୂର୍ଯ୍ୟଦର୍ଶନରେ ସୁଖୀ ହୁଏ ବୋଲି ସିନା ନିର୍ନିମେଷ ନେତ୍ରରେ ଦିନସାରା ସୂର୍ଯ୍ୟଙ୍କୁ ଚାହିଁ ରହିଥାଏ ! ସେହିଦିନଠାରୁ ଶିବଙ୍କର ମହାଧନୁ ଜନକ ରାଜାଙ୍କ ଘରେ ସୁରକ୍ଷିତ ହୋଇ ପୁଜିତ ହେଉଥିଲା ।
ମିଥିଳାପତି ଋଷିପ୍ରାଣ ଜନକଙ୍କ ଧନୁର୍ଭଙ୍ଗ ପଣ ଶୁଣି ଅନେକ ରାଜା ଓ ରାଜପୁତ୍ର ବୀର୍ଯ୍ୟ ପରୀକ୍ଷା ସକାଶେ ମିଥିଳା ରାଜଧାନୀକୁ ଧାଡ଼ି ଦେବାକୁ ଲାଗିଲେ; ମାତ୍ର ଧନୁଭଗ୍ନରେ ଅକୃତକାର୍ଯ୍ୟ ହୋଇ ଦାରୁଣ ଲଜ୍ଜାର ଭାର ମୁଣ୍ଡରେ ବହି ଫେରିଯିବାକୁ ବାଧ୍ୟ ହେଲେ । ବିଶେଷତଃ ତତ୍କାଳିକ ମହାପ୍ରତାପୀ, ମହା ତେଜସ୍ୱୀ ରାଜା ସହସ୍ରବାହୁ ଅର୍ଜୁନ, ଦିଗ୍ବିଜୟୀ ଶ୍ରେଷ୍ଠ ଅମର-ତ୍ରାସ ରାକ୍ଷସରାଜ ରାବଣ, ଲବଣ, ବାଣ ପ୍ରଭୃତି ଉଗ୍ରତେଜା ବୀରମାନେ ଅପମାନ ଓ ଭଗ୍ନବାସନାର ଅସହ୍ୟ ଜ୍ୱାଳା ଘେନି ହେଠ ବଦନରେ ପଳାଇଯାଇଥିଲେ । ଶେଷରେ ରାମଚନ୍ଦ୍ର, ଓ ଲକ୍ଷ୍ମଣ ବିଶ୍ୱାମିତ୍ରଙ୍କ ସଙ୍ଗରେ ଯାଇ ମିଥିଳାରେ ଉପସ୍ଥିତ ହେଲେ । ବିଦେହ-ରାଜ ସେମାନଙ୍କର ଉପଯୁକ୍ତ ସତ୍କାର କଲେ । ପରେ ବିଶ୍ୱାମିତ୍ରଙ୍କଠାରୁ ରାମଲକ୍ଷ୍ମଣଙ୍କର ପରିଚୟ ଅବଗତ ହୋଇ କହିଲେ–‘‘ବଡ଼ ବଡ଼ ଜଗଜ୍ଜେତା ବୀରମାନେ ଯେଉଁ ଧନୁ ଟେକିବାକୁ ସମର୍ଥ ହୋଇପାରି ନାହାନ୍ତି, ବାଳକ ରାମଚନ୍ଦ୍ରଙ୍କଠାରୁ ବା ଅଧିକ କଅଣ ଆଶା କରାଯାଇପାରେ ?’’ ମହାଜ୍ଞାନୀ, ଉଗ୍ରତପା ବିଶ୍ୱାମିତ୍ର ମୃଦୁ ହସି କହିଲେ–‘‘ସାନ ବଡ଼ ବିଚାର ବଡ଼ ଦୁରୂହ ସମସ୍ୟା ରାଜର୍ଷି । ଖୁବ୍ ସାନ ଦ୍ୱାରା ଖୁବ୍ ବଡ଼ କାର୍ଯ୍ୟ ହୋଇପାରେ, ପକ୍ଷାନ୍ତରରେ ଖୁବ୍ ବଡ଼ ଦ୍ୱାରା ଖୁବ୍ ସାନ କାର୍ଯ୍ୟ ବି ହୋଇପାରେ ନାହିଁ । ଶରୀରର ଆକୃତି ସାନ ବଡ଼ର ପରିମାପକ ନୁହେଁ–ସେଥିର ସ୍ୱତନ୍ତ୍ର ମାପକାଠି ଅନେକ ଅଛି-। କ୍ଷୁଦ୍ର ମଣିକଣିକାରେ କକ୍ଷ ଆଲୋକିତ ହୁଏ; ମାତ୍ର ପ୍ରକାଣ୍ଡ ପ୍ରସ୍ତରସ୍ତୂପଦ୍ୱାରା ତାହା ହୋଇପାରେ ନାହିଁ । ଅତି କ୍ଷୁଦ୍ର ମହୁମାଛି ଦେବଦୁର୍ଲଭ ମଧୁ ସଞ୍ଚୟ କରିବାକୁ କ୍ଷମ ସିନା, ବଡ଼ ବଡ଼ ପକ୍ଷୀର ତ ତାହା ସାଧ୍ୟ ନୁହେଁ । ପୁଣି ପ୍ରକାଣ୍ଡକାୟ ହାତୀ ଗୋଡ଼ରେ ପିମ୍ପୁଡ଼ି ମରେ ନାହିଁ । ଏହା ସବୁ ଦେଖି ସାନ ବଡ଼ ନିରୂପଣ କରିବା ସହଜ କି ? ଯେ ଖୁବ୍ ସାନ, ସେହି ଏକା ଖୁବ୍ ବଡ଼-। ଯେଉଁ କାର୍ଯ୍ୟ କେତେ ଜଣମାତ୍ର କରି ନ ପାରିଲେ ବୋଲି ଯେ ତାହା କେହି କରିପାରିବେ ନାହିଁ–ଏରୂପ ଅନୁମାନ ଠିକ୍ ନୁହେଁ । ତୁମ୍ଭେ ସନ୍ଦେହ ନ କରି ସେହି ମହାଧନୁ ଆନୟନ କର, ରାମଚନ୍ଦ୍ର ନିଶ୍ଚୟ ତୁମ୍ଭର ପ୍ରତିଜ୍ଞା ପୂର୍ଣ୍ଣ କରିବେ । ହେ ଜନକରାଜା, ତୁମ୍ଭେ ମୋତେ ବିଶ୍ୱାସ କର, ମୋ କଥାର ସତ୍ୟାସତ୍ୟ ଆଉ କ୍ଷଣକ ପରେ ବୁଝିପାରିବ ।’’ ଜନକ ରାଜର୍ଷି ଅତୀବ ଆହ୍ଲାଦିତ ହୋଇ କହିଲେ–‘‘ମହାପୁରୁଷଙ୍କ ମହାବାକ୍ୟ ବ୍ୟର୍ଥ ହୁଏ ନାହିଁ ।’’ ଅନନ୍ତର ତାଙ୍କ ଆଜ୍ଞାରେ ଧନୁମଞ୍ଜୁଷା ଯନ୍ତ୍ରଚାଳିତ ହୋଇ ସଭା ମଧ୍ୟକୁ ଆନୀତ ହେଲା । ରାମଚନ୍ଦ୍ର ବିଶ୍ୱାମିତ୍ରଙ୍କ ଇଙ୍ଗିତାଦେଶ ପାଇ ତେଡ଼େ ବଡ଼ ମହାଧନୁକୁ ପେଡ଼ି ମଧ୍ୟରୁ ଫୁଲମାଳ ପରି ଅକ୍ଳେଶରେ ଉଠାଇଆଣିଲେ । ପରେ ସେଥିରେ ଗୁଣ ଚଢ଼ାଇ ଆକର୍ଷଣ କରନ୍ତେ ସେହି ପ୍ରକାଣ୍ଡ ଧନୁ ପ୍ରଚଣ୍ଡ ମଡ଼ ମଡ଼ ଶବ୍ଦରେ ଦୁଇ ଖଣ୍ଡ ହୋଇଗଲା । ତାହା ଦେଖି ଜନକରାଜା ଆଶ୍ୱସ୍ତ ହୋଇ ଆନନ୍ଦରେ ରାମଚନ୍ଦ୍ରଙ୍କୁ ଆଶୀର୍ବାଦ କଲେ । ନାଗରିକମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ଦଶରଥଙ୍କୁ ଏହି ଶୁଭସମ୍ୱାଦ ଦେଇ ତାଙ୍କୁ ଆଣିବା ସକାଶେ ସେହିକ୍ଷଣି ରାଜଦୂତ ପ୍ରେରିତ ହେଲା । ଏଣେ ନଗର ମଣ୍ଡଣି ଓ ବିବାହର ଆୟୋଜନ ଲାଗିଲା । ମିଥିଳା ଉତ୍ସବ ବେଶରେ ସଜ୍ଜିତ ହୋଇ ଅମରାପୁରୀକୁ ପରିହାସ କରିବାକୁ ଲାଗିଲା । ରାଜପାରିଷଦ ଓ ପରିକରବୃନ୍ଦ ଉତ୍ସବକୁ ସର୍ବାଙ୍ଗସୁନ୍ଦର କରିବା ସକାଶେ ଶତହସ୍ତ ହୋଇ କାର୍ଯ୍ୟରେ ପ୍ରବୃତ୍ତ ହେଲେ ।
ଯଥାସମୟରେ ଦଶରଥ ଭରତ ଓ ଶତ୍ରୁଘ୍ନ ସହ ଆସି ମିଥିଳାରେ ଉପସ୍ଥିତ ହେଲେ । ତହୁଁ ବିବାହର ଦିନ ଧାର୍ଯ୍ୟ ହେଲା । ବିବିଧ ବାଦ୍ୟ ଓ ଶଙ୍ଖ ହୁଳହୁଳି ଶବ୍ଦରେ ରାଜପୁରୀ କମ୍ପିଉଠିଲା । ଶୁଭଲଗ୍ନରେ ରାମ ସୀତାଙ୍କର ବିବାହ ହୋଇଗଲା । ଜନକ ରାଜାଙ୍କ ଘରେ ଆଉ ଗୋଟିଏ କନ୍ୟା ଥିଲା । ତାହାର ନାମ ଉର୍ମିଳା । ରାଜଭ୍ରାତା କୁଶଧ୍ୱଜଙ୍କର ମାଣ୍ଡବୀ ଓ ଶ୍ରୁତକୀର୍ତ୍ତି ନାମ୍ନୀ ଦୁଇଟି କନ୍ୟା ଥିଲେ । ସେମାନଙ୍କୁ ଯଥାକ୍ରମେ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ବିବାହ କଲେ । ଏକ ଦିନରେ ଏକସ୍ଥାନରେ ଚାରିଭାଇଙ୍କର ବିବାହ ହୋଇଗଲା । ବରକନ୍ୟାଙ୍କର ଦୁଇଟି ହୃଦୟ, ଦୁଇଟି ମନ, ଦୁଇଟି ପ୍ରାଣକୁ ବିବାହରୂପ ମହାସଂସ୍କାର ଏକ କରିଦିଏ । ଗ୍ରନ୍ଥିବନ୍ଧନ ରୂପ ସତ୍ୟର ବନ୍ଧନ, ଧର୍ମର ବନ୍ଧନ, ଆତ୍ମାର ବନ୍ଧନ ଜୀବନରେ ଆଉ ଫିଟେ ନାହିଁ । ଏହି ମହାମିଳନ ସଂସାରୀର ସଂସାରଯାତ୍ରା ଓ ମାନବ-ଜୀବନର ଲକ୍ଷ୍ୟ ସିଦ୍ଧି ପକ୍ଷରେ ପରମ ସହାୟ ।
କେତେ ଦିନ ଯାଏଁ ମିଥିଳା ରାଜଧାନୀ ଉତ୍ସବ ଆନନ୍ଦରେ ହସିବାକୁ ଲାଗିଲା । ଦଶରଥ ଓ ଜନକ ଦୁଇ ରାଜା ଦୀନଦରିଦ୍ରମାନଙ୍କୁ ଯଦ୍ଦୁଚ୍ଛା ଦାନ କରିବାକୁ ଲାଗିଲେ । ଜନକରାଜା କନ୍ୟାଜାମାତାଙ୍କୁ ବହୁବିଧ ରତ୍ନାଳଙ୍କାର, ଗଜ, ବାଜା, ରଥ ପ୍ରଭୃତି ବିରାଟ ଯୌତୁକସମ୍ଭାର ପ୍ରଦାନ କଲେ । ପିତା, ମାତା ଓ ଆତ୍ମୀୟ ବନ୍ଧୁଜନମାନେ କନ୍ୟାମାନଙ୍କୁ ସ୍ୱାମିଭକ୍ତି, ଗୁରୁସେବା, ଧର୍ମନୀତି, ବ୍ୟବହାରନୀତି, ଗାର୍ହସ୍ଥ୍ୟନୀତି, ସ୍ୱାସ୍ଥ୍ୟନୀତି ପ୍ରଭୃତି ବହୁ ଉପଦେଶ ପ୍ରଦାନ କଲେ । ଅନନ୍ତର ଦଶରଥ ଜନକ ରାଜାଙ୍କଠାରୁ ବିଦାୟ ଘେନି ପୁତ୍ର ଓ ପୁତ୍ରବଧୂମାନଙ୍କ ସହ ଅଯୋଧ୍ୟାଭିମୁଖରେ ଯାତ୍ରା କଲେ । ପୁତ୍ର-ଗୌରବରେ ତାଙ୍କର ପିତୃହୃଦୟ ପରିପୂର୍ଣ୍ଣ, ସୁତରାଂ ମହା ଉଲ୍ଲାସରେ, ମହା ସମାରୋହରେ ପଥ ଅତିକ୍ରମ କରିବାକୁ ଲାଗିଲେ । ବୀରବାଦ୍ୟ କୋଳାହଳରେ ଗଗନପବନ କମ୍ପି ଉଠିଲା; ମାତ୍ର ସେ ଉନ୍ମାଦ ଶବ୍ଦ କ୍ଷତ୍ରିୟହନ୍ତା ପରଶୁରାମଙ୍କ ଦୃପ୍ତ ପ୍ରାଣରେ ସହ୍ୟ ହେଲା ନାହିଁ । ସେ କ୍ରୋଧରେ ଅଧୀର ହୋଇ ଧନୁ କୁଠାର ଧରି ଆସି ବାଟ ଓଗାଳିଲେ ଏବଂ ତୀବ୍ରକଣ୍ଠରେ ରାମଚନ୍ଦ୍ରଙ୍କୁ କହିଲେ–‘‘ମୁଁ କ୍ଷତ୍ରିୟକୁଳର ଯମ ପରଶୁରାମ । ଏହି ପୃଥିବୀକୁ ମୁଁ ଏକୋଇଶ ଥର ନିଃକ୍ଷତ୍ରିୟ କରିଅଛି । ଜୀର୍ଣ୍ଣ ଧନୁଖଣ୍ଡେ ଭାଙ୍ଗି ତୋର ଏତେ ଅହଙ୍କାର ଯେ, ତୁ ମୋ ଆଗରେ ବିଜୟ-ଗୌରବରେ ମତ୍ତ ହୋଇ ଏଡ଼େ ସାହସରେ ବାଦ୍ୟ ବଜାଇ ଯାଉଅଛୁ ? ‘‘ ଆଛା, ଭାଙ୍ଗିଲୁ ଏହି ଧନୁ, ତୁ କେଡ଼େ ବୀର ଆଜି ସେଥିର ପରୀକ୍ଷାହେବ ।’’ ଏହା କହି ଗୋଟାଏ ବିଶାଳ ଧନୁ ରାମଚନ୍ଦ୍ରଙ୍କ ଆଡ଼କୁ ବଢ଼ାଇଦେଲେ । ରାମଚନ୍ଦ୍ର କିଛି ନ କହୁଣୁ ଲକ୍ଷ୍ମଣ କହିଲେ–‘‘ତପିବର, ଏତେ କୋପ କାହିଁକି ? କୋପ ପରା ତପର ବିରୋଧୀ ? ଆଉ ଏତେ ପ୍ରୌଢ଼ି ବାଢ଼ିବାର ବା ଉଦ୍ଦେଶ୍ୟ କଅଣ ? ତୁମ୍ଭେ ପୃଥିବୀକୁ କ୍ଷତ୍ରିୟଶୂନ କରିପାରିଥିବ; ମାତ୍ର ତାହା ରଘୁକୁଳଚୂଡ଼ା ରାମଚନ୍ଦ୍ରଙ୍କ ଜନ୍ମ ପୂର୍ବରୁ ।’’ ଲକ୍ଷ୍ମଣ ଏହା କହି ଟିକିଏ ହସିଦେଲେ । ମହାକ୍ରୋଧୀ ପରଶୁରାମଙ୍କୁ ଆଉ ସମ୍ଭାଳେ କିଏ-? ଏବେ ତ ଲକ୍ଷ୍ମଣଙ୍କର ବିଦ୍ରୂପୋକ୍ତି ତାଙ୍କ ହୃଦୟରେ ହାତୁଡ଼ିର ଆଘାତ ବସାଇଦେଇଥିଲା, ତାହା ଉପରେ ଏହି ତାଚ୍ଛଲ୍ୟବ୍ୟଞ୍ଜକ ହାସ୍ୟ ସେହି ଆହତ ସ୍ଥାନରେ ବିଷ ବିରୁଡ଼ିର ହୁକ ବିନ୍ଧିଦେଲା-। ସେହି ତୀବ୍ର ବିଷ ଋଷିଙ୍କର ମର୍ମେ ମର୍ମେ ଚରିଗଲା । କ୍ରୋଧରେ ତାଙ୍କର ଓଷ୍ଠାଧର ପାଣ୍ଡୁରତା ଭଳି ଥରିବାକୁ ଳାଗିଲା । ତାଙ୍କ ମୁହଁରୁ କଥା ବାହାରିପାରିଲା ନାହିଁ । ସେ ରକ୍ତନେତ୍ରରେ ରାମଚନ୍ଦ୍ରଙ୍କୁ ଚାହିଁରହିଲେ, ରାମଚନ୍ଦ୍ର ତାଙ୍କ ହାତରୁ ଧନୁ ଟାଣିଆଣିଲେ ଏବଂ ସେଥି ସଙ୍ଗେ ସଙ୍ଗେ ପରଶୁରାମଙ୍କଠାରୁ ବିଷ୍ଣୁତେଜ ହରଣ କଲେ । ତତ୍କ୍ଷଣାତ୍ ଅଗ୍ନିତୁଲ୍ୟ ତେଜସ୍ୱୀ ପରଶୁରାମ ନିସ୍ତେଜ ହୋଇ ପଡ଼ି ମନେମନେ ଭାବିଲେ–‘‘ବାସ୍ତବରେ ରାମଚନ୍ଦ୍ର ସାମାନ୍ୟ ବ୍ୟକ୍ତି ନୁହନ୍ତି ।’’ ରାମଚନ୍ଦ୍ର ଧନୁରେ ବାଣ ସଂଯୋଗ କରି କହିଲେ- ‘‘ବିପ୍ରବର, ମୋର ବାଣ ଅବ୍ୟର୍ଥ , ଏଥିରେ କାହାକୁ ସଂହାର କରିବି ? ତୁମ୍ଭେ ତପୋକ୍ଷୀଣ ବପୁ ବୃଦ୍ଧ ବ୍ରାହ୍ମଣ, ସୁତରାଂ ଅବଧ୍ୟ । ଏହି ବାଣରେ ତୁମ୍ଭର ସ୍ୱର୍ଗପଥ ରୁଦ୍ଧ କରିବି ।’’ ଏହା କହି ବାଣଦ୍ୱାରା ପରଶୁରାମଙ୍କର ସ୍ୱର୍ଗପଥ ରୁଦ୍ଧ କଲେ । ପରଶୁରାମ ହୀନପୁଣ୍ୟ ହୋଇ ପରାଜୟ ସ୍ୱୀକାରପୂର୍ବକ ପୁନଶ୍ଚ ତପସ୍ୟାଦ୍ୱାରା ପୁଣ୍ୟ ସଞ୍ଚୟକରିବା ସକାଶେ ମହେନ୍ଦ୍ର ପର୍ବତକୁ ଗମନ କଲେ । ପୁତ୍ରର ବିଜୟଗୌରବରେ ଦଶରଥଙ୍କର ଛାତି ଫୁଲିଉଠିଲା । ସେ ନିଜର ବୟସ ହଜାର ବର୍ଷ ପଛକୁ ଘୁଞ୍ଚି ଆସିଲା ପରି ମଣିଲେ । ସେ ଅତୁଳ ଉଲ୍ଲାସରେ ପ୍ରମତ୍ତ ହୋଇ ଦୁଇଗୁଣ ଉତ୍ସାହରେ ବାଦ୍ୟରୋଳ ଉଠାଇ ମହାଆଡ଼ମ୍ବରରେ ଆସି ଅଯୋଧ୍ୟାରେ ଉପସ୍ଥିତ ହେଲେ । ଅଯୋଧ୍ୟା ନଗରୀ ଆନନ୍ଦରେ ଉଦ୍ବେଳିତ ହୋଇଉଠିଲା । ରାଜମହିଷୀମାନେ ଆସି ଆନନ୍ଦରେ ବଧୂମାନଙ୍କୁ ବରଣ କରି ଅନ୍ତଃପୁରକୁ ଘେନିଗଲେ । ଏହି ବିବାହ ଉପଲକ୍ଷରେ ଅଯୋଧ୍ୟା ରାଜଧାନୀରେ ବହୁଦିନବ୍ୟାପୀ ବିବିଧ ଉତ୍ସବ ଲାଗି ରହିଥିଲା ।