ରାଧାକାନ୍ତ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୪୦
- ସ୍ଥିତି
- ସାର୍ବଜନୀନ (Public domain)
କୁଞ୍ଜବନ ଗଡନାଥ,ଆହେ ଦେବ ରାଧାକାନ୍ତ ।ରାଜଦତ୍ତ ଭୋଗ ସାରି,ସୁଖେ ବିରାଜ ମୁରାରି ହେ ।୧।ତୁମ୍ଭର ଦୋଳ ଉତ୍ସବ,ଦେଖୁଛି ଯେଡେ ବିଭବ ।ଚନ୍ଦନ ଯାତ୍ରା ସୌରଭ,ବଢ଼ାଇ ଦିଏ ଗୌରବ ହେ ।୨।ଜନ୍ମାଷ୍ମମୀ ଭୋଗରାଗେ,ବିଶେଷ ଯତ୍ନ ସରାଗେ,କରୁଥିଲେ ବୁଢ଼ା ରଜା,ବାଳକେ ଦେଇଣ ଖଜା ହେ ।୩।ଚାଖଣ୍ଡେ ବୁଲା କାକରା,ସାଚୀ ମିଶା ପୁର ଭରା ।ଯୋଗନାରିକେଳ କୋରା,ଘୃତ ବାସନା କି ତୋରା ହେ ।୪।ନିମନ୍ତ୍ରଣ ପାଇ ତ୍ୱରା,ବେଢ଼ା ପ୍ରାଙ୍ଗଣରେ ଧରା ।ଭୋଜନାର୍ଥେ ଦ୍ୱିଜ ଭରା,ଆକରାରେ ସେ କାକରା ହେ ।୫।କୁଞ୍ଜବନ ଦୁର୍ଗବାସୀ,ଭକ୍ତିଭାବେ ଥାନ୍ତି ରସି ।ମଠବାଡୀ ଦେବ ଗଣେ,ଆସନ୍ତି ଅନୁସରଣେ ହେ ।୬।ମଧ୍ୟଖଣ୍ଡ ଆଦି କରି,ବେଲପଡା ଗ୍ରାମ ଧରି ।ଯେତେଛନ୍ତି ଦେବଇଷ୍ଟ,ଉପଗତ ତବ ପୀଠ ହେ ।୭।ଦଶଘରିଆ ବ୍ରାହ୍ମଣେ,ଅଛନ୍ତି ସେବକ ପଣେ ।ଲୋକେ ବୋଲନ୍ତି ଝାଡୁଆ,ମୋତେ ସେ ଲାଗେ ଅଡୁଆ ହେ ।୮।ଶ୍ରୀ ବୃନ୍ଦାବନ ବିହାରୀ,ଥିଲ ହେ ମୁରଲୀଧାରୀ ।ଦେଲେ ଯେ ଅନ୍ନବ୍ୟଞ୍ଜନ,ଭୋଗ, ବିପ୍ର ନାରୀଗଣ ହେ ।୯।ଏ କି ସେହ ବଂଶଧର,ଭାବୁଛି ମୁହଁ ମନର ।ଆସିଲା ବେଳକୁ ହରି,ଆଣିଅଛ ସଂଗେ ଧରି ହେ ।୧୦।ଦଶମୁଣ୍ଡିଆ ରାବଣ,କରିଥାନ୍ତ ପୀଠ ଜନ ।ଶ୍ରୀରାମଚନ୍ଦ୍ର ଚରିତ,ଶ୍ରବଣେ ହରେ ଦୁରିତ ହେ ।୧୧।ନାନାବିଧ ବନ ଫୁଲ,ମଣିଥାନ୍ତି ଆଣି ଚୂଳ ।ମଣିଭଦ୍ରୀ ଗିରିଧାରି,ତୁଙ୍ଗଭଦ୍ରା ଆଦି କରି ହେ ।୧୨।ବୃତ୍ତଙ୍ଗ ବାରେଣୀକାଳ,ତବ ଶିର ଧଣ୍ଡାମାଳ ।ଗଳେ କରନ୍ତି ଧାରଣ,ଆଗନ୍ତୁକ ଭକ୍ତଗଣ ହେ ।୧୩।କୁଞ୍ଜବନର ରାଜନ,ବେହରଣେ ଦେବାର୍ଚ୍ଚନ ।ନକଲେ ତବ ଦର୍ଶନ,କରନ୍ତି ନାହିଁ ଯୋଗଣ ହେ ।୧୪।ଏକାଦଶୀ ସଂକରାନ୍ତ,ପରସାଦ ବିତରନ୍ତି ।ଶ୍ରୀଯୁତ ଦଦା ସାମନ୍ତ,ଥିଲେ ଦୁର୍ଗେ ଭକ୍ତିମନ୍ତ ହେ ।୧୫।ପଟଣାରୁ ଜଣେ ଜଣେ,ଧନବନ୍ତ ମହାଜନେ ।ପୀଠେ ହୋଇ ଉପଗତ,ପୂଜନ୍ତି ବିଧି ସଂଗତ ହେ ।୧୬।ବୃନ୍ଦାବନେ କରି ବାସ,ପୂରାଇଲ ଗୋପୀଆଶ ।ରାଧାକାନ୍ତ ହରପ୍ରାସ,ଦେଖିବି ମୁଁ ତବ ରାସ ହେ ।୧୭।