ନଳଚରିତ — ମଧୁସୂଦନ ଦାସ · ସ୍ୱର୍ଣ୍ଣଲିପିପ୍ରଥମ ଛାନ୍ଦ
ରାଗ ଭୂପାଳ(ଦିଶ-ନଟ ନାରାୟଣୀ ବାଣୀ)ଶୁଣ ସୁଜନେ ଏକ ଅପୂର୍ବ ରସ ।ଯାହା ଶୁଣନ୍ତେ ପାତକ ହୋଏ ଧ୍ୱଂସ ।।୧।ରାମ ପିତା-ବଚନେ ଅରଣ୍ୟେ ଥିଲେ ।ମାୟା-ମୃଗ ଦେଖି ମାରିବାରେ ଗଲେ ।।୨।ତେଣେ ଜାନକୀ ରାବଣ ନେଲା ହରି ।ରାମ ଲେଉଟିଲେ ମାୟା-ମୃଗ ମାରି ।।୩।ଯାଇଁ ଦେଖିଲେ ସୀତୟା ନାହିଁ ପୁରେ ।ରାମ କାରୁଣ୍ୟେ ପଡ଼ିଲେ ଅବନୀରେ ।।୪।ଦେଖି ଲକ୍ଷ୍ମଣ କୋଳ କରିଣ ଧରି ।ପ୍ରଭୁ ଶୋକଭରେ ବଡ଼ ଚିନ୍ତା କରି ।।୫।ଏହିମତେ ଗଲା ତହିଁ କିଛି ଦିନ ।ପ୍ରଭୁ ଜାଣିଲେ ସୀତା ଶଙ୍କୁନମାନ ।।୬।ଦଶଗ୍ରୀବ ନେଲା ଜାନକୀକି ମୋର ।ନିଶ୍ଚେ ଛେଦିବଇ ଦଶ ଶିର ତାର ।।୭।ଏହି ପ୍ରତିଜ୍ଞା କରିଣ ରଘୁରାଣ ।ମାରିବଇ ନିଶ୍ଚୟେ ମୁଁ ଦଶାନନ ।।୮।ଏହି ଆଜ୍ଞା ଦେଇଣ ଅରଣ୍ୟେ ଥିଲେ ।ଲଙ୍କା ଶିରୀହତ ସେହୁ ବିଚାରିଲେ ।।୯।ଏବେ ଶୁଣିମା ନରେ ଅପୂର୍ବ ରସ ।ଏକଦିନେ ରାମ ବସି ଅମରିଷ ।।୧୦।ଏହା ଜାଣିଲେକ ମାରକଣ୍ଡ ଋଷି ।ପ୍ରଭୁ ଛାମୁରେ ହୋଇଲେ ବେଗେ ଆସି ।।୧୧।ଶ୍ରୀରାମ ଦେଖିଣ ବଡ଼ ମାନ୍ୟ କଲେ ।ଏଡେ ତାପ କିମ୍ପା ବୋଲି ପଚାରିଲେ ।।୧୨।ଅତି କ୍ରୋଧେ ରାମ ଋଷି-ପାଦେ ପଡ଼ି ।ବନେ ଅଇଲି ମୁଁ ଅଭିଷେକ ଛାଡ଼ି ।।୧୩।ବନେ ଶୁଣିଲି ପିତା ହୋଇଲେ ଭ୍ରଷ୍ଟ ।ତଥି ଉପରେ ହୋଇଲା ପତ୍ନୀ କଷ୍ଟ ।।୧୪।ସବୁ ବୁଝାଇ କହିଲେ ରଘୁମଣି ।ଆଜ୍ଞା ଦେଲେ ଋଷିଙ୍କି ଶୁଣିମା ପୁଣି ।।୧୫।ମୋହୋ ସମ ଦୁଃଖୀ ନାହିଁ ଅବନୀରେ ।ପୂର୍ବେ କେହୁ ଅଛଇ ଜାଣ କି ତାରେ ।।୧୬।ମାରକଣ୍ଡ ଆଜ୍ଞା ଦେଲେ ଶୁଣ ରାମ ।ତୋତେ କହିବାକ ପୁଣ ତାର ନାମ ।।୧୭।ସୂର୍ଯ୍ୟବଂଶେ ବୀରସେନ ରାଜା ଖ୍ୟାତ ।
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ନଳ ନାମେଣ ତାହାର ଏକ ସୁତ ।
।୧୮।
କାମଦେବଙ୍କୁ ରୂପେ ସମାନ ସେହୁ ।
ଶୂରବନ୍ତ-ପଣେ ସମ ନାହିଁ କେହୁ ।
।୧୯।
ବଡ଼ ଧାର୍ମିକ ସତ୍ୟବାଦୀ ଅଟଇ ।
ତାର ଚରିତ ତୋତେ କହିବି ମୁହିଁ ।
।୨୦।
ବୀରସେନ ରାଜା ପୁତ୍ର ଦେଖିକରି ।
ଅତି ଆନନ୍ଦ ହୋଇ ମନେ ବିଚାରି ।
।୨୧।
ରାଜ୍ୟେ ଅଭିଷେକ ସୃତ କରାଇବି ।
ଅରଣ୍ୟକୁ ମୁହିଁ ତପ କରି ଯିବି ।
।୨୨।
ଏତେ ବିଚାରି ରାଜା କହିଲା ବାଣୀ ।
ଆମ୍ଭେ ବିଭା କରିବା କୁମରମଣି ।
।୨୩।
ଭିବା ସାରି ଅଭିଷେକ କରାଇବି ।
ବଇଦର୍ଭ ଦେଶଯାକ ସମର୍ପିବି ।
।୨୪।
ମନ୍ତ୍ରୀକି ଡକାଇ ରାଜା ଆଜ୍ଞା ଦେଲେ ।
କୁମାର ନିମନ୍ତେ କନ୍ୟା ଖୋଜାଇଲେ ।
।୨୫।
ମନ୍ତ୍ରୀ ଆଜ୍ଞା ପାଇ ଚାରଗଣ ଗଲେ ।
ଚଉଦିଗେ ସେ ଯାହାର ସେ ଖୋଜିଲେ ।
।୨୬।
କୁମାରକୁ କନ୍ୟା ସେ ସମାନ ନାହିଁ ।
ରାଜା ଆଗରେ ଆସି ଡଗରେ କହି ।
।୨୭।
ବୀରସେନ ଚାରଙ୍କ ବଚନ ଶୁଣି ।
ଅଭିଷେକ କଲାକ କୁମରମଣି ।
।୨୮।
ରାଜା କରି ଅରଣ୍ୟକୁ ସେହୁ ଗଲେ ।
ନଳରାଜା ପଦେ ସର୍ବେ ସେବା କଲେ ।
।୨୯।
କିଛି ଦିନ ଏହିମତେ ଗଲା ପୁଣ ।
ତହୁଁ ଯେମନ୍ତେ ହୋଇଲା ତାହା ଶୁଣ ।
।୩୦।
ଏକଦିନେ ନଳ ମୃଗୟାକୁ ଯାଇ ।
ପୁଷ୍କରିଣୀ ତଟରେ ପ୍ରବେଶ ହୋଇ ।
।୩୧।
ତହିଁ ଦେଖିଲେ ହଂସେକ ଚରୁଅଛି ।
ଅଷ୍ଟରତ୍ନେ ଜଡ଼ିତ ସୁବର୍ଣ୍ଣ-ପକ୍ଷୀ ।
।୩୨।
ଏହୁ ଅସମ୍ଭବ କଥା ଦେଖିକରି ।
ମନେ ବିଚାରଇ ହଂସ ନେବି ଧରି ।
।୩୩।
ତାର ପାଶକୁ ରାଜନ ଯହୁଁ ଗଲା ।
ହଂସ ଭୟ କରି ତେଣୁ ପଳାଇଲା ।
।୩୪।
ଯାଇ ପୃଷ୍କରିଣୀ ଆର ତଟେ ହୋଇ ।
ରାଜା ଏମନ୍ତ ଦେଖିଣ ବିଚାରଇ ।
।୩୫।
ଏହି ସୁନ୍ଦର ପକ୍ଷୀ ଦେଖିଲା ନାହିଁ ।
ଏହା ଧରିଣ ମୁହିଁ ନେମଇଁ କାହିଁ ।
।୩୬।
ଏତେ ବୋଲିଣ ଧନୁଶରକୁ ଧରି ।
ଆଜ ହଂସକୁ ମୁହିଁ ନେମଇଁ ମାରି ।
।୩୭।
ବେଗେ ଧନୁରେ ନାରାଜ ବସାଇଲା ।
ଭୟ କରିଣ ହଂସ ଶରଣ ଗଲା ।
।୩୮।
ତୋର ଅପାର କର୍ମ କରିବି ମୁହିଁ ।
ତୁମ୍ଭେ ନାରାଜ ବିନ୍ଧିଲେ ଜୀଇ ନାହିଁ ।
।୩୯।
ଏହା ଶୁଣିଣ ନଳ ତରସ୍ତ ହୋଇ ।
ଧନୁଶର ହସ୍ତରୁ ପକାଇ ଦେଇ ।
।୪୦।
କୁହୋ କି କର୍ମ କରିବୁ କହ ମୋର ।
ବେଗେ ଜଣାଅ ଆସି ମୋର ଛାମୁର ।
।୪୧।
କାହା ନିକଟେ ହଂସ ହୋଇଲା ଆସି ।
ରାଜା ତାକୁ ଦେଖି ବଡ଼ ପରଶଂସି ।
।୪୨।
ହଂସ ବିନୟ ହୋଇ କହଇ ଶୁଣ ।
କୁଣ୍ଡୀ କଟକରେ ଭୀମ ନୃପ ଜାଣ ।
।୪୩।
ତାର ଦୁହିତାଏ ଅଛି ଅନୁପାମ ।
ଦମୟନ୍ତୀ ବୋଲି ତାହାଙ୍କର ନାମ ।
।୪୪।
ରତି ସମାନ ସେହୁ ସୁନ୍ଦରପଣେ ।
ତୋତେ ସରି ସେ ଅଟଇ ସର୍ବଗୁଣେ ।
।୪୫।
ତାକୁ ସନ୍ଦେଶ କହିବି ମୁହିଁ ଯାଇ ।
ତୁମ୍ଭ ରୂପଗୁଣ ସର୍ବ କହିବଇଁ ।
।୪୬।
ଯେଉଁ ପ୍ରକାରେ ତୋତେ ହୋଇବ ବିଭା ।
ନିଶ୍ଚେ କହୁଅଛି ମୁଁ କରିବି ନିର୍ଭା ।
।୪୭।
ନଳ ବୋଇଲେ ତୁମ୍ଭେ ସୁକୃତ କର ।
ଏହା କଲେ ବଶ ମୁଁ ହୋଇବି ତୋର ।
।୪୮।
ହଂସ ନିୟମ କରିଣ ଚଳିଗଲା ।
କୁଣ୍ଡୀ ନଗ୍ରରେ ଯାଇ ପ୍ରବେଶ ହେଲା ।
।୪୯।
ଭୀମ ରାଜାର ବେଣ୍ଟପୋଖରୀ ଯେହୁ ।
ଯାଇ ପ୍ରବେଶ ହୋଇଲେ କହୁଁ କହୁଁ ।
।୫୦।
ତହିଁ ନାନା କ୍ରୀଡ଼ା କରି ଚରୁଥିଲା ।
ଦମୟନ୍ତୀ ଏହି କାଳରେ ଅଇଲା ।
।୫୧।
ସଙ୍ଗେ ତାହାର ସଖୀସମୂହ ଅଛି ।
ତାଙ୍କ ମନେ ଚିନ୍ତା ଆଉ ନାହିଁ କିଛି ।
।୫୨।
ଜଳ ଭିତରେ ପଶିଲେ ସର୍ବ ସଖୀ ।
ତଥି ମଧ୍ୟରେ ସର୍ବେ ହଂସକୁ ଦେଖି ।
।୫୩।
ଅଷ୍ଟରତନେ ଜଡ଼ିତ ପକ୍ଷୀବର ।
ଏହା ଦେଖିଲା ନାହିଁ ତ ଜଗତର ।
।୫୪।
ସର୍ବ ସଖୀ ହଂସକୁ ଧରିବା ପାଇଁ ।
ଚାରିପାଶେ ହଂସକୁ ବେଢ଼ିଲେ ଯାଇ ।
।୫୫।
ସେ ଯେ ବ୍ରହ୍ମଲୋକରୁ ଆସିଛି ହେଳେ ।
ତାକୁ ଧରି ପାରିବ କେ କାହା ବଳେ ।
।୫୬।
ତାର ଇଚ୍ଛାଏ ହଂସ ଅଇଲା ପୁଣି ।
ଦମୟନ୍ତୀ ହସ୍ତରେ ବସିଲା ଜାଣି ।
।୫୭।
ଅତି ଶ୍ରଦ୍ଧା କରିଣ ରାଜକୁମାରୀ ।
କାହୁଁ ଅଇଲୁ ବୋଲି ତାକୁ ପଚାରି ।
।୫୮।
ଆନନ୍ଦ ହୋଇ କହଇ ହଂସପକ୍ଷୀ ।
ଶୁଣ ଅଇଲି ମୁଁ ଯହୁଁ ଚନ୍ଦ୍ରମୁଖୀ ।
।୫୯।
ମୁହିଁ ଅଇଲି ନଳରାଜନ ତହୁଁ ।
ତୋତେ ଭ୍ରଥାପଣକୁ ସମାନ ସେହୁ ।
।୬୦।
ଶୁଣି କୁମାରୀ ଚିତ୍ତେ ଆନନ୍ଦ ହୋଇ ।
ଏହିକ୍ଷଣି ବାରତା ତୁ କହ ଯାଇଁ ।
।୬୧।
ପିତା ସ୍ୱୟମ୍ବର ମୋର କରୁଅଛି ।
ବର ଚରିବି ମୋର ମନକୁ ବାଛି ।
।୬୨।
ନଳ ବେଗେଣେ ବିଜେ କରନ୍ତୁ ଆସି ।
ରାଜାସମୂହ ଭିତରେ ଥାନ୍ତୁ ବସି ।
।୬୩।
ତାଙ୍କୁ ବରିବି ସୁକୃତ କଲି ମୁହିଁ ।
ଏତେ ବୋଲିଣ ହଂସକୁ ଛାଡ଼ିଦେଇ ।
।୬୪।
ହଂସ ଉଡ଼ିକରି ବେଗେ ଚଳିଗଲା ।
ନଳରାଜା ଛାମୁରେ ପ୍ରବେଶ ହେଲା ।
।୬୫।
ସର୍ବ ସନ୍ଦେଶ ଶୁଭ ବାରତା କହି ।
ବ୍ରହ୍ମଲୋକକୁ ହଂସ ଚଳିଣ ଯାଇ ।
।୬୬।
ଭୀମରାଜା ଦୁହିତାର ସ୍ୱୟମ୍ବର ।
ନଳ ଛାମୁରେ ଆସି କହିଲା ଚାର ।
।୬୭।
ପ୍ରଭୁ ତୁରିତେ ତୁମ୍ଭେ ବିଜୟ କର ।
ସର୍ବ ରାଜା ବିଜେ କୁଣ୍ଡୀ କଟକର ।
।୬୮।
ତାର ସନ୍ଦେଶ ରାଜା ଯହୁଁ ପାଇଲେ ।
ରଥେ ଚଢ଼ିଣ ବେଗେଣ ଚଳିଗଲେ ।
।୬୯।
ନଗ୍ର କିଛିଦୂରେ ରହିଅଛି ପୁଣ ।
ପଥେ ଚାରି ବିମାନ ଦେଖିଲେ ଜାଣ ।
।୭୦।
ଇନ୍ଦ୍ର ଅଗ୍ନି ବରୁଣ କୁବେର ଚାରି ।
ତାଙ୍କୁ ଦେଖିଣ ସେହୁ ପ୍ରଣାମ କରି ।
।୭୧।
ସେହୁ ବୋଲନ୍ତି ନଳ ଆସ ହୋ ତୁହି ।
ଦୂତପଣେ ଦମୟନ୍ତୀକି କହ ଯାଇ ।
।୭୨।
ତୁ ତ ଧର୍ମିକ ବଡ଼ ଅଟୁ ରାଜନ ।
ଦୁତପଣକୁ ତୁହି ସେ ବର୍ତ୍ତମାନ ।
।୭୩।
ବୋଲେ ଇନ୍ଦ୍ର ଅଗ୍ନି ବରୁଣ କୁବେର ।
ସ୍ୱୟମ୍ବରକୁ ଆସିଅଛନ୍ତି ତୋର ।
।୭୪।
ଆମ୍ଭ ଗୁଣ ଯାହା ସବୁ ଜଣାଇବୁ ।
ତାର ଆଗରେ ସର୍ବ ତୁ ବଖାଣିବୁ ।
।୭୫।
ଇଚ୍ଛା ହୋଇବ ଯାହାକୁ ତାକୁ ବରୁ ।
ତାର ନିମନ୍ତେ ଆସିଛୁ ସ୍ୱର୍ଗପୁରୁ ।
।୭୬।
ଶୁଣି ନଳ ଯେ ବଡ଼ ବିଷାଦ ପାଇ ।
ସନ୍ଧି କଥା ଶୁଣି ପାଏ ପଡ଼ି ଶୋଇ ।
।୭୭।
ପ୍ରଭୁ ତୁମ୍ଭେ ଅନ୍ତର୍ଗତ କଥା ଜାଣ ।
ମୁହିଁ କିସ କଥା କହିବଇଁ ପୁଣ ।
।୭୮।
ଆନ ଜଣେ ଦୁତପଣେ ବରଗିବ ।
ମୋହୋ ଗଲେ ସମସ୍ତ ବିଘ୍ନ ହୋଇବ ।
।୭୯।
ଏହୁ ବଚନ ଚାରି ଦେବତା ଶୁଣି ।
ଧନ୍ୟ ଧନ୍ୟ କଲେ ତାକୁ ପୁଣ ପୁଣି ।
।୮୦।
ତୁହୋ ଆମ୍ଭର ନାମ ଧରିଣ କହ ।
କିଛି ଚିନ୍ତା ନ କରି ଚଳିଣ ଯାଅ ।
।୮୧।
ତାର ଇଚ୍ଛା ହେଲେ ସେ ଆମ୍ଭଙ୍କୁ ବରୁ ।
ଆମ୍ଭେ ଜାଣୁ କାହା ହଂସ ସଙ୍କେତରୁ ।
।୮୨।
ନଳ ବୋଇଲେ ଶୁଣ ଦେବତାବର ।
ତୁମ୍ଭ ଆଜ୍ଞା ପ୍ରମାଣେ ହୋଇଲି ଚାର ।
।୮୩।
ମୁହିଁ କେମନ୍ତେ ହୋଇ ତହିଁକି ଯିବି ।
କନ୍ୟା ବୋଲି କାହାକୁ ସମ୍ଭାଷ ଦେବି ।
।୮୪।
କୁହୋ ଆମ୍ଭର ଆଜ୍ଞା ଘେନିଣ ଯାଅ ।
ଦ୍ୱାରେ କେହୁ ନ ଦେଖୁ ଭିତରେ ହୁଅ ।
।୮୫।
ତୋତେ ଚାହିଁଣ ଉତ୍ତର ଦେବ ଯେହୁ ।
ଦମୟନ୍ତୀଟି ନିଶ୍ଚୟେ ଜାଣ ସେହୁ ।
।୮୬।
ଆଜ୍ଞା ପ୍ରମାଣେ ସେ ସେହିକ୍ଷଣି ଗଲେ ।
ଯାଇ ଦମୟନ୍ତୀ ଛାମୁରେ ମିଳିଲେ ।
।୮୭।
କନ୍ୟା ଦେଖିଲା ଅତି ଅପୂର୍ବ ରସ ।
ରାଜା ଅନ୍ତଃପୁରରେ ଏକ ପୁରୁଷ ।
।୮୮।
ଏ ଯେ କେହୁ ଅଟଇ କାହିଁକି ଥାଏ ।
ହଂସ କହିଛି ନଳ ନ ପୁଣ ହୋୟେ ।
।୮୯।
ମନେ ସୁମରିଣ ସେ ରାଜକୁମାରୀ ।
ଅତି ସଲକ୍କେଣ ପୁଣ ସେ ବିଚାରି ।
।୯୦।
ହଂସ ଯାହା ସେ କହି ଯାଇଛି ମୋତେ ।
ସେହି ହୋଇବ ପରା ଯାଉଛି ପ୍ରତେ ।
।୯୧।
ଏତେ ବୋଲି ଉଠିଣ ପ୍ରଲମ୍ବ କଲା ।
ସ୍ୱାମୀ ! କେଣେ ଅଇଲ ସେ ପଚାରିଲା ।
।୯୨।
ଯହୁଁ ଦମୟନ୍ତୀ କହିଲା ଉତ୍ତର ।
ନଳ ବୋଇଲେ ବାମା ମୋ ବୋଲ କର ।
।୯୩।
ମୁହଁ ଦୁତପଣେ ଆସିଅଛି ତୋତେ ।
ଏହୁ କଥାକୁ ଅବଧି ଯିବୁ ପ୍ରତେ ।
।୯୪।
ସ୍ୱର୍ଗେ ଶୁଣିଲେ ତୋହର ସ୍ୱୟମ୍ବର ।
ତେଜି ଆସିଅଛନ୍ତି ଅମରପୁର ।
।୯୫।
ଦେବ, ଇନ୍ଦ୍ର, ଅଗ୍ନି, ବରୁଣ, କୁବେର ।
ରୂପ ଗୁଣ ସୁମରି ଅଇଲେ ତୋର ।
।୯୬।
ତୁ ତ ଧର୍ମଶାସ୍ତ୍ର ଶୁଣିଅଛୁ ସର୍ବ ।
ସେ ତ ସ୍ୱର୍ଗେ ଠାକୁର ଦେବାଧିଦେବ ।
।୯୭।
ତାଙ୍କ ବଡ଼ପଣ ମୁଁ କହିବି କେତେ ।
ଯେବେ ମୁର୍ଖ ହୁଅନ୍ତି ବୁଝାନ୍ତି ତୋତେ ।
।୯୮।
ଚାରି ଦେବଙ୍କ ମଧ୍ୟୁ ଜଣକୁ ବର ।
ତୁମ୍ଭେ ପ୍ରଭୁ ହୋଇବଟି ସ୍ୱର୍ଗପୁର ।
।୯୯।
କ୍ଷିତି ଭିତରେ ଯଶ ଥିବଟି ମୋର ।
ଏହି କଥା ପାଳ ତୁ ଆନ ନ କର ।
।୧୦୦।
ଯହୁଁ ନଳ ଦେଲେ ଏହୁ ଆଜ୍ଞା ବାଣୀ ।
ଦମୟନ୍ତୀ ତରସ୍ତ ହୋଇଲେ ଶୁଣି ।
।୧୦୧।
ଯାହା କହିଲ ହେ ବୀରସେନ ସୁତ ।
ସେହୁ ମହାପ୍ରମୁ ଯେ ଅଟନ୍ତି ସତ ।
।୧୦୨।
ହଂସ ଆଗରେ ତୋତେ ବରିଛି ମୁହିଁ ।
ଏବେ ସତ୍ୟଭଗ୍ନ କିମ୍ପା ହୋଇବଇଁ ।
।୧୦୩।
ମନ ବଚନ କର୍ତ୍ତବ୍ୟ ଏକା ମୋର ।
ଦେବେ କାର୍ଯ୍ୟ ନାହିଁ ମୁଁ ଅଟଇ ତୋର ।
।୧୦୪।
ଚାରିଦେବଙ୍କୁ ଏମନ୍ତ କହ ଯାଇଁ ।
ବିଜେ କରନ୍ତୁ ସେ ସ୍ୱୟମ୍ବର ଠାଇଁ ।
।୧୦୫।
ତାଙ୍କ ଛାମୁରେଣ ମୁଁ ବରିବି ତୋତେ ।
ତୋର ଚିତ୍ତ ସେ ଶୁଦ୍ଧ କରନ୍ତୁ ପ୍ରତେ ।
।୧୦୬।
ଦେବତାଏ ଯେବେ ସତ କରିଛନ୍ତି ।
ସେହୁ ଅଧମ କିପାଇଁ ବିଚାରନ୍ତି ।
।୧୦୭।
ଏହା ଶୁଣି ଲେଉଟିଲେ ନଳରାଏ ।
ଯାଇ ଦିଗପାଳଙ୍କ ସନ୍ନିଧେ ହୋଏ ।
।୧୦୮।
ନଳ ଦମୟନ୍ତୀଙ୍କ ଯେତେ ଉତ୍ତର ।
ସର୍ବ ସତ୍ୟ କରି କହଇ ଛାମୁର ।
।୧୦୯।
ପଛେ ବୋଇଲା ସତ କି ମିଛ ପୁଣ ।
ସର୍ବ ଅନ୍ତର୍ଗତ କଥା ତୁମେ ଜାଣ ।
।୧୧୦।
ଶୁଣି ପ୍ରସନ୍ନ ହୋଇଲେ ଦେବ ଚାରି ।
ବର ଦେଲେ ନଳ ଯାହା ବାଞ୍ଛା କରି ।
।୧୧୧।
ନଳ ସତ୍ୟ ତୋହୋରେ ଜାଣିଲୁ ଏବେ ।
କର୍ଣ୍ଣେ ଶୁଣିଣ ଥିଲୁ ଯାହା ପୁରୁବେ ।
।୧୧୨।
ଏତେ ବୋଲି ଚଳିଗଲେ ପରଖର ।
ଯାଇ ପ୍ରବେଶ ସେ କୁଣ୍ଡୀ କଟକର ।
।୧୧୩।
ତହିଁ ସ୍ୱୟମ୍ବର ସଭା ଅଛି ହୋଇ ।
ରାଜା ସମୂହରେ ସେ ବସିଲେ ଯାଇଁ ।
।୧୧୪।
କିଛି ବେଳ ବସି ପୁଣି ଥିଲେ ତହିଁ ।
ସଭା ମଧ୍ୟରେ ଦମୟନ୍ତୀ ଆସି ହୋଇ ।
।୧୧୫।
କରେ ଅଷ୍ଟ ରତ୍ନରେ ଜଡ଼ିତ ମାଳା ।
ରାଜାମାନଙ୍କୁ ଟେକି ଚାହିଁଲା ବାଳା ।
।୧୧୬।
ନଳ ରାଜାଙ୍କୁ ଅନାଇ ମନେ ମନ ।
ସେହିରୂପେ ଦେଖିଲାକ ପାଞ୍ଚଜଣ ।
।୧୧୭।
ମନେ ହେଜିଲା ଦେବତାଙ୍କର ମାୟା ।
ନଳ ସ୍ୱରୂପେ ହୋଇଲେ ପଞ୍ଚୁକାୟା ।
।୧୧୮।
ଯହୁଁ ଏସନ କୂଟ ରାମା ଜାଣିଲା ।
ଦେବ ମାନବ ଛିଦ୍ର ସେ ବିଚାରିଲା ।
।୧୧୯।
ଦେବତାଙ୍କ ଲକ୍ଷଣ ଅଛି ଏସନ ।
ସ୍ୱେଦ ନ ଥାଇ ନ ଶୁଖଇ ଚନ୍ଦନ ।
୧୨୦।
ଧରଣୀରେ ପାଦ ନ ଲାଗଇ ପୁଣ ।
ଆଭରଣ ପୁଷ୍ପ ନ ହୋଇ ମଳିନ ।
।୧୨୧।
ଚକ୍ଷୁ ତରଙ୍ଗ ଆଉ ତାଙ୍କର ନାହିଁ ।
ଦେବ ମାନବ ଜାଣି ବରିବି ମୁହିଁ ।
।୧୨୨।
ଏହୁ ନିର୍ଣ୍ଣୟ କଥା ଜାଣିବା ପାଇଁ ।
ଚାହିଁ ଦେଖିଲା ଦେବ ଲକ୍ଷଣ ନାହିଁ ।
।୧୨୩।
ଏହା ବିଚାରି ମନେ ଆଶ୍ଚର୍ଯ୍ୟ ପାଇ ।
ସଦ୍ଜ୍ଞାନ ଚିତ୍ତରେ ସେ ବିଚାରଇ ।
।୧୨୪।
ତୁମ୍ଭେ ସତ୍ୟ ଧର୍ମ ଅଛ ଭିଆଇଣ ।
ମୋତେ କିମ୍ପାଇ ୟେଡ଼େ ନିଷ୍ଠୁରପଣ ।
।୧୨୫।
ତାର ଭଗତି ଘେନିଲେ ସୁରେଶ୍ୱର ।
ଧନ୍ୟ ସତି ! ତୁ ନଳକୁ ବେଗେ ବର ।
।୧୨୬।
ଦେବତେଜ ପ୍ରକାଶିଲେ ଦେବ ଚାରି ।
ମାଳା ଦେଇ ଦମନ୍ତୀ ନଳକୁ ବରି ।
।୧୨୭।
ରାଜାମାନେ ଯେ ଯାହା ରାଜ୍ୟକୁ ଗଲେ ।
ନଳ ଦମୟନ୍ତୀଙ୍କି ବିଭା କରାଇଲେ ।
।୧୨୮।
ଭୀମରାଜା କନ୍ୟାକୁ ସମପ ଦେଲେ ।
ସର୍ବ ମଙ୍ଗଳ ଉତ୍ସବ କରାଇଲେ ।
।୧୨୯।
ବିଧିମତ ସମସ୍ତ ଯୌତୁକ ଦେଇ ।
ନଳ ଦମନ୍ତୀକି ସେ ପାଛୋଟି ଯାଇ ।
।୧୩୦।
ପଥୁ ପିତାମାତା ବାହୁଡ଼ିଲେ ପୁଣ ।
ନଳ କଟକେ ପ୍ରବେଶ ହୋୟେ ଜାଣ ।
।୧୩୧।
ଅତି ହରଷେ ସେ ନଗ୍ରପୁରଜନେ ।
ଚିନ୍ତା ନାହିଁ ତାଙ୍କର କାହାରି ମନେ ।
।୧୩୨।
ନଳଚରିତ ଏହୁ ଅପୂର୍ବ ରସ ।
କର୍ଣ୍ଣେ ଶୁଣିଲେ ପାତକ ହୋଏ ନାଶ ।
।୧୩୩।
ରାମ ନାମ ସୁମରଣା କର ମନେ ।
କୃଷ୍ଣକୀର୍ତ୍ତନ ଏକା ଶୁଣିବ କର୍ଣ୍ଣେ ।
।୧୩୪।
ମାୟା ସଂସାର ଏ ମିଛ ଖେଳଘର ।
ନାରାୟଣ ନାମ ଧରି ହୋଅ ପାର ।
।୧୩୫।
ସର୍ବମଙ୍ଗଳ ନାମ ପ୍ରଭୁ ତୁମ୍ଭର ।
ମଧୁସୂଦନକୁ ରଖ ଚକ୍ରଧର ।
।୧୩୬।
ଦ୍ୱିତୀୟ ଛାନ୍ଦ
ରାଗ-ଗୁଜୁରୀ(ସୁବର୍ଣ୍ଣ କଲ୍ୟାଣୀ ବାଣୀରେ ଗାଇବ)ଏସନକ କଥା ଶୁଣ ଅତି ସୁନ୍ଦର ।ମାରକଣ୍ଡ ଋଷି କହେ ରାମ ଛାମୁରେ ।।୧।ଇନ୍ଦ୍ର ବିଜେ କରି ସ୍ୱର୍ଗପୁରରୁ ଯାଇ ।ଅଗ୍ରତେ ଆସିଣ କଳି ଦ୍ୱାପର ହୋଇ ।।୨।ଆଜ୍ଞା ଦେଲେ ମଘବା ହୋ କେଣିକି ଯାଅ ।ସତ୍ୟ କରି କଥା ଆମ୍ଭ ଅଗ୍ରତେ କହ ।।୩।ଆମ୍ଭେ ଯାଉଅଛୁ ପ୍ରଭୁ କୁଣ୍ଡୀକଟକ ।ତହିଁ ରୁଣ୍ଡ ହୋଇଛନ୍ତି ଭୂସ୍ୱର୍ଗ ଲୋକ ।।୪।ସେ ନଗ୍ରର ରାଜନ ଯେ ଅଟଇ ଭୀମ ।କନ୍ୟା ଏକ ଅଛି ତାର ଅତି ଉତ୍ତମ ।।୫।ଦମୟନ୍ତୀ ନାମ ତାର ଶୁଣ ବିଡ଼ୋଜା ।ସ୍ୱୟମ୍ବର ତାକୁ କରୁଅଛି ସେ ରାଜା ।।୬।ସେ ସଭାରେ ଗୋପ୍ୟରୁପେ ବସିଣ ଥିବୁଁ ।କ୍ଷଣେ କ୍ଷଣେ ଆମ୍ଭେ ଆନ ମୂର୍ତ୍ତି ଧରିବୁ ।।୭।ତାର ଇଚ୍ଛା ହୋଇଲେ ବରିବ ଆମ୍ଭଙ୍କୁ ।ନୋହିଲେ ଆସିବୁ ତେବେ ସ୍ୱର୍ଗପୁରକୁ ।।୮।ୟେହା ଶୁଣି ଆଜ୍ଞା ଦେଲେ ପାକଶାସନ ।ଆମ୍ଭେ ସେ ସଭାରେ ଥିଲୁ କହୁ ତା ଶୁଣ ।।୯।କନ୍ୟାର ଇଚ୍ଛାରେ ବର ବରିଲା ଯେବେ ।ସର୍ବ ଲୋକେ ଯେ ଯାହାର ଅଇଲୁ ତେବେ ।।୧୦।ଏ କଥା ଶୁଣିଣ କ୍ରୋଧେ କଳି ପଚାରି ।କାହାକୁ ବରିଲା ସେହୁ ରାଜକୁମାରୀ ।।୧୧।ବୀରସେନ ସୁତ ସେହୁ ନଳକୁ ବରି ।ତାହା ରୂପ ଗୁଣକୁ ସେ ଅଟଇ ସରି ।।୧୨।ରୋଷେ କଳି ବୋଲୁଅଛି ଏହୁ ବଚନ ।ତୁମ୍ଭକୁ ନ ବରି କିମ୍ପା ବରିଲା ଆନ ।।୧୩।ଏଣୁ କରି ତାଙ୍କୁ ମୁହଁ ଦଣ୍ଡ ବହିବି ।ଦ୍ୱାପରକୁ ସଙ୍ଗେ ଘେନି ମଞ୍ଚକୁ ଯିବି ।।୧୪।ସୁନାସୀର ଆଜ୍ଞା ଦେଲେ ଶୁଣ ହୋ କଳି ।ବଡ଼ ସେ ଧାର୍ମିକ ସତ୍ୟ ଅଛଇ ପାଳି ।।୧୫।ତାହାକୁ ତୁ ଦୁଃଖ ହାଦେ ଯେବେ ବିହିବୁ ।ଧର୍ମର ପ୍ରମାଣେ ବଡ଼ ଦୁଃଖ ପାଇବୁ ।।୧୬।ଏତେ ବୋଲି ଚଳିଗଲେ ଅମରେଶ୍ୱର ।ବସୁନ୍ଧରୀକୁ ଅଇଲେ କଳି ଦ୍ୱାପର ।।୧୭।ନଳପୁରେ ଆସି ସେହୁ ପ୍ରବେଶ ହୋଇ ।ସଦାଚାର ଦେଖି ତାର ଜଗିଣ ଥାଇ ।।୧୮।ଏହିମତେ ଗଲା ବହୁତ ଦିନ ।ପୁତ୍ର ଦୁହିତା ହୋଇଲା ନଳ ରାଜନ ।।୧୯।ୟେକ ପୁତ୍ର ବୋଲି ଇନ୍ଦ୍ରସେନ ତା ନାମ ।ରୂପେଣ ଅଟଇ ସେହୁ ଦ୍ୱିତୀୟ କାମ ।।୨୦।ଦୁହିତା ହୋଇଲା ଇନ୍ଦ୍ରସେନୀ ତା ନାମ ।ସମାନ ରତିକି ସେହୁ ସର୍ବଗୁଣେଣ ।।୨୧।ଏକଦିନେ ନଳରାଜା ନିଦ୍ରା ଅଳସେ ।ଆର୍ଦ୍ରପାଦେ ପହୁଡ଼ିଲେ ଶେଯେ ପ୍ରବେଶେ ।।୨୨।ଏତେ ଛିଦ୍ର ଅନାଚାର ଯହୁଁ ପାଇଲା ।ରାଜନ ଅଙ୍ଗରେ ଯାଇ କଳି ପଶିଲା ॥
।୨୩।ଦ୍ୱାପରକୁ ବୋଇଲା ତୁ ସାହା ହୋଇବୁ ।ମୁଁ ଯାହା ବାଞ୍ଛା କରିବି ସେଠାରେ ଥିବୁ ।।୨୪।ଯେତେବେଳେ କଳି ଆସି ପ୍ରବେଶ ହୋଇ ।ରାଜାର ମନ ଉଚ୍ଛନ୍ନ, ନ ରୁଚେ କେହି ।।୨୫।ଶର୍ବରୀ ଶେଷରେ ପ୍ରାତଃକାଳ ହୋଇଲା ।ନିତ୍ୟକର୍ମ ଆଦି ରାୟେ ସର୍ବ ସାରିଲା ।।୨୬।ବଡ଼ ଅବକାଶେ ସିଂହାସନେ ବସିଲେ ।ପାତ୍ର ମନ୍ତ୍ରୀ ଅମନାତ୍ୟେ ଦର୍ଶନ କଲେ ।।୨୭।ପୁଷ୍ଠର ବୋଲିଣ ବୀରସେନର ସୁତ ।କ୍ଷତ୍ରିୟ ନୁହଇ ସେହୁ ଶୁଦ୍ର ସମ୍ଭୁତ ।।୨୮।ଆଜ୍ଞା ଦେଲା ରାୟେ ହାଙ୍କି ତାହାକୁ ଆଣ ।ଚାରଗଣେ ଭେଟାଇଲେ ତାହାକୁ ପୁଣ ।।୨୯।ପୁଷ୍କର ତୁ ଆସ ଆମ୍ଭେ ପଶା ଖେଳିବା ।ଯେତେ ଧନ ବୋଲିବୁ ତା ପୀଢ଼ କରିବା ।।୩୦।ଏତକ ବୋଲିଣ ସାର ହକରାଇଲେ ।ସିଂହାସନ ତଳେ ପଶା ସାର ପାଡ଼ିଲେ ।।୩୧।କାଠି ହୋଇଣ ଯେ ପଡ଼ିଥିଲା ଦ୍ୱାପର ।ଅଷ୍ଟରତ୍ନେ ଜଡ଼ିତ ସେ ଅତି ସୁନ୍ଦର ।।୩୨।ପଶାସାର ଘେନି ସେହୁ ପଶା ଖେଳିଲେ ।ସେ ଦିନ ବହୁତ ଧନ ରାୟେ ହାରିଲେ ।।୩୩।ଏହି ମତେ ଦୁଇ ଚାରି ଦିବସ ଗଲା ।ଭିତର ଭଣ୍ଡାର ଯହୁଁ ରାଜା ସାରିଲା ।।୩୪।ଏହୁ ଅଲକ୍ଷଣ କଥା ଦେଖି ଦମନ୍ତୀ ।ଆପଣା ଛାମୁକୁ ସେହୁ ପାତ୍ର ଅଣାନ୍ତି ।।୩୫।ଆଜ୍ଞା ଦେଲେ ପାତ୍ର ମୋର ବଚନ ଶୁଣ ।ଜୁତରେ ଅଜ୍ଞାନ ରାଜା ହୋଇଲେ ଜାଣ ।।୩୬।ପୁତ୍ର ଦୁହିତାଙ୍କୁ ମୋ ବସାଇ ରଥରେ ।ଛାଡ଼ିଣ ଆସ ତୁ ବେଗେ କୁଣ୍ଡୀ ନଗରେ ।।୩୭।ୟେହୁ ଆଜ୍ଞା ପାଇ ପାତ୍ର ରଥ ଅଣାଇ ।ପାଟ ମହାଦେଈଙ୍କ ଛାମୁରେ ଜଣାଇ ।।୩୮।ପୁତ୍ର ଦୁହିତାଙ୍କୁ ସଜ କରି ଆଣିଲେ ।ଆପଣା ଭଣ୍ଡାର ଯେତେ ସବୁ ତା ଦେଲେ ।।୩୯।ରହୁବର ଚଢ଼ାଇଣ ବୋଇଲେ ଯାଅ ।ପିତାଙ୍କ ଛାମୁରେ ଏହି ସନ୍ଦେଶ ଦିଅ ।।୪୦।କହିବ ନଳରାଜନ ହୋଇଲେ ବାଇ ।ରାତ୍ର ଦିବା ବସି ଏକା ଜୁତ ଖେଳଇ ।।୪୧।ପୂର୍ବର ତପସ୍ୟା ଯେବେ ଥିବ ମୋହର ।ଦର୍ଶନ କରିବି ଯାଇ ତାଙ୍କ ପୟର ।।୪୨।ୟେ ପୁତ୍ର ଦୁହିତା ତାଙ୍କ ଧର୍ମରୁ ହୋଇ ।ୟେହାଙ୍କର ଭଲମନ୍ଦ ତାଙ୍କୁ ଲାଗଇ ।।୪୩।ୟେତେ କହି ଶୋକଭରେ ଭିତରେ ପଶି ।ରତ୍ନ ଖଟ ଉପରେ ସେ ପହୁଡ଼େ ଆସି ।।୪୪।ଇନ୍ଦ୍ରସେନ ଇନ୍ଦ୍ରସେନୀ ରଥ ଆରୋହି ।ପଥ ଅନୁସରି କୁଣ୍ଡୀନଗ୍ରରେ ହୋଇ ।।୪୫।ଭୀମରାଜାଙ୍କ ଚରଣ ଦର୍ଶନ କଲେ ।ମାତାଙ୍କ ବଚନ ସେ ବୁଝାଇ କହିଲେ ।।୪୬।ଶୁଣି ମହାରୟେ ବଡ଼ ତାପ ପାଇଲେ ।ଅନ୍ତପୁର ଭିତରେ ସେ ପ୍ରବେଶ ହେଲେ ।।୪୭।ଅତି ସୁଖେ ରହିଲେ ସେ ପୁତ୍ର ଦୁହିତା ।ଭୀମ ମହାରାଜା ମନେ ବହୁତ ଚିନ୍ତା ।।୪୮।ଡଗରମାନଙ୍କୁ ସେ ପଠିଆଇ ଦେଲେ ।ନଳ ଦମନ୍ତୀ ବାରତା ଆଣ ବୋଇଲେ ।।୪୯।ଶୁଣ ସୁଜ୍ଞଜନେ ଏହୁ ନଳଚରିତ ।ଯାହା ଶୁଣନ୍ତେଣ ନର ହୋୟେ ପବିତ୍ର ।।୫୦।ମାରକଣ୍ଡ ୠଷି ରାମ ଅଗ୍ରତେ କହି ।ୟେକମନେ ଶୁଣ ନରେ ତାପ ଫିଟାଇ ।।୫୧।ଶ୍ରୀରାମର ନାମ ନରେ ମନେ ସୁମର ।ମଧୁସୂଦନକୁ ଜଗନ୍ନାଥେ ଉଦ୍ଧାର ।।୫୨।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ