ମହର୍ଷି ଦେବେନ୍ଦ୍ରନାଥ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୭୧
- ସ୍ଥିତି
- ସାର୍ବଜନୀନ (Public domain)
୧୮୧୭ ଖ୍ରୀଷ୍ଟାବ୍ଦରେ କଲିକତା ନଗରୀରେ ଦେବେନ୍ଦ୍ରନାଥ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଦ୍ୱାରକାନାଥ ଠାକୁର ଅତି ଧନୀ ବ୍ୟକ୍ତି ଥିଲେ । ଦେବେନ୍ଦ୍ରନାଥ ଧନୀର ସନ୍ତାନ ହେଲେହେଁ ବାଲ୍ୟକାଳରୁ ତାଙ୍କର ଧର୍ମ ଆଡ଼କୁ ମତି ଥିଲା । ଦେବେନ୍ଦ୍ରନାଥ ତାଙ୍କର ପିତାମହୀଙ୍କ ଦ୍ୱାରା ଲାଳିତ-ପାଳିତ ହୋଇଥିଲେ । ତାଙ୍କର ଅଠର ବର୍ଷ ବୟସ ସମୟରେ ପିତାମହୀଙ୍କ ମୃତ୍ୟୁ ହେଲା । ପିତାମହୀଙ୍କ ମୃତ୍ୟୁକାଳ ଉପସ୍ଥିତ ଦେଖି ଲୋକେ ତାହାଙ୍କୁ ଗଙ୍ଗାତୀରକୁ ଘେନିଗଲେ । ସେଠାରେ ସେ ତିନି ରାତ୍ରି ବଞ୍ଚିଥିଲେ ଏବଂ ଦେବେନ୍ଦ୍ରନାଥ ସେହି ଶ୍ମଶାନ ଭୂମିରେ ତ୍ରିରାତ୍ର ଯାପନ କରିଥିଲେ । ସେହି ସମୟରେ ହଠାତ୍ ତାଙ୍କର ମନରେ ଧନ ପ୍ରତି ବିରାଗ ଓ ଏକାପ୍ରକାର ବିଷାଦ ଭାବ ଜନ୍ମିଲା ଏବଂ ସେ ବିଳାସ ଓ ଆମୋଦ ତ୍ୟାଗକରି ନିର୍ଜନ ସ୍ଥାନମାନଙ୍କରେ ବସି ଧ୍ୟାନଦ୍ୱାରା ଅନନ୍ତ ଆକାଶରୁ ଅନନ୍ତ ପରମେଶ୍ୱରଙ୍କ ପରିଚୟ ପାଇ ବୁଝିଲେ ଯେ, ସେହି ନିତ୍ୟ ସତ୍ୟ ପୂର୍ଣ୍ଣ ପରମେଶ୍ୱର କୋଟି ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ଓ ପାଳନକର୍ତ୍ତା ଅଟନ୍ତି ଏବଂ ତାହାଙ୍କୁ ଚିହ୍ନି ତାଙ୍କର ଆରାଧନା କରିବା ମନୁଷ୍ୟର ଶ୍ରେଷ୍ଠ କଲ୍ୟାଣ ।
ଏଥିଉତ୍ତାରେ ଯୁବକ ଦେବେନ୍ଦ୍ରନାଥ କିପରି ଭାବରେ ଜୀବନଯାପନ କଲେ ସେହି ପରମାତ୍ମାଙ୍କୁ ଲାଭ କରିପାରିବେ ଏହି ବିଷୟ ବାରମ୍ବାର ଚିନ୍ତା କରୁ କରୁ ଦିନେ ଗୋଟିଏ ସଂସ୍କୃତ ପୁସ୍ତକର ଖଣ୍ଡେ ଛିନ୍ନପତ୍ର ତାଙ୍କ ସମ୍ମୁଖରେ ଉଡ଼ିଯାଉଥିବାର ଦେଖିଲେ । ସେ ଉକ୍ତ ପତ୍ର ଖଣ୍ଡିକ ଉଠେଇ ନେଇ ଦେଖିଲେ; କିନ୍ତୁ କିଛି ବୁଝିପାରିଲେ ନାହିଁ । ତତ୍ପରେ ଜଣେ ପଣ୍ଡିତଙ୍କଠାରୁ ଶ୍ଲୋକଟିର ଅର୍ଥ ବୁଝିନେଲେ । ସେଥିର ଅର୍ଥ ଏହି, ପରମେଶ୍ୱରଙ୍କ ଦ୍ୱାରା ସମସ୍ତ ଜଗତକୁ ଆଚ୍ଛାଦନ କର ଏବଂ ସେ ଯାହା ଦେଇଅଛନ୍ତି ବା ଦେବେ ତାହାକୁ ହିଁ ଭୋଗ କର; ଅର୍ଥାତ୍ ସବୁଥିରେ ପରମେଶ୍ୱର ଆପଣାକୁ ପ୍ରକାଶ କରୁଅଛନ୍ତି, ତାହା ସର୍ବଦା ଅନୁଭବ କର ଏବଂ ବିଷୟ ଲୋଭ ତ୍ୟାଗ କରି ପରମେଶ୍ୱରଙ୍କର ଶ୍ରେଷ୍ଠ ଦାନ ଯେ, ତାଙ୍କଠାରେ ଭକ୍ତି, ତାହାକୁ ସର୍ବଦା ହୃଦୟରେ ରଖି ଅକ୍ଷୟ ଧନରେ ଧନୀ ହୁଅ । ଏହି ଅର୍ଥ ବୁଝିପାରି ଦେବେନ୍ଦ୍ରନାଥ ବିଶ୍ୱାସ କଲେ ଯେ, ସେହି ଶ୍ଲୋକ ତାହାଙ୍କୁ ଧର୍ମଶିକ୍ଷା ଦେବା ପାଇଁ ସ୍ୱର୍ଗୀୟ ଦୂତରୂପେ ଆସିଅଛି ।
୧୮୪୬ ଖ୍ରୀଷ୍ଟାବ୍ଦରେ ପିତାଙ୍କର ମୃତ୍ୟୁ ହେଲାପରେ ଦେବେନ୍ଦ୍ରନାଥ ଦେଖିଲେ ଯେ, ପିତା ଏକା କୋଟି ଋଣ କରି ଯାଇଅଛନ୍ତି । ଦେବେନ୍ଦ୍ରନାଥ ଆଇନ ଅନୁସାରେ ସେ ଋଣପାଇଁ ଦାୟୀ ନଥିଲେ । ମାତ୍ର ସେ ସତ୍ୟ ଓ ସାଧୁତାକୁ ଅର୍ଥ ଅପେକ୍ଷା ମହତ୍ତର ଜାଣି, ପିତୃଋଣ ପରିଶୋଧ କରିବା ତାଙ୍କର କର୍ତ୍ତବ୍ୟ ବୋଲି ସ୍ଥିର କରି, ଅନେକ ସମ୍ପତ୍ତି ବିକ୍ରୟ କରିଦେଇ ଋଣ ପରିଶୋଧ କଲେ ଏବଂ ଦୀନଭାବରେ ଅଥଚ ପ୍ରଫୁଲ୍ଲ ଚିତ୍ତରେ କାଳଯାପନ କରିବାକୁ ଲାଗିଲେ । ଏହିପରି ବହୁ ବର୍ଷ ନାନା କଷ୍ଟ ଭୋଗକରି ଓ ବହୁ ଯତ୍ନ ପୂର୍ବକ କେତେକ ଜମିଦାରୀ ବା ଭୂସମ୍ପତ୍ତି ରକ୍ଷାକରି ପରିବାରବର୍ଗଙ୍କୁ ଦାରିଦ୍ର୍ୟରୁ ଉଦ୍ଧାର କଲେ ।
ଦେବେନ୍ଦ୍ରନାଥ ତାଙ୍କର ସମୟକୁ ଦୈନିକ କର୍ତ୍ତବ୍ୟ କାର୍ଯ୍ୟସାଧନ, ଅଧ୍ୟୟନ, ଧର୍ମ ପ୍ରଚାର ଏବଂ ଧ୍ୟାନ ଓ ଉପାସନାରେ ଯାପନ କରୁଥିଲେ । ସେ ଅନେକଗୁଡ଼ିଏ ସଦ୍ଗ୍ରନ୍ଥ ଲେଖି ଯାଇଅଛନ୍ତି ଏବଂ ବେଦରୁ ନାନା ଶ୍ଲୋକ ସଂଗ୍ରହ କରି ସେଥି ସମ୍ବନ୍ଧରେ ମଧୁର ଉପଦେଶ ଦେଇ ଯାଇଅଛନ୍ତି । ତାହାଙ୍କର ଅସାଧାରଣ ଧର୍ମନିଷ୍ଠା ଦେଖି ଲୋକେ ମୁଗ୍ଧ ହୋଇ ତାହାଙ୍କୁ ମହର୍ଷି ବୋଲି ସମ୍ମାନ କରୁଥିଲେ । ସେ ଏ ସଂସାରରେ ପ୍ରାୟ ୮୮ ବର୍ଷ ଜୀବିତ ଥାଇ ଖ୍ରୀଷ୍ଟାବ୍ଦ ୧୯୦୫ର ଜାନୁୟାରୀ ମାସରେ ଇହଲୋକ ତ୍ୟାଗ କଲେ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ