ମୋ ଗ୍ରାମ ମଲ୍ଲିକାଶପୁର
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୮
- ସ୍ଥିତି
- ସାର୍ବଜନୀନ (Public domain)
ରାଗ-ମଙ୍ଗଳଅଟ୍ଟାଳିକାମାଳାପୂର୍ଣ୍ଣ ସୁନ୍ଦର ନଗର,ଉଜ୍ଜ୍ୱଳ ତରଙ୍ଗମାଳା ନୀଳିମା ସାଗର,କେତେ ନଦ କେତେ ନଦୀ ଗିରି ଅରଣ୍ୟାନୀ,ହାଟ ଗ୍ରାମ ଲୋକପରିପୂର୍ଣ୍ଣ ରାଜଧାନୀ,ସ୍ଥାନେ ସ୍ଥାନେ ଭ୍ରମି ଭ୍ରମି ଦେଖିଲି ଜୀବନେ,ସେ ଗ୍ରାମ ଚିତ୍ରଟି ମାତ୍ର ଭାସୁଛି ନୟନେ ।ଯାଏଁ ଯହିଁ ଥାଏଁ ଯହିଁ ପଡ଼େ ସେ ମନରେ,ବଳେ ମନ, ଧାଇଁ ଯାଇ ଦେଖିଆସେଁ ଥରେ ।ସତକଥା ନାହିଁ ତହିଁ ବିଶେଷ ସମ୍ପତ୍ତି,ମାତ୍ର ଅଛି ତହିଁ ଚିତ୍ତବିମୋହିନୀ ଶକ୍ତି ।ଧନହୀନ ଶୋଭାହୀନ ସୌନ୍ଦର୍ଯ୍ୟବିହୀନ,ତଥାପି ସେ ଗ୍ରାମ ମନେ ପଡ଼େ ପ୍ରତିଦିନ ।ସନ୍ଧ୍ୟାରେ ବଜାନ୍ତି ଶଙ୍ଖ ଗ୍ରାମନାରୀମାନେ,ଦେବାଳୟେ ଘଣ୍ଟ ବାଜୁଥାଏ ତାନେ ତାନେ,କାହିଁ ତ ଦେଖିଲି ନାହିଁ ସେ ମାଧୁରୀ ସନ୍ଧ୍ୟା,ନ ଫୁଟେ ସେପରି ଚମ୍ପା ମଲ୍ଲୀ ରାତ୍ରିଗନ୍ଧା ।ଗ୍ରାମ ପୋଖରୀରେ ଫୁଟେ ଯେଉଁ କଇଁଫୁଲ,ନ ଦେଖିଲି କାହିଁ ସେହି ଫୁଲ ସମତୁଲ ।ନିଶିମୁଖେ ପଲପଲ ଉଡ଼ନ୍ତି ବାଦୁଡ଼ି,ମାଳମାଳ ଗେଣ୍ଡାଳିଆ ଯାଉଥାନ୍ତି ଉଡ଼ି,ଧୀରେ ଧୀରେ ବହୁଥାଏ ଶୀତଳ ପବନ,ବାହାର ମେଲାରେ କରିଥାଏଁ ମୁଁ ଶୟନ,ସେ ଚାନ୍ଦନୀ ନିଶି ପୁଣି ସେ ଶୀତଳ ବାୟୁ,ଦେଶେ ନେଶେ ବୁଲି କାହିଁ ନ ଦେଖିଲି ଆଉ ।ସେ ଗ୍ରାମର ଦାଣ୍ଡେ ଅଛି ଯେଉଁ ବାଲିଧୂଳି,ପିଲା ଖେଳବେଳେ ହେଉଥିଲି ଦେହେ ବୋଳି,ସେହି ଧୂଳି ସେହି ବାଲି ପଡ଼ୁ ମୋ ଦେହରେ,ଏହିପରି କେତେ ଥର ଭାଳେଁ ମୁଁ ମନରେ ।ସେହି ଯେ ବାସଙ୍ଗ, ଗେଣ୍ଡୁ ଫୁଟେ ଶୀତକାଳେ,ପେନ୍ଥା ପେନ୍ଥା କସି ଆମ୍ବ ଝୁଲୁଥାଏ ଡାଳେ,ସେ ଫୁଲ ସୌରଭ କଷି ଆମ୍ବର ମାଧୁରୀ,ନ ପାଇଲି କାହିଁ ସାରା ଭାରତଟା ଘୁରି ।ସେ ଗ୍ରାମର ପଶୁ ପକ୍ଷୀ ଛନ୍ତି ଯେ ସମସ୍ତେ,ବିଚାରେଁ ମନରେ ଅବା ଖୋଜୁଛନ୍ତି ମୋତେ ।ସେ ଗ୍ରାମ ବରଷା ଗ୍ରୀଷ୍ମ, ସେ ଗ୍ରାମର ଶୀତ,ନ ପାଇଲି କାହିଁ ତାହା ମାଧୁରୀ କିଞ୍ଚିତ ।କରନ୍ତୁ ପଛକେ ସେହି ଗ୍ରାମଲୋକେ କଳି,ନ ପାଇଲି ସଙ୍ଗ ସୁଖ ତାହାଠାରୁ ବଳି ।ଯାଇଛି ସେ ଗ୍ରାମେ ଭାସି ମୋ ହୃଦୟଧନ,ତଥାପି ସେ ସ୍ଥାନେ ଯିବାପାଇଁ ଧାଏଁ ମନ ।ମୋ କାନକୁ ଶୁଭେ ତାହା ନାମ ସୁମଧୁର,ସେ କ୍ଷୁଦ୍ର ଗ୍ରାମର ନାମ ମଲ୍ଲିକାଶପୁର ।ବିଧିବଶେ ମୁଁ ବିଦେଶ କରୁଛି ଭ୍ରମଣ,ନିଭିବ କି ସେ ଗ୍ରାମରେ ଅନ୍ତିମ ଜୀବନ?ଅଭିଳାଷ ଯହିଁ ତହିଁ ଯାଏଁ ନିତ୍ୟାଧାମେ,ଶେଷ ଅସ୍ଥି ଖଣ୍ଡ ହେବ ସମାଧି ସେ ଗ୍ରାମେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି