ରାମାୟଣ କଥା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୭ ମିନିଟ୍
- ଶବ୍ଦ
- ୧୦୪୦
- ସ୍ଥିତି
- ସାର୍ବଜନୀନ (Public domain)
ଭାରତବର୍ଷରେ ଅଯୋଧ୍ୟା ନାମରେ ଗୋଟିଏ ପ୍ରଦେଶ ଅଛି । ସେଠାରେ ଅତି ପ୍ରାଚୀନ କାଳରେ ଦଶରଥ ନାମରେ ଜଣେ ରାଜା ଥିଲେ । ତାହାଙ୍କର ତିନି ରାଣୀ ଥିଲେ; କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ଜ୍ୟେଷ୍ଠା ରାଣୀ କୌଶଲ୍ୟାଙ୍କର ପୁତ୍ର ରାମଚନ୍ଦ୍ର, ମଧ୍ୟମା ରାଣୀ କୈକେୟୀଙ୍କର ପୁତ୍ର ଭରତ, କନିଷ୍ଠା ରାଣୀ ସୁମିତ୍ରାଙ୍କର ଲକ୍ଷ୍ମଣ ଓ ଶତ୍ରୁଘ୍ନ ନାମରେ ଦୁଇ ପୁତ୍ର ଥିଲେ । ଲକ୍ଷ୍ମଣ ରାମଙ୍କର ଏକାନ୍ତ ଅନୁଗତ ଥିଲେ । ଚାରି ଭାଇଙ୍କୁ ମଧ୍ୟରେ ଅତ୍ୟନ୍ତ ସ୍ନେହ ଥିଲା ଏବଂ ରାମଙ୍କୁ ସମସ୍ତେ ମତ୍ୟନ୍ତ ସ୍ନେହ ଓ ଭକ୍ତି କରିଥିଲେ । ରାଜା ଦଶରଥ କ୍ରମେ ବୃଦ୍ଧ ହୋଇ- ପଡ଼ିବାରୁ ସେ ରାମଙ୍କୁ ରାଜ୍ୟ ଦେଇ ଅବସର ଗ୍ରହଣ କରିବାପାଇଁ ସଙ୍କଳ୍ପ କଲେ । ରାମଙ୍କୁ ରାଜା କରିବାପାଇଁ ନାନା ଆୟୋଜନ ହେବାକୁ ଲାଗିଲା । ରାମଙ୍କର ନାନା ସଦ୍ଗୁଣ ଦେଖି ପ୍ରଜାମାନେ ତାଙ୍କ ପ୍ରତି ଅନୁରକ୍ତ ଥିଲେ; ସୁତରାଂ ତାହାଙ୍କର ଅଭିଷେକୋତ୍ସବ ମାର୍ତ୍ତା ପ୍ରଚାରିତ ହେଲାକ୍ଷଣି ସେମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ଏହି ସମୟରେ ଦଶରଥଙ୍କର ମଧ୍ୟମା ରାଣୀ ମହାବିପଦ ଘଟାଇଲେ । ସେ ପୂର୍ବେ ଏକଦା ପ୍ରାଣପଣ ସେବାକରି ଦଶରଥଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଥିଲେ; ସେତେବେଳେ ରାଜା ତାହାଙ୍କ ପ୍ରତି ଅତିଶୟ ସନ୍ତୁଷ୍ଟ ହୋଇ ଦୁଇଟି ବର ଦେବେ ବୋଲି ଅଙ୍ଗୀକାର କରିଥିଲେ । କନ୍ତୁ କୈକେୟୀ ଆଜିଯାଏଁ କୌଣସି ବର ମାଗି ନଥିଲେ । ରାମ ରାଜା ହେବେ ଏକଥା ଶୁଣି ମନ୍ଥରା ନାମରେ ଜଣେ ଦୁଷ୍ଟା ଦାସୀର ମନ୍ତ୍ରଣାରେ ପଡ଼ି କୈକେୟୀ ହଠାତ୍ ଦୁଇଟି ନିଷ୍ଠୁର ବର ମାଗିବସିଲେ । ଗୋଟିଏ ବର ଏହି ଯେ, ଭରତ ରାଜା ହୁଅନ୍ତୁ ଏବଂ ଅପର ବର ଏହିୁ ଯେ, ରାମ ଚତୁର୍ଦ୍ଦଶ ବର୍ଷ ନିମିତ୍ତ ବନକୁ ନିର୍ବାସିତ ହୁଅନ୍ତୁ । ଦଶରଥ ଅତ୍ୟନ୍ତ ସତ୍ୟପରାୟଣ ଥିଲେ । ସେ କେବେହେଁ ସତ୍ୟ ଭଙ୍ଗ କରି ନଥିଲେ । ସେ ପୂର୍ବେ ଦୁଇଟି ବର ଦେବେ ବୋଲି ଅଙ୍ଗୀକାର କରିଥିଲେ; ବର୍ତ୍ତମାନ ତାହା ଲଘଂନ କରି ନପାରିଲେ; ସୁତରାଂ ରାମଙ୍କୁ ବନଗମନ କରିବାକୁ ହେଲା । ରାଜ୍ୟର ସମସ୍ତ ଲୋକେ ଏହି ସମ୍ବାଦରେ ହାହାକାର କରିବାକୁ ଲାଗିଲେ ଏବଂ ଘରେ ଘରେ କ୍ରନ୍ଦନର ରୋଳ ଉଠିଲା । ପ୍ରିୟତମ ପୁତ୍ର ରାମଙ୍କର ବନବାସ କଷ୍ଟକଥା ଭାଳି ରାଜା ଦଶରଥ ଅଚେତନ ହୋଇ କିଛି କାଳପରେ ପ୍ରାଣତ୍ୟାଗ କଲେ । କିନ୍ତୁ ରାମ ଏପରି ଧୀରସ୍ୱଭାବ ଓ ଧର୍ମପରାୟଣ ଥିଲେ ଯେ, ସେ ଆନନ୍ଦିତ ଚିତ୍ତରେ ପିତୃସତ୍ୟ ପାଳନ କଲେ-।
ପୂର୍ବେ ସେ ମିଥିଳା ରାଜ୍ୟର ଅଧିପତି ଜନକଙ୍କର କନ୍ୟା ପରମାସୁନ୍ଦରୀ ସର୍ବଗୁଣାଳଙ୍କୃତା ସୀତାଙ୍କୁ ବିବାହ କରିଥିଲେ । ରାମ ବନକୁ ଯିବେ ଶୁଣି ସୀତା ଏବଂ ଲକ୍ଷ୍ମଣ ତାହାଙ୍କ ସଙ୍ଗରେ ଯିବାପାଇଁ ପ୍ରାର୍ଥନା କଲେ । ରାମ ବାରମ୍ବାର ବାରଣ କଲେହେଁ ସେମାନେ ତାଙ୍କ ସଙ୍ଗରେ ବନକୁ ପ୍ରସ୍ଥାନ କଲେ । ଭରତ ଏ ସମୟରେ ମାତୁଳାଳୟରେ ଥିଲେ । ରାମଙ୍କର ବନବାସ ସମ୍ବାଦ ପାଇ ସେ ଅଯୋଧ୍ୟାକୁ ଆସି ଦେଖିଲେ ଯେ, ଗଭୀର ଶୋକର ଛାୟା ଅଯୋଧ୍ୟାକୁ ଅନ୍ଧକାରମୟ କରି ରଖିଅଛି । ବ୍ୟଥିତ ଚିତ୍ତରେ ଭରତ ରାମଙ୍କୁ ଗୃହକୁ ଲେଉଟାଇ ଆଣିବା ନିମନ୍ତେ ବନକୁ ଗମନ କଲେ । ଚିତ୍ରକୂଟ ପର୍ବତରେ ଉପସ୍ଥିତ ହୋଇ ଭରତ ଦେଖିଲେ ଯେ, ରାମ ସେଠାରେ ରାଜବେଶ ତ୍ୟାଗ କରି ଋଷିକୁମାର- ମାନଙ୍କ ପରି ଦାନ ଭାବରେ ଜୀବନଯାପନ କରୁଅଛନ୍ତି । ଭରତ ରାମଙ୍କର ଚରଣ ଧରି ଗୃହକୁ ଲେଉଟିବା ନିମିତ୍ତ ବ୍ୟାକୁଳଭାବରେ ବାରମ୍ବାର ପ୍ରାର୍ଥନା କଲେ । କିନ୍ତୁ ରାମ କୌଣସି ପ୍ରକାରେ ସମ୍ମିତ ନ ହୋଇ ପିତାଙ୍କର ଅଙ୍ଗୀକାର ପାଳନ କରିବା ନିମିତ୍ତ ବନରେ ରହିଲେ ଏବଂ ଭରତଙ୍କୁ ନାନା ପ୍ରକାର ବୁଝାଇ ଅଯୋଧ୍ୟାକୁ ପଠାଇଦେଲେ । ନିର୍ଲୋଭ ଓ ନିଃସ୍ୱାର୍ଥ ଭ୍ରାତୃଭକ୍ତ ଭରତ ଅଯୋଧ୍ୟାକୁ ଫେରିଆସି ରାମଙ୍କର ଦାସପ୍ରାୟ ରାଜକାର୍ଯ୍ୟ ନିର୍ବାହ କରିବାକୁ ଲାଗିଲେ ଏବଂ ରାମଙ୍କ ପରି ରାଜଭୋଗ ପରିତ୍ୟାଗକରି ବଳ୍କଳ-ବସନ ପରିଧାନ ଓ ଫଳମୂଳାହାର କରି ଜୀବନଯାପନ କଲେ । ତାହାଙ୍କର ଏହି ପ୍ରକାର ସ୍ୱାର୍ଥତ୍ୟାଗ ଓ ବୈରାଗ୍ୟ ଦେଖି ସମସ୍ତେ ବିସ୍ମୟାନ୍ୱିତ ହୋଇ ଧନ୍ୟ ଧନ୍ୟ କହିବାକୁ ଲାଗିଲେ ।
ତଦନନ୍ତର ରାମଚନ୍ଦ୍ର ପଞ୍ଚବଟା ବନକୁ ଗମନକରି ସେଠାରେ ବାସ କଲେ । ରାମ ଓ ସୀତା, ରାଜପୁତ୍ର ଓ ରାଜକନ୍ୟା ହେଲେହେଁ ସେମାନଙ୍କର ପରସ୍ପର ମଧ୍ୟରେ ଏପରି ଥିଲା ଯେ, ସେମାନେ ବନବାସ କଷ୍ଟକୁ କଷ୍ଟବୋଲି ମଣିନଥିଲେ । ପଞ୍ଚବଟୀରେ କିଛିଦିନ ବାସକଲା ଉତ୍ତାରୁ ଦିନେ ରାମ ଓ ଲକ୍ଷ୍ମଣ ମୃଗୟାର୍ଥ ବନକୁ ଯାଇଥିବା ସମୟରେ ଲଙ୍କାର ରାଜା ରାବଣ ଆସି ସୀତାଙ୍କୁ ହରଣ କରି ନେଇଗଲେ । ଦୁର୍ମ୍ମତି ରାବଣ ସୀତାଙ୍କୁ ତାହାର ରାଣୀ କରିବା ନିମନ୍ତେ ପ୍ରଲୋଭନ ଦେଖାଇ ନାନାପ୍ରକାର ଚେଷ୍ଟା କରିଥିଲା । କିନ୍ତୁ ମହାସତା ସୀତା ତାର ପ୍ରଲୋଭନରେ ଭୁଲି ନ ଥିଲେ । ତହୁଁ ନିଷ୍ଠୁର ରାବଣ ତାହାଙ୍କୁ ବହୁକଷ୍ଟ ଦେଲା; କିନ୍ତୁ ସୀତା କୌଣସି ପ୍ରକାରେ ତାହାର ଅନୁଗତା ହେଲେ ନାହିଁ । କେବଳ ରାମଙ୍କୁ ସର୍ବଦା ଧ୍ୟାନକରି ସେ ସେହି ଭୀଷଣ ରାକ୍ଷସ-ପୁରୀରେ ଦିନ ଯାପନ କରିଥିଲେ ।
ରାମଚନ୍ଦ୍ର ମୃଗୟାରୁ ଫେରିଆସି ସୀତାଙ୍କୁ ଦେଖିବାକୁ ନ ପାଇ ଶୋକରେ ଅଧୀର ହୋଇ ନାନାସ୍ଥାନରେ ତାହାଙ୍କର ଅନୁସନ୍ଧାନ କରିବାକୁ ଲାଗିଲେ । କିନ୍ତୁ ତାହାଙ୍କୁ ନ ପାଇବାରୁ କିସ୍କିନ୍ଧ୍ୟାର ରାଜା ସୁଗ୍ରୀବଙ୍କ ସଙ୍ଗରେ ମିତ୍ରତା କରି ତାହାଙ୍କର ଅନୁଚରମାନଙ୍କୁ ସୀତାଙ୍କ ଅନୁସନ୍ଧାନାର୍ଥ ଦେଶ-ଦେଶାନ୍ତରକୁ ପଠାଇଲେ । ସୁଗ୍ରୀବଙ୍କର ଅନୁଚର ବୀର ହନୁମାନ୍ ଲଙ୍କା ଦ୍ୱୀପରେ ସୀତାଙ୍କର ଥିବାର ସମ୍ବାଦ ଆଣି ରାମଙ୍କୁ ପ୍ରଦାନ କଲେ । ସୁଗ୍ରୀବ ଓ ତାହାଙ୍କର ଅନୁଚରମାନଙ୍କୁ ଘେନି ରାମ ଓ ଲକ୍ଷ୍ମଣ ସେତୁଦ୍ୱାରା ସମୁଦ୍ର ପାର ହୋଇ ଚାରୁହର୍ମ୍ୟଶାଳିନୀ ଉପବନଶୋଭିତା ଲଙ୍କାପୁରୀକୁ ଅବରୋଧ କଲେ । ରାମଙ୍କ ସହିତ ରାବଣର ଭୀଷଣ ସମର ହେଲା । ଏହି ରଣରେ ରାବଣର ବିଖ୍ୟାତ ବୀରପୁତ୍ର ଇନ୍ଦ୍ରଜିତ ପ୍ରଭୃତି ମହାବୀରମାନେ ବିନଷ୍ଟ ହେଲା । ପରିଶେଷରେ ରାବଣ ମଧ୍ୟ ରାମଙ୍କ ଶରରେ ବିନାଶପ୍ରାପ୍ତ ହେଲା । ସତୀ ସୀତାଙ୍କର ନୟନବାରି କାଳାନଳ ପ୍ରାୟ ଲଙ୍କାପୁରୀକୁ ଭସ୍ମ କରିଦେଲା ।
ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଘେନି ଅଯୋଧ୍ୟାକୁ ପ୍ରତ୍ୟାଗମନ କଲେ । ସେମାନଙ୍କ ପ୍ରତ୍ୟାଗମନରେ ପୁରବାସୀମାନେ ଆନନ୍ଦ ଉତ୍ସବ କରିବାକୁ ଲାଗିଲେ । ଭରତ ଓ ଶତ୍ରୁଘ୍ନ ମହାନନ୍ଦରେ ରାମସୀତାଙ୍କୁ ଅଭ୍ୟର୍ଥନା କରି ଗୃହକୁ ଘେନିଗଲେ । କୌଶଲ୍ୟା ଓ ସୁମିତ୍ରାଙ୍କର ଚକ୍ଷୁ ଆନନ୍ଦରେ ଅଶ୍ରୁବର୍ଷଣ କରିବାକୁ ଲାଗିଲା । କୈକେୟା ରାମଙ୍କ ପ୍ରତି ନିଜର ଦୁର୍ବ୍ୟବହାର ବୀଷୟ ସ୍ମରଣ କରି ଲଜ୍ଜିତା ହୋଇ ରହିଥିଲେ । ରାମ ସେ ସମସ୍ତ ବିଷୟ ଭୁଲିଯାଇ ତାହାଙ୍କର ପାଦ ବନ୍ଦନା କରି ତାହାଙ୍କ ପ୍ରତି ଯଥୋଚିତ ଭକ୍ତି ପ୍ରକାଶ କଲେ । ରାମ ରାଜ୍ୟଭାର ଗ୍ରହଣକରି ପ୍ରଜାମାନଙ୍କୁ ପରମ ସୁଖରେ ପାଳନ କଲେ । ଏହିପରି କିଛିଦିନ ଗତ ହେଲା ଉତ୍ତାରୁ ଦିନେ ରାମ ଶୁଣିଲେ ଯେ, ସୀତଦେବୀ ରାବଣ ଗୃହରେ ଥିଲେ ହୋଲି ପ୍ରଜାମାନେ ତାହାଙ୍କର ନିନ୍ଦା କରୁଅଛନ୍ତି-। ଏହି କଥା ଶୁଣି ରାମ ଅତ୍ୟନ୍ତ ବ୍ୟଥିତ ହେଲେ । ସେ ଜାଣିଥିଲେ ଯେ ସୀତାଙ୍କର ଚରିତ୍ର ନିଷ୍କଳଙ୍କ ଅଟେ; ତଥାପି ପ୍ରଜାରଞ୍ଜନ କରିବା ରାଜାର ଧର୍ମ, ଏହା ବିଚାରି ସେ ନିଜର ସୂଖଶାନ୍ତି ବିସର୍ଜନ କରି ସସତ୍ତ୍ୱା ସୀତା ଙ୍କୁ ବର୍ଜନ କଲେ । ଲକ୍ଷ୍ମଣ ଭ୍ରାତାଙ୍କର ଆଦେଶରେ ସୀତାଙ୍କୁ ସଙ୍ଗରେ ଘେନି ମହର୍ଷି ବାଲ୍ମୀକିଙ୍କୁ ତପୋବନରେ ରଖି ଆସିଲେ । ମହର୍ଷି ସୀତାଙ୍କୁ ନିଜ କନ୍ୟାତୁଲ୍ୟ ସ୍ନେହରେ ପାଳନ କଲେ-। ବାଲ୍ମୀକି ମୁନିଙ୍କ ଆଶ୍ରମରେ ସୀତାଙ୍କର ଦୁଇଟି ଯମଜପୁତ୍ର ଜାତହେଲେ । ବାଲ୍ମୀକି ଏହି ଦୁଇ ଶିଶୁଙ୍କୁ କୁଶ ଓ ଲବ ନାମ ଦେଲେ । ସେମାନଙ୍କୁ ଧନୁର୍ବିଦ୍ୟା ଓ ରାଜଧର୍ମ ବିଷୟ ଶିଖାଇ, ସେ ରାମ ଓ ସୀତାଙ୍କ ବିଷୟରେ ରାମାୟଣ ନାମକ ମହାକାବ୍ୟ ରଚନା କରି ସେମାନଙ୍କୁ ତାହା ଗାଇବାକୁ ଶିଖାଇଲେ ।
ତଦନନ୍ତର ରାମଚନ୍ଦ୍ର ଅଶ୍ୱମେଧଯଜ୍ଞର ଅନୁଷ୍ଠାନ କରିବାର ସଂକଳ୍ପ କଲେ । ଧର୍ମପତ୍ନୀ ବିନା ଏହି ଯଜ୍ଞ ସାଧିତ ହୁଏ ନାହିଁ ବୋଲି ତାହାଙ୍କର ପାତ୍ରମିତ୍ରମାନେ ଦ୍ୱତୀୟବାର ବିବାହ କରିବା ନିମିତ୍ତ ବାରମ୍ବାର ଅନୁରୋଧ କରିଥିଲେ । କିନ୍ତୁ ରାମଚନ୍ଦ୍ର ଦ୍ୱିତୀୟ ଦାର ପରିଗ୍ରହ ନ କରି ସୀତାଙ୍କର ସ୍ୱର୍ଣ୍ଣମୟୀ ମୂର୍ତ୍ତି ଗଠନ କରି ଯଜ୍ଞାନୁଷ୍ଠାନ ଆରମ୍ଭ କଲେ । ଦେଶ ଦେଶାନ୍ତରରୁ ମୁନିଋଷିମାନେ ଆମନ୍ତ୍ରିତ ହୋଇ ଯଜ୍ଞସ୍ଥାନକୁ ଆଗମନ କଲେ । ମହର୍ଷି ବାଲ୍ମୀକି ମଧ୍ୟ ନିମନ୍ତ୍ରିତ ହୋଇ କୁଶଲବଙ୍କୁ ଘେନି ଯଜ୍ଞ ସ୍ଥାନକୁ ଆସିଲେ । ବାଲ୍ମୀକିଙ୍କ ଆଦେଶମତେ କୁଶ ଓ ଲବ ଯଜ୍ଞସ୍ଥାନରେ ରାମାୟଣ ଗାନ କରିବାକୁ ଲାଗିଲେ । ସେମାନଙ୍କର ମଧୁର ଗାନ ଶୁଣ ସମସ୍ତେ ମୋହିତ ହୋଇଗଲେ । ସେମାନଙ୍କର ଆକୃତିରେ ରାମ ସୀତାଙ୍କର ରୂପର ସାଦୃଶ୍ୟ ହେଖି, ରାମ ଓ ଲକ୍ଷ୍ମଣ ବିସ୍ମିତ ହୋଇ ବାଲ୍ମୀକିଙ୍କୁ ସେମାନଙ୍କର ପରିଚୟ ପଚାରିଲେ । ମହର୍ଷି୍ଙ୍କଠାରୁ ସୀତାଙ୍କର ସମସ୍ତ ସମ୍ବାଦ ପାଇ ରାମ ସୀତାଙ୍କୁ ଆଣିବା ନିମିତ୍ତ ଆଦେଶ କଲେ । ସୀତା ରାମଙ୍କର ଆହ୍ୱାନବାର୍ତ୍ତା ଶୁଣି ଆନନ୍ଦିତା ହୋଇ ଯଜ୍ଞସ୍ଥାନକୁ ଆସିଲେ । ବାଲ୍ମୀକି ସୀତାଙ୍କ ସଭା ମଧ୍ୟକୁ ଘେନିଗଲେ । ସୀତା ଭକ୍ତିପୂର୍ଣ୍ଣ ଅନ୍ଦରରେ ରାମଙ୍କର ଚରଣବନ୍ଦନା କରି ଦଣ୍ଡାୟମାନ ରହିଲେ । ତାହାଙ୍କର ଶିରୀଷକୋଚମଳ ସୁକୁମାର ତନୁ ଚିନ୍ତାରେ ଶୁଷ୍କ ଓ କୃଶ ହୋଇଅଛି ଦେଖି ରାମଙ୍କର ହୃଦୟ ବିଗଳିତ ହେଲା । ବାଲ୍ମୀକି ସଭା ମଧ୍ୟରେ ଦଣ୍ଡାୟମାନ ହୋଇ ଗମ୍ଭୀର ଭାବରେ କହିଲେ, ‘‘ସୀତାଦେବୀ ପରମାସତୀ, ରାମଚନ୍ଦ୍ର ତାହାଙ୍କୁ ପୁନର୍ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ପୁରବାସୀମାନେ ଏ ବିଷୟରେ ଅନୁମତି ଦିଅନ୍ତୁ ।’’ ବାଲ୍ମୀକିଙ୍କର କଥା ଶୁଣି ସାଧୁ ବ୍ୟକ୍ତିମାନେ ‘ତଥାସ୍ତୁ’ ବୋଲି କହିଲେ; କିନ୍ତୁ ଅବିଶ୍ୱାସୀ କୁଟିଳ ପ୍ରକୃତିର ଲୋକମାନେ କୌଣସି ଉତ୍ତର ହେଲେ ନାହିଁ । ସୀତାଦେବୀ ଖଳଲୋକଙ୍କର ଅବିଶ୍ୱାସରେ ଅତ୍ୟନ୍ତ ମର୍ମପୀମଡ଼ିତା ହୋଇ ‘‘ମା ବସୁଧେ ! ମୋତେ ଗ୍ରହଣ କର’’ ଏତିକିମାତ୍ର କହି ମୂର୍ଚ୍ଛିତା ହୋଇ ଭୂତଳରେ ବାତାହତ କଦଳୀବୃକ୍ଷ ପ୍ରାୟ ପଡ଼ିଗଲେ ଏବଂ ସହସା ପ୍ରାଣତ୍ୟାଗ କଲେ ।
ଏଥିଉତ୍ତାରେ ଶ୍ରୀରାମ ଘୋର ଦୁଃଖରେ କିଛି କାଳ ସଂସାରରେ ରହି ମାନବଲୀଳା ସମ୍ୱରଣ କଲେ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ